ଭକ୍ତକବି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ‘ଓଡ଼ିଆ ଭାଗବତ’ର ଦଶମ ସ୍କନ୍ଧରୁ ‘ବର୍ଷା’ କବିତାଟି ଆନୀତ । ପ୍ରଚଣ୍ଡ ଗ୍ରୀଷ୍ମ ଋତୁର ଅନ୍ତ ପରେ ଧରାପୃଷ୍ଠରେ ସକଳ ଋତୁର ଶ୍ରେଷ୍ଠ ବର୍ଷା ଋତୁ ଆଗମନ କରିଛି । ବର୍ଷାର ଆଗମନ ସମଗ୍ର ସଂସାରକୁ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ କରିଦିଏ । ଆକାଶରେ ବିଜୁଳିର ଚମକ ସହିତ କଳାହାଣ୍ଡିଆ ମେଘମାଳା ମିଳିତ ହୋଇ ଘୋର ଶବ୍ଦରେ ଗର୍ଜନ କରି ବର୍ଷା କରିବାକୁ ଲାଗିଲେ ।
ପୃଥିବୀ ଦୀର୍ଘ ଆଠ ମାସ ଧରି ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରେ ତାପିତ ହୋଇ ରହିଥିଲା । ବର୍ଷାଜଳ ପାଇ ଧରଣୀ ଶୀତଳ ହେବା ସହିତ ପରମ ସନ୍ତୋଷ ଲାଭ କଲା । କଠିନ ତପସ୍ୟା ପରେ ତପସ୍ବୀ ଜନ ତପସ୍ୟାର ଫଳ ପାଇ ଯେପରି ସୁଖ ଅନୁଭବ କରନ୍ତି, ପୃଥିବୀ ଠିକ୍ ସେହିପରି ଆନନ୍ଦିତ ହେଲା । ଜଳ ହିଁ ସମସ୍ତ ପ୍ରାଣୀଙ୍କର ଜୀବନ ହୋଇଥିବାରୁ ପ୍ରକୃତି ସମସ୍ତଙ୍କ ଦୁଃଖ ଦୂର କରିବା ପାଇଁ କରୁଣା ଭାବରେ ଜଳ ବର୍ଷଣ କଲା ।
ବର୍ଷା କାଳରେ ପ୍ରକୃତିରେ ଅପୂର୍ବ ପରିବର୍ତ୍ତନ ଦେଖାଦେଲା । ସନ୍ଧ୍ୟା ସମୟରେ ଖଦ୍ୟୋତ ବା ଜୁଳୁଜୁଳିଆ ପୋକମାନେ ଉଡ଼ିବୁଲି ଜଗତକୁ ଆବୋରି ରହିଲେ । ମେଘର ଗର୍ଜନ ଶୁଣି ବେଙ୍ଗମାନେ ପାଣି ଭିତରେ ଖୁସିରେ ରାବ ଦେଲେ । ଛୋଟ ଛୋଟ ନଦୀଗୁଡ଼ିକ ଜଳରେ ପୂର୍ଣ୍ଣ ହୋଇ ଲହରୀ ସହ ଉଛୁଳି ଉଠିଲେ । ବିଲବାଡ଼ି ନାନା ପ୍ରକାର ଶସ୍ୟରେ ଭରିଗଲା । ଚାରିଆଡ଼େ ଛତୁ ଫୁଟି ଉଠିବାରୁ ପୃଥିବୀ ମୁଣ୍ଡରେ ପାଟଛତା ଧରାଯାଇଥିବା ଏକ ରାଜାଙ୍କ ପରି ଶୋଭା ପାଇଲା । ପର୍ବତ ଶିଖରରେ ରହି ମୟୂରମାନେ ମେଘକୁ ଦେଖି ପର ମେଲାଇ ନାଚିଲେ । ଭକ୍ତମାନେ ଅତିଥିଙ୍କୁ ଦେଖି ଯେପରି ହୃଦୟରୁ ଖୁସି ହୁଅନ୍ତି, ମୟୂରମାନେ ମେଘକୁ ଦେଖି ସେହିପରି ଆନନ୍ଦ ପ୍ରକାଶ କଲେ ।
ମୋଟ ଉପରେ କହିଲେ, ପ୍ରକୃତି ସର୍ବଦା ଜୀବଜଗତର ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କର ସମସ୍ତ କଷ୍ଟ ଦୂର କରିବାକୁ ସଦା ତତ୍ପର ଥାଏ । ବର୍ଷା ଋତୁ ସମସ୍ତଙ୍କ ମନରେ ନୂତନ ଉତ୍ସାହ ଓ ପ୍ରସନ୍ନତା ଭରିଦେଇ ସୃଷ୍ଟିକୁ ନବଜୀବନ ପ୍ରଦାନ କରେ ।