[ଚିତ୍ର: କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର, ଯେଉଁଥିରେ 'WELCOME TO KAZIRANGA NATIONAL PARK' ଫଳକ ଲଗାଯାଇଛି ଏବଂ ପାଖରେ ପଶୁମାନଙ୍କ ପ୍ରତିମୂର୍ତ୍ତି ରହିଛି।]

ସପ୍ତମ ପାଠ

ପାଠ-୭

କାଜିରଙ୍ଗା ଜାତୀୟଉଦ୍ୟାନ ଭ୍ରମଣ

କାଜିରଙ୍ଗା ଜାତୀୟ ଉଦ୍ୟାନ ତା ୦୧-୦୯-୨୦୨୫ରିଖ

ଆଦରର ପିଲାମାନେ,

ଏ ପତ୍ର ମୁଁ ତୁମମାନଙ୍କପାଇଁ କାଜିରଙ୍ଗା ଜାତୀୟଉଦ୍ୟାନରୁ ଲେଖୁଅଛି।

କାଜିରଙ୍ଗା ଜାତୀୟଉଦ୍ୟାନ ଆସାମର ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ। ଏଠାରେ ବିଭିନ୍ନ ପ୍ରକାରର ପଶୁ ଓ ପକ୍ଷୀ ଦେଖିବାକୁ ମିଳନ୍ତି। ଆଜି ସକାଳେ ଆମେ ହାତୀ ଉପରେ ବସି ଏହି ଉଦ୍ୟାନ ଦେଖିବାକୁ ଯାଇଥିଲୁ। ଏହା ଦେଖିବାପାଇଁ ଆମକୁ ବଡ଼ିଭୋରରୁ ଉଠିବାକୁ ପଡ଼ିଥିଲା। ସେତେବେଳକୁ ସୂର୍ଯ୍ୟ ମଧ୍ୟ ଉଦୟ ହୋଇ ନ ଥିଲେ।

ଉଦ୍ୟାନରେ ଶହଶହ ପଶୁ ଥିଲେ। ହରିଣ ଓ ବଣମଇଁଷି ଦଳଦଳ ହୋଇ ଘାସ ଚରିବାରେ ବ୍ୟସ୍ତ ଥିଲେ। ସେମାନଙ୍କ ନିକଟରେ କିଛି ଏକଶିଙ୍ଗିଆ ଗଣ୍ଡା ମଧ୍ୟ ଥିଲେ। ଏକଶିଙ୍ଗିଆ ଗଣ୍ଡାମାନଙ୍କ ପାଇଁ ହିଁ କାଜିରଙ୍ଗା ଉଦ୍ୟାନ ବିଶ୍ୱବିଖ୍ୟାତ।

ହରିଣ ଓ ବଣମଇଁଷି ଆମ ଆଡ଼କୁ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଚାହୁଁଥିଲେ, ସେମାନେ ଧୀରେଧୀରେ ଆମଠୁ ଦୂରେଇଗଲେ। କିନ୍ତୁ ଗଣ୍ଡାମାନେ ଆମକୁ ଦେଖି ଟିକିଏ ବି ବିଚଳିତ ହେଉ ନ ଥିଲେ। ଆମେ ପ୍ରଥମଥରପାଇଁ


[ଚିତ୍ର: ବିଭିନ୍ନ ବନ୍ୟଜନ୍ତୁ ଓ ପକ୍ଷୀ ଯଥା - ଚଢ଼େଇ, ଗଣ୍ଡା, ଗଧିଆ, ମାଙ୍କଡ଼, ଭାଲୁ, ହାତୀ, ସିଂହ, ହାଇନା, ବାରହା, ବଣମଇଁଷି, କଲରାପତରିଆ ବାଘ, ହରିଣ ଏବଂ ମହାବଳ ବାଘଙ୍କର ଏକ କୋଲାଜ୍ ଚିତ୍ର।]

ଏକଶିଙ୍ଗିଆ ଗଣ୍ଡା ଦେଖିବାର ସୁଯୋଗ ପାଇଲୁ। ହାତୀଙ୍କ ପରେ ପରେ ଏମାନେ ହିଁ ଭାରତବର୍ଷର ବଡ଼ ପଶୁ। ଏମାନଙ୍କୁ ଇଣ୍ଡିଆନ୍ ରାଇନୋ (ଭାରତୀୟ ଗଣ୍ଡା) ବୋଲି ମଧ୍ୟ କୁହାଯାଏ। ଭାରତ ଓ ନେପାଳ ଜଙ୍ଗଲରେ ହିଁ ଏମାନେ କେବଳ ଦେଖାଯାଆନ୍ତି।

ଇଣ୍ଡିଆନ୍ ରାଇନୋ (ଭାରତୀୟ ଗଣ୍ଡା)ଙ୍କ ଦେହର ଚମଡ଼ା ବହୁତ ମୋଟା। ସତେ ଯେମିତି ସେମାନେ ଦେହରେ କବଚ ପିନ୍ଧିଛନ୍ତି। ଏହି ମର୍ମରେ ଆମ ପୁରାଣରେ ଗୋଟିଏ ମନଛୁଆଁକଥା ରହିଛି। ଥରେ ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧକ୍ଷେତ୍ରକୁ ହାତୀ ବଦଳରେ ଗଣ୍ଡାମାନଙ୍କୁ ପଠାଇବାକୁ ଚିନ୍ତା କଲେ। ସେଠାରେ ସେ ଗଣ୍ଡାମାନଙ୍କୁ କବଚ ପିନ୍ଧାଇ ଯୁଦ୍ଧ ଅଭ୍ୟାସ କରାଇଲେ। କିନ୍ତୁ ଗଣ୍ଡାମାନେ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ କାମ କଲେ ନାହିଁ। ଏଣୁ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ କବଚ ସହିତ ବଣକୁ ଫେରାଇଦେଲେ। ଇଣ୍ଡିଆନ୍ ରାଇନୋ (ଭାରତୀୟଗଣ୍ଡା) ପଶ୍ଚିମରେ ପେଶୱାରଠାରୁ ଆରମ୍ଭ କରି ପୂର୍ବରେ ଆସାମ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦେଖାଯାଉଥିଲେ। କିନ୍ତୁ ଲୋକମାନେ ଶିଙ୍ଗ ଲୋଭରେ ଏମାନଙ୍କୁ ହତ୍ୟା କରି ପକାଉଛନ୍ତି। ଲୋକଙ୍କ ବିଶ୍ୱାସ ଯେ ଏମାନଙ୍କ ଶିଙ୍ଗରେ ଔଷଧୀୟ ଗୁଣ ରହିଛି। ଇଣ୍ଡିଆନ୍ ରାଇନୋ (ଭାରତୀୟଗଣ୍ଡା)ମାନଙ୍କୁ ଏତେ ସଂଖ୍ୟାରେ ଶିକାର କରାଯାଉଛି, ଯାହାଫଳରେ ଏମାନଙ୍କ ସଂଖ୍ୟା ବହୁତ କମିଯାଉଛି। ଭାରତରେ ଦେଖାଯାଉଥିବା ଅଧାରୁ ଅଧିକ ଗଣ୍ଡା ହିଁ ଏହି କାଜିରଙ୍ଗା ଜାତୀୟଉଦ୍ୟାନରେ ରହନ୍ତି। ଏଥିପାଇଁ ପୃଥିବୀର ଅଧିକାଂଶ ପଶୁପ୍ରେମୀ ଏମାନଙ୍କୁ ଦେଖିବାକୁ କାଜିରଙ୍ଗା ଆସନ୍ତି।


ଆମେ ବସିଥିବା ହାତୀ ଧୀରେଧୀରେ ଆଗକୁ ଚାଲୁଥାଏ। ଆଗରେ ଦେଖିଲୁ ଗୋଟିଏ ଗଣ୍ଡା ତା’ ଛୁଆ ସହ ଆମ ଆଡ଼କୁ ମାଡ଼ି ଆସୁଛି। ହାତୀର ମାହୁନ୍ତ ଶୀଘ୍ର ଆମକୁ ଅନ୍ୟ ଦିଗକୁ ନେଇ ଚାଲିଲା। କହିଲା, “ମାଆ ଗଣ୍ଡା ଛୁଆ ସହ ଥିବାବେଳେ ହିଂସ୍ରକ ହୋଇଥାଏ। ହାତୀକୁ ଦେଖିଲେ, ଆକ୍ରମଣ ମଧ୍ୟ କରିପାରେ।”

ସକାଳ ଉଦ୍ୟାନ ଭ୍ରମଣବେଳେ ଆମେ ଦଳଦଳ ହରିଣ ଦେଖିଥିଲୁ। କାଜିରଙ୍ଗାରେ ଚାରିପ୍ରକାର ହରିଣ ଦେଖାଯାଆନ୍ତି– ଭୁକୁଥିବାହରିଣ, ବାରଶିଙ୍ଗିଆହରିଣ, ବାମନହରିଣ ଓ ସମ୍ବରହରିଣ। ଆମକୁ ସେଠାରେ ଜଙ୍ଗଲୀ ବାରହା ମଧ୍ୟ ଦେଖିବାକୁ ମିଳିଲା।

ଆମ ଭ୍ରମଣ ଶୀଘ୍ର ଶେଷ ହୋଇଗଲା। ହେଲେ ଭ୍ରମଣର ଇଚ୍ଛା ମୋର ପୂର୍ଣ୍ଣ ହୋଇ ନ ଥିଲା। ତା’ପରଦିନ ପୁଣି ଜଳଖିଆ ଖାଇ ବୁଲିବାକୁ ବାହାରିପଡ଼ିଲୁ। ଏଥର ହାତୀ ବଦଳରେ ଜିପ୍‌ରେ ଗଲୁ। ସାଥୀରେ ଜଣେ ବନକର୍ମଚାରୀଙ୍କୁ ନେଲୁ। ଡ୍ରାଇଭର ଆମକୁ ଏକ ହ୍ରଦର ଅପର ପଟକୁ ନେଇଗଲା। ସେଠାରେ ଆମେ ଶହଶହ ଗେଣ୍ଡାଳିଆ, ହଂସ, ବତକ, ବଗ ପ୍ରଭୃତି ବିଭିନ୍ନ ପକ୍ଷୀଙ୍କୁ ଦେଖିଲୁ। ଗୋଟିଏ ଜାଗାରେ ବିଭିନ୍ନପ୍ରକାର ଏତେ ସଂଖ୍ୟକ ପକ୍ଷୀ ମୁଁ ଜୀବନରେ କେବେ ଦେଖି ନ ଥିଲି। ସେଠାରେ ପାଣି ଉପରେ କିଛି ପକ୍ଷୀ ଡିଆଁଡିଇଁ କରୁଥିଲେ। ସେଠାରୁ ଫେରିବା ରାସ୍ତାରେ ଆମେ ଏକ ଚମତ୍କାର ଦୃଶ୍ୟ ଦେଖିଲୁ। ଆମ ଆଗରେ ଜଙ୍ଗଲୀ ହାତୀଙ୍କ ଗୋଟିଏ ଦଳ ରାସ୍ତା ପାରି ହେଉଥିଲେ। ଏହି ଦଳରେ ପାଞ୍ଚଛଅଟି ଛୁଆ ହାତୀ ଥିଲେ। ହାତୀମାନଙ୍କର ଦଳପତି ସବୁଠୁ ପଛରେ ରହି ଛୋଟ ଛୁଆ ସହ ସବୁହାତୀଙ୍କୁ ରାସ୍ତା ପାରି କରାଉଥିଲେ। ସମସ୍ତେ ପାରି ହେବାପରେ ସେହି ବିଶାଳକାୟ ଦଳପତି ଦନ୍ତାହାତୀ ରାସ୍ତା ପାରିହେଲା।

କାଜିରଙ୍ଗା ଉଦ୍ୟାନରେ ମାଂସାହାରୀ ରୟାଲବେଙ୍ଗଲ ଟାଇଗର୍ ଦେଖାଯାଆନ୍ତି। ହେଲେ ଆମେ ସେମାନଙ୍କୁ ଦେଖିବାକୁ ପାଇଲୁ ନାହିଁ। ଆମ ଗାଇଡ଼୍ କହିଲେ କି, “ଏମାନଙ୍କୁ ଦେଖିବା ଏତେ ସହଜ ନୁହେଁ। କାରଣ ଏମାନେ କେବଳ ରାତିରେ ବାହାରନ୍ତି।”

ବାସ୍ତବିକ୍ କାଜିରଙ୍ଗା ଭ୍ରମଣ ଆମପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଥିଲା। ଏଠାରେ ବିଭିନ୍ନ ପ୍ରଜାତିର ପଶୁ ଶାନ୍ତିରେ ଭାଇଚାରା ମଧ୍ୟରେ ମିଳିମିଶି ରହିଥାନ୍ତି। ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ପଶୁମାନଙ୍କ ପରି ଆମେ ମଣିଷମାନେ ଯଦି ମିଳିମିଶି ଏକାଠି ଶାନ୍ତିରେ ରହନ୍ତେ, ସତରେ କେତେ ଭଲ ହୁଅନ୍ତା ! ପୃଥିବୀଟା ସ୍ୱର୍ଗରେ ପରିଣତ ହୋଇଯାନ୍ତା। ଆମେ ଆମର ଏଇ ବନ୍ୟସାଥୀମାନଙ୍କଠାରୁ ଅନେକ କଥା ଶିଖିପାରନ୍ତେ। ଆଜି ପାଇଁ ଏତିକିରେ ରହିଲି...।

ତୁମର ଦାଦା ସମ୍ବିତ୍


[ଚିତ୍ର: ବିଭିନ୍ନ ପଶୁପକ୍ଷୀଙ୍କ ଚିତ୍ର - ପାଣିରେ ଭାସୁଥିବା ପେଲିକାନ୍ ପକ୍ଷୀ, ହାତୀ, ଗଣ୍ଡା, କଲରାପତରିଆ ବାଘ, କାଠହଣା ପକ୍ଷୀ, ଗଧିଆ, ଚିତ୍ରା ହରିଣ ଏବଂ ବାଘ।]

ଆସ କଥା ହେବା

୧. ତଳ ଚିତ୍ରଗୁଡ଼ିକୁ ଧ୍ୟାନର ସହ ଦେଖ। ଏଥିରେ ଯେଉଁସବୁ ପଶୁପକ୍ଷୀଙ୍କୁ ଦିଆଯାଇଛି, ସେମାନଙ୍କ ନାମ କୁହ। ୨. ତୁମେ ଏହିସବୁ ପଶୁପକ୍ଷୀଙ୍କୁ କେଉଁଠି ଦେଖିଛ ? ୩. ଏହି ପାଠରେ ପଶୁମାନଙ୍କ ସ୍ୱଭାବ ବିଷୟରେ କ’ଣ ସବୁ କୁହାଯାଇଛି ? ୪. ତୁମେ କେଉଁସବୁ ଜାଗାକୁ ଭ୍ରମଣରେ ଯିବାକୁ ଚାହୁଁଛ ଓ କାହିଁକି ?


ପାଠରୁ

ପ୍ରଶ୍ନଗୁଡ଼ିକ ପଢ଼। ପ୍ରଶ୍ନତଳେ ଚାରୋଟି ସମ୍ଭାବ୍ୟ ଉତ୍ତର ଅଛି। ଯେଉଁଟି ଠିକ୍, ତାହା ପାର୍ଶ୍ୱରେ (✓) ଚିହ୍ନ ଦିଅ। (ଗୋଟିଏରୁ ଅଧିକ ସ୍ଥାନରେ ମଧ୍ୟ (✓) ଚିହ୍ନ ଦିଆଯାଇପାରେ।)

୧. ସମ୍ବିତ୍‌ଦାଦାଙ୍କୁ ଯାତ୍ରା ସମୟରେ କିଏ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖିଲେ ? (କ) ଗଣ୍ଡା (ଖ) ହରିଣ ଓ ବଣମଇଁଷି (ଗ) ହାତୀ (ଘ) ବାଘ

୨. କାଜିରଙ୍ଗା ଜାତୀୟଉଦ୍ୟାନରେ ରୟାଲ ବେଙ୍ଗଲଟାଇଗର୍ ଅଛନ୍ତି। ହେଲେ ସେମାନଙ୍କୁ ଦେଖିବା ସହଜ ନୁହେଁ କାହିଁକି ? (କ) ଏମାନେ କେବେ ଦେଖାଦିଅନ୍ତି ନାହିଁ। (ଖ) ଏମାନେ ବଡ଼ ହିଂସ୍ର ଅଟନ୍ତି। (ଗ) ଏମାନେ କେବଳ ରାତିରେ ବାହାରନ୍ତି। (ଘ) ଏମାନେ ଆଦୌ ବାହାରକୁ ବାହାରନ୍ତି ନାହିଁ।

୩. ବିଶାଳ ହାତୀଟି କେଉଁ ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ନଜର ରଖିଥିଲା ? (କ) ଲେଖକ ଓ ତାଙ୍କ ସାଥୀ ଯେ ପର୍ଯ୍ୟନ୍ତ ସେଠାରେ ରହିଥିଲେ। (ଖ) ଜିପ୍ ଠିଆହୋଇ ରହିବା ପର୍ଯ୍ୟନ୍ତ। (ଗ) ପୂରା ହାତୀଦଳ ରାସ୍ତା ପାରିହେବା ପର୍ଯ୍ୟନ୍ତ। (ଘ) ସେଠାକୁ ବାଘ ନ ଆସିବା ପର୍ଯ୍ୟନ୍ତ।

ଚିନ୍ତାକରି ଲେଖ

୧. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ। (କ) ଏହି ପାଠଟି ଏକ ପତ୍ରର ନମୁନା ଅଟେ। ଏହାକୁ କିଏ, କାହିଁକି ଓ କାହାକୁ ଲେଖିଛନ୍ତି ? (ଖ) ମାଆ ଗଣ୍ଡା କେତେବେଳେ ଓ କାହିଁକି ହିଂସ୍ର ହୋଇଥାଏ ? (ଗ) ଭାରତୀୟ ଗଣ୍ଡାଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି ? (ଘ) ଭଗବାନ କୃଷ୍ଣ ହାତୀ ବଦଳରେ ଗଣ୍ଡାକୁ କାହିଁକି ଯୁଦ୍ଧକ୍ଷେତ୍ରକୁ ପଠାଇଥିଲେ ? ମାତ୍ର ପରେ ଏହି ପ୍ରସ୍ତାବକୁ କାହିଁକି ପ୍ରତ୍ୟାହାର କରି ନେଇଥିଲେ ? (ଙ) ପ୍ରଥମ ଦିନର ଭ୍ରମଣ ପରେ ମଧ୍ୟ ଲେଖକଙ୍କ ମନ କାହିଁକି ଅଧୁରା ହୋଇ ରହିଥିଲା ?


[ଚିତ୍ର: ଗଛ ଡାଳରେ ବସିଥିବା ଏକ ସୁନ୍ଦର ଶୁଆ।]

୨. ଦିଆଯାଇଥିବା ଚିତ୍ରକୁ ଧ୍ୟାନର ସହ ଦେଖ। ଏଠାରେ ପକ୍ଷୀ ସଂପର୍କରେ ଗୋଟିଏ ପ୍ରଶ୍ନ ଦିଆଯାଇଛି। ତୁମେ ତୁମ ଖାତାରେ ଏହି ପକ୍ଷୀ ସମ୍ବନ୍ଧରେ ଆଉ ତିନୋଟି ପ୍ରଶ୍ନ ତିଆରି କର। ଉଦାହରଣ : ଏହି ଚିତ୍ର କେଉଁ ପକ୍ଷୀର ଅଟେ ?

ଭାଷାର କଥା

୧. କୋଠରି ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। (କ) ଆଜି ......... ରୁ ଆମେ ହାତୀ ଉପରେ ବସି ଉଦ୍ୟାନ ଦେଖିବାକୁ ଗଲୁ। (ଭୋର / ସକାଳ) (ଖ) ଆମେ ଏକଶିଙ୍ଗିଆ ଗଣ୍ଡା .........। (ଆଗରୁ ଦେଖିଥିଲୁ / ପ୍ରଥମ ଥର ପାଇଁ ଦେଖିଲୁ) (ଗ) ଆମ ଭ୍ରମଣ ......... ଶେଷ ହୋଇଥିଲା। (ଶୀଘ୍ର / ବିଳମ୍ବରେ) (ଘ) ଡ୍ରାଇଭର ଆମକୁ ......... ଅପର ପଟକୁ ନେଇଗଲା। (ହ୍ରଦର / ପାହାଡ଼ର)


[ଚିତ୍ର: ବାମପଟେ ଚାବି, ହାତୀଦଳ, ଶ୍ରେଣୀଗୃହର ଛାତ୍ରଛାତ୍ରୀ, ମହୁଫେଣା, ଲୋକଙ୍କ ଭିଡ଼, କାଠଗଣ୍ଡି ଏବଂ ମେଣ୍ଢାପଲର ଚିତ୍ର ରହିଛି ଯାହାକୁ ଡାହାଣପଟେ ଥିବା ଉପଯୁକ୍ତ ଶବ୍ଦ ସହ ଯୋଡ଼ିବାକୁ ଦିଆଯାଇଛି।]

୨. (କ) ଯେମିତି ହାତୀମାନଙ୍କ ପାଇଁ ‘ଦଳ’ ଶବ୍ଦ ବ୍ୟବହାର କରାଯାଏ, ସେହିପରି ନିମ୍ନ ଚିତ୍ରମାନଙ୍କ ପାଇଁ କେଉଁ ଶବ୍ଦ ଉପଯୁକ୍ତ ତାହାକୁ ଯୋଗକର।

  • ଫେଣା

  • ପେନ୍ଥା

  • ଭିଡ଼

  • ଦଳ

  • ପଲ

  • ଶ୍ରେଣୀ

  • ଗଣ୍ଡି


(ଖ) ଉପରେ ଯୋଗ କରିଥିବା ଚିତ୍ର ଓ ଶବ୍ଦକୁ ନେଇ ବାକ୍ୟ ଗଠନ କର। ଯେପରି- ପୂଜାରେ ଲୋକମାନଙ୍କର ବହୁତ ଭିଡ଼ ଥିଲା।

୩. ଘୋଡ଼ା ଘାସ ଖାଏ। ଘୋଡ଼ା ଶାକାହାରୀ ପଶୁ।

ଉପରେ ଦିଆଯାଇଥିବା ବାକ୍ୟ ଦୁଇଟିକୁ ଲକ୍ଷ୍ୟ କଲେ ଜଣାପଡ଼େ ଗୋଟିଏ କଥାକୁ ଦୁଇପ୍ରକାର କୁହାଯାଇଛି। ‘ଘୋଡ଼ା ଘାସ ଖାଏ।’ ଏହି ବାକ୍ୟାଂଶ ପାଇଁ ‘ଶାକାହାରୀ’ ଶବ୍ଦର ବ୍ୟବହାର କରାଯାଇଛି। ସେହିପରି ନିମ୍ନ ବାକ୍ୟଗୁଡ଼ିକର ରେଖାଙ୍କିତ ଶବ୍ଦଗୁଡ଼ିକ ବଦଳରେ କୋଠରିରୁ ଗୋଟିଏ ଶବ୍ଦ ନେଇ ବାକ୍ୟଟିକୁ ନିଜ ଖାତାରେ ଆଉଥରେ ଲେଖ।

(କ) କାଜିରଙ୍ଗାର ସୌନ୍ଦର୍ଯ୍ୟ ଦେଖିବାର ଯୋଗ୍ୟ ଅଟେ। (ଖ) ଆରାଧନାର କାମ ପ୍ରଶଂସାଯୋଗ୍ୟ ଅଟେ। (ଗ) ଆଶୁତୋଷକୁ ତା’ ସାଙ୍ଗମାନେ ମଧୁର କଥା କହୁଥିବା ପିଲା ବୋଲି କହନ୍ତି। (ଘ) ବଅଁରପାଳରେ ସପ୍ତାହକୁ ଥରେ ହାଟ ବସେ। (ଙ) ମୋ ବଡ଼ଭାଇ ସୈନିକ ଅଟନ୍ତି।

[ସାପ୍ତାହିକ, ମୃଦୁଭାଷୀ, ଅଗ୍ରଜ, ପ୍ରଶଂସନୀୟ, ଦର୍ଶନୀୟ]

ପାଠରୁ ଆଗକୁ

୧. ତୁମେ ଏହି ପାଠରୁ ଅନେକ ପଶୁପକ୍ଷୀଙ୍କ କଥା ଜାଣିଲ। ଏମାନଙ୍କ ବ୍ୟତୀତ ତୁମେ ଜାଣିଥିବା ଓ ଅଭିଭାବକଙ୍କୁ ପଚାରି ଅନ୍ୟାନ୍ୟ ପଶୁପକ୍ଷୀଙ୍କ ନାମ ନିଜ ଖାତାରେ ଲେଖ। (ଅତିକମ୍‌ରେ ୧୦ଟି ଲେଖାଏଁ)


[ଚିତ୍ର: ଭାରତର ମାନଚିତ୍ର ଯେଉଁଥିରେ ବିଭିନ୍ନ ରାଜ୍ୟର ପ୍ରମୁଖ ଜାତୀୟ ଉଦ୍ୟାନଗୁଡ଼ିକୁ ଦର୍ଶାଯାଇଛି।]

୨. ନିମ୍ନରେ ପ୍ରଦତ୍ତ ଭାରତ ମାନଚିତ୍ରରେ ଭାରତବର୍ଷର ବିଭିନ୍ନ ଜାତୀୟଉଦ୍ୟାନ କଥା ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ଧ୍ୟାନର ସହ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

  • ହିମାଚଳ ପ୍ରଦେଶ: ଗ୍ରେଟ୍ ହିମାଳୟ ଜାତୀୟଉଦ୍ୟାନ (ଜୈବ ବିବିଧତାପାଇଁ ପ୍ରସିଦ୍ଧ)

  • ଉତ୍ତରାଖଣ୍ଡ: ଜିମ୍ କାର୍ବେଟ୍ ଜାତୀୟଉଦ୍ୟାନ (ଏହା ଭାରତର ସବୁଠୁ ପୁରୁଣା ଓ ପ୍ରଥମ ଜାତୀୟଉଦ୍ୟାନ। ବାଘ, ହାତୀ, ହରିଣ ଓ ପକ୍ଷୀମାନଙ୍କପାଇଁ ପ୍ରସିଦ୍ଧ)

  • ରାଜସ୍ଥାନ: ରନ୍ଥମ୍ଭୋର ଜାତୀୟଉଦ୍ୟାନ (ବାଘପାଇଁ ପ୍ରସିଦ୍ଧ)

  • ଉତ୍ତରପ୍ରଦେଶ: ଦୁଧୱା ଜାତୀୟଉଦ୍ୟାନ (ଦୁର୍ଲଭ ଓ ଲୁପ୍ତପ୍ରାୟ ପ୍ରଜାତିର ପଶୁପକ୍ଷୀଙ୍କ ଘର, ବ୍ୟାଘ୍ରସଂରକ୍ଷଣ)

  • ମଧ୍ୟପ୍ରଦେଶ: କାହ୍ନା ଜାତୀୟଉଦ୍ୟାନ (ସିଂହପାଇଁ ପ୍ରସିଦ୍ଧ)

  • ପଶ୍ଚିମବଙ୍ଗ: ସୁନ୍ଦରବନ ଜାତୀୟଉଦ୍ୟାନ (ରୟାଲ ବେଙ୍ଗଲ ଟାଇଗରପାଇଁ ପ୍ରସିଦ୍ଧ)

  • ଆସାମ: କାଜିରଙ୍ଗା ଜାତୀୟଉଦ୍ୟାନ (ଏକଶିଙ୍ଗିଆ ଗଣ୍ଡାପାଇଁ ପ୍ରସିଦ୍ଧ)

  • ଓଡ଼ିଶା: ଶିମିଳିପାଳ ଜାତୀୟଉଦ୍ୟାନ (ବାଘ ଅଭୟାରଣ୍ୟ)

  • କେରଳ: ପେରିୟାର ଜାତୀୟଉଦ୍ୟାନ (ହାତୀମାନଙ୍କ ପାଇଁ ପ୍ରସିଦ୍ଧ)

(ଏ ସବୁ ସହିତ ଭାରତବର୍ଷରେ ବର୍ତ୍ତମାନ ୧୦୬ଟି ଜାତୀୟଉଦ୍ୟାନ ରହିଛି।)


(କ) ମାନଚିତ୍ର ଅଧ୍ୟୟନ ପରେ ତଳଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। (i) କେଉଁ ଜାତୀୟଉଦ୍ୟାନ ହାତୀମାନଙ୍କପାଇଁ ପ୍ରସିଦ୍ଧ ? ଏହା କେଉଁ ରାଜ୍ୟରେ ଅବସ୍ଥିତ ? (ii) ସୁନ୍ଦରବନ ଜାତୀୟଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ଓ କାହିଁକି ପ୍ରସିଦ୍ଧ ? (iii) ଭାରତର ସର୍ବ ପୁରାତନ ଜାତୀୟଉଦ୍ୟାନର ନାମ କ'ଣ ? ଏହା କେଉଁ ରାଜ୍ୟରେ ଅବସ୍ଥିତ ?

(ଖ) ଭାରତର କେତେକ ଜାତୀୟ ଉଦ୍ୟାନ ଓ ରାଜ୍ୟର ନାମ ଉଲ୍ଲେଖ କରାଯାଇଛି। ଏବେ ତୁମ ଖାତାରେ ସେହି ଆଧାରରେ ‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ମିଳନ କର।

'କ' ସ୍ତମ୍ଭ'ଖ' ସ୍ତମ୍ଭ
(i) ପେରିୟାର୍ ଜାତୀୟଉଦ୍ୟାନ(i) ଦୁର୍ଲ୍ଲଭ ଓ ଲୁପ୍ତପ୍ରାୟ ପ୍ରଜାତିର ପଶୁପକ୍ଷୀଙ୍କ ଘର
(ii) ଏକଶିଙ୍ଗିଆ ଗଣ୍ଡାପାଇଁ ପ୍ରସିଦ୍ଧ(ii) କେରଳ
(iii) ଦୁଧୱା ଜାତୀୟଉଦ୍ୟାନ(iii) ଶିମିଳିପାଳ ଜାତୀୟଉଦ୍ୟାନ
(iv) ଓଡ଼ିଶା(iv) କାଜିରଙ୍ଗା ଜାତୀୟଉଦ୍ୟାନ
(v) କାହ୍ନା ଜାତୀୟଉଦ୍ୟାନ(v) ମଧ୍ୟପ୍ରଦେଶ

ପାଠାଗାରରୁ

ପାଠାଗାରକୁ ଯାଇ ବିଭିନ୍ନ ଜାତୀୟଉଦ୍ୟାନ ଓ ଅଭୟାରଣ୍ୟ ସମ୍ପର୍କିତ ବହି ଖୋଜି ବାହାର କର। ସେଗୁଡ଼ିକୁ ପଢ଼। ସାଙ୍ଗମାନେ ମିଶି ବହିରୁ ମିଳିଥିବା ପଶୁପକ୍ଷୀଙ୍କ ଚିତ୍ର ଅଙ୍କନ କରି ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି ନିଜ ଶ୍ରେଣୀ କୋଠରିରେ ସଜାଅ। ତଥ୍ୟ ସଂଗ୍ରହବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅ। (କ) ପକ୍ଷୀ ଅଭୟାରଣ୍ୟ କ'ଣ ? (ଖ) ଏହା ସ୍ଥାପନ କରିବାର କାହିଁକି ଆବଶ୍ୟକତା ପଡ଼ିଲା ? (ଗ) ଭାରତରେ ମୋଟ କେତୋଟି ପକ୍ଷୀ ଅଭୟାରଣ୍ୟ ଅଛି ?


[ଚିତ୍ର: ପାଣି ଭିତରେ ଶାର୍କ ମାଛ ଏବଂ ଏକ ସାମୁଦ୍ରିକ ଜୀବର ଚିତ୍ର, ତଳେ ଡଟ୍ ବା ବିନ୍ଦୁ ଯୋଡ଼ି ଭାଲୁ/ପଶୁ ଚିତ୍ର ଆଙ୍କିବା ପାଇଁ ରେଖାଚିତ୍ର।]

(ଘ) ଭାରତରେ ଥିବା ପ୍ରମୁଖ ପକ୍ଷୀ ଜାତୀୟଉଦ୍ୟାନର ନାମ ଲେଖ। (ଙ) ଏହି ଜାତୀୟଉଦ୍ୟାନରେ କେଉଁ କେଉଁ ପକ୍ଷୀ ଦେଖିବାକୁ ମିଳନ୍ତି ? (ଏ ସବୁ ପ୍ରଶ୍ନର ଉତ୍ତର ପାଇବାପାଇଁ ଶିକ୍ଷକ, ଅଭିଭାବକ, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଉତ୍ସର ସହାୟତା ନେଇପାର)

୨. ନିମ୍ନରେ ବିନ୍ଦୁ ଯୋଡ଼ି ମାଛ ଓ ମାଙ୍କଡ଼ର ଚିତ୍ର ଦିଆଯାଇଛି। ଠିକ୍ ସେହିପରି ଦିଆଯାଇଥିବା ରେଖାଯୋଡ଼ି ଚିତ୍ର ପ୍ରସ୍ତୁତ କର।


[ଚିତ୍ର: ଶିମିଳିପାଳ ଟାଇଗର ରିଜର୍ଭର ପ୍ରବେଶ ଦ୍ୱାର, ଏକ ସୁନ୍ଦର ଜଳପ୍ରପାତ, ପାଣିରେ ବସିଥିବା ଦୁଇଟି ମହାବଳ ବାଘ ଏବଂ ହାତୀପଲ।]

ତୁମ ପଢ଼ିବାପାଇଁ

ଓଡ଼ିଶାର ପ୍ରାକୃତିକ ବିଭବ

ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ଏଠି ତିରିଶଟି ଜିଲ୍ଲାରେ ପୂରି ରହିଛି ଅନେକ ପ୍ରାକୃତିକ ବିଭବ। ଏଗୁଡ଼ିକର ଦର୍ଶନ ଆମକୁ ଆମୋଦିତ କରିବା ସହିତ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ହିସାବରେ ବିଶ୍ୱବାସୀଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ହଜାରହଜାର ପର୍ଯ୍ୟଟକ ଏଗୁଡ଼ିକର ମନଲୋଭା ଦୃଶ୍ୟକୁ ଉପଭୋଗ କରିବାପାଇଁ ସପରିବାର ଭ୍ରମଣରେ ଆସନ୍ତି। ସତରେ, ଆମ ଓଡ଼ିଶା ସଭିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ଚାଲ, ଆମର ସେହି ପ୍ରାକୃତିକ ବିଭବଗୁଡ଼ିକ ମଧ୍ୟରୁ କେତୋଟି ବିଷୟରେ ଜାଣିବା।

ଶିମିଳିପାଳ : ଶିମିଳିପାଳ ଜାତୀୟଉଦ୍ୟାନ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଘଞ୍ଚଜଙ୍ଗଲ, ଜଳପ୍ରପାତ ଓ ବାଘ ପାଇଁ ପ୍ରସିଦ୍ଧ ଏହି ଜାତୀୟଉଦ୍ୟାନର ସ୍ୱତନ୍ତ୍ର ପରିଚୟ ରହିଛି। ଭାରତବର୍ଷର ଏହା ସବୁଠୁ ପୁରୁଣା ଓ ବୃହତ୍ତମ ଅଭୟାରଣ୍ୟ। ଏହା ୨୭୫୦ ବର୍ଗ କି.ମି. ଅଞ୍ଚଳକୁ ବ୍ୟାପିଛି।

ବିଭିନ୍ନ ପ୍ରକାର ଜଙ୍ଗଲୀ ବୃକ୍ଷରେ ପରିପୂର୍ଣ୍ଣ ଶିମିଳିପାଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟପାଇଁ ପ୍ରସିଦ୍ଧ। ଏହି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ବାଘ। ଓଡ଼ିଶାର ଉଚ୍ଚତମ ଜଳପ୍ରପାତ ବରେହିପାଣି ଏଠାରେ ଅବସ୍ଥିତ। ଏହାର ଉଚ୍ଚତା ୧୩୦୯ ଫୁଟ। ଏହା ଭାରତର ଦ୍ୱିତୀୟ ଉଚ୍ଚତମ ଜଳପ୍ରପାତ। ଯୋରନ୍ଦା ଜଳପ୍ରପାତ ଓ ଉସ୍କି ଜଳପ୍ରପାତ ମଧ୍ୟ ଏହି ଅଭୟାରଣ୍ୟରେ ରହିଛି। ଏହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଓଡ଼ିଶାର ସାଳନ୍ଦୀ ଓ ବୁଢ଼ାବଳଙ୍ଗ ନଦୀର ଉତ୍ପତ୍ତିସ୍ଥଳ ହେଉଛି ଶିମିଳିପାଳ। ଏହା ମଧ୍ୟରେ ଥିବା ଝରଣାର ନିର୍ମଳଜଳ ଅତ୍ୟନ୍ତ ଲୋଭନୀୟ। ଏଠାରେ ଆକର୍ଷଣୀୟ ମୟୂରଙ୍କ ସହିତ ୨୪୨ ପ୍ରକାରର ପକ୍ଷୀ, ହାତୀ, ସମ୍ବର, ହରିଣ ଓ ଭାଲୁଙ୍କ ପରି ବନ୍ୟପ୍ରାଣୀ ଦେଖାଯାଆନ୍ତି। ଏଠାରେ ଥିବା ସୀତାକୁଣ୍ଡ, ଦେବକୁଣ୍ଡ, ବ୍ରାହ୍ମଣକୁଣ୍ଡ ଓ ଲୁଲୁଙ୍ଗ୍ ଭଳି ସ୍ଥାନ ବ୍ୟତୀତ ‘ଖଇରୀ ସଂଗ୍ରହାଳୟ’ ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥାଏ। ନଭେମ୍ବରମାସଠାରୁ ମାର୍ଚ୍ଚମାସ ମଧ୍ୟରେ ଶିମିଳିପାଳ ଭ୍ରମଣ ଦର୍ଶକମାନଙ୍କପାଇଁ ସର୍ବୋତ୍କୃଷ୍ଟ ସମୟ।


[ଚିତ୍ର: ଭିତରକନିକାର କୁମ୍ଭୀର, କଇଁଛ, ଧଳା କୁମ୍ଭୀର, ଗୋଧି, ଭିତରକନିକା ପ୍ରବେଶ ଦ୍ୱାର ଓ ହରିଣର ଚିତ୍ର।] [ଚିତ୍ର: ଚିଲିକା ହ୍ରଦ ଉପରେ ଉଡ଼ୁଥିବା ବିଦେଶୀ ପରିବ୍ରାଜକ ପକ୍ଷୀମାନଙ୍କର ଏକ ମନୋରମ ଦୃଶ୍ୟ।]

ଭିତରକନିକା : ଭିତରକନିକା ଜାତୀୟଉଦ୍ୟାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ଡାଙ୍ଗମାଳ ଓ ରାଜନଗରର ୬୭୩ ବର୍ଗ କି.ମି. ଅଞ୍ଚଳରେ ଏହା ପରିବ୍ୟାପ୍ତ। ଏହି ଅଭୟାରଣ୍ୟକୁ ଓଡ଼ିଶାର ‘ଆମାଜନ’ କୁହାଯାଏ। ଏଠି ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣଭୂମି ରହିଛି। ହେନ୍ତାଳବଣ, ଯାହା କି ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ, ଏହି ଭିତରକନିକାରେ ରହିଛି। ମୁଖ୍ୟତଃ କୁମ୍ଭୀରପ୍ରଜନନ କେନ୍ଦ୍ରପାଇଁ ଏହି ସ୍ଥାନ ପ୍ରସିଦ୍ଧ। ଶହଶହ ସଂଖ୍ୟାରେ ବଉଳା, ମଗର ଓ ଘଡ଼ିଆଳ ଭଳି କୁମ୍ଭୀର ଏଠାରେ ଦେଖାଯାଆନ୍ତି। ବିଶାଳକାୟ କୁମ୍ଭୀର ମଲ୍ଲୀ ଓ ଗୌରୀକୁ ଦେଖି ଏଠାରେ ଦର୍ଶକମାନେ ଆନନ୍ଦ ଅନୁଭବ କରନ୍ତି। ଏଠାରେ ନୌକାବିହାର ସହିତ ହରିଣପାର୍କ, ସଂଗ୍ରହାଳୟ, ସୁନ୍ଦର କାଠବ୍ରିଜ୍‌ର ପରିଦର୍ଶନ ଦେଖଣାହାରୀଙ୍କୁ ବହୁ ଆନନ୍ଦପ୍ରଦାନ କରିଥାଏ। ନାନାଜାତିର ପକ୍ଷୀ ଓ କୁମ୍ଭୀରମାନଙ୍କୁ ଦେଖିବାପାଇଁ ପର୍ଯ୍ୟଟକମାନେ ନଭେମ୍ବରମାସଠାରୁ ଜୁନ୍‌ମାସ ମଧ୍ୟରେ ଏଠାକୁ ଆସିଥାନ୍ତି।

ଚିଲିକା : ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶୋଭାର ଗନ୍ତାଘର ହେଉଛି ‘ଚିଲିକା’। ଭୁବନେଶ୍ୱରଠାରୁ ୭୧ କି.ମି. ଦୂରରେ ଏହା ଅବସ୍ଥିତ। ଏହା ଏସିଆ ମହାଦେଶର ବୃହତ୍ତମ ‘ଲବଣାକ୍ତହ୍ରଦ’। ଏହି ହ୍ରଦଟି ଜାତିଜାତି ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ିପାଇଁ ପ୍ରସିଦ୍ଧ। ଚିଲିକାର ପକ୍ଷୀ ଅଭୟାରଣ୍ୟ ପୃଥିବୀ ପ୍ରସିଦ୍ଧ। ଶୀତଋତୁରେ ମଙ୍ଗଳାଯୋଡ଼ି ‘ପକ୍ଷୀବିହାର’କୁ ସୁଦୂର ସାଇବେରିଆ, କାସ୍ପିଆନ୍ ସାଗର ଓ ମଧ୍ୟଏସିଆରୁ ବିଭିନ୍ନଜାତିର ପକ୍ଷୀ ଆସିଥାନ୍ତି। ସେମାନଙ୍କର ମଧ୍ୟରୁ ଏରା, ମାଛରଙ୍କା, ସାରସ, ଫ୍ଲେମିଙ୍ଗୋ, ଗାଡ଼ୁଆଲ, କମନ୍‌କୁଟ, ୱିଜିଆନ୍ ଆଦି ଆକର୍ଷଣୀୟ। ଏମାନେ ମୁଖ୍ୟତଃ ଖାଦ୍ୟ ଅନ୍ୱେଷଣ, ଶୀତରୁ ରକ୍ଷା ଓ ଅଣ୍ଡା ଦେବାପାଇଁ ଆସିଥାନ୍ତି। ପ୍ରତିବର୍ଷ ଏଠାରେ ‘ଅନ୍ତର୍ଜାତୀୟ ପକ୍ଷୀଦିବସ’ ଶୀତଋତୁରେ ଏକ ତାରିଖରେ ପାଳିତ ହୁଏ। ଦର୍ଶକମାନଙ୍କପାଇଁ ଚିଲିକା ପକ୍ଷୀବିହାରରେ ପକ୍ଷୀଶିକାରକୁ ନିଷେଧ


[ଚିତ୍ର: ମହାନଦୀର ସାତକୋଶିଆ ଗଣ୍ଡର ଏକ ମନୋରମ ଦୃଶ୍ୟ, ଚାରିପାଖରେ ପାହାଡ଼ ଓ ଜଙ୍ଗଲ।] [ଚିତ୍ର: ନନ୍ଦନକାନନ ପ୍ରବେଶ ଦ୍ୱାରର ଏକ ଚିତ୍ରାଙ୍କନ, ଯେଉଁଥିରେ ବିଭିନ୍ନ ପଶୁପକ୍ଷୀଙ୍କ ଚିତ୍ର ରହିଛି।]

କରାଯାଇଛି। ପକ୍ଷୀବିହାର ବ୍ୟତୀତ ଚିଲିକା ମଧ୍ୟରେ କାଳିଜାଈ, ସାତପଡ଼ାରେ ଡଲଫିନ୍‌ମାଛ, ମାମୁଭଣଜା ପାହାଡ଼, ପାରିକୁଦ ମାଲୁଦ ଟାପୁ ପ୍ରଭୃତି ରହିଅଛି। ଏହାର ଅପରୂପ ଶୋଭାକୁ ଉପଭୋଗ କରିବା ଓ ନୌବିହାର କରିବାପାଇଁ ଦୈନିକ ଅନେକ ପର୍ଯ୍ୟଟକ ଆସିଥାନ୍ତି। ଏହା ହେଉଛି ‘ପର୍ଯ୍ୟଟନର ଭୂସ୍ୱର୍ଗ’।

ଟିକରପଡ଼ା : ଅନୁଗୋଳ ଜିଲ୍ଲାରେ ଟିକରପଡ଼ା ଅବସ୍ଥିତ। ଏଠାରେ ଓଡ଼ିଶାର ବଡ଼ ନଦୀ ‘ମହାନଦୀ’ର ପ୍ରସିଦ୍ଧ ‘ସାତକୋଶିଆ ଗଣ୍ଡ’ ରହିଛି। ମହାନଦୀର ଓସାର ଏଠାରେ ବହୁତ କମ୍, କିନ୍ତୁ ଜଳର ଗଭୀରତା ଅଧିକ। ଗଣ୍ଡର ଗୋଟିଏ ପଟେ ଅନୁଗୋଳ ଓ ଅନ୍ୟପଟେ ବୌଦ୍ଧଜିଲ୍ଲା ଅବସ୍ଥିତ। କୁମ୍ଭୀର ଗବେଷଣା କେନ୍ଦ୍ର ଭାବେ ଏହା ଭାରତ ପ୍ରସିଦ୍ଧ। ବଣପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଟିକରପଡ଼ା ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ପାଇଁ ଖ୍ୟାତି ଲାଭ କରିଛି। ଏହି ସଂରକ୍ଷଣ ଜଙ୍ଗଲରେ ଶାଳ, ପିଆଶାଳ, ବାଉଁଶ, ଶିଶୁ, ଅସନ ଭଳି ଜଙ୍ଗଲୀ ବୃକ୍ଷ ସହିତ ଚିତାବାଘ, ଭାଲୁ, ହରିଣ, ହାତୀ, ସମ୍ବର, କୁଟୁରା ଭଳି ବନ୍ୟପ୍ରାଣୀ ଓ ନାନାଜାତିର ପକ୍ଷୀ ଦେଖାଯାଆନ୍ତି। ଛୁଟିଦିନମାନଙ୍କରେ ଏ ସବୁକୁ ଉପଭୋଗ କରିବାପାଇଁ ଅନେକ ପର୍ଯ୍ୟଟକ ଆସିଥାନ୍ତି। ସେମାନେ ବଣଭୋଜି ସହ ନୌକାବିହାରର ମଜା ନେଇଥାନ୍ତି। ଶୀତଦିନେ ଅପରାହ୍ଣବେଳକୁ ଏଠାରେ ସନ୍ଧ୍ୟା ହେବାର ଭ୍ରମ ସୃଷ୍ଟି ହୋଇଥାଏ, ଯାହା କି ଏହାର ବିଶେଷତ୍ୱ।

ନନ୍ଦନକାନନ : ଆମ ରାଜଧାନୀ ଭୁବନେଶ୍ୱରଠାରୁ ୧୨ କି.ମି. ଦୂରରେ ବାରଙ୍ଗ ନିକଟରେ ‘ନନ୍ଦନକାନନ ପ୍ରାଣୀଉଦ୍ୟାନ’ ଅବସ୍ଥିତ। ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ ଏହା ଉଦ୍‌ଘାଟିତ ହୋଇଥିଲା। ନନ୍ଦନକାନନ ମୋଟ ୪୨୬ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ପ୍ରାଣୀଉଦ୍ୟାନ ସହିତ ଏଠାରେ ନାନାଜାତି ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ଏକ ‘ଉଦ୍ଭିଦଉଦ୍ୟାନ’ ଓ ତା ପାଖରେ ସୁନ୍ଦର ହ୍ରଦଟିଏ ରହିଛି।


[ଚିତ୍ର: ନନ୍ଦନକାନନ ପ୍ରାଣୀଉଦ୍ୟାନର ମୁଖ୍ୟ ଫାଟକ, ଡାଇନୋସର ପ୍ରତିମୂର୍ତ୍ତି, ବାଘ, ଓରାଙ୍ଗଓଟାନ୍, ରଙ୍ଗବେରଙ୍ଗୀ ପକ୍ଷୀ, ସଫାରୀ ଗାଡ଼ି, ଖେଳନା ଟ୍ରେନ୍, ଜଳହସ୍ତୀ, କୁମ୍ଭୀର ଓ ବୋଟିଂର କୋଲାଜ୍ ଚିତ୍ର।]

ଏହି ହ୍ରଦଟିର ନାମ ‘କାଞ୍ଜିଆ’। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳାବାଘ, ମହାବଳବାଘ, ଆଫ୍ରିକାସିଂହ, ଚିତାବାଘ, ରାମଶିଆଳ, ହରିଣ, ଠେକୁଆ, ଗଧିଆ, ଭାଲୁ, ଗଣ୍ଡା, ଗୟଳ, ମାଙ୍କଡ଼, କଙ୍ଗାରୁ, ନୀଳଗାଈ, ହାତୀ, ସିମ୍ପାଞ୍ଜିଙ୍କ ଭଳି ବନ୍ୟପ୍ରାଣୀ ସହିତ ଅଜଗର, ଅହିରାଜ, ସାପ, ବଉଳା, ଗୋମୁହାଁ, ଥଣ୍ଟିଆକୁମ୍ଭୀର, ପାଣିଗୋଧି, ବଜ୍ରକାପ୍ତା ପ୍ରଭୃତି ସରୀସୃପ ରହିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ ବଗ, ସାରସ, ମୟୂର, ଗେଣ୍ଡାଳିଆ, ଗରୁଡ଼, ଶୁଆ, ଶାଗୁଣା, ବିଦେଶୀକୁକୁଡ଼ା, ହଂସରାଳି, ଧଳାମୟୂର, ଓଟପକ୍ଷୀ, ହଂସ, ପେଚା ପ୍ରଭୃତି ସଂରକ୍ଷିତ ହୋଇରହିଛନ୍ତି।

ଆମ ନନ୍ଦନକାନନ ସାରା ପୃଥିବୀରେ ଧଳାବାଘପାଇଁ ପ୍ରସିଦ୍ଧ। ତେଣୁ ଏଠାରେ ଗୋଟିଏ ବାଘସଫାରୀ ଓ ସିଂହସଫାରୀ ରହିଅଛି। ଏତତ୍ ବ୍ୟତୀତ ଛୋଟ ପିଲାଙ୍କ ମନୋରଞ୍ଜନପାଇଁ ଖେଳନା ରେଳଗାଡ଼ି ଓ ଏକ ଝୁଲା (ରୋପ୍ ୱେ) ଏଠାରେ ରହିଛି। ଏଣୁ ବର୍ଷସାରା ଦର୍ଶକମାନେ ପ୍ରାଣୀଉଦ୍ୟାନ, ଉଦ୍ଭିଦଉଦ୍ୟାନ, ହ୍ରଦରେ ନୌକାବିହାର, ଝୁଲାରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କରିବା ସହ ବଣଭୋଜିର ମଜା ନେଇଥାନ୍ତି।