ଜନ୍ମଭୂମି

(ରାଗ-ଚୋଖି)

[ଚିତ୍ର ବର୍ଣ୍ଣନା: ପୃଷ୍ଠଭୂମିରେ ତୁଷାରାଚ୍ଛାଦିତ ବିଶାଳ ହିମାଳୟ ପର୍ବତ ଏବଂ ଆଗରେ ଦୁଇଜଣ ଶିଶୁ (ଜଣେ ବାଳକ ଓ ଜଣେ ବାଳିକା) ହାତରେ ଭାରତୀୟ ଜାତୀୟ ପତାକା ଧରି ଆଗକୁ ବଢ଼ୁଛନ୍ତି।]

ତୁହି ମା ଜନମଭୂମି ପବିତ୍ର ଭାରତଭୂମି

ତୋହରି ସନ୍ତାନ ଆମ୍ଭେ ଅଟୁଁ ସରବେ;

ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା

ଗାଇବା ତୋହର ନାମ ଆନନ୍ଦ ରବେ ।

ତୋ’ ଆନନ୍ଦେ ହୋଇବା ସୁଖୀ,

କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।

ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର

ମସ୍ତକରେ ହିମାଳୟ ପର୍ବତବର;

ଦୁଇ ପାରୁଶେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁନଦୀ

ଚରଣରେ ବିରାଜିତ ମହାସାଗର ।

ବିନ୍ଧ୍ୟ ଗିରିବର କଟିରେ,

ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।


ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ

ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ,

ମହାକବି ବେଦବ୍ୟାସ, ବାଲମୀକି କାଳିଦାସ

ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ ।

ଚୈତନ୍ୟାଦି ମହାତ୍ମାଜନେ

ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।

କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ

କେତେ ବୀରନାରୀ କେତେ ବୀର ଜନନୀ;

ସମସ୍ତେ ତୋର ଦୁହିତା ପଦ୍ମିନୀ, ସାବିତ୍ରୀ ସୀତା,

ଦୁର୍ଗାବତୀ ଆଦି କେତେ ବୀରରମଣୀ ।

ନମଇ ମା ଭକତିଭରେ

ଅଧମ ଅକ୍ଷମ ସୁତ ତୋ’ ଚରଣରେ ।

[ଚିତ୍ର ବର୍ଣ୍ଣନା: ପାହାଡ଼, ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ଭାରତର ମାନଚିତ୍ର ରୂପରେଖ ସହିତ ଭାରତମାତା ଓ ବୀର ନାରୀମାନଙ୍କ ଆଲେଖ୍ୟ ଏବଂ ତଳେ ହରିଣ ଠିଆ ହୋଇଥିବାର ଦୃଶ୍ୟ।]


[ଚିତ୍ର ବର୍ଣ୍ଣନା: ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରତିଛବି (ପୋଟ୍ରେଟ୍)।]

କବି ପରିଚୟ

ଭକ୍ତକବି ମଧୁସୂଦନ ରାଓ (୧୮୩୫-୧୯୧୨)

ଭକ୍ତକବି ମଧୁସୂଦନ ରାଓ ପୁଣ୍ୟଧାମ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ ‘ପଦ୍ମ’, ‘ପ୍ରଭାତ’, ‘ପୃଥିବୀ ପ୍ରତି’, ‘ବସନ୍ତ ଗାଥା’, ‘ଉତ୍କଳଗାଥା’, ‘ନିର୍ବାସିତର ବିଳାପ’ ପ୍ରଭୃତି କବିତାଗୁଡ଼ିକ ଖୁବ୍ ସରଳ ଓ ମନମୁଗ୍ଧକର । ଜନ୍ମଭୂମି କବିତାରେ କବି ଜନ୍ମମାଟିର ଯଶଗାନ କରିଛନ୍ତି ।

ପାଠ ଅନ୍ତର୍ଗତ

ଆସ, ଆମେ କବିତା ଉପରେ ସଂକ୍ଷିପ୍ତ ଆଲୋଚନା କରିବା ।

ମୋ ବୁଝିବାରେ

(କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।

୧. ‘ମୁଣ୍ଡ’ ଶବ୍ଦ ପାଇଁ କବିତାରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି ?

  • ଚରଣ

  • ମସ୍ତକ

  • କୋଳ

  • କଣ୍ଠ

୨. ‘ଜନ୍ମଭୂମି’ କବିତାରେ ମୁଖ୍ୟତଃ

  • ହିମାଳୟର ବର୍ଣ୍ଣନା କରାଯାଇଛି ।

  • ବୀର ରମଣୀଙ୍କ କଥା କୁହାଯାଇଛି ।

  • ଭାରତମାତାର ଯଶଗାନ କରାଯାଇଛି ।

  • ମହାସାଗର ବିଷୟରେ ଧାରଣା ଦିଆଯାଇଛି ।

(ଖ) ଉକ୍ତ ଉତ୍ତରଗୁଡ଼ିକ କାହିଁକି ବାଛିଲ, ତାହାର କାରଣ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର ।


ମିଳିମିଶି ଯୋଡ଼ିବା

କବିତାର କେତେକ ଶବ୍ଦ ଓ ତା’ର ଭାବାର୍ଥ ନିମ୍ନରେ ଲେଖାଯାଇଛି । ଦଳରେ ଆଲୋଚନା କରି ପ୍ରତ୍ୟେକ ଶବ୍ଦ ସହ ଖାପ୍ ଖାଉଥିବା ଭାବାର୍ଥକୁ ଗାର ଟାଣି ଯୋଡ଼ । (ତୁମେ ଅଭିଧାନ, ଇଣ୍ଟରନେଟ୍ ବା ନିଜ ଶିକ୍ଷକଙ୍କର ସହାୟତା ନେଇପାରିବ ।)

ଶବ୍ଦଭାବାର୍ଥ
୧. ହିମାଳୟ୧. ତୃତୀୟ ପାଣ୍ଡବ ।
୨. ବ୍ରହ୍ମପୁତ୍ର୨. ଭାରତର ଦୀର୍ଘତମ ପବିତ୍ର ନଦୀ ।
୩. ଦ୍ରୋଣ୩. ଗଙ୍ଗାଙ୍କ ପୁତ୍ର । କୌରବ ଓ ପାଣ୍ଡବମାନଙ୍କ ପିତାମହ ।
୪. ସୀତା୪. ଗୌଡ଼ୀୟ ବୈଷ୍ଣବ ମତବାଦର ପ୍ରଚାରକ ଓ ପ୍ରସାରକ ।
୫. ଗଙ୍ଗା୫. ମେୱାରର ରାଣୀ ଓ ବୀର ରମଣୀ ।
୬. ଚୈତନ୍ୟ୬. ଜନକ ରାଜାଙ୍କ ଦୁହିତା, ପ୍ରଭୁ ଶ୍ରୀରାମଙ୍କ ଧର୍ମପତ୍ନୀ ।
୭. ପଦ୍ମିନୀ୭. କୌରବ ଓ ପାଣ୍ଡବଙ୍କ ଗୁରୁ ।
୮. ଅର୍ଜୁନ୮. ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହିଯାଉଥିବା ନଦୀ ଯାହା କି ଶେଷରେ ବଙ୍ଗୋପସାଗରରେ ମିଶିଛି ।
୯. ଭୀଷ୍ମ୯. ସଂସ୍କୃତ ରାମାୟଣର ରଚୟିତା ।
୧୦. ବାଲ୍ମୀକି୧୦. ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା ।

ପଦ୍ୟାଂଶକୁ ଆଲୋଚନା କର ।

ନିମ୍ନଲିଖିତ ପଦ୍ୟାଂଶକୁ ମନଦେଇ ପଢ଼ ଏବଂ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କରି ତା’ର ସାରାଂଶକୁ ଲେଖ ।

“ତୁହି ମା ଜନମ ଭୂମି ପବିତ୍ର ଭାରତଭୂମି

ତୋହରି ସନ୍ତାନ ଆମେ ଅଟୁଁ ସରବେ;

ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା

ଗାଇବା ତୋହର ନାମ ଆନନ୍ଦ ରବେ ।

ତୋ ଆନନ୍ଦେ ହୋଇବା ସୁଖୀ

କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।”


ବୁଝି ବିଚାରି ଲେଖ

(କ) ‘ଜନ୍ମଭୂମି’ କବିତାକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

୧. କବିତାରେ ବର୍ଣ୍ଣିତ ବୀରରମଣୀମାନଙ୍କ ନାମ ଲେଖ ?

୨. ଭାରତର କଟିରେ କେଉଁ ପର୍ବତମାଳା ଶୋଭାପାଉଛି ?

୩. କାଳିଦାସ କିଏ ? ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ ।

୪. ଆମ ଜନ୍ମଭୂମିର ଦୁଇ ପାର୍ଶ୍ଵରେ ଥିବା ଜଳଧିର ନାମ ଲେଖ ?

୫. ଭାରତର ଶରୀରରେ କେଉଁସବୁ ନଦୀ ଶୋଭା ପାଉଛି ?

(ଖ) “ଚୈତନ୍ୟାଦି ମହାତ୍ମାଜନେ

ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।”

‘ମହାତ୍ମା’ର ଅର୍ଥ – ମହାପୁରୁଷ, ବଡ଼ଲୋକ, ମହାମାନବ, ମହାନ୍ ବ୍ୟକ୍ତି ।

‘ବିଭୁ’ର ଅର୍ଥ – ଈଶ, ଈଶ୍ୱର, ପ୍ରଭୁ, ଠାକୁର, ଦେବତା ।

ଉପରଲିଖିତ ପଦ୍ୟାଂଶକୁ ପଢ଼ି ଉତ୍ତର ଲେଖ ।

  • ଚୈତନ୍ୟ କିଏ ?

  • ସେ କ’ଣ କରିଥିଲେ ?

  • ତାଙ୍କୁ ମହାତ୍ମା କାହିଁକି କହିବା ?

କବିତାର ରଚନାଶୈଳୀ

“ବିନ୍ଧ୍ୟ ଗିରିବର କଟିରେ,

ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।”

ଉକ୍ତ ପଦ୍ୟାଂଶ ପରି ତୁମକୁ ଭଲ ଲାଗୁଥିବା ଆଉ କିଛି ପଦ୍ୟାଂଶ କବିତାରୁ ବାଛି ଲେଖ ।


ମେଳ କର

‘କ’ ସ୍ତମ୍ଭର କବିତାଂଶ ସହିତ ‘ଖ’ ସ୍ତମ୍ଭର ଭାବାର୍ଥକୁ ସଂଯୋଗ କର ।

ସ୍ତମ୍ଭ – କସ୍ତମ୍ଭ - ଖ
୧. ଜନମିଲେ ତୋ କୋଳରେ କେତେ ସୁରବୀର ନରେ୧. ପଦ୍ମିନୀ, ସାବିତ୍ରୀ, ସୀତା ପ୍ରଭୃତି ସମସ୍ତ ବୀର ରମଣୀ ଭାରତମାତାର ଦୁହିତା ଅଟନ୍ତି
୨. ତୋ ଆନନ୍ଦେ ହୋଇବା ସୁଖୀ କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ୨. ଭାରତମାତାର କୋଳରେ ଅନେକ ସୁର, ବୀର ଓ ମହାମାନବ ଜନ୍ମ ନେଇଛନ୍ତି
୩. ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା୩. ଆମେ ଜନ୍ମଭୂମିର ଉନ୍ନତି ବା ପ୍ରଗତିରେ ସୁଖ ଅନୁଭବ କରିବା ଓ ଅବନତିରେ ଦୁଃଖୀ ହେବା

ଅନୁମାନ ଓ କଳ୍ପନାରୁ

ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର ।

(କ) “ମହାକବି ବେଦବ୍ୟାସ ବାଲମୀକି କାଳିଦାସ ।

ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ ।”

(i) କେଉଁମାନଙ୍କୁ ମହାକବି ଆଖ୍ୟା ଦିଆଯାଇଛି ?

(ii) ସେମାନଙ୍କ ଲିଖିତ ଗ୍ରନ୍ଥର ନାମ ଉଲ୍ଲେଖ କର ।

(ଖ) “କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ

କେତେ ବୀରନାରୀ କେତେ ବୀର ଜନନୀ ।”

ଏହି କବିତାଂଶରେ ବୀରନାରୀ ବୋଲି କାହାକୁ ଓ କାହିଁକି କୁହାଯାଇଛି ?

ଶବ୍ଦର ଭିନ୍ନଭିନ୍ନ ରୂପ

(କ) ଯେପରି, ଚରଣ – ପଦ, ପାଦ, ପୟର,

ସେପରି,

  • ନଦୀ –

  • ଭୂମି –

  • ଜନନୀ –

  • ଦୁହିତା –


[ଚିତ୍ର ବର୍ଣ୍ଣନା: ମଝିରେ ସୂର୍ଯ୍ୟ ଆକୃତି ମଧ୍ୟରେ ‘ବର’ ଶବ୍ଦ ଲେଖାଅଛି ଏବଂ ଚାରିପାଖର ୬ଟି ମେଘ ଆକୃତିରୁ ତୀର ଚିହ୍ନ ‘ବର’ ଆଡ଼କୁ ଦର୍ଶାଯାଇ ନୂତନ ଶବ୍ଦ ଗଠନ ପାଇଁ ସୂଚିତ କରୁଛି।]

(ଖ) କବିତାରେ ବ୍ୟବହୃତ ଗିରିବର ଶବ୍ଦରେ ‘ବର’ର ଅର୍ଥ ‘ଶ୍ରେଷ୍ଠ’ । ଏହି ଅର୍ଥକୁ ଦୃଷ୍ଟିରେ ରଖ ଓ ଶବ୍ଦ ଶେଷରେ ‘ବର’ ଲଗାଇ ନୂତନ ଶବ୍ଦ ଗଠନ କର ।

କିଛି ଭିନ୍ନ କିଛି ସମାନ

ନିମ୍ନଲିଖିତ ପଦକୁ ଧ୍ୟାନର ସହ ପଢ଼ ।

“ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ

ଯେତେ ଯହିଁ ଥିଲେ ମିଳି ମାନବ-ଗଣ ।”

ଗଣ ଓ ଗୁଣ ଶବ୍ଦ ଦ୍ବୟରେ କେବଳ ଗୋଟିଏ ମାତ୍ରାର ଭିନ୍ନତା ଅଛି । ଫଳରେ ତା’ର ଅର୍ଥ ସଂପୂର୍ଣ୍ଣ ରୂପେ ବଦଳି ଯାଉଛି ।

ତୁମେମାନେ ସାଙ୍ଗମାନଙ୍କ ସହ ଦଳଗତ ଆଲୋଚନା କରି ଏହିପରି ଶବ୍ଦଗୁଡ଼ିକୁ ଖାତାରେ ଲେଖ ।

ଯେପରି :-

ବଣ – ବଣି,

ବଶ – ବେଶ


ପାଠ ବାହାରୁ

ତୁମ କଥା

(କ) ‘ଜନ୍ମଭୂମି’ କବିତାରେ ପୁଣ୍ୟଭୂମି ଭାରତର ପ୍ରଶଂସା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ତୁମେ ଭାରତର କେଉଁ ରାଜ୍ୟରେ ବାସ କରୁଛ ଏବଂ ରହୁଥିବା ସ୍ଥାନ (ଗ୍ରାମ / ସହର) ନାମ ଲେଖ । ସେହି ସ୍ଥାନ ତୁମକୁ କିପରି ଲାଗୁଛି ବର୍ଣ୍ଣନା କର । ସୂଚନା – (ପ୍ରାକୃତିକ ପରିବେଶ, ଖାଦ୍ୟ, ଜଳବାୟୁ, ପ୍ରସିଦ୍ଧ ମନ୍ଦିର, ଫସଲ, ପୋଷାକ)

(ଖ) ନିଜ ପରିବାରର କୌଣସି ସଦସ୍ୟଙ୍କ କେଉଁସବୁ କଥା ତୁମକୁ ଭଲ ଲାଗେ, ସେ ବିଷୟରେ ବର୍ଣ୍ଣନା କର ।

ନଦୀ

“ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।”

ଭାରତମାତା କୋଳରେ ଗଙ୍ଗାନଦୀ ପରି ଅନେକ ନଦୀ ଶୋଭା ପାଉଛି । ଏହି ନଦୀଗୁଡ଼ିକ ଜଳ ଓ ବିଦ୍ୟୁତ୍ ଯୋଗାଇବା ସହ କୃଷି ତଥା ପରିବହନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତତ୍‌ସହ ଏହି ନଦୀଗୁଡ଼ିକ ଆମ ଦେଶର ଇତିହାସ, ସଂସ୍କୃତି, ଧାର୍ମିକଚେତନା ଓ ଅର୍ଥ ବ୍ୟବସ୍ଥାର ମଧ୍ୟ ପରିଚୟ ଅଟେ ।

ନିମ୍ନ ସାରଣୀରେ କେତେକ ନଦୀର ନାମ ଦିଆଯାଇଛି । ସେଗୁଡ଼ିକୁ ଖୋଜି ଖାତାରେ ଲେଖ । ସେଥିମଧ୍ୟରୁ କେଉଁ ନଦୀଗୁଡ଼ିକ ଆମ ରାଜ୍ୟରେ ପ୍ରବାହିତ, ତା’ର ତାଲିକା କର ।

ହାଦୀକା
ବୈଣୀବେ
ଗୋଦାରୀ
ତେତାକୃ
ଣୀଙ୍ଗାପ୍ତିଷ୍ଣା
ବୁଢ଼ାଙ୍ଗ

[ଚିତ୍ର ବର୍ଣ୍ଣନା: ନୀଳ ଆକାଶ ଓ ମେଘ ତଳେ ତୁଷାରାଚ୍ଛାଦିତ ବିଶାଳ ପର୍ବତ ଶିଖର ଏବଂ ତଳେ ରଙ୍ଗବେରଙ୍ଗର ଫୁଲ ଫୁଟିଥିବା ମନୋରମ ପ୍ରାକୃତିକ ଉପତ୍ୟକାର ଦୃଶ୍ୟ।]

ବୁଝି ବିଚାରି ଲେଖ

ନିମ୍ନ ସାରଣୀରେ କେତେକ ଅକ୍ଷର ଦିଆଯାଇଛି । ତୁମେ ସେହି ଅକ୍ଷରଗୁଡ଼ିକୁ ମିଶାଇ / କ୍ରମ ବଦଳାଇ/ ମାତ୍ରା ଯୋଡ଼ି ଶବ୍ଦ ଗଠନ କର ଓ ଲେଖ ।

କ୍ରମିକ ସଂଖ୍ୟାଅକ୍ଷରଶବ୍ଦ
ସମହଗରମହାସାଗର
ହମଳୟ_____
ମହବଳ_____
ଭତର_____
ମରଣ_____
କଳଦସ_____

ଝରକାରୁ

ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଦ୍ବାରା ରଚିତ “ବନ୍ଦେ ମାତରମ୍” କବିତାଟି ପ୍ରାୟ ଜାତୀୟସଂଗୀତ ସହ ସମାନ । ଆସ, ଏହାର ଭାବାର୍ଥକୁ ଆଲୋଚନା କରିବା ।

ବନ୍ଦେ ମାତରମ୍ଭାବାର୍ଥ
ବନ୍ଦେ ମାତରମ୍ !

ସୁଜଳାମ୍, ସୁଫଳାମ୍

ମଳୟଜ ଶୀତଳାମ୍

ଶସ୍ୟ ଶ୍ୟାମଳାମ୍ ମାତରମ୍ ।


ବନ୍ଦେ ମାତରମ୍ !

ଶୁଭ୍ର ଜ୍ୟୋତ୍ସ୍ନା ପୁଲକିତ ଯାମିନୀମ୍

ଫୁଲ୍ଲ କୁସୁମିତ ଦ୍ରୁମଦଳ ଶୋଭିନୀମ୍

ସୁହାସିନୀମ୍ ସୁମଧୁର ଭାଷିଣୀମ୍

ସୁଖଦାମ୍, ବରଦାମ୍, ମାତରମ୍ !


ବନ୍ଦେ ମାତରମ୍ ।
ହେ ମାତା, ମୁଁ ତୁମକୁ ପ୍ରଣାମ କରୁଛି ।


ତୁମେ ଜଳରେ ଫଳରେ ପରିପୂର୍ଣ୍ଣ ହୋଇ ରହିଛ,

ତୁମକୁ ମଳୟ ପବନ ଶୀତଳତା ପ୍ରଦାନ କରୁଛି

ତୁମେ ଶସ୍ୟ ଶ୍ୟାମଳା କ୍ଷେତରେ ପରିପୂର୍ଣ୍ଣ ।


ହେ ମାତା, ମୁଁ ତୁମକୁ ପ୍ରଣାମ କରୁଛି ।


ଯାହାର ରମଣୀୟ ରାତ୍ରିକୁ ଚନ୍ଦ୍ରାଲୋକ ଶୋଭାମୟ କରୁଛି

ଯିଏ ଫୁଟିଥିବା ଫୁଲର ବୃକ୍ଷଗୁଡ଼ିକରେ ସୁସଜ୍ଜିତ ହୋଇଛି

ସର୍ବଦା ହସୁଥିବା, ମଧୁର ଭାଷା କହୁଥିବା,

ସୁଖ ପ୍ରଦାନକାରୀ, ଆଶୀର୍ବାଦ ପ୍ରଦାନକାରୀ ମାତା !

ମୁଁ ତୁମକୁ ପ୍ରଣାମ କରୁଛି ।

ଦଳଗତ ଆଲୋଚନା

ତୁମେ ‘ଜନ୍ମଭୂମି’ ଓ ‘ବନ୍ଦେ ମାତରମ୍’ କବିତା ଦୁଇଟି ପଢ଼ିଲ । ସେହି କବିତା ଦୁଇଟିରେ ଥିବା ସମାନତା ଓ ଭିନ୍ନତା ବିଷୟରେ ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର ।

ଖୋଜ ଓ ପଢ଼

ନିମ୍ନ ପ୍ରଦତ୍ତ ଦେଶାତ୍ମବୋଧକ କବିତାଗୁଡ଼ିକ ପାଠାଗାର ବା ଇଣ୍ଟରନେଟ୍‌ରୁ ସଂଗ୍ରହ କରି ପଢ଼ ଓ ଆଲୋଚନା କର ।

  • ତୁଙ୍ଗ ଶିଖରୀ ଚୂଳ (ପଣ୍ଡିତ ଗୋଦାବରୀଶ ମିଶ୍ର)

  • ଜୟୀ ରାଜଗୁରୁଙ୍କ ଉତ୍ସାହ ବାଣୀ – କୃଷ୍ଣ ଚନ୍ଦ୍ର ତ୍ରିପାଠୀ

  • ଓଡ଼ିଶା ... ମୋ ଓଡ଼ିଶା ... କେଡ଼େ ସୁନ୍ଦର ରାଇଜ ମୋର (ସ୍ବରୂପ ନାୟକ)

  • ଓଡ଼ିଆ ମୁହିଁ .... ଓଡ଼ିଆ ମୁହିଁ .... ଓଡ଼ିଶା ମୋର ଦେଶ (ରାମକୃଷ୍ଣ ନନ୍ଦ)

ପଠନ ନିମନ୍ତେ

ଏଇ ଦେଶ ଏଇ ମାଟି

ଏଇ ଦେଶ ଏଇ ମାଟି

ମମତାମୟୀ ମାଆଟି ।

ସେବାରେ ତା’ର, ଜୀବନ ଦେବା

ରଖିବା ତା’ର ନାଆଁଟି ।

ସୁଜଳା, ସୁଫଳା ଶସ୍ୟଶ୍ୟାମଳା

ଆମ ଏ ଜନ୍ମମାଟି... । ୧ ।

ଚିର ମଳୟ ଯା’ର ପବନ,

ଚିର ସବୁଜ ଯା’ର କାନନ

ସାଗର ଯାହାର ରତ୍ନଭଣ୍ଡାର

କୋଟିରତ୍ନ ଦିଏ ଭେଟି । ୨ ।

ଯହିଁ ଝରଣା ଝରିଯାଏ

ଯହିଁ କୋଇଲି କୁହୁ ଗାଏ

ସୁନାର ଫସଲ ଲହରି ଖେଳେ

ବୁକୁରେ ଯାଏ ଲୋଟି ...। ୩ ।

ରଚନା – ସଚ୍ଚିଦାନନ୍ଦ ରାଉତରାୟ


ଆମ ଲେଖା ଆମ ଚିତ୍ର

[ଚିତ୍ର ବର୍ଣ୍ଣନା: ଛାତ୍ରଛାତ୍ରୀମାନଙ୍କ ନିଜସ୍ୱ ଲେଖା ଓ ଚିତ୍ରାଙ୍କନ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ଖାଲି ପୃଷ୍ଠା।]