[ଚିତ୍ର ବର୍ଣ୍ଣନା: ନଦୀ କୂଳର ଏକ ସୁନ୍ଦର ପ୍ରାକୃତିକ ପରିବେଶ। ନଦୀ କୂଳରେ ବଣଜଙ୍ଗଲ, ଗଛଲତା, ଆକାଶରେ ଉଡ଼ୁଥିବା ପକ୍ଷୀ, ଜଳ କୂଳରେ ଛିଡ଼ା ହୋଇଥିବା ବଗ, ଚିତାବାଘ, କାଠହଣା ପକ୍ଷୀ, ବଳିଆ କୁକୁର/ଗଧିଆ ଏବଂ ପାଣିରେ ଥିବା ଏକ ପଥର ଉପରେ କୁମ୍ଭୀର ବିଶ୍ରାମ ନେଉଛି।]

ଏକ ନଦୀର କାହାଣୀ

କେଉଁଠାରୁ ଆରମ୍ଭ ମୁଁ କେଉଁଠାରେ ଶେଷ

“ପାଦ ନାହିଁ ମୋର, ଯାଏ ବହୁ ଦୂର ଜହ୍ନ ତାରା ତଳେ, କ୍ଷେତ ଜଙ୍ଗଲରେ ଗଛକୁ ବଞ୍ଚାଇ, ତୁମ ତୃଷ୍ଣା ବି ହରାଇ, ପର୍ବତରୁ ବାହାରି ସାଗରେ ମିଶଇ ।”

ମୁଁ କିଏ ?

ହଁ, ମୁଁ ଏକ ନଦୀ ।

ମୁଁ ଗୋଦାବରୀ । ପଶ୍ଚିମଘାଟର ଉଚ୍ଚରେ ମହାରାଷ୍ଟ୍ରର ତ୍ରୟମ୍ବକେଶ୍ୱରରୁ ମୋର ଉତ୍ପତ୍ତି ।

ଯଦିଓ ମୁଁ ଏକ ଝରଣା ଭାବରେ ଆରମ୍ଭ ହୁଏ, ମୁଁ ଯେତେବେଳେ ଭୂମି ଦେଇ ଗତି କରେ, ବର୍ଷାଜଳ ଏବଂ ଅନ୍ୟ ଝରଣା ମୋ ସହିତ ମିଶିଯାଏ, ଏହା ମୋତେ ପ୍ରଶସ୍ତ ଏବଂ ଶକ୍ତିଶାଳୀ କରିଥାଏ । ଯୋଡ଼ି ହେଉଥିବା ଛୋଟ ଝରଣାଗୁଡ଼ିକ ହେଉଛି ମୋର ଶାଖାନଦୀ ।

ମୁଁ ବଙ୍ଗୋପସାଗରରେ ମିଶିବା ପୂର୍ବରୁ ୧୪୬୫ କିଲୋମିଟର ଯାତ୍ରା କରେ । ଗଙ୍ଗାନଦୀ ପରେ ମୁଁ ଭାରତର ଦ୍ବିତୀୟ ଦୀର୍ଘତମ ନଦୀ । ଓଡ଼ିଶାର ଇନ୍ଦ୍ରାବତୀ ନଦୀ ମୋ ସହିତ ମିଶିଛି ।


[ଚିତ୍ର ବର୍ଣ୍ଣନା: ଗୋଦାବରୀ ନଦୀର ଉତ୍ପତ୍ତିଠାରୁ ବଙ୍ଗୋପସାଗରରେ ମିଶିବା ପର୍ଯ୍ୟନ୍ତ ଗତିପଥର ମାନଚିତ୍ର ଚିତ୍ରଣ। ଏଥିରେ ପଶ୍ଚିମଘାଟର ତ୍ରୟମ୍ବକେଶ୍ୱର, ବ୍ରହ୍ମଗିରି ପାହାଡ଼, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ରାଜ୍ୟ ଦର୍ଶାଯାଇଛି। ସାଥିରେ ଶ୍ରୀରାମ ସାଗର ପ୍ରକଳ୍ପ, ପୋଲାଭରମ୍ ଡ୍ୟାମ୍, ଇନ୍ଦ୍ରାବତୀ ଓ ସାବରୀ ନଦୀ, ପେଞ୍ଚ ଜାତୀୟ ଉଦ୍ୟାନ, କବଲ ବ୍ୟାଘ୍ର ସଂରକ୍ଷଣ, କୋରିଙ୍ଗା ବନ୍ୟପ୍ରାଣୀ ଅଭୟାରଣ୍ୟ ତଥା ନଦୀରେ ବାସ କରୁଥିବା ଜଳଚର ଜୀବ ଓ ଉଦ୍ଭିଦ ଚିତ୍ରିତ ହୋଇଛି।]

ଚିତ୍ରରେ ଥିବା ନାମଗୁଡ଼ିକ:

  • ପଶ୍ଚିମଘାଟର ତ୍ରୟମ୍ବକେଶ୍ୱର ଠାରେ ବ୍ରହ୍ମଗିରି ପାହାଡ଼
  • ଗୋଦାବରୀ
  • ମହାରାଷ୍ଟ୍ର
  • ମଞ୍ଜିରା
  • ଇନ୍ଦ୍ରାବତୀ
  • ଶ୍ରୀରାମ ସାଗର ପ୍ରକଳ୍ପ
  • କବଲ ବ୍ୟାଘ୍ର ସଂରକ୍ଷଣ
  • ପେଞ୍ଚ ଜାତୀୟ ଉଦ୍ୟାନ
  • ଛତିଶଗଡ଼
  • ଓଡ଼ିଶା
  • ତେଲେଙ୍ଗାନା
  • ପୋଲାଭରମ୍ ଡ୍ୟାମ୍
  • ସାବରୀ
  • କୋରିଙ୍ଗା ବନ୍ୟଜନ୍ତୁ ଅଭୟାରଣ୍ୟ
  • ଆନ୍ଧ୍ରପ୍ରଦେଶ
  • ବଙ୍ଗୋପସାଗର

ମହାନଦୀ ଆମ ରାଜ୍ୟ ଓଡ଼ିଶାର ଦୀର୍ଘତମ ନଦୀ ଅଟେ ।

ନିମ୍ନରେ ଦିଆଯାଇଥିବା ଚିତ୍ର ଦେଖି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

୧. ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟଦେଇ ପ୍ରବାହିତ ହୋଇଛି ? ୨. ଗୋଦାବରୀ ନଦୀରେ ତିଆରି କରାଯାଉଥିବା ଏକ ବନ୍ଧ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟର ନାମ ଲେଖ । ୩. ଗୋଦାବରୀ ନଦୀର ଗତିପଥରେ ଅନ୍ୟ କେଉଁ ଛୋଟ ନଦୀ ଆସି ମିଶନ୍ତି ?


[ଚିତ୍ର ବର୍ଣ୍ଣନା: ନଦୀ କୂଳରେ ଜଣେ ମହିଳା ଓ ସ୍କୁଲ୍ ପୋଷାକ ପରିହିତ ଛାତ୍ରଛାତ୍ରୀମାନେ ହାତଯୋଡ଼ି ନଦୀକୁ ଭକ୍ତିଭାବରେ ପ୍ରଣାମ କରୁଛନ୍ତି।]

ରାମାୟଣ ଏବଂ ପୁରାଣରେ ମୋ ବିଷୟରେ ଅନେକ ଆକର୍ଷଣୀୟ କାହାଣୀ ରହିଛି । ମୋତେ “ଦକ୍ଷିଣ ଗଙ୍ଗା” ବୋଲି କୁହାଯାଏ, କାରଣ ମୁଁ ଦକ୍ଷିଣ ଭାରତରେ ପ୍ରବାହିତ ହୁଏ ଓ ମୋତେ ପବିତ୍ର ବିବେଚନା କରାଯାଏ ।

ମୋର ଉତ୍ପତ୍ତି ସ୍ଥଳ ନିକଟ ସ୍ଥାନ ଯଥା: – ନାସିକକୁ “ଗୋଦାବରୀ ପୁଷ୍କରମ୍” ଭଳି ବିଶେଷ କାର୍ଯ୍ୟକ୍ରମ ସମୟରେ ଚାରିଆଡୁ ଲୋକମାନେ ମୋର ପବିତ୍ର ଜଳରେ ବୁଡ଼ ପକାଇବା ପାଇଁ ଆସନ୍ତି ।

ମୋ ଜୀବନ ଧାରା

ବର୍ଷସାରା ପ୍ରବାହିତ ହେଉଥିବାରୁ ମୁଁ ଏକ ଚିରସ୍ରୋତା ନଦୀ, କେତେକ ନଦୀ କେବଳ ବର୍ଷା ଋତୁରେ ବର୍ଷା ଜଳ ପାଇ ପ୍ରବାହିତ ହୁଅନ୍ତି, ଯେଉଁଥିପାଇଁ ସେମାନଙ୍କୁ ଋତୁକାଳୀନ ନଦୀ କୁହାଯାଏ ।

ବନ୍ୟଜନ୍ତୁ ଯଥା: ବାଘ, କୁଟୁରା, ଭାରତୀୟ ବହୁରୂପୀ ଏଣ୍ଡୁଅ ଏବଂ ପ୍ରସିଦ୍ଧ ରକ୍ତ ଚନ୍ଦନ ଗଛରେ ପରିପୂର୍ଣ୍ଣ ଘଞ୍ଚ ଜଙ୍ଗଲ ମଧ୍ୟଦେଇ ମୁଁ ଗତିକରେ । ମୋ ପରି ମଧୁର ଜଳ ଉତ୍ସ ଅନେକ ଉଦ୍ଭିଦ ଏବଂ ପ୍ରାଣୀଙ୍କ ବାସସ୍ଥାନ, ଏହା ତୁମେ ପୂର୍ବ ପାଠରେ ପଢ଼ିଛ ।

ସମୁଦ୍ରରେ ମିଶିବା ସମୟରେ ମୁଁ ଅନେକ ଛୋଟ ଛୋଟ ଶାଖାରେ ବିଭକ୍ତ ହୋଇ ମୁହାଣ ଗଠନ କରେ । ମୋ ମଧୁର ଜଳ ସେଠାରେ ସମୁଦ୍ରର ଲୁଣିଜଳ ସହିତ ମିଶିଥାଏ ।

ଭାରତର ବ୍ରହ୍ମପୁତ୍ର ନଦୀରେ ନିର୍ମାଣ କରାଯାଇଥିବା ଭୂପେନ୍ ହଜାରିକା ସେତୁ ଦୀର୍ଘତମ ନଦୀ ପୋଲ । ଏହାର ଦୈର୍ଘ୍ୟ ୯ କିଲୋମିଟରରୁ ଅଧିକ ।


[ଚିତ୍ର ବର୍ଣ୍ଣନା: କୋରିଙ୍ଗା ହେନ୍ତାଳ ବଣ (ମ୍ୟାଙ୍ଗ୍ରୋଭ)ର ଦୃଶ୍ୟ। ସେଥିରେ ବିଶାଳ ଚେର ଥିବା ଗଛ, ନଦୀକୂଳରେ ଚାଲୁଥିବା କଇଁଛମାନେ, ଗୋଟିଏ ସାପ, ଏବଂ ଜଳକୂଳରେ ଛିଡ଼ା ହୋଇଥିବା ଦୁଇଟି ଲାଲ୍ ରଙ୍ଗର ଫ୍ଲେମିଙ୍ଗୋ ପକ୍ଷୀ।]

ଯେଉଁସ୍ଥାନରେ ମୋର ଯାତ୍ରା ଶେଷ ହୁଏ, ସେହି ସ୍ଥାନକୁ “କୋରିଙ୍ଗା ହେନ୍ତାଳ ବଣ” କୁହାଯାଏ ।

ବିଭିନ୍ନ ଉପାୟରେ ଜୀବମାନଙ୍କୁ ମୋର ସହାୟତା

ପ୍ରାଚୀନ କାଳରୁ ଲୋକମାନେ ସର୍ବଦା ନଦୀ କିମ୍ବା ଜଳାଶୟ ନିକଟରେ ସେମାନଙ୍କର ଘର ତିଆରି କରି ଆସୁଛନ୍ତି । ଅନୁମାନ କରିପାରିବ, କାହିଁକି ?

ତୁମେ ଜାଣ କି, ମୁଁ ପ୍ରତିଦିନ ଲୋକମାନଙ୍କୁ କେତେ ଉପାୟରେ ସାହାଯ୍ୟ କରେ ? ମୁଁ ମୋ ଆଖପାଖରେ ଥିବା ଅନେକ ଗ୍ରାମବାସୀ ଓ ସହରବାସୀଙ୍କୁ ଜଳ ଯୋଗାଇଥାଏ ।

ସମସ୍ତ ଘର, ବିଦ୍ୟାଳୟ ଏବଂ କୃଷିକ୍ଷେତ୍ରରେ ବ୍ୟବହାର ପାଇଁ ମୁଁ ଜଳ ଯୋଗାଏ । ମୁଁ ଲୋକମାନଙ୍କୁ କେବଳ ପିଇବା, ରୋଷେଇ କରିବା ଏବଂ ଧୁଆ ଧୋଇରେ ସାହାଯ୍ୟ କରେ ନାହିଁ, ବରଂ ସେମାନଙ୍କ ଖାଦ୍ୟ ଉପାଦାନ ସହିତ କଳକାରଖାନାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରେ । ମୋ ଦ୍ଵାରା ଅନେକ ବ୍ୟକ୍ତି ଜୀବିକା ନିର୍ବାହ ମଧ୍ୟ କରନ୍ତି ।

ମୋର ଜଳ ପାଇପ୍ ଏବଂ କେନାଲ୍ ଦ୍ଵାରା ଅନେକଙ୍କୁ ଯୋଗାଇ ଦିଆଯାଏ ।


ପରିବେଶ ପର୍ଯ୍ୟଟନର ଅର୍ଥ ହେଉଛି ଜଙ୍ଗଲ, ନଦୀ କିମ୍ବା ପର୍ବତ ଭଳି ପ୍ରାକୃତିକ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ସେମାନଙ୍କର ସୌନ୍ଦର୍ଯ୍ୟ ଉପଭୋଗ କରିବା, ପଶୁପକ୍ଷୀମାନଙ୍କୁ ଲକ୍ଷ୍ୟ କରିବା ଏବଂ ପରିବେଶର କ୍ଷତି ନ କରି ପ୍ରକୃତି ସମ୍ବନ୍ଧରେ ଶିକ୍ଷାଲାଭ କରିବା ।

୧. ଗୋଦାବରୀ ନଦୀ ଉପରେ ଲୋକମାନେ ନିର୍ଭର କରୁଥିବା ତିନୋଟି କାର୍ଯ୍ୟ ଲେଖ । ୨. ଗୋଦାବରୀ ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ କେଉଁ କେଉଁ ବୃତ୍ତିରେ ନିୟୋଜିତ ?

ଚେନାବ ନଦୀ ଉପରେ ଥିବା ଧନୁ ଆକାରର ରେଳ ପୋଲ ପୃଥିବୀରେ ସର୍ବୋଚ୍ଚ ପୋଲ ଭାବରେ ଜଣାଶୁଣା ।


୩. ଗୋଦାବରୀ ନଦୀ କୂଳରେ କେଉଁ କେଉଁ ଫସଲ ହେଉଥିବାର ଜାଣିଛ ? ୪. ତୁମ ଅଞ୍ଚଳରେ କେଉଁ ଫସଲ ଚାଷ କରାଯାଏ ? ଜଳସେଚନ ପାଇଁ ଜଳ କେଉଁଠାରୁ ଆସିଥାଏ ?

କାର୍ଯ୍ୟ – ୧ ନଦୀଗୁଡ଼ିକ ଲୋକମାନଙ୍କୁ କିପରି ସାହାଯ୍ୟ କରେ, ତାହା ଦର୍ଶାଉଥିବା ଏକ ପୋଷ୍ଟର ତୁମ ଶ୍ରେଣୀଗୃହରେ ପ୍ରସ୍ତୁତ କର । ସେଥିରେ ଘର, କୃଷିକ୍ଷେତ୍ର, ଡଙ୍ଗା, ମତ୍ସ୍ୟଜୀବୀ ଇତ୍ୟାଦିର ଚିତ୍ର ଅନ୍ତର୍ଭୁକ୍ତ କର ।

ମୋର ଜଳ ସଂରକ୍ଷଣ ଓ ଗତି ପରିବର୍ତ୍ତନ କରୁଥିବା ବନ୍ଧ

ତୁମେ ଜାଣ କି, ମୋ ଜଳକୁ ସଂରକ୍ଷଣ କରିବା ପାଇଁ ୯୦୦ରୁ ଅଧିକ ନଦୀ ବନ୍ଧ ଅଛି । ଲୋକମାନେ ବର୍ଷାଦିନ ବ୍ୟତୀତ ଅନ୍ୟ ଋତୁରେ ମଧ୍ୟ ପାନୀୟ ଜଳ, ଫସଲ ଉତ୍ପାଦନ ଏବଂ ବିଦ୍ୟୁତ୍ ଉତ୍ପାଦନ କରିବାରେ ଏହି ସଂରକ୍ଷିତ ଜଳକୁ ବ୍ୟବହାର କରୁଛନ୍ତି ।

କିନ୍ତୁ କେବେ ଭାବିଛ କି, ଯେତେବେଳେ ବନ୍ଧ ତିଆରି ହୁଏ, ମୋର ଅବସ୍ଥା କ'ଣ ହୁଏ ? ଜଙ୍ଗଲ, ପଶୁପକ୍ଷୀ ତଥା ମୋ ଆଖପାଖରେ ରହୁଥିବା ଲୋକଙ୍କର ଅବସ୍ଥା କ’ଣ ହୁଏ ?

“ନଦୀବନ୍ଧ” ଏକ ବିଶାଳ କାନ୍ଥ ପରି, ଯାହା ମୋର ଗତିପଥକୁ ଅବରୋଧ କରେ ଏବଂ “ଜଳ ଭଣ୍ଡାର” ନାମକ ଏକ ବଡ଼ ଜଳାଶୟରେ ଜଳ ସଂରକ୍ଷଣ କରେ । ଏହି ସଂରକ୍ଷିତ ଜଳ ଅନେକ ଲୋକଙ୍କୁ ସାହାଯ୍ୟ କଲେ ମଧ୍ୟ ବନ୍ଧ ନିର୍ମାଣ ପୂର୍ବରୁ ଯେଉଁସ୍ଥାନ ପଶୁପକ୍ଷୀ ଏବଂ ଲୋକଙ୍କର ବାସସ୍ଥାନ ଥାଏ, ତାହା ଜଳମଗ୍ନ ହୋଇଯାଏ । ବନ୍ଧ ନିର୍ମାଣ ଦ୍ଵାରା ଅନେକଙ୍କୁ ମଧ୍ୟ ନିଜ ବାସସ୍ଥାନ ଛାଡ଼ି ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ପଡ଼ିଥାଏ ।


[ଚିତ୍ର ବର୍ଣ୍ଣନା: ପାହାଡ଼ ମଧ୍ୟରେ ଏକ ବିଶାଳ କଂକ୍ରିଟ୍ ନଦୀବନ୍ଧ (ଡ୍ୟାମ୍), ଯେଉଁଥିରୁ ପ୍ରଖର ବେଗରେ ଧଳା ଜଳରାଶି ନିର୍ଗତ ହେଉଛି ଏବଂ ପଛରେ ବିସ୍ତୃତ ଜଳଭଣ୍ଡାର ରହିଛି।]

ଆସାମର ମଜୁଲି ଦ୍ଵୀପ ପୃଥିବୀର ସର୍ବବୃହତ୍ ନଦୀ ଦ୍ଵୀପ, ଯାହା ବ୍ରହ୍ମପୁତ୍ର ନଦୀଦ୍ୱାରା ଗଠିତ ହୋଇଛି ।

ତୁମେ ଜଳ ପାଇଁ କଳ ଖୋଲିଥାଅ । ମାତ୍ର ଏଥିପାଇଁ କେତେ ଯେ ପରିଶ୍ରମ ଓ ତ୍ୟାଗ କରାଯାଇଛି, ତାହା ତୁମେ କଳ୍ପନା ମଧ୍ୟ କରିପାରିବନି । ସେଥିପାଇଁ ଜଳକୁ ଯଥୋଚିତ ଭାବରେ ବ୍ୟବହାର କରିବା ଏବଂ ଏହାକୁ କେବେ ବି ଅପଚୟ ନ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଲେଖ ନଦୀବନ୍ଧ ନିର୍ମାଣ ହେବାପରେ କେଉଁ ସବୁ ସମସ୍ୟା ହୋଇପାରେ ? ସେଗୁଡ଼ିକର ସମାଧାନ କିପରି କରାଯାଇପାରିବ ?

ମୁଁ ପ୍ରଦୂଷିତ ହେବାର କାରଣ ଓ ତା’ର ପ୍ରଭାବ

ମୋ କୂଳ ପାଖରେ ଅଧିକ ଜନବସତି ଏବଂ କାରଖାନା ସ୍ଥାପନ ହେଉଥିବାରୁ ଅଳିଆ ଆବର୍ଜନା, ପ୍ଲାଷ୍ଟିକ୍ ଏବଂ ମଇଳା ଜଳ ମୋତେ ପ୍ରଦୂଷିତ କରୁଛି । ବେଳେବେଳେ ମୁଁ ଗନ୍ଧ ହୁଏ, କିମ୍ବା ଅପରିଷ୍କାର ଦେଖାଯାଏ । ତଥାପି ଲୋକମାନେ ମୋ ଜଳ ବ୍ୟବହାର କରନ୍ତି, ଯାହା ଦ୍ଵାରା ସେମାନେ ଅସୁସ୍ଥ ହୋଇପାରନ୍ତି । ମୋର ଇଚ୍ଛା ଯେ, ମୁଁ ସେମାନଙ୍କୁ ମୋତେ ସଫା ଏବଂ ଆବର୍ଜନା ମୁକ୍ତ ରଖିବାରେ ସାହାଯ୍ୟ କରିବାକୁ କହନ୍ତି ।


[ଚିତ୍ର ବର୍ଣ୍ଣନା: ଚିତ୍ରଟି ଦୁଇ ଭାଗରେ ବିଭକ୍ତ। ବାମ ପାର୍ଶ୍ୱରେ ସ୍ୱଚ୍ଛ, ନିର୍ମଳ ନଦୀ ଜଳ ଏବଂ ସେଠାରେ ହରିଣ, ଭାଲୁ, କୋକିଶିଆଳୀ ଆନନ୍ଦରେ ପାଣି ପିଉଛନ୍ତି। ଡାହାଣ ପାର୍ଶ୍ୱରେ କାରଖାନାର କଳା ଧୂଆଁ ଓ ବିଷାକ୍ତ ନାଳର ପାଣି ନଦୀରେ ମିଶୁଛି, ଲୋକମାନେ ପ୍ଲାଷ୍ଟିକ୍ ଆବର୍ଜନା ଫିଙ୍ଗୁଛନ୍ତି ଏବଂ ପ୍ରଦୂଷଣ ଯୋଗୁଁ ନଦୀରେ ମାଛ ମରି ଭାସୁଛି।]

ଏହା କରିବାର ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି– ପ୍ରଥମେ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରି ବର୍ଜ୍ୟବସ୍ତୁ ଉତ୍ପାଦନକୁ ହ୍ରାସ କରିବା ।

ମୋ ଭିତରେ ରହୁଥିବା ମାଛ, କଇଁଛ ଇତ୍ୟାଦି ଏବଂ ଆଖପାଖରେ ରହୁଥିବା ପକ୍ଷୀମାନଙ୍କର ଅନ୍ୟ କୌଣସି ବାସସ୍ଥାନ ନାହିଁ । କ୍ରମଶଃ ସେମାନେ ଲୋପ ପାଇବାକୁ ଲାଗିଲେଣି, ଏହା ମୋତେ ବହୁତ ଦୁଃଖିତ କରୁଛି ।

ଲେଖ ୧. ଆମେ ଯେଉଁ ପ୍ଲାଷ୍ଟିକ୍ ଖୋଳ ବା ମୁଣି ଇତ୍ୟାଦି ଅଳିଆଗୁଡ଼ିକୁ ଫିଙ୍ଗିଥାଉ ତାହା କେଉଁଠାରେ ଜମା ହୁଏ ? ୨. ତୁମ ଘରେ କି ପ୍ରକାରର ସାବୁନ୍, ସାମ୍ପୁ, କିମ୍ବା ଚଟାଣ ସଫା କରିବା ଦ୍ରବ୍ୟ (ପ୍ରାକୃତିକ କିମ୍ବା ବଜାରରୁ କିଣି) ବ୍ୟବହାର କରାଯାଏ ? ମଇଳା ଜଳ ସହିତ ଏହିସବୁ କେଉଁଠାକୁ ଯାଏ ?

ଆଲୋଚନା କର ତୁମ ପିତାମାତା କିମ୍ବା ବୟସ୍କମାନଙ୍କୁ ପଚାର ସେମାନେ ଯେତେବେଳେ ତୁମ ବୟସର ହୋଇଥିଲେ ସେତେବେଳେ ତୁମ ଘର ପାଖରେ ଥିବା ଜଳାଶୟର ଅବସ୍ଥା କିପରି ଥିଲା ? ବର୍ତ୍ତମାନ ସେହି ଜଳାଶୟର ଅବସ୍ଥା କିପରି ?


[ଚିତ୍ର ବର୍ଣ୍ଣନା: ପାଇପ୍ ମାଧ୍ୟମରେ କଳା ମଇଳା ପାଣି ନଦୀରେ ନିଷ୍କାସିତ ହେଉଛି। ନଦୀ ଭିତରେ ପ୍ରଚୁର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଭାସୁଛି ଏବଂ ଜଣେ ବ୍ୟକ୍ତି ଡଙ୍ଗାରେ ଅଛି। କୂଳରେ ଜଣେ କୃଷକ କ୍ଷେତରେ କୀଟନାଶକ ଔଷଧ ସ୍ପ୍ରେ କରୁଛି।]

କାର୍ଯ୍ୟ – ୨ ତୁମେ ଘର କିମ୍ବା ବିଦ୍ୟାଳୟର ଆବର୍ଜନା କୁଣ୍ଡରେ ଢାଳୁଥିବା ଆବର୍ଜନାଗୁଡ଼ିକର ତାଲିକା କର । ଏହି ଅଳିଆ ଆବର୍ଜନାଗୁଡ଼ିକୁ ଯଦି ନଦୀ ବା ପୋଖରୀରେ ପକାଇବ, ସେଇ ଜଳାଶୟର ଜଳକୁ ବ୍ୟବହାର କରୁଥିବା ପଶୁପକ୍ଷୀ ବୃକ୍ଷଲତା ଓ ମଣିଷମାନେ କିପରି କ୍ଷତିଗ୍ରସ୍ତ ହେବେ ?

କାର୍ଯ୍ୟ – ୩ ଦୁଇଟି ସଫା କାଚ ଗ୍ଲାସରେ ଜଳ ନିଅ । ଗୋଟିଏ ଗ୍ଲାସ୍‌ରେ ଗୋଟିଏ ଚାମଚ ଚିନି ଏବଂ ଅନ୍ୟଟିରେ ଗୋଟିଏ ଚାମଚ ଖାଇବା ତେଲ ମିଶାଅ । ଉଭୟକୁ ଭଲ ଭାବରେ ଗୋଳାଅ ଏବଂ ପର୍ଯ୍ୟବେକ୍ଷଣ କର ।

ତୁମେ କ’ଣ ଦେଖୁଛ ? କେଉଁ ଗ୍ଲାସର ଜଳ ସଫା ଦେଖାଯାଉଛି ?

ଏହି ପରୀକ୍ଷଣ ଆମକୁ ଦର୍ଶାଉଛି ଯେ, କିଛି ଜିନିଷ ଜଳରେ ଦ୍ରବୀଭୂତ ହୁଏ ଏବଂ କିଛି ହୁଏ ନାହିଁ । ତୁମେ ଏଭଳି ଜିନିଷଗୁଡ଼ିକର ତାଲିକା କରିପାରିବ କି ?

  • ଜଳରେ ଦ୍ରବୀଭୂତ ହେଉଥିବା ଜିନିଷ
  • ଜଳରେ ଦ୍ରବୀଭୂତ ହେଉ ନଥିବା ଜିନିଷ

ମୋ ପରି ନଦୀ ଜଳରେ ରାସାୟନିକ ପଦାର୍ଥ କିମ୍ବା ମଇଳା ସାବୁନ ଜଳ ଭଳି କ୍ଷତିକାରକ ଜିନିଷ ଦ୍ରବୀଭୂତ ହୋଇ ରହିଥାଇପାରେ । ତେଣୁ, ମୋର ଜଳ ସଫା ଦେଖାଗଲେ ମଧ୍ୟ ଏଥିରେ ଥିବା କ୍ଷତିକାରକ ଜିନିଷ ଜୀବଜନ୍ତୁଙ୍କର କ୍ଷତି କରିପାରେ ।


କାର୍ଯ୍ୟ – ୪ ତଳେ ଦିଆଯାଇଥିବା ଚିତ୍ର ୨ଟିକୁ ଦେଖ । କେଉଁ ନଦୀର ଜଳ ସ୍ୱାସ୍ଥ୍ୟ ଉପଯୋଗୀ ଦେଖାଯାଉଛି ଓ କାହିଁକି ? ଜଳରେ ଏତେ ଗଛ କିପରି ବଢ଼ିଥାଏ ? ନଦୀରେ ଅତ୍ୟଧିକ ଗଛ ହେଲେ କ’ଣ ହୁଏ ବୋଲି ଭାବୁଛ ?

[ଚିତ୍ର ବର୍ଣ୍ଣନା: ଗୋଟିଏ ଚିତ୍ରରେ ପରିଷ୍କାର ନୀଳ ଜଳ ଥିବା ନଦୀ ଏବଂ ଅନ୍ୟ ଚିତ୍ରରେ ଜଳ ଉପରେ ଶିଉଳି ଓ ଜଳଜ ଉଦ୍ଭିଦ ମାଡ଼ି ସବୁଜ ଆସ୍ତରଣ ସୃଷ୍ଟି ହୋଇଥିବା ନଦୀ।]

  • ନିର୍ମଳ ଜଳ ଥିବା ନଦୀ
  • ସବୁଜ ବୃକ୍ଷଲତା ଦ୍ଵାରା ଆଚ୍ଛାଦିତ ନଦୀ

ବେଳେବେଳେ ଫସଲରେ ଦିଆଯାଉଥିବା ସାର ମୋ ଜଳରେ ମିଶିଯାଏ । ଏହା ଗଛଲତା ଏବଂ ଅନ୍ୟାନ୍ୟ ଜଳଜ ଉଦ୍ଭିଦମାନଙ୍କର ଦ୍ରୁତ ବୃଦ୍ଧି କରାଇ ମୋ ପୃଷ୍ଠରେ ସବୁଜ ଚାଦର ପରି ଆସ୍ତରଣ ସୃଷ୍ଟି କରେ, ଯାହାଦ୍ଵାରା ମୋ ଭିତରେ ଥିବା ମାଛପରି ଜଳଚର ଜୀବମାନେ ଶ୍ଵାସରୁଦ୍ଧ ହୋଇଯାନ୍ତି । ଏହା ସହିତ ମୋର ଜଳ ଲୋକଙ୍କ ପିଇବା ପାଇଁ ଅନୁପଯୁକ୍ତ ହୋଇଯାଏ ।

ମୁଁ କହିବି ଯେ, ଅନେକ ଲୋକ ମୋର ଜଳକୁ ସଫା ରଖିବାକୁ ଚେଷ୍ଟା କରୁଛନ୍ତି । କିଛି ସ୍ଥାନରେ ଲୋକେ ମୋ ଜଳ ଦୂଷିତ ନ ହେବା ପାଇଁ କାର୍ଯ୍ୟ କରୁଛନ୍ତି ।

ତୁମର ପ୍ରତ୍ୟେକ ଛୋଟ ପଦକ୍ଷେପ ମୋତେ ନିର୍ମଳ ଏବଂ ଜୀବମାନଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ । ମୋ ଜଳକୁ ସଫା ରଖିବାପାଇଁ ପ୍ରୟାସ କରାଯାଉଥିବା ଦେଖି ମୁଁ ଖୁସି ।

ତୁମେ ଜାଣ କି ? “ନମାମି ଗଙ୍ଗେ” କାର୍ଯ୍ୟକ୍ରମ ଗଙ୍ଗାନଦୀକୁ ସଫା କରିବାରେ ସାହାଯ୍ୟ କରୁଛି । ଯାହା ଜନସାଧାରଣ, ମାଛ ଏବଂ ପକ୍ଷୀମାନଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ହେବ ।

ଲେଖ ତୁମ ନିଜ ଆଖପାଖରେ ଥିବା ଜଳାଶୟର ସୁରକ୍ଷା ପାଇଁ ୩ଟି ପଦକ୍ଷେପ ଲେଖ । ୧. ୨. ୩.


ଓଡ଼ିଶାର ହୀରାକୁଦ ବନ୍ଧ ମାଟିରେ ନିର୍ମିତ ଏବଂ ଏହା ୨୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏହା ପୃଥିବୀର ସର୍ବବୃହତ୍ ନଦୀବନ୍ଧ ।

ଯେତେବେଳେ ଏକ ନଦୀରେ ବନ୍ୟା ଆସେ....

ଅଧିକାଂଶ ସମୟରେ ମୁଁ ଧୀରେ ଧୀରେ ପ୍ରବାହିତ ହୋଇ ମୋ ଚାରିପାଖର ଜୀବଜଗତକୁ ସାହାଯ୍ୟ କରେ । କିନ୍ତୁ, ମୁଁ ଶକ୍ତିଶାଳୀ ବୋଲି କେବେ ଭୁଲେ ନାହିଁ । ଯେତେବେଳେ ଅତ୍ୟଧିକ ବର୍ଷା ହୁଏ, ମୁଁ ପ୍ରସାରିତ ହୁଏ ଏବଂ ଦ୍ରୁତ ତଥା ଗଭୀର ହୋଇ ବିଶାଳ ଆକାର ଧାରଣ କରେ । ଏହି ସମୟରେ ମୁଁ ହିଂସ୍ର ରୂପରେ ଗର୍ଜନ କରି ଦ୍ରୁତ ଗତିରେ ଭୂଇଁରେ ଏପରି ମାଡ଼ିଯାଏ ଯେ କେହି କେବେ କଳ୍ପନା କରିପାରି ନଥିବେ । ସେହି ସମୟରେ ମୁଁ କୂଳ ଲଙ୍ଘନ କରି ବିସ୍ତୃତ ଅଞ୍ଚଳରେ ପ୍ରବାହିତ ହେବାରେ ନିଜକୁ ରୋକିପାରେ ନାହିଁ ।

ଯେତେବେଳେ ଅତ୍ୟଧିକ ବର୍ଷା ହୁଏ, ସମସ୍ତ ଜଳ ମୋ ଭିତରକୁ ପଶିଯାଏ ଏବଂ ମୋର ବନ୍ୟାଜଳରେ ଘର, ଜମି ଏବଂ ରାସ୍ତାଘାଟ ବୁଡ଼ିଯାଏ, ଯାହାଦ୍ଵାରା ବହୁ ଧନଜୀବନ ନଷ୍ଟ ହୁଏ । ଘର ଛାଡ଼ି ଅନେକ ଲୋକ ଏବଂ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପଡ଼ିଥାଏ ।


[ଚିତ୍ର ବର୍ଣ୍ଣନା: ଦୁଇଟି ପାହାଡ଼ିଆ କ୍ଷେତ୍ରର ତୁଳନା। ବାମ ପାଖରେ ଗଛ କାଟି ଦିଆଯାଇଥିବା ଖାଲି ପାହାଡ଼ ଯେଉଁଠି ବର୍ଷା ପାଣି ମାଟି ଧୋଇ ଦ୍ରୁତ ଗତିରେ ବନ୍ୟା ଭାବେ ବୋହୁଛି; ଡାହାଣ ପାଖରେ ବଡ଼ ବଡ଼ ସବୁଜ ଗଛ ଥିବା ପାହାଡ଼ ଯେଉଁଠି ବର୍ଷା ପାଣି ଗଛ ଓ ମାଟି ଦ୍ୱାରା ଶୋଷିତ ହୋଇ ଧୀରେ ଧୀରେ ବହୁଛି।]

ଗଛ ନଥିଲେ ଜଳ ଦ୍ରୁତ ଗତିରେ ପ୍ରବାହିତ ହୋଇ ବନ୍ୟା କରାଏ । ଗଛ ଥିଲେ ବର୍ଷା ଜଳ ମାଟି ଦ୍ଵାରା ଶୋଷି ହୋଇ ଧୀରେ ଧୀରେ ପ୍ରବାହିତ ହୁଏ ।

କାର୍ଯ୍ୟ – ୫ ‘ସ୍ତମ୍ଭ’ ମେଳ କର । ଗୋଟିଏ ସମସ୍ୟାର ଏକାଧିକ ପ୍ରଭାବ ଥାଇପାରେ ।

ବନ୍ୟା ସମସ୍ୟାପ୍ରଭାବ
(୧) ଗୋଳିଆ ଜଳ(କ) ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳ
(୨) ରାସ୍ତାଘାଟ ନଷ୍ଟ(ଖ) ନିରାପଦ ପାନୀୟ ଜଳ
(୩) ଫସଲ ନଷ୍ଟ(ଗ) ଶିକ୍ଷଣ
(୪) ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ(ଘ) ଯାତାୟତ ଏବଂ ଗମନାଗମନ
(୫) ରୋଗ ବ୍ୟାପିବା(ଙ) ଆଲୋକ, ପଙ୍ଖା ଓ ଫୋନ
(୬) ଘର ଭାଙ୍ଗିବା(ଚ) ଲୋକଙ୍କ ସ୍ୱାସ୍ଥ୍ୟ
(୭) ବିଦ୍ୟାଳୟ ବନ୍ଦ(ଛ) ଖାଦ୍ୟ ଯୋଗାଣ

କାର୍ଯ୍ୟ – ୬ ବନ୍ୟା ସମୟର ସତର୍କତା

[ଚିତ୍ର ବର୍ଣ୍ଣନା: ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଏବଂ ବନ୍ୟା ପରେ ଅବଲମ୍ବନ କରିବାକୁ ଥିବା ସତର୍କତା ମୂଳକ ନିର୍ଦ୍ଦେଶାବଳୀର ଆଇକନ୍ ଓ ଚିତ୍ରଣ।]

ବନ୍ୟା ପୂର୍ବରୁ:

  • ଆଞ୍ଚଳିକ ଖବର ଜାଣି ସବୁବେଳେ ସତର୍କ ରୁହ ।
  • ଜରୁରୀକାଳୀନ ପରିସ୍ଥିତି ପାଇଁ ଗୋଟିଏ ବ୍ୟାଗରେ କିଛି ଶୁଖିଲା ଖାଦ୍ୟ, ଔଷଧ ଓ ଟର୍ଚ୍ଚ ରଖ ।
  • ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବୁଝ ଓ ନିରାପଦ ବିକଳ୍ପ ପଥ ବାଛ ।
  • ବନ୍ୟାଜଳ ଆସିବା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ।
  • ବନ୍ୟା ପ୍ରବଣ ଅଞ୍ଚଳରେ ଘରେ ଜରୁରୀକାଳୀନ ଜିନିଷ, ଯଥା ବାଲି ବସ୍ତା, ସିଡ଼ି, ଦଉଡ଼ି ଇତ୍ୟାଦି ରଖ ।

ବନ୍ୟା ସମୟରେ:

  • ବିଦ୍ୟୁତ୍ ପ୍ରବାହ ବିଚ୍ଛିନ୍ନ ଏବଂ ରନ୍ଧନ ଗ୍ୟାସ ସିଲିଣ୍ଡର ସ୍ଵିଚ୍ ବି ବନ୍ଦ କରିଦିଅ ।
  • ବନ୍ୟା ସମୟରେ ଜଳ ଭିତରକୁ ଯାଅ ନାହିଁ କିମ୍ବା ଡିଅଁ ନାହିଁ ।
  • ଉଚ୍ଚ ସ୍ଥାନରେ ଯାଇ ଆଶ୍ରୟ ନିଅ ।
  • ସ୍ଥାନାନ୍ତର ସମ୍ବନ୍ଧୀୟ ସୂଚନାକୁ ପାଳନ କର ।
  • ଗାଈଗୋରୁଙ୍କୁ ନିରାପଦ ସ୍ଥାନକୁ ନେଇଯାଅ ।

ବନ୍ୟା ପରେ:

  • ବନ୍ୟାଜଳ ନିକଟକୁ ଯାଅନାହିଁ କିମ୍ବା ପହଁର ନାହିଁ ।
  • ବୈଦ୍ୟୁତିକ ତାରକୁ ଛୁଅଁ ନାହିଁ ।
  • ନିରାପଦ ଘୋଷଣା ନ ହେବା ପର୍ଯ୍ୟନ୍ତ ନିଜ ଘର କିମ୍ବା ବନ୍ୟା ଅଞ୍ଚଳକୁ ଯାଅ ନାହିଁ ।
  • ନିଜେ ସୁରକ୍ଷିତ ଅଛ ବୋଲି ପରିବାର ସଦସ୍ୟଙ୍କୁ ଜଣାଅ ।
  • ବନ୍ୟାପରେ ଘରକୁ ଫେରି ଘର, ଆଖପାଖ ଅଞ୍ଚଳକୁ ରୋଗ ଏବଂ ସଂକ୍ରମଣ ମୁକ୍ତ ରଖ ।

କାର୍ଯ୍ୟ – ୭ କାର୍ଯ୍ୟ-୬ ରେ ଦିଆଯାଇଥିବା ବନ୍ୟା ସତର୍କତାପୂର୍ଣ୍ଣ ସୂଚନାଗୁଡ଼ିକୁ ପଢ଼ ଓ ତୁମ ଗ୍ରାମର ସରପଞ୍ଚ କିମ୍ବା ନଗରର ପୌରପରିଷଦ ସଦସ୍ୟଙ୍କର ଭୂମିକା ଗ୍ରହଣ କରି ଅଭିନୟ କର । ତୁମେ କି କି ପଦକ୍ଷେପ ନେବ, ତାହା ଆଲୋଚନା କର ।

  • ବନ୍ୟା ନିୟନ୍ତ୍ରଣ ।
  • ବନ୍ୟାଞ୍ଚଳରେ ହୋଇଥିବା କ୍ଷୟକ୍ଷତି ନିୟନ୍ତ୍ରଣ ।
  • ବୟସ୍କ ଏବଂ ଦିବ୍ୟାଙ୍ଗମାନଙ୍କୁ ସୁରକ୍ଷା ପ୍ରଦାନ ।
  • ଗୃହପାଳିତ ପଶୁମାନଙ୍କୁ ସୁରକ୍ଷା ପ୍ରଦାନ ।
  • ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ଜରୁରୀକାଳୀନ ଜିନିଷ ରଖିବା କିଟ୍ ପ୍ରସ୍ତୁତ ।

ଯେତେବେଳେ ନଦୀ ଶୁଖିଯାଏ...

ଯେତେବେଳେ ମୁଁ କିଛି ଅଞ୍ଚଳରେ ବନ୍ୟା କରେ, ଲୋକମାନେ ବହୁତ ବ୍ୟସ୍ତ ହୁଅନ୍ତି, କିନ୍ତୁ ଯେତେବେଳେ ମୁଁ ଶୁଖିଯାଏ, ଏହା ମଧ୍ୟ ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାଏ।

ବିନା ଜଳରେ ଗୋଟିଏ ଦିନ– ଟିକେ ଚିନ୍ତା କର । ସହଜ ନୁହେଁ । ଠିକ୍ ତ ?

୧. ଯଦି ତୁମ ଘରେ ଦିନ ସାରା ଜଳ ନ ଥାଏ, ତେବେ ତୁମେ କ’ଣ କରିବ ? ୨. ଯଦି ଗୋଟିଏ ସପ୍ତାହ ପାଇଁ ଜଳ ନଥାଏ, ତେବେ କ'ଣ ହେବ ? ତୁମେ କିପରି ଗାଧୋଇବ, ପିଇବ, ରୋଷେଇ କରିବ କିମ୍ବା ପରିଷ୍କାର-ପରିଚ୍ଛନ୍ନ କରିବ ? ତୁମେ ଜଳ ଆଣିବା ପାଇଁ କେଉଁ ସ୍ଥାନକୁ ଯିବ ?

ଯେତେବେଳେ ବହୁତ ଦିନ ଧରି ଜଳ ମିଳେ ନାହିଁ, ସେତେବେଳେ ଲୋକମାନଙ୍କୁ ଘର ଛାଡ଼ି ଜଳ ମିଳୁଥିବା ସ୍ଥାନକୁ ଯିବାକୁ ପଡ଼ିଥାଏ । କେବଳ ମଣିଷମାନଙ୍କ ପାଇଁ ନୁହେଁ, ପଶୁପକ୍ଷୀମାନଙ୍କୁ ମଧ୍ୟ ସମାନ କଷ୍ଟ ହୁଏ । ସୌଭାଗ୍ୟବଶତଃ ସେହିମାନଙ୍କ ପାଇଁ ମୁଁ ସବୁବେଳେ ଜଳ ଦିଏ ଏବଂ ବର୍ଷସାରା ପ୍ରବାହିତ ହେଉଥାଏ । ତେଣୁ ମୁଁ ସବୁବେଳେ ସମସ୍ତଙ୍କର ଯତ୍ନନେବା ଜାରି ରଖିପାରେ ।

ତୁମେ ଜାଣ କି ? ୨୦୧୯ ମସିହାରେ ଚେନ୍ନାଇର ଜଳଭଣ୍ଡାର ଶୁଖିଯିବାରୁ ତାଙ୍କୁ ଅନ୍ୟ ଜିଲ୍ଲାରୁ ସ୍ଵତନ୍ତ୍ର ଟ୍ରେନ୍‌ରେ ଜଳଯୋଗାଣ କରିବାକୁ ପଡ଼ିଥିଲା । ଅପରପକ୍ଷରେ ୨୦୨୨ ମସିହାରେ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇ ଘରେ ଏବଂ ରାସ୍ତାଘାଟରେ ଜଳ ମାଡ଼ି ଯାଇଥିଲା । ଏହା ଦର୍ଶାଉଛି ଯେ, ଜଳାଭାବ ଏବଂ ଜଳ ବହୁଳତା ଜୀବନକୁ ପ୍ରଭାବିତ କରେ । ତେଣୁ କଥାରେ ଅଛି, “ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ ।”

ଇଲିସି ପରି କେତେକ ମାଛ ଅଣ୍ଡା ଦେବାକୁ ସମୁଦ୍ରରୁ ନଦୀକୁ ଆସନ୍ତି— ମାଛର ଏତାଦୃଶ ସ୍ଥାନାନ୍ତରଣ ହେଉଛି ପ୍ରକୃତିର ଏକ ଆଶ୍ଚର୍ଯ୍ୟ ଘଟଣା ।


[ଚିତ୍ର ବର୍ଣ୍ଣନା: ଏକ ରେଳ ଷ୍ଟେସନ୍ ପରିସରରେ ସ୍ଥାପିତ ସ୍ୱୟଂଚାଳିତ ୱାଟର ଏଟିଏମ୍ (Water Vending Machine) କିଓସ୍କ, ଯେଉଁଥିରେ ₹1/- ମୂଲ୍ୟରେ ପାନୀୟ ଜଳ ମିଳିବା ବ୍ୟବସ୍ଥା ଦର୍ଶାଯାଇଛି।]

କିଛି ସ୍ଥାନରେ ଲୋକମାନେ ଜଳ ଏ.ଟି.ଏମ୍. ବ୍ୟବହାର କରନ୍ତି । ଯାହା, ଏକ ସ୍ଵତନ୍ତ୍ର ମେସିନ୍ । ଏଥିରେ କାର୍ଡ଼ କିମ୍ବା ମୁଦ୍ରା ପକାଇଲେ ବିଶୁଦ୍ଧ ପାନୀୟ ଜଳ ବାହାରିଥାଏ । ଏହି ପଦକ୍ଷେପଗୁଡ଼ିକ ଆମକୁ ଜଳକୁ ବିଜ୍ଞ ଭାବରେ ବ୍ୟବହାର କରି ଭବିଷ୍ୟତ ପାଇଁ ଏହାକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ ।

“ଜାତୀୟ ଜଳ ମିଶନ” ସାରା ଭାରତର ଲୋକମାନଙ୍କୁ ଜଳର ଯଥୋଚିତ ବ୍ୟବହାର ଓ ପରିଚାଳନା କରିବାରେ ସାହାଯ୍ୟ କରିବାପାଇଁ କାର୍ଯ୍ୟ କରେ ।

ମୋ କାହାଣୀ ଶୁଣୁଥିବା ପାଇଁ ଧନ୍ୟବାଦ୍ । କିନ୍ତୁ ମୋତେ ମଧ୍ୟ ତୁମର ସାହାଯ୍ୟ ଦରକାର । ଯେତେବେଳେ ତୁମେ ଜଳ ସଂରକ୍ଷଣ କର, ବୃକ୍ଷ ରୋପଣ କର କିମ୍ବା ମୋ ଜଳ ଦୂଷିତ ହେବାକୁ ଦିଅ ନାହିଁ, ସେତେବେଳେ ମୁଁ ଜାଣେ ଯେ, ତୁମେ ମୋତେ ଭଲ ପାଉଛ । ମନେରଖ ଛୋଟଛୋଟ କାର୍ଯ୍ୟ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ ।

ତୁମେ ସମସ୍ତେ ପ୍ରତିଦିନ ଛୋଟ ଛୋଟ କାର୍ଯ୍ୟ କରି ଜଳ ସଞ୍ଚୟ କରିପାରିବ ।

  • ଆବଶ୍ୟକତା ଅନୁସାରେ ଜଳ ବ୍ୟବହାର କର ଓ ନଷ୍ଟ ହେବାକୁ ଦିଅ ନାହିଁ ।
  • ଦାନ୍ତ ଘଷିବା ସମୟରେ ଜଳ ଟ୍ୟାପ୍ ବନ୍ଦ କରିଦିଅ ।
  • ପାନୀୟ ଜଳକୁ ନଷ୍ଟ କରନାହିଁ ।
  • ଜଳ ଟ୍ୟାପ୍ ଲିକ୍ ଥିଲେ ସଜାଡ଼ିବାପାଇଁ ବୟସ୍କଙ୍କ ସହାୟତା ନିଅ ।
  • ଫଳ ଓ ପନିପରିବା ଧୁଆଜଳକୁ ନଷ୍ଟ ନକରି ଗଛରେ ଦେଇ ପୁନଃ ବ୍ୟବହାର କର ।
  • ସାଙ୍ଗସାଥୀ ଓ ପରିବାରର ସମସ୍ତଙ୍କୁ ଜଳ ସଂରକ୍ଷଣ କରିବାକୁ ମଧ୍ୟ ପ୍ରବର୍ତ୍ତାଅ ।
  • ମନେରଖ, ପ୍ରତି ଜଳ ବୁନ୍ଦା ଆମ ପାଇଁ ମୂଲ୍ୟବାନ ।

ଆସ, ଚିନ୍ତା କରିବା

୧. କେଉଁ କେଉଁ ନଦୀ ଆମ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଛି ? (କ) ସେମାନଙ୍କୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ ? (ଖ) ସେମାନଙ୍କ ଉପରେ ବନ୍ଧ ବନ୍ଧାଯାଇଛି କି ? ୨. ପିତାମାତା କିମ୍ବା ଜେଜେମା, ଜେଜେବାପାଙ୍କୁ ତୁମ ଅଞ୍ଚଳର କୌଣସି ନଦୀର କାହାଣୀ କିମ୍ବା ନଦୀ ସମ୍ବନ୍ଧୀୟ ପର୍ବପର୍ବାଣୀ କଥା କହିବାକୁ କୁହ । ସେହି କଥାକୁ ଶ୍ରେଣୀରେ ଉପସ୍ଥାପନ କର । ୩. ପରିବାରର ଜଣେ ବୟସ୍କଙ୍କୁ ପଚାର । (କ) ସେ ଛୋଟ ଥିବାବେଳେ ନଦୀର ଅବସ୍ଥା କ’ଣ ଥିଲା ? (ଖ) ସେହି ସମୟରୁ ଆଜିପର୍ଯ୍ୟନ୍ତ କ’ଣ ସବୁ ପରିବର୍ତ୍ତନ ହୋଇଛି ? ୪. ପୂର୍ବେ ଲୋକମାନେ ନଦୀ କୂଳିଆ ଅଞ୍ଚଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ କାହିଁକି ? ଆଗଭଳି ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ସେହିପରି ଗୁରୁତ୍ୱପୂର୍ଣ୍ଣ କି ? ୫. ଯଦି ତୁମ ଗ୍ରାମ କିମ୍ବା ସହର ପାଖରେ ଥିବା ନଦୀର ସୁରକ୍ଷା ପାଇଁ ନୂଆ ନିୟମ କରିବ, ତେବେ ସେଗୁଡ଼ିକ କ’ଣ ହେବ ? ୬. କେତେବେଳେ ତୁମେ ଜଳ ନଷ୍ଟ କରିଛ, ସେ କଥା ଭାବ । ସେତେବେଳେ ଆଉ କ’ଣ କରିଥିଲେ ଜଳ ସଂରକ୍ଷଣ କରିପାରିଥାନ୍ତ ? ୭. ଦୈନନ୍ଦିନ ବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ସରଳ ଜଳଛଣା ଯନ୍ତ୍ରଟିଏ ପ୍ରସ୍ତୁତ କରିପାରିବ କି ? ସେଥିରେ କ’ଣ କ’ଣ ରଖିବ ଓ କାହିଁକି ? ୮. ଗୋଟିଏ ନଦୀ କୂଳରେ ନୂତନ ସହରର ପରିକଳ୍ପନା କର । ଏଥିପାଇଁ କ’ଣ ପଦକ୍ଷେପ ନେବ ? (କ) ନଦୀକୁ ପରିଷ୍କାର ରଖିବାରେ । (ଖ) ପ୍ରବଳ ବର୍ଷା ସମୟରେ ବନ୍ୟା ନିୟନ୍ତ୍ରଣ କରିବାରେ । (ଗ) ଗ୍ରୀଷ୍ମ ଋତୁରେ ମଧ୍ୟ ସବୁବେଳେ ସମସ୍ତଙ୍କ ପାଇଁ ଯଥେଷ୍ଟ ଜଳ ମିଳିବା ନିଶ୍ଚିତ କରିବାରେ ।

ଗଙ୍ଗା ନଦୀର ଡଲଫିନ୍, ଭାରତର ଜାତୀୟ ଜଳଚର ଜୀବ ଯେ କି ଦେଖିପାରେ ନାହିଁ ଏବଂ ଜଳରେ ବାଟ ଖୋଜିବାରେ ଧ୍ୱନି ବ୍ୟବହାର କରେ ।


[ଚିତ୍ର ବର୍ଣ୍ଣନା: ଜେଜେମା ଦୁଇ ପିଲାଙ୍କୁ ବସାଇ ଚଟେଇ ଉପରେ ଶୁଖାଯାଇଥିବା ବଡ଼ି, ପାମ୍ପଡ଼ ଓ କାଚ ବୋତଲରେ ଥିବା ଆଚାର ସମ୍ପର୍କରେ ବୁଝାଉଛନ୍ତି।]

ଏକକ-୨ ସ୍ୱାସ୍ଥ୍ୟ ଓ ସୁସ୍ଥତା

ଏହି ଏକକ ସମ୍ପର୍କରେ...

ଏହି ଏକକଟି ପ୍ରସ୍ତୁତି ପର୍ଯ୍ୟାୟରେ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ, ସୁଷମ ଖାଦ୍ୟର ଗୁରୁତ୍ଵ, ସ୍ୱାସ୍ଥ୍ୟରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ ନିୟମିତ ବ୍ୟାୟାମ ଓ ବିଶ୍ରାମ ନେବା ସମ୍ପର୍କରେ ପରିଚିତ କରାଏ । ଶିକ୍ଷାର୍ଥୀମାନେ ଋତୁ ଅନୁଯାୟୀ ପାରମ୍ପରିକ କୃଷି ପ୍ରଣାଳୀ ଏବଂ ସାଂସ୍କୃତିକ ଅଭ୍ୟାସଗୁଡ଼ିକ କିପରି ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ସହାୟତା କରେ, ତାହା ଏହା ମଧ୍ୟ ଜଣାଏ ।

ପଞ୍ଚମ ଶ୍ରେଣୀର ଏହି ଏକକଟି ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପଗୁଡ଼ିକ ବ୍ୟକ୍ତିଗତ ଓ ସାମୂହିକ ସୁସ୍ଥତା ବଜାୟ ରଖିବାରେ କିପରି ସାହାଯ୍ୟ କରେ ତାହା ସୂଚାଇଥାଏ । ଶିକ୍ଷାର୍ଥୀମାନେ ଖାଦ୍ୟ ପଦାର୍ଥର ଯତ୍ନ ନେବା ଶିଖିବେ ଏବଂ ପାରମ୍ପରିକ ଭାରତୀୟ ଖାଦ୍ୟ ସଂରକ୍ଷଣ ପ୍ରଣାଳୀକୁ ଅନୁସନ୍ଧାନ କରିବେ । ଖାଦ୍ୟର ନିରାପତ୍ତା ପାଇଁ ଉପକାରୀ ଅଣୁଜୀବମାନଙ୍କର ଭୂମିକା ଓ ପାରମ୍ପରିକ ଅଭ୍ୟାସଗୁଡ଼ିକୁ ମଧ୍ୟ ସେମାନେ ଜାଣିବେ ।

ଏହି ଏକକଟି ଆହୁରି ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କର ଗୃହ ଓ ଚତୁଃପାର୍ଶ୍ୱର ଯତ୍ନ ନେବାକୁ ଉତ୍ସାହିତ କରେ । ସେମାନେ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଏବଂ ଉତ୍ତମ ଅଭ୍ୟାସ ମାଧ୍ୟମରେ କିପରି ସେମାନଙ୍କର ବିଦ୍ୟାଳୟକୁ ଗୋଟିଏ ସବୁଜ, ସ୍ୱଚ୍ଛ ଏବଂ ଅଧିକ ଆନନ୍ଦମୟ ସ୍ଥାନରେ ପରିଣତ କରିହେବ ତାହା ଶିଖିବେ ।


[ଚିତ୍ର ବର୍ଣ୍ଣନା: ଗୋଟିଏ ପଟେ ଜଣେ ଶିକ୍ଷୟିତ୍ରୀ ହାତରେ ଗ୍ଲୋବ୍ ଧରି ଦର୍ଶାଉଛନ୍ତି ଏବଂ ଅନ୍ୟ ପଟେ ସ୍କୁଲ୍ ପ୍ରାଙ୍ଗଣରେ ପିଲାମାନେ ଖେଳକୁଦ କରୁଛନ୍ତି।]

ଶିକ୍ଷକଙ୍କ ପାଇଁ ସୂଚନା

୧. ଏହି ଏକକଟି ଦୁଇଟି ପାଠକୁ ନେଇ ଗଠିତ । ପାଠ ୩ “ଖାଦ୍ୟର ରହସ୍ୟ” ଏବଂ ପାଠ ୪ “ଆମ ବିଦ୍ୟାଳୟ- ଏକ ଆନନ୍ଦମୟ ସ୍ଥାନ” ।

ପାଠ-୩ : ଖାଦ୍ୟର ରହସ୍ୟ ଏହି ପାଠରେ ଅଣୁଜୀବମାନଙ୍କ ଦ୍ୱାରା ଖାଦ୍ୟ କିପରି ନଷ୍ଟ ହୁଏ ଏବଂ କେତେକ ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରହିବାର କାରଣ ସମ୍ପର୍କରେ ଦିଶା ଅନୁସନ୍ଧାନ କରୁଛି । ଖାଦ୍ୟ ସଂରକ୍ଷଣର ବୈଜ୍ଞାନିକ କାରଣ, ସଂରକ୍ଷଣର ବିଭିନ୍ନ ପ୍ରଣାଳୀ ଏବଂ ସେମାନଙ୍କର ସାଂସ୍କୃତିକ ଗୁରୁତ୍ଵକୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି । ଏହି ପାଠରେ ଉପକାରୀ ଅଣୁଜୀବମାନଙ୍କର ଭୂମିକା, ଉପଯୁକ୍ତ ଖାଦ୍ୟ ସଂରକ୍ଷଣ ଏବଂ ସ୍ୱାସ୍ଥ୍ୟ ଓ ସୁସ୍ଥତା ଉପରେ ଗୁରୁତ୍ବ ଦିଆଯାଇଛି ।

ପାଠ ୪ : ଆମ ବିଦ୍ୟାଳୟ– ଏକ ଆନନ୍ଦମୟ ସ୍ଥାନ ଏକ ସୁନ୍ଦର ସବୁଜିମାଭରା ବିଦ୍ୟାଳୟ- ବିଦ୍ୟାଳୟକୁ ଶିକ୍ଷାର୍ଥୀ, ଶିକ୍ଷକ ଏବଂ ପରିବେଶର ଯତ୍ନ ନେଉଥିବା ଏକ ସ୍ୱଚ୍ଛ ନିରାପଦ ସ୍ଥାନ ଭାବରେ ଏହି ପାଠଟି ପରିଚିତ କରାଏ । ଏକ ସୁନ୍ଦର ବିଦ୍ୟାଳୟ ପରିବେଶ ସୃଷ୍ଟି କରିବାରେ ସହାନୁଭୂତିଶୀଳ ମନୋଭାବ, ସମ୍ମାନ ଏବଂ ସକରାତ୍ମକ ଆଚରଣର ଗୁରୁତ୍ଵ ଶିଖିବା ସହିତ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣ ମାଧ୍ୟମରେ ସେମାନଙ୍କ ବିଦ୍ୟାଳୟର ଉନ୍ନତି ଉପରେ ଚିନ୍ତନ କରିବାପାଇଁ ଏହି ପାଠରେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରାଯାଇଛି ।

ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହାୟତା

  • ସକ୍ରିୟ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣକୁ ଉତ୍ସାହିତ କରନ୍ତୁ । ଶିକ୍ଷାର୍ଥୀମାନେ ପାଇଥିବା ଫଳାଫଳଗୁଡ଼ିକୁ ଗୋଟିଏ ଅନୁସନ୍ଧାନ ଖାତାରେ ଲିପିବଦ୍ଧ କରିବାପାଇଁ ସାହାଯ୍ୟ କରନ୍ତୁ ।
  • ପରିବାରର ଖାଦ୍ୟ ଅଭ୍ୟାସ କିମ୍ବା ସଂରକ୍ଷଣ ପ୍ରଣାଳୀ ଆଧାରିତ ବ୍ୟକ୍ତିଗତ ଅନୁଭୂତି କିମ୍ବା ଛୋଟ ଦଳଗତ ଆଲୋଚନା କରି ଅଭିଜ୍ଞତା ବର୍ଣ୍ଣନା କରିବାପାଇଁ ଶିକ୍ଷାର୍ଥୀମାନଙ୍କୁ ସହାୟତା କରନ୍ତୁ ।
  • ଖାଦ୍ୟ ସଂରକ୍ଷଣ ସମ୍ପର୍କିତ ଯେକୌଣସି ସ୍ଥାନୀୟ କିମ୍ବା ପାରମ୍ପରିକ ପ୍ରଣାଳୀକୁ ଅନୁସନ୍ଧାନ କରି ଅଭିଜ୍ଞତା ଆଲୋଚନା କରିବାକୁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରନ୍ତୁ ।
  • ବାସ୍ତବ ବସ୍ତୁ ଓ ବିଦ୍ୟାଳୟ ପରିସର (ଯେପରି ରୋଷେଇ ଘର, ବଗିଚା କିମ୍ବା ଖୋଲା ସ୍ଥାନ)କୁ ଶିକ୍ଷଣ ସ୍ଥାନ ଭାବରେ ବ୍ୟବହାର କରନ୍ତୁ ।
  • ଖାଦ୍ୟ ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଗୋଷ୍ଠୀରେ ପ୍ରଚଳିତ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ବୟସ୍କ ବ୍ୟକ୍ତି, ରୋଷେୟା ଏବଂ ପୁନଃଚକ୍ରଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ କିମ୍ବା ସ୍ଥାନୀୟ ବିକ୍ରେତାଙ୍କ ସହ ଆଲୋଚନା କରିବାର ବ୍ୟବସ୍ଥା କରନ୍ତୁ ।
  • ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଖାଦ୍ୟ ଅଭ୍ୟାସ, ସ୍ୱାସ୍ଥ୍ୟ ପାଇଁ ଅଣୁଜୀବମାନଙ୍କର ଭୂମିକା ଏବଂ ଏହି ଧାରଣାଗୁଡ଼ିକ କିପରି ପରିବେଶର ସ୍ଥିତାବସ୍ଥା ସହିତ ଜଡ଼ିତ ସେ ବିଷୟରେ ଚିନ୍ତା କରିବାକୁ ପ୍ରେରଣା ଦିଅନ୍ତୁ ।