[ଚିତ୍ର: ପ୍ରାକୃତିକ ପରିବେଶରେ ପାହାଡ଼ ତଳେ ଜଣେ ଗୁରୁ ବା ଶିକ୍ଷକଙ୍କ ପାଖରେ କିଛି ପିଲା ବସି ଶିକ୍ଷା ଗ୍ରହଣ କରୁଛନ୍ତି |]

[ଚିତ୍ର: ପାହାଡ଼, ଗଛଲତା ଓ ପଥର ମଧ୍ୟଦେଇ ଏକ ଝରଣା ବୋହି ଯାଉଛି |]

[ଚିତ୍ର: ଜଣେ ମାହୁନ୍ତ ହାତରେ ଅଙ୍କୁଶ ଧରି ହାତୀ ଉପରେ ବସିଛନ୍ତି |]

ନୀତିବଚନ

ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ଯ ହୋଇପାରେ ସାଧ୍ଯ ଭୂତଳେ ।

ଗିରିପାଷାଣ ଏଡ଼େ କଠିନ ହୋଇ, ଖୋଳିଲେ ତହୁଁ ପୁଣି ଜଳ ଝରଇ ।

ଥିଲେ ହେଁ ମାତୃସ୍ତନ ଅମୃତେ ପୂରି, ଜୋକ ପିଅଇ ତହୁଁ ରୁଧିର ଚିରି ।

ତେସନେ ମନ୍ଦମତି ସର୍ବଦା ଖଳ, ଗୁଣ ନ ଦେଖି ବାଛେ ଦୋଷ କେବଳ ।

ସାଧୁଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତା’ର ମରମ ଲେଶ ।

କମଳ ବାସ ଯଥା ସୁମନୋହର, ଭେକ କି ବୁଝେ କେବେ ସୁଗନ୍ଧ ତା’ର ?

ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି ଜାଣି ।

ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରିଥାଏ ଅଙ୍କୁଶ ବାଡ଼ି ।

[ଚିତ୍ର: ଜଣେ ବୀର ବା ରାଜା ଘୋଡ଼ାରେ ବସି ଯାଉଛନ୍ତି ଏବଂ ତାଙ୍କୁ ସ୍ଵାଗତ କରିବା ପାଇଁ ଲୋକମାନେ ବାଦ୍ୟଯନ୍ତ୍ର ବଜାଉଛନ୍ତି ଓ ରାସ୍ତାରେ ଛିଡ଼ା ହୋଇଛନ୍ତି |]

[ଚିତ୍ର: ଫୁଲ ଫୁଟିଥିବା ଏକ ସୁନ୍ଦର ଗଛ |]

ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି, ବୀର ସମର ଜିଣି ରଖେ କୀରତି ।

ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେହି ବୀର-ମୁକୁଟମଣି ।

ଥିଲେ ହେଁ ପୂରି ରୂପ, ରଙ୍ଗ, ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ ?

ମହକ ଯେଣୁ ତା’ର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି ।

କୋଟିଏ ଗୁଣ ମଧେ ଗୋଟିଏ ଦୋଷ, ସୁଧା କଳସେ ବିଷ ବିନ୍ଦୁ-ସଦୃଶ ।

ରାମକୃଷ୍ଣ ନନ୍ଦ

[ଚିତ୍ର: କବି ରାମକୃଷ୍ଣ ନନ୍ଦଙ୍କର ଏକ ଫଟୋଚିତ୍ର |]

କବି ପରିଚୟ

ରାମକୃଷ୍ଣ ନନ୍ଦ (୧୯୦୬-୧୯୯୪)

ରାମକୃଷ୍ଣ ନନ୍ଦଙ୍କ ଜନ୍ମ କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ ହୋଇଥିଲା । ସେ ଜଣେ ବିଶିଷ୍ଟ ଶିଶୁସାହିତ୍ୟିକ ଓ ପାଠ୍ୟପୁସ୍ତକ ରଚୟିତା । ‘ଆହେ ଦୟାମୟ ବିଶ୍ଵବିହାରୀ’ ପ୍ରାର୍ଥନାଟି ତାଙ୍କଦ୍ୱାରା ରଚିତ । ଏହା ବ୍ୟତୀତ ‘ପ୍ରତିଧ୍ଵନି’, ‘ସଂଗ୍ରାମ ଓ ସାଧନା’, ‘ବିଜ୍ଞାନ କୁହୁକ’, ‘ଜୀବନ ତରଙ୍ଗ’, ‘ସୁନାପାହାଚ’, ‘ଝୁମୁକା’ ଆଦି ପୁସ୍ତକ ରଚନା କରିଥିଲେ । ‘ଝୁମୁକା’ କବିତା ସଂକଳନପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ । ‘ନୀତି-ବଚନ’ କବିତାଟି ‘ଝୁମୁକା’ କବିତା ସଂକଳନରୁ ଆନୀତ ।

ପାଠ ଅନ୍ତର୍ଗତ

ମୋ ବୁଝିବାରେ

ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।

(୧) “ସାଧୁଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତା’ର ମରମ ଲେଶ ।” ଏହାର ଭାବାର୍ଥ :- (କ) ସାଧୁଜନଙ୍କର ଲେଶ ମାତ୍ର ଜ୍ଞାନ ନାହିଁ । (ଖ) ସାଧୁଜନଙ୍କର ହିତୋପଦେଶ ମୂର୍ଖ ବୁଝିପାରେ ନାହିଁ । (ଗ) ସାଧୁମାନେ ଉପଦେଶ ଦିଅନ୍ତି ନାହିଁ । (ଘ) ସାଧୁଙ୍କ ଉପଦେଶର ମୂଲ୍ୟ ନାହିଁ ।

(୨) “କୋଟିଏ ଗୁଣ ମଧେ ଗୋଟିଏ ଦୋଷ ସୁଧା କଳସେ ବିଷ ବିନ୍ଦୁ ସଦୃଶ ।” ଏଠାରେ ଭଲ ଗୁଣକୁ କାହା ସହିତ ତୁଳନା କରାଯାଇଛି ? (କ) କଳସ (ଖ) ବିଷକଳସ (ଗ) ବିଷ–ଅମୃତ କଳସ (ଘ) ସୁଧା କଳସ (ଖ) ତୁମେ ଏହି ଉତ୍ତରଟି କାହିଁକି ବାଛିଲ, ତା’ର କାରଣ ସାଙ୍ଗମାନଙ୍କ ସହ ଆଲୋଚନା କର ।

ମିଳିମିଶି ଯୋଡ଼ିବା

କବିତାର କେତୋଟି ପଦ ‘କ’ ସ୍ତମ୍ଭରେ ଓ ଭାବାର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ପଦଗୁଡ଼ିକୁ ତା’ର ଭାବାର୍ଥ ସହ ଯୋଡ଼ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି ।କଠିନ ପଥରରେ ପାହାଡ଼ ଖୋଳିଲେ ସେଥିରୁ ଜଳ ମିଳିଥାଏ ।
ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେହି ବୀର ମୁକୁଟମଣି ।ପର ଅଧୀନରେ ରହିଲେ ପ୍ରାଣୀ ଅନେକ ଯନ୍ତ୍ରଣା ପାଏ ।
ଗିରିପାଷାଣ ଏଡ଼େ କଠିନ ହୋଇ, ଖୋଳିଲେ ତହୁଁ ପୁଣି ଜଳ ଝରଇ ।ଯାହାର ଆତ୍ମ-ନିୟନ୍ତ୍ରଣ ଶକ୍ତି ଥାଏ, ସେ ଶ୍ରେଷ୍ଠବୀର ।

ପଦ୍ୟାଂଶ ଉପରେ ଆଲୋଚନା

ତଳେ ଦିଆଯାଇଥିବା ପଦ ଦୁଇଟି ସଂପର୍କରେ ଦଳରେ ଆଲୋଚନା କର । ଯେଉଁ ଭାବାର୍ଥ ପାଇଲ ନିଜ ଖାତାରେ ଲେଖ । (କ) “ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ଯ ହୋଇପାରେ ସାଧ୍ଯ ଭୂତଳେ ।” (ଖ) “ଥିଲେ ହେଁ ପୂରି ରୂପ, ରଙ୍ଗ ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ ।”

ଚିନ୍ତା କରିବା

୧. (କ) କବିତାକୁ ଧ୍ଯାନଦେଇ ପଢ଼ । ନିମ୍ନରେ ଦିଆଯାଇଥିବା ପଦଗୁଡ଼ିକ ଉପରେ ଆଲୋଚନା କରି ସୂଚନା ଅନୁସାରେ କାର୍ଯ୍ୟକର । “ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରିଥାଏ, ଅଙ୍କୁଶ ବାଡ଼ି ।”

କବିତାରେ ‘ପରାଏ’ ଶବ୍ଦ ବ୍ୟବହାର କରାଯାଇଛି । ‘ପରାଏ’ ବଦଳରେ ଆମେ ‘ପ୍ରାୟ’ ଶବ୍ଦ ବ୍ୟବହାର କରିପାରିବା । ଏହିପରି କବିତାରେ ‘କଳସେ’, ‘ବନ୍ଧନେ’, ‘ଜୀବନେ’ ଆଦି ଶବ୍ଦ ମଧ୍ଯ ପ୍ରୟୋଗ କରାଯାଇଛି । ଏହିପରି କାହିଁକି ହୋଇଛି ସାଙ୍ଗମାନଙ୍କ ସହିତ ଆଲୋଚନା କର ।

(ଖ) ଉପର ନୀତିବଚନ ପଦଟିରେ ହାତୀର ଉଦାହରଣ ଦେଲାବେଳେ ‘ଅଙ୍କୁଶ’ ଶବ୍ଦ ବ୍ୟବହାର ହୋଇଛି । ତୁମେ ‘ଅଙ୍କୁଶ’ ଶବ୍ଦ ପରିବର୍ତ୍ତେ ଅନ୍ୟ ଶବ୍ଦ ମଧ୍ୟ ବ୍ୟବହାର କରିପାରିବ । ଯେଉଁ ଶବ୍ଦଟି ବ୍ୟବହାର କରିବାକୁ ଯାଉଛି, ତା’ର ପ୍ରୟୋଗର ତାତ୍ପର୍ଯ୍ୟ ବୁଝାଅ ।

୨. “ଥିଲେ ହେଁ ପୂରି, ରୂପ, ରଙ୍ଗ, ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବସେ । ମହକ ଯେଣୁ ତା’ର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି ।”

ପ୍ରକୃତି ମାଧ୍ଯମରେ ମଣିଷର କେଉଁ ମାନବୀୟଗୁଣ‌ଗୁଡିକ ବିଷୟରେ କୁହାଯାଇଛି ? ପ୍ରକୃତିଠାରୁ ଆମେ କେଉଁସବୁ ଗୁଣ ଶିଖିପାରିବା, ଚିନ୍ତାକରି ଲେଖ ।

ଶବ୍ଦର ରୂପ

ଆସ, ଶବ୍ଦମାନଙ୍କର ନୂଆ ନୂଆ ରୂପ ଜାଣିବା ଓ ସେଗୁଡ଼ିକୁ ବୁଝିବା ।

ଶବ୍ଦ ସମ୍ଭାର

ନିମ୍ନଲିଖିତ ଶବ୍ଦଗୁଡ଼ିକୁ ନିଜ ଭାଷାରେ ଲେଖ ।

ଶବ୍ଦମାତୃଭାଷାରେ ସମାନାର୍ଥକ ଶବ୍ଦ
ପାଷାଣ
ରୁଧିର
କମଳ
ଭେକ
ସମର
କୁସୁମ
ସୁଧା

ଶବ୍ଦ ଏକ ଅର୍ଥ ଅନେକ

“ପର ଅଧୀନ ରହେ ହୋଇ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି ।”

ଉପଯୁକ୍ତ ପଦ୍ୟାଂଶରେ ଥିବା ‘ପର’ ଶବ୍ଦର ଅର୍ଥ ‘ଅନ୍ୟ’ । ସେହିଭଳି ଏହାର ଅନ୍ୟଅର୍ଥ ‘ପକ୍ଷୀର ପର’ । ଏହିଭଳି କିଛି ଶବ୍ଦ ତଳେ ଦିଆଯାଇଛି । ସେମାନଙ୍କର ଦୁଇଟି ଲେଖାଏଁ ଅର୍ଥ ବାହାର କର । ଏଥିପାଇଁ ତୁମେ ଶବ୍ଦକୋଷ (ଅଭିଧାନ), ଇଣ୍ଟରନେଟ୍, ଅଭିଭାବକ ବା ଶିକ୍ଷକଙ୍କ ସାହାଯ୍ୟ ନେଇପାରିବ ।

  • ନୀତି

  • କର

  • ପୁର

  • ବାସ

  • ଜୀବନ

ଗୋଟିଏ ଶବ୍ଦରେ ପ୍ରକାଶ କର

ଆମେ ଗୋଟିଏ ଶବ୍ଦକୁ ଭଲକରି ବୁଝାଇବାପାଇଁ, ଖଣ୍ଡବାକ୍ୟ ପ୍ରୟୋଗ କରିଥାଉ । ଯେପରି – ‘ଯାହାକୁ ଖାଇବାଦ୍ବାରା ମୃତ୍ୟୁ ହୁଏ ନାହିଁ’ ‘ଅମୃତ’ । ସେହିଭଳି ‘କ’ ସ୍ତମ୍ଭରେ ସ୍ଥାନିତ ଖଣ୍ଡବାକ୍ୟର ଠିକ୍ ଶବ୍ଦ ‘ଖ’ ସ୍ତମ୍ଭରୁ ବାଛି ଲେଖ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
ହାତୀକୁ ଆୟତ୍ତ କରିବା ନିମିତ୍ତ ବାଡ଼ି ।ପରାଧୀନ
ନୂଆ କଥା ଜାଣିବାପାଇଁ ଅବିରାମ ଚେଷ୍ଟା ବା ପରିଶ୍ରମ ।ଅଙ୍କୁଶ
ଯେଉଁ ବ୍ଯକ୍ତିର ଦୁଷ୍ଟ ବା ଖରାପ ବୁଦ୍ଧିଥାଏ ।ଅଧ୍ଯବସାୟ
ଯେ ପରର ଅଧୀନରେ ଥାଏମନ୍ଦମତି

ପାଦ ପୂରଣ କର

‘ନୀତି–ବଚନ’ କବିତାର ଗୋଟିଏ ଗୋଟିଏ ପଦର ପ୍ରଥମ ପାଦଟି ଲେଖାଯାଇଛି । ଦ୍ଵିତୀୟ ପାଦଟି କ’ଣ ହେବ, ଖାଲି ସ୍ଥାନରେ ଲେଖ ।

ଗିରିପାଷାଣ ଏଡ଼େ କଠିନ ହୋଇ,

ସାଧୁଜନର ପୁଣ୍ୟ ସଦୁପଯୋଗ,

ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି,

ପାଠ ବାହାରୁ

ତୁମକଥା

“ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳେ, ଅସାଧ୍ଯ ହୋଇପାରେ ସାଧ୍ଯ ଭୂତଳେ ।”

ଏହାର ଭାବାର୍ଥ ହେଲା ଉଦ୍ୟମ, ଯତ୍ନ ଓ ଅଧ୍ୟବସାୟ ବଳରେ ମଣିଷ ଅସାଧ୍ୟକୁ ସାଧନ କରିପାରେ । ଯଦି ଜଣେ ନିଜର ପ୍ରଚେଷ୍ଟା ଜାରି ରଖିବ, ତା’ହେଲେ ଯେତେ କଷ୍ଟ ହେଲେ ମଧ୍ୟ ସେହି କାର୍ଯ୍ୟଟି ଦିନେ ନା ଦିନେ ସଫଳ ହେବ । ଏଣୁ କୌଣସି କାର୍ଯ୍ୟ ଏ ଧରାଧାମରେ ଅସାଧ୍ୟ ନୁହେଁ ବୋଲି କବି କହିଛନ୍ତି । କବିତାରୁ ବା କବିତା ବାହାରୁ ଏହିଭଳି ତୁମ ମନପସନ୍ଦର ଗୋଟିଏ ନୀତିବଚନ ନେଇ ତା’ର ଭାବାର୍ଥ ଲେଖ ।

ଗୀତ ଶୁଣିବା ଓ ଶୁଣାଇବା

  • ତୁମେ ଟିଭି, ରେଡ଼ିଓ, ମୋବାଇଲ୍ ଇତ୍ୟାଦିରୁ ଜଗନ୍ନାଥ ଦାସ, ବଳରାମ ଦାସ, ଭୀମଭୋଇ ଆଦି ସନ୍ଥଙ୍କ ନୀତିବାଣୀ ଅନେକ ଥର ଶୁଣିଥିବ । ଶ୍ରେଣୀରେ ମଧ୍ଯ ନୀତିବଚନ କବିତାକୁ ଆବୃତ୍ତି କରିଥିବ ।

  • ଏବେ ତୁମେ ମୋବାଇଲରେ ଏହିଭଳି କିଛି ବାଣୀ ଖୋଜ, ତା’କୁ ଗାଇ ରେକର୍ଡ଼ିଙ୍ଗ୍ କର । ଯଦି ସମ୍ଭବ, ଏଥିପାଇଁ ବାଦ୍ୟଯନ୍ତ୍ର ବ୍ୟବହାର କରିପାରିବ । ଆବଶ୍ୟକ ହେଲେ ସାଙ୍ଗ, ଅଭିଭାବକ, ଶିକ୍ଷକ ଆଦିଙ୍କ ସହାୟତା ମଧ୍ୟ ନେଇପାରିବ । ଗୀତ ରେକର୍ଡ଼ିଙ୍ଗ୍ ପରେ ଶ୍ରେଣୀରେ ଓ ଶ୍ରେଣୀ ବାହାରେ ରେକର୍ଡିଙ୍ଗ୍‌ଟିକୁ ଶୁଣାଅ ।

  • ଗୀତ-ବଚନକୁ ଆଧାର କରି ଶ୍ରେଣୀ ପ୍ରକୋଷ୍ଠରେ ଅନ୍ତାକ୍ଷରୀ ଖେଳ ।

ଆଜିର ଧନ୍ଦା

୧. “ଦୁଇ ଅକ୍ଷରିଆ ଜିନିଷ ମୁହିଁ, ଖାଇବା ଦରବ ନାମଟି ବହି । ‘ଉ’କାରଟିଏ ଯୋଡ଼ିଲେ ସେଥି, ବସି ଖେଳୁଥିବେ ଚାରୋଟି ସାଥୀ । ଜାଣିଛ ଯଦି କୁହରେ ଭାଇ, ମୋ ନାମ ମୁଁ କହିବି ନାହିଁ ।”

୨. “ଗୋଟିଏ ଦୁର୍ଗର ଦୁଇଟି ଦ୍ଵାର, ଭିତରେ ଅନେକ ଚଉକିଦାର । ସଭିଏଁ ମୁଣ୍ଡରେ ଟୋପି ପିନ୍ଧନ୍ତି, ଚୁପ୍ ଚାପ୍ ସେଠି ଜଗି ରହନ୍ତି। ଦୁର୍ଗ କାନ୍ଥ ଯେବେ ଘଷି ହୋଇବ, ସାରା ସଂସାରକୁ ଜାଳି ସେ ଦେବ ।”

ଅନୁସନ୍ଧାନ କରିବା

ଓଡ଼ିଆ ସାହିତ୍ୟରେ ବିଭିନ୍ନ କବିଙ୍କର ଅନେକ ନୀତିବାଣୀ ରହିଛି, ଯଥା – ‘ଓଡ଼ିଆ ଭାଗବତ’, ‘ଦାଣ୍ଡି ରାମାୟଣ’, ‘ସ୍ତୁତି ଚିନ୍ତାମଣି’, ‘ଓଲଟ ଚଉତିଶା’ ଇତ୍ୟାଦି । ସେଗୁଡ଼ିକୁ ଲାଇବ୍ରେରୀ କିମ୍ବା ଇଣ୍ଟରନେଟ୍‌ରୁ ଖୋଜି ବାହାର କର ଓ ସେଥିରେ ଥିବା କେତେକ ନୀତିବାଣୀକୁ ଖାତାରେ ଲେଖ ।

ନୀତି-ବଚନ Textbook — ସାହିତ୍ୟସୁଧା · ଷଷ୍ଠ ଶ୍ରେଣୀ · Panchapadi (Teacher)