ଡକ୍ଟର ନାରାୟଣ ସାହୁ ରଚିତ ‘ଦରଜା ଖୋଲି ଦେବା’ ଏକ ଶିକ୍ଷଣୀୟ ଏକାଙ୍କିକା, ଯାହା ଛଅଟି ଦୃଶ୍ୟରେ ବିଭକ୍ତ।
ପ୍ରଥମ ଦୃଶ୍ୟରେ ଛୁଟି ଥିବା ଦିନ ପ୍ରଧାନବାବୁଙ୍କ ଇଟାଭାଟିରେ କାମ କରୁଥିବା ଦୁଇ ପିଲା ବୁଲା ଓ ରହିମ୍ ସ୍କୁଲଘରେ ପଶି ସେଠାକାର ଡେସ୍କ୍, ବେଞ୍ଚ୍, ବ୍ଲାକ୍ବୋର୍ଡ୍ ଓ ଚକ୍ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। ସେମାନେ ଭାବନ୍ତି, ସେମାନେ ଜନ୍ମ ହୋଇଛନ୍ତି କେବଳ ମୂଲଲାଗି ପେଟ ପୋଷିବାପାଇଁ। ମାଷ୍ଟରଙ୍କ ଛବି ଆଙ୍କୁଥିବା ବେଳକୁ ଶିକ୍ଷକ ଚୁପ୍ଚାପ୍ ଆସି ପହଞ୍ଚିଯାଇ ସେମାନଙ୍କୁ ଲକ୍ଷ୍ୟ କରନ୍ତି। କିନ୍ତୁ ରାଗ ନ କରି ସ୍ନେହ ଭାବରେ ସେ ବୁଝାଅନ୍ତି ଯେ ପାଠ ହେଉଛି ଅନ୍ଧାର ରାତିର ଆଲୁଅ। ଯାହାକୁ ପ୍ରଧାନବାବୁ କଣ୍ଟ୍ରାକ୍ଟରକୁ ତିନିହଜାର ଟଙ୍କା ଦେଇଥିଲେ, ସେହି କାମ ସେମାନେ ମାତ୍ର ଦେଢ଼ଶହ ଟଙ୍କାରେ କରି ମଧ୍ୟ ଖୁସି ହେଉଥିବା କଥା ଦେଖାଇ କହନ୍ତି, ପାଠ ପଢ଼ିଲେ ପେଟ ପୂରୁ ନ ପୂରୁ ଆଖି ଖୋଲିଯିବ ଏବଂ ସବୁ ଜାଣିପାରିବ। ଫଳରେ ସେ ଦୁଇ ପିଲାଙ୍କୁ କାଲିଠାରୁ ସ୍କୁଲକୁ ଆସିବାକୁ ଆହ୍ୱାନ କରନ୍ତି।
ଦ୍ୱିତୀୟ ଦୃଶ୍ୟରେ ବୁଲା, ରହିମ୍ ଓ ପ୍ରଧାନବାବୁଙ୍କ ପୁଅ ସତ୍ୟ ଏକାସାଙ୍ଗରେ ପଢ଼ୁଥିବା ଦେଖି ପ୍ରଧାନବାବୁ ରାଗରେ ଜ୍ୱଳନ୍ତ ହୋଇଯାଇଛନ୍ତି। ଶିକ୍ଷକ ଦୃଢ଼ଭାବେ କହନ୍ତି, ଏହା ସରକାରୀ ବିଦ୍ୟାଳୟ। ଏଠାରେ ଧନୀ-ଗରିବ, ହିନ୍ଦୁ-ମୁସଲମାନ ସମସ୍ତେ ସମାନ ଏବଂ ପଢ଼ିବାର ଅଧିକାର ଗଣତନ୍ତ୍ର ସେମାନଙ୍କୁ ଦେଇଛି। କିନ୍ତୁ ପ୍ରଧାନବାବୁ ସତ୍ୟକୁ ଟାଣିଟାଣି ଘରକୁ ନେଇଯାଇଛନ୍ତି।
ତୃତୀୟ ଦୃଶ୍ୟରେ ଘରେ ସତ୍ୟଙ୍କ ସହ ବୁଲା ଓ ରହିମ୍ ଚିତ୍ର ଆଙ୍କୁଥିବା ଦେଖି ପ୍ରଧାନବାବୁ ରହିମକୁ ମାଡ଼ନ୍ତି। ସେ ଦମ୍ଭ କରନ୍ତି, ‘ଏ ମୋ ଗାଁ, ମୋ ମାଟି; ମୁଁ ଯାହା କହିବି, ସେଇଟା ହେବ ଆଇନ୍।’ କିନ୍ତୁ ସତ୍ୟ ସାହସରେ ବାପାଙ୍କୁ ବୁଝାଏ ଯେ ପିଲାଙ୍କୁ ଏତେ ଖଟାଇବା ଅପରାଧ, ଛୁଆଁ-ଅଛୁଆଁ ଭେଦଭାବ ଲୋପ ପାଇଯାଇଛି ଏବଂ ଯୁଗ ବଦଳିଯାଇଛି।
ଚତୁର୍ଥ ଦୃଶ୍ୟରେ ଖବର ଆସେ ଯେ ସତ୍ୟର ଦୁର୍ଘଟଣା ହୋଇ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିକ୍ଷକ ସହ ବୁଲା ଓ ରହିମ୍ ମଧ୍ୟ ତାକୁ ଦେଖିବାକୁ ଯାଅନ୍ତି। ପଞ୍ଚମ ଦୃଶ୍ୟରେ ପ୍ରଧାନବାବୁଙ୍କ ରକ୍ତ ସତ୍ୟର ଦେହରେ ମିଶେ ନାହିଁ। ଶିକ୍ଷକଙ୍କ ରକ୍ତ ମଧ୍ୟ ମିଶେ ନାହିଁ। ତେଣୁ ଶିକ୍ଷକ ପିଲାମାନଙ୍କ ରକ୍ତ ପରୀକ୍ଷା ପାଇଁ ଦେବାକୁ କୁହନ୍ତି। ତେବେ ପ୍ରଧାନବାବୁ ଆପତ୍ତି କରନ୍ତି, ଅଛୁଆଁ ବା ମୁସଲମାନ ପିଲାର ରକ୍ତ ତାଙ୍କ ପୁଅର ଦେହରେ ପଶିବ ନାହିଁ। ଶିକ୍ଷକ କହନ୍ତି, ଜନ୍ମବେଳେ ସବୁ ମଣିଷଛୁଆ। ବଡ଼ ହେବାପରେ ନିଜ ସୁବିଧାପାଇଁ ଆପଣମାନେ ତା’ ଉପରେ ଧର୍ମର ମୋହର ମାରି ଦିଅନ୍ତି। ଶେଷରେ ବୁଲାର ରକ୍ତ ମେଳଖାଏ। ପ୍ରଧାନବାବୁ ପ୍ରତିରୋଧ କରିବା ବେଳକୁ ଶିକ୍ଷକ କହନ୍ତି, ‘ସେ ହେଉଛନ୍ତି ସେହି ପିଲାର ବାପା।’ ତା’ପରେ ବୁଲା ଆନନ୍ଦରେ ନିଜ ରକ୍ତ ଦେଇ ସାନବାବୁକୁ ବଞ୍ଚାଏ।
ଶେଷ ଦୃଶ୍ୟରେ ପ୍ରଧାନବାବୁ ନିଜ ଭୁଲ ବୁଝି ପିଲାମାନଙ୍କୁ ଭାବପ୍ରବଣ ହୋଇ କୁଣ୍ଢାଇ ପକାଇଛନ୍ତି। ସେ କହନ୍ତି, ଶିକ୍ଷକ ତାଙ୍କ ଆଖି ଖୋଲି ଦେଇଛନ୍ତି। ଆଗାମୀ ଦିନରୁ ସେ ନିଜେ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ଯୋଗାଡ଼ କରିବେ ଏବଂ ସଭିଏଁ ମିଶି ଏଠାରେ ଭୋଜନ କରିବେ। ଏହି ସ୍କୁଲର ଦରଜା ସବୁ ଜାତି ଓ ଧର୍ମର ପିଲାପାଇଁ ସଦାବେଳେ ଖୋଲା ରହିବ ଏବଂ ସମସ୍ତେ ମାଗଣାରେ ପଢ଼ିବେ।
ସମଗ୍ର ଏକାଙ୍କିକା ଜାତି-ଧର୍ମର ସଂକୀର୍ଣ୍ଣତା ଛାଡ଼ି ସମସ୍ତଙ୍କ ପାଇଁ ଶିକ୍ଷାର ଦରଜା ଖୋଲିବା ତଥା ‘ରକ୍ତଦାନ ମହତ୍ ଦାନ’ ଏହି ସୁନ୍ଦର ବାର୍ତ୍ତା ଦିଏ।