ଚତୁର୍ଥ ପାଠ
ପାଠ-୪
ଶୈଶବର କଥା
ଫକୀର ମୋହନ ସେନାପତି
(ଚିତ୍ର ବର୍ଣ୍ଣନା: ଜଣେ ଯୁବକ ଫକୀର ମୋହନ ସେନାପତିଙ୍କ ରଙ୍ଗୀନ ଆଲେଖ୍ୟ/ପ୍ରତିକୃତି।)
୧୮୪୩ ଖ୍ରୀଷ୍ଟାବ୍ଦର ଜାନୁୟାରି ମାସରେ ଅଥବା ସନ ୧୨୫୦ ସାଲ ମକରସଂକ୍ରାନ୍ତି ଶୁକ୍ରବାର ଦିନ ବାଲେଶ୍ଵର ସହରର ମଲ୍ଲିକାଶପୁର ନାମକ ଗ୍ରାମରେ ମୋହର ଜନ୍ମ । ମାତାଙ୍କର ନାମ ତୁଳସୀ ଦେଈ, ପିତାଙ୍କର ନାମ ଲକ୍ଷ୍ମଣ ଚରଣ ସେନାପତି ।
ଶୁଣିଛି ଜନ୍ମମାତ୍ର ମୋ’ ଡେବିରି କାନ ଉପର ପୁଡ଼ା ଫୁଟାଇ ଗୋଟିଏ ସୁନା ଫାଶିଆ ପିନ୍ଧାଇ ଦିଆଯାଇଥିଲା । ମୋହର ଗୋଟିଏ ବଡ଼ ଭାଇ ଥିଲେ, ନାମ ଚୈତନ୍ୟ ଚରଣ । ମୋ ଜନ୍ମ ପୂର୍ବେ ସେ ପରଲୋକ ପ୍ରାପ୍ତ ହୋଇଥିଲେ । ଲୋକଙ୍କର ସଂସ୍କାର ଥିଲା, ବଡ଼ ପୁଅ ମରିଥିଲେ, ତାହାର ତଳପୁଅ ଜନ୍ମମାତ୍ର, ସେହି ପୁତ୍ରର କାନ ଫୋଡ଼ାଇ ଦେଲେ, ଯମ ତା’କୁ ଅଗ୍ରାହ୍ୟ କରି ଘେନିଯାଏ ନାହିଁ । ବାଲ୍ୟକାଳରେ ମୁଁ ଏ ପ୍ରକାର ଶତଶତ କାନଫୁଡ଼ା ଦେଖିଛି ।
ମୋହର ଏକ ବର୍ଷ ପାଞ୍ଚମାସ ବୟସ ସମୟରେ ପିତୃଦେବ ଜଗନ୍ନାଥଦେବଙ୍କ ରଥଯାତ୍ରା ଦର୍ଶନ ସକାଶେ ପୁରୀ ଯାତ୍ରା କରିଥିଲେ; ବାହୁଡ଼ା ସମୟରେ ଭୁବନେଶ୍ୱରଠାରେ ଓଲାଉଠା ରୋଗରେ ଲୋକାନ୍ତର ପ୍ରାପ୍ତ ହେଲେ । ସଙ୍ଗୀଯାତ୍ରୀ ଥିଲେ ଗ୍ରାମସ୍ଥ କେତେଜଣ ଲୋକ ଓ ତାହାଙ୍କର ଜନନୀ (ମୋ ଠାକୁର ମା’) । ଠାକୁର ମା’ଙ୍କ ପାଖରୁ ଶୁଣିଛି ଯେ ଭୁବନେଶ୍ଵର ମନ୍ଦିର ସମୀପସ୍ଥ ବିନ୍ଦୁସାଗର ପୁଷ୍କରିଣୀର ପଥରଘାଟ ଉପରେ ବାବା ପ୍ରାଣତ୍ୟାଗ କଲେ । ତାଙ୍କର ପରଲୋକ ଗମନ ସମ୍ବାଦ ଶୁଣି, ଗ୍ରାମସ୍ଥ ଲୋକେ କାନ୍ଦିବାକୁ ଲାଗିଲେ । ବାବାଙ୍କର ଗୋଟିଏ ପୋଷା କୁକୁର ଥିଲା । ସେ ମଧ୍ୟ ଲୋକମାନଙ୍କ ସହିତ ମିଶି ରଡ଼ି କରିବାକୁ ଲାଗିଲା । ଲୋକମାନେ ତୁନି ହେଲେ, ମାତ୍ର ସେ ନିବୃତ୍ତ ହେଲାନାହିଁ । ବାବା ଯେଉଁଯେଉଁ ସ୍ଥାନକୁ ଯାଉଥିଲେ, ଗ୍ରାମରେ ଯେଉଁଯେଉଁ ସ୍ଥାନରେ ବସୁଥିଲେ, ସେହି ସମସ୍ତ ସ୍ଥାନକୁ ବାରମ୍ବାର ଯାଇ ଶୁଙ୍ଘି ଆସେ, ଆଠଦିନ ପର୍ଯ୍ୟନ୍ତ ଅନାହାରରେ ରହି ମରିଗଲା ।
(ଚିତ୍ର ବର୍ଣ୍ଣନା: ଭୁବନେଶ୍ୱରର ବିନ୍ଦୁସାଗର ପୁଷ୍କରିଣୀ ଘାଟରେ ଜଣେ ବ୍ୟକ୍ତି ଶୋଇଥିବାର ଏବଂ ପଛପଟେ ମନ୍ଦିର ଦୃଶ୍ୟମାନ ହେବାର ଚିତ୍ର।)
ବାବାଙ୍କର ମୃତ୍ୟୁ ସମ୍ବାଦ ଶୁଣି, ମାଆ ଯେଉଁ ଶଯ୍ୟା ଗ୍ରହଣ କଲେ, ସେଥିରୁ ଆଉ ସେ ଉଠିନାହାନ୍ତି । ଚଉଦ ମାସ ପର୍ଯ୍ୟନ୍ତ ଶାରୀରିକ ଏବଂ ମାନସିକ ଘୋର ଯନ୍ତ୍ରଣା ଭୋଗକରି ସନ ୧୨୫୨ ସାଲ ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିବସରେ ପ୍ରାଣତ୍ୟାଗ କଲେ ।
ମୁଁ ସେହିଦିନଠାରୁ ନିତାନ୍ତ ଅସହାୟ ହେଲି । ମୋର ସମବୟସ୍କ, ସହାୟସମ୍ପନ୍ନ, ବହୁ ପରିମାଣରେ ସୁସ୍ଥ ଶରୀର, ବଳିଷ୍ଠ ଓ ସୌଭାଗ୍ୟବାନ ଅନେକ ପୁରୁଷ ପୃଥିବୀ ତ୍ୟାଗକରି ଚାଲିଯାଇଅଛନ୍ତି । ଅଥଚ ମାତୃ ପିତୃହୀନ, ଚିରରୋଗୀ ମୁଁ ଜୀବନକାଳରେ ବିବିଧ ପ୍ରକାର ଭୟଙ୍କର ବିପଦ–ସଙ୍କୁଳ ଅବସ୍ଥା ଅତିକ୍ରମ କରି ସମ୍ପ୍ରତି ଜରାଜୀର୍ଣ୍ଣ ଦୁର୍ବଳ ହସ୍ତରେ ମୋହର ଦୀର୍ଘଜୀବନର ଅସାର ଚରିତ ଲେଖିବାକୁ ବସିଅଛି । ଏହା କାହାର ଆଦେଶ, କାହାର ଅନୁଗ୍ରହ ଓ ସହାୟତା ? ଗୋଟିଏ କ୍ଷୁଦ୍ରତମ ଦୂର୍ବାଦଳର ସୃଷ୍ଟି ମଧ୍ୟ ଉଦ୍ଦେଶ୍ୟବିହୀନ ନୁହେଁ । କିଛି ଉଦ୍ଦେଶ୍ୟ ସାଧନ ସକାଶେ ଭଗବାନ ମୋତେ ଏତେକାଳ ଜୀବିତ ରଖାଇ ଅଛନ୍ତି ।
(ଚିତ୍ର ବର୍ଣ୍ଣନା: ଜଣେ ଅସୁସ୍ଥ ଶିଶୁ ଖଟ ଉପରେ ଶୋଇଛି ଏବଂ ତା’ର ଜେଜେମା (ଠାକୁରମା) ତା’ ପାଖରେ ବସି ସ୍ନେହରେ ସେବା ଶୁଶ୍ରୂଷା କରୁଛନ୍ତି।)
ପିତାମାତାଙ୍କ ବିୟୋଗ ଉତ୍ତାରେ, ଯେମନ୍ତ ପ୍ରଭୁଙ୍କ ଆଦେଶରେ, ପିତାମହୀ କୁଚିଳା ଦେଈ ମୋତେ କୋଳକୁ ଉଠାଇ ନେଲେ । ଦେଶରେ ପ୍ରବାଦ ଅଛି– ‘ପାଳେ ତ ବାପର ମା, ପାଳେ ତ ମାଆର ମା ।’ ମୋ ଜୀବନରକ୍ଷା ନିମନ୍ତେ ଠାକୁରମା ଯେତେ ଯତ୍ନ, ଯେତେ ଦାରୁଣ ଯନ୍ତ୍ରଣା ଭୋଗ କରିଛନ୍ତି, ବର୍ତ୍ତମାନ ଛାୟାରୂପେ ସେ ସବୁ କଥା ମୋ ମନରେ ଉଦିତ ହେଲେ ପ୍ରାଣ ଆକୁଳ ହୋଇଉଠେ । ହାୟ ! ସେ ଉପକାରରେ ମୁଁ କିଛି ହିଁ ପ୍ରତିଦାନ କରି ପାରିନାହିଁ ।
ଜନନୀଙ୍କ ପରଲୋକ-ଗମନ ଉତ୍ତାରେ ସାତ-ଆଠ ବର୍ଷ ପର୍ଯ୍ୟନ୍ତ ଗ୍ରହଣୀ, ଅର୍ଶ ପ୍ରଭୃତି ଯନ୍ତ୍ରଣାଦାୟକ ରୋଗରେ ଶଯ୍ୟାଗତ ହୋଇପଡ଼ିଥିଲି । ଠାକୁର ମା ଦିବାନିଶି ମୋ ଶଯ୍ୟାପାଖରେ ଜଗି ବସିଥାନ୍ତି । ମାସକ ଉତ୍ତାରେ ମାସ, ବର୍ଷକ ଉତ୍ତାରେ ବର୍ଷ– କେତେ କାଳ ଏହି ଭାବରେ ବହିଯାଇଛି । ଅନିଦ୍ରା, ଅନାହାରରେ ଠାକୁରମା ସେ ସମୟରେ କେତେ ଦିବାନିଶି କାଟିଛନ୍ତି । ଯେମନ୍ତ ମୃତ୍ୟୁ ମୋହର ଗୋଟାଏ ହାତ ଏବଂ ଠାକୁରମା ଅନ୍ୟ ହାତ ଧରି ଟାଣୁଥାନ୍ତି । ଶେଷରେ ଠାକୁରମା ଜୟୀ ହେଲେ ଏବଂ ମୁଁ ନିରାମୟ ହେବାକୁ ଲାଗିଲି ।
ମୋହର ପୀଡ଼ା ସମୟରେ ଠାକୁରମା ମୋ ଶଯ୍ୟାରେ ବସି, କରଯୋଡ଼େ ଜଗତର ଯାବତୀୟ ଦେବ ଦେବୀଙ୍କ ଠାରେ ମୋହର ପ୍ରାଣ ଭିକ୍ଷା କରୁଥିଲେ । ବାଲେଶ୍ଵରରେ ଦୁଇ ପୀର ଥିଲେ । ଶେଷରେ ଠାକୁରମା ସେହି ଦୁଇ ପୀରଙ୍କୁ ଧରି ବସିଲେ । ସେମାନଙ୍କଠାରେ ସେ ମାନତା କଲେ, “ମୋ ପିଲା ବ୍ରଜ ଭଲ ହୋଇଗଲେ, ମୁଁ ତାହାକୁ ତୁମ୍ଭମାନଙ୍କର ଫକୀର ବା ଗୋଲାମ କରିଦେବି ।” ପ୍ରଥମେ ମୋହର ନାମ ରଖାଯାଇଥିଲା- ବ୍ରଜମୋହନ ! ଠାକୁରମା ମୋ ନାମ ରଖିଲେ- ଫକୀର ! ପୀରମାନଙ୍କ ମନୋତୁଷ୍ଟି ସକାଶେ ଠାକୁରମା ଏହି ପଠାଣିଆ ନାମ ରଖିଥିଲେ ।
(ଚିତ୍ର ବର୍ଣ୍ଣନା: ଗଛ ତଳେ ଚାଟଶାଳୀ ବା ଚାହାଳୀରେ ଅବଧାନେ ଚୌକିରେ ବସି ବାଡ଼ି ଧରିଛନ୍ତି ଏବଂ ତଳେ ବସି ପିଲାମାନେ ପାଠ ପଢୁଛନ୍ତି।)
ରୋଗ ଛାଡ଼ିଗଲା– ମୁଁ ବଞ୍ଚିଗଲି । ମାତ୍ର ଠାକୁରମା ସର୍ବସ୍ଵ ତ୍ୟାଗକରି ମୋତେ ପୀରମାନଙ୍କୁ ଦେଇପାରିଲେ ନାହିଁ; କେବଳ ପ୍ରତିବର୍ଷ ମହରମ ସମୟରେ ଆଠଦିନ ସକାଶେ ମୋତେ ଫକୀର କରି ଦେଉଥିଲେ । ସେହି କେତେଦିନ ମୁଁ ଫକୀରୀ ପୋଷାକ ପିନ୍ଧି ରହିଥାଏଁ- ଆଣ୍ଠୁଯାଏଁ ଗୋଟିଏ ଜଙ୍ଘିଆ, ଦେହରେ ନାନା ରଙ୍ଗକନାରେ ତିଆରି ଗୋଟିଏ ଚପକନ୍, ମୁଣ୍ଡରେ ଫକୀରୀ ଟୋପି, କାନ୍ଧରେ ନାନାରଙ୍ଗ ମିଶ୍ରିତ ଗୋଟାଏ ଝୁଲି ଏବଂ ହାତରେ ଜଉମଡ଼ା ଲାଲରଙ୍ଗର ଗୋଟାଏ ବାଡ଼ି । ସେହି ପୋଷାକ ପିନ୍ଧି ମୁହଁରେ ଫୁଲଖଡ଼ି ବୋଳିହୋଇ ସକାଳେ, ଉପରଓଳି ଗ୍ରାମ ମଧ୍ୟରେ ଘରେଘରେ ଭିକ ମାଗି ବୁଲେ । ସନ୍ଧ୍ୟା ସମୟରେ ସେହି ସମସ୍ତ ଚାଉଳ ବିକ୍ରୀ କରି ଯେତେ ପଇସା ମିଳେ, ପୀରମାନଙ୍କ ସିର୍ନି ସକାଶେ ସେ ସବୁ ପଠାଇ ଦିଆଯାଏ ।
ଚାଟଶାଳୀରେ ପଢ଼ାରମ୍ଭ ସମୟକୁ ମୋହର ପ୍ରାୟ ନଅ ବର୍ଷ ବୟସ ହୋଇଥିଲା । ସହର ମଧ୍ୟସ୍ଥ ପ୍ରତ୍ୟେକ ବଡ଼ ଗ୍ରାମରେ, ଗ୍ରାମ ସାନ ଥିଲେ ଦୁଇତିନିଟା ଗ୍ରାମରେ, ଗୋଟିଏ ଗୋଟିଏ ଚାଟଶାଳୀ ଥିଲା । ଅବଧାନମାନେ ଚାହାଳୀ ବସାଇ ଚାଟମାନଙ୍କୁ ପଢ଼ାଉଥିଲେ ।
ଚାଟଶାଳୀରେ ବେଆଇନ୍ କାର୍ଯ୍ୟ କିଛି ନ ଥିଲା । ସମସ୍ତ ନିୟମାବଦ୍ଧ । କାର୍ଯ୍ୟବିଧି ଲଙ୍ଘନକାରୀ ପ୍ରତି ଦଣ୍ଡ ଅନିବାର୍ଯ୍ୟ । ଅବଧାନଙ୍କର ଆଜ୍ଞା ବିନା କୌଣସି ଚାଟର ଉଠ ବସ ହେବାର ଆୟତ୍ତ ନ ଥିଲା ।
ପ୍ରତିଦିନ ଚାହାଳୀ ଛୁଟିବେଳେ ଚାଟମାନଙ୍କ ହାତରେ ‘ଶୂନଚାଟି’ ଦିଆଯାଏ । କେଉଁ ଚାଟ କେତେବେଳେ ଚାହାଳୀକୁ ଆସିଥିଲା, ତାହା ଆପେ ଅବଧାନେ ଏବଂ ବଡ଼ ଚାଟ, ଅର୍ଥାତ୍ ଯେଉଁ ଚାଟ ସମସ୍ତଙ୍କଠାରୁ ବେଶି ପଢ଼ିଥାଏ, ମନରେ ରଖିଥାନ୍ତି । ଚାହାଳୀ ଭାଙ୍ଗିବାବେଳେ ଚାଟମାନେ ଦୁଇ ହାତ ପାପୁଲି ଯୁକ୍ତଭାବରେ ମେଲାଇ ରଖି ଅବଧାନଙ୍କ ଆଡ଼କୁ ହାତ ବଢ଼ାଇ ଦେଇ, ଧାଡ଼ି ବାନ୍ଧି ଛିଡ଼ା ହୋଇଯାଆନ୍ତି । ଯେଉଁ ଚାଟ ସମସ୍ତଙ୍କ ଆଗେ ଆଗେ ଚାହାଳୀକୁ ଆସିଥାଏ, ତାହା ହାତ ପାପୁଲିରେ ଅବଧାନେ ବେତର ଅଗ ଛୁଆଇଁ ଦିଅନ୍ତି- ସେଟା ହେଲା ଶୂନ । ତହିଁ ଉତ୍ତାରେ ଦୁଇ, ତିନି କରି ଶେଷ ପର୍ଯ୍ୟନ୍ତ ଏକ ଏକ ସଂଖ୍ୟା ବଢ଼ି ଭିନ୍ନ ଭିନ୍ନ ଚାଟଙ୍କ ହାତରେ ବେତର ପାହାର ପଡ଼ୁଥାଏ, ଅର୍ଥାତ୍ ଉପସ୍ଥିତି ବିଷୟରେ ଯେ ଦ୍ଵିତୀୟ ତାହା ହାତରେ ଦୁଇଥର, ଯେ ତୃତୀୟ ତାହା ହାତରେ ତିନିଥର, ଯେ ଚତୁର୍ଥ ତାହା ହାତରେ ଚାରିଥର ବେତର ପାହାର ପଡ଼େ । ଏହି ବେତର ପାହାରର ବଳ ସବୁ ସମୟରେ ସମାନ ନୁହେଁ- ଟାଣ ଓ ଉଶ୍ଵାସ ଥାଏ । ଶୂନଚାଟି ଦେଲାବେଳେ ଅବଧାନେ ଚାଟ ମୁହଁକୁ ଅନାନ୍ତି । ଯେଉଁଠାରେ କୌଣସି ଜବାବଦିହି ହେବାର ସମ୍ଭାବନା ଥାଏ, ସେଠାରେ ବେତର ଆଣ୍ଟଟା କିଛି କୋହଳ ହୋଇଯାଏ; ଅନ୍ୟ ଚାଟଙ୍କ ହାତରେ ବେତର ଶବ୍ଦଟା ପଟାପଟ୍ ଶୁଭେ ।
କୌଣସି ଚାଟ ଯଦି ବେଶି ବେଳଯାଏ ଶୋଇପଡ଼େ ଏବଂ ବିଛଣାରୁ ଉଠି ମଝି ବାହାରେ ଚାଳ ଉପରେ ଖରା ପଡ଼ିଥିବାର ଦେଖେ, ତେବେ ସେ ଶୂନଚାଟି ଡରରେ ଚାହାଳୀକୁ ନ ଯାଇ; ନିରାପଦ ସ୍ଥାନ, ଅର୍ଥାତ୍ ହାଣ୍ଡିଶାଳରେ ପଶି ହାଣ୍ଡିଫନ୍ଦଟା ଧରି ବସି ପଡ଼େ । ହେଲେ, ସେ ଅବସ୍ଥାରେ ମଧ୍ୟ ତାହାର ରକ୍ଷା ନାହିଁ । ସ୍ୱଜାତୀୟ ଯୋଡ଼ାଏ ପୁଞ୍ଜାଏ ପିଲା ଲଙ୍ଗଳା ହୋଇପଡ଼ି, ହାଣ୍ଡିଶାଳରେ ପଶି ଅପରାଧୀକୁ ଧରି ଆଣି ଶୂନ୍ୟେଶୂନ୍ୟେ ଟେକି ଚାହାଳୀକୁ ଧରି ଘେନି ଯାଆନ୍ତି । ଚାହାଳୀରେ ଉପସ୍ଥିତ ମାତ୍ରେ ବିଚାରକ ଅବଧାନ ତାହା ପିଠିରେ କେତେଟା ପାହାର ବସାଇ ଦିଅନ୍ତି ।
ମୁଁ ଏହିପରି ଗୋଟିଏ ଚାହାଳୀରେ ପଢ଼ିବାକୁ ଆରମ୍ଭ କଲି । ସେଠାରେ ସକାଳେ ଖଡ଼ିପାଠ ହୁଏ ଏବଂ ଉପରଓଳି ପୋଥି ପଢ଼ା ହୁଏ । ପଢ଼ା ସରିଲେ, ଅନ୍ୟାନ୍ୟ ଚାଟମାନେ ଘରକୁ ଯାଆନ୍ତି; କିନ୍ତୁ ମୋତେ ଚାହାଳୀରେ ରହି ଅବଧାନଙ୍କର ସେବା ଏବଂ ତାଙ୍କ ରୋଷେଇରେ ସାହାଯ୍ୟ କରିବାକୁ ହୁଏ । ସେ ଅବଧାନଙ୍କ ନାମ- ବୈଷ୍ଣବ ମାହାନ୍ତି– ନିବାସ କଟକ ଜିଲ୍ଲା ।
ମୋର ବଡ଼ବାପା ପୁରୁଷୋତ୍ତମ ସେନାପତି ମୋ ପ୍ରତି ବଡ଼ ନିଷ୍ଠୁର ଥିଲେ । ମାସ ଶେଷରେ ଅବଧାନ ଦରମା ମାଗିବାକୁ ଗଲେ ବଡ଼ବାପା କହନ୍ତି, “ତୁମେ ତ ଫକୀରକୁ ପାଠ ପଢ଼ାଉନାହଁ, ଦରମା ମାଗୁଛ କ’ଣ ?” ଅବଧାନେ ଜବାବ ଦିଅନ୍ତି, “ମୁଁ ତ ଦିନରାତି ତାହାକୁ ପାଖରେ ବସାଇଛି, ଦଣ୍ଡେ ହେଲେ ଖେଳିବାକୁ, ବୁଲିବାକୁ ଛାଡୁନାହିଁ ।” ବଡ଼ବାପା କହନ୍ତି, “କାହିଁ ତା’ ପିଠିରେ ତ ଚିହ୍ନ ନାହିଁ ।” ଅବଧାନେ ବଡ଼ବାପାଙ୍କ ମନକଥା ଭଲକରି ବୁଝିଥିଲେ । ଚାହାଳୀରେ ମୁଁ ବସିଥିଲି, ଅକାରଣ ବେତଟା ଧରି ମୋ ପିଠିରେ ଦଶବାର ପାହାର ବାଡ଼େଇ ଗଲେ । ମାଡ଼ର ଶବ୍ଦ ଓ ମାଡ଼ର ଚିତ୍କାର ଶୁଣି ବଡ଼ବାପା ଓ ବଡ଼ମା ଭାରି ଖୁସୀ । କିନ୍ତୁ ଠାକୁରମା ଦଉଡ଼ି ଆସି କହନ୍ତି, “ଅବଧାନେ ତୁମ୍ଭର କି ପୁଅଝିଅ କେହି ନାହିଁ ? ଅକାରଣ ପିଲାଟାକୁ ବାଡ଼ୋଉଛ !” ପ୍ରତ୍ୟେକ ଥର ଅବଧାନଙ୍କ ଦରମା ଦେବାବେଳେ ଏହିପରି ଅଭିନୟ ହୋଇଥାଏ ।
କିଛିକାଳ ପରେ ବୈଷ୍ଣବ ମାହାନ୍ତି ତାଙ୍କ ଗ୍ରାମକୁ ଚାଲିଗଲେ । ଆମ୍ଭ ଗ୍ରାମରେ ନଣ୍ଡା ଗୋସାଇଁ ମଠରେ ଗୋଟାଏ ଚାହାଳୀ ଥିଲା । ମୁଁ ସେହି ଚାହାଳୀରେ ଭର୍ତ୍ତି ହେଲି । ସେଠାରେ ପ୍ରତିପଦ, ଅଷ୍ଟମୀ, ଚତୁର୍ଦ୍ଦଶୀ ଓ ଅମାବାସ୍ୟା ଏହି ତିଥିମାନଙ୍କରେ ଚାହାଳୀ ପଢ଼ା ବନ୍ଦ । ଏହି ତିଥିମାନଙ୍କରେ ଉପରଓଳି କେତେଜଣ ବଡ଼ ବଡ଼ ଚାଟପିଲା ମିଳି ଗ୍ରାମମଧ୍ଯରେ ସ୍ତ୍ରୀମାନଙ୍କ ପାଖରେ ବସି ଗୀତ ଗାଉଁ । ସେମାନେ ଚାଟଭିକ୍ଷା ଚାଉଳ ଦିଅନ୍ତି । ସେହି ଚାଉଳରେ ଅବଧାନଙ୍କର ଅନ୍ନ ବାଡ଼ଟା ଚଳିଯାଏ । କେବେକେବେ ଚାଉଳ ବଳି ପଡ଼ିଲେ, ଅବଧାନେ ବିକି ପଇସା ସଞ୍ଚନ୍ତି । ଚାଟଭିକ୍ଷା ଛାଡ଼ି ଆହୁରି ମଧ୍ୟ ଢେର ଚାଉଳ ଅବଧାନେ ପାଉଥିଲେ । କେହି ଚାଟ ନୂଆ ଗୋଟାଏ କିଛି ପାଠ ଆରମ୍ଭ କଲେ ଚାହାଳୀକୁ ଗୋଟିଏ ସିଧା ଆଣେ । ସିଧାର ସରଞ୍ଜାମ ହେଲା ସେରେ ଚାଉଳ, ଗୋଟିଏ ଗୁଆ, କିଛି ଗୁଡ଼ ଓ ଉଖୁଡ଼ା ଓ କେତେଟା ଫୁଲ ।
(ଚିତ୍ର ବର୍ଣ୍ଣନା: ଜଣେ ବ୍ୟକ୍ତି ପୋଥି ଧରି ଗୀତ/କଥା ପଢ଼ି ଶୁଣାଉଛନ୍ତି ଏବଂ ଚାରିଜଣ ମହିଳା ତଳେ ବସି ମନଯୋଗ ଦେଇ ଶୁଣୁଛନ୍ତି।)
ସେ ସମୟରେ ବାଲେଶ୍ଵରରେ ଗୋଟିଏ ପାର୍ଶି ଅବୈତନିକ ସ୍କୁଲ ଥିଲା । ଚାହାଳୀ ପାଠ ଶେଷକରି ମୁଁ ଆପେ ଯାଇ ସେଇ ସ୍କୁଲରେ ନାମ ଲେଖାଇ ପଢ଼ିବାକୁ ଆରମ୍ଭ କଲି । ସ୍କୁଲରେ ତିନିଜଣ ଆଖୁଞ୍ଜୀ ଓ ଜଣେ ଓଡ଼ିଆ ପଣ୍ଡିତ ନିଯୁକ୍ତ ଥିଲେ । ଓଡ଼ିଆ ପଣ୍ଡିତଙ୍କ ନାମ ବନମାଳି ବାଚସ୍ପତି । ବାପ, ଭାଇ ପ୍ରଭୃତିଙ୍କୁ କିପରି ଚିଠି ଲେଖିବାକୁ ହୁଏ, କଚେରୀରେ ଦରଖାସ୍ତ କିପରି ଲେଖିବାକୁ ହୁଏ, ପଣ୍ଡିତେ ଛାତ୍ରମାନଙ୍କୁ ଏତିକି ମାତ୍ର ଶିଖାନ୍ତି ।
-(ଫକୀରମୋହନଙ୍କ ଆତ୍ମଜୀବନୀ ‘ଆତ୍ମଚରିତ’ରୁ ସଂଗୃହୀତ)
ଆସ କଥା ହେବା
୧. ପିଲାଦିନେ ଲେଖକଙ୍କର କାନ ଫୋଡ଼ାଇ ଦିଆଗଲା କାହିଁକି ?
୨. ଲେଖକଙ୍କ ବାପା କିପରି ମୃତ୍ୟୁବରଣ କରିଥିଲେ ?
୩. ରୋଗ ଶଯ୍ୟାପାଖରେ ଠାକୁର ମାଆ ବସି କ’ଣ କରୁଥିଲେ ?
୪. ଲେଖକଙ୍କର ଫକୀରୀ ପୋଷାକ କିପରି ଥିଲା ?
ପାଠରୁ
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ( * ) ଚିହ୍ନ ଦିଅ ।
୧. ଫକୀରମୋହନ କେଉଁ ତିଥିରେ ଜନ୍ମଗ୍ରହଣ କରିଥିଲେ ?
(କ) ରଜ ସଂକ୍ରାନ୍ତିରେ ।
(ଖ) ମକରସଂକ୍ରାନ୍ତିରେ ।
(ଗ) ପଣାସଂକ୍ରାନ୍ତିରେ ।
(ଘ) ଧନୁସଂକ୍ରାନ୍ତିରେ ।
୨. ପୋଷାକୁକୁରଟି ଅନାହାରରେ ମରିଯିବାର କାରଣ କ’ଣ ?
(କ) ସେ ପାଗଳା ହୋଇଯାଇଥିଲା ।
(ଖ) ସେ କାନ୍ଦୁଥିଲା ।
(ଗ) ସେ ଲେଖକଙ୍କ ବାପାଙ୍କୁ ଝୁରୁଥିଲା ।
(ଘ) ସେ ବହୁତ ରଡ଼ି କରୁଥିଲା ।
୩. ଠାକୁରମା ଅନିଦ୍ରା ଅନାହାରରେ ସମୟ ବିତାଉଥିଲେ କାହିଁକି ?
(କ) ସେ ନିଜର ପୁଅକୁ ମନେ ପକାଇ କାନ୍ଦୁଥିଲେ ।
(ଖ) ସେ ଦିନରାତି ଲେଖକଙ୍କ ଶଯ୍ୟା ପାଖରେ ଜଗି ବସୁଥିଲେ ।
(ଗ) ସେ ନିଜେ ରୋଗିଣା ଥିଲେ ।
(ଘ) ସେ କାହାର କଥା ମାନୁ ନ ଥିଲେ ।
୪. ଅବଧାନ ଲେଖକଙ୍କୁ ବାଡ଼ାଉଥିଲେ କାହିଁକି ?
(କ) ଅବଧାନଙ୍କୁ ଦରମା ମିଳି ନ ଥିଲା ।
(ଖ) ବଡ଼ବାପାଙ୍କ ମନର କଥା ଭଲକରି ବୁଝି ଯାଇଥିଲେ ।
(ଗ) ସେ ଲେଖକଙ୍କୁ ଘୃଣା କରୁଥିଲେ ।
(ଘ) ଠାକୁରମାଆଙ୍କୁ ଡରୁଥିଲେ ।
ଭାବ ଓ ଲେଖ
ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ ।
୧. ଜନନୀଙ୍କର ମୃତ୍ୟୁ ପରେ ଲେଖକ କେତେବର୍ଷ ପର୍ଯ୍ୟନ୍ତ ରୋଗଶଯ୍ୟାରେ ପଡ଼ିଥିଲେ ?
୨. ଚାଟଶାଳୀରେ ପଢ଼ାରମ୍ଭ ବେଳକୁ ଲେଖକଙ୍କର ବୟସ କେତେ ହୋଇଥିଲା ?
୩. ଚାହାଳୀକୁ ପ୍ରଥମେ ଆସିଥିବା ଚାଟକୁ ଅବଧାନ କ’ଣ ଦିଅନ୍ତି ?
୪. ବେଶି ବେଳଯାଏ ଶୋଇପଡ଼ିଥିବା ଚାଟଟି ଡରରେ ନିଜକୁ କିପରି ରକ୍ଷା କରିଥାଏ ?
୫. ନଣ୍ଡା ଗୋସାଇଁ ମଠରେ ଥିବା ଚାହାଳୀଟିରେ କେଉଁ କେଉଁ ତିଥିରେ ପାଠପଢ଼ା ବନ୍ଦ ରହୁଥିଲା ?
୬. ସେହି ତିଥିରେ ଉପରଓଳି ବଡ଼ ବଡ଼ ଚାଟ କ’ଣ କରନ୍ତି ?
୭. ପାର୍ଶି ସ୍କୁଲରେ ପଣ୍ଡିତେ ଛାତ୍ରମାନଙ୍କୁ କ’ଣ ଶିଖାଉଥିଲେ ?
ତୁମେ ଯାହା ବୁଝିଛ
୧. ଲେଖକଙ୍କୁ ତାଙ୍କର ଠାକୁରମା’ ପୀରଙ୍କ ପାଖରେ ଫକୀର କରାଇ ଦେଇଥିଲେ । ତୁମେ ପିଲାଦିନେ ସେହିପରି ଫକୀର, ଯୋଗୀ କିମ୍ବା ବାବାଜୀ ହୋଇଛ କି ? ଯଦି ହଁ, ତେବେ ତାହା କିପରି ଥିଲା ଲେଖ ।
୨. ଲେଖକ ଅବଧାନଙ୍କ ଚାହାଳୀରେ ପାଠ ପଢ଼ିଥିଲେ । ତୁମର ଜେଜେବାପା, ଜେଜୀମାଆ କିମ୍ବା ବାପାମାଆ ଚାହାଳୀରେ ପଢ଼ିଥିବେ । ତାଙ୍କର ସେହି ଅନୁଭୂତିକୁ ବୁଝି ଲେଖ ।
୩. ଚାଟଟି ବେଶି ବେଳଯାଏ ଶୋଇପଡ଼ିଲେ ମାଡ଼ଡରରେ ଘରେ ଲୁଚୁଥିଲା । ତୁମର ସେହିପରି କେବେ ସ୍କୁଲ ଯିବାରେ ଡେରି ହୋଇଛି କି ? ଯଦି ହୋଇଛି, ତେବେ ତୁମେ କ’ଣ କରିଛ ?
୪. ମାସ ଶେଷରେ ଅବଧାନ ଦରମା ମାଗିବାକୁ ଯାଆନ୍ତି । ତୁମେ ଏବେ ମାସିକ ଦରମା ଦେଇ ପାଠ ପଢୁଛ କି ?
ଆସ ମିଳାଇବା
‘କ’ ସ୍ତମ୍ଭରେ କେତୋଟି ମନ୍ଦିରର ଚିତ୍ର ରହିଛି । ‘ଖ’ ସ୍ତମ୍ଭରେ ସେଗୁଡ଼ିକ କେଉଁ ସ୍ଥାନରେ ରହିଛି, ତାହା ଲେଖା ହୋଇଛି । ଆସ ‘କ’ ସ୍ତମ୍ଭରେ ଥିବା ମନ୍ଦିର ସହିତ ‘ଖ’ ସ୍ତମ୍ଭର ସ୍ଥାନକୁ ମିଳାଇବା ।
(ସ୍ତମ୍ଭ ମିଳାଇବା ବିଭାଗ: ‘କ’ ସ୍ତମ୍ଭରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଯଥା ତାରାତାରିଣୀ, ସମଲେଶ୍ୱରୀ, ଖିଚିଂ, ତାରିଣୀ, ଲିଙ୍ଗରାଜ, କୋଣାର୍କ ସୂର୍ଯ୍ୟ ମନ୍ଦିରର ଛବି ଏବଂ ‘ଖ’ ସ୍ତମ୍ଭରେ ସ୍ଥାନଗୁଡ଼ିକର ନାମ ଦିଆଯାଇଛି:)
-
ଗଞ୍ଜାମ
-
ସମ୍ବଲପୁର
-
ଖିଚିଂ
-
କେନ୍ଦୁଝର
-
ଭୁବନେଶ୍ବର
-
କୋଣାର୍କ
(ଚିତ୍ର ବର୍ଣ୍ଣନା: ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଧଳା ବାଳ ଓ ନିଶ ଥିବା ବୃଦ୍ଧାବସ୍ଥାର ପ୍ରତିଛବି।)
ଆସ ଜାଣିବା
‘ଭୁବନେଶ୍ଵର ମନ୍ଦିର ସମୀପସ୍ଥ ବିନ୍ଦୁସାଗର ପୁଷ୍କରିଣୀର ପଥର ଘାଟ ଉପରେ ବାବା ପ୍ରାଣତ୍ୟାଗ କଲେ ।’
ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରଠାରୁ ଅଳ୍ପଦୂରରେ ଯେଉଁ ପ୍ରସିଦ୍ଧ ପୁଷ୍କରିଣୀ ରହିଛି, ତାହା ‘ବିନ୍ଦୁସାଗର ପୁଷ୍କରିଣୀ’ । ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁ ଲୋକମାନେ ସ୍ନାନ କରିବା ସହିତ ଏହାରି କୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି ।
ତୁମ ଅଞ୍ଚଳରେ ଥିବା ଏହିପରି ପ୍ରସିଦ୍ଧ ପୁଷ୍କରିଣୀ / ତୀର୍ଥସ୍ଥାନଗୁଡ଼ିକ ବିଷୟରେ ସଂଗ୍ରହ କରି ତା’ର ଏକ ତାଲିକା ପ୍ରସ୍ତୁତ କର ।
ଭାଷାର କଥା
୧. ‘ଆହୁରି ମଧ୍ୟ ଢେର ଚାଉଳ ଅବଧାନେ ପାଉଥିଲେ ।’
ଏହି ବାକ୍ୟରେ ଯେଉଁ ପଦତଳେ ରେଖାଙ୍କିତ କରାଯାଇଛି, ତାହାକୁ ଲକ୍ଷ୍ୟ କର, ଏଠାରେ ‘ଢେର’ ପଦଟି ‘ଚାଉଳ’ ପଦର ପରିମାଣ(ଗୁଣ)କୁ ବୁଝାଉଛି । ଏହା ଏକ ବିଶେଷଣ ପଦ । ‘ଚାଉଳ’ ପଦଟି ନାମକୁ ବୁଝାଉଛି । ଏହା ବିଶେଷ୍ୟ ପଦ ଅଟେ ।
ଏବେ ଆସ ଏହି ପାଠରେ ଏହିପରି ଆଉ କେତେକ ବିଶେଷଣ ଓ ବିଶେଷ୍ୟ ପଦ ରହିଛି । ସେଗୁଡ଼ିକୁ ବାଛି ତଳେ ଲେଖିବା ।
| ବିଶେଷଣ | ବିଶେଷ୍ୟ |
|---|---|
| ସୁସ୍ଥ | ଶରୀର |
୨. ‘ଉପର ଓଳି ଗ୍ରାମ ମଧ୍ଯରେ ଘରେଘରେ ଭିକ ମାଗି ବୁଲେ।’ ଏହି ବାକ୍ୟରେ ଥିବା ରେଖାଙ୍କିତ ପଦଟି ଏକ ଯୋଡ଼ିଶବ୍ଦ । ଏହି ପାଠରୁ ଆଉ କେତେକ ଯୋଡ଼ି ଶବ୍ଦ ଖୋଜି ତଳ କୋଠରିରେ ଲେଖ ।
୩. ‘ଅକାରଣ ବେତଟା ଧରି ମୋ ପିଠିରେ ଦଶବାର ପାହାର ବାଡ଼େଇଗଲେ ।’
ଏହି ବାକ୍ୟରେ ଦିଆଯାଇଥିବା ରେଖାଙ୍କିତ ପଦଟିକୁ ଲକ୍ଷ୍ୟକର । ‘ଧରି’ ପଦଟି କାମ ଶେଷ ହୋଇ ନ ଥିବାକୁ ବୁଝାଉଛି । ଏଣୁ ଏହା ଗୋଟିଏ ‘ଅସମାପିକା କ୍ରିୟାପଦ’ ଅଟେ । ସେହିପରି ଏହି ପାଠରୁ ଯେତେଗୋଟି ‘ଅସମାପିକା କ୍ରିୟାପଦ’ ପାଉଛ, ତାହାକୁ ବାଛି ତଳେ ଲେଖ ।
ଖାଦ୍ୟପେୟ
“ପୀରମାନଙ୍କ ପାଖରେ ସିର୍ନି (ଶିରିଣୀ) ଭୋଗ ହୁଏ ।”
ଏହି ସିର୍ନି (ଶିରିଣୀ) ବିଷୟରେ ତଳେ ଦିଆଯାଇଥିବା ଜାଣିବା କଥାକୁ ପଢ଼ ।
ସିର୍ନି (ଶିରିଣୀ)
ସାଧାରଣତଃ ଆମର ସତ୍ୟନାରାୟଣ ପାଲା ପୂଜା ସମୟରେ ଏହି ଭୋଗଟି ପ୍ରସ୍ତୁତ କରାଯାଏ । ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଗାଈକ୍ଷୀର, ପାଚିଲାକଦଳୀ, ଗୁଡ଼, ଅଟା, ଚାଉଳଚୂନା, ଗୋଲମରିଚ, ଅଦା ପ୍ରଭୃତି ସଂଗ୍ରହ କରାଯାଏ । ଏ ସବୁକୁ ନେଇ ଗୋଟିଏ ନୂଆ ମାଟି ହାଣ୍ଡିରେ ପୁରୋହିତ ଏକାଠି କରି ଗୋଳାଇଥାନ୍ତି । ସିର୍ନି (ଶିରିଣୀ) ପ୍ରସ୍ତୁତ ହୋଇସାରିବା ପରେ ପୁରୋହିତ ତାକୁ ନେଇ ସତ୍ୟନାରାୟଣ/ ପୀର ଠାକୁରଙ୍କୁ ଭୋଗ ଲଗାଇଥାଆନ୍ତି । ଭୋଗ ହୋଇସାରିବା ପରେ ଏହାକୁ ସମସ୍ତେ ଶ୍ରଦ୍ଧାରେ ପାଇଥାଆନ୍ତି ।
୨. ତୁମ ଘରେ ବିଭିନ୍ନ ପୂଜାବେଳେ ‘ପଞ୍ଚାମୃତ’ କିପରି ପ୍ରସ୍ତୁତ କରାଯାଏ ? ତାହା କେଉଁ କେଉଁ ପଦାର୍ଥକୁ ମିଶାଇ ପ୍ରସ୍ତୁତ କରାଯାଏ, ଲେଖ ।
ତୁମର ଖେଳ
୧. ଏମିତି କେତେକ ଖେଳ ତୁମେ ପ୍ରତିଦିନ ଖେଳିଥାଅ, ଯାହାପାଇଁ କିଛି ଟଙ୍କା ଦେବାକୁ ପଡ଼ି ନ ଥାଏ । ତୁମେ ସେଗୁଡ଼ିକୁ ନିଜ ହାତରେ ତିଆରି କରିପାରିବ । ଏମିତିକା କିଛି ଖେଳର ଚିତ୍ର ‘କ’ ସ୍ତମ୍ଭରେ ଦିଆଯାଇଛି । ‘ଖ’ ସ୍ତମ୍ଭରେ ସେ ସବୁର ନାମ ଦିଆଯାଇଛି । ଆସ ଗାରଟାଣି ସେସବୁକୁ ମିଳାଇବା ।
(ଖେଳର ଚିତ୍ର ସହିତ ନାମ ମିଳାଇବା ସାରଣୀ: ଗୋଟିଏ ଚିତ୍ରରେ ପିଲାମାନେ ନଟୁ ଖେଳୁଛନ୍ତି, ଦ୍ୱିତୀୟରେ ଗୁଡ଼ି ଉଡ଼ାଉଛନ୍ତି, ତୃତୀୟରେ ଖପରା/କିତ୍କିତ୍ ଖେଳୁଛନ୍ତି।)
-
କବାଡ଼ି
-
ଖପରା
-
ନଟୁ
-
ଗୁଡ଼ି
ତୁମେ ସାଙ୍ଗମାନଙ୍କ ସହିତ ଏହି ଖେଳଗୁଡ଼ିକୁ କେମିତି ଖେଳିଥାଅ, ତାହା ଲେଖ । ତୁମ ଅଞ୍ଚଳରେ ଖେଳା ଯାଉଥିବା ଆଉ କେତେକ ଖେଳ ବିଷୟରେ ଲେଖ ।
୨. ଏମିତି କିଛି ଆନନ୍ଦଦାୟକ ଖେଳର ଏକ ତାଲିକା ପ୍ରସ୍ତୁତ କର, ଯାହାକୁ ତୁମେ ତୁମର ଦିବ୍ୟାଙ୍ଗ ସାଙ୍ଗମାନଙ୍କ ସହିତ ଖେଳିପାରିବ ।
ତୁମେ ଏହିକାମରେ ସାଙ୍ଗସାଥୀ, ଶିକ୍ଷକ ଓ ନିଜର ଅଭିଭାବକଙ୍କର ମଧ୍ୟ ସହାୟତା ନେଇପାର ।
ପାଠାଗାରରୁ
ତୁମେ ନିଜର ପାଠାଗାରକୁ ଯାଇ ଫକୀରମୋହନ ସେନାପତିଙ୍କର ଆତ୍ମଜୀବନୀ ଓ ସେ ଲେଖିଥିବା କାହାଣୀଗୁଡ଼ିକୁ ଆଣି ପଢ଼ । ସେ ସବୁ ବିଷୟରେ ନିଜର ଶ୍ରେଣୀରେ ଆଲୋଚନା କର ।
ଏହାଙ୍କୁ ମଧ୍ୟ ଜାଣ
(ଚିତ୍ର ବର୍ଣ୍ଣନା: ପହଁରୁଥିବା ଅବସ୍ଥାରେ ଜଣେ ସନ୍ତରଣକାରୀ, ଚୌକିରେ ବସିଥିବା ମୁରଲୀକାନ୍ତ ପେଟକର ଏବଂ ତାଙ୍କର ବର୍ତ୍ତମାନର ଏକ କୋଟ୍-ପିନ୍ଧା ପଦକସଜ୍ଜିତ ପ୍ରତିଛବି।)
୧୯୪୪ ମସିହାରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିବା ମୁରଲୀକାନ୍ତ ରାଜାରାମ ପେଟ୍କର ଭାରତର ଜଣେ ପ୍ରସିଦ୍ଧ ପାରା ଅଲମ୍ପିକ୍ ସନ୍ତରଣକାରୀ ଭାବରେ ପ୍ରସିଦ୍ଧ । ପାରାଅଲମ୍ପିକ୍ ଖେଳ ଦିବ୍ୟାଙ୍ଗ ଖେଳାଳିମାନଙ୍କପାଇଁ ଆୟୋଜିତ ହେଉଥିବା ଅଲମ୍ପିକ୍ ଖେଳର କାର୍ଯ୍ୟକ୍ରମ ଅଟେ । ପେଟ୍କର ଭାରତୀୟ ସୈନ୍ୟବାହିନୀରେ ଜଣେ ସୈନ୍ୟ ଥିଲେ । ୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ତାଙ୍କର ଦେହରେ ଶତ୍ରୁର ଗୁଳି ବାଜିବା ଫଳରେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଗଲେ । ସେ ଚିକିତ୍ସକମାନଙ୍କର ପରାମର୍ଶରେ ପହଁରିବା ଆରମ୍ଭ କରି ଦେଲେ । କୁସ୍ତି, ହକି, ଆଦି ଖେଳରେ ପିଲାଟି ଦିନରୁ ରୁଚି ରଖିଥିବା ମୁରଲୀକାନ୍ତ ପେଟ୍କର ନିଜର ଅବିରତ ସାଧନା ଓ ପରିଶ୍ରମ ବଳରେ ଅଳ୍ପଦିନରେ ସନ୍ତରଣରେ ଦକ୍ଷତା ହାସଲ କଲେ । ସେ ୧୯୭୨ରେ ହାଇଡ଼ିଲବର୍ଗ ପାରା ଅଲମ୍ପିକ୍ ପ୍ରତିଯୋଗିତାରେ ଭାରତପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଦିବ୍ୟାଙ୍ଗ ସନ୍ତରଣକାରୀ ହୋଇପାରିଲେ । ଅନେକ ସଫଳତା ଯୋଗୁଁ ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ ।
ଆସ ଚିହ୍ନିବା
ନିମ୍ନରେ କେତେକ ଦିଆଯାଇଥିବା ପ୍ରସିଦ୍ଧ କବି, ଲେଖକ, ଦିବ୍ୟାଙ୍ଗ ଖେଳାଳିଙ୍କର ଫଟୋ ଚିତ୍ର ଦିଆଯାଇଛି । ସେମାନଙ୍କ ବିଷୟରେ ଖୋଜି ଲେଖ । ଏଥିପାଇଁ ତୁମେ ଅଭିଭାବକ, ଶିକ୍ଷକ କିମ୍ବା ଇଣ୍ଟରନେଟ୍ର ସହାୟତା ନେଇପାର ।
(ଚିତ୍ର ବର୍ଣ୍ଣନା: ପିଲାମାନେ ସ୍କୁଲ ବ୍ୟାଗ କାନ୍ଧରେ ପକାଇ ଗାଁ ରାସ୍ତାରେ ଯାଉଥିବା ସମୟରେ ବାଡ଼ି ସାହାଯ୍ୟରେ ଗଛରୁ ଆମ୍ବ ତୋଳୁଥିବାର ସୁନ୍ଦର ଦୃଶ୍ୟ।)
ତୁମ ପଢ଼ିବାପାଇଁ
ପଢ଼ିଥିଲି ଯହିଁ ପ୍ରଥମକଥା
ମନେଅଛି ମୋର ଗ୍ରାମ ଚାଟଶାଳୀ
ଚିହ୍ନିଥିଲି ଯହିଁ ଅକ୍ଷର ଆଗେ,
ସରୁ ଦାଣ୍ଡ କଡ଼େ ଚାଳଘର ଖଣ୍ଡି
ଯାଇଥିଲି ଦିନେ ବାପାଙ୍କ ସଙ୍ଗେ ।
ତାହାରି ଉପରେ ବୁଲାଇଲି ଖଡ଼ି
‘ଅ’ ‘ଆ’ ‘କ’ ‘ଖ’ ଶିଖିଲି ପାଠ,
ଭଲ ଗୁଣ ଲାଗି ପାଇଲି ପ୍ରଶଂସା
ମନ୍ଦପାଇଁ କେତେ ଖାଇଲି ଛାଟ ।
ଡାକିନେଇ ପାଖେ ବସାଇଲେ ଗୁରୁ
ପଚାରିଲେ ନାମ ଆଦର କରି,
ତିନିଗୋଟି ଶୂନ୍ୟ ଲେଖିଦେଲେ ତଳେ
ଖଡ଼ିମୁଣ୍ଡା ଏକ ହାତରେ ଧରି ।
ପଢ଼ିଲି ସାହିତ୍ୟ ଅଙ୍କ, ଇତିହାସ,
ଭୂଗୋଳ, ବିଜ୍ଞାନ ଲାଗେ ନୂତନ,
ଜାଣିବାକୁ ବେଶି ଜାଗିଲା ଉତ୍ସାହ
ଶିଖିବାକୁ ବେଶି ବଳିଲା ମନ ।
(ଚିତ୍ର ବର୍ଣ୍ଣନା: ସ୍କୁଲ ପ୍ରାଙ୍ଗଣରେ ମା’ ସରସ୍ୱତୀଙ୍କ ମୂର୍ତ୍ତି ପୂଜା ପାଉଛନ୍ତି ଏବଂ ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ହାତ ଯୋଡ଼ି ପ୍ରାର୍ଥନା ଓ ଖଡ଼ିଛୁଆଁ ପର୍ବ କରୁଛନ୍ତି।)
ପଢ଼ିବାକୁ ଯେତେ ପାଉଥିଲି ସୁଖ
ପରୀକ୍ଷା ଲାଗିଲା ସେତିକି ମନ୍ଦ,
ସବୁଠାରୁ ବେଶି ସୁଖ ଲାଗୁଥିଲା
ସେଦିନର ସାଥୀ ଖେଳ ଆନନ୍ଦ ।
ଶୀତସକାଳରେ ଚାହାଳୀ ଦୁଆରେ
ଖରାତଳେ ବସି କଷିଛି ଅଙ୍କ,
ବରଷାସଞ୍ଜରେ ଫେରିଛି ଘରକୁ
ଗାଁ ଦାଣ୍ଡେ ମାଡ଼ି କାଦୁଅପଙ୍କ ।
ସୁଖ ଲାଗିଥିଲା ବସନ୍ତ ପଞ୍ଚମୀ
ହରତାଳିକାର ପୂଜା ଉତ୍ସବ,
ଗ୍ରାମଚାଟଶାଳୀ ଗୁରୁ ସହପାଠୀ
ଥିଲେ ସେ ମୋହର ମହା ବିଭବ ।
ଗୁରୁସହପାଠୀ କେ ଗଲେଣି କାହିଁ
ଗୋଟିଗୋଟି ତାହା ପଡୁଛି ମନେ,
ହସିଥିଲି କେଉଁ ବିଲ ପାହାଡ଼ରେ
କାନ୍ଦିଥିଲି ଆମ୍ବ ପୁଲାଙ୍ଗବନେ ।
ଗ୍ରୀଷମ ଖରାରେ ବୁଡ଼ିଥିଲି କେତେ
ପଧାନପୋଖରୀ ଭିତରେ ଯାଇ,
କେତେ କାହିଁ ବୁଲି ତୋଟା ବଗିଚାରେ
ଜାମୁ ବରକୋଳି ଆସିଛି ଖାଇ ।
ମନ୍ଦିର ସମାନ ଗ୍ରାମ ଚାଟଶାଳୀ
ସବୁ ସ୍ମୃତି ପରେ ଟେକିଛି ମଥା,
ଶିଖିଥିଲି ଯହିଁ ପ୍ରଥମ ଅକ୍ଷର
ପଢ଼ିଥିଲି ଯହିଁ ପ୍ରଥମକଥା ।
କାଳିନ୍ଦୀଚରଣ ପାଣିଗ୍ରାହୀ