ତୃତୀୟ ପାଠ
ପାଠ-୩
ଯେ ଥାଏ ପର ଉପକାରେ
ଡକ୍ଟର ରମେଶ ଚନ୍ଦ୍ର ପତ୍ରୀ
[ଚିତ୍ର ବର୍ଣ୍ଣନା: ମରୁଭୂମି ମଧ୍ୟରେ ଏକ କୁଡ଼ିଆ ଘର, କିଛି ଖଜୁରି ଗଛ ଏବଂ କାକ୍ଟସ୍ ଗଛ ଦେଖାଯାଉଛି ।]
ଭାରତ ଆମର ଜନ୍ମଭୂମି । ବିରାଟ ଆମର ଏଇ ଦେଶ । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଦେଶଟି ଆମର ଗଠିତ । ଆମ ଦେଶର ଗୁଜୁରାଟ ରାଜ୍ୟର କଚ୍ଛ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ଜଣେ ସାଧୁ । ନାଁଟି ତାଙ୍କର ମେକରଣ । ସେ ଥିଲେ ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ । ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ସେ ବାରବର୍ଷ ତପସ୍ୟା କରିଥିଲେ । ଏହି ସମୟ ମଧ୍ୟରେ ଭୋକ ହେଲେ ସେ କନ୍ଦମୂଳ ଖାଉଥିଲେ ଓ ଶୋଷ ହେଲେ ଝରଣା ପାଣି ପିଇ ତୃଷା ନିବାରଣ କରୁଥିଲେ ।
[ଚିତ୍ର ବର୍ଣ୍ଣନା: ତିନି ମୁଣ୍ଡ ଓ ଛଅ ହାତ ଥିବା ଭଗବାନ ଦତ୍ତାତ୍ରେୟ ଧ୍ୟାନମଗ୍ନ ଅବସ୍ଥାରେ ବସିଛନ୍ତି ଏବଂ ଚାରିପାଖରେ କୁକୁରମାନେ ବସିଛନ୍ତି ।]
ଗୁରୁ ଦତ୍ତାତ୍ରେୟ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ମେକରଣ କଠୋର ତପସ୍ୟା କରୁଛନ୍ତି, ତାଙ୍କ ମନ ଆନନ୍ଦରେ ପୂରିଗଲା । ସେ ତାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ କଲେ ।
ମେକରଣ ଦତ୍ତାତ୍ରେୟଙ୍କୁ କହିଲେ, “ଗୁରୁଦେବ, ମୁଁ ବାରବର୍ଷ ଧରି ତପସ୍ୟା କରିସାରିଛି । ଏବେ ମୋତେ କ’ଣ କରିବାକୁ ହେବ ଦୟାକରି କୁହନ୍ତୁ ।” ଦତ୍ତାତ୍ରେୟ ତାଙ୍କୁ ଦୁଇଟି ତୁମ୍ବୀ ଦେଇ କହିଲେ, “ପୁଅ, ତୁମେ ଯେଉଁ କଚ୍ଛଭୂମିରୁ ଆସିଛ, ସେଠାରେ ବହୁ ଅଞ୍ଚଳ ମରୁଭୂମି । ସେହି ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥକମାନେ ପାଣି ନ ପାଇ ତୃଷାରେ କାତର ହୋଇପଡ଼ନ୍ତି । ପାଣି ଅଭାବରୁ ଅନେକ ସମୟରେ ସେମାନେ ମୃତ୍ୟୁମୁଖରେ ପଡ଼ନ୍ତି । ତୁମେ ଦୁଇଟିଯାକ ତୁମ୍ବୀରେ ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ, ଏହା ହିଁ ତୁମପାଇଁ ହେବ ଏକ ମହତ୍ କାର୍ଯ୍ୟ ।”
[ଚିତ୍ର ବର୍ଣ୍ଣନା: ସାଧୁ ମେକରଣ କାନ୍ଧରେ ଭାର ବୋହି ହାତରେ ତ୍ରିଶୂଳ ଧରି ଏକ ଗଧ ଏବଂ କୁକୁର ସହିତ ଚାଲୁଛନ୍ତି ।]
ଶିଷ୍ୟଙ୍କୁ ଏହି ପରାମର୍ଶ ଦେଇ ଦତ୍ତାତ୍ରେୟ ଚାଲିଗଲେ । ମେକରଣ ମଧ୍ୟ ଗିରିନାର ପର୍ବତରୁ ଫେରିଆସିଲେ ନିଜର କଚ୍ଛଭୂମିକୁ । ସେଠାରେ ସେ ବାଲିମାଟିରେ ଏକ କୁଡ଼ିଆ ତିଆରି କଲେ । ପ୍ରତିଦିନ ସେ ତୁମ୍ବୀଗୁଡ଼ିକରେ ପାଣି ପୂରାଇ ଭାର ସାହାଯ୍ୟରେ ମରୁଭୂମିରେ ବହୁ ଦୂରକୁ ବୋହି ନେଉଥିଲେ । ଶୋଷରେ ବିକଳ ହୋଇ ପାଣି ମୁନ୍ଦାଏ ଖୋଜୁଥିବା ଯାତ୍ରୀମାନଙ୍କ ପାଖରେ ସେ ପହଞ୍ଚି ଯାଉଥିଲେ । ସେମାନଙ୍କୁ ପାଣି ପିଆଉଥିଲେ । ମରଣମୁହଁରୁ ମୁକୁଳି ଆସୁଥିବା ସେହି ମଣିଷମାନଙ୍କ ମୁହଁରେ ହସ ଫୁଟି ଉଠୁଥିଲା । ଏହା ଦେଖି ମେକରଣ ଖୁବ୍ ଖୁସି ହେଉଥିଲେ । ସନ୍ଧ୍ୟା ହେଲେ ସେ ଆଖପାଖ ଗାଁରୁ ଭିକ୍ଷା କରୁଥିଲେ । ଯାହା ମିଳୁଥିଲା, ସେଇଥିରେ ବଞ୍ଚୁଥିଲେ ।
[ଚିତ୍ର ବର୍ଣ୍ଣନା: ମରୁଭୂମିରେ ଗଧ ଓ କୁକୁର ଥିବା ସ୍ଥାନରେ ଯାତ୍ରୀମାନେ ପାଣି ପିଉଛନ୍ତି ।]
କ୍ରମେ ମେକରଣ ବାର୍ଦ୍ଧକ୍ୟରେ ଉପନୀତ ହେଲେ । ସେ ଆଉ ବେଶି ପରିଶ୍ରମ କରିପାରିଲେ ନାହିଁ । ନିଜେ ରହୁଥିବା ସ୍ଥାନରେ ସେ ଗୋଟିଏ ଗଧ ଆଉ ଗୋଟିଏ କୁକୁର ପାଳିଲେ । କୁକୁରଟିର ନାଁ ଦେଇଥିଲେ ମୋତି ଆଉ ଗଧଟିର ନାଁ ଲାଲା ।
ଏଣିକି ସେ ତୁମ୍ବୀ ଦୁଇଟିରେ ପାଣି ଭରି ତାକୁ ଗଧ ପିଠିରେ ଓହଳାଇ ଦେଉଥିଲେ । ସାଙ୍ଗରେ ଗୋଟିଏ ଡବା ମଧ୍ୟ ଦେଉଥିଲେ । ଆଗରେ ଯାଉଥିଲା ମୋତି ଆଉ ତା’ ପଛେପଛେ ଚାଲୁଥିଲା ଲାଲା । ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ, ସେଇଠି ସେମାନେ ପହଞ୍ଚି ଯାଉଥିଲେ । ଶୋଷିଲା ମଣିଷମାନେ ଗଧ ପିଠିରେ ଓହଳିଥିବା ତୁମ୍ବୀରୁ ଡବାରେ ପାଣି କାଢ଼ି ପିଉଥିଲେ । ସେମାନଙ୍କ ଜୀବନ ବଞ୍ଚୁଯାଉଥିଲା । ସନ୍ଧ୍ୟା ହେଲେ ମୋତି ଓ ଲାଲା ପୁଣି ଫେରିଆସୁଥିଲେ କୁଡ଼ିଆ ପାଖକୁ । ମେକରଣ ଲାଲା ପିଠିରୁ ତୁମ୍ବୀ ଦୁଇଟି ଓହ୍ଲାଇ ଦେଉଥିଲେ । ଦିନବେଳା ମେକରଣ କେତେକ ସ୍ଥାନରୁ ଭିକ୍ଷା ସଂଗ୍ରହ କରି ନେଇ ଆସୁଥିଲେ । ତହିଁରୁ ସେ ଦୁଇଭାଗ ମୋତି ଓ ଲାଲାକୁ ଦେଉଥିଲେ ଆଉ ଗୋଟିଏ ଭାଗ ନିଜେ ଖାଉଥିଲେ । ବେଳେବେଳେ କୌଣସି ଭୋକିଲା ଯାତ୍ରୀ ଯଦି ତାଙ୍କ ନିକଟରେ ପହଞ୍ଚୁଥିଲା ତାକୁ ବି ସେ ନିଜ ଭାଗର ଖାଦ୍ୟ ଦେଇଦେଉଥିଲେ । କ୍ଷୁଧାର୍ତ୍ତକୁ ଖାଦ୍ୟ ଦେଇପାରୁଥିବାରୁ ପରମ ତୃପ୍ତି ଲାଭ କରୁଥିଲେ ।
[ଚିତ୍ର ବର୍ଣ୍ଣନା: ପାରମ୍ପରିକ ପୋଷାକ ଓ ଅସ୍ତ୍ର ଧାରଣ କରିଥିବା ରାଜକର୍ମଚାରୀ / ଯୋଦ୍ଧା ।]
ଥରେ କଚ୍ଛ ରାଜ୍ୟର ରାଜା ସେହି ଅଞ୍ଚଳକୁ ଶିକାର କରିବାକୁ ଆସିଲେ । ତାଙ୍କ ସହିତ ଥିଲେ କେତେକ ରାଜକର୍ମଚାରୀ । ରାଜା ସାରାଦିନ ବୁଲିବୁଲି କୌଣସି ଜନ୍ତୁକୁ ପାଇଲେ ନାହିଁ । ସନ୍ଧ୍ୟାବେଳକୁ କିଛି ସମୟ ବାକି ଥାଏ । ସେହି ମରୁଭୂମିରେ ସେ ମେକରଣଙ୍କ ଗଧ ଓ କୁକୁରକୁ ଦେଖିଲେ । ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କର୍ମଚାରୀମାନଙ୍କୁ ପଚାରିଲେ, “ଏହି ମରୁଭୂମିରେ ଗଧ ଆଉ କୁକୁର କେଉଁଠୁ ଆସିଲେ ? ଏଠାରେ ତ ଚିତାବାଘର ଭୟ ରହିଛି । ତା’ ହାବୁଡ଼ରୁ ଏମାନେ ବଞ୍ଚୁଛନ୍ତି କିପରି ?”
ଜଣେ ରାଜକର୍ମଚାରୀ ଉତ୍ତର ଦେଲେ, “ମହାରାଜା, ଏମାନେ ହେଉଛନ୍ତି ସନ୍ନ୍ୟାସୀ ମେକରଣଙ୍କ ପୋଷାଜନ୍ତୁ । ଏ ଅଞ୍ଚଳର ସମସ୍ତ ପ୍ରାଣୀଙ୍କ ପାଖରେ ଏମାନେ ପରିଚିତ । ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ଏମାନେ ପାଣି ଯୋଗାଉଛନ୍ତି । କୌଣସି ହିଂସ୍ରଜନ୍ତୁ ମଧ୍ୟ ଏମାନଙ୍କର ଅନିଷ୍ଟ କରନ୍ତି ନାହିଁ ।”
ରାଜା କହିଲେ, “ଆଜି ଶିକାର ତ ହୋଇପାରିଲା ନାହିଁ । ଆମେ ଏତେ ଦୂରରୁ ଆସିଛୁ ଯେତେବେଳେ, ସନ୍ନ୍ୟାସୀ ମେକରଣଙ୍କ ସହିତ ଭେଟ ହୋଇଯିବା ଉଚିତ ହେବ ।”
[ଚିତ୍ର ବର୍ଣ୍ଣନା: ରାଜା ଓ ତାଙ୍କ ସୈନ୍ୟମାନେ ମୋତି (କୁକୁର) ଓ ଲାଲା (ଗଧ)ଙ୍କ ପଛେ ପଛେ ଯାଉଛନ୍ତି ।]
ତା’ପରେ ଲାଲା ଆଉ ମୋତି ଯେଉଁଆଡ଼େ ଗଲେ ତାଙ୍କ ପଛେ ପଛେ ରାଜା ଓ କର୍ମଚାରୀମାନେ ଚାଲିବାକୁ ଲାଗିଲେ । କିଛି ବାଟ ଗଲାପରେ ଗୋଟିଏ କୁଡ଼ିଆ ପାଖରେ ଲାଲା ଓ ମୋତି ଅଟକି ଗଲେ ।
କୁଡ଼ିଆ ଭିତରୁ ଜଣେ ବୃଦ୍ଧ ସନ୍ନ୍ୟାସୀ ବାହାରି ନିଜର ଥରଥର ହାତରେ ଗଧପିଠିରୁ ପାଣିତୁମ୍ବୀ ଦୁଇଟି ଓହ୍ଲାଇ ଆଣିଲେ । ଗଧର ବେକରେ ସେ ଆଉ ଗୋଟିଏ ମୁଣା ଝୁଲାଇଦେଲେ । କୁକୁରକୁ ଚିଠିଟିଏ ଦେଲେ । ତାଙ୍କର ଦରକାରୀ ଜିନିଷଗୁଡ଼ିକର ନାଁ ସେଥିରେ ଲେଖାଥିଲା । ପାଖ ଗାଁର ଦୋକାନୀ ମଧ୍ୟ ଏ ଚିଠି ସହିତ ପରିଚିତ ଥିଲା । ସେ ମେକରଣଙ୍କ ଚିଠି ଅନୁଯାୟୀ ଜିନିଷ ଗଧ ବେକରେ ଝୁଲୁଥିବା ମୁଣାରେ ଭର୍ତ୍ତି କରି ଦେଉଥିଲା ।
ରାଜା ଏ ସବୁ ଦୂରରୁ ଦେଖୁଥିଲେ । ସେ ଓ ତାଙ୍କ କର୍ମଚାରୀମାନେ ସନ୍ନ୍ୟାସୀଙ୍କ ପାଖରେ ପହଞ୍ଚି ନିଜର ପରିଚୟ ଦେଲେ । ମେକରଣ ରାଜାଙ୍କୁ କହିଲେ, “ହେ କଚ୍ଛର ରାଜା, ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି । ମୋ କୁଡ଼ିଆ ଭିତରକୁ ଆସନ୍ତୁ ।”
[ଚିତ୍ର ବର୍ଣ୍ଣନା: ଗ୍ରାମବାସୀମାନେ ବୃଦ୍ଧ ସାଧୁ ମେକରଣଙ୍କୁ ଭିକ୍ଷା ଓ ଖାଦ୍ୟ ଦେଉଛନ୍ତି ।]
ସେତେବେଳେ ଶୀତ ବଢ଼ିବାକୁ ଲାଗିଥାଏ । ମେକରଣଙ୍କ ଦେହ ଶୀତରେ ଥରଥର ହେଉଥାଏ । ରାଜା ପଚାରିଲେ, “ମହାଶୟ, ଏହି ମରୁଅଞ୍ଚଳରେ ଆପଣଙ୍କୁ କ’ଣ ଶୀତ ହେଉନାହିଁ ?” ମେକରଣ କହିଲେ, “ଶୀତ ହେଉଛି କିନ୍ତୁ ଶୀତକୁ ମୁଁ ଡରୁନାହିଁ । ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବାରେ ମୋ ଜୀବନ ବିତାଇବା ହିଁ ମୋର ଇଚ୍ଛା ।”
ରାଜା ନିଜ କାନ୍ଧରେ ପଡ଼ିଥିବା ମଣିମୁକ୍ତା ଖଚିତ ଚଦରଟିକୁ ସନ୍ନ୍ୟାସୀଙ୍କ ଦେହରେ ଘୋଡ଼ାଇ ଦେଲେ । ମେକରଣ ଏଥିରେ କିନ୍ତୁ ଖୁସି ହେଲେ ନାହିଁ, ବିନୟର ସହିତ ଚଦରଟି ରାଜାଙ୍କୁ ଫେରାଇଦେଇ କହିଲେ, “ମହାରାଜ, ଏ ସ୍ଥାନର ଶୀତ ସହିବାରେ ମୋ ଦେହ ଅଭ୍ୟସ୍ତ ହୋଇଯାଇଛି । ମୋ ପାଇଁ ଏହାର ଆବଶ୍ୟକତା ନାହିଁ, ଅନ୍ୟ କେହି ଦୁଃଖୀ ଲୋକଙ୍କୁ ଆପଣ ଏହାକୁ ଦାନ କଲେ ମୁଁ ଅଧିକ ଖୁସି ହେବି ।”
ମେକରଣଙ୍କର ଏପରି କଥା ଶୁଣି ରାଜା ସ୍ତମ୍ଭୀଭୂତ ହେଲେ । ଆଗ୍ରହ କରି କହିଲେ, “ହେ ସନ୍ନ୍ୟାସୀ ! ଆପଣ ମୋତେ ଅନ୍ୟ କୌଣସି ଜିନିଷ ମାଗନ୍ତୁ, ମୁଁ ତାହା ଆପଣଙ୍କୁ ଦାନ କରିବି ।” ସନ୍ନ୍ୟାସୀ କହିଲେ, “ହଁ, ମୁଁ କେବଳ ଗୋଟିଏ ଜିନିଷ ଆପଣଙ୍କୁ ମାଗିବି । ତାହା ହେଲା, ଆଜିଠାରୁ ଏହି କଚ୍ଛ ଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ । ଫଳରେ ଏ ସ୍ଥାନର ବନ୍ୟପ୍ରାଣୀମାନେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ । ବଣଜଙ୍ଗଲ ମଧ୍ୟ ସୁରକ୍ଷିତ ରହିବ ।”
ମେକରଣଙ୍କର ଏପରି କଥା ଶୁଣି ରାଜା କହିଲେ, “ହେ ସନ୍ନ୍ୟାସୀ ! ମୁଁ ଆପଣଙ୍କୁ କଥା ଦେଉଛି, ଆଜିଠାରୁ ଏହି ଅଞ୍ଚଳରେ ଆଉ କେହି କୌଣସି ବନ୍ୟପ୍ରାଣୀଙ୍କୁ ଶିକାର କରିବେ ନାହିଁ ।”
ତା’ପରେ ରାଜା ନିଜ ଉଆସକୁ ଫେରିଆସିଲେ । ସେହିଦିନଠାରୁ ଆଜିଯାଏଁ ଏହି ଅଞ୍ଚଳରେ ବନ୍ୟପ୍ରାଣୀମାନେ ନିର୍ଭୟରେ ବିଚରଣ କରୁଛନ୍ତି । ଏଠାରେ ଶିକାର କରିବାକୁ ବାରଣ କରାଯାଇଛି ।
ଆସ କଥା ହେବା
୧. ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ସେବାରେ ଜୀବନ ବିତାଇବା ହିଁ ମେକରଣଙ୍କର ଶେଷ ଇଚ୍ଛା ଥିଲା । ଯଦି ତୁମେ ମେକରଣ ହୋଇଥା’ନ୍ତ, ତେବେ ତୁମ ଜୀବନର ଲକ୍ଷ୍ୟ କ’ଣ ହୋଇଥା’ନ୍ତା ବୋଲି ଭାବୁଛ ?
୨. ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ମୋତି ଓ ଲାଲା ପାଣି ପିଆଇ ସେମାନଙ୍କର ଜୀବନ ବଞ୍ଚାଉଥିଲେ । ଠିକ୍ ସେମିତି ତୁମେମାନେ କେବେ କାହାର ଜୀବନ ବଞ୍ଚେଇଛ କି ? କେମିତି ?
୩. ଗୁରୁ ଦତ୍ତାତ୍ରେୟଙ୍କ ଶିଷ୍ୟ ମେକରଣ ତପସ୍ୟା କରୁଥିବା ସମୟରେ ସେ କିପରି ଜୀବନ ବିତାଉଥିଲେ ବୋଲି ତୁମେମାନେ ଭାବୁଛ ?
୪. ତୁମ ଚାରିପଟେ ଦେଖୁଥିବା ପଶୁ ଓ ପକ୍ଷୀମାନଙ୍କ ପାଇଁ ତୁମେମାନେ କ’ଣ ସବୁ କରୁଛ ?
ପାଠରୁ
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତରରେ ଏକ ହସୁଥିବା (😊) ଚିତ୍ର ଅଙ୍କନ କର । ଏକରୁ ଅଧିକ ବିକଳ୍ପ ମଧ୍ୟ ଠିକ୍ ହୋଇପାରେ ।
୧. ଗୁରୁ ଦତ୍ତାତ୍ରେୟଙ୍କ ମନ ଆନନ୍ଦରେ କାହିଁକି ପୂରିଗଲା ?
-
(କ) ଶିଷ୍ୟ ମେକରଣ ରାଜାଙ୍କୁ ସହଯୋଗ କରୁଥିବାରୁ । ☐
-
(ଖ) ଶିଷ୍ୟ ମେକରଣ କଠୋର ତପସ୍ୟା କରୁଥିବାରୁ । ☐
-
(ଗ) ଶିଷ୍ୟ ମେକରଣ କନ୍ଦମୂଳ ଖାଇ କଠୋର ତପସ୍ୟା କରୁଥିବାରୁ । ☐
-
(ଘ) ଶିଷ୍ୟ ମେକରଣ ପଶୁପକ୍ଷୀଙ୍କୁ ସାହାଯ୍ୟ କରୁଥିବାରୁ । ☐
୨. ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ, ସେଠାକୁ ପାଣି ନେଇ କିଏ ପହଞ୍ଚି ଯାଉଥିଲେ ?
-
(କ) ସାଧୁ ମେକରଣ । ☐
-
(ଖ) କଚ୍ଛ ରାଜ୍ୟର ରାଜା । ☐
-
(ଗ) ମୋତି ଓ ଲାଲା । ☐
-
(ଘ) ଗୁରୁ ଦତ୍ତାତ୍ରେୟ । ☐
୩. ସାଧୁ ମେକରଣ ଚିଠିରେ କ’ଣ ଲେଖି ପାଖ ଗାଁ ଦୋକାନରୁ ଆଣିବାକୁ କୁକୁରକୁ ପଠାଉଥିଲେ ?
-
(କ) ଖାଦ୍ୟପଦାର୍ଥ ଆଣିବାକୁ । ☐
-
(ଖ) ମଧୁର ଜଳ ଆଣିବାକୁ । ☐
-
(ଗ) ଅଦରକାରୀ ଜିନିଷ । ☐
-
(ଘ) ଦରକାରୀ ଜିନିଷ । ☐
୪. ସନ୍ନ୍ୟାସୀ ଜଣକ ରାଜାଙ୍କୁ କ’ଣ ମାଗିଲେ ?
-
(କ) ଆଜିଠାରୁ ଏହି କଚ୍ଛଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ । ☐
-
(ଖ) ଆଜିଠାରୁ କଚ୍ଛ ଭୂମିକୁ ଆପଣ ଆଉ କେବେ ବି ଆସିବେନି । ☐
-
(ଗ) ଆଜିଠାରୁ ଏହି କଚ୍ଛଭୂମିରେ ଆପଣ ସବୁଦିନ ଶିକାର କରିବେ । ☐
-
(ଘ) ଆଜିଠାରୁ ଆପଣ କଚ୍ଛ ଭୂମିରେ ଶାସନ କରିବେ । ☐
ଚିନ୍ତାକରି ଲେଖ
୧. ଦତ୍ତାତ୍ରେୟ ମେକରଣକୁ ତୁମ୍ବୀ ଦୁଇଟି ଦେଇ କ’ଣ କହିଲେ ?
୨. ପଥକମାନଙ୍କୁ ଦେଖି ମେକରଣ ଖୁସି ହେଉଥିଲେ କାହିଁକି ?
୩. “ମହାରାଜ, ଏ ସ୍ଥାନରେ ଶୀତ ସହିବାରେ ମୋ ଦେହ ଅଭ୍ୟସ୍ତ ହୋଇଯାଇଛି । ମୋ ପାଇଁ ଏହାର ଆବଶ୍ୟକତା ନାହିଁ ।” –ଏ କଥା ମେକରଣ ରାଜାଙ୍କୁ କାହିଁକି କହିଲେ ?
୪. ରାଜା ମରୁଭୂମିରେ ଗଧ ଓ କୁକୁରକୁ ଦେଖି କାହିଁକି ଆଶ୍ଚର୍ଯ୍ୟ ହେଲେ ?
ମୋତି, ଲାଲା ଓ ମେକରଣ
[ଚିତ୍ର ବର୍ଣ୍ଣନା: ମୋତି (କୁକୁର) ଏବଂ ପିଠିରେ ତୁମ୍ବୀ ବନ୍ଧା ହୋଇଥିବା ଲାଲା (ଗଧ)ଙ୍କ ଚିତ୍ର ।]
୧. କାହାଣୀରେ ମୋତି ଓ ଲାଲାର ଅନେକ ସୁଗୁଣ ରହିଛି, ସେଗୁଡ଼ିକୁ ଲେଖ ।
ତୁମର ସୁବିଧା ପାଇଁ ଗୋଟିଏ ଉଦାହରଣ ଦିଆଯାଉଛି :-
- ମରୁଭୂମିରେ ମଣିଷମାନଙ୍କୁ ପାଣି ଯୋଗାଉଥିଲେ ।
୨. ଏବେ ସାଧୁ ମେକରଣଙ୍କର ସତ୍ଗୁଣଗୁଡ଼ିକ ନିଜ ଖାତାରେ ଲେଖ ।
ତୁମେ ଯାହା ବୁଝିଛ
୧. ତୁମେ ଭାବୁଛ କି ପଶୁପକ୍ଷୀମାନେ ଆମର ଭାବନାକୁ ବୁଝନ୍ତି ? ତୁମ ଅଭିଜ୍ଞତା ଆଧାରରେ କୁହ ।
୨. ସାଧୁ ମେକରଣ ଗଧ ଓ କୁକୁରକୁ କାହିଁକି ପାଳନ କରିଥିବେ ବୋଲି ଭାବୁଛ ?
୩. ଆମେ ଦେଖୁଛୁ ଯେ ପରୋପକାର ଓ ସେବାଭାବନା ଲୋକଙ୍କ ମନରୁ ଧୀରେଧୀରେ ଉଭେଇଗଲାଣି । ଏହାର କାରଣ କ’ଣ ବୋଲି ଭାବୁଛ, ଚିନ୍ତାକରି କୁହ ।
୪. ପଶୁପକ୍ଷୀମାନେ ମଣିଷପରି କଥା ହୋଇପାରନ୍ତି ନାହିଁ, କିନ୍ତୁ ସେମାନେ ପରସ୍ପର ସହିତ ଭାବର ଆଦାନପ୍ରଦାନ କରନ୍ତି । ଏଥିରେ ତୁମେମାନେ ସହମତ କି ? ଯଦି ସହମତ, କେତୋଟି ଉଦାହରଣ ଦେଇ ବୁଝାଅ ।
ଅନୁମାନ ଓ କଳ୍ପନା କରିବା
୧. ସାଧୁ ମେକରଣ ପାଳିଥିବା ଗଧର ନାମ ମୋତି ଏବଂ କୁକୁରର ନାମ ଲାଲା - ଏହି ନାମ କିଏ ଦେଇଥିଲେ ଓ କାହିଁକି ଦେଇଥିଲେ ?
୨. ମୋତି ଓ ଲାଲା ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାର ଦୃଶ୍ୟ ମନେ ପକାଅ ।
୩. ସାଧୁ ମେକରଣ ତାଙ୍କ ଖାଦ୍ୟରୁ ଦୁଇଭାଗ ମୋତି ଓ ଲାଲାକୁ ଦେଉଥିଲେ ଆଉ ଗୋଟିଏ ଭାଗ ନିଜେ ଖାଉଥିଲେ । ଖାଦ୍ୟ ଦେଇସାରିବା ପରେ ମେକରଣ କ’ଣ ଅନୁଭବ କରିଥିବେ ?
ଭାଷାର କଥା
୧. ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଓ, ଏବଂ, ତେଣୁ, କିନ୍ତୁ, ଆଉ)
-
(କ) ଜଳ ହିଁ ଜୀବନ ... ଜଳଦାନ ମହତ ଦାନ ।
-
(ଖ) ଦେଶ ସ୍ୱାଧୀନ ହୋଇଛି ... ଲୋକଙ୍କ ଦୁଃଖ ଦୂର ହୋଇନି ।
-
(ଗ) ଆମ ଦେଶ ଭାରତ ଅନେକ ରାଜ୍ୟ ... କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ ।
-
(ଘ) କୁକୁରଟିର ନାଁ ଥିଲା ମୋତି ... ଗଧଟିର ନାଁ ଥିଲା ଲାଲା ।
-
(ଙ) ମେକରଣ ଭୋକିଲା ଯାତ୍ରୀଙ୍କ ନିକଟରେ ପହଞ୍ଚୁଥିଲେ ... କ୍ଷୁଧାର୍ତ୍ତକୁ ଖାଦ୍ୟ ଦେଉଥିଲେ ।
୨. ନିମ୍ନରେ କିଛି ବାକ୍ୟ ଦିଆଯାଇଛି । ବାକ୍ୟଗୁଡ଼ିକରେ ରେଖାଙ୍କିତ ଶବ୍ଦ ସହିତ ଡାହାଣରେ ଦିଆଯାଇଥିବା ସମାନ ଅର୍ଥ ଥିବା ଶବ୍ଦ ବାଛି ପୁଣିଥରେ ବାକ୍ୟରେ ବ୍ୟବହାର କର ।
-
(କ) ମେକରଣ କ୍ଷୁଧାର୍ତ୍ତକୁ ଖାଦ୍ୟ ଦେଉଥିବାରୁ ସେ ପରମ ଶାନ୍ତି ଲାଭ କରୁଥିଲେ । (ତୃପ୍ତି / ଘୃଣା)
-
(ଖ) ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ସେ ବାରବର୍ଷ ଧରି ତପସ୍ୟା କରିଥିଲେ । (ଝରଣା / ଜଙ୍ଗଲ)
-
(ଗ) ସେହି ମରୁଭୂମି ଅଞ୍ଚଳ ଦେଇ ଯାଉଥିବା ପଥକମାନେ ପାଣି ନ ପାଇ ଶୋଷରେ କାତର ହୋଇପଡ଼ନ୍ତି । (ତୃଷାରେ / ଖୁସିରେ)
-
(ଘ) ମେକରଣଙ୍କର ଏପରି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ । (ସ୍ତମ୍ଭୀଭୂତ / ଦୁଃଖିତ)
-
(ଙ) ଏତେ ଦୂର ଆସିଛି ଯେତେବେଳେ, ତମ ସହ ସାକ୍ଷାତ ହୋଇଯିବା ଉଚିତ ହେବ । (ଭେଟ / କଥାବାର୍ତ୍ତା)
୩. କାହାଣୀରୁ ଆନୀତ କିଛି ବାକ୍ୟ ନିମ୍ନରେ ଦିଆଯାଇଛି । ସେଗୁଡ଼ିକୁ ଭଲଭାବରେ ପଢ଼ ଏବଂ ଚିନ୍ତାକର । ସେଥିରୁ କ’ଣ ବୁଝିଲ, ଦଳରେ ଆଲୋଚନା କର ।
-
(କ) ତୁମେ ଦୁଇଟିଯାକ ତୁମ୍ବୀରେ ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ, ଏହା ହିଁ ତୁମପାଇଁ ହେବ ଏକ ମହତ୍ ଶିକ୍ଷା ।
-
(ଖ) କ୍ଷୁଧାର୍ତ୍ତକୁ ଖାଦ୍ୟ ଦେଇପାରୁଥିବାରୁ ପରମ ତୃପ୍ତି ଲାଭ କରୁଥିଲେ ।
-
(ଗ) ମରୁଭୂମିରେ ପାଣି ନ ପାଇ ଛଟପଟ ହେଉଥିବା ପ୍ରାଣୀମାନଙ୍କୁ ଏମାନେ ପାଣି ଯୋଗାଇଥାନ୍ତି ।
-
(ଘ) ମେକରଣର ଏପରି କଥା ଶୁଣି ରାଜା ସ୍ତମ୍ଭୀଭୂତ ହେଲେ ।
୪. ନିମ୍ନରେ ଦିଆଯାଇଥିବା ବାକ୍ୟରେ ରେଖାଙ୍କିତ ଶବ୍ଦ କାହାପାଇଁ ବ୍ୟବହାର କରାଯାଇଛି, ସେଗୁଡ଼ିକୁ ଚିହ୍ନି ଡାହାଣ ପାଖରେ ଲେଖ ।
-
(କ) ଶୋଷରେ ବିକଳ ହୋଇ ପାଣି ମୁନ୍ଦାଏ ଖୋଜୁଥିବା ଯାତ୍ରୀମାନଙ୍କ ପାଖରେ ସେ ପହଞ୍ଚି ଯାଉଥିଲେ । ➜ ମେକରଣ
-
(ଖ) ତୁମେ ଦୁଇଟିଯାକ ତୁମ୍ବୀରେ ପାଣି ନେଇ ସେମାନଙ୍କୁ ପ୍ରତିଦିନ ପିଇବାକୁ ଦେବ, ଏହା ହିଁ ତୁମପାଇଁ ହେବ ମହତ୍ କାର୍ଯ୍ୟ । ➜
-
(ଗ) ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ ସେଇଠି ସେମାନେ ପହଞ୍ଚି ଯାଉଥିଲେ । ➜
-
(ଘ) ବେଳେବେଳେ କୌଣସି ଭୋକିଲା ଯାତ୍ରୀ ଯଦି ତାଙ୍କ ନିକଟରେ ପହଞ୍ଚୁଥିଲା, ତାକୁ ବି ସେ ନିଜ ଭାଗର ଖାଦ୍ୟ ଦେଇ ଦେଉଥିଲେ । ➜
-
(ଙ) ମୁଁ ଆପଣଙ୍କୁ କଥା ଦେଉଛି, ଆଜିଠାରୁ ଏହି ଅଞ୍ଚଳରେ ଆଉ କେହି କୌଣସି ପ୍ରାଣୀଙ୍କୁ ଶିକାର କରିବେ ନାହିଁ । ➜
ପାଠରୁ ଆଗକୁ
୧. ନିମ୍ନରେ କିଛି ଚିତ୍ର ଦିଆଯାଇଛି । ସେଗୁଡ଼ିକୁ ଦେଖ ଏବଂ ଏହି ଚିତ୍ର ମଧ୍ୟରୁ ପଶୁ-ପକ୍ଷୀଙ୍କ ପାଇଁ କ’ଣ କରିପାରିବା ତାହା ଦଳରେ ଆଲୋଚନା କର । ଏଗୁଡ଼ିକ ବ୍ୟତୀତ ତୁମେମାନେ ଆହୁରି କିଛି ଅଧିକ ଚିତ୍ର ସହ କଥା ଯୋଡ଼ିପାରିବ ।
[ଚିତ୍ର ବର୍ଣ୍ଣନା ଛଅଟି ପ୍ୟାନେଲ:
୧. ପାହାଡ଼ିଆ କୁଡ଼ିଆ ଘର ।
୨. ଗଧ ପିଠିରେ ବୋଝ ନେଇ ଯିବା ।
୩. ରାଜା ଓ ସୈନ୍ୟ ଗଧ-କୁକୁର ସହ ଯିବା ।
୪. ପୋଷା କୁକୁର ।
୫. ମରୁଭୂମିରେ ଲୋକଙ୍କୁ ପାଣି ଦେବା ।
୬. ସନ୍ନ୍ୟାସୀ ଲୋକଙ୍କୁ ସାହାଯ୍ୟ/ଭିକ୍ଷା ଦେବା ।]
୨. ତୁମ ଘରେ କେଉଁସବୁ ଗୃହପାଳିତ ପଶୁ ଓ ପକ୍ଷୀ ରହନ୍ତି ? ଏମାନଙ୍କ ବ୍ୟତୀତ ଆଉ କେଉଁମାନଙ୍କୁ ଘରେ ପାଳନ କରାଯାଏ, ତା’ର ଏକ ତାଲିକା ପ୍ରସ୍ତୁତ କର ।
୩. ପାଖରେ ଥିବା ପଶୁପାଳନକେନ୍ଦ୍ର ବା ଗୋଶାଳାକୁ ଭ୍ରମଣ କର । ସେଠାରେ ପଶୁପାଳନ କିପରି କରାଯାଏ ତାହା ଆଲୋଚନା କର । ଏଥିପାଇଁ ତୁମେ ଶିକ୍ଷକ ଅଭିଭାବକ ତଥା ପିତାମାତାଙ୍କର ସାହାଯ୍ୟ ନେଇପାରିବ ।
କଳ୍ପନାର ଉଡ଼ାଣ
[ଚିତ୍ର ବର୍ଣ୍ଣନା: କାନ୍ଧରେ ଭାର ଧରିଥିବା ବୃଦ୍ଧ ସନ୍ନ୍ୟାସୀ ମେକରଣଙ୍କ ପ୍ରତିଛବି ।]
ଯେତେବେଳେ ମୋତି ଆଉ ଲାଲା ଆଶ୍ରମରେ ପହଞ୍ଚିଯାଆନ୍ତି ସେତେବେଳେ ମେକରଣ ମୋତି ଆଉ ଲାଲାକୁ ବହୁତ ସ୍ନେହ କରନ୍ତି, ସେମାନଙ୍କ ସହିତ କଥାବାର୍ତ୍ତା ହୁଅନ୍ତି । ଯଦି ମୋତି ଆଉ ଲାଲା କଥାବାର୍ତ୍ତା କରିପାରୁଥା’ନ୍ତେ, ତୁମେ କଳ୍ପନା କର, ମୋତି ଓ ଲାଲା ମେକରଣଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥା’ନ୍ତେ ?
କାହାଣୀର ଅଭିନୟ
ତୁମେମାନେ ‘ଯେ ଥାଏ ପର ଉପକାରେ’ କାହାଣୀଟିକୁ ପଢ଼ିଲ । ଏବେ ଏହି କାହାଣୀକୁ ନାଟ୍ୟରୂପ ଦିଅ । ତାକୁ ନେଇ ଶ୍ରେଣୀରେ ସାଙ୍ଗମାନଙ୍କ ସହିତ ମିଶି ଅଭିନୟ ମାଧ୍ୟମରେ ପରିବେଷଣ କର ।
ଧନ୍ଦା/ପହେଳିକୁ ବୁଝ
(୧)
ଗଛର ଡାଳରେ ମୁଁ ଲୁଚିଥାଏ,
ଗୀତ ଗାଇ ସବୁ ମନକୁ ମୋହେ ।
ରଙ୍ଗ ମୋର କଳା ମୁଁ କଳାକାର,
କହିଦିଅ ଏବେ ନାମ ମୋହର ।
(୨)
ଜଳସ୍ଥଳ ଅଟେ ମୋହରି ଘର,
ମଠୁଆ ମୁଁ ଭାରି ଗତି ମନ୍ଥର ।
ବିପଦ ଆସିଲେ ମୁଁ ଜାଣିପାରେ,
ଲୁଚିଯାଏ ମୁହିଁ ଖୋଳ ଭିତରେ ।
କହିଲ ଦେଖି,
କିଏ ଦେବ ମୋର ନାମଟି ଲେଖି ।
(୩)
କାଠରେ ତିଆରି ମୋହରି ଦେହ,
ଜଳେ ଗତି କରେ ନୁହେଁ ଅଥୟ ।
କୋଳେ ଧରିଥାଏ ସବୁ ଆବୋରି,
ମୋ ନାମଟି କୁହ କରେ ମୁଁ ପାରି ।
(ଉତ୍ତର: ୧-କୋଇଲି, ୨-କଇଁଛ, ୩-ଡଙ୍ଗା / ନାଆ)
ଗୋଲକ ଧନ୍ଦା
[ଚିତ୍ର ବର୍ଣ୍ଣନା: ପୋଷ୍ଟମ୍ୟାନ୍ ଚିଠିବାକ୍ସ ପାଖରେ ଚିଠି ପକାଉଛନ୍ତି ଏବଂ ଡାହାଣ ପାଖରେ ଶବ୍ଦକୋଠରୀ ପଜଲ୍ ସହିତ ସାଧୁ ମେକରଣ, ଗଧ ଓ କୁକୁରଙ୍କ ଚିତ୍ର ରହିଛି ।]
ପ୍ରିୟବ୍ରତ ମୋତି ଓ ଲାଲା ବିଷୟରେ ଜାଣିବାପାଇଁ ସେମାନଙ୍କୁ ପାଳନ କରୁଥିବା ମେକରଣଙ୍କୁ ଚିଠି ଲେଖିଲେ । ମହିଳା ପୋଷ୍ଟମ୍ୟାନ୍ ସେହି ଚିଠିଟି ମେକରଣଙ୍କୁ ଦେବାକୁ ଚାହୁଁଛନ୍ତି । ତୁମେମାନେ ଏହି ଗୋଲକର ଧନ୍ଦାକୁ ସମାଧାନ କଲେ ପୋଷ୍ଟମ୍ୟାନ୍ ଜଣକ ମେକରଣଙ୍କ ପାଖରେ ପହଞ୍ଚିପାରିବ ।
ଶବ୍ଦ ଧନ୍ଦାରେ ଥିବା ପଦଗୁଡ଼ିକ:
- ମରୁଭୂମି
- ସନ୍ନ୍ୟାସୀ
- ଗୁରୁଦେବ
- କୁକୁର
- ଦତ୍ତାତ୍ରେୟ
- ମେକରଣ
- ଶିକାର
- କଚ୍ଛଭୂମି
- ସ୍ତମ୍ଭୀଭୂତ
- ଥରଥର
ପାଠାଗାର ଓ ଅନ୍ୟ ଉତ୍ସ
୧. ‘ଯେ ଥାଏ ପର ଉପକାରେ’ ଗପଟି ଗୁଜୁରାଟର କଚ୍ଛ ଉପକୂଳ ଅଞ୍ଚଳର ଲୋକକଥା । ଏହିଭଳି ବିଭିନ୍ନ ଅଞ୍ଚଳରେ କିଛି କିଛି ଲୋକକଥା ରହିଅଛି । ତୁମେ ପାଠାଗାରକୁ ଯାଇ ତୁମ ପ୍ରିୟ ଅଞ୍ଚଳର ଲୋକକଥା ସଂଗ୍ରହ କର । ତାକୁ ପଢ଼ି ବନ୍ଧୁମାନଙ୍କ ମେଳରେ ଚର୍ଚ୍ଚା କର ।
୨. ତୁମ ଅଞ୍ଚଳରେ ମଧ୍ୟ କିଛି ଲୋକକଥା ରହିଅଛି । ସେ ସବୁ ପୁରୁଣା ଲୋକମାନଙ୍କୁ ଜଣାଅଛି । ତୁମେ ତୁମ ଅଜାଆଈ କିମ୍ବା ଜେଜେ ଜେଜେମାଆଙ୍କଠାରୁ କିଛି ଲୋକକଥା ସଂଗ୍ରହ କର । ପାରୁଛ ତ ଖାତାଟିଏ କରି ଲେଖି ରଖ ।
ତୁମ ପଢ଼ିବାପାଇଁ
ଗଛଟିଏ ମୁଁ ଗଛଟିଏ
ପିଉସୀଙ୍କ ବଗିଚାରେ ଗଛଟିଏ ଥିଲା । ସେହି ଗଛ ଉପରେ ଗୁଣ୍ଡୁଚିମୂଷାକୁ ଦେଖି ମୁଁ ପଚାରିଲି, “ପିଉସୀ ! ତୁମେ ଏଇ ଗୁଣ୍ଡୁଚିମୂଷାକୁ କେଉଁଠୁ କିଣିଲ ? ମୁଁ ବି ନେବି । ତାକୁ ପାଳିବି ।”
ପିଉସୀ କହିଲେ, “ମୋ ବଗିଚାରେ ଗଛ ଅଛି । ଗଛ ଥିବାରୁ ଗୁଣ୍ଡୁଚିମୂଷା ଆପଣାଛାଏଁ ଆସି ଯାଉଛି । ଗଛ ଉପରକୁ ଦେଖ, ପକ୍ଷୀମାନେ ବସିଛନ୍ତି । ସେହି ପକ୍ଷୀମାନଙ୍କୁ ମୁଁ ପାଳିନାହିଁ । ଗଛ ଥିବାରୁ ସେମାନେ ଆସିଯାଉଛନ୍ତି । ତୁ ନିଜ ଘରର ବଗିଚାରେ ଗଛ ଲଗାଇଦେ, ତାହାହେଲେ ଗୁଣ୍ଡୁଚିମୂଷା ଆସିବେ । ପକ୍ଷୀମାନେ ବି ଆସିବେ । ଗଛ ଛାଇରେ ତୋତେ ଖେଳିବାକୁ ଭଲ ଲାଗିବ ।”
ହଁ ପିଉସୀ, ଆମ ଗୁରୁମା’ ଦିନେ କହୁଥିଲେ, ଗଛ ପରା କିମିଆଁ ଜାଣେ । ସେହି ମର୍ମରେ ସେ ଆମକୁ ଗୀତଟିଏ ଗାଇ ଶୁଣାଇଥିଲେ-
‘ଗଛଟିଏ ମୁଁ ଗଛଟିଏ ତୁମରି ଘରର ପିଲାଟିଏ ।
ଭଲ କରି ମୋର ଯତନ ନେବ
ପଣାପାଣି ଦେଇ ବଢ଼ାଉଥିବ
ବଡ଼ ହେଲେ ତୁମ ଋଣ ଶୁଝିଦେବି,
ରଖିବ ମୋ ଛୋଟ କଥାଟିଏ ।
ସେବାଯତନରେ ପାଳିଲେ ମୋତେ,
ଫୁଲଫଳ ଦେବି ତୁମରି ହାତେ
ଖରାବରଷାକୁ ଡରିବି ନାହିଁ, ଛାତପରି ଦେବି ତୁମକୁ ଛାଇ ।
ଅଙ୍ଗାରକାମଳ ବିଷ ପିଇବି, ଅମ୍ଳଜାନ ମଧୁ ପରଶି ଦେବି ।
ଖାଦ୍ୟ ରାନ୍ଧିବାଢ଼ି ଆଲୋକ ଦେବି ଯୁଗଯୁଗ ଧରି ସେବା କରିବି,
ତୁମ ଓଠେ ହେବି ହସଟିଏ, ଗଛଟିଏ ମୁଁ ଗଛଟିଏ ।’
‘ଆରେ ବାଃ ! ସୁନ୍ଦର କବିତାଟିଏ, ପ୍ରକୃତରେ ତୁ ଜାଣିଥା- ଗଛ ବି କଥା କହେ । ତେଣୁ ଆଗ ଗଛ, ଆଉ ସବୁ ପଛ ।’