ପ୍ରଥମ ଅଧ୍ୟାୟ **

ଚିର ବିକାଶଶୀଳ ବିଜ୍ଞାନ ଜଗତ**

[ଚିତ୍ର ବର୍ଣ୍ଣନା: ପୃଷ୍ଠଭୂମିରେ ବିଜ୍ଞାନ ସମ୍ପର୍କିତ ବିଭିନ୍ନ ଉପକରଣ ଓ ପ୍ରତୀକ ଯଥା ଅଣୁବୀକ୍ଷଣ ଯନ୍ତ୍ର, ଟର୍ଚ୍ଚ, ଫ୍ଲାସ୍କ, ପରୀକ୍ଷାନଳୀ, ଉପଗ୍ରହ, ବିଦ୍ୟୁତ୍ ବଲ୍ବ, ତାରକା, ପୃଥିବୀ, ଚୁମ୍ବକ, ଦୂରବୀକ୍ଷଣ ଯନ୍ତ୍ର, ବର୍ଦ୍ଧକ କାଚ ଇତ୍ୟାଦିର ରେଖାଚିତ୍ର।]

ଆମର ଆଶା ତୁମେମାନେ ପୂର୍ବ ଶ୍ରେଣୀର ବିଜ୍ଞାନ ପାଠ୍ୟପୁସ୍ତକ ଜିଜ୍ଞାସା ଦ୍ୱାରା ଅନେକ ଜଣା ଅଜଣା କଥା ଜାଣିବାକୁ ପାଇଥିବ। ପିଲାମାନେ ଜିଜ୍ଞାସାର ଅର୍ଥ ହେଉଛି ଜାଣିବାକୁ ଇଚ୍ଛା । କହିଲ ଦେଖି ଆମେ ଏସବୁ କେମିତି ଜାଣିବା ? ଆସ, ଆମେ ଆମ ଚତୁଃପାର୍ଶ୍ଵସ୍ଥ ପ୍ରାକୃତିକ ଘଟଣା ସମ୍ବନ୍ଧରେ ପ୍ରଶ୍ନ ପଚାରିବା, ପରୀକ୍ଷା କରିବା, ଅଧିକ ଜାଣିବା ପାଇଁ ଅନୁସନ୍ଧାନ କରିବା ଓ ବୁଝିବାକୁ ଚେଷ୍ଟା କରିବା। ବିଜ୍ଞାନ ଆମକୁ ମାର୍ଗଦର୍ଶକ ଭାବରେ ନେଇଯିବ ଛୋଟରୁ ବଡ଼ ଆଡ଼କୁ, ପାଖରୁ ଦୂରକୁ, ପରମାଣୁ ଠାରୁ ସୂର୍ଯ୍ୟ ଓ ଛୋଟିଆ କୋଷରୁ ନୀଳ ତିମି ପର୍ଯ୍ୟନ୍ତ । ଆମେ ଚତୁଃପାର୍ଶ୍ବର ପଦାର୍ଥ ବିଷୟରେ ପରୀକ୍ଷା କରିଥାଉ କିମ୍ବା ଭୂମଧ୍ୟ ଜଳର ପ୍ରବାହ କଥା ଆଲୋଚନା କରୁ, କିନ୍ତୁ ଏହି ବିଜ୍ଞାନ ବହିର ସମସ୍ତ ତଥ୍ୟର ଆଲୋଚନା ପରେ ଏକ ଦୁଃସାହସିକ ପଦକ୍ଷେପ ଆମ ଚିନ୍ତାଧାରାକୁ ଆହ୍ୱାନ କରିବ, ନୂତନ ଜ୍ଞାନର ବିସ୍ତାରଣ ସହ ଜଣେ ଦକ୍ଷ ଅନୁସନ୍ଧାନକାରୀ ସୃଷ୍ଟିହେବେ ଏବଂ ନିଜ ପାଇଁ ଆବଶ୍ୟକ ପଦାର୍ଥ ଆବିଷ୍କାର ବା ଉଦ୍ଭାବନ କରିପାରିବେ।

ଏଭଳି ବିସ୍ମୟକର ପଥରେ ଚାଲିବା ଆଗରୁ ଆଗ କିଛି ସମୟ ଦେଇ ଏହି ବହିର ବିଶେଷତ୍ଵଗୁଡ଼ିକ ଅନୁଧ୍ୟାନ କର । ବହିର ପୃଷ୍ଠାଗୁଡ଼ିକୁ ଦେଖ, ସେଗୁଡ଼ିକ ରଙ୍ଗବେରଙ୍ଗ ପ୍ରଜାପତିର ଚୁଲବୁଲି ଡେଣାହଲା ଓ କାଗଜ ଉଡ଼ାଜାହାଜର ଅଙ୍କାବଙ୍କା ଗତି ଭଳି ଅନୁଭବ ହେବ। ଶିକ୍ଷାର ଅଗ୍ରଗତି ଆକାଶଛୁଆଁ ହେବ, ଯେତେବେଳେ ଜିଜ୍ଞାସା ତା’ର ମଙ୍ଗ ଧରିବ । ତୁମେ ଜାଣିଛ କି ସରଳ ରାସ୍ତା ମଧ୍ୟ କାଗଜ ଉଡ଼ାଜାହାଜ ଭଳି ବୈଜ୍ଞାନିକ ଅନୁସନ୍ଧାନର ପ୍ରେରଣା ଯୋଗାଇଥାଏ। ପକ୍ଷୀ ଡେଣାର ଉଡ଼ାଣ ହିଁ ଉଡ଼ାଜାହାଜ ତିଆରିରେ ସାହାଯ୍ୟ କରିଛି, ଉଡ଼ିବାର ସ୍ୱପ୍ନ ମଧ୍ୟ ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣରୁ ହିଁ ଆରମ୍ଭ ହୋଇଥିଲା । ଯଦି ତୁମେ ଜିଜ୍ଞାସାର ପୃଷ୍ଠା ଲେଉଟାଇବ, ତୁମ ଚିନ୍ତାଧାରା ମଧ୍ୟ ପକ୍ଷୀପରି ଉଡ଼ିବାକୁ ଲାଗିବ ଓ ନୂତନ ଅନୁସନ୍ଧାନ, ବିସ୍ମୟକର ଅନ୍ଵେଷଣ ଆଦିକୁ ନେଇ ଆକାଶରେ ପହଞ୍ଚାଇଦେବ।

[ଚିତ୍ର : ନୂତନ ଉଦ୍ଭାବନ ପାଇଁ ଅନୁସନ୍ଧିତ୍ସା - ଖୋଲା ପଡ଼ିଆରେ ପିଲାମାନେ କାଗଜ ଉଡ଼ାଜାହାଜ ଉଡ଼ାଇ ଖେଳୁଛନ୍ତି ଓ ତା'ର ଗତି ପର୍ଯ୍ୟବେକ୍ଷଣ କରୁଛନ୍ତି।]


ଅବଶ୍ୟ ଅନୁସନ୍ଧାନ କେବଳ ନୂତନ ତଥ୍ୟକୁ ଖୋଜି ବାହାର କରିବା ନୁହେଁ କିମ୍ବା ପ୍ରକୃତିର ବିଭିନ୍ନ ବସ୍ତୁ ବିଷୟରେ ଜାଣିବା ନୁହେଁ । ଷଷ୍ଠ ଶ୍ରେଣୀରେ ତୁମେ ପଢ଼ିଥିଲ ଯେ ବିଜ୍ଞାନ ଏକ ପ୍ରକ୍ରିୟା ଯାହା କି ଜାଣିବାର ଆଗ୍ରହକୁ ଓ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରେ ଓ ଅଜ୍ଞାତକୁ ଜାଣିବାରେ ଉନ୍ମୁକ୍ତ ମାନସିକତା ସୃଷ୍ଟି କରିଥାଏ । ବର୍ତ୍ତମାନ ସପ୍ତମ ଶ୍ରେଣୀରେ ଆମେ ଅଧିକ ଚିନ୍ତନଶୀଳ ପ୍ରଶ୍ନ ପଚାରିବାକୁ ଚେଷ୍ଟା କରିବା। ଆମ ଚତୁଃପାର୍ଶ୍ଵରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଓ ବିଭିନ୍ନ ପ୍ରାକୃତିକ ସଂରଚନାର ଅନ୍ତର୍ନିହିତ ତତ୍ତ୍ବ ଅନୁସନ୍ଧାନ କରିବା ।

ଏସବୁ ପ୍ରକ୍ରିୟାଗୁଡ଼ିକୁ କରିବା ପାଇଁ ଆମକୁ ପାଠ୍ୟ ପୁସ୍ତକ ଓ ଶ୍ରେଣୀକକ୍ଷ ମଧ୍ୟରେ ସୀମାବଦ୍ଧ ନ ରହି, ବାହାରକୁ ମଧ୍ୟ ଯିବାକୁ ପଡ଼ିବ, ବିଭିନ୍ନ କାର୍ଯ୍ୟ ଓ ପରୀକ୍ଷା ମାଧ୍ୟମରେ ଆମକୁ ବିଶ୍ଵର ଘଟଣାବଳୀକୁ ଉପଲବ୍ଧି କରିବାକୁ ହେବ । ଏ ସମସ୍ତ ଅନୁଭୂତି କେବଳ ଆକର୍ଷଣୀୟ ବା ରୋମାଞ୍ଚକର ନୁହେଁ, ବରଂ ଏହା ଆମେ ରହୁଥିବା ପୃଥିବୀର ଏକ ନିର୍ଦ୍ଦିଷ୍ଟ ସ୍ଥାନର ପରିବେଶକୁ ଟିକିନିଖି ଭାବରେ ବୁଝିବା ପାଇଁ ଏକ ପ୍ରାରମ୍ଭିକ ପଦକ୍ଷେପ । ଆମର ଆଶା ଯେ ଏହା ତୁମକୁ ବିଜ୍ଞାନ ଏକ ନିରନ୍ତର ଅନ୍ଵେଷଣ ପ୍ରକ୍ରିୟା ବୋଲି ବୁଝିବାରେ ସହାୟକ ହେବ । ଜଣେ କିଶୋର ବିଜ୍ଞାନ ଅନୁସନ୍ଧାନୀ ଭାବରେ ତୁମେ ଅନୁଭବ କରିବ ଯେ ମନୁଷ୍ୟର କାର୍ଯ୍ୟଗୁଡ଼ିକ ପ୍ରାକୃତିକ ଜଗତ ସହ କିପରି ଜଡ଼ିତ ଏବଂ ସମାଜ ସହ କିପରି ସମ୍ପୃକ୍ତ । ଆମର ବିଶ୍ଵାସ ଯେ ଆମ ପରିବେଶର ଆହ୍ବାନଗୁଡ଼ିକ ସହ ପରିଚୟ କରିବା ଏକ ପୋଷଣୀୟ ବିଶ୍ଵ ସୃଷ୍ଟି କରିବାରେ ବିଜ୍ଞାନର ଭୂମିକା ସହାୟକ ହେବ ବୋଲି ତୁମେ ହୃଦୟଙ୍ଗମ କରିପାରିବ ।

ଆସ, ବର୍ତ୍ତମାନ ଆମେ ପାଠ୍ୟପୁସ୍ତକ ଭିତରକୁ ଯିବା । ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଜୀବବିଜ୍ଞାନ ଓ ଭୂବିଜ୍ଞାନ ପରି ବିଜ୍ଞାନର ବିଭିନ୍ନ କ୍ଷେତ୍ର ବିଷୟରେ ପଢ଼ିବା; ଯାହା ଆମେ ଷଷ୍ଠ ଶ୍ରେଣୀରୁ ଜାଣିଛେ । ସେଗୁଡ଼ିକ ଭିନ୍ନ ଭିନ୍ନ ଅଧ୍ୟାୟରେ ବର୍ଣ୍ଣିତ, କିନ୍ତୁ ସେମାନେ ପରସ୍ପର ସହ ନିବିଡ଼ଭାବେ ସମ୍ପର୍କିତ ଯାହା ଆମକୁ ଅନେକ କ୍ଷେତ୍ରରେ ଅନ୍ଵେଷଣ କରିବାକୁ ପ୍ରେରଣା ଦେବ କିମ୍ବା ଅନ୍ୟ କ୍ଷେତ୍ରରେ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବ । ଆସ, ଯଥା ଶୀଘ୍ର ପାଠ୍ୟପୁସ୍ତକ ଭିତରକୁ ଯିବା । ଆମେ ଆମ ଚତୁଃପାର୍ଶ୍ଵସ୍ଥ ପଦାର୍ଥଗୁଡ଼ିକର ବିଭିନ୍ନ ଗୁଣ ଓ ଧର୍ମ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଥିଲେ ହେଁ ସେ ସମ୍ବନ୍ଧରେ ପ୍ରଶ୍ନ କେବେ ପଚାରୁ ନାହୁଁ । ଯେପରିକି କେତେକ ଫଳ କାହିଁକି ଖଟା ଲାଗେ ଓ ତୁମ ପୋଷାକରେ ଲାଗିଯାଇଥିବା ହଳଦୀ ଦାଗ ଛଡ଼ାଇଲା ବେଳେ କ’ଣ ହୁଏ ? ଆସ ସେହି ବିଷୟରେ ଆଲୋଚନା କରିବା ।

[ଚିତ୍ର : ଖାଦ୍ୟରେ ଥିବା ଅମ୍ଳ - ଏକ ଟୋକେଇରେ ବିଭିନ୍ନ ଫଳ ଏବଂ ସେଥିରେ ଥିବା ଅମ୍ଳର ସମ୍ପର୍କ:]

  • କମଳା / ଲେମ୍ବୁ \rightarrow ସାଇଟ୍ରିକ୍ ଅମ୍ଳ
  • ଅଁଳା \rightarrow ଆସ୍କରବିକ୍ ଅମ୍ଳ
  • କଞ୍ଚା ଆମ୍ବ \rightarrow ଟାରଟାରିକ୍ ଅମ୍ଳ
  • ବିଲାତି ବାଇଗଣ (ଟମାଟୋ) \rightarrow ସାଇଟ୍ରିକ୍ ଓ ଅକ୍‌ଜାଲିକ୍ ଅମ୍ଳ

[ଚିତ୍ର : ପୋଷାକରେ ଦାଗ ଛଡ଼ାଇବା କ'ଣ ସମ୍ଭବ? - ଏକ ପିଲା କାମିଜ୍‌ରେ ଲାଗିଥିବା ହଳଦୀ ଦାଗ ବିଷୟରେ ଚିନ୍ତା କରୁଛି।]


ଆସ, ଆମେ ତା ପରେ କିଛି ବ୍ୟାଟେରୀ, ବଲ୍‌ବ ଓ ତାରକୁ ନେଇ ଏକ ଖେଳ ଖେଳିବା ଓ ପଦାର୍ଥର ଅନ୍ୟ ଧର୍ମଗୁଡ଼ିକୁ ବାହାର କରିବା। ଗୋଟିଏ ବଲ୍‌ବ ଜାଳିବା ପାଇଁ କେଉଁ ପ୍ରକାର ପଦାର୍ଥ ଆବଶ୍ୟକ ? ଏହା ପରେ ଗୁଣ‌ଗୁଡ଼ିକ ନେଇ ପଦାର୍ଥର ଶ୍ରେଣୀବିଭାଗ କରିପାରିବା ଏବଂ ଧାତୁ ଓ ଅଧାତୁ ଦୁନିଆରେ ପ୍ରବେଶ କରିବା। ଆମ ଅଭିଜ୍ଞତାରୁ ଆମେ ଜାଣିଛେ ଯେ ଟର୍ଚ୍ଚ ବ୍ୟାଟେରୀ କିଛି ଦିନ ପରେ ଆଉ କାମ କରେନାହିଁ, ଏବଂ ଏହା ପୁଣି ବ୍ୟବହାର କରିହୁଏ ନାହିଁ । ଅନୁସନ୍ଧାନ କରିବା ଯେ ଆମ ଚତୁଃପାର୍ଶ୍ଵରେ ଯେଉଁ ପରିବର୍ତ୍ତନ ହେଉଛି ସେଥିରୁ କେତୋଟି ପ୍ରତ୍ୟାବର୍ତ୍ତୀ ଓ କେତୋଟି ଅପ୍ରତ୍ୟାବର୍ତ୍ତୀ ହୋଇପାରେ।

[ଚିତ୍ର : ଧାତବ ପଦାର୍ଥରେ ବିଦ୍ୟୁତ୍ ପରିବହନ - ବ୍ୟାଟେରୀ, ତାର, ଚାମଚ ଓ ବଲ୍‌ବ ସଂଯୋଗ ହୋଇଥିବା ବିଦ୍ୟୁତ୍ ପରିପଥ।]

[ଚିତ୍ର : ମହମବତୀର ଜ୍ଵଳନ ସମୟରେ ଘଟୁଥିବା ପରିବର୍ତ୍ତନ - ପିଲାମାନେ ବସି ମହମବତୀର ଜଳିବା ନିରୀକ୍ଷଣ କରୁଛନ୍ତି।]

[ଚିତ୍ର : ପାହାଡ଼ର ପାଦଦେଶରେ ଜମିଥିବା ପଟୁ]

ବ୍ୟାଟେରୀର କ୍ଷମତା ସରିଯିବା, ବରଫ ଜଳରେ ତରଳିଯିବା, ଫଳ ପାଚିଯିବା ଓ ପଥର ଗୁଣ୍ଡ ହୋଇ ଗୋଡ଼ି ହୋଇଯିବା। ଏସବୁ କି ପ୍ରକାରର ପରିବର୍ତ୍ତନ ? କେତେକ କ୍ଷେତ୍ରରେ ଉତ୍ତାପ ଯୋଗୁ ଏହି ପରିବର୍ତ୍ତନ ହୁଏ ବା ଶୀଘ୍ର ହୁଏ । ଗୋଟିଏ କାଚ ଗ୍ଲାସ୍‌ରେ ବରଫ ତରଳିବା ହେଉ ବା ହିମବାହ ହେଉ, ଉତ୍ତାପ କିପରି ପ୍ରବାହିତ ହୋଇଥାଏ ଆସ ଦେଖିବା। ଜଳ ଅବଶ୍ୟ ସବୁଠାରେ ଥାଏ ଏବଂ ସୂର୍ଯ୍ୟଙ୍କ ଉତ୍ତାପରେ ମଧ୍ୟ ଥାଏ । ଏହା ସମୁଦ୍ରରୁ ବାଷ୍ପୀଭୂତ ହୁଏ ଓ ବୃଷ୍ଟି ଆକାରରେ ଫେରିଆସେ, ଏବଂ ପୃଥିବୀରେ ପ୍ରବେଶ କରେ ବା ବହୁଦୂରକୁ ପ୍ରବାହିତ ହୁଏ ।

[ଚିତ୍ର : ପ୍ରକୃତିରେ ଜଳଚକ୍ର - ସୂର୍ଯ୍ୟ, ମେଘ, ବର୍ଷା, ପାହାଡ଼, ଗଛ ଓ ଜଳାଶୟ ସହିତ ଜଳଚକ୍ରର ଚିତ୍ରଣ।]


[ଚିତ୍ର : ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା - ସୂର୍ଯ୍ୟକିରଣରେ ବଢୁଥିବା ସୂର୍ଯ୍ୟମୁଖୀ ଗଛ ଓ ତାର ମୂଳ।]

ତଥାପି ମଧ୍ୟ ଏହା କେବଳ ଆମେ ଦେଖି ପାରୁଥିବା ଚତୁଃପାର୍ଶ୍ଵସ୍ଥ ପଦାର୍ଥର ପରିବର୍ତ୍ତନ ନୁହେଁ କିମ୍ବା ଦେଖାଯାଉ ନଥିବା ଜଳର ଲୁକ୍କାୟିତ ପରିବର୍ତ୍ତନ ନୁହେଁ। ଆମର ବୟସ ବୃଦ୍ଧି ସହ ଶରୀରର ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ। ବିଶେଷକରି ଆମ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଶରୀରର ପରିବର୍ତ୍ତନ ବହୁତ ଶୀଘ୍ର ହୁଏ । କାହିଁକି ? କେବଳ ମଣିଷର ନୁହେଁ, ବଞ୍ଚି ରହିବା ପାଇଁ ସମସ୍ତ ଜୀବଙ୍କ ଠାରେ ଜୈବିକ ପ୍ରକ୍ରିୟା ସଂଗଠିତ ହୁଏ। ଶରୀରର ପରିବର୍ତ୍ତନ ହୁଏ। ଆମର ବୃଦ୍ଧି ପାଇଁ ଆମ ଶରୀରକୁ ଖାଦ୍ୟ ଖାଇବା ସହ ଶ୍ଵସନ ଓ ଖାଦ୍ୟ ସଂଚାଳନ ପାଇଁ ରକ୍ତ ପ୍ରବାହର ଆବଶ୍ୟକତା ରହିଛି। କେବଳ ପ୍ରାଣୀ କାହିଁକି, ଉଭିଦର ମଧ୍ୟ ବୃଦ୍ଧି ପାଇଁ ଖାଦ୍ୟର ଆବଶ୍ୟକତା ରହିଛି । ସେମାନେ ଖାଦ୍ୟ ପାଆନ୍ତି କିପରି ? ସେମାନେ ଶ୍ୱସନ କରନ୍ତି କି ? ତାହା ହେଲେ କିପରି କରନ୍ତି ? ସମୟ ଚକ୍ରରେ ଏ ପୃଥିବୀରେ ଜୀବର ସୃଷ୍ଟି ହେଲାପରେ ଏହା କିପରି ଯତ୍ନର ସହ ସନ୍ତୁଳିତ ହୋଇ ରହିବ ସେ କଥା ଚିନ୍ତା କରାଯାଇଥିଲା।

କିନ୍ତୁ ସମୟ କାହିଁ ? କାନ୍ଥର ଘଣ୍ଟା କିମ୍ବା ହାତଘଣ୍ଟା ଆମକୁ ସମୟ କହୁଛି ଏବଂ ଏହା କିପରି ଅପସରି ଯାଉଛି ତାକୁ ସୂଚିତ କରୁଛି। ରାତି ପାହିଲା ପରେ ସକାଳେ ଆମେ ବିଦ୍ୟାଳୟ ଯିବା ଠାରୁ ଆରମ୍ଭ କରି ରାତିରେ ଶୋଇଲା ପର୍ଯ୍ୟନ୍ତ ସମୟ କିପରି ଅତିବାହିତ ହୁଏ ଜାଣି ପାରୁଛ କି ? କେତେ ଶୀଘ୍ର ଏସବୁ ହୋଇଯାଉଛି। ବିଦ୍ୟୁତ୍ ଘଣ୍ଟା ଓ ଡିଜିଟାଲ୍ ଘଣ୍ଟା ଆସିବା ବହୁ ପୂର୍ବରୁ ସୂର୍ଯ୍ୟ କିରଣକୁ ପର୍ଯ୍ୟବେକ୍ଷଣ କରି ତା’ର ଛାଇ ଅନୁସାରେ ସମୟ ନିର୍ଣ୍ଣୟ କରାଯାଉଥିଲା ।

[ଚିତ୍ର : ପେଣ୍ଡୁଲମ୍‌ର ଦୋଳନ - କାନ୍ଥ ଘଣ୍ଟା।]

[ଚିତ୍ର : ଦୌଡ଼ ପ୍ରତିଯୋଗିତାରେ ସମୟ ମାପ - ଧାବକମାନେ ଦୌଡ଼ୁଛନ୍ତି।]

[ଚିତ୍ର : ସୂର୍ଯ୍ୟଘଡ଼ିର ଚିତ୍ର]

[ଚିତ୍ର : ଆଲୋକର ବହୁ ପ୍ରତିଫଳନ - ଦୁଇଟି ଆଇନା କୋଣରେ ରଖି କୌଣସି ବସ୍ତୁର ଏକାଧିକ ପ୍ରତିବିମ୍ବ।]

ଆଲୋକ ଓ ତା'ର ଛାୟା କେବଳ ସମୟ ଦେଖିବା କିମ୍ବା କଣ୍ଢେଇ ଖେଳିବା ପାଇଁ ଉଦ୍ଦିଷ୍ଟ ନୁହେଁ। ପ୍ରକୃତରେ ଆଲୋକ ଆମକୁ ଦେଖିବାରେ ସାହାଯ୍ୟ କରେ । ଆଲୋକର ଉତ୍ପତ୍ତି ପାଇଁ ଆମେ ବହୁବିଧ ବ୍ୟବସ୍ଥା କରିଛେ (ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ମଧ୍ୟ ଆମେ ବହି ପଢ଼ି ପାରୁଛୁ) । ଆଲୋକର ପ୍ରକୃତି ଉପରେ ପ୍ରଶ୍ନ ପଚାରି ଆମେ ଆମର ବିଶ୍ଵ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝିପାରୁଛେ। ଆଲୋକ ଓ ଛାୟା କେବଳ ଗୃହ ମଧ୍ୟରେ ଥିବା ପଦାର୍ଥର ନୁହେଁ ବୋଲି ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ଜାଣିପାରିବା।


[ଚିତ୍ର : ଆଂଶିକ ସୂର୍ଯ୍ୟପରାଗ]

[ଚିତ୍ର : ଦିନ ରାତି ପ୍ରକ୍ରିୟା - ସୂର୍ଯ୍ୟ କିରଣରେ ପୃଥିବୀର ଆଲୋକିତ ଓ ଅନ୍ଧକାର ଅଂଶ।]

[ଚିତ୍ର : କ୍ଷୀର ମିଶା ଜଳରେ ଲେଜର୍‌ବିମ୍ ପରୀକ୍ଷା]

ଏପରିକି ପୃଥିବୀ ଓ ଚନ୍ଦ୍ର ଛାୟା ସୃଷ୍ଟି କରିପାରନ୍ତି, ଏହା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗରୁ ସ୍ପଷ୍ଟ ଜାଣିହୁଏ। ଅବଶ୍ୟ ପୃଥିବୀର ଦିନ ଓ ରାତି ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଆଲୋକ ଉପରେ ନିର୍ଭର କରେ । ଏସବୁ ବୁଝିବା ପାଇଁ ପୃଥିବୀ ନିଜ ଅକ୍ଷ ଚାରିପଟେ କିପରି ଗତି କରୁଛି, ସେହିପରି ଚନ୍ଦ୍ର କିପରି ପୃଥିବୀ ଚାରିପଟେ ଓ ପୃଥିବୀ କିପରି ସୂର୍ଯ୍ୟ ଚାରିପଟେ ଘୁରୁଛି ଜାଣିବା ଆବଶ୍ୟକ। ଆମ ସୁନ୍ଦର ପୃଥିବୀରେ ଏହାର ପ୍ରଭାବ ଜୀବ ଉପରେ କେମିତି ପଡ଼େ ଜାଣିବା ଦରକାର। ଏହି ସମସ୍ତ ତଥ୍ୟ ଯଦି ତୁମ ମନରେ ଆନ୍ଦୋଳିତ ହେଉଛି, ତାହାହେଲେ ଚିନ୍ତା କର। ଆମର ଅଦ୍ଭୁତ ପୃଥିବୀର ବିସ୍ମୟକର ଘଟଣାଗୁଡ଼ିକ ମଣିଷକୁ ଆଶ୍ଚର୍ଯ୍ୟ କରୁ ନାହିଁକି ?

ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ଯାହା ଅନୁସରଣ କରିବା ସେଥିରେ ସରଳ ପର୍ଯ୍ୟବେକ୍ଷଣ ଓ କୌତୁକିଆ ପରୀକ୍ଷା ସବୁ ରହିବ, ଯାହାକି ଏ ସମ୍ପର୍କିତ ବିଷୟ ବୁଝିବା ପାଇଁ ଯତ୍ନର ସହ ଗଭୀର ଚିନ୍ତନର ଆବଶ୍ୟକତା ରହିଛି। ପ୍ରତ୍ୟେକ ଅଧ୍ୟାୟ ତୁମେ ଜାଣିଥିବା ଉପରେ ଆଧାରିତ ଏବଂ ତୁମକୁ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରିବ, ତୁମେ ଅନୁସନ୍ଧାନୀ ମନୋଭାବ ଦ୍ୱାରା ପରୀକ୍ଷା କରିବ ଏବଂ ନିଜେ ବୈଜ୍ଞାନିକ ଭଳି ଚିନ୍ତା କରିବ। ତୁମେ ଦେଖିବ ଯେ, କେତେକ ପରୀକ୍ଷାରେ ତୁମ ଆଶାନୁରୂପ ଫଳାଫଳ ଘଟୁନାହିଁ, ତୁମକୁ ଆହୁରି ଅଧିକ ପ୍ରଶ୍ନ ପଚାରିବାକୁ ଏବଂ ପରୀକ୍ଷା କରିବା ପାଇଁ ପ୍ରେରିତ କରିବ।

୧.୧ ଆନନ୍ଦଦାୟକ ଅନୁସନ୍ଧାନ

କାର୍ଯ୍ୟ ୧.୧ : ନିମ୍ନରେ ଥିବା ଉତ୍ତର ପାଇଁ ପ୍ରଶ୍ନ ତିଆରି କର ।

ବିଦ୍ୟାଳୟରେ କିମ୍ବା ପରୀକ୍ଷାରେ ଉତ୍ତର କରିବା ପାଇଁ ତୁମକୁ ସାଧାରଣତଃ ପ୍ରଶ୍ନ ଦିଆଯାଏ । ଏବେ ଆସ ଏହାର ବିପରୀତ ପ୍ରକ୍ରିୟା ଅବଲମ୍ବନ କରିବା। ଜଣେ ବୈଜ୍ଞାନିକ ଭଳି ଚିନ୍ତା କରିବାକୁ ହେଲେ ଆଗ୍ରହୋଦ୍ଦୀପକ ପ୍ରଶ୍ନ କରିବା ମଧ୍ୟ ସମଭାବରେ ଗୁରୁତ୍ଵପୂର୍ଣ୍ଣ। ବଡ଼ ବଡ଼ ବୈଜ୍ଞାନିକମାନେ କେବଳ ପ୍ରଶ୍ନର ଉତ୍ତର କୁହନ୍ତି ନାହିଁ, ବେଳେବେଳେ ବିସ୍ମୟକର ପ୍ରଶ୍ନ ମଧ୍ୟ କରିଥାନ୍ତି। ମନେପକାଅ ପୂର୍ବ ଶ୍ରେଣୀରେ ଆମେ କହିଥିଲୁ ଜଣେ ଜ୍ଞାନୀ ବ୍ୟକ୍ତି ହେବା ପାଇଁ ତୁମକୁ ସବୁବେଳେ କାହିଁକି ଓ କିପରି ସମସ୍ତ ଘଟଣା ଘଟୁଛି ବୋଲି ପ୍ରଶ୍ନ ପଚାରି ତାହାର ଉତ୍ତର ଖୋଜିବାକୁ ପଡ଼ିବ। ତଳେ ଦିଆଯାଇଥିବା ଉତ୍ତରଗୁଡ଼ିକୁ ଦେଖ । ତୁମର କାର୍ଯ୍ୟ ହେଉଛି ଏହିଭଳି ଆଗ୍ରହୀ, ସୃଜନଶୀଳ ଓ କୌତୁକିଆ ପ୍ରଶ୍ନ କିମ୍ବା ପରିସ୍ଥିତି ସୃଷ୍ଟି କରିବା ଯାହାଦ୍ଵାରା ଉତ୍ତର ଆପେ ମିଳିଯିବ। ପ୍ରଶ୍ନ କେବେ ଭୁଲ ହୋଇ ନପାରେ, ସେଥିପାଇଁ ତୁମର କଳ୍ପନା ବା ଚିନ୍ତାଧାରାକୁ ବ୍ୟାପକ କର। ସେମିତି ପରିସ୍ଥିତି ତୁମ ପକ୍ଷରେ ସୁପରିଚିତ ନ ହୋଇପାରେ, ସେଥିପାଇଁ ତୁମକୁ ଏକ ଉଦାହରଣ ଦିଆଯାଉଛି, ମନେକର ଉତ୍ତର ଅଛି “କେବଳ ଏହାକୁ ଅଧା କର” ଏହି ଉତ୍ତର ନିମିତ୍ତ କ’ଣ ସବୁ ସମ୍ଭାବ୍ୟ ପ୍ରଶ୍ନ ହୋଇପାରେ ? ଉଦାହରଣ ସ୍ୱରୂପ ପ୍ରଶ୍ନ ହୋଇପାରେ – “ କିପରି ଏକ କେକ୍‌କୁ ସମାନ ଭାବରେ ବାଣ୍ଟିପାରିବା ?”, “ମୋ ପାଇଁ ଏହି ପ୍ରବନ୍ଧଟି ବହୁତ ଲମ୍ବା” ବା “ ମୁଁ ଏହାକୁ ଲଫାପାଟି ଭିତରେ ରଖି ପାରିବି ନାହିଁ” କିମ୍ବା “ ଏତେ ଲମ୍ବା ଗୀତରେ ନାଚି ପାରିବି ନାହିଁ” – ଏ ସମସ୍ତ ପ୍ରଶ୍ନର ଚିନ୍ତାଧାରା ପ୍ରତ୍ୟେକ ଭିନ୍ନ ଭିନ୍ନ, କିନ୍ତୁ ଉତ୍ତର ଗୋଟିଏ।

ତେଣୁ ଆସ ଦେଖିବା ତୁମେମାନେ କି ପ୍ରକାର ସୃଜନଶୀଳ ପ୍ରଶ୍ନ ପଚାରିପାରିବ।

ପ୍ରଶ୍ନ ....................................................................................................

ଉତ୍ତର – ଅଳ୍ପ କିଛି କ୍ଷୀର ମିଶାଅ ।

ପ୍ରଶ୍ନ ....................................................................................................

ଉତ୍ତର – କାରଣ ବିଲେଇର ଦାନ୍ତ ଗୁଡ଼ିକ ବଙ୍କା ।

ପ୍ରଶ୍ନ ....................................................................................................

ଉତ୍ତର – ଭୟଭୀତ ହୁଅନ୍ତୁ ନାହିଁ, ମୋ ପାଖରେ ଗାମୁଛା ଅଛି ।

ପ୍ରଶ୍ନ ....................................................................................................

ଉତ୍ତର – ୪୨

(ଦୟାକରି ଆଗ୍ରହୋଦ୍ଦୀପକ ପ୍ରଶ୍ନ ପଚାର ଯାହା ସହଜ ଉତ୍ତରମୂଳକ ହୋଇନଥିବ । ଉଦାହରଣ ସ୍ୱରୂପ “୩୨+୧୦= କେତେ ? ”)

“ଜୀବନ, ବିଶ୍ୱ ଓ ସବୁକିଛି ପାଇଁ ଉତ୍ତର କ’ଣ ? ”