[ଚିତ୍ର ବର୍ଣ୍ଣନା: ଜଣେ ଶିକ୍ଷୟିତ୍ରୀ ଓ କିଛି ବିଦ୍ୟାଳୟ ଛାତ୍ରଛାତ୍ରୀ ଏକ ପ୍ରାକୃତିକ ଜଳାଶୟ କୂଳରେ ଠିଆ ହୋଇଛନ୍ତି । ପୋଖରୀରେ ବଗ, ମାଛ, ପଦ୍ମ ଫୁଲ ଏବଂ ଚାରିପାଖରେ ସବୁଜ ଗଛଲତା ଦେଖାଯାଉଛି ।]
ଜଳ ହିଁ ଜୀବନ
ବର୍ଷା ହେଉଥାଏ । ଗୁଡ଼ୁ ଝରକା ପାଖକୁ ଦଉଡ଼ିଗଲା, ଯେଉଁଠାରେ କାଚ ଉପରେ ଛୋଟ ଛୋଟ ବର୍ଷା ଟୋପା ଖସି ପଡ଼ୁଥିବାର ଜ୍ୟୋତି ପୂର୍ବରୁ ଦେଖୁଥିଲା । ଏହି ଜଳ କେଉଁଠାରୁ ଆସେ ଓ କୁଆଡ଼େ ଯାଏ ବୋଲି ଗୁଡ଼ୁ ପଚାରିଲା ।
ଆସ, ଜଳର ଗତିପଥକୁ ଅନୁସରଣ କରିବା ।
କିନ୍ତୁ ପ୍ରଥମେ ଆସ, ପୃଥିବୀରେ କେତେ ପରିମାଣର ଜଳ ଅଛି ଦେଖିବା ।
ଯଦିଓ ପୃଥିବୀ ପୃଷ୍ଠରେ ଅଧିକାଂଶ ଅଞ୍ଚଳ ଜଳରେ ପରିପୂର୍ଣ୍ଣ, ଅତି କମ୍ ପରିମାଣର ମଧୁର ଜଳକୁ ଛାଡ଼ିଦେଲେ ଅନ୍ୟ ସବୁ ଜଳ ଲୁଣିଆ ଅଟେ ।
ବର୍ଷାଜଳ ସଂଗ୍ରହ ଏବଂ ଭୂମିତଳ ଜଳର ଭରଣା ନିମନ୍ତେ ରାଜସ୍ଥାନରେ ପାରମ୍ପରିକ ଛୋଟ ମାଟି ବନ୍ଧ ନିର୍ମିତ ହୁଏ ତାହାକୁ “ଯୋହଡସ” କୁହାଯାଏ ।
ସମସ୍ତ ଜୀବଜନ୍ତୁ, ମନୁଷ୍ୟ, ପଶୁ, ପକ୍ଷୀ ଏବଂ ଉଦ୍ଭିଦ– ବଞ୍ଚିବା ପାଇଁ ମଧୁର ଜଳ ଉପରେ ନିର୍ଭର କରନ୍ତି ।
ଏହା ପାନୀୟ, କୃଷି କାର୍ଯ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟ ନିର୍ବାହ ପାଇଁ ଅତ୍ୟନ୍ତ ଆବଶ୍ୟକ । ଅନେକ ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ମଧୁର ଜଳରେ ବାସ କରନ୍ତି । ଜଳ ବିନା ଜୀବନ ସମ୍ଭବ ନୁହେଁ ।
ଏବେ କଳ୍ପନା କର, ଯଦି ପୃଥିବୀର ସମସ୍ତ ଜଳ ଗୋଟିଏ ଗ୍ଲାସର ଜଳ ହୁଏ, ତେବେ ମଧୁର ଜଳର ପରିମାଣ କେବଳ ଏକ ଚାମଚ ଜଳ ହେବ ।
[ଚିତ୍ର ବର୍ଣ୍ଣନା: ଏକ ଗ୍ଲାସରେ ୨୦୦ ମି.ଲି. ଜଳ ଏବଂ ଏକ ଚାମଚରେ ୫ ମି.ଲି. ଜଳର ତୁଳନାତ୍ମକ ଚିତ୍ର ।]
[ଚିତ୍ର ବର୍ଣ୍ଣନା: ସମୁଦ୍ର କୂଳବର୍ତ୍ତୀ ଲୁଣ କିଆରୀରୁ ଲୋକମାନେ ଲୁଣ ସଂଗ୍ରହ କରୁଥିବାର ଦୃଶ୍ୟ ।]
ଆଲୋଚନା କର
୧. ତୁମେ କ’ଣ ଭାବୁଛ ଯେ ସମୁଦ୍ରରେ ଥିବା ଜଳକୁ ଆମେ ପିଇପାରିବା ? ୨. ସମୁଦ୍ର ଜଳକୁ କେଉଁ କେଉଁ କାମରେ ବ୍ୟବହାର କରାଯାଇପାରିବ ?
ତୁମେ ଜାଣ କି ?
ଗୁଜରାଟର ଲୁଣିଆ ଅଞ୍ଚଳଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ । ଏହା ଭାରତର ସବୁଠାରୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ । ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା “ହୁମ୍ମା” ଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି ।
କାର୍ଯ୍ୟ-୧
ଆମେ କେଉଁଠାରୁ ମଧୁର ଜଳ ପାଇପାରିବା ? ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକରୁ ବିଭିନ୍ନ ମଧୁର ଜଳ ଉତ୍ସଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ନାମ ଲେଖ ।
[ଚିତ୍ର ବର୍ଣ୍ଣନା: ପର୍ବତରୁ ବାହାରୁଥିବା ଝରଣା, କୂଅ ଓ ହ୍ରଦ ପରି ମଧୁର ଜଳର ବିଭିନ୍ନ ପ୍ରାକୃତିକ ଉତ୍ସ ।]
କାଶ୍ମୀରର ଉଲାର ହ୍ରଦ ଏସିଆର ସର୍ବବୃହତ୍ ମଧୁର ଜଳାଶୟ । ଏହା ନଦୀର ପ୍ରବାହକୁ ନିୟନ୍ତ୍ରଣ କରି ବନ୍ୟା ପ୍ରତିରୋଧ କରିବାରେ ସାହାଯ୍ୟ କରେ ।
ଜ୍ୟୋତି କୌତୂହଳୀ ହୋଇ କହିଲା, “ବାୟୁରେ ମଧ୍ୟ ଜଳ ଅଛି କି ? ଏବଂ ବରଫ ଜଳର ଏକ ରୂପ କି ?”
ଜଳର ବିଭିନ୍ନ ଅବସ୍ଥା ରହିଛି ।
ଆମେ ପୂର୍ବରୁ ଜଳର ତରଳ (ଯଥା- ବର୍ଷା), କଠିନ (ଯଥା- ବରଫ) ଏବଂ ଗ୍ୟାସୀୟ (ଯଥା- ବାଷ୍ପ) ଅବସ୍ଥା ବିଷୟରେ ଜାଣିଛୁ ।
ଆସ, ଗୋଟିଏ ସରଳ କାର୍ଯ୍ୟ ମାଧ୍ୟମରେ ଏ ବିଷୟରେ ଅଧିକ ଜାଣିବା ।
କାର୍ଯ୍ୟ-୨
ଗୋଟିଏ ଷ୍ଟିଲ ଗ୍ଲାସ୍ ନିଅ । ସେଥିରେ କେତୋଟି ବରଫ ଖଣ୍ଡ ପକାଅ । ଗ୍ଲାସ୍ର ବାହାର ପାଖରେ ସୃଷ୍ଟି ହେଉଥିବା ଛୋଟ ଛୋଟ ଜଳ ବିନ୍ଦୁଗୁଡ଼ିକୁ ଦେଖ ।
[ଚିତ୍ର ବର୍ଣ୍ଣନା: ବରଫ ଖଣ୍ଡ ଥିବା ଷ୍ଟିଲ୍ ଗ୍ଲାସ ଏବଂ ସାଧାରଣ ପାଣି ଗ୍ଲାସ; କପ୍ ଓ ଚୁଲିରେ ବସିଥିବା ପାତ୍ରରୁ ବାଷ୍ପ ବାହାରୁଥିବାର ଚିତ୍ର ।]
(କ) ଏହି ଜଳ ବିନ୍ଦୁଗୁଡ଼ିକ କେଉଁଠାରୁ ଆସିଲା ? (ଖ) କିଛି ସମୟ ପାଇଁ ଗ୍ଲାସ୍ରେ ରହିବା ପରେ ବରଫ ଖଣ୍ଡଗୁଡ଼ିକର କି ପରିବର୍ତ୍ତନ ହେଲା ? (ଗ) ଯଦି ଆମେ ଜଳକୁ ଗରମ କରିବା, ତେବେ କ'ଣ ହେବ ?
ଉପରୋକ୍ତ କାର୍ଯ୍ୟରେ ତୁମେ ଜଳର କେଉଁ କେଉଁ ଅବସ୍ଥା ଦେଖୁଛ ?
ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟ କର
| କାର୍ଯ୍ୟ | ମୁଁ ଦେଖୁଛି |
|---|---|
| ବରଫ ତରଳିବା | |
| ଜଳ ଫୁଟିବା | |
| ତିନିଦିନ ଧରି ସୂର୍ଯ୍ୟକିରଣରେ ଥିବା ଜଳ |
ଏହି ପରୀକ୍ଷଣରୁ ଆମେ ଜାଣିବାକୁ ପାଇଲୁ ଯେ ଜଳ, ବରଫ ଏବଂ ବାଷ୍ପରେ ପରିବର୍ତ୍ତନ ହୋଇପାରେ ଓ ଏହା ପୁଣି ତରଳ ଅବସ୍ଥାକୁ ଆସିପାରେ ।
ଜଳ ଚକ୍ର
ପ୍ରକୃତିରେ ଏପରି ପରିବର୍ତ୍ତନ କିପରି ଘଟେ, ତାହା ବୁଝିବା
କାର୍ଯ୍ୟ-୩
-
ଗୋଟିଏ ସ୍ୱଚ୍ଛ ଥଳୀ ନିଅ ।
-
ଚିତ୍ରରେ ଦେଖାଯାଇଥିବା ପରି ଗୋଟିଏ ମାର୍କରରେ ସୂର୍ଯ୍ୟ, ମେଘ, ଗଛ ଚିତ୍ର କରି ତୀର ଚିହ୍ନ ଦିଅ ।
-
ଏହାର ଏକ ତୃତୀୟାଂଶ ରଙ୍ଗୀନ୍ ଜଳରେ ପୂର୍ଣ୍ଣ କର । (ସୂଚନା- ରଙ୍ଗ ପାଇଁ ନୀଳ କାଳି ରଙ୍ଗକୁ ବ୍ୟବହାର କରିପାରିବ ।)
-
ଜଳ ବାହାରି ନ ଯିବାପାଇଁ ଥଳୀ ମୁହଁକୁ ଭଲଭାବେ ବନ୍ଦ କର ।
-
ଏହାକୁ ସୂର୍ଯ୍ୟକିରଣରେ ରଖ ।
-
କିଛି ଘଣ୍ଟା ପରେ ଥଳୀ ଭିତରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟ କର ।
[ଚିତ୍ର ବର୍ଣ୍ଣନା: ଏକ ସ୍ୱଚ୍ଛ ପ୍ଲାଷ୍ଟିକ୍ ପାଉଚ୍ ଉପରେ ସୂର୍ଯ୍ୟ, ମେଘ, ବର୍ଷା ଓ ଗଛର ଚିତ୍ର ଆଙ୍କି ଜଳଚକ୍ରର ମଡେଲ ପ୍ରଦର୍ଶନ କରାଯାଇଛି ।]
| ମୁଁ ଦେଖେ | ମୁଁ ଚକିତ ହୁଏ | ଏହାର କାରଣ |
|---|---|---|
| ଜଳ ଗରମ ହୁଏ | ଜଳ କିପରି ଗରମ ହୁଏ ? | ସୂର୍ଯ୍ୟ କିରଣ |
| ଥଳୀ ଭିତରେ ଜଳ ବୁନ୍ଦା ସୃଷ୍ଟି ହେଲା |
ଭାରତର ସନ୍ତସନ୍ତିଆ ଭୂମିରେ ଦେଖାଯାଉଥିବା ଏକ ସ୍ୱତନ୍ତ୍ର ବିଲେଇର ପାଦ ପରଦାଯୁକ୍ତ ହୋଇଥିବାରୁ ଏହା ଜଳରେ ଭଲଭାବରେ ପହଁରି ମାଛ ଧରିପାରେ ।
ମଣିପୁରର “କେଇବୁଲ୍ ଲାମ୍ଜାଓ” ଜାତୀୟ ଉଦ୍ୟାନ ପୃଥିବୀରେ ଏକମାତ୍ର ଭାସମାନ ଜାତୀୟ ଉଦ୍ୟାନ ଅଟେ । ଏହା ବିପଦଗ୍ରସ୍ତ ସାଙ୍ଗାଇ ହରିଣ ଏବଂ ଭାସମାନ ଦ୍ଵୀପ (ଫୁମ୍ଡିସ୍) ପାଇଁ ପ୍ରସିଦ୍ଧ ।
[ଚିତ୍ର ବର୍ଣ୍ଣନା: ପ୍ରକୃତିରେ ଜଳଚକ୍ର ପ୍ରକ୍ରିୟା — ସୂର୍ଯ୍ୟ ତାପରେ ସମୁଦ୍ରରୁ ଜଳ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି ହେବା, ପର୍ବତ ଉପରେ ବର୍ଷା ହେବା ଏବଂ ନଦୀ ଦେଇ ପାଣି ସମୁଦ୍ରକୁ ଫେରିଆସିବା ।]
ଉପରୋକ୍ତ କାର୍ଯ୍ୟରେ ତୁମେ ଦେଖୁଛ ସୂର୍ଯ୍ୟର ତାପ ଜଳକୁ ଜଳୀୟ ବାଷ୍ପରେ ପରିଣତ କରିଥାଏ । ଜଳୀୟ ବାଷ୍ପ ଥଣ୍ଡା ହୋଇ ଥଳୀ ଭିତରେ ଛୋଟ ଛୋଟ ଜଳ ବିନ୍ଦୁ ସୃଷ୍ଟି କରେ । ଏହି ଜଳ ବିନ୍ଦୁଗୁଡ଼ିକ ପୁଣି ତଳକୁ ଖସିପଡ଼େ ।
ସେହିପରି ପ୍ରକୃତିର ବିଭିନ୍ନ ଉତ୍ସ ଯଥା- ସମୁଦ୍ର, ନଦୀ ଇତ୍ୟାଦିର ଜଳକୁ ସୂର୍ଯ୍ୟତାପ ଜଳୀୟ ବାଷ୍ପରେ ପରିଣତ କରେ । ଜଳୀୟ ବାଷ୍ପ ମେଘ ସୃଷ୍ଟି କରେ ଯାହା ବର୍ଷା, ତୁଷାର ଓ କୁଆପଥର ଭାବରେ ତଳକୁ ଆସେ । ଏହି ଜଳ ପୁଣି ନଦୀ, ହ୍ରଦ ଏବଂ ସମୁଦ୍ରକୁ ଫେରିଯାଏ ।
ପ୍ରକୃତିରେ ଜଳର ଏହି ନିରନ୍ତର ବୃତ୍ତାକାର ଗତିକୁ “ଜଳଚକ୍ର” କୁହାଯାଏ ।
ଭୂତଳ ଜଳ
ଆସ ଜାଣିବା, ଯେତେବେଳେ ବର୍ଷା ଜଳ ତଳକୁ ଆସିଯାଏ, ସେତେବେଳେ କ’ଣ ହୁଏ ।
କାର୍ଯ୍ୟ – ୪
-
ଗୋଟିଏ ସ୍ୱଚ୍ଛ ଗ୍ଲାସ୍ ନିଅ ।
-
ଏହାର ଅଧା ପର୍ଯ୍ୟନ୍ତ ମାଟି ଭର୍ତ୍ତି କର ।
-
ଚାମଚରେ ଧୀରେ ଧୀରେ ଜଳ ଢାଳ ।
-
କ’ଣ ଘଟୁଛି ଦେଖ ।
[ଚିତ୍ର ବର୍ଣ୍ଣନା: ଏକ ଗ୍ଲାସରେ ଥିବା ମାଟି ଉପରେ ଚାମଚରେ ପାଣି ଢଳାଯାଉଥିବାର ଚିତ୍ର ।]
ବର୍ଷା ହେଲେ, କିଛି ଜଳ ମାଟିରେ ଭେଦିଯାଏ । ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ । ଗଭୀର ଭୂତଳରେ ଯେଉଁ ଜଳ ଜମାହୁଏ, ତାକୁ ଭୂତଳ ଜଳ କୁହାଯାଏ । ଆମେ ଆମର ବ୍ୟବହାର ପାଇଁ କୂପ, ନଳକୂପ କିମ୍ବା ବୋର୍ୱେଲ ଖୋଳି ଏହି ଭୂତଳ ଜଳକୁ ପାଇଥାଉ ।
କାର୍ଯ୍ୟ – ୫
ଭୂତଳ ଜଳ ପୁନଃ ଭରଣା କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ବୋଲି ଭାବୁଛ, ଠିକ୍ ଚିହ୍ନ ଦେଇ ସୂଚିତ କର ।
[ଚିତ୍ର ବର୍ଣ୍ଣନା: କଂକ୍ରିଟ୍ ରାସ୍ତା, ସବୁଜ ଘାସ ଥିବା ବଗିଚା ଏବଂ ସିମେଣ୍ଟ ଟାଇଲ୍ ରାସ୍ତାର ଚିତ୍ର ।]
-
କଂକ୍ରିଟ ରାସ୍ତା ☐
-
ସବୁଜ ଘାସ ଥିବା ବଗିଚା ☐
-
ସିମେଣ୍ଟ ଟାଇଲ ରାସ୍ତା ☐
ସହରର ସିମେଣ୍ଟ କରାଯାଇଥିବା ସ୍ଥାନଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ, ଯାହା ଭୂତଳ ଜଳ ପୁନଃଭରଣା ହେବାରେ ବାଧା ସୃଷ୍ଟି କରେ ।
ତୁମେ ଜାଣ କି ?
ଖୋଲା ସ୍ଥାନମାନଙ୍କରେ ଜଳ ସହଜରେ ମାଟି ଭିତରକୁ ପ୍ରବେଶ କରିଥାଏ । ସୋକ୍ପିଟ୍, ପୋଖରୀ, ମଣିଷକୃତ ହ୍ରଦ ଏବଂ ଅଧିକ ବୃକ୍ଷରୋପଣ ବର୍ଷାଜଳକୁ ଭୂମି ତଳେ ପୁନର୍ବାର ଭରଣା ହେବାରେ ସାହାଯ୍ୟ କରେ ।
୧୮୨ ମିଟର ଉଚ୍ଚତା ବିଶିଷ୍ଟ ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି "ଷ୍ଟାଚ୍ୟୁ ଅଫ୍ ୟୁନିଟି” ଭାରତରେ ଅବସ୍ଥିତ ।
ଭୂପୃଷ୍ଠ ଜଳ
ଭୂତଳ ଜଳ ପରି ନଦୀ, ପୋଖରୀ, ହ୍ରଦ ଇତ୍ୟାଦି ମଧୁର ଜଳର ପ୍ରାକୃତିକ ଉତ୍ସ । ତୁମେ କେବେ ଭାବିଛ କି, ନଦୀ କିପରି ପ୍ରବାହିତ ହୁଏ ? ଗୋଟିଏ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ସମତଳ ଭୂମିରେ ପ୍ରବାହିତ ହୁଏ । ଆସ, ଗୋଟିଏ କାର୍ଯ୍ୟ ମାଧ୍ୟମରେ ଏହାକୁ ବୁଝିବା ।
କାର୍ଯ୍ୟ – ୬
ଆବଶ୍ୟକ ସାମଗ୍ରୀ – ପୁରୁଣା ଖବର କାଗଜ, ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଛୋଟ ମଞ୍ଜି ।
ପ୍ରଣାଳୀ:
-
ଖବର କାଗଜ ଖଣ୍ଡେ ନେଇ ଏହାକୁ ହାତରେ ମୋଚା କରିଦିଅ ।
-
ଆଉ ଖଣ୍ଡେ ଖବର କାଗଜ ନେଇ ଏହି ମୋଚାକୋଚା କାଗଜ ଉପରେ ରଖ ।
-
କାଗଜକୁ ହାତରେ ସାମାନ୍ୟ ଚାପି ଗଡ଼ାଣିଆ କର ।
-
ଏବେ ଧୀରେ ଧୀରେ ସୋରିଷ ମଞ୍ଜିକୁ ଗଡ଼ାଣିର ଉପର ମୁଣ୍ଡରୁ ଢାଳ ।
-
ମଞ୍ଜିଗୁଡ଼ିକର ଗତିବିଧିକୁ ଲକ୍ଷ୍ୟ କର ।
[ଚିତ୍ର ବର୍ଣ୍ଣନା: ମୋଡ଼ା କାଗଜର ପାହାଡ଼ ପରି ଢାଲୁ ଉପରୁ ସୋରିଷ ମଞ୍ଜି ଢଳାଯାଉଥିବାର ଚିତ୍ର ।]
୧. ସୋରିଷ ମଞ୍ଜିଗୁଡ଼ିକର ଗତିପଥ କିପରି ଥିଲା ? ୨. ସେଗୁଡ଼ିକ ସିଧା ସିଧା ଗଡ଼ୁଛନ୍ତି, ନା ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇଛନ୍ତି ? ୩. କିଛି କିଛି ସ୍ଥାନରେ ସେଗୁଡ଼ିକ ଏକାଠି ହେଉଛନ୍ତି କି ? ନଦୀ, ହ୍ରଦ ଇତ୍ୟାଦିରେ ଜଳ ଏକାଠି ହେବାପରି ସେଗୁଡ଼ିକ ଏକାଠି ହେଉଛନ୍ତି କି ?
ଜଳ ତା’ର ଗତିପଥରେ ଭୂମି ରୂପ ଅନୁସାରେ ପ୍ରବାହିତ ହୁଏ, କୋଉଠି ଅଟକିଯାଏ ତ କୋଉଠି ବଙ୍କେଇ ଯାଏ । ଜଳ ପ୍ରବାହ ଭୂମିରୂପକୁ ପରିବର୍ତ୍ତନ କରିପାରେ ।
ଆଲୋଚନା କର
କାର୍ଯ୍ୟ ୬ ଆଧାରରେ କେତେକ ନଦୀ କିପରି ଆରବ ସାଗର ଆଡ଼କୁ ଓ କେତେକ ନଦୀ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହୁଏ, ତାହା ଆଲୋଚନା କର ।
ତୁମେ ଜାଣ କି ?
ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ହୋଇଥିବା “ଲୁଣିନଦୀ” ଏକ ମାତ୍ର ଭାରତର ପ୍ରମୁଖ ନଦୀ, ଯାହା ସମୁଦ୍ରରେ ମିଶି ନାହିଁ ବରଂ ଏହା ଗୁଜରାଟର କଚ୍ଛର ରଣ୍ଣରେ ଥିବା ସନ୍ତସନ୍ତିଆ ଭୂମିରେ ମିଶିଯାଇଛି ।
ମହାରାଷ୍ଟ୍ରର ହିୱାରେ ବଜାର ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମର ଏକ ପ୍ରକୃଷ୍ଟ ଉଦାହରଣ ଅଟେ । ଏହାର ଜଳ ପରିଚାଳନା ଏବଂ ବର୍ଷାଜଳ ଅମଳ ପାଇଁ ସ୍ଥାନୀୟ ଅଧିବାସୀମାନଙ୍କର ଯଥେଷ୍ଟ ଅବଦାନ ରହିଛି ।
[ଚିତ୍ର ବର୍ଣ୍ଣନା: ପର୍ବତ, ବରଫାବୃତ୍ତ ଅଞ୍ଚଳ, ହିମବାହ, ଜଳପ୍ରପାତ, ନଦୀ, ଉପତ୍ୟକା, ବାଲୁକା ସ୍ତୂପ, ହ୍ରଦ ଏବଂ ମରୁଭୂମି ଦର୍ଶାଉଥିବା ଏକ ଭୂଦୃଶ୍ୟ । ନିମ୍ନରେ ଭାରତର ପ୍ରମୁଖ ନଦୀଗୁଡ଼ିକର ଏକ ମାନଚିତ୍ର ।]
ଆମର ଜୀବନରେଖା – ଭାରତର ନଦୀ
(ଭାରତର ଏହି ମାନଚିତ୍ରରେ ଆମ ଦେଶର କେତେକ ପ୍ରମୁଖ ନଦୀ ସୂଚିତ ହୋଇଛି ।)
କାର୍ଯ୍ୟ – ୭
ନଦୀର ପ୍ରବାହକୁ ଲକ୍ଷ୍ୟ କର । ମାନଚିତ୍ରରେ ନଦୀଗୁଡ଼ିକ ବିଭିନ୍ନ ଦିଗରେ ପ୍ରବାହିତ ହେଉଥିବାର ତୁମେ ଦେଖିପାରିବ । କେତେକ ନଦୀ ବଙ୍ଗୋପସାଗର ଏବଂ ଆଉ କେତେକ ନଦୀ ଆରବ ସାଗର ଆଡ଼କୁ ପ୍ରବାହିତ ହେଉଅଛି ।
ସାରଣୀ ପୂରଣ କର ।
| ନଦୀର ନାମ | ବଙ୍ଗୋପସାଗର ଆଡ଼କୁ ଗତି କରେ | ଆରବ ସାଗର ଆଡ଼କୁ ଗତି କରେ |
|---|---|---|
| ଗୋଦାବରୀ | ||
| ନର୍ମଦା | ||
| ଗଙ୍ଗା | ||
| ମହାନଦୀ |
ଭାରତର ନୂଆ ଦିଲ୍ଲୀରେ ଥିବା ପ୍ରଥମ ଜଳ ସଂଗ୍ରହାଳୟ “ଜଳ ଶକ୍ତି ସଂଗ୍ରହାଳୟ” ଜଳର ଐତିହ୍ୟ ଓ ଅଭିନବ ଉପାୟରେ ଜଳ ସଂରକ୍ଷଣ ପାଇଁ ଭାରତବାସୀଙ୍କୁ ଉତ୍ସାହିତ କରେ ।
ଶିକ୍ଷକଙ୍କ ପାଇଁ ସୂଚନା: ମାନଚିତ୍ରରେ ବଙ୍ଗୋପସାଗର କିମ୍ବା ଆରବ ସାଗର ଆଡ଼କୁ ନଦୀଗୁଡ଼ିକର ପ୍ରବାହ ପର୍ଯ୍ୟବେକ୍ଷଣ ଏବଂ ଚିହ୍ନଟ କରିବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ କରିବେ ।
ଜଳରେ ଜୀବନ
ଗୁଡୁ ଦେଖିଲା ଯେ, ବିଦ୍ୟାଳୟ ପଡ଼ିଆ ପାଖରେ ଥିବା ପୋଖରୀ, ବର୍ଷା ଜଳରେ ପୂର୍ଣ୍ଣ ହୋଇଯାଇଛି । ସେ ଜ୍ୟୋତିକୁ ଡାକି କହିଲା, “ଆସ ଦେଖିବ” । ସେମାନେ ଛୋଟ ଛୋଟ ମାଛ ପହଁରୁଥିବାର ଏବଂ ପଦ୍ମପତ୍ର ଉପରେ ଛୋଟ ବେଙ୍ଗ ବସିଥିବାର ଦେଖିପାରିଲେ ।
ଜଳରେ ରହୁଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ଦେଖିବାକୁ କେତେ ଚମତ୍କାର ! ସେମାନେ ସ୍ଥଳଭାଗରେ ରହୁଥିବା ପ୍ରାଣୀଙ୍କଠାରୁ କିପରି ଭିନ୍ନ ?
ସ୍ଥଳଭାଗରେ ଥିବା ପ୍ରାଣୀ ଓ ଜଳ ଭାଗରେ ଥିବା ପ୍ରାଣୀଙ୍କ ବୈଶିଷ୍ଟ୍ୟ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିମ୍ନରେ ଦିଆଯାଇଥିବା ସାରଣୀ ପୂରଣ କର ।
[ଚିତ୍ର ବର୍ଣ୍ଣନା: ପାଣି ଭିତରେ ମାଛ, ପାଣି ସାପ ଓ ଉଦ୍ଭିଦ; ଉପରେ ପଦ୍ମ ପତ୍ରରେ ବସିଥିବା ବେଙ୍ଗ, କୂଳରେ ଥିବା ବଗ ଓ ମାଛରଙ୍କା ଚଢ଼େଇର ଜୀବନ୍ତ ଦୃଶ୍ୟ ।]
| ସ୍ଥଳଚର ପ୍ରାଣୀ | ଜଳଚର ପ୍ରାଣୀ |
|---|---|
| ଜଳରେ ଶ୍ୱାସକ୍ରିୟା କରିପାରିବେ ନାହିଁ | ପହଁରିବା ପାଇଁ ପକ୍ଷ ଥାଏ |
ସୂଚନା ଫର୍ଦ
-
କଙ୍କି: କ୍ଷିପ୍ର ବେଗରେ ଉଡ଼ନ୍ତି, ଜଳାଶୟ ନିକଟରେ ଅଣ୍ଡା ଦିଅନ୍ତି ଓ ମଶାଙ୍କୁ ଖାଆନ୍ତି ।
-
ଜଳ ବିଛା: କଙ୍କଡ଼ା ଭଳି ଚିମୁଟା ସଦୃଶ ଗୋଡ଼ ଥିବା କୀଟ । ଜଳ ଭିତରେ ରହେ ଏବଂ ଲାଞ୍ଜ ନଳୀ ଦ୍ୱାରା ଶ୍ୱାସକ୍ରିୟା କରେ ।
-
ବଗ: ଲମ୍ବା ଗୋଡ଼ ଥିବା ପକ୍ଷୀ । ମାଛ ଧରିବାପାଇଁ ସ୍ଥିର ହୋଇ ଠିଆ ହୁଅନ୍ତି ।
-
ମଧୁର ଜଳ କଇଁଛ: ନରମ ଖୋଳ ଥିବା କଇଁଛ ଯାହା ପୋଖରୀ ଏବଂ ନଦୀରେ ରୁହନ୍ତି ।
-
ଜଳ ସାପ: ଏକ ବିଷହୀନ ସାପ । ମାଛ ଏବଂ ବେଙ୍ଗ ଖାଏ ।
-
ବେଣା ଗଛ: ପୋଖରୀ ହୁଡ଼ାରେ ହୁଏ । ଏହା ଲମ୍ବା ଘାସ ପରି ବଢ଼ିଥାଏ ।
-
ପଦ୍ମ ଓ କଇଁ (ଭାସମାନ ମୂଳ): ଫୁଲଗୁଡ଼ିକ ପାଣି ଉପରେ ଭାସେ । ମୂଳ ପୋଖରୀ ଶଯ୍ୟାରେ ରହିଥାଏ ।
-
ବିଲାତି ଦଳ: ଏକ ଦ୍ରୁତ ବୃଦ୍ଧି ପାଉଥିବା ଉଦ୍ଭିଦ, ଯାହା ଜଳରେ ଭାସେ ଏବଂ ବୃଦ୍ଧି ପାଏ ।
କାର୍ଯ୍ୟ – ୮
ତୁମ ଶିକ୍ଷକ କିମ୍ବା ପିତାମାତାଙ୍କ ସହିତ ପୋଖରୀ, ହ୍ରଦ କିମ୍ବା ଆକ୍ୱାରିୟମ୍ ପରି ସ୍ଥାନୀୟ ଜଳାଶୟ ପରିଦର୍ଶନ କର । ଜଳାଶୟ ଭିତରେ ଥିବା ଏବଂ ଚତୁଃପାର୍ଶ୍ୱର ଜୀବଜନ୍ତୁଙ୍କୁ ପର୍ଯ୍ୟବେକ୍ଷଣ କର ।
୧. ତୁମ ପର୍ଯ୍ୟବେକ୍ଷଣକୁ ଆଧାର କରି ନିମ୍ନ ସାରଣୀ ପୂରଣ କର ।
| ପଶୁପକ୍ଷୀଙ୍କ ନାମ | ପାଟି ବା ଥଣ୍ଟ | ଗୋଡ଼ ପାଦ / ପକ୍ଷ ଦ୍ୱାରା ଚଳନ | ଚିତ୍ର |
|---|---|---|---|
| ମାଛ | ଉପରକୁ ମୁହଁ କରିଥିବା ଗୋଲିଆ ପାଟି | ପକ୍ଷ | |
| ବଗ | ଲମ୍ବା ଏବଂ ମୁନିଆଁ ଥଣ୍ଟ | ସରୁ ଗୋଡ଼ |
ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସୂଚନା: ସମସ୍ତ ସୁରକ୍ଷା ଓ ସତର୍କତା ଅବଲମ୍ବନ କରି ଶିକ୍ଷାର୍ଥୀମାନେ ବୟସ୍କମାନଙ୍କ ସହିତ ପରିଦର୍ଶନ କରିବା ନିଶ୍ଚିତ କରିବେ । ପରିଦର୍ଶନ ସମୟରେ କୌଣସି ଗଛଲତା କିମ୍ବା ପ୍ରାଣୀଙ୍କୁ ସ୍ପର୍ଶ କରି ବିରକ୍ତ ନ କରିବାକୁ ପରାମର୍ଶ ଦେବେ ।
୨. ପରିଦର୍ଶନ ସମୟରେ ତୁମେ ଦେଖୁଥିବା ଉଦ୍ଭିଦଗୁଡ଼ିକର ଚିତ୍ର ଆଙ୍କି ସେମାନଙ୍କର ନାମ ଓ ସ୍ଥାନୀୟ ନାମ ଲେଖ ।
| ବିଭିନ୍ନ ପ୍ରକାର ଉଦ୍ଭିଦ | ନାମ | ସ୍ଥାନୀୟ ନାମ |
|---|---|---|
| ଜଳ ଉପରେ ଭାସେ | କଇଁ | |
| ଜଳ ତଳେ ଥାଏ | ||
| ମୂଳ ଜଳ ତଳେ ଥାଏ କିନ୍ତୁ ଉଦ୍ଭିଦ ଜଳ ଉପରେ ଦେଖାଯାଏ |
କାର୍ଯ୍ୟ - ୯
୧. ଗୋଟିଏ କାଗଜ ନେଇ ତା ଉପରେ ଗୋଟିଏ ବୁନ୍ଦା ଜଳ ରଖ । ଏହାକୁ ଲକ୍ଷ୍ୟ କର । ୨. କାଗଜ ଉପରେ କ୍ରେୟନ୍ ରଙ୍ଗ ଘସି ଦିଅ । ଏବେ ଏହା ଉପରେ ଗୋଟିଏ ବୁନ୍ଦା ଜଳ ରଖ । ତୁମେ କିଛି ପରିବର୍ତ୍ତନ ଦେଖିଲ ?
[ଚିତ୍ର ବର୍ଣ୍ଣନା: ପତ୍ର ଉପରେ ଜଳ ବିନ୍ଦୁ ମୋତି ପରି ରହିବା ଏବଂ କ୍ରେୟନ ରଙ୍ଗ ବୋଳା କାଗଜ ଉପରେ ଜଳ ବିନ୍ଦୁ ଛିଟିକି ରହିବାର ପରୀକ୍ଷଣ ଚିତ୍ର ।]
ତୁମ ପର୍ଯ୍ୟବେକ୍ଷଣ ଲେଖ ।
ପଦ୍ମ/କଇଁ ପତ୍ରରେ ଥିବା ମହମ ପରି ତେଲିଆ / ଚିକ୍କଣ ଆବରଣ ସେମାନଙ୍କ ପତ୍ର ମଧ୍ୟକୁ ଅଧିକ ଜଳ ପ୍ରବେଶ କରିବାକୁ ଦେଇ ନ ଥାଏ । ଏହା ଗଛକୁ କ୍ଷତିରୁ ରକ୍ଷା କରି ସୁସ୍ଥ ରଖିବାରେ ସାହାଯ୍ୟ କରେ ।
କାର୍ଯ୍ୟ – ୧୦
କିଏ କାହାକୁ ଖାଏ ? – ଏକ ନଦୀ ଖାଦ୍ୟ ଶୃଙ୍ଖଳ ଖେଳ ।
-
ଶିକ୍ଷାର୍ଥୀମାନଙ୍କୁ ଛୋଟ କାଗଜ ଖଣ୍ଡେ ଲେଖାଏଁ ଦେବେ । ସେମାନେ ସେଥିରେ ନିଜ ମନ ପସନ୍ଦର ଜୀବର ନାମ ଲେଖିବେ । (ଯଥା- ଛୋଟ ମାଛ, ବଡ଼ ମାଛ, ବେଙ୍ଗ, ପକ୍ଷୀ, ମଣିଷ, କୁମ୍ଭୀର, ଓଟ ଇତ୍ୟାଦି)
-
ଲେଖିଥିବା ଜୀବ କ’ଣ ଖାଆନ୍ତି ଓ ତାକୁ କିଏ ଖାଏ ସେ ବିଷୟରେ ଚିନ୍ତା କରିବାକୁ କହିବେ ।
-
ଖାଦ୍ୟ ପାଇଁ ପରସ୍ପର ଉପରେ ନିର୍ଭର କରୁଥିବା ଜୀବମାନଙ୍କ ନାମ ଚିନ୍ତା କରିଥିବା ଶିକ୍ଷାର୍ଥୀମାନେ ଗୋଟିଏ ସୁତୁଲି ଦ୍ୱାରା ଯୋଡ଼ି ହେବେ ।
-
ଯଦି ସେ ଭିତରୁ ଗୋଟିଏ ପଳେଇ ଯାଏ ବା ଉଭେଇ ଯାଏ, ତେବେ କ'ଣ ହେବ ଆଲୋଚନା କରିବେ । (ଉଦାହରଣ ସ୍ୱରୂପ– ଯଦି ସବୁ ମାଛ ଉଭାନ ହୋଇଯିବେ ତେବେ କ'ଣ ହେବ ?)
ଜଳଜ ଉଦ୍ଭିଦର ପ୍ରକାର
ଏହି କାର୍ଯ୍ୟ ଦ୍ୱାରା ଆମେ ମଧୁର ଜଳ ପରିସ୍ଥାନରେ ବାସ କରୁଥିବା ଅନେକ ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ଜାଣିଲୁ । ଏହି ଜୀବଜନ୍ତୁମାନଙ୍କର ବିଶେଷ ବୈଶିଷ୍ଟ୍ୟ ରହିଛି । ଯେପରି ଭାସମାନ ପତ୍ର, ପକ୍ଷ କିମ୍ବା ଲମ୍ବା ମୂଳ ଯାହା ସେମାନଙ୍କୁ ଜଳରେ ବଞ୍ଚିବା ଏବଂ ବଢ଼ିବାରେ ସାହାଯ୍ୟ କରେ । ପୃଥିବୀରେ ଜୀବନ ଧାରଣ ପାଇଁ ମଧୁର ଜଳ କେତେ ଯେ ଗୁରୁତ୍ୱପୂର୍ଣ୍ଣ ଏହା ଆମକୁ ସୂଚାଇଥାଏ ।
ଏହି ପାଠରୁ ଆମେ ଶିଖିଲୁ ଯେ, ଜଳ ବିଭିନ୍ନ ଅବସ୍ଥାରେ ରହିଥାଏ ଯଥା- ବରଫ, ଜଳ ଏବଂ ବାଷ୍ପ । ଜଳଚକ୍ର ମାଧ୍ୟମରେ ବାୟୁ, ସ୍ଥଳ ଓ ଆକାଶରେ ଜଳ ତାର ବିଭିନ୍ନ ଅବସ୍ଥାର ପରିବର୍ତ୍ତନ କରି ଗତି କରେ । ଆମେ ମଧ୍ୟ ଅନୁସନ୍ଧାନ କଲୁ ଯେ, ଜଳଚର ଉଦ୍ଭିଦ ଓ ପ୍ରାଣୀମାନେ ଜଳ ଭିତରେ ଏବଂ ଏହାର ଚତୁଃପାର୍ଶ୍ୱରେ ବାସ କରନ୍ତି ।
ଆସ, ଚିନ୍ତା କରିବା
୧. ସ୍ତମ୍ଭ ମିଳନ କର ।
-
(i) ମହାସାଗର ଜଳ — (ଗ) ପାନୀୟ ଯୋଗ୍ୟ ନୁହେଁ
-
(ii) ତୁଷାର — (କ) ଜଳର କଠିନ ଅବସ୍ଥା
-
(iii) ବାଷ୍ପ — (ଖ) ଜଳର ଗ୍ୟାସୀୟ ଅବସ୍ଥା
-
(iv) ବର୍ଷାଜଳ — (ଘ) ମଧୁର ଜଳ
୨. ପୃଥିବୀର ଅଧିକାଂଶ ଜଳ ପାନୀୟ କିମ୍ବା କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ କାହିଁକି ? ୩. ଜଳାଶୟ ନିକଟରେ ବହୁ ସଂଖ୍ୟକ ଜୀବ ବାସ କରନ୍ତି କାହିଁକି ? ୪. ଯଦି ତୁମ ଅଞ୍ଚଳରେ ଦୁଇ ବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ, ତେବେ କ’ଣ ହେବ ? ୫. ସହର ବା ଜଙ୍ଗଲ ମଧ୍ୟରୁ କେଉଁ ସ୍ଥାନରେ ବର୍ଷାଜଳ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରେ ଓ କାହିଁକି ? ୬. ତୁମେ ଘରେ କିମ୍ବା ବିଦ୍ୟାଳୟରେ ନୂଆ ଉପାୟରେ ଜଳ ସଂରକ୍ଷଣ ପାଇଁ ଏକ ନକ୍ସା ପ୍ରସ୍ତୁତ କରିପାରିବ କି ? ଏଥିରେ କ’ଣ କ’ଣ ରଖିବ ? ୭. ଆସ, କାଗଜ ଭାଙ୍ଗି ମାଛ ତିଆରି କରିବା ।
[ଚିତ୍ର ବର୍ଣ୍ଣନା: କାଗଜ ଭାଙ୍ଗି ମାଛ ତିଆରି କରିବାର କ୍ରମାନ୍ୱୟ ପଦ୍ଧତି (ସୋପାନ-୧ ରୁ ସୋପାନ-୬) ଦର୍ଶାଉଥିବା ଚିତ୍ର ।]
-
ସୋପାନ-୧
-
ସୋପାନ-୨
-
ସୋପାନ-୩
-
ସୋପାନ-୪
-
ସୋପାନ-୫
-
ସୋପାନ-୬