[ଚିତ୍ର ବର୍ଣ୍ଣନା: ଜଣେ ମହିଳା ପାରମ୍ପରିକ ଶୈଳୀରେ ମାଠିଆରେ ଦହି ମନ୍ଥନ କରୁଥିବାର ଏକ ଦୃଶ୍ୟ । ପାଖରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଥିବା, କୃଷ୍ଣ-ବଳରାମ ମାଠିଆରୁ ଲହୁଣୀ ଖାଉଥିବା ଏବଂ ମାଆ ଦହି ମନ୍ଥନ କରୁଥିବା ବେଳେ ଶ୍ରୀକୃଷ୍ଣ ଆସି ଖୁଆଦଣ୍ଡ ଧରୁଥିବାର ଚିତ୍ର ରହିଛି ।]

ଉଠିଲୁ ଏଡ଼େ ବେଗି କାହିଁକି ରେ

ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଃଖୀଧନ !

ଦଧି ମନ୍ଥାଇ ଦେବୁ ନାହିଁକି ରେ ! ପଦ ।

ଦେହ ପାସୋରି ଦଣ୍ଡେ ନିଦ ନ ଗଲୁ, ଏଡ଼େ ବିଟୋଳ ହେଲୁ ମୋର ପାଇଁକି ରେ !

ଖେଳିବୁ ରାମ ତୁଲେ ପଛେ, ରାତି ପାହିଲେ, ଶୁଆଇ ଦେବି ଗୀତ ଗାଇକି ରେ !

ମନ୍ଥିବି ମୁଁ କେମନ୍ତ, ଖୁଆଦଣ୍ଡରୁ ହାତ ଛାଡ଼, ଦେଉଛି ସର ଖୋଇକି ରେ !

[ଚିତ୍ର ବର୍ଣ୍ଣନା: ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବୁଝାଉଛନ୍ତି, ଅନ୍ୟ ଏକ ଚିତ୍ରରେ ଯଶୋଦା ନିଜ ଶାଢ଼ୀର କାନିରେ ଶ୍ରୀକୃଷ୍ଣଙ୍କ ମୁହଁ ପୋଛି ଦେଉଛନ୍ତି, ଏବଂ ତଳ ଭାଗରେ ଶ୍ରୀକୃଷ୍ଣ ବଣରେ ଗାଈ-ବାଛୁରୀ ଚରାଉଥିବାର ଦୃଶ୍ୟ ରହିଛି ।]

ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ; ଡାକ ଯା’ ବଳରାମ ଭାଇ କି ରେ !

ମଥନଘଟେ ହାତ ପୂରାଇ ନବନୀତ କାଢୁ, ବୋଲନ୍ତି, ହେଲୁ ବାଇକି ରେ !

ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁପାଇଁ, ଶୁଖିଯିବୁ ନ ଚାହାଁ ଛାଇକି ରେ !

ଗୃହକୃତ୍ୟ ପକାଇ ବସିଥିବି ଏକାଇ ନିଶିଦିନ ତୋତେ କାଖେଇକି ରେ !

ପଣନ୍ତରେ ବଦନ ପୋଛି, ଦେଲେ ଚୁମ୍ବନ; ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କି ରେ !


[ଚିତ୍ର ବର୍ଣ୍ଣନା: କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଶ୍ରୀକୃଷ୍ଣ ସାଙ୍ଗମାନଙ୍କ କାନ୍ଧ ଉପରେ ଚଢ଼ି ଶିକାରେ ଝୁଲନ୍ତା ମାଠିଆରୁ ଲହୁଣୀ ଖାଉଥିବାର ଏକ ଦୃଶ୍ୟ ।]

କବି ପରିଚୟ

କବି ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୫-୧୮୬୨) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଦ୍ୱାରା ଲିଖିତ ପଦାବଳୀର ଭାଷା ଅତ୍ୟନ୍ତ ସରଳ ଓ ମର୍ମସ୍ପର୍ଶୀ । ତାଙ୍କ କୃତି ମଧ୍ୟରୁ ‘ଶ୍ରୀ ବୃନ୍ଦାବନପରିକ୍ରମା’, ‘ଶ୍ରୀହରି କୁସୁମ ସ୍ତବକ’, ‘ଚାଟୁ ପୁଷ୍ପାଞ୍ଜଳି’, ‘ପ୍ରେମଭକ୍ତି ଚନ୍ଦ୍ରିକା’, ‘ସ୍ଵପ୍ନ ବିଳାସ’ ଆଦି ପ୍ରଧାନ । ଏଠାରେ ମାଆ ଯଶୋଦାଙ୍କ ବାତ୍ସଲ୍ୟ ମମତା ବିଷୟରେ ବର୍ଣ୍ଣନା କରାଯାଇଛି ।

ପାଠ ଅନ୍ତର୍ଗତ

ମୋ ବୁଝିବାରେ

(କ) ତଳେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ବାଛ ଏବଂ ଏହା ପାଖରେ ତାରା ଚିହ୍ନ ( * ) ଦିଅ ।

୧. ମାଆ ଶ୍ରୀକୃଷ୍ଣଙ୍କୁ ନିଜ ଛାଇ ଦେଖିବାକୁ ବାରଣ କରୁଥିଲେ । କାରଣ-

  • ଶ୍ରୀକୃଷ୍ଣଙ୍କ ଶରୀର ଦୁର୍ବଳ ହୋଇଯିବ ।
  • ଶ୍ରୀକୃଷ୍ଣ ଛାଇ ଦେଖି ଡରିବେ ।
  • ଶ୍ରୀକୃଷ୍ଣଙ୍କ ଛାଇ ତାଙ୍କୁ ଡରାଇବ ।
  • ଶ୍ରୀକୃଷ୍ଣ ରାତିରେ ଶୋଇ ପାରିବେ ନାହିଁ ।

୨. ଶ୍ରୀକୃଷ୍ଣ ସକାଳୁ ଉଠି ମାଆଙ୍କୁ କେଉଁ କାମ କରାଇ ଦେଉ ନଥିଲେ ?

  • ଗାଈ ଦୁହିଁବା କାମ
  • ଦହିମୁହାଁ କାମ
  • ବଗିଚା କାମ
  • ରାନ୍ଧିବା କାମ

(ଖ) ଏବେ ତୁମେ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର ଯେ କାହିଁକି ଉପର ଉତ୍ତରଗୁଡ଼ିକ ବାଛିଲ ?


ମିଳିମିଶି ଯୋଡ଼ିବା

ଉକ୍ତ ପାଠରୁ କିଛି ଶବ୍ଦ ଦିଆଯାଇଛି । ତୁମେମାନେ ଦଳରେ ଆଲୋଚନା କରି ନିମ୍ନରେ ଦିଆଯାଇଥିବା ଶବ୍ଦ ସହ ତା’ର ଅର୍ଥ ମିଳାଅ । ଆବଶ୍ୟକ ସ୍ଥଳେ ଶବ୍ଦକୋଷ, ଇଣ୍ଟରନେଟ୍ କିମ୍ବା ଶିକ୍ଷକଙ୍କ ସହାୟତା ନେଇପାରିବ ।

ଶବ୍ଦଅର୍ଥ
୧. ଦଣ୍ଡେ୧. ଲହୁଣୀ
୨. ବିଟୋଳ୨. କ୍ଷୀର ଫୁଟାଇବା ପରେ ତା’ ଉପରେ ବସି ଯାଇଥିବା ଏକ ଅଂଶ
୩. ପ୍ରମାଦ୩. ମାଆ ପିନ୍ଧିଥିବା ଲୁଗାର କାନି
୪. ନବନୀତ୪. ବିପଦ / ଭ୍ରାନ୍ତି
୫. ପଣନ୍ତ୫. ଅଝଟ ହେବା
୬. ସର୬. ଅଳ୍ପ ସମୟରେ

ପଦ୍ୟାଂଶ ଉପରେ ଆଲୋଚନା

୧. ନିମ୍ନରେ ଉକ୍ତ ପାଠରୁ କିଛି ପଦ ଦିଆଯାଇଛି । ଏହାକୁ ମନଦେଇ ପଢ଼, ଯାହା ବୁଝିଲ ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କର ଓ ତୁମ ଖାତାରେ ଲେଖ ।

(କ) “ଦେହ ପାସୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ

ବିଟୋଳ ହେଲୁ ମୋର ପାଇଁ କି ରେ !”

(ଖ) “ପଣନ୍ତରେ ବଦନ ପୋଛି, ଦେଲେ ଚୁମ୍ବନ

ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କି ରେ !”

ଚିନ୍ତା କରିବା

ପାଠଟିକୁ ଆଉଥରେ ପଢ଼, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଶ୍ରୀକୃଷ୍ଣ ଶୀଘ୍ର ଉଠିପଡ଼ିବାରୁ ମାଆ ଯଶୋଦା କାହିଁକି ବ୍ୟସ୍ତ ହୋଇ ପଡ଼ୁଥିଲେ ?

(ଖ) ଯଶୋଦା କାହିଁକି ଠିକ୍ ଭାବରେ ଦହି ମନ୍ଥିପାରୁ ନ ଥିଲେ ?


କବିତାର ରଚନାଶୈଳୀ

“ଦେହ ପାସୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ

ବିଟୋଳ ହେଲୁ ମୋର ପାଇଁକି ରେ !”

“ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ

ଶୁଆଇ ଦେବି ଗୀତ ଗାଇକି ରେ !”

ଏହି ପଦରେ ଥିବା ଦୁଇଟି ପାଦର ଶେଷପଦଗୁଡ଼ିକୁ ଦେଖ । ‘ପାଇଁକିରେ’ ଓ ‘ଗାଇକିରେ’ ଦୁଇଟି ଶବ୍ଦର ଶେଷଧ୍ୱନି ଏକା । ଏହାକୁ ସମତାନ ଶବ୍ଦ କୁହାଯାଏ । ଏହି କବିତାର ପ୍ରତ୍ୟେକ ପଦ ଶେଷରେ ସମତାନ ଶବ୍ଦ ରହିଛି । ଏଥିପାଇଁ କବିତାଟି ଅଧିକ ପ୍ରଭାବଶାଳୀ ହୋଇପାରିଛି ।

(କ) ଏହି କବିତାକୁ ଆଉଥରେ ପଢ଼ ଓ ସାଙ୍ଗମାନଙ୍କ ସହ ମିଶି ସେଥିରେ ଥିବା ସମତାନ ଶବ୍ଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।

(ଖ) ଦଳରେ ପ୍ରସ୍ତୁତ ତାଲିକାକୁ ଶ୍ରେଣୀରେ ଉପସ୍ଥାପନ କର ।

ଅନୁମାନ ଓ କଳ୍ପନା

ତୁମେମାନେ ମିଳିମିଶି ଦଳରେ ଆଲୋଚନା କରି ଲେଖ ।

(କ) ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ‘ଦୁଃଖୀଧନ’ ବୋଲି କାହିଁକି କହିଛନ୍ତି ?

(ଖ) ଶ୍ରୀକୃଷ୍ଣ କାହିଁକି ଖାଲି ହାତକୁ ପାଟିରେ ପୂରାଉଥିଲେ ?

ଶବ୍ଦର ରୂପ

ନିମ୍ନରେ ଶବ୍ଦଗୁଡ଼ିକୁ ନେଇ ଏକ ଶିକ୍ଷଣକାର୍ଯ୍ୟ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଶବ୍ଦକୋଷ, ସାଙ୍ଗସାଥୀ ଓ ଶିକ୍ଷକଙ୍କ ସହାୟତା ନେଇପାରିବ ।

(କ) ଗୃହକୃତ୍ୟ ପକାଇ ବସିଥିବି ‘ଏକାଇ’

ଏହି ପଂକ୍ତିରେ ‘ଏକାଇ’ ଶବ୍ଦ ଦିଆଯାଇଛି । ‘ଏକାଇ’ ଶବ୍ଦ ପାଇଁ ଆମେ ‘ଏକୁଟିଆ’ ଶବ୍ଦକୁ ମଧ୍ୟ ବ୍ୟବହାର କରିପାରିବା । ଉକ୍ତ କବିତାରେ ଏହିପରି କିଛି ଶବ୍ଦ ଅଛି; ଯାହାକୁ ଅଲଗା ଭାବରେ ଲେଖାଯାଇପାରିବ ଓ କୁହାଯାଇପାରିବ । ତଳେ କିଛି ଶବ୍ଦ ଦିଆଯାଇଛି, ସେହି ଶବ୍ଦକୁ ଅନ୍ୟରୂପରେ ଲେଖ ।

  • ବେଗି: _______
  • କେମନ୍ତ: _______
  • ତୁଲେ: _______
  • ବାଇକି: _______
  • ଖୋଇକି: _______
  • ଭାଇକି: _______

(ଖ) କବିତାର କିଛି ଶବ୍ଦ ସ୍ତମ୍ଭ ‘କ’ ସ୍ତମ୍ଭରେ ଏବଂ ଏହାର ଅର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭରେ ଥିବା ସମାନ ଅର୍ଥବୋଧକ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
୧. ଖୁଆଦଣ୍ଡ୧. ଘର, ପ୍ରାସାଦ
୨. ଦେହ୨. ଶରୀର, ତନୁ
୩. ନବନୀତ୩. ଦଧିଭାଣ୍ଡ, ଦହିମୁହାଁ ମାଠିଆ
୪. ମଥନଘଟ୪. ଲହୁଣୀ, ଦଧିଜ
୫. ରାତି୫. ରାତ୍ରି, ନିଶା, ନିଶି
୬. ଗୃହ୬. ଦହିମୁହାଁ ବାଡ଼ି

ବର୍ଣ୍ଣ ପରିବର୍ତ୍ତନ

“ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଃଖୀଧନ ।”

‘ଏଡ଼େ’ ଶବ୍ଦର ଅର୍ଥ ‘ଏତେ’ । ଏଠାରେ ‘ଡ଼’ ଏବଂ ‘ତ’ ବର୍ଣ୍ଣ ପରସ୍ପରଠାରୁ ଭିନ୍ନ । କିନ୍ତୁ ‘ଡ଼’ ପରିବର୍ତ୍ତେ ‘ତ’ ଲେଖିଲେ ତା’ର ଅର୍ଥ ପରିବର୍ତ୍ତନ ହେବ ନାହିଁ । ଏହି ଭଳି କିଛି ଶବ୍ଦ ପାଠରୁ ଖୋଜି ବା ଶିକ୍ଷକଙ୍କ ସହାୟତା ନେଇ ଖାତାରେ ଲେଖ ।


ପଦର ଭାବାର୍ଥ

ନିମ୍ନରେ ‘କ’ ସ୍ତମ୍ଭରେ କିଛି ପଂକ୍ତି ଓ ‘ଖ’ ସ୍ତମ୍ଭରେ ଏହାର ଭାବାର୍ଥ ଦିଆଯାଇଛି । ଗାରଟାଣି ପଂକ୍ତି ସହିତ ଭାବାର୍ଥକୁ ଯୋଡ଼ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
୧. ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ୧. ଶ୍ରୀକୃଷ୍ଣ ମାଆଙ୍କ ଗୋଡ଼କୁ ନିଜ ଗୋଡ଼ରେ ଛନ୍ଦି ଦେଇଛନ୍ତି । ତେଣୁ ମାଆ ଯଶୋଦା କୃଷ୍ଣଙ୍କୁ ଏଭଳି ଦୁଷ୍ଟାମି ନ କରିବାକୁ କହିଛନ୍ତି ।
୨. ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ୨. ଘରକାମ ସବୁ ପକାଇ କେବଳ ଦିନ-ରାତି ତୋ’ରି ପାଖରେ ବସିଥିବି ବୋଲି ଯଶୋଦା କହିଛନ୍ତି ।
୩. ଗୃହକୃତ୍ୟ ପକାଇ ବସିଥିବି ଏକାଇ୩. ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ରାତି ପାହିଲେ ଭାଇ ବଳରାମଙ୍କ ସହ ଖେଳିବୁ ବୋଲି କହୁଛନ୍ତି ।
୪. ମଥନ ଘଟେ ହାତ ପୂରାଇ ନବନୀତ କାଢୁ୪. ଯଶୋଦା ଶ୍ରୀକୃଷ୍ଣଙ୍କୁ ହାତ ପୂରାଇ ଲହୁଣୀ କାଢ଼ୁଥିବା କଥା କହିଛନ୍ତି ।

ପାଠ ବାହାରୁ

ତୁମକଥା

“ଆହା ଏ କି ପ୍ରମାଦ, ଛନ୍ଦନା ବାବୁ ପାଦ”

ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୋଡ଼ ନ ଛନ୍ଦିବା ପାଇଁ କହିଛନ୍ତି । କାରଣ ଏଭଳି ଦୁଷ୍ଟାମି କଲେ ମାଆ ଯଶୋଦା ଦହିମୁହାଁଇ ପାରିବେ ନାହିଁ । ତୁମେ କେବେ ଏଇଭଳି ଦୁଷ୍ଟାମି କରିଛ କି ? ଯଦି କରିଛ କେବେ ?

ଘରର ବସ୍ତୁଗୁଡ଼ିକ

“ମଥନ ଘଟେ ହାତ ପୂରାଇ ନବନୀତ ।”

‘ମଥନ ଘଟ’ ଅର୍ଥାତ୍ ଦହିହାଣ୍ଡି । ଏହା ଏପରି ଏକ ଜିନିଷ ଯାହା କି ବହୁବର୍ଷ ଧରି ଭାରତର ବିଭିନ୍ନ ଘରେ ବ୍ୟବହାର ହୋଇଆସୁଅଛି ।


[ଚିତ୍ର ବର୍ଣ୍ଣନା: ଉପରେ କାଠ ବାଉଁଶରେ ତିଆରି ଏକ ଶିକାରେ ମାଟିହାଣ୍ଡି ଝୁଲନ୍ତା ଅବସ୍ଥାରେ ରହିଛି ।]

ନିମ୍ନରେ ଆଉ କିଛି ଘରୋଇ ଜିନିଷ ଦିଆଯାଇଛି । ତାହାକୁ ତୁମ ଘରେ କ’ଣ କହନ୍ତି । ଚିତ୍ରତଳେ ଲେଖ । ଯଦି କୌଣସି ଚିତ୍ରକୁ ଚିହ୍ନିପାରୁନାହିଁ, ତେବେ ତୁମେ ଅଭିଭାବକ, ଶିକ୍ଷକ ବା ଇଣ୍ଟରନେଟ୍‌ର ସାହାଯ୍ୟ ନେଇପାର ।

ତୁମେ ଜାଣିଛ ଶ୍ରୀକୃଷ୍ଣଙ୍କର ଲହୁଣୀ ବହୁତ ପସନ୍ଦ । କ୍ଷୀରରୁ ଦହି, ଦହିରୁ ଲହୁଣୀ ପ୍ରସ୍ତୁତ ହୁଏ । ଲହୁଣୀରୁ ଘିଅ ହୁଏ । ତଳେ ଘିଅ ପ୍ରସ୍ତୁତିର ଏକ କ୍ରମ ଚିତ୍ର ଦିଆଯାଇଛି । ଏହାକୁ ଦେଖି ଘିଅ କେଉଁ ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ, ଲେଖ ।

[ଚିତ୍ର ବର୍ଣ୍ଣନା: ଘିଅ ତିଆରିର କ୍ରମିକ ଚିତ୍ର – କ୍ଷୀରକୁ ମାଠିଆରେ ରଖି ଦହି ବସାଇବା, ଦହିକୁ ମନ୍ଥନ କରି ଲହୁଣୀ ବାହାର କରିବା, ଲହୁଣୀକୁ ନିଆଁରେ ଗରମ କରି ତରଳାଇବା ଏବଂ ଶେଷରେ ପ୍ରସ୍ତୁତ ଘିଅକୁ କାଚ ବୋତଲରେ ସାଇତି ରଖିବା ପ୍ରକ୍ରିୟା ଦର୍ଶାଯାଇଛି ।]


ସମୟର ମାପ

“ଗୃହକୃତ୍ୟ ପକାଇ ବସିଥିବି ଏକାଇ

ନିଶିଦିନ ତୋତେ କାଖେଇକି ରେ !”

“ଖେଳିବୁ ରାମତୁଲେ ପଛେ ରାତି ପାହିଲେ ।

ଶୁଆଇ ଦେବି ଗୀତ ଗାଇକି ରେ !”

(କ) ନିଶିଦିନ ଅର୍ଥାତ୍ ରାତି ଓ ଦିନ ସୂଚାଇବାପାଇଁ ଆମେ ଏହି ଶବ୍ଦ ପ୍ରୟୋଗ କରିଥାଉ । ଏହିପରି ସମୟ ଜାଣିବା ପାଇଁ ଆମେ ଆଉ କେଉଁ କେଉଁ ସବୁ ଶବ୍ଦ ପ୍ରୟୋଗ କରୁ, ଦଳରେ ଆଲୋଚନା କରି ତାଲିକା ପ୍ରସ୍ତୁତ କର ଏବଂ ଶ୍ରେଣୀରେ ଉପସ୍ଥାପନ କର ।

(ଉଦାହରଣ – କାଲି, ମାସ, ଘଡ଼ି, ବେଳା ଇତ୍ୟାଦି)

(ଖ) କବିତା ଅନୁସାରେ ଶ୍ରୀକୃଷ୍ଣ କେତେବେଳେ ବିଛଣାରୁ ଉଠିଲେ ?

(ଗ) ଧରାଯାଉ, ଶ୍ରୀକୃଷ୍ଣ ସକାଳ ଛଅ ଘଟିକାରେ ଖେଳିବାକୁ ଯାଇଛନ୍ତି, ତେବେ ସେ କେତେବେଳେ ଘରକୁ ଆସିବେ ?

(ଘ) ‘ଦ୍ଵିପହର’ର ଅର୍ଥ ଦିନର ଦ୍ଵିତୀୟପ୍ରହର ସମୟ ପ୍ରାୟତଃ ଦିନ ୧୨ ଘଟିକା ସମୟ ଯେତେବେଳେ କି ସୂର୍ଯ୍ୟ ମୁଣ୍ଡ ଉପରେ ଥା’ନ୍ତି । ସେତେବେଳେ ଦ୍ଵିତୀୟ ପ୍ରହରସମୟ ଶେଷ ହୋଇ ତୃତୀୟପ୍ରହର ସମୟ ଆରମ୍ଭ ହୋଇଥାଏ । ତାହାହେଲେ, ଏବେ କୁହ ଦିନର ପ୍ରଥମପ୍ରହର ପ୍ରାୟ କେତେବେଳେ ଆରମ୍ଭ ହୋଇଥିବ ?

ଆମେ ସମସ୍ତେ ଅନନ୍ୟ

(କ) ଗୋପାଳକୃଷ୍ଣ ପଟ୍ଟନାୟକଙ୍କର କଳ୍ପନା କରି କବିତା ଲେଖିବାରେ ବିଶେଷ ଦକ୍ଷତା ଥିଲା । କବି ଭୀମ ଭୋଇ ଦୃଷ୍ଟିହୀନ ହୋଇ ମଧ୍ୟ ଅନେକ କବିତା ଲେଖିଛନ୍ତି । ସେହିଭଳି ଆମ ସମସ୍ତଙ୍କର ମଧ୍ୟ କିଛି ନା କିଛି ବିଶେଷ ଗୁଣ ବା ଦକ୍ଷତା ଅଛି । ଆସ, ସେ ବିଷୟରେ ଲେଖିବା ।

  • ତୁମର...
  • ତୁମ ପରିବାରର ଜଣେ ସଦସ୍ୟଙ୍କର...
  • ତୁମ ଶିକ୍ଷକଙ୍କର...
  • ତୁମ ସାଙ୍ଗର...

(ଖ) ଆମ ସମସ୍ତଙ୍କ ପାଖରେ କିଛି ନା କିଛି ବିଶେଷ ଦକ୍ଷତା ରହିଛି । ଯେପରି କି ଅନ୍ୟକୁ ସହାୟତା କରିବା, ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା ଇତ୍ୟାଦି । ଦକ୍ଷତାକୁ ଉପଯୋଗ କରି ତୁମେ ଏମାନଙ୍କୁ ସହାୟତା କିପରି କରିପାରିବ କୁହ ?

  • ତୁମର ଜଣେ ସହପାଠୀ ପଢ଼ି ଶିଖୁଛି କିନ୍ତୁ ସେ ଗୋଟିଏ ବିଷୟ ବୁଝି ପାରୁନାହିଁ ।
  • ତୁମର ଜଣେ ସହପାଠୀ ପଢ଼ିବାକୁ ଭଲ ପାଏ, ମାତ୍ର ସେ ଦେଖି ପାରୁନାହିଁ ।
  • ତୁମର ଜଣେ ସହପାଠୀ ବହୁତ ଶୀଘ୍ର ଶୀଘ୍ର କହେ, ତାକୁ ଶ୍ରେଣୀରେ ଭାଷଣ ଦେବାର ଅଛି ।
  • ତୁମର ଜଣେ ସହପାଠୀ ଅଟକି ଅଟକି କହେ, ତାକୁ ଶ୍ରେଣୀରେ ଭାଷଣ ଦେବାର ଅଛି ।
  • ତୁମର ଜଣେ ସହପାଠୀ ଠିକ୍ ଭାବରେ ଚାଲିପାରେ ନାହିଁ; ମାତ୍ର ସେ ସମସ୍ତଙ୍କ ସହ ଦୌଡ଼ିବାକୁ ଚାହୁଁଛି ।
  • ତୁମର ଜଣେ ସହପାଠୀ ପ୍ରତିଦିନ ବିଦ୍ୟାଳୟକୁ ଆସେ, ମାତ୍ର ଭଲ ଶୁଣିପାରେ ନାହିଁ ।

[ଚିତ୍ର ବର୍ଣ୍ଣନା: ଗଛ ମୂଳେ ବସି ଶ୍ରୀକୃଷ୍ଣ ବଂଶୀ ବଜାଉଛନ୍ତି ଏବଂ ଗାଈ ଓ ବାଛୁରୀମାନେ ଘାସ ଚରୁଛନ୍ତି ।]

ଶବ୍ଦସାରଣୀ

କ୍ଷୀରରୁ ଲହୁଣୀ ବାହାରିଥାଏ । ଅନ୍ୟ ଖାଦ୍ୟପଦାର୍ଥ ମଧ୍ୟ ସେଥିରୁ ତିଆରି କରାଯାଇଥାଏ । ତଳ ସାରଣୀରେ କେତେକ କ୍ଷୀରଜାତ ଖାଦ୍ୟର ପ୍ରଥମ ଅକ୍ଷର ଲେଖାଯାଇଛି । ଅକ୍ଷର ଆଧାରରେ ଶବ୍ଦସାରଣୀ ପୂରଣ କର ।

ଯେପରି ଲ - ଲହୁଣୀ ।

  • ଲ: ଲହୁଣୀ
  • ଛ: _______
  • ରା: _______

ଅନୁସନ୍ଧାନ କରିବା

ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ଅନ୍ୟ ରଚନାଗୁଡ଼ିକୁ ତୁମ ବିଦ୍ୟାଳୟର ପାଠାଗାରରୁ ଖୋଜି ଆଣ ଓ ପଢ଼ ।

ଆମ ଲେଖା ଆମ ଚିତ୍ର