‘ଶରତରାଜା’ କବିତାଟି ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ଦ୍ୱାରା ରଚିତ।
କବି ଦାଶ ବେନହୁରଙ୍କ ପ୍ରକୃତ ନାମ ଜିତେନ୍ଦ୍ର ନାରାୟଣ ଦାଶ ଏବଂ ତାଙ୍କ ଜନ୍ମ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ହୋଇଥିଲା।
‘ଶରତରାଜା’ କବିତାଟି କବିଙ୍କର ‘ଶରତପାଇଁ ଗୀତ’ କବିତା ସଂକଳନରୁ ସଂଗୃହୀତ ହୋଇଛି।
କବି ଦାଶ ବେନହୁର ୨୦୧୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ‘ବାଲ୍ ସାହିତ୍ୟ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଆଷାଢ଼ ଓ ଶ୍ରାବଣ ମାସର ଆଗମନ ଫଳରେ ଗ୍ରୀଷ୍ମଋତୁର ପ୍ରଖର ଝାଞ୍ଜି ଖରା କୁଆଡ଼େ ପଳାଇଯାଏ।
ବର୍ଷାଋତୁର ପ୍ରଚୁର ଜଳ ପାଇ ଶୁଖିଲା ପଡ଼ିଥିବା ମଲା ନଈଟି ଚଞ୍ଚଳ ହୋଇ ବାଉଳା ଭଳି ଧାଏଁ।
ବିଜୁଳି, ବତାସ, ପବନ ଓ ପାଣି ମିଶି ନିଶ ଫୁଲାଇ ଗର୍ବରେ ଏକ ପଟୁଆର ଭଳି ମାଡ଼ି ଆସନ୍ତି।
ଭୋଦୁଅ ଓ ଅଶିଣ ମାସ ଦୂରରେ ରହି ପୃଥିବୀକୁ ଚାହିଁ ହାତ ହଲାଇ ବର୍ଷା ସରିବାର ସୂଚନା ଦିଅନ୍ତି।
ଶରତଋତୁ ଆସିବା ଫଳରେ ଆକାଶରୁ କାଳିଆ ମେଘର ଉପଦ୍ରବ ବା ଦାଉ ସମାପ୍ତ ହୋଇଯାଏ।
ଶରତଋତୁରେ ନେଳିଆ ଆକାଶ ନିର୍ମଳ ଦିଶେ ଏବଂ ସେଥିରେ କପା ପରି ଧଳା ବଉଦ ଭାସି ବୁଲେ।
ଶରତର ସଙ୍ଗୀତ ଗାନ କରି ପୋଖରୀରେ କଇଁ ଏବଂ ନଈକୂଳରେ କାଶତଣ୍ଡୀ ଫୁଲ ହସି ଉଠନ୍ତି।
ଶରତ କାଳରେ ବିଲର ଗହୀରମାଳରେ ସବୁଜ ଧରଣୀ ଶସ୍ୟଶ୍ୟାମଳା ଶୋଭାର ପସରା ମେଲି ଉଜ୍ଜ୍ୱଳ ଦିଶେ।
ଶରତଋତୁ ନଈନାଳ ସବୁକୁ ନିଜ ଆୟତ୍ତକୁ ଆଣି ତୂରୀ ଓ ଢୋଲକି ବଜାଇ ଆନନ୍ଦରେ ଆସିଥାଏ।
ପୃଥିବୀରେ ଅପୂର୍ବ ଶୋଭା ସୃଷ୍ଟି କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଥିବାରୁ କବି ଶରତଋତୁକୁ ‘ରାଜା’ର ମାନ୍ୟତା ଦେଇଛନ୍ତି।
‘ନେଳିଆ ଆକାଶ’ ଏବଂ ‘କାଳିଆ ମେଘ’ ପଦରେ ନେଳିଆ ଓ କାଳିଆ ଶବ୍ଦଗୁଡ଼ିକ ଗୁଣ ବୁଝାଉଥିବାରୁ ବିଶେଷଣ ପଦ ଅଟନ୍ତି।