[ଚିତ୍ର ବର୍ଣ୍ଣନା: ପ୍ରକୃତିର ପରିବେଶରେ ତାଳଗଛ ଏବଂ ଏକ ଧଳା ବଗ ଉଡ଼ିବାର ଦୃଶ୍ୟ ।]
ବର୍ଷା
ଜଗନ୍ନାଥ ଦାସ
ଏମନ୍ତ ଗ୍ରୀଷ୍ମକାଳ ଗଲା
ବରଷା ଋତୁ ପ୍ରକାଶିଲା ।।
ସକଳ ଋତୁଙ୍କର ସାର
ଶସ୍ୟ ସମ୍ପଦ ମଞ୍ଚପୁର ।।
ମେଘେ ମିଳିଲେ ଶୂନ୍ୟପଥେ
ବିଜୁଳି ଶବଦ ସଙ୍ଗତେ ।।
ମହୀ ମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡ଼ିଲା ତୋଷ ହୋଇ ।।
ଘୋର ଶବଦେ ମେଘମାଳ
ଗର୍ଜିଣ ବରଷନ୍ତି ଜଳ ।।
[ଚିତ୍ର ବର୍ଣ୍ଣନା: ବଣ ମଧ୍ୟରେ ଛତୁ ଫୁଟିଛି ଏବଂ ପାଖରେ ବେଙ୍ଗ ବସି ରହିଛନ୍ତି ।]
ପ୍ରାଣୀ-ଜୀବନ ଜଳରାଶି
କରୁଣା ଚିତ୍ତରେ ବରଷି ।।
ପୃଥିବୀ ରବି ତେଜ ଗ୍ରାସେ
ତାପିତ ଥିଲା ଅଷ୍ଟମାସେ ।।
ଜଳ ପାଇଲା ତୋଷଚିତ୍ତେ
ତପସ୍ବୀ ଜନଙ୍କର ମତେ ।।
ତପସ୍ୟା ଫଳ ଯେହ୍ନେ ପାଇ
ଭୁଞ୍ଜନ୍ତି ଅତି ସୁଖୀ ହୋଇ ।।
[ଚିତ୍ର ବର୍ଣ୍ଣନା: ପର ମେଲାଇ ନାଚୁଥିବା ଏକ ରଙ୍ଗବେରଙ୍ଗର ମୟୂର ।]
ଖଦ୍ୟୋତ କୀଟ ନିଶାମୁଖେ
ଜଗତ ଆବୋରିଲେ ସୁଖେ ।।
ମଣ୍ଡୂକେ ମେଘ ନାଦ ଶୁଣି
ଗର୍ଜନ୍ତି ଆବୋରିଣ ପାଣି ।।
ଅଳପ ନଦୀଏ ପୂରିଲେ
ଲହରି ମତେ ଉଛୁଳିଲେ ।।
ନାନା ପ୍ରକାରେ ଶସ୍ୟରାଶି
ଏଣେ ପୂରିତ ମହୀ ଦିଶି ।।
ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ ।।
ମୟୂରେ ଗିରି ଶିଖେ ଥାଇ
ନୃତ୍ୟ କରନ୍ତି ମେଘେ ଚାହିଁ ।।
ଅତିଥି ଦେଖି ଭକ୍ତ ଜନେ
ଯେସନେ ତୋଷ ହୃଦି ମନେ ।।
[ଚିତ୍ର ବର୍ଣ୍ଣନା: ସାଧକ କବି ଅତିବଡ଼ି ଜଗନ୍ନାଥ ଦାସଙ୍କ ଫୁଲମାଳ ପରିହିତ ପ୍ରତିମୂର୍ତ୍ତି ।]
କବି ପରିଚୟ
ଅତିବଡ଼ି ଜଗନ୍ନାଥ ଦାସ (ପଞ୍ଚଦଶ ଶତାବ୍ଦୀ) ପୁରୀ ଜିଲ୍ଲାର କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଗବତ ଏକ ପବିତ୍ର ଗ୍ରନ୍ଥ । ‘ବର୍ଷା’ କବିତାଟି ଓଡ଼ିଆ ଭାଗବତର ଦଶମ ସ୍କନ୍ଧ ଏକବିଂଶ ଅଧ୍ୟାୟରୁ ଆନୀତ ।
ପ୍ରକୃତି ଜୀବଜଗତର ଆବଶ୍ୟକତା ତଥା ଦୁଃଖକଷ୍ଟକୁ ଦୂର କରିବାପାଇଁ ସର୍ବଦା ତତ୍ପର । ଏହି କଥାଟି ବର୍ଷା କବିତାରେ ବର୍ଣ୍ଣିତ ।
ପାଠ ଅନ୍ତର୍ଗତ
ମୋ ବୁଝିବାରେ
(କ) ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ (★) ଦିଅ ।
୧. କବିତାରେ “ମେଘେ ମିଳିଲେ ଶୂନ୍ୟପଥେ” କେଉଁ ପଥ ପାଇଁ କୁହାଯାଇଛି ?
(କ) ରାଜପଥ [ ]
(ଖ) ସଡ଼କପଥ [ ]
(ଗ) ଜଳପଥ [ ]
(ଘ) ଆକାଶପଥ [ ]
୨. ପୃଥିବୀ ରବି ତେଜ ଗ୍ରାସେ
ତାପିତ ଥିଲା ଅଷ୍ଟମାସେ ।
ଏଠାରେ ‘ତାପିତ’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହାର ହୋଇଛି ?
(କ) ଶୀତଳ [ ]
(ଖ) ଗରମ [ ]
(ଗ) ଓଦା [ ]
(ଘ) ନରମ [ ]
୩. ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ, ତା’ର କାରଣ ସାଙ୍ଗମାନଙ୍କ ସହ ଆଲୋଚନା କର ।
ମିଳିମିଶି ଯୋଡ଼ିବା
କବିତା ମଧ୍ୟରୁ କେତୋଟି ପଦ ନିମ୍ନରେ ଦିଆଯାଇଛି । ସେମାନଙ୍କ ମଧ୍ୟରେ ରେଖାଙ୍କିତ ପଦଗୁଡ଼ିକର ଡାହାଣ ପାଖରେ ଭାବାର୍ଥ ମଧ୍ୟ ଦର୍ଶାଯାଇଛି । ରେଖାଙ୍କିତ ଶବ୍ଦକୁ ଭାବାର୍ଥ ସହ ଗାରଟାଣି ଯୋଡ଼ ।
| କବିତାର ପଦ ସମୂହ | ରେଖାଙ୍କିତ ଶବ୍ଦର ଭାବାର୍ଥ |
|---|---|
| ୧. ଜଳ ପାଇଲା ତୋଷଚିତ୍ତେ ତପସ୍ବୀ ଜନଙ୍କର ମତେ ।। | ସଂଧ୍ୟା ସମୟରେ |
| ୨. ଖଦ୍ୟୋତ କୀଟ ନିଶାମୁଖେ ଜଗତ ଆବୋରିଲେ ସୁଖେ ।। | ସନ୍ତୋଷ ମନରେ |
| ୩. ଛତୁ ଯେ ଛତ୍ର ପ୍ରାୟ ହୋଇ, ରାଜାର ପ୍ରାୟ ଦିଶେ ମହୀ ।। | ସାଧୁ ବ୍ୟକ୍ତିମାନେ |
| ୪. ଅତିଥି ଦେଖି ଭକ୍ତ ଜନେ ଯେସନେ ତୋଷ ହୃଦି ମନେ ।। | ଛତା ଭଳି |
ପଦ୍ୟାଂଶ ଉପରେ ଆଲୋଚନା
ପ୍ରଦତ୍ତ ପଦ୍ୟାଂଶ ପାଠ କରି ଦଳଗତ ଆଲୋଚନା କର । ଏଗୁଡ଼ିକର ସାରାଂଶକୁ ନିଜ ଭାଷାରେ ଲେଖ ।
- କ. ମହୀମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡ଼ିଲା ତୋଷ ହୋଇ ।।
- ଖ. ଅଳପ ନଦୀଏ ପୂରିଲେ
ଲହରି ମତେ ଉଛୁଳିଲେ ।।
- ଗ. ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ ।।
ଚିନ୍ତା କରିବା
କବିତାଟିକୁ ପୁଣିଥରେ ପଢ଼ି ନିମ୍ନରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ?
(ଖ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ?
(ଗ) କବି ପୃଥିବୀକୁ ରାଜା ଭାବେ ବର୍ଣ୍ଣନା କରିବାର କାରଣ କ’ଣ ?
କବିତା ରଚନାଶୈଳୀ
“ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ”
ଏହି ପଦଟିର ସାଧାରଣ ଅର୍ଥ ହେଲା, ଛତୁ ଛତା ଭଳି ଏ ପୃଥିବୀ ରାଜା ଭଳି ଦେଖାଯାଉଛି । କିନ୍ତୁ ଏହାର ଭାବାର୍ଥ ଏହିପରି ହେବ ରାଜା ଯେତେବେଳେ ଭ୍ରମଣରେ ବାହାରନ୍ତି, ସେତେବେଳେ ତାଙ୍କର ଆଗରେ ଆଲଟଚାମର ସହ ଛତ୍ରଛତ୍ରୀ (ପାଟଛତା) ଛାୟା ପ୍ରଦାନ ନିମନ୍ତେ ଧରାଯାଇଥାଏ । ବର୍ଷାଋତୁରେ ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଛତୁ ଫୁଟିଥାଏ । ସେହି ଛତୁଗୁଡ଼ିକ ସତେ ଯେମିତି ଛତାଭଳି ରାଜାଙ୍କୁ ଛାୟା ପ୍ରଦାନ କରୁଛି ବୋଲି କବି ବର୍ଣ୍ଣନା କରିଛନ୍ତି । ଏହିଭଳି ବର୍ଣ୍ଣନା କବିତାର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଆନନ୍ଦ ପ୍ରଦାନ କରିଥାଏ । ସେହିଭଳି ପଦଗୁଡ଼ିକୁ କବିତାରୁ ବାଛ ଏବଂ ତା’ ଉପରେ ଆଲୋଚନା କର ।
ଶବ୍ଦ ଏକ ଅର୍ଥ ଅନେକ
“ଘୋର ଶବଦେ ମେଘମାଳ
ଗର୍ଜିଣ ବରଷନ୍ତି ଜଳ ॥”
ପଦଟିରେ ଜଳ ବରଷିବା କଥା କୁହାଯାଇଛି । ‘ବରଷିବା’ ଶବ୍ଦଟି ଅନେକ ସ୍ଥାନରେ ଭିନ୍ନଭିନ୍ନ ରୂପରେ ବ୍ୟବହାର ହୋଇପାରେ । ଯେମିତିକି ଧନ ବରଷିବା, ଅର୍ଥ ପ୍ରଚୁର ଧନ ପ୍ରାପ୍ତ ହେବା ।
ଫୁଲ ବରଷିବା ଅର୍ଥ – ପ୍ରଚୁର ଫୁଲ ଉପରେ ପଡ଼ିବା ।
ସେହିଭଳି ‘ବରଷିବା’ ଶବ୍ଦକୁ ଅନ୍ୟ କେଉଁ ପ୍ରକାରରେ ବ୍ୟବହାର କରିହେବ, ଚିନ୍ତା କରି କେତୋଟି ବାକ୍ୟ ଲେଖ ।
ଅନେକ ଶବ୍ଦପାଇଁ ଏକ ଶବ୍ଦ
“ମଣ୍ଡୂକେ ମେଘ ନାଦ ଶୁଣି
ଗର୍ଜନ୍ତି ଆବୋରିଣ ପାଣି”
କବିତାରେ ଦିଆଯାଇଥିବା ପାଣି ଶବ୍ଦଟିର ଅର୍ଥ ‘ଜଳ’ । ପାଣିର ଅନ୍ୟ ଏକ ଅର୍ଥ – ‘ହାତ’ । ଏହିଭଳି ଅନେକ ଅର୍ଥପାଇଁ କବିତାରେ ଗୋଟିଏ ଶବ୍ଦ ବ୍ୟବହାର ହୋଇଥାଏ । ଏହାକୁ ଭିନ୍ନାର୍ଥବୋଧକ ଶବ୍ଦ କୁହାଯାଏ । ଏହିଭଳି ଶବ୍ଦଗୁଡ଼ିକ ନିଜ ମନରୁ ବା ଶିକ୍ଷକଙ୍କଠାରୁ ବୁଝି ଲେଖ ।
ଅକ୍ଷର ସାରଣୀ
ଅକ୍ଷର ସାରଣୀରୁ ଶବ୍ଦ ଖୋଜି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
| ଶୂ | ନ୍ୟ | ପ | ଥେ |
|---|---|---|---|
| ଖ | ମେ | ଘ | ମ |
| ଦ୍ୟୋ | ଗି | ରି | ହୀ |
| ତ | ମ | ଣ୍ଡୂ | କେ |
| ନି | ଶା | ମୁ | ଖେ |
(କ) ମୟୂର କାହାକୁ ଦେଖି ନାଚେ ?
(ଖ) କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
(ଗ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?
(ଘ) ମେଘମାନେ କେଉଁଠି ମିଳିତ ହୁଅନ୍ତି ?
(ଙ) “ଗର୍ଜନ୍ତି ଆବୋରିଣ ପାଣି ।” ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
କିଏ ଅଲଗା
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦସହ ଗୋଟିଏ ଭିନ୍ନ ଜାତିର ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଅଲଗା କରି ଲେଖ :
-
ବର୍ଷା, ବିଜୁଳି, ଗିରିଶିଖ, ପବନ
-
ମଣ୍ଡୂକ, ମୟୂର, ଖଦ୍ୟୋତ, ଛତୁ
-
ଗ୍ରୀଷ୍ମକାଳ, ବର୍ଷାକାଳ, ଅତୀତକାଳ, ବସନ୍ତକାଳ
[ଚିତ୍ର ବର୍ଣ୍ଣନା: ବନ୍ୟାର ଏକ ଭୟାବହ ଦୃଶ୍ୟ — ଘରଦ୍ୱାର ପାଣିରେ ବୁଡ଼ି ରହିଛି, ପାଣିରେ ଗାଈମାନେ ପହଁରୁଛନ୍ତି, ଏବଂ ଲୋକମାନେ ଛୋଟ ପିଲା ଓ ସାମଗ୍ରୀ ମୁଣ୍ଡରେ ମୁଣ୍ଡାଇ ବେକେ ବେକେ ପାଣିରେ ଆଶ୍ରୟସ୍ଥଳ ଆଡ଼କୁ ଯାଉଛନ୍ତି ।]
ପାଠ ବାହାରୁ
ତୁମକଥା
ବର୍ଷାକୁ ନେଇ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ଅନୁଭବ ଥାଏ ।
-
ବର୍ଷା ଆସିଲେ ତୁମକୁ କେମିତି ଲାଗେ ?
-
କେଉଁ ଋତୁଟି ଅଧିକ ଭଲଲାଗେ ?
-
ସେହି ଋତୁଟି ତୁମକୁ କାହିଁକି ପସନ୍ଦ ଲାଗେ ?
ସମାଚାର ମାଧ୍ୟମରେ
ପ୍ରତ୍ୟେକ ପାଣିପାଗ ଖବର ବିଭିନ୍ନ ଗଣମାଧ୍ୟମରେ (ଯଥା-ଖବରକାଗଜ, ଟେଲିଭିଜନ, ସାମାଜିକ ଗଣମାଧ୍ୟମ ଆଦିରେ) ମୁଖ୍ୟଖବର ଭାବରେ ପ୍ରସାରିତ ହୋଇଥାଏ । ସମ୍ବାଦଦାତା ବନ୍ୟା, ବାତ୍ୟା, ଶୀତ, ବର୍ଷା, ଗ୍ରୀଷ୍ମପ୍ରବାହ ଇତ୍ୟାଦି ସମ୍ବାଦ ପରିବେଷଣ କରିଥାନ୍ତି ।
ସେହିଭଳି ତୁମେ ସମ୍ବାଦଦାତା ହୋଇ ସମ୍ବାଦ ଲେଖିପାରିବ । ସେଥିପାଇଁ ତୁମେ ଅନୁଭବ କରିଥିବା ବା ଦେଖିଥିବା ଅତ୍ୟଧିକ ଗରମ, ଥଣ୍ଡା, ବର୍ଷା ତଥା ଆଜିର ଖବରକୁ ପ୍ରସ୍ତୁତ କରି ଶ୍ରେଣୀରେ ଆଲୋଚନା କର । ବର୍ଷା ଓ ବାତ୍ୟାର ଖବର ପ୍ରସ୍ତୁତ କରି ପାଠ କର ।
ସର୍ଜନା
ଉପରେ ଦିଆଯାଇଥିବା ଚିତ୍ରଟିକୁ ଧ୍ୟାନ ଦେଇ ଦେଖ । ଚିତ୍ରଟିର ନାମ ଦିଅ ।
[ଚିତ୍ର ବର୍ଣ୍ଣନା: ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରର ଚିତ୍ର — ଯଥା ତବଲା-ବାୟାଁ, ବୀଣା, ଢୋଲ/ନଗରା (ଜଣେ ବ୍ୟକ୍ତି ବଜାଉଛନ୍ତି), ମୃଦଙ୍ଗ/ଖୋଳ, ହାରମୋନିୟମ୍, ଖଞ୍ଜଣି, ଢୋଲକ, ପଖାଉଜ ଏବଂ ଏକତାରା ।]
ଏସବୁକୁ ବି ଜାଣ
ତୁମ ଅଞ୍ଚଳରେ ବିଭିନ୍ନ ବାଦ୍ୟଯନ୍ତ୍ର ଭିନ୍ନଭିନ୍ନ ସମୟରେ ବଜାଯାଇଥାଏ । ସେଥିରୁ ଦୁଇ ତିନୋଟି ବାଦ୍ୟଯନ୍ତ୍ର ବିଷୟରେ (କେଉଁଥିରେ ତିଆରି, କେତେବେଳେ ବଜାଯାଇଥାଏ, କିଭଳି ଶବ୍ଦ କରେ ଇତ୍ୟାଦି) ତୁମ ଖାତାରେ ଲେଖ ।
ଅନୁସନ୍ଧାନ କରିବା
ତୁମ ଅଞ୍ଚଳରେ ବର୍ଷାଋତୁରେ କି ଦୃଶ୍ୟ ଦେଖିବାକୁ ମିଳେ, ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ ।
ଇନ୍ଦ୍ରଧନୁ ଆଙ୍କିବା
ବର୍ଷାଜଳ କେବଳ ଜୀବଜଗତକୁ ସନ୍ତୁଷ୍ଟ କରେ ନାହିଁ । ବରଂ ପୃଥିବୀମାତାକୁ ଶସ୍ୟଶ୍ୟାମଳ କରେ । ଏହି ଋତୁ କବି, ଭାବୁକ, ଚିତ୍ରକରଙ୍କ ମନରେ ପ୍ରସନ୍ନତା ଭରିଦିଏ ।
ବର୍ଷା ବିନ୍ଦୁରେ ସୂର୍ଯ୍ୟକିରଣ ପଡ଼ିଲେ ଇନ୍ଦ୍ରଧନୁ ସୃଷ୍ଟି ହୁଏ । ତୁମେ ସେହିଭଳି ଗୋଟିଏ ଇନ୍ଦ୍ରଧନୁର ଛବି ଆଙ୍କି କବିତାଟିଏ ଲେଖ ଓ ତା’ର ନାମକରଣ କର ।
[ଚିତ୍ର ବର୍ଣ୍ଣନା: ବର୍ଷାରେ ଛତା ଧରି ଚାଲୁଥିବା କୁନି ପିଲାମାନଙ୍କର ଏକ ସୁନ୍ଦର ଦୃଶ୍ୟ ।]
ଝରକାରୁ
ବିନ୍ଦୁ ବିନ୍ଦୁ ପାଣି
ବିନ୍ଦୁ ବିନ୍ଦୁ ପାଣି ମିଶି
ହୁଏ ବଡ଼ ସାଗର ।
ବିନ୍ଦୁ ବିନ୍ଦୁ ପାଣିପାଇଁ
ଜୀବ ରହେ ଆମର ।
ବିନ୍ଦୁ ବିନ୍ଦୁ ପାଣି ଯାଇ
ମେଘମାଳା ଗଢ଼ଇ,
ବିନ୍ଦୁ ବିନ୍ଦୁ ପାଣି ପାଇ
ଗଛ ବଡ଼ ହୁଅଇ ।
ବିନ୍ଦୁ ବିନ୍ଦୁ ପାଣି ଯେବେ
ଆଜି ଆମେ ସଞ୍ଚିବା,
ସାରା ଜୀବନ ଆମେରେ
ଖୁସି ମନେ ବଞ୍ଚିବା ।
ବିନ୍ଦୁରେ ହୁଅଇ ସିନ୍ଧୁ
ଯେବେ ସବୁ ବୁଝିବେ,
ଜଳ ଟୋପାଏ ପାଇଁକି
ମନ ଦେଇ ଯୁଝିବେ ।
ପାଠାଗାର ବା ଇଣ୍ଟରନେଟ୍ରୁ ସଂଗ୍ରହ କରି ଏହିପରି କବିତାଗୁଡ଼ିକ ପଢ଼ ଓ ସାଙ୍ଗମାନଙ୍କ ସହ ଆଲୋଚନା କର ।