ଜନ୍ମଭୂମି
(ରାଗ-ଚୋଖି)
[ଚିତ୍ର ବର୍ଣ୍ଣନା: ପୃଷ୍ଠଭୂମିରେ ତୁଷାରାଚ୍ଛାଦିତ ବିଶାଳ ହିମାଳୟ ପର୍ବତ ଏବଂ ଆଗରେ ଦୁଇଜଣ ଶିଶୁ (ଜଣେ ବାଳକ ଓ ଜଣେ ବାଳିକା) ହାତରେ ଭାରତୀୟ ଜାତୀୟ ପତାକା ଧରି ଆଗକୁ ବଢ଼ୁଛନ୍ତି।]
ତୁହି ମା ଜନମଭୂମି ପବିତ୍ର ଭାରତଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁଁ ସରବେ;
ତୋର ଶ୍ରୀଚରଣେ ସେବା ପାଇଁ ମନ ପ୍ରାଣ ଦେବା
ଗାଇବା ତୋହର ନାମ ଆନନ୍ଦ ରବେ ।
ତୋ’ ଆନନ୍ଦେ ହୋଇବା ସୁଖୀ,
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।
ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର
ମସ୍ତକରେ ହିମାଳୟ ପର୍ବତବର;
ଦୁଇ ପାରୁଶେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁନଦୀ
ଚରଣରେ ବିରାଜିତ ମହାସାଗର ।
ବିନ୍ଧ୍ୟ ଗିରିବର କଟିରେ,
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।
ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ
ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ,
ମହାକବି ବେଦବ୍ୟାସ, ବାଲମୀକି କାଳିଦାସ
ଗାଇଲେ ପବିତ୍ରକଣ୍ଠେ ତୋହରି ଗୁଣ ।
ଚୈତନ୍ୟାଦି ମହାତ୍ମାଜନେ
ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।
କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ
କେତେ ବୀରନାରୀ କେତେ ବୀର ଜନନୀ;
ସମସ୍ତେ ତୋର ଦୁହିତା ପଦ୍ମିନୀ, ସାବିତ୍ରୀ ସୀତା,
ଦୁର୍ଗାବତୀ ଆଦି କେତେ ବୀରରମଣୀ ।
ନମଇ ମା ଭକତିଭରେ
ଅଧମ ଅକ୍ଷମ ସୁତ ତୋ’ ଚରଣରେ ।
[ଚିତ୍ର ବର୍ଣ୍ଣନା: ପାହାଡ଼, ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶ ମଧ୍ୟରେ ଭାରତର ମାନଚିତ୍ର ରୂପରେଖ ସହିତ ଭାରତମାତା ଓ ବୀର ନାରୀମାନଙ୍କ ଆଲେଖ୍ୟ ଏବଂ ତଳେ ହରିଣ ଠିଆ ହୋଇଥିବାର ଦୃଶ୍ୟ।]
[ଚିତ୍ର ବର୍ଣ୍ଣନା: ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରତିଛବି (ପୋଟ୍ରେଟ୍)।]
କବି ପରିଚୟ
ଭକ୍ତକବି ମଧୁସୂଦନ ରାଓ (୧୮୩୫-୧୯୧୨)
ଭକ୍ତକବି ମଧୁସୂଦନ ରାଓ ପୁଣ୍ୟଧାମ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ ‘ପଦ୍ମ’, ‘ପ୍ରଭାତ’, ‘ପୃଥିବୀ ପ୍ରତି’, ‘ବସନ୍ତ ଗାଥା’, ‘ଉତ୍କଳଗାଥା’, ‘ନିର୍ବାସିତର ବିଳାପ’ ପ୍ରଭୃତି କବିତାଗୁଡ଼ିକ ଖୁବ୍ ସରଳ ଓ ମନମୁଗ୍ଧକର । ଜନ୍ମଭୂମି କବିତାରେ କବି ଜନ୍ମମାଟିର ଯଶଗାନ କରିଛନ୍ତି ।
ପାଠ ଅନ୍ତର୍ଗତ
ଆସ, ଆମେ କବିତା ଉପରେ ସଂକ୍ଷିପ୍ତ ଆଲୋଚନା କରିବା ।
ମୋ ବୁଝିବାରେ
(କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।
୧. ‘ମୁଣ୍ଡ’ ଶବ୍ଦ ପାଇଁ କବିତାରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି ?
-
ଚରଣ
-
ମସ୍ତକ
-
କୋଳ
-
କଣ୍ଠ
୨. ‘ଜନ୍ମଭୂମି’ କବିତାରେ ମୁଖ୍ୟତଃ
-
ହିମାଳୟର ବର୍ଣ୍ଣନା କରାଯାଇଛି ।
-
ବୀର ରମଣୀଙ୍କ କଥା କୁହାଯାଇଛି ।
-
ଭାରତମାତାର ଯଶଗାନ କରାଯାଇଛି ।
-
ମହାସାଗର ବିଷୟରେ ଧାରଣା ଦିଆଯାଇଛି ।
(ଖ) ଉକ୍ତ ଉତ୍ତରଗୁଡ଼ିକ କାହିଁକି ବାଛିଲ, ତାହାର କାରଣ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର ।
ମିଳିମିଶି ଯୋଡ଼ିବା
କବିତାର କେତେକ ଶବ୍ଦ ଓ ତା’ର ଭାବାର୍ଥ ନିମ୍ନରେ ଲେଖାଯାଇଛି । ଦଳରେ ଆଲୋଚନା କରି ପ୍ରତ୍ୟେକ ଶବ୍ଦ ସହ ଖାପ୍ ଖାଉଥିବା ଭାବାର୍ଥକୁ ଗାର ଟାଣି ଯୋଡ଼ । (ତୁମେ ଅଭିଧାନ, ଇଣ୍ଟରନେଟ୍ ବା ନିଜ ଶିକ୍ଷକଙ୍କର ସହାୟତା ନେଇପାରିବ ।)
| ଶବ୍ଦ | ଭାବାର୍ଥ |
|---|---|
| ୧. ହିମାଳୟ | ୧. ତୃତୀୟ ପାଣ୍ଡବ । |
| ୨. ବ୍ରହ୍ମପୁତ୍ର | ୨. ଭାରତର ଦୀର୍ଘତମ ପବିତ୍ର ନଦୀ । |
| ୩. ଦ୍ରୋଣ | ୩. ଗଙ୍ଗାଙ୍କ ପୁତ୍ର । କୌରବ ଓ ପାଣ୍ଡବମାନଙ୍କ ପିତାମହ । |
| ୪. ସୀତା | ୪. ଗୌଡ଼ୀୟ ବୈଷ୍ଣବ ମତବାଦର ପ୍ରଚାରକ ଓ ପ୍ରସାରକ । |
| ୫. ଗଙ୍ଗା | ୫. ମେୱାରର ରାଣୀ ଓ ବୀର ରମଣୀ । |
| ୬. ଚୈତନ୍ୟ | ୬. ଜନକ ରାଜାଙ୍କ ଦୁହିତା, ପ୍ରଭୁ ଶ୍ରୀରାମଙ୍କ ଧର୍ମପତ୍ନୀ । |
| ୭. ପଦ୍ମିନୀ | ୭. କୌରବ ଓ ପାଣ୍ଡବଙ୍କ ଗୁରୁ । |
| ୮. ଅର୍ଜୁନ | ୮. ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହିଯାଉଥିବା ନଦୀ ଯାହା କି ଶେଷରେ ବଙ୍ଗୋପସାଗରରେ ମିଶିଛି । |
| ୯. ଭୀଷ୍ମ | ୯. ସଂସ୍କୃତ ରାମାୟଣର ରଚୟିତା । |
| ୧୦. ବାଲ୍ମୀକି | ୧୦. ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା । |
ପଦ୍ୟାଂଶକୁ ଆଲୋଚନା କର ।
ନିମ୍ନଲିଖିତ ପଦ୍ୟାଂଶକୁ ମନଦେଇ ପଢ଼ ଏବଂ ଏହାର ଭାବାର୍ଥକୁ ସାଙ୍ଗମାନଙ୍କ ସହ ଆଲୋଚନା କରି ତା’ର ସାରାଂଶକୁ ଲେଖ ।
“ତୁହି ମା ଜନମ ଭୂମି ପବିତ୍ର ଭାରତଭୂମି
ତୋହରି ସନ୍ତାନ ଆମେ ଅଟୁଁ ସରବେ;
ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା
ଗାଇବା ତୋହର ନାମ ଆନନ୍ଦ ରବେ ।
ତୋ ଆନନ୍ଦେ ହୋଇବା ସୁଖୀ
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।”
ବୁଝି ବିଚାରି ଲେଖ
(କ) ‘ଜନ୍ମଭୂମି’ କବିତାକୁ ପଢ଼ି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
୧. କବିତାରେ ବର୍ଣ୍ଣିତ ବୀରରମଣୀମାନଙ୍କ ନାମ ଲେଖ ?
୨. ଭାରତର କଟିରେ କେଉଁ ପର୍ବତମାଳା ଶୋଭାପାଉଛି ?
୩. କାଳିଦାସ କିଏ ? ତାଙ୍କ ରଚିତ ଗୋଟିଏ କାବ୍ୟର ନାମ ଲେଖ ।
୪. ଆମ ଜନ୍ମଭୂମିର ଦୁଇ ପାର୍ଶ୍ଵରେ ଥିବା ଜଳଧିର ନାମ ଲେଖ ?
୫. ଭାରତର ଶରୀରରେ କେଉଁସବୁ ନଦୀ ଶୋଭା ପାଉଛି ?
(ଖ) “ଚୈତନ୍ୟାଦି ମହାତ୍ମାଜନେ
ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।”
‘ମହାତ୍ମା’ର ଅର୍ଥ – ମହାପୁରୁଷ, ବଡ଼ଲୋକ, ମହାମାନବ, ମହାନ୍ ବ୍ୟକ୍ତି ।
‘ବିଭୁ’ର ଅର୍ଥ – ଈଶ, ଈଶ୍ୱର, ପ୍ରଭୁ, ଠାକୁର, ଦେବତା ।
ଉପରଲିଖିତ ପଦ୍ୟାଂଶକୁ ପଢ଼ି ଉତ୍ତର ଲେଖ ।
-
ଚୈତନ୍ୟ କିଏ ?
-
ସେ କ’ଣ କରିଥିଲେ ?
-
ତାଙ୍କୁ ମହାତ୍ମା କାହିଁକି କହିବା ?
କବିତାର ରଚନାଶୈଳୀ
“ବିନ୍ଧ୍ୟ ଗିରିବର କଟିରେ,
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।”
ଉକ୍ତ ପଦ୍ୟାଂଶ ପରି ତୁମକୁ ଭଲ ଲାଗୁଥିବା ଆଉ କିଛି ପଦ୍ୟାଂଶ କବିତାରୁ ବାଛି ଲେଖ ।
ମେଳ କର
‘କ’ ସ୍ତମ୍ଭର କବିତାଂଶ ସହିତ ‘ଖ’ ସ୍ତମ୍ଭର ଭାବାର୍ଥକୁ ସଂଯୋଗ କର ।
| ସ୍ତମ୍ଭ – କ | ସ୍ତମ୍ଭ - ଖ |
|---|---|
| ୧. ଜନମିଲେ ତୋ କୋଳରେ କେତେ ସୁରବୀର ନରେ | ୧. ପଦ୍ମିନୀ, ସାବିତ୍ରୀ, ସୀତା ପ୍ରଭୃତି ସମସ୍ତ ବୀର ରମଣୀ ଭାରତମାତାର ଦୁହିତା ଅଟନ୍ତି |
| ୨. ତୋ ଆନନ୍ଦେ ହୋଇବା ସୁଖୀ କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ | ୨. ଭାରତମାତାର କୋଳରେ ଅନେକ ସୁର, ବୀର ଓ ମହାମାନବ ଜନ୍ମ ନେଇଛନ୍ତି |
| ୩. ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା | ୩. ଆମେ ଜନ୍ମଭୂମିର ଉନ୍ନତି ବା ପ୍ରଗତିରେ ସୁଖ ଅନୁଭବ କରିବା ଓ ଅବନତିରେ ଦୁଃଖୀ ହେବା |
ଅନୁମାନ ଓ କଳ୍ପନାରୁ
ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର ।
(କ) “ମହାକବି ବେଦବ୍ୟାସ ବାଲମୀକି କାଳିଦାସ ।
ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ ।”
(i) କେଉଁମାନଙ୍କୁ ମହାକବି ଆଖ୍ୟା ଦିଆଯାଇଛି ?
(ii) ସେମାନଙ୍କ ଲିଖିତ ଗ୍ରନ୍ଥର ନାମ ଉଲ୍ଲେଖ କର ।
(ଖ) “କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ
କେତେ ବୀରନାରୀ କେତେ ବୀର ଜନନୀ ।”
ଏହି କବିତାଂଶରେ ବୀରନାରୀ ବୋଲି କାହାକୁ ଓ କାହିଁକି କୁହାଯାଇଛି ?
ଶବ୍ଦର ଭିନ୍ନଭିନ୍ନ ରୂପ
(କ) ଯେପରି, ଚରଣ – ପଦ, ପାଦ, ପୟର,
ସେପରି,
-
ନଦୀ –
-
ଭୂମି –
-
ଜନନୀ –
-
ଦୁହିତା –
[ଚିତ୍ର ବର୍ଣ୍ଣନା: ମଝିରେ ସୂର୍ଯ୍ୟ ଆକୃତି ମଧ୍ୟରେ ‘ବର’ ଶବ୍ଦ ଲେଖାଅଛି ଏବଂ ଚାରିପାଖର ୬ଟି ମେଘ ଆକୃତିରୁ ତୀର ଚିହ୍ନ ‘ବର’ ଆଡ଼କୁ ଦର୍ଶାଯାଇ ନୂତନ ଶବ୍ଦ ଗଠନ ପାଇଁ ସୂଚିତ କରୁଛି।]
(ଖ) କବିତାରେ ବ୍ୟବହୃତ ଗିରିବର ଶବ୍ଦରେ ‘ବର’ର ଅର୍ଥ ‘ଶ୍ରେଷ୍ଠ’ । ଏହି ଅର୍ଥକୁ ଦୃଷ୍ଟିରେ ରଖ ଓ ଶବ୍ଦ ଶେଷରେ ‘ବର’ ଲଗାଇ ନୂତନ ଶବ୍ଦ ଗଠନ କର ।
କିଛି ଭିନ୍ନ କିଛି ସମାନ
ନିମ୍ନଲିଖିତ ପଦକୁ ଧ୍ୟାନର ସହ ପଢ଼ ।
“ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ
ଯେତେ ଯହିଁ ଥିଲେ ମିଳି ମାନବ-ଗଣ ।”
ଗଣ ଓ ଗୁଣ ଶବ୍ଦ ଦ୍ବୟରେ କେବଳ ଗୋଟିଏ ମାତ୍ରାର ଭିନ୍ନତା ଅଛି । ଫଳରେ ତା’ର ଅର୍ଥ ସଂପୂର୍ଣ୍ଣ ରୂପେ ବଦଳି ଯାଉଛି ।
ତୁମେମାନେ ସାଙ୍ଗମାନଙ୍କ ସହ ଦଳଗତ ଆଲୋଚନା କରି ଏହିପରି ଶବ୍ଦଗୁଡ଼ିକୁ ଖାତାରେ ଲେଖ ।
ଯେପରି :-
ବଣ – ବଣି,
ବଶ – ବେଶ
ପାଠ ବାହାରୁ
ତୁମ କଥା
(କ) ‘ଜନ୍ମଭୂମି’ କବିତାରେ ପୁଣ୍ୟଭୂମି ଭାରତର ପ୍ରଶଂସା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ତୁମେ ଭାରତର କେଉଁ ରାଜ୍ୟରେ ବାସ କରୁଛ ଏବଂ ରହୁଥିବା ସ୍ଥାନ (ଗ୍ରାମ / ସହର) ନାମ ଲେଖ । ସେହି ସ୍ଥାନ ତୁମକୁ କିପରି ଲାଗୁଛି ବର୍ଣ୍ଣନା କର । ସୂଚନା – (ପ୍ରାକୃତିକ ପରିବେଶ, ଖାଦ୍ୟ, ଜଳବାୟୁ, ପ୍ରସିଦ୍ଧ ମନ୍ଦିର, ଫସଲ, ପୋଷାକ)
(ଖ) ନିଜ ପରିବାରର କୌଣସି ସଦସ୍ୟଙ୍କ କେଉଁସବୁ କଥା ତୁମକୁ ଭଲ ଲାଗେ, ସେ ବିଷୟରେ ବର୍ଣ୍ଣନା କର ।
ନଦୀ
“ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।”
ଭାରତମାତା କୋଳରେ ଗଙ୍ଗାନଦୀ ପରି ଅନେକ ନଦୀ ଶୋଭା ପାଉଛି । ଏହି ନଦୀଗୁଡ଼ିକ ଜଳ ଓ ବିଦ୍ୟୁତ୍ ଯୋଗାଇବା ସହ କୃଷି ତଥା ପରିବହନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ତତ୍ସହ ଏହି ନଦୀଗୁଡ଼ିକ ଆମ ଦେଶର ଇତିହାସ, ସଂସ୍କୃତି, ଧାର୍ମିକଚେତନା ଓ ଅର୍ଥ ବ୍ୟବସ୍ଥାର ମଧ୍ୟ ପରିଚୟ ଅଟେ ।
ନିମ୍ନ ସାରଣୀରେ କେତେକ ନଦୀର ନାମ ଦିଆଯାଇଛି । ସେଗୁଡ଼ିକୁ ଖୋଜି ଖାତାରେ ଲେଖ । ସେଥିମଧ୍ୟରୁ କେଉଁ ନଦୀଗୁଡ଼ିକ ଆମ ରାଜ୍ୟରେ ପ୍ରବାହିତ, ତା’ର ତାଲିକା କର ।
| ମ | ହା | ନ | ଦୀ | କା |
|---|---|---|---|---|
| ବୈ | ତ | ର | ଣୀ | ବେ |
| ତ | ଗୋ | ଦା | ବ | ରୀ |
| ର | ତେ | ଲ | ତା | କୃ |
| ଣୀ | ଗ | ଙ୍ଗା | ପ୍ତି | ଷ୍ଣା |
| ବୁ | ଢ଼ା | ବ | ଳ | ଙ୍ଗ |
[ଚିତ୍ର ବର୍ଣ୍ଣନା: ନୀଳ ଆକାଶ ଓ ମେଘ ତଳେ ତୁଷାରାଚ୍ଛାଦିତ ବିଶାଳ ପର୍ବତ ଶିଖର ଏବଂ ତଳେ ରଙ୍ଗବେରଙ୍ଗର ଫୁଲ ଫୁଟିଥିବା ମନୋରମ ପ୍ରାକୃତିକ ଉପତ୍ୟକାର ଦୃଶ୍ୟ।]
ବୁଝି ବିଚାରି ଲେଖ
ନିମ୍ନ ସାରଣୀରେ କେତେକ ଅକ୍ଷର ଦିଆଯାଇଛି । ତୁମେ ସେହି ଅକ୍ଷରଗୁଡ଼ିକୁ ମିଶାଇ / କ୍ରମ ବଦଳାଇ/ ମାତ୍ରା ଯୋଡ଼ି ଶବ୍ଦ ଗଠନ କର ଓ ଲେଖ ।
| କ୍ରମିକ ସଂଖ୍ୟା | ଅକ୍ଷର | ଶବ୍ଦ |
|---|---|---|
| ୧ | ସମହଗର | ମହାସାଗର |
| ୨ | ହମଳୟ | _____ |
| ୩ | ମହବଳ | _____ |
| ୪ | ଭତର | _____ |
| ୫ | ମରଣ | _____ |
| ୬ | କଳଦସ | _____ |
ଝରକାରୁ
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଦ୍ବାରା ରଚିତ “ବନ୍ଦେ ମାତରମ୍” କବିତାଟି ପ୍ରାୟ ଜାତୀୟସଂଗୀତ ସହ ସମାନ । ଆସ, ଏହାର ଭାବାର୍ଥକୁ ଆଲୋଚନା କରିବା ।
| ବନ୍ଦେ ମାତରମ୍ | ଭାବାର୍ଥ |
|---|---|
| ବନ୍ଦେ ମାତରମ୍ ! ସୁଜଳାମ୍, ସୁଫଳାମ୍ ମଳୟଜ ଶୀତଳାମ୍ ଶସ୍ୟ ଶ୍ୟାମଳାମ୍ ମାତରମ୍ । ବନ୍ଦେ ମାତରମ୍ ! ଶୁଭ୍ର ଜ୍ୟୋତ୍ସ୍ନା ପୁଲକିତ ଯାମିନୀମ୍ ଫୁଲ୍ଲ କୁସୁମିତ ଦ୍ରୁମଦଳ ଶୋଭିନୀମ୍ ସୁହାସିନୀମ୍ ସୁମଧୁର ଭାଷିଣୀମ୍ ସୁଖଦାମ୍, ବରଦାମ୍, ମାତରମ୍ ! ବନ୍ଦେ ମାତରମ୍ । | ହେ ମାତା, ମୁଁ ତୁମକୁ ପ୍ରଣାମ କରୁଛି । ତୁମେ ଜଳରେ ଫଳରେ ପରିପୂର୍ଣ୍ଣ ହୋଇ ରହିଛ, ତୁମକୁ ମଳୟ ପବନ ଶୀତଳତା ପ୍ରଦାନ କରୁଛି ତୁମେ ଶସ୍ୟ ଶ୍ୟାମଳା କ୍ଷେତରେ ପରିପୂର୍ଣ୍ଣ । ହେ ମାତା, ମୁଁ ତୁମକୁ ପ୍ରଣାମ କରୁଛି । ଯାହାର ରମଣୀୟ ରାତ୍ରିକୁ ଚନ୍ଦ୍ରାଲୋକ ଶୋଭାମୟ କରୁଛି ଯିଏ ଫୁଟିଥିବା ଫୁଲର ବୃକ୍ଷଗୁଡ଼ିକରେ ସୁସଜ୍ଜିତ ହୋଇଛି ସର୍ବଦା ହସୁଥିବା, ମଧୁର ଭାଷା କହୁଥିବା, ସୁଖ ପ୍ରଦାନକାରୀ, ଆଶୀର୍ବାଦ ପ୍ରଦାନକାରୀ ମାତା ! ମୁଁ ତୁମକୁ ପ୍ରଣାମ କରୁଛି । |
ଦଳଗତ ଆଲୋଚନା
ତୁମେ ‘ଜନ୍ମଭୂମି’ ଓ ‘ବନ୍ଦେ ମାତରମ୍’ କବିତା ଦୁଇଟି ପଢ଼ିଲ । ସେହି କବିତା ଦୁଇଟିରେ ଥିବା ସମାନତା ଓ ଭିନ୍ନତା ବିଷୟରେ ସାଙ୍ଗମାନଙ୍କ ସହିତ ଦଳଗତ ଆଲୋଚନା କର ।
ଖୋଜ ଓ ପଢ଼
ନିମ୍ନ ପ୍ରଦତ୍ତ ଦେଶାତ୍ମବୋଧକ କବିତାଗୁଡ଼ିକ ପାଠାଗାର ବା ଇଣ୍ଟରନେଟ୍ରୁ ସଂଗ୍ରହ କରି ପଢ଼ ଓ ଆଲୋଚନା କର ।
-
ତୁଙ୍ଗ ଶିଖରୀ ଚୂଳ (ପଣ୍ଡିତ ଗୋଦାବରୀଶ ମିଶ୍ର)
-
ଜୟୀ ରାଜଗୁରୁଙ୍କ ଉତ୍ସାହ ବାଣୀ – କୃଷ୍ଣ ଚନ୍ଦ୍ର ତ୍ରିପାଠୀ
-
ଓଡ଼ିଶା ... ମୋ ଓଡ଼ିଶା ... କେଡ଼େ ସୁନ୍ଦର ରାଇଜ ମୋର (ସ୍ବରୂପ ନାୟକ)
-
ଓଡ଼ିଆ ମୁହିଁ .... ଓଡ଼ିଆ ମୁହିଁ .... ଓଡ଼ିଶା ମୋର ଦେଶ (ରାମକୃଷ୍ଣ ନନ୍ଦ)
ପଠନ ନିମନ୍ତେ
ଏଇ ଦେଶ ଏଇ ମାଟି
ଏଇ ଦେଶ ଏଇ ମାଟି
ମମତାମୟୀ ମାଆଟି ।
ସେବାରେ ତା’ର, ଜୀବନ ଦେବା
ରଖିବା ତା’ର ନାଆଁଟି ।
ସୁଜଳା, ସୁଫଳା ଶସ୍ୟଶ୍ୟାମଳା
ଆମ ଏ ଜନ୍ମମାଟି... । ୧ ।
ଚିର ମଳୟ ଯା’ର ପବନ,
ଚିର ସବୁଜ ଯା’ର କାନନ
ସାଗର ଯାହାର ରତ୍ନଭଣ୍ଡାର
କୋଟିରତ୍ନ ଦିଏ ଭେଟି । ୨ ।
ଯହିଁ ଝରଣା ଝରିଯାଏ
ଯହିଁ କୋଇଲି କୁହୁ ଗାଏ
ସୁନାର ଫସଲ ଲହରି ଖେଳେ
ବୁକୁରେ ଯାଏ ଲୋଟି ...। ୩ ।
ରଚନା – ସଚ୍ଚିଦାନନ୍ଦ ରାଉତରାୟ
ଆମ ଲେଖା ଆମ ଚିତ୍ର
[ଚିତ୍ର ବର୍ଣ୍ଣନା: ଛାତ୍ରଛାତ୍ରୀମାନଙ୍କ ନିଜସ୍ୱ ଲେଖା ଓ ଚିତ୍ରାଙ୍କନ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ଖାଲି ପୃଷ୍ଠା।]