ପାଣିରେ ପାଣି

ଆମର ଏହି ପାଣି କେଉଁଠୁ ଆସୁଛି, ପୁଣି କେଉଁଆଡ଼େ ଚାଲିଯାଉଛି ? ଆମ୍ଭେମାନେ ଏ ବିଷୟରେ କେବେ କିଛି ଭାବିଛୁ କି ? ଖାଲି ଭାବିଲେ ହେବ ନାହିଁ, ବରଂ ଏହି ବିଷୟରେ ପଢ଼ିବା ଆମ ପାଇଁ ଜରୁରୀ ଅଟେ । ଭୂଗୋଳପାଠ ପଢ଼ିଲାବେଳେ ଆମକୁ ଜଳଚକ୍ର ବିଷୟରେ କୁହାଯାଇଛି । ଏହାକୁ ପଢ଼ିବା ପରେ ଆମ ମନ ମଧ୍ୟରେ ଏକ ସୁନ୍ଦର ଚିତ୍ର ଆଙ୍କି ହୋଇଯାଉଛି । ତାହା ହେଲା ସୂର୍ଯ୍ୟ, ସମୁଦ୍ର, ବାଦଲ, ପବନ, ପୃଥିବୀ, ବର୍ଷାର ଜଳବିନ୍ଦୁ, ବହିଯାଉଥିବା ଏକ ନଦୀ ଏବଂ ତା’ରି କୂଳରେ ଥିବା ତୁମ, ଆମର ଘର, ଗାଁ ବା ସହର ।

[ଚିତ୍ର ବର୍ଣ୍ଣନା: ପୃଷ୍ଠାରେ ପ୍ରାକୃତିକ ଜଳଚକ୍ର ଏବଂ ମାନବ ଜୀବନର ବିଭିନ୍ନ ଦୃଶ୍ୟ ପ୍ରଦର୍ଶିତ ହୋଇଛି— ଆକାଶରେ ସୂର୍ଯ୍ୟ, ମେଘ ଓ ବର୍ଷା; ପାହାଡ଼ରୁ ବହି ଆସୁଥିବା ନଦୀ ଯାହା ସମୁଦ୍ରରେ ମିଶୁଛି; ନଦୀ କୂଳରେ ଗାଈ ଚରୁଛନ୍ତି, କୂଳରେ ଘର, ସ୍କୁଲ ଯାଉଥିବା ଛାତ୍ରୀ, କପଡ଼ା ଶୁଖାଉଥିବା ଲୋକ ଏବଂ ମାଟି ପାତ୍ର ଗଢ଼ୁଥିବା କୁମ୍ଭାର ଦୃଶ୍ୟମାନ।]


ଅନ୍ୟ ପକ୍ଷରେ ଏହି ନଦୀ ନିଜର ଉଭୟ ପଟୁ ପାଣି ନେଇ ସମୁଦ୍ରରେ ମିଶିବାର ଚିତ୍ର ମଧ୍ୟ ଦେଖାଯାଉଛି । ସେହି ଚିତ୍ର ମଧ୍ୟରେ କିଛି କୂଳର ଦୃଶ୍ୟ ମଧ୍ୟ ରହିଛି । ଏହି ପାଣି କଥା ଭାବିଲାବେଳେ ମନକୁ ଆସେ ଯେ ସମୁଦ୍ରରୁ ଉଠୁଥିବା ବାଷ୍ପ, ବାଦଲ ହୋଇ ପାଣି ରୂପ ନେଇଥାଏ । ତାହା ପୁଣି ବର୍ଷା ରୂପରେ ଭୂପୃଷ୍ଠ ତଥା ସମୁଦ୍ରରେ ମିଶିଥାଏ । ଜଳର ଏହି ଘୂର୍ଣ୍ଣନ ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ ।

[ଚିତ୍ର ବର୍ଣ୍ଣନା ୧: ଜଣେ ମହିଳା ‘ଚିକିତ୍ସାଳୟ’ (ଡାକ୍ତରଖାନା) ସମ୍ମୁଖରେ ଥିବା ଗଛଲତାରେ ପାଣି ଦେଉଛନ୍ତି।] [ଚିତ୍ର ବର୍ଣ୍ଣନା ୨: ଜଳ ବିଦ୍ୟୁତ୍ ପ୍ରକଳ୍ପ, ବିଦ୍ୟୁତ୍ ଖୁଣ୍ଟି, ଜଳ ପିଉଥିବା ମଇଁଷି, ଠେଲାଗାଡ଼ି ନେଇ ଯାଉଥିବା ଶ୍ରମିକ ଏବଂ ବାଲ୍ଟିରେ ଗାଧୋଉଥିବା ପିଲାଟିଏ।]

ଏ ତ ଗଲା ଜଳଚକ୍ରର ବହି ପଢ଼ା ପାଠ କଥା । ହେଲେ ଆମ ସମସ୍ତଙ୍କର ଘରେ, ସ୍କୁଲରେ, କାର୍ଯ୍ୟାଳୟରେ, କାରଖାନାମାନଙ୍କରେ ଓ ଜମିବାଡ଼ିମାନଙ୍କରେ ପାଣିର କିଛି ଅଦ୍ଭୁତ ପ୍ରକାରର ଘୂର୍ଣ୍ଣନ ଚିତ୍ର ଆମ ଆଖି ଆଗକୁ ଆସେ । ପାଣିପାଇପ୍‌ରେ ଏବେ ସବୁବେଳେ ପାଣି ଆସୁ ନାହିଁ । ତାକୁ ଖୋଲିବ ତ ସେଥିରୁ ପାଣି ବଦଳରେ ଖାଲି ସୁଁ... ସୁଁ ଶବ୍ଦ ଆସିବାରେ ଲାଗିଥାଏ ।

ପାଣି ଯଦି ଆସିବ, ତାହା ପୁଣି ଅସମୟରେ, କେତେବେଳେ ରାତିରେ ତ ଆଉ କେବେ ବଡ଼ି ଭୋରରୁ ।

ଏଇ ପାଣି ପାଇଁ ଆମ ଆଖିରେ ନିଦ ନାହିଁ । ପାଣି ଆସିଲା ତ ବାଲଟି, ବାସନ, ମାଠିଆ ଆଦିରେ ଭରିବା ଆମର ପ୍ରଥମ କାମ ବୋଲି ସମସ୍ତେ ଭାବି ନେଇଥାଉ । କେଉଁଠି କେଉଁଠି ନିଜ ଭିତରେ କଳିଝଗଡ଼ା ମଧ୍ୟ ହୋଇଥାଏ ।

ପ୍ରତିଦିନ ଏହି କଳିଝଗଡ଼ାରୁ ରକ୍ଷା ପାଇବା ପାଇଁ କେତେକ ଘରର ଲୋକେ ସେହି ପାଇପ୍‌ରେ ମୋଟର ଲଗାଇ ଦେଇଥାନ୍ତି । ଏହାଦ୍ଵାରା ଅନ୍ୟ ଘରର ପାଣି ଟାଣି ହୋଇ ଜଣକର ଘରକୁ ଚାଲିଆସିଥାଏ । ଏହାଦ୍ଵାରା ଅନ୍ୟର ଅଧିକାର ଛଡ଼ାଇ ନେଲାପରି ବୋଧହୁଏ । ଜଣକର ଏମିତି ଅନୀତି କାମ ଦେଖି ଅନ୍ୟ କେତେକ ଘରର ଲୋକେ ମଧ୍ୟ ତାହା କରିବାକୁ ଆଗେଇ ଆସନ୍ତି । ଫଳରେ ପାଣିର ମାତ୍ରା କମିଯାଏ ।


ସହରରେ ଏବେ ଅନ୍ୟ ପଦାର୍ଥ ପରି ପାଣି ମଧ୍ୟ ବିକା ହେଲାଣି । ଏହି ଅଭାବ ଖାଲି ଗାଁ କି ସହରରେ ନୁହେଁ, ବରଂ ଆମ ପ୍ରଦେଶର ରାଜଧାନୀମାନଙ୍କରେ ଓ ଦିଲ୍ଲୀ, ମୁମ୍ବାଇ, କୋଲକତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ଼ବଡ଼ ସହରମାନଙ୍କରେ ମଧ୍ୟ ଲୋକମାନଙ୍କୁ ଭୟଙ୍କର କଷ୍ଟରେ ପକାଇ ଦେଲାଣି । ଦେଶର କେତେକ ଅଞ୍ଚଳରେ ତ ଦୁର୍ଭିକ୍ଷ ଭଳି ଅବସ୍ଥା ସୃଷ୍ଟି ହେଲାଣି । ଏହା ମୁଖ୍ୟତଃ ଗ୍ରୀଷ୍ମଋତୁର କଥା ଅଟେ ।

ହେଲେ ବର୍ଷାଋତୁରେ କ’ଣ ହୋଇଥାଏ ? ଦେଖ, ସବୁଆଡ଼େ ପାଣି ବହିବାରେ ଲାଗିଥାଏ । ଆମ ତୁମ ଘର, ସ୍କୁଲ, ସଡ଼କ, ରେଳଧାରଣା ଉପରେ ପାଣି ଭରିଯାଏ । ଦେଶର କେତେକ ଭାଗ ବନ୍ୟାରେ ବୁଡ଼ି ଯାଇଥାଏ । ଏହି ବନ୍ୟା ନା ଗାଁକୁ ଛାଡ଼ିଥାଏ ନା ମୁମ୍ବାଇ ପରି ବଡ଼ ସହରଗୁଡ଼ିକୁ ଛାଡ଼ିଥାଏ । କିଛିଦିନ ପାଇଁ ସବୁକିଛି ଅଟକି ଯାଏ । ଏଇ ଯେଉଁ ଅବସ୍ଥା ଆମେ କହୁଛୁ, ତାହା ପାଣି ଅଧିକ କମ୍ ହୋଇଯିବା ଓ ପାଣି ବହୁତ ଅଧିକ ହୋଇଯିବା ବିଷୟରେ । ଅର୍ଥାତ୍ ଦୁର୍ଭିକ୍ଷ ଓ ବନ୍ୟା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଅଟେ । ଯଦି ଆମେ ଏଇ ଦୁଇଟିକୁ ଠିକ୍ ଭାବରେ ବୁଝିପାରିବା ଓ ସମ୍ଭାଳି ନେବା, ତେବେ ଏଇ କେତେ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିପାରିବ । ଚାଲ, କିଛି ସମୟପାଇଁ ଆମେ ପାଣିର ଏହି ଗୋଲୋକଧନ୍ଦାକୁ ଭୁଲିଯିବା ଓ ନିଜର ସରାଘଡ଼ି କଥା ମନେପକାଇବା । ଆମକୁ କେହି ଯେବେ ପଇସା ଦିଅନ୍ତି, ଆମେ ଖୁସି ହୋଇ ଧାଇଁ ଯାଇ ତାକୁ ଚଟାପଟ୍ ନିଜର ସରାଘଡ଼ିରେ ପକାଇ ଦେଇଥାଉ । ଏକଟଙ୍କା, ଦୁଇଟଙ୍କା, ପାଞ୍ଚଟଙ୍କା, କେବେ ମୁଦ୍ରା ତ କେବେ ଛୋଟ ବଡ଼ ନୋଟ୍ ସେସବୁ ଧୀରେଧୀରେ ଏଥିରେ ଜମା ହୋଇଯାଇଥାଏ । ପୁନର୍ବାର ଯେତେବେଳେ ଆମର କିଛି ଟଙ୍କା ଦରକାର ପଡ଼େ, ସେତେବେଳେ ଏହି ସରାଘଡ଼ିର ସଞ୍ଚୟକୁ ଉପଯୋଗ କରି ନେଇଥାଉ ।

[ଚିତ୍ର ବର୍ଣ୍ଣନା: ଘର ଛାତରୁ ବର୍ଷାଜଳ ପାଇପ୍ ଦେଇ ବାହାରୁଛି, ଲୋକମାନେ ଲୁଗା ଶୁଖାଉଛନ୍ତି ଏବଂ ଗଛରେ ପାଣି ଦେଉଛନ୍ତି, କଡ଼ରେ ଗାଈ ପୋଖରୀରୁ ପାଣି ପିଉଛି।]


ଆମର ଏହି ପୃଥିବୀଟି ମଧ୍ୟ ଏଇମିତି ଖୁବ୍ ବଡ଼ ସରାଘଡ଼ି ଅଟେ । ମାଟିରେ ତିଆରି ଏହି ବିରାଟ ସରାଘଡ଼ିରେ ପ୍ରକୃତି ବର୍ଷାଋତୁରେ ପ୍ରଚୁର ପାଣି ବର୍ଷା କରିଥାଏ । ସେତେବେଳେ ଟଙ୍କାଠାରୁ କେତେ ଗୁଣା ମୂଲ୍ୟବାନ୍ ଏହି ବର୍ଷାକୁ ଆମେ ବଡ଼ ସରାଘଡ଼ିରେ ସଞ୍ଚୟ କରିନେବା ଉଚିତ୍ । ଆମର ଗାଁରେ, ସହରରେ ଯେଉଁ ଛୋଟବଡ଼ ପୋଖରୀ, ହ୍ରଦ ଆଦି ରହିଛି, ତାହା ପୃଥିବୀର ସରାଘଡ଼ିରେ ପାଣି ଭରିବାର କାମ କରିଥାଏ । ଏଥିରେ ଜମା ହୋଇଥିବା ପାଣି ମାଟିର ତଳେ ଲୁଚି ରହିଥିବା ଜଳଭଣ୍ଡାରରେ ଧୀରେଧୀରେ ଝରଝରି ଛାଣି ହୋଇ ପହଞ୍ଚୁଥାଏ । ଏହାଦ୍ଵାରା ଆମର ଭୂଜଳଭଣ୍ଡାର ସମୃଦ୍ଧ ହୋଇଯାଏ । ପାଣିର ଏହି ରାଜକୋଷ ଆମକୁ ଦେଖାଯାଏ ନାହିଁ । ମାତ୍ର ଏହି ରାଜକୋଷରୁ ଆମେ ବର୍ଷାଋତୁ ଗଲାପରେ ସାରା ବର୍ଷଯାଏ ନିଜର ବ୍ୟବହାର ପାଇଁ ଘରେ, ଜମିରେ, ପାଠଶାଳାରେ ପାଣିକୁ ବ୍ୟବହାର କରିଥାଉ; ମାତ୍ର ଗୋଟିଏ ପାଳି ଏମିତି ମଧ୍ୟ ଆସିଛି ଯେତେବେଳେ ଆମ୍ଭେମାନେ ଏହି ଗୁପ୍ତ ରାଜକୋଷର ମହତ୍ତ୍ଵ ଭୁଲି ଯାଉଛୁ ଏବଂ ଭୂମିର ଲୋଭରେ ଆମେ ନିଜର ପୋଖରୀମାନଙ୍କୁ ଅଳିଆରେ ପୋତି ଦେଇ ସମତୁଲ କରିଦେଉଛୁ । ଚାହୁଁଚାହୁଁ ଏହା ଉପରେ ତ କେଉଁଠି ଘର, କେଉଁଠି ବଜାର, ଷ୍ଟାଡ଼ିୟମ ଓ ସିନେମାଘର ଠିଆ ହୋଇଯାଉଛି ।

ଏମିତି ଏକ ବଡ଼ ଭୁଲ୍ ପାଇଁ ଏବେ ଆମ ସମସ୍ତଙ୍କୁ ଦଣ୍ଡ ମିଳୁଛି । ଗ୍ରୀଷ୍ମଋତୁରେ ଆମର ନଳକୂଅ ଶୁଖିଯାଉଛି ଓ ବର୍ଷାଋତୁରେ ଆମର ଘରଦ୍ଵାର ବୁଡ଼ିଯାଉଛି । ଏଥିପାଇଁ ଯଦି ଆମକୁ ଦୁର୍ଭିକ୍ଷ ଓ ବନ୍ୟାରୁ ରକ୍ଷା ପାଇବାର ଅଛି, ତେବେ ନିଜର ଆଖପାଖର ଜଳସ୍ରୋତ, ପୋଖରୀ ଓ ନଦୀମାନଙ୍କର ରକ୍ଷଣାବେକ୍ଷଣ ଭଲ ଭାବରେ କରିବାକୁ ହେବ ।

ଜଳଚକ୍ର କଥା ଆମେ ଠିକ୍ ଭାବରେ ବୁଝିପାରିଲେ । ଯେତେବେଳେ ବର୍ଷା ହେଉଛି, ସେତେବେଳେ ତାକୁ ସଂରକ୍ଷଣ କରିବା ଉଚିତ୍ । ନିଜର ଭୂଜଳଭଣ୍ଡାର ସୁରକ୍ଷିତ କରିବା ଉଚିତ୍ । ନିଜର ସରାଘଡ଼ିକୁ ଭରି ରଖିବା ଉଚିତ୍, ତାହାହେଲେ ଆମକୁ ଦରକାରବେଳେ ପାଣିର କିଛି ଅଭାବ ପଡ଼ିବ ନାହିଁ । ଯଦି ଆମେ ଜଳଚକ୍ରର ଠିକ୍ ଉପଯୋଗ କରିନାହୁଁ, ତେବେ ଆମେ ପାଣିର ଚକ୍କରରେ ଫସିଯିବା ।

ମୂଳହିନ୍ଦୀ : ଅନୁପମ ମିଶ୍ର

ଲେଖକ ପରିଚୟ

ଅନୁପମ ମିଶ୍ର ଜଣେ ବିଖ୍ୟାତ ଲେଖକ, ସମ୍ପାଦକ ତଥା ଜଣାଶୁଣା ପରିବେଶବିତ୍ ସହିତ ଫଟୋଗ୍ରାଫର (୧୯୪୮-୨୦୧୬) । ପରିବେଶ ସଂରକ୍ଷଣ କ୍ଷେତ୍ରରେ ସେ ଅନେକ ପ୍ରୟୋଗାତ୍ମକ କାର୍ଯ୍ୟ କରିଛନ୍ତି । ‘ଆଜ ଭୀ ଖରେ ହୈ ତାଲାବ’ ତାଙ୍କର ସର୍ବାଧିକ ଚର୍ଚ୍ଚିତ ପୁସ୍ତକ । ବ୍ରେଲ୍ ଲିପି ସହିତ ଏହାର ଅନୁବାଦ ଅନେକ ଭାଷାରେ ହୋଇସାରିଛି । “ସାଫ ମାଥେ କା ସମାଜ” ତାଙ୍କର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପୁସ୍ତକ । ସେ ଗାନ୍ଧୀଶାନ୍ତି ପ୍ରତିଷ୍ଠାନରୁ ପ୍ରକାଶିତ ହେଉଥିବା ପତ୍ରିକା ‘ଗାନ୍ଧୀମାର୍ଗ’ର ପ୍ରତିଷ୍ଠାତା ଓ ସମ୍ପାଦକ ମଧ୍ୟ ଥିଲେ ।


ପାଠରୁ

ଆସ, ଏବେ ଆମେ ଏଇ ପାଠକୁ ଅତି ନିକଟରୁ ବୁଝିବା । ଆଗକୁ ଦିଆଯାଇଥିବା ଗତିବିଧିଗୁଡ଼ିକୁ ଏହା କାର୍ଯ୍ୟରେ ତୁମକୁ ସହାୟତା କରିବ ।

ମୁଁ ଯାହା ବୁଝିଲି

(କ) ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଯଥାର୍ଥ ଉତ୍ତର ପାଖରେ ତାରା (★) ଚିହ୍ନ ଦିଅ

୧ । ଆମର ଭୂଜଳଭଣ୍ଡାର ନିମ୍ନଲିଖିତ ମଧ୍ୟରୁ କେଉଁଥିରେ ସମୃଦ୍ଧ ହୋଇଥାଏ ? (କ) ନଳକୂପ ଶୁଖିଯିବା ଦ୍ୱାରା (ଖ) ପାଣି ବରଷିବା ଦ୍ବାରା (ଗ) ପୋଖରୀ ଓ ହ୍ରଦଦ୍ୱାରା (ଘ) ବନ୍ୟା ଆସିବା ଦ୍ବାରା

୨ । ନିମ୍ନଲିଖିତ ମଧ୍ୟରୁ କେଉଁ କଥାଟି ଜଳଚକ୍ର ସହିତ ସମ୍ପର୍କିତ ? (କ) ବର୍ଷାଜଳ ସଂଗ୍ରହ କରିବା । (ଖ) ସମୁଦ୍ରରୁ ଉଠୁଥିବା ବାଷ୍ପ ବାଦଲ ହୋଇ ବରଷିବା । (ଗ) ନଦୀମାନେ ସମୁଦ୍ରକୁ ଯାଇ ମିଶିବା । (ଘ) ବର୍ଷାରେ ଚାରିଆଡ଼ କେବଳ ପାଣି ହିଁ ଦେଖାଯିବା ।

୩ । ଏହି ବଡ଼ ଭୁଲ୍‌ର ଦଣ୍ଡ ଏବେ ଆମ ସମସ୍ତଙ୍କୁ ମିଳୁଅଛି । ଏଠାରେ କେଉଁ ଭୁଲ୍ ଆଡ଼କୁ ସଂକେତ କରାଯାଇଛି ? (କ) ଜଳଚକ୍ରର ଅବଧାରଣାକୁ ନ ବୁଝିବା (ଖ) ଆବଶ୍ୟକତାଠାରୁ ଅଧିକ ପାଣିର ବ୍ୟବହାର କରିବା । (ଗ) ପୋଖରୀଗୁଡ଼ିକୁ ଅଳିଆରେ ପୋତି ଦେବା । (ଘ) ଭୂତଳ ଭଣ୍ଡାର ବିଷୟରେ ବିଚାର ନ କରିବା ।

(ଖ) ଏବେ ନିଜର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କର ଓ ତୁମେ ଏହି ଉତ୍ତର କାହିଁକି ବାଛିଲ, ତା’ର କାରଣ କୁହ ।

[ଚିତ୍ର ବର୍ଣ୍ଣନା: ପତ୍ରଶୂନ୍ୟ ଶୁଖିଲା ଗଛ, ଭଙ୍ଗା ମାଟିପାତ୍ର ଏବଂ ଫାଟି ଯାଇଥିବା ଶୁଷ୍କ ମାଟି (ମରୁଡ଼ିର ଦୃଶ୍ୟ)।]


ଆସ, ମେଳ କରିବା

ପାଠରେ ଥିବା କିଛି ଶବ୍ଦ ବା ଉକ୍ତିକୁ ବାଛି ‘କ’ ସ୍ତମ୍ଭରେ ଦିଆଯାଇଛି ଓ ଏହାର ଅର୍ଥ ‘ଖ’ ସ୍ତମ୍ଭରେ ଦିଆଯାଇଛି । ତୁମ ଦଳରେ ଏହି ବିଷୟରେ ଆଲୋଚନା କର ଓ ଗାରଟାଣି ମିଳାଅ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
୧. ବର୍ଷା ଜଳ ସଂଗ୍ରହ୧. ମାଟିତଳେ ଲୁଚିଥିବା ଜଳଭଣ୍ଡାର
୨. ଜଳ ସଂକଟ୨. ବର୍ଷାଜଳକୁ ପ୍ରାକୃତିକ ଅଥବା କୃତ୍ରିମ ରୂପରେ (ମାନବିକ ପ୍ରୟାସରେ) ପୃଥିବୀରେ ସଂଗ୍ରହ କରିବା
୩. ଜଳଚକ୍ର୩. ଜଳର ପରିମାଣ କମିଯିବା
୪. ଭୂଜଳ୪. ସମୁଦ୍ରରୁ ଉଠୁଥିବା ବାଷ୍ପ ବାଦଲ ହୋଇ ପାଣିରେ ବଦଳିଯିବା ଓ ବର୍ଷାଦ୍ଵାରା ପୁନଃ ସମୁଦ୍ରରେ ମିଶିବା

ଗଦ୍ୟାଂଶର ଆଲୋଚନା

ଏହି ପାଠରୁ ବାଛି କରି କେତେକ ବାକ୍ୟ ନିମ୍ନରେ ଦିଆଯାଇଛି । ତାହାକୁ ମନ ଦେଇ ପଢ଼ ଓ ନିଜର ସହପାଠୀଙ୍କ ସହିତ ଆଲୋଚନା କର ।

  • ‘ପାଣି ଆସିବ ତ ଅସମୟରେ ।’

  • ‘ଦେଶର କେତେକ ଅଞ୍ଚଳରେ ତ ଦୁର୍ଭିକ୍ଷ ଭଳି ଅବସ୍ଥା ସୃଷ୍ଟି ହେଲାଣି ।’

  • ‘କିଛିଦିନ ପାଇଁ ସବୁକିଛି ଅଟକି ଯାଏ ।’

  • ‘ଦୁର୍ଭିକ୍ଷ ଓ ବନ୍ୟା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଟେ ।’

ଆସ, ଚିନ୍ତା କରିବା

ଲେଖାଟିକୁ ଆଉ ଥରେ ପଢ଼ ଓ ନିମ୍ନଲିଖିତ ବିଷୟରେ ଉତ୍ତର ଖୋଜି ଲେଖ । (କ) ପାଠରେ ଏଇ ପୃଥିବୀକୁ ବିରାଟବଡ଼ ସରାଘଡ଼ି ବୋଲି କାହିଁକି କୁହାଯାଇଛି ? (ଖ) କେଉଁ ଧାରାରେ ଜଳଚକ୍ର ପୂର୍ଣ୍ଣରୂପ ନିଏ ? (ଗ) ଯଦି ସବୁ ନଈ, ହ୍ରଦ ଓ ପୋଖରୀ ଶୁଖିଯାଏ, ତେବେ କ'ଣ ହେବ ? (ଘ) ପାଠରେ ପାଣିକୁ ଟଙ୍କାଠାରୁ ଅଧିକ ମୂଲ୍ୟବାନ୍ କାହିଁକି କୁହାଯାଇଛି ?

[ଚିତ୍ର ବର୍ଣ୍ଣନା: ଓଲଟା ଛତା ଜରିଆରେ ବର୍ଷାପାଣି ଟାଙ୍କିରେ ସଂଗ୍ରହ ହେଉଛି ଏବଂ ଜଣେ ଝିଅ ଟ୍ୟାପ୍‌ରୁ ବାଲ୍ଟିରେ ପାଣି ଭରୁଛି।]


ଶୀର୍ଷକ

(କ) ଏହି ପାଠର ଶୀର୍ଷକ ‘ପାଣିରେ ପାଣି’ ଦିଆଯାଇଛି । ପାଠର ନାମ ଏମିତି କାହିଁକି ଦିଆଯାଇଛି ? ନିଜର ସହପାଠୀମାନଙ୍କ ସହିତ ଆଲୋଚନା କରି ଲେଖ । ନିଜ ଉତ୍ତରର କାରଣ ମଧ୍ୟ ଲେଖ । (ଖ) ତୁମେ ଏହି ପାଠଟିର ଆଉ କେଉଁ ନାମ ଦେବାକୁ ଚାହୁଁଛ ? କାରଣ ସହ ଲେଖ ।

[ଚିତ୍ର ବର୍ଣ୍ଣନା: ଜଳଚକ୍ରର ଚିତ୍ର— ପର୍ବତ ଉପରେ ବର୍ଷା, ନଦୀ ବହିଯାଇ ସମୁଦ୍ରରେ ମିଶିବା ଏବଂ ସମୁଦ୍ରରୁ ବାଷ୍ପୀଭବନ ହୋଇ ମେଘ ସୃଷ୍ଟି ହେବା।]

ଶବ୍ଦର ପ୍ରୟୋଗ

କଥା ଉପରେ ବଳ ଦେବା ।

  • “ଆମର ଏହି ପୃଥିବୀ ମଧ୍ୟ ଏହିପରି ଏକ ସରାଘଡ଼ି ଅଟେ ।”

  • “ଆମର ଏହି ପୃଥିବୀ ଏହିପରି ଏକ ସରାଘଡ଼ି ଅଟେ ।”

(କ) ଏହି ଦୁଇଟି ବାକ୍ୟକୁ ମନଦେଇ ପଢ଼ । ଦ୍ଵିତୀୟ ବାକ୍ୟରେ କେଉଁ ଶବ୍ଦଟିକୁ ଉଠେଇ ଦିଆଯାଇଛି ? ଏହି ଶବ୍ଦକୁ ଉଠେଇ ଦେଲା ଫଳରେ ବାକ୍ୟର ଅର୍ଥରେ କି ପାର୍ଥକ୍ୟ ଆସୁଛି, ତାହା ଲେଖ । (ଖ) ପାଠ ମଧ୍ୟରେ ଏହିପରି ଆଉ କିଛି ଶବ୍ଦ ମଧ୍ୟ ଅଛି, ଯେଉଁଗୁଡ଼ିକର ଉପସ୍ଥିତିରେ ବାକ୍ୟ ବିଶେଷଭାବେ ପ୍ରଭାବିତ ହେଉଛି । ପାଠକୁ ପଢ଼ି ସେହିପରି ଶବ୍ଦଥିବା ବାକ୍ୟଗୁଡ଼ିକୁ ବାଛି ଲେଖ ।

ସମାନାର୍ଥକ ଶବ୍ଦ

ତଳେ ଦିଆଯାଇଥିବା ବାକ୍ୟମାନଙ୍କରେ ରେଖାଙ୍କିତ ଶବ୍ଦଗୁଡ଼ିକ ପାଇଁ ବାଦଲ ମଧ୍ୟରେ ସମାନାର୍ଥକ ଶବ୍ଦମାନ ରହିଛି । ତାହାକୁ ବାଛି ଲେଖ । (କ) ସୂର୍ଯ୍ୟଙ୍କର କିରଣ ପଡ଼ିଲେ ଫୁଲମାନେ ହସି ଉଠନ୍ତି । (ଖ) ସମୁଦ୍ରର ପାଣି ବାଷ୍ପ ହୋଇ ଉପରକୁ ଯାଇଥାଏ । (ଗ) ହଠାତ୍ ବାଦଲ ଗର୍ଜିବାରେ ଲାଗିଲା । (ଘ) ଜଳଚକ୍ରରେ ପବନର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।

ବାଦଲ ଭିତରେ ଥିବା ଶବ୍ଦଗୁଡ଼ିକ: ରବି, ମେଘ, ଭାସ୍କର, ପବନ, ବାରିଦ, ବାୟୁ, ଦିବାକର, ଜଳଦ, ବାଷ୍ପ, ସମୀର, ଦିନକର, ନୀରଦ, ନୀର, ଅମ୍ବୁ


ଉପସର୍ଗ

ଆମ ପ୍ରଦେଶର ରାଜଧାନୀମାନଙ୍କରେ ଏହି ଜଳାଭାବ ଦେଖାଦେଲାଣି । ଏହି ବାକ୍ୟରେ ରେଖାଙ୍କିତ ଶବ୍ଦରେ ‘ଦେଶ’ ଶବ୍ଦପୂର୍ବରେ ‘ପ୍ର’ ସଂଯୁକ୍ତ ହୋଇ ନୂଆଶବ୍ଦଟି ସୃଷ୍ଟି ହୋଇଛି (ପ୍ରଦେଶ) । କୌଣସି ଶବ୍ଦ ବା ଧାତୁର ପୂର୍ବରେ ବ୍ୟବହୃତ ହୋଇଥିବା ନିର୍ଦ୍ଦିଷ୍ଟ ଶବ୍ଦକୁ ଉପସର୍ଗ କୁହାଯାଏ । ଏହାକୁ ପୂର୍ବ ପ୍ରତ୍ୟୟ ମଧ୍ୟ କୁହାଯାଏ । ଆସ ତଳଚିତ୍ରକୁ ଦେଖି କିଛି ଉପସର୍ଗ ବିଷୟରେ ଜାଣିବା –

[ଚିତ୍ର ସୂଚନା: ମୂଳ ଶବ୍ଦ ‘ହାର’ ସହିତ ଉପସର୍ଗ ଯୋଗ ହୋଇ ଗଠିତ ଶବ୍ଦ]

  • ଆ + ହାର = ଆହାର

  • ପରି + ହାର = ପରିହାର

  • ଉପ + ହାର = ଉପହାର

  • ବି + ହାର = ବିହାର

  • ପ୍ର + ହାର = ପ୍ରହାର

ଏବେ ତୁମେ ମଧ୍ୟ ଉପସର୍ଗ ପ୍ରୟୋଗ କରି ନୂଆ ଶବ୍ଦ ଗଢ଼ ଓ ତାକୁ ବାକ୍ୟରେ ପ୍ରୟୋଗ କର –

  • ଅ, ବି, ସୁ + [ପାତ୍ର / ଜ୍ଞାନ] \rightarrow [ ___________ ]

ପାଠରୁ ଆଗକୁ

ତୁମ କଥା

(କ) ପୃଥିବୀର ସରାଘଡ଼ିରେ ଜଳରାଶି କେବେ କମ୍ ନ ହେଉ, ଏଥିପାଇଁ ତୁମେ କ’ଣ କ’ଣ ଉଦ୍ୟମ କରିବ ? ତୁମର ସହପାଠୀମାନଙ୍କ ସହିତ ଆଲୋଚନା କରି ଲେଖ । (ଖ) ଏହି ପାଠରେ ଗୋଟିଏ ଅଂଶରେ ଜଳଚକ୍ରର ପ୍ରକ୍ରିୟା ବିଷୟରେ କୁହାଯାଇଛି । ସେହି ଅଂଶକୁ ଚିହ୍ନି ଜଳଚକ୍ରକୁ ଚିତ୍ର ମାଧ୍ୟମରେ ପ୍ରସ୍ତୁତ କର । (ଗ) ତୁମ ଦ୍ୱାରା ତିଆରି କରାଯାଇଥିବା ଜଳଚକ୍ରର ଚିତ୍ରର ବିବରଣୀ ପ୍ରସ୍ତୁତ କର ।


ସର୍ଜନଶୀଳତା

(କ) କଳ୍ପନା କର ଯେ କୌଣସି ଦିନ ତୁମ ଘରେ ପାଣି ଆସିଲା ନାହିଁ । ତୁମକୁ ବିଦ୍ୟାଳୟକୁ ଯିବାକୁ ହେବ । ତୁମ ଘର ପାଖରେ ଗୋଟିଏ ସର୍ବସାଧାରଣ ନଳକୂଅ ଅଛି । ତୁମେ ଗରାବାଲଟି ଧରି ସେଠାରେ ପହଞ୍ଚିଛ । ଆଉ ଠିକ୍ ସେହି ସମୟରେ ତୁମର ପଡ଼ୋଶୀ ମଧ୍ୟ ପାଣି ନେବାପାଇଁ ପହଞ୍ଚି ଯାଇଛନ୍ତି । ତୁମେଦୁହେଁ ନିଜ ନିଜର ବାଲ୍ଟି ପ୍ରଥମେ ପୂରା କରିବାକୁ ଚାହୁଁଛ । ଏମିତି ପରିସ୍ଥିତିରେ ତୁମ ଭିତରେ କୌଣସି ପ୍ରକାରର କଳିକଜିଆ ନ ହେଉ, ଏହାକୁ ଧ୍ୟାନରେ ରଖି ତିନୋଟି ସ୍ଲୋଗାନ୍ ତିଆରି କର ।

[ଚିତ୍ର ବର୍ଣ୍ଣନା: ନଳକୂଅ ନିକଟରେ ପାଣି ପାଇଁ ବାଲ୍ଟି ଧରି ଦୁଇଜଣ ବ୍ୟକ୍ତି ଓ ଜଣେ ଝିଅଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି।]

(ଖ) “ସୂର୍ଯ୍ୟ, ସମୁଦ୍ର, ବାଦଲ, ପବନ, ପୃଥିବୀ, ବର୍ଷାର ଜଳବିନ୍ଦୁ ବହିଯାଉଥିବା ଏକ ନଦୀ ଓ ତା’ର କୂଳରେ ଗଢ଼ି ଉଠିଥିବା ତୁମ ଆମର ଘର ଗାଁ ବା ସହର ।” ଏହି ବାକ୍ୟକୁ ପଢ଼ି ତୁମ ମନରେ ଯେଉଁ ଭାବନା ଜାଗି ଉଠୁଛି, ତାକୁ ନେଇ ଚିତ୍ର ଆଙ୍କ ଓ ସେଥିରେ ରଙ୍ଗ ଦିଅ ।


ପାଣିରେ ପାଣି

ତଳେ ଆମେ ପ୍ରତିଦିନ କରୁଥିବା କାମର ଚିତ୍ର ରହିଛି । ସେହିଚିତ୍ର ବିଷୟରେ ଆଲୋଚନା କର । ପୃଥିବୀରେ ପାଣିର ସଂକଟକୁ କମ୍ କରିବାରେ ଯେଉଁଗୁଡ଼ିକ ସହାୟକ ହେବ, ସେହି ଚିତ୍ରଗୁଡ଼ିକ ଉପରେ ଆଲୋଚନା କର ।

[ଚିତ୍ର ବର୍ଣ୍ଣନା: ଦୁଇଟି ପିଲା ବଗିଚାରେ ନୂତନ ଚାରାଗଛ ରୋପଣ କରି ସେଥିରେ ପାଣି ଦେଉଛନ୍ତି।]

ସମସ୍ତଙ୍କ ପାଇଁ ପାଣି

‘ସମସ୍ତଙ୍କୁ ନିଜର ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ପାଣି କେମିତି ମିଳିବ ?’ ଏହି ବିଷୟରେ ଏକ ଆଲୋଚନାଚକ୍ରର ଆୟୋଜନ କର । ଏହି ଆଲୋଚନାଚକ୍ରର ମୁଖ୍ୟ ବିନ୍ଦୁକୁ ଆଧାର କରି ବିବରଣୀ ପ୍ରସ୍ତୁତ କର ।


ନିତିଦିନିଆ କାମରେ ପାଣି

(କ) ତୁମ ଘରେ ଦିନକୁ ହାରାହାରି କେତେ ପାଣି ଖର୍ଚ୍ଚ ହେଉଛି ? ଏହାକୁ ଜାଣିବାକୁ ତୁମେ କେବେ ଚେଷ୍ଟା କରିଛ କି ? ନିଜ ଘରେ ବ୍ୟବହୃତ ହେଉଥିବା ପାଣି ବିଷୟରେ ଏକ ତାଲିକା ପ୍ରସ୍ତୁତ କର । ଏହି ତାଲିକାକୁ ଆଧାର କରି ନିମ୍ନଲିଖିତ କଥା ଜାଣିବାକୁ ଚେଷ୍ଟା କର –

  • ଘରର କାମରେ ଗୋଟିଏ ଦିନରେ ପାଖାପାଖି କେତେ ପାଣି ଖର୍ଚ୍ଚ ହେଉଛି ? (ବାଲଟି, ମାଠିଆ ପରି ଜଳ ଭରିବାର ଅନ୍ୟ ପାତ୍ରକୁ ମାପ ପାତ୍ର ହିସାବରେ ନେଇପାର)

  • ନିଜର ମାଆ, ବାପା ଓ ଘରର ଅନ୍ୟ ସଦସ୍ୟ ଅଯଥା ପାଣିକୁ ନଷ୍ଟ ନ କରିବା ପାଇଁ କି କି ଉପାୟ ଅବଲମ୍ବନ କରିଥାନ୍ତି ?

(ଖ) ତୁମକୁ ନିଜର ଆବଶ୍ୟକତା ଅନୁସାରେ ପାଣି ମିଳୁଅଛି କି ? ଯଦି ହଁ, ତେବେ କିପରି ? ଯଦି ନାହିଁ ତେବେ କାହିଁକି ? (ଗ) ତୁମର ଘରେ ଦୈନିକ ଆବଶ୍ୟକତାର ପୂରଣ ନିମିତ୍ତ ପାଣିର ସଞ୍ଚୟ କେମିତି ଓ କେଉଁ ସବୁ ପାତ୍ରରେ କରାଯାଇଥାଏ ?

ସର୍ବସାଧାରଣଙ୍କ ସୁବିଧା ରୂପରେ ଜଳ

ତଳେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଧ୍ୟାନର ସହିତ ଦେଖ – [ଚିତ୍ର ବର୍ଣ୍ଣନା: ପାଣି ସଂକଟର ୫ଟି ଚିତ୍ର— (୧) ଟ୍ୟାପ୍ ଆଗରେ ଧାଡ଼ି ବାନ୍ଧି ଥିବା ଗରା-ବାଲ୍ଟି ଓ ଅପେକ୍ଷାରତ ଲୋକେ, (୨) 'पानी का टैंकर' ଲେଖାଥିବା ପାଣି ଟ୍ୟାଙ୍କରରୁ ଲୋକେ ପାଣି ନେଉଛନ୍ତି, (୩) ଗ୍ରାମୀଣ ପୋଖରୀ/ଜଳାଶୟରୁ ମାଠିଆରେ ପାଣି ଭରୁଥିବା ଲୋକେ, (୪) ଶୁଖିଲା ରାସ୍ତାରେ ମୁଣ୍ଡରେ ଓ କାନ୍ଧରେ ଭାର ବୋହି ପାଣି ଆଣୁଥିବା ମହିଳା ଓ ପୁରୁଷ, (୫) ଜଳ ଅଭାବ ଥିବା ଅଞ୍ଚଳକୁ ଯାଉଥିବା ଜଳବାହୀ ଟ୍ରେନ୍ (Water Train)।]

ଏହି ଚିତ୍ରଗୁଡ଼ିକୁ ଆଧାର କରି ଜଳାଭାବ ସ୍ଥିତି ବିଷୟରେ ନିଜର ସାଙ୍ଗମାନଙ୍କ ସହିତ ଆଲୋଚନା କର ଓ ଏହାର ବିବରଣୀ ଲେଖ ।


ପାଣିବିନା ସବୁ ଶୂନ

(କ) ଏହି ପାଠରେ ଭୂତଳ ଜଳସ୍ତର କମ୍ ହେବାର କିଛି କାରଣ ବିଷୟରେ କୁହାଯାଇଛି । ଯେମିତି ପୋଖରୀମାନଙ୍କରେ ଅଳିଆ ପକାଇ ପୋତି ଦେବା । ଭୂତଳ ଜଳସ୍ତର କମ୍ ହେବାର ଆଉ ସବୁ କ’ଣ କ’ଣ କାରଣ ହୋଇପାରେ ? ସେ ବିଷୟରେ ଅନୁସନ୍ଧାନ କର ଓ ଶ୍ରେଣୀରେ ଆଲୋଚନା କର । (ଏଥିପାଇଁ ତୁମେ ନିଜର ସହପାଠୀ, ଶିକ୍ଷକ ଓ ଘରର ସଦସ୍ୟମାନଙ୍କର ସହାୟତା ନେଇପାର ।) (ଖ) ଭୂତଳ ଜଳସ୍ତର କମିଯିବା ଫଳରେ ଆମକୁ ଏବେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ? (ଗ) ତୁମର ବିଦ୍ୟାଳୟ, ଗାଁ ବା ସହରର ସ୍ଥାନୀୟ ପ୍ରଶାସନଦ୍ୱାରା ଭୂତଳଜଳସ୍ତର ବୃଦ୍ଧି ନିମିତ୍ତ କେଉଁକେଉଁ ଉଦ୍ୟମ କରାଯାଉଅଛି, ତାହାକୁ ଲେଖ ।

[ଚିତ୍ର ବର୍ଣ୍ଣନା: ପାହାଡ଼ ଉପରୁ ପ୍ରାକୃତିକ ଝରଣା ବହି ଆସୁଛି ଏବଂ ପାଶ୍ୱର୍ସ୍ଥ ଗଛଲତା ଓ ବାସଗୃହ ଦୃଶ୍ୟମାନ।]

ଏକଥା ବି ଜାଣ

ବର୍ଷା ଜଳ ସଂଗ୍ରହ : ବର୍ଷାଜଳକୁ ସାଇତି ରଖି ବ୍ୟବହାର କରିବା ହେଉଛି ଜଳସଞ୍ଚୟର ଉତ୍ତମ ଉପାୟ । ଏହି ଧାରାକୁ “ବର୍ଷାଜଳ ସଂଗ୍ରହ” କୁହାଯାଏ । ବର୍ଷା ଜଳ ସଂଗ୍ରହର ମୂଳ ଉଦ୍ଦେଶ୍ୟ ହେଲା– “ଜଳ ଯେଉଁଠି ପଡ଼ୁଛି ସେଠାରେ ଏକାଠି କର।” ବର୍ଷା ଜଳ ସଂଗ୍ରହର ପ୍ରକ୍ରିୟା ଏହିପରି ଅଟେ ।

ଛାତ ଉପରେ ବର୍ଷାଜଳ ସଂଗ୍ରହ : ଏହି ପ୍ରଣାଳୀରେ ଘରମାନଙ୍କର ଛାତ ଉପରେ ଏକତ୍ର ହେଉଥିବା ବର୍ଷାଜଳକୁ ପାଇପ୍‌ଦ୍ୱାରା ଏକାଠି କରି ଟାଙ୍କିକୁ ପଠାଇ ଦିଆଯାଏ । ଏହି ଜଳରେ ଛାତ ଉପରେ ଥିବା ମାଟି, ଧୂଳିକଣା ମିଶିଯାଇଥାଏ । ଏଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହାକୁ ସ୍ୱଚ୍ଛ କରିବା ଆବଶ୍ୟକ ହୋଇଥାଏ ।

ତୁମେ ଘର ବା ବିଦ୍ୟାଳୟର ଆଖପାଖ, ପଡ଼ା ବା ଗାଁରେ ଖୋଜି ଦେଖ ଯେ ସେଠାରେ ବର୍ଷାଜଳ ସଂଗ୍ରହର କୌଣସି ଉପାୟ ଗ୍ରହଣ କରାଯାଇଛି ନା ନାହିଁ ? ଯଦି ହଁ, ତେବେ କେଉଁ ପ୍ରକାରର ଉପାୟ ଗ୍ରହଣ ହୋଇଛି ? ଯଦି ନାହିଁ, ତେବେ ନିଜର ଶିକ୍ଷକ, ପରିବାର ଲୋକଙ୍କ ସହାୟତାରେ ଏହି ବିଷୟରେ ଖବରକାଗଜର ସମ୍ପାଦକଙ୍କ ନିକଟକୁ ଏକ ପତ୍ର ଲେଖ ।

ତୁମପାଇଁ ପହଳି

ଜଳର ପ୍ରାକୃତିକ ସ୍ରୋତ ବର୍ଷା, ନଦୀ, ହ୍ରଦ ଓ ପୋଖରୀ । ପାଖରେ ଦିଆଯାଇଥିବା ସାରଣୀ ମଧ୍ୟରେ ଜଳ ଓ ପ୍ରାକୃତିକ ସ୍ରୋତଗୁଡ଼ିକର ସମାନାର୍ଥକ ଶବ୍ଦ ଖୋଜି ଲେଖ ।

ମେପା
ନୀଲୀ
ଅଂବୁନୀ
ରୋରିଲି
ତା
ବାପାତି
ବାରିପ୍ରବାହିନୀ
ରଂଗିଣୀ

ଆସ ଖୋଜିବା

ପାଣି ବିଷୟରେ ଲେଖାଯାଇଥିବା ଗୀତ କବିତାକୁ ସଂଗ୍ରହ କର ଓ ନିଜେ ଲେଖ । ଏଥିପାଇଁ ତୁମେ ନିଜର ପରିବାର ସଦସ୍ୟ, ଶିକ୍ଷକ ବା ପାଠାଗାର କିମ୍ବା ଇଣ୍ଟରନେଟ୍‌ର ସହାୟତା ନେଇପାର ।

ଝରକାରୁ

ତୁମେ ପୋଖରୀ ଓ ନଦୀମାନଙ୍କରୁ ଝରିଆସିଥିବା ପୃଥିବୀ ରୂପକ ସରାଘଡ଼ିରେ ଜମା ହୋଇଥିବା ପାଣି ବିଷୟରେ ଏକ ସୁନ୍ଦର ପ୍ରବନ୍ଧ ପଢ଼ିଲ । ଏବେ ତୁମେ ପୋଖରୀହୁଡ଼ା ତିଆରିର ଇତିହାସ ବିଷୟରେ ଅନୁପମ ମିଶ୍ରଙ୍କର ଗୋଟିଏ ଲେଖା “ହିଡ଼ କଡ଼ରେ ଥିବା ଇତିହାସ”ର ଅଂଶକୁ ପାଠ କର ।

ହିଡ଼ କଡ଼ରେ ଥିବା ଇତିହାସ

“ଭଲ କାମ କର” ଏକଥା ରାଜା କୂଡ଼ନ ନାମକ କୃଷକକୁ କହିଥିଲେ ।

କୂଡ଼ନ, ବୁଢ଼ାନ, ସରମନ ଓ କୌରାଇ ଆଦି ଚାରିଭାଇ ଥିଲେ । ସେମାନେ ସକାଳୁ ଶୀଘ୍ର ଉଠି ନିଜର ଜମିକୁ କାମ କରିବାକୁ ଯାଉଥିଲେ । ଦ୍ଵିପ୍ରହରକୁ କୂଡ଼ନର ଝିଅ ଗଣ୍ଠିଲିରେ ଖାଇବା ନେଇ ଆସେ ।

ଦିନେ ଘରୁ ଜମିକୁ ଗଲାବେଳେ ଝିଅକୁ ଗୋଟିଏ ମୁନିଆ ପଥରର ଆଘାତ ଲାଗିଗଲା । ତାକୁ ବହୁତ ରାଗ ଲାଗିଲା । ସେ ନିଜର ଦାଆରେ ସେହି ପଥରକୁ ଖୋଳିବାକୁ ଉଦ୍ୟମ କଲା । ହେଲେ ଏ କ'ଣ ? ତା’ର ଦାଆଟା ପଥର ଦେହରେ ବାଜିବା ମାତ୍ରେ ଲୁହାରୁ ସୁନା ପାଲଟିଗଲା । ଏହି କଥାଟା ବିଜୁଳି ବେଗରେ ଖେଳିଗଲା । ପଥରଟାକୁ ଧରି ଝିଅଟି ଧାଇଁଧାଇଁ ଜମିଆଡ଼କୁ ଆସୁଥାଏ । ସେ ନିଜର ବାପା ଓ ଦାଦାମାନଙ୍କୁ ସବୁକଥା ଏକାନିଃଶ୍ୱାସରେ କହିଦେଲା । ସେ କଥା ଶୁଣି ଚାରିଭାଇ ଅଣନିଃଶ୍ୱାସୀ ହୋଇଯାଉଥାନ୍ତି । ସମସ୍ତେ ଖୁବ୍ ଶୀଘ୍ର ଘରକୁ ଫେରିଲେ । ସେମାନେ ଜାଣି ପାରିଲେ ଯେ ତାଙ୍କ ହାତରେ ଥିବା ପଥର ସାଧାରଣ ପଥର ନୁହେଁ, ତାହା ଥିଲା ଏକ ପରଶମଣି । ସେହି ପରଶମଣି ଲୁହାକୁ ଛୁଇଁବା କ୍ଷଣି ତାହା ସୁନାରେ ପରିଣତ କରି କ୍ଷଣକ ମଧ୍ୟରେ ଆଖି ଝଲସାଇ ଦେଲା । ହେଲେ ଏହି ଚମକ ବେଶି ସମୟ ଯାଏ ସ୍ଥାୟୀ ହୋଇ ରହିପାରିଲା ନାହିଁ । କୂଡ଼ନ ଭାବିଲା ସକାଳ ଭିତରେ ଏକଥା ରାଜାଙ୍କ ପାଖରେ ପହଞ୍ଚିଯିବ ଆଉ ସେ ପରଶମଣି ତା’ଠାରୁ ଛଡ଼ାଇ ନେବେ । ତେଣୁ ସେ ନିଜେ ଯାଇ ଏକଥା ରାଜାଙ୍କୁ ଜଣାଇ ଦେଲେ ଭଲ ହେବ ।

କାହାଣୀ ଆଗକୁ ବଢୁଛି । ତା’ପରେ ଯାହା କିଛି ଘଟଣା ହେଉଛି, ତାହା ଲୁହାକୁ ନୁହେଁ, ବରଂ ସମାଜକୁ ପରଶମଣି ସହିତ ଛୁଆଁଇବାର କାହାଣୀ ହୋଇଯାଇଛି । ରାଜା ପରଶମଣି କିମ୍ବା ସୁନା କିଛି ହେଲେ ନେଲେ ନାହିଁ । ସେସବୁକୁ କୂଡ଼ନକୁ ଫେରାଇ ଦେଇ କହିଲେ, “ଯାଅ ଏଥିରେ ଭଲ ଭଲ କାମ କରିଯିବ, ପୋଖରୀ ତିଆରି କରିବ ।”

ଏହି କାହାଣୀ ସତ୍ୟ ଅଟେ, ଐତିହାସିକ ଅଟେ ଜଣା ନାହିଁ । ହେଲେ ଦେଶର ମଧ୍ୟଭାଗରେ ବହୁତ ବଡ଼ ଅଂଶରେ ଏହା ଇତିହାସକୁ ଆଙ୍ଗୁଠି ଦେଖାଇ ଲୋକମାନଙ୍କ ମନରେ ବସାବାନ୍ଧି ରହିଛି । ଏଠାକାର ପାଟନ ନାମକ ସ୍ଥାନରେ ଚାରିଟି ବହୁତ ବଡ଼ ପୋଖରୀ ଆଜି ମଧ୍ୟ ଦେଖିବାକୁ ମିଳେ । ଏହି କାହାଣୀକୁ ଇତିହାସର କଷଟିରେ କଷୁଥିବା ଲୋକମାନଙ୍କୁ ଲଜ୍ଜା ଦେଇଥାଏ । ଚାରିଟି ପୋଖରୀ ଏହି ଚାରିଜଣ ଭାଇଙ୍କର ନାମରେ ଅଛି । ବୁଢ଼ା ସାଗର, ମଝିଗଣ୍ଡ଼ାରେ ସରମନ ସାଗର, କୁଆଁ ଗ୍ରାମରେ କୌରାଇ ସାଗର ଓ କୁଣ୍ଡମ ଗାଁରେ କୁଣ୍ଡମ ସାଗର ।

[ଚିତ୍ର ବର୍ଣ୍ଣନା: ଏକ ବିଶାଳ ପ୍ରାଚୀନ ପୋଖରୀ, ପାହାଚ ଯୁକ୍ତ ଘାଟ, ମନ୍ଦିର/ମଣ୍ଡପ ଏବଂ ଚତୁଃପାର୍ଶ୍ୱରେ ଥିବା ବୃକ୍ଷରାଜି (ସରମନ ସାଗର ଦୃଶ୍ୟ)।]

୧୯୦୭ ମସିହାରେ ଗେଜେଟିୟର ମାଧ୍ୟମରେ ଏହି ଦେଶର ଇତିହାସ ଲେଖିବା ନିମିତ୍ତ ଘୂରି ବୁଲୁଥିବା ଜଣେ ଇଂରେଜ ମଧ୍ୟ ଏହି ଅଞ୍ଚଳରେ କିଛି ଲୋକଙ୍କଠାରୁ ଏହି କାହାଣୀ ଶୁଣିଥିଲେ । ଆଉ ଏହି ଚାରିଗୋଟି ବଡ଼ ପୋଖରୀକୁ ଦେଖିଥିଲେ ଓ ପରୀକ୍ଷା କରିଥିଲେ । ସେତେବେଳେ ମଧ୍ୟ ସରମନ ସାଗର ଏତେବଡ଼ ଥିଲା ଯେ ଏହାର କୂଳରେ ବଡ଼ ବଡ଼ ଗାଁ ଗଢ଼ି ଉଠିଥିଲା । ଆଉ ତିନୋଟି ଗାଁ ଏହି ପୋଖରୀକୁ ନିଜ ନିଜର ନାମରେ ବାଣ୍ଟି ନେଇଥିଲେ । ମାତ୍ର ସେହି ବିଶାଳ ପୋଖରୀ ତିନିଗୋଟି ଗାଁକୁ ଯୋଡ଼ୁଥିଲା ଏବଂ ସରମନସାଗର ଭଳି ସ୍ମରଣ କରାଯାଉଥିଲା । ଇତିହାସ ସରମନ, ବୁଢ଼ାନ, କୌରାଇ ଓ କୂଡ଼ନଙ୍କୁ ମନେରଖି ନାହିଁ । ମାତ୍ର ଏହି ଲୋକମାନେ ପୋଖରୀ ତିଆରି କଲେ ଏବଂ ଇତିହାସକୁ ତା’ର କୂଳରେ ରଖି ଦେଇଥିଲେ ।

ଦେଶର ମଧ୍ୟଭାଗରେ ଠିକ୍ ହୃଦୟକୁ ଥରାଉଥିବା ଏହି କାହାଣୀ ଉତ୍ତର–ଦକ୍ଷିଣ, ପୂର୍ବ–ପଶ୍ଚିମ ଚାରିଆଡ଼କୁ କୌଣସି ନା କୌଣସି ରୂପରେ ବ୍ୟାପିଯାଇ ମିଳିଥାଏ ଓ ଏଥିସହିତ ହଜାରହଜାର ସଂଖ୍ୟାରେ ପୋଖରୀ ମିଳିଥାଏ । ଏହାର କୌଣସି ଠିକ୍ ଗଣତି ନାହିଁ । ଏହି ଅଗଣତି ପୋଖରୀକୁ ଗଣିବାବାଲା ନାହାନ୍ତି । ଏହାକୁ କିନ୍ତୁ ତିଆରି କରିବା ଲୋକେ ଆସୁଛନ୍ତି ଓ ପୋଖରୀ ତିଆରି କରୁଛନ୍ତି ।

କୌଣସି ପୋଖରୀକୁ ରାଜା ତିଆରି କରିଛନ୍ତି ତ କାହାକୁ ରାଣୀ କରିଛନ୍ତି । କାହାକୁ ସାଧାରଣ ଗୃହସ୍ଥ କରିଛନ୍ତି ତ କାହାକୁ କୌଣସି ଅସାଧାରଣ ସାଧୁସନ୍ଥ କରିଛନ୍ତି । ଯିଏ କେହି ବି ପୋଖରୀ ତିଆରି କରିଛନ୍ତି, ତାଙ୍କୁ ମହାରାଜ ବା ମହାତ୍ମା ହିଁ କହିଛନ୍ତି । ଏକ କୃତଜ୍ଞ ସମାଜ ପୋଖରୀ ନିର୍ମାଣକୁ ଅମର କରିଥିଲା ଓ ଲୋକମାନେ ମଧ୍ୟ ପୋଖରୀ ତିଆରି କରି ସମାଜ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ ।

ବିଚାର ଆଲୋଚନା

‘ପାଣିରେ ପାଣି’ ଓ ‘ହିଡ଼ ପାଖରେ ଥିବା ଇତିହାସ’ରେ ତୁମ୍ଭମାନଙ୍କୁ କେଉଁକେଉଁ କଥା ଏକାପରି ଲାଗୁଛି ? ସେହି ବିଷୟରେ ନିଜର ସହପାଠୀଙ୍କ ସହିତ ଆଲୋଚନା କର ।