[ଛବିର ବର୍ଣ୍ଣନା: ପୋଖରୀ କୂଳରେ ଚକୁଳିଆ ପଣ୍ଡା ଆଞ୍ଜୁଳା କରି ପାଣି ପିଉଛି, ପାଖରେ ତା’ର ଛତା ପଡ଼ିଛି। ପାଣିରେ ଏକ ସଜାଡ଼ି ହୋଇଥିବା ହାଣ୍ଡି ଭାସୁଛି ଏବଂ ପୋଖରୀ ଜଳ ଭିତରେ ଗଙ୍ଗାମାତା ହାତରେ ପଦ୍ମଫୁଲ ଧରି ଆବିର୍ଭୂତ ହୋଇ ଚକୁଳିଆ ପଣ୍ଡା ଆଡ଼କୁ ହାତ ବଢ଼ାଉଛନ୍ତି।]
ମାଡ଼ହାଣ୍ଡି କଥା
ଗୋପାଳଚନ୍ଦ୍ର ପ୍ରହରାଜ
ଏକ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ, ସେଇଟି ଭାରି ଗରିବ । ସେ ମାଆଟିଏ ପୁଅଟିଏ । ପୁଅ ନିତି ଭିକ ମାଗିଯାଏ । ଛଅ ଗାଁ ଗଲେ ସେରେ ଆଣେ, ନଅ ଗାଆଁ ଗଲେ ସେରେ ଆଣେ । ଇମିତିକା ମହାପ୍ରଭୁଙ୍କ ମାୟା ତ, ଦିନେ ସେ ଚକୁଳିଆ ପଣ୍ଡା କେତେଆଡ଼ ବୁଲିଲା ଯେ, ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କଅଣ, ବେଳକୁ ତାକୁ ଗାଁ ପିଲାଏସବୁ ଟେକାବୋଲୁଅ ଲଦି ମାଡ଼ମାରି ତଡ଼ି ଦେଲେ । ପଛକୁ ଚକୁଳିଆ ପଣ୍ଡା ବିଚରାଟି କାନ୍ଦିବୋବେଇ ପଳେଇ ଆଇଲା । ବିଚାରିଲା, ଆଉ ଏ ନିର୍ଲଜ ମୁହଁ ଦେଖେଇବାକୁ ଘରକୁ ଯିବି ନାହିଁ । ୟା ବିଚାରି ଚୋରକୁ ମାନକରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଯାଉଁଳିଟିଏ ପକେଇ ଯାଉଥାଏ । ଯାଇଯାଇ ଖଣ୍ଡେ ଦୂରରେ ଦେଖିଲାବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମପୋଖରୀ । ସେଥିରେ କଳାଭଅଁରଭଳି ପାଣି । ପୋଖରୀ ଚାରିପାଖଯାକ ଶଙ୍ଖମଲମଲ ପଥରରେ ପାହାଚ ବସିଛି । ୟାର ତ ସେତେବେଳେ ଭୋକଶୋଷରେ କରଡ଼ି ଜଳୁଥାଏ । ଏ କଅଣ କରିବ ! ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ । ଏ ପାଣିକି ଦେଖିଲାକ୍ଷଣି ୟା ମନରେ ଭାରି ଲୋଭ ହେଲା । ଜୀବନ ବିକଳରେ ପାଣିକୂଳ ପାହାଚ ଉପରେ ଲଥ୍କିନି ବସିଗଲା । ଦେଖିଲା ସେ କାଚକେନ୍ଦୁ ଭଳିଆ ପାଣିମୁନ୍ଦିକ ହୋଇଛି, ସାତତାଳ ପାଣିରେ ରୁପାପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକଜକ ଦିଶିବ ।
ଚକୁଳିଆ ପଣ୍ଡା ସେ ପାଣିରୁ ଚଳଚଳକରି ତା’ ଡାହାଣ ହାତରେ ଧରୁଥାଏ, ଏଣେ ମନକୁ ବାଆଁରେଇବା ପାଇଁ ମୁହଁରେ ମୁହଁରେ କହି ହଉଥାଏ – ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖୁରି ଖାଉଁ,
[ଛବିର ବର୍ଣ୍ଣନା: ଚକୁଳିଆ ପଣ୍ଡା ମୁଣ୍ଡରେ ହାଣ୍ଡିଟିଏ ଥୋଇ କାନ୍ଧରେ ଗାମୁଛା ପକାଇ ଖୁସି ମନରେ ଘର ଅଭିମୁଖେ ଯାଉଛି।]
କାକରା ଖାଉଁ, ନାନମାନ୍ ଖାଉଁ, ପୋଟଳି ଚକୁଳି ଖାଉଁ । ଏମିତି ଗୋଟିଏ ଦରବ ନାଁ ଧରୁଥାଏ, ଚଳେ ଲେଖାଏଁ ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗାମାତା ଥାଆନ୍ତି । ଚକୁଳିଆ ପଣ୍ଡାର ଡାକ ତାଙ୍କ କାନକୁ ବାଜିଲା । ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟକଥା ଜାଣିପାରନ୍ତି । ସେ ତ କାହା ବିକଳ ସହିପାରନ୍ତି ନାହିଁ ! ୟା ଡାକ ଶୁଣି ମନେମନେ ବିଚାରିଲେ, ଏ ଚକୁଳିଆ ପଣ୍ଡାଟି ସିନା ଭୋକବିକଳରେ ଇମିତି ହଉଚି । ଦେବତାଙ୍କୁ ଅବା କେଉଁ ଦରବ ଅପୂରୁବ ! ସେ କଅଣ କଲେ ନା, ଚକୁଳିଆ ପଣ୍ଡା ଯେତେକ ଦରବ ନାଆଁ ଧରି ଚୋଳାଏ ଚୋଳାଏ ପାଣି ପିଉଥାଏ, ସେତକ ବାରଜବାରଜ କରି ଦନାଟିମାନଙ୍କରେ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ, ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟିକାଣ୍ଟି କରି ଘୋଡ଼େଇ ଦେଲେ, ଏ ଚକୁଳିଆ ପଣ୍ଡାଟି ଯେଉଁଠେଇଁ ବସିଥିଲା, ସେଇଠେଇଁକି ତୁନି କରି ଭସେଇ ଦେଲେ । ହାଣ୍ଡି ଭାସିଭାସିକା ୟା ପାଖରେ ଆସି ଲାଗିଗଲା । ଚକୁଳିଆ ପଣ୍ଡା ଏ ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା ! ଏଥିରେ କଅଣ ଅଛି ଦେଖେଁ ! ୟା ବିଚାରି ସେ ତେଲୁଣିଟିକି କାଢ଼ି ଦେଲାବେଳକୁ ତା’ ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ଭଳିକି ଭଳି ଖଞ୍ଜା ହୋଇଛି । ସେଥିରୁ ସବୁ ବାମ୍ଫ ବାହାରୁଛି । ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନଥାଏ । ସେ ହାଣ୍ଡିକି ପାହାଚ ଉପରକୁ ଉଠେଇ ଆଣିଲା, ତାକୁ ତ ଭାରି ଭୋକ କରୁଥାଏ, ସେ ହାଣ୍ଡିରୁ ପଦାର୍ଥଯାକ କାଢ଼ି ପେଟପୂରା କରି ଖାଇଲା । ଜଣେ ମଣିଷ ତ, କେତେ ଇମିତି ଖାଇବ ! ଯେତେକ ଖାଇବାର ଖାଇଲା, ଦେଖିଲାବେଳକୁ ସେ ପଦାର୍ଥରୁ କଣେ ସୁଦ୍ଧା ସରି ନଥାଏ । ଯେତେକ ବଳିଲା ସେତକ ଗୋଟିଆଗୋଟି କରି ସେ ହାଣ୍ଡିରେ ପୂରେଇଲା । କହିଲା, ୟାକୁ ମୁଁ ଘରକୁ ନେବି ଯେ ମୋ ମାଆ ଖାଇବ, ବାକି ଯାହା ବଳିବ ଫେର୍ ଦୋଓଡ଼ା ଖାଇବି ।
[ଛବିର ବର୍ଣ୍ଣନା: ପଦ୍ମପୋଖରୀ କୂଳରେ ଚକୁଳିଆ ପଣ୍ଡା ବସିଛି, ପୋଖରୀ ଭିତରୁ ଗଙ୍ଗାମାତା ଆବିର୍ଭୂତ ହୋଇ ତାଙ୍କ ଆଗରେ ଆଉ ଏକ ସୁସଜ୍ଜିତ ହାଣ୍ଡି ରଖିଛନ୍ତି।]
ଖାଲି ହାତରେ ସିନା ଘରକୁ ଫେରିବ ନାହିଁ ବୋଲି ରୁଷି କରି ଘରୁ ବାହାରି ଯାଉଥିଲା ! ବର୍ତ୍ତମାନ ଏତକ ଯେମିତି ହାତରେ ପଡ଼ିଲା ସେମିତି ୟା ମନ କୁଣ୍ଢେମୋଟ ହୋଇଗଲା । ହାଣ୍ଡିଟିକି ମୁଣ୍ଡେଇ ଲମ୍ବେଲମ୍ବେ ଘରକୁ ମୋହିଁଲା । ଘରେ ପହଞ୍ଚିଲାବେଳକୁ ମାଆ ଯାଇଥାଏ ଗାଆଁ ଭିତରକୁ ଦୁଃଖ କରିବାକୁ । ୟେ ସେ ହାଣ୍ଡିଟିକି ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା, ଘରେ ଖଣ୍ଡେ ମସିଣା ପାରି ଶୋଇଲା । ମାଆ ଗାଆଁରୁ ଦୁଃଖଧନ୍ଦା କରି ପୋଷେ ଖୁଦ ପଣତକାନିରେ ବାନ୍ଧି ଘରେ ଆସି ପହଞ୍ଚି ଦେଖେ ତ ପୁଅର ପେଟ ଟୁମାଟୁମ୍ ଦିଶୁଚି, ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି, ହାଣ୍ଡିଶାଳ କବାଟ ଫିଟେଇ ଦେଖିଲାବେଳକୁ ଶିକା ଉପରେ ହାଣ୍ଡିଟିଏ । ହାଣ୍ଡିଟିକି ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିବ୍ୟ ସୁବାସ ଘିଅ ଅନ୍ନ, ଛଅ ତିଅଣ, ନଅଭଜା, ଖୁରିପିଠା ଭରାଭର । ବୁଢ଼ୀ ତ ଭୋକରେ ଡହଳବିକଳ ହଉଥିଲା, ତାକୁ ଏବେ କୋଟିନିଧି ମିଳିଗଲା । ସେ ଆଉ ପୁଅକୁ ଉଠେଇବ କଅଣ ! ବାଡ଼ିକୁ ଯାଇ ବେଏଁ ଲମ୍ବର ଖଣ୍ଡେ କଦଳୀପତର କାଟି ଆଣିଲା, ହାଣ୍ଡିରୁ ଗୋଟିଗୋଟି କରି ସବୁ ପଦାର୍ଥ କାଢ଼ିଲା, ଯେତେକ ମନଇଚ୍ଛା କରି ଖାଇଲା, ଆଉ ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା । ପୁଅ ଶୋଇଥିଲା, ଉଠି ମାଆକୁ ସବୁ କଥା କହିଲା । ଫେର୍ ଉପର ଓଳି ହାଣ୍ଡିରେ ଯାହା ଥିଲା ମାଆ ପୁଅ ଖାଇ ଅଠିଲ୍ ହୋଇଗଲେ ।
ରାତିରେ ଶୋଇଲାବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା, ଆରେ ପୁତ, ଏତେ ମିହନ୍ତ କରି ଛଅ ଗାଁ ନଅ ଗାଁ ବୁଲିବୁ କିଆଁ ! କାଲି ସକାଳୁ ଫେର୍ ଯାଇ ପୋଖରୀକୂଳରେ ବସ, ଦେଖିବା ଦେଖି କଅଣ ହଉଚି ! ମାଆ ପୁଅ ୟା ବିଚରାବିଚାରି ହୋଇ ଶୋଇଲେ । ସକାଳୁ ଚକୁଳିଆ ପଣ୍ଡା ତ ‘କାଲିର ସୁଆଦ ପାଇଛି ନା ସକାଳୁ ଉଠି ଧାଇଁଛି’ – ବଡ଼ ଝପଟିରୁ ଉଠି, ଗାଧୋଇ, ଚିତା ଚଇତନ କାଟି ସିଧାଏସିଧାଏ ଯାଇ ଏକଦମ୍ ପଦ୍ମପୋଖରୀ କୂଳରେ ହାଜର ।
ଫେର୍ କାଲି ଯିମିତି ଭାତ ଖାଉଁ, ଡାଲି ଖାଉଁ, ତିଅଣ ଖାଉଁ କରୁଥିଲା ଆଜି ସିମିତି ଚଳଚଳ କରି ପାଣି ପିଉଥାଏ, ଏଣେ ସିମିତି କହୁଥାଏ । ସତକୁ ସତ, କାଲି ପରିକା ହାଣ୍ଡିଟିଏ ଭାସି ଆସି ତା’ ପାଖରେ ଲାଗିଲା । ସେ ଆପେ ଯାହା ଖାଇବାର ଖାଇଲା, ବାକି ଯାହା ବଳିଲା ସେତକ ଘରକୁ ଆଣି ଶିକା ଉପରେ ରଖିଦେଲା । ମାଆ ଗାଆଁରୁ ବୁଲିବାଲି ଆସି ଖାଇଲା । ଫେର୍ ରାତିକି ମାଆପୁଅ ଦିହେଁ ଢୋଲେ ଲେଖାଏଁ ଖାଇଲେ । ଏମିତି ନିତି ପୁଅ ହାଣ୍ଡିଟିମାନ ଆଣେ, ମାଆପୁଅ ଦିହେଁ ସେତକ ଖାଇପିଇ ଖାଲି ହାକୁଟିମାରି ଗଡ଼ଗଡ଼ଉ ଥାଆନ୍ତି । ପୁଅ ତ ଦେଖିଲା ଯେ, ନିତି ଫୋଟକରେ ତାକୁ ଦିବ୍ୟ ସୁନ୍ଦର ଜୋଇଁ ଭୋଜନ ମିଳିଲା, ମାଆ ଦେଖିଲା ଯେ, ବସିଲା ଠେଇଁ ତ ତାକୁ ଆଧାର ମିଳିଲା … ପୁଅ ଆଉ ଭିକମାଗି ଗଲା ନାହିଁ, ମାଆ ବି ଦୁଃଖଧନ୍ଦା କରିବାକୁ ଗଲା ନାହିଁ, କି କୁଟା ଖଣ୍ଡକ ଦି ଖଣ୍ଡ କଲା ନାହିଁ । ଇମିତି ମାଆପୁଅଙ୍କ ମୁହଁ ତ ମାଗଣା ଭାତରେ ଲାଗି ଯାଇଥାଏ ।
ଏଣେ ଗଙ୍ଗାମାତା ବିଚାର କଲେ ଯେ, ଏ ମାଆପୁଅ ତ ନିଖଟୁ ହୋଇ ବସିଲେ, କିଛି କାମ କଲେ ନାହିଁ, ୟାଙ୍କ ଦେଖାଦେଖି ସଂସାରଯାକ ସମସ୍ତେ ତ କର୍ମକୋଢ଼ିଆ ହୋଇଯିବେ, ଆଉ ଦୁଃଖଧନ୍ଦାକୁ ତ କେହି ଆଦରିବେ ନାହିଁ, ୟାଙ୍କ ମୁହଁ ନ ଭାଙ୍ଗି ଦେଲେ ହବ ନାହିଁ । ଏଇତା ପାଞ୍ଚି ଗଙ୍ଗାମାତା କୂଟଟିଏ ଭେଇଲେ । ଦିନକର କ’ଣ ହୋଇଛି ନା, ଚକୁଳିଆ ପଣ୍ଡା ନିତି ସିମିତି ଯାଏ, ସେ ଦିନ ବଡ଼ିସକାଳୁ ଉଠି ସ୍ନାହାନପ୍ରକାର କରି ସେ ପଦ୍ମପୋଖରୀକି ଗଲା, ପାହାଚରେ ବସି ଯିମିତି ନିତି କରେ ସେମିତି ସେଦିନ କଲା । ପାଣି ଚଳଚଳ ପିଉଥାଏ, ଏଣେ ମିଛରେମିଛରେ କହି ହେଉଥାଏ, ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚେଡ଼ି ଖାଉଁ, ଇଣ୍ଡୁରି ଖାଉଁ ଇମିତି କହୁଥାଏ । ମନେମନେ ବିଚାର କରୁଥାଏ, ନିତି ଯିମିତି ହାଣ୍ଡିଟିଏ ଭାସି ଆସେ, ସିମିତି ଭାସିଆସି ଆଜି ମୋ ପାଖରେ ଲାଗିଯିବ ଯେ, ମୁଁ ସୁନାପୁଅ ଭଳିଆ ତାକୁ ନେଇ ମାଆପୁଅ ଦିହେଁ ଖାଇ ହେଣ୍ଡି ମାରି ବୁଲୁଥିବୁ । ଗଙ୍ଗାମାତା ବିଚାରିଲେ ଦେଖ, ୟାର କେଡ଼େ କଥା ! ମୁଁ ୟା ବିକଳ ସହି ନପାରି ୟାକୁ ଖାଇବାକୁ ଦେଲି ବୋଲି ମାଆପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାହାନ୍ତି ? ଦିହେଁକୁ ଦିହେଁ ଗଣ୍ଡିଟିମାନ ବାହାର କରି ବୁଲୁଛନ୍ତି । ଆଜି ପୁଳାଟାଏ ଆଚ୍ଛାକରି ନ ଦେଲେ ଇୟେ ଚେତିବେ ନାହିଁ । ଗଙ୍ଗାମାତା ତ ସହଜେ ଦେବତା, ତାକୁ ଅବା କେଉଁ କଥା ଉବାର ଅଛି । ୟା ବିଚାରି ରାଗ ତମତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ିଏ ବିଧା, ଚାପୁଡ଼ା, କହୁଣି, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା ଇମିତି ଯେତେକ ମାଡ଼ ଏ ସଂସାରରେ ଅଛି, ସବୁ ପୂରେଇଲେ । ହାଣ୍ଡି ଉପରେ ତେଲୁଣିଟି କଣ୍ଟିକାଣ୍ଟି କରି ନିବୁଜ କରି ଘୋଡ଼େଇ ଦେଲେ ଓ ଚକୁଳିଆ ପଣ୍ଡା ପାଖକୁ ଭସେଇ ଦେଲେ । ହାଣ୍ଡିଟି ଭାସିଭାସିକା ଆସି ୟା ପାଖରେ ଲାଗିଲା ।
ୟେ ତ ମନେମନେ ମିଠେଇ ଖାଇ ବସିଛି । ହାଣ୍ଡିଟିକି ଉପରକୁ ଟେକି ନେଇ ତେଲୁଣିଟିକି କାଢ଼ିଦେଲାବେଳକୁ ହେଲା ତ ତା’ ଉପରେ ମାଡ଼ ବୃଷ୍ଟି । ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା’ ଉପରେ ଗୋଇଠା, ତା’ ପଛକୁ ରାମ୍ପୁଡ଼ା, କାମୁଡ଼ା, ଏମିତି ଖାଲି ତା’ ଅଷ୍ଟାଙ୍ଗ ଶରୀରଯାକ ଦୁମ୍ଦାମ୍ ଭୁଷ୍ଭାଷ୍ ଲଦି ହୋଇଯାଉଥାଏ । ଚଟକଣା ଖାଇ ଗାଲକୁ ଆଉଁଶି ପଳେଇଲା ବେଳକୁ ପିଠିରେ ଦୁଲୁ କରି ଗୋଟା କେତେ ବିଧା ବସୁଥାଏ !
[ଛବିର ବର୍ଣ୍ଣନା: ଚୋରମାନେ ବାଡ଼ିପଟେ ଥିବା ବେଳେ ହାଣ୍ଡିରୁ ଖୋଲିଯାଇଥିବା ଅଦୃଶ୍ୟ ବିଧା, ମୁଥା ଓ ଚାପୁଡ଼ାରେ ଆକ୍ରାନ୍ତ ହୋଇ ବିକଳରେ ଚିତ୍କାର କରି ଚାରିଆଡ଼େ ଘୁସୁରି ପଳାଉଛନ୍ତି।]
ଡହଳବିକଳ ହୋଇ ପିଠି ଆଉଁଶିଲା ବେଳକୁ ଖୁଆମୁଣ୍ଡିରେ ଦି’ ଗୋଇଠା । ବେଳକୁବେଳ ସମୁଦ୍ର ଜୁଆର ମାଡ଼ି ଆଇଲା ଭଳିଆ ମାଡ଼ରେ କୁଆଛୁଆ ଉଡ଼ିଗଲା । ୟାକୁ ସେତେବେଳକୁ ଗୋଟାଏ ବୁଦ୍ଧି ପଇଟିଗଲା । ଏ କ’ଣ କଲା । ଝଟପଟ ଜୀବନ ବିକଳରେ ଏ ହାଣ୍ଡି ଉପରେ ତେଲୁଣିଟାକୁ ଘୋଡ଼େଇ ପକେଇଲା । ଯିମିତି ଘୋଡ଼େଇ ପକେଇଛି ସିମିତି କିଏ ରାଣ ଦେଲା ଭଳିଆ ଏ ମାଡ଼ ବୃଷ୍ଟି ଥମ୍ବିଗଲା । ଏ ଟିକିଏ ନିଃଶ୍ଵାସ ମାଇଲା । ସେତେବେଳକୁ ୟା ଦିହହାତ ମାଡ଼ରେ ଗଡ଼ ଭଳିଆ ଫୁଲିଗଲାଣି । ଏ ରାଗରେ କମ୍ପମାନ ହଉଥାଏ । କିଏ ମାଇଲା ବୋଲି ଦେଖୁଛି ଯେ, କାହା ଉପରେ ଦାଉ ସାଧବ ! “ଶାଶୂ ମାରୁଥାଏ ବୋହୂକୁ, ବୋହୂ ଛାର କାହାକୁ ମାରିବ, ମାରୁଥାଏ ଚୁଲି ମୁହଁକୁ ।” ସିମିତି ଚକୁଳିଆ ପଣ୍ଡା ତା’ ମା’ ଉପରେ ରାଗରେ ଜରଜର ହଉଥାଏ, ତା’ ମନକଥା ମନରେ ଥାଏ, ସେ ହାଣ୍ଡିଟିକି ଉଠେଇ ଘରକୁ ଚାଲିଲା । ନିତି ଯିମିତି ନେଇ ଶିକା ଉପରେ ଥୋଇଦିଏ, ସିମିତି ହାଣ୍ଡିଟିକି ଶିକା ଉପରେ ରଖିଦେଲା, ଭିକ ମାଗିବାକୁ ଗଲା ବାହାରି ।
ତା’ ମାଆ ତ ଘରେ ନଥାଏ । ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠଉଁ ମାଆ ଜମାରୁ ଦୁଃଖଧନ୍ଦା କରିବାକୁ ନାହିଁ । ଗାଆଁଯାକ ଅଷ୍ଟଦଣ୍ଡପାଟ ଭଳିଆ ଦାଣ୍ଡି ମାରୁଥାଏ । ଘରକୁ ଆସି ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ । ଆଜି ଆସି ଦେଖିଲାବେଳକୁ ପୁଅ ଘରେ ନାହିଁ, ଘର ଭିତରକୁ ପଶି ଚାହିଁଲାବେଳକୁ ଶିକାରେ ହାଣ୍ଡିଟି ନିତି ଭଳିଆ ଥୁଆ ହୋଇଛି । ସେ ତ ମାଇପିଲୋକ, ଏତେ ଛନ୍ଦମନ୍ଦ ଅବା କାହୁଁ ଜାଣିବ ! ହାଣ୍ଡିଟିକି ଶିକାରୁ ଥୂରିକରି ଓହ୍ଲେଇ ଆଣି ଯିମିତି ତେଲୁଣିଟିକି ସେ ହାଣ୍ଡି ମୁହଁରୁ କାଢ଼ିଛି ଆଉ ବୁଢ଼ୀ ଯାଏ କୁଆଡ଼େ ! ହେଲା ତ ମାଡ଼ ଉପରେ କୁଆପଥର ଛେଚିଲା ଭଳିଆ ମାଡ଼ । ଦୁଲ୍ ଦାଲ୍ ଗୋଟା ଉପରେ ଗୋଟେ ବାଜି ଯାଉଥାଏ । ଇଲୋ ବାପ ଲୋ, ମରିଗଲି ଲୋ, ହେଲାବେଳକୁ ପିଠିରେ ଫେର୍ ଦିଇଟା ବସୁଥାଏ । ଆଲୋ ମାଆ ଲୋ, ମରିଗଲି ହେଲାବେଳକୁ ଚଙ୍କାଳ ବାହିରେ ପୁଣି ପୁଞ୍ଜାଏ ବସି ଯାଉଥାଏ । ଏତେ ଶୂନ୍ୟ ଶବଦ ହଉଥାଏ, କେତେ ଖାଇବୁ ଖାଆ, ଖାଆ ଖୁରି ବୋଲି ବିଧାଏ, ଖାଆ ପିଠା ବୋଲି ଗୋଇଠେ,
ଖାଆ ମହୁର ବୋଲି ବ୍ରହ୍ମଚାପୁଡ଼ାଏ । ବୁଢ଼ୀ ବିକଳରେ ଦିହହାତ ଆଉଁଶି ପକଉଥାଏ, ଛଟପଟ ହୋଇ ଗଡ଼ି ଯାଉଥାଏ । ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଗଲା । ବୁଢ଼ୀ ଉଠିପଡ଼ି ସେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକେଇଲା । ହାଣ୍ଡି ଉପରେ ଢାଙ୍କୁଣି ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହୋଇଗଲା । ବୁଢ଼ୀ ଟିକିଏ ନିଃଶ୍ବାସ ମାଇଲା, କହିଲା ଓହୋ ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି । ଆଜି ପରା ଦିନେ ମାଡ଼ ଖାଇଲି । ୟା ବିଚାରି ସେ ହାଣ୍ଡିକି ନେଇ ତା’ ବାଡ଼ିଆଡ଼ ଖତକୁଢ଼ ଗଦାରେ ଲଥ୍କିନି ରଖିଦେଲା, ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ିକରି ଶୋଇଲା । ହାଣ୍ଡିଟି ଉପରେ ପଲମ ଘୋଡ଼ିଆ ହୋଇଥାଏ । ସେଦିନ ଦଇବ ଯୋଗକୁ ରାତି ଅଧ ହେଲାଣି, ଗାଆଁଯାକ ସମସ୍ତେ ଖାଇପିଇ ନିର୍ଜନ ହୋଇ ଶୋଇଲେଣି, ପଞ୍ଝାଏ ଚୋର କେଉଁ ଗାଆଁରୁ ସିନ୍ଦୁକଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାରିଦୁଆରେ ଆସି ବସିଲେ । ତାଙ୍କ ଭିତରେ ଭାଗ ବାଣ୍ଟ ବିଚାର ଲାଗିଛି ।
ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା । ସେ ବିଚାରିଲା, ୟା ଭିତରେ କ’ଣ ଅଛି – ଦେଖନ୍ତେଇ । ୟା ବିଚାରି ସେ ହାଣ୍ଡିକି ଖତଗଦାରୁ ଉଠେଇଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା । ଯିମିତି ସେ ପଲମଟିକି କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଝାକ ଯିବେ କୋଉ ଗାଆଁକୁ ! ହେଲା ତ ସମସ୍ତଙ୍କ ଉପରେ ମାଡ଼ । ତୁଚ୍ଛା ମାଡ଼, ଖାଲି ମାଡ଼, ଫେର ଗୋଗୋଛିବାଡ଼ିଆ ମାଡ଼, ମାଡ଼ରେ ଗୋରୁ ଚରିଗଲେ । ଏ ଚୋରଯାକ ଟଙ୍କାଟୋକର ବାଣ୍ଟିବେ କଅଣ ! ମାଡ଼ରେ କଲେଇବଲେଇ ହୋଇ କିଏ କୁଆଡ଼େ ଛାଟିପିଟି ହୋଇ ପଳେଇଗଲେ, ‘ବାଉ ଲୋ ! ବାଉ ଲୋ !’ ହେଇ ପଳାଉଥା’ନ୍ତି । ତାଙ୍କ ପଛେପଛେ ମାଡ଼ଯାକ ଗୋଡ଼େଇ ତୁଚ୍ଛା ଖୋବି ପକାଉଥାନ୍ତି । ମାଡ଼ରେ ଧୂଳା ଉଡ଼ି ଯାଉଥାଏ । ଯେଉଁ ଚୋର ଗୋଟା କେତେ ପୂରୁବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ାଯାକ ଗୋଡ଼େଇ ଗୋଡ଼େଇ ଗଲେ । ଯେ ପଛିମକୁ ପଳେଇଲେ, ତାଙ୍କ ସାଙ୍ଗରେ ବିଧାଯାକ ଗୋଡ଼େଇ ଗୋଡ଼େଇ ଗଲେ, ଯେ ଉତ୍ତରକୁ ଗଲେ ତାଙ୍କୁ ଗୋଇଠାଯାକ ଗୋଡ଼େଇଲେ, ଯେ ଦକ୍ଷିଣକୁ ଗଲେ ତାଙ୍କ ସଙ୍ଗରେ ମୁଖୀଯାକ ଗଲେ । ଇମିତି ଇମିତି ବୁଢ଼ୀ ବାରିଆଡୁ ଘଡ଼ିକରେ ମାଡ଼ ଆଉ ଚୋରଯାକ ଗଲେ, ଏଣେ ବୁଢ଼ୀ ତ ମାଡ଼ ଖାଇକରି ତା’ ଅଷ୍ଟାଙ୍ଗ ଶରୀର ପରାସ ହେଇ ବଥଉଥାଏ, ତାକୁ ଆଉ ରାତିଯାକ ନିଦ ମାଡ଼ିବାକୁ ନାହିଁ, ସେ ଘର ଭିତରେ କତରାରେ ପଡ଼ି ଏକଡିସେକଡ଼ ହେଉଥାଏ । ବୁଢ଼ୀ ଘର ଭିତରେ ଥାଇ ଥାଇ ଗାଲିପଡ଼ି ଏସବୁ ବାରିଆଡ଼ର ରବୟାଯାକ ଶୁଣୁଥାଏ ।
ଯିମିତି ଏ ଚୋରଯାକ ପଳେଇଲେ ବୁଢ଼ୀ ଉଠି କରି ବାଡ଼ି କବାଟକୁ ଧୁଡୁକିନି ଫିଟେଇଲା, ଦେଖିଲାବେଳକୁ ତା’ ବାଡ଼ି ପନ୍ଦାଡ଼ରେ ସିନ୍ଦୁକଟିଏ ଥୁଆ ହୋଇଛି ! ବୁଢ଼ୀ ସେ ସିନ୍ଦୁକ ପାଖକୁ ଯାଇ ଥୁରକିନା ସେ ସିନ୍ଦୁକ କବାଟକୁ ଟେକୁଥାଏ, କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ନା ପୁଣି କିଛି ବାହାରେ ! ପଛକୁ ଦେଖିଲା ଯେ, ସେ ସିନ୍ଦୁକ ଭିତରୁ ଆଉ କିଛି ସୋରସାର ହେଲା ନାହିଁ । ସେଥିରୁ ସିନ୍ଦୁକକୁ ମେଲା କରି ଦେଖିଲା ବେଳକୁ ତା’ ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଗହଣାଗାଣ୍ଠି, ଟଙ୍କାଟୋକର ସିନ୍ଦୁକେ ଭରତି ହୋଇଛି । ୟା ଦେଖି ବୁଢ଼ୀର ମାଡ଼ଦରଜ କୁଆଡ଼େ ଉଭେଇଗଲା । ତା’ ପରେ ଦେଖାଗଲା ମାଆପୁଅ ପ୍ରତିଦିନ ସକାଳେ କାମକୁ ବାହାରିଲେ ।
ଲେଖକ ପରିଚୟ
[ଛବିର ବର୍ଣ୍ଣନା: ଓଡ଼ିଆ ସାହିତ୍ୟିକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଫଟୋଚିତ୍ର।]
୧୮୭୨–୧୯୪୫
ଜଣେ ବ୍ୟଙ୍ଗାତ୍ମକ ପ୍ରବନ୍ଧ ଓ ସଫଳ ରମ୍ୟରଚନାର ଲେଖକ ଭାବରେ ଗୋପାଳଚନ୍ଦ୍ର ପ୍ରହରାଜ ପରିଚିତ । ୧୮୭୨ ମସିହା ନଭେମ୍ବର ମାସ ୨୬ ତାରିଖରେ କଟକ ଜିଲ୍ଲାର ସିଦ୍ଧେଶ୍ଵରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅନେକ ଲୋକଗଳ୍ପ ସଂଗ୍ରହ କରି ସେଗୁଡ଼ିକୁ ସାଧାରଣ ଲୋକଙ୍କ ଭାଷାରେ ପ୍ରକାଶ କରିବାରେ ସେ ସିଦ୍ଧହସ୍ତ ଥିଲେ । ଏହି ‘ମାଡ଼ହାଣ୍ଡି କଥା’ ବିଷୟଟି ତାଙ୍କ ରଚିତ ‘ଉତ୍କଳକାହାଣୀ’ରୁ ସଂଗୃହୀତ । ତାଙ୍କ ସଂକଳିତ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ କୁ ‘ଓଡ଼ିଆ ଭାଷାର କଳାକୋଣାର୍କ’ ବୋଲି କୁହାଯାଏ । ଏହି ଲୋକ ଗଳ୍ପରେ ପରିଶ୍ରମ ନ କଲେ କିପରି କଷ୍ଟ ଭୋଗିବାକୁ ପଡ଼େ, ତାହା କୁହାଯାଇଛି ।
ପାଠରୁ ମୁଁ ଯାହା ବୁଝିଲି
(କ) ଲୋକକଥା ଗଳ୍ପ ଆଧାରିତ ନିମ୍ନରେ କିଛି ପ୍ରଶ୍ନ ଦିଆଯାଇଛି । ସେଥିରୁ ଠିକ୍ ଉତ୍ତର ବାଛି ଲେଖ । ୧ । ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ସେ ପୋଖରୀଟି କିପରି ଥିଲା ? (କ) ପୋଖରୀରେ ସୁନ୍ଦର ପଦ୍ମଫୁଲ ଫୁଟିଥିଲା । (ଖ) ପୋଖରୀରେ ଗୋଳିଆପାଣି ଥିଲା । (ଗ) ପୋଖରୀରେ କଳାଭଅଁର ଭଳି ପାଣିଥିଲା । (ଘ) ପୋଖରୀରେ ପାଣି ଶୁଖି ଯାଇଥିଲା ।
୨ । ‘ଚୋରକୁ ମାନ କରି ଖପରାରେ ଖାଇବା’ ଅର୍ଥ କ’ଣ ? (କ) ରାଗ ତମତମ ହୋଇ ଖାଇବା । (ଖ) ଅନ୍ୟ ଉପରେ ରାଗି ନିଜର କ୍ଷତି କରିବା । (ଗ) ଚୋରକୁ ଧରି ଖପରାରେ ଖାଇବାକୁ ଦେବା । (ଘ) ଚୋରକୁ ମାଡ଼ ମାରି ତଡ଼ିବା ।
୩ । ‘ଗଙ୍ଗାମାତା ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି’ ଏହି ଲୋକବାଣୀର ଅର୍ଥ କଅଣ ? (କ) ନିଜ କଥା ନିଜେ ବୁଝିବା । (ଖ) ଚଢ଼େଇମାନଙ୍କଠାରୁ ବୁଝିବା । (ଗ) ଅନ୍ୟର ମନକଥାକୁ ବୁଝିବା । (ଘ) ଚଢ଼େଇମାନଙ୍କ ସହିତ ଆଲୋଚନା କରି ବୁଝିବା ।
୪ । ଚକୁଳିଆ ପଣ୍ଡା ଚରିତ୍ର ମାଧ୍ୟମରେ ଲେଖକ କେଉଁ ନୀତିଶିକ୍ଷା ଦେଇଛନ୍ତି ? (କ) ବସି ଖାଇଲେ ଆୟୁଷ ବଢ଼େ । (ଖ) ଅଳସୁଆ ଦୁଃଖ ପାଏ । (ଗ) ପରିଶ୍ରମ ନ କରି ପେଟ ପୋଷିବା । (ଘ) ଅନ୍ୟ ଉପରେ ନିର୍ଭର କରି ଚଳିଲେ ଆମେ ସଫଳ ହେବା ।
(ଖ) ଏପରି ହୋଇପାରେ, ତୁମ ସାଙ୍ଗମାନେ ଭିନ୍ନଭିନ୍ନ ଉତ୍ତର ବାଛିଥାଇପାରନ୍ତି । ସେମାନେ କାହିଁକି ଏହି ଉତ୍ତର ବାଛିଲେ ; ତାହା ଆଲୋଚନା କର ।
ଧାଡ଼ିଗୁଡ଼ିକର ଆଲୋଚନା
ପାଠରୁ କିଛି କିଛି ଧାଡ଼ି ଚୟନ କରି ଦିଆଯାଇଛି । ଏହାକୁ ଧ୍ୟାନ ଦେଇ ପଢ଼ ଏବଂ ଦଳରେ ବିଚାର କରି କଣ ବୁଝିଲ ଲେଖ ।
(କ) ଏ ପାଣିକି ଦେଖିଲା କ୍ଷଣି ତା’ ମନରେ ଭାରି ଲୋଭ ହେଲା । ଜୀବନ ବିକଳରେ ପାଣିକୂଳ ପାହାଚ ଉପରେ ଲଥ୍କିନି ବସିଗଲା । (ଖ) ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟକଥା ଜାଣିପାରନ୍ତି ।
ଆସ ଆମେ ମେଳ କରିବା
ଏହି ଲୋକକଥାରୁ କିଛି ବାକ୍ୟ ପ୍ରଥମ ସ୍ତମ୍ଭରେ ଦିଆଯାଇଛି । ସେହି ବାକ୍ୟଗୁଡ଼ିକର ଭାବାର୍ଥ ସହ ମିଶୁଥିବା କିଛି ବାକ୍ୟ ଦ୍ବିତୀୟ ସ୍ତମ୍ଭରେ ଦିଆଯାଇଛି । ମେଳ ଖାଉଥିବା ବାକ୍ୟଗୁଡ଼ିକୁ ଯୋଡ଼ ।
| ପ୍ରଥମ ସ୍ତମ୍ଭ | ଦ୍ବିତୀୟ ସ୍ତମ୍ଭ |
|---|---|
| ରାତିରେ ଶୋଇଲାବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇଦେଲା | ଭୋର ସକାଳୁ ଉଠି |
| ବଡ଼ି ଝପଟିରୁ ଉଠି | ମା’ ପୁଅକୁ ରାତିରେ ଶିଖେଇ ଦେଲା |
| ଖୁଆମୁଣ୍ଡିରେ ଦି ଗୋଇଠା | ହାଣ୍ଡିମୁହଁକୁ ଢାଙ୍କୁଣିରେ ଢାଙ୍କିବା |
| ପଲମକୁ ନେଇ ହାଣ୍ଡି ଘୋଡ଼ାଇବା | ହାତ ପାଖ ପିଠିକୁ ଦୁଇ ଲାତ ଦେବା |
ଚିନ୍ତା ଓ ବିଚାର କରି ଉତ୍ତର ଦିଅ
ଏହି ଲୋକକଥାଟିକୁ ଥରେ ମନ ଦେଇ ପଢ଼ ଓ ଉତ୍ତର ବାହାର କରି ଲେଖ – ୧. ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା ? ୨. ଚକୁଳିଆ ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା କାହିଁକି ? ୩. ଗଙ୍ଗାମାତା କେଉଁଠାରେ ଥିଲେ ? ୪. ଗଙ୍ଗାମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି ? ୫. ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଦେଖିଲା ? ୬. ଖାଦ୍ୟହାଣ୍ଡି ଧରି ଘରକୁ ଫେରିଲାବେଳକୁ ଚକୁଳିଆ ପଣ୍ଡାର ମାଆ କୁଆଡ଼େ ଯାଇଥିଲା ? ୭. ଚୋରମାନେ ସିନ୍ଦୁକଟିଏ କେଉଁଠାରେ ରଖିଥିଲେ ?
[ଛବିର ବର୍ଣ୍ଣନା: ଏକ ପୁରୁଣା କାଠ କବାଟର ଛବି ଏବଂ ତା' ଚାରିପାଖରେ ଶବ୍ଦ ଲେଖିବା ପାଇଁ ଖାଲି ବକ୍ସ ଦିଆଯାଇଛି।]
ଅନୁମାନ ଏବଂ କଳ୍ପନାରୁ :
ତୁମେ ସମସ୍ତେ ଦଳରେ ମିଶି ଆଲୋଚନା କର – (କ) ଯଦି ଚକୁଳିଆ ପଣ୍ଡା ଗୋଟିଏ ଦିନପାଇଁ ଗଙ୍ଗାମାତାଙ୍କଠାରୁ ଖାଦ୍ୟ ହାଣ୍ଡି ନେଇଥାନ୍ତା, ତା’ ହେଲେ ତା’ର ପରିଣାମ କ’ଣ ହୋଇଥା’ନ୍ତା ? (ଖ) ଗଙ୍ଗାମାତା ବିଚାର କରି ମାଡ଼ହାଣ୍ଡି ଯଦି ଦେଇ ନ ଥାଆନ୍ତେ; ତା’ ହେଲେ ଶେଷଫଳ କ'ଣ ହୋଇଥାଆନ୍ତା ? (ଗ) ମା’ ଯଦି ମାଡ଼ହାଣ୍ଡିର ପଲମ ଢାଙ୍କି ନ ଥାନ୍ତେ, ତାହା ହେଲେ କି ଅସୁବିଧା ହୋଇଥାଆନ୍ତା ? (ଘ) ଗଙ୍ଗାମାତା ମା ଓ ପୁଅକୁ ଏପରି କଷ୍ଟ ଦେବାର ଉଦ୍ଦେଶ୍ୟ କ’ଣ ଥିଲା ?
ଶବ୍ଦ ସମ୍ପର୍କିତ ଶବ୍ଦ
ନିମ୍ନରେ ଦିଆଯାଇଥିବା ‘କବାଟ’ ଶବ୍ଦ ସହିତ ସମ୍ପର୍କ ଥିବା ଶବ୍ଦକୁ ଦଳରେ ଆଲୋଚନା କରି ଶୂନ୍ୟସ୍ଥାନରେ ଲେଖ ।
-
ଜଞ୍ଜିର ଲଗାଇବା
-
କବାଟ
ଲୋକକଥାକୁ ଶୁଣାଇବା
ଲିଖିତ ରୂପରେ ଲୋକକଥାଗୁଡ଼ିକ ଆସିବା ପୂର୍ବରୁ ପିଢ଼ିରୁ ପିଢ଼ିକୁ କାହାଣୀ ଶୁଣାଇବା ପ୍ରଥା ଚାଲିଥିଲା । ଏଥିରେ କାହାଣୀକୁ ଶୁଣିବା ଓ ଶୁଣାଇବା ଏବଂ ମନେରଖିବାର ମହତ୍ତ୍ଵପୂର୍ଣ୍ଣ ଭୂମିକା ଥାଏ । କାହାଣୀ କହୁଥିବା ବା ଶୁଣାଉଥିବା ବ୍ୟକ୍ତି ଏପରି ଢଙ୍ଗରେ ଶୁଣାନ୍ତି ଯେ ଯାହା କି ଭାରି ମନଛୁଆଁ ହୋଇଥାଏ । ଏଥିରେ କାହାଣୀ ଶୁଣୁଥିବା ବ୍ୟକ୍ତିକୁ ଆନନ୍ଦ ମିଳିବା ସଙ୍ଗେସଙ୍ଗେ ତା’ର ବାସ୍ତବତା ଶ୍ରୋତାର ମନ ଭିତରେ ରହିଯାଏ ।
ଏବେ ତୁମେ ନିଜ ଦଳରେ ମିଶି କିଛି ଲୋକକଥା ସଂଗ୍ରହ କର । ଏହି ସଂଗ୍ରହପାଇଁ ଜେଜେ, ଜେଜେମାଆ, ଅଜାଆଈଙ୍କର ସାହାଯ୍ୟ ନିଅ । ସେହି ଲୋକକଥାଗୁଡ଼ିକୁ ତୁମେ ତୁମ ଶ୍ରେଣୀଗୃହରେ ଛାତ୍ରମାନଙ୍କ ସମ୍ମୁଖରେ ପ୍ରକାଶ କର । ସୁନ୍ଦର ଢଙ୍ଗରେ ଓ ସୁନ୍ଦର ଗପ ପରିବେଷଣକାରୀକୁ ସଭିଏଁ କରତାଳି ଦେଇ ଉତ୍ସାହିତ କର ।
କଥା ଶୁଣାଇବା ଶୈଳୀ
-
ସ୍ବରର ଉତ୍ଥାନ - ପତନ : ଲୋକକଥା ଶୁଣାଇବା ସମୟରେ ସ୍ୱର ବା ଶବ୍ଦରେ ଉତ୍ଥାନ ପତନ କରାଇ ଆଗ୍ରହ ଓ ଉତ୍କଣ୍ଠା ସୃଷ୍ଟି କରିପାରିବା । ଯଦି ଏହି ଲୋକକଥାରେ କିଛି ରୋମାଞ୍ଚକର ବା ରହସ୍ୟମୟ କ୍ଷଣ ଥାଏ, ତେବେ ସ୍ୱର ଧୀର କିମ୍ବା ଜୋର କରିପାରିବା ।
-
ଭାବନାର ପରିପ୍ରକାଶ – ଭାବନାକୁ ପ୍ରକାଶ କରିବା ସମୟରେ ଉପଯୁକ୍ତ ସ୍ଵର ବାଛିବା । ଯେଉଁଥିରେ ଖୁସି, ଦୁଃଖ, ଆଶ୍ଚର୍ଯ୍ୟ ଆଦି ଭାବ ସୁନ୍ଦର ଭାବରେ ବୁଝି ହେବ ।
-
ଲୋକକଥାର ଚରିତ୍ରଗୁଡ଼ିକପାଇଁ ଭିନ୍ନଭିନ୍ନ ସ୍ବର – ଯଦି ଲୋକକଥାରେ ଅଲଗାଅଲଗା ଚରିତ୍ର ଥାଏ, ତେବେ ପ୍ରତି ଚରିତ୍ର ପାଇଁ ଅଲଗା ସ୍ୱର (ଉଚ୍ଚ, ଧୀର, ଜୋର, କମ୍ ଆଦି) ପ୍ରୟୋଗ କରି ସେହି ଚରିତ୍ରଗୁଡ଼ିକୁ ଚିହ୍ନେଇ ପାରିବା ।
-
ହାତ ଓ ଶରୀରର ଉପଯୋଗ – ଯଦି ତୁମେ ଲୋକକଥାରେ କୌଣସି ଘଟଣାର ବର୍ଣ୍ଣନା କରୁଛ ; ତେବେ ଶାରୀରିକ ମୁଦ୍ରା, ମୁହଁ ଓ ଆଖିର ଭାବକୁ ଉପଯୋଗ କରିପାରିବ ।
-
ହସର ପ୍ରୟୋଗ – ଯଦି କିଛି ହାସ୍ୟପୂର୍ଣ୍ଣ ବା ଆନନ୍ଦଦାୟକ ଦୃଶ୍ୟ ଥାଏ, ସେଠାରେ ମୁହଁରେ ହସ ରଖି ତାକୁ ପ୍ରକାଶ କର ।
-
ବିବରଣୀଭିତ୍ତିକ ଭାଷାର ପ୍ରୟୋଗ – ଲୋକକଥାରେ ବର୍ଣ୍ଣିତ ସ୍ଥାନ ଓ ଚରିତ୍ରଗୁଡ଼ିକୁ ଏପରି ପ୍ରକାଶ କର; ଯେପରି ଶ୍ରୋତାମାନେ ସେଗୁଡ଼ିକର ଛବିକୁ ନିଜ ମନରେ ଆଙ୍କି ପାରିବେ ।
-
ରୋଚକ ମୋଡ଼ – ଲୋକକଥା ଶୁଣାଇବା ସମୟରେ ଥରେ ଦୁଇଥର ରୋମାଞ୍ଚକର ପରିସ୍ଥିତିରେ କିଛି ସମୟପାଇଁ ରୁହ ବା ଶ୍ରୋତାଙ୍କ ମନରେ ଆଗ୍ରହ ସୃଷ୍ଟି କରିବାପାଇଁ ପଚାର ଆଗକୁ କ’ଣ ହେବ, ତାହା ତୁମେ ଜାଣିବାକୁ ଚାହୁଁଛ କି ?
-
ସମ୍ବାଦକୁ ସ୍ପଷ୍ଟ ଓ ପ୍ରାସଙ୍ଗିକ କରିବା – ଚରିତ୍ରଗୁଡ଼ିକୁ ଏପରି ପ୍ରସ୍ତୁତ କର, ଯେମିତି ତାହା ମୌଳିକ ଲାଗିବ ।
କାରକ ବିଷୟରେ
ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ମନ ଦେଇ ପଢ଼ –
ମାଆ ଗାଆଁ ବୁଲିବାଲି ଆସି ଖାଇଲା ।
ଏହି ବାକ୍ୟଟି ପଢ଼ିବାବେଳେ କିଛି ଅଲଗା ଭଳି ଲାଗୁଛି ନା ?
ଏବେ ତଳେ ଦିଆଯାଇଥିବା ବାକ୍ୟଟି ପଢ଼ ।
ମାଆ ଗାଆଁରୁ ବୁଲିବାଲି ଆସି ଖାଇଲା ।
ଏହି ଦୁଇ ବାକ୍ୟରେ ଥିବା ପାର୍ଥକ୍ୟକୁ ଦେଖ । ତୁମେ ଠିକ୍ ଭାବରେ ଜାଣିପାରିଛ । ଦ୍ଵିତୀୟ ବାକ୍ୟରେ ଗାଆଁ ସହିତ ‘ରୁ’ ଯୋଡ଼ି ହୋଇଛି । ତା’ ପରେ ‘ଖାଇଲା’ ଶବ୍ଦକୁ ଲକ୍ଷ୍ୟ କର । ଏହା ବାକ୍ୟରେ କାହା କାହା ସହିତ ଯୋଡ଼ି ହେଉଛି ।
ଯଥା - କିଏ ଖାଇଲା ? କେଉଁଠାରୁ ବୁଲିବୁଲି ଆସି ଖାଇଲା ? ଏଠାରେ ଆମେ ‘ମାଆ’ ଓ ‘ଗାଁରୁ’ ଉତ୍ତର ପାଇବା । ‘ଖାଇଲା’ କ୍ରିୟାପଦ ସହିତ ଏହିମାନଙ୍କର ସମ୍ପର୍କ ଥିବାରୁ ଏହାକୁ କାରକ କହନ୍ତି ।
ଏଣୁ ଆମେ ଜାଣିଲେ ଯେ ଯେଉଁ ପଦର କ୍ରିୟାପଦ ସହିତ ସମ୍ପର୍କ ଥାଏ, ତାହାକୁ ‘କାରକପଦ’ କହନ୍ତି ।
କାରକ ପଦଗୁଡ଼ିକରେ ନିମ୍ନଲିଖିତ ଚିହ୍ନ ଥାଏ । ଟି, କୁ, ରେ, ଦ୍ୱାରା, କୁ, ପାଇଁ, ନିମିତ୍ତ, ରୁ, ଠାରୁ, ରେ, ଠାରେ, ତାଙ୍କୁ ।
ନିମ୍ନରେ ଦିଆଯାଇଥିବା ବାକ୍ୟଗୁଡ଼ିକରେ କାରକ ଯୁକ୍ତ ପଦ ନେଇ ଶୂନ୍ୟସ୍ଥାନ ପୂରଣ କର - ୧. ସେ ପୋଖରୀ....... ଗଙ୍ଗାମାତା ଥାଆନ୍ତି । ୨. ଏ ଚକୁଳିଆ ପଣ୍ଡା....... ସିନା ଭୋକ ବିକଳରେ ଇମିତି ହେଉଛି । ୩. କାଳେ ହାଣ୍ଡି....... ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକ....... ନା ପୁଣି କିଛି ବାହାରେ ! ୪. ଦେବତା....... ଅବା କେଉଁ ଦରବ ଅପୂର୍ବ !
ସୂଚନାପତ୍ର
ତୁମେମାନେ ଏହି ଲୋକକଥା ଆଧାରରେ ଚକୁଳିଆ ପଣ୍ଡା ଘରେ ଗତ ରାତିରେ ପଶିଥିବା ଚୋରମାନଙ୍କୁ ଧରିବାପାଇଁ ଖବରକାଗଜରେ ପ୍ରକାଶ ପାଇଁ ଗୋଟିଏ ସୂଚନାପତ୍ର ଲେଖ ।
ସୂଚନାପତ୍ର
ପାଠରୁ ଆଗକୁ
ତୁମକଥା
୧. ଏହି ଲୋକକଥାରେ ଚକୁଳିଆ ପଣ୍ଡାର ଚରିତ୍ର ମାଧ୍ୟମରେ ପରିଶ୍ରମ ନ କରି ପେଟ ପୋଷିବାକୁ ଚାହିଁଲେ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ; ତାହା କୁହାଯାଇଛି । ତୁମେ କେବେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛ କି ଓ ଏହାର ସମାଧାନ କିପରି କରିଛ ଲେଖ ? ୨. ଲୋକକଥା ମାଧ୍ୟମରେ ଗଙ୍ଗାମାତାଙ୍କ କୃପାରୁ କିପରି ମା ଓ ପୁଅ ଉପକୃତ ହୋଇଥିଲେ; ତାହା ବର୍ଣ୍ଣନା ହୋଇଛି । ତୁମର ଏପରି କିଛି ଅନୁଭବ ହୋଇଛି କି, ଆଲୋଚନା କରି ଲେଖ । ୩. ଭୋକଯୋଗୁଁ ଚକୁଳିଆ ପଣ୍ଡା ଓ ତା’ର ମା’ ଯେଉଁ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ସେପରି ପରିସ୍ଥିତିରେ ତୁମେ କ’ଣ କରିଥାନ୍ତ ଲେଖ । ୪. ଏହି ଲୋକକଥା ମାଧ୍ୟମରେ ଅଳସୁଆ ହେଲେ କିପରି କଷ୍ଟ ଭୋଗିବାକୁ ପଡ଼େ ଜାଣିଲେ । ସେପରି ଛାତ୍ରଛାତ୍ରୀ ଭାବରେ ତୁମେ ପାଠ ନ ପଢ଼ିବାଦ୍ଵାରା କିଛି ଅସୁବିଧାରେ ପଡ଼ିଛ କି ? ସେ ଭାବନାକୁ ନେଇ ଲେଖ ।
ମନଦେଇ ପଢ଼, ଶୁଣ ଓ ଅନୁଭବ କର
ପିଲାବେଳୁ ତୁମର ଏପରି କିଛି ଭଲ ଅଭ୍ୟାସ ଥିବ, ଯଦ୍ବାରା କି ତୁମେ କୌଣସି ବି ଘଟଣାକୁ ସତର୍କତାର ସହିତ ଦେଖିଥିବ ଓ ଚିନ୍ତା କରି ସଙ୍ଗେସଙ୍ଗେ ବୁଦ୍ଧିର ପ୍ରୟୋଗ କରି ସମସ୍ୟା ସମାଧାନପାଇଁ ଚେଷ୍ଟା କରିଥିବ ।
ଏହି ଲୋକକଥାରେ ଚକୁଳିଆ ପଣ୍ଡା ମାଧ୍ୟମରେ ପ୍ରତ୍ୟେକ ଘଟଣା, ବସ୍ତୁକୁ ମନ ଦେଇ ପଢ଼, ଶୁଣ ଓ ଅନୁଭବ କର; ଅର୍ଥାତ୍ – ନିଜର ଜ୍ଞାନେନ୍ଦ୍ରିୟ ଓ ବୁଦ୍ଧିର ସଂପୂର୍ଣ୍ଣ ଉପଯୋଗ କର । ଜ୍ଞାନେନ୍ଦ୍ରିୟ ପାଞ୍ଚ ପ୍ରକାର – ଆଖି, କାନ, ନାକ, ଜିଭ ଓ ଚର୍ମ । ଆଖିରେ ଦେଖି, କାନରେ ଶୁଣି, ନାକରେ ଶୁଙ୍ଘି, ଜିଭରେ ଚାଖି ଏବଂ ଚର୍ମରେ ସ୍ପର୍ଶ କରି ଆମେ ଯେ କୌଣସି ବିଷୟରେ ଜ୍ଞାନ ପ୍ରାପ୍ତ ହେଉ । ଆସ, ଏବେ ଗୋଟିଏ ଖେଳ ଖେଳିବା; ଯେଉଁଥିରୁ ତୁମକୁ ନିଜ ଜ୍ଞାନେନ୍ଦ୍ରିୟ ଓ ବୁଦ୍ଧିର ଉପଯୋଗ କରିବାର ସୁଯୋଗ ମିଳିବ ।
(କ) ହଁ / ନା ପ୍ରଶ୍ନ ଉତ୍ତର ଖେଳ
ସୋପାନ-
୧. ଜଣେ ଶିକ୍ଷାର୍ଥୀ ଶ୍ରେଣୀକକ୍ଷରୁ ବାହାରକୁ ଯାଇ କୌଣସି ଏକ ବସ୍ତୁ ବା ସ୍ଥାନର ନାମ ବାଛିବେ । ଶ୍ରେଣୀ ଭିତରୁ ମଧ୍ୟ କୌଣସି ଗୋଟିଏ ନାମ ବାଛିପାରିବେ । ୨. ଶିକ୍ଷାର୍ଥୀ ଶ୍ରେଣୀ ଭିତରକୁ ଫେରିଆସି ସେହି ନାମକୁ ଗୋଟିଏ କାଗଜରେ ଲେଖିବେ, ସେହି ନାମ ଲେଖା କାଗଜଟିକୁ ଯେପରି କେହି ନ ଦେଖନ୍ତି ସେଥିପ୍ରତି ଧ୍ୟାନଦେବେ । ୩. ଅନ୍ୟ ଶିକ୍ଷାର୍ଥୀମାନେ ଜଣ ଜଣ କରି ସେହି ବସ୍ତୁର ନାମ ଜାଣିବାପାଇଁ ପ୍ରଶ୍ନ ପଚାରିବେ । ୪. ପ୍ରତ୍ୟେକ ପ୍ରଶ୍ନର ଉତ୍ତର କେବଳ ହଁ / ନାରେ ଦିଆଯିବ ।
ଉଦାହରଣ ସ୍ୱରୂପ –
-
ଏହି ବସ୍ତୁକୁ କ’ଣ ଶ୍ରେଣୀଗୃହରେ ବ୍ୟବହାର କରାଯାଏ ?
-
ଏହି ବସ୍ତୁଟି କ’ଣ ଖାଦ୍ୟ ?
-
ଏହା କ'ଣ କାଠରେ ତିଆରି ?
-
ଏହି ବସ୍ତୁ କ’ଣ ବିଦ୍ୟୁତ୍ଦ୍ୱାରା ଚାଲିଥାଏ ?
୫. ପ୍ରତ୍ୟେକ ଶିକ୍ଷାର୍ଥୀ କୋଡ଼ିଏଟି ଭିତରେ ପ୍ରଶ୍ନ ପଚାରିବେ । ତେଣୁ ବୁଝିବିଚାରି ପ୍ରଶ୍ନ ପଚାରିବେ ଯଦ୍ବାରା ସେହି ବସ୍ତୁର ନାମ ଜାଣିପାରିବେ । ୬. ଯଦି ଶିକ୍ଷାର୍ଥୀ କୋଡ଼ିଏଟି ପ୍ରଶ୍ନ ଭିତରେ ବସ୍ତୁର ଠିକ୍ ଉତ୍ତରଟି ଦିଅନ୍ତି ତେବେ ଜିତି ପାରିବେ । ୭. ଏହାପରେ ଅନ୍ୟ ଶିକ୍ଷାର୍ଥୀଙ୍କୁ ବାହାରକୁ ପଠାଇ କାର୍ଯ୍ୟଟି ପୁନଃ କରାଯିବ । ୮. କାର୍ଯ୍ୟର ଶେଷରେ ସମସ୍ତେ ମିଶିକରି ଏହି ଖେଳ ସହିତ ସମ୍ପର୍କିତ ନିଜର ଅନୁଭବ ସମ୍ବନ୍ଧରେ ଆଲୋଚନା କରିବେ ।
(ଖ) କାର୍ଯ୍ୟ – ସ୍ପର୍ଶ, ଗନ୍ଧ ଓ ସ୍ବାଦ ବାରିବା
୧. ଗୋଟିଏ ଥାଳି ବା ଡବାରେ (ସାବଧାନତା ଓ ସୁରକ୍ଷିତ ରୂପେ) ବିଭିନ୍ନ ବସ୍ତୁ (ଯେପରିକି ଫୁଲ, ଫଳ, ମସଲା, ଖେଳନା, ଲୁଗା, ବହି, ଗୁଡ଼ ଇତ୍ୟାଦି) ରଖ । ୨. ପ୍ରତି ଶିକ୍ଷାର୍ଥୀଙ୍କ ଆଖିରେ ପଟି ବାନ୍ଧିକରି ସେମାନେ କେବଳ ସ୍ପର୍ଶ, ଗନ୍ଧ ବା ସ୍ବାଦ ମାଧ୍ୟମରେ ବସ୍ତୁକୁ ଚିହ୍ନିବେ ଓ ତା’ର ନାମ କହିବେ । ୩. ଥରଥର କରି ସମସ୍ତ ଶିକ୍ଷାର୍ଥୀଙ୍କୁ ଡାକି ତାଙ୍କର ଆଖିରେ ପଟି ବାନ୍ଧ । ୪. ଡବାରେ ଗୋଟିଏ ବସ୍ତୁ ରଖାଯାଉ । ଶିକ୍ଷାର୍ଥୀ ତାକୁ ଛୁଇଁକରି, ଶୁଙ୍ଘିକରି ଓ ଚାଖିକରି ଚିହ୍ନିବାକୁ ଚେଷ୍ଟା କରିବେ । ୫. ଠିକ୍ ରୂପେ ଚିହ୍ନାଇବା ପରେ ଶିକ୍ଷାର୍ଥୀ କହିବେ, କିପରି ସେହି ବସ୍ତୁକୁ ଚିହ୍ନିଲେ । ୬. ଜଣଜଣ କରି ପ୍ରତି ବିଦ୍ୟାର୍ଥୀଙ୍କୁ ଅଲଗାଅଲଗା ବସ୍ତୁକୁ ଚିହ୍ନିବାର ସୁଯୋଗ ମିଳିବ । ୭. ଶେଷରେ ସମସ୍ତ ବସ୍ତୁକୁ ମିଶାଇ ଶ୍ରେଣୀରେ ଦେଖାଇବେ ଓ ସେମାନଙ୍କ ବିଷୟରେ ଆଲୋଚନା କରିବେ ଯେ କେଉଁ ବସ୍ତୁକୁ ଚିହ୍ନିବା ସହଜ ବା କଠିନ ଥିଲା ?
ଆସ ଖୋଜିବା
ତୁମେ ଆମ ଓଡ଼ିଶାରେ ପ୍ରଚଳିତ ଲୋକକଥାଗୁଡ଼ିକୁ ସଂଗ୍ରହ କରିବାପାଇଁ ନିଜ ପରିବାର ସଦସ୍ୟ, ଶିକ୍ଷକ, ପାଠାଗାର କିମ୍ବା ଇଣ୍ଟରନେଟ୍ର ସହାୟତା ନେଇପାର ।