ଜାତୀୟପକ୍ଷୀ

ଅନନ୍ତ ପଟ୍ଟନାୟକ

[ଚିତ୍ର ବର୍ଣ୍ଣନା: କଳାହାଣ୍ଡିଆ ମେଘରେ ଘୋଟି ରହି ପ୍ରବଳ ବର୍ଷା ହେବାର ଦୃଶ୍ୟ । ପାଖରେ ଏକ ସୁନ୍ଦର ମୟୂର ପଥର ଉପରେ ବସିଥିବାର ଦୃଶ୍ୟ ।]

ଆକାଶେ ବସିଲା ଜଳଦ ମେଳା,

ବିଜୁଳି ତହିଁରେ ରଚିଲା ଖେଳା,

ରହି ରହି ଶୁଭେ ଅଶନି – ସ୍ୱନ,

କଦମ୍ବ କୁସୁମେ ଶୋହୁଛି ବନ,

ଶିହରଇ ମହୀ,

ଶୀତଳ ସମୀର ଯାଉଛି ବହି ।

ସୁନୀଳ ଗ୍ରୀବାଟି ଢଳାଇ ଧୀରେ,

ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ;

ସୁଢ଼ଳ ନୟନେ ଜୀମୂତେ ଦେଖି,

ଛନଛନ ମନେ କଳାପ ଟେକି,

ଶିଖୀଟିଏ ମାତି

ଫୁଲାଇ ଦେଇଛି ଛବିଳ ଛାତି ।

ଖେଳାଇ ଦେହେ ତା’ ବର୍ଣ୍ଣ – ତରଙ୍ଗ

ଖେଳେ ଲୁଚକାଳି କେତେ ଯେ ରଙ୍ଗ !

ସତେ ହୀରା, ନୀଳା, ମୋତି ଝଟକି

ପୁଚ୍ଛରୁ ତାହାର ଆସେ ଚମକି !

ତା’ ରୂପ ଝଳି

ଶତ ସୁଷମାକୁ ଯାଉଛି ବଳି ।

ଯେଉଁ ଅଶନିର ଶବଦ ଶୁଣି

ପିକ, ଶୁକ, ଶାରୀ ହେଲେଣି ତୁନି,

ଶ୍ରବଣରେ ତାହା ବାଜନ୍ତେ ଥରେ

ରଚିଲାରେ ଗୀତି ଷଡ଼ଜସ୍ୱରେ

ଆବେଗେ ଅନାଇ

“ସ୍ୱାଗତ ହେ ଘନ !” ଉଠିଲା ଗାଇ ।


[ଚିତ୍ର ବର୍ଣ୍ଣନା: ଆକାଶରେ ବିଜୁଳି ଓ ଘଡ଼ଘଡ଼ି ଚମକୁଥିବା ଦୃଶ୍ୟ । ମୟୂରଟି ତା’ର ସୁନ୍ଦର ପକ୍ଷୀ ପୁଚ୍ଛ (ପେଖନ) ମେଲାଇ ନାଚୁଥିବାର ଦୃଶ୍ୟ ।]

“ଦୂରେ ଥାଅ ପଛେ, ଶୁଣ ମୋ ପ୍ରିୟ,

ନ ହୋଇ କୃପଣ ସଲିଳ ଦିଅ,

ହସିଉଠୁ ଫୁଲେ ଲତିକା, ତରୁ,

ସବୁଜ ଶସ୍ୟରେ କେଦାର ଭରୁ,

ଯାଉ, ନିଭିଯାଉ,

ନିଖିଳ ଜୀବନୁ ତୃଷାର ଦାଉ ।”

ଜଣାଇ ଏତିକି ଖୁସି ଅନ୍ତରେ

ନାଚିଲା ସେ ପୁଣି ଦ୍ରୁତ – ମନ୍ଥରେ,

ଦେଖି, ଶୁଣି ସବୁ ଅଥୟ ମନ

ଝରାଇଲା ନୀର ଆକାଶୁଁ ଘନ,

ପିଇ ତାହା ସୁଖେ

ଚାହିଁଲା ମୟୂର ସଜଳ ମୁଖେ ।

କ୍ଷଣେ ଥମିଯାଇ ପ୍ରସନ୍ନ ଅତି

ଆରମ୍ଭିଲା ବୀର ସମାନ ଗତି,

ଚତୁରପଣେ ସେ ନର୍ତ୍ତନ ଛଳେ

ଖୋଜେ ବିନାଶିବ ଅରାତି ବଳେ,

ଦେଖି ତାର ଛାଇ

ବିଷଧର ଯେତେ ଲୁଚିଲେ କାହିଁ ।

ରୂପେ ସୁକୁମାର ଗୁଣେ ସରସ

ସାଧୁଜନ – ପ୍ରାଣେ ବୁଣେ ହରଷ

ଖଳ ଜୀବ – ମନେ ଆଣେ ସେ ଭୀତି

ଦେଖାଏ ତା ଆଗେ ବଡ଼ିମା ରୀତି

ବିହଙ୍ଗମେ ସାର,

କେଡ଼େ ରାଜକୀୟ ଭଙ୍ଗିମା ତା’ର ।

ଭାରତର ଯେତେ ଗୁଣ ଗରବ

ସାହସ ଶକତି ମୈତ୍ରୀ ବିଭବ

ନୃତ୍ୟ ଗୀତ ଶିଳ୍ପ ରୂପ ଅତୁଳ

ସତେ ତାହାଠାରେ ହୋଇଛି ଠୁଳ

ସେଥିପାଇଁ କିବା

ଜାତୀୟପକ୍ଷୀ ସେ ଜାତିପ୍ରତିଭା ।


କବି ପରିଚୟ

[ଚିତ୍ର ବର୍ଣ୍ଣନା: କବି ଅନନ୍ତ ପଟ୍ଟନାୟକଙ୍କ ଫଟୋଚିତ୍ର]

(୧୯୦୯–୧୯୮୭)

ଅନନ୍ତ ପଟ୍ଟନାୟକ ଆଧୁନିକ ପ୍ରଗତିଶୀଳ ଓଡ଼ିଆ ସାହିତ୍ୟ ଓ ଶିଶୁସାହିତ୍ୟର ଏକ ପରିଚିତ ନାମ । ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ, ଅତ୍ୟାଚାର ଓ ଧର୍ମାନ୍ଧତା ବିରୋଧରେ ସେ ଶାଣିତ ସ୍ୱର ଉତ୍ତୋଳନ କରିଛନ୍ତି । ‘ରକ୍ତଶିଖା’, ‘ଶାନ୍ତିଶିଖା’, ‘ଅଲୋଡ଼ାଲୋଡ଼ା’, ‘ଅବାନ୍ତର’ ତାଙ୍କର ପ୍ରତିନିଧି ସ୍ଥାନୀୟ କବିତା ସଂକଳନ । ଶେଷ ପୁସ୍ତକଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୮୧) ପ୍ରାପ୍ତ । ଋଷ୍ ଲେଖକ ଗର୍କିଙ୍କ ‘ମା’ ଉପନ୍ୟାସର ଓଡ଼ିଆ ଅନୁବାଦ କରି ସେ ସୋଭିଏତ୍ ଦେଶ ତରଫରୁ ସମ୍ବର୍ଦ୍ଧିତ । ‘କୁନ୍‌ମୁନ୍’, ‘ଲାଲଟୁକୁଟୁକୁ ସୂରୁଯଟିଏ’, ‘ସୂତ୍ରଟିଏ ସୁକୃତିର’ ପ୍ରଭୃତି ତାଙ୍କ ରଚିତ ଓଡ଼ିଆ ଶିଶୁକବିତା ସଂକଳନ ।

ସଂଯୋଜିତ କବିତାଟିରେ ଜାତୀୟପକ୍ଷୀ ମୟୂରର ଗୁଣଗାରିମା ଓ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରାଯାଇଛି । କବିତାଟି ‘ସୂତ୍ରଟିଏ ସୁକୃତିର’ ସଂକଳନରୁ ଗୃହୀତ ।


ପାଠରୁ

ଆସ ତଳେ ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ମିଳିମିଶି କରିବା ।

ମୁଁ ଯାହା ବୁଝିଲି

(କ) ନିମ୍ନରେ କେତେଗୁଡ଼ିଏ ପ୍ରଶ୍ନ ଦିଆଯାଇଛି । କବିତାକୁ ଆଧାର କରି ଠିକ୍ ଉତ୍ତରଟି ପାଖରେ (✓) ଚିହ୍ନ ଦିଅ ।

୧ । କବିତା ଆଧାରରେ ‘ରୂପେ ସୁକୁମାର ଗୁଣେ ସରସ’; କାହାକୁ ଲକ୍ଷ୍ୟ କରି କୁହାଯାଇଛି ?

(କ) ଆକାଶ

(ଖ) ମେଘ

(ଗ) କୁସୁମ

(ଘ) ମୟୂର

୨ । ଭାରତର ଗୁଣ, ଗର୍ବ, ସାହସ, ଶକ୍ତି ତଥା ମୈତ୍ରୀଭାବ କାହା ପାଖରେ ଠୁଳ ହୋଇଛି ?

(କ) ଅଶନି

(ଖ) ବିଜୁଳି

(ଗ) ମୟୂର

(ଘ) ବିଷଧର


[ଚିତ୍ର ବର୍ଣ୍ଣନା: ଉପରେ କଳାହାଣ୍ଡିଆ ମେଘ ସହ ବର୍ଷା ଏବଂ ତଳେ ନଦୀକୂଳରେ ଗଛ ଡାଳରେ ବସିଥିବା ମୟୂରର ଦୃଶ୍ୟ ।]

୩ । ‘ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ଖେଳା ।’

ଏହି ପଂକ୍ତିଟିରେ କେଉଁ ଋତୁର କଥା କୁହାଯାଇଛି ?

(କ) ଗ୍ରୀଷ୍ମ

(ଖ) ବସନ୍ତ

(ଗ) ବର୍ଷା

(ଘ) ଶରତ

ଆସ ଆମେ ମେଳ କରିବା

(କ) ନିମ୍ନରେ କବିତାର କେତେକ ପଂକ୍ତି ଓ ତା’ର ସମ୍ଭାବିତ ଅର୍ଥ ପ୍ରଦତ୍ତ ହୋଇଛି । ଦଳରେ ବସି ଆଲୋଚନା କରି ସେଗୁଡ଼ିକୁ ଯୋଡ଼ିବା ।

  • ପଂକ୍ତିଗୁଡ଼ିକ:

  • ଶତ ସୁଷମାକୁ ଯାଉଛି ବଳି

  • ସୁଢ଼ଳ ନୟନେ ଜୀମୂତ ଦେଖି

  • ଆକାଶେ ବସିଲା ଜଳଦ ମେଳା

  • ଖୋଜେ ବିନାଶିବ ଅରାତି ବଳେ

  • ଛନଛନ ମନେ କଳାପ ଟେକି

  • ଭାବାର୍ଥଗୁଡ଼ିକ:

  • ଉଚ୍ଛନ୍ନ ମନରେ ପୁଚ୍ଛ ଟେକିବା

  • ବୀରଦର୍ପରେ ଶତ୍ରୁକୁ ମାରିବାକୁ ଖୋଜିବା

  • ଶହ ଶହ ସୌନ୍ଦର୍ଯ୍ୟକୁ ଟପିଯାଉଛି

  • ଢଳ ଢଳ ଆଖିରେ ମେଘକୁ ଚାହିଁବା

  • ଆକାଶରେ ମାଳମାଳ ମେଘ ଦୃଶ୍ୟ ହେବା

  • ନିଜର ଦେହରେ ବର୍ଣ୍ଣର ତରଙ୍ଗ ସୃଷ୍ଟି କରିବା

(ଖ) ନିମ୍ନରେ ବର୍ଷା ଓ ମୟୂର ସମ୍ପର୍କିତ କେତେକ ତଥ୍ୟ ଦିଆଯାଇଛି । ସେଗୁଡ଼ିକୁ ବାଛିବୁଛି ବର୍ଷା ଓ ମୟୂର ସହ ଯୋଡ଼ିବା ।

  • ଅଶନି ସ୍ୱନ

  • ସୁଢ଼ଳ ନୟନ

  • ଛନଛନ କଳାପ

  • ଜଳଦ ମେଳା

  • ଶୀତଳ ସମୀର

  • ସୁମଞ୍ଜୁଳ ଚୂଳ

  • କଦମ୍ବ କୁସୁମ

  • ସୁନୀଳ ଗ୍ରୀବା

  • ସବୁଜ କେଦାର

  • ଚତୁରପଣ


ପଦ୍ୟାଂଶର ଆଲୋଚନା

ଆସ ପଦ୍ୟଟିକୁ ଆଉ ଥରେ ପଢ଼ିବା । ସାଙ୍ଗସାଥୀ ମେଳରେ ଆଲୋଚନା କରିବା । ଏସବୁ ଦଳରେ ବସି ଅନ୍ୟ ପିଲାଙ୍କ ଆଗରେ ପ୍ରକାଶ କରିବା । ସେଗୁଡ଼ିକୁ ଖାତାରେ ଲେଖିବା ।

(କ)

ଶ୍ରବଣରେ ତାହା ବାଜନ୍ତେ ଥରେ ।

ରଚିଲାରେ ଗୀତି ଷଡ଼ଜ ସ୍ୱରେ ।

(ଖ)

ବିହଙ୍ଗମେ ସାର,

କେଡ଼େ ରାଜକୀୟ ଭଙ୍ଗିମା ତା’ର ।

(ଗ)

ଚତୁରପଣେ ସେ ନର୍ତ୍ତନ ଛଳେ

ଖୋଜେ ବିନାଶିବ ଅରାତି ବଳେ ।

ଚିନ୍ତା ଓ ବିଚାର କରି ଉତ୍ତର ଦିଅ

ତଳେ କିଛି କବିତାଂଶ ରହିଅଛି । ସେଗୁଡ଼ିକୁ ମନଦେଇ ପଢ଼ ଓ ଉତ୍ତର ଦିଅ :

(କ)

“ଆବେଗେ ଅନାଇ

‘ସ୍ୱାଗତ ହେ ଘନ !’ ଉଠିଲା ଗାଇ ।”

ଏଠାରେ କିଏ କାହାକୁ ଅନାଇଲା ? କିଏ କାହାକୁ ସ୍ୱାଗତ କଲା ?

(ଖ)

“ଖଳଜୀବ ମନେ ଆଣେ ସେ ଭୀତି

ଦେଖାଏ ତା’ ଆଗେ ବଡ଼ିମା ରୀତି ।”

ଏଠାରେ କବି କାହିଁକି ଏ କଥା ବ୍ୟକ୍ତ କରିଛନ୍ତି ?

(ଗ)

“ସେଥିପାଇଁ କିବା

ଜାତୀୟ ପକ୍ଷୀ ସେ ଜାତି ପ୍ରତିଭା ।”

କେଉଁ କେଉଁ ଗୁଣ ପାଇଁ କବି ମୟୂରକୁ ଜାତୀୟପକ୍ଷୀ ବୋଲି ପ୍ରକାଶ କରିଛନ୍ତି, ଲେଖ ।


ଅନୁମାନ ଓ କଳ୍ପନାରୁ

ନିଜ ଦଳରେ ବସି ଆଲୋଚନା କର ।

(କ) ମୟୂର ଏକ ଅସାଧାରଣ ପକ୍ଷୀ । ଏହାର ସ୍ୱତନ୍ତ୍ରତା କ’ଣ ?

(ଖ) ମୟୂରକୁ କାହିଁକି ଜାତୀୟପକ୍ଷୀର ମାନ୍ୟତା ଦିଆଯାଇଛି ?

(ଗ) ନୂଆମେଘକୁ ଦେଖି ମୟୂରର କି ପରିବର୍ତ୍ତନ ହେଲା ?

(ଘ) ମୟୂରର ବୀରଦର୍ପ ଦେଖି କେଉଁକେଉଁ ଜୀବ ଲୁଚିଗଲେ ?

(ଙ) ଯଦି ତୁମେ ମୟୂରର ଭାଷା ବୁଝି ପାରନ୍ତ; ତେବେ ତା’ ସହ କ’ଣ କଥା ହୁଅନ୍ତ ?

ଭାଷା

ଜଣାଇ ଏତିକି ଖୁସି ଅନ୍ତରେ

ନାଚିଲା ସେ ପୁଣି ଦ୍ରୁତ – ମନ୍ଥରେ,

ଦେଖି, ଶୁଣି ସବୁ ଅଥୟ ମନ

ଝରାଇଲା ନୀର ଆକାଶୁ ଘନ,

ପିଇ ତାହା ସୁଖେ

ଚାହିଁଲା ମୟୂର ସଜଳ ମୁଖେ ।

ରେଖାଙ୍କିତ ଶବ୍ଦ ଦୁଇଟି ଉପରେ ଧ୍ୟାନ ଦିଅ । ‘ନାଚିଲା’ ଓ ‘ଚାହିଁଲା’ ଏ ଦୁଇଟି ରେଖାଙ୍କିତ ଶବ୍ଦରୁ ମୟୂରର ନାଚିବା ଓ ଚାହିଁବା କାର୍ଯ୍ୟ ସୂଚିତ ହେଉଅଛି । ଏହି କାର୍ଯ୍ୟ ସୂଚିତ ହେଉଥିବା ପଦକୁ କ୍ରିୟାପଦ କହନ୍ତି । ଏହି କବିତାରେ ଏହିପରି ଆଉ କେତେକ କ୍ରିୟାପଦ ରହିଛି । ସେଗୁଡ଼ିକୁ ଖୋଜି ଲେଖ ।

ନାମ ଓ ଗୁଣ ସଂଯୁକ୍ତ ପଦାବଳୀ

ସୁନୀଳ ଗ୍ରୀବାଟି ଢଳାଇ ଧୀରେ

ରେଖାଙ୍କିତ ଯୋଡ଼ି ପଦରେ ‘ଗ୍ରୀବା’ ହେଉଛି ଏକ ନାମ ଓ ତା’ ପୂର୍ବରୁ ଥିବା ‘ସୁନୀଳ’ ଶବ୍ଦଟି ହେଉଛି ତା’ର ଗୁଣ । ଏହିପରି କବିତାରୁ ନାମ ଓ ଗୁଣ ସଂଯୋଜିତ ପଦଗୁଡ଼ିକୁ ବାଛ । ସେଗୁଡ଼ିକୁ ଖାତାରେ ଟିପି ରଖ ।


ଶବ୍ଦ ଓ ଅର୍ଥର ଖେଳ

[ଚିତ୍ର ବର୍ଣ୍ଣନା: ଗଛ ଡାଳରେ ବସି ଗୀତ ଗାଉଥିବା ଚଢ଼େଇ । ଗୋଟିଏ ପଞ୍ଜୁରୀ ଭିତରେ କିଛି ସମାର୍ଥବୋଧକ ଶବ୍ଦ ଓ ଅନ୍ୟ ଏକ ଲାଲ-ଛାତି ପକ୍ଷୀ ପାଖରେ ପତ୍ରଗୁଡ଼ିକରେ କିଛି ଶବ୍ଦ ଲେଖାହୋଇଛି ।]

ଚଢ଼େଇ ଥଣ୍ଟରେ ଶବଦ ରହିଛି

ପଞ୍ଜୁରୀ ଭିତରେ ଅର୍ଥ

ଶବଦ ସହିତ ଅର୍ଥକୁ ମିଳାଅ

ଶ୍ରମ ହେବ ନାହିଁ ବ୍ୟର୍ଥ ।

  • ପଞ୍ଜୁରୀ ଭିତରେ ଥିବା ଅର୍ଥ:

  • ବଜ୍ର, ଘଡ଼ଘଡ଼ି

  • ପବନ, ସମୀରଣ

  • ଜୀମୂତ, ଘନ

  • ପୁଷ୍ପ, ଫୁଲ

  • ଖଗ, ଦ୍ୱିଜ

  • ଅଇରି, ଶତ୍ରୁ

  • ପତ୍ରରେ ଥିବା ଶବ୍ଦ:

  • ସମୀର

  • ବିହଙ୍ଗମ

  • ଅରାତି

  • ଅଶନି

  • କୁସୁମ

  • ଜଳଦ

କବିତାରୁ ଖୋଜ

ଆକାଶେ ବସିଲା ଜଳଦ ମେଳା

ବିଜୁଳି ତହିଁରେ ରଚିଲା ଖେଳା,

ରହି ରହି ଶୁଭେ ଅଶନି – ସ୍ୱନ

କଦମ୍ବ କୁସୁମେ ଶୋହୁଛି ବନ,

ଶିହରଇ ମହୀ

ଶୀତଳ ସମୀର ଯାଉଛି ବହି ।

(କ) କବିତାଟିର ଏହା ପ୍ରଥମ ପଦ । ଏହି ପଦଟିରେ ବର୍ଷାର ଆଗମନ କଥା ବର୍ଣ୍ଣନା କରାଯାଇଛି । ଏହା ହେଉଛି ବର୍ଣ୍ଣନାତ୍ମକ ଶୈଳୀ । ସେହିଭଳି କବିତାରେ ମୟୂରର ବର୍ଣ୍ଣନା, ତା’ର ରୂପଗୁଣର ବର୍ଣ୍ଣନା ରହିଅଛି । ତାହା ଖୋଜି ବାହାର କର ।

‘ସ୍ୱାଗତ ହେ ଘନ’ ଉଠିଲା ଗାଇ

– ଏହା କବିତାରେ ପ୍ରଦତ୍ତ କଥୋପକଥନ ଶୈଳୀର ନମୁନା ।

(ଖ) କବିତାର ଏହି ପଦଟିରେ ଆକାଶ, ବିଜୁଳି, କଦମ୍ବ, ସମୀର ଶବ୍ଦର ପ୍ରୟୋଗକୁ ଲକ୍ଷ୍ୟ କର । ବର୍ଷାଋତୁର ବର୍ଣ୍ଣନା ପାଇଁ ଏହି ଶବ୍ଦଗୁଡ଼ିକର ଆବଶ୍ୟକତା ରହିଛି । ଏହାକୁ ନେଇ ଆଉ ଗୋଟେ କବିତା ଲେଖିଲେ, ଏହିଭଳି ହୋଇପାରେ । ତାହା ଲକ୍ଷ୍ୟ କର :

ଆକାଶରେ ମେଘ | ଆସିଲା ଘୋଟି

ବିଜୁଳି ଝଲସେ | ଆଖି ତରାଟି ।

ଶୀତଳ ସମୀର | ବହିଲା ଧୀରେ

କଦମ୍ବ କୁସୁମ | ଫୁଟେ ସୁନ୍ଦରେ ।

ତୁମେ ଏହିଭଳି କବିତା ଲେଖିବାକୁ ଚେଷ୍ଟା କର । ବନ୍ଧୁମେଳରେ ଆଲୋଚନା କର ।

ପାଠରୁ ଆଗକୁ

ଏକା ସାଥୀରେ

“ଯେଉଁ ଅଶନିର ଶବଦ ଶୁଣି

ପିକ, ଶୁକ, ଶାରୀ ହେଲେଣି ତୁନି ।”

୧. ଉପରେ କେତେକ ପକ୍ଷୀମାନଙ୍କ କଥା କୁହାଯାଇଛି । ସେହିପରି ତୁମ ପରିବେଶରେ ମଧ୍ୟ କେତେକ ପଶୁପକ୍ଷୀ ଏକାଠି ରହିଥାନ୍ତି । ସେହି ପଶୁପକ୍ଷୀମାନଙ୍କର ଏକ ତାଲିକା କର । ସେମାନଙ୍କ କାମ ବିଷୟରେ ବର୍ଣ୍ଣନା କର ।

୨. ଆମ ଆଖପାଖରେ ଅନେକ ପଶୁପକ୍ଷୀ ଅଛନ୍ତି । ଆଜିର ଦୁନିଆରେ ସେମାନେ ବିପଦରେ ପଡୁଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାରେ ତୁମେ କ’ଣ କରି ପାରିବ ଚିନ୍ତା କର ଓ ଦଳରେ ଆଲୋଚନା କରି ବିବରଣୀଟିଏ ଲେଖ ।


[ଚିତ୍ର ବର୍ଣ୍ଣନା: ଏକ ଫଣା ଟେକିଥିବା ନାଗସାପର ଚିତ୍ର ଏବଂ ଭାରତର ରାଜନୈତିକ ମାନଚିତ୍ର ।]

ସର୍ଜନାତ୍ମକ ଲିଖନ

(କ) ନୂଆ ମେଘ ଦେଖି ମୟୂର ତା’ର ପୁଚ୍ଛ ଟେକି ନାଚ କରେ ।

୧. ତୁମେ ଏହିପରି କିଛି ଦୃଶ୍ୟକୁ ମନେପକାଅ । ଏହାକୁ ଚିତ୍ର ମାଧ୍ୟମରେ ପ୍ରକାଶ କର ଓ ଶ୍ରେଣୀଗୃହରେ ପ୍ରଦର୍ଶନ କର ।

୨. ‘ଜାତି ପ୍ରତିଭା’ ଏହି ବାର୍ତ୍ତା ଦେଉଥିବା ପୋଷ୍ଟର ପ୍ରସ୍ତୁତ କର ।

(ଖ) ପ୍ରକଳ୍ପ କାର୍ଯ୍ୟ

ତୁମେ ରହୁଥିବା ଗାଁ ବା ସହର ପାଖରେ ଥିବା ଜଙ୍ଗଲକୁ ବାପାଙ୍କ ସାଙ୍ଗରେ ବୁଲିବାକୁ ଯାଅ ।

୧. ପୂର୍ବରୁ ବାପା ଦେଖିଥିବା ଜଙ୍ଗଲ ଓ ଏବର ଜଙ୍ଗଲ ମଧ୍ୟରେ କ’ଣ ପାର୍ଥକ୍ୟ ଅଛି ବାପାଙ୍କଠାରୁ ବୁଝ ।

୨. ଜଙ୍ଗଲ ଓ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଆଜି ଅସୁରକ୍ଷିତ । ସେମାନଙ୍କପାଇଁ ଆମେ କ’ଣ କରିପାରିବା ବନ୍ଧୁମେଳରେ ଆଲୋଚନା କର ।

ଆଜିର ପହଳି

କବିତା ଆଧାରରେ ଚାରୋଟି ପହଳି ଦିଆଯାଇଛି । ସେଗୁଡ଼ିକ ପଢ଼ ଓ ଉତ୍ତର ବିଚାର କର ।

(କ)

ତିନୋଟି ଅକ୍ଷରେ ମୋହରି ନାମ

ଧରିଛି ରାଇଜ ବହୁତ ଗ୍ରାମ ।

ମଝି ଅକ୍ଷରକୁ ହଟାଇ ଦେଲେ

ମୋ ବିନା ସଂସାର ନଥିବ ପିଲେ ।

ମୁହିଁ ତୁମ ମାଆ ମନରେ ରଖ

ନାମଟି ମୋହର ଖାତାରେ ଲେଖ ।

(ଖ)

ରଙ୍ଗମୋର କଳା ସକାଳୁ ଉଠି

ଉଠାଏ ସଭିଙ୍କୁ କରି ମୁଁ ପାଟି

ସଫା କରେ ପୁଣି ବାରି ଅଗଣା

ଅସନା କାମକୁ କରେନି ମନା ।

କହ ମୁଁ କିଏ ?

ମୋ ପାଇଁ ଜଗତ କଲ୍ୟାଣ ହୁଏ ।


[ଚିତ୍ର ବର୍ଣ୍ଣନା: କାଉଟିଏ ଉଚ୍ଚ ଖୁଣ୍ଟ ଉପରେ ବସିଥିବା ଦୃଶ୍ୟ ଏବଂ ଜଳାଶୟ ଓ ଜଙ୍ଗଲ ଉପରେ ଆକାଶରେ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ।]

(ଗ)

ଚାରୋଟି ଅକ୍ଷରେ ନାମ ମୋହର

ବରଷାଋତୁର ମୁଁ ଶୋଭା ହାର ।

ପ୍ରଥମ ଦୁଇଟି ଅକ୍ଷର ନେବ

ସରଗରାଜାକୁ ବୁଝାଉ ଥିବ ।

ଶେଷ ଦୁଇଟିକୁ ମିଶାଇ ଦେଲେ

ରାମ ଅସ୍ତ୍ର କଥା ଆସିବ ପିଲେ ।

ମେଘରେ ପଡ଼ିଲେ ରବି କିରଣ

ଆକାଶେ ରଚଇ ମୁହିଁ ତୋରଣ ।

ଭାବିନିଅ ପିଲେ ମୋହରି ନାମ

ବନ୍ଧୁ ମେଳେ ହେବ ତୁମ ସୁନାମ ।

(ଘ)

ନାମଟି ମୋହର ଚାରି ଅକ୍ଷର

ଶିବଙ୍କର ପରା ମୁଁ ଗଳା ହାର ।

ତୁଣ୍ଡରେ ମୋହର ନାହିଁ ଅମୃତ

ପରଶେ ଜୀବଟି ପାଏ ଆଘାତ ।

ପ୍ରଥମ ଦୁଇଟି ଅକ୍ଷର ନେବ

ତୁଣ୍ଡରେ ମାରିଲେ ଜୀବନ ଯିବ ।

କହିଦେବ ଯିଏ ମୋହର ନାମ

କରିବଇଁ ତାକୁ ମୁହିଁ ପ୍ରଣାମ ।


ଭାବର କଥା

ତଳେ ଦିଆଯାଇଥିବା ଦୃଶ୍ୟଗୁଡ଼ିକୁ ଭଲ ଭାବରେ ପଢ଼ । ସେଥିରେ ଥିବା ଭାବଗୁଡ଼ିକୁ ଅନୁଭବ କର । ସାରଣୀରେ ଥିବା ଭାବଗୁଡ଼ିକୁ ନେଇ ଉପଯୁକ୍ତ ସ୍ଥାନରେ ଲେଖ ।

ପ୍ରେମ, ବୀରତ୍ୱ, ଦୟା, କରୁଣା, କ୍ରୋଧ, ହସ, ଆନନ୍ଦ, ଡର, ଘୃଣା, ଆଶ୍ଚର୍ଯ୍ୟ, ମମତା, ଶାନ୍ତି, ସୁଖ, ଦୁଃଖ, ଈର୍ଷା, ଗର୍ବ, ନିରାଶ, କୃତଜ୍ଞତା, ଉତ୍ସାହ, ଚିନ୍ତା, ଆତ୍ମବିଶ୍ୱାସ, ସହାନୁଭୂତି, ଉଦାସୀନତା, ଆଶଙ୍କା

ଦୃଶ୍ୟଭାବ
୧. କୋଇଲିର କୁହୁକୁହୁ ଗାନ ଶୁଣାଯାଉଛି ।
୨. ସନ୍ଧ୍ୟା ସମୟରେ ଗଛ ଉପରେ ଅଗଣିତ ପକ୍ଷୀ ଏକାସାଙ୍ଗରେ ରାବୁଛନ୍ତି ।
୩. ଗାଈଟିଏ ନିଜ ବାଛୁରୀକୁ କ୍ଷୀର ପିଆଉଛି ।
୪. ଜଣେ ଲୋକ ଘରର ଅଳିଆ ଝରକାପଟେ ଫୋପାଡ଼ି ଦେଉଛି ।
୫. ପିଲାଟିଏ ନିଜର ଅଦରକାରୀ କାଗଜକୁ ଅଳିଆଗଦାରେ ପକାଉଅଛି ।
୬. ଜଣେ ଲୋକ ହେଲମେଟ୍ ନ ପିନ୍ଧି ଖୁବ୍ ଜୋର୍‌ରେ ମଟର ସାଇକେଲ୍‌ ଚଳାଉଛି ।
୭. ଦୁଇଟି ପ୍ରାଣୀ କୌଣସି କାରଣରୁ ଲଢ଼େଇ କରୁଛନ୍ତି ।
୮. ଗୋଡ଼ ନଥିବା ଲୋକ ଜଣକ ତିନିଚକିଆ ସାଇକେଲରେ ଯାଉଅଛି ।
୯. କୌଣସି ସ୍ଥାନରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ବ୍ରେଲ୍ ଲିପିରେ ସୂଚନା ଫଳକଟିଏ ଲାଗିଛି ।
୧୦. ବିନା କାରଣରେ ଜଣେ ଅନ୍ୟଜଣକୁ ଖରାପ ଭାଷାରେ ଗାଳି କରୁଛି ।
୧୧. ଭୋକିଲା ଲୋକକୁ କେହି ଜଣେ ଖାଦ୍ୟ ଦେଉଅଛି ।
୧୨. ସ୍ୱାଦିଷ୍ଟ ଖାଦ୍ୟ ତିଆରି କରି ଭାଇଭଉଣୀଙ୍କୁ ଖୁଆଇ ଦେଉଛି ।

ଚିତ୍ରର କଥା

[ଚିତ୍ର ବର୍ଣ୍ଣନା:

୧. ଆକାଶରେ ମୁକ୍ତ ଭାବରେ ଉଡ଼ିଯାଉଥିବା ପକ୍ଷୀଙ୍କ ଦଳ ।

୨. ଗଛ ଡାଳର ବସାରେ ଥିବା ପକ୍ଷୀଟିଏ ।

୩. ସଫାରୀ ଗାଡ଼ି ଭିତରେ ବସି ଜଙ୍ଗଲରେ ସିଂହ ଓ ଭାଲୁ ଦେଖୁଥିବା ଲୋକମାନେ ।

୪. ଚିଡ଼ିଆଖାନାରେ ପଞ୍ଜୁରୀ ଭିତରେ ଥିବା ବାଘ ଓ ମାଙ୍କଡ଼ଙ୍କୁ ବାହାରୁ ଦେଖୁଥିବା ଦର୍ଶକମାନେ ।]

ଏହି ତିନୋଟି ଚିତ୍ରକୁ ଧ୍ୟାନର ସହିତ ଦେଖ ଓ କୁହ –

ତୁମେ ଏଥିମଧ୍ୟରୁ ପକ୍ଷୀମାନଙ୍କୁ କେଉଁଠି ଦେଖିବାକୁ ପସନ୍ଦ କରିବ ଓ କାହିଁକି ?

ନିର୍ଭୟ ବୁଲା

[ଚିତ୍ର ବର୍ଣ୍ଣନା: ମୟୂର, ହଂସ, କାଠହଣା ଚଢ଼େଇ, ଫିଙ୍ଗା, ପାରା, ଘରଚଟିଆ, ବଣି, କାଉ, ଶୁଆ, ଲାଲ-ଛାତି ପକ୍ଷୀ ଏବଂ ହଳଦିଆ ପକ୍ଷୀ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଚିତ୍ର ।]

ଆସ ଖୋଜିବା

ତୁମେ ଜାତୀୟପକ୍ଷୀ ବିଷୟରେ ଜାଣିଲ । ଏବେ ଆସ କେତେଗୁଡ଼ିଏ ହଜି ଯାଉଥିବା ପକ୍ଷୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା । ସେସବୁକୁ ପାଇବାପାଇଁ ତୁମେ ପାଠାଗାର, ଇଣ୍ଟରନେଟ୍ ବା ଅନ୍ୟ ମାଧ୍ୟମର ସହାୟତା ନେଇପାର ।