[ଚିତ୍ର ବର୍ଣ୍ଣନା: ଭାରତୀୟ ସୈନିକମାନେ ପର୍ବତ ଶିଖରରେ ଠିଆ ହୋଇ ଦେଶର ତ୍ରିରଙ୍ଗା ପତାକା ଉଡ଼ାଉଥିବାର ଛାୟାଚିତ୍ର (Silhouette) ଏବଂ ପାଖରେ ମହାତ୍ମା ଗାନ୍ଧୀଙ୍କର ଏକ ତୈଳଚିତ୍ର ରହିଛି ।]

ମୋ ଜୀବନର ଅଭୁଲାକଥା

୧୯୨୧ ମସିହାରେ ଯେତେବେଳେ ମୁଁ ଚତୁର୍ଥଶ୍ରେଣୀରେ ପଢ଼ୁଥିଲି, ସେତେବେଳେ ମହାତ୍ମା ଗାନ୍ଧିଙ୍କର ଭାରତବ୍ୟାପୀ ସ୍ଵାଧୀନତା ଆନ୍ଦୋଳନର ଆହ୍ୱାନ ଦେଶସାରା ବ୍ୟାପିଗଲା । ପାରଳାଖେମୁଣ୍ଡିରେ ମଧ୍ୟ ସେଥିର ପ୍ରଭାବ ପଡ଼ିଥିଲା । ସମ୍ବଲପୁର ଆଡୁ ଜଣେ ଉତ୍ତମ ବକ୍ତା ଏଠାରେ ଗୋଟିଏ ସଭା କରି ଓଡ଼ିଆରେ ଯେଉଁ ବକ୍ତୃତା ଦେଇଥିଲେ, ତାହା ବହୁ ଯୁବକ ଛାତ୍ରଙ୍କୁ ପ୍ରଭାବିତ କଲା । ସ୍କୁଲ୍ କଲେଜ ଛାଡ଼ି ଅନେକ ଅସହଯୋଗ ଆନ୍ଦୋଳନରେ ଭାଗ ନେଲେ । ଠିକ୍ ସେ ବର୍ଷ ମହାତ୍ମା ଗାନ୍ଧି ନିଜେ ତାଙ୍କର ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ଆସିଥିଲେ । ସେତେବେଳେ ବ୍ରିଟିଶ୍ ସରକାରଙ୍କର କଟକଣା ହେତୁ ସଭା କରିବାକୁ ସ୍ଥାନ ମିଳିଲା ନାହିଁ । ଆମେ ଛାତ୍ରମାନେ ଜୋର୍ କରି ପୁରୁଣା ମାର୍କେଟ ପଡ଼ିଆରେ (ଏବେ ଯେଉଁଠାରେ ମ୍ୟୁନିସିପାଲ୍ ରିଡ଼ିଙ୍ଗ୍ ରୁମ୍ ନିର୍ମିତ ହୋଇଛି) ସଭା କରିବାକୁ ସ୍ଥିର କଲୁ । ହଜାରହଜାର ଲୋକ ମହାତ୍ମାଙ୍କର ବକ୍ତୃତା ଶୁଣିବାକୁ ଆସୁଥାନ୍ତି । ଲୋକଗହଳି ଏତେ ଅଧିକ ହେଲା ଯେ ପୋଲିସ୍ ସମ୍ଭାଳିବାକୁ ଅସମର୍ଥ ହେଲେ । ଆମେ କେତେଜଣ ଛାତ୍ର ଚକ୍ରାକାରରେ ଘେର କରି ହାତକୁ ହାତ ଛନ୍ଦି ମଝିରେ ମହାତ୍ମାଙ୍କୁ ରଖି ସେହି ଜନଗହଳି ଭିତର ଦେଇ ମଞ୍ଚ ଉପରକୁ ନେବାକୁ ଚେଷ୍ଟା କଲୁ । ମୁଁ ଠିକ୍ ତାଙ୍କର ପଛପଟେ ଚାଲିଥାଏ । ମୋ ସାଙ୍ଗକୁ ଆଉ ଦୁଇଜଣ ପିଲା ମଧ୍ୟ ହାତକୁ ହାତ ଛନ୍ଦିଥିଲେ; କିନ୍ତୁ ଜନତାର ଚାପ ଏତେ ପରିମାଣରେ ଆମ ପଛଆଡୁ ପଡ଼ିଲା ଯେ, ମୁଁ ଆଉ ସମ୍ଭାଳି ନ ପାରି ମହାତ୍ମାଙ୍କର ପିଠି ଆଡ଼କୁ ଠେଲି ହୋଇଗଲି । ସେ ମୋ ଆଡ଼େ ଚାହିଁ ସ୍ମିତ ହାସ୍ୟ କରି ହିନ୍ଦୀରେ କହିଲେ, “ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ, ମୋତେ ସମ୍ଭାଳିବୁ କିପରି ?”

[ଚିତ୍ର ବର୍ଣ୍ଣନା: ମହାତ୍ମା ଗାନ୍ଧୀ ଏକ ବିରାଟ ଜନସମୁଦ୍ରକୁ ମଞ୍ଚ ଉପରୁ ସମ୍ବୋଧିତ କରୁଥିବାର ଐତିହାସିକ ଆଲୋକଚିତ୍ର ।]

ଏହା କହି ସେ ଆମ ଘେର ଭିତରୁ ବାହାରିପଡ଼ି କି ଉପାୟରେ କେଜାଣି ଜନତା ଭିତରେ ଗଳିଗଳି ମଞ୍ଚ ଉପରକୁ ଉଠିଲେ, ତାହା ଆମେ ଜାଣିପାରିଲୁ ନାହିଁ । ସେଦିନ ସେ ଯେଉଁ ନାତିଦୀର୍ଘ ଭାଷଣରେ ଜାତୀୟତାର ବୀଜ ଆମମାନଙ୍କ ହୃଦୟରେ ରୋପଣ କଲେ, ତାହା କାଳକ୍ରମେ ଅଙ୍କୁରିତ ହୋଇ ତାଙ୍କର ଆଶୀର୍ବାଦ ତୁଲ୍ୟ ଆମକୁ ଯଥେଷ୍ଟ ପ୍ରଭାବିତ କଲା କହିଲେ ଚଳେ । ସଭାରୁ ଫେରିଆସି ମୁଁ ସ୍କୁଲରୁ ନାମ କାଟି ରାଜନୀତିରେ ମାତିଲି । ଏହା ନନାଙ୍କର ଆଦୌ ସହ୍ୟ ହେଲା ନାହିଁ । ସେ ଏହି ପନ୍ଥାରୁ ମତେ ନିବୃତ୍ତ କଲେ ଆଉ କହିଲେ, “ମନୁଷ୍ୟର ଜ୍ଞାନ ଓ କର୍ମ ଏକା ସ୍ତରରେ ରହିବା ଆବଶ୍ୟକ । ତୁମର ଜ୍ଞାନ ପରିପକ୍ୱ ହେଲେ ଦେଶପାଇଁ କର୍ମ କରିବାକୁ ଶକ୍ତି ପାଇବ । ସେତେବେଳ ଯାଏ ତୁମେ ଅପେକ୍ଷା କରିବା ଆବଶ୍ୟକ ।”

ପିତାଙ୍କର ଏହି ଆଦେଶ ଲଙ୍ଘନ କରିବାକୁ ମୁଁ ସମର୍ଥ ହେଲି ନାହିଁ । ବହୁ ଚିନ୍ତା ପରେ ମୁଁ ସ୍ଥିର କଲି ଯେ, ଭାରତୀୟ ରାଜନୀତିରେ ଯୋଗଦେବାକୁ ହେଲେ ପ୍ରଥମେ ନିଜେ ଓ ନିଜର ଜନ୍ମଭୂମି ଉତ୍କଳକୁ ବଳିଷ୍ଠ କରି ଗଢ଼ିବା ପ୍ରୟୋଜନ । ସେତେବେଳେ ଉତ୍କଳ ସମ୍ମିଳନୀର ନେତୃବର୍ଗ ଓଡ଼ିଆଭାଷୀମାନଙ୍କ ଏକତ୍ରୀକରଣପାଇଁ ଯେଉଁ ଡାକ ଦେଇଥାନ୍ତି ସେଥିରେ ଅନୁପ୍ରାଣିତ ହୋଇ ମୁଁ ସ୍ଥିର କଲି ଯେ, ମୋ ଜୀବନର ପ୍ରଥମ ଲକ୍ଷ୍ୟ ଉତ୍କଳମାତାର ସେବା । ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ । ଉଭୟଙ୍କର ସେବା ମୋର କର୍ତ୍ତବ୍ୟ; କିନ୍ତୁ ସେଥିମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ ଙ୍କର ସେବା । ଏହି କଥା ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଏବଂ ଅନ୍ୟାନ୍ୟ ନେତୃବର୍ଗଙ୍କ ଭାଷଣରେ ପ୍ରକଟିତ ହୋଇଛି । ତାକୁ ମୁଁ ଅନୁସରଣ କରିବା ଉଚିତ୍ । ଏପରି ସ୍ଥିର କରି ମୋ ଜୀବନର ଲକ୍ଷ୍ୟ ସାଧନ ପଥରେ ଅଗ୍ରସର ହେବାକୁ ଲାଗିଲି ।

ଗୋଟିଏ ଦିନର କଥା ଆଜି ମୋର ସ୍ମରଣ ହେଉଛି । ଆମ ଗୃହ ବାରଣ୍ଡାରେ କେତେଜଣ ଛାତ୍ରଙ୍କ ସଙ୍ଗେ ବସି ମୁଁ ଗପସପ କରୁଥାଏ । ସେତିକିବେଳେ ଗୋଟିଏ ଗରିବ ବାଳକ ଛିଣ୍ଡାଲୁଗା ଖଣ୍ଡିଏ ପିନ୍ଧି ମଇଳା ବୁକୁଚାଟିଏ ଧରି ଆମ ନିକଟକୁ ଆସିଲା, ବୋଧେ କିଛି ଭିକ୍ଷା ଆମଠାରୁ ପାଇବା ଆଶାରେ । ପିଲାଟି ଗୌରବର୍ଣ୍ଣ, ସୁସ୍ଥସବଳ; କିନ୍ତୁ ତା’ର ମୁହଁ ଅନାହାରକ୍ଲିଷ୍ଟ ଓ ଶୁଷ୍କ । ତାକୁ ଦେଖି କେଜାଣି କାହିଁକି ମୋ ମନରେ କୌତୂହଳ ହେଲା । ପଚାରିଲି, “ଘର ତୁମର କେଉଁଠି ?” ସେ କହିଲା, “ଖଲ୍ଲିକୋଟ ।”

ମୁଁ – ନାମ ?

ସେ – ବ୍ରହ୍ମଚାରୀ ମୁଇଁ ।

ମୁଁ – ବାପା ମା’ କିଏ ଅଛନ୍ତି ?

ସେ – ମୋର କେହି ନାହାନ୍ତି । ବୁଢ଼ୀ ମା’ ଥିଲେ, ମରିଗଲେ ।

ମୁଁ – ଅନାଥ ଭିକାରି ! ତୁମ ବୟସ ?

ସେ – ବାରବର୍ଷ

ମୁଁ – ଆଚ୍ଛା ଆମେ ଯଦି ସବୁ ପ୍ରକାର ସାହାଯ୍ୟ କରୁ, ତୁମେ ପାଠ ପଢ଼ିବ ?

ଏହା ଶୁଣି ତା’ର ମୁହଁ ଉତ୍‌ଫୁଲ୍ଲ ଦେଖାଗଲା; କିନ୍ତୁ ଅଳ୍ପକ୍ଷଣ ପରେ ସେ ମୁଣ୍ଡ ନୁଆଇଁ କହିଲା, – “ବାବୁ, ମୁଁ ତ ଖାଇବାକୁ ପାଉନାହିଁ, ଟଙ୍କା ଦେଇ ପଢ଼ିବି କେମିତି ? ବହିପତ୍ର, ଲୁଗାପଟା ପାଇବି କୁଆଡ଼ୁ ?”

ଏକଥା ଶୁଣି ମୁଁ ଆମର ସଙ୍ଗୀମାନଙ୍କୁ ଚାହିଁ କହିଲି, “ଆସ । ଆମେ ସମସ୍ତେ ମିଶି ଏ ପିଲାଟିକୁ ଚାନ୍ଦା କରି ପଢ଼ାଇବା । ଯଦି ଗୋଟିଏ ଗରିବ ଛାତ୍ରକୁ ମଣିଷ କରାଇ ପାରିବା, ତେବେ ଆମମାନଙ୍କର ଦାନ ସାର୍ଥକ ହେବ ।”

ଏହା ଶୁଣି ମୋର ସଙ୍ଗୀମାନେ ସମସ୍ତେ ଉତ୍ସାହିତ ହେଲେ । କିଏ ବହିପତ୍ର ଦେଲା ତ କିଏ ଜାମାଲୁଗା ତା’ ପାଇଁ ଆଣିଦେଲା । ମୁଁ ତା’ର ଖିଆପିଆର ବନ୍ଦୋବସ୍ତ କରିଦେଲି, ରାଧାକାନ୍ତ ମଠର ମହନ୍ତଙ୍କୁ ଅନୁରୋଧ କରି । ଆଉ ତା'ର ଦରମାପାଇଁ ସ୍କଲରସିପ୍ ମଧ୍ୟ ବନ୍ଦୋବସ୍ତ କଲି । ଏଠାରେ କହି ରଖିବା ଆବଶ୍ୟକ ଯେ, ମହାରାଜାଙ୍କ ଅନୁଗ୍ରହରୁ ଓଡ଼ିଆ ଛାତ୍ରମାନେ ସମସ୍ତେ ଅଧା ସ୍କୁଲଫିସ୍ ଦେଇଥାନ୍ତି । ପୁଣି ମେଧାବୀ ଗରିବ ଛାତ୍ରମାନଙ୍କୁ ସ୍କୁଲଫିସ୍ ଦେବା ଛାଡ଼ ହୋଇଥାଏ । ଏପରି ଗରିବ ଛାତ୍ରମାନଙ୍କୁ ଫ୍ରି ସ୍କଲାରସିପ୍ ଦେବା ବିଷୟରେ ଯେଉଁ ଛୋଟ ବିଚାରକମଣ୍ଡଳୀ ମହାରାଜା ଗଢ଼ିଥିଲେ, ସେଥିରେ ମୋର ନନା ଥିଲେ ଜଣେ ସଭ୍ୟ । ତାଙ୍କୁ କହି ବ୍ରହ୍ମଚାରୀପାଇଁ ଗୋଟିଏ ଅବୈତନିକ ସ୍ଥାନ ଯୋଗାଡ଼ କଲି । ଯଥାସମୟରେ ସେ ସ୍କୁଲରେ ନାଆଁ ଲେଖାଇଲା । ଆଉ ପଢ଼ିବା ଆରମ୍ଭ କରିଦେଲା । କଠିନ ଅଧ୍ୟବସାୟ ବଳରେ ସେ ଅଳ୍ପକାଳ ମଧ୍ୟରେ ତୃତୀୟ ଶ୍ରେଣୀ ପାସ୍ କରିଥିଲା । ସେତେବେଳକୁ ଭାରତରେ ଦ୍ଵିତୀୟ ପୃଥିବୀ ମହାସମର ପୂର୍ବରୁ ଗୋଟିଏ ଗୋଟିଏ ଇଣ୍ଡିଆନ୍ ବାଟାଲିୟନ ଭାରତର ପ୍ରତି ଅଞ୍ଚଳରେ ଗଢ଼ିବା ନିୟମ ଥାଏ । ମାନ୍ଦ୍ରାଜର ପ୍ରତି ଜିଲ୍ଲାରୁ ସୁସ୍ଥସବଳ ଲୋକଙ୍କୁ ସେଥିରେ ନାମ ଲେଖାଇବା କାର୍ଯ୍ୟ ଚାଲିଥାଏ । ମହାରାଜାଙ୍କ ଉପରେ ଭାର ଦିଆଗଲା ଗଞ୍ଜାମରୁ ବାଳକମାନଙ୍କୁ ବାଛି ଯୁଦ୍ଧଶିକ୍ଷା କରିବାକୁ ପଠାଇବାପାଇଁ ।

ଦିନେ କଲେଜରେ ଗୋଟିଏ ବିରାଟ ସଭାରେ ମହାରାଜା ଭାଷଣ ଦେଇ ଆହ୍ଵାନ କଲେ, “ଯେଉଁ ଛାତ୍ରମାନେ ସମରଶିକ୍ଷା କରିବାକୁ ଇଚ୍ଛା କରନ୍ତି, ସେମାନେ ଠିଆ ହୁଅନ୍ତୁ । ମୁଁ ତାଙ୍କୁ ସରକାରଙ୍କଠାରେ ସୁପାରିଶ ପତ୍ର ଦେଇ ମାନ୍ଦ୍ରାଜ ପଠାଇ ଦେବି ।” ଯୁଦ୍ଧର ନାମ ଶୁଣି କେହି ଛାତ୍ର ମହାରାଜାଙ୍କ ଆହ୍ୱାନର ଉତ୍ତର ଦେଲେ ନାହିଁ । ଆମେ ସମସ୍ତେ ପରସ୍ପର ମୁହଁକୁ ଚାହାଁଚାହିଁ ହେଲୁ । ସେତିକିବେଳେ ଦେଖାଗଲା ଯେ ଟିକିଏ ଦୂରରେ ଗୋଟିଏ ଗୌରବର୍ଣ୍ଣ ସୁସ୍ଥସବଳ ବାଳକ ମହାରାଜାଙ୍କ ଆଡ଼କୁ ଚାହିଁ ଠିଆ ହୋଇଛି । ସେ ହେଉଛି ବ୍ରହ୍ମଚାରୀ ମୁଇଁ । ଆମେ ସବୁ ହାହାକାର କଲୁ । ପିଲାଟା କ୍ଲାସ୍‌ରେ ଭଲ ପଢୁଥିଲା । ଆମର ସାଥୀ ହୋଇ ଯେତେସବୁ କାମ କରୁଥିଲା । ଆମର ଅନୁଗତ ହୋଇ ରହିଥିଲା । ସେ ଆଜି ଯୁଦ୍ଧଶିକ୍ଷା କରିବାକୁ ଯିବ ?

ମହାରାଜା ଆନନ୍ଦରେ ହସିହସି ତାକୁ ପାଖକୁ ଡାକି ନେଇ ସବୁକଥା ପଚାରିଲେ । ପରଦିନ ଗୋଟିଏ ସାର୍ଟିଫିକେଟ ଦେଇ ତାକୁ ମାନ୍ଦ୍ରାଜ ପଠାଇଲେ । ଏହାର କେତେବର୍ଷ ପରେ ଦ୍ଵିତୀୟ ପୃଥିବୀ ମହାସମର ଲାଗିଲା । ମୋର ମନେପଡୁଛି ୧୯୪୩ ମସିହାରେ ପୁରୀରୁ ମୁଁ ପାରଳାଖେମୁଣ୍ଡି ଫେରୁଥାଏ । ଖୋର୍ଦ୍ଧା ଷ୍ଟେସନରେ ମାନ୍ଦ୍ରାଜ ମେଲ୍‌କୁ ମୁଁ ଅପେକ୍ଷା କରିଥାଏ ।

ସେତେବେଳେ ଗୋଟିଏ ସ୍ପେଶାଲ ମିଲିଟାରୀ ଗାଡ଼ି ମାନ୍ଦ୍ରାଜ ଆଡୁ ଆସି ଖୋର୍ଦ୍ଧାରେ ପହଞ୍ଚିଲା । ପ୍ଲାଟଫର୍ମରେ ମୁଁ ଛିଡ଼ା ହୋଇଛି, ହଠାତ୍ ସେ ଗାଡ଼ିର ଗୋଟିଏ ସ୍ଵତନ୍ତ୍ର ବଗିରୁ ଜଣେ ସାହେବ ଓହ୍ଲାଇ ମୋ ଆଡ଼କୁ ଆସିଲେ । ମୁଁ ବାଟରୁ ଟିକିଏ ଆଡ଼େଇ ହୋଇଯାଇଛି, ମୋର ହାତ ଦୁଇଟି ସେ ଧରି ପକାଇ ନମସ୍କାର କଲେ । ମୁଁ ଅବାକ୍ ! ଏ କିଏ ? ମୋତେ କାହିଁକି ନମସ୍କାର କରୁଛନ୍ତି ? ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁଥାଏ । ମିଲିଟାରୀ ଡ୍ରେସ୍ ମଣ୍ଡିତ ଜଣେ ଉଚ୍ଚ କର୍ମଚାରୀ ସେ । ଗୋରା ତକ୍ତକ୍ ସୁସ୍ଥ ସବଳକାୟ । ସେ ହ୍ୟାଟ୍ ଖଣ୍ଡିକ ବାହାର କରି ସ୍ପଷ୍ଟ ଓଡ଼ିଆରେ କହିଲେ, “ଚିହ୍ନି ପାରୁନାହାନ୍ତି ? ମୁଁ ପରା ଆପଣଙ୍କର ସେହି ବ୍ରହ୍ମଚାରୀ ମୁଇଁ । ଆପଣଙ୍କ କରୁଣାରୁ ମୁଁ ଆଜି ଏହି ଲେଫ୍ଟନାଣ୍ଟ ପଦବୀରେ ନିଯୁକ୍ତ ହୋଇପାରିଛି ।”

ମୁଁ ଆଶ୍ଚର୍ଯ୍ୟ ହେଲି । ସତେ ଯେପରି ଗୋଟିଏ ନଗଣ୍ୟ ଭିକାରି ଆଜି ଦେଶମାତୃକାର ସେବାରେ ଉଚ୍ଚତମ ସ୍ଥାନ ଅଧିକାର କରିଛି । ମୋ ମନରେ ଟିକିଏ ଗର୍ବ ସଞ୍ଚାର ହେଲା । ସତେ, ସେଦିନ ମୋର ଉଦ୍ୟମ ଯୋଗୁଁ ଯେଉଁ ପିଲାଟି ସ୍କୁଲରେ ନାମ ଲେଖାଇ ପାରିଥିଲା, ଆଜି ସେ ଭାଗ୍ୟବଳରେ କେତେ ଉଚ୍ଚକୁ ଉଠିପାରିଛି ! ତେଣୁ ସୁବିଧା ଓ ପାରିପାର୍ଶ୍ଵିକ ଅବସ୍ଥା ହିଁ ମନୁଷ୍ୟକୁ ଉଚ୍ଚ କିମ୍ବା ନୀଚ କରିଥାଏ ।


[ଚିତ୍ର ବର୍ଣ୍ଣନା: ବିଶିଷ୍ଟ ଐତିହାସିକ ତଥା ଭାଷାବିତ୍ ଡ଼କ୍ଟର ସତ୍ୟନାରାୟଣ ରାଜଗୁରୁଙ୍କ ପ୍ରତିଛବି ।]

ଲେଖକ ପରିଚୟ

ସତ୍ୟନାରାୟଣ ରାଜଗୁରୁ (୧୯୦୩-୧୯୯୭) -

ସେ ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ଜଣେ ଐତିହାସିକ ଓ ଲିପିତତ୍ତ୍ୱବିତ୍ ଭାବରେ ସୁପରିଚିତ । ସେ ‘ଓଡ଼ିଆ ଭାଷାର ଉପଭାଷା’, ‘କଳିଙ୍ଗର ଆତ୍ମକଥା’, ‘ଗଙ୍ଗବଂଶର ଇତିହାସ’ ପ୍ରଭୃତି ପୁସ୍ତକ ରଚନା କରିଛନ୍ତି । ନିଜର ଆତ୍ମକାହାଣୀ ‘ମୋ ଜୀବନ ସଂଗ୍ରାମ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ । ସଂକଳିତ ପାଠ୍ୟାଂଶଟି ‘ମୋ ଜୀବନ ସଂଗ୍ରାମ’ ପୁସ୍ତକରୁ ଗୃହୀତ । ସେ ନିଜର ଐତିହାସିକ ଗବେଷଣା ନିମନ୍ତେ ୧୯୭୪ ମସିହାରେ ‘ପଦ୍ମଶ୍ରୀ’ ପୁରସ୍କାର ପାଇଥିଲେ ।


ପାଠ ଅନ୍ତର୍ଗତ

ମୋ ବୁଝିବାରେ

(କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା (★) ଚିହ୍ନ ଦିଅ ।

୧. “ଆରେ ପିଲା ! ତୁ ନିଜକୁ ନିଜେ ତ ସମ୍ଭାଳି ପାରୁନାହୁଁ । ମୋତେ ସମ୍ଭାଳିବୁ କିପରି ?” ଏଠାରେ ‘ଆରେ ପିଲା’ ବୋଲି କାହାକୁ କୁହାଯାଇଛି ?

  • ରାଧାକାନ୍ତ ମଠର ମହନ୍ତ
  • ମହାତ୍ମା ଗାନ୍ଧି
  • ବ୍ରହ୍ମଚାରୀ ମୁଇଁ
  • ସତ୍ୟନାରାୟଣ ରାଜଗୁରୁ

୨. ଗାନ୍ଧିଜୀ କାହିଁକି ପାରଳାଖେମୁଣ୍ଡି ଆସିଥିଲେ ?

  • ଉତ୍କଳ ସମ୍ମିଳନୀରେ ଯୋଗ ଦେବାପାଇଁ
  • ଲୋକଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାପାଇଁ
  • ଉତ୍କଳମାତାର ସେବା କରିବାପାଇଁ
  • ମାନ୍ଦ୍ରାଜରେ ସମରଶିକ୍ଷା ପାଇଁ ଛାତ୍ର ବାଛିବା ନିମନ୍ତେ

(ଖ) ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ ଓ ତା’ର କାରଣ ଆଲୋଚନା କର ।

ବାକ୍ୟ ଉପରେ ଆଲୋଚନା

ନିମ୍ନଲିଖିତ ବାକ୍ୟଦୁଇଟିକୁ ମନଦେଇ ପଢ଼ ଓ ସାଙ୍ଗମାନଙ୍କ ସହ ଆଲୋଚନା କର । ଏହାର ବ୍ୟାଖ୍ୟାକୁ ଆଲୋଚନା କରି ସାରାଂଶକୁ ଶ୍ରେଣୀରେ କୁହ ଓ ଖାତାରେ ଲେଖ ।

(କ) ‘ମନୁଷ୍ୟର ଜ୍ଞାନ ଓ କର୍ମ ଏକାସ୍ତରରେ ରହିବା ଆବଶ୍ୟକ ।’

(ଖ) ‘ଭାରତମାତା ମୋର ପିତାମହୀ; କିନ୍ତୁ ଉତ୍କଳ ମୋର ଜନନୀ । ଉଭୟଙ୍କର ସେବା ମୋର କର୍ତ୍ତବ୍ୟ; କିନ୍ତୁ ସେଥିମଧ୍ୟରୁ ପ୍ରଥମ କର୍ତ୍ତବ୍ୟଟି ହେଉଛି ଜନ୍ମଭୂମି ମା’ଙ୍କର ସେବା ।’

ମିଳିମିଶି ଯୋଡ଼ିବା

ପଠିତ ପାଠରୁ କିଛି ଶବ୍ଦ ଓ ତା’ର ଅର୍ଥ ନିମ୍ନରେ ଦିଆଯାଇଛି । ସାଙ୍ଗମାନଙ୍କ ସହିତ ଦଳରେ ଆଲୋଚନା କରି ଶବ୍ଦ ସହ ତା’ର ଅର୍ଥକୁ ଗାର ଟାଣି ଯୋଡ଼ । (ଆବଶ୍ୟକସ୍ଥଳେ ତୁମେ ଅଭିଧାନ, ଇଣ୍ଟରନେଟ୍, ପାଠାଗାର ବା ନିଜ ଶିକ୍ଷକଙ୍କ ସହାୟତା ନେଇପାରିବ ।)

ଶବ୍ଦଅର୍ଥ ବା ବ୍ୟାଖ୍ୟା
୧. ଅସହଯୋଗ୧. ପିତାଙ୍କ ମାତା ବା ଜେଜେମାଆ
୨. ଚକ୍ରାକାର୨. ଭୋକରେ ଦୁର୍ବଳ ହୋଇପଡ଼ିଥିବା ବା ଖାଦ୍ୟ ନ ପାଇ ଶରୀର କ୍ଷୀଣ ହୋଇଯାଇଥିବା
୩. ପିତାମହୀ୩. ସୈନ୍ୟବିଭାଗର ଉଚ୍ଚ ପଦାଧିକାରୀ
୪. ବୁକୁଚା୪. ସରକାରୀ / ବେସରକାରୀସ୍ତରରୁ ମିଳୁଥିବା ଆର୍ଥିକ ସହାୟତା ବା ବୃତ୍ତି
୫. ଅନାହାରକ୍ଲିଷ୍ଟ୫. ସହଯୋଗ ନ କରିବା
୬. ସ୍କଲାରସିପ୍୬. ଗଣ୍ଠିଲି/ ବୁଜୁଳା
୭. ଲେଫ୍ଟନାଣ୍ଟ୭. ଚକ୍ର ପରି ଗୋଲ ଆକାର

ଚିନ୍ତା କରିବା

ପାଠଟିକୁ ଆଉଥରେ ପଢ଼ି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।

୧. ଲେଖକ ଜଣେ ପରୋପକାରୀ ଓ ଦୟାର୍ଦ୍ର ବ୍ୟକ୍ତି ଥିଲେ ବୋଲି ଆମେ କାହିଁକି କହିପାରିବା ?

୨. ଲେଖକଙ୍କ ଜୀବନର ଲକ୍ଷ୍ୟ କ’ଣ ଥିଲା ?

୩. ବ୍ରହ୍ମଚାରୀ ମୁଇଁ, ଲେଖକଙ୍କ ନିକଟରେ କୃତଜ୍ଞ ଥିଲେ । ଏହା କେଉଁ ଘଟଣାରୁ ଜାଣିପାରୁଛ ?

୪. “ବ୍ରହ୍ମଚାରୀ ମୁଇଁ ଜଣେ ଗରିବ ବାଳକ ଥିଲେ । ତଥାପି ସେ ପାଠ ପଢ଼ି ସୈନ୍ୟବାହିନୀର ଉଚ୍ଚ ପଦାଧିକାରୀ ହୋଇ ପାରିଥିଲେ ।”

(କ) ସେ ସ୍କୁଲ୍‌ରେ ପାଠ ପଢ଼ିବା ପାଇଁ କିପରି ସୁଯୋଗ ପାଇଥିବେ ?

(ଖ) ତାଙ୍କର ଖାଦ୍ୟପେୟର ଆବଶ୍ୟକତା କିପରି ମେଣ୍ଟି ପାରିଥିବ ?

ଆତ୍ମକଥା ଲିଖନ

ଉକ୍ତ ପାଠଟି ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀର ଏକ ଅଂଶ ଅଟେ । ଆତ୍ମଜୀବନୀର ଅର୍ଥ ‘ନିଜ କଥା’ । ଦୁନିଆରେ ଅନେକ ଲୋକ କେବେ ନିଜ ପାଇଁ ଓ କେବେ ଅନ୍ୟମାନଙ୍କ ପଢ଼ିବା ପାଇଁ ଆତ୍ମକଥା ଲେଖୁଥାଆନ୍ତି ।

କ. ଉକ୍ତ ପାଠକୁ ପୁଣିଥରେ ପଢ଼ ଓ ଦଳଗତ ଭାବରେ ଆଲୋଚନା କରି ପାଠରେ ଥିବା ଏଭଳି ବାକ୍ୟଗୁଡ଼ିକର ତାଲିକା କର, ଯେଉଁଥିରୁ ଲେଖକ ନିଜ ବିଷୟରେ କିଛି କହୁଥିବା କଥା ଜଣାପଡ଼ୁଥିବ ।

ଖ. ନିଜ ଲେଖାକୁ ଶ୍ରେଣୀରେ ପଢ଼ ଓ ସାଙ୍ଗମାନଙ୍କ ସହ ଆଲୋଚନା କର ।

ଶବ୍ଦ ପ୍ରୟୋଗର ରୂପ

ଏହି ପାଠରେ ବ୍ୟବହୃତ ଶବ୍ଦ ‘ନାତିଦୀର୍ଘ’ର ଅର୍ଥ ‘ଯାହା ଅତି ଦୀର୍ଘ ନୁହେଁ’ । ଆମ୍ଭେ ଏହି ଶବ୍ଦକୁ ବାକ୍ୟରେ ବ୍ୟବହାର କରିଥାଉ ।

ଆମ୍ଭେମାନେ ଲେଖିବା ସମୟରେ ଏହିପରି ଶବ୍ଦମାନଙ୍କୁ ଯୋଡ଼ି ଛୋଟ / ସଂକ୍ଷେପ କରୁ, ଯାହାଫଳରେ ସମୟ, କାଗଜ ପ୍ରଭୃତି ଅଧିକ ବ୍ୟବହାର ହୁଏନାହିଁ । ଏହା ପଢ଼ିବାକୁ ଓ କହିବାକୁ ମଧ୍ୟ ଭଲଲାଗେ । ଏହାକୁ ସଂକ୍ଷିପ୍ତକରଣ କୁହାଯାଏ । ଏହିପରି କେତେକ ଶବ୍ଦ ପାଠରୁ ଖୋଜି ତାଲିକା କର ।

ପାଠ ବାହାରୁ

କ. ସ୍ଵତନ୍ତ୍ରତା ଆନ୍ଦୋଳନରେ ଭାଗନେଇଥିବା ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାମ ଖାତାରେ ଲେଖ ।

ଖ. ସେମାନଙ୍କ ବିଷୟରେ ଶ୍ରେଣୀରେ ଆଲୋଚନା କର ।

ନିଜ ବାପାମାଆ ବା ଅଭିଭାବକଙ୍କ ସହ କଥାବାର୍ତ୍ତା କର । ତାଙ୍କର ଜନ୍ମସ୍ଥାନ, ପ୍ରିୟ ଖାଦ୍ୟ, ରଙ୍ଗ, ଗୀତ, ସ୍ଥାନ, ପିଲାଦିନର ସ୍ମୃତି ବିଷୟରେ ପଚାରି ବୁଝ ଓ ଲେଖ । ଯେପରିକି—

  • ତୁମେ କେଉଁଠାରେ ଜନ୍ମ ହୋଇଥିଲ ?
  • ତୁମର ପ୍ରିୟ ଖାଦ୍ୟ କ'ଣ ?
  • ତୁମ ପ୍ରିୟ ପୁସ୍ତକର ନାମ କ'ଣ ?... ଇତ୍ୟାଦି ।

ପାଠାଗାର ବା ଇଣ୍ଟରନେଟ୍‌ରୁ .....

ପାଠାଗାର ବା ଇଣ୍ଟରନେଟ୍‌ରୁ ଖୋଜି ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ପଢ଼ । ଏହା ବ୍ୟତୀତ ଦେଶଭକ୍ତି ସମ୍ବନ୍ଧୀୟ ଜୀବନୀ, ଆତ୍ମଜୀବନୀଗୁଡ଼ିକ ଖୋଜି ପଢ଼ ଓ ନିଜ ସାଙ୍ଗମାନଙ୍କ ସହ ଆଲୋଚନା କର ।

ଶବ୍ଦ ପ୍ରୟୋଗ

ମାଆକୁ ମାତା ଓ ଜନନୀ କୁହାଯାଏ । ତୁମେ ତୁମ ମାଆଙ୍କୁ କ’ଣ ବୋଲି ଡାକ ଅନ୍ୟ ଭାଷାରେ ‘ମାଆ’ଙ୍କ ପାଇଁ ବ୍ୟବହୃତ ଶବ୍ଦଗୁଡ଼ିକୁ ଲେଖ । ମାଆର ପ୍ରତିଶବ୍ଦ ଓଡ଼ିଆ ଭାଷାରେ କ’ଣ ଅଛି, ଲେଖ ?

ଶବ୍ଦ ସାରଣୀ

ନିମ୍ନ ସାରଣୀରେ ପାଠରୁ ବାଛି କେତେକ ବିଶେଷଣ ପଦ ଦିଆଯାଇଛି । ସେଗୁଡ଼ିକୁ ଖୋଜି ଗୋଲ ବୁଲାଅ ଓ ଖାତାରେ ଲେଖ । ପାଠରେ ଥିବା ସେହି ବିଶେଷଣ ପଦଗୁଡ଼ିକ ତଳେ ଗାର ଟାଣ ।

ତ୍ତଶୁଷ୍ଠ
ନାତିଦୀର୍ଘଶା
ପୁରୁଣାଳିଷ୍ଠ
ରୁଦାଗୋବୁଡ଼ା
ଣାର୍ଚ୍ଚବିରା
ପ୍ରଗୌ
ବୈନି

[ଚିତ୍ର ବର୍ଣ୍ଣନା: ଏକ ସୁନ୍ଦର ଗ୍ରାମୀଣ ପ୍ରାକୃତିକ ପରିବେଶରେ ନଦୀ, ବଣ-ପାହାଡ଼ ନିକଟରେ ପିଲାମାନେ ଖେଳକୁଦ କରୁଥିବାର ଦୃଶ୍ୟ ।]

ଝରକାରୁ

ମାଟି ମାଆ

ହୀରା ମୁଁ ଦେଖୁଛି

ନୀଳା ମୁଁ ଦେଖୁଛି

ଦେଖୁଛି ମାଣିକମୋତି

ଏ ସାରା ଜଗତ ଘୂରି ମୁଁ ଆସିଛି,

ପାଇ ନାହିଁ କାହିଁ ମୋ’ ଦେଶର ପ୍ରିୟମାଟି ।୦।

ସୁନା ସୁନା ସୁନା,

ସବୁ ନୁହେଁ ସୁନା

ସୁନା ସବୁଠାରୁ ଖାଣ୍ଟି,

ମୋ’ ମାଟିର ସୁନା

ତାହାଠୁ ବି ଖାଣ୍ଟି

ପାରୁ ଯଦି ଜାଣି ଆପଣା ଭିତରେ ବାଣ୍ଟି

ମାଟି–ସୁନା ଥାଉଁ ଆଉ କେଉଁ ସୁନା

କହ ଆହେ ଭାଇ, ଫୁଲାଇ ପାରିବ ଛାତି ? ।୧।

ହୀରା ନୀଳା ମୋତି

ସାଇତିଲି କେତେ,

ରତନ ଯତନ କରି

କେହି ହେଲେ ଆହା !

ସାହା ହୋଇଲେ ନି

ମାଟି ଏକ ନେଲା ବରି

କୋଟିଏ ଜୁହାର ମୋ’ ମାଟି ମାଆକୁ

ତା’ ମମତା ଦାନେ ବଡ଼ କଲା ଛାତି କାଟି । ।୨।

ରଚନା – ମଙ୍ଗଳୁଚରଣ ବିଶ୍ବାଳ

ଆସ ଖୋଜିବା

ମାଆଙ୍କ ସହ ସମ୍ପର୍କିତ ପାଞ୍ଚଟି ବହି, ପାଠାଗାରରୁ ଖୋଜି ପଢ଼ । ତାକୁ ଆଧାର କରି ଛୋଟ ଲେଖାଟିଏ ଲେଖ ।

ଆମ ଲେଖା ଆମ ଚିତ୍ର