‘କଳାମାଣିକରେ’ କବିତାଟି ପ୍ରାଚୀନ ରୀତିଯୁଗର ବିଶିଷ୍ଟ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରସିଦ୍ଧ କାବ୍ୟ ‘ବିଦଗ୍ଧଚିନ୍ତାମଣି’ର ସତଷଠି ଛାନ୍ଦରୁ ସଂଗୃହୀତ ହୋଇଛି। ଏହି କବିତାରେ ମାତା ଯଶୋଦାଙ୍କ ଅପାର ବାତ୍ସଲ୍ୟ ମମତା ଏବଂ ପୁତ୍ର ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ତାଙ୍କର ଗଭୀର ସ୍ନେହ ଓ ଆବେଗର ଏକ ହୃଦୟସ୍ପର୍ଶୀ ଚିତ୍ର ଉପସ୍ଥାପିତ ହୋଇଛି। ଶ୍ରୀକୃଷ୍ଣ ସାଥୀ ଗୋପାଳବାଳକମାନଙ୍କ ସହିତ ବନକୁ ଗୋରୁ ଚରାଇବା ପାଇଁ ଯାଇଛନ୍ତି। ମାତ୍ର ସନ୍ଧ୍ୟା ହୋଇଆସିଲେ ମଧ୍ୟ ସେ ଘରକୁ ଫେରିବାରେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ଗଭୀର ବ୍ୟାକୁଳତା ଏବଂ ନାନାଦି ଆଶଙ୍କା ସୃଷ୍ଟି ହୋଇଛି।

ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଜର ଅନ୍ଧଲଉଡ଼ି, ନିଧନ ସଙ୍ଖାଳି, ଦରିଦ୍ରର ପସରା, ହୃଦୟର ରତ୍ନହାର ଏବଂ ଜୀବନର ଜୀବନ ବୋଲି ସମ୍ବୋଧନ କରିଛନ୍ତି। ବୃଦ୍ଧ ବୟସର ଏକମାତ୍ର ସନ୍ତାନ ଭାବରେ ଶ୍ରୀକୃଷ୍ଣ ହିଁ ତାଙ୍କ ହୃଦୟର ସକଳ ଦୁଃଖତାପ ନାଶ କରୁଥିବା ଶୀତଳ ହରିଚନ୍ଦନ ସଦୃଶ ଅଟନ୍ତି। ଶ୍ରୀକୃଷ୍ଣ ଘରେ ଥିବା ସମୟରେ ଗୋଟିକା, ଅଧାମ କିମ୍ବା ସର ଖାଇବାକୁ ପସନ୍ଦ ନ କରି କିପରି ଲବଣି ପାଇଁ ନାଚି ନାଚି ଲାଞ୍ଚ ମାଗୁଥିଲେ ଏବଂ ଅଳ୍ପ କଥାରେ କୋଳରେ ଆଉଜି ପଡୁଥିଲେ, ତାହା ମନେପକାଇ ମାଆ ଭାବବିହ୍ବଳ ହୋଇଉଠିଛନ୍ତି।

ଅନ୍ଧାରକୁ ଡରୁଥିବା ନିଜର କୋମଳମତି ଶିଶୁକୁ ବନକୁ ଛାଡ଼ିଦେଇଥିବାରୁ ମାଆ ନିଜକୁ ଧିକ୍କାର କରୁଛନ୍ତି। ବନରେ ଡାକିନୀ ତଥା ନିଶାଚର ବା ରାକ୍ଷସମାନଙ୍କ ଉପଦ୍ରବ ଥିବାରୁ ମାଆଙ୍କ ମନରେ ନାନାଦି ଭୟ ଉପୁଜିଛି। ଦିନସାରା ପ୍ରଖର ଝାଞ୍ଜି ଖରାରେ ଶ୍ରୀକୃଷ୍ଣ କ୍ଳାନ୍ତ ହୋଇ ଗଛମୂଳେ ବସିଥିବେ ଏବଂ ଖାଲି ପାଦରେ ଯାଇଥିବାରୁ ତାଙ୍କ ମୃଦୁ ପାଦରେ କଣ୍ଟା ଫୁଟିଯାଇଥିବ ବୋଲି ମାଆ ଚିନ୍ତା ପ୍ରକାଶ କରିଛନ୍ତି। ପୁଅ ସାଙ୍ଗରେ କଠାଉ ଓ ଛତା ନ ନେଇଥିବାରୁ ମାଆ ଆହୁରି ବ୍ୟଥିତ ହୋଇଛନ୍ତି। ସବୁଦିନ ସନ୍ଧ୍ୟାରେ ଶୁଣାଯାଉଥିବା ତାଙ୍କର ମଧୁର ବେଣୁଗୀତ ଆଜି ଶୁଣା ନ ଯିବାରୁ ମାତା ଯଶୋଦାଙ୍କ ମନ ଅତ୍ୟନ୍ତ ଅସ୍ଥିର ହୋଇପଡ଼ିଛି।

ଏହିପରି ଭାବରେ, ସମଗ୍ର କବିତାରେ ନିଜ ସନ୍ତାନର କଲ୍ୟାଣ ପାଇଁ ମାତୃହୃଦୟରେ ଉଠୁଥିବା ବ୍ୟାକୁଳତା, ନିଃସ୍ୱାର୍ଥପର ପ୍ରେମ, ସ୍ନେହ ଏବଂ ବାତ୍ସଲ୍ୟ ମମତାର ଏକ ଅତ୍ୟନ୍ତ ଜୀବନ୍ତ ଓ କରୁଣ ଚିତ୍ର ବର୍ଣ୍ଣିତ ହୋଇଛି।