ହକି

[ଚିତ୍ର: ହକି ଖେଳାଳିମାନେ ଷ୍ଟିକ୍ ଧରି ଖେଳୁଥିବାର ଏବଂ ପଛରେ ଗୋଲପୋଷ୍ଟ ଥିବାର ଏକ ଦୃଶ୍ୟ]

ଖେଳିବାକୁ ବା କିଏ ଭଲ ନ ପାଏ । ଖେଳ ଖାଲି ଆମକୁ ଆନନ୍ଦ ଦିଏନି, ଆମର ଶରୀର ଗଠନରେ ମଧ୍ୟ ସାହାଯ୍ୟ କରେ । ସୁଷମଖାଦ୍ୟ, ବିଶୁଦ୍ଧଜଳ, ମୁକ୍ତବାୟୁ ଓ ଆଲୋକ ପରି ଏହା ଆମକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆବଶ୍ୟକ । କିନ୍ତୁ ଆମ୍ଭେମାନେ ମନେରଖିବା ଯେ- ଖେଳିଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ୍ ନୁହେଁ । ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ । ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ ।

ନିୟମିତ ବ୍ୟାୟାମ ଓ ଅଙ୍ଗଚାଳନା ଆମ ଶରୀରକୁ କର୍ମଠ ଓ ବଳିଷ୍ଠ କରେ । ଏଥିଯୋଗୁଁ ସ୍ୱେଦ ଆକାରରେ ଦେହର ଦୂଷିତ ଅଂଶ ବହିର୍ଗତ ହୋଇଯାଏ । ଆମେ ବ୍ୟାୟାମ କରିବା ସମୟରେ ଘନଘନ ପ୍ରଶ୍ୱାସ ନେଉ ଏବଂ ଏହାଦ୍ୱାରା ଆମ ଶରୀର ଭିତରକୁ ପ୍ରଚୁର ଅମ୍ଳଜାନ ଯାଏ । ବ୍ୟାୟାମଦ୍ୱାରା ଆମ ଶରୀରର ମାଂସପେଶୀ ଦୃଢ଼ ହୁଏ । ଯେଉଁମାନେ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି, ସେମାନଙ୍କ ନିମନ୍ତେ ବ୍ୟାୟାମ ବିଶେଷଭାବରେ ଆବଶ୍ୟକ ହୁଏ ନାହିଁ । କିନ୍ତୁ ଯେଉଁମାନେ ମାନସିକ ପରିଶ୍ରମ କରନ୍ତି, ସେମାନଙ୍କ ପାଇଁ ଏହା ଏକାନ୍ତ ପ୍ରୟୋଜନ ।

ଅନେକ ପ୍ରକାରର ଖେଳ ଥିଲେ ହେଁ ମୁଖ୍ୟତଃ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । କେତେକ ଖେଳକୁ ଘରଭିତରେ ଓ କେତେକ ଖେଳକୁ ଘରବାହାରେ ଖେଳିବାକୁ ହୁଏ । ତାସ, ପଶା, ଲୁଡ଼ୋ, କ୍ୟାରମ୍, ଚେସ୍, ପିଙ୍ଗପଙ୍ଗ୍ ପ୍ରଭୃତି ଖେଳ ସାଧାରଣତଃ ଘରଭିତରେ ହୁଏ । କିନ୍ତୁ ଡୁଡୁ, ଫୁଟବଲ, ହକି, କ୍ରିକେଟ୍, ଭଲିବଲ, ଖୋ ଖୋ ପ୍ରଭୃତି ବାହାରେ ଖେଳାଯାଏ । ଆହୁରି ମଧ୍ୟ ଟେବୁଲଟେନିସ୍, ପୁଚି ପ୍ରଭୃତି ଖେଳ ଘର ଭିତରେ ଓ ବାହାରେ ଖେଳାଯାଏ । ଏଗୁଡ଼ିକମଧ୍ୟରୁ କେତେକ ଖେଳ ପ୍ରକୃତରେ ବିଦେଶୀୟ ହେଲେହେଁ ଆମ ଦେଶରେ ବିଶେଷ ଲୋକପ୍ରିୟ ହୋଇପାରିଛି ।

ଫୁଟ୍‌ବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି । ପ୍ରତି ଦଳରେ ଏଗାର ଜଣ ଖେଳାଳି ରହନ୍ତି । ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ । ଏହାକୁ ହକି ଷ୍ଟିକ୍ କୁହାଯାଏ । ଏହି ବାଡ଼ି ବା ଷ୍ଟିକ୍‌ର ଅଗ୍ରଭାଗ ଚେପ୍‌ଟା ଓ ବଙ୍କା । ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲ୍‌କୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ ।

ପୂର୍ବକାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ । ସେମାନଙ୍କଠାରୁ ଗ୍ରୀସ୍ ଓ ରୋମ୍‌ର ଲୋକମାନେ ଏହି ଖେଳ ଶିକ୍ଷା କଲେ । କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ ୧୮୭୫ ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା । ତା’ର କେତେକ ବର୍ଷପରେ ଗୋଟିଏ ଆନ୍ତର୍ଜାତୀୟ ହକି ସମିତି ଗଢ଼ାଗଲା । ଏହି ସମିତି ହକି ଖେଳର ନିୟମକାନୁନ ପ୍ରସ୍ତୁତ କଲେ ।

[ଚିତ୍ର: ପଡ଼ିଆରେ ପିଲାମାନେ ହକି ଖେଳୁଥିବାର ଏକ ରଙ୍ଗୀନ ଚିତ୍ର]

ଭାରତରେ ହକି ଆଜି ଜାତୀୟଖେଳର ଗୌରବ ଲାଭ କରିଛି । ଭାରତୀୟ ହକି ଖେଳାଳିମାନଙ୍କର କୌଶଳ ଓ ଦକ୍ଷତା ଦେଖି ପୃଥିବୀର କ୍ରୀଡ଼ାପ୍ରେମୀମାନେ ବିସ୍ମିତ ହେଉଛନ୍ତି । ୧୯୨୮ ମସିହାରେ ହଲାଣ୍ଡ ଦେଶରେ ଯେଉଁ ଅଲମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତୀୟ ଖେଳାଳି ଦଳ ହକି ଖେଳରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଏହାପରେ କ୍ରମାଗତ ପାଞ୍ଚଟି ଅଲମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା ।

୧୯୬୪ ମସିହାରେ ଟୋକିଓଠାରେ ଅନୁଷ୍ଠିତ ଅଲମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାରତ ହକି ଖେଳରେ ବିଜୟଲାଭ କରି ତା’ର ପୂର୍ବ ଗୌରବ ଅକ୍ଷୁଣ୍ଣ ରଖିଥିଲା । ଭାରତ ହକିରେ ପଥପ୍ରଦର୍ଶକ ହୋଇ ରହିଛି ।

ହକି ଖେଳରେ ଭାରତର ଗୌରବ ମୂଳରେ ନିହିତ ଅଛି ବିଶିଷ୍ଟ କ୍ରୀଡ଼ାବିତ୍ ଜୟପାଳ ସିଂହ ଓ ଧ୍ୟାନଚାନ୍ଦଙ୍କ ଅପୂର୍ବ କୃତିତ୍ୱ ।

ଧ୍ୟାନଚାନ୍ଦଙ୍କ ଜନ୍ମ ଝାନ୍ସୀ ଅଞ୍ଚଳରେ । ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା । ସେ ଜଣେ ଉଚ୍ଚକୋଟୀର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ “ଝାନ୍ସୀ ବୀର” କହୁଥିଲେ । ସେ ତାଙ୍କ ଭାଇ ରୂପସିଂହ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ । ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲା । ୧୯୩୬ ମସିହାରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ । ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ, ତାହା ଦେଖି ଦର୍ଶକବୃନ୍ଦ ତାଙ୍କୁ ଏକ ସ୍ୱରରେ ‘ହକି ଖେଳର ଯାଦୁକର’ ବୋଲି ଆଖ୍ୟା ଦେଇଥିଲେ । ତାଙ୍କର ଅସାଧାରଣ କ୍ରୀଡ଼ାନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ, ସେ ‘କୁହୁକବାଡ଼ି’ ବ୍ୟବହାର କରୁଛନ୍ତି କିମ୍ବା ସେଥିରେ କୌଣସି ଅଠା ଲଗାଇଛନ୍ତି । ଲୋକଙ୍କର ଏ ସନ୍ଦେହ ମୋଚନ ପାଇଁ ତାଙ୍କୁ ଦୁଇ ତିନିଥର ହକି ଷ୍ଟିକ୍‌ଟିକୁ ପରିବର୍ତ୍ତନ କରିବାକୁ ହୋଇଥିଲା ।

ହକି ଖେଳିଲାବେଳେ ହକି ବଲ୍‌ର ଚଞ୍ଚଳ ଗତି ସହିତ ସତେ ଯେପରି ଧ୍ୟାନଚାନ୍ଦଙ୍କର ସମୁଦାୟ ଶରୀର ତାଳ ଦେଇ ଚାଲିଥାଏ । ହକି ତାଙ୍କ ପକ୍ଷରେ କେବଳ ଗୋଟିଏ ଖେଳ କହିଲେ ଠିକ୍ ହେବ ନାହିଁ; ଏହା ତାଙ୍କର ଜୀବନ ଓ ଏକମାତ୍ର ଆମୋଦ ଥିଲା ।

[ଚିତ୍ର: ଧ୍ୟାନଚାନ୍ଦ ଓ ଭାରତୀୟ ହକି ଦଳର ଏକ ଐତିହାସିକ ଗୋଷ୍ଠୀ ଫଟୋଚିତ୍ର]

ଧ୍ୟାନଚାନ୍ଦଙ୍କର ଖେଳ ଦେଖି ଦର୍ଶକମାନେ ବିସ୍ମିତ ହୋଇଯାନ୍ତି, ଶତମୁଖରେ ତାଙ୍କର ପ୍ରଶଂସା ଖେଳିଯାଏ ।

ସେ ଏଡ଼େ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ତାଙ୍କ ମନରେ ତିଳେହେଲେ ଗର୍ବ ନ ଥିଲା । ଯେ ତାଙ୍କ ସଂସ୍ପର୍ଶରେ ଆସୁଥିଲେ, ସେ ତାଙ୍କର ସରଳ ଓ ନିରାଡ଼ମ୍ବର ସ୍ୱଭାବରେ ମୁଗ୍ଧ ହେଉଥିଲେ ।

ପ୍ରକୃତରେ କହିବାକୁ ଗଲେ ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ାଜଗତର ଏକ ଅମଳିନ ପ୍ରତିଭା । ତାଙ୍କର ଆଦର୍ଶ ଭାରତୀୟ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିଛି । ତାଙ୍କର ସଙ୍ଗଠନ ଓ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇଛି ।

ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇଉଠିଲେଣି । ସେମାନଙ୍କ ମଧ୍ୟରେ ପାକିସ୍ଥାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ ।

୧୯୭୫ରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା । ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି ମାଇକେଲ୍ କିଣ୍ଡୋ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ ।

ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ । ସେମାନଙ୍କ ଖେଳ ଦେଖିଲେ ମନେ ହେବ ସତେ ଯେପରି ତାହା ସେମାନଙ୍କ ସହଜାତ ।

(ସଂଗୃହୀତ)


[ଚିତ୍ର: ଭାରତୀୟ ମହିଳା ହକି ଦଳର ଗୋଷ୍ଠୀ ଫଟୋଚିତ୍ର]

ପାଠ ଅନ୍ତର୍ଗତ

ମୋ ବୁଝିବାରେ

(କ) ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ( * ) ଚିହ୍ନ ଦିଅ ।

(୧) ସ୍ୱାସ୍ଥ୍ୟ ହିଁ ସମ୍ପଦ, କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ -

  • ଆମେ ସୁନ୍ଦର ଦେଖାଯାଉ ।
  • ଆମକୁ ସମସ୍ତେ ଭଲ ପାଆନ୍ତି ।
  • ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ ।
  • ଆମେ ବହୁତ ଧନ ସମ୍ପଦ ପାଇଥାଉ ।

(୨) ଲୋକମାନେ ମେଜର ଧ୍ୟାନଚାନ୍ଦଙ୍କୁ ‘ହକିର ଯାଦୁକର’ ବୋଲି ଆଖ୍ୟା ଦେଇଥିଲେ । କାରଣ –

  • ଲୋକମାନେ ଧ୍ୟାନଚାନ୍ଦଙ୍କୁ ବହୁତ ଭଲ ପାଉଥିଲେ ।
  • ତାଙ୍କ ହକି ବାଡ଼ିର ଅନନ୍ୟ ବୈଶିଷ୍ଟ୍ୟ ଥିଲା ।
  • ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ ।
  • ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ ।

(୩) ଉକ୍ତ ଉତ୍ତରଗୁଡ଼ିକ କାହିଁକି ବାଛିଲ, ତାହାର କାରଣ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର ।

ମିଳିମିଶି ଯୋଡ଼ିବା

ପାଠରୁ କିଛି ମନୋନୀତ ଶବ୍ଦ ନିମ୍ନ ଦିଆଯାଇଛି । ନିଜ ଦଳରେ ଏହା ଉପରେ ଆଲୋଚନା କରି, ସେଗୁଡ଼ିକୁ ଠିକ୍ ଅର୍ଥ ବା ବ୍ୟାଖ୍ୟା ସହିତ ଯୋଡ଼ । ଏହାପାଇଁ ଆବଶ୍ୟକ ପଡ଼ିଲେ ତୁମେ ଇଣ୍ଟରନେଟ୍, ଅଭିଧାନ ଓ ଶିକ୍ଷକମାନଙ୍କ ସହାୟତା ନେଇପାରିବ ।

ଶବ୍ଦଅର୍ଥ କିମ୍ବା ପ୍ରସଙ୍ଗ ବ୍ୟାଖ୍ୟା
୧. ଝାନ୍ସୀ୧. ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡ଼ିକୁ ବୁଝାଏ
୨. ହକିଷ୍ଟିକ୍୨. ନିୟମିତ ଶାରୀରିକ ଅଙ୍ଗଚାଳନାର କୌଶଳ
୩. ଟୋକିଓ୩. ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ ଅଟେ
୪. ବ୍ୟାୟାମ୪. ଓଡ଼ିଶାର ଜଣେ ହକି ଖେଳାଳି । ସେ ୧୯୭୫ ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାଗନେଇ ଭାରତକୁ ବିଶ୍ୱବିଜୟୀ କରିଥିଲେ ଏବଂ ତାଙ୍କର ଘର ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ
୫. ମାଇକେଲ କିଣ୍ଡୋ୫. ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ । ଏହା ପ୍ରତି ଚାରିବର୍ଷରେ ଥରେ ଖେଳାଯାଇଥାଏ
୬. ଅଲମ୍ପିକ୍୬. ଏକ ସହର । ଏହା ଜାପାନର ରାଜଧାନୀ

ବାକ୍ୟ ସମ୍ପର୍କିତ ଆଲୋଚନା

ଉକ୍ତ ବିଷୟରୁ ମନୋନୀତ କିଛି ବାକ୍ୟ ନିମ୍ନରେ ଦିଆଯାଇଛି । ଏହାକୁ ଧ୍ୟାନର ସହ ପଢ଼ ଏବଂ ଏହା ଉପରେ ଚିନ୍ତାକର । ତୁମେ ଏହାର ଅର୍ଥ କ’ଣ ବୁଝିଲ ଦଳରେ ଆଲୋଚନା କରି ଲେଖ ।

(କ) “ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ ।”

(ଖ) “ଦର୍ଶକବୃନ୍ଦ ତାଙ୍କୁ ଏକ ସ୍ୱରରେ ‘ହକି ଖେଳର ଯାଦୁକର’ ବୋଲି ଆଖ୍ୟା ଦେଇଥିଲେ ।”

ବୁଝି ବିଚାରି ଲେଖ

ପ୍ରସଙ୍ଗଟିକୁ ଆଉଥରେ ପଢ଼ ଏବଂ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ବୁଝି ଉତ୍ତର ଲେଖ ।

(କ) କ୍ରୀଡ଼ାଦ୍ୱାରା ଆମର କି ଉପକାର ହୁଏ ?

(ଖ) ଝାନ୍ସୀ ବୀର କିଏ ? ହକିଖେଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଲେଖ ।

ସ୍ମୃତି କଥାକୁ ଗଦ୍ୟରେ ଲେଖ

“ଧ୍ୟାନଚାନ୍ଦଙ୍କ ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ, ସେ ‘କୁହୁକବାଡ଼ି’ ବ୍ୟବହାର କରୁଛନ୍ତି ।”

ଉକ୍ତ ବାକ୍ୟଟିକୁ ପଢ଼ିଲେ ଏମିତି ଲାଗେ ଯେପରି ଲେଖକ ଧ୍ୟାନଚାନ୍ଦଙ୍କ ଅସାଧାରଣ ଦକ୍ଷତାକୁ ପାଠକଙ୍କ ସହ ପରିଚିତ କରାଇଛନ୍ତି । ତୁମେ ଯଦି ଧ୍ୟାନ ଦେବ, ତେବେ ଏହି ପାଠରେ ଏପରି ଅନେକ ବିଶେଷ କଥା ତୁମ ନଜରକୁ ଆସିବ । ଏହି ପାଠକୁ ଆଉଥରେ ପଢ଼ ।

(କ) ସାଙ୍ଗମାନଙ୍କ ସହ ଦଳରେ ବସି ଏହି ପ୍ରସଙ୍ଗରେ ଥିବା ବିଶେଷ କଥାକୁ ଆଲୋଚନା କରି ତାଲିକା ପ୍ରସ୍ତୁତ କର ।

(ଖ) (କ) ପ୍ରସ୍ତୁତ କରିଥିବା ତାଲିକାକୁ ଶ୍ରେଣୀରେ ଉପସ୍ଥାପନ କର ।

ଯୋଡ଼ିଶବ୍ଦ

(କ) “ଆମ୍ଭେମାନେ ମନେରଖିବା ଯେ-ଖେଳିଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ୍ ନୁହେଁ ।”

ଏହି ବାକ୍ୟରେ “ଖେଳିଖେଳି” ଗୋଟିଏ ଯୋଡ଼ିଶବ୍ଦ, ଯେଉଁଥିରେ ଗୋଟିଏ ଶବ୍ଦକୁ ଦୁଇଥର ବ୍ୟବହାର କରାଯାଇଛି । ଏହାକୁ ‘ଯୁଗ୍ମଶବ୍ଦ’ କୁହାଯାଏ ।

ତୁମେମାନେ ମଧ୍ୟ ଏହିପରି ପାଞ୍ଚଟି ଯୁଗ୍ମଶବ୍ଦ ଲେଖ ।

(ଖ) ହକି ଖେଳରେ ନିୟମକାନୁନ ପ୍ରସ୍ତୁତ ହୋଇଥାଏ । ଏହି ବାକ୍ୟରେ ମଧ୍ୟ ତୁମେ ଗୋଟିଏ ଯୁଗ୍ମଶବ୍ଦ ଦେଖିପାରୁଛ । କିନ୍ତୁ ଏହି ଯୁଗ୍ମଶବ୍ଦରେ ଦୁଇଟିଯାକ ଶବ୍ଦ ଭିନ୍ନ ଅଟନ୍ତି । ଅର୍ଥାତ୍ ସମାନ ନୁହଁନ୍ତି । ତୁମେମାନେ ମଧ୍ୟ ଏହିପରି ପାଞ୍ଚଟି ଯୁଗ୍ମଶବ୍ଦ ଲେଖ, ଯେଉଁଥିରେ ଦୁଇଟିଯାକ ଶବ୍ଦ ଭିନ୍ନ ହୋଇଥିବ ।

(ଗ) “ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଉଭୟ ଘର ଭିତରେ ଓ ବାହାରେ ଖେଳାଯାଏ ।”

ଏହି ବାକ୍ୟଟିରେ ଯେଉଁ ଶବ୍ଦ ଦୁଇଟି ତଳେ ଗାର ଦିଆଯାଇଛି, ତାକୁ ଧ୍ୟାନର ସହ ପଢ଼ । ଆମେ ଏହି ଶବ୍ଦକୁ ମଧ୍ୟ ଏହିପରି ଲେଖି ପାରିବା, ଯେପରି ଭିତରେବାହାରେ ଏହା ଏକ ଯୋଡ଼ି ବା ଯୁଗ୍ମ ଶବ୍ଦ । ଏହି ଶବ୍ଦଟି ପରସ୍ପରର ବିପରୀତ ଅର୍ଥକୁ ବୁଝାଉଛି । ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ଯୁଗ୍ମଶବ୍ଦରେ ପ୍ରକାଶ କର ।

  • ଭଲ ଓ ମନ୍ଦ
  • ଗୁରୁ ଓ ଶିଷ୍ୟ
  • ରାଜା ଓ ପ୍ରଜା
  • ଆୟ ଓ ବ୍ୟୟ
  • ଆକାଶ ଓ ପାତାଳ
  • ଜନ୍ମ ଓ ମୃତ୍ୟୁ

କଥା ଉପରେ ଗୁରୁତ୍ୱ

“ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା ।”

“ଧ୍ୟାନଚାନ୍ଦ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା ।”

ଏହି ଦୁଇଟି ବାକ୍ୟରେ କ’ଣ ପାର୍ଥକ୍ୟ ରହିଛି ? ଏଥିପ୍ରତି ଧ୍ୟାନ ଦିଅ ଓ କୁହ । ଠିକ୍ ଭାବରେ ଚିହ୍ନଟ କର । ଦ୍ୱିତୀୟ ବାକ୍ୟରେ ଗୋଟିଏ ଶବ୍ଦ କମ୍ ଅଛି । ଏହି ଗୋଟିଏ ଶବ୍ଦ ନ ଥିବାରୁ ବାକ୍ୟର ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଆସୁଅଛି ।

ଆମେ ନିଜର କଥା ଉପରେ ଗୁରୁତ୍ୱ ଦେବା ପାଇଁ କିଛି ବିଶେଷ ଶବ୍ଦର ପ୍ରୟୋଗ କରୁ । ଯେପରି - ହିଁ, ମଧ୍ୟ, ତେବେ, ବୋଲି ଇତ୍ୟାଦି । ପାଠରୁ ଏହିଭଳି ଶବ୍ଦ ଥିବା ବାକ୍ୟ ବାଛି ଲେଖ । ଧ୍ୟାନ ଦିଅ, ଯଦି ବାକ୍ୟରେ ଏହି ଶବ୍ଦଗୁଡ଼ିକ ନ ଥାନ୍ତା, ତେବେ ଏହାର ଅର୍ଥ ଉପରେ ଏହି ଶବ୍ଦଗୁଡ଼ିକର କ’ଣ ପ୍ରଭାବ ପଡ଼ିଥାନ୍ତା ?


ପାଠ ବାହାରୁ

ତୁମକଥା

(କ) ତୁମେ ବଡ଼ ହେଲେ ଜଣେ ହକି ଖେଳାଳି ହେବ । ତେଣୁ ହକି ଖେଳର ନିୟମଗୁଡ଼ିକ ଲେଖ ।

(ଖ) ତୁମକୁ କେଉଁ ଖେଳ ଏବଂ କେଉଁ ଖେଳାଳି ସବୁଠାରୁ ଭଲ ଲାଗନ୍ତି ? କାହିଁକି ?

ସମାଚାରପତ୍ର ବା ସମ୍ବାଦପତ୍ର

(କ) ତୁମେ ସମ୍ବାଦପତ୍ର ପଢ଼ କି ? ସମ୍ବାଦପତ୍ରଗୁଡ଼ିକରେ ପ୍ରତିଦିନ ଖେଳ ସମ୍ବାଦଗୁଡ଼ିକ ପାଇଁ ଗୋଟିଏ ପୃଷ୍ଠା ପ୍ରକାଶିତ ହୋଇଥାଏ । ତୁମ ଘରେ କିମ୍ବା ପୁସ୍ତକାଳୟରେ ଥିବା ଗତ ସପ୍ତାହର ସମ୍ବାଦପତ୍ରଗୁଡ଼ିକ ଦେଖ । ସେଥିରୁ ତୁମ ପସନ୍ଦର ଏକ ଖେଳ ବିଷୟରେ ନିଜ ଖାତାରେ ଲେଖ ।

(ଖ) ମନେକର ତୁମେ ଜଣେ ଖେଳସାମ୍ବାଦିକ ଏବଂ କୌଣସି ଏକ ଖେଳର ସିଧାପ୍ରସାରଣ ତୁମେ କରିବ । ନିଜ ସାଙ୍ଗମାନଙ୍କ ସହ ମିଶି ସେହି ଖେଳର ସିଧାପ୍ରସାରଣ ପାଇଁ ଏକ ବିବରଣୀ ପ୍ରସ୍ତୁତ କର ।

(ସୂଚନା : ଏହି କାର୍ଯ୍ୟରେ ତୁମେ ଆକାଶବାଣୀ କିମ୍ବା ଦୂରଦର୍ଶନରେ ପ୍ରସାରିତ ହେଉଥିବା ପ୍ରସାରଣ ଶୈଳୀର ଉପଯୋଗ କରିପାରିବ । ଜଣକ ପରେ ଜଣେ ତୁମ ଦଳର ସମସ୍ତ ପିଲା ଡେସ୍କ କିମ୍ବା ଚେୟାରରେ ବସି କୌଣସି ଏକ ଖେଳର ଧାରା ବିବରଣୀ ଦେବାର ଅଭିନୟ କରିବ ।)

ଡାଏରୀ ଲିଖନ

କେତେକ ଲୋକ ପ୍ରତିଦିନ ତାଙ୍କ ଜୀବନରେ ସେହି ଘଟିଥିବା ଘଟଣାବଳୀ ବା ଦେଖୁଥିବା କଥାକୁ ଲେଖି ରଖନ୍ତି । ତାହାକୁ ଡାଏରୀ ଲିଖନ କୁହାଯାଏ ।

ତୁମେ ନିଜ ମନର କଥା ଏବଂ ଚିନ୍ତାଧାରା ଲେଖିବାକୁ ଚାହୁଁଛ କି ? ଯଦି ହଁ, ତେବେ ଆଜିଠାରୁ ହିଁ ଲେଖା ଆରମ୍ଭ କର ।

ତୁମେ ପ୍ରତିଦିନ ଥରେ ହେଉ କି ଅନେକ ଥର ହେଉ ନିଜର ଭାବନାକୁ ଲେଖିପାରିବ । ଲେଖିବା ସମୟରେ ଶବ୍ଦ କିମ୍ବା ବାକ୍ୟର କୌଣସି ସୀମା ନାହିଁ । ତୁମେ ଚାହିଁଲେ ଦୁଇଟି ବାକ୍ୟ ହେଉ କି ଦୁଇ ପୃଷ୍ଠା ହେଉ, ଯାହା ମନକୁ ଆସୁଛି ତାହାକୁ ଠିକ୍ ଶବ୍ଦ ସଂଯୋଜନା କରି ସୁନ୍ଦର ଭାବରେ ଲେଖିପାରିବ ।


[ଚିତ୍ର: ଏକ ‘ରାସ୍ତା ଖୋଜା’ (ଭୁଲଭୁଲେୟା) ଖେଳର ଚିତ୍ର, ଯେଉଁଥିରେ ତିନିଜଣ ପିଲା ହକି ଷ୍ଟିକ୍ ଓ ବଲ୍ ଧରି ଗୋଲପୋଷ୍ଟ ଆଡ଼କୁ ରାସ୍ତା ଖୋଜୁଛନ୍ତି]

କହିଲ ଦେଖି

ଏଠାରେ ଏକ ଆକର୍ଷଣୀୟ ‘ରାସ୍ତା ଖୋଜା’ ଖେଳଚିତ୍ର ଦିଆଯାଇଛି । ଏଥିରେ ତିନିଜଣ ଖେଳାଳି ଅଛନ୍ତି । କେଉଁ ଖେଳାଳିଜଣକ ଗୋଲ୍ କରିପାରିବ ? ତାହାର ରାସ୍ତା ତୁମେ ଖୋଜ ।

ଝରକାରୁ

ତୁମେ ଭାରତର ଜାତୀୟଖେଳ ହକି ବିଷୟରେ ବହୁତ କିଛି କଥା ଜାଣିଗଲଣି । ବର୍ତ୍ତମାନ ଆମେ ହକି ପରି ଅନ୍ୟ ଏକ ଖେଳ ବିଷୟରେ ପଢ଼ିବା, ଯାହାକୁ ତୁମ ପରି ଲକ୍ଷଲକ୍ଷ ପିଲା, ସେମାନଙ୍କ ଗଳି ଏବଂ ଗ୍ରାମରେ ଖେଳନ୍ତି । ଏହି ଖେଳର ନାମ ହେଉଛି–ଦାଣ୍ଡି କିମ୍ବା ଗୋଥା ।


[ଚିତ୍ର: ଦୁଇଜଣ ବାଳକ ବାଉଁଶ ବାଡ଼ି (ଗୋଥା) ଧରି ଖେଳ ପଡ଼ିଆରେ ଛିଡ଼ା ହୋଇଥିବାର ଫଟୋଚିତ୍ର]

ଦାଣ୍ଡି କିମ୍ବା ଗୋଥା

ଏହା ଭିଲ-ଭିଲାଲା ଜନଜାତି ପିଲାଙ୍କ ଖେଳ । ଦାଣ୍ଡି ଓ ଗୋଥା ଶବ୍ଦର ଅର୍ଥ ସମାନ–ଖେଳିବାର ହାତ ବାଡ଼ି । ଯଦି ଦେଖାଯାଏ, ତେବେ ଏହି ଖେଳଟି ଆମର ଜାତୀୟ ଖେଳ ହକି ପରି । ପାର୍ଥକ୍ୟ କେବଳ ଏତିକି ଯେ, ହକିରେ ଗୋଲ୍ କରିବାପାଇଁ ଗୋଲପୋଷ୍ଟ ଥିବାବେଳେ ଏହି ଖେଳରେ ଏପରି କିଛି ଗୋଲପୋଷ୍ଟ ନଥାଏ । ଦ୍ୱିତୀୟ ପାର୍ଥକ୍ୟ ଏହା ଯେ, ଭିଲ-ଭିଲାଲା ଜନଜାତି ପିଲାଙ୍କର ଏହି ଖେଳ ହକି ଅପେକ୍ଷା ଏକଦମ୍ ସାଧାରଣ ଅଟେ । ଏହା ବାଉଁଶରେ ପ୍ରସ୍ତୁତ ହୋଇଥାଏ ।

ଖେଳ ସାମଗ୍ରୀ

୧. ବାଉଁଶ କାଠିରେ ନିର୍ମିତ ବଲ୍‌ ଯାହାକୁ ‘ଦୁଇତ୍’ କୁହାଯାଏ ।

୨. ‘ଗୋଥା’ ଅର୍ଥାତ୍ ଇଂରାଜୀ ଅକ୍ଷର ଏଲ (L) ଭଳି ତଳୁ ବଙ୍କା ହୋଇଥିବା ବାଉଁଶ ବାଡ଼ି ।

୩. ପାଉଁଶ (ଏହା ସାହାଯ୍ୟରେ ଖେଳ ପଡ଼ିଆକୁ ଚିହ୍ନିତ କରିବା ଏବଂ ବୃତ୍ତ ମଧ୍ୟରେ ଗୋଟିଏ ଛୋଟ ବୃତ୍ତ ଅଙ୍କନ କରିବା ।)

କିପରି ଖେଳିବା

୧. ଯେତେ ଚାହିଁବେ ସେତେ ସଂଖ୍ୟକ ଖେଳାଳି ଏହାକୁ ଖେଳିପାରିବେ, କିନ୍ତୁ ଦୁଇଟି ଦଳରେ ଅତି କମ୍‌ରେ ଦୁଇ-ଦୁଇ ଜଣ ଖେଳାଳି ରହିବା ଉଚିତ୍ ।

୨. ଏଥିରେ ପ୍ରଥମେ ଟସ୍ ପକାଯାଏ । ଯେଉଁ ଦଳ ପ୍ରଥମେ ଟସ୍ ଜିତିବ, ସେ ଦଳ ଖେଳ ଆରମ୍ଭ କରିବ ।

୩. ବଲ୍‌କୁ ଛୋଟ ଘେର କିମ୍ବା ବୃତ୍ତ ଭିତରେ ରଖାଯାଏ । ଖେଳ ଆରମ୍ଭ ହେବା ମାତ୍ରେ ଆକ୍ରମଣକାରୀ ଦଳର ଖେଳାଳିମାନେ ବଲ୍‌କୁ ମାରି ଦଳର ବହୁ ଦୂର ଅଞ୍ଚଳକୁ ନେଇ ଯିବାକୁ ଚେଷ୍ଟା କରନ୍ତି ।

୪. ଦୁଇଟି ଦଳର ଜଣେଜଣେ ଖେଳାଳି ନିଜନିଜ ଦଳର ‘D’ ଉପରେ ଛିଡ଼ା ହୋଇ ରହିବେ । ବଲ୍ ଯେପରି ରେଖା ଅତିକ୍ରମ ନକରେ, ତାହା ନିଶ୍ଚିତ କରିବା ପାଇଁ ସେମାନେ ଚେଷ୍ଟା କରିବେ ।

୫. ଖେଳାଳିମାନେ ଦାଣ୍ଡି କିମ୍ବା ଗୋଥାର ଉଭୟ ପାର୍ଶ୍ୱରୁ ଖେଳିପାରିବେ, କିନ୍ତୁ ଏହି ସୁବିଧା ହକି ଖେଳରେ ନାହିଁ ।

୬. ବାକି ସବୁ ହକି ଖେଳ ସହ ସମାନ । ପ୍ରଶ୍ନ ଉଠେ ଯେ, ଏହି ଖେଳରେ କୌଣସି ଗୋଲପୋଷ୍ଟ ନାହିଁ । ତେଣୁ ଗୋଲ କରିବାର ପ୍ରଶ୍ନ ଉଠୁନାହିଁ, ତେବେ ହାରଜିତର ନିର୍ଣ୍ଣୟ କିପରି କରାଯାଏ ? ଉତ୍ତର ଏହା ଯେ, ଯେଉଁ ଦଳ ବଲ୍‌କୁ ଅଧିକରୁ ଅଧିକ ଥର ପ୍ରତିପକ୍ଷ ଦଳର ଅଞ୍ଚଳକୁ ଠେଲି ଦିଏ ସେହି ଦଳ ଅଧିକ ଶକ୍ତିଶାଳୀ ହୋଇଥାଏ ଏବଂ ଶେଷରେ ସେହି ଦଳକୁ ବିଜୟୀ ଘୋଷଣା କରାଯାଏ ।

୭. ଖେଳର ଦୁଇଟି ବିଶେଷ ନିୟମ ଅଛି । ପ୍ରଥମ, ବଲ୍‌କୁ ଶରୀରର କୌଣସି ଅଙ୍ଗ ଦ୍ୱାରା ସ୍ପର୍ଶ ନ କରିବା କିମ୍ବା ନ ଅଟକାଇବା । ଦ୍ୱିତୀୟ, ବଲ୍‌କୁ ଉପରକୁ ନ ମାରିବା କିମ୍ବା ଉପରକୁ ମାରି ସାଥୀ ଖେଳାଳିଙ୍କ ନିକଟକୁ ନ ପଠାଇବା । କିନ୍ତୁ ବାଡ଼ି ସାହାଯ୍ୟରେ ତୁମେ ବଲ୍‌କୁ ଅଟକାଇ ପାରିବା ସହ ମାରିପାରିବ । ପୂର୍ବରୁ ସୂଚିତ ହେବା ପରି, ଯେଉଁଦଳ ମଝିରେଖା ଅତିକ୍ରମ କରି ପ୍ରତିପକ୍ଷ ଦଳର କ୍ଷେତ୍ର ଉପରେ ସର୍ବାଧିକ ଥର ବଲ୍‌କୁ ପ୍ରବେଶ କରାଇପାରେ, ସେହି ଦଳ ବିଜୟୀ ହୁଏ ।

ବିଶେଷ ସୂଚନା - ଏହି ଖେଳ ହୋଲିପର୍ବର କିଛିଦିନ ପୂର୍ବରୁ ଖେଳାଯାଏ ।

ବୁଝ ଓ କର

(କ) ତୁମେ ଏହି ଖେଳର ନିୟମକୁ ଭଲଭାବେ ପଢ଼ିଲ ଏବଂ ବୁଝିଲ । ବର୍ତ୍ତମାନ ତୁମ ସାଙ୍ଗମାନଙ୍କ ସହ ‘ଦାଣ୍ଡି’ କିମ୍ବା ‘ଗୋଥା’ ଖେଳଟିକୁ ଖେଳ ।

(ଖ) ତୁମେ ମଧ୍ୟ ତୁମ ବିଦ୍ୟାଳୟ, ଘର କିମ୍ବା ନିଜ ପଡ଼ିଶା ଘରର ସାଙ୍ଗମାନଙ୍କ ସହ ମିଶି ଅନେକ ପ୍ରକାରର ଖେଳ ଖେଳୁଥିବ । ବର୍ତ୍ତମାନ ଏହିପରି ଗୋଟିଏ ଖେଳର ନିୟମ ଲେଖ, ଯେପରି ସେଗୁଡ଼ିକ ପଢ଼ିବା ପରେ ଯେକୌଣସି ପିଲା ସେହି ଖେଳକୁ ବୁଝି ପାରିବ ଏବଂ ଖେଳିପାରିବ ।

ଅନୁସନ୍ଧାନ କରିବା

ନିମ୍ନରେ ହକିଖେଳ, ଅଲମ୍ପିକ ଓ ଧ୍ୟାନଚାନ୍ଦଙ୍କ ବିଷୟ ଆଧାରିତ କିଛି ପ୍ରସଙ୍ଗ ପ୍ରଦାନ କରାଯାଇଛି । ସେ ବିଷୟରେ ପାଠାଗାର, ଇଣ୍ଟରନେଟ୍‌ରୁ ଖୋଜି ପଢ଼ ଓ ଲେଖ ।

  • ହକିର ଯାଦୁକର ମେଜର ଧ୍ୟାନଚାନ୍ଦ
  • ଅଲମ୍ପିକ
  • ମେଜର ଧ୍ୟାନଚାନ୍ଦଙ୍କ ସହ ସାକ୍ଷାତକାର
  • ଓଡ଼ିଶାର ହକି ଖେଳାଳି

[ଚିତ୍ର: ପର୍ବତାରୋହଣ ପୋଷାକ ଓ ସାମଗ୍ରୀ ସହିତ ପର୍ବତାରୋହୀ କଳ୍ପନା ଦାଶଙ୍କ ଫଟୋଚିତ୍ର]

ପର୍ବତାରୋହୀ କଳ୍ପନା ଦାଶ

ପଠନ ନିମନ୍ତେ

କଳ୍ପନା ଦାଶ ୭ ଜୁଲାଇ ୧୯୬୬ ମସିହାରେ ଢେଙ୍କାନାଳ ଜିଲ୍ଲାର କୁମ୍ଭାରସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୁଣନିଧି ଦାଶ ଓ ମାତା ଶୈଳବାଳା ଦାଶ । ପିଲାଦିନରୁ କଳ୍ପନା ଦାଶ ଜଣେ ମେଧାବୀ ଛାତ୍ରୀ ଥିଲେ । ୧୯୮୮ ମସିହାରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ଏହାପରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ୧୯୯୧ ମସିହାରେ ଓକିଲାତି ପାସ୍ କରି ଜଣେ ଉତ୍ତମ ଆଇନ୍‌ଜୀବୀ ଭାବରେ ଓଡ଼ିଶାରେ ନିଜକୁ ବେଶ୍ ପରିଚିତ କରିପାରିଥିଲେ, ହେଲେ ତାଙ୍କ ଜୀବନର ସ୍ୱପ୍ନ ଥିଲା ସୁଦୂରପ୍ରସାରୀ । ସେଥିପାଇଁ ପରବର୍ତ୍ତୀ ସମୟରେ ସେ ନିଜକୁ ଜଣେ ପର୍ବତ ଆରୋହୀ ଭାବେ ପ୍ରସ୍ତୁତ କରିଥିଲେ ।

କଳ୍ପନା ଦାଶ ପ୍ରଥମ ଥର ୨୦୦୪ ମସିହାରେ ୭୩୦୦ ଫୁଟ୍ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ପୁନର୍ବାର ୨୦୦୬ ମସିହାରେ ତାହାକୁ ଆରୋହଣପାଇଁ ଚେଷ୍ଟାକରି ଖରାପ ପାଣିପାଗ ହେତୁ ଅସଫଳ ହୋଇଥିଲେ । ଏଥିରେ କଳ୍ପନା କେବେ ହାର ମାନି ନ ଥିଲେ ବରଂ ପୁଣିଥରେ ମାଉଣ୍ଟ ଏଭେରେଷ୍ଟ ଆରୋହଣପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ତାଙ୍କ ସହିତ ଆଉ ପାଞ୍ଚଜଣ ପର୍ବତାରୋହୀ ଏହି ଯାତ୍ରାରେ ଭାଗ ନେଇଥିଲେ । ଶେଷରେ ସେ ୨୧ ମେ ୨୦୦୮ ମସିହାରେ ମାଉଣ୍ଟ ଏଭେରେଷ୍ଟର ସର୍ବୋଚ୍ଚ ଶିଖରରେ ପହଞ୍ଚି ଭାରତର ବିଜୟଧ୍ୱଜାକୁ ଉତ୍ତୋଳନ କରିଥିଲେ ।

କଳ୍ପନା ସମଗ୍ର ବିଶ୍ୱକୁ ପ୍ରମାଣିତ କଲେ ଯେ ଓଡ଼ିଶାର ମହିଳାମାନେ ଦୁଃସାହସିକ କାର୍ଯ୍ୟର ଆହ୍ୱାନକୁ ସମ୍ମୁଖୀନ ହେବାରେ ବେଶ୍ ସିଦ୍ଧହସ୍ତ । ସେ ସର୍ବଦା କହୁଥିଲେ ଯେ ତାଙ୍କ ଅଭିଯାନର ଉଦ୍ଦେଶ୍ୟ ମହିଳାମାନଙ୍କୁ ଦୁଃସାହସିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ସହ ବିଶ୍ୱଶାନ୍ତି, ଭ୍ରାତୃଭାବ ଓ ମହିଳା ସଶକ୍ତୀକରଣର ବାର୍ତ୍ତା ବିସ୍ତାର କରିବା । କଳ୍ପନା ୨୩ ମେ ୨୦୦୯ [୨୦୧୯] ମସିହାରେ ପୁଣି ଥରେ ମାଉଣ୍ଟ ଏଭେରେଷ୍ଟ ଆରୋହଣ କରୁଥିବା ସମୟରେ ଅସ୍ୱାଭାବିକ ଭିଡ଼ ହେତୁ ଅବତରଣ କଲାବେଳେ ଅସୁସ୍ଥ ହୋଇଯାଇଥିଲେ । କିଛି ସମୟ ପରେ ସେ ମୃତ୍ୟୁବରଣ କରିଥିଲେ ।

(ସଂଗୃହୀତ)