ବାଳବୁଦ୍ଧ

ରାଧାମୋହନ ଗଡ଼ନାୟକ

[ଚିତ୍ର ବର୍ଣ୍ଣନା: ଗୌତମ ବୁଦ୍ଧ ବୃକ୍ଷତଳେ ପଦ୍ମାସନରେ ବସି ଧ୍ୟାନମଗ୍ନ ଅବସ୍ଥାରେ ଅଛନ୍ତି ।]

ରାଜ ଉପବନ ହସି ଉଠୁଥିଲା ସୂର୍ଯ୍ୟ - ଆଲୋକ ହାସେ,

ରୋହିଣୀ ତଟିନୀ ବହି ଯାଉଥିଲା ଅସ୍ଫୁଟ କଳଭାଷେ ।

ପ୍ରକୃତିର ସେ ନିର୍ଜନ କୋଳେ ଧୂଆନୀ ତାପସ ସମ,

ଚୂତତରୁ ତଳେ ନୀରବ ମଉନେ ବସିଥିଲେ ଗଉତମ ।

ନୟନର ଆଗେ ପଡ଼ିଗଲା ଆସି ଆହତ ହଂସଟିଏ,

ଧୂଆନ ଭାଙ୍ଗି ଭାଳିଲେ କୁମାର “କିଏ ରେ ଦାରୁଣ କିଏ ?”

ହଂସଟି କରେ ତୋଳି ନେଇ ଖରେ ଟାଣି ଦେଲେ ଦେହୁଁ ଶର,

ଉତ୍ତରୀୟରେ ଲହୁ ପୋଛିଦେଇ ପିଆଇଲେ ଝର ଜଳ ।

‘ଆହା’ ରେ, ଆହା ରେ’ ଅତି ଆଦରରେ ଆଉଁଶିଲେ ଧୀର ହାତେ,

ମୌନ ନୟନେ ପଚାରିଲେ କିବା କାତର ଦୃଷ୍ଟିପାତେ ।

ଅବୋଧ ମରାଳ ଅନାଇଲା ତହୁଁ ନିମୀଳିତ ଆଖି ଫେଇ,

ପ୍ରୀତିର ପରଶ ପୀୟୂଷ – ସରସ ପ୍ରାଣ ଉଠେ ତହିଁ ଚେଇଁ ।

ଧନୁଶର କରେ ସହସା ଆଗରେ ମିଳି ଯାଇ ଦେବଦତ୍ତ,

ଭାଷିଲେ ଅଧୀର ଉଲ୍ଲାସ - ବାଣୀ ବିଜୟ – ଗରବେ ମତ୍ତ ।

“ଏତେ ଦିନେ ଜାଣି ପୂର୍ଣ୍ଣ ହୋଇଚି ପ୍ରାଣର ବାସନା ମମ,

ସଫଳ ହୋଇଚି ଲକ୍ଷ୍ୟ ମୋହର ଜୀବନର ପ୍ରିୟତମ ।

ଚଳତାରା ପରି ଉଡ଼ି ଯାଉଥିଲେ ଧବଳ ହଂସଦଳ,

ମାରି ଦେଲି ଶର ଏଇ ହଂସଟି ଲଭିଲା ଧରଣୀତଳ ।

[ଚିତ୍ର ବର୍ଣ୍ଣନା: କୁମାର ଗୌତମ ଭୂମିରେ ବସି ଆହତ ହଂସ ଶରୀରରୁ ଶର କାଢ଼ି ତାର ସେବା କରୁଛନ୍ତି ।]


[ଚିତ୍ର ବର୍ଣ୍ଣନା: ହାତରେ ଧନୁ ଧରି ଦେବଦତ୍ତ କ୍ରୋଧିତ ହୋଇ ଛିଡ଼ା ହୋଇଛନ୍ତି ଏବଂ ଗୌତମ କୋଳରେ ହଂସକୁ ଧରି ବସିଛନ୍ତି ।]

ଦିଅ ଏବେ ଭାଇ, ହଂସ ମୋହର ଚାଲ ଏବେ, ଯିବା ଚାଲ,

ନିର୍ଜନ ଏଇ ଉଦ୍ୟାନେ ବସି କାହିଁକି କାଟୁଚ କାଳ ?”

କୁମାର ବୋଇଲେ ବିନୟ ବଚନେ “ଆହା, କେଡ଼େ କୁତୂହଳେ

ପକ୍ଷ ମେଲି ଏ ଉଡ଼ି ଯାଉଥିଲା ମୁକ୍ତ ଗଗନ ତଳେ —

ନିରୀହ ପକ୍ଷୀ କି ଅବା ତୁମର କରିଥିଲା ଅପରାଧ ?

ଜାଣୁଜାଣୁ ତୁମେ କାହିଁ ପାଇଁ ଭଲା ସାଧିଲ ତାହାର ବାଦ ?”

“ଉତ୍ତର ତା’ର ଦେବାକୁ ଏଲାଗେ ନାହିଁ ମୋର ଅବସର,

ଶର ନିକ୍ଷେପି ଏଇ ହଂସ ମୁଁ ପକାଇଚି ଭୂମିତଳ ।

ଏକା ବସି ଯୁକ୍ତି ତୁମର ବାଢ଼ୁଥାଅ ନିଜ ମତେ,

ଚଞ୍ଚଳ ଦିଅ ହଂସଟି ମୋର ମୁଁ ଯାଏ ମୋହର ପଥେ ।”

କୁମାର ବୋଇଲେ, “ଯୁକ୍ତି ମୁହିଁ ତ କରୁ ନାହିଁ ତୁମ ସାଥେ,

ଆହତ ଜୀବଟି ଦେଇ ପାରିବିନି ଆଉ ମୁଁ ତୁମର ହାତେ ।

ପ୍ରାଣଟି ତାହାର ନେଉଥିଲ ତୁମେ ମୁଁ ରଖୁଚି ତା’ର ପ୍ରାଣ,

ହଂସ ତୁମର ନୁହଇ କଦାପି ହଂସ ଏ ମୋର ଜାଣ ।”

“ଯୁବରାଜ ତୁମେ, ଆଚ୍ଛା କହୁଚି,” କହି ତହୁଁ ଦେବଦତ୍ତ,

ରାଜଦରବାରେ ଜଣାଇଲା ଖରେ ହୋଇ ଅତି ରୋଷବନ୍ତ ।

ଭୂପତି ଅଚିରେ ଡକାଇ ବୋଇଲେ “ସେ ତ ମାରିଥିଲା ଶର,

ହଂସ ତାହାର ଦେଇ ଦିଅ ଏବେ କନ୍ଦଳ କିଆଁ କର ?”

“କନ୍ଦଳ ମୁଁ ତ କରୁନାହିଁ ତାତ, ହଂସ କିପରି ତା’ର ?

ମାରିଥିଲା ଯିଏ ଅଧିକାରୀ ସିଏ, ଏଇ ହେଲା ସୁବିଚାର !

ଦେଖିଲ ଏ ମୋର ଉତ୍ତରୀୟରେ ଲାଗିଅଛି କେତେ ଲହୁ,

ନିରପରାଧ ଏ ଜୀବଟି ସହିତ ମୃତ୍ୟୁ – ଯାତନା ବହୁ ।”

“ଏତେ ବିଚଳିତ ହେଉଅଛ ତୁମେ ଏତିକି ରକତ – ପାତେ,

ଏତେ ଅସ୍ଥିର ହେଉଅଛି ପୁଣି ପକ୍ଷୀଟିର ଏ ଘାତେ ।


[ଚିତ୍ର ବର୍ଣ୍ଣନା: ଗୌତମ କୋଳରେ ଆହତ ହଂସକୁ ଧରି ବସିଛନ୍ତି ଏବଂ ଦେବଦତ୍ତ କାନ୍ଧରେ ତୂଣୀର ଓ ହାତରେ ଧନୁ ଧରି ତାଙ୍କ ସମ୍ମୁଖକୁ ଦୌଡ଼ି ଆସୁଛନ୍ତି ।]

“ହିଂସାବାଦର ରାଜ୍ୟ ମୁହିଁ ତ ହେବି ନାହିଁ ନରପତି,

ମୁଁ ଏକ ନୂତନ ରାଜ୍ୟ ଗଢ଼ିବି ମହୀରେ ଅତୁଳ ଅତି ।

ନ ରହିବ ତହିଁ ହିଂସା - ସମର ହତ୍ୟା - ରକତ - ପାତ,

ମୈତ୍ରୀ - ପ୍ରୀତିରେ ଶାନ୍ତି - ବୀଥିରେ ପ୍ରଜା ହେବେ ଆତଯାତ ।”

କହ ଯୁବରାଜ କିପରି ଚଳିବ ମର ଏ ମର୍ତ୍ତ୍ୟ ଭୂମେ,

ଶାକ୍ୟ ଭୂମିରେ କେଉଁପରି ଅବା ରାଜ୍ୟ ପାଳିବ ତୁମେ ?”

ରାଜ୍ୟ ଶାସନେ କେତେ ଯେ ଦ୍ବନ୍ଦ୍ବ କେତେ ଯେ ଯୁଦ୍ଧଘଟା,

ଭଲମନ୍ଦର ଭେଦ ଅଭେଦର କେତେ ଯେ ଜୁଆରଭଟ୍ଟା !

ଅତି ସାଧାରଣ ଚିତ୍ର ଏ ଦେଖୁ ଅଥୟ ହେଉଚ ଖାଲି,

କେଉଁପରି ଅବା ନରପାଳ ହୋଇ ରାଜ୍ୟ ପାଳିବ କାଲି ?”

[ଚିତ୍ର ବର୍ଣ୍ଣନା: ଗୌତମ ଦୁଇ ହାତରେ ହଂସଟିକୁ ଧରି ଉଡ଼ାଇ ଦେଉଛନ୍ତି ଏବଂ ଦେବଦତ୍ତ ପାଖରେ ଛିଡ଼ା ହୋଇ ଚାହିଁ ରହିଛନ୍ତି ।]

ମନ୍ତ୍ରୀମୁଖକୁ ଚାହିଁଲେ ନୃପତି ପୁତ୍ରମୁଖକୁ ଥରେ,

ପୁତ୍ର ରଭସେ ହଂସଟି ତହୁଁ ଛାଡ଼ିଦେଲେ ଅମ୍ବରେ ।

“ହଂସ ନୁହଇ ଦେବଦତ୍ତର ହଂସ ନୁହଇ ମୋର,

ନୀଳ ଆକାଶର ମୁକ୍ତଚାରୀ ଏ ଲଭୁ ସେ ଆକାଶକୋଳ ।”

[ଚିତ୍ର ବର୍ଣ୍ଣନା: ପଦ୍ମାସନରେ ଧ୍ୟାନମଗ୍ନ ବୁଦ୍ଧ, ତାଙ୍କ ମସ୍ତକ ପଛରେ ପ୍ରଭାମଣ୍ଡଳ ବିଦ୍ୟମାନ ଏବଂ ପଛଭୂମିରେ ପ୍ରକୃତିର ଶାନ୍ତ ପରିବେଶ ।]


କବି ପରିଚୟ

[ଚିତ୍ର ବର୍ଣ୍ଣନା: କବି ରାଧାମୋହନ ଗଡ଼ନାୟକଙ୍କ ଫଟୋଚିତ୍ର (୧୯୧୧-୨୦୦୦)]

କବି ରାଧାମୋହନ ଗଡ଼ନାୟକ ଅନୁଗୁଳ ଜିଲ୍ଲାର କଲଣ୍ଡାପାଳ ଗ୍ରାମରେ ଜନ୍ମ । ଆଧୁନିକ ଓଡ଼ିଆ କାବ୍ୟ – ସାହିତ୍ୟରେ ଜଣେ ଶ୍ରେଷ୍ଠ ଛନ୍ଦକବି ଭାବରେ ସୁପରିଚିତ । ତାଙ୍କ ରଚନା ମଧ୍ୟରେ ‘କୈଶୋରିକା’, ‘ପଶୁପକ୍ଷୀର କାବ୍ୟ’, ‘ଉତ୍କଳିକା’, ‘ଶାମୁକାର ସ୍ୱପ୍ନ’ ଆଦି ପ୍ରଧାନ । ‘ସୂର୍ଯ୍ୟ ଓ ଅନ୍ଧକାର’ କାବ୍ୟ ଗ୍ରନ୍ଥପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ପାଠରୁ

ଆସ, ବର୍ତ୍ତମାନ ଆମେ ନିମ୍ନରେ ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ମିଳିମିଶି କରିବା ।

ମୁଁ ଯାହା ବୁଝିଲି

(କ) ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ଠିକ୍ ଉତ୍ତର ପାଖରେ ତାରା ( * ) ଚିହ୍ନ ଦିଅ ।

୧ । ବାଳବୁଦ୍ଧ କବିତାଟିରେ କେଉଁ ସିଦ୍ଧସାଧକଙ୍କ ବିଷୟରେ କୁହାଯାଇଛି ?

(କ) ଅଶୋକ

(ଖ) ଗୌତମବୁଦ୍ଧ

(ଗ) ମହାବୀର ଜୈନ

(ଘ) ବାଲ୍ମୀକି

୨ । କବିତାରେ ଆହତ ପକ୍ଷୀର କାହାଣୀକୁ କେଉଁ ଉଦ୍ଦେଶ୍ୟରେ ନିଆଯାଇଛି ?

(କ) ନିର୍ଦ୍ଦୋଷ ପକ୍ଷୀ ପ୍ରତି ଶିକାରୀର କ୍ରୂର ଭାବକୁ ସୂଚାଇବା ।

(ଖ) କରୁଣା ଓ ହିଂସା ମଧ୍ଯରେ ସଂଘର୍ଷ ଦର୍ଶାଇବା ।

(ଗ) ମିତ୍ରତା ଓ ନିଷ୍ଠାର ମହତ୍‌ଭାବନା ଜାଗ୍ରତ କରାଇବା ।

(ଘ) ଶିକାରୀର ସ୍ଥିର ଦୃଷ୍ଟି କଥା ଦର୍ଶାଇବା ।

ଆସ ମେଳ କରିବା

ନିମ୍ନରେ ‘କ’ ସ୍ତମ୍ଭରେ ବ୍ୟକ୍ତିବିଶେଷଙ୍କର ନାମ ଦିଆଯାଇଛି । ‘ଖ’ ସ୍ତମ୍ଭରେ ସେମାନଙ୍କର ଉକ୍ତି ରହିଛି । ଆସ ‘କ’ ସ୍ତମ୍ଭକୁ ‘ଖ’ ସ୍ତମ୍ଭ ସହିତ ମିଳାଇବା ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
କୁମାରହଂସଟି ତହୁଁ ଛାଡ଼ିଦେଲେ ଅମ୍ବରେ
ଦେବଦତ୍ତକେଉଁପରି ଅବା ରାଜ୍ୟପାଳିବ ତୁମେ
ଶୁଦ୍ଧୋଦନକିଏରେ ଦାରୁଣ କିଏ
ନୃପତିସଫଳ ହୋଇଛି ଲକ୍ଷ୍ୟ ମୋହର

ପଦ୍ୟାଂଶ ଆଲୋଚନା

ପଦ୍ୟାଂଶଗୁଡ଼ିକୁ ଆଲୋଚନା କରି ସରଳଭାଷାରେ ବୁଝାଇ ଲେଖ ।

(କ) ଅବୋଧ ମରାଳ ଅନାଇଲା ତହୁଁ ନିମୀଳିତ ଆଖୁ ଫେଇ, ପ୍ରୀତିର ପରଶ ପୀୟୂଷ – ସରସ ପ୍ରାଣ ଉଠେ ତହିଁ ଚେଇଁ ।

(ଖ) ଦିଅ ଏବେ ଭାଇ, ହଂସ ମୋହର ଚାଲ ଏବେ, ଯିବା ଚାଲ, ନିର୍ଜନ ଏଇ ଉଦ୍ୟାନେ ବସି କାହିଁକି କାଟୁଛ କାଳ ?

(ଗ) ନ ରହିବ ତହିଁ ହିଂସା – ସମର ହତ୍ୟା - ରକତ - ପାତ, ମୈତ୍ରୀ - ପ୍ରୀତିରେ ଶାନ୍ତି – ବୀଥିରେ ପ୍ରଜା ହେବେ ଆତଯାତ ।


[ଚିତ୍ର ବର୍ଣ୍ଣନା: ଜଣେ ବୃଦ୍ଧା ମହିଳା ଦୁଇଟି ଛୋଟ ପିଲାଙ୍କ ସହ ବସି କଥାବାର୍ତ୍ତା କରୁଛନ୍ତି ।]

ବୁଝି ବିଚାରି କରିବା ପାଇଁ

କବିତାକୁ ପୁଣି ଥରେ ପଢ଼, ବୁଝି ବିଚାରି ଲେଖ –

(କ) ତୁମ ବିଚାରରେ କବିତାର କେଉଁ ପଦଟି ମହତ୍ତ୍ୱପୂର୍ଣ୍ଣ ଓ କାହିଁକି ଲେଖ ?

(ଖ) ପରିଶେଷରେ ହଂସଟି କାହାର ବୋଲି ପ୍ରମାଣିତ ହେଲା ; ସେହି ପଦ୍ୟାଂଶଟି ଲେଖ ?

(ଗ) ରାଜା ପୁତ୍ର ଗୌତମଙ୍କୁ ଅଥୟ ହେବାର କାରଣ ପଚାରିଲେ କାହିଁକି ?

(ଘ) ଯଦି ତୁମେ ବଗିଚାରେ ଥାଆନ୍ତ ; ତେବେ ଆହତ ହଂସକୁ ସହାୟତା କରିବା ପାଇଁ କଣ କରିଥାଆନ୍ତ ?

(ଙ) କବିତାରେ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ କ’ଣ ସବୁ ସୂଚନା ମିଳେ ? ସୂଚନା-କବିତାଟି ପଢ଼। ତୁମ ମନରେ ଦୁଇଭାଇଙ୍କ ବିଷୟରେ ଯେଉଁ ଭାବନା ସୃଷ୍ଟି ହେଉଛି ତାହା ଲେଖ।

ଅନୁମାନ ଓ କଳ୍ପନା

ସାଙ୍ଗମାନଙ୍କ ସହିତ ମିଶି ଆଲୋଚନା କର -

(କ) ବଗିଚାରେ ବାଳକବୁଦ୍ଧ ଆହତ ହଂସଟିର ଉଦ୍ଧାର କରିନଥିଲେ କ’ଣ ହୋଇଥାଆନ୍ତା ?

(ଖ) ଶରମରା ହଂସଟିକୁ ଦେଖି ତୁମେ ଶିକାରୀକୁ କ’ଣ କହିଥାଆନ୍ତ ?

(ଗ) ନିମ୍ନ ଚରିତ୍ରଗୁଡ଼ିକରୁ ତୁମେ କେଉଁଟି ହେବାକୁ ପସନ୍ଦ କରିବ ଓ କାହିଁକି ?

  • ପକ୍ଷୀ ଉଦ୍ଧାରକାରୀ ବ୍ୟକ୍ତି

  • ତୀର ଚଳାଉଥିବା ବ୍ୟକ୍ତି

  • ପକ୍ଷୀ

  • ଭୂପତି

ଶବ୍ଦ ସହିତ ଶବ୍ଦ ମିଶାଇବା

ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।

  • ପୀରତି -

  • ଧୂଆନ -

  • ମଉନ -

  • ପରଶ -

  • ପରାଣ -

  • ଗରବ -


[ଚିତ୍ର ବର୍ଣ୍ଣନା: ଜଣେ ବୟସ୍କ ବ୍ୟକ୍ତି ଶୀତ ବସ୍ତ୍ର ଆବୃତ ହୋଇ ଦୁଇଟି ଶିଶୁଙ୍କୁ କାହାଣୀ କହୁଛନ୍ତି ।]

ସ୍ତମ୍ଭ ମିଳନ

‘କ’ ସ୍ତମ୍ଭର ଯେଉଁ ପଦ୍ୟାଂଶ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଅଛି, ତାକୁ ଗାର ଟାଣି ଯୋଡ଼ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
୧. ରୋହିଣୀ ତଟିନୀ ବହିଯାଉଥିଲାବସିଥିଲେ ଗଉତମ
୨. ଚୂତ ତରୁ ତଳେ ନୀରବ ମଉନେପିଆଇଲେ ଝରଜଳ
୩. ଧୂଆନ ଭାଙ୍ଗି ଭାଳିଲେ କୁମାରହଂସ ଏ ମୋର ଜାଣ
୪. ଉତ୍ତରୀୟରେ ଲହୁ ପୋଛିଦେଇଅସ୍ଫୁଟ କଳଭାଷେ
୫. ହଂସ ତୁମର ନୁହଇ କଦାପି“କିଏରେ ଦାରୁଣ କିଏ ?”

କବିତା ରଚନା

ପ୍ରକୃତିର ସେ ନିର୍ଜନ କୋଳେ ଧୂଆନୀ ତାପସ ସମ,

ଚୂତତରୁ ତଳେ ନୀରବ ମଉନେ ବସିଥିଲେ ଗଉତମ ।

ଏହି ପଦ୍ୟାଂଶକୁ ଦେଖ । ଏହିପରି ସମ୍ପୂର୍ଣ୍ଣ କବିତାରେ ଅନେକ ସ୍ଥାନରେ ସମତାନ ବିଶିଷ୍ଟ ଶବ୍ଦ ଯଥା ସମ – ତମ ପରି ଆଉ କେତେକ ଶବ୍ଦ ରହିଛି । ସେହି ସମତାନ ବିଶିଷ୍ଟ ଶବ୍ଦମାନଙ୍କୁ ବାଛି ଲେଖ ।

ଧ୍ୟାନ ଦେଲେ ଜାଣିପାରିବା ଯେପରି ଦୁଇ ଭାଇଙ୍କ ମଧ୍ୟରେ କଥାବାର୍ତ୍ତାକୁ କଥୋପକଥନ ଶୈଳୀ କୁହାଯାଏ । ସେହିପରି ପ୍ରକୃତିର ବିଭିନ୍ନ ଦୃଶ୍ୟ ବର୍ଣ୍ଣନାକୁ ବର୍ଣ୍ଣନାତ୍ମକ ଶୈଳୀ ବୋଲି କହିବା । ଆସ, ସାଙ୍ଗମାନଙ୍କ ସହିତ ଆଲୋଚନା କରି ଉପରଲିଖିତ ଦୁଇଟି ଶୈଳୀକୁ ପଦ୍ୟରୁ ବାଛିବା ।

(କ) ଏହି କବିତାକୁ ପୁଣି ଥରେ ପଢ଼ ଓ ନିଜ ସାଙ୍ଗସାଥୀଙ୍କ ସହିତ ମିଶି ପଦ୍ୟାଂଶଗୁଡ଼ିକର ବିଶେଷତ୍ଵର ସୂଚୀପତ୍ର ତିଆରି କରି ନିଜ ଶ୍ରେଣୀରେ ଉପସ୍ଥାପନ କର ।


[ଚିତ୍ର ବର୍ଣ୍ଣନା: ଆକାଶରେ ଚାରୋଟି ଧଳା ହଂସ ମୁକ୍ତ ଭାବରେ ଉଡୁଛନ୍ତି ।]

(ଖ) ନିମ୍ନରେ ଏହି କବିତାରୁ କିଛି ପଦ୍ୟାଂଶ ଦିଆଯାଇଛି ଓ ବିଶେଷତ୍ଵ ଥିବା ପଦଗୁଡ଼ିକର ସ୍ତମ୍ଭ ମଧ୍ୟ କରାଯାଇଛି । ତୁମେ ସେ ସ୍ତମ୍ଭ ଦୁଇଟିର ମିଳନ କରାଅ ।

କବିତାର କ୍ରମ:

୧. କୁମାର ବୋଇଲେ ବିନୟ ବଚନେ “ଆହା, କେଡ଼େ କୁତୂହଳେ

୨. ପ୍ରୀତିର ପରଶ ପୀୟୂଷ – ସରସ ପ୍ରାଣ ଉଠେ ତହିଁ ଚେଇଁ ।

୩. ରାଜ ଉପବନ ହସି ଉଠୁଥିଲା ସୂର୍ଯ୍ୟ—ଆଲୋକ ହାସେ,

୪. ଜାଣୁ ଜାଣୁ ତୁମେ କାହିଁ ପାଇଁ ଭଲା ସାଧିଲ ତାହାର ବାଦ ?

୫. ପ୍ରାଣଟି ତାହାର ନେଉଥିଲ ତୁମେ ମୁଁ ରଖୁଚି ତା’ର ପ୍ରାଣ ହଂସ ତୁମର ନୁହଇ କଦାପି ହଂସ ଏ ମୋର ଜାଣ ।

୬. ନିର୍ଜନ ଏଇ ଉଦ୍ୟାନେ ବସି କାହିଁକି କାଟୁଚ କାଳ ?

କବିତାର ବିଶେଷତ୍ୱ:

୧. ପଦଗୁଡ଼ିକର ଶେଷ ଶବ୍ଦର ଧ୍ୱନି ସମାନ ଅଛି/ ସମତାନ ଶବ୍ଦ ।

୨. ପ୍ରକୃତିର ବର୍ଣ୍ଣନା କରାଯାଇଛି ।

୩. କଥୋପକଥନ ଦିଆଯାଇଛି ।

ରୂପ ପରିବର୍ତ୍ତନ

ନିରୀହ ପକ୍ଷୀ କି ଅବା ତୁମର କରିଥିଲା ଅପରାଧ ?

ଜାଣୁ ଜାଣୁ ତୁମେ କାହିଁ ପାଇଁ ଭଲା ସାଧିଲ ତାହାର ବାଦ ?

କବିତାର ଏହି ପଦଗୁଡ଼ିକର ରୂପ ବଦଳାଇ ନିମ୍ନ ପ୍ରକାରରେ ଲେଖାଯାଇପାରେ –

ସରଳ ପକ୍ଷୀଟି ତୁମର କି ଅପରାଧ କରିଥିଲା ଯେ ତୁମେ ତାକୁ ହତ୍ୟା କରିବାକୁ ପଛାଇଲ ନାହିଁ ?

ଏବେ ତୁମେ ମଧ୍ୟ ପଦ୍ୟରୁ ଯେ କୌଣସି ଏକ ପଦ ନେଇ ଅନୁଚ୍ଛେଦ ରୂପରେ ଲେଖ ।


[ଚିତ୍ର ବର୍ଣ୍ଣନା: ଜଣେ ମହିଳା ଜଣେ କନ୍ୟା ସନ୍ତାନକୁ ଧରି ସ୍ନେହରେ ବୁଲାଉଛନ୍ତି ।]

କବିତାରେ ବିରାମ ଚିହ୍ନ

କବିତାକୁ ପଢ଼ି ଉପଯୁକ୍ତ ସ୍ଥାନରେ ବିରାମ ଚିହ୍ନ ଦିଅ -

(କ) ନୟନର ଆଗେ ପଡ଼ିଗଲା ଆସି ଆହତ ହଂସଟିଏ ଧୂଆନ ଭାଙ୍ଗି ଭାଳିଲେ କୁମାର କିଏରେ ଦାରୁଣ କିଏ

(ଖ) ଏତେ ବିଚଳିତ ହେଉଅଛ ତୁମେ ଏତିକି ରକତ ପାତେ ଏତେ ଅସ୍ଥିର ହେଉଅଛ ପୁଣି ପକ୍ଷୀଟିର ଏ ଘାତେ

(ଗ) ବର୍ତ୍ତମାନ ବିରାମ ଚିହ୍ନକୁ ଧ୍ୟାନରେ ରଖି ସମ୍ପୂର୍ଣ୍ଣ କବିତାଟିକୁ ଗାନ କର ।

, ; “ ” ? । - ( )

ପାଠରୁ ଆଗକୁ

ତୁମକଥା

(କ) ସକାଳୁ ସକାଳୁ ରାବଇ କାଉ କହେ ପିଲେ ଦିନ ଶୁଭରେ ଯାଉ

ଆସରେ ସଭିଏଁ ଏକାଠି ବସି ସାହିତ୍ୟ ପଢ଼ିବା ହୋଇଣ ଖୁସି

ଆମ ଅଜା ହେଲେ ରଜା ବାଡ଼ି ଧରି କଲେ ମଜା

ପାକେଇ ଆସିଲା ହାତେ ଧରି ଛେନା ଗଜା ।

ତୁମେ କିମ୍ବା ତୁମ ପରିବାରର ସଦସ୍ୟମାନେ କେଉଁ କେଉଁ ସ୍ଥାନକୁ ବୁଲିବାକୁ ଯାଅ ?


(ଖ) ତୁମେ ଘରେ କାହା କାହା ପାଖରୁ କାହାଣୀ ଶୁଣ ଆଉ କେଉଁମାନଙ୍କୁ କାହାଣୀ ଶୁଣାଅ ?

(ଗ) ତୁମେ କାହାଣୀ ଶୁଣିବା ସମୟରେ ମଝିରେ ପ୍ରଶ୍ନ ପଚାରିବା ଉଚିତ୍ କି ?

(ଘ) ତୁମେ ଏହି କବିତାଟିକୁ ପଢ଼ିବା ପରେ ଏହିପରି ଆଉ କିଛି କବିତା ବାରମ୍ବାର ପଢ଼ିବାକୁ ଚାହଁ କି ?

ନିର୍ଣ୍ଣୟ କର

“ପିଲାମାନେ, ତୁମେ ନିର୍ଣ୍ଣୟ କର।”

ନିମ୍ନରେ କିଛି ପରିସ୍ଥିତି ଦିଆଯାଇଛି । ଏହି ସ୍ଥିତିରେ ତୁମେ କ’ଣ କରିବ କୁହ ?

୧ – ଖେଳିବା ସମୟରେ ତୁମର ସାଙ୍ଗ ଖେଳର ନିୟମ ଭାଙ୍ଗୁଛି ।

୨ – ତୁମର ସହପାଠୀକୁ ଶ୍ରେଣୀ କକ୍ଷରେ ଅନ୍ୟମାନେ ଚିଡ଼ାଉଛନ୍ତି ।

୩ – ଦଳଗତ କାମରେ ଜଣେ ସହପାଠୀ ନିଜ କାମରେ ଅବହେଳା କରୁଛି ।

୪ - ଜଣେ ସହପାଠୀ ପ୍ରତିଯୋଗିତାରେ ହାରିଯାଇଥିବାରୁ ମନଦୁଃଖରେ ବସିଛି ।

କାହାଣୀ ଶୁଣିବା

ଆମ ଦେଶରେ କାଳକାଳ ଧରି ଲୋକମୁଖରେ କୁହାହୋଇ ଆସିଥିବା କାହାଣୀକୁ ଲୋକକଥା କହନ୍ତି । ତୁମେ ତୁମର ଘରେ ବା ପାଖପଡ଼ିଶାରେ ଏମିତି କିଛି ଲୋକକଥା ଶୁଣିଥିବ । ଯେମିତି ‘ଟୁଆଁଟୁଇଁ ଗପ’, ‘ବଉଳାଗାଈ ଗପ’ । ଏବେ ଆସ ସେମିତି କିଛି ଶୁଣିଥିବା ଲୋକକଥାକୁ ସଂଗ୍ରହ କରିବା । ଆଉ ସେସବୁକୁ ନେଇ ଗୋଟିଏ ବହି କରି ଶ୍ରେଣୀ ପାଠାଗାରରେ ରଖିବା ।

[ଚିତ୍ର ବର୍ଣ୍ଣନା: ଏକ ଧାଡ଼ିରେ ଅନେକଗୁଡ଼ିଏ ହଂସ ଆକାଶରେ ଉଡିଯାଉଛନ୍ତି ।]


[ଚିତ୍ର ବର୍ଣ୍ଣନା: ରଙ୍ଗବେରଙ୍ଗର ଫୁଲ ଏବଂ ତା’ ଉପରେ ବସିଥିବା ଏକ ପ୍ରଜାପତିର ସୁନ୍ଦର ଚିତ୍ର ।]

ତୁମପାଇଁ ଢଗ

ନିମ୍ନରେ କିଛି ଢଗ ଦିଆଯାଇଛି । ଏହାର ଉତ୍ତର ତୁମକୁ ସେହି ଢଗରୁ ମିଳିଯିବ ।

୧. ଗୀତ ଗାଇଗାଇ ଆକାଶେ ଉଡ଼ଇ ଦେଖେ ନଈନାଳ ଗିରି, ମୋତେ ଦେଖି ତୁମ ଉଡ଼ାଜାହାଜଟି ଆକାଶେ ଉଡ଼ଇ ବୁଲି ।

୨. ନାନା ଜାତି ନାନା ରଙ୍ଗେ ପବନେ ମୁଁ ଖେଳୁଥାଏ, ମହକରେ ମୁଲକକୁ ଆନନ୍ଦେ ମୁଁ ବାନ୍ଧିଦିଏ ।

୩. ବଣପାହାଡ଼ରୁ ବୁଲାବୁଲି ସାରି ତଳକୁ ତଳକୁ ଯାଏ ଗଲାବେଳେ କେତେ ସହର ବଜାର ଦେଖି ଦେଖି ମୁହିଁ ଯାଏ ।

୪. ତୁମ ମାଆଙ୍କର ଭଉଣୀ କହୁଥିଲା ଦିନେ କାହାଣୀ ଆସିଲା ଦିନେ ତା’ ଭାଇଟି କ’ଣ ହେବ ସେ କହଟି ?

ଆସ ଖୋଜିବା

କବି ରାଧାମୋହନ ଗଡ଼ନାୟକଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରି ଲେଖ। ତାଙ୍କର ଏହିପରି କବିତାକୁ ସଂଗ୍ରହକରି ଶ୍ରେଣୀରେ ପାଠକର। ଏଥିପାଇଁ ତୁମେ ପରିବାର ସଦସ୍ୟ, ପିତାମାତା, ଶିକ୍ଷକ, ପାଠାଗାର ଓ ଇଣ୍ଟରନେଟ୍‌ର ସାହାଯ୍ୟ ନେଇପାର।