ଭାରତବର୍ଷର ଗୁଜୁରାଟ ରାଜ୍ୟ ଅନ୍ତର୍ଗତ କଚ୍ଛ ଅଞ୍ଚଳରେ ସାଧୁ ମେକରଣ ଜନ୍ମଗ୍ରହଣ କରିଥିଲେ । ସେ ଗୁରୁ ଦତ୍ତାତ୍ରେୟଙ୍କର ଜଣେ ନିଷ୍ଠାପର ଶିଷ୍ୟ ଥିଲେ । ଗିରିନାର ପର୍ବତର ପାଦଦେଶରେ ଥିବା ଘଞ୍ଚ ଜଙ୍ଗଲରେ ସେ କନ୍ଦମୂଳ ଖାଇ ଓ ଝରଣା ପାଣି ପିଇ ବାରବର୍ଷ ଧରି କଠୋର ତପସ୍ୟା କରିଥିଲେ । ତପସ୍ୟା ସରିବା ପରେ ଗୁରୁଙ୍କ ଉପଦେଶ ଅନୁସାରେ ସେ ନିଜ ଜନ୍ମମାଟି କଚ୍ଛଭୂମିକୁ ଫେରିଆସିଲେ । କଚ୍ଛର ବିସ୍ତୀର୍ଣ୍ଣ ମରୁଭୂମିରେ ପାଣି ନ ପାଇ କଲବଲ ହେଉଥିବା ପଥକମାନଙ୍କୁ ଦୁଇଟି ତୁମ୍ବୀରେ ପାଣି ବୋହି ପିଇବାକୁ ଦେବା ହିଁ ତାଙ୍କ ଜୀବନର ମୁଖ୍ୟ ବ୍ରତ ହୋଇଗଲା । ସେ ସେଠାରେ ବାଲିମାଟିରେ ଏକ ଛୋଟ କୁଡ଼ିଆ ଘର ତିଆରି କରି ରହିଲେ ଏବଂ ପ୍ରତିଦିନ ଭାର ସାହାଯ୍ୟରେ ପାଣି ବୋହି ନେଇ ଶୋଷିଲା ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବାକୁ ଲାଗିଲେ ।

କ୍ରମେ ସାଧୁ ମେକରଣ ବାର୍ଦ୍ଧକ୍ୟରେ ପହଞ୍ଚିବା ପରେ ଆଉ ନିଜେ କଠିନ ପରିଶ୍ରମ କରିପାରିଲେ ନାହିଁ । ତେଣୁ ସେ ଗୋଟିଏ କୁକୁର ‘ମୋତି’ ଏବଂ ଗୋଟିଏ ଗଧ ‘ଲାଲା’ଙ୍କୁ ପାଳନ କଲେ । ସେ ଗଧ ପିଠିରେ ପାଣିଭର୍ତ୍ତି ତୁମ୍ବୀ ଓ ପାଣି କାଢ଼ିବା ପାଇଁ ଡବା ଓହଳାଇ ଦେଉଥିଲେ । କୁକୁର ମୋତି ଆଗେ ଆଗେ ବାଟ ଦେଖାଇ ଯାଉଥିଲା ଏବଂ ଲାଲା ତା’ ପଛେ ପଛେ ଚାଲୁଥିଲା । ଯେଉଁଠି ପଥକମାନେ ପାଣି ବିନା ଛଟପଟ ହେଉଥିଲେ, ଏହି ଦୁଇ ପଶୁ ସେଠାରେ ପହଞ୍ଚି ସେମାନଙ୍କୁ ପାଣି ଯୋଗାଉଥିଲେ । ଗାଁ ଦୋକାନରୁ ଦରକାରୀ ଜିନିଷ ଆଣିବାରେ ମଧ୍ୟ ଏମାନେ ସାଧୁଙ୍କୁ ସାହାଯ୍ୟ କରୁଥିଲେ । ସାଧୁ ମେକରଣ ଭିକ୍ଷାରୁ ମିଳୁଥିବା ଖାଦ୍ୟରୁ ଦୁଇଭାଗ ମୋତି ଓ ଲାଲାକୁ ଦେଉଥିଲେ ଏବଂ ଗୋଟିଏ ଭାଗ ନିଜେ ଖାଉଥିଲେ । କୌଣସି ଭୋକିଲା ଯାତ୍ରୀ ଆସିଲେ ସେ ନିଜ ଭାଗ ଖାଦ୍ୟ ତାଙ୍କୁ ଖୁସିରେ ଦେଇ ପରମ ତୃପ୍ତି ଲାଭ କରୁଥିଲେ ।

ଦିନେ କଚ୍ଛ ରାଜ୍ୟର ରାଜା ଶିକାର କରିବା ପାଇଁ ମରୁଭୂମିକୁ ଆସିଲେ । ସେଠାରେ ହିଂସ୍ରଜନ୍ତୁଙ୍କ ଭୟ ଥିବା ସତ୍ତ୍ୱେ ମୋତି ଓ ଲାଲାଙ୍କୁ ନିର୍ଭୟରେ ବୁଲୁଥିବାର ଦେଖି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ରାଜକର୍ମଚାରୀଙ୍କଠାରୁ ସାଧୁ ମେକରଣଙ୍କ ମହାନ ପରୋପକାର ସମ୍ପର୍କରେ ଜାଣିବା ପରେ ରାଜା ତାଙ୍କ କୁଡ଼ିଆକୁ ଗଲେ । ସେତେବେଳେ ପ୍ରବଳ ଶୀତ ହେଉଥିବାରୁ ରାଜା ନିଜ କାନ୍ଧରୁ ଏକ ମୂଲ୍ୟବାନ ମଣିମୁକ୍ତା ଖଚିତ ଚଦର ସାଧୁଙ୍କୁ ଘୋଡ଼ାଇ ଦେଲେ । ମାତ୍ର ସାଧୁ ନିଜ ଶରୀର ଶୀତ ସହିବାରେ ଅଭ୍ୟସ୍ତ ବୋଲି କହି ଏହାକୁ ଅନ୍ୟ କୌଣସି ଦୁଃଖୀ ଲୋକଙ୍କୁ ଦାନ କରିବା ପାଇଁ ଫେରାଇଦେଲେ । ଏହାପରେ ରାଜାଙ୍କ ଅନୁରୋଧ କ୍ରମେ ସାଧୁ ମେକରଣ କଚ୍ଛ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରସ୍ତାବ ଦେଲେ । ରାଜା ସାଧୁଙ୍କ କଥା ରକ୍ଷା କରି ସେହିଦିନଠାରୁ ସେଠାରେ ଶିକାର ନିଷିଦ୍ଧ କଲେ । ଫଳରେ ସେଠାରେ ବନ୍ୟପ୍ରାଣୀମାନେ ନିର୍ଭୟରେ ବିଚରଣ କଲେ । ଏହିପରି ଭାବରେ ସାଧୁ ମେକରଣଙ୍କ ନିଃସ୍ୱାର୍ଥପର ସେବା ଓ ଜୀବଦୟା ସମଗ୍ର ମାନବ ସମାଜ ପାଇଁ ଏକ ମହାନ ଉଦାହରଣ ହୋଇ ରହିଛି ।