‘ନୀତି-ବଚନ’ କବିତାଟି ବିଶିଷ୍ଟ ଶିଶୁସାହିତ୍ୟିକ କବି ରାମକୃଷ୍ଣ ନନ୍ଦଙ୍କ ରଚିତ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବିତା ସଂକଳନ ‘ଝୁମୁକା’ରୁ ଆନୀତ ହୋଇଛି । ଏହି କବିତାରେ କବି ସରଳ ଭାଷାରେ ପ୍ରାକୃତିକ ଦୃଷ୍ଟାନ୍ତ ମାଧ୍ୟମରେ ମାନବ ଜୀବନ ପାଇଁ କେତେକ ଅତ୍ୟନ୍ତ ମୂଲ୍ୟବାନ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।

କବିଙ୍କ ମତରେ ଯତ୍ନ, ଅଧ୍ୟବସାୟ ଓ ନିରନ୍ତର ଉଦ୍ୟମ ବଳରେ ଏହି ଧରାପୃଷ୍ଠରେ ଯେକୌଣସି ଅସାଧ୍ୟ କାର୍ଯ୍ୟ ସାଧ୍ୟ ହୋଇପାରେ । ଯେପରି ଅତ୍ୟନ୍ତ କଠିନ ପାହାଡ଼ ବା ପଥରକୁ ଖୋଳିଲେ ସେଥିରୁ ନିର୍ମଳ ଜଳ ଝରିଥାଏ, ସେହିପରି ଦୃଢ଼ ଚେଷ୍ଟା ଦ୍ୱାରା ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ । କିନ୍ତୁ ଖଳ ବା ମନ୍ଦମତି ବ୍ୟକ୍ତି ସର୍ବଦା ଅନ୍ୟର ଦୋଷ ହିଁ ଖୋଜିଥାଏ; ଯେପରି ମାତୃସ୍ତନରେ ଅମୃତ ଥାଇ ମଧ୍ୟ ଜୋକ କେବଳ ରକ୍ତ ଶୋଷି ପିଇଥାଏ । ସେହିପରି ପଦ୍ମଫୁଲର ସୁମନୋହର ବାସନାକୁ ନିକଟରେ ଥିବା ବେଙ୍ଗ ନ ବୁଝିଲା ପରି, ଜଣେ ମୂର୍ଖ ଲୋକ ସାଧୁଜନଙ୍କ ପବିତ୍ର ସଦୁପଦେଶର ମର୍ମ କେବେ ବୁଝିପାରେ ନାହିଁ ।

କବିତାରେ ପରାଧୀନତାର କଷ୍ଟ ବର୍ଣ୍ଣନା କରି କୁହାଯାଇଛି ଯେ, ପର ଅଧୀନରେ ରହୁଥିବା ପ୍ରାଣୀ ଅସରନ୍ତି ଯାତନା ପାଏ । ହାତୀ ପରି ବିଶାଳ ଓ ଶକ୍ତିଶାଳୀ ଜନ୍ତୁ ମଧ୍ୟ ବନ୍ଧନରେ ପଡ଼ି ମାହୁନ୍ତର ଛୋଟ ଅଙ୍କୁଶ ବାଡ଼ିକୁ ଭୟ କରି ଚଳେ । ସାଧାରଣତଃ ରାଜା ଦେଶ ଜୟ କରି ଏବଂ ବୀର ଯୁଦ୍ଧ ଜୟ କରି ଖ୍ୟାତି ପାଆନ୍ତି; କିନ୍ତୁ ଯେଉଁ ବ୍ୟକ୍ତି ନିଜ ମନ ଓ ହୃଦୟକୁ ଜୟ କରିପାରେ, ସେ ହିଁ ସଂସାରର ଶ୍ରେଷ୍ଠ ବୀର ଅଟେ । ଶେଷରେ କବି ସତର୍କ କରାଇ ଦେଇଛନ୍ତି ଯେ, ଚମ୍ପାଫୁଲରେ ରୂପ ଓ ସୁବାସ ଥିଲେ ମଧ୍ୟ ଉତ୍କଟ ମହକ ଯୋଗୁଁ ସେଥିରେ ଭ୍ରମର ବସେ ନାହିଁ । ସେହିପରି ଅମୃତ କଳସରେ ଟୋପାଏ ବିଷ ପଡ଼ିଲେ ତାହା ସବୁ ନଷ୍ଟ କରିଦେଲା ଭଳି, ମଣିଷ ପାଖରେ କୋଟିଏ ଭଲ ଗୁଣ ଥାଇ ଗୋଟିଏ ହେଲେ ଦୋଷ ରହିଲେ ତା’ର ସମସ୍ତ ସୁନାମ ନଷ୍ଟ ହୋଇଯାଏ । ତେଣୁ ସତ୍ୟ, ପରିଶ୍ରମ ଓ ସଦାଚରଣ ଦ୍ୱାରା ଜୀବନ ଗଠନ କରିବା ଏହି କବିତାର ମୂଳ ଉଦ୍ଦେଶ୍ୟ ଅଟେ ।