ଗୋଟିଏ ଗାଆଁରେ ଜଣେ ବୃଦ୍ଧା ଆଈ ଓ ତାଙ୍କ ନାତୁଣୀ ଅତି ଦୁଃଖକଷ୍ଟରେ ଚଳୁଥିଲେ । ଦିନେ ସେମାନେ ଖୁବ୍ ଧନୀ ଥିଲେ, ମାତ୍ର ସମୟ ବଦଳିବା ସହିତ ସବୁ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା । ସେମାନଙ୍କ ଘରେ କେଉଁ କାଳର ଗୋଟିଏ ପୁରୁଣା, କଳା ପଡ଼ିଯାଇଥିବା ଫଟା ଥାଳି ପଡ଼ିରହିଥିଲା । ଦିନକର ଘଟଣା, ସହରରୁ ଦୁଇଜଣ ବାସନ ବେପାରୀ ସେହି ଗାଆଁକୁ ବାସନ ବିକିବା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲା ଖୁବ୍ ଚୋଠା ବା ଠକ ପ୍ରକୃତିର ଲୋକ ।
ସେହି ପ୍ରଥମ ବେପାରୀଟି ସାହିକୁ ଆସିବାରୁ ଆଈ-ନାତୁଣୀ ତାଙ୍କ ପୁରୁଣା ଥାଳିଟି ବିକିବା ପାଇଁ ତାକୁ ଦେଖାଇଲେ । ବେପାରୀଟି ଛେଣି ମୁନରେ ରାମ୍ପି ଜାଣିପାରିଲା ଯେ ତାହା ଏକ ମୂଲ୍ୟବାନ ଖାଣ୍ଟି ସୁନା ଥାଳି । ମାତ୍ର ମନରେ ଅତ୍ୟଧିକ ଲୋଭ ରଖି ସେ ଆଈ-ନାତୁଣୀଙ୍କୁ ଠକିବାକୁ ଚାହିଁଲା । ସେ ଥାଳିଟିକୁ ଏକ ଅଦରକାରୀ ଜିନିଷ ବୋଲି କହି ତା’ର ମୂଲ୍ୟ ମାତ୍ର ଏକ ଟଙ୍କା ହେବ ବୋଲି ପ୍ରକାଶ କଲା । ସେ ଭାବିଥିଲା ଯେ ଅନ୍ୟ ସାହି ବୁଲି ଆସିବା ପରେ ଶସ୍ତାରେ ଥାଳିଟିକୁ ହାତେଇ ନେବ । ତେଣୁ ସେ ଥାଳି ନ ନେଇ ଚାଲିଗଲା ।
ଏହା ପରେ ସେହି ସାହିକୁ ଦ୍ୱିତୀୟ ବେପାରୀ ଜଣକ ଆସିଲା । ସେ ଥିଲା ଜଣେ ଅତ୍ୟନ୍ତ ସଚ୍ଚୋଟ ଓ ଦୟାଳୁ ବ୍ୟକ୍ତି । ଆଈ-ନାତୁଣୀ ତାକୁ ମଧ୍ୟ ଥାଳିଟି ଦେଖାଇବାରୁ ସେ ପରୀକ୍ଷା କରି କହିଲା ଯେ ଏହା ଲକ୍ଷେ ଟଙ୍କା ମୂଲ୍ୟର ଖାଣ୍ଟି ସୁନା ଥାଳି । ବୁଢ଼ୀଙ୍କ ପୂର୍ବ ଧନୀ ଅବସ୍ଥା ଓ ବର୍ତ୍ତମାନର ଦୁଃଖ ବିଷୟ ଶୁଣି ସେ ଭାବବିହ୍ୱଳ ହୋଇପଡ଼ିଲା । ତା’ର ସଚ୍ଚୋଟତାରେ ଖୁସି ହୋଇ ବୁଢ଼ୀ ଥାଳିଟି ତାକୁ ଦେଇଦେଲେ । ବେପାରୀଟି ନିଜ ପାଖରେ ଥିବା ସମସ୍ତ ଟଙ୍କା ଓ ବାସନକୁସନ ବୁଢ଼ୀଙ୍କୁ ଦେଇ ଥାଳି ଧରି ନଈଘାଟକୁ ଚାଲିଗଲା ।
କିଛି ସମୟ ପରେ ସେହି ଠକ ବେପାରୀଟି ଫେରିଆସି ଥାଳି ପାଇଁ ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ଯାଏଁ ଦର ବଢ଼ାଇଲା । କିନ୍ତୁ ଆଈଙ୍କଠାରୁ ଅନ୍ୟ ବେପାରୀ ଥାଳିଟି ନେଇଯିବା କଥା ଶୁଣି ସେ ନଈକୂଳକୁ ଧାଇଁଲା । ସେଠାରେ ପହଞ୍ଚିଲା ବେଳକୁ ଡଙ୍ଗାଟି ନଈ ମଝିକୁ ଚାଲିଯାଇଥିଲା । ନିଜ ଠକାମି ଓ ଲୋଭ ଯୋଗୁଁ ସେ ଏକ ବଡ଼ ସୁଯୋଗ ହରାଇ ହତାଶ ହୋଇପଡ଼ିଲା । ଏହି କାହାଣୀରୁ ସ୍ପଷ୍ଟ ଶିକ୍ଷା ମିଳେ ଯେ, ଯେଉଁ ଲୋକ ଅନ୍ୟକୁ ଠକିବାକୁ ଚେଷ୍ଟା କରେ, ସେ ଶେଷରେ ନିଜେ ହିଁ ଠକିଯାଏ ।