[ଚିତ୍ର: ଶୀର୍ଷ ଭାଗରେ ମନ୍ଦିର ଚୂଳ ଏବଂ ସୂର୍ଯ୍ୟୋଦୟର ଏକ ରଙ୍ଗୀନ କଳାତ୍ମକ ଚିତ୍ର]
[ଚିତ୍ର: କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଧଉଳି ଶାନ୍ତିସ୍ତୂପର ସଂଯୁକ୍ତ ପ୍ରତିଛବି]
[ଚିତ୍ର: ଐତିହାସିକ ଯୁଦ୍ଧକ୍ଷେତ୍ରରେ ଅଶ୍ୱାରୋହୀ ସେନାପତି ଏବଂ ବନ୍ଧୁକଧାରୀ ସୈନ୍ୟବାହିନୀ]
[ଚିତ୍ର: ସୁନେଲୀ ଧାନ କ୍ଷେତ, ଗଛ ଏବଂ ଗ୍ରାମୀଣ ଘର]
ଉତ୍କଳ ସନ୍ତାନ
ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ ! ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ।
ତୋ ପୂର୍ବ ପୁରୁଷେ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ, ତାଙ୍କରି ଔରସେ ଜନ୍ମ ହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି ?
ତୁ ମନେ ଭାବୁଚୁ ତୋଷାମଦ କରି ବଢ଼ାଇବୁ ଜାତି ମାନ ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ ।
ଜାତିର ଉନ୍ନତି ସେ କାହୁଁ କରିବ ସ୍ଵାର୍ଥେ ଯାର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ ?
ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ଵାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ ।
ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ସାହସ ପଡ଼ିବ କି କେବେ ମନେ ?
ତୋହର ଜନନୀ ବୀରପ୍ରସବିନୀ ଧୂଳିରେ ପଡ଼ିଛି ଦେଖ, ଜନସମାଜରେ ଏ ମହୀ ମଧ୍ୟରେ କିପରି ଦେଖାଉ ମୁଖ ?
ତୋ' ପୂର୍ବପୁରୁଷ ସ୍ୱର୍ଗଧାମେ ଥାଇ ଭୋଗୁଛନ୍ତି ମନସ୍ତାପ ତାଙ୍କରି ଜୀବନ କରି ବିସ୍ମରଣ କରୁଛୁ ତୁ ମହାପାପ ।
[ଚିତ୍ର: ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିଛବି]
କବି ପରିଚୟ
ମଧୁସୂଦନ ଦାସ – (୧୮୪୮-୧୯୩୪) ଉତ୍କଳଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା । ଓଡ଼ିଶାରେ ମଧୁବାରିଷ୍ଟର ନାମରେ ପରିଚିତ । “ଉତ୍କଳ ସନ୍ତାନ”, “ଜାତିଇତିହାସ”, “ଜନନୀର ଉକ୍ତି” ଆଦି ତାଙ୍କର ସାରସ୍ଵତ ସୃଷ୍ଟି ।
ପାଠ ଅନ୍ତର୍ଗତ
ମୋ ବୁଝିବାରେ
୧. ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା (*) ଚିହ୍ନ ଦିଅ ।
(କ) ନିମ୍ନଲିଖିତ କେଉଁ ଧାଡ଼ିରେ କବିତାର ମୁଖ୍ୟ ବାର୍ତ୍ତାଟି ପ୍ରତିଫଳିତ ହେଉଛି ?
- ଶାଗୁଣା ବିଲୁଆ ଚିକିତ୍ସକ ଅଟନ୍ତି ।
- ତୋଷାମଦ କଲେ ଜାତିର ଉନ୍ନତି ହେବ ।
- ପୂର୍ବପୁରୁଷ ଆମ କର୍ମ ଦେଖି ଖୁସି ହେଉଛନ୍ତି ।
- ଉତ୍କଳର ପୂର୍ବଗୌରବ ଓ ପୂର୍ବ ମହିମା ଥିଲା ଉଜ୍ଜ୍ୱଳମୟ ।
(ଖ) ଉତ୍କଳସନ୍ତାନ ଭାବରେ ଆମ ମନରେ ଗର୍ବ ଆସେ । କାରଣ ଆମ ପୂର୍ବପୁରୁଷ....
- ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲେ ।
- ତୋଷାମଦ କରି ଆମ ଜାତିର ମାନ ବଢ଼ାଉଥିଲେ ।
- ଜାତିର ଉନ୍ନତି ପାଇଁ ନିଜ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିଲେ ।
- ନିଜକୁ ଭୀରୁ ବୋଲି ଅନ୍ୟ ଆଗରେ ପରିଚୟ ଦେଉଥିଲେ ।
୨. ତୁମେ ଏହି ଉତ୍ତରଗୁଡ଼ିକ କାହିଁକି ବାଛିଲ, ତା’ର କାରଣ ସାଙ୍ଗମାନଙ୍କ ସହିତ ଆଲୋଚନା କରି ଲେଖ ।
ମିଳିମିଶି ଯୋଡ଼ିବା
କବିତାରୁ ବାଛି କିଛି ଶବ୍ଦ ନିମ୍ନରେ ଦିଆଯାଇଛି । ତା’ ପାର୍ଶ୍ଵରେ ଶବ୍ଦର ଅର୍ଥ/ ବ୍ୟାଖ୍ୟା ଦିଆଯାଇଛି । ଦଳରେ ଆଲୋଚନା କରି ଏହାକୁ ମେଳ କର । ମିଳାଇବା ସମୟରେ ତୁମେ ଶବ୍ଦକୋଷ, ଇଣ୍ଟରନେଟ୍ ବା ଶିକ୍ଷକଙ୍କର ସହାୟତା ନେଇ ପାରିବ ।
| ଶବ୍ଦ | ଅର୍ଥ / ବ୍ୟାଖ୍ୟା |
|---|---|
| ଜନନୀ | ପୃଥିବୀର ଅନ୍ୟନାମ । |
| ଶବ | ମନୁଷ୍ୟ ମରିବା ପରର ଅବସ୍ଥା । |
| ବୀରପ୍ରସବିନୀ | ଯେଉଁ ମାଆ ବୀରପୁରୁଷଙ୍କୁ ଜନ୍ମ ଦେଇଛି । |
| ମହୀ | ମନେ ନ ପଡ଼ିବା / ଭୁଲି ଯିବା । |
| ବିସ୍ମରଣ | ମାଆ / ଯେ ତୁମକୁ ଜନ୍ମ ଦେଇଛନ୍ତି । |
ପଦ୍ୟାଂଶ ଉପରେ ଆଲୋଚନା
କବିତାରୁ ଗୋଟିଏ ପଦ ତଳେ ଦିଆଯାଇଛି । ସେହି ପଦଟିକୁ ପଢ଼ ଓ ବୁଝ । ସାଙ୍ଗମାନଙ୍କ ସହ ଆଲୋଚନା କରି ଉତ୍ତର ଲେଖ ।
“ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ପୂରୁବ ଗୌରବ ପୂରୁବ ମହିମା ପଡ଼ିବ କି କେବେ ମନେ ?”
ଚିନ୍ତା କରିବା
କବିତାଟିକୁ ପୁଣିଥରେ ପଢ଼ । ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ । (କ) ସ୍ଵାର୍ଥପର ବ୍ୟକ୍ତିମାନଙ୍କୁ କାହା ସହ ତୁଳନା କରାଯାଇଛି ? (ଖ) ଏହି କବିତାଟି ଏକ ଜାତିପ୍ରେମ ସୃଷ୍ଟିକାରୀ କବିତା – କାହିଁକି ? (ଗ) ଉତ୍କଳର ସନ୍ତାନ ଭାବରେ ଜାତିର ଉନ୍ନତି ପାଇଁ ତୁମେ କେଉଁସବୁ କାମ କରିବ ?
କବିତାର ରଚନା ଶୈଳୀ
“ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ।”
ଏହି ପଦଟିକୁ ଶିକ୍ଷକଙ୍କ ସହିତ ଗାଇବାକୁ ଚେଷ୍ଟାକର । ତୁମେ ହାତରେ ତାଳ ପକାଇ ବୋଲିବାକୁ ମଧ୍ୟ ଚେଷ୍ଟାକର । ଉଭୟ ପାଦ ଗାଇବାପାଇଁ ସମାନ କିମ୍ବା ଭିନ୍ନ ସମୟ ଲାଗିଲା କି ? ତୁମେ ନିଶ୍ଚିତ ଭାବରେ ଅନୁଭବ କରିଥିବ ଯେ ଏହି ପାଦଗୁଡ଼ିକ ଗାଇବାପାଇଁ ପ୍ରାୟ ସମାନ ସମୟ ଲାଗୁଛି । କେବଳ ଏହି ଦୁଇଟି ପାଦ ନୁହେଁ, ଉକ୍ତ କବିତାରେ ଅନ୍ୟ ପଦଗୁଡ଼ିକ ଏପରି ଥିବାରୁ ଏହି ବିଶେଷତା ପାଇଁ କବିତା ଅଧିକ ପ୍ରଭାବଶାଳୀ ହୋଇପାରିଛି ।
ଯଦି ତୁମେ ଧ୍ୟାନ ଦେଇ ଦେଖିବ, ତେବେ ଏହି କବିତାରେ ଆହୁରି ଅନେକ ବିଶେଷକଥା ଦେଖି ପାରିବ । (କ) ଏହି କବିତାକୁ ପୁଣି ଥରେ ପଢ଼ । ଦଳରେ ଆଲୋଚନା କରି ଏହି କବିତାରେ କ’ଣ କ’ଣ ବିଶେଷତା ଅଛି, ତା’ର ତାଲିକା ପ୍ରସ୍ତୁତ କର । ଯେପରି ଏହି କବିତାର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୪ । (ଖ) ତୁମେ ଦଳରେ ପ୍ରସ୍ତୁତ କରିଥିବା ତାଲିକାକୁ ଶ୍ରେଣୀରେ ଉପସ୍ଥାପନ କର ।
ମେଳ କରିବା
‘କ’ ସ୍ତମ୍ଭରେ କିଛି ପଦ୍ୟାଂଶ ଓ ‘ଖ’ ସ୍ତମ୍ଭରେ ତା’ର ଭାବାର୍ଥ ଦିଆଯାଇଛି । ‘କ’ ସ୍ତମ୍ଭକୁ ‘ଖ’ ସ୍ତମ୍ଭ ସହିତ ଯୋଡ଼ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ତୋ ପୂର୍ବ ପୁରୁଷେ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ । | ସ୍ୱାର୍ଥପର ବ୍ୟକ୍ତିମାନେ ଜାତିର ଉନ୍ନତି କିପରି କରିପାରିବେ ? |
| ଜାତିର ଉନ୍ନତି ସେ କାହୁଁ କରିବ ସ୍ୱାର୍ଥେ ଯା’ର ବ୍ୟସ୍ତ ମନ । | ତୋ’ ପୂର୍ବ ପୁରୁଷମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲେ । |
| ପୂରୁବ ଗୌରବ ପୂରୁବ ସାହସ ପଡ଼ିବ କି କେବେ ମନେ ? | ତୋ’ର ପୂରୁବ ସାହସ ଓ ପୂରୁବ ଗୌରବ କଥା ମନେ ପଡ଼ିବ ? |
ଚିନ୍ତା କରିବା
ସାଙ୍ଗମାନଙ୍କ ସହିତ ଦଳରେ ଆଲୋଚନା କରି ଲେଖ ।
କ. “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ ।”
- ସ୍ୱାର୍ଥ ଓ ଦାନାର ତୋବଡ଼ା ମଧ୍ୟରେ କ’ଣ ସମ୍ପର୍କ ଥାଇପାରେ ?
- ଜାତି ନନ୍ଦିଘୋଷକୁ ଘୋଡ଼ାମାନେ ଟାଣିବା କଥାରୁ ତୁମେ କଅଣ ଅନୁମାନ କରୁଛ ?
ଶବ୍ଦର ରୂପ
ତୋଷାମଦିଆର କୁକୁର ପ୍ରକୃତି । କୁକୁରକୁ ଶ୍ଵାନ, ବକ୍ରପୁଚ୍ଛ ମଧ୍ୟ କୁହାଯାଏ । ସେହିପରି ନିମ୍ନରେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି, ସେଗୁଡ଼ିକର ଦୁଇଟି ଲେଖାଏଁ ସମାର୍ଥକ ଶବ୍ଦ ଲେଖ । ୧. ଜନନୀ - _______, _______ ୨. ମହୀ - _______, _______ ୩. ସ୍ୱର୍ଗ - _______, _______ ୪. ଜୀବନ - _______, _______ ୫. ଭାଇ - _______, _______
ଅର୍ଥର କଥା
(କ) ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ । ଏହି ପଦ୍ୟାଂଶରେ ‘ଚଳିବ’ ଶବ୍ଦ ବଦଳରେ ‘ରହିବ’ ଶବ୍ଦ ବ୍ୟବହାର କରି ପଢ଼ । ଏହି ଶବ୍ଦକୁ ବଦଳାଇ ଦେବା ଫଳରେ ପଦ୍ୟାଂଶଟିର କିଛି ଅର୍ଥ ବଦଳୁଛି କି ? ଦଳରେ ଆଲୋଚନା କରି କୁହ ।
(ଖ) କବିତାର ପ୍ରତ୍ୟେକ ଶବ୍ଦର ବିଶେଷ ମହତ୍ତ୍ଵ ଅଛି । ଯଦି ଏହି ଶବ୍ଦ ବଦଳାଯାଏ, ତା’ହେଲେ କବିତାର ଅର୍ଥ ବଦଳିଯିବା ସହ ସୁନ୍ଦରତା ମଧ୍ୟ ନଷ୍ଟ ହୁଏ ।
ତଳେ କିଛି ପଦ୍ୟାଂଶ ଦିଆଯାଇଛି । ପଦ୍ୟାଂଶଟିର ଶୂନ୍ୟସ୍ଥାନରେ ପାଖାପାଖି ସମାନ ଅର୍ଥ ଥିବା କିଛି ଶବ୍ଦ ଦିଆଯାଇଛି । କବିତା ଅନୁସାରେ ଉପଯୁକ୍ତ ଶବ୍ଦକୁ ବାଛି ଶୂନ୍ୟସ୍ଥାନ ପୂରଣ କର ।
ପୂରଣ କର - ୧. ତୁ ମନେ ଭାବୁଛୁ _______ କରି ବଢ଼ାଇବୁ ଜାତିମାନ, (ତୋଷାମଦ, ତେଲେଇ ତେଲେଇ, ଚାଟୁ) ତୋଷାମଦିଆର _______ ପ୍ରକୃତି ଅଇଁଠା ପତରେ ଧ୍ୟାନ । (ଶ୍ୱାନ, କୁକୁର, ବକ୍ରପୁଚ୍ଛ)
୨. ତୋହର _______ ବୀରପ୍ରସବିନୀ ଧୂଳିରେ ପଡ଼ିଛି ଦେଖ, (ମାଆ, ଜନ୍ମଦାତ୍ରୀ, ଜନନୀ) ଜନସମାଜରେ ଏ _______ ମଧ୍ୟରେ କିପରି ଦେଖାଉ ମୁଖ ? (ମହୀ, ଧରଣୀ, ବସୁମତୀ)
୩. ତୁ ପରା ବୋଲାଉ ଉତ୍କଳ _______ ତେବେ କିମ୍ପା ଏତେ ଭୀରୁ ! (ପୁଅ, ସନ୍ତାନ, ପୁତ୍ର) ତୋହର ଜନନୀ _______ କରିଲେ କହିବାକୁ କିମ୍ପା ଡରୁ ? (ରୋଦନ, କାନ୍ଦିବା, କାନ୍ଦ)
ପ୍ରତୀକ
(କ) ଶାଗୁଣା – ଏକ ପକ୍ଷୀର ନାମ ନନ୍ଦିଘୋଷ – ଜଗନ୍ନାଥଙ୍କ ରଥର ନାମ କବିତାରେ ଏହି ଦୁଇଟି ଶବ୍ଦ ଶାଗୁଣାପକ୍ଷୀ କିମ୍ବା ଜଗନ୍ନାଥଙ୍କ ରଥପାଇଁ ବ୍ୟବହାର କରାଯାଇ ନାହିଁ । ତେବେ କବି କବିତାରେ ଉକ୍ତ ଦୁଇଟି ଶବ୍ଦ କେଉଁ ଅର୍ଥରେ ବ୍ୟବହାର କରିଛନ୍ତି, ସାଙ୍ଗମାନଙ୍କ ସହ ଆଲୋଚନା କରି ଖାତାରେ ଲେଖ ।
[ଚିତ୍ର: ଚାର୍ଟ - 'ଜାତିର ଉନ୍ନତି' ଏବଂ 'ଜାତିର ଅବନତି' ଅଧୀନରେ ବାଦଲ ଆକୃତିର ଶୂନ୍ୟ ବାକ୍ସ]
(ଖ) କବିତାରୁ କିଛି ଶବ୍ଦ ତଳେ ଲେଖାଯାଇଛି । ସେହି ଶବ୍ଦଗୁଡ଼ିକ ମଧ୍ୟରୁ ଜାତିର ଉନ୍ନତି ଓ ଜାତିର ଅବନତି ସହ ସମ୍ପର୍କିତ ଶବ୍ଦଗୁଡ଼ିକୁ ବାଛି ଉପଯୁକ୍ତ ସ୍ଥାନରେ ଲେଖ । (ତୋଷାମଦିଆ, ପୁଣ୍ୟ, କୁକୁରପ୍ରକୃତି, ନିଃସ୍ୱାର୍ଥ, ଭୀରୁ, ସୁସନ୍ତାନ, ବିଲୁଆଚିକିତ୍ସକ, ବୀର)
- ଜାତିର ଉନ୍ନତି: _______
- ଜାତିର ଅବନତି: _______
(ଗ) ଦଳରେ ଆଲୋଚନା କରି କେଉଁ ଚିତ୍ରଟିର କେଉଁ ପଦ୍ୟାଂଶ ସହିତ ସମ୍ପର୍କ ଅଛି, କବିତାରୁ ଖୋଜି ଲେଖ ।
[ଚିତ୍ର ୧: ଜଣେ ବ୍ୟକ୍ତି ଇଂରେଜ ଅଧିକାରୀଙ୍କ ଆଗରେ ହାତଯୋଡ଼ି ତୋଷାମଦ କରୁଛି] [ଚିତ୍ର ୨: ପଡ଼ିରହିଥିବା ମୃତଦେହ ଉପରେ ଶାଗୁଣା ଏବଂ ନିକଟରେ ବିଲୁଆ ବସିଛନ୍ତି] [ଚିତ୍ର ୩: ଘୋଡ଼ାର ମୁହଁରେ ଦାନାର ତୋବଡ଼ା ବନ୍ଧା ହୋଇଛି] [ଚିତ୍ର ୪: ପ୍ରାଚୀନ କାଳର ଜଣେ ବୀର ଯୋଦ୍ଧା ଅଶ୍ୱାରୋହଣ କରି ଯୁଦ୍ଧଯାତ୍ରା କରୁଛନ୍ତି ଏବଂ ପୃଷ୍ଠଭୂମିରେ ମନ୍ଦିର ରହିଛି]
କବିତାର କଥା
“ତୋ’ ପୂର୍ବପୁରୁଷ ସ୍ୱର୍ଗଧାମେ ଥାଇ ଭୋଗୁଛନ୍ତି ମନସ୍ତାପ” ଏଇ ପଦ୍ୟାଂଶଟିକୁ ଗଦ୍ୟରେ ଲେଖିଲେ: ତୋ ପୂର୍ବପୁରୁଷମାନେ ସ୍ୱର୍ଗଧାମରେ ଥାଇ ମନସ୍ତାପ ଭୋଗୁଛନ୍ତି ।
ତଳେ ଦିଆଯାଇଥିବା ପଦ୍ୟାଂଶଗୁଡ଼ିକୁ ଗଦ୍ୟରେ ଲେଖ । (କ) ‘ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ’ (ଖ) “ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ ।” (ଗ) ପୂରୁବ ଗୌରବ ପୂରୁବ ସାହସ ପଡ଼ିଯିବ କି କେବେ ମନେ ? (ଘ) ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ଵାର୍ଥକୁ ସାରଥି କଲେ ?
‘ଇଆ’ର ପ୍ରୟୋଗ
‘ତୋଷାମଦିଆର କୁକୁର ପ୍ରକୃତି’ ଏଠାରେ ‘ତୋଷାମଦିଆ’ ଶବ୍ଦ ଦିଆଯାଇଛି । ‘ତୋଷାମଦ’ ଶବ୍ଦ ସହ ଇଆ ଯୋଗ କଲେ, ତାହା ‘ତୋଷାମଦିଆ’ ହୁଏ । ତୋଷାମଦ ଗୋଟିଏ ଗୁଣକୁ ବୁଝାଏ, ତୋଷାମଦିଆ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବୁଝାଏ । ଏହିଭଳି କିଛି ଗୁଣ ଅଛି, ଯେଉଁଥିରେ ‘ଇଆ’ ଯୋଗ କଲେ ଜଣେ ବ୍ୟକ୍ତି ବିଶେଷକୁ ବୁଝାଇବ । ସେହି ଗୁଣଗୁଡ଼ିକ ଲେଖ ।
ପାଠ ବାହାରୁ
ତୁମ କଥା
ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ । ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ ॥
(କ) ଯଦି ସମସ୍ତ ବ୍ୟକ୍ତି ନିଜ ନିଜର ସ୍ୱାର୍ଥକୁ ତ୍ୟାଗକରି କାମ କରିବେ, ତେବେ ଜାତିର ଉନ୍ନତି ହୋଇପାରିବ । ତୁମେ ମଧ୍ୟ ଅନ୍ୟ ପାଇଁ ନିଃସ୍ୱାର୍ଥପର ଭାବରେ କିଛି ଭଲକାମ କରୁଥିବ, ସେହି କାର୍ଯ୍ୟଗୁଡ଼ିକ କୁହ । (ଖ) ଏହି କବିତାରେ ନିଜର ସ୍ୱାର୍ଥକୁ ତ୍ୟାଗ କରି ଜାତିର ଉନ୍ନତି କରିବା କଥା କୁହାଯାଇଛି । ଯଦି ତୁମେ ତୁମ ସାଙ୍ଗକୁ ନିଃସ୍ୱାର୍ଥପର ହୋଇ କାମ କରିବାକୁ ପ୍ରେରିତ କରିବ, ତେବେ ତୁମେ କ’ଣ କରିବ ? କ'ଣ କହିବ ? ଦଳରେ ଆଲୋଚନା କର । (ଗ) ତୁମକୁ କେହି କେବେ ନିଃସ୍ୱାର୍ଥପର ଭାବରେ କାମ କରିବାକୁ ପ୍ରେରଣା ଦେଇଛନ୍ତି ? କେବେ ? କିପରି ? ସେହି ଘଟଣାକୁ କୁହ ।
ଅମାବାସ୍ୟା ଓ ପୂର୍ଣ୍ଣିମା
“ତାଙ୍କରି ଔରସେ ଜନ୍ମ ହୋଇ ତୁହି କେଉଁ ଗୁଣେ ତାଙ୍କୁ ସରି ?”
ତୁମ ପୂର୍ବପୁରୁଷଙ୍କ ଔରସରୁ ତୁମେ ଜନ୍ମ ହୋଇଛ । ଯେଉଁ ଦିନ ତୁମେ ଜନ୍ମ ହୋଇଛ, ସେହି ତିଥିରେ ପ୍ରତିବର୍ଷ ତୁମ ଜନ୍ମଦିନ ପାଳନ କରାଯାଏ । ଏହି ତିଥି କ’ଣ ଜାଣ ?
ଆମ ଦେଶରେ ଚାନ୍ଦ୍ରମାସ ଓ ସୌରମାସ ଅନୁସାରେ ବର୍ଷ ଗଣନା କରାଯାଏ । ସୌରମାସ ସଂକ୍ରାନ୍ତିଠାରୁ ଓ ଚାନ୍ଦ୍ରମାସ ପୂର୍ଣ୍ଣିମାଠାରୁ ଗଣନା କରାଯାଏ । ଚାନ୍ଦ୍ରମାସର ତିଥି ଗଣନା ବିଧି ଅଛି । ଚନ୍ଦ୍ର ପୃଥିବୀର ଚାରିପାଖରେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ । ଏହିପରି ପନ୍ଦର ଥର ବୁଲିଲେ ଏକ ପକ୍ଷ ଗଣନା କରାଯାଏ । ଦୁଇ ପକ୍ଷରେ ଏକମାସ ହୁଏ । ଆମେ ଜାଣିଛୁ ପୃଥିବୀ ଚାରିପଟେ ଚନ୍ଦ୍ର ବୁଲୁଛି । ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି । ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ । କିନ୍ତୁ ପୃଥିବୀ ଉପରେ ସୂର୍ଯ୍ୟଙ୍କ ଆଲୋକ ପଡ଼ିବା ଫଳରେ କିଛି ସୂର୍ଯ୍ୟାଲୋକ ଚନ୍ଦ୍ର ଉପରେ ପଡ଼ିବାରେ ବାଧା ସୃଷ୍ଟି ହୁଏ । ଏହି କାରଣରୁ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼େ । ଯାହାକୁ ଚନ୍ଦ୍ରକଳା କୁହାଯାଏ । ଚନ୍ଦ୍ରକଳା ଧୀରେ ଧୀରେ ବଢ଼ିଯାଇ ପୂର୍ଣ୍ଣିମା ଓ ପର୍ଯ୍ୟାୟକ୍ରମେ କମିକମି ଅମାବାସ୍ୟା ହୁଏ ।
[ଚିତ୍ର: ଚନ୍ଦ୍ରର ବିଭିନ୍ନ କଳା (Phases of Moon) - ଶୁକ୍ଳପକ୍ଷ, ପୂର୍ଣ୍ଣିମା, କୃଷ୍ଣପକ୍ଷ ଓ ଅମାବାସ୍ୟା ଦର୍ଶାଉଥିବା ଚକ୍ରାକାର ଚିତ୍ର]
[ଚିତ୍ର: କୃଷ୍ଣପକ୍ଷ ଓ ଶୁକ୍ଳପକ୍ଷରେ ଚନ୍ଦ୍ରର ପ୍ରତିଦିନର ଆକାର ପରିବର୍ତ୍ତନ ଦର୍ଶାଉଥିବା କ୍ରମିକ ଚିତ୍ରାବଳୀ]
ତଳେ ଦିଆଯାଇଥିବା ଚିତ୍ରରେ ଅମାବାସ୍ୟା, ପୂର୍ଣ୍ଣିମା, କୃଷ୍ଣପକ୍ଷ, ଶୁକ୍ଳପକ୍ଷକୁ ଚିହ୍ନ ଓ ଚନ୍ଦ୍ରଙ୍କ ସ୍ଥାନ ଅନୁସାରେ ତିଥିର ନାମ ଲେଖ । କୌଣସି ଅସୁବିଧା ହେଲେ ଶିକ୍ଷକ, ପିତାମାତା କିମ୍ବା ଇଣ୍ଟରନେଟ୍ର ସାହାଯ୍ୟ ନିଅ ।
ତିଥିବାର
ତୁମେ କ୍ୟାଲେଣ୍ଡର ଦେଖିଥିବ । ବର୍ଷର ସମସ୍ତ ମାସର ତାରିଖ ବିଷୟରେ ସୂଚନା ଏଥିରେ ଦିଆଯାଇଛି । ନିମ୍ନରେ କ୍ୟାଲେଣ୍ଡରର ଏକ ମାସର ପୃଷ୍ଠା ଅଛି । ଏହାକୁ ଭଲ ଭାବରେ ପଢ଼ି / ଦେଖି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
[ଚିତ୍ର: ଜାନୁଆରୀ - ୨୦୨୫ ଓଡ଼ିଆ କ୍ୟାଲେଣ୍ଡର (ପାଞ୍ଜି) ପୃଷ୍ଠା, ଯେଉଁଥିରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ରାଶି, ନକ୍ଷତ୍ର, ତିଥି ଏବଂ ପର୍ବପର୍ବାଣିର ବିବରଣୀ ଉଲ୍ଲେଖ ଅଛି]
- ଏହି ମାସଟି ମୋଟ କେତେ ଦିନ ?
- ପୂର୍ଣ୍ଣିମା ଓ ଅମାବାସ୍ୟା କେଉଁ ତାରିଖ ଓ ବାରରେ ପଡ଼ିଛି ?
- କୃଷ୍ଣପକ୍ଷ ସପ୍ତମୀଠାରୁ ଶୁକ୍ଳପକ୍ଷ ସପ୍ତମୀ ପର୍ଯ୍ୟନ୍ତ କେତେ ଦିନ ?
- ଏହି ମାସର କୃଷ୍ଣପକ୍ଷ କେତେ ଦିନ ?
- ମକରପର୍ବ କେଉଁ ତିଥିରେ ପଡ଼ିଛି ?
[ଚିତ୍ର: ମକର ସଂକ୍ରାନ୍ତି ଉତ୍ସବର ମେଳା - ଆକାଶରେ ଅନେକ ରଙ୍ଗବେରଙ୍ଗର ଗୁଡ଼ି ଉଡୁଛି, ଲୋକମାନେ ଉତ୍ସବ ମୁଖର ପରିବେଶରେ ଖାଦ୍ୟ ଉପଭୋଗ କରୁଛନ୍ତି]
ଶବ୍ଦଧନ୍ଦା
“ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ ?”
ଏଠାରେ ‘ଜନନୀ’ର ଅର୍ଥ ‘ମାଆ’ । ‘ମାଆ’ର ଅର୍ଥକୁ ବୁଝାଉଥିବା ଅଲଗାଅଲଗା ଶବ୍ଦ ଅକ୍ଷର ସାରଣୀରେ ଲୁଚି ରହିଛି, ଖୋଜି ବାହାର କର ।
| ଜ | ନ | ଦା | ତ୍ରୀ | ଜ | ଗ |
|---|---|---|---|---|---|
| ନ୍ମ | ଦା | ତ୍ରୀ | ନୁ | ଉ | ଣ |
| ନୀ | ବୋ | ଉ | ଦା | ଧା | ଈ |
| ମା | ତା | ନି | ତ୍ରୀ | ରି | ଆ |
| ମା | ଆ | ଜ | ନ | ନୀ | ଈ |
ଅନୁସନ୍ଧାନ କରିବା
କବି ମଧୁସୂଦନ ଦାସଙ୍କ ଜୀବନୀ ଖୋଜି ପଢ଼ ।