[ଚିତ୍ର ବର୍ଣ୍ଣନା: ଏକ ସୁନ୍ଦର ଚିତ୍ରପଟରେ ମାତା ଯଶୋଦା ବସିଛନ୍ତି ଏବଂ ତାଙ୍କ କୋଳରେ ବାଳକୃଷ୍ଣ ବସିଛନ୍ତି। ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ସ୍ନେହରେ ଖୁଆଇ ଦେଉଛନ୍ତି। ପାଖରେ ପିଠା-ମିଠା ଓ ଲବଣି ପାତ୍ର ରହିଛି।]
କଳାମାଣିକରେ
ଅଭିମନ୍ୟୁ ସାମନ୍ତସିଂହାର
ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ,
ବାତ୍ସଲ୍ୟ – ମମତା ଘେନି ଭାଳୁଛନ୍ତି ମାତ । କଳାମାଣିକ ରେ || ୧ ||
ନିଧନ ସଙ୍ଖାଳି ମୋର ଦରିଦ୍ର ପସରା,
ଅନ୍ଧଲଉଡ଼ି ବାବୁରେ ହୃଦ ରତ୍ନହାରା । କଳାମାଣିକ ରେ || ୨ ||
ମୋ ଜୀବ ଜୀବନ ତୁହି ନୟନ ପ୍ରତିମା,
ତୋତେ କି ପାସୋରି ହେବ, ମୋର ସୁଖ ସୀମା ! କଳାମାଣିକ ରେ || ୩ ||
ଡରୁଥାଉ ଅନ୍ଧାରକୁ ରଖିଆଉ ଗୋରୁ,
ଜନକଜନନୀ ସୁଖ କାହିଁପାଇଁ ସାରୁ ! କଳାମାଣିକ ରେ || ୪ ||
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ,
ହୃଦତାପ ବିନାଶନେ ତୁ ହରିଚନ୍ଦନ । କଳାମାଣିକ ରେ || ୫ ||
ଗୋଟିକା, ଅଧାମ, ସର ନ ରୁଚଇ ତୋତେ,
ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ । କଳାମାଣିକ ରେ || ୬ ||
ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି,
ତୋ ଦୁର୍ବଳ ଦେଖୁ କାହିଁ ପଶିବଇଁ ମୁହିଁ । କଳାମାଣିକ ରେ || ୭ ||
[ଚିତ୍ର ବର୍ଣ୍ଣନା: ଶ୍ରୀକୃଷ୍ଣ ଓ ବଳରାମ ସାଥୀ ଗୋପାଳବାଳକମାନଙ୍କ ସହ ଗୋରୁପଲଙ୍କୁ ଘେନି ସବୁଜ ତୃଣଭୂମିରେ ଚରାଉଛନ୍ତି। ଗୋଟିଏ ଧଳା ବାଛୁରୀ ଆନନ୍ଦରେ ଡେଇଁ ଦୌଡ଼ୁଛି।]
ଡାକିନୀ ଲୋଭାନ୍ତି ବୋଲି ଡରୁଥାଉ ମନେ,
ବାରବାର ବାରୁଥାଇ ଯିବା ପାଇଁ ବନେ । କଳାମାଣିକ ରେ || ୮ ||
ନିଶାଚର ମାତିବାର ଶୁଭୁଛି ଶ୍ରୁତିକି,
ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ! କଳାମାଣିକ ରେ || ୯ ||
ଝାଳ ବହୁଥିବ ଅଙ୍ଗୁ ଲାଗି, ଝାଞ୍ଜି ଖରା,
ଶ୍ରମ ପାଇ ତରୁତଳେ ବସିଥିବୁ ପରା ! କଳାମାଣିକ ରେ || ୧୦ ||
ନେଲୁ ନାହିଁ କାହିଁ ପାଇଁ ତୋ’ କଠାଉ ଛତା,
ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ! କଳାମାଣିକ ରେ || ୧୧ ||
କାନ ଡେରିଥାଇ ଏକା ତୋ’ ବେଣୁଗୀତକୁ,
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ! କଳାମାଣିକ ରେ || ୧୨ ||
[ଚିତ୍ର ବର୍ଣ୍ଣନା: କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିଛବି।]
କବି ପରିଚୟ
(୧୭୬୦-୧୮୦୬)
ପ୍ରାଚୀନ ରୀତିଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାର ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ ୧୭୬୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ସୁନ୍ଦର କବିତା ରଚନା କରୁଥିଲେ। ତାଙ୍କର ଲେଖା ଭିତରୁ ‘ବିଦଗ୍ଧଚିନ୍ତାମଣି’, ‘ପ୍ରେମକଳା’, ‘ରସବତୀ’, ‘ବାଘଗୀତ’, ‘ସୁଲକ୍ଷଣା’, ‘ଚଢ଼େଇଗୀତ’, ‘ବୋଲେ ହୁଁଟି’ ଅନ୍ୟତମ।
‘କଳାମାଣିକରେ’ ବିଦଗ୍ଧଚିନ୍ତାମଣି କାବ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି। ଏଥିରେ କୃଷ୍ଣ ସନ୍ଧ୍ୟା ସମୟରେ ଗୋରୁପଲଙ୍କୁ ଧରି ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ବ୍ୟସ୍ତତା ପ୍ରକାଶ ପାଇଛି। ଏହି କବିତାରେ ମାତୃହୃଦୟର ଆବେଗ ଭରା ବାତ୍ସଲ୍ୟପ୍ରେମର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଛି।
ପାଠରୁ
ଆସ ବର୍ତ୍ତମାନ ଆମେ ଏହି କବିତା ଉପରେ ଚର୍ଚ୍ଚା କରିବା ଏବଂ ନିମ୍ନରେ ଦିଆଯାଇଥିବା କାର୍ଯ୍ୟଫର୍ଦ୍ଦକୁ କରିବା।
ମୁଁ ଯାହା ବୁଝିଲି
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନପାଇଁ କେତୋଟି ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛ।
୧ । ‘ନିଧନ ସଙ୍ଖାଳି ମୋର ଦରିଦ୍ରପସରା’ – କାହାକୁ କୁହାଯାଇଛି ? (କ) ଭକ୍ତଙ୍କୁ
(ଖ) ପିତାଙ୍କୁ
(ଗ) ବଳରାମଙ୍କୁ
(ଘ) ଶ୍ରୀକୃଷ୍ଣଙ୍କୁ
୨ । ‘ଅନ୍ଧଲଉଡ଼ି ବାବୁରେ’ ପଦର ମୁଖ୍ୟ ଅର୍ଥ କ'ଣ ? (କ) ଅନ୍ଧାରରେ ବାଡ଼ି ବୁଲାଇବା
(ଖ) ଦୃଷ୍ଟିହୀନଙ୍କ ସାହାରାବାଡ଼ି
(ଗ) ବାଉଁଶରେ ତିଆରି ସ୍ୱତନ୍ତ୍ର ବାଡ଼ି
(ଘ) ଅସହାୟର ସାହା
୩ । “ଧୀରେ ଘେନ କାନନରେ” ଏଠାରେ ‘ଧୀରେ’ ଶବ୍ଦ କବିତାରେ କେଉଁ ଅର୍ଥରେ ବ୍ୟବହୃତ ହୋଇଛି ? (କ) ବାଳକମାନେ
(ଖ) ଜ୍ଞାନୀମାନେ
(ଗ) ଲୋକମାନେ
(ଘ) ଆସ୍ତେଆସ୍ତେ
୪ । “କାନ ଡେରିଥାଇ, ଏକା ତୋ’ ବେଣୁଗୀତକୁ,
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ।” – ଏହି ପଦରେ କେଉଁ ଭାବ ପ୍ରକାଶ ପାଉଛି ? (କ) କ୍ରୋଧ
(ଖ) ଦୁଃଖ
(ଗ) ବ୍ୟସ୍ତ
(ଘ) ଆନନ୍ଦ
ଆସ ମିଳିମିଶି ମିଳାଇବା
(‘କ’ ସ୍ତମ୍ଭରେ ଥିବା ଶବ୍ଦଗୁଡ଼ିକର ପ୍ରକୃତଅର୍ଥ ‘ଖ’ ସ୍ତମ୍ଭରେ ଅଛି । ଆସ ବାଛି କରି ମିଳାଇବା)
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ନିଧନ | ମନାକରିବା |
| ନନ୍ଦନ | ଆହାର |
| ଅଧାମ | କୋମଳ |
| ମୃଦୁ | ଗରିବ |
| ବାରୁଥାଇ | ରାବିଡ଼ି |
| ପୁତ୍ର |
ପଦ୍ୟାଂଶର ଆଲୋଚନା
ଏହି କବିତାରୁ କିଛି ପଦ୍ୟାଂଶ ନିମ୍ନରେ ଦିଆଯାଇଛି । ଏହାକୁ ପଢ଼ି, ବୁଝି ଦଳରେ ଆଲୋଚନା କରି ସରଳ ଭାଷାରେ ଲେଖ –
(କ) ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ,
ବାରବାର ବାରୁଥାଇ ଯିବା ପାଇଁ ବନେ, କଳାମାଣିକରେ ||
(ଖ) ନେଲୁ ନାହିଁ କାହିଁ ପାଇଁ ତୋ’ କଠାଉ ଛତା,
ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ! କଳାମାଣିକରେ ||
ବୁଝିବିଚାରି
କବିତାଟିକୁ ଆଉଥରେ ପଢ଼ ଓ ଉତ୍ତରଟି ଖୋଜି ଲେଖ –
(କ) ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି ?
(ଖ) ଶ୍ରୀକୃଷ୍ଣଙ୍କର କେଉଁ ସବୁ କାର୍ଯ୍ୟ ମନେପକାଇ ମାତା ଯଶୋଦା ଭାଳି ହେଉଥିଲେ ?
କବିତାର ରଚନା
ଝାଳ ବହୁଥିବ ଅଙ୍ଗୁ ଲାଗି, ଝାଞ୍ଜିଖରା,
ଶ୍ରମ ପାଇ ତରୁତଳେ ବସିଥିବୁ ପରା ! କଳାମାଣିକ ରେ
୧. ଏହି ଦୁଇଧାଡ଼ିକୁ ଧ୍ୟାନ ଦେଇ ପଢ଼ ତୁମେ କ’ଣ ବୁଝୁଛ କୁହ ? ଝାଞ୍ଜିଖରାରେ ତୁମେ ବାହାରେ କାମ କରୁଥିବାବେଳେ ଯେଉଁ କଷ୍ଟ ଅନୁଭବ କର ; ତାହା ଏଠାରେ ଲେଖ।
୨. କେବେ ଶ୍ରମିକମାନେ ଏପରି ଝାଞ୍ଜିଖରାରେ କାମ କରୁଥିବାର ଦେଖୁଛ କି ? ଯଦି ଦେଖୁଛ, ତେବେ ସେମାନଙ୍କର ଅନୁଭବକୁ ସାଙ୍ଗସାଥୀଙ୍କ ସହ ଆଲୋଚନା କରି ଲେଖ।
ଅନୁମାନ ଓ ଭାବନାରୁ
ତୁମେ ସବୁ ମିଳିମିଶି ଆଲୋଚନା କର –
(କ) ଶ୍ରୀକୃଷ୍ଣଙ୍କ ଫେରିବା ବିଳମ୍ବ ହେବା ଦେଖି ମାତା ଯଶୋଦା ଯେପରି ବିଚଳିତ ହେଉଥିଲେ ; ସେହିପରି ତୁମ ମାଆ ତୁମପାଇଁ କେବେ ବ୍ୟସ୍ତ ହେବାର ଅନୁଭବ କରିଛ କି ? ଯଦି ସେପରି ଅନୁଭୂତି ଥାଏ, ନିଜ ଭାଷାରେ ବର୍ଣ୍ଣନା କର।
(ଖ) ଯଦି ତୁମକୁ ଶ୍ରୀକୃଷ୍ଣଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳନ୍ତା, ତେବେ ତୁମେ ତାଙ୍କୁ କ’ଣ କ’ଣ ପଚାରନ୍ତ ?
ଶବ୍ଦର ରୂପ
ଯେପରି ‘ଜନକ’ ଓ ‘ଜନନୀ’ ମିଶିଲେ ଜନକଜନନୀ ହେଉଛି – ସେହିପରି ଏହି ବୃକ୍ଷ ଭିତରେ ଦିଆଯାଇଥିବା ଶବ୍ଦମାନଙ୍କରୁ ବାଛି ଯୋଡ଼ି ଶବ୍ଦ ଲେଖ।
[ଚିତ୍ର ବର୍ଣ୍ଣନା: ଏକ ବୃକ୍ଷର ଚିତ୍ର ଯାହା ଭିତରେ କିଛି ଶବ୍ଦ ଲେଖାହୋଇଛି:]
ମାତା, ପଇସା
ଭଲ, ଗଛ
ଫଳ, ଦିନ
ହସ, ଟଙ୍କା
ମନ୍ଦ, ପିତା
ଫୁଲ, ପତ୍ର
ଲତା, କାନ୍ଦ, ରାତି
ଶବ୍ଦ ସହ ଶବ୍ଦର ସମ୍ପର୍କ
ଶ୍ରୀକୃଷ୍ଣଙ୍କ ସହିତ ସମ୍ପର୍କ ଥିବା ଶବ୍ଦଗୁଡ଼ିକୁ ମନେପକାଇ ଯୋଡ଼।
[ଚିତ୍ର ବର୍ଣ୍ଣନା: କେନ୍ଦ୍ରରେ ଗୋରୁପଲଙ୍କ ସହ ବସିଥିବା ଶ୍ରୀକୃଷ୍ଣଙ୍କ ଚିତ୍ର ରହିଛି। ତାଙ୍କ ଚାରିପାଖରେ ଥିବା ଗୋଲାକାର ଘରଗୁଡ଼ିକ ମଧ୍ୟରୁ ଉପର ଘରେ ‘ବେଣୁ’ ଲେଖାଅଛି ଏବଂ ବାକି ଘରଗୁଡ଼ିକ ଖାଲି ଅଛି।]
ପଦ୍ୟାଂଶ ମିଳନ
ନିମ୍ନରେ ‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭରେ ପଦ୍ୟର କେତେକ ଧାଡ଼ି ଦିଆଯାଇଛି । ଯେଉଁ ଧାଡ଼ି ସହ ଯାହାର ସମ୍ପର୍କ ଅଛି ତାହାକୁ ଗାର ଟାଣି ମିଳାଅ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
|---|---|
| ନେଲୁ ନାହିଁ କାହିଁ ପାଇଁ ତୋ’ କଠାଉ ଛତା, | ଅନ୍ଧଲଉଡ଼ି ବାବୁରେ ହୃଦରତ୍ନହାରା |
| ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ | ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ! |
| ଡରୁଥାଉ ଅନ୍ଧାରକୁ ରଖିଆଉ ଗୋରୁ | ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ! |
| ନିଧନ ସଙ୍ଖାଳି ମୋର ଦରିଦ୍ରପସରା, | ହୃଦତାପ ବିନାଶନେ ତୁ ହରିଚନ୍ଦନ |
| ନିଶାଚର ମାତିବାର ଶୁଭୁଛି ଶ୍ରୁତିକି | ଜନକଜନନୀ ସୁଖ କାହିଁ ପାଇଁ ସାରୁ ! |
କବିତାର ସୌନ୍ଦର୍ଯ୍ୟ
ଯେପରି ‘ବାତ୍ସଲ୍ୟ’ ସହ ‘ମମତା’ ଶବ୍ଦ ଯୋଡ଼ି ହୋଇଛି, ସେହିପରି ପଦ୍ୟ ମଧ୍ୟରେ ଆଉ କିଛି ଶବ୍ଦ ଯୋଡ଼ି ରହିଛି । ତାକୁ ବାଛି ଲେଖ ।
ରୂପ ବଦଳାଇ ଲେଖ
ଏହି ପାଠରୁ କୌଣସି ଗୋଟିଏ ପଦକୁ ନେଇ ଅନୁଚ୍ଛେଦଟିଏ ଲେଖ –
ଡରୁଥାଉ ଅନ୍ଧାରକୁ ରଖିଆଉ ଗୋରୁ,
କିମ୍ବା
ଆଜ କିମ୍ପା ଶୁଭୁନାହିଁ ଭାବୁଛି ମନକୁ !
[ଚିତ୍ର ବର୍ଣ୍ଣନା: ମାତା ଯଶୋଦା ଆଦର ସହକାରେ ବାଳକୃଷ୍ଣଙ୍କୁ ଧରି ପରସ୍ପରକୁ ଚାହୁଁଛନ୍ତି।]
ରୂଢ଼ି
ଆସ କିଛି ରୂଢ଼ିର ବ୍ୟବହାର କରିବା –
‘ଅନ୍ଧଲଉଡ଼ି ବାବୁରେ ହୃଦରତ୍ନହାରା ।’ ଏଠାରେ ଅନ୍ଧଲଉଡ଼ି ଏକ ରୂଢ଼ି ଯାହାର ଅର୍ଥ ଅସହାୟର ସାହା। କୌଣସି ଶବ୍ଦ ନିଜର ଅର୍ଥକୁ ଛାଡ଼ି ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ତା’କୁ ଆମେ ରୂଢ଼ି କହିଥାଉ। ଏହା ବାକ୍ୟରେ ବା କବିତାରେ ବ୍ୟବହାର ହେଲେ ଖୁବ୍ ସୁନ୍ଦର ଲାଗେ। ନିମ୍ନରେ ଆଖି ଶବ୍ଦ ସହିତ ଯୋଡ଼ି ହୋଇଥିବା କିଛି ରୂଢ଼ି ଦିଆଗଲା। ନିଜର ପରିବାର ସଦସ୍ୟ, ସାଙ୍ଗସାଥୀ, ଶିକ୍ଷକ / ଶିକ୍ଷୟିତ୍ରୀ, ପାଠାଗାର କିମ୍ବା ପ୍ରଯୁକ୍ତିବିଦ୍ୟାର ସହାୟତା ନେଇ ଏଗୁଡ଼ିକର ଅର୍ଥ ବୁଝି ବାକ୍ୟରେ ବ୍ୟବହାର କର –
ଆଖି ରଖିବା –
ଆଖି ଦେବା –
ଆଖି ପକାଇବା –
ଆଖି ବୁଲାଇବା –
ଆଖି ବୁଜିବା –
ଆଖିକି ପାଇବା –
ଆଖିରେ ଧୂଳିଦେବା –
ସମସ୍ତଙ୍କ ପ୍ରସ୍ତୁତି
କବିତାର ପ୍ରତ୍ୟେକ ପଦକୁ ଭିନ୍ନଭିନ୍ନ ଢଙ୍ଗରେ ଆବୃତ୍ତି ଓ ଅଭିନୟ କରିବେ।
– ଆବୃତ୍ତି (ବ୍ୟକ୍ତିଗତ)
– ଆବୃତ୍ତି (ଦଳଗତ)
– ଅଭିନୟ (ବ୍ୟକ୍ତିଗତ)
– ଅଭିନୟ (ଦଳଗତ)
[ଚିତ୍ର ବର୍ଣ୍ଣନା: ଘର ଦାଣ୍ଡରେ ମାତା ଯଶୋଦା ବାଡ଼ି ଧରି ବାଳକୃଷ୍ଣଙ୍କ ପଛରେ ସ୍ନେହରେ ଗୋଡ଼ାଉଛନ୍ତି ଏବଂ ଶ୍ରୀକୃଷ୍ଣ ହସି ହସି ଆଗେ ଆଗେ ଦୌଡ଼ି ପଳାଉଛନ୍ତି।]
ପାଠରୁ ଆଗକୁ
ତୁମ କଥା
(କ) ‘ଝାଳ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜିଖରା ।’
୧. କବିତାର ଏହି ପଦରେ କେଉଁ ଋତୁର ଚିତ୍ରଣ କରାଯାଇଛି ? ତୁମ ଚାରିପାଖରେ ଏହି ଋତୁର ପ୍ରଭାବ କିଭଳି ରହିଛି ? ତାହା ବର୍ଣ୍ଣନା କର।
୨. ଗ୍ରୀଷ୍ମଋତୁରେ କେଉଁ ସବୁ ଦୁର୍ଘଟଣା ଘଟେ ତାହାର ତାଲିକା କର ଓ ସେଥିପାଇଁ କେଉଁ ସବୁ ସତର୍କତା ଅବଲମ୍ବନ କରିବା – ଆଲୋଚନା କରି ଲେଖ।
୩. ଗ୍ରୀଷ୍ମଋତୁରେ ପଖାଳ ଖାଇବାକୁ ଭଲ ଲାଗେ ? ସେହିପରି ତୁମକୁ ଆଉ କ’ଣ କ’ଣ କାମ କରିବାକୁ ଭଲ ଲାଗେ, ତାହାର ଏକ ତାଲିକା ସାଙ୍ଗସାଥୀ ସହ ଆଲୋଚନା କରି ଲେଖ।
ଆସ ଖୋଜିବା
‘କଳାମାଣିକ’ ପରି ଶ୍ରୀକୃଷ୍ଣ ଓ ଯଶୋଦାଙ୍କ ସମ୍ପର୍କିତ ଆଉ କିଛି କବିତା ପୁସ୍ତକାଗାରରୁ ଓ ଇଣ୍ଟରନେଟ୍ରୁ ଖୋଜ। ଶିକ୍ଷକଶିକ୍ଷୟିତ୍ରୀଙ୍କ ସହାୟତା ନେଇ ଶ୍ରେଣୀକକ୍ଷରେ ଉପସ୍ଥାପନ କର।