[ପୃଷ୍ଠା ୧] [ଚିତ୍ର ବର୍ଣ୍ଣନା: ଏକ ବଜାର ବା ହାଟର ଦୃଶ୍ୟ। ସେଠାରେ ବିଭିନ୍ନ ପନିପରିବା ଓ ଫଳ ଦୋକାନୀ ବସିଛନ୍ତି ଏବଂ ଗ୍ରାହକମାନେ ପରିବା କିଣୁଛନ୍ତି।]


[ପୃଷ୍ଠା ୨]

[ଚିତ୍ର ବର୍ଣ୍ଣନା (ଉପର): ଏକ ମାଟି ଘରର ବାରଣ୍ଡାରେ ବାପା ମାଙ୍କଡ଼ ଚଷମା ପିନ୍ଧି ବସିଛନ୍ତି ଏବଂ ତାଙ୍କ ପାଖରେ ଦୁଇଟି ଛୋଟ ମାଙ୍କଡ଼ ଛୁଆ ବସି କଥାବାର୍ତ୍ତା ହେଉଛନ୍ତି। ଜଣେ ଛୁଆ ଖାଦ୍ୟ (କାଙ୍କଡ଼ ଝୋଳ) ବିଷୟରେ ଭାବୁଛି।]

ପାଠ-୧

ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ

ମାଙ୍କଡ଼ କହିଲା ବାପାଙ୍କୁ ଦିନେ

କାଙ୍କଡ଼ ଖାଇବି ଭାବିଛି ମନେ

ପାଇଲେ ଟଙ୍କା

ଦୋକାନରୁ କିଣି ଆଣିବି ଲଙ୍କା ॥

କାଙ୍କଡ଼ କାଟି ଜିରାକୁ ବାଟି

ଛୁଙ୍କ ଦେଇ ତୁମେ ଝୋଳ କରିଦେବ

ଲାଗିବ ସୁଆଦ

ଖାଇବି ଚାଟି ॥


[ପୃଷ୍ଠା ୩]

[ଚିତ୍ର ବର୍ଣ୍ଣନା (ଉପର): ମାଆ ମାଙ୍କଡ଼ ଶାଢ଼ୀ ପିନ୍ଧି ବସିଛନ୍ତି ଏବଂ ତାଙ୍କ ଆଗରେ ଦୁଇଟି ମାଙ୍କଡ଼ ଛୁଆ ବସି ବହି ଖୋଲି ପାଠ ପଢ଼ୁଛନ୍ତି।]

[ଚିତ୍ର ବର୍ଣ୍ଣନା (ମଝି): ଏକ ଘର ଆଗରେ ଥିବା ଅଗଣାରେ ଦୁଇଟି ମାଙ୍କଡ଼ ଛୁଆ ଖେଳୁଛନ୍ତି - ଗୋଟିଏ ଝିଅ ମାଙ୍କଡ଼ ଛୁଆ ମାଟି ପାତ୍ରରେ ଖେଳୁଛି ଏବଂ ଅନ୍ୟ ଏକ ଛୁଆ ବଲ୍ ସହିତ ଖେଳୁଛି।]

[ଚିତ୍ର ବର୍ଣ୍ଣନା (ତଳ): ମାଙ୍କଡ଼ ପରିବାରର ସମସ୍ତ ଚାରିଜଣ ସଦସ୍ୟ (ବାପା, ମାଆ ଓ ଦୁଇ ଛୁଆ) ତଳେ ଧାଡ଼ି ହୋଇ ବସି ଖାଉଛନ୍ତି।]

ଏତିକି ବେଳକୁ ଡାକିଲେ ମାଆ

ଶୁଣୁଥା’ରେ ପୁଅ କହୁଛି ଯାହା

ବଜାର ଯିବି

ପରିବା, ସଉଦା କିଣି ଆଣିବି ॥

କରି ରୋଷେଇ ଦେବି ଖୁଆଇ

ଅଝଟ ହୁଅନା ଧନସଙ୍ଖାଳି ମୋ’

ପାଠ ପଢ଼ିସାରି

ଖେଳୁଥା’ ଯାଇ ॥

ଶିକ୍ଷକଙ୍କ ପାଇଁ ସୂଚନା : ଶିକ୍ଷକ ପିଲାମାନଙ୍କୁ ପ୍ରଥମେ ଚିତ୍ରଟିକୁ ଦେଖାଇ ଆଲୋଚନା କରିବେ । ପିଲାମାନଙ୍କୁ କବିତାଟିକୁ ଅଭିନୟ ସହ ଆବୃତ୍ତି କରି ଶୁଣାଇବେ । ଶିକ୍ଷକ ପ୍ରଥମେ ଗାଇବେ ପିଲାମାନେ ତାକୁ ପଛରେ ଗାଇବେ । ଶେଷରେ ଶିକ୍ଷକ ପିଲାଙ୍କ ସହ କବିତା ଉପରେ ଆଲୋଚନା କରିବେ ।


[ପୃଷ୍ଠା ୪]

ଅଭ୍ୟାସ

୧. ଆସ କଥା ହେବା ।

(କ) ତୁମେ ଅଝଟ ହେଲେ ତୁମକୁ କିଏ ବୁଝାନ୍ତି ?

(ଖ) ଘରେ ତୁମକୁ ପାଠପଢ଼ାବେଳେ କିଏ ସାହାଯ୍ୟ କରନ୍ତି ?

(ଗ) ବଜାରକୁ ତୁମେ କାହା ସହ ଯାଅ ?

(ଘ) ତୁମେ କେଉଁ କାମରେ ବାପମାଆଙ୍କୁ ସାହାଯ୍ୟ କର ?

(ଙ) ତୁମେ କେଉଁ ସବୁ ସଉଦା ଦୋକାନରୁ ଆଣିଥାଅ ?

୨. ଦେଖ ଓ ଲେଖ ।

ଙ୍କ

ଙ୍ଖ

୩. ଚିତ୍ର ଦେଖି ଖାଲିଘର ପୂରଣ କର ।

[ଚିତ୍ର: କଙ୍କଡ଼ା]

କ ___ ଡ଼ା

[ଚିତ୍ର: ଶଙ୍ଖ]

ଶ ___

[ଚିତ୍ର: ମାଙ୍କଡ଼]

ମା ___ ଡ଼

[ଚିତ୍ର: ପଙ୍ଖା]

ପ ___


[ପୃଷ୍ଠା ୫]

୪. ପଢ଼ ଓ ଲେଖ ।

ନାଲି ଶଙ୍ଖା

ଧଳା ଶଙ୍ଖ

ବଙ୍କୁଲୀ ବାଡ଼ି

ହାତ ପଙ୍ଖା

ଲାଉଡ଼ଙ୍କ

ବଙ୍କା ଆଙ୍କୁଡ଼ି

୫. ତଳେ ଥିବା ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ ଓ ପଢ଼ ।

ଡ଼ଙ୍କମା =

ଙ୍କଡ଼କା =

ରିଙ୍ଖାଶ =

୬. ତଳ ସାରଣୀରେ ଥିବା ‘ଙ୍କ’ ‘ଙ୍ଖ’ ଯୁକ୍ତାକ୍ଷରକୁ ନେଇ ଶବ୍ଦ ଗଢ଼ ଓ ଲେଖ ।

ଯେପରି : କାଙ୍କଡ଼

| କା | | ଡ଼ | | --- | --- | --- | | | ଙ୍କ | | | ଟ | | ରା |

| ଶ | | | | --- | --- | --- | | | ଙ୍ଖ | | | | | ଡ଼ି |


[ପୃଷ୍ଠା ୬]

[ଚିତ୍ର ବର୍ଣ୍ଣନା (ଉପର): ହାତରେ ଭାରତୀୟ ଟଙ୍କାର ନୋଟ୍ (₹୫୦୦ ଓ ₹୧୦୦) ଧରି ଗଣୁଥିବାର ଦୃଶ୍ୟ।]

୭. ଆସ ପଢ଼ିବା ।

କଙ୍କି, ଶଙ୍ଖୁଆ, ଶଙ୍ଖା, ଶଙ୍କର

କାଙ୍କ, ଶୃଙ୍ଖଳା, ଶଙ୍ଖ, ପାଲିଙ୍କି

ବଙ୍କା, ଢାଙ୍କୁଣି, ପଙ୍ଖା, ପଙ୍କଜ

ଢିଙ୍କି, ପଙ୍କ, ସଙ୍ଖୁଡ଼ି

୮. ଆସ ଗାଇବା ।

(କ) ପାଣି ପିଉଥିବ ଛାଣି ।

ଟଙ୍କା ନେଉଥିବ ଗଣି ।

(ଖ) ପଙ୍ଖା ତଳେ ବସି ଶଙ୍ଖା ବିଲେଇ ।

ଶଙ୍ଖା ପାଛିଆକୁ ରହିଛି ଚାହିଁ ।

୯. ପଢ଼ ଓ ଆଲୋଚନା କରି ଉତ୍ତର ଲେଖ ।

(କ) ମାଙ୍କଡ଼ ତା’ ବାପାଙ୍କୁ କ’ଣ କହିଲା ?

ଉତ୍ତର :

(ଖ) ମାଙ୍କଡ଼ ବଜାର ଯାଇ କ’ଣ ଆଣିବ ବୋଲି କହିଲା ?

ଉତ୍ତର :

(ଗ) ଅଝଟ ନ ହୋଇ କ’ଣ କରିବାକୁ ମାଆ କହିଲେ ?

ଉତ୍ତର :

(ଘ) ପାଠପଢ଼ା ସହ ତୁମେ ଘରେ ଆଉ କେଉଁ ସବୁ କାମ କରିଥାଅ ?

ଉତ୍ତର :

(ଙ) ତୁମ ମାଆ ଘରେ କ’ଣ ସବୁ କାମ କରନ୍ତି ?

ଉତ୍ତର :


[ପୃଷ୍ଠା ୭]

୧୦. ସମାନ ଧ୍ୱନି ଉଚ୍ଚାରଣ ହେଉଥିବା ଶବ୍ଦକୁ ଗାର ଟାଣି ଯୋଡ଼ ।

| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ | | --- | --- | | କାଙ୍କଡ଼ | ଡଙ୍କି | | କଙ୍କି | ପଙ୍ଖା | | ଶଙ୍ଖା | ବଙ୍କା | | ଟଙ୍କା | ମାଙ୍କଡ଼ |

[ଚିତ୍ର ବର୍ଣ୍ଣନା (ମଝି): ଦୁଇଟି ଛୋଟ ମାଙ୍କଡ଼ ତଳେ ଖେଳୁଛନ୍ତି / କଥାବାର୍ତ୍ତା କରୁଛନ୍ତି।]

[ଚିତ୍ର ବର୍ଣ୍ଣନା (ତଳ): ଏକାଧିକ ମାଙ୍କଡ଼ ପ୍ରାକୃତିକ ପରିବେଶରେ ବସି କଦଳୀ ଖାଉଛନ୍ତି।]

୧୧. ଚିତ୍ର ଦେଖ ଓ ଲେଖ ।


[ପୃଷ୍ଠା ୮]

୧୧. ପହଳି ପଢ଼ି ଖାଲି ଘରେ ଉତ୍ତର ଲେଖ ।

(କ)

ମିଠା କଥା କହି କରେ ଆଦର

ତା’ ପାଇଁ ଘର ସରଗପୁର,

ଜନମ ତୁମର ଗରଭୁ ତା’ର

ପାଖରେ ଥିଲେ ସେ’ ନଲାଗେ ଡର ।

[______]

(ଖ)

ଆମରି ହସରେ ତାଙ୍କରି ଖୁସି

ପାଳନ୍ତି ଆମକୁ ସେ’ ହସିହସି,

ମୁଖିଆ ହୋଇ ସେ ଘର ଚଳାନ୍ତି

ସୁଖେ ଦୁଃଖେ ଆମ ପାଖେ ଥାଆନ୍ତି ।

[______]

୧୨. ଖାଇଲେ କିପରି ଲାଗେ ଲେଖ ।

ଯେପରି : ଲଙ୍କା ଖାଇଲେ ରାଗ ଲାଗେ ।

ସେପରି :

କଇଁଆ ___ ଲାଗେ ।

ଗୁଡ଼ ___ ଲାଗେ ।

ଲୁଣ ___ ଲାଗେ ।

୧୩. ତୁମ ପାଇଁ କାମ ।

(କ) ତୁମ ରୋଷେଇ ଘରେ କ’ଣ ସବୁ ଜିନିଷ ଅଛି– ମାଆ ଓ ବାପାଙ୍କୁ ପଚାରି ତାଲିକା କର ।

(ଖ) ମାଆ ତୁମ ପାଇଁ ଯାହା ରୋଷେଇ କରନ୍ତି ଖାତାରେ ଲେଖ ।

(ଗ) ଗୁରୁଙ୍କୁ ବିଷ୍ଣୁପ୍ରାୟ ମଣି

ସେବା କରିବ ମନ ଜାଣି ।

(ପିତାମାତାଙ୍କ ସହଯୋଗରେ ଆବୃତ୍ତି କର)

ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସୂଚନା

କ’ଣ ଶିଖିବେ ?

ଭାଷା :

  • ‘ଙ୍କ’ ଓ ‘ଙ୍ଖ’ ଯୁକ୍ତାକ୍ଷର ଚିହ୍ନିବେ ।

  • ‘ଙ୍କ’, ‘ଙ୍ଖ’ ଯୁକ୍ତାକ୍ଷରକୁ ନେଇ ନୂଆ ଶବ୍ଦ ଗଢ଼ିବେ, ପଢ଼ିବେ ଓ ଲେଖିବେ ।

  • ଚିତ୍ର ଦେଖିବେ । ଚିତ୍ରରେ କ’ଣ ଦେଖୁଛନ୍ତି ଲେଖିବେ ।

  • ପଦ୍ୟକୁ ସ୍ୱର, ତାଳ ସହିତ ଆବୃତ୍ତି କରିବେ ।

  • ପଦ୍ୟର ସରଳ ପ୍ରଶ୍ନର ଉତ୍ତର କହିବେ ଓ ଲେଖିବେ ।

ପରିବେଶ :

  • ପରିବାରର ବିଭିନ୍ନ ସମ୍ପର୍କ ବିଷୟରେ କହିବେ ।

  • ବାପା, ମାଆ ଓ ଗୁରୁଜନଙ୍କ ଉପଦେଶ ଅନୁଯାୟୀ କାମ କରିବେ।

  • କାଙ୍କଡ଼ ଭଳି ବିଭିନ୍ନ ପ୍ରକାର ପନିପରିବା ବିଷୟରେ କହିବେ ।

  • ଦୋକାନ / ବଜାର / ହାଟରୁ ମିଳୁଥିବା ସଉଦାଗୁଡ଼ିକ ବିଷୟରେ କହିବେ ।

ଅଭ୍ୟାସ କାର୍ଯ୍ୟ :

  • କଥୋପକଥନ କରିବେ ।

  • ‘ଙ୍କ’ ଓ ‘ଙ୍ଖ’ ଧ୍ୱନିର ଠିକ୍ ଉଚ୍ଚାରଣ ସହ ଶବ୍ଦ ଗଢ଼ିବେ ।

  • ଶବ୍ଦ ପଢ଼ିବେ ଓ ଲେଖିବେ ।

  • ଚିତ୍ରକୁ ବୁଝି ସେ ସମ୍ପର୍କରେ କହିବେ, ଆଲୋଚନା କରିବେ ଓ ଲେଖିବେ ।

  • ଦଳଗତ ଓ ବ୍ୟକ୍ତିଗତ ଅଭ୍ୟାସ କାର୍ଯ୍ୟ କରିବେ ।