• ‘ବର୍ଷା’ କବିତାଟି ଭକ୍ତକବି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ‘ଓଡ଼ିଆ ଭାଗବତ’ର ଦଶମ ସ୍କନ୍ଧ ଏକବିଂଶ ଅଧ୍ୟାୟରୁ ଆନୀତ ।

  • କବି ଜଗନ୍ନାଥ ଦାସ ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

  • ଗ୍ରୀଷ୍ମ ଋତୁ ସମାପ୍ତ ହେବା ପରେ ଧରାପୃଷ୍ଠରେ ସକଳ ଋତୁଙ୍କର ସାର ବର୍ଷା ଋତୁ ପ୍ରକାଶିତ ହେଲା ।

  • ମର୍ତ୍ତ୍ୟମଣ୍ଡଳକୁ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ କରୁଥିବାରୁ ବର୍ଷା ଋତୁକୁ ସବୁ ଋତୁ ମଧ୍ୟରେ ଶ୍ରେଷ୍ଠ କୁହାଯାଇଛି ।

  • ଆକାଶ ବା ଶୂନ୍ୟପଥରେ ମେଘମାଳା ବିଜୁଳି ଶବ୍ଦ ସହିତ ମିଳିତ ହୋଇ ଘୋର ଗର୍ଜନ ସହ ଜଳ ବରଷିଲେ ।

  • ମହୀମଣ୍ଡଳ ବା ପୃଥିବୀର ଦୁଃଖ ଦେଖି ମେଘ ଦୟାଭାବ ନେଇ ଆନନ୍ଦର ସହିତ ଜଳ ବୃଷ୍ଟି କଲା ।

  • ସଂସାରର ସମସ୍ତ ପ୍ରାଣୀଙ୍କ ଜୀବନ ଧାରଣ ପାଇଁ ଜଳରାଶି ହେଉଛି ପ୍ରଧାନ ଆବଶ୍ୟକତା ।

  • ପୃଥିବୀ ସୂର୍ଯ୍ୟଙ୍କର ପ୍ରଖର ଉତ୍ତାପରେ ଦୀର୍ଘ ଆଠ ମାସ ଧରି ତାପିତ ହୋଇ ରହିଥିଲା ।

  • କଠିନ ତପସ୍ୟାର ଫଳ ପାଇ ତପସ୍ବୀ ଯେପରି ସୁଖୀ ହୁଅନ୍ତି, ପୃଥିବୀ ଜଳ ପାଇ ସେହିପରି ସନ୍ତୋଷ ଲାଭ କଲା ।

  • ସନ୍ଧ୍ୟା ସମୟରେ ଖଦ୍ୟୋତ ବା ଜୁଳୁଜୁଳିଆ ପୋକମାନେ ଆନନ୍ଦର ସହିତ ଜଗତକୁ ଆବୋରି ବୁଲନ୍ତି ।

  • ମେଘର ଗର୍ଜନ ଶୁଣି ମଣ୍ଡୂକ ବା ବେଙ୍ଗମାନେ ପାଣି ଭିତରେ ରହି ଉଚ୍ଚ ସ୍ୱରରେ ଡାକ ଛାଡ଼ନ୍ତି ।

  • ବର୍ଷା ଜଳରେ ଛୋଟ ଛୋଟ ନଦୀଗୁଡ଼ିକ ପରିପୂର୍ଣ୍ଣ ହୋଇ ତରଙ୍ଗ ସହିତ ଉଛୁଳି ଉଠିଲେ ।

  • ପୃଥିବୀ ପୃଷ୍ଠରେ ଫୁଟିଥିବା ଛତୁଗୁଡ଼ିକ ଛତା ଭଳି ଦିଶୁଥିବାରୁ ଧରାପୃଷ୍ଠ ରାଜାଙ୍କ ପରି ଶୋଭା ପାଉଛି ।

  • ଭକ୍ତଜନ ଅତିଥିଙ୍କୁ ଦେଖି ଯେପରି ଆନନ୍ଦିତ ହୁଅନ୍ତି, ମୟୂରମାନେ ପର୍ବତ ଶିଖରରେ ରହି ମେଘକୁ ଚାହିଁ ସେହିପରି ନାଚନ୍ତି ।

  • ବର୍ଷା ବିନ୍ଦୁ ଉପରେ ସୂର୍ଯ୍ୟକିରଣ ପଡ଼ିବା ଦ୍ୱାରା ଆକାଶରେ ମନୋରମ ଇନ୍ଦ୍ରଧନୁ ସୃଷ୍ଟି ହୁଏ ।