[ଚିତ୍ର ବର୍ଣ୍ଣନା: ଜଣେ ମହିଳା ପାରମ୍ପରିକ ଶୈଳୀରେ ମାଠିଆରେ ଦହି ମନ୍ଥନ କରୁଥିବାର ଏକ ଦୃଶ୍ୟ । ପାଖରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଥିବା, କୃଷ୍ଣ-ବଳରାମ ମାଠିଆରୁ ଲହୁଣୀ ଖାଉଥିବା ଏବଂ ମାଆ ଦହି ମନ୍ଥନ କରୁଥିବା ବେଳେ ଶ୍ରୀକୃଷ୍ଣ ଆସି ଖୁଆଦଣ୍ଡ ଧରୁଥିବାର ଚିତ୍ର ରହିଛି ।]
ଉଠିଲୁ ଏଡ଼େ ବେଗି କାହିଁକି ରେ
ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଃଖୀଧନ !
ଦଧି ମନ୍ଥାଇ ଦେବୁ ନାହିଁକି ରେ ! ପଦ ।
ଦେହ ପାସୋରି ଦଣ୍ଡେ ନିଦ ନ ଗଲୁ, ଏଡ଼େ ବିଟୋଳ ହେଲୁ ମୋର ପାଇଁକି ରେ !
ଖେଳିବୁ ରାମ ତୁଲେ ପଛେ, ରାତି ପାହିଲେ, ଶୁଆଇ ଦେବି ଗୀତ ଗାଇକି ରେ !
ମନ୍ଥିବି ମୁଁ କେମନ୍ତ, ଖୁଆଦଣ୍ଡରୁ ହାତ ଛାଡ଼, ଦେଉଛି ସର ଖୋଇକି ରେ !
[ଚିତ୍ର ବର୍ଣ୍ଣନା: ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବୁଝାଉଛନ୍ତି, ଅନ୍ୟ ଏକ ଚିତ୍ରରେ ଯଶୋଦା ନିଜ ଶାଢ଼ୀର କାନିରେ ଶ୍ରୀକୃଷ୍ଣଙ୍କ ମୁହଁ ପୋଛି ଦେଉଛନ୍ତି, ଏବଂ ତଳ ଭାଗରେ ଶ୍ରୀକୃଷ୍ଣ ବଣରେ ଗାଈ-ବାଛୁରୀ ଚରାଉଥିବାର ଦୃଶ୍ୟ ରହିଛି ।]
ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ; ଡାକ ଯା’ ବଳରାମ ଭାଇ କି ରେ !
ମଥନଘଟେ ହାତ ପୂରାଇ ନବନୀତ କାଢୁ, ବୋଲନ୍ତି, ହେଲୁ ବାଇକି ରେ !
ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁପାଇଁ, ଶୁଖିଯିବୁ ନ ଚାହାଁ ଛାଇକି ରେ !
ଗୃହକୃତ୍ୟ ପକାଇ ବସିଥିବି ଏକାଇ ନିଶିଦିନ ତୋତେ କାଖେଇକି ରେ !
ପଣନ୍ତରେ ବଦନ ପୋଛି, ଦେଲେ ଚୁମ୍ବନ; ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କି ରେ !
[ଚିତ୍ର ବର୍ଣ୍ଣନା: କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଶ୍ରୀକୃଷ୍ଣ ସାଙ୍ଗମାନଙ୍କ କାନ୍ଧ ଉପରେ ଚଢ଼ି ଶିକାରେ ଝୁଲନ୍ତା ମାଠିଆରୁ ଲହୁଣୀ ଖାଉଥିବାର ଏକ ଦୃଶ୍ୟ ।]
କବି ପରିଚୟ
କବି ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୫-୧୮୬୨) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କଦ୍ୱାରା ଲିଖିତ ପଦାବଳୀର ଭାଷା ଅତ୍ୟନ୍ତ ସରଳ ଓ ମର୍ମସ୍ପର୍ଶୀ । ତାଙ୍କ କୃତି ମଧ୍ୟରୁ ‘ଶ୍ରୀ ବୃନ୍ଦାବନପରିକ୍ରମା’, ‘ଶ୍ରୀହରି କୁସୁମ ସ୍ତବକ’, ‘ଚାଟୁ ପୁଷ୍ପାଞ୍ଜଳି’, ‘ପ୍ରେମଭକ୍ତି ଚନ୍ଦ୍ରିକା’, ‘ସ୍ଵପ୍ନ ବିଳାସ’ ଆଦି ପ୍ରଧାନ । ଏଠାରେ ମାଆ ଯଶୋଦାଙ୍କ ବାତ୍ସଲ୍ୟ ମମତା ବିଷୟରେ ବର୍ଣ୍ଣନା କରାଯାଇଛି ।
ପାଠ ଅନ୍ତର୍ଗତ
ମୋ ବୁଝିବାରେ
(କ) ତଳେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ବାଛ ଏବଂ ଏହା ପାଖରେ ତାରା ଚିହ୍ନ ( * ) ଦିଅ ।
୧. ମାଆ ଶ୍ରୀକୃଷ୍ଣଙ୍କୁ ନିଜ ଛାଇ ଦେଖିବାକୁ ବାରଣ କରୁଥିଲେ । କାରଣ-
- ଶ୍ରୀକୃଷ୍ଣଙ୍କ ଶରୀର ଦୁର୍ବଳ ହୋଇଯିବ ।
- ଶ୍ରୀକୃଷ୍ଣ ଛାଇ ଦେଖି ଡରିବେ ।
- ଶ୍ରୀକୃଷ୍ଣଙ୍କ ଛାଇ ତାଙ୍କୁ ଡରାଇବ ।
- ଶ୍ରୀକୃଷ୍ଣ ରାତିରେ ଶୋଇ ପାରିବେ ନାହିଁ ।
୨. ଶ୍ରୀକୃଷ୍ଣ ସକାଳୁ ଉଠି ମାଆଙ୍କୁ କେଉଁ କାମ କରାଇ ଦେଉ ନଥିଲେ ?
- ଗାଈ ଦୁହିଁବା କାମ
- ଦହିମୁହାଁ କାମ
- ବଗିଚା କାମ
- ରାନ୍ଧିବା କାମ
(ଖ) ଏବେ ତୁମେ ତୁମ ସାଙ୍ଗମାନଙ୍କ ସହ ଆଲୋଚନା କର ଯେ କାହିଁକି ଉପର ଉତ୍ତରଗୁଡ଼ିକ ବାଛିଲ ?
ମିଳିମିଶି ଯୋଡ଼ିବା
ଉକ୍ତ ପାଠରୁ କିଛି ଶବ୍ଦ ଦିଆଯାଇଛି । ତୁମେମାନେ ଦଳରେ ଆଲୋଚନା କରି ନିମ୍ନରେ ଦିଆଯାଇଥିବା ଶବ୍ଦ ସହ ତା’ର ଅର୍ଥ ମିଳାଅ । ଆବଶ୍ୟକ ସ୍ଥଳେ ଶବ୍ଦକୋଷ, ଇଣ୍ଟରନେଟ୍ କିମ୍ବା ଶିକ୍ଷକଙ୍କ ସହାୟତା ନେଇପାରିବ ।
| ଶବ୍ଦ | ଅର୍ଥ |
|---|---|
| ୧. ଦଣ୍ଡେ | ୧. ଲହୁଣୀ |
| ୨. ବିଟୋଳ | ୨. କ୍ଷୀର ଫୁଟାଇବା ପରେ ତା’ ଉପରେ ବସି ଯାଇଥିବା ଏକ ଅଂଶ |
| ୩. ପ୍ରମାଦ | ୩. ମାଆ ପିନ୍ଧିଥିବା ଲୁଗାର କାନି |
| ୪. ନବନୀତ | ୪. ବିପଦ / ଭ୍ରାନ୍ତି |
| ୫. ପଣନ୍ତ | ୫. ଅଝଟ ହେବା |
| ୬. ସର | ୬. ଅଳ୍ପ ସମୟରେ |
ପଦ୍ୟାଂଶ ଉପରେ ଆଲୋଚନା
୧. ନିମ୍ନରେ ଉକ୍ତ ପାଠରୁ କିଛି ପଦ ଦିଆଯାଇଛି । ଏହାକୁ ମନଦେଇ ପଢ଼, ଯାହା ବୁଝିଲ ସାଙ୍ଗମାନଙ୍କ ସହ ଦଳରେ ଆଲୋଚନା କର ଓ ତୁମ ଖାତାରେ ଲେଖ ।
(କ) “ଦେହ ପାସୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ
ବିଟୋଳ ହେଲୁ ମୋର ପାଇଁ କି ରେ !”
(ଖ) “ପଣନ୍ତରେ ବଦନ ପୋଛି, ଦେଲେ ଚୁମ୍ବନ
ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କି ରେ !”
ଚିନ୍ତା କରିବା
ପାଠଟିକୁ ଆଉଥରେ ପଢ଼, ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଶ୍ରୀକୃଷ୍ଣ ଶୀଘ୍ର ଉଠିପଡ଼ିବାରୁ ମାଆ ଯଶୋଦା କାହିଁକି ବ୍ୟସ୍ତ ହୋଇ ପଡ଼ୁଥିଲେ ?
(ଖ) ଯଶୋଦା କାହିଁକି ଠିକ୍ ଭାବରେ ଦହି ମନ୍ଥିପାରୁ ନ ଥିଲେ ?
କବିତାର ରଚନାଶୈଳୀ
“ଦେହ ପାସୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ
ବିଟୋଳ ହେଲୁ ମୋର ପାଇଁକି ରେ !”
“ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ
ଶୁଆଇ ଦେବି ଗୀତ ଗାଇକି ରେ !”
ଏହି ପଦରେ ଥିବା ଦୁଇଟି ପାଦର ଶେଷପଦଗୁଡ଼ିକୁ ଦେଖ । ‘ପାଇଁକିରେ’ ଓ ‘ଗାଇକିରେ’ ଦୁଇଟି ଶବ୍ଦର ଶେଷଧ୍ୱନି ଏକା । ଏହାକୁ ସମତାନ ଶବ୍ଦ କୁହାଯାଏ । ଏହି କବିତାର ପ୍ରତ୍ୟେକ ପଦ ଶେଷରେ ସମତାନ ଶବ୍ଦ ରହିଛି । ଏଥିପାଇଁ କବିତାଟି ଅଧିକ ପ୍ରଭାବଶାଳୀ ହୋଇପାରିଛି ।
(କ) ଏହି କବିତାକୁ ଆଉଥରେ ପଢ଼ ଓ ସାଙ୍ଗମାନଙ୍କ ସହ ମିଶି ସେଥିରେ ଥିବା ସମତାନ ଶବ୍ଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
(ଖ) ଦଳରେ ପ୍ରସ୍ତୁତ ତାଲିକାକୁ ଶ୍ରେଣୀରେ ଉପସ୍ଥାପନ କର ।
ଅନୁମାନ ଓ କଳ୍ପନା
ତୁମେମାନେ ମିଳିମିଶି ଦଳରେ ଆଲୋଚନା କରି ଲେଖ ।
(କ) ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ‘ଦୁଃଖୀଧନ’ ବୋଲି କାହିଁକି କହିଛନ୍ତି ?
(ଖ) ଶ୍ରୀକୃଷ୍ଣ କାହିଁକି ଖାଲି ହାତକୁ ପାଟିରେ ପୂରାଉଥିଲେ ?
ଶବ୍ଦର ରୂପ
ନିମ୍ନରେ ଶବ୍ଦଗୁଡ଼ିକୁ ନେଇ ଏକ ଶିକ୍ଷଣକାର୍ଯ୍ୟ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଶବ୍ଦକୋଷ, ସାଙ୍ଗସାଥୀ ଓ ଶିକ୍ଷକଙ୍କ ସହାୟତା ନେଇପାରିବ ।
(କ) ଗୃହକୃତ୍ୟ ପକାଇ ବସିଥିବି ‘ଏକାଇ’
ଏହି ପଂକ୍ତିରେ ‘ଏକାଇ’ ଶବ୍ଦ ଦିଆଯାଇଛି । ‘ଏକାଇ’ ଶବ୍ଦ ପାଇଁ ଆମେ ‘ଏକୁଟିଆ’ ଶବ୍ଦକୁ ମଧ୍ୟ ବ୍ୟବହାର କରିପାରିବା । ଉକ୍ତ କବିତାରେ ଏହିପରି କିଛି ଶବ୍ଦ ଅଛି; ଯାହାକୁ ଅଲଗା ଭାବରେ ଲେଖାଯାଇପାରିବ ଓ କୁହାଯାଇପାରିବ । ତଳେ କିଛି ଶବ୍ଦ ଦିଆଯାଇଛି, ସେହି ଶବ୍ଦକୁ ଅନ୍ୟରୂପରେ ଲେଖ ।
- ବେଗି: _______
- କେମନ୍ତ: _______
- ତୁଲେ: _______
- ବାଇକି: _______
- ଖୋଇକି: _______
- ଭାଇକି: _______
(ଖ) କବିତାର କିଛି ଶବ୍ଦ ସ୍ତମ୍ଭ ‘କ’ ସ୍ତମ୍ଭରେ ଏବଂ ଏହାର ଅର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭରେ ଥିବା ସମାନ ଅର୍ଥବୋଧକ ଶବ୍ଦକୁ ମିଳାଅ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ୧. ଖୁଆଦଣ୍ଡ | ୧. ଘର, ପ୍ରାସାଦ |
| ୨. ଦେହ | ୨. ଶରୀର, ତନୁ |
| ୩. ନବନୀତ | ୩. ଦଧିଭାଣ୍ଡ, ଦହିମୁହାଁ ମାଠିଆ |
| ୪. ମଥନଘଟ | ୪. ଲହୁଣୀ, ଦଧିଜ |
| ୫. ରାତି | ୫. ରାତ୍ରି, ନିଶା, ନିଶି |
| ୬. ଗୃହ | ୬. ଦହିମୁହାଁ ବାଡ଼ି |
ବର୍ଣ୍ଣ ପରିବର୍ତ୍ତନ
“ଉଠିଲୁ ଏଡ଼େ ବେଗି କାହିଁକି ରେ ଦୁଃଖୀଧନ ।”
‘ଏଡ଼େ’ ଶବ୍ଦର ଅର୍ଥ ‘ଏତେ’ । ଏଠାରେ ‘ଡ଼’ ଏବଂ ‘ତ’ ବର୍ଣ୍ଣ ପରସ୍ପରଠାରୁ ଭିନ୍ନ । କିନ୍ତୁ ‘ଡ଼’ ପରିବର୍ତ୍ତେ ‘ତ’ ଲେଖିଲେ ତା’ର ଅର୍ଥ ପରିବର୍ତ୍ତନ ହେବ ନାହିଁ । ଏହି ଭଳି କିଛି ଶବ୍ଦ ପାଠରୁ ଖୋଜି ବା ଶିକ୍ଷକଙ୍କ ସହାୟତା ନେଇ ଖାତାରେ ଲେଖ ।
ପଦର ଭାବାର୍ଥ
ନିମ୍ନରେ ‘କ’ ସ୍ତମ୍ଭରେ କିଛି ପଂକ୍ତି ଓ ‘ଖ’ ସ୍ତମ୍ଭରେ ଏହାର ଭାବାର୍ଥ ଦିଆଯାଇଛି । ଗାରଟାଣି ପଂକ୍ତି ସହିତ ଭାବାର୍ଥକୁ ଯୋଡ଼ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ୧. ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ | ୧. ଶ୍ରୀକୃଷ୍ଣ ମାଆଙ୍କ ଗୋଡ଼କୁ ନିଜ ଗୋଡ଼ରେ ଛନ୍ଦି ଦେଇଛନ୍ତି । ତେଣୁ ମାଆ ଯଶୋଦା କୃଷ୍ଣଙ୍କୁ ଏଭଳି ଦୁଷ୍ଟାମି ନ କରିବାକୁ କହିଛନ୍ତି । |
| ୨. ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ | ୨. ଘରକାମ ସବୁ ପକାଇ କେବଳ ଦିନ-ରାତି ତୋ’ରି ପାଖରେ ବସିଥିବି ବୋଲି ଯଶୋଦା କହିଛନ୍ତି । |
| ୩. ଗୃହକୃତ୍ୟ ପକାଇ ବସିଥିବି ଏକାଇ | ୩. ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ରାତି ପାହିଲେ ଭାଇ ବଳରାମଙ୍କ ସହ ଖେଳିବୁ ବୋଲି କହୁଛନ୍ତି । |
| ୪. ମଥନ ଘଟେ ହାତ ପୂରାଇ ନବନୀତ କାଢୁ | ୪. ଯଶୋଦା ଶ୍ରୀକୃଷ୍ଣଙ୍କୁ ହାତ ପୂରାଇ ଲହୁଣୀ କାଢ଼ୁଥିବା କଥା କହିଛନ୍ତି । |
ପାଠ ବାହାରୁ
ତୁମକଥା
“ଆହା ଏ କି ପ୍ରମାଦ, ଛନ୍ଦନା ବାବୁ ପାଦ”
ଏଠାରେ ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ତାଙ୍କ ଗୋଡ଼ ନ ଛନ୍ଦିବା ପାଇଁ କହିଛନ୍ତି । କାରଣ ଏଭଳି ଦୁଷ୍ଟାମି କଲେ ମାଆ ଯଶୋଦା ଦହିମୁହାଁଇ ପାରିବେ ନାହିଁ । ତୁମେ କେବେ ଏଇଭଳି ଦୁଷ୍ଟାମି କରିଛ କି ? ଯଦି କରିଛ କେବେ ?
ଘରର ବସ୍ତୁଗୁଡ଼ିକ
“ମଥନ ଘଟେ ହାତ ପୂରାଇ ନବନୀତ ।”
‘ମଥନ ଘଟ’ ଅର୍ଥାତ୍ ଦହିହାଣ୍ଡି । ଏହା ଏପରି ଏକ ଜିନିଷ ଯାହା କି ବହୁବର୍ଷ ଧରି ଭାରତର ବିଭିନ୍ନ ଘରେ ବ୍ୟବହାର ହୋଇଆସୁଅଛି ।
[ଚିତ୍ର ବର୍ଣ୍ଣନା: ଉପରେ କାଠ ବାଉଁଶରେ ତିଆରି ଏକ ଶିକାରେ ମାଟିହାଣ୍ଡି ଝୁଲନ୍ତା ଅବସ୍ଥାରେ ରହିଛି ।]
ନିମ୍ନରେ ଆଉ କିଛି ଘରୋଇ ଜିନିଷ ଦିଆଯାଇଛି । ତାହାକୁ ତୁମ ଘରେ କ’ଣ କହନ୍ତି । ଚିତ୍ରତଳେ ଲେଖ । ଯଦି କୌଣସି ଚିତ୍ରକୁ ଚିହ୍ନିପାରୁନାହିଁ, ତେବେ ତୁମେ ଅଭିଭାବକ, ଶିକ୍ଷକ ବା ଇଣ୍ଟରନେଟ୍ର ସାହାଯ୍ୟ ନେଇପାର ।
ତୁମେ ଜାଣିଛ ଶ୍ରୀକୃଷ୍ଣଙ୍କର ଲହୁଣୀ ବହୁତ ପସନ୍ଦ । କ୍ଷୀରରୁ ଦହି, ଦହିରୁ ଲହୁଣୀ ପ୍ରସ୍ତୁତ ହୁଏ । ଲହୁଣୀରୁ ଘିଅ ହୁଏ । ତଳେ ଘିଅ ପ୍ରସ୍ତୁତିର ଏକ କ୍ରମ ଚିତ୍ର ଦିଆଯାଇଛି । ଏହାକୁ ଦେଖି ଘିଅ କେଉଁ ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ, ଲେଖ ।
[ଚିତ୍ର ବର୍ଣ୍ଣନା: ଘିଅ ତିଆରିର କ୍ରମିକ ଚିତ୍ର – କ୍ଷୀରକୁ ମାଠିଆରେ ରଖି ଦହି ବସାଇବା, ଦହିକୁ ମନ୍ଥନ କରି ଲହୁଣୀ ବାହାର କରିବା, ଲହୁଣୀକୁ ନିଆଁରେ ଗରମ କରି ତରଳାଇବା ଏବଂ ଶେଷରେ ପ୍ରସ୍ତୁତ ଘିଅକୁ କାଚ ବୋତଲରେ ସାଇତି ରଖିବା ପ୍ରକ୍ରିୟା ଦର୍ଶାଯାଇଛି ।]
ସମୟର ମାପ
“ଗୃହକୃତ୍ୟ ପକାଇ ବସିଥିବି ଏକାଇ
ନିଶିଦିନ ତୋତେ କାଖେଇକି ରେ !”
“ଖେଳିବୁ ରାମତୁଲେ ପଛେ ରାତି ପାହିଲେ ।
ଶୁଆଇ ଦେବି ଗୀତ ଗାଇକି ରେ !”
(କ) ନିଶିଦିନ ଅର୍ଥାତ୍ ରାତି ଓ ଦିନ ସୂଚାଇବାପାଇଁ ଆମେ ଏହି ଶବ୍ଦ ପ୍ରୟୋଗ କରିଥାଉ । ଏହିପରି ସମୟ ଜାଣିବା ପାଇଁ ଆମେ ଆଉ କେଉଁ କେଉଁ ସବୁ ଶବ୍ଦ ପ୍ରୟୋଗ କରୁ, ଦଳରେ ଆଲୋଚନା କରି ତାଲିକା ପ୍ରସ୍ତୁତ କର ଏବଂ ଶ୍ରେଣୀରେ ଉପସ୍ଥାପନ କର ।
(ଉଦାହରଣ – କାଲି, ମାସ, ଘଡ଼ି, ବେଳା ଇତ୍ୟାଦି)
(ଖ) କବିତା ଅନୁସାରେ ଶ୍ରୀକୃଷ୍ଣ କେତେବେଳେ ବିଛଣାରୁ ଉଠିଲେ ?
(ଗ) ଧରାଯାଉ, ଶ୍ରୀକୃଷ୍ଣ ସକାଳ ଛଅ ଘଟିକାରେ ଖେଳିବାକୁ ଯାଇଛନ୍ତି, ତେବେ ସେ କେତେବେଳେ ଘରକୁ ଆସିବେ ?
(ଘ) ‘ଦ୍ଵିପହର’ର ଅର୍ଥ ଦିନର ଦ୍ଵିତୀୟପ୍ରହର ସମୟ ପ୍ରାୟତଃ ଦିନ ୧୨ ଘଟିକା ସମୟ ଯେତେବେଳେ କି ସୂର୍ଯ୍ୟ ମୁଣ୍ଡ ଉପରେ ଥା’ନ୍ତି । ସେତେବେଳେ ଦ୍ଵିତୀୟ ପ୍ରହରସମୟ ଶେଷ ହୋଇ ତୃତୀୟପ୍ରହର ସମୟ ଆରମ୍ଭ ହୋଇଥାଏ । ତାହାହେଲେ, ଏବେ କୁହ ଦିନର ପ୍ରଥମପ୍ରହର ପ୍ରାୟ କେତେବେଳେ ଆରମ୍ଭ ହୋଇଥିବ ?
ଆମେ ସମସ୍ତେ ଅନନ୍ୟ
(କ) ଗୋପାଳକୃଷ୍ଣ ପଟ୍ଟନାୟକଙ୍କର କଳ୍ପନା କରି କବିତା ଲେଖିବାରେ ବିଶେଷ ଦକ୍ଷତା ଥିଲା । କବି ଭୀମ ଭୋଇ ଦୃଷ୍ଟିହୀନ ହୋଇ ମଧ୍ୟ ଅନେକ କବିତା ଲେଖିଛନ୍ତି । ସେହିଭଳି ଆମ ସମସ୍ତଙ୍କର ମଧ୍ୟ କିଛି ନା କିଛି ବିଶେଷ ଗୁଣ ବା ଦକ୍ଷତା ଅଛି । ଆସ, ସେ ବିଷୟରେ ଲେଖିବା ।
- ତୁମର...
- ତୁମ ପରିବାରର ଜଣେ ସଦସ୍ୟଙ୍କର...
- ତୁମ ଶିକ୍ଷକଙ୍କର...
- ତୁମ ସାଙ୍ଗର...
(ଖ) ଆମ ସମସ୍ତଙ୍କ ପାଖରେ କିଛି ନା କିଛି ବିଶେଷ ଦକ୍ଷତା ରହିଛି । ଯେପରି କି ଅନ୍ୟକୁ ସହାୟତା କରିବା, ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା ଇତ୍ୟାଦି । ଦକ୍ଷତାକୁ ଉପଯୋଗ କରି ତୁମେ ଏମାନଙ୍କୁ ସହାୟତା କିପରି କରିପାରିବ କୁହ ?
- ତୁମର ଜଣେ ସହପାଠୀ ପଢ଼ି ଶିଖୁଛି କିନ୍ତୁ ସେ ଗୋଟିଏ ବିଷୟ ବୁଝି ପାରୁନାହିଁ ।
- ତୁମର ଜଣେ ସହପାଠୀ ପଢ଼ିବାକୁ ଭଲ ପାଏ, ମାତ୍ର ସେ ଦେଖି ପାରୁନାହିଁ ।
- ତୁମର ଜଣେ ସହପାଠୀ ବହୁତ ଶୀଘ୍ର ଶୀଘ୍ର କହେ, ତାକୁ ଶ୍ରେଣୀରେ ଭାଷଣ ଦେବାର ଅଛି ।
- ତୁମର ଜଣେ ସହପାଠୀ ଅଟକି ଅଟକି କହେ, ତାକୁ ଶ୍ରେଣୀରେ ଭାଷଣ ଦେବାର ଅଛି ।
- ତୁମର ଜଣେ ସହପାଠୀ ଠିକ୍ ଭାବରେ ଚାଲିପାରେ ନାହିଁ; ମାତ୍ର ସେ ସମସ୍ତଙ୍କ ସହ ଦୌଡ଼ିବାକୁ ଚାହୁଁଛି ।
- ତୁମର ଜଣେ ସହପାଠୀ ପ୍ରତିଦିନ ବିଦ୍ୟାଳୟକୁ ଆସେ, ମାତ୍ର ଭଲ ଶୁଣିପାରେ ନାହିଁ ।
[ଚିତ୍ର ବର୍ଣ୍ଣନା: ଗଛ ମୂଳେ ବସି ଶ୍ରୀକୃଷ୍ଣ ବଂଶୀ ବଜାଉଛନ୍ତି ଏବଂ ଗାଈ ଓ ବାଛୁରୀମାନେ ଘାସ ଚରୁଛନ୍ତି ।]
ଶବ୍ଦସାରଣୀ
କ୍ଷୀରରୁ ଲହୁଣୀ ବାହାରିଥାଏ । ଅନ୍ୟ ଖାଦ୍ୟପଦାର୍ଥ ମଧ୍ୟ ସେଥିରୁ ତିଆରି କରାଯାଇଥାଏ । ତଳ ସାରଣୀରେ କେତେକ କ୍ଷୀରଜାତ ଖାଦ୍ୟର ପ୍ରଥମ ଅକ୍ଷର ଲେଖାଯାଇଛି । ଅକ୍ଷର ଆଧାରରେ ଶବ୍ଦସାରଣୀ ପୂରଣ କର ।
ଯେପରି ଲ - ଲହୁଣୀ ।
- ଲ: ଲହୁଣୀ
- ଛ: _______
- ରା: _______
ଅନୁସନ୍ଧାନ କରିବା
ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ଅନ୍ୟ ରଚନାଗୁଡ଼ିକୁ ତୁମ ବିଦ୍ୟାଳୟର ପାଠାଗାରରୁ ଖୋଜି ଆଣ ଓ ପଢ଼ ।
ଆମ ଲେଖା ଆମ ଚିତ୍ର