[ଚିତ୍ର: ଜଣେ ବୟସ୍କା ମହିଳା (ଜେଜେମା) ବାହାରେ ଗଛ ତଳେ ମସିଣା ଉପରେ ଦୁଇଜଣ ପିଲାଙ୍କ ସହ ବସିଛନ୍ତି । ସାମ୍ନାରେ କପଡ଼ା ଉପରେ ଶୁଖାଯାଇଥିବା ବଡ଼ି/ଖାଦ୍ୟ ସାମଗ୍ରୀ ଓ ଜାର୍ ଭିତରେ ଆଚାର ରହିଛି ।]

[ଚିତ୍ର: ବିଦ୍ୟାଳୟ ଶ୍ରେଣୀଗୃହର ଦୃଶ୍ୟ, ଯେଉଁଠାରେ ଦିଶା ନିଜ ଟିଫିନ୍ ବାକ୍ସ ଖୋଲି ଖରାପ ହୋଇଯାଇଥିବା ଖାଦ୍ୟକୁ ଦେଖି ଆଶ୍ଚର୍ଯ୍ୟ ହେଉଛି ଏବଂ ଅନ୍ୟ ପିଲାମାନେ ବସିଛନ୍ତି ।]

୩ ଖାଦ୍ୟର ରହସ୍ୟ

ନଷ୍ଟ ହୋଇଥିବା ଖାଦ୍ୟ

ଟିଫିନ୍ ବାକ୍ସରେ ରହିଯାଇଥିବା ଖାଦ୍ୟ

ଏହା ଏକ ଖରାଦିନର ସୋମବାର ସକାଳ ଥିଲା । ଏକ କୌତୁହଳୀ ଝିଅ ଦିଶା ସବୁବେଳେ ତା’ ଚତୁଃପାର୍ଶ୍ଵରେ ଥିବା ଜିନିଷଗୁଡ଼ିକୁ ଅନୁସନ୍ଧାନ କରିବାକୁ ଆଗ୍ରହ ପ୍ରକାଶ କରେ । ଗତ ଶୁକ୍ରବାର ଦିନ ବିଦ୍ୟାଳୟରେ ଛାଡ଼ି ଯାଇଥିବା ଜଳଖୁଆ ବାକ୍ସଟି ସେ ପାଇଲା । ତିନି ଦିନ ପୂର୍ବରୁ ସେଥିରେ ରହି ଯାଇଥିବା ପ୍ରିୟ ଖାଦ୍ୟ ପାଉଁରୁଟି କଥା ତା’ର ମନେ ପଡ଼ିଲା । ଯେତେବେଳେ ସେ ବାକ୍ସଟି ଖୋଲିଲା, ସେଥିରୁ ଏକ ଦୁର୍ଗନ୍ଧ ବାହାରିଲା । ତା’ର ସ୍ଵାଦିଷ୍ଟ ପାଉଁରୁଟିରେ ମଧ୍ଯ କିଛି ରଙ୍ଗୀନ ଦାଗ ଥିଲା । ସେ ଆଶ୍ଚର୍ଯ୍ୟ ହୋଇ କହିଲା ମୋ ପାଉଁରୁଟିର କ’ଣ ହେଲା ? ଏହା ଦିଶା ପାଇଁ ଖୁବ୍ ରହସ୍ୟମୟ ଥିଲା ।

ଏହାର କାରଣ କ'ଣ ଖୋଜିବାକୁ ଦିଶା ଆଗ୍ରହ ପ୍ରକାଶ କଲା । ଅନୁସନ୍ଧାନୀ ଦିଶା ବର୍ତ୍ତମାନ ତା ଚତୁଃପାର୍ଶ୍ବର ଦୁନିଆର ରହସ୍ୟଗୁଡ଼ିକୁ ସମାଧାନ କରିବାକୁ ପ୍ରସ୍ତୁତ ହେଲା । ଖାଦ୍ୟ ଆମ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଦିଶା ଖାଦ୍ୟ ବିଷୟରେ ଅନୁସନ୍ଧାନ ଆରମ୍ଭ କଲା ।


[ଚିତ୍ର: ବିଜ୍ଞାନାଗାରରେ ଦିଶାର ଭାଇ ଆଦିତ୍ୟ ଅଣୁବୀକ୍ଷଣ ଯନ୍ତ୍ର (ମାଇକ୍ରୋସ୍କୋପ୍) ସାହାଯ୍ୟରେ ଫିମ୍ପି ଲାଗିଥିବା ପାଉଁରୁଟିରୁ ଅଣୁଜୀବମାନଙ୍କୁ ଦେଖାଉଛନ୍ତି ଏବଂ ଉପରେ ଏକ ବୃତ୍ତ ଭିତରେ ବିଭିନ୍ନ ପ୍ରକାରର ଅଣୁଜୀବ ପ୍ରଦର୍ଶିତ ହୋଇଛି । ପଛପଟେ ମାନବ ପାଚନତନ୍ତ୍ରର ଚାର୍ଟ ଲାଗିଛି ।]

ରହସ୍ୟ – ୧ : ମୋ ପାଉଁରୁଟି କ'ଣ ପାଇଁ ନଷ୍ଟ ହେଲା ?

ଘରେ ପହଞ୍ଚିବା ମାତ୍ରେ, ଦିଶା ଅଷ୍ଟମ ଶ୍ରେଣୀରେ ପଢୁଥିବା ତା’ର ବଡ଼ଭାଇ ଆଦିତ୍ୟ ପାଖକୁ ଦୌଡ଼ିଗଲା ଏବଂ ପଚାରିଲା “ଭାଇ, ପାଉଁରୁଟିରେ ଏହି ରଙ୍ଗୀନ ଦାଗଗୁଡ଼ିକ କ’ଣ ? ଏହା ଦୁର୍ଗନ୍ଧ ହେଉଛି କାହିଁକି ?”

ଭାଇ ହସି କରି ଚାହିଁଲେ ଓ କହିଲେ, “ସେଗୁଡ଼ିକ ଫିମ୍ପି । ଏହି କ୍ଷୁଦ୍ର ଜୀବମାନଙ୍କୁ ଅଣୁଜୀବ କୁହାଯାଏ, ଯେଉଁଗୁଡ଼ିକ ତୋର ଖାଦ୍ୟରେ ବୃଦ୍ଧି ହୋଇ ଖାଦ୍ୟକୁ ଏପରି ପରିବର୍ତ୍ତନ କରିଛନ୍ତି ।”

ଦିଶା ପ୍ରଶ୍ନକଲା, “ଅଣୁଜୀବ, ସେଗୁଡ଼ିକ କ’ଣ କ୍ଷୁଦ୍ର ଉକୁଣି ପରି ?”

ଭାଇ କହିଲେ “ଆହୁରି କ୍ଷୁଦ୍ର । ସେମାନେ ଆମ ଚାରିପାଖରେ ସବୁଆଡ଼େ ଅଛନ୍ତି, ମାତ୍ର ଏତେ କ୍ଷୁଦ୍ର ଯେ ସେମାନଙ୍କୁ ଦେଖ‌ିବା ପାଇଁ ତୁମକୁ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରିବାକୁ ପଡ଼ିବ । ସେମାନେ ବିଭିନ୍ନ ଜିନିଷ ଉପରେ ବଢ଼ିଥାଆନ୍ତି ଓ ସେଥିରେ ପରିବର୍ତ୍ତନ ଆଣିଥାନ୍ତି । କିଛି ଅଣୁଜୀବ ଆମକୁ ଦହି ପ୍ରସ୍ତୁତ କରିବାରେ ଏବଂ କିଛି ଆମର ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରନ୍ତି ।

ସେମାନେ ପାଉଁରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ସ୍ଵାଦ ଓ ବାସ୍ନା ପରିବର୍ତ୍ତନ କରିଦିଅନ୍ତି । ଆମେ ଏହି ଫିମ୍ପିକୁ ଦେଖିପାରୁଛୁ ଯେହେତୁ ଏହା ହଜାର ହଜାର ଫିମ୍ପିମାନଙ୍କର ଏକ ଦଳ ବା କଲୋନୀକୁ ନେଇ ଗଠିତ ହୋଇଛି ।”

ଦିଶା ବଡ଼ ବଡ଼ ଆଖି କରି କୌତୁହଳରେ ଚାହିଁଲା, ସେ ସଙ୍ଗେ ସଙ୍ଗେ ତା'ର ଖାତାରେ ଏଗୁଡ଼ିକ ଲେଖିଲା ।

ପୃଥିବୀରେ ମାଣ୍ଡିଆଜାତୀୟ ଶସ୍ୟ ଉତ୍ପାଦନରେ ଭାରତ ସର୍ବବୃହତ୍ ରାଷ୍ଟ୍ର । ଏହା ପୋଷକରେ ପରିପୂର୍ଣ୍ଣ ।


[ଚିତ୍ର: ଘର ବାଲକୋନିରେ ଜଣେ ମହିଳା ହାତରେ ପାତ୍ର ଧରି ଠିଆ ହୋଇଛନ୍ତି ଏବଂ ଦିଶା ହାତରେ ଏକ ଖାଦ୍ୟ ଧରି ତାଙ୍କ ସହ କଥା ହେଉଛି ।]

ଫଳାଫଳ - ୧

ଅଣୁଜୀବ – ଆମ ଚତୁଃପାର୍ଶ୍ଵରେ ଥିବା ମୃତ୍ତିକା, ବାୟୁ, ଜଳ, ଉଦ୍ଭିଦ, ପ୍ରାଣୀ ଏବଂ ଆମ ଶରୀର ଭିତରେ ମଧ୍ୟ ଦେଖାଯାଆନ୍ତି ।

ଚିନ୍ତା କର

ତୁମର କେବେ ପେଟ ଖରାପ ହୋଇଛି କି ? ଏହାର କାରଣ କ’ଣ ହୋଇପାରେ ତୁମେ ଜାଣିଛ କି ? ତୁମେ କେବେ ଭୁଲବଶତଃ ନଷ୍ଟ ହୋଇଯାଇଥିବା ଖାଦ୍ୟ ଖାଇଦେଇଥିଲ କି ? ତୁମ ଶରୀର ଅସୁସ୍ଥ ହୋଇଥିଲା କି ? ଯଦି ହଁ, ତେବେ ସୁସ୍ଥ ହେବାପାଇଁ ତୁମେ କ’ଣ କରିଥିଲ ? ଶ୍ରେଣୀରେ ତୁମର ଅଭିଜ୍ଞତାକୁ ବର୍ଣ୍ଣନା କର ।

ରହସ୍ୟ-୨ : କିଛି ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ କାହିଁକି ?

ଦିନେ ଅପରାହ୍ନରେ ବିଲେଇ ପାଇଁ ଦୁଇଦିନ ପୂର୍ବରୁ ଅଗଣାରେ ରଖାଯାଇଥିବା ପିଠାଟିକୁ ଦିଶା ଦେଖିଲା । ଏଥିରେ କିଛି ରଙ୍ଗୀନ୍ ଦାଗ ଥିଲା । କିନ୍ତୁ ଦୁଇମାସ ପୂର୍ବରୁ ତା’ର ଜେଜେମା ପ୍ରସ୍ତୁତ କରିଥିବା ଆଚାର ଏବେ ମଧ୍ୟ ନଷ୍ଟ ହୋଇନଥିଲା ଏବଂ ସୁସ୍ଵାଦୁ ଥିଲା କାରଣ ସେଥିରେ ତେଲ ମିଶାଯାଇଥିଲା । “ଆଶ୍ଚର୍ଯ୍ୟ”, ଦିଶା ଗୁଣୁଗୁଣୁ ହୋଇ କହିଲା, କେତେକ ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଏ ଏବଂ କେତେକ ଖାଦ୍ୟ ବହୁତ ସମୟ ପର୍ଯ୍ୟନ୍ତ ଭଲ ରହେ କାହିଁକି ?

ଲେଖ

ଖାଦ୍ୟ ନଷ୍ଟ ହେବାର କାରଣ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?


[ଚିତ୍ର: ଦିଶା ଛିଡ଼ା ହୋଇ ଦେଖୁଛି ଏବଂ ତାଙ୍କ ବାପା ଓ ମାଆ ଚଟାଣରେ ଧଳା କପଡ଼ା ଉପରେ ଶୁଖିଲା ନାଲି ଲଙ୍କା ବିଛାଇ ଖରାରେ ଶୁଖାଉଛନ୍ତି ।]

ପୃଥିବୀରେ କଦଳୀ ଉତ୍ପାଦନରେ ସର୍ବବୃହତ୍ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ ।

ଦିଶା ତା ଭାଇ ପାଖକୁ ଫେରିଗଲା ଏବଂ ପଚାରିଲା, “ଏହି ଅଣୁଜୀବମାନଙ୍କର ବୃଦ୍ଧି ପାଇଁ କ’ଣ ଆବଶ୍ୟକ ?”

ଭାଇ ଉତ୍ତର ଦେଲେ – “ଅଣୁଜୀବମାନଙ୍କର ବୃଦ୍ଧି ପାଇଁ ଆର୍ଦ୍ରତା, ବାୟୁ ଏବଂ ଉପଯୁକ୍ତ ତାପମାତ୍ରା ଆବଶ୍ୟକ । ଏଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏର ଅନୁପସ୍ଥିତିରେ ଏମାନଙ୍କ ବୃଦ୍ଧିକୁ ଆମେ ରୋକିପାରିବା । ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ବାୟୁ ଓ ଜଳ ଆବଶ୍ୟକ କରନ୍ତି ।”

ଫଳାଫଳ-୨

ଆମ୍ଭେମାନେ ଅଣୁଜୀବମାନଙ୍କୁ ଜଳ ଓ ବାୟୁ ଠାରୁ ଦୂରେଇ ରଖିବା ଉଚିତ୍ ।

ଖାଦ୍ୟ ସଂରକ୍ଷଣ

ରହସ୍ୟ-୩: ଆମେ ଆମର ଖାଦ୍ୟକୁ ନଷ୍ଟ ହେବାରୁ କିପରି ରକ୍ଷା କରିପାରିବା ?

ସନ୍ଧାନୀ ଦିଶା ଘରେ ଉତ୍ତର ଖୋଜିବା ପାଇଁ ନିଷ୍ପତ୍ତି ନେଲା ।

ଆସ ପର୍ଯ୍ୟବେକ୍ଷଣ କରିବା

ଶୁଖାଇବା ଏବଂ ଶୁଷ୍କ ରଖିବା

ଦିଶା ତା'ର ମା ଏବଂ ବାପାଙ୍କୁ ଏକ ମସିଣା ଉପରେ ଖରାରେ ଲଙ୍କା ଶୁଖାଉଥିବାର ଦେଖିଲା । ସେ ପଚାରିଲା, ମା ତୁମେ ଏଗୁଡ଼ିକୁ କାହିଁକି ଶୁଖାଉଛ ? ମାଆ ଉତ୍ତର ଦେଲେ– “ଲଙ୍କା ଗୁଣ୍ଡ ପ୍ରସ୍ତୁତ କରିବା ପାଇଁ । ଏହା ଏକ ବର୍ଷ ରହିବ ।”


ଫଳାଫଳ-୩

ଖରାରେ ଶୁଖାଇବା ଦ୍ଵାରା ଲଙ୍କାରୁ ଜଳୀୟ ଅଂଶ ଦୂର ହୁଏ । ଜଳୀୟ ଅଂଶ ବିନା ଅଣୁଜୀବମାନଙ୍କର ବୃଦ୍ଧି ହୁଏ ନାହିଁ ।

ଆସ ଲେଖିବା

ନଷ୍ଟ ନହୋଇ ବର୍ଷସାରା ରହିବାପାଇଁ ଅନ୍ୟ କେଉଁ ଜିନିଷଗୁଡ଼ିକ ଖରାରେ ଶୁଖାଯାଏ ?

କାର୍ଯ୍ୟ-୧

ଆମ୍ବରୁ କେଉଁ ଜିନିଷ ତିଆରି କରି ତାହାକୁ ଅଧିକ ସମୟ ପାଇଁ ବ୍ୟବହାର କରାଯାଇପାରିବ । ତଳେ ଦିଆଯାଇଥିବା ସ୍ଥାନରେ ସେମାନଙ୍କର ନାମ ଲେଖ ।

[ଚିତ୍ର: ଗଛ ଡାଳରେ ଝୁଲୁଥିବା ପାଚିଲା ଓ କଞ୍ଚା ଆମ୍ବର ଗୁଚ୍ଛ, ଯାହା ଚାରିପାଖରେ ନାମ ଲେଖିବା ପାଇଁ ଖାଲି ବାକ୍ସ ଦିଆଯାଇଛି (ଗୋଟିଏ ବାକ୍ସରେ 'ଆଚାର' ଲେଖାଅଛି) ।]


କାର୍ଯ୍ୟ-୨

୧. ଏକ ଟମାଟୋ ନିଅ ଏବଂ ଏହାକୁ ପତଳା କରି କାଟ । ୨. ଟମାଟୋର ଖଣ୍ଡଗୁଡ଼ିକୁ ଖରା ପଡ଼ୁଥିବା ଏକ ସ୍ଥାନରେ ଏକ ଟ୍ରେରେ ରଖ । ୩. କିଛିଦିନ ପରେ ଟମାଟୋର ତୁମେ କ’ଣ ପରିବର୍ତ୍ତନ ଲକ୍ଷ୍ୟ କଲ ?

ଟମାଟୋ ଭଳି ଜିନିଷଗୁଡ଼ିକୁ ସଂରକ୍ଷଣ କରିବାର କୌଣସି ଉପାୟ ତୁମେ ଚିନ୍ତା କରିପାରୁଛ କି ?

ଆସ ପର୍ଯ୍ୟବେକ୍ଷଣ କରିବା

ଆଚାର ପ୍ରସ୍ତୁତି ଓ ତେଲ ମିଶ୍ରଣ

ରୋଷେଇ ଘରେ ଦିଶାର ଜେଜେମା କଞ୍ଚା ଆମ୍ବରେ ପ୍ରସ୍ତୁତ ଆଚାର ଥିବା ଏକ ଜାରରେ ସୋରିଷ ତେଲ ଢାଳୁଥିଲେ । “ଆଚାରରେ କାହିଁକି ତେଲ ମିଶାଯାଏ ?” ଦିଶା ଉତ୍ସାହରସହ ପଚାରିଲା ।

ଜେଜେମା ବୁଝାଇଲେ, “ତେଲ, ପାତ୍ର ମଧ୍ୟରେ ବାୟୁ ପ୍ରବେଶକୁ ରୋକି ଆଚାରକୁ ସୁରକ୍ଷିତ ରଖେ ।”

ଫଳାଫଳ-୪

ତେଲ ବାୟୁ ପ୍ରବେଶକୁ ରୋକି ଅଣୁଜୀବଙ୍କ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ।

ଆଲୋଚନା

ଯଦି ତେଲ ମିଶାଯାଇ ନଥାନ୍ତା, ତେବେ ଏହି ଆଚାରର କ’ଣ ହୋଇଥାନ୍ତା ?

ଆସ ପର୍ଯ୍ୟବେକ୍ଷଣ କରିବା

ଶୀତଳୀକରଣ

ପରଦିନ ସକାଳେ ଦିଶା ଫ୍ରିଜ୍ ଖୋଲିଲା । କ୍ଷୀର, ପନିପରିବା, ଲହୁଣୀ ଏବଂ ଏକ କେକ୍ ଏହା ଭିତରେ ରଖାଯାଇଥିଲା ।

ଫ୍ରିଜ୍ ତାପମାତ୍ରାକୁ କମାଇ ଅତ୍ୟଧିକ ଥଣ୍ଡା କରିଦିଏ, ଯାହା ଅଣୁଜୀବମାନଙ୍କର ବୃଦ୍ଧିକୁ ରୋକିଥାଏ ବୋଲି ବାପା ବୁଝାଇଲେ ।

ଅଧିକାଂଶ ପାରମ୍ପରିକ ଭାରତୀୟ ଥାଳିଗୁଡ଼ିକ ସୁଷମ ଖାଦ୍ୟ ସମ୍ପନ୍ନ ।


[ଚିତ୍ର: ଗ୍ୟାସ ଚୁଲି ଉପରେ ଏକ ପାତ୍ରରେ ଲହୁଣୀ ଗରମ ହେଉଛି ଏବଂ ହାତରେ ଚାମଚ ଦ୍ୱାରା ତାହାକୁ ଘଣ୍ଟା ଯାଉଛି ।]

ଫଳାଫଳ-୫

ତାପମାତ୍ରା ହ୍ରାସ ଅଣୁଜୀବମାନଙ୍କ ବୃଦ୍ଧିକୁ ନିୟନ୍ତ୍ରଣ କରେ ।

ତୁମେ ଜାଣିଛ କି ?

ଥଣ୍ଡା ରଖିବା ପାଇଁ ମାଟିପାତ୍ର

ଆମେମାନେ ଜଳକୁ ଥଣ୍ଡା ରଖିବା ପାଇଁ ମାଟିପାତ୍ର (ମାଠିଆ) ବ୍ୟବହାର କରୁ ।

ଲହୁଣୀକୁ କାହିଁକି ଫ୍ରିଜ୍‌ରେ ରଖିବା ଆବଶ୍ୟକ ହୋଇଥାଏ, କିନ୍ତୁ ଘିଅକୁ ସେଥିରେ ରଖାଯାଏ ନାହିଁ ?

ସୂଚନା - ଘରେ କିପରି ଲହୁଣୀ ଓ ଘିଅ ପ୍ରସ୍ତୁତ ହୁଏ ପଚାରି ବୁଝ ।

ଖାଦ୍ୟ ସଂରକ୍ଷଣ କରିବାର ଅନେକ ଉପାୟ ଅଛି । ଦିଶାର ଜେଜେବାପା ତାକୁ କହିଥିଲେ ଯେ ସେମାନେ ଖାଦ୍ୟକୁ ଅନେକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବା ପାଇଁ ଲୁଣ, ଚିନି ଓ ଗୋଲମରିଚ ଇତ୍ୟାଦି ବ୍ୟବହାର କରୁଥିଲେ । ଆମେମାନେ ଆଜି ମଧ୍ୟ ଏହି ପ୍ରଣାଳୀଗୁଡ଼ିକୁ ବ୍ୟବହାର କରୁଛୁ ।

୧. ଲହୁଣୀକୁ ଗରମ କରାଯାଏ

୨. ଲହୁଣୀରୁ ଜଳ ଅଲଗା ହୁଏ

୩. ଜଳ ବାଷ୍ପୀଭୂତ ହୁଏ

୪. ଘିଅ ପ୍ରସ୍ତୁତ ହୁଏ

କାର୍ଯ୍ୟ-୩

ଘରେ ବୟସ୍କମାନଙ୍କୁ ତୁମ ପରିବାରରେ ଖାଦ୍ୟ ସଂରକ୍ଷଣ ଅଭ୍ୟାସ ବିଷୟରେ ପଚାରି ବୁଝ । ଅତିକମ୍‌ରେ ଏହିପରି ଗୋଟିଏ ଅଭ୍ୟାସ ଲେଖ ।


[ଚିତ୍ର: ମାଆ ରୋଷେଇ ଘରେ ଇଡ଼ଲି ଷ୍ଟାଣ୍ଡରୁ ତାଜା ଇଡ଼ଲି କାଢୁଛନ୍ତି ଏବଂ ଦିଶା ପାଖରେ ଛିଡ଼ା ହୋଇ ଉତ୍ସାହର ସହିତ ଦେଖୁଛି ।]

ଫଳାଫଳ-୬

ଖାଦ୍ୟ ସଂରକ୍ଷଣ କରିବାର ଅନେକ ଉପାୟ ରହିଛି ।

ତୁମେ ଜାଣିଛ କି ?

‘ଗୋଲମରିଚ’ ଆମ ଘରେ ଏକ ସାଧାରଣ ମସଲା । ଅତୀତରେ ଗୋଲମରିଚ, ମସଲା ଭାବରେ ଏତେ ଲୋକପ୍ରିୟ ହୋଇଥିଲା ଯେ ଭାସ୍କୋଡ଼ାଗାମା ଏହାକୁ ଭାରତରୁ ସଂଗ୍ରହ କରିବା ପାଇଁ ସମୁଦ୍ର ପାରି ହୋଇ ଆସିଥିଲେ ।

ଭାଇ ଦିଶାକୁ କହିଲେ ଯେ ଖାଦ୍ୟ ପ୍ରସ୍ତୁତ ହେଉଥିବା କାରଖାନାଗୁଡ଼ିକରେ ଖାଦ୍ୟକୁ ଅଣୁଜୀବମୁକ୍ତ କରିବାପାଇଁ ବାୟୁରୁଦ୍ଧ ପାତ୍ର ଏବଂ ପ୍ୟାକେଟ୍ ମଧ୍ୟରେ ରଖି ସଂରକ୍ଷଣ କରାଯାଏ ।

ତୁମେ ଜାଣିଛ କି ?

ମନୁଷ୍ୟମାନଙ୍କ ବହୁ ପୂର୍ବରୁ କୀଟପତଙ୍ଗମାନେ ଖାଦ୍ୟ ସଂରକ୍ଷଣ କରୁଥିଲେ । ବିରୁଡ଼ି ତା’ର ଲାର୍ଭା ପାଇଁ ଖାଦ୍ୟ ସଂରକ୍ଷଣ କରିଥାଏ ।

ଇଡ଼ଲି କିପରି ତିଆରି ହୁଏ ?

ଦିଶା ତା’ର ମାଆଙ୍କୁ ଘରେ ଇଡ୍‌ଲି ତିଆରି କରୁଥିବାର ଦେଖିଲା । ତୁମେ କହିପାରିବ କି ଇଡ୍‌ଲି କିପରି ତିଆରି ହୁଏ ? କ'ଣ ଏପରି ଅଛି ଯାହା ଇଡ୍‌ଲିକୁ ଫୁଲାଇ ଦିଏ ? ତୁମେ ଜାଣିଛ କି ଏହା କ’ଣ ?

ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ଭାରତ ପୃଥିବୀରେ ସର୍ବବୃହତ୍ ରାଷ୍ଟ୍ର ।


ଫଳାଫଳ-୭

ବାୟୁରେ ଥିବା ଅଣୁଜୀବ ଇଡ୍‌ଲିକୁ ଫୁଲାଇବାରେ ସାହାଯ୍ୟ କରନ୍ତି ।

ବଦହଜମି ଓ ଘରୋଇ ଉପଚାର

ମେଳାରେ ଖାଦ୍ୟ ଖାଇବା ପରେ ଆଦିତ୍ୟ ଭାଇଙ୍କର ପେଟ ଖରାପ ହୋଇଛି ।

ଚିନ୍ତା କର

ତୁମର କେବେ ପେଟ ଖରାପ, ବାନ୍ତି କିମ୍ବା ବଦହଜମି ହୋଇଛି କି ? ତୁମେ ଏଥିପାଇଁ କୌଣସି ଘରୋଇ ଉପଚାର କରିଥିଲ କି ? ତୁମକୁ ଦିଆଯାଇଥିବା ଘରୋଇ ଉପଚାର ବିଷୟରେ ଲେଖ ।

ପେଟ ଖରାପ ପାଇଁ ତୁମର ପିତାମାତା ତୁମକୁ ଦହି କିମ୍ବା ଏଥିରୁ ତିଆରି ଘୋଳଦହି ଭଳି କୌଣସି ଜିନିଷ ଦେଇଛନ୍ତି କି ? ଦହିରେ ଥିବା ଅଣୁଜୀବ ପାକସ୍ଥଳୀର ଉପକାରୀ ଅଣୁଜୀବମାନଙ୍କ ସହ ମିଶି ହଜମ ପ୍ରକ୍ରିୟାରେ ସାହାଯ୍ୟ କରନ୍ତି । ଯଦି ସମସ୍ୟା ଗୁରୁତର ହୁଏ ତେବେ ତୁମକୁ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବାକୁ ପଡ଼ିପାରେ ।

ଫଳାଫଳ-୮

ବେଳେବେଳେ ଖରାପ ଖାଦ୍ୟ ଅଭ୍ୟାସ ମଧ୍ୟ ବଦହଜମିର କାରଣ ହୋଇପାରେ । ଦିଶାର ନୋଟ୍‌ବୁକ୍ ଅନେକ ଫଳାଫଳରେ ପୂର୍ଣ୍ଣ ହୋଇଯାଇଥିଲା ।

ମୋର ଖାଦ୍ୟ, ମୋର ଗର୍ବ

ଅନୁସନ୍ଧାନ ସମୟରେ, ଦିଶା ଜାଣିବାକୁ ପାଇଲା ଯେ ଖାଦ୍ୟ ସମ୍ପର୍କିତ ଅନେକ ପାରମ୍ପରିକ ଅଭ୍ୟାସ ପରିବାରର ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ଯାଇଥାଏ ।

ସେ ଅନୁସନ୍ଧାନ କରିଥିବା ତଥ୍ୟଗୁଡ଼ିକୁ ନେଇ “ମୋର ଖାଦ୍ୟ ମୋର ଗର୍ବ” ଡାଏରୀ ପ୍ରସ୍ତୁତ କଲା । ଆସ, ଦିଶା ଡାଏରୀରେ ସ୍ଥାନ ପାଇଥିବା କେତେକ ନୂତନ ତଥ୍ୟଗୁଡ଼ିକୁ ଦେଖିବା ଏବଂ ସେଗୁଡ଼ିକୁ ପୂରଣ କରିବାରେ ସାହାଯ୍ୟ କରିବା ।


[ଚିତ୍ର: ଘର ଭିତରେ ଦୋଳି ଉପରେ ଜେଜେମା ବସିଛନ୍ତି, ପାଖରେ ମାଆ ଛିଡ଼ା ହୋଇଛନ୍ତି, ଚଟାଣରେ ବାପା ଓ ଦୁଇ ପିଲା ବସି ତଳେ ଥିବା ଲିଚୁ କୋଳି ଚୋପା ଛଡ଼ାଇ ଖୁସିରେ ଖାଉଛନ୍ତି ।]

ପରିବା ହାଟ ଭ୍ରମଣ

ଜେଜେବାପା ପ୍ରତିଦିନ ପରିବା ହାଟକୁ ଯାଆନ୍ତି । ସେ ସତେଜ ଫଳ ଓ ପନିପରିବା କିଣନ୍ତି । ତାଙ୍କ ସହ ପରିବା ହାଟରେ ବୁଲିବା ଖୁବ୍ ମଜାଦାର । ଦିଶା ଦେଖିଲା ଜେଜେବାପା ବଜାରରେ ଫଳ କିମ୍ବା ପନିପରିବା କିଣିବା ପୂର୍ବରୁ କିପରି ଭଲଭାବରେ ପରଖି ନେଉଥିଲେ ।

କାର୍ଯ୍ୟ-୪

ତୁମେ କେବେ ତୁମ ପରିବାରର ବୟସ୍କମାନଙ୍କ ସହ ପନିପରିବା ଓ ଫଳ କିଣିବାକୁ ଯାଇଛ କି ? ଏପରି ଭ୍ରମଣ ସମୟରେ, ବୟସ୍କମାନେ ବଜାରରେ ଫଳ ଓ ପନିପରିବା କିପରି ବାଛନ୍ତି ତାହା ଲକ୍ଷ୍ୟ କର ।

ତୁମର କିଣାବିକା କାର୍ଯ୍ୟକ୍ରମରୁ ଶିଖିଥିବା ଗୋଟିଏ ଜିନିଷ ଫଳାଫଳ–୯ ଶୀର୍ଷକରେ ଲେଖ, ଯେପରି ଦିଶା ଲେଖିଥିବ ।

ଋତୁକାଳୀନ ଫଳ ଖାଇବାର ଆନନ୍ଦ

ବର୍ଷା ହେଉଥିଲା । ଘରକୁ ଯିବା ବାଟରେ ବାପା ଲିଚୁକୋଳି କିଣିଲେ । ଦିଶା ଅତି ଆନନ୍ଦିତ ହୋଇ କହିଲା, “ପ୍ରାୟ ଗୋଟିଏ ବର୍ଷ ପରେ ସ୍ଵାଦିଷ୍ଟ ଲିଚୁକୋଳି ମିଳିଲା” । ବାପା କହିଲେ ଲିଚୁ ଏକ ଋତୁକାଳୀନ ଫଳ ତେଣୁ ଆମକୁ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ।

ଯେତେବେଳେ ସମସ୍ତେ ଲିଚୁ କୋଳିର ଚୋପା ଛଡ଼ାଇଲେ ଏବଂ ଏହି ସ୍ଵାଦିଷ୍ଟ ଫଳକୁ ନିଜ ନିଜ ମଧ୍ୟରେ ବାଣ୍ଟିଲେ, ସେତେବେଳେ ଦିଶା ସମସ୍ତଙ୍କ ମୁହଁରେ ଖୁସିର ଭାବ ଦେଖିପାରିଲା ।

ବାପା ପୁଣି କହିଲେ କିନ୍ତୁ ଆମ ଅଞ୍ଚଳର ଆମ୍ବ ସହ କେହି ସମାନ ହେବେ ନାହିଁ କାରଣ ସେଗୁଡ଼ିକ ଖୁବ୍ ସତେଜ ଓ ଆମକୁ ସହଜରେ ମିଳିଥାଏ ।

ଭାରତର ପୂର୍ବାଞ୍ଚଳରେ ବାଉଁଶକୁ ଘର ତିଆରି ଏବଂ ଜାଳେଣି କାର୍ଯ୍ୟରେ ବ୍ୟବହାର କରାଯାଏ । ବାଉଁଶ କରଡ଼ିରେ ମଧ୍ୟ ସୁଆଦିଆ ତରକାରୀ ପ୍ରସ୍ତୁତ ହୁଏ ।


ଫଳାଫଳ-୯

ଫଳଗୁଡ଼ିକୁ ସେମାନଙ୍କର ଋତୁ ଅନୁସାରେ ଖାଇଲେ, ଅଧିକ ସ୍ଵାଦିଷ୍ଟ ଲାଗେ । ଋତୁକାଳୀନ ଫଳଗୁଡ଼ିକ ପାଇଁ ଅପେକ୍ଷା କରିବାର ମଜା ନିଆରା ।

ଲେଖ

ତୁମ ଅଞ୍ଚଳର ତିନୋଟି ଋତୁକାଳୀନ ଫଳ କିମ୍ବା ପନିପରିବାର ନାମ ଲେଖ । ଉଦାହରଣ ଶୀତଦିନରେ ଅଁଳା ଏବଂ ଖରାଦିନରେ ଜାମୁକୋଳି ।

ଠିକ୍ ଭାବରେ ଚୋବାଇ ଖାଅ –

ଅନୁସନ୍ଧାନ : ତୁମ ପାଟି ଭିତରେ ଖାଦ୍ୟର କି ପରିବର୍ତ୍ତନ ହୁଏ ?

ସନ୍ଧାନୀ ଦିଶା ଏ ପର୍ଯ୍ୟନ୍ତ ରହସ୍ୟଗୁଡ଼ିକୁ ସମାଧାନ କରିପାରି ନାହିଁ । “ଆମେ ଖାଦ୍ୟ ଖାଇବା ପରେ କ’ଣ ହୁଏ ?” ସେ ଆଶ୍ଚର୍ଯ୍ୟ ହୋଇ କହିଲା । ସେ ଦର୍ପଣକୁ ଚାହିଁ ପାଟିକୁ ଅଧିକ ଖୋଲିଲା ଏବଂ କହିଲା ଆହାଃ, ହାଃ....

କାର୍ଯ୍ୟ-୫

ତୁମେ ଯାହା ଖାଉଛ, ତାକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରି ନରମ କରିବା ପର୍ଯ୍ୟନ୍ତ ଠିକ୍ ଭାବରେ ଚୋବାଇବାକୁ ଚେଷ୍ଟା କର । ପ୍ରତ୍ୟେକ ଜିନିଷକୁ ଖଣ୍ଡ ଖଣ୍ଡ କରିବା ଏବଂ ଚୋବାଇବା ପାଇଁ ତୁମେ କେଉଁ ଦାନ୍ତ ବ୍ୟବହାର କଲ ? ପରବର୍ତ୍ତୀ ପୃଷ୍ଠାରେ ଦିଆଯାଇଥିବା ଚିତ୍ରକୁ ଦେଖ ଓ ସେଗୁଡ଼ିକର ନାମକରଣ କର ।


[ଚିତ୍ର: ମୁଖଗହ୍ୱର ଓ ବିଭିନ୍ନ ପ୍ରକାର ଦାନ୍ତର ଚିତ୍ର, ଯେଉଁଥିରେ କର୍ତ୍ତନଦାନ୍ତ, ଶ୍ୱାନଦାନ୍ତ, ଚର୍ବଣଦାନ୍ତ ଓ ପେଷଣ ଦାନ୍ତ ନାମକରଣ କରାଯାଇଛି ।]

ଦାନ୍ତ ଓ ଚୋବାଇବା ପ୍ରକ୍ରିୟା

ଭାଇ କହିଲେ, ଆମର ବିଭିନ୍ନ ପ୍ରକାରର ଦାନ୍ତ ଅଛି- ଯଥା କାଟିବା ପାଇଁ କର୍ତ୍ତନ ଦାନ୍ତ, ଚିରିବା ପାଇଁ ଶ୍ୱାନ ଦାନ୍ତ, ଗୁଣ୍ଡ କରିବା ପାଇଁ ଚର୍ବଣ ଦାନ୍ତ ଏବଂ ପେଷିବା ପାଇଁ ପେଷଣ ଦାନ୍ତ ରହିଛି ।

ଦାନ୍ତର ପ୍ରକାର

ଦିଶା ଆଶ୍ଚର୍ଯ୍ୟ ହୋଇ ଭାବିଲା ଖାଦ୍ୟକୁ ବହୁତ ସମୟ ଧରି ଚୋବାଇଲେ ଅଧିକ ଲାଳ କ୍ଷରଣ ହୁଏ କି ?

ସେ କହିଲା, “ଠିକ୍ ଭାବରେ ଚୋବାଇବା ଦ୍ବାରା ଲାଳ କ୍ଷରଣ ହୁଏ ଯାହା ଖାଦ୍ୟ ହଜମରେ ସାହାଯ୍ୟ କରେ ।”

ସାଧାରଣତଃ ଭାରତର ଲୋକମାନେ ହାତ ସାହାଯ୍ୟରେ ଖାଆନ୍ତି । ଏହି ଅଭ୍ୟାସ ଖାଦ୍ୟର ପ୍ରକାର ବିଷୟରେ ଜାଣିବାରେ ଏବଂ ଖାଦ୍ୟ ହଜମ ପାଇଁ ପାକସ୍ଥଳୀକୁ ପ୍ରସ୍ତୁତ ରଖିବାରେ ସାହାଯ୍ୟ କରେ ।


ଫଳାଫଳ-୧୦

ଖାଦ୍ୟକୁ ଠିକ୍ ଭାବରେ ଚୋବାଇ ଖାଇବା ଦ୍ବାରା ଖାଦ୍ୟ ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ ଓ ଲାଳ ବାହାରି ହଜମରେ ସାହାଯ୍ୟ କରେ ।

ଫଳାଫଳ - ୧୧

ବିଭିନ୍ନ ପ୍ରକାର ଦାନ୍ତର କାର୍ଯ୍ୟ ଭିନ୍ନଭିନ୍ନ ।

ମୁଖଗହ୍ବର ପରିଚ୍ଛନ୍ନତା

ଦିଶାର ଦାନ୍ତ ବିନ୍ଧା ହେଉଥିଲା । ସେ ତା ପିତାମାତାଙ୍କ ସହ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇଥିଲା । ଡାକ୍ତର ତା’ର ଦାନ୍ତରେ ଏକ ଗାତ ଦେଖିବାକୁ ପାଇଲେ ଏବଂ ଏହାର ଚିକିତ୍ସା କଲେ ।

ଡାକ୍ତର ଉପଦେଶ ଦେଇ କହିଲେ, “ଖାଇବା ପରେ ପାଟି କୁଳି କରିବ, ନିୟମିତ ଦାନ୍ତ ଘଷିବ ଏବଂ କମ୍ ମିଠା ଖାଇବ ।”

ଫଳାଫଳ - ୧୨

ମୁଖଗହ୍ଵରର ପରିଚ୍ଛନ୍ନତା ଗୁରୁତ୍ଵପୂର୍ଣ୍ଣ ଅଟେ । ଦାନ୍ତର ପରୀକ୍ଷା ପାଇଁ କିମ୍ବା ଦାନ୍ତରେ ଅନୁଭବ କରୁଥିବା କୌଣସି ଯନ୍ତ୍ରଣା ପାଇଁ ତୁମେ ଜଣେ ଦାନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ ।

ଶ୍ବାସରୁଦ୍ଧ ଜନିତ ବିପଦ

ରାତି ଭୋଜନ ସମୟରେ ମା ସତର୍କ କରାଇ କହିଲେ, “ତୁମର ଖାଦ୍ୟକୁ ତରତର ହୋଇ ଗିଳିଦିଅ ନାହିଁ । ଠିକ୍ ଭାବରେ ଖାଦ୍ୟକୁ ଚୋବାଇ ଧୀରେ ଧୀରେ ଖାଅ ।”

ଫଳାଫଳ - ୧୩

ଖାଇବା ସମୟରେ ଶ୍ଵାସରୁଦ୍ଧ ନହେବା ପାଇଁ ମୁଁ ଧୀରେ ଧୀରେ ଖାଦ୍ୟକୁ ଖାଇବା ଉଚିତ୍ ।

ଶିକ୍ଷକଙ୍କ ପାଇଁ ସୂଚନା

ପାଟିରେ ଅଳ୍ପ ପରିମାଣର ଖାଦ୍ୟ ପୂର୍ଣ୍ଣ କରିବା ଏବଂ ଗିଳିବା ପୂର୍ବରୁ ଏହାକୁ ଭଲ ଭାବରେ ଚୋବାଇବା ଉପରେ ଶିକ୍ଷାର୍ଥୀମାନଙ୍କର ଧ୍ୟାନ ଆକର୍ଷଣକୁ ଶିକ୍ଷକ ସୁନିଶ୍ଚିତ କରାଇବେ । ଏହା ସହ ପାଟିରେ ଖାଦ୍ୟ ଥିବା ସମୟରେ କଥା ନ କହିବା କିମ୍ବା ନ ହସିବା ପାଇଁ ପରାମର୍ଶ ଦେବେ ।


ଲେଖ

ଖାଦ୍ୟ ଖାଇବା ସମୟରେ ଶ୍ଵାସରୁଦ୍ଧ ନ ହେବାପାଇଁ ତୁମେ କ’ଣ କରିବ ?

ଆମ ଶରୀରରେ ଖାଦ୍ୟ

ଅନ୍ତିମ ଫଳାଫଳ

କିଛି ଅଣୁଜୀବ ଆମ ଖାଦ୍ୟକୁ ନଷ୍ଟ କରୁଥିବାବେଳେ ଆଉ କିଛି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ସାହାଯ୍ୟ କରନ୍ତି । ସେମାନେ ମଧ୍ୟ ଆମକୁ ଖାଦ୍ୟ ହଜମରେ ସାହାଯ୍ୟ କରନ୍ତି ।

ଶେଷରେ ଖାଦ୍ୟ ସମ୍ବନ୍ଧୀୟ ସବୁ ରହସ୍ୟର ସମାଧାନ ହୋଇଗଲା । ଠିକ୍ ଭାବରେ ଖାଅ, ଠିକ୍ ଉପାୟରେ ସଂରକ୍ଷଣ ଓ ଗଚ୍ଛିତ କରି ରଖ, ଖାଦ୍ୟକୁ ଭଲ ଭାବରେ ଚୋବାଅ ଏବଂ ଉପକାରୀ ଅଣୁଜୀବମାନଙ୍କୁ ଧନ୍ୟବାଦ ଦିଅ ।

ସବୁ ରହସ୍ୟର ସମାଧାନ ହୋଇଗଲା । ଅନୁସନ୍ଧାନୀ ଦିଶା ଖୁସିରେ ତା’ର ଖାତାକୁ ବନ୍ଦ କଲା ।

ଆସ ଚିନ୍ତା କରିବା

୧. କେତେକ ଖାଦ୍ୟଦ୍ରବ୍ୟ କିଛି ସପ୍ତାହ ଧରି ଭଲ ରହୁଥିବାବେଳେ ଆଉ କେତେକ ଖାଦ୍ୟଦ୍ରବ୍ୟ ଖୁବ୍ କମ୍ ଦିନରେ ନଷ୍ଟ ହୋଇଯାଏ କାହିଁକି ?

୨. ତୁମେ ଦୁଇଦିନ ପାଇଁ ଏକ କ୍ଷେତ୍ର ପରିଭ୍ରମଣରେ ଯାଇଛ । ସାଙ୍ଗରେ ନେବାପାଇଁ ପାଞ୍ଚଟି ଖାଦ୍ୟସାମଗ୍ରୀର ତାଲିକା କର । ସେଗୁଡ଼ିକ ନଷ୍ଟ ନହେବାପାଇଁ ତୁମେ କ’ଣ କରିବ ?

୩. ଯଦି ଖାଦ୍ୟ ସଂରକ୍ଷଣ କରାଯାଇ ନପାରିବ ତେବେ କ'ଣ ହେବ ? ଖାଦ୍ୟ ସଂରକ୍ଷଣ ବିନା ଏକ ବିଶ୍ୱର କଳ୍ପନା କର ଏବଂ ଏହାର ପରିଣାମ ବିଷୟରେ ଆଲୋଚନା କର ।

ବାସି ପଖାଳ ଓ କାଞ୍ଜି ଭଳି ଖାଦ୍ୟ ଭାରତର ଓଡ଼ିଶା ଭଳି କେତେକ ସ୍ଥାନରେ ଖିଆଯାଏ । ଏହା ଉପକାରୀ ଅଣୁଜୀବରେ ଭରପୂର ଏବଂ ଶରୀରକୁ ଥଣ୍ଡା ରଖେ ।


୪. ନିମ୍ନଲିଖିତ ତଥ୍ୟଗୁଡ଼ିକୁ ମେଳ କର ।

‘କ’ ସ୍ତମ୍ଭରେ ଥିବା ଖାଦ୍ୟ ସାମଗ୍ରୀକୁ କେଉଁ ଉପାୟରେ ସଂରକ୍ଷଣ କରି ‘ଖ’ ସ୍ତମ୍ଭରେ ଥିବା ଉତ୍ପାଦ ମିଳିବ ତାହା ଲେଖ ।

ସାମଗ୍ରୀସଂରକ୍ଷଣର ପଦ୍ଧତିଉତ୍ପାଦ
ଆମ୍ବଖରାରେ ଶୁଖାଇବାଆମ୍ବୁଲ
ପାମ୍ପଡ଼ଖରାରେ ଶୁଖାଇବାଶୁଖିଲା ପାମ୍ପଡ଼
ବିଭିନ୍ନ ଫଳଜେଲି/ ଜାମ୍
ଲେମ୍ବୁଲେମ୍ବୁ ଆଚାର
ବଟର୍ (ଲହୁଣୀ)ଘିଅ
ବଟା ବିରିବଡ଼ି
ଲଙ୍କାଲଙ୍କାଗୁଣ୍ଡ
ମାଛଶୁଖୁଆ