‘ଜାତୀୟପକ୍ଷୀ’ କବିତାରେ କବି ଅନନ୍ତ ପଟ୍ଟନାୟକ ଭାରତର ଜାତୀୟପକ୍ଷୀ ମୟୂରର ଅପୂର୍ବ ରୂପସୌନ୍ଦର୍ଯ୍ୟ, ବୀରତ୍ୱ ଓ ମହତ୍ତ୍ୱର ମନୋରମ ବର୍ଣ୍ଣନା କରିଛନ୍ତି। ବର୍ଷାଋତୁର ଆଗମନରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟିଯାଏ ଏବଂ ବିଜୁଳି ସହିତ ଘଡ଼ଘଡ଼ିର ଗର୍ଜନ ଶୁଭେ। ଶୀତଳ ପବନ ବହିବା ସହ କଦମ୍ବ ଫୁଲ ଫୁଟି ଧରାପୃଷ୍ଠ ଶୋଭାମୟୀ ହୋଇଉଠେ। ଘଡ଼ଘଡ଼ିର ଭୟଙ୍କର ଶବ୍ଦ ଶୁଣି କୋଇଲି, ଶୁଆ ଓ ଶାରୀ ଭଳି ଅନ୍ୟ ପକ୍ଷୀମାନେ ଭୟରେ ନୀରବ ହୋଇଯାଉଥିବା ବେଳେ, ମୟୂର କିନ୍ତୁ ଆନନ୍ଦିତ ହୋଇଉଠେ। ସେ ତା’ର ସୁନୀଳ ବେକ ଓ ମୁଣ୍ଡର ଚୂଳ ହଲାଇ, ଉଲ୍ଲସିତ ମନରେ ରଙ୍ଗବେରଙ୍ଗର ପେଖନ ଟେକି ନାଚିବାକୁ ଲାଗେ। ତା’ର ପୁଚ୍ଛର ବର୍ଣ୍ଣବୈଭବ ହୀରା, ନୀଳା ଓ ମୋତି ଭଳି ଝଟକି ସମସ୍ତଙ୍କ ମନ ମୋହିନିଏ।

ମୟୂର ମେଘକୁ ଷଡ଼ଜ ସ୍ୱରରେ ଗୀତ ଗାଇ ସ୍ୱାଗତ ଜଣାଏ ଏବଂ କୃପଣ ନ ହୋଇ ପୃଥିବୀରେ ପ୍ରଚୁର ବର୍ଷା ଝରାଇବାକୁ ପ୍ରାର୍ଥନା କରେ। ବର୍ଷାଜଳ ପାଇ ଗଛଲତା ଫୁଲରେ ହସିଉଠୁ, ଚାଷଜମି ସବୁଜ ଶସ୍ୟରେ ଭରିଯାଉ ଏବଂ ପୃଥିବୀର ସମସ୍ତ ଜୀବଜଗତର ଶୋଷ ମେଣ୍ଟୁ ବୋଲି ସେ କାମନା କରେ। ମୟୂରର ଏହି ଆକୁଳ ନିବେଦନ ଓ ନୃତ୍ୟ ଦେଖି ମେଘ ମଧ୍ୟ ଆକାଶରୁ ଅମୃତଧାରା ବର୍ଷଣ କରେ।

ମୟୂର କେବଳ ସୁନ୍ଦର ଓ ଶାନ୍ତ ନୁହେଁ, ସେ ବୀରତ୍ୱ ତଥା ସାହସର ମଧ୍ୟ ପ୍ରତୀକ। ନାଚିବା ଛଳରେ ସେ ନିଜର ଚତୁରପଣ ଓ ରାଜକୀୟ ଗତିଭଙ୍ଗୀ ଦେଖାଇ ବିଷଧର ସାପମାନଙ୍କୁ ବିନାଶ କରିଥାଏ। ସେ ସଜ୍ଜନମାନଙ୍କ ପ୍ରାଣରେ ଆନନ୍ଦ ଭରିଦିଏ ଏବଂ ଦୁଷ୍ଟମାନଙ୍କ ମନରେ ଭୟ ସୃଷ୍ଟି କରେ। ଭାରତର ସାହସ, ଶକ୍ତି, ମୈତ୍ରୀ, କଳା, ସଙ୍ଗୀତ ଓ ଅତୁଳନୀୟ ସୌନ୍ଦର୍ଯ୍ୟ ମୟୂରଠାରେ ଏକତ୍ର ଠୁଳ ହୋଇ ରହିଛି। ଏହି ସମସ୍ତ ମହତ ଗୁଣ ଯୋଗୁଁ ମୟୂରକୁ ଆମ ଦେଶର ଜାତୀୟପକ୍ଷୀ ତଥା ଜାତୀୟ ପ୍ରତିଭାର ମାନ୍ୟତା ଦିଆଯାଇଛି।