ପାଠ-୫ : ଦଳପତି ପଦ ତୁମକୁ ସାଜେ
ଡ. ନଟବର ସାହୁ
ବାରବାର ହୋଇ ଶୁଭୁଛି ଡାକ, “ହିରଣ୍ୟକ ହିରଣ୍ୟକ ମୂଷିକରାଜା ହେ ବନ୍ଧୁ ମୋର ବେଗେ ଆସି ଆମ ଜୀବନ ରଖ ।”
[ଚିତ୍ର: ହଳଦିଆ ରଙ୍ଗର କପୋତ (ପାରା) ଦଳ ଗଛ ନିକଟରେ ଆକାଶରେ ଉଡ଼ୁଛନ୍ତି।] [ଚିତ୍ର: କପୋତମାନେ ତଳେ ପଡ଼ିଥିବା ଦାନା ଖାଇବାକୁ ଯାଇ ଶିକାରୀର ଜାଲରେ ଛନ୍ଦି ହୋଇପଡ଼ିଛନ୍ତି।] [ଚିତ୍ର: ଶିକାରୀ ପଛରୁ ଦୌଡ଼ି ଆସୁଛି ଏବଂ କପୋତମାନେ ଜାଲ ସହିତ ଏକାଠି ଉପରକୁ ଉଡ଼ିବାକୁ ଚେଷ୍ଟା କରୁଛନ୍ତି।]
ଶୁଣି ଏଇ ଡାକ ମୂଷିକରାଜ ବାହାରକୁ ଆସି ହୋଇଲେ ଉଭା ଦଳବଳ ସହ କପୋତରାଜ ଦଶା ଦେଖି ସେ’ତ ହୋଇଲେ କାବା ।
କପୋତରାଜନ କହିଲେ, “ସଖା ଯାଇଥିଲୁ ବନପଥରେ ଉଡ଼ି ପଡ଼ିଗଲୁ ଆମେ ବାଣୁଆଜାଲେ ଖୁଦକଣିକାର ଲୋଭରେ ପଡ଼ି ।
ନ ଥିଲା ଉପାୟ ଆମର ଆଉ ପରାଣବିକଳେ ସରବେ ମିଳି ଜାଲ ସହିତରେ ଆସିଛୁ ଉଡ଼ି, ମରଣର ଭୟ ଦେବାକୁ ଟାଳି ।
ମୋର ଅନୁଗତ କପୋତଦଳେ ତୁମେଇ ପାରିବ ମୁକ୍ତ କରି, ମୂଷିକରାଜ ମୋ ବାଲ୍ୟସଖା ଆମଠି କରୁଣା ବର୍ଷା କରି ।”
ଏହା ଶୁଣିସାରି ହିରଣ୍ୟକ ବନ୍ଧୁ ନିକଟକୁ ଗଲେ ସେ ଧାଇଁ ଜାଲ କାଟି ନିଜ ମିତକୁ ଆଗ ବନ୍ଧନୁ ମୁକତି କରିବାପାଇଁ ।
[ଚିତ୍ର: ଶିକାରୀ ପଛରୁ ଦୌଡ଼ି ଆସୁଛି ଏବଂ କପୋତମାନେ ଏକାଠି ଜାଲ ଧରି ଉଡ଼ି ପଳାଉଛନ୍ତି।] [ଚିତ୍ର: ହିରଣ୍ୟକ ନାମକ ମୂଷା ଆସି ଜାଲରେ ଛନ୍ଦି ହୋଇଥିବା କପୋତମାନଙ୍କ ଜାଲକୁ କାଟୁଛି।] [ଚିତ୍ର: ଜାଲ କଟିଯିବା ପରେ କପୋତମାନେ ଆନନ୍ଦରେ ସୂର୍ଯ୍ୟଙ୍କ ଆଲୋକରେ ମୁକ୍ତ ଆକାଶକୁ ଉଡ଼ିଯାଉଛନ୍ତି ଓ ମୂଷା ତାଙ୍କୁ ବିଦାୟ ଜଣାଉଛି।]
ଏହା ଦେଖି ତହୁଁ କପୋତରାଜ ମିତଙ୍କୁ କହିଲେ ବିନୀତ ହୋଇ, “ପରଜାଙ୍କୁ ଆଗ ମୁକ୍ତ କର ମୋ ଫାଶ କାଟିବ ଶେଷରେ ଭାଇ ।”
ହିରଣ୍ୟକ ହସି କହିଲେ, “ସଖା ଅଳପ ଶକତି କ୍ଷୀଣ ମୋ ଦେହ ସବୁ କପୋତର କାଟିବି ଫାଶ କିପରି ପାରିବି ତୁମେ ଯେ କୁହ !
ତୁମେ ଦଳପତି ବନ୍ଧୁ ମୋର ପହିଲେ ତୁମକୁ ଦେବି ମୁକତି ତା’ପରେ କାଟିବି ପାରିବି ଯେତେ ଦେହେ ଥିବା ଯାଏ ମୋର ଶକତି ।”
“ଆଶ୍ରିତଜନ ରକ୍ଷାପାଇଁ ଦଳପତି ସିନା ସାଜିଛି ମୁହିଁ ତାଙ୍କ ପାଇଁ ପଛେ ଜୀବନ ଯାଉ ସେଥିପାଇଁ ମୋର ଭାବନା ନାହିଁ ।”
କପୋତରାଜନ ବଚନ ଶୁଣି ହିରଣ୍ୟକ ହସି କହିଲେ ତେଜେ, “ଆଦରଶ ତୁମ ଧନ୍ୟ, ସଖା ଦଳପତି ପଦ ତୁମକୁ ସାଜେ ।”
ଆସ କଥା ହେବା
୧. କପୋତରାଜଙ୍କର କେଉଁ ବିଶେଷ ଗୁଣଗୁଡ଼ିକ ତୁମକୁ ଭଲ ଲାଗିଲା ? ୨. ହିରଣ୍ୟକ କପୋତରାଜଙ୍କୁ ପ୍ରଥମେ ବନ୍ଧନମୁକ୍ତ କରିବାକୁ ଚାହିଁଥିଲେ, କିନ୍ତୁ କପୋତରାଜ ମନା କରିବାର କାରଣ କ'ଣ ? ୩. କେଉଁ ସବୁ ଭଲଗୁଣକୁ ନିରନ୍ତର ଅଭ୍ୟାସ କରି ତୁମେ ନିଜକୁ ଅଧିକ କୁଶଳୀ କରିପାରିବ ? ୪. ଯଦି ହିରଣ୍ୟକ ନ ଥାନ୍ତେ, ତେବେ କପୋତଦଳ ନିଜ ଜୀବନ ବଞ୍ଚାଇବାପାଇଁ କ’ଣ କରିଥାଆନ୍ତେ ?
ପାଠରୁ
ତଳେ କେତେକ ପ୍ରଶ୍ନ ଓ ଉତ୍ତର ଦିଆଯାଇଛି। ପ୍ରଶ୍ନର ଉପଯୁକ୍ତ ଉତ୍ତର ପାଖରେ ତାରା ( * )ଚିହ୍ନ ଦିଅ ।
୧. କେଉଁ ସ୍ଥାନରେ ବାଣୁଆ ଜାଲ ଟାଣିଥିଲା ? (କ) ଆକାଶରେ (ଖ) ଅଗଣାରେ (ଗ) ପାହାଡ଼ ଉପରେ (ଘ) ଜଙ୍ଗଲରେ
୨. ହିରଣ୍ୟକ କିଏ ? (କ) ସିଂହରାଜା (ଖ) କପୋତରାଜ (ଗ) ମୂଷିକରାଜ (ଘ) ଜଙ୍ଗଲରାଜା
୩. କପୋତମାନେ କିପରି ନିଜର ପ୍ରାଣ ବଞ୍ଚାଇବାକୁ ଉଦ୍ୟମ କଲେ ? (କ) ଜଣ ଜଣ କରି ଜାଲ ଧରି ଉଡ଼ିଲେ। (ଖ) ଏକାଠି ଜାଲ ଧରି ଉଡ଼ିଲେ। (ଗ) ଜାଲକୁ ଚଞ୍ଚୁରେ ଛିଣ୍ଡାଇ ଉଡ଼ିଲେ। (ଘ) କେବଳ କପୋତରାଜ ଜାଲ ସହିତ ଉଡ଼ିଲେ।
୪. କପୋତମାନେ ଏପରି ଦଶା ଭୋଗିଲେ କାହିଁକି ? (କ) ମୁଗକଣିକା ଲୋଭରେ। (ଖ) ବିରିକଣିକା ଲୋଭରେ। (ଗ) ଧାନକଣିକା ଲୋଭରେ। (ଘ) ଖୁଦକଣିକା ଲୋଭରେ।
ଚିନ୍ତାକରି ଲେଖ
ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ୧. ଯଦି କପୋତମାନେ ଏକମନ ହୋଇ ନ ଥାଆନ୍ତେ, ତେବେ କ'ଣ ହୋଇଥାନ୍ତା ? ୨. ଶିକାରୀ ଜାଲ ବିଛାଇଥିଲା କାହିଁକି ? ୩. ଯଦି କପୋତମାନେ ଜାଲରୁ ମୁକ୍ତ ହୋଇ ନ ଥାନ୍ତେ, ତାହାହେଲେ କି ଅସୁବିଧା ହୋଇଥାନ୍ତା ? ୪. ହିରଣ୍ୟକ ପରି ଜଣେ ଉପକାରୀ ବନ୍ଧୁ ହେବାପାଇଁ ତୁମେ କ’ଣ କରିବ ?
ଅନୁମାନ ଓ କଳ୍ପନାରୁ
୧. ଯଦି ହିରଣ୍ୟକ କପୋତରାଜଙ୍କ ଡାକ ଶୁଣି ଆସିନଥାନ୍ତେ, ତେବେ କ’ଣ ହୋଇଥାନ୍ତା ? ୨. ତୁମେ କପୋତରାଜଙ୍କ ସ୍ଥାନରେ ଥିଲେ କ’ଣ କରିପାରିଥାନ୍ତ ? ୩. ଯଦି ଦଳପତି ଅନ୍ୟ ସାଥୀମାନଙ୍କ କଥା ଭାବି ନ ଥାନ୍ତେ, ତେବେ କ’ଣ ଅସୁବିଧା ହୋଇଥାନ୍ତା ? ୪. ଯଦି ତୁମେ ହିରଣ୍ୟକ ଓ କପୋତରାଜଙ୍କୁ କୌଣସି ସ୍ଥାନରେ ଭେଟ, ତେବେ ତାଙ୍କ ସହିତ କ’ଣ କଥା ହେବ ?
ଭାଷାର କଥା
୧. କବିତାରୁ କିଛି ପଦ୍ୟାଂଶ ତଳେ ଦିଆଯାଇଛି । ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। “ଶୁଣି ଏଇ ଡାକ ମୂଷିକରାଜ ବାହାରକୁ ଆସି ହୋଇଲେ ଉଭା ଦଳବଳ ସହ କପୋତରାଜ ଦଶା ଦେଖି ସେ’ତ ହୋଇଲେ କାବା ।”
ରେଖାଙ୍କିତ ଶବ୍ଦ ଉଭା ଓ କାବା ଶବ୍ଦ ଦୁଇଟି ହେଉଛି ସମତାନ ଶବ୍ଦ। ୨. ଏହି କବିତାର ଏହିପରି ସମତାନ ବିଶିଷ୍ଟ ନୂଆଶବ୍ଦକୁ ବାଛି ଲେଖ ।
୩. ତଳେ ଦିଆଯାଇଥିବା ପଦ୍ୟାଂଶକୁ ଧ୍ୟାନର ସହିତ ପଢ଼। (କ) ଶୁଣି ଏଇ ଡାକ ମୂଷିକରାଜ, ବାହାରକୁ ଆସି ହୋଇଲେ ଉଭା । (ଖ) ଯାଇଥିଲୁ ବନପଥରେ ଉଡ଼ି, ପଡ଼ିଗଲୁ ଆମେ ବାଣୁଆଜାଲେ । (ଗ) ଜାଲ ସହିତରେ ଆସିଛୁ ଉଡ଼ି ।
ଏହି ପଦ୍ୟାଂଶରେ ଗାର ଦିଆଯାଇଥିବା ଶବ୍ଦଗୁଡ଼ିକ ଗୋଟିଏ ଗୋଟିଏ କାର୍ଯ୍ୟକୁ ବୁଝାଉଛି । ‘ହୋଇଲେ’, ‘ଯାଇଥିଲୁ’, ‘ପଡ଼ିଗଲୁ’ ଅତୀତକାଳରେ ହୋଇଥିବା କାର୍ଯ୍ୟକୁ ବୁଝାଉଛି । ‘ଆସିଛୁ’ ବର୍ତ୍ତମାନ ସମୟର କାର୍ଯ୍ୟକୁ ବୁଝାଉଛି।
୪. ଏବେ ଆସ, ନିମ୍ନ କ୍ରିୟାଗୁଡ଼ିକର ବିଭିନ୍ନ କାଳରେ ଥିବା ରୂପକୁ ଲେଖିବା ।
| ବର୍ତ୍ତମାନ କାଳ | ଅତୀତ କାଳ | ଭବିଷ୍ୟତ କାଳ |
|---|---|---|
| ଯାଏ | ଗଲି | ଯିବି |
| ଖାଇଲା | ||
| ଉଡ଼ିବ | ||
| କରେ |
୫. “ତୁମେ ଦଳପତି ବନ୍ଧୁ ମୋର, ପହିଲେ ତୁମକୁ ଦେବି ମୁକତି” ଉପରୋକ୍ତ ଧାଡ଼ିଟିକୁ ଭଲଭାବରେ ଦେଖ। ଏଠାରେ ରେଖାଙ୍କିତ ଶବ୍ଦଦୁଇଟି ମୂଷିକରାଜଙ୍କ ବଦଳରେ ଲେଖାଯାଇଛି । ଏହାକୁ ବିଶେଷ୍ୟପଦ କୁହାଯାଏ । ‘ମୂଷିକରାଜ’ ଓ ‘କପୋତରାଜ’ ଶବ୍ଦଦୁଇଟି ନାମବାଚକ ବିଶେଷ୍ୟ । ଏହି ବିଶେଷ୍ୟପଦ ବଦଳରେ ଯାହା ବ୍ୟବହୃତ ହୁଏ, ତାହା ‘ସର୍ବନାମ’ ପଦ।
ଏବେ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରୁ ରେଖାଙ୍କିତ ବିଶେଷ୍ୟଗୁଡ଼ିକ ବଦଳରେ ଉପଯୁକ୍ତ ସର୍ବନାମ ପଦ ବ୍ୟବହାର କର।
(କ) ହିରଣ୍ୟକକୁ ଦେଖି ଦଳପତି ଟିକେ ସାହସ ପାଇଲେ । ଯେପରି :- ତାକୁ ଦେଖି ସେ ଟିକେ ସାହସ ପାଇଲେ । (ଖ) ଶିକାରୀର ଜାଲରେ କପୋତମାନେ ପଡ଼ିଗଲେ । (ଗ) କପୋତମାନଙ୍କର ଆନନ୍ଦ କହିଲେ ନ ସରେ । (ଘ) ମୂଷିକରାଜର ଦାନ୍ତ ମୁନିଆଁ ଥିଲା ।
କବିତାରୁ କାହାଣୀ
୧. ‘ଦଳପତି ପଦ ତୁମକୁ ସାଜେ’ କବିତାରେ ତୁମେ ହିରଣ୍ୟକ ଓ କପୋତରାଜଙ୍କ କଥାବାର୍ତ୍ତାର ଆନନ୍ଦ ନେଲ । ଏବେ ଏହି କଥାକୁ ନିଜଭାଷାରେ ଲେଖ । ୨. ଏହି କବିତାର ଶେଷରେ କପୋତମାନଙ୍କୁ ଜାଲରୁ ମୂଷିକରାଜ ମୁକ୍ତ କରିବା ପରେ କ’ଣ ହୋଇଥିବ ? ତୁମେ ନିଜେ ଏହାର ଶେଷଭାଗକୁ ବଦଳାଇ ଭିନ୍ନ ପ୍ରକାରରେ ଲେଖ । ଯେପରି –
[ଚିତ୍ର: ଶିକାରୀ ଆସୁଛି ଏବଂ କପୋତମାନେ ଜାଲ ସହ ଉଡ଼ୁଛନ୍ତି।] ଶିକାରୀ କପୋତମାନଙ୍କୁ ନିଜେ ମୁକ୍ତ କରୁଛି।
[ଚିତ୍ର: ଶିକାରୀ କପୋତମାନଙ୍କ ପଛେ ପଛେ ଦୌଡ଼ୁଛି।] ଶିକାରୀ ସହିତ କପୋତମାନେ କଥାବାର୍ତ୍ତା ହେଉଛନ୍ତି।
କଥାବାର୍ତ୍ତା
ତଳେ ମୂଷିକରାଜ ଓ ବନ୍ଧୁ କପୋତରାଜଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ନିଜ କଳ୍ପନାରୁ ପୂରଣ କର। ହେ ବନ୍ଧୁ ହିରଣ୍ୟକ, ତୁମେ କେଉଁଠି ଅଛ ?
ତୁଳନା
ତଳେ କେତେକ ଗୁଣର ସୂଚନା ଦିଆଯାଇଛି । ସେଥିମଧ୍ୟରୁ କେତେକ ଶିକାରୀ ଓ ଆଉ କେତେକ ହିରଣ୍ୟକର ବିଶେଷ ଗୁଣକୁ ସୂଚାଉଛି । ଏବେ ସେଗୁଡ଼ିକୁ ସେମାନଙ୍କ ନାମ ତଳେ (✓) ଚିହ୍ନ ବା (✗) ଚିହ୍ନ ଦେଇ ଦର୍ଶାଅ ।
| ଗୁଣ | ଶିକାରୀ | ହିରଣ୍ୟକ (ମୂଷିକରାଜ) |
|---|---|---|
| ପରୋପକାରୀ | ||
| ବୁଦ୍ଧିମାନ | ||
| ନିଷ୍ଠୁର | ||
| ଶକ୍ତିଶାଳୀ | ||
| ଚତୁର | ||
| ସାହସୀ | ||
| ନିରୀହ | ||
| ସହଯୋଗୀ | ||
| ହିଂସ୍ର |
ପାଠରୁ ଆଗକୁ
୧. ତୁମ ବାପା କେବେ କାହାକୁ ବିପଦରୁ ମୁକୁଳାଇଛନ୍ତି କି ? ତାଙ୍କଠାରୁ ତାଙ୍କ ଅନୁଭୂତି ଶୁଣି ଶ୍ରେଣୀରେ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା କର । ୨. ତୁମେ କେବେ ଚତୁରତାର ସହିତ କୌଣସି ବିପଦରୁ ନିଜକୁ ରକ୍ଷା କରିଛ କି ? ସେହି ଅନୁଭୂତିକୁ ନିଜ ଶ୍ରେଣୀକକ୍ଷରେ ଶୁଣାଅ ।
ଖୋଜିବା ପାଇଁ
ପିଲାମାନେ, ତୁମେ ବାପାମାଆ / ଅଭିଭାବକଙ୍କ ସହିତ କେବେ ନନ୍ଦନକାନନ ବୁଲିବାକୁ ଯାଇଥିବ । ତୁମ ପରିବେଶରେ ମଧ୍ୟ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିଥିବ । ସେହି ପଶୁପକ୍ଷୀଙ୍କୁ ନେଇ ତୁମ ଅନୁଭୂତିକୁ ଶ୍ରେଣୀଗୃହରେ ଆଲୋଚନା କର ।
ଜଙ୍ଗଲର ଶାନ୍ତି ଓ ସୁରକ୍ଷା
(କ) ଯଦି ଜଙ୍ଗଲରେ ଶିକାରୀ ଓ କପୋତମାନଙ୍କ ମଧ୍ୟରେ ବନ୍ଧୁତା ଥାଆନ୍ତା, ତେବେ ଜଙ୍ଗଲରେ କ'ଣ ହୋଇଥାଆନ୍ତା ? (ଖ) ସମସ୍ତ ପଶୁପକ୍ଷୀ ସ୍ଵାଧୀନ ହୋଇ ଆନନ୍ଦ ମନରେ କିପରି ରହିବେ, ତୁମେ ତୁମର ଦୁଇଟି ମତାମତ ଲେଖ । (ସଙ୍କେତ- ଏପରି ଉପାୟ ଚିନ୍ତାକର, ଯାହାଦ୍ଵାରା ଜଙ୍ଗଲର ସମସ୍ତ ଜୀବଜନ୍ତୁ, ଗଛଲତା, ଜଳ, ବାୟୁ ସୁରକ୍ଷିତ ରହିବେ।)
ପୁସ୍ତକାଗାରରୁ
ତୁମ ବିଦ୍ୟାଳୟର ପୁସ୍ତକାଗାରକୁ ଯାଅ । ଶିକ୍ଷକଙ୍କ ସହାୟତାରେ ପାଠାଗାରରୁ ହିତ ଉପଦେଶ ମୂଳକ କାହାଣୀ ବହି ଆଣ, ଯେଉଁଥିରେ ଉଭୟ ମନୁଷ୍ୟ ଓ ପଶୁପକ୍ଷୀ ସମ୍ବନ୍ଧିତ କଥା ରହିଥିବ ।
ସେହି କାହାଣୀଗୁଡ଼ିକୁ ପଢ଼ । କେଉଁ କାହାଣୀରୁ କ’ଣ ଶିଖିଲ, ତୁମ ଖାତାରେ ଲେଖି ରଖ ।
ଆଜିର ପହେଳି
(୧) ଶବଦ କରେ ମୁଁ ସାଇଁସାଇଁ ବୁଲୁଥାଏ ମୁହିଁ ଘାଇଁଘାଇଁ । ବିଜୁଳି ନାହିଁ ତ କାମ ମୋ ନାହିଁ କହିଲ ଦେଖୁ, ମୋ ନାମଟି କେହି ?
(୨) ଟିକି ଟିକି ଦାନ୍ତ ବଡ଼ ଶକତ କାଟେ ମୁଁ ପାହାଡ଼ ଖୋଳଇ ଗାତ, ତୁମ ଜାମା ବହି ଯାହା ମୁଁ ପାଏ କୁଟୁକୁଟା କରି କାଟି ପକାଏ, କହିଲ ଦେଖି, ମୁଁ କିଏ ?
(୩) ଆସିଲା ବଡ଼ଚଢ଼େଇ ବସିଲା ଡେଣା ମେଲାଇ, ଧରିଲା ମାଛ ଖାଇଲା ନାହିଁ କହିଲ, ଦେଖି ମୁଁ କିଏରେ ଭାଇ ।
(୪) ପଶୁପକ୍ଷୀଙ୍କର ଅଟେ ବଇରୀ ହାତେ ଧନୁଶର ତୀରକୁ ଧରି, ଜଙ୍ଗଲକୁ ନିତି ଯାଏ, ଶିକାର ସାରିଣ ଫେରିଆସେ ମୁହିଁ, କହିଲ ଦେଖୁ ମୁଁ କିଏ ?
ତୁମ ପଢ଼ିବାପାଇଁ : ଭକ୍ତ ପ୍ରହ୍ଲାଦ
[ଚିତ୍ର: ହିରଣ୍ୟକଶ୍ୟପୁ ଏକ ଗୋଡ଼ରେ ଠିଆ ହୋଇ ଦୁଇ ହାତ ଯୋଡ଼ି ଜଳାଶୟ କୂଳରେ ବ୍ରହ୍ମାଙ୍କ ପାଇଁ କଠୋର ତପସ୍ୟା କରୁଛନ୍ତି।] [ଚିତ୍ର: ଗଦା ଧାରଣ କରିଥିବା ଦୈତ୍ୟରାଜ ହିରଣ୍ୟକଶ୍ୟପୁଙ୍କ ସମ୍ମୁଖରେ ହାତ ଯୋଡ଼ି ଠିଆ ହୋଇଥିବା ବାଳକ ଭକ୍ତ ପ୍ରହ୍ଲାଦ।]
ପୁରାଣ ଯୁଗର କଥା । ହିରଣ୍ୟକଶ୍ୟପୁ ନାମରେ ଜଣେ ଅସୁର ରାଜା ଥିଲେ । ଘୋର ତପସ୍ୟା କରି ସେ ଅମର ହେବାକୁ ଚାହୁଁଥିଲେ । ଏଣୁ ସେ ପରମପିତା ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ତପସ୍ୟା କଲେ । ବ୍ରହ୍ମା ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଲେ । କହିଲେ, “ପୁତ୍ର ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ମୋତେ କେଉଁ ବର ମାଗୁଛ ମାଗ ।” ହିରଣ୍ୟକଶ୍ୟପୁ ତ ଅମର ହେବାକୁ ଚାହୁଁଥିଲା, ତେଣୁ ସେ କହିଲା, “ପରମପିତା, ମୋତେ ଅମରବର ପ୍ରଦାନ କରନ୍ତୁ ।” ବ୍ରହ୍ମା ଏହା ଶୁଣି ଅକଳରେ ପଡ଼ିଗଲେ । କହିଲେ, “ପୁତ୍ର ! ମୁଁ ତ ଏମିତି ବର କେବେ ଦେଇନାହିଁ । ତୁମେ ଆଉ କେଉଁ ବର ମାଗୁଛ ମାଗ ।” ହିରଣ୍ୟକଶ୍ୟପୁ ଚାଲାକି କରି କହିଲା, “ତେବେ ମୋତେ ଏହି ବର ଦିଅନ୍ତୁ ଯେ ମୁଁ କେବେ ଘର ବାହାରେ ମରିବି ନାହିଁ କି ଘର ଭିତରେ, ରାତିରେ ନାହିଁ କି ଦିନରେ, ମନୁଷ୍ୟଦ୍ୱାରା ନୁହେଁ କି ପଶୁଦ୍ୱାରା, ଅସ୍ତ୍ରରେ ମରିବିନି କି ଶସ୍ତ୍ରରେ ମରିବିନି, ଭୂମିରେ ନୁହେଁ କି ଆକାଶରେ ।” ବ୍ରହ୍ମା ଏହା ଶୁଣି ହସିଲେ, ତଥାସ୍ତୁ କହି ହିରଣ୍ୟକଶ୍ୟପୁକୁ ବର ପ୍ରଦାନ କଲେ ।
ବର ପାଇ ହିରଣ୍ୟକଶ୍ୟପୁ ତା'ର ପରାକ୍ରମ ଓ ଦୁଷ୍ଟବୁଦ୍ଧିରେ ସାରା ପୃଥିବୀକୁ ଥରହର କରି ପକାଇଲା । ସବୁଆଡ଼େ ହିଂସା ଓ ଆତଙ୍କ ଖେଳାଇଲା । ଲୋକେ ତା’ର ଅତ୍ୟାଚାରରେ ତ୍ରାହି ତ୍ରାହି ଡାକ ଛାଡ଼ିଲେ । ଭଗବାନ ବିଷ୍ଣୁଙ୍କୁ ହିରଣ୍ୟକଶ୍ୟପୁ ଦାଉରୁ ମୁକ୍ତିପାଇଁ ପ୍ରାର୍ଥନା କଲେ ।
ହିରଣ୍ୟକଶ୍ୟପୁର ଗୋଟିଏ ପୁଅ ଥିଲା । ତା'ର ନାମ ପ୍ରହ୍ଲାଦ । ସେ ଥିଲା ବିଷ୍ଣୁଭକ୍ତ । ରାତିଦିନ ସବୁବେଳେ ବିଷ୍ଣୁଙ୍କ ନାମ ଜପକରେ । ମାତ୍ର ପିତା ହିରଣ୍ୟକଶ୍ୟପୁ ବିଷ୍ଣୁଙ୍କ ପରମଶତ୍ରୁ ଥିଲେ । ବିଷ୍ଣୁଙ୍କୁ ଆରାଧନା ନ କରିବାକୁ ପୁଅକୁ ବାରମ୍ବାର ବାରଣ କରୁଥିଲେ । ଯେତେ ତାଗିଦ କଲେ ମଧ୍ୟ ‘ଭକ୍ତ ପ୍ରହ୍ଲାଦ’ ଉପରେ ତା’ର କୌଣସି ପ୍ରଭାବ ପଡ଼ୁ ନଥିଲା ।
[ଚିତ୍ର: ପ୍ରହ୍ଲାଦ ପ୍ରାର୍ଥନାରତ ଥିବା ବେଳେ ତାଙ୍କ ଚାରିପାଖରେ ବିଷଧର ସର୍ପ ଏବଂ ତାଙ୍କୁ ଆକ୍ରମଣ କରିବାକୁ ଥିବା ଅସୁରମାନେ ରହିଛନ୍ତି।] [ଚିତ୍ର: ହୋଲିକା ପ୍ରହ୍ଲାଦଙ୍କୁ କୋଳରେ ନେଇ ଅଗ୍ନିକୁଣ୍ଡରେ ବସିଛି ଏବଂ ନିକଟରେ ହିରଣ୍ୟକଶ୍ୟପୁ ଠିଆ ହୋଇ ଦେଖୁଛି।] [ଚିତ୍ର: ସିଂହାସନ ନିକଟରେ ହିରଣ୍ୟକଶ୍ୟପୁ କ୍ରୋଧରେ ଗଦା ଧରି ପ୍ରହ୍ଲାଦଙ୍କୁ ଭୟଭୀତ କରୁଛି।]
ଶେଷରେ ରାଜା ରାଗିଯାଇ ପୁତ୍ରକୁ ବନ୍ଦୀ କରିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ । ବନ୍ଦୀ ହେଲା ପରେ ମଧ୍ୟ ପୁଅ ବିଷ୍ଣୁଙ୍କୁ ଡାକିବା ବନ୍ଦ କଲାନାହିଁ । ଏହା ଜାଣି ଅସୁର ରାଜା ପୁଅକୁ ବନ୍ଦୀଘରେ ମୃତ୍ୟୁଦଣ୍ଡ ଦେବାକୁ ଆଦେଶ ଦେଲେ । ବନ୍ଦୀଶାଳା ମଧ୍ୟକୁ ଅନେକ ବିଷଧର ସର୍ପ ଛାଡ଼ି ଦିଆଗଲା । ହେଲେ କୌଣସି ସାପ ପ୍ରହ୍ଲାଦକୁ ନ କାମୁଡ଼ି ଜଗିରହିଲେ । ହିରଣ୍ୟକଶ୍ୟପୁ ଏହା ଜାଣି ଆହୁରି ରାଗିଗଲେ । ସେ ଭଉଣୀ ହୋଲିକାର ସହାୟତାରେ ପ୍ରହ୍ଲାଦକୁ ମାରିବାକୁ ସ୍ଥିର କଲେ । ହୋଲିକାର କଥାନୁସାରେ ଏକ ପ୍ରକାଣ୍ଡ ଅଗ୍ନିକୁଣ୍ଡ ପ୍ରସ୍ତୁତ କରାଗଲା । ହୋଲିକା, ପ୍ରହ୍ଲାଦକୁ କୋଳରେ ଧରି ନିଜେ ବରଦାନରୁ ମିଳିଥିବା ଏକ ଚଦର ଘୋଡ଼େଇ ହୋଇ ଭୟଙ୍କର ଅଗ୍ନିକୁଣ୍ଡ ମଧ୍ୟରେ ପ୍ରବେଶ କଲା । କିନ୍ତୁ ଏ କ'ଣ ! ଚଦରଟି ହଠାତ୍ ଉଡ଼ିଆସି ପ୍ରହ୍ଲାଦକୁ ଘୋଡ଼େଇ ଦେଲା, ପ୍ରହ୍ଲାଦ ବଞ୍ଚିଗଲା କିନ୍ତୁ ହୋଲିକା ମଲା । ହିରଣ୍ୟକଶ୍ୟପୁ ଏହା ଦେଖି ଅଧିକ କ୍ରୋଧାନ୍ବିତ ହୋଇ କହିଲା, “ପ୍ରହ୍ଲାଦକୁ ମୁଁ ନିଜେ ଏଥର ମାରିବି ।”
ସେତେବେଳକୁ ସୂର୍ଯ୍ୟାସ୍ତ ସମୟ । ହିରଣ୍ୟକଶ୍ୟପୁ ପ୍ରହ୍ଲାଦକୁ ନିଜ ଘର ଅଗଣାକୁ ନେଇଗଲା । ପୁଅକୁ ପଚାରିଲା, “ଦେଖା, ତୋ ବିଷ୍ଣୁ କେଉଁଠି ଅଛନ୍ତି ?” ପ୍ରହ୍ଲାଦ ଶାନ୍ତଭାବରେ କହିଲା, “ମୋ ଭଗବାନ ଏଠି, ସେଠି, ସବୁଠି, ଏ କୋଣ, ସେ କୋଣ, ସବୁ ଜାଗାରେ ଅଛନ୍ତି । ତୁମେ ତାଙ୍କୁ ‘ଓଁ ନମୋ ଭଗବତେ ବାସୁଦେବାୟ’ ବୋଲି କହିଲେ ସେ ନିଶ୍ଚୟ ଦେଖା ଦେବେ ।” ହିରଣ୍ୟକଶ୍ୟପୁ ସେଠାରେ ଥିବା ଏକ ଖମ୍ବଆଡ଼କୁ ଆଗେଇ ଯାଇ ପଚାରିଲେ, “ଏଥିରେ ତୋ’ ବିଷ୍ଣୁ ଅଛନ୍ତି ?” ପ୍ରହ୍ଲାଦ ହଁ କରିବା ମାତ୍ରେ ହିରଣ୍ୟକଶ୍ୟପୁ ନିଜ ଖଣ୍ଡାଦ୍ଵାରା ଖମ୍ବଟିକୁ ଆଘାତ କରିବାକୁ ଲାଗିଲେ ।
[ଚିତ୍ର: ଭଗବାନ ନୃସିଂହ ଖମ୍ବ ଫଟାଇ ପ୍ରକଟ ହୋଇଛନ୍ତି ଏବଂ ପ୍ରହ୍ଲାଦ ଓ ହିରଣ୍ୟକଶ୍ୟପୁ ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି।] [ଚିତ୍ର: ଭଗବାନ ନୃସିଂହ ଦ୍ୱାରବନ୍ଧରେ ହିରଣ୍ୟକଶ୍ୟପୁକୁ କୋଳରେ ପକାଇ ନିଜ ତୀକ୍ଷ୍ଣ ନଖରେ ବିଦାରଣ କରୁଛନ୍ତି ଏବଂ ପାଖରେ ପ୍ରହ୍ଲାଦ ହାତ ଯୋଡ଼ି ଠିଆ ହୋଇଛନ୍ତି।]
କିନ୍ତୁ ଏ କ’ଣ ! ତା’ ଭିତରୁ ଗୋଟିଏ ବିଚିତ୍ର ଜୀବ ଗର୍ଜନ କରି ବାହାରିଲା; ଯାହାର ଶରୀର ମଣିଷ ପରି ଓ ମୁଣ୍ଡଟି ସିଂହ ପରି । ଏହା ଥିଲା ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାର । ଭଗବାନ ନୃସିଂହ, ହିରଣ୍ୟକଶ୍ୟପୁକୁ ଟେକି ନେଇ ନିଜ ଜଙ୍ଘ ଉପରେ ରଖିଲେ । ତାଙ୍କ ବିଶାଳ ନଖଦ୍ଵାରା ହିରଣ୍ୟକଶ୍ୟପୁର ପେଟକୁ ଚିରି ମାରିଦେଲେ । ସନ୍ଧ୍ୟା ସମୟ ଥିବାରୁ ଏହା ନା ଦିନ ନା ରାତି ଥିଲା, ନିଜ ଜଙ୍ଘ ଉପରେ ରଖି ମାରିଥିବାରୁ ନା ଭୂମି ନା ଆକାଶ ଥିଲା, ନିଜ ନଖଦ୍ଵାରା ମାରିଥିବାରୁ ଏହା ଅସ୍ତ୍ର ନା ଶସ୍ତ୍ର କିଛି ବି ନ ଥିଲା । ହିରଣ୍ୟକଶ୍ୟପୁର ମୃତ୍ୟୁ ଯୋଗୁଁ ପୃଥିବୀ ଶାନ୍ତ ପଡ଼ିଲା । ଭକ୍ତ ପ୍ରହ୍ଲାଦ ରାଜା ହୋଇ ସୁଖରେ ପ୍ରଜା ପାଳିଲେ ।
ଭକ୍ତିର ଶକ୍ତି ଆଗରେ ବାହୁବଳ ଓ ପରାକ୍ରମ ଅତି ତୁଚ୍ଛ ବୋଲି ପ୍ରମାଣିତ ହେଲା ।