[ଚିତ୍ର: ଜଣେ ବ୍ୟକ୍ତି ଘୋଡ଼ା ଉପରେ ବସି ଦୌଡ଼ୁଛନ୍ତି ଏବଂ ଅନ୍ୟ ଜଣେ ପଛରୁ ହାତ ଟେକି ଦେଖୁଛନ୍ତି।]
[ଚିତ୍ର: ଘର ଆଗରେ ଜଣେ ବୃଦ୍ଧା ଆଈ ହାତରେ ବାଡ଼ି ଧରି ବସିଛନ୍ତି ଏବଂ ପାଖରେ ବସିଥିବା ନାତୁଣୀ ସହ କଥାବାର୍ତ୍ତା କରୁଛନ୍ତି।]
ଠକି ବସିଲେ ଠକିଯିବ
ଗୋଟିଏ ଗାଆଁରେ ଆଈ ନାତୁଣୀ ହୋଇ ଦି’ଜଣ ଥାଆନ୍ତି । ସେମାନେ ଭାରି ଦୁଃଖରେ ଚଳୁଥାନ୍ତି । ସେମାନେ ଆଗେ ବଡ଼ ଧନୀ ଥିଲେ । ବେପାର ବଣିଜ କରି ବୁଢ଼ୀର ପୁଅମାନେ କୋଟିକୋଟି ଟଙ୍କା ରୋଜଗାର କରୁଥିଲେ । ସୁନାଥାଳିରେ ଖାଉଥିଲେ । ଘରେ ଘିଅମହୁ ବୋହି ଯାଉଥିଲା । କିନ୍ତୁ ସବୁଦିନ ତ ସମାନ ଯାଏନି । ଦିନ ବଦଳିଗଲା । କିଏ କୁଆଡ଼େ ମରିହଜି ଗଲେ । ସମ୍ପତ୍ତିବାଡ଼ି ସବୁ ବୁଡ଼ିଗଲା । ଏବେ ଘରେ ଲୋକ ବୋଲି ଦି’ଜଣ । ତଥାପି ଦି’ବେଳା ଦି’ମୁଠା ଖାଇବାକୁ ପାଆନ୍ତିନି । ବିକିଭାଙ୍ଗି ଖାଉଖାଉ ଘରର ସବୁ ସରିଯାଇଥାଏ ।
[ଚିତ୍ର: ଜଣେ ବାସନ ବେପାରୀ ବସି ପୁରୁଣା ଥାଳିକୁ ଛେଣିରେ ରାମ୍ପି ପରୀକ୍ଷା କରୁଛି ଏବଂ ଆଈ-ନାତୁଣୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛନ୍ତି।]
ଦିନକର କଥା । ଆଈ ନାତୁଣୀ ବସି ଗଲାକଥା ଭାବୁଛନ୍ତି, ଏତିକିବେଳେ ସାହିରେ ବାସନବେପାରୀ ଡାକ ପକାଇଲା, – ‘କଂସା ପିତଳ ବାସନ ବିକ୍ରି ବଦଳ’ । କଥା କ’ଣ କି, ସେଦିନ ନଈ ସେପାରି ସହରରୁ ଦି’ଜଣ ବାସନବେପାରୀ ସେ’ ଗାଆଁକୁ ଆସିଥିଲେ । ଗାଆଁ ମୁଣ୍ଡରେ ଓହ୍ଲାଇ ସେମାନେ ଠିକ୍ କରିଥିଲେ ଯେ ଜଣେ ଯେଉଁ ସାହିରେ ବାସନ ବିକୁଥିବ, ଆରଜଣକ ସେ’ ସାହିକୁ ସେତେବେଳେ ଯିବନି । ସେ ଭିତରୁ ଜଣେ ବଡ଼ ଚୋଠା ଲୋକ ଥାଏ । ସେ ପ୍ରଥମେ ଏହି ଆଈ–ନାତୁଣୀଙ୍କ ସାହିକୁ ବାସନ ବିକି ଆସିଥାଏ ।
ବାସନବାଲାର ଡାକ ଶୁଣି ଆଈନାତୁଣୀ ତାକୁ ଘରକୁ ଡାକିଲେ । ତାଙ୍କ ଘରେ କେଉଁ କାଳରୁ ଗୋଟିଏ ପୁରୁଣା ଫଟା ଥାଳି ଥାଏ । କାମରେ ନ ଲାଗି ସେ ଖଣ୍ଡିକ ଇମିତି କଳାକୋତରା ହୋଇ ଯାଇଥାଏ ଯେ କଂସା କି ପିତଳ, କି ଅନ୍ୟ କିଛି ଜମା ବାରି ହେଉ ନ ଥାଏ । ବୁଢ଼ୀ ବାସନବାଲା ହାତକୁ ସେହି ଫଟା ଥାଳିଟି ବଢ଼ାଇ ଦେଲା । କହିଲା, – ‘ବାପ, ଏ ଖଣ୍ଡିକ ତ କାମରେ ଲାଗୁନି, ତମେ ପୁରୁଣା ବାସନ ଦାମ୍ରେ କିଣିନିଅ’ ।
ବାସନବାଲା ପଚାରିଲା, – ‘ଆହେ, ଏଇଟା କଂସା ନା ପିତଳ’ ?
ନାତୁଣୀ କହିଲା, – ‘ତମେ ଦେଖୁନା, ଯାହା ହେଇଥିବ, ସେହି ଦାମ୍ ଦେବ’ ।
ବାସନବାଲା ତା’ ଛେଣି ମୁନରେ ଥାଳି ପଛଟା ରାମ୍ପିଦେଲା । ଥାଳିର ଝଟକ ଦେଖିଦେଇ ତା’ ଆଖି ଝଲସି ଉଠିଲା । ସେ ମନେମନେ କହିଲା, ଏ ଜିନିଷ ୟାଙ୍କ ଘରେ ! ! ଯଦି ମାରିନେଇଯିବି, ମୋ ଭାଗ୍ୟ ବଦଳିଯିବ । ଏପରି ଭାବି ସେ କହିଲା, – ‘ହେଃ ! ଏଇଟା ଗୋଟେ ଚିଜରେ ଚିଜ ! ୟାକୁ ପୁଣି ମୂଲେଇବି ? ଟଙ୍କାଏ ମସାଏ ହେଲେ ବେଶୀ ହୋଇଗଲା’ । ବୁଢ଼ୀ ପଚାରିଲା, – ‘ଜମାରୁ ଟଙ୍କେ’ ?
ବେପାରୀ କହିଲା, – ‘ଟଙ୍କାକୁ ବି ମହରଗ’ ।
[ଚିତ୍ର: ଦ୍ୱିତୀୟ ସଚ୍ଚୋଟ ବାସନ ବେପାରୀଟି ଆଈଙ୍କୁ ଟଙ୍କାର ଥଳି ଓ ବାସନପତ୍ର ଦେଉଛି ଏବଂ ନାତୁଣୀ ଖୁସିରେ ଚାହିଁଛି।]
ବୁଢ଼ୀ କହିଲା, – ‘ତା’ହେଲେ ଆମ ଜିନିଷ ଥାଉ, ତୁମେ ଯାଅ । ଟଙ୍କେ ମସେରେ ମୁଁ ଥାଳି ପଟେ ବିକି ପାରିବିନି’ ।
ବେପାରୀ ତର ଦେଖାଇ ଚାଲିଗଲା । ଭାବିଲା ଆର ସାହିରୁ ବୁଲିଆସିଲେ ସେ ଆଈ ନାତୁଣୀଙ୍କୁ ପାଲରେ ପକାଇଦେବ । କିନ୍ତୁ ସେ ଚାଲିଯିବା ପରେ ପରେ ସେ ସାହିକୁ ଆର ବେପାରୀ ଜଣକ ଚାଲିଆସିଲା । ତା’ ଡାକ ଶୁଣି ଏ ଆଈନାତୁଣୀ ତାକୁ ମଧ୍ୟ ଥାଳିଟି ଦେଖାଇଲେ । ସେ ଥାଳିଟି ପରୀକ୍ଷା କରି କହିଲା, – ‘ମାଉସୀ ଏ ଚିଜ କିଣିବାକୁ ମୋ ପାଖରେ ଧନ କାହିଁ’ ?
ବୁଢ଼ୀ ପଚାରିଲା, – ‘କି ବା ଚିଜଟାଏ ଯେ ଏ କଥା କହୁଛ’ ?
ବେପାରୀ କହିଲା, – ‘ମାଉସୀ, ତୁମେ ଜାଣିନା ? ଏ ପଟକ ପରା ଖାଣ୍ଟି ସୁନା । ୟା ଦାମ୍ ଲକ୍ଷେ ଟଙ୍କା ହେବ । ମୋ ପାଣ୍ଠିପତ୍ର ସବୁ ମିଶିଲେ ଟଙ୍କା ପାଞ୍ଚହଜାର ହେବନି’ ।
ନାତୁଣୀ ପଚାରିଲା, – ‘ସତରେ ଖାଣ୍ଟି ସୁନା ! ଇଙ୍ଗିତ କରୁନା ତ’ ?
ବେପାରୀ କହିଲା, – ‘ସତ କହୁଛି, ଖାଣ୍ଟି ସୁନା । ତୁମେ ଏ ଥାଳି କେଉଁଠୁ ପାଇଲ’ ?
ବୁଢ଼ୀ ଏଥର ତା’ର ଗଲା ଦିନର କଥା କହିଗଲା । ସବୁ ଶୁଣି ବେପାରୀ ଆଖିରୁ ଲୁହ ଝରିପଡ଼ିଲା । ସେ ଯିବାକୁ ଉଠିବାରୁ ବୁଢ଼ୀ ତା’ହାତ ଧରି ପକାଇଲା । କହିଲା, – ‘ବାପ, ତୁମେ ଯେଉଁ ସତ ପଦକ କହିଲ, ସେ ପଦକ ଲକ୍ଷେ । ଯେତିକି ପାରୁଛ, ସେତିକି ଦେଇ ତୁମେ ଏ ଥାଳି ନେଇଯାଅ’ ।
[ଚିତ୍ର: ପ୍ରଥମ ବେପାରୀ ଫେରିଆସି ଆଙ୍ଗୁଳି ନିର୍ଦ୍ଦେଶ କରି ଆଈ-ନାତୁଣୀଙ୍କ ସହିତ ଥାଳି ପାଇଁ ଯୁକ୍ତିତର୍କ କରୁଛି।]
ବେପାରୀ ତା’ର ଟଙ୍କା ପଇସା, ବାସନକୁସନ ସବୁ ବୁଢ଼ୀକୁ ଦେଇଦେଲା । କହିଲା, – ‘ମାଉସୀ, ମୋ ପାଖରେ ତ ଆଉ ନାହିଁ । ଏତିକି ରଖୁଥାଅ, ବାକି ଟଙ୍କା ମୁଁ ପରେ ଆଣି ଦେବି’ ।
ବୁଢ଼ୀ ଭାରି ଖୁସି ହୋଇଗଲା । ବେପାରୀ ଥାଳିଟି ଧରି ନଈକୂଳକୁ ଚାଲିଗଲା । ସେଠାରୁ ଡଙ୍ଗା ଧରି ତା’ର ନିଜ ଜାଗାକୁ ଯିବାକଥା ।
କିଛି ସମୟ ପରେ ଆଗର ଚୋଠାବେପାରୀ ଜଣକ ପୁଣି ଥରେ ସେ ସାହିକୁ ଆସିଲା । ତା’ର ତ ସୁନାଥାଳି ଖଣ୍ଡକ ମାରିନେବାକୁ ମନ । ସେ ଆସି ବୁଢ଼ୀ ଦୁଆରେ ପହଞ୍ଚିଗଲା । ଆଈନାତୁଣୀଙ୍କୁ ଡାକି ସେ କହିଲା, – ‘ମୋର ଫେରିବାବେଳ ହୋଇଗଲା । କାହିଁ ସେ ଥାଳିଟି ବିକିବ ପରା ? ଶୀଘ୍ର ଆଣ ସେପଟେ ଡଙ୍ଗା ଛାଡ଼ିଦେବ’ ।
ବୁଢ଼ୀ କହିଲା, – ‘ତୁମେ ତ ମୋଟେ ଟଙ୍କେ ମସେ ଦେବାକୁ କହିଲ’ ।
ବେପାରୀ କହିଲା, – ‘ଆହେ ଟଙ୍କେ ନ ହେଲେ, ଦି’ଟଙ୍କା ନବ । ଆଣ’ ।
ନାତୁଣୀ କହିଲା, – ‘ମୋଟେ ଦି’ଟଙ୍କା’ ?
ବେପାରୀ କହିଲା, – ‘ନ ହେଲେ ପାଞ୍ଚଟଙ୍କା ନବ । ଆଉ କଣ ? ଶୀଘ୍ର ଆଣ’ ।
ବୁଢ଼ୀ କହିଲା, – ‘ମୋଟେ ପାଞ୍ଚଟଙ୍କା’ ?
[ଚିତ୍ର: ପଡ଼ିଶା ଘରର ସ୍ତ୍ରୀ ଲୋକମାନେ ଏକାଠି ହୋଇ ଆଈ-ନାତୁଣୀଙ୍କ କଥା ଶୁଣୁଛନ୍ତି ଏବଂ ଚୋଠା ବେପାରୀଟି ନିରାଶ ହୋଇ ମୁଣ୍ଡ ନୁଆଁଇ ପଳାଉଛି।]
ବେପାରୀ କହିଲା, – ‘ନ ହେଲେ ଦଶଟଙ୍କା ନବ । ଆଣିଲ, ମୁଁ ଯାଏଁ’ ।
ଏପରି ବଢ଼ିବଢ଼ି ବେପାରୀ ଶହେଟଙ୍କା ଯାଏ ବଢ଼ିଗଲା । ପଡ଼ିଶାଲୋକେ ଏ ଦର ହଙ୍କାହଙ୍କିର ଅର୍ଥ ବୁଝି ପାରିଲେ ନାହିଁ । ସେମାନେ ପଚାରିବାରୁ ବୁଢ଼ୀ ସବୁକଥା ବୁଝାଇଦେଇ ଶୁଣାଇଦେଲା ଯେ ଥାଳିଟି ଆର ବାସନ-ବେପାରୀ କିଣି ନେଇଗଲାଣି । ସେ କଥା ଶୁଣି ଏ ବାସନ-ବେପାରୀ ପାଟି କରି ଉଠିଲା, ଏଁ ! ମୁଁ ମୂଲେଇଥିବା ଥାଳି ସେ କିପରି ନେଇଗଲା ? ଏପରି ପାଟିକରି ସେ ନଈକୂଳକୁ ଧାଇଁଲା ।
କିନ୍ତୁ ସେ ଗଲାବେଳକୁ ଘାଟରୁ ଡଙ୍ଗା ଛାଡ଼ି ଯାଇ ମଝି ନଈରେ ହେଲାଣି । ବିଚରା ହତାଶ ହୋଇ ଚାହିଁ ରହିଲା । ଅନେକ ସମୟ ପରେ ତା’ ପାଟିରୁ ବାହାରି ପଡ଼ିଲା, –
‘ଯେ ଚାହେଁ ପରକୁ ଠକିବ ଶେଷରେ ନିଜେ ଠକିଯିବ’ ।
ଲେଖକ ପରିଚୟ
‘ଠକି ବସିଲେ ଠକିଯିବ’ କାହାଣୀଟି ବଂଶୀଧର ଦାଶଙ୍କ ଦ୍ଵାରା ସଂଗୃହୀତ । ଏହି ଗଳ୍ପଟି “ଜାତକ କଥା” ଗଳ୍ପ ସଂକଳନରୁ ଆସିଅଛି । ଅନ୍ୟକୁ ଠକିବାକୁ ଚେଷ୍ଟା କଲେ ନିଜର କିପରି କ୍ଷତି ହୁଏ, ସେହି ବିଷୟରେ ବର୍ଣ୍ଣନା କରାଯାଇଛି ।
ପାଠ ଅନ୍ତର୍ଗତ
ମୋ ବୁଝିବାରେ
(କ) ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ (★) ଦିଅ । ୧. “ଘରେ ଘିଅମହୁ ବୋହି ଯାଉଥିଲା,” –ଏହାର ଅର୍ଥ କ’ଣ ?
-
ଘରେ ଅଧିକ ଘିଅମହୁ ଥିଲା ।
-
ଘରେ ଧନସଂପଦ ପରିପୂର୍ଣ୍ଣ ଥିଲା ।
-
ଘର ଲୋକମାନଙ୍କର ଘିଅମହୁ ବ୍ୟବସାୟ ଥିଲା ।
-
ଘର ଲୋକମାନେ ନିର୍ଦ୍ଧନ ଥିଲେ ।
(୨) “ଏଁ ! ମୂଲେଇଥିବା ଥାଳିଟି ସେ କିପରି ନେଇଗଲା” –ପ୍ରଥମ ବାସନ ବେପାରୀ ପାଟିକରିଉଠିଲା କାରଣ ସେ ଜାଣିଥିଲା ଯେ –
-
ଥାଳିର ମୂଲ୍ୟ ବହୁତ ଅଧିକ ।
-
ଥାଳିର ମୂଲ୍ୟ କମ୍ ।
-
ଥାଳିଟି ଲୋଚାକୋଚା ଓ ଫଟା ।
-
ଥାଳିଟି ଆଉ କେହି ନେବେ ନାହିଁ ।
(ଖ) ତୁମେ ଉକ୍ତ ଉତ୍ତରଗୁଡ଼ିକ କାହିଁକି ବାଛିଲ, କାରଣ ସମ୍ପର୍କରେ ସାଙ୍ଗମାନଙ୍କ ସହ ଆଲୋଚନା କର ।
ଶୀର୍ଷକ
(କ) ତୁମେ ଯେଉଁ କାହାଣୀଟି ପଢ଼ିଲ ତାହାର ନାମ ‘ଠକି ବସିଲେ ଠକି ଯିବ’ ବୋଲି ଦିଆଯାଇଛି । କାହାଣୀଟିର ନାମ ଏପରି କାହିଁକି ଦିଆଗଲା ଦଳରେ ଆଲୋଚନା କରି ତାହାର କାରଣ ଲେଖ । (ଖ) ଯଦି ତୁମେ ଏହାର ଅନ୍ୟ ଗୋଟିଏ ନାମ ଦେବାକୁ ଚାହିଁବ, ତେବେ ତାହା କ’ଣ ହେବ ବୋଲି ଭାବୁଛ ? ଏପରି ଶୀର୍ଷକ ବାଛିବାର କାରଣ କ’ଣ କୁହ । (ଗ) ବାସନବେପାରୀଟି ପ୍ରଥମଥର ଆସି ଥାଳିଟିକୁ କମ୍ ଦରରେ ନେବାକୁ ଚେଷ୍ଟା କରିଥିଲା । ଯେତେବେଳେ ସେ ପୁଣିଥରେ ଥାଳିଟି ନେବାକୁ ଆସିଲା ତା’ର ଦର କାହିଁକି ବଢ଼ାଇ ଚାଲିଲା ?
ଗଦ୍ୟାଂଶ ଉପରେ ଆଲୋଚନା
କାହାଣୀରୁ ବାଛି କିଛି ବାକ୍ୟ ନିମ୍ନରେ ଦିଆଯାଇଛି । ସେଗୁଡ଼ିକୁ ପଢ଼ ଓ ତା’ ଉପରେ ଆଲୋଚନା କରି ଲେଖ ।
-
ସେମାନେ ସୁନାଥାଳିରେ ଖାଉଥିଲେ ।
-
ହେଃ ! ଏଇଟା ଗୋଟେ ଚିଜରେ ଚିଜ ! ୟାକୁ ପୁଣି ମୂଲେଇବି ?
-
ବାପ, ତୁମେ ଯେଉଁ ସତ ପଦକ କହିଲ, ସେ ପଦକ ଲକ୍ଷେ ।
-
ବୁଢ଼ୀର କଥା ଶୁଣି ବେପାରୀ ଆଖିରୁ ଲୁହ ଝରିପଡ଼ିଲା ।
-
ପଡ଼ିଶାଲୋକ ଏ ଦର ହଙ୍କାହଙ୍କିର ଅର୍ଥ ବୁଝି ପାରିଲେ ନାହିଁ ।
ଚିନ୍ତା କରିବା
କାହାଣୀଟିକୁ ପୁଣି ଥରେ ପଢ଼ । ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ବୁଝି ଲେଖ ।
-
ଆଈନାତୁଣୀ ବସି ଗଲା କଥା ଭାବୁଛନ୍ତି ।
-
ବୁଢ଼ୀ ଏଥର ତା’ର ଗଲା ଦିନର କଥା କହିଗଲା । ସବୁ ଶୁଣି ବେପାରୀ ଆଖିରୁ ଲୁହ ଝରିପଡ଼ିଲା ।
ଏଥିରୁ ଜଣାଗଲା ଯେ, ଆଈନାତୁଣୀ ଦୁଃଖରେ ଥିଲେ । ବାସନବେପାରୀ ମଧ୍ୟ ସେମାନଙ୍କ କଥା ଶୁଣି ଦୁଃଖ ଅନୁଭବ କଲା ।
- ତୁମେ କୁହ, ଆଈନାତୁଣୀଙ୍କ ଦୁଃଖ ଅନୁଭବ ଏବଂ ବାସନ ବେପାରୀର ଦୁଃଖ ଅନୁଭବ ମଧ୍ୟରେ ପାର୍ଥକ୍ୟ କ’ଣ ?
ଦିନଚର୍ଯ୍ୟା
(କ) କାହାଣୀଟି ପଢ଼ି ତୁମେ ଆଈନାତୁଣୀଙ୍କ ଦିନ କିପରି କଷ୍ଟରେ କଟୁଥିଲା ସେ ବିଷୟରେ ଜାଣିପାରିଲ । ସେହିଭଳି ବିଭିନ୍ନ ଗରିବ ଅସହାୟ ଲୋକଙ୍କ ଜୀବନ କିପରି ବିତୁଥିବ, ତାହା ଅନୁମାନ କରି ପାରୁଥିବ । ଏହିଭଳି ଜଣେ ବ୍ୟକ୍ତିଙ୍କ ଦିନଚର୍ଯ୍ୟା ବିଷୟ ଚିନ୍ତାକରି ଲେଖ । (ଖ) ତୁମେ ସକାଳୁ ଉଠି ଶୋଇବା ଯାଏ କିପରି ଦିନ ବିତାଅ, ତାହା ଖାତାରେ ଲେଖ ।
କାହାଣୀର ରଚନାଶୈଳୀ
(କ) ଉକ୍ତ କାହାଣୀର କେଉଁ କଥାଟି ତୁମକୁ ପସନ୍ଦ ଲାଗିଲା ? ତାହା ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ । (ଖ) ପଢ଼ିଥିବା କାହାଣୀଟି ତୁମକୁ କାହିଁକି ଭଲଲାଗିଲା, ତାହା ଦଳରେ ଆଲୋଚନା କରି ଲେଖ ।
ରୂଢ଼ି
(କ) କାହାଣୀରୁ ବାଛି କିଛି ରୂଢ଼ି ତଳେ ଦିଆଯାଇଛି । ସେଗୁଡ଼ିକ ହେଲା ‘ପାଲରେ ପକାଇବା’, ‘ଖାଣ୍ଟିସୁନା’, ‘ଆଖି ଝଲସିବା’, ‘ଦର ହାଙ୍କିବା’, ‘କଥା ପଦକ ଲକ୍ଷେ’ ଇତ୍ୟାଦି । କାହାଣୀରେ ଏଗୁଡ଼ିକ କିପରି ବ୍ୟବହାର ହୋଇଛି ତାହା ଲକ୍ଷ୍ୟ କର । (ଖ) ରୂଢ଼ିଗୁଡ଼ିକୁ ବ୍ୟବହାର କରି ନିଜ ମନରୁ ବାକ୍ୟ ଲେଖ ।
- ପାଲରେ ପକାଇବା -
- ଖାଣ୍ଟି ସୁନା -
- ଆଖି ଝଲସିବା -
- ଦର ହାଙ୍କିବା -
- କଥା ପଦକ ଲକ୍ଷେ -
କାହାଣୀର ଚରିତ୍ର
‘ଠକି ବସିଲେ ଠକି ଯିବ’ କାହାଣୀରେ ଚାରୋଟି ଚରିତ୍ର ଅଛନ୍ତି । ସେମାନଙ୍କ ଗୁଣ ବର୍ଣ୍ଣନା କରୁଥିବା ଶବ୍ଦ ଚିନ୍ତାକର ଓ ତଳେ ଦିଆଯାଇଥିବା କୋଠରିରେ ଲେଖ ।
[ଚିତ୍ର: ଚାରୋଟି ଚରିତ୍ରଙ୍କ ନାମ ଏବଂ ସେମାନଙ୍କ ଗୁଣ ବର୍ଣ୍ଣନା କରୁଥିବା ଏକ ରେଖାଚିତ୍ର:]
-
ଆଈ – ବିଶ୍ୱାସୀ
-
ନାତୁଣୀ – ନିରୀହ
-
ପ୍ରଥମ ବାସନ ବେପାରୀ – ଚୋଠା
-
ଦ୍ୱିତୀୟ ବାସନ ବେପାରୀ – ଦୟାଳୁ
ଉପରେ ଲେଖିଥିବା ଶବ୍ଦଗୁଡ଼ିକ ଜଣକର ବିଶେଷତା, ଗୁଣ ଓ ଅବସ୍ଥା ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଇଛି । ଏହାକୁ ବିଶେଷଣ କୁହାଯାଏ ।
[ଚିତ୍ର: ଜଣେ ଝିଅ ବଗିଚାରେ କୁକୁରମାନଙ୍କ ସହିତ ଆନନ୍ଦରେ ଖେଳୁଛି ଏବଂ ଗଛରୁ ପତ୍ର ଝଡ଼ୁଛି।]
ପାଠ ବାହାରୁ
ବାସନବେପାରୀର କାହାଣୀ
ମନେକର ତୁମେ ସେହି ସଚ୍ଚୋଟ ବାସନ ବେପାରୀ । ଆଈ ନାତୁଣୀଙ୍କଠାରୁ ସୁନା ଥାଳିଟି କିଣିଲ । ଥାଳିଟିକୁ ନେଇ ତୁମେ କ’ଣ କରିବ ଲେଖ । ଯେପରି, –“ମୁଁ ଉଚିତ ମୂଲ୍ୟ ଜଣାଇ ସୁନା ଥାଳିଟି କିଣିଲି, ତାକୁ ନେଇ ବଜାରକୁ ଗଲି, ସେଠାରେ....”
ମନର ଭାବ
(କ) ତଳେ ଦିଆଯାଇଥିବା କିଛି ଅନୁଭବ ଆଧାରିତ ଶବ୍ଦ ଦିଆଯାଇଛି । କାହାଣୀର ଚରିତ୍ରମାନଙ୍କ ମଧ୍ୟରୁ କିଏ, କେତେବେଳେ ଏଗୁଡ଼ିକ ଅନୁଭବ କରିଥିଲେ କୁହ ।
-
ଦୁଃଖ
-
ଲୁହ ଝରିବା
-
ଖୁସି
-
ହତାଶ
(ଖ) ତୁମେ ଉପରୋକ୍ତ ଭାବଗୁଡ଼ିକୁ କେବେ ଅନୁଭବ କରିଛ ? ସେ ବିଷୟରେ ଲେଖ । ଯେପରି କି; ସାହି କୁକୁରକୁ ଦେଖି ତୁମେ ଡରି ଯାଇଥିଲ ।
[ଚିତ୍ର: ପୋଖରୀ କୂଳରେ ପଥର ଉପରେ ଏକ କଙ୍କଡ଼ା ବସିଛି ଏବଂ ପାଖରେ ଏକ ଧଳା ବଗ ଛିଡ଼ା ହୋଇଛି।]
ଝରକାରୁ
ବିଷ୍ଣୁ ଶର୍ମା ନାମରେ ଜଣେ ପଣ୍ଡିତ ଥିଲେ । ସେ ରାଜକୁମାରମାନଙ୍କୁ ଭଲବାଟକୁ ଆଣିବାପାଇଁ ଅନେକ ଗପ ଲେଖିଥିଲେ । ସେହି ପୁସ୍ତକର ନାମ “ପଞ୍ଚତନ୍ତ୍ର” । ‘ପଞ୍ଚତନ୍ତ୍ର’ର ଗୋଟିଏ ଗପ ତଳେ ଦିଆଯାଇଛି । ଏହାକୁ ପଢ଼ିବା ସହ ପଞ୍ଚତନ୍ତ୍ର କାହାଣୀମାଳା ଖୋଜି ଅନ୍ୟ ଗଳ୍ପଗୁଡ଼ିକୁ ପଢ଼ ।
ବଗ ଓ କଙ୍କଡ଼ା
ପାହାଡ଼ ଭିତରେ ପୋଖରୀଟିଏ । ସେଥିରେ ମାଛ, କଙ୍କଡ଼ା ଓ କଇଁଛ ଆଦି ଅନେକ ଜଳଜୀବ ରହନ୍ତି । ପୋଖରୀ ହିଡ଼ରେ ଗଛ ଉପରେ ବଗଟିଏ ବସା କରିଥାଏ । ପୋଖରୀର ଜଳଜୀବମାନଙ୍କୁ ଖାଇ ଆରାମ୍ରେ ଥାଏ । ପ୍ରକୃତରେ ସେ ଗୋଟିଏ ଅଳସୁଆ ଓ ଠକ ଥିଲା । ଜଳଜୀବମାନଙ୍କୁ କିପରି ସହଜରେ ଖାଇପାରିବ, ସେଥିପାଇଁ ସେ ଗୋଟିଏ ଉପାୟ ପାଞ୍ଚିଲା ।
ତା’ ପରଦିନ ବଗ ଗୋଟିଏ ପଥର ଉପରେ ବସି କାନ୍ଦୁଥାଏ । ହାତରେ ମାଳାଟିଏ ଧରି ଉପରକୁ ଚାହିଁ ରହିଥାଏ । କଙ୍କଡ଼ା ଓ କଇଁଛ ତାକୁ ଦେଖିଲେ । ବଗକୁ କାହିଁକି କାନ୍ଦୁଛ ବୋଲି ପଚାରିଲେ । ବଗ କାନ୍ଦକାନ୍ଦ ହୋଇ କହିଲା, –“ମୁଁ କାଲି ଗୋଟାଏ ସତ୍ସଙ୍ଗରେ ବସିଥିଲି । ସାଧୁ ଜଣେ କହିଲେ କି ବାରବର୍ଷ ଯାଏ ମରୁଡ଼ି ପଡ଼ିବ । ପାଣିଟୋପେ ବି ବର୍ଷା ହେବନାହିଁ । ଏକଥା ଶୁଣି ମୁଁ ତୁମମାନଙ୍କ କଥା ଭାବିଭାବି ଚିନ୍ତାରେ ଅଛି । ଭଗବାନଙ୍କୁ ଡାକୁଛି, ସେ ତୁମମାନଙ୍କୁ ଉଦ୍ଧାର କରନ୍ତୁ ।”
କଙ୍କଡ଼ା ଓ କଇଁଛ ଏହି କଥା ପୋଖରୀରେ ସମସ୍ତଙ୍କୁ ଜଣାଇଲେ । ସବୁ ଜଳଜୀବ ଏକାଠି ହୋଇ ବଗ ପାଖକୁ ଯାଇ ନେହୁରା ହେଲେ । ସେମାନେ କିପରି ଉଦ୍ଧାର ହେବେ ସେହି ଉପାୟ ବତାଇବାକୁ କହିଲେ । ବଗ କହିଲା, “ସମସ୍ତେ ଶୁଣ, ପାହାଡ଼ର ଆରପଟେ ଗୋଟିଏ ବଡ଼ ପୋଖରୀ ଅଛି । ସେଇଠିକୁ ସମସ୍ତେ ଚାଲିଯାଅ । ତେବେ ବଞ୍ଚିଯିବ” । ମାଛମାନେ କହିଲେ, “ଆମର ଗୋଡ଼ ନାହିଁ, ଆମେ କିପରି ଯିବୁ ।” ବଗ ତ ସୁଯୋଗ ଅପେକ୍ଷାରେ ଥିଲା । କହିଲା, “କିଛି କଥା ନାହିଁ । ତମେ ଯଦି ମୋତେ ବିଶ୍ଵାସ କରୁଥାଅ, ତେବେ ମୁଁ ତୁମକୁ ଜଣ ଜଣ କରି ପାରି କରିଦେବି ।” ଅଗତ୍ୟା ସମସ୍ତେ ରାଜି ହେଲେ । ବଗ ଗୋଟାକ ପରେ ଗୋଟିଏ ମାଛକୁ ପ୍ରତିଦିନ ପାରି କରୁଥାଏ ।
ଦିନେ କଙ୍କଡ଼ା ପାରି ହୋଇଯାଇଥିବା ମାଛମାନଙ୍କ ଅବସ୍ଥା ଜାଣିବାକୁ ଚାହିଁଲା । ସେଥିପାଇଁ ସେହିଦିନ ବଗକୁ ନିଜକୁ ଅନ୍ୟ ପୋଖରୀକୁ ନେବାପାଇଁ ଅନୁରୋଧ କଲା ।
ବଗ କଙ୍କଡ଼ାକୁ ପିଠିରେ ବସାଇ ଉଡ଼ିଯାଉଥାଏ । କିଛି ଦୂର ଗଲାପରେ କଙ୍କଡ଼ା ଗୋଟିଏ ବଡ଼ ପଥର ଚଟାଣ ଦେଖିଲା । ଚଟାଣ ଉପରେ ମାଛ କଣ୍ଟାସବୁ ପଡ଼ିଥିଲା । କଙ୍କଡ଼ା ଏଥର ସବୁ ବୁଝିପାରିଲା । ସେ ଜାଣିଗଲା ଯେ ବଗ ପ୍ରତିଦିନ ଗୋଟିଏ ଗୋଟିଏ ମାଛ ଆଣି ଏଇଠି ଖାଉଛି । ଆଉ କିଛି ବିଚାର ନ କରି ସେ ବଗର ତଣ୍ଟିକୁ ଜୋରରେ କାମୁଡ଼ି ଧରିଲା । ବଗ ସେହି ଚଟାଣ ଉପରେ ପଡ଼ି ଛଟପଟ ହେବାକୁ ଲାଗିଲା ।
ଖୋଜି ବାହାର କରିବା
ଗାଳ୍ପିକ ବଂଶୀଧର ଦାଶଙ୍କ ଅନ୍ୟ ରଚନାବଳୀକୁ ପାଠାଗାର ଓ ଇଣ୍ଟରନେଟ୍ରୁ ଖୋଜି ପଢ଼ ।