‘ଶରତରାଜା’ କବିତାରେ ବିଶିଷ୍ଟ କବି ତଥା ଶିଶୁ ସାହିତ୍ୟିକ ଦାଶ ବେନହୁର (ଜିତେନ୍ଦ୍ର ନାରାୟଣ ଦାଶ) ଶରତଋତୁର ଅପୂର୍ବ ଶୋଭା ଓ ଏହାର ଆଗମନ ବିଷୟରେ ଅତ୍ୟନ୍ତ ମନୋଜ୍ଞ ବର୍ଣ୍ଣନା କରିଛନ୍ତି। ଏହି କବିତାଟି ତାଙ୍କର ‘ଶରତପାଇଁ ଗୀତ’ ସଂକଳନରୁ ସଂଗୃହୀତ। କବି ପ୍ରକୃତିର ପରିବର୍ତ୍ତନକୁ ଖୁବ୍ ସରଳ ଓ ସୁନ୍ଦର ଭାବରେ ପିଲାମାନଙ୍କ ଆଗରେ ଉପସ୍ଥାପନ କରିଛନ୍ତି।
ବର୍ଷର ଆରମ୍ଭରେ ଗ୍ରୀଷ୍ମଋତୁର ପ୍ରଚଣ୍ଡ ତାତି ଓ ଝାଞ୍ଜି ପବନରେ ଧରା ତ୍ରାହି ତ୍ରାହି ଡାକୁଥିବା ବେଳେ ଆଷାଢ଼ ଓ ଶ୍ରାବଣ ମାସର ପ୍ରବେଶ ଘଟେ। ପ୍ରବଳ ବର୍ଷା ଯୋଗୁଁ ଝାଞ୍ଜି ଖରା ଦୂରକୁ ପଳାଏ। ଖରାଦିନେ ଶୁଖି ଶୋଇପଡ଼ିଥିବା ମଲା ନଈଗୁଡ଼ିକ ବର୍ଷାଜଳ ପାଇ ବାଉଳା ହୋଇ କଳଛଳ ଶବ୍ଦରେ ଧାଇଁବାକୁ ଲାଗନ୍ତି। ବିଜୁଳି, ବତାସ, ପବନ ଓ ପାଣି ମିଶି ଏକ ବିରାଟ ପଟୁଆର ଭଳି ମାଡ଼ିଆସନ୍ତି। ଲାଗେ ସତେ ଯେମିତି ପ୍ରବଳ ବର୍ଷା ଚାରିଆଡ଼କୁ ଧୋଇ ସଫା କରିଦେବ।
ଏହାପରେ ଭାଦ୍ରବ ଓ ଆଶ୍ୱିନ (ଭୋଦୁଅ ଓ ଅଶିଣ) ମାସର ପାଳି ଆସେ। ସେମାନେ ଦୂରରୁ ଥାଇ ମାଟିକୁ ଚାହିଁ ହାତ ହଲାନ୍ତି। କଳାହାଣ୍ଡିଆ ମେଘର ଉତ୍ପାତ କମିଆସେ ଏବଂ ବର୍ଷାର ପ୍ରକୋପ ଶେଷ ହୁଏ। ନୀଳ ନିର୍ମଳ ଆକାଶରେ ତୁଳା ବା କପା ଭଳି ଧଳା ଧଳା ବଉଦ ଭାସିବୁଲନ୍ତି। ନେଳିଆ ଆକାଶ ଅତି ସଫା ଓ ସୁନ୍ଦର ଦିଶେ। ବର୍ଷା ଦିନରେ କୂଳ ଲଙ୍ଘୁଥିବା ନଈନାଳଗୁଡ଼ିକ ଶାନ୍ତ ହୋଇ ନିଜ ସୀମା ଭିତରକୁ ଚାଲିଆସନ୍ତି।
ନଈନାଳକୁ ଆୟତ୍ତ କରି ଶରତଋତୁ ବାଦ୍ୟ ବଜାଇ ଏକ ରାଜାଙ୍କ ଭଳି ଧରାପୃଷ୍ଠରେ ପହଞ୍ଚେ। ଏହି ସମୟରେ ବିଲଗହୀରରେ ସବୁଜ ଧାନ କ୍ଷେତର ଶୋଭାପସରା ମେଲିଯାଏ ଏବଂ ଧରଣୀ ମନଲୋଭା ଦିଶେ। ପୋଖରୀରେ ଧଳା କଇଁ ଏବଂ ନଈତୁଠରେ କାଶତଣ୍ଡୀ ଫୁଲ ଫୁଟି ଉଠନ୍ତି। ସେମାନେ ମିଶି ଯେପରି ଶରତଋତୁର ସ୍ୱାଗତ ସଙ୍ଗୀତ ଗାନ କରନ୍ତି। ଶରତରାଜାର ଆଗମନରେ ଢୋଲକି ଓ ତୂରୀ ବଜାଇ ଉତ୍ସବ ପାଳନ କରାଯାଏ। ସମସ୍ତ ଋତୁ ଅପେକ୍ଷା ଶରତଋତୁ ଧରଣୀକୁ ଅଧିକ ଶୋଭା, ଶାନ୍ତି ଓ ଆନନ୍ଦ ଦେଉଥିବାରୁ କବି ଶରତକୁ ‘ରାଜା’ ଆଖ୍ୟା ଦେଇଛନ୍ତି।