[ଚିତ୍ର: ପ୍ରାକୃତିକ ପରିବେଶରେ ପାହାଡ଼ ତଳେ ଜଣେ ଗୁରୁ ବା ଶିକ୍ଷକଙ୍କ ପାଖରେ କିଛି ପିଲା ବସି ଶିକ୍ଷା ଗ୍ରହଣ କରୁଛନ୍ତି |]
[ଚିତ୍ର: ପାହାଡ଼, ଗଛଲତା ଓ ପଥର ମଧ୍ୟଦେଇ ଏକ ଝରଣା ବୋହି ଯାଉଛି |]
[ଚିତ୍ର: ଜଣେ ମାହୁନ୍ତ ହାତରେ ଅଙ୍କୁଶ ଧରି ହାତୀ ଉପରେ ବସିଛନ୍ତି |]
ନୀତିବଚନ
ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ଯ ହୋଇପାରେ ସାଧ୍ଯ ଭୂତଳେ ।
ଗିରିପାଷାଣ ଏଡ଼େ କଠିନ ହୋଇ, ଖୋଳିଲେ ତହୁଁ ପୁଣି ଜଳ ଝରଇ ।
ଥିଲେ ହେଁ ମାତୃସ୍ତନ ଅମୃତେ ପୂରି, ଜୋକ ପିଅଇ ତହୁଁ ରୁଧିର ଚିରି ।
ତେସନେ ମନ୍ଦମତି ସର୍ବଦା ଖଳ, ଗୁଣ ନ ଦେଖି ବାଛେ ଦୋଷ କେବଳ ।
ସାଧୁଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତା’ର ମରମ ଲେଶ ।
କମଳ ବାସ ଯଥା ସୁମନୋହର, ଭେକ କି ବୁଝେ କେବେ ସୁଗନ୍ଧ ତା’ର ?
ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି ଜାଣି ।
ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରିଥାଏ ଅଙ୍କୁଶ ବାଡ଼ି ।
[ଚିତ୍ର: ଜଣେ ବୀର ବା ରାଜା ଘୋଡ଼ାରେ ବସି ଯାଉଛନ୍ତି ଏବଂ ତାଙ୍କୁ ସ୍ଵାଗତ କରିବା ପାଇଁ ଲୋକମାନେ ବାଦ୍ୟଯନ୍ତ୍ର ବଜାଉଛନ୍ତି ଓ ରାସ୍ତାରେ ଛିଡ଼ା ହୋଇଛନ୍ତି |]
[ଚିତ୍ର: ଫୁଲ ଫୁଟିଥିବା ଏକ ସୁନ୍ଦର ଗଛ |]
ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି, ବୀର ସମର ଜିଣି ରଖେ କୀରତି ।
ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେହି ବୀର-ମୁକୁଟମଣି ।
ଥିଲେ ହେଁ ପୂରି ରୂପ, ରଙ୍ଗ, ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ ?
ମହକ ଯେଣୁ ତା’ର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି ।
କୋଟିଏ ଗୁଣ ମଧେ ଗୋଟିଏ ଦୋଷ, ସୁଧା କଳସେ ବିଷ ବିନ୍ଦୁ-ସଦୃଶ ।
ରାମକୃଷ୍ଣ ନନ୍ଦ
[ଚିତ୍ର: କବି ରାମକୃଷ୍ଣ ନନ୍ଦଙ୍କର ଏକ ଫଟୋଚିତ୍ର |]
କବି ପରିଚୟ
ରାମକୃଷ୍ଣ ନନ୍ଦ (୧୯୦୬-୧୯୯୪)
ରାମକୃଷ୍ଣ ନନ୍ଦଙ୍କ ଜନ୍ମ କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ ହୋଇଥିଲା । ସେ ଜଣେ ବିଶିଷ୍ଟ ଶିଶୁସାହିତ୍ୟିକ ଓ ପାଠ୍ୟପୁସ୍ତକ ରଚୟିତା । ‘ଆହେ ଦୟାମୟ ବିଶ୍ଵବିହାରୀ’ ପ୍ରାର୍ଥନାଟି ତାଙ୍କଦ୍ୱାରା ରଚିତ । ଏହା ବ୍ୟତୀତ ‘ପ୍ରତିଧ୍ଵନି’, ‘ସଂଗ୍ରାମ ଓ ସାଧନା’, ‘ବିଜ୍ଞାନ କୁହୁକ’, ‘ଜୀବନ ତରଙ୍ଗ’, ‘ସୁନାପାହାଚ’, ‘ଝୁମୁକା’ ଆଦି ପୁସ୍ତକ ରଚନା କରିଥିଲେ । ‘ଝୁମୁକା’ କବିତା ସଂକଳନପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ‘ନୀତି-ବଚନ’ କବିତାଟି ‘ଝୁମୁକା’ କବିତା ସଂକଳନରୁ ଆନୀତ ।
ପାଠ ଅନ୍ତର୍ଗତ
ମୋ ବୁଝିବାରେ
ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।
(୧) “ସାଧୁଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତା’ର ମରମ ଲେଶ ।” ଏହାର ଭାବାର୍ଥ :- (କ) ସାଧୁଜନଙ୍କର ଲେଶ ମାତ୍ର ଜ୍ଞାନ ନାହିଁ । (ଖ) ସାଧୁଜନଙ୍କର ହିତୋପଦେଶ ମୂର୍ଖ ବୁଝିପାରେ ନାହିଁ । (ଗ) ସାଧୁମାନେ ଉପଦେଶ ଦିଅନ୍ତି ନାହିଁ । (ଘ) ସାଧୁଙ୍କ ଉପଦେଶର ମୂଲ୍ୟ ନାହିଁ ।
(୨) “କୋଟିଏ ଗୁଣ ମଧେ ଗୋଟିଏ ଦୋଷ ସୁଧା କଳସେ ବିଷ ବିନ୍ଦୁ ସଦୃଶ ।” ଏଠାରେ ଭଲ ଗୁଣକୁ କାହା ସହିତ ତୁଳନା କରାଯାଇଛି ? (କ) କଳସ (ଖ) ବିଷକଳସ (ଗ) ବିଷ–ଅମୃତ କଳସ (ଘ) ସୁଧା କଳସ (ଖ) ତୁମେ ଏହି ଉତ୍ତରଟି କାହିଁକି ବାଛିଲ, ତା’ର କାରଣ ସାଙ୍ଗମାନଙ୍କ ସହ ଆଲୋଚନା କର ।
ମିଳିମିଶି ଯୋଡ଼ିବା
କବିତାର କେତୋଟି ପଦ ‘କ’ ସ୍ତମ୍ଭରେ ଓ ଭାବାର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ପଦଗୁଡ଼ିକୁ ତା’ର ଭାବାର୍ଥ ସହ ଯୋଡ଼ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି । | କଠିନ ପଥରରେ ପାହାଡ଼ ଖୋଳିଲେ ସେଥିରୁ ଜଳ ମିଳିଥାଏ । |
| ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେହି ବୀର ମୁକୁଟମଣି । | ପର ଅଧୀନରେ ରହିଲେ ପ୍ରାଣୀ ଅନେକ ଯନ୍ତ୍ରଣା ପାଏ । |
| ଗିରିପାଷାଣ ଏଡ଼େ କଠିନ ହୋଇ, ଖୋଳିଲେ ତହୁଁ ପୁଣି ଜଳ ଝରଇ । | ଯାହାର ଆତ୍ମ-ନିୟନ୍ତ୍ରଣ ଶକ୍ତି ଥାଏ, ସେ ଶ୍ରେଷ୍ଠବୀର । |
ପଦ୍ୟାଂଶ ଉପରେ ଆଲୋଚନା
ତଳେ ଦିଆଯାଇଥିବା ପଦ ଦୁଇଟି ସଂପର୍କରେ ଦଳରେ ଆଲୋଚନା କର । ଯେଉଁ ଭାବାର୍ଥ ପାଇଲ ନିଜ ଖାତାରେ ଲେଖ । (କ) “ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ଯ ହୋଇପାରେ ସାଧ୍ଯ ଭୂତଳେ ।” (ଖ) “ଥିଲେ ହେଁ ପୂରି ରୂପ, ରଙ୍ଗ ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ ।”
ଚିନ୍ତା କରିବା
୧. (କ) କବିତାକୁ ଧ୍ଯାନଦେଇ ପଢ଼ । ନିମ୍ନରେ ଦିଆଯାଇଥିବା ପଦଗୁଡ଼ିକ ଉପରେ ଆଲୋଚନା କରି ସୂଚନା ଅନୁସାରେ କାର୍ଯ୍ୟକର । “ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରିଥାଏ, ଅଙ୍କୁଶ ବାଡ଼ି ।”
କବିତାରେ ‘ପରାଏ’ ଶବ୍ଦ ବ୍ୟବହାର କରାଯାଇଛି । ‘ପରାଏ’ ବଦଳରେ ଆମେ ‘ପ୍ରାୟ’ ଶବ୍ଦ ବ୍ୟବହାର କରିପାରିବା । ଏହିପରି କବିତାରେ ‘କଳସେ’, ‘ବନ୍ଧନେ’, ‘ଜୀବନେ’ ଆଦି ଶବ୍ଦ ମଧ୍ଯ ପ୍ରୟୋଗ କରାଯାଇଛି । ଏହିପରି କାହିଁକି ହୋଇଛି ସାଙ୍ଗମାନଙ୍କ ସହିତ ଆଲୋଚନା କର ।
(ଖ) ଉପର ନୀତିବଚନ ପଦଟିରେ ହାତୀର ଉଦାହରଣ ଦେଲାବେଳେ ‘ଅଙ୍କୁଶ’ ଶବ୍ଦ ବ୍ୟବହାର ହୋଇଛି । ତୁମେ ‘ଅଙ୍କୁଶ’ ଶବ୍ଦ ପରିବର୍ତ୍ତେ ଅନ୍ୟ ଶବ୍ଦ ମଧ୍ୟ ବ୍ୟବହାର କରିପାରିବ । ଯେଉଁ ଶବ୍ଦଟି ବ୍ୟବହାର କରିବାକୁ ଯାଉଛି, ତା’ର ପ୍ରୟୋଗର ତାତ୍ପର୍ଯ୍ୟ ବୁଝାଅ ।
୨. “ଥିଲେ ହେଁ ପୂରି, ରୂପ, ରଙ୍ଗ, ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ । ମହକ ଯେଣୁ ତା’ର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି ।”
ପ୍ରକୃତି ମାଧ୍ଯମରେ ମଣିଷର କେଉଁ ମାନବୀୟଗୁଣଗୁଡିକ ବିଷୟରେ କୁହାଯାଇଛି ? ପ୍ରକୃତିଠାରୁ ଆମେ କେଉଁସବୁ ଗୁଣ ଶିଖିପାରିବା, ଚିନ୍ତାକରି ଲେଖ ।
ଶବ୍ଦର ରୂପ
ଆସ, ଶବ୍ଦମାନଙ୍କର ନୂଆ ନୂଆ ରୂପ ଜାଣିବା ଓ ସେଗୁଡ଼ିକୁ ବୁଝିବା ।
ଶବ୍ଦ ସମ୍ଭାର
ନିମ୍ନଲିଖିତ ଶବ୍ଦଗୁଡ଼ିକୁ ନିଜ ଭାଷାରେ ଲେଖ ।
| ଶବ୍ଦ | ମାତୃଭାଷାରେ ସମାନାର୍ଥକ ଶବ୍ଦ |
|---|---|
| ପାଷାଣ | |
| ରୁଧିର | |
| କମଳ | |
| ଭେକ | |
| ସମର | |
| କୁସୁମ | |
| ସୁଧା |
ଶବ୍ଦ ଏକ ଅର୍ଥ ଅନେକ
“ପର ଅଧୀନ ରହେ ହୋଇ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି ।”
ଉପଯୁକ୍ତ ପଦ୍ୟାଂଶରେ ଥିବା ‘ପର’ ଶବ୍ଦର ଅର୍ଥ ‘ଅନ୍ୟ’ । ସେହିଭଳି ଏହାର ଅନ୍ୟଅର୍ଥ ‘ପକ୍ଷୀର ପର’ । ଏହିଭଳି କିଛି ଶବ୍ଦ ତଳେ ଦିଆଯାଇଛି । ସେମାନଙ୍କର ଦୁଇଟି ଲେଖାଏଁ ଅର୍ଥ ବାହାର କର । ଏଥିପାଇଁ ତୁମେ ଶବ୍ଦକୋଷ (ଅଭିଧାନ), ଇଣ୍ଟରନେଟ୍, ଅଭିଭାବକ ବା ଶିକ୍ଷକଙ୍କ ସାହାଯ୍ୟ ନେଇପାରିବ ।
-
ନୀତି
-
କର
-
ପୁର
-
ବାସ
-
ଜୀବନ
ଗୋଟିଏ ଶବ୍ଦରେ ପ୍ରକାଶ କର
ଆମେ ଗୋଟିଏ ଶବ୍ଦକୁ ଭଲକରି ବୁଝାଇବାପାଇଁ, ଖଣ୍ଡବାକ୍ୟ ପ୍ରୟୋଗ କରିଥାଉ । ଯେପରି – ‘ଯାହାକୁ ଖାଇବାଦ୍ବାରା ମୃତ୍ୟୁ ହୁଏ ନାହିଁ’ ‘ଅମୃତ’ । ସେହିଭଳି ‘କ’ ସ୍ତମ୍ଭରେ ସ୍ଥାନିତ ଖଣ୍ଡବାକ୍ୟର ଠିକ୍ ଶବ୍ଦ ‘ଖ’ ସ୍ତମ୍ଭରୁ ବାଛି ଲେଖ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ହାତୀକୁ ଆୟତ୍ତ କରିବା ନିମିତ୍ତ ବାଡ଼ି । | ପରାଧୀନ |
| ନୂଆ କଥା ଜାଣିବାପାଇଁ ଅବିରାମ ଚେଷ୍ଟା ବା ପରିଶ୍ରମ । | ଅଙ୍କୁଶ |
| ଯେଉଁ ବ୍ଯକ୍ତିର ଦୁଷ୍ଟ ବା ଖରାପ ବୁଦ୍ଧିଥାଏ । | ଅଧ୍ଯବସାୟ |
| ଯେ ପରର ଅଧୀନରେ ଥାଏ | ମନ୍ଦମତି |
ପାଦ ପୂରଣ କର
‘ନୀତି–ବଚନ’ କବିତାର ଗୋଟିଏ ଗୋଟିଏ ପଦର ପ୍ରଥମ ପାଦଟି ଲେଖାଯାଇଛି । ଦ୍ଵିତୀୟ ପାଦଟି କ’ଣ ହେବ, ଖାଲି ସ୍ଥାନରେ ଲେଖ ।
ଗିରିପାଷାଣ ଏଡ଼େ କଠିନ ହୋଇ,
ସାଧୁଜନର ପୁଣ୍ୟ ସଦୁପଯୋଗ,
ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି,
ପାଠ ବାହାରୁ
ତୁମକଥା
“ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ଯ ହୋଇପାରେ ସାଧ୍ଯ ଭୂତଳେ ।”
ଏହାର ଭାବାର୍ଥ ହେଲା ଉଦ୍ୟମ, ଯତ୍ନ ଓ ଅଧ୍ୟବସାୟ ବଳରେ ମଣିଷ ଅସାଧ୍ୟକୁ ସାଧନ କରିପାରେ । ଯଦି ଜଣେ ନିଜର ପ୍ରଚେଷ୍ଟା ଜାରି ରଖିବ, ତା’ହେଲେ ଯେତେ କଷ୍ଟ ହେଲେ ମଧ୍ୟ ସେହି କାର୍ଯ୍ୟଟି ଦିନେ ନା ଦିନେ ସଫଳ ହେବ । ଏଣୁ କୌଣସି କାର୍ଯ୍ୟ ଏ ଧରାଧାମରେ ଅସାଧ୍ୟ ନୁହେଁ ବୋଲି କବି କହିଛନ୍ତି । କବିତାରୁ ବା କବିତା ବାହାରୁ ଏହିଭଳି ତୁମ ମନପସନ୍ଦର ଗୋଟିଏ ନୀତିବଚନ ନେଇ ତା’ର ଭାବାର୍ଥ ଲେଖ ।
ଗୀତ ଶୁଣିବା ଓ ଶୁଣାଇବା
-
ତୁମେ ଟିଭି, ରେଡ଼ିଓ, ମୋବାଇଲ୍ ଇତ୍ୟାଦିରୁ ଜଗନ୍ନାଥ ଦାସ, ବଳରାମ ଦାସ, ଭୀମଭୋଇ ଆଦି ସନ୍ଥଙ୍କ ନୀତିବାଣୀ ଅନେକ ଥର ଶୁଣିଥିବ । ଶ୍ରେଣୀରେ ମଧ୍ଯ ନୀତିବଚନ କବିତାକୁ ଆବୃତ୍ତି କରିଥିବ ।
-
ଏବେ ତୁମେ ମୋବାଇଲରେ ଏହିଭଳି କିଛି ବାଣୀ ଖୋଜ, ତା’କୁ ଗାଇ ରେକର୍ଡ଼ିଙ୍ଗ୍ କର । ଯଦି ସମ୍ଭବ, ଏଥିପାଇଁ ବାଦ୍ୟଯନ୍ତ୍ର ବ୍ୟବହାର କରିପାରିବ । ଆବଶ୍ୟକ ହେଲେ ସାଙ୍ଗ, ଅଭିଭାବକ, ଶିକ୍ଷକ ଆଦିଙ୍କ ସହାୟତା ମଧ୍ୟ ନେଇପାରିବ । ଗୀତ ରେକର୍ଡ଼ିଙ୍ଗ୍ ପରେ ଶ୍ରେଣୀରେ ଓ ଶ୍ରେଣୀ ବାହାରେ ରେକର୍ଡିଙ୍ଗ୍ଟିକୁ ଶୁଣାଅ ।
-
ଗୀତ-ବଚନକୁ ଆଧାର କରି ଶ୍ରେଣୀ ପ୍ରକୋଷ୍ଠରେ ଅନ୍ତାକ୍ଷରୀ ଖେଳ ।
ଆଜିର ଧନ୍ଦା
୧. “ଦୁଇ ଅକ୍ଷରିଆ ଜିନିଷ ମୁହିଁ, ଖାଇବା ଦରବ ନାମଟି ବହି । ‘ଉ’କାରଟିଏ ଯୋଡ଼ିଲେ ସେଥି, ବସି ଖେଳୁଥିବେ ଚାରୋଟି ସାଥୀ । ଜାଣିଛ ଯଦି କୁହରେ ଭାଇ, ମୋ ନାମ ମୁଁ କହିବି ନାହିଁ ।”
୨. “ଗୋଟିଏ ଦୁର୍ଗର ଦୁଇଟି ଦ୍ଵାର, ଭିତରେ ଅନେକ ଚଉକିଦାର । ସଭିଏଁ ମୁଣ୍ଡରେ ଟୋପି ପିନ୍ଧନ୍ତି, ଚୁପ୍ ଚାପ୍ ସେଠି ଜଗି ରହନ୍ତି। ଦୁର୍ଗ କାନ୍ଥ ଯେବେ ଘଷି ହୋଇବ, ସାରା ସଂସାରକୁ ଜାଳି ସେ ଦେବ ।”
ଅନୁସନ୍ଧାନ କରିବା
ଓଡ଼ିଆ ସାହିତ୍ୟରେ ବିଭିନ୍ନ କବିଙ୍କର ଅନେକ ନୀତିବାଣୀ ରହିଛି, ଯଥା – ‘ଓଡ଼ିଆ ଭାଗବତ’, ‘ଦାଣ୍ଡି ରାମାୟଣ’, ‘ସ୍ତୁତି ଚିନ୍ତାମଣି’, ‘ଓଲଟ ଚଉତିଶା’ ଇତ୍ୟାଦି । ସେଗୁଡ଼ିକୁ ଲାଇବ୍ରେରୀ କିମ୍ବା ଇଣ୍ଟରନେଟ୍ରୁ ଖୋଜି ବାହାର କର ଓ ସେଥିରେ ଥିବା କେତେକ ନୀତିବାଣୀକୁ ଖାତାରେ ଲେଖ ।