'ଶୈଶବର କଥା' ପ୍ରବନ୍ଧଟି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀ 'ଆତ୍ମଚରିତ'ରୁ ସଂଗୃହୀତ । ଏଥିରେ ଲେଖକ ନିଜ ପିଲାଦିନର ଦୁଃଖକଷ୍ଟ, ପାରିବାରିକ ସ୍ନେହ ଏବଂ ସେକାଳର ଚାହାଳୀ ଶିକ୍ଷା ବ୍ୟବସ୍ଥାର ସ୍ମୃତି ବର୍ଣ୍ଣନା କରିଛନ୍ତି । ୧୮୪୩ ଖ୍ରୀଷ୍ଟାବ୍ଦ ମକରସଂକ୍ରାନ୍ତି ଦିନ ବାଲେଶ୍ଵରର ମଲ୍ଲିକାଶପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେଈ ଥିଲା । ଲେଖକଙ୍କୁ ମାତ୍ର ଏକ ବର୍ଷ ପାଞ୍ଚ ମାସ ହୋଇଥିବା ବେଳେ ତାଙ୍କ ପିତା ପୁରୀ ରଥଯାତ୍ରା ଦର୍ଶନ ସାରି ଫେରିବା ବାଟରେ ଭୁବନେଶ୍ୱର ବିନ୍ଦୁସାଗର କୂଳରେ ଓଲାଉଠା ରୋଗରେ ପ୍ରାଣ ହରାଇଥିଲେ । ବାପାଙ୍କ ବିୟୋଗରେ ତାଙ୍କ ବିଶ୍ୱସ୍ତ ପୋଷା କୁକୁରଟି ଆଠ ଦିନ ଅନାହାରରେ ରହି ପ୍ରାଣତ୍ୟାଗ କରିଥିଲା । ଏହାର ଚଉଦ ମାସ ପରେ ମାଆଙ୍କର ମଧ୍ୟ ଦେହାନ୍ତ ହେଲା ।
ପିତାମାତାଙ୍କ ମୃତ୍ୟୁ ପରେ ଅସହାୟ ଶିଶୁଟିକୁ ତାଙ୍କ ଜେଜେମା ବା ଠାକୁରମା କୁଚିଳା ଦେଈ ଅତ୍ୟନ୍ତ ସ୍ନେହରେ କୋଳେଇ ନେଇଥିଲେ । ଲେଖକ ସାତ-ଆଠ ବର୍ଷ ଯାଏଁ ଗୁରୁତର ରୋଗରେ ଶଯ୍ୟାଶାୟୀ ହୋଇ ରହିଥିଲେ । ଠାକୁରମା ଦିନରାତି ଅନିଦ୍ରା ଓ ଅନାହାରରେ ରହି ତାଙ୍କର ସେବା କଲେ ଏବଂ ବାଲେଶ୍ୱରର ଦୁଇ ପୀରଙ୍କ ପାଖରେ ମାନତା କରି ପିଲାଟିର ପ୍ରକୃତ ନାମ ବ୍ରଜମୋହନ ବଦଳରେ ‘ଫକୀର’ ରଖିଲେ । ରୋଗ ଭଲ ହେବା ପରେ ପ୍ରତିବର୍ଷ ମହରମ ସମୟରେ ସେ ଫକୀର ବେଶ ଧାରଣ କରି ଗାଁରେ ଭିକ ମାଗୁଥିଲେ ଓ ସେହି ପଇସାରେ ପୀରଙ୍କ ପାଇଁ ସିର୍ନି ଭୋଗ ପଠାଉଥିଲେ ।
ପ୍ରାୟ ନଅ ବର୍ଷ ବୟସରେ ଫକୀର ମୋହନ ଚାଟଶାଳୀରେ ପାଠ ପଢ଼ିବା ଆରମ୍ଭ କଲେ । ସେଠାରେ ଅବଧାନ ବୈଷ୍ଣବ ମାହାନ୍ତି ସକାଳେ ଖଡ଼ିପାଠ ଓ ଉପରଓଳି ପୋଥି ପଢ଼ାଉଥିଲେ । ଚାହାଳୀରେ ‘ଶୂନଚାଟି’ ନାମକ ଏକ କଠୋର ବେତମାଡ଼ ଦଣ୍ଡ ପ୍ରଥା ପ୍ରଚଳିତ ଥିଲା । ବଡ଼ବାପା ପୁରୁଷୋତ୍ତମ ସେନାପତିଙ୍କଠାରୁ ଦରମା ପାଇବା ଲାଗି ଅବଧାନେ ଲେଖକଙ୍କୁ ଅକାରଣରେ ବାଡ଼ାଉଥିଲେ ଏବଂ ଠାକୁରମା ଦୌଡ଼ିଆସି ତାଙ୍କୁ ରକ୍ଷା କରୁଥିଲେ । ପରବର୍ତ୍ତୀ ସମୟରେ ଲେଖକ ନଣ୍ଡା ଗୋସାଇଁ ମଠ ଚାହାଳୀରେ ପଢ଼ିଲେ, ଯେଉଁଠି ଛୁଟି ତିଥିରେ ଚାଟମାନେ ଗୀତ ଗାଇ ଚାଟଭିକ୍ଷା ଚାଉଳ ଆଣୁଥିଲେ । ଶେଷରେ ସେ ବାଲେଶ୍ୱରର ପାର୍ଶି ଅବୈତନିକ ସ୍କୁଲରେ ନାମ ଲେଖାଇ ଓଡ଼ିଆ ପଣ୍ଡିତ ବନମାଳି ବାଚସ୍ପତିଙ୍କଠାରୁ ଚିଠିପତ୍ର ଓ ଦରଖାସ୍ତ ଲେଖିବା ଶିଖିଥିଲେ ।