ତିନି ମାଛର କାହାଣୀ

ଉଦୟନାଥ ଷଡ଼ଙ୍ଗୀ

ବଣ ଭିତରେ ଗୋଟିଏ ବଡ଼ ପୋଖରୀ ଥିଲା । ସେଥିରେ ରୋହୀ, ଭାକୁର, ବାଳିଆ, ଶେଉଳ ପ୍ରଭୃତି ଖୁବ୍ ବଡ଼ବଡ଼ ମାଛ ରହୁଥିଲେ। ପୁଣି କେରାଣ୍ଡି, ଦଣ୍ଡିକିରୀ ଭଳି ଅତି ସାନସାନ ମାଛ ବି ଥିଲେ।

ଅତି ଗରିବ ଲୋକ ହଠାତ୍ ଧନୀ ହୋଇଗଲେ ଯେମିତି ଫୁଲିଉଠେ, ସମସ୍ତଙ୍କ ପାଖରେ ଦେଖାଇ ହୁଏ, ସାନମାଛ କେରାଣ୍ଡି, ଦଣ୍ଡିକିରୀ ପାଣି କୂଳରେ ସବୁ ସମୟରେ ସେମିତି ଫରଫର ହୁଅନ୍ତି। ନିଜର କିଛି ବଡ଼ିମା ନ ଥିଲେ ମଧ୍ୟ ବଡ଼ିମା ଦେଖାଇ ହୁଅନ୍ତି। ବଡ଼ମାଛ ସବୁ ପାଣିତଳେ ଆନନ୍ଦରେ ବାସ କରନ୍ତି।

ଦିନେ କେଉଟମାନେ ସେହି ବାଟ ଦେଇ ଯାଉଥିଲେ। ସେମାନଙ୍କ କାନ୍ଧରେ ଜାଲ ଭାର ଓ ହାତରେ ମାଛ ଖାଳେଇ। ପୋଖରୀ ପାଖରେ ଠିଆ ହୋଇ କଥାବାର୍ତ୍ତା ହେଲେ, “ଏ ପୋଖରୀରେ ବହୁତ ମାଛ ଅଛନ୍ତି। କାଲି ସକାଳୁ ଆସି ଜାଲ ପକାଇ ଧରିନେବା।”

[ଚିତ୍ର ବର୍ଣ୍ଣନା: ଦୁଇଜଣ କେଉଟ ପୋଖରୀ କୂଳରେ ଠିଆ ହୋଇ ପାଣି ଭିତରେ ପହଁରୁଥିବା ରଙ୍ଗବେରଙ୍ଗର ମାଛ ଓ ପଦ୍ମଫୁଲକୁ ଚାହିଁ ଦେଖୁଛନ୍ତି ।]

ପାଣିତଳେ ରହୁଥିବା ତିନୋଟି ବଡ଼ମାଛଙ୍କ ଭିତରେ ବନ୍ଧୁତା ଥିଲା। ଗୋଟିଏ ମାଛର ନାମ ‘ଅନାଗତ ବିଧାତା’ ଦ୍ୱିତୀୟଟିର ନାମ ‘ସୁଚତୁର’ ଓ ତୃତୀୟଟିର ନାମ ‘ଦୀର୍ଘସୂତ୍ରୀ’।

କେଉଟମାନଙ୍କ କଥା ଶୁଣି ଅନାଗତ ବିଧାତା ଡରିଗଲା। ସେ ଅନ୍ୟ ଦୁଇବନ୍ଧୁଙ୍କୁ ପାଖକୁ ଡାକି କହିଲା, “ଭାଇ ! ଚାଲ ଆଜି କୁଆଡ଼େ ପଳାଇଯିବା। ରାତି ପାହିଲେ କେଉଟମାନେ ଆସି ଏ ପୋଖରୀରେ ଜାଲ ପକାଇବେ। ଆମ ସମସ୍ତଙ୍କୁ ଧରିନେଇ ମାରିଦେବେ। ଅନ୍ୟ ପୋଖରୀକୁ ଗଲେ ଆମ ଜୀବନ ରହିଯିବ।”

ଏହା ଶୁଣି ସୁଚତୁର କହିଲା, “କାଲିଯାଏ ତ ଅଛି। ସେମାନେ ଆସନ୍ତୁ, ଏତେ ଶୀଘ୍ର କାହିଁକି ଆମେ ଏ ପୋଖରୀ ଛାଡ଼ିବା।”

ଦୀର୍ଘସୂତ୍ରୀ ସୁଚତୁରକୁ ସମର୍ଥନ କଲା। କହିଲା, “ହଉ, ଯିବା ତ ଏତେ ତରତର କାହିଁକି ?”

ଅନାଗତ ବିଧାତା ଦେଖିଲା, ଅନ୍ୟ ଦୁଇବନ୍ଧୁ ତା’ କଥାରେ ରାଜି ହେଉ ନାହାଁନ୍ତି। ତେଣୁ ନିଜର ଜୀବନ ରଖିବାକୁ ସେ ରାତିକାରାତି ଅନ୍ୟ ପୋଖରୀକୁ ଚାଲିଗଲା। ଅନ୍ଧାରରାତି ହୋଇଥିବାରୁ ତା’ଉପରେ କିଛି ବିପଦ ପଡ଼ିଲା ନାହିଁ।

[ଚିତ୍ର ବର୍ଣ୍ଣନା: ପାଣି ଭିତରେ ବିଭିନ୍ନ ରଙ୍ଗ ଓ ଆକାରର ମାଛମାନେ ଏକାଠି ହୋଇ ପରସ୍ପର ସହିତ କଥାବାର୍ତ୍ତା କରୁଛନ୍ତି ।]

ପରଦିନ ସକାଳୁ କେଉଟମାନେ ଆସିଲେ। ପୋଖରୀରେ ଜାଲ ପକାଇ ସବୁ ମାଛ ଧଇଲେ। ସେମାନଙ୍କ ଜାଲ ପୂରିଗଲା। ସୁଚତୁର ଦେଖିଲା ମହାବିପଦ। ସେ କୌଶଳ କରି ଜାଲ ବାହାର ପାଖରେ ରହି ସୂତାକୁ କାମୁଡ଼ି ଧରିଲା। ହଲଚଲ ନ ହୋଇ ମଲାଙ୍କ ପରି ପଡ଼ି ରହିଲା।

ଦୀର୍ଘସୂତ୍ରୀ ମହା ଅଳସୁଆ। ସେ ପଙ୍କ ଉପରେ ସେ ପର୍ଯ୍ୟନ୍ତ ଶୋଇ ରହିଥିଲା। କିଛି ଜାଣିପାରିଲା ନାହିଁ। ନିଦ ଭାଙ୍ଗିଲାକ୍ଷଣି ଦେଖିଲା, ଜାଲ ଭିତରେ ସେ ବନ୍ଧା ହୋଇଛି।

ଜାଲରେ ମାଛ ସାଙ୍ଗକୁ ବହୁତ ପଙ୍କ ଓ ଦଳ ପଶି ଯାଇଥିଲା। ତାହା ସଫା କରିବାପାଇଁ କେଉଟମାନେ ଆର ପୋଖରୀକୁ ଗଲେ। ସେ ପାଣିରେ ଜାଲ ବୁଡ଼ାଇ ଦେବାକ୍ଷଣି ସୁଚତୁର ସୂତା ଛାଡ଼ି ପାଣି ଭିତରକୁ ଯାଇ ଲୁଚିଗଲା। ଜାଲ ଭିତରେ ପଡ଼ି ରହିଥିବାରୁ ଦୀର୍ଘସୂତ୍ରୀ ଖସିଯାଇ ପାରିଲା ନାହିଁ। କେଉଟଙ୍କ ହାତରେ ଧରା ପଡ଼ିଲା।

ସେଇଥିପାଇଁ ପଣ୍ଡିତମାନେ କହନ୍ତି, ‘ଯେତେବେଳେ ଯାହା କରିବାକୁ ଆବଶ୍ୟକ ତାହା ସଙ୍ଗେସଙ୍ଗେ କରିବ।’

(ପଞ୍ଚତନ୍ତ୍ର ଉପରେ ଆଧାରିତ)

(‘ପଞ୍ଚତନ୍ତ୍ର’ ନୀତିକଥା ସାହିତ୍ୟର ଏକ ମୂଲ୍ୟବାନ୍ ଗ୍ରନ୍ଥ, ଯାହା ପ୍ରାୟ ୨୫୦୦ ରୁ ୩୦୦୦ ବର୍ଷ ପୂର୍ବେ ଆମ ଭାରତରେ ରଚନା କରାଯାଇଥିଲା। ପଣ୍ଡିତ ବିଷ୍ଣୁଶର୍ମା ଏହାକୁ ଲେଖିଥିଲେ। ପଞ୍ଚତନ୍ତ୍ରର ରଚନାକୁ ଏକ ଶିକ୍ଷଣ ସାମଗ୍ରୀ ଭାବରେ ଗ୍ରହଣ କରାଯାଇଥିଲା। ଯାହାର ମୂଳଲକ୍ଷ୍ୟ ଥିଲା ପିଲାମାନଙ୍କୁ ମନଛୁଆଁ କାହାଣୀ ମାଧ୍ୟମରେ ଜୀବନର ମୂଲ୍ୟବୋଧ ଶିକ୍ଷାଦେବା। ଏହି ଗ୍ରନ୍ଥରେ ନୈତିକଶିକ୍ଷା ଦେବା ଉଦ୍ଦେଶ୍ୟରେ ବିଭିନ୍ନ ପଶୁପକ୍ଷୀଙ୍କୁ ଚରିତ୍ର କରି ରଚନା କରାଯାଇଛି। ଏହା ଖାଲି ପିଲାମାନଙ୍କୁ ନୁହେଁ, ବରଂ ବୟସ୍କମାନଙ୍କୁ ମଧ୍ୟ ଆନନ୍ଦ ଦେବାରେ ସହାୟକ ହୋଇଥାଏ। ଆଜିର ସମୟରେ ମଧ୍ୟ ଏହି କାହାଣୀଗୁଡ଼ିକର ପ୍ରାସଙ୍ଗିକତା ରହିଛି।)


ଆସ କଥା ହେବା

୧. ତୁମେ କେବେ ନଈ, ପୋଖରୀ ବା ସମୁଦ୍ରକୂଳରେ ବୁଲିଛ କି ? ତୁମେ ସେଠାରେ କ’ଣ ଦେଖିଛ ?

୨. କୌଣସି କାର୍ଯ୍ୟକୁ ଭାଗ୍ୟର ଭରସାରେ ଛାଡ଼ିଦେବା ଉଚିତ୍ କି ? ତୁମ ଉତ୍ତରର କାରଣ ଲେଖ।

୩. ଦୀର୍ଘସୂତ୍ରୀ କେଉଟଠାରୁ ନିଜର ଜୀବନ ବଞ୍ଚାଇ ପାରିଲା ନାହିଁ। ଯଦି ତା’ ସ୍ଥାନରେ ତୁମେ ରହିଥାଆନ୍ତ, ତେବେ କେଉଟଠାରୁ ନିଜର ଜୀବନକୁ କେମିତି ବଞ୍ଚାଇଥାନ୍ତ ?

୪. ଏହି ତିନୋଟି ମାଛ ଭିତରୁ ତୁମକୁ କେଉଁ ମାଛଟି ସବୁଠୁ ଭଲ ଲାଗିଲା ଓ କାହିଁକି ?


ପାଠରୁ

୧. ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ମାଛର ଚିତ୍ର କର। ଏକରୁ ଅଧିକ ଉତ୍ତର ମଧ୍ୟ ଠିକ୍ ହୋଇପାରେ।

(କ) କେଉଁ କାରଣରୁ ଅନାଗତ ବିଧାତାକୁ ବହୁତ ବୁଦ୍ଧିଆ ବୋଲି କୁହାଯାଇଛି ?

  • (i) ନାମ ଅନୁସାରେ ସ୍ୱଭାବ ହୋଇଥିବାରୁ।

  • (ii) ସବୁ କଥାକୁ ଭାଗ୍ୟ ଉପରେ ଛାଡ଼ିଦେବା ଓ ଚିନ୍ତା ନ କରିବା କାରଣରୁ।

  • (iii) ଭବିଷ୍ୟତର ସମ୍ଭାବିତ ସମସ୍ୟାଗୁଡ଼ିକୁ ସମାଧାନ କରିବା ପୂର୍ବରୁ ଚାଲିଯାଇଥିବା କାରଣରୁ।

  • (iv) ପରିଶ୍ରମ ଓ ଚିନ୍ତାରୁ ରକ୍ଷାପାଇବାର ପ୍ରବୃତ୍ତି ହେତୁ।

(ଖ) କେଉଟମାନଙ୍କର କଥାଶୁଣି ତିନି ମାଛ ସଭା କାହିଁକି କଲେ ?

  • (i) ଗପସପ କରିବାପାଇଁ।

  • (ii) ନିଜର ପ୍ରାଣରକ୍ଷା ନିମିତ୍ତ କୌଣସି ଉପାୟ ବାହାର କରିବାପାଇଁ।

  • (iii) କେଉଟମାନଙ୍କୁ ନିଜର ଜାଲରେ ପକାଇବାପାଇଁ।

  • (iv) ପାଖରେ ଥିବା ଅନ୍ୟ ଏକ ପୋଖରୀକୁ ଯିବାପାଇଁ।

(ଗ) ସୁଚତୁର ଜାଲରୁ ମୁକୁଳିଲା କିପରି ?

  • (i) ପୂର୍ବଦିନ ସେ ଅନ୍ୟ ପୋଖରୀକୁ ଚାଲିଗଲା।

  • (ii) ସେ ହଲଚଲ ନ ହୋଇ ମଲାଙ୍କ ପରି ପଡ଼ି ରହିଲା।

  • (iii) କେଉଟମାନେ ଜାଲ ଧୋଇବା ବେଳେ ଜାଲର ସୂତା ଛାଡ଼ି ପାଣି ଭିତରକୁ ଚାଲିଗଲା।

  • (iv) କେଉଟଙ୍କ ହାତରୁ ଖସି ଚାଲିଗଲା।

(ଘ) କେଉଟମାନଙ୍କର ଜାଲରେ କେଉଁକେଉଁ ମାଛ ପଡ଼ିଯାଇଥିଲେ ?

  • (i) ଅନାଗତ ବିଧାତା, ସୁଚତୁର ଓ ଅନ୍ୟସବୁ ବଡ଼ବଡ଼ ମାଛ।

  • (ii) ସୁଚତୁର, ଦୀର୍ଘସୂତ୍ରୀ ଓ ଅନ୍ୟ ସବୁ ବଡ଼ବଡ଼ ମାଛ।

  • (iii) ଦୀର୍ଘସୂତ୍ରୀ ଓ ଅନ୍ୟ ସବୁ ବଡ଼ବଡ଼ ମାଛ।

  • (iv) ସୁଚତୁର, ଦୀର୍ଘସୂତ୍ରୀ ଓ ଅନାଗତବିଧାତା।

୨. ‘କ’ ସ୍ତମ୍ଭରେ ଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ସଂପର୍କିତ ଶବ୍ଦକୁ ମିଳାଅ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
ସୁନ୍ଦରବୁଦ୍ଧିଆ
ଅନାଗତବିଧାତାଅଳସୁଆ
ସୁଚତୁରମାଛ
ବଡ଼ବଡ଼ବୁଦ୍ଧିଆ
ଦୀର୍ଘସୂତ୍ରୀପୋଖରୀ

ଭାବ ଓ ଲେଖ

୧. ପ୍ରଥମରୁ ସୁଚତୁର ସମସ୍ୟାର ସମାଧାନ କରିବାକୁ ଆବଶ୍ୟକ ମନେକଲା ନାହିଁ କାହିଁକି ?

୨. ସବୁ ମାଛ ଭୟଭୀତ ହୋଇପଡ଼ିବାର କାରଣ କ’ଣ ଥିଲା ?

୩. “ ଯିବା ତ ଏତେ ତରତର କାହିଁକି ?

୪. ଅନାଗତବିଧାତା କେଉଟମାନଙ୍କର ଯୋଜନାରୁ ରକ୍ଷାପାଇବାପାଇଁ କେଉଁ ଉପାୟ ପାଞ୍ଚୁଥିଲା ?

୫. ସୁଚତୁର କେଉଟମାନଙ୍କଠାରୁ ରକ୍ଷାପାଇବାପାଇଁ କେଉଁ ଉପାୟ କରିଲା ?


ଭାଷାର କଥା

୧. ଏହି କାହାଣୀରେ ଥିବା କିଛି ବିଶେଷ୍ୟ, ସର୍ବନାମ, ବିଶେଷଣ ଓ କ୍ରିୟାପଦ ତଳେଥିବା ‘ଶବ୍ଦକୋଠରୀରେ’ ରହିଅଛି। ଏଗୁଡ଼ିକୁ ଚିହ୍ନି ଦିଆଯାଇଥିବା ସଜାଇ ଲେଖ।

ଶବ୍ଦପୋଖରୀ:

ବହୁତ, ହୁଅନ୍ତି, ସାନସାନ, ଯାହା, କେଉଟ, ବଡ଼, ଅଳସୁଆ, ଆନନ୍ଦ, ଡରିଗଲା, ସେ, ପଣ୍ଡିତମାନେ, ତାହା, ମାଛ, ମାରିଦେବେ, ଜାଲ, ଦେଖିଲା

ବିଶେଷ୍ୟସର୍ବନାମବିଶେଷଣକ୍ରିୟା

୨. ଏହି କାହାଣୀରେ ଆସୁଥିବା ଏକବଚନ ଓ ବହୁବଚନ ଶବ୍ଦଗୁଡ଼ିକୁ ଖୋଜି ନିମ୍ନରେ ଦିଆଯାଇଥିବା ତାଲିକାକୁ ପୂରଣ କର।

ଏକବଚନବହୁବଚନ
କେଉଟକେଉଟମାନେ
ସେମାନେ
ମାଛ
ଲୋକ

୩. ତଳେ ଦିଆଯାଇଥିବା ଉପଯୁକ୍ତ ଚିହ୍ନଦ୍ୱାରା ଶୂନ୍ୟସ୍ଥାନ ପୂରଣ କର।

(ଟି, କୁ, ରୁ, ର, ରେ)

(କ) ଏ ପୋଖରୀ _____ ବହୁତ ମାଛ ଅଛନ୍ତି।

(ଖ) ଅନ୍ୟ ପୋଖରୀ _____ ଗଲେ ଆମ ଜୀବନ ରହିବ।

(ଗ) ଅନ୍ଧାର ରାତି ହୋଇଥିବା _____ କିଛି ବିପଦ ପଡ଼ିଲା ନାହିଁ।

(ଘ) ପାଣି ତଳେ ରହୁଥିବା ତିନୋ _____ ବଡ଼ମାଛଙ୍କ ଭିତରେ ବନ୍ଧୁତା ଥିଲା।

[ଚିତ୍ର ବର୍ଣ୍ଣନା: ପାଣିରେ ଦୁଇଟି ରଙ୍ଗୀନ ମାଛ ଆନନ୍ଦରେ ପହଁରୁଛନ୍ତି ଓ କଥା ହେଉଛନ୍ତି ।]

୪. ତଳେ କେତେଗୁଡ଼ିଏ ବିରାମ ଚିହ୍ନ ଦିଆଯାଇଛି। ସେଗୁଡ଼ିକୁ ବ୍ୟବହାର କରି ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଆଉଥରେ ଲେଖିବା।

? । ! , “ ” -

(କ) ସେମାନଙ୍କ ଜାଲ ପୂରିଗଲା

(ଖ) ହଉ ଯିବା ତ ଏତେ ତରତର କାହିଁକି

(ଗ) କାଲିଯାଏ ତ ଅଛି ସେମାନେ ଆସନ୍ତୁ ଏତେ ଶୀଘ୍ର କାହିଁକି ଆମେ ଏ ପୋଖରୀ ଛାଡ଼ିବା

(ଘ) ନିଦ ଭାଙ୍ଗିଲା କ୍ଷଣି ଦେଖିଲା ଜାଲ ଭିତରେ ସେ ବନ୍ଧା ହୋଇଛି


ଅନୁମାନ ଓ କଳ୍ପନା

୧. ସୁଚତୁର କେଉଟମାନଙ୍କଠାରୁ ରକ୍ଷା ପାଇବାପାଇଁ ଯେଉଁ ଯୋଜନା କରିଥିଲା, ଯଦି ସେ ସେଥିରେ ସଫଳ ହୋଇ ନଥାନ୍ତା, ତେବେ ସେ ଆଉ କେଉଁ ଯୋଜନା କରିଥାନ୍ତା ?

୨. ତୁମେ କେବେ ସମୁଦ୍ର ଦେଖିଛ କି ? ଅନୁମାନ କରି କୁହ ଯେ ସମୁଦ୍ରକୁ ଏତେ ଅଧିକ ଜଳ କେଉଁଠାରୁ ଆସିଥାଏ ?

୩. ନିଜର ବୁଦ୍ଧି ହେତୁ ସୁଚତୁର କେଉଟମାନଙ୍କର ଜାଲରୁ ବଞ୍ଚିଗଲା। ଧରିନିଅ ସେ ପହଁରିପହଁରି ପାଖରେ ଥିବା ପୋଖରୀରେ ନିଜର ସାଙ୍ଗ ଅନାଗତବିଧାତା ପାଖରେ ପହଞ୍ଚିଗଲା। ଦୁହେଁ ନିଜନିଜ ଭିତରେ କ’ଣ କଥା ହୋଇଥିବେ, ତାହା ଖାତାରେ ଲେଖ।


[ଚିତ୍ର ବର୍ଣ୍ଣନା: ପାଣିରେ ୫ଟି ଭିନ୍ନ ଭିନ୍ନ ସ୍ଥିତିରେ ଥିବା ମାଛ (୧, ୨, ୩, ୪, ୫ କ୍ରମରେ ଚିହ୍ନିତ) ।]

କହିଲ ଦେଖି

୧. ତଳେ ପାଣିରେ ପହଁରୁଥିବା କେତେଗୁଡ଼ିଏ ମାଛଙ୍କୁ ଧ୍ୟାନର ସହିତ ଦେଖ, ସେମାନଙ୍କ ମଧ୍ୟରୁ କେଉଁ ଦୁଇଟି ପୂରାପୂରି ସମାନ, କୁହ।


ପାଠାଗାରରୁ

୧. ତୁମ ବିଦ୍ୟାଳୟର ପାଠାଗାରକୁ ଯାଇ ପଞ୍ଚତନ୍ତ୍ର, ହିତୋପଦେଶ, ଇଶପ୍ କାହାଣୀ, ବୀରବଲ୍‌ କଥା, ‘ଆରବରାତିର କାହାଣୀ’, ‘ତେନାଲିରାମା କାହାଣୀ’ ବହି ଖୋଜି ପଢ଼। ସେଥିରୁ ତୁମକୁ ଯେଉଁ କାହାଣୀ ଭଲ ଲାଗୁଛି, ତାକୁ ନିଜ ଶ୍ରେଣୀରେ ଅନ୍ୟମାନଙ୍କୁ ଶୁଣାଅ।


[ଚିତ୍ର ବର୍ଣ୍ଣନା: ଚାରୋଟି ଚିତ୍ରର ସମାହାର—

୧. ଜନବସତି ଥିବା ରାସ୍ତାରେ ଗୋଟିଏ ହାତୀ ଚାଲୁଛି।

୨. ଜଣେ ବ୍ୟକ୍ତି ତାଙ୍କ ପୁଅ ସହିତ ଚୌକିରେ ବସି କଥାବାର୍ତ୍ତା କରୁଛନ୍ତି।

୩. ଜଙ୍ଗଲରେ ହାତୀପଲ ଘାସଭରା ପଡ଼ିଆରେ ଚରୁଛନ୍ତି।

୪. ରାସ୍ତା କଡ଼ରେ କିଛି ଲୋକ କୁରାଢ଼ି ସାହାଯ୍ୟରେ ଗଛ କାଟୁଛନ୍ତି।]

ତୁମ ପଢ଼ିବାପାଇଁ

ହାତୀମଣିଷ ଲଢ଼େଇ

ବନ୍ଦା ଗାଁ ପାଖ ରାସ୍ତା କଡ଼ରେ ଲୋକଙ୍କ ଭିଡ଼। କିଛି ବନକର୍ମଚାରୀ ଓ ଆଖପାଖ ଗ୍ରାମର ଲୋକେ ଏକାଠି ରୁଣ୍ଡ ହୋଇଥାନ୍ତି। ଲୋକଙ୍କ ମଝିରେ ପଡ଼ିଥାଏ ଗୋଟିଏ ଶବ। ସମସ୍ତେ କୁହାକୁହି ହେଉଥାନ୍ତି, ‘‘ଚାଳିଶିଟିକିଆ ହାତୀ ଦଳର ଦନ୍ତାହାତୀଟା ଲୋକଟିକୁ କଚାଡ଼ି ମାରି ଦେଇଛି’’।

ମିଲନ୍ ପାଖ ବିଦ୍ୟାଳୟରୁ ତା’ ବାପାଙ୍କ ସହିତ ମୋଟର ସାଇକେଲରେ ଘରକୁ ଫେରୁଥାଏ। ଭିଡ଼ ଦେଖି ମିଲନ୍‌ର ବାପା ସେଠାରେ ଟିକିଏ ଅଟକିଗଲେ। ଦନ୍ତାହାତୀ ଲୋକଟିକୁ ମାରି ଦେଇଛି ବୋଲି ଦୁହେଁ ଜାଣିଲେ।

ମିଲନ୍ ବାପାଙ୍କୁ ଚାହିଁ ପ୍ରଶ୍ନ କଲା, “ବାପା, ହାତୀମାନେ ପରା ଜଙ୍ଗଲରେ ରହନ୍ତି ? ସେମାନେ କିପରି ଜଙ୍ଗଲ ଛାଡ଼ି ଏ ସହରପାଖ ଗାଁକୁ ଆସିଲେ” ? ବାପା କହିଲେ, ‘‘ଏହାର କାରଣ ଅତି ସହଜ। ଆଗେ ସବୁ ଆଡ଼େ [ଜଙ୍ଗଲରେ] ପରିପୂର୍ଣ୍ଣ ହୋଇ [ରହିଥିଲା]। ସେଠାରେ ହାତୀ, ବାଘ, ସିଂହ, ଭାଲୁ, ମାଙ୍କଡ଼, ବାରହା, ହରିଣ, ସମ୍ବର, କୁଟୁରା ଓ ଠେକୁଆ ଆଦି ପଶୁ ମହାଆନନ୍ଦରେ ଅବସ୍ଥାନ କରୁଥିଲେ। ଜଙ୍ଗଲରୁ ପ୍ରଚୁର ଫଳମୂଳ, ଘାସ ଖାଇ ଓ ଝରଣାର ଥଣ୍ଡାପାଣି ପିଇ ଆରାମରେ ରହୁଥିଲେ। ହେଲେ ଏବେ ଆଉ କ'ଣ ସେ ଜଙ୍ଗଲ ଅଛି ! ଲୋକମାନେ ପ୍ରତିଦିନ ଜଙ୍ଗଲକାଟି ସଫା

[ଚିତ୍ର ବର୍ଣ୍ଣନା: ଚାରୋଟି ଫଟୋଚିତ୍ର—

୧. ଧୂଳି ଉଡ଼ାଇ ଦୌଡ଼ି ଆସୁଥିବା ଗୋଟିଏ ଦନ୍ତାହାତୀ।

୨. ପଡ଼ିଆରେ ହାତୀ ସାମ୍ନାରେ ଜଣେ ବ୍ୟକ୍ତି ବାଡ଼ି ଧରି ଠିଆ ହୋଇଛି।

୩. ପାଣି/କାଦୁଅ ଥିବା ସ୍ଥାନରେ ଚାଲୁଥିବା ହାତୀ।

୪. ଘରର ଛାତ/ବାଲକୋନି ପାଖକୁ ପଶି ଆସିଥିବା ଏକ ହାତୀ।]

କରିଦେଲେଣି। ପୁଣି କିଛି ଲୋକ ପୋଡ଼ୁଚାଷ କରିବାପାଇଁ ଜଙ୍ଗଲରେ ନିଆଁ ଲଗାଇଦେଉଛନ୍ତି। ଫଳରେ ଶହଶହ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଉଛି। ଜଙ୍ଗଲରେ ରହୁଥିବା ନିରୀହ ପଶୁ ହାତୀ, ମାଙ୍କଡ଼, ବାରହାମାନେ ଜୀବନ ବିକଳରେ କ'ଣ ବା ଆଉ କରିବେ ? ବାଧ୍ୟହୋଇ ଖାଦ୍ୟପାଇଁ ଗାଁ ଓ ସହରମୁହାଁ ହେଉଛନ୍ତି। କଦଳୀ, ଧାନ, ଆଖୁ, ମାଣ୍ଡିଆ, ଆଦି ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। ବେଳେବେଳେ ଲୋକଙ୍କ ଘର ଭିତରେ ପଶି ତାଙ୍କ ହାବୁଡ଼ରେ ପଡ଼ୁଥିବା ଲୋକ ଓ ଗୃହପାଳିତପଶୁଙ୍କୁ କଚାଡ଼ି ମାରୁଛନ୍ତି। ସେଥିପାଇଁ ତ ଟି.ଭି ଖୋଲୁଖୋଲୁ ଦେଖିବାକୁ ମିଳୁଛି ଆଜି ଏ ଗାଁରେ ଦନ୍ତାହାତୀ ଦୁଇଜଣଙ୍କୁ ମାରିଲାଣି ତ ଗତକାଲି ସେ ଗାଁରେ ତିନିଜଣଙ୍କୁ ମାରିଥିଲା।’’

ମିଲନ୍ ବାପାଙ୍କ ମୁହଁକୁ ଜଳଜଳ କରି ଚାହିଁ ରହିଥାଏ। ବାପାଙ୍କୁ ପୁଣି ପଚାରିଲା, “ବାପା ! କ’ଣ କଲେ ଏମାନେ ଆମ ଗାଁ ବା ସହରକୁ ଆସନ୍ତେ ନାହିଁ ?” ମିଲନ୍ ପାଖରେ ଛିଡ଼ା ହୋଇଥିବା ବନକର୍ମଚାରୀ ମିଲନ୍‌ର ମୁଣ୍ଡକୁ ଆଉଁଶି ଦେଇ କହିଲେ, “ବାପା, ଭଲ ପ୍ରଶ୍ନଟିଏ ପଚାରିଲୁ। ମୁଁ ଯାହା କହୁଛି ମନଦେଇ ଟିକିଏ ଶୁଣ। ବର୍ତ୍ତମାନ ସମୟ ଆସିଛି, ଆମେ ସଭିଏଁ ସଚେତନ ହେବା। ଜଙ୍ଗଲ ଆଉ କାଟିବା ନାହିଁ ସମସ୍ତେ ମିଶି ଖାଲିଜାଗାମାନଙ୍କରେ ବୃକ୍ଷରୋପଣ କରିବା। ଗଛ ବଞ୍ଚିଲେ ଆମେ ବଞ୍ଚିବା, ପଶୁପକ୍ଷୀ ବଞ୍ଚିବେ, ବର୍ଷା ଠିକ୍ ସମୟରେ ହେବ। ଆମେ ପ୍ରଚୁର ଅମ୍ଳଜାନ ପାଇ ସୁସ୍ଥ ଜୀବନଯାପନ କରିବା। ମଣିଷ ଓ ପଶୁ-ପକ୍ଷୀ ସମସ୍ତେ

[ଚିତ୍ର ବର୍ଣ୍ଣନା: ଜଣେ ବାଳକ କୁଣ୍ଡରେ ମାଟି ଦେଇ ଛୋଟ ଚାରାଗଛ ରୋପଣ କରୁଛି ଓ ପାଖରେ ପାଣି ପକାଇବା ଝାରି ରହିଛି ।]

[ଚିତ୍ର ବର୍ଣ୍ଣନା: ଜଣେ ମହିଳା ମାଟିରେ ଚାରାଗଛ ରୋପଣ କରୁଛନ୍ତି ଓ ପାଖରେ ପାଣି ଝାରି ରହିଛି ।]

ଗଛରୁ ପ୍ରଚୁର ପରିମାଣରେ ଖାଦ୍ୟ ଓ ବସ୍ତ୍ର, ଔଷଧ ପାଇବେ। ଜଙ୍ଗଲରୁ ପଶୁମାନେ ସେମାନଙ୍କ ଆବଶ୍ୟକ ଖାଦ୍ୟ ପାଇଲେ ଆଉ ଗାଁ ଓ ସହରମୁହାଁ ହେବେ ନାହିଁ କି କୌଣସି ଧନଜୀବନ ନଷ୍ଟ କରିବେ ନାହିଁ।”

ବନକର୍ମଚାରୀଙ୍କ କଥା ମିଲନ୍‌ର ମନକୁ ପାଇଲା। ତା’ ବାପାଙ୍କୁ କହିଲା, “ବାପା ! ଆସନ୍ତାକାଲି ତ ରବିବାର। ଆମେ ଘରପାଖ ଚାରାବଗିଚାକୁ ଯିବା ସେଠାରୁ ଚାରା ଆଣି ଆମ ଘର ଚାରିପାଖରେ ଥିବା ଖାଲି ଜାଗାରେ ଗଛ ଲଗାଇବା। ପ୍ରଥମେ ଆମ ଘରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା।

ସୋମବାର ଦିନ ମୁଁ ଆମ ଗୁରୁଜୀଙ୍କୁ କହିବି। ସବୁପିଲା ମିଶି ବିଦ୍ୟାଳୟ ହତାରେ ଗଛ ଲଗାଇବାକୁ ପ୍ରସ୍ତାବ ଦେବି। ଆମର ଲୋକବାଣୀରେ ପରା ଅଛି- “ଜମି ନ ରଖ ପଡ଼ିଆ, ଲଗା ପଣସ ନଡ଼ିଆ”। ଫରେଷ୍ଟରବାବୁ ମିଲନ୍‌ର ପ୍ରସ୍ତାବରେ ବହୁତ ଖୁସିହେଲେ। ତାକୁ ନିଜ ପକେଟରୁ ପାଞ୍ଚଶହ ଟଙ୍କା ପୁରସ୍କାର ଦେଇ କହିଲେ, “ତୁମ ଭଳି ମନ ସମସ୍ତଙ୍କର ହେଲେ ଏ ଭୂମି ଟାଙ୍ଗରା ନ ହୋଇ ଶସ୍ୟଶ୍ୟାମଳା ଓ ସବୁଜ ହୋଇ ପାରିବ। ହାତୀମାନେ ଜଙ୍ଗଲରୁ ଆଉ ଆସିବେ ନାହିଁ କି ମଣିଷ [???]”