ପ୍ରଥମ ପାଠ : ଗଛ କାହାଣୀ ଡକ୍ଟର ରାମଚନ୍ଦ୍ର ନାୟକ
[ଛବି ବର୍ଣ୍ଣନା: ଗୋଟିଏ ବଡ଼ ସବୁଜ ଗଛ ଯାହାର କାଣ୍ଡରେ ଆଖି ଓ ହସୁଥିବା ମୁହଁ ଅଙ୍କା ହୋଇଛି । ପାଖରେ ଜଣେ ଛୋଟ ପିଲା ହାତରେ ଏକ ପତ୍ର ଧରି ଠିଆ ହୋଇଛି ।]
ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀଭାଇ, ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ । ଟାଣି ନେଉଅଛ ଡାଳକୁ ମୋହର ଶୋଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ ।
[ଛବି ବର୍ଣ୍ଣନା: ଝଡ଼-ବର୍ଷାରେ ପତ୍ରଝଡ଼ା ଏକ ଗଛ କଷ୍ଟରେ ହଲୁଛି ।]
କ୍ଷୀର ନୁହେଁ ଏ ତ ଲୋତକ ଧାରାରେ ନୟନୁ ଝରଇ ମୋର, ପରାଣ ବେଦନା ଦେଉଛି ବଖାଣି ବାରେକ ଶ୍ରବଣ କର । ଜନମକାଳରୁ କେତେ ଦୁଃଖ ସହି ନ ମାନି ବରଷା, ଝଡ଼ି, ଖରାକାକରରେ ଡାଳପତରକୁ ରଖୁଛି ଯତନେ ଭିଡ଼ି ।
[ଛବି ବର୍ଣ୍ଣନା: ଲାଲ୍ ଲାଲ୍ ଫଳ ଓ ସବୁଜ ପତ୍ରରେ ପରିପୂର୍ଣ୍ଣ ଗୋଟିଏ ବୃକ୍ଷ ।]
ଆଜି ସିନା ତୁମେ ଈରିଷା କରୁଛ ଦେଖି ଫଳ ମାଳମାଳ, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ । ସାନରୁ ହୋଇଲି ବଡ଼ ପରିଯନ୍ତ କରମପଥର ଧାରେ, କରମକୁ ମୂଳ-ମନ୍ତର କରିଣ ପର ଉପକାର କରେ । ଚେରମୂଳଠାରୁ ଡାଳପତରରେ ଫୁଲଫଳ ଆଦି କରି, ଛାଇରେ ଆଶରା ଦେଇଛି ସଭିଙ୍କୁ ବକଳ ହୃଦୟ ଚିରି ।
[ଛବି ବର୍ଣ୍ଣନା: ଚାରିଜଣ ଛୋଟ ପିଲା ମାଟିରେ ନୂଆ ଗଛ ଚାରା ରୋପଣ କରୁଛନ୍ତି ଓ ପାଣି ଦେଉଛନ୍ତି ।]
ଅନ୍ତର ଫେଡ଼ିଣ କହୁଛି ତୁମକୁ କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନିତି ଖାଅରେ ଖାଇବ ଯେତେ । ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏ ସାରାଜୀବନ କରମପଥରେ ହେଳା ନ କରିବ କେହି । ଜଗତହିତରେ ଗଛ ଲଗାଇବ ସବୁଜିମା ଯିବ ଭରି, ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରୀ ।
ଆସ କଥା ହେବା ୧. ଗଛଟି ନରମଗଳାରେ କାହାକୁ କହୁଛି ? ୨. ଜନ୍ମକାଳରୁ ଗଛଟି କେଉଁ କେଉଁ ଯାତନା ସହି ଆସିଛି ? ୩. ଗଛ ଆମପାଇଁ କ'ଣ ସବୁ ସାଇତି ରଖୁଛି ? ୪. ଗଛର ଭାଷାରେ ଆମେ କାହାକୁ ମୂଳମନ୍ତ୍ର କରିବା ଉଚିତ୍ ? ୫. କ’ଣ ନ କରିବାକୁ ଗଛଟି ଅନୁରୋଧ କରିଛି ?
ପାଠରୁ (କ) ତଳେ କେତେଗୁଡ଼ିଏ ପ୍ରଶ୍ନ ଓ ସେମାନଙ୍କର ଉତ୍ତର ରଖାଯାଇଛି । ଠିକ୍ ଉତ୍ତରଟି ପାଖରେ ଦିଆଯାଇଥିବା ଘରେ (✓) ଠିକ୍ ଚିହ୍ନ ଦିଅ ।
୧. ଜୀବନସାରା କେଉଁପଥରେ ହେଳା ନ କରିବାକୁ ବୃକ୍ଷ କହିଛି ?
- ଚରମପଥ
- ଧରମପଥ
- କରମପଥ
- ମରମପଥ
୨. ଗଛ କ’ଣ କରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଇଛି ?
- ଡାଳପତ୍ର ଧରି
- ବକଳ ହୃଦୟ ଚିରି
- ଅନ୍ତର ଫେଡ଼ି
- ବିରାଟ ଆକାର କରି
୩. ଜଗତ ହିତରେ କ'ଣ କରିବା ଉଚିତ ?
- ଫଳ ଖାଇବା
- ସବୁଜିମା ଭରିବା
- ପର ଉପକାର କରିବା
- ଗଛ ଲଗାଇବା
୪. ପର ଉପକାର କରିବାପାଇଁ କାହାକୁ ମୂଳମନ୍ତ୍ର କରିବା ଉଚିତ ?
- କର୍ମକୁ
- ଧର୍ମକୁ
- ଜନ୍ମକୁ
- ସେବାକୁ
୫. ‘ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ।’ -ଏ କଥା କିଏ କହିଛି ?
- କବି କହିଛନ୍ତି
- ପିଲାଟି କହିଛି
- ଧରଣୀ କହିଛି
- ଗଛ କହିଛି
ଚିନ୍ତା ଓ କଳ୍ପନା ୧. (କ) ଗଛ କେବେ କାହା ସହିତ କଥାହେବାର ତୁମେ ଜାଣିଛ ? (ଖ) ତୁମେ କେବେ ଗଛ ସହିତ କଥା ହୋଇଛ କି ? ମନେରଖ, ଗଛମାନେ ପରସ୍ପର ସହ କଥା ହୁଅନ୍ତି । (ଗ) ମନେକର ତୁମେ ଗଛଟିଏ । ତେବେ ତୁମ ବନ୍ଧୁ ସହିତ କ’ଣ କଥାବାର୍ତ୍ତା ହେବ କୁହ ।
୨. (କ) ‘ନରମ ଗଳାରେ ଗଛଟି କହଇ ଶୁଣରେ ମଣିଷ ଭାଇ, ଫଳ ଖାଇବାକୁ ବଳାଉଛ ମନ ଆପତ୍ତି ମୋହର ନାହିଁ ।’ ଉପରଲିଖିତ କବିତାର ଧାଡ଼ିରେ ଗଛଟି ମଣିଷମାନଙ୍କୁ ତା’ ଦୁଃଖ କଥା ଜଣାଉଛି । ଶେଷରେ ଗଛ ଲଗାଇବାପାଇଁ ଆମ୍ଭମାନଙ୍କୁ ଶପଥ କରାଉଛି । (ଖ) ଦିନେ ସକାଳେ ତୁମେ ବୁଲୁଥିବାବେଳେ ହାତୀଛୁଆଟିଏ ଯାଉଥିବାର ଦେଖିଲ । ହାତୀଛୁଆଟି ତୁମକୁ ଦେଖି ଅଟକିଗଲା । ତୁମେ ବି ଅଟକିଗଲ । ପରସ୍ପରକୁ କିଛି ସମୟ ଚାହିଁଲ । ଧୀରେଧୀରେ ତୁମ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆସିଲା । ତୁମେଦୁହେଁ କଥାବାର୍ତ୍ତା ହେଲ । ତୁମେଦୁହେଁ କ'ଣ କଥାବାର୍ତ୍ତା ହେଲ, ବନ୍ଧୁ ମେଳରେ ଆଲୋଚନା କର ।
ଭାବ ଓ ଲେଖ ୧. କ'ଣ କଲେ ଆମ ଧରଣୀ ହତଶ୍ରୀ ହେବ ନାହିଁ ? ୨. ଗଛ ତା ଜୀବନରେ କି କି ଯାତନା ସହିଛି ? ୩. ଆମେ ସବୁ ଗଛକୁ କିପରି କଷଣ ଦେଉଛେ ? ୪. ଆମପାଇଁ ଗଛ କ’ଣ ସାଇତି ରଖୁଛି ? ୫. ଗଛର ଉପକାରପାଇଁ ତୁମେ କ’ଣ କରିବ ?
ଆସ କବିତାକୁ ବୁଝିବା କବିତାଟିକୁ ଆଉ ଥରେ ପଢ଼ । ତଳେ ଦିଆଯାଇଥିବା ପଦ୍ୟାଂଶରୁ ଯାହା ବୁଝିଲ, ବନ୍ଧୁମାନଙ୍କ ସହ ଆଲୋଚନା କରି ଲେଖ । ୧. କ୍ଷୀର ନୁହେଁ ଏ ତ ଲୋତକ ଧାରାରେ ନୟନୁ ଝରଇ ମୋର । ୨. ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରୀ । ୩. ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ୪. କରମକୁ ମୂଳ-ମନ୍ତର କରିଣ ପର ଉପକାର କରେ ।
ଭାଷାର କଥା (କ) ତଳେ ‘କ’ ସ୍ତମ୍ଭରେ କେତେଗୁଡ଼ିଏ ଭାବାର୍ଥ ଦିଆଯାଇଛି । କବିତାରେ କେଉଁଠି ସେହି କଥା କୁହାଯାଇଛି, ‘ଖ’ ସ୍ତମ୍ଭରେ ସେହି ଧାଡ଼ି ବା ଧାଡ଼ିଗୁଡ଼ିକ ଲେଖ । ନମୁନାଟିଏ ଦିଆଯାଇଛି ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ୧. ଗଛ ଆମକୁ ଫଳ ଖାଇବାକୁ ମନା କରିନାହିଁ | ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ |
| ୨. ଗଛର ଆଖିରୁ ଲୁହର ଧାର ବହୁଛି | |
| ୩. ପ୍ରଚୁର ଫଳ ଦେଖି ମୋତେ ଈର୍ଷା କରୁଛ ? | |
| ୪. ସାରା ଜୀବନ କର୍ମପଥରେ ରହିବ | |
| ୫. ଆମ ପରିବେଶ ହତଶ୍ରୀ ହେବ ନାହିଁ | |
| ୬. ଦୁଃଖରେ ମୋ (ଗଛର) ପ୍ରାଣ ଜଳିଯାଉଛି |
(ଖ) ଅକ୍ଷର ସଜାଡ଼ି ଶବଦ ଗଢ଼; ପାରୁଅଛ ଯଦି ମାତ୍ରାକୁ ଯୋଡ଼ ।
| ‘କ’ | ‘ଖ’ |
|---|---|
| ନ ବ ଜ | ଜୀବନ |
| ତ ଗ ଜ | |
| କ ତ ଲ | |
| ର ଧ ଣ | |
| ଚ ଶ ନ | |
| କ ର ପ ଉ | |
| ସ ମ ଜ ବ |
[ଛବି ବର୍ଣ୍ଣନା: ଗଛର ଡାଳରୁ ଏକ ଫଳକ ଝୁଲୁଛି ଯେଉଁଥିରେ ପାଞ୍ଚଟି ଶବ୍ଦ ଲେଖାଅଛି: ଗଛ, ପତ୍ର, ଲୁହ, ଆଖି, ଶପଥ ।]
(ଗ) ଶବଦ ଝୁଲୁଛି ଗଛରେ ଦେଖ ସମାନ ଅର୍ଥକୁ ଖୋଜିଣ ଲେଖ । ଗଛ | ପତ୍ର | ଲୁହ | ଆଖି | ଶପଥ (ଚକ୍ଷୁ, ଅଶ୍ରୁ, ଦଳ, ବୃକ୍ଷ, ପଣ, ପାଦପ, ପ୍ରତିଜ୍ଞା, ଲୋତକ, ପଲ୍ଲବ, ନୟନ)
(ଘ) ତଳେ କବିତାର କିଛି ଅଂଶ ‘କ’ ଓ ‘ଖ’ ସ୍ତମ୍ଭରେ ରହିଅଛି । କବିତାକୁ ମନେ ପକାଇ ସଂପର୍କିତ ପଦକୁ ଯୋଡ଼ ।
| ‘କ’ | ‘ଖ’ |
|---|---|
| ୧. ଡାଳକୁ ମୋହର | ୧. ଆମ ପରିବେଶ ହସିବ |
| ୨. କ୍ଷୀର ନୁହେଁ ଏ ତ | ୨. ଗଛ ଲଗାଇବା |
| ୩. ଗଛ ଲଗାଇବା | ୩. ଶପଥ କରିବା |
| ୪. ପର ଉପକାର | ୪. ଟାଣି ନେଉଥାନ୍ତି |
| ୫. ଜନମ କାଳରୁ | ୫. ବରଷାଝଡ଼ ସହିଛି |
| ୬. ଜଗତ ହିତରେ | ୬. ଫୁଲଫଳ ସାଇତିଛି |
| ୭. ଧରଣୀ ହସିଲେ | ୭. ମୂଳମନ୍ତ୍ର ହେବ |
| ୮. ଏ ରୂପ ମୋହର | ୮. ଲୋତକର ଧାରା |
| ୯. ଫଳ ଖାଇକି | ୯. ସାଧନାର ଫଳ |
| ୧୦. ଛାଇରେ ଆଶରା ଦେଇଛି | ୧୦. ବକଳ ହୃଦୟ ଚିରି |
(ଙ) ଆସ ଯୋଡ଼ିଶବ୍ଦ ବିଷୟରେ ଜାଣିବା। ‘ନରମଗଳାରେ ଗଛଟି କହଇ ଶୁଣରେ ଭଉଣୀଭାଇ।’ ଉପରେ ରେଖାଙ୍କିତ ଶବ୍ଦଟି ଭଉଣୀଭାଇ । ଭଉଣୀ ଓ ଭାଇ ଶବ୍ଦ ଦୁଇଟି ମିଶି ଗୋଟିଏ ଶବ୍ଦ ହୋଇଛି । ତାହାହେଲା ‘ଭଉଣୀଭାଇ’ । ଏହାକୁ ଯୋଡ଼ିଶବ୍ଦ କୁହାଯାଏ । କେହିକେହି ଯୁଗ୍ମଶବ୍ଦ ବି କହନ୍ତି । ଏଥର ତୁମ ବହିରୁ ଆଉ କେତୋଟି ଯୋଡ଼ିଶବ୍ଦ ଖୋଜି ଲେଖ ।
(ଚ) ପଦ୍ୟରୂପରୁ ଗଦ୍ୟରୂପ । ଧରଣୀ ହସିଲେ ଆମ ପରିବେଶ ହେବନାହିଁ ହତଶିରୀ । ରେଖାଙ୍କିତ ପଦଟିକୁ ଦେଖ । ଏହା ହେଉଛି ପଦ୍ୟରେ ପ୍ରକାଶିତ ରୂପ । ଏହାର ଗଦ୍ୟରୂପ ହେଉଛି ‘ହତଶ୍ରୀ’ । ଏହିଭଳି ଆଉ କେତେକ ପଦ୍ୟରୂପ କବିତାଟିରେ ରହିଛି । ତୁମେ ସେଗୁଡ଼ିକୁ ‘କ’ ସ୍ତମ୍ଭରେ ଲେଖ । ସେଗୁଡ଼ିକର ଗଦ୍ୟରୂପ ‘ଖ’ ସ୍ତମ୍ଭରେ ଲେଖ ।
| ‘କ’ | ‘ଖ’ |
|---|---|
| ହତଶିରୀ | ହତଶ୍ରୀ |
ପାଠରୁ ଆଗକୁ ୧. ରଜପର୍ବ ପରେ ଖରାଦିନଛୁଟି ଶେଷହୁଏ। ବିଦ୍ୟାଳୟ ଖୋଲେ। ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଉତ୍ସବ ପାଳନ ହୁଏ, ଯେମିତିକି ‘ଯୋଗଦିବସ’, ‘ଉତ୍କଳଦିବସ’ ପ୍ରଭୃତି। ତୁମେ ଏସବୁର ଏକ ତାଲିକା ପ୍ରସ୍ତୁତ କର। ୨. ବର୍ଷାଦିନ ଆସିଲେ ଚାରିଆଡ଼େ ଗଛ ଲଗାଯାଏ । ‘ବୃକ୍ଷରୋପଣ ସପ୍ତାହ’ ପାଳନ ହୁଏ । ତୁମ ବିଦ୍ୟାଳୟ ହତାରେ କି କି ଗଛ ଲଗାଯାଇଛି, ତା’ର ନାମ ଲେଖ । ତୁମେ ଏଥିରେ ସାମିଲ ହୁଅ । ୩. ବିଦ୍ୟାଳୟ ବ୍ୟତୀତ ତୁମ ଗାଁ ଓ ସହରରେ ଥିବା ଖାଲିଜାଗାରେ ଗଛ ଲଗାଯାଏ । ତୁମେ ତମ ବନ୍ଧୁମାନଙ୍କ ସହ ମିଶି ଏଥିରେ ସାମିଲ ହୁଅ । ୪. ବୃକ୍ଷରୋପଣ ଉପରେ ପୋଷ୍ଟର ଓ ସ୍ଲୋଗାନମାନ ସଂଗ୍ରହ କର । ପାରୁଛ ଯଦି ତୁମେ ଓ ତୁମ ବନ୍ଧୁମାନେ ଗୋଟିଏ ଗୋଟିଏ ସ୍ଲୋଗାନ ଲେଖ, ପୋଷ୍ଟର ତିଆରି କର । ପ୍ରଥମ ପୋଷ୍ଟରକୁ ଉପଯୁକ୍ତ ପୁରସ୍କାର ଦିଆଯିବ।
ଅନୁମାନ ଓ କଳ୍ପନା ୧. ଯଦି ଆମ ପୃଥିବୀ ଗଛଶୂନ୍ୟ ହୋଇଯିବ, କ’ଣ ହେବ ? ଅନୁମାନ କରି ଅତିକମ୍ରେ ଦଶଟି ବାକ୍ୟ ଲେଖ । ୨. ଯଦି ତୁମକୁ ଅନ୍ୟଗ୍ରହକୁ ଯିବାର ସୁଯୋଗ ମିଳିବ, ତେବେ ତୁମେ କେଉଁ ଗ୍ରହକୁ ଯିବାକୁ ଚାହିଁବ ? ତୁମ ପସନ୍ଦ କରିଥିବା ଗ୍ରହ ସମ୍ପର୍କରେ ଦଶଧାଡ଼ି ଲେଖ ।
ପାଠାଗାର ବୃକ୍ଷରୋପଣ ଏକ ମହତ କାମ । ପରିବେଶ ସନ୍ତୁଳନପାଇଁ ଏହା ଉପରେ ଗୁରୁତ୍ବ ଦିଆଯାଇଛି । ତୁମେ ପାଠାଗାରକୁ ଯାଇ ଗଛର ଉପକାରିତା ବିଷୟରେ ତଥ୍ୟ ସଂଗ୍ରହ କର । ଗଛର ଉପକାରିତାକୁ ନେଇ ବନ୍ଧୁମେଳରେ ଚର୍ଚ୍ଚା କର । ତର୍କପ୍ରତିଯୋଗିତା କର । ଶ୍ରେଣୀର ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ନିଅ ।
ଆସ ମନର ଭାବକୁ ଲେଖି ରଖିବା ଗଛ ଆମର ଉପକାରୀ । ଆମର ବନ୍ଧୁ । ଏଇ ଭାବନାକୁ ନେଇ ଅନୁଚ୍ଛେଦ, କବିତା ବା ଛୋଟ କାହାଣୀଟିଏ ଲେଖ ।
ତୁମ ପଢ଼ିବାପାଇଁ କୋଟିକରେ ଗୋଟିଏ
[ଛବି ବର୍ଣ୍ଣନା: ଏକ ଘର ବାହାରେ କିଛି ପିଲା ଓ ବୟସ୍କ ଲୋକ ଖୁସିରେ ଏକାଠି ହୋଇ ପରସ୍ପରକୁ ଥାଳିରୁ ମିଠା ଓ ଖାଦ୍ୟ ବାଣ୍ଟୁଛନ୍ତି ।]
ଆଜି ମମିତାର ଜନ୍ମଦିନ । ତା’ର ଏକ ଜିଦ୍ ଘରେ ଜନ୍ମଦିନ ପାଳିବନି । ଗାଁ ମୁଣ୍ଡ ଅନାଥାଶ୍ରମରେ ପାଳିବ । ବାପା ପଚାରିଲେ, “କାହିଁକିରେ ମାଆ ?” ମମିତା କହିଲା “ବାପା, ସେହି ଆଶ୍ରମରେ ନମିତା ମୋ ସହପାଠିନୀ ରହୁଛି। ସେ କହୁଥିଲା ଆଜି ତା’ର ବି ଜନ୍ମଦିନ । ତା’ ବାପାମାଆ ନାହାନ୍ତି । ତେଣୁ ସେ ଜନ୍ମଦିନ ପାଳି ପାରିବ ନାହିଁ । ମୋ ଜନ୍ମଦିନଟି ସେଠାରେ ପାଳିଲେ, ଦୁହିଁଙ୍କର ପାଳନ ହୋଇଯାଆନ୍ତା। ସେ ବି ଖୁସି ହୁଅନ୍ତା ।” ମମିତାର କଥା ବାପାଙ୍କ ମନକୁ ପାଇଲା।
ସନ୍ଧ୍ୟା ପୂର୍ବରୁ ମମିତା ପରିବାର ସହ ଅନାଥାଶ୍ରମରେ ପହଞ୍ଚିଗଲା । ସାଥ୍ରେ କ୍ଷୀରି, ପୁରି, ମିଠା, ପିଠା, ଫଳ ଓ ସବୁ ପିଲାଙ୍କ ପାଇଁ ନୂଆପୋଷାକ ନେଇଥିଲେ । ଆଶ୍ରମରେ ନମିତା, ମମିତାକୁ ଦେଖି ବହୁତ ଖୁସି ହେଲା । ସଭିଏଁ ଏକାଠି ମିଶି ଦୁହିଁଙ୍କ ଜନ୍ମଦିନ ପାଳିଲେ ଓ ନୂଆ ପୋଷାକ ପିନ୍ଧିଲେ। ପିଠାପଣା ବାଣ୍ଟିକୁଣ୍ଟି ଖାଇଲେ। ହେଲେ, କେକ୍ କାଟିଲେ ନାହିଁ କି ମହମବତୀ ଜାଳି ଫୁଙ୍କିଲେ ନାହିଁ । ମମିତା କହିଲା, ‘ଏହା ଆମ ସଂସ୍କୃତି କି ପରମ୍ପରା ନୁହେଁ ।’
[ଛବି ବର୍ଣ୍ଣନା: ବୃଦ୍ଧାଶ୍ରମର ବାରଣ୍ଡାରେ ବୃଦ୍ଧବୃଦ୍ଧାମାନେ ବସିଛନ୍ତି ଏବଂ ମମିତା ସେମାନଙ୍କ ଗୋଡ଼ ଛୁଇଁ ପ୍ରଣାମ କରୁଛି ।]
ଅନାଥାଶ୍ରମରୁ ମମିତା ସପରିବାର କିଛି ଦୂରରେ ଥିବା ବୃଦ୍ଧାଶ୍ରମରେ ପହଞ୍ଚିଲେ । ସେଠାରେ ମମିତା ସମସ୍ତ ବୃଦ୍ଧବୃଦ୍ଧାଙ୍କୁ ମୁଣ୍ଡିଆ ମାରି ପ୍ରଣାମ ଜଣାଇଲା । ସାଥ୍ରେ ଆଣିଥିବା ପିଠା, ପଣା ଓ ଫଳ ସମସ୍ତଙ୍କୁ ବାଣ୍ଟିଲା । ସମସ୍ତ ବୃଦ୍ଧ, ବୃଦ୍ଧା, ମମିତାର ଜନ୍ମ ଦିନ ଜାଣି ତାକୁ ଆଶୀର୍ବାଦ ଦେଇ କହିଲେ, ‘ମା’ ତୋ’ ଭବିଷ୍ୟତ ଉଜ୍ଜ୍ବଳ ହେଉ ।’
ଏତିକିବେଳେ ପାଖ ମନ୍ଦିରର ଘଣ୍ଟା ବାଜୁଥିବା ଶବ୍ଦ ଶୁଣାଗଲା । ସନ୍ଧ୍ୟା ଆଳତି ଚାଲୁଥାଏ । ମମିତା ବାପାମାଆଙ୍କ ସହିତ ମନ୍ଦିରଦ୍ଵାର ନିକଟରେ ପହଞ୍ଚିଗଲା । ସେଠାରେ ଦେଖିଲା, କିଛି ଦିବ୍ୟାଙ୍ଗ ବସିଛନ୍ତି ଓ ଗୋଟିଏ ବୃଷଭ ସେମାନଙ୍କ ନିକଟରେ ଛିଡ଼ା ହୋଇଛି । ସାଥୀରେ ଆଣିଥିବା ଫଳକୁ ମମିତା ମାଆଙ୍କ ନିକଟରୁ ନେଇ ଠାକୁରଙ୍କୁ ଦେବା ପରିବର୍ତ୍ତେ ବୃଷଭକୁ ଖୁଆଇଦେଲା । ମାଆ ଆଶ୍ଚର୍ଯ୍ୟହୋଇ ଚାହୁଁଥାନ୍ତି । ଏହା ଦେଖି ମମିତା କହିଲା, “ମା’, ଭଗବାନ ତ କାଠ, ପଥର ତିଆରି ମୂର୍ତ୍ତି । ହେଲେ ଏ ତ ଜୀବନ୍ତଠାକୁର ।” ବାପା ଝିଅର ଏକଥା ଶୁଣି ତା’ ମୁଣ୍ଡକୁ ଟିକିଏ ଆଉଁଶି ଦେଲେ । ମମିତା ତରତର ହୋଇ ବାପାଙ୍କୁ କହିଲା,
[ଛବି ବର୍ଣ୍ଣନା: ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଧଳା ବୃଷଭକୁ ମମିତା ଖାଇବାକୁ ଦେଉଛି ।]
“ବାପା, କିଛି ଟଙ୍କା ଦିଅ, ଏ ଦିବ୍ୟାଙ୍ଗ ମଉସାମାଉସୀମାନଙ୍କୁ ମୁଁ ଦାନ କରିବି ।” ବାପା, ଟଙ୍କା ଦେବାରୁ ମମିତା ସମସ୍ତଙ୍କ ମଧ୍ୟରେ ବାଣ୍ଟିଦେଲା। ଏତିକିବେଳେ ମମିତାର ନଜର ବିଦ୍ୟାଳୟର ଗୁରୁଜୀଙ୍କ ଉପରେ ପଡ଼ିଲା । ସେ ଦୂରରୁ ଥାଇ ମମିତାର କାମକୁ ଦେଖୁଥିଲେ । ପାଖକୁ ଆସି ମମିତାର ପ୍ରଶଂସା କଲେ । ଝିଅର ପ୍ରଶଂସା ଶୁଣି ମାଆ କହିପକାଇଲେ, “ସେ ଆଜି ତା’ ଜନ୍ମ ଦିନ ବୋଲି ଏପରି କରୁନାହିଁ । ପ୍ରତିଦିନ ସେ ସକାଳୁ ଆମଘର ଅଗଣାକୁ ଆସୁଥିବା ପକ୍ଷୀମାନଙ୍କୁ ଆହାର ଦେବା ସହିତ ବୁଲାକୁକୁର, ଗାଈମାନଙ୍କୁ ରୁଟି, ଗୁଡ଼, କଦଳୀ ଦିଏ । ଜୀବେ ଦୟା ତା’ର ମହତ ଗୁଣ ।” ଗୁରୁଜୀ ମା’ଙ୍କ କଥା ଶୁଣି ଖୁସିରେ କହିପକାଇଲେ, “ତେବେ ଏପରି ଝିଅ ତ କୋଟିକରେ ଗୋଟିଏ ।”
ସମସ୍ତେ ମମିତାକୁ ଜନ୍ମଦିନର ଅଜସ୍ର ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କଲେ ।
‘ସଭିଙ୍କ ମୁହଁରେ ଫୁଟିଲା ହସ,
ମମିତା ପାଳିଲା ଜନ୍ମ ଦିବସ ।’