[ଚିତ୍ର: ମା' ସମଲେଶ୍ୱରୀଙ୍କ ମୁଖାକୃତିର ପ୍ରତୀକ / ଦେବୀ ପ୍ରତିମା]
ନୂଆଖାଇ
ବିପିନ ବିହାରୀ ବିଶି
[ଚିତ୍ର: ଧାନ କେଣ୍ଡା, ଦୀପ, ମାଟି ହାଣ୍ଡିରେ ନୂଆ ଅନ୍ନ/ପ୍ରସାଦ ଏବଂ ପାରମ୍ପରିକ ବେଶଭୂଷାରେ ମହିଳା ଓ ପୁରୁଷ]
କଥାରେ କହନ୍ତି- ଓଡ଼ିଶାରେ ବାରମାସରେ ତେର ପର୍ବ । ସତରେ ଆମ ପର୍ବପର୍ବାଣି ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ । ଆମ ରାଜ୍ୟ ଓଡ଼ିଶା ପର୍ବପର୍ବାଣିର ଗନ୍ତାଘର । ଏହା ବ୍ୟତୀତ ଆହୁରି ଅନେକ ପର୍ବ ଆନନ୍ଦ ଉତ୍ସାହର ସହ ଆମେ ପାଳନ କରିଥାଉ । ମାନବ ଜୀବନ ଜଞ୍ଜାଳମୟ ଓ ବିଷାଦଗ୍ରସ୍ତ । ଜୀବନରୁ ନିରସତା ଓ ମନରୁ କ୍ଲାନ୍ତି ଦୂର କରି ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିବାରେ ପର୍ବପର୍ବାଣିର ମୁଖ୍ୟ ଭୂମିକା ରହିଛି । ପର୍ବପର୍ବାଣିଗୁଡ଼ିକ ମଧ୍ୟରେ ‘ନୂଆଖାଇ’ ଖୁବ୍ ପ୍ରସିଦ୍ଧ ।
ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି ‘ନୂଆଖାଇ’ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ତା’ ପୂର୍ବଦିନ ବିଦ୍ୟାଦାତା ଓ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ପାଳନ ହୋଇସାରିଥାଏ । ‘ନୂଆଖାଇ’ରେ ମା’ ବସୁମତୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସ୍ୱରୂପ ବର୍ଷର ପ୍ରଥମ ଫସଲର ନୂଆ ଧାନକେଣ୍ଡା ଓ ନୂଆଚୁଡ଼ାକୁ ଏକ ନୂଆହାଣ୍ଡିରେ ଭୋଗ କରାଯାଇ ଘରର ଇଷ୍ଟଦେବୀ ଓ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
ନୂଆଖାଇ ବା ନବାନ୍ନଭକ୍ଷଣ ଉପଲକ୍ଷେ କି ଧନୀ କି ଦରିଦ୍ର ସମସ୍ତେ ଘର ସଜାସଜି କାମରେ ଲାଗି ପଡ଼ନ୍ତି । ଘରର ମାଆ, ଝିଅ ଓ ବୋହୂମାନେ ଠାକୁରଘରଠାରୁ ଆରମ୍ଭ କରି ସମସ୍ତ ଘରଦ୍ୱାର, ଦାଣ୍ଡପିଣ୍ଡାକୁ ଲିପାପୋଛା କରନ୍ତି । ଘରେ ବ୍ୟବହୃତ ଖଟ, ପିଢ଼ା, ଡାଲାକୁଲା, ଲୁଗାପଟା, ବିଛଣାପତ୍ର, ଡବାଡବି ଆଦିକୁ ସଫା କରି ସଜାଇ ରଖନ୍ତି । ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଯାଏ ନରନାରୀମାନେ ଦୋକାନବଜାରରେ ବିକାକିଣା କରିବାରେ ଲାଗିପଡ଼ନ୍ତି । ମିଠା ଓ ପିଠାପଣା ପାଇଁ ଚାଉଳ, ନଡ଼ିଆ, ଘିଅ, ଗୁଡ଼ ଯୋଗାଡ଼ କରାଯାଏ । ପୂଜାପାଇଁ ଧୂପ, ଦୀପ, କର୍ପୂର, ବସ୍ତ୍ର ଓ ପରିଧାନପାଇଁ ନୂଆଲୁଗା କିଣାକିଣିରେ ଗହଳି ଚହଳି ଜମିଉଠେ । ପରିବାପତ୍ର ହାଟରେ ଲୋକଭିଡ଼ ହୁଏ । ନୂଆଖାଇ ପୂର୍ବରୁ ଲୋକମାନଙ୍କ ଭିତରେ ଆନନ୍ଦ ଓ ଉଲ୍ଲାସ ଭରି ରହିଥାଏ ।
[ଚିତ୍ର: ପତ୍ର ଚଉତି/ପତ୍ର ଖଳିରେ ସଜା ହୋଇଥିବା ବିଭିନ୍ନ ପ୍ରକାର ଖାଦ୍ୟ ଓ ନବାନ୍ନ ପ୍ରସାଦ]
[ଚିତ୍ର: ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପତ୍ରରେ ନୂଆ ଖାଉଥିବାର ଦୃଶ୍ୟ]
[ଚିତ୍ର: ମା' ସମଲେଶ୍ୱରୀଙ୍କ ପ୍ରତିମା, ଧାନ କେଣ୍ଡା ଏବଂ ପାରମ୍ପରିକ ନୃତ୍ୟ କରୁଥିବା ଯୁବକ-ଯୁବତୀ]
ପ୍ରସ୍ତୁତି ଭିତରେ ସମସ୍ତେ ବ୍ୟସ୍ତ ଥିବାବେଳେ ସେହି ଆନନ୍ଦର ଦିନ ‘ନୂଆଖାଇ’ ଆସି ପହଞ୍ଚିଯାଏ । ସେଦିନ ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତ ନରନାରୀ ଶଯ୍ୟାତ୍ୟାଗ କରି ନିତ୍ୟକର୍ମ ସାରନ୍ତି । ସଫା ଲୁଗା ପିନ୍ଧି ପୂଜା ସାମଗ୍ରୀ ସଜାଡ଼ି ରଖନ୍ତି । ଘରର ମୁଖୁଆ ନୂଆ ଲୁଗା ପରିଧାନ କରି ପୂଜାପାଠରେ ବସନ୍ତି । ସମସ୍ତେ ନୂଆ ଲୁଗା ପିନ୍ଧନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ନୂଆ ଧାନକେଣ୍ଡା, ଚୁଡ଼ା ଓ ପିଠାପଣା ଦେବଦେବୀଙ୍କୁ ସମର୍ପଣ କରି ପୂଜା କରାଯାଏ । ଧୂପ, ଦୀପ, ଚନ୍ଦନ ଓ କର୍ପୂରର ବାସ୍ନାରେ ଘର ମହକି ଉଠୁଥାଏ । ଶଙ୍ଖ, ହୁଳହୁଳି, ଘଣ୍ଟ, ଘଣ୍ଟା ନାଦରେ ଘର ଓ ଅଗଣା ଦୁଲୁକି ଉଠେ । ପୂଜା ଶେଷରେ ଘରର ସମସ୍ତେ ଗୋଟିଏ ସ୍ଥାନରେ ବସନ୍ତି । ଦେବୀଦେବତାଙ୍କ ପାଖରେ ଲଗାଯାଇଥିବା ଭୋଗରେ ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସାଦ ପ୍ରସ୍ତୁତ କରାଯାଏ । ସମସ୍ତେ ପୂର୍ବଦିଗକୁ ମୁହଁକରି ବସି ପତ୍ରର ଚଉତିରେ ବଢ଼ା ହୋଇଥିବା ଏହି ପ୍ରସାଦକୁ ସେବନ କରନ୍ତି ।
ତା’ ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୁଅନ୍ତି । ଏହାକୁ ‘ନୂଆଖାଇ ଜୁହାର’ କୁହାଯାଏ । ତା’ପରେ ବଡ଼ମାନେ ଖାଇବାପାଇଁ ବସନ୍ତି । ଘରେ ତିଆରି ହୋଇଥିବା ପିଠାପଣା, ଖିରିପୁରି, ମିଠା ତଥା ଭଳିକିଭଳି ଡାଲି, ତରକାରି ପ୍ରସାଦରୂପେ ସେବନ କରି ସମସ୍ତେ ଆନନ୍ଦ ଉପଭୋଗ କରନ୍ତି ।
[ଚିତ୍ର: ସମଲେଶ୍ୱରୀ ମନ୍ଦିର, ମା'ଙ୍କ ମୁଖାକୃତି, ସମ୍ବଲପୁରୀ ନୃତ୍ୟରତ ମହିଳାମାନେ, ଧାନ କେଣ୍ଡା ଏବଂ ନବାନ୍ନ ଥାଳିର ଏକତ୍ର କୋଲାଜ୍]
ନୂଆ ଖାଇସାରି ଘରର ଝିଅବୋହୂମାନେ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ବାହାରି ପଡ଼ନ୍ତି ‘ନୂଆଖାଇ ଭେଟ୍ଘାଟ୍’ ପାଇଁ । ଘର ଘର ସାହି ସାହି ବୁଲି ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୁଅନ୍ତି । ବୁଢ଼ାବୁଢ଼ୀମାନେ ହସଖୁସିରେ କହନ୍ତି “ବଞ୍ଚିଥିଲେ ଆର ବରଷକେ ଦେଖା ହେମାଁ” । ଏହି ପର୍ବରେ ବୁଢ଼ାବୁଢ଼ୀଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଁ’ର ମନ୍ଦିରକୁ ଯାଇ ଦେବଦର୍ଶନ କରିବାର ବିଧି ରହିଛି । ‘ଖରିଫ୍ ଓ ରବିଫସଲର ଉତ୍ପାଦନ ବଢ଼ୁ ଏବଂ ସଂସାରରୁ ଅନ୍ନ କଷ୍ଟ ଦୂର ହେଉ’ ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଏ । ସଞ୍ଜ ନଇଁଆସିଲେ ଖେଳକୁଦ, ମଉଜମଜ୍ଲିସ୍ରେ ସମସ୍ତେ ମଜ୍ଜିଯାଆନ୍ତି । ଘୁମୁରା ନାଚ, ଭଜନ, କୀର୍ତ୍ତନ, ନାଟ ତାମସା ଓ ଖିଆପିଆରେ ଲୋକେ ନିଜକୁ ହଜାଇ ଦିଅନ୍ତି । ବିଶେଷକରି ଆଦିବାସୀ ସଂପ୍ରଦାୟ ଲୋକଙ୍କ ନାଚଗୀତ ଓ ବାଦ୍ୟ ବେଶ୍ ଆନନ୍ଦଦାୟକ ହୋଇଥାଏ । ସେମାନେ ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରିଥାନ୍ତି ।
ନୂଆଖାଇ ଏକ ସାମାଜିକ ଓ କୃଷିଭିତ୍ତିକ ପର୍ବ । ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ପାଇଁ କୃଷକ ମନରେ ଆନନ୍ଦ ଓ ଉତ୍ସାହ ବଢ଼ିଯାଏ । ଏ ପର୍ବ ଉପଲକ୍ଷେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଆଗରୁ ଆସି ଘରେ ପହଞ୍ଚିଥାନ୍ତି । ଏହି ପର୍ବର ବିଶେଷତ୍ୱ ହେଲା ଏହା ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ମାନବିକତା ଓ ଭ୍ରାତୃତ୍ୱ ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି ଅଜାତି, ଉଚ୍ଚନୀଚ ଭେଦଭାବ ନଥାଏ । ସମସ୍ତଙ୍କ ମନରୁ ବାଦ–ବିବାଦ, ମାନ-ଅଭିମାନ, ରାଗ-ରୁଷା ଅପସରି ଯାଇଥାଏ । ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ ସଦ୍ଭାବନାରେ ପୂରିଉଠେ । ଆମର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଠିକ୍ ବାଟରେ ପରିଚାଳିତ କରିବାରେ ଏହା ବିଶେଷ ସହାୟକ ହୁଏ ।
ଆସ କଥା ହେବା
୧. ପର୍ବପର୍ବାଣି ଦିନ ତୁମ ଘରେ କେଉଁସବୁ ମିଠା, ପିଠାପଣା ଆଦି ତିଆରି କରାଯାଏ ? ୨. ତୁମକୁ କେଉଁ ପିଠା ଓ ମିଠା ଭଲ ଲାଗେ ? ୩. ସେହି ସବୁ ପିଠା କେଉଁ ସବୁ ପର୍ବରେ ତିଆରି ହୁଏ ? ୪. ତୁମ ଅଞ୍ଚଳରେ କେଉଁ ପର୍ବ ପାଳନ କରାଯାଏ ? ସେସବୁ ପର୍ବ ଓ ନୂଆଖାଇ ମଧ୍ୟରେ କ’ଣ ସବୁ ସମାନତା ରହିଛି ? ୫. ଆମ ରାଜ୍ୟରେ ଅନେକ ପର୍ବପର୍ବାଣିରେ ଶୋଭାଯାତ୍ରାମାନ ବାହାରିଥାଏ । ତୁମେ ଦେଖିଥିବା ଶୋଭାଯାତ୍ରାଗୁଡ଼ିକର ତାଲିକା କର । ତାହା ବିଷୟରେ ନିଜର ଅନୁଭବ କୁହ ।
ପାଠରୁ
ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ଆଗରେ (✓) ଚିହ୍ନ ଦିଅ—
୧. ନୂଆଖାଇ ପର୍ବ କେଉଁ ତିଥିରେ ପାଳନ କରାଯାଏ ? (କ) ଭାଦ୍ରବମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ । (ଖ) ଭାଦ୍ରବମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ । (ଗ) ଭାଦ୍ରବମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ । (ଘ) ଭାଦ୍ରବମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ ।
୨. ପର୍ବପର୍ବାଣି ପାଳନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ? (କ) ଈଶ୍ୱରଙ୍କର ଅତି ପ୍ରିୟପାତ୍ର ହେବା । (ଖ) ସାଙ୍ଗସାଥୀଙ୍କ ସହିତ ସମୟ ଅତିବାହିତ କରିବା । (ଗ) ଜୀବନକୁ ସରସସୁନ୍ଦର ଓ କର୍ମଚଞ୍ଚଳ କରିବା । (ଘ) ଜୀବନରେ ଦୁଃଖ ଓ ବିଷାଦକୁ ଦୂର କରିବା ।
୩. ଏହି ପର୍ବ ସବୁବର୍ଗର ଲୋକ ପାଳନ କରିଥାନ୍ତି, କାରଣ– (କ) ଏହି ପର୍ବ ଲୋକମାନଙ୍କୁ ପରସ୍ପର ଭିତରେ ସ୍ନେହର ଡୋରିରେ ବାନ୍ଧି ରଖିଥାଏ । (ଖ) ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ହୋଇଥାଏ । (ଗ) ଏହା କୃଷକ, ଧନୀ, ଦରିଦ୍ର ଆଦି ସବୁବର୍ଗର ଲୋକଙ୍କୁ ଆନନ୍ଦ ଦେଇଥାଏ । (ଘ) ଏହି ପର୍ବ ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ ।
୪. ‘ବଞ୍ଚିଥିଲେ ଆର ବରଷକେ ଦେଖା ହେମାଁ ।’ (କ) ଲେଖକ କହିଛନ୍ତି । (ଖ) ଝିଅବୋହୂମାନେ କହିଛନ୍ତି । (ଗ) ବୁଢ଼ାବୁଢ଼ୀମାନେ କହିଛନ୍ତି । (ଘ) ଗୁରୁଜନମାନେ କହିଛନ୍ତି ।
ଆସ ଉତ୍ତର ଲେଖିବା
୧. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । (କ) ନୂଆଖାଇ ପର୍ବର ପୂର୍ବଦିନ କେଉଁପୂଜା ପାଳନ ହୁଏ ? (ଖ) ନୂଆଖାଇ ପର୍ବରେ ନରନାରୀମାନେ ଦୋକାନବଜାରରେ କ’ଣ ବିକାକିଣା କରନ୍ତି ? (ଗ) ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଘରେ କିପରି ପୂଜା କରାଯାଏ ? (ଘ) ନୂଆଖାଇ ଭେଟ୍ଘାଟ୍ କ’ଣ ବୁଝାଇ ଲେଖ ।
୨. ତଳେ ଦିଆଯାଇଥିବା ଉତ୍ତର ସଂପର୍କିତ ବାକ୍ୟାଂଶକୁ ବହିରୁ ଖୋଜି ଲେଖ । ଗୋଟିକର ନମୁନା ଦିଆଯାଇଛି ।
| ଉତ୍ତର ସଂପର୍କିତ ବାକ୍ୟ | ଗଦ୍ୟାଂଶ |
|---|---|
| (କ) ପିଠାପାଇଁ ନଡ଼ିଆ ଗୁଡ଼ ଯୋଗାଡ଼ କରନ୍ତି । | ମିଠା ଓ ପିଠାପାଇଁ ଚାଉଳ, ନଡ଼ିଆ, ଘିଅ, ଗୁଡ଼ ଯୋଗାଡ଼ କରାଯାଏ । |
| (ଖ) ଅନ୍ନକଷ୍ଟ ଦୂର ପାଇଁ ଠାକୁରଙ୍କୁ ଡାକନ୍ତି । | |
| (ଗ) ନୂଆଲୁଗା କିଣାକିଣିରେ ଗହଳି ଜମି ଉଠେ । | |
| (ଘ) ବିଭିନ୍ନ ଭଜନ କୀର୍ତ୍ତନ କରି ନିଜକୁ ଭୁଲିଯାଆନ୍ତି । | |
| (ଙ) ଘରଦ୍ୱାର ଲିପାପୋଛା କରନ୍ତି । |
ଭାଷାର କଥା
୧. ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ରେଖାଙ୍କିତ ଶବ୍ଦ ସ୍ଥାନରେ ନୂତନ ସମାନାର୍ଥବୋଧକ ଶବ୍ଦ ଲେଖି ବାକ୍ୟଗୁଡ଼ିକୁ ପୁଣିଥରେ ଲେଖ । (କ) ବସୁମତୀଙ୍କୁ ବର୍ଷର ପ୍ରଥମ ଫସଲର ଭୋଗ କରାଯାଏ । (ଖ) ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନବିନାଶକଙ୍କ ପୂଜା କରାଯାଇଥାଏ । (ଗ) ନବାନ୍ନଭକ୍ଷଣ ଉପଲକ୍ଷେ ସମସ୍ତେ ଘର ସଜାସଜିରେ ଲାଗିପଡ଼ନ୍ତି । (ଘ) ସାନମାନେ ବଡ଼ମାନଙ୍କୁ ଜୁହାର କରି ପ୍ରସାଦ ସେବନ କରନ୍ତି । (ଙ) ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସାଦ ପ୍ରସ୍ତୁତ କରାଯାଏ ।
୨. ନିମ୍ନରେ ଉଦାହରଣକୁ ବୁଝି ବାକ୍ୟଗୁଡ଼ିକୁ ପୂରଣ କର । (କ) ଯେଉଁଠି ଦେଖ ଆନନ୍ଦ ହିଁ ଆନନ୍ଦ ଓ ଖୁସି ହିଁ ଖୁସି । (ଖ) ମୁଁ ସମୁଦ୍ର କୂଳକୁ ଗଲି, ଯେଉଁଠି ଦେଖ ......... । (ଗ) ଘରେଘରେ ଯେଉଁଠି ଦେଖ ପିଠା ପଣା ......... । (ଘ) ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସ୍ନେହ ......... ।
୩. ରେଖାଙ୍କିତ ଶବ୍ଦଗୁଡ଼ିକର ବଚନ ବଦଳାଇ ବାକ୍ୟ ପୂରଣ କର । (କ) ‘ନୂଆଖାଇ’ରେ ଘରର ମୁଖୁଆ ପୂଜା କରନ୍ତି ଏବଂ ଗାଆଁର ମୁଖୁଆମାନେ ପୂଜାପାଠରେ ବସନ୍ତି । (ଖ) ଗୁରୁଜନ ତୁମକୁ ଭଲକଥା କହିଥାନ୍ତି ଓ ତୁମେ ସବୁବେଳେ ......... କଥା ମାନ । (ଗ) ନୂଆଖାଇ ପର୍ବରେ କୃଷକ ଖୁସିଥାଏ, ନୂଆ ଫସଲ ଅମଳପାଇଁ ......... ଆନନ୍ଦରେ ମଜ୍ଜିଯାଆନ୍ତି । (ଘ) ଗଙ୍ଗା ଗୋଟିଏ ପବିତ୍ର ନଦୀ ଅଟେ । ଆମ ଦେଶରେ ଏହିପରି ......... ରହିଛି । (ଙ) ସବୁ ବାଲ୍ଟି ପାଣିରେ ଭରିଛି, କେବଳ ଗୋଟିଏ ......... ବାକି ଅଛି ।
୪. ଯେତେବେଳେ ଜଣେ କହୁଥିବା କଥାକୁ ଆମେ ଲେଖା ଆକାରରେ ପ୍ରକାଶ କରୁ, ସେତେବେଳେ ଗୋଟିଏ ଚିହ୍ନର ବ୍ୟବହାର କରାଯାଏ । ଏହାକୁ ଉଦ୍ଧୃତ ଚିହ୍ନ କୁହନ୍ତି । ଉଦାହରଣ ସ୍ୱରୂପ, ମାଆ କହିଲେ, “ଆଜିଠାରୁ ଆମର ନୂଆବର୍ଷ ଆରମ୍ଭ ହେଉଅଛି ।” ଏହିପରି ଆଉ ଦୁଇଟି ବକ୍ତବ୍ୟ ପାଠରୁ ଖୋଜି ଲେଖ ।
୫. ଏହି ପାଠରୁ କିଛି ଶବ୍ଦ ଚୟନ କରି ତଳେ ଦିଆଯାଇଛି, ଏଗୁଡ଼ିକୁ ଓଡ଼ିଆ ବର୍ଣ୍ଣମାଳା ଅଭିଧାନ କ୍ରମ ଅନୁସାରେ ସଜାଡ଼ି ଲେଖ ।
ଗୁରୁଜନ, କଲମ, ଖଜଣା, ଆଦିବାସୀ, ଗଣେଶ, ଫସଲ, ବସୁମତୀ, ନରନାରୀ, ଚନ୍ଦନ, ଘଡ଼ି, ଘୁମୁରା, ଲୁଗାପଟା
ପାଠରୁ ଆଗକୁ
୧. ତୁମ ଘରେ ପର୍ବପର୍ବାଣି ପାଳନପାଇଁ କିପରି ପ୍ରସ୍ତୁତି କରାଯାଇଥାଏ ? ୨. ତୁମ ଘରେ ପର୍ବପାଳନ ସମୟରେ କିଏ କି କି କାମ କରିଥାନ୍ତି, ତା’ର ତାଲିକା କର । ୩. ଆମ ରାଜ୍ୟର ଲୋକମାନେ ବିଭିନ୍ନ ପର୍ବ ପାଳନ କରିଥାନ୍ତି । ଯେପରି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଗଣେଶପୂଜା ପାଳନ ହୁଏ । ସେହିପରି ଭାଦ୍ରବମାସ କୃଷ୍ଣପକ୍ଷରେ ଜନ୍ମାଷ୍ଟମୀ ପାଳନ କରାଯାଏ । ନିମ୍ନରେ ଦିଆଯାଇଥିବା ପର୍ବଗୁଡ଼ିକର ତିଥି ବା ତାରିଖର ସୂଚନା ଦେଖି ପର୍ବ ସହିତ ମିଶାଇବା ।
| ବିଭିନ୍ନ ପର୍ବ | ତିଥି/ ତାରିଖ |
|---|---|
| ଶ୍ରୀକୃଷ୍ଣଜନ୍ମ | ରମ୍ଜାନ ସରିବା ପରଦିନ |
| ଈଦ୍-ଉଲ୍-ଫିତର | ଡିସେମ୍ବର ମାସ ୨୫ ତାରିଖ |
| ରଥଯାତ୍ରା | ଶ୍ରାବଣପୂର୍ଣ୍ଣିମା |
| ରାକ୍ଷୀ ପୂର୍ଣ୍ଣିମା | ଭାଦ୍ରବ କୃଷ୍ଣଅଷ୍ଟମୀ |
| ବଡ଼ଦିନ | କାର୍ତ୍ତିକପୂର୍ଣ୍ଣିମା |
| ଆଷାଢ଼ ଶୁକ୍ଳଦ୍ୱିତୀୟା |
ଏହି କାମଟି କରିବା ସମୟରେ ଦଳରେ ଆଲୋଚନା କର । ଆବଶ୍ୟକ ସ୍ଥଳେ ଶିକ୍ଷକ/ ଶିକ୍ଷୟିତ୍ରୀ/ ଅଭିଭାବକଙ୍କ ସାହାଯ୍ୟ ନେଇପାର ।
ଭାବି ଲେଖ
୧. ଏହି ପାଠରୁ ତୁମକୁ ସବୁଠୁ କ’ଣ ଭଲ ଲାଗିଲା ଓ କାହିଁକି ? ୨. ତଳେ ଦିଆଯାଇଥିବା ଉଦାହରଣକୁ ଦେଖି ପରବର୍ତ୍ତୀ କ୍ରମ ପ୍ରସ୍ତୁତ କର ।
| ଗହମ: | ଅଟା | ରୁଟି, ପୁରି |
|---|---|---|
| ଦଲିଆ | ହାଲୁଆ | |
| କ୍ଷୀର: | ... | ... |
| ଆଖୁ: | ... | ... |
| ଚାଉଳ: | ... | ... |
[ଚିତ୍ର: ଗଛର ଶୁଖିଲା ଓ ସବୁଜ ପତ୍ରରେ ତିଆରି ଏକ ହାତୀର କଳାକୃତି]
୩. ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେଗୁଡ଼ିକୁ ବ୍ୟବହାର କରି ତୁମ ସାଙ୍ଗ ନିକଟକୁ ‘ନୂଆଖାଇ’ ପର୍ବ ବିଷୟରେ ଲେଖି ଜଣାଅ ।
ନବାନ୍ନ, ଜୁହାର, ଭେଟ୍ଘାଟ୍, ପିଢ଼ା, ଇଷ୍ଟଦେବୀ, ଧନୀଦରିଦ୍ର, ଝିଅବୋହୂ, ନୂଆଚୁଡ଼ା, ଘୁମୁରାନାଚ, ସାମାଜିକପର୍ବ, କୃଷକ, ଧର୍ମ, ସଂସ୍କୃତି, ପିଠାପଣା, ଆର ବରଷକେ ।
(ତୁମେ ଏହି ଶବ୍ଦଗୁଡ଼ିକ ବ୍ୟତୀତ ଅନ୍ୟ ଶବ୍ଦର ସାହାଯ୍ୟ ନେଇପାର ।)
ମୋ କଳାକୃତି
ଏଠାରେ କିଛି ପ୍ରାଣୀଙ୍କ ଚିତ୍ର ଦିଆଯାଇଛି, ଯେଉଁଗୁଡ଼ିକୁ ଶୁଖିଲାପତ୍ରରେ ପ୍ରସ୍ତୁତ କରାଯାଇଛି । ଏହି ପ୍ରାଣୀଗୁଡ଼ିକୁ ଚିହ୍ନ ଓ ପତ୍ର ନେଇ ଏପରି ବିଭିନ୍ନ ପ୍ରକାର ଆକୃତି ତିଆରି କରି ତଳେ ଦିଆଯାଇଥିବା ଖାଲି ସ୍ଥାନରେ ଲଗାଅ ।
[ଚିତ୍ର: ଓଡ଼ିଶାର ଜିଲ୍ଲାୱାରୀ ମାନଚିତ୍ର]
ପାଠାଗାରରୁ
ପୁସ୍ତକାଗାର କିମ୍ବା ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ନେଇ ତଳେ ଦିଆଯାଇଥିବା ବିନ୍ଦୁଗୁଡ଼ିକୁ ଆଧାର କରି ବରଗଡ଼ ଜିଲ୍ଲା ବିଷୟରେ ମହତ୍ତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କର ।
| ଜିଲ୍ଲା | ବରଗଡ଼ |
|---|---|
| ସଦର ମହକୁମା | ... |
| ପଡ଼ୋଶୀ ଜିଲ୍ଲା | ... |
| ଭାଷା | ... |
| ମୁଖ୍ୟଫସଲ | ... |
| ପର୍ବ | ... |
| ନୃତ୍ୟ | ... |
| ପୋଷାକ | ... |
| ଯାତ୍ରା | ... |
ପହେଳିକୁ ବୁଝ
ମଞ୍ଜୁକୁ ଜନ୍ମଦିନରେ ମିଠାଇ ତିଆରିପାଇଁ ମାଆ ତାକୁ କ୍ଷୀରବାଲାଙ୍କ ପାଖରୁ ୫ ଲିଟର କ୍ଷୀର ଆଣିବାକୁ ପଠାଇଲେ । କ୍ଷୀର ମାପିବାପାଇଁ କ୍ଷୀରବାଲା ଭାଇଙ୍କ ପାଖରେ ଦୁଇଟି ମାପପାତ୍ର ଥିଲା- ଗୋଟିଏ ୪ ଲିଟର ଓ ଅନ୍ୟଟି ୩ ଲିଟରର ମାପ । କ୍ଷୀରବାଲା କେତେବେଳେ ଏ ପାତ୍ରରେ ତ କେତେବେଳେ ସେ ପାତ୍ରରେ କ୍ଷୀର ଢାଳୁଥାଏ । ମଞ୍ଜୁ ଧ୍ୟାନର ସହିତ ସେ ସବୁକୁ ଦେଖୁଥାଏ । ତା’ର ମନରେ ଉତ୍କଣ୍ଠା ଥାଏ ଯେ କିପରି କ୍ଷୀରବାଲା ୫ ଲିଟର କ୍ଷୀର ଦେଇପାରିବ ।
କ୍ଷୀରବାଲାଭାଇ ମଞ୍ଜୁକୁ ପାଞ୍ଚ ଲିଟର କ୍ଷୀର ଦେଇଦେଲେ, ଯାହାକୁ ନେଇ ସେ ଘରକୁ ଗଲା । ସନ୍ଧ୍ୟାବେଳେ ଜନ୍ମଦିନ ପାଳନ ସମୟରେ ସେ ନିଜର ସାଙ୍ଗମାନଙ୍କୁ ଏହି ମଜାଦାର କଥା ଶୁଣାଇଲା ଓ ସେମାନଙ୍କୁ ପଚାରିଲା, ‘କୁହ ତ ! -କ୍ଷୀରବାଲା ସେହି ପାଞ୍ଚ ଲିଟର କ୍ଷୀର କିପରି ଦେଇଥିବ ?’
ଏବେ ତୁମେ କୁହ ମଞ୍ଜୁ ତା’ର ସାଙ୍ଗମାନଙ୍କୁ ଉତ୍ତରରେ କ’ଣ କହିଥିବ ।
ଶିକ୍ଷଣ ସୂଚନା : ଗଣିତର ଏହି ପହେଳିର ଉତ୍ତର ପିଲାମାନଙ୍କଦ୍ୱାରା ଭିନ୍ନ ଭିନ୍ନ ପ୍ରକାର ଆସିବାର ସମ୍ଭାବନା ଥାଏ । ଏଣୁ ଶିକ୍ଷକ ଧୈର୍ଯ୍ୟପୂର୍ବକ ପିଲାମାନଙ୍କଦ୍ୱାରା ଆସିଥିବା ଉତ୍ତର ଶୁଣିବେ ଓ ଠିକ୍ ଉତ୍ତର ପାଖରେ ପହଞ୍ଚିବାରେ ସହଯୋଗ କରିବେ ।
[ଚିତ୍ର: ଗାଁର ଦୋଳବେଦୀ ସମ୍ମୁଖରେ ହୋଲି/ଦୋଳ ପର୍ବର ଉତ୍ସବ ପାଳନ, ରଙ୍ଗର ଥାଳି ଏବଂ ବେଲୁନ ଧରିଥିବା ପିଲା]
[ଚିତ୍ର: ଦୋଳଯାତ୍ରା ଓ ହୋଲି ଉତ୍ସବରେ ରଙ୍ଗ ଖେଳୁଥିବା ଭକ୍ତ ଓ ଜନସାଧାରଣଙ୍କ ଭିଡ଼]
ତୁମ ପଢ଼ିବାପାଇଁ
ହୋରି ଖେଳିବା
ହୋରି ଖେଳିବାରେ ହୋରି ଖେଳିବା
ଦେହରେ ମୁହଁରେ ରଙ୍ଗ ବୋଳିବା ।
ଆମେ କୁନିକୁନି ଭଉଣୀଭାଇ
ବଡ଼ସାନ ଭେଦ ଆମର ନାଇଁ ।
ନାଇଁରେ ଆମର ବାଦ ବିବାଦ,
ପୋଛିଦେବା ମନୁ ଦୁଃଖବିଷାଦ ।
ରାଗ, ରୋଷ ଯେତେ ସବୁ ଭୁଲିବା
ହୋରି ଖେଳିବାରେ ହୋରି ଖେଳିବା ।
ବଣ, ପରବତ, ନଦୀ, ସାଗର
ବିଲ, ତୋଟାମାଳ, ଗାଆଁ, ସହର ।
ଭଳିଭଳି କେତେ ରଙ୍ଗରେ ଭରା
ଏ ଦୁନିଆ ଏକ ‘ରଙ୍ଗପସରା’ ।
ସେ ରଙ୍ଗରେ ଆମେ ରଙ୍ଗ ଢାଳିବା
ହୋରି ଖେଳିବାରେ ହୋରି ଖେଳିବା ।
ବରଷକେ ଥରେ ଦୋଳ ପୁନେଇଁ
‘ଏକତା’ର କଥା ଯାଏ ଶୁଣେଇ ।
ଆମେ ସବୁ ଯେବେ ହୋଇବା ଏକ
ରଖିବା ଏ ଦେଶ, ଜାତିର ଟେକ ।
‘ଏକତା’ର ବଳେ ମେରୁ ଟାଳିବା
ହୋରି ଖେଳିବାରେ ହୋରି ଖେଳିବା ।
କ୍ଷୀରୋଦ ଚନ୍ଦ୍ର ପୋଥାଳ