ଓଡ଼ିଶା ହେଉଛି ପର୍ବପର୍ବାଣିର ଗନ୍ତାଘର । ମାନବ ଜୀବନରୁ କ୍ଲାନ୍ତି ଓ ନିରସତା ଦୂର କରି ଜୀବନକୁ ସରସ, ସୁନ୍ଦର ଓ ଆନନ୍ଦମୟ କରିବାରେ ପର୍ବଗୁଡ଼ିକର ମୁଖ୍ୟ ଭୂମିକା ରହିଛି । ଏହିସବୁ ପର୍ବ ମଧ୍ୟରେ ‘ନୂଆଖାଇ’ ଏକ ପ୍ରସିଦ୍ଧ କୃଷିଭିତ୍ତିକ ତଥା ସାମାଜିକ ପର୍ବ । ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଅତି ଉତ୍ସାହର ସହ ପାଳନ କରାଯାଏ । ଏହାର ଠିକ୍ ପୂର୍ବଦିନ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ନୂଆଖାଇ ପୂର୍ବରୁ ଧନୀ-ଦରିଦ୍ର ସମସ୍ତେ ଘରଦ୍ୱାର ଲିପାପୋଛା କରି ସଫାସୁତୁରା କରନ୍ତି ଏବଂ ପିଠାପଣା, ପୂଜା ସାମଗ୍ରୀ ତଥା ନୂଆ ଲୁଗାପଟା କିଣିବାରେ ହାଟବଜାରରେ ଭିଡ଼ ଜମିଉଠେ ।
ନୂଆଖାଇ ଦିନ ସକାଳୁ ସମସ୍ତେ ନିତ୍ୟକର୍ମ ସାରି ନୂଆ ଲୁଗା ପିନ୍ଧନ୍ତି । ଘରର ମୁଖୁଆ ପୂଜାରେ ବସି ପ୍ରଥମେ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତି । ଏହାପରେ ମା’ ବସୁମତୀଙ୍କୁ କୃତଜ୍ଞତା ଜଣାଇ ବର୍ଷର ପ୍ରଥମ ଅମଳର ନୂଆ ଧାନକେଣ୍ଡା ଓ ନୂଆଚୁଡ଼ାକୁ ଏକ ନୂଆହାଣ୍ଡିରେ ଭୋଗ ଲଗାଇ ଇଷ୍ଟଦେବୀ ଓ ମହାଲକ୍ଷ୍ମୀଙ୍କ ପୂଜା କରାଯାଏ । ନୂଆଚୁଡ଼ା ସହିତ ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସାଦ ପ୍ରସ୍ତୁତ ହୁଏ । ପରିବାରର ସମସ୍ତେ ଏକାଠି ବସି ପୂର୍ବଦିଗକୁ ମୁହଁ କରି ପତ୍ର ଚଉତିରେ ଏହି ପ୍ରସାଦ ସେବନ କରନ୍ତି । ପ୍ରସାଦ ସେବନ ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତି, ଯାହାକୁ ‘ନୂଆଖାଇ ଜୁହାର’ କୁହାଯାଏ ।
ନୂଆ ଖାଇସାରି ଘରର ଝିଅବୋହୂମାନେ ଗାଁର ଘର ଘର ବୁଲି ଗୁରୁଜନମାନଙ୍କୁ ଜୁହାର ହୁଅନ୍ତି, ଯାହାକୁ ‘ନୂଆଖାଇ ଭେଟ୍ଘାଟ୍’ କୁହାଯାଏ । ସମସ୍ତେ ଗାଁର ମନ୍ଦିରକୁ ଯାଇ ଭଲ ଫସଲ ଅମଳ ହେବା ଏବଂ ସଂସାରରୁ ଅନ୍ନକଷ୍ଟ ଦୂର ହେବା ପାଇଁ ପ୍ରାର୍ଥନା କରନ୍ତି । ସଞ୍ଜବେଳେ ଘୁମୁରା ନାଚ, ସମ୍ବଲପୁରୀ ନୃତ୍ୟ, ଭଜନ ଓ କୀର୍ତ୍ତନରେ ଚାରିଆଡ଼ ଉତ୍ସବମୁଖର ହୋଇଉଠେ । ଏହି ପର୍ବ ସମାଜରୁ ଉଚ୍ଚ-ନୀଚ, ଜାତି-ଅଜାତିର ଭେଦଭାବ ଓ ରାଗ-ରୁଷା ଦୂର କରି ସମସ୍ତଙ୍କ ମଧ୍ୟରେ ସ୍ନେହ, ପ୍ରେମ ଓ ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ ।