ପାଠ-୨ : ନ୍ୟାୟର ସିଂହାସନ
[ଚିତ୍ର ବର୍ଣ୍ଣନା: ପିଲାମାନେ ଏକ ପଥର ଚଟାଣକୁ ସିଂହାସନ କରି ଖେଳୁଛନ୍ତି। ଜଣେ ବାଳକ ସିଂହାସନ ଉପରେ ରାଜା ବେଶରେ ବସିଛି ଏବଂ ଅନ୍ୟ ପିଲାମାନେ ପାରିଷଦ ଓ ପ୍ରଜା ଭାବେ ଛିଡ଼ା ହୋଇ ବିଚାର ମାଗୁଛନ୍ତି।]
ଅନେକ ବର୍ଷ ତଳର କଥା । ଉଜ୍ଜୟିନୀ ନାମରେ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା । ସେଠାରେ ଭୋଜରାଜ ନାମରେ ଜଣେ ରାଜା ରାଜତ୍ଵ କରୁଥିଲେ । ତାଙ୍କ ନଗରୀକୁ ଲାଗି ଧାରାପୁରୀ ବୋଲି ଗୋଟିଏ ଗ୍ରାମ ଥିଲା । ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା । ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି । ପଡ଼ିଆର ଗୋଟିଏ ପଟେ ଉଚ୍ଚ ଚିକ୍କଣ ପଥରଟିଏ ଥିଲା । ପିଲାମାନେ ମିଶି ସେଠାରେ ଗୋଟିଏ ମଞ୍ଚା ତିଆରି କଲେ । ମଞ୍ଚାଟି ସିଂହାସନ ଭଳି ଦେଖାଯାଉଥିଲା । ମଞ୍ଚା ତିଆରି ପରେ ପିଲାଟିଏ ସେଥିରେ ଥିବା ପଥର ଉପରେ ବସି ପଡ଼ିଲା । ସବୁ ସାଙ୍ଗଙ୍କୁ ଡାକି କହିଲା, “ଏ ସିଂହାସନ ଆଜିଠୁ ମୋର । ମୁଁ ରାଜା, ତୁମ୍ଭେମାନେ ମୋର ପାରିଷଦବର୍ଗ । ତୁମ୍ଭେମାନେ ଜଣଜଣ କରି ତୁମର ଅଭିଯୋଗ ମୋ ନିକଟକୁ ଆଣ । ମୁଁ ସେଗୁଡ଼ିକର ବିଚାର କରିବି ।”
ସଭିଏଁ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟରେ ଉପସ୍ଥାପନ କରନ୍ତି । ପିଲାଟି ମଞ୍ଚାର ସିଂହାସନରେ ବସି ସମସ୍ତଙ୍କ ଅଭିଯୋଗ ଶୁଣେ ଓ ତୁରନ୍ତ ସମସ୍ତଙ୍କୁ ଖୁସି କଲା ଭଳି ଫଇସଲା ଶୁଣାଏ । ପିଲାମାନେ ନିୟମିତ ଏଭଳି ଖେଳ ଖେଳନ୍ତି ଓ ବହୁତ ମଜା କରନ୍ତି । ପଡ଼ିଆ ଦେଇ ଯାଉଥିବା ବାଟୋଇମାନେ ମଧ୍ୟ ପିଲାଙ୍କ ଏହି ଖେଳକୁ ଉପଭୋଗ କରନ୍ତି ଓ ରାଜାଭାବେ ମଞ୍ଚାସୀନ ପିଲାଟିର ବିଚାର ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି । ବେଳେବେଳେ ନିଜନିଜ ମଧ୍ୟରେ କୁହାକୁହି ହୁଅନ୍ତି କି, ଏ ବାଳକ ଦେହରେ କିଛି ଦୈବୀଶକ୍ତି ରହିଛି । ଫଳରେ ସେ ଏଭଳି ସୁନ୍ଦର ଓ ଉପଯୁକ୍ତ ବିଚାର ପ୍ରଦାନ କରି ପାରୁଛି ।
[ଚିତ୍ର ବର୍ଣ୍ଣନା: ପଥର ସିଂହାସନରେ ବସିଥିବା ବାଳକ ସମ୍ମୁଖରେ ଦୁଇଜଣ କୃଷକ ହାତ ଯୋଡ଼ି ବିବାଦ ସମାଧାନ ପାଇଁ ଉପସ୍ଥିତ ହୋଇଛନ୍ତି।]
ଦିନକର କଥା । ଦୁଇଜଣ କୃଷକ ସେମାନଙ୍କ ମଧ୍ୟରେ ହୋଇଥିବା କଳିର ବିଚାରପାଇଁ ରାଜାଙ୍କ ନିକଟକୁ ନ ଯାଇ, ମଞ୍ଚରେ ବସୁଥିବା ପିଲା ନିକଟରେ ଉପସ୍ଥିତ ହେଲେ । ଦୁହେଁ ସେମାନଙ୍କ କଳି ବିଷୟରେ ପିଲାଟିକୁ କହିଲେ । ପିଲାଟି ଗମ୍ଭୀରତାର ସହ ସବୁ ଶୁଣିଲା, ଶେଷରେ ସେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା, ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ସେହି ଦିନଠାରୁ ଲୋକମାନେ ନିଜ ନିଜର ଆପତ୍ତି ଅଭିଯୋଗକୁ ନେଇ ଆଉ ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି । ପିଲାଟି ସଭିଙ୍କୁ ସନ୍ତୁଷ୍ଟ କଲାପରି ନ୍ୟାୟ ପ୍ରଦାନ କରେ । ଫଳରେ ପିଲାଟିର ଯଶ ସବୁଆଡ଼େ ବ୍ୟାପିବାକୁ ଲାଗିଲା ।
ରାଜାଙ୍କ ନିକଟରେ ପିଲାଟିର ଖ୍ୟାତି ପହଞ୍ଚିଗଲା । ପ୍ରଥମେ ସେ ବହୁତ ରାଗିଗଲେ । କିନ୍ତୁ ପରେ ସେ ମନସ୍ଥ କଲେ ଯେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାରଧାରାକୁ ଦେଖିବେ । ପରଦିନ ପାତ୍ରମନ୍ତ୍ରୀଙ୍କ ସହ ରାଜା ମଞ୍ଚାର କିଛି ଦୂରରେ ରହି ପିଲାମାନଙ୍କ ଖେଳକୁ ନିରୀକ୍ଷଣ କଲେ । ସେ ପିଲାଟିର ବୁଦ୍ଧିମତ୍ତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ । ମନ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, “ସତରେ ଏ ପିଲା ବଡ଼ ବୁଦ୍ଧିମାନ, ତା’ ବିଚାରଧାରାକୁ ମାନିବାକୁ ପଡ଼ିବ । ଏତେ ଛୋଟ ବୟସରେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା’ ନିକଟରେ ହାର ମାନିବେ ।” ଏହି ସମୟରେ ଜଣେ ପାରିଷଦ କହିଲେ, “ହଜୁର, ଏ ପିଲା ତ ନିଇତି ମଞ୍ଚରେ ବସୁଥିବା ପିଲା ନୁହେଁ, ପ୍ରତିଦିନ ମଞ୍ଚାରେ ବସୁଥିବା ପିଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା’ ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି ।” ରାଜା କହିଲେ, – “ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା ! ଯାହା ବି ହେଉ, ଏହି ମଞ୍ଚା-ସିଂହାସନର ନିଶ୍ଚୟ କିଛି ଚମତ୍କାରିତା ଅଛି । ମୁଁ ଏହାକୁ ପରୀକ୍ଷା କରିବି ।”
[ଚିତ୍ର ବର୍ଣ୍ଣନା: ମାଟି ତଳୁ ବାହାରିଥିବା ଏକ ସୁନ୍ଦର ସ୍ୱର୍ଣ୍ଣ ସିଂହାସନକୁ ରାଜା, ମନ୍ତ୍ରୀ, ପଣ୍ଡିତ ଓ ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି।]
ରାଜା ତତ୍କ୍ଷଣାତ୍ ସେହି ମଞ୍ଚାତଳକୁ ଖୋଳିବାକୁ ଆଦେଶ ଦେଲେ । ଖୋଳୁଖୋଳୁ ମଞ୍ଚାତଳୁ ଏକ ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ ତିଆରି ରତ୍ନଖଚିତ ବତିଶଟି ପୁତ୍ତଳିକାଯୁକ୍ତ ସିଂହାସନ ଦେଖିବାକୁ ପାଇଲେ । ସିଂହାସନର ଚାରୋଟି ଗୋଡ଼ରେ ଚାରିଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦେଇ ହୋଇ ସିଂହାସନର ଶୋଭା ବର୍ଦ୍ଧନ କରୁଥିଲା ।
ମାଟିତଳୁ ସିଂହାସନ ମିଳିବା କଥା ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା । ହଜାରହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ । ଜଣେ ବିଦ୍ଵାନ୍ ପଣ୍ଡିତ ସିଂହାସନ ଦେଖି କହିଲେ, “ଏହା ସାଧାରଣ ସିଂହାସନ ନୁହେଁ । ଏହା ବହୁବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ । ଏହା ଉପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି ସତ୍ୟ, ଧର୍ମ, ନ୍ୟାୟର ବିଚାର ପ୍ରଦାନ କରୁଥିଲେ । ସୁତରାଂ ଏହା ଏକ ନ୍ୟାୟର ସିଂହାସନ ।”
ରାଜା ଏହା ଶୁଣି ଆଦେଶ ଦେଲେ, “ତୁରନ୍ତ ଏ ସିଂହାସନକୁ ରାଜ ଦରବାରକୁ ପ୍ରେରଣ କରାଯାଉ । ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କ ଆପତ୍ତି ଅଭିଯୋଗର ଫଇସଲା କରିବି ।”
ତା’ପରଦିନ ରାଜା ଉତ୍କଣ୍ଠାର ସହ ସିଂହାସନରେ ବସିବାକୁ ଉଦ୍ୟତ ହେଉଥିବାବେଳେ ହଠାତ୍ କାହାର ଏକ ଶବ୍ଦ ଶୁଣାଗଲା, “ରହିଯାଆନ୍ତୁ ରାଜା !” ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି । ସେ ପୁନର୍ବାର ସିଂହାସନରେ ବସିବାକୁ ଆଗେଇ ଯାଆନ୍ତେ, ପୁଣି ସେହିପରି ଶବ୍ଦ, “ରହିଯାଆନ୍ତୁ ରାଜା !” ବୋଲି ଶୁଭିଲା । ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ ସିଂହାସନ ଗୋଡ଼ରେ ଖୋଦିତ ଗୋଟିଏ ପୁତ୍ତଳିକା ତାଙ୍କୁ ଏ କଥା କହୁଛି । ପୁତ୍ତଳିକା ପୁଣି କହିଲା, “ରାଜା ! ଆପଣ କ’ଣ ଏ ସିଂହାସନରେ ବସିବାକୁ ଯୋଗ୍ୟ ? ଆପଣ କ’ଣ ଦୃଢ଼ତାର ସହିତ କହିପାରିବେ କି,
[ଚିତ୍ର ବର୍ଣ୍ଣନା: ରାଜା ସିଂହାସନ ନିକଟରେ ଛିଡ଼ା ହୋଇ ସିଂହାସନର ଗୋଡ଼ରେ ଖୋଦିତ ପୁତ୍ତଳିକା ସହିତ କଥାବାର୍ତ୍ତା କରୁଛନ୍ତି।]
ଜୀବନରେ କେବେ ଚୋରି କରି ନାହାନ୍ତି ?” ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କର ମନେ ପଡ଼ିଲା ସେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦଙ୍କ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ । ପୁତ୍ତଳିକା ପୁଣି କହିଲା, “ଆପଣଙ୍କୁ ଏ ଚୋରି ଅପରାଧରୁ ମୁକୁଳିବାପାଇଁ ତିନିଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ।” ଏହା କହି ପୁତ୍ତଳିକାଟି ଡେଣା ହଲାଇ ସେଠାରୁ ଉଡ଼ିଗଲା ।
ରାଜା ପୁତ୍ତଳିକାର କଥାନୁସାରେ ତିନିଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରି ଚତୁର୍ଥଦିନ ସିଂହାସନରେ ବସିବାକୁ ଗଲେ । ହେଲେ ଏ କ’ଣ ! ପୁଣି ଦ୍ଵିତୀୟ ପୁତ୍ତଳିକା କହିବାକୁ ଲାଗିଲା, “ରହିଯାଆନ୍ତୁ ରାଜା ! ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହି ନାହାନ୍ତି ବୋଲି ?” ରାଜା କହିଲେ, “ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ପଡ଼ିଥିବାବେଳେ ମିଛ କହିଦେଇଥାଏ ।” ଦ୍ଵିତୀୟ ପୁତ୍ତଳିକା ରାଜାଙ୍କ କଥା ଶୁଣି ଡେଣା ହଲାଇ ଆକାଶକୁ ଉଡ଼ିଗଲା ।
ରାଜା ପୁଣି ତିନିଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରିବାପରେ ସିଂହାସନରେ ବସିବାକୁ ଗଲାବେଳେ ତୃତୀୟ ପୁତ୍ତଳିକା ରାଜାଙ୍କୁ ପୁଣି ଅଟକାଇ କହିଲା,– “ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ “ଆପଣ କାହାକୁ କେବେ କ’ଣ ଜୀବନରେ ଆଘାତ ପହଞ୍ଚାଇ ନାହାନ୍ତି ?” ରାଜା ଏହା ଶୁଣି ପଛକୁ ଘୁଞ୍ଚିଗଲେ । ତୃତୀୟ ପୁତ୍ତଳିକା ମଧ୍ୟ ଅନ୍ୟମାନଙ୍କ ପରି ଡେଣା ହଲାଇ ଉପରକୁ ଉଡ଼ିଗଲା ।
[ଚିତ୍ର ବର୍ଣ୍ଣନା: ପୁତ୍ତଳିକାଟି ସିଂହାସନକୁ ଧରି ଡେଣା ମେଲି ଆକାଶକୁ ଉଡ଼ିଯାଉଛି ଏବଂ ରାଜା ତଳେ ହାତ ଯୋଡ଼ି ନିରାଶ ହୋଇ ଚାହିଁ ରହିଛନ୍ତି।]
ରାଜା ପୂର୍ବପରି ତିନିଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କଲେ । ପୂଜା ଶେଷରେ ସେ ସିଂହାସନରେ ବସିବାକୁ ଉଦ୍ୟମ କଲାବେଳେ ଚତୁର୍ଥ ପୁତ୍ତଳିକା ବାହାରି ପଡ଼ି କହିଲା, “ରହିଯାଆନ୍ତୁ ରାଜା ! ଯେଉଁ ପିଲା ଏ ସିଂହାସନରେ ବସୁଥିଲା, ସେ ଅତ୍ୟନ୍ତ ସରଳ, ନିଷ୍ପାପ ଥିଲା । ତା’ ମନ କଳୁଷିତ ନ ଥିଲା । ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏ ସିଂହାସନରେ ବସିପାର ।”
ରାଜା ବହୁତ ସମୟ ଧରି ଭାବିବାକୁ ଲାଗିଲେ । ନିଜକୁ ନିଜେ କହିଲେ, “ଯଦି ଗୋଟିଏ ସାମାନ୍ୟ ପିଲା, ଏ ସିଂହାସନରେ ବସି ପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ । ପୁଣି ମୁଁ ଧନବାନ୍, ବଳବାନ୍ ଓ ବୁଦ୍ଧିମାନ । ଏଣୁ ମୁଁ ଏ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ ।” ଏହା ଭାବି ସିଂହାସନରେ ବସିବାକୁ ଅଗ୍ରସର ହେବାମାତ୍ରେ ଚତୁର୍ଥ ପୁତ୍ତଳିକା ସିଂହାସନ ସହିତ ଆକାଶମାର୍ଗକୁ ଡେଣା ହଲାଇ ଉଡ଼ିଗଲା । ରାଜାଙ୍କ ନ୍ୟାୟର ସିଂହାସନରେ ବସିବା ନୋହିଲା ।
ଆସ କଥା ହେବା
୧. ତୁମର ପ୍ରିୟ ଖେଳ କ’ଣ ? ତୁମେ ସେହି ଖେଳକୁ କିପରି ଖେଳ ? ୨. ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି ? ତୁମର ଅନୁଭୂତି ବର୍ଣ୍ଣନା କର । ୩. ଯଦି ତୁମକୁ କେବେ ରାଜା କରି ଦିଆଯିବ, ତୁମେ କ’ଣ ସବୁ କରିବ ? ୪. ପିଲାଟିର କେଉଁସବୁ ଗୁଣ ରହିଥିଲା, ଯେଉଁ କାରଣପାଇଁ ସେ ସିଂହାସନରେ ବସି ପାରୁଥିଲା ?
ପାଠରୁ
ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ (✓) ଚିହ୍ନ ଦେବା । (ଏକାଧିକ ଜାଗାରେ ମଧ୍ୟ ✓ ଚିହ୍ନ ରହିପାରେ)
୧. (କ) ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ ?
-
(i) ପିଲାଙ୍କ ଦୁଷ୍ଟାମିରୁ
-
(ii) ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ
-
(iii) ପିଲାମାନେ ପିଲାଟି ବିରୋଧରେ କହିବାରୁ
-
(iv) ମନ୍ତ୍ରୀମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରିବାରୁ
(ଖ) କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା ?
-
(i) ପିଲାମାନେ ଖେଳ ଖେଳରେ ନ୍ୟାୟ କରୁଥିଲେ ।
-
(ii) ଲୋକମାନେ ରାଜାଙ୍କ ଦରବାରକୁ ଯାଉ ନଥିବାରୁ
-
(iii) ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ
-
(iv) ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ
(ଗ) ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା ? ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ ?
-
(i) କାରଣ ସେମାନେ ରାଜାଭଳି ହେବାର ମଜା ପାଉଥିଲେ ।
-
(ii) କାରଣ ଏହା ଅନ୍ୟ ଖେଳଠାରୁ ଅଧିକ ମନୋରଞ୍ଜନ ଦେଉଥିଲା ।
-
(iii) କାରଣ ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା ।
-
(iv) କାରଣ ଏହି ଖେଳଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧି ଅର୍ଜନ କରି ପାରିଥିଲେ ।
(ଘ) ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ୍ତ କଲେ ?
-
(i) ସିଂହାସନରେ ସେ ବସିବାପାଇଁ ଯୋଗ୍ୟ ହୋଇ ପାରିବେ ।
-
(ii) କାରଣ ତାଙ୍କ କର୍ମପାଇଁ ପଶ୍ଚାତାପ ହୋଇଥିଲା ।
-
(iii) ମୂର୍ତ୍ତିମାନେ ତାଙ୍କୁ ଏପରି କରିବାକୁ କହିଲେ ।
-
(iv) ଲୋକମାନେ ତାଙ୍କୁ ଏପରି କରିବାକୁ କହିଲେ ।
ଭାବ ଓ ଲେଖ
ନିମ୍ନ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ । ୧. ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ’ଣ ? ୨. ପ୍ରାୟଶ୍ଚିତ୍ତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକ ଥିଲା କି ? ଯଦି ହଁ / ନାହିଁ ତା’ର କାରଣ ଲେଖ । ୩. ଦୁଇ କୃଷକ ନିଜ କଳିର ସମାଧାନ କରିବାପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ ? ୪. ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା ? ୫. ଏହି କାହାଣୀର ଆଉ ଏକ ନାଁ ଦିଅ । ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ, ତା’ର କାରଣ ଲେଖ ।
ଅନୁମାନ ଓ କଳ୍ପନା କରିବା
୧. କାହାଣୀର ପୁତ୍ତଳିକାଗୁଡ଼ିକ ଉଡ଼ି ଯାଇଛନ୍ତି । ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ’ଣ କରୁଥିବେ ? ୨. ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାରେ ସଫଳ ହୋଇଥା’ନ୍ତେ, ତେବେ କ’ଣ ହୋଇଥା’ନ୍ତା ?
ଭାଷାର କଥା
୧. ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଧ୍ୟାନ ଦେଇ ପଢ଼ ।
ତେବେ ତ ବଡ଼ ଆଶ୍ଚର୍ଯ୍ୟ କଥା ଯାହା ବି ହେଉ ଏହି ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି ମୁଁ ଏହାର ଯାଞ୍ଚ କରିବି
ଉପର ଲିଖିତ ବାକ୍ୟ ପଢ଼ିବା ସମୟରେ କିଛି ଅସୁବିଧା ହୋଇଥିବ । ଏବେ ଆଉ ଥରେ ସେହି ବାକ୍ୟକୁ ପଢ଼ ।
“ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା ! ଯାହା ବି ହେଉ, ଏହି ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି । ମୁଁ ଏହାର ଯାଞ୍ଚ କରିବି ।”
ଏବେ ଉପରୋକ୍ତ ବାକ୍ୟ ପଢ଼ିବା ପରେ ପୂର୍ବଥର ପରି କୌଣସି ଅସୁବିଧା ହୋଇ ନ ଥିବ । ବାକ୍ୟଗୁଡ଼ିକର ଭାବ ଓ ଅର୍ଥ ମଧ୍ୟ ବୁଝି ପାରିଥିବ । ଏହାର କାରଣ ହେଲା, ବାକ୍ୟରେ କିଛି ବିଶେଷ ଚିହ୍ନ ଯେପରି (“ ”, ! ।) ପ୍ରୟୋଗ କରାଯାଇଛି । ଏହି ପ୍ରକାର ଚିହ୍ନକୁ ବିରାମଚିହ୍ନ କୁହାଯାଏ ।
ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ବିରାମଚିହ୍ନ ବସାଇ ଆଉ ଥରେ ଲେଖ । (କ) ରହିଯା’ନ୍ତୁ ରାଜା ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା ତା’ ମନ କଳୁଷିତ ନ ଥିଲା ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ ତେବେ ଏହି ସିଂହାସନରେ ବସିପାର (ଖ) ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି ତେବେ ମୁଁ ରାଜା ହୋଇ ପୁଣି ଧନବାନ୍ ବଳବାନ୍ ଓ ବୁଦ୍ଧିମାନ ଭାବେ ଏ ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ
୨. ‘ତୃତୀୟ ପୁତ୍ତଳିକା ମଧ୍ୟ ଉଡ଼ିଗଲା ।’ ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖ । (କ) ଏହି ବାକ୍ୟରେ ବିଶେଷ୍ୟ ପଦ କେଉଁଟି ? ଉ : ................................... (ଖ) ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ ଭାବେ ବ୍ୟବହୃତ ହୋଇଛି ? ଉ : ...................................
[ଚିତ୍ର ବର୍ଣ୍ଣନା: ଏକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ସୁବର୍ଣ୍ଣ ରାଜସିଂହାସନର ଚିତ୍ର।]
୩. ନିମ୍ନ ବାକ୍ୟଗୁଡ଼ିକରୁ ବିଶେଷଣପଦଗୁଡ଼ିକୁ ଚିହ୍ନଟ କରି ତା’ ତଳେ ଗାର ଦିଅ ।
ଯେପରି – ଗୋଟିଏ ଦିନ ଦଳେ ପିଲା ପଡ଼ିଆରେ ଖେଳୁଥିଲେ । ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର । ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି । ଦିନ ଓ ପିଲା ଶବ୍ଦ ଦ୍ଵୟ ବିଶେଷ୍ୟ ପଦ । ଗୋଟିଏ ଓ ଦଳେ ଶବ୍ଦ ଦୁଇଟି ହେଉଛି ବିଶେଷଣ ପଦ । ଏହା ବିଶେଷ୍ୟ ପଦର ପରିମାଣକୁ ସୂଚାଉଛି ।
(କ) ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା । (ଖ) ଏତେ ଛୋଟ ବୟସରୁ ଏମିତି ବୁଦ୍ଧି ରହିବା ଆଶ୍ଚର୍ଯ୍ୟ କଥା । (ଗ) ରାଜା ଦେଖିଲେ ଯେ ଏହା ପଥର ନୁହେଁ, ବହୁତ ସୁନ୍ଦର ସିଂହାସନ ଅଟେ । (ଘ) ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ ।
୪. ତୁମ ନିକଟରେ ଏମିତି କେଉଁ ବିଶେଷ ଗୁଣ ଦରକାର, ଯାହାଦ୍ୱାରା ତୁମେ କାହାଣୀରେ ଥିବା ସିଂହାସନ ଉପରେ ବସି ପାରିବ ? ଲେଖ ।
ପାଠରୁ ଆଗକୁ
(୧) କାହାଣୀରେ ଗାଁ ଲୋକମାନେ ସେମାନଙ୍କ କଳିର ସମାଧାନ କରିବାକୁ ଯେପରି ପିଲାଟି ନିକଟକୁ ଯାଇଥିଲେ, ତୁମେ ସେହିପରି ନିଜ ସମସ୍ୟା ସମାଧାନ ନିମନ୍ତେ କାହା ନିକଟକୁ ଯାଅ ? ସେମାନଙ୍କ ନିକଟକୁ କାହିଁକି ଯାଅ ? ନିଜ ଖାତାରେ ଲେଖ । (୨) ତୁମ ପ୍ରତି କିଏ କେବେ ଅନ୍ୟାୟ କରିଥିବାର ଅନୁଭବ ହୋଇଛି କି ? ତୁମେ ଏଭଳି ପରିସ୍ଥିତିର ସାମନା କିପରି କଲ ? ନିଜ ଖାତାରେ ଲେଖ ।
ପାଠାଗାରର ବ୍ୟବହାର
ତୁମେ ପଢ଼ିଥିବା ‘ନ୍ୟାୟର ସିଂହାସନ’ ଗଳ୍ପଟି ବହୁବର୍ଷ ପୁରୁଣା ‘ବତ୍ରିଶ ସିଂହାସନ’ରୁ ଆସିଛି । ଏହି ପୁସ୍ତକରେ ରାଜା ବିକ୍ରମାଦିତ୍ୟଙ୍କ ଉପରେ ଆଧାରିତ ବତିଶଟି ସୁନ୍ଦର କାହାଣୀ ରହିଛି । କାହାଣୀଗୁଡ଼ିକ ଅତ୍ୟନ୍ତ ରୁଚିକର, ମନଲୋଭା ଓ ଆକର୍ଷଣୀୟ ।
ତୁମେ ତୁମ ବିଦ୍ୟାଳୟର ପାଠାଗାରରୁ ‘ପଞ୍ଚତନ୍ତ୍ର’, ‘ହିତୋପଦେଶ’ ଓ ‘ଜାତକ କାହାଣୀମାଳା’ ଭଳି ପୁସ୍ତକ ଖୋଜି ପଢ଼ ଓ ଗଳ୍ପରୁ ଯାହା ଶିଖିଲ ଖାତାରେ ଲେଖ । ସାଙ୍ଗମାନଙ୍କ ସହିତ ମଧ୍ୟ ଆଲୋଚନା କର ।
ଆସ ପଚାରି ଲେଖିବା
ସିଂହାସନ ଏକ ସ୍ଵତନ୍ତ୍ର ଆସ୍ଥାନ । ଏଥିରେ ରାଜା, ମହାରାଜାମାନେ ଉପବେଶନ କରନ୍ତି । ଅନେକ କାରୁକାର୍ଯ୍ୟ ସହିତ ବିଶେଷ ମୂଲ୍ୟବାନ୍ ପଦାର୍ଥ ବ୍ୟବହାର କରି ସିଂହାସନ ତିଆରି କରାଯାଏ । ଠିକ୍ ସେହିଭଳି ଆହୁରି ଆମ ଦୈନନ୍ଦିନ ଜୀବନରେ ବସିବାପାଇଁ ଅନେକ ବସ୍ତୁ ରହିଛି, ସେଗୁଡ଼ିକୁ ଖୋଜିବା, ସେଗୁଡ଼ିକର ବର୍ଣ୍ଣନା କରିବା ଓ ସେଗୁଡ଼ିକର ନାମ ଲେଖିବା ।
| ବସ୍ତୁ | ବର୍ଣ୍ଣନା | ଆମ ଅଞ୍ଚଳରେ ଏହାର ନାମ |
|---|---|---|
| ସପ [ଚିତ୍ର: ଗୁଡ଼ା ହୋଇଥିବା ସପ] | ଏହା ଘାସ, ବାଉଁଶ କିମ୍ବା ପ୍ଲାଷ୍ଟିକ୍ରେ ତିଆରି । ଏହାକୁ ଭୂମି ଉପରେ ପକାଇ ବସିବାକୁ ହୁଏ । | ................................... |
| ଦରି [ଚିତ୍ର: ଭଙ୍ଗା ହୋଇ ରଖାଯାଇଥିବା ଦରି] | ଏହା ମୋଟା କପଡ଼ା ବା ସୂତାରେ ତିଆରି । ଏହା ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବମାନଙ୍କରେ ବ୍ୟବହୃତ ହୁଏ । | ................................... |
| ମାଞ୍ଚୁଆ [ଚିତ୍ର: ବେତ/ବାଉଁଶର ମୋଡ଼ା] | ................................... | ................................... |
| ଖଟିଆ [ଚିତ୍ର: ଦଉଡ଼ିରେ ବୁଣା ଖଟିଆ] | ................................... | ................................... |
| ପିଢ଼ା [ଚିତ୍ର: କାଠର ପିଢ଼ା] | ................................... | ................................... |
| ପଟି [ଚିତ୍ର: ଘାସ/ପାଳ ନିର୍ମିତ ପଟି] | ................................... | ................................... |
ବୁଝିଲେ ଜାଣିବ
[ଚିତ୍ର ବର୍ଣ୍ଣନା: ଜଣେ ଖୁସି ହୋଇ ହସୁଥିବା ବାଳକର ଚିତ୍ର।]
ଆମ ଓଡ଼ିଆ ଭାଷାରେ ଅନେକ ପହେଳି ରହିଛି । ସେଗୁଡ଼ିକୁ ପଢ଼ି ବୁଝିଲେ ଆମକୁ ବହୁତ ଆନନ୍ଦ ମିଳେ । ଆସ ସେହିଭଳି ‘ପହେଳି’ ପଢ଼ିବା, ବୁଝିବା ଓ ସେଗୁଡ଼ିକ ସମ୍ପର୍କରେ କହିବା ।
(୧)
ସଫା ଥିବାବେଳେ ଦେହ ମୋ କଳା,
ମଇଳା ହୋଇଲେ ଦିଶଇ ଧଳା ।
ଶ୍ରେଣୀ ଭିତରେ ମୁଁ ରହେ,
କହିଲ ଦେଖି ମୁଁ କିଏ ?
(୨)
ଖରା ବରଷାର ମୁଁ ଅଟେ ସାଥୀ,
ଧରିଥା’ନ୍ତି ମୋତେ ଅଜାଠୁ ନାତି ।
ଭଳି ଭଳି ରଙ୍ଗେ ଭାରି ସୁନ୍ଦର
କହିକି ପାରିବ ନାମଟି ମୋର ?
(୩)
ଗରମ ପାଇଲେ ଆକାଶେ ଉଡ଼େ,
ଶୀତଳ ପାଇଲେ ତଳକୁ ପଡ଼େ ।
ଦେଖି ଦେଲେ ମୋତେ ନାଚେ ମୟୂର,
କହି ପାରିବ କି ନାମଟି ମୋର ?
(୪)
ମେଳା ମଉତ୍ସବେ ଆଦର ମୋର,
ଛୋଟ ପିଲାଙ୍କ ମୁଁ ଅତି ନିଜର,
ପବନ ଖାଏ, ପବନ ପିଏ,
କହିଲ ଦେଖି ମୁଁ କିଏ ?
(୫)
ଏମିତି ବାଘ ମୁଁ ଛାଡ଼େନି ଘର,
ଖାଏନି ମଣିଷ ପିଏ ମୁଁ କ୍ଷୀର ।
ତୁମ ଚୁଲି ମୁଣ୍ଡେ ଶୁଏ,
କହିଲ ଦେଖି ମୁଁ କିଏ ?
(ଉତ୍ତର : (୧) ବ୍ଲାକ୍ବୋର୍ଡ଼ (୨) ଛତା (୩) ମେଘ (୪) ବେଲୁନ୍ (୫) ବିଲେଇ)
ମୋର ନ୍ୟାୟ
-
ନିଜ ଶ୍ରେଣୀର ଯେ କୌଣସି ଦୁଇଟି ସମସ୍ୟାକୁ ଚିହ୍ନଟ କର, ଯାହା ଉପରେ ନ୍ୟାୟ ବିଚାର କରାଯିବ ।
-
ଶ୍ରେଣୀର ସମସ୍ତ ପିଲାଙ୍କୁ ଦୁଇଦଳରେ ବିଭକ୍ତ କରାଯିବ ।
-
ପ୍ରତ୍ୟେକ ଦଳକୁ ଗୋଟିଏ ସମସ୍ୟା ଦିଆଯିବ ଓ ସେହି ଦଳ ସମସ୍ୟାକୁ ନେଇ ତାହାର ସମାଧାନ ନାଟକ ମାଧ୍ୟମରେ ପରିବେଷଣ କରିବେ ।
-
ଅନ୍ୟ ଦଳ ନିଜ ମତାମତ ନିମ୍ନ ସାରଣୀ ଅନୁସାରେ ପ୍ରଦାନ କରିବେ ।
| କ୍ର.ନଂ. | ମତାମତ | ଅଙ୍କ (ଦୃଶ୍ୟ) ୧ | ୨ | ୩ | ୪ | ୫ |
|---|---|---|---|---|---|---|
| (କ) | ପ୍ରସ୍ତୁତିକରଣ | |||||
| (ଖ) | ଚରିତ୍ର | |||||
| (ଗ) | ସମସ୍ୟାର ସମାଧାନ | |||||
| (ଘ) | ଚରିତ୍ରଙ୍କ ଆତ୍ମବିଶ୍ଵାସ |
ଶିକ୍ଷକଙ୍କ ପାଇଁ ସୂଚନା : ଶିକ୍ଷକ ପିଲାମାନଙ୍କୁ ଦୁଇଦଳରେ ବିଭକ୍ତ କରିବା ସହିତ ଦୁଇଟି ସମସ୍ୟା ବାଛିବାରେ ସହଯୋଗ କରିବେ । ନାଟକ ମଞ୍ଚସ୍ଥପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରିବେ । ପ୍ରତ୍ୟେକ ପିଲା ଯେମିତି ଏହି କାର୍ଯ୍ୟରେ ନିୟୋଜିତ ହେବେ ଓ ସକ୍ରିୟ ଅଂଶଗ୍ରହଣ କରିବେ, ସେଥିପ୍ରତି ଧ୍ୟାନ ଦେବେ ।
ତୁମ ପଢ଼ିବାପାଇଁ
ମୂଲିଆ ପୁଅ ରାଜା ହେଲା
[ଚିତ୍ର ବର୍ଣ୍ଣନା: ଗଛ ତଳେ ବସି ଗାଈ ଚରାଉଥିବା ପିଲାମାନେ ଏବଂ ଜଣେ ବାଳକ ହାତରେ ଛତା ଓ ବାଡ଼ି ଧରି ଛିଡ଼ା ହୋଇଛି।]
ଓଡ଼ିଶା ମୁଲକର ଛୋଟ ଗାଁଟିଏ । ଜଣେ ମୂଲିଆ ତା’ ସ୍ତ୍ରୀ ସହ ସେହି ଗାଁରେ ରହେ । ନିଜର ସନ୍ତାନ ନ ଥିବାରୁ ନିଇତି ସେ ପ୍ରଭୁଙ୍କୁ ଡାକେ । ପ୍ରଭୁ ତାଙ୍କ ଡାକ ଶୁଣିଲେ । କିଛିଦିନ ପରେ ଗୋରା ତକତକ, ଡଉଲଡାଉଲ ପୁଅଟିଏ ତାଙ୍କର ହେଲା । ଶ୍ରଦ୍ଧାରେ ସେମାନେ ତା’ ନାଁ ରଖିଲେ କପିଳା । ପିଲାଟି ଦିନକୁ ଦିନ ଚନ୍ଦ୍ରକଳା ଭଳି ବଢ଼ିବାକୁ ଲାଗିଲା । ବଡ଼ହେବାରୁ ପିତାମାତା ଜଣେ ଜମିଦାରଙ୍କ ଘରେ ଗାଈ ଜଗିବା କାମ କରିବାକୁ ଛାଡ଼ିଦେଲେ । କପିଳା ଗାଈ ଜଗିବା ସହିତ ବାଡ଼ିଖେଳରେ ବହୁତ ନିପୁଣ ହେଲା । ଲୋକେ ତା’ ବାଡ଼ିଖେଳ ଦେଖି ବାଃ, ବାଃ କଲେ । କହିଲେ, “ଏ ତ ବାଡ଼ି ଛାଡ଼ି ଖଣ୍ଡା ଧରିଲେ, ଜଗତକୁ ଜିଣିବ ।” ଏକଥା ଶୁଣି ମା’ର ଛାତି କୁଣ୍ଡେମୋଟ ହୋଇ ଯାଏ । ଚକାଡୋଳାଙ୍କ ନୀଳଚକ୍ରକୁ ଚାହିଁ ହାତଯୋଡ଼ି କୃତଜ୍ଞତା ଜଣାଏ ।
କପିଳା ଗାଈ ଜଗିବା ସମୟରେ ସେହି ଗାଁର କାଶିଆ ବୋଲି ଗୋଟିଏ ପିଲା ସହିତ ଭେଟ ହୁଏ । ଦୁହେଁ ସଙ୍ଗାତ ବସିଲେ । ଏହାପରଠାରୁ ଦୁହେଁ ଏକାଠି ଖେଳନ୍ତି, ବୁଲନ୍ତି ଓ ମଉଜ କରନ୍ତି । ପିଜୁଳିଟିଏ ମିଳିଲେ, ଦୁହେଁ ଏହାକୁ ସମାନ ଦୁଇଭାଗ କରି ଖାଆନ୍ତି ।
ଦିନକର କଥା । ଦୁହେଁ ଜଙ୍ଗଲକୁ ଗାଈ ଜଗିବାକୁ ଯାଇଥିଲେ । ବୈଶାଖମାସ ଉଦୁଉଦିଆ ଦ୍ଵିପ୍ରହର । କପିଳା ଖାଇସାରି ପାଖରେ ଥିବା ଆମ୍ବଗଛ ତଳେ ବିଶ୍ରାମ ନେଉନେଉ ଶୋଇପଡ଼ିଲା । ଆମ୍ବଗଛ ପାଖରେ ଗାତଟିଏ ଥିଲା ।
[ଚିତ୍ର ବର୍ଣ୍ଣନା: ଆମ୍ବ ଗଛ ତଳେ କପିଳା ଶୋଇଛି ଏବଂ ଏକ ବିରାଟ ନାଗସାପ ତା’ ମୁଣ୍ଡ ଉପରେ ଫଣା ଟେକି ଛତା ଭଳି ଛାଇ କରି ରହିଛି; ଦୂରରୁ କାଶିଆ ଆସୁଥିବାର ଦେଖାଯାଉଛି।]
ସେଥିରୁ ଗୋଟିଏ ବିରାଟ ନାଗସାପ ବାହାରିଆସି କପିଳାର ମୁଣ୍ଡ ଉପରେ ଛତାଭଳି ଫଣା କରି ଜଗିରହିଲା । ସେତିକିବେଳକୁ କାଶିଆ କପିଳା ପାଖକୁ ଆସୁଥିଲା । ନାଗସାପ ନିଜ ସଙ୍ଗାତ ମୁଣ୍ଡ ଉପରେ ଫଣାଟେକି ଛତାଭଳି ରହିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ସେ ଜୋର୍ରେ ପାଟିକରି ତାଳି ମାରିଲା, ନାଗସାପଟି ଧୀରେଧୀରେ ଯାଇ ଗାତ ଭିତରକୁ ପଶିଗଲା । କପିଳା କିନ୍ତୁ ଉଠି ବସିଲା ।
ସଙ୍ଗାତ କାଶିଆ, କପିଳାକୁ ନାଗ ସାପ କିପରି ତା’ ମୁଣ୍ଡ ଉପରେ ଫଣାଟେକି ରହିଥିଲା, ତାହା କହିଲା । ସେ ପୁଣି କହିଲା, “ମୋ ଜେଜେବାପା କହନ୍ତି, ଯାହା ଉପରେ ସାପ ଏପରି କରିବ, ସେ ନିଶ୍ଚୟ ରାଜା ହେବ ।” କପିଳା ସଙ୍ଗାତ କଥା ଶୁଣି ହସିଲା । କହିଲା, “ମୁଁ ଯଦି ରାଜା ହେବି, ତୁମକୁ ମୋ ମନ୍ତ୍ରୀ କରିବି ।”
ଏମିତି କିଛିଦିନ ବିତିଗଲା ।
ଜ୍ୟେଷ୍ଠମାସ ଯାଇ ଆଷାଢ଼ମାସ ହେଲା । ଦୁଇ ପରିବାର ରଥଯାତ୍ରା ଦେଖିବାକୁ ପୁରୀରେ ପହଞ୍ଚିଲେ । ଲକ୍ଷଲକ୍ଷ ଲୋକ ଘଣ୍ଟ, ଶଙ୍ଖ, ମହୁରୀ, ତୂରୀ ଓ ମୃଦଙ୍ଗରେ ବଡ଼ଦାଣ୍ଡ କମ୍ପୁଥିଲା । ହଠାତ୍ କେଉଁଆଡ଼ୁ ଲୋକଙ୍କ ଲହର ତାଙ୍କ ପରିବାର ଆଡ଼କୁ ମାଡ଼ି ଆସିଲା । କପିଳା ଦୁଇ ପରିବାରଠାରୁ ଅଲଗା ହୋଇଗଲା । ଯେତେ ଖୋଜିଲେ ମଧ୍ୟ କପିଳା ଆଉ ମିଳିଲା ନାହିଁ । ମନଦୁଃଖରେ ସେମାନେ ଘରକୁ ଫେରିଲେ ।
ଉତ୍କଳର ରାଜା ସେତେବେଳକୁ ଅପୁତ୍ରକ ଥିଲେ । ପୁଅଟିଏ ପାଇବାପାଇଁ ଦିନରାତି ପ୍ରଭୁଙ୍କୁ ଡାକୁଥିଲେ । ଦିନେ ରାତିରେ ରାଜାଙ୍କୁ ସ୍ୱପ୍ନରେ ଦେଖାଦେଇ ମହାପ୍ରଭୁ କହିଲେ, “ରାଜା ତୁମେ କାଲି ସକାଳୁ ଶ୍ରୀମନ୍ଦିର ସାମନା ଗରୁଡ଼ଖମ୍ବ ନିକଟକୁ ଯାଅ । ଦେଖିବ ସେଠାରେ ଜଣେ ଖପରା କୋରି ଅଭଡ଼ା ଖାଉଥିବ । ତାକୁ ତୁମେ ପୁତ୍ରଭାବେ ଗ୍ରହଣ କର ।” ପ୍ରଭୁଙ୍କ ସ୍ଵପ୍ନାଦେଶ କ୍ରମେ ସକାଳୁସକାଳୁ ରାଜା ପାରିଷଦ ଓ ମନ୍ତ୍ରୀଙ୍କ ସହ ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିଗଲେ । ସତକୁ ସତ ବାଳକଟିଏ ଖପରା କୋରି ଅଭଡ଼ା ଖାଉଥିବାର ଦେଖିଲେ । ପିଲାଟିର ଆକର୍ଷଣୀୟ ଚେହେରା ସାଙ୍ଗକୁ ରାଜପୁତ୍ର ହେବାର ଲକ୍ଷଣ, ସମସ୍ତଙ୍କୁ ଆକର୍ଷିତ କଲା । ସେ ତାକୁ ଧରି ରାଜ ନଅରକୁ
[ଚିତ୍ର ବର୍ଣ୍ଣନା ୧: ରାଜଦରବାରରେ ସିଂହାସନରେ ରାଜା ଉପବେଶନ କରିଛନ୍ତି ଏବଂ ମନ୍ତ୍ରୀ କପିଳା ମୁଣ୍ଡରେ ଶିରିପା ବାନ୍ଧୁଛନ୍ତି।] [ଚିତ୍ର ବର୍ଣ୍ଣନା ୨: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋଚିତ୍ର।]
ଫେରିଆସିଲେ । ମହାପ୍ରଭୁଙ୍କ କୃପାରୁ ପିଲାଟିଏ ପାଇଥିବାରୁ ତା’ର ଉପଯୁକ୍ତ ଲାଳନପାଳନ କରିବା ସହିତ ତାକୁ ଯୁଦ୍ଧବିଦ୍ୟା, ଘୋଡ଼ାଚଢ଼ା, ଖଣ୍ଡାଯୁଦ୍ଧ ଆଦି ଶିକ୍ଷା ଦେବାକୁ ମନ୍ତ୍ରୀଙ୍କୁ କହିଲେ । କପିଳା ସବୁ ଦିଗରେ ରାଜାଙ୍କୁ ଆକର୍ଷିତ କଲା । ଖୁସି ହୋଇ ରାଜା, ମନ୍ତ୍ରୀଙ୍କୁ କହି ତା’ ମୁଣ୍ଡରେ ଶିରିପା ବାନ୍ଧି ନିଜର ସେନାପତି ଭାବେ ନିଯୁକ୍ତି ଦେଲେ । ତାଙ୍କ ଅନ୍ତେ କପିଳା, ରାଜ୍ୟର ରାଜା ହେବ ବୋଲି ମଧ୍ୟ ଘୋଷଣା କଲେ ।
ଦିନକୁ ଦିନ ରାଜା କପିଳେନ୍ଦ୍ରଙ୍କ ବୀରତ୍ଵର ଖ୍ୟାତି ସବୁଆଡ଼େ ବଢ଼ିବାକୁ ଲାଗିଲା । ଉତ୍କଳର ସୀମାକୁ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବଢ଼ାଇ ଦେଇ ନିଜର କୀର୍ତ୍ତି ଧ୍ଵଜା ଉଡ଼ାଇଲେ । ବୀରଶ୍ରୀଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ବୀରାଧିବୀରବର ପ୍ରବଳପ୍ରତାପୀ ଶ୍ରୀଶ୍ରୀ କପିଳେନ୍ଦ୍ର ଦେବଙ୍କ ଜୟଜୟକାର ଚାରିଆଡ଼େ ଶୁଣାଗଲା । ହଠାତ୍ ଦିନେ କପିଳେନ୍ଦ୍ରଦେବଙ୍କ ନିଜ ସଙ୍ଗାତ କାଶିଆ କଥା ମନେ ପଡ଼ିଲା । ସେ ଦୂତ ପଠାଇ କାଶିଆକୁ ଦରବାରକୁ ଡକାଇଲେ । ରାଜଦରବାରରେ ପହଞ୍ଚି କାଶିଆ ଡରିଗଲା । ମାତ୍ର କପିଳେନ୍ଦ୍ରଦେବ ନିଜ ସିଂହାସନରୁ ଉଠିଆସି ପିଲାଦିନର ସାଥୀ କାଶିଆକୁ ପାଛୋଟି ନେଲେ । ସେ ପିଲାଦିନ କଥା ସ୍ମରଣ କରାଇ କାଶିଆକୁ କହିଲେ, “ମୁଁ ପରା କଥା ଦେଇଥିଲି, ମୁଁ ରାଜା ହେଲେ ତୁମକୁ ମନ୍ତ୍ରୀ କରିବି । ଆଜି ସେଦିନ ଆସିଛି । ତୁମେ ମୋର ମନ୍ତ୍ରୀ ।” କାଶିଆ ମୁଣ୍ଡରେ ମନ୍ତ୍ରୀର ଶିରିପା ବନ୍ଧା ହେଲା ।
କାଶିଆ କପିଳା ରାଜା ଓ ମନ୍ତ୍ରୀ ହୋଇ ଉତ୍କଳରେ ରାଜତ୍ଵ କଲେ । କାଳକାଳକୁ କଥା ରହିଲା । ‘ମୂଲିଆ ପୁଅ ରାଜା ହେଲା ।’