ଦଶମ ଅଧ୍ୟାୟ
ଉଦ୍ଭିଦରେ ଜୀବନ ପ୍ରକ୍ରିୟା
(ଚିତ୍ର ବର୍ଣ୍ଣନା: ଏକ ବିରାଟ ବରଗଛ ଯାହାର ଅନେକ ଓହଳ ଝୁଲି ରହିଛି ଏବଂ ତା' ତଳେ ଚାରିଜଣ ସ୍କୁଲ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧି ଠିଆ ହୋଇ କଥାବାର୍ତ୍ତା କରୁଛନ୍ତି।)
ଷଷ୍ଠ ଶ୍ରେଣୀରେ ଆମେ ଶିଖୁଥିଲେ ଯେ ସମସ୍ତ ଜୀବ ବୃଦ୍ଧିପାଆନ୍ତି ଏବଂ ସେମାନେ ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି । ଏହା ସହିତ ପୂର୍ବ ଅଧ୍ୟାୟରେ ଆମେ ପ୍ରାଣୀମାନେ କିପରି ପୋଷକତତ୍ତ୍ୱ ପାଆନ୍ତି ତାହା ଆଲୋଚନା କରିଥିଲେ। ତୁମେ ଜାଣ ଯେ ପ୍ରାଣୀମାନେ ବୃଦ୍ଧି ପାଇଁ ଖାଦ୍ୟ ଖାଆନ୍ତି, କିନ୍ତୁ ଉଦ୍ଭିଦ କ୍ଷେତ୍ରରେ ଏ ବିଷୟରେ କ’ଣ ହୁଏ ଜାଣ ? ତୁମେ କେବେ ଉଦ୍ଭିଦଗୁଡ଼ିକୁ ପ୍ରାଣୀମାନଙ୍କ ପରି ଖାଦ୍ୟ ଖାଇବାର ଦେଖୁଛ କି ? ପ୍ରାଣୀମାନଙ୍କର ବୃଦ୍ଧି ସହିତ, ସେମାନଙ୍କର ଆକାର ଓ ଓଜନ ସାଧାରଣତଃ ବୃଦ୍ଧିପାଏ ଏବଂ ସେମାନଙ୍କ ଶରୀରରେ ବିଭିନ୍ନ ପରିବର୍ତ୍ତନ ଘଟେ। ଉଦ୍ଭିଦଗୁଡ଼ିକର ବଢ଼ିବା ସମୟରେ ତୁମେ କେଉଁ ସବୁ ପରିବର୍ତ୍ତନ ଲକ୍ଷ୍ୟକରିଛ ?
ଆମେ ଶିଖିଲୁ ଯେ ଖାଦ୍ୟରୁ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଜୀବସାର ଏବଂ ଖଣିଜପଦାର୍ଥ ଆଦି ପୋଷକତତ୍ତ୍ୱ ମିଳିଥାଏ ଓ ଜଳ ସହିତ ଏ ସବୁ ଶରୀରର ବୃଦ୍ଧି ପାଇଁ ନିତାନ୍ତ ଆବଶ୍ୟକ। ଆସ, ଉଦ୍ଭିଦଗୁଡ଼ିକ କିପରି ସେମାନଙ୍କର ବୃଦ୍ଧି ପାଇଁ ପୋଷକତତ୍ତ୍ୱ ପାଆନ୍ତି ତାହା ଅନୁସନ୍ଧାନ କରିବା ।
୧୦.୧ ଉଦ୍ଭିଦର ବୃଦ୍ଧି କିପରି ହୁଏ ?
ତୁମର ଚତୁଃପାର୍ଶ୍ଵକୁ ଲକ୍ଷ୍ୟ କର । ତୁମେ କ’ଣ ଉଦ୍ଭିଦର ଜୀବନକାଳ ମଧ୍ୟରେ କୌଣସି ପରିବର୍ତ୍ତନ ଦେଖୁଛ ? ଉଦ୍ଭିଦ ବଢ଼ିବା ସହିତ ନୂଆ ପତ୍ର ଏବଂ ଡାଳ ବାହାରିଥାଏ, ତା’ର ଉଚ୍ଚତାରେ ବୃଦ୍ଧି ହୁଏ ଏବଂ ତା’ର କାଣ୍ଡ ମୋଟା ହୁଏ । ଏହି ପରିବର୍ତ୍ତନ ଗୁଡ଼ିକର କାରଣ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ? ତୁମର ସାଙ୍ଗମାନଙ୍କ ସହିତ ଆଲୋଚନା କର ଏବଂ ତୁମେ ଯାହା ଜାଣିବାକୁ ପାଇଲ, ତାହା ମଧ୍ୟ ଜଣାଅ।
- ଯେତେବେଳେ ଆମେ ନିୟମିତ ଭାବରେ ଗଛମୂଳରେ ପାଣି ଦେଉ, ସେମାନେ ଭଲ ଭାବରେ ବଢ଼ନ୍ତି । ତେଣୁ, ମୁଁ ଭାବୁଛି ପାଣି ମଧ୍ୟ ଏହାର ବୃଦ୍ଧିରେ ସାହାଯ୍ୟ କରେ ।
- ମୁଁ ଭାବୁଛି ସୂର୍ଯ୍ୟକିରଣ ଗଛଗୁଡ଼ିକର ବୃଦ୍ଧିରେ କିଛି ଭୂମିକା ଗ୍ରହଣ କରେ ।
- ବୋଧହୁଏ ଗଛଗୁଡ଼ିକ ମୂଳ ଦ୍ୱାରା ମାଟିରୁ ଖାଦ୍ୟ ଗ୍ରହଣ କରନ୍ତି ।
- ମୁଁ ଭାବୁଛି, [???] ହୁଏତ, କିଛି ଭୂମିକା ଗ୍ରହଣ କରେ।
ଆସ ଏଗୁଡ଼ିକ ମଧ୍ୟରୁ କିଛି ଉକ୍ତିର ସତ୍ୟତା ନିରୂପଣ କରିବା ପାଇଁ ଏକ ପରୀକ୍ଷଣ କରିବା ।
କାର୍ଯ୍ୟ ୧୦.୧ ଆସ, କିଛି ବ୍ୟାଖ୍ୟାର ସତ୍ୟତା ପରୀକ୍ଷା କରିବା ।
ସମାନ ଆକାରର ତିନୋଟି ମାଟି ପାତ୍ର (କିମ୍ବା ବ୍ୟବହୃତ ବୋତଲ ବା ପାତ୍ର) ନିଅ । ପ୍ରତ୍ୟେକ ପାତ୍ରକୁ ବଗିଚା ମାଟିରେ ଭର୍ତ୍ତି କର । ସେଥିରେ ଲଙ୍କା କିମ୍ବା ଟମାଟୋ ପରି ଦ୍ରୁତ ବଢ଼ୁଥିବା ଗଛର ସମାନ ଆକାରର ଚାରା ଲଗାଅ (ଚିତ୍ର ୧୦.୧)।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୧ : ଉଦ୍ଭିଦ ବୃଦ୍ଧିରେ ସୂର୍ଯ୍ୟାଲୋକ ଏବଂ ଜଳର ଭୂମିକା ବୁଝିବା ପାଇଁ ପ୍ରୟୋଗାତ୍ମକ ବ୍ୟବସ୍ଥା: (a) ପାତ୍ର ‘କ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ ଜଳ ସହିତ ରଖାଗଲା, (b) ପାତ୍ର ‘ଖ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ ଜଳ ବିନା ରଖାଗଲା, (c) ପାତ୍ର ‘ଗ’ କୁ ଅନ୍ଧାରରେ ଏକ ବାକ୍ସ ଭିତରେ ଜଳ ସହିତ ରଖାଗଲା।)
ପାତ୍ରଗୁଡ଼ିକୁ ‘କ’, ‘ଖ’, ଏବଂ ‘ଗ’ ନାମାଙ୍କନ କର। ପ୍ରତ୍ୟେକ ଚାରାରେ ପତ୍ର ସଂଖ୍ୟା ଗଣ ଏବଂ ତୁମର ପର୍ଯ୍ୟବେକ୍ଷଣ ଲିପିବଦ୍ଧ କର ।
ପାତ୍ର ‘କ’ କୁ ସିଧାସଳଖ ସୂର୍ଯ୍ୟାଲୋକରେ ରଖ । ଏହି କୁଣ୍ଡରେ ଥିବା ମାଟିକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଜଳ ଦେଇ ଟିକିଏ ଓଦା ରଖ (ଚିତ୍ର ୧୦.୧ କ)।
ପାତ୍ର ‘ଖ’ ମାଟିରେ ଜଳ ନ ଦେଇ ସିଧାସଳଖ ସୂର୍ଯ୍ୟାଲୋକରେ ରଖ । (ଚିତ୍ର ୧୦.୧ ଖ)
ପାତ୍ର ‘ଗ’ କୁ ଅନ୍ଧାରରେ ରଖ । ଏହି ପାତ୍ରରେ ଥିବା ମାଟିକୁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ଜଳ ଦେଇ ଅଳ୍ପ ଓଦା ରଖ । (ଚିତ୍ର ୧୦.୧ ଗ)।
ଦୁଇ ସପ୍ତାହ ପାଇଁ ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କର ଏବଂ ସେମାନଙ୍କର ଉଚ୍ଚତା, ପତ୍ର ସଂଖ୍ୟା, ପତ୍ରର ରଙ୍ଗ ଏବଂ ଦେଖାଯାଉଥିବା ଅନ୍ୟ କୌଣସି ପରିବର୍ତ୍ତନକୁ ଲିପିବଦ୍ଧ କର।
ସାରଣୀ ୧୦.୧ ରେ ତୁମର ପର୍ଯ୍ୟବେକ୍ଷଣଗୁଡ଼ିକୁ ଲିପିବଦ୍ଧ କର।
ସାରଣୀ ୧୦.୧ : ଉଦ୍ଭିଦ ବୃଦ୍ଧି ଉପରେ ସୂର୍ଯ୍ୟକିରଣ ଏବଂ ଜଳର ପ୍ରଭାବ
| ବିଭିନ୍ନ ଅବସ୍ଥାରେ ରଖାଯାଇଥିବା କୁଣ୍ଡ | ଉପଲବ୍ଧତା (ସୂର୍ଯ୍ୟାଲୋକ) | ଉପଲବ୍ଧତା (ଜଳ) | ଉଦ୍ଭିଦର ଉଚ୍ଚତା (ସେ.ମି.) ପ୍ରଥମ ଦିନ | ଉଦ୍ଭିଦର ଉଚ୍ଚତା (ସେ.ମି.) ଦୁଇ ସପ୍ତାହ ପରେ | ପତ୍ର ସଂଖ୍ୟା ପ୍ରଥମ ଦିନ | ପତ୍ର ସଂଖ୍ୟା ଦୁଇ ସପ୍ତାହ ପରେ | ପତ୍ରର ରଙ୍ଗ (ସବୁଜ/ହଳଦିଆ) |
|---|---|---|---|---|---|---|---|
| ପାତ୍ର ‘କ’ | ସିଧାସଳଖ ସୂର୍ଯ୍ୟାଲୋକରେ | ଜଳ ସହିତ | |||||
| ପାତ୍ର ‘ଖ’ | ସିଧାସଳଖ ସୂର୍ଯ୍ୟାଲୋକରେ | ବିନା ଜଳ | |||||
| ପାତ୍ର ‘ଗ’ | ଅନ୍ଧାରରେ | ଜଳ ସହିତ |
- ତିନୋଟି ପାତ୍ରରେ ଥିବା ଗଛଗୁଡ଼ିକ ମଧ୍ୟରେ ତୁମେ କେଉଁ ପାର୍ଥକ୍ୟ ଦେଖୁଛ ?
- କେଉଁ ପାତ୍ରରେ ଗଛଟି ସର୍ବାଧିକ ବୃଦ୍ଧିପାଇଛି ?
- କେଉଁ ପାତ୍ରରେ ଗଛଟି ସବୁଠାରୁ କମ ବୃଦ୍ଧିପାଇଛି ?
ସାରଣୀ ୧୦.୧ ରେ ଲିପିବଦ୍ଧ ହୋଇଥିବା ପର୍ଯ୍ୟବେକ୍ଷଣଗୁଡିକ ବିଶ୍ଳେଷଣ କର, ତୁମ ଶିକ୍ଷକ ଏବଂ ସାଙ୍ଗମାନଙ୍କ ସହିତ ସେଗୁଡିକ ବିଷୟରେ ଆଲୋଚନା କର ।
ତୁମେ ହୁଏତ ଦେଖୁଥିବ ଯେ ପର୍ଯ୍ୟାପ୍ତ ଜଳ ପାଇଥିବା କିନ୍ତୁ ଆଦୌ ସୂର୍ଯ୍ୟାଲୋକ ପାଇ ନଥିବା ପାତ୍ର ‘ଗ’ ରେ ଥିବା ଉଦ୍ଭିଦ ଅପେକ୍ଷା ପର୍ଯ୍ୟାପ୍ତ ଜଳ ସହିତ ସିଧାସଳଖ ସୂର୍ଯ୍ୟାଲୋକରେ ରଖାଯାଇଥିବା ପାତ୍ର ‘କ’ ରେ ଥିବା ଉଦ୍ଭିଦ, ଭଲ ବଢ଼ିଛି । ପାତ୍ର ‘ଖ’ ରେ ଥିବା ଉଦ୍ଭିଦଟି ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ପାଇଥିଲେ ମଧ୍ୟ ଜଳ ନପାଇବାରୁ ମରି ଯାଇପାରେ।
ଏହି କାର୍ଯ୍ୟରେ କରାଯାଇଥିବା ପର୍ଯ୍ୟବେକ୍ଷଣରୁ ତୁମେ କ’ଣ ଅନୁମାନକରୁଛ ? ଫଳାଫଳଗୁଡିକ ସୂଚାଇ ଦିଏ ଯେ ଉଦ୍ଭିଦଗୁଡିକୁ ସେମାନଙ୍କର ବୃଦ୍ଧି ପାଇଁ ସୂର୍ଯ୍ୟାଲୋକ ଏବଂ ଜଳ ଉଭୟ ଆବଶ୍ୟକ।
(୧. ଏହି ପରୀକ୍ଷଣ ପାଇଁ ଦୁଇ ସପ୍ତାହ ଲାଗିବ । ଶିକ୍ଷକମାନେ ଏହି କାର୍ଯ୍ୟକରିବା ପାଇଁ ସେହି ଅନୁସାରେ ଯୋଜନା କରିବେ।)
ଚିତ୍ତାକର୍ଷକ ତଥ୍ୟ
“ଫଳ କୁସୁମ ସମ୍ପଦୁଚିତା ରୋପଣତୋ ଭବତି କେବଳାନ୍ନ ଯତଃ ।”
“କେବଳ ରୋପଣ କରାଯାଇଥିବାରୁ ଗଛଗୁଡ଼ିକରେ ଫୁଲ ଏବଂ ଫଳ ଉତ୍ପନ୍ନ ହୁଅନ୍ତି ନାହିଁ ।”
ଏହି ଧାଡ଼ିଟି ‘ବୃକ୍ଷ ଆୟୁର୍ବେଦ’ ନାମକ ଏକ ପ୍ରାଚୀନ ଭାରତୀୟ ଗ୍ରନ୍ଥରୁ ଆସିଛି । ଏଥିରେ ଫସଲର ବୃଦ୍ଧି ଏବଂ ଉତ୍ପାଦନକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ଉଦ୍ଭିଦର ବୃଦ୍ଧି, ମୃତ୍ତିକା ଏବଂ କୃଷି ପଦ୍ଧତି ବିଷୟରେ ଉପଯୋଗୀ ପର୍ଯ୍ୟବେକ୍ଷଣ ଲିପିବଦ୍ଧ ଅଛି। ଏଥିରେ ଥିବା ଲେଖାଗୁଡ଼ିକ ସମୟାନୁସାରେ ବ୍ୟବହାରିକ ଅଭିଜ୍ଞତା ଏବଂ ନମୁନା ଉପରେ ଆଧାରିତ ବୋଲି ମନେହୁଏ। ଏହି ଗ୍ରନ୍ଥଟି କୃଷି ପଦ୍ଧତିକୁ ମାର୍ଗଦର୍ଶନ ଦେବା ପାଇଁ ବ୍ୟବସ୍ଥିତ ଭାବରେ ଲିପିବଦ୍ଧ କରାଯାଇଥିଲା । ଉଦାହରଣ ସ୍ୱରୂପ, ଏଥିରେ ଜୈବିକ ସାର ପ୍ରସ୍ତୁତିର ବିଭିନ୍ନ ପଦ୍ଧତି, ଯେପରିକି ଜଳ, ଯଅ, ସହିତ ବିଭିନ୍ନ ମଞ୍ଜି, ଯେପରିକି ମୁଗ, ବିରି ଓ ବୁଟର ମିଶ୍ରଣ ବିଷୟରେ ଉଲ୍ଲେଖ ଅଛି ।
୧୦.୨ ଉଦ୍ଭିଦଗୁଡ଼ିକ ସେମାନଙ୍କର ବୃଦ୍ଧି ପାଇଁ ଖାଦ୍ୟ କିପରି ପାଆନ୍ତି ?
ଆମେ ଜାଣୁ ଯେ ପ୍ରାଣୀମାନେ ଉଦ୍ଭିଦରୁ ସେମାନଙ୍କର ଖାଦ୍ୟ ପାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ପ୍ରତ୍ୟକ୍ଷ ଭାବରେ ଉଦ୍ଭିଦକୁ ଖାଦ୍ୟ ରୂପେ ଗ୍ରହଣକରନ୍ତି ଓ ଆଉ କେତେକ ସେହି ପ୍ରାଣୀମାନଙ୍କୁ ଖାଆନ୍ତି ଯେଉଁମାନେ କି ଉଦ୍ଭିଦକୁ ଖାଇଥାଆନ୍ତି । ତେବେ ଉଦ୍ଭିଦମାନେ ବଢ଼ିବା ପାଇଁ ଆବଶ୍ୟକ ଖାଦ୍ୟ କିପରି ପାଆନ୍ତି ? ପ୍ରାଣୀମାନଙ୍କ ପରି ଉଦ୍ଭିଦମାନେ ଖାଦ୍ୟ ଖାଆନ୍ତି ନାହିଁ ।
୧୦.୨.୧ ପତ୍ର: ଉଦ୍ଭିଦର ‘ଖାଦ୍ୟ କାରଖାନା'
ଉଦ୍ଭିଦ ମଣ୍ଡଦ ଆକାରରେ ଖାଦ୍ୟ ସଂରକ୍ଷଣ କରେ । ମଣ୍ଡଦ ହିଁ ଏକ ପ୍ରକାର ଶ୍ୱେତସାର । ଏହା ଉଦ୍ଭିଦର ପତ୍ରରେ ଉତ୍ପାଦିତ ହୁଏ । ପତ୍ରଗୁଡ଼ିକ ପ୍ରାକୃତିକ ଉପାୟରେ ସାଧାରଣତଃ ପ୍ରଶସ୍ତ ଏବଂ ସମତଳ । ହରିତ୍ ଲବକ ବା ସବୁଜ କଣା (କ୍ଲୋରୋଫିଲ୍) ନାମକ ଏକ ସବୁଜ ରଞ୍ଜକ ରହିଥିବାରୁ ପତ୍ରଗୁଡ଼ିକ ପ୍ରାୟତଃ ସବୁଜ ରଙ୍ଗର ହୋଇଥାଏ । ହରିତ୍ ଲବକ ସୂର୍ଯ୍ୟକିରଣକୁ ଧରି ରଖିବାରେ ସାହାଯ୍ୟ କରେ।
ଆମେ ଏବେ ଜାଣିବାକୁ ଚେଷ୍ଟା କରିବା ଯେ ହରିତ୍ ଲବକ କିପରି ମଣ୍ଡଦ ରୂପରେ ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରେ ?
କାର୍ଯ୍ୟ ୧୦.୨ ଆସ, ଆମେ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟକଳାପ)
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୨ : ପତ୍ରରେ ମଣ୍ଡଦ ଉପସ୍ଥିତିର ପରୀକ୍ଷଣ: (କ) ସ୍ପିରିଟ୍ ଲ୍ୟାମ୍ପ, ବିକର, ପରୀକ୍ଷା ନଳୀ, ସୁରାସାର, ଜଳ, ପତ୍ର ଓ ତାରଜାଲି ସହିତ ଫୁଟାଯାଉଥିବା ବ୍ୟବସ୍ଥା; (ଖ) ପେଟ୍ରି ଡିସ୍ରେ ରଖାଯାଇଥିବା ରଙ୍ଗହୀନ ପତ୍ର ଉପରେ ଡ୍ରପର ସାହାଯ୍ୟରେ ଆୟୋଡିନ୍ ଦ୍ରବଣ ପକାଇ ଆୟୋଡିନ୍ ପରୀକ୍ଷା।)
ଶିକ୍ଷକ ଏହି କାର୍ଯ୍ୟ ପ୍ରଦର୍ଶନ କରିପାରନ୍ତି ।
ଗୋଟିଏ ପତ୍ରକୁ ନରମ କରିବା ପାଇଁ ଫୁଟୁଥିବା ଜଳରେ ପାଞ୍ଚମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖ।
ଏହି ପତ୍ରକୁ ପରୀକ୍ଷା ନଳୀରେ ଥିବା ସୁରାସାର (Alcohol) ରେ ବୁଡ଼ାଅ ।
ପରୀକ୍ଷା ନଳୀକୁ ଫୁଟୁଥିବା ଜଳ ଥିବା ଏକ ବିକରରେ ରଖି ପତ୍ର ରଙ୍ଗହୀନ ହେବା ପର୍ଯ୍ୟନ୍ତ ଅପେକ୍ଷା କର । (ଚିତ୍ର ୧୦.୨ କ) ।
ପତ୍ରଟିକୁ ଧୀରେ ବାହାର କରି ଏକ ପ୍ଲେଟ୍ରେ ରଖ।
ଏବେ, ରଙ୍ଗହୀନ ପତ୍ର ଉପରେ ଡ୍ରପର ସାହାଯ୍ୟରେ କିଛି ଆୟୋଡିନ୍ ଦ୍ରବଣ ପକାଅ (ଚିତ୍ର ୧୦.୨ ଖ) ।
କିଛି ମିନିଟ୍ ଅପେକ୍ଷା କର ଏବଂ ପର୍ଯ୍ୟବେକ୍ଷଣ କର । ଯଦି ପତ୍ରର ରଙ୍ଗ ଗାଢ଼ ନୀଳ ହୋଇଯାଏ, ତେବେ ମଣ୍ଡଦର ଉପସ୍ଥିତି ସୂଚିତ ହୁଏ।
ସତର୍କତା: ସୁରାସାର (Alcohol)କୁ କେବେବି ସିଧାସଳଖ ତାପ ଉତ୍ସ ପାଖରେ ରଖିବା ଉଚିତ୍ ନୁହେଁ, କାରଣ ଏହା ଅତ୍ୟନ୍ତ ଜ୍ଵଳନଶୀଳ ଏବଂ ସହଜରେ ନିଆଁ ଲାଗି ଜଳିଯାଇପାରେ।
ତୁମେ ଆଶ୍ଚର୍ଯ୍ୟ ହେଲ କି, ଏହି କାର୍ଯ୍ୟର ଆରମ୍ଭରେ ଆମେ ପତ୍ରକୁ କାହିଁକି ରଙ୍ଗହୀନ କଲୁ ?
ପତ୍ରକୁ ରଙ୍ଗହୀନ କରାଯିବାର କାରଣ ହେଉଛି–ପତ୍ରର ପ୍ରାକୃତିକ ରଙ୍ଗ ଉପସ୍ଥିତ ରହିଲେ ଆମେ ଆୟୋଡ଼ିନ୍ ଦ୍ୱାରା ହେଉଥିବା ରଙ୍ଗ ପରିବର୍ତ୍ତନକୁ ଠିକ୍ ଭାବରେ ଦେଖିପାରିବା ନାହିଁ । ରଙ୍ଗହୀନ ପତ୍ର ଆମକୁ ମଣ୍ଡଦ ଅଛି କି ନାହିଁ ତାହା ସ୍ପଷ୍ଟ ଭାବେ ପର୍ଯ୍ୟବେକ୍ଷଣ କରିବାରେ ସାହାଯ୍ୟ କରେ।
ଅଧିକ ଜାଣିବା
କାର୍ଯ୍ୟ ୧୦.୧ ରେ, ଆମେ ଜାଣିଥିଲୁ ଯେ ଉଦ୍ଭିଦର ବୃଦ୍ଧି ପାଇଁ ଜଳ ଏବଂ ସୂର୍ଯ୍ୟକିରଣ ଅତ୍ୟନ୍ତ ଜରୁରୀ । କାର୍ଯ୍ୟ ୧୦.୨ ରେ, ଆମେ ଜାଣିଲୁ ଯେ ସବୁଜ ପତ୍ର ମଣ୍ଡଦ ଭାବରେ ଖାଦ୍ୟ ସଂରକ୍ଷଣ କରେ।
ଜଣେ ଜିଜ୍ଞାସୁ ଛାତ୍ର ଓ ବଗିଚା ପ୍ରେମୀ ଭାବରେ ଭାସ୍କର ଖାଲି ସମୟରେ ବଗିଚାରେ କାମ କରିବାକୁ ଭଲ ପାଏ । ସେ ପ୍ରାୟତଃ ତା’ର ଚାରିପାଖରେ ଥିବା ଉଦ୍ଭିଦମାନେ କିପରି ବଢ଼ନ୍ତି ଓ ନିଜର ଖାଦ୍ୟ ତିଆରି କରନ୍ତି, ତାହା ବୁଝିବାକୁ ଚେଷ୍ଟା କରେ । ତା’ର ଅଭିଜ୍ଞତା ଦ୍ୱାରା ସେ ଜାଣିପାରିଛି ଯେ ଜଳ ଓ ସୂର୍ଯ୍ୟକିରଣ ଉଦ୍ଭିଦ ବୃଦ୍ଧିରେ ଅତ୍ୟାବଶ୍ୟକ । କିନ୍ତୁ, ସେ ଏହା ମଧ୍ୟ ଚିନ୍ତାକରେ ଯେ ‘ସୂର୍ଯ୍ୟକିରଣ ଉଦ୍ଭିଦକୁ ମଣ୍ଡଦ ରୂପରେ ଖାଦ୍ୟ ତିଆରି କରିବାରେ ସାହାଯ୍ୟ କରେ କି ନାହିଁ ?’
(ଛବି: ଭାସ୍କର ଭାବୁଛି - “ଉଦ୍ଭିଦମାନଙ୍କରେ ମଣ୍ଡଦ ଉତ୍ପାଦନରେ ସୂର୍ଯ୍ୟକିରଣ କିପରି ସାହାଯ୍ୟ କରେ ?”)
କାର୍ଯ୍ୟ ୧୦.୩ ଆସ ଯାଞ୍ଚ କରିବା
ଭାସ୍କର ଦୁଇଟି ଅଲଗା ଅଲଗା କୁଣ୍ଡରେ ଲାଗିଥିବା କ୍ରୋଟନ୍ ଗଛକୁ ବାଛିଲା । ଏହି ଗଛର ପତ୍ରରେ ଉଭୟ ସବୁଜ ଏବଂ ଅଣ-ସବୁଜ ଅଂଶ ଥାଏ । ଗୋଟିଏ ଗଛକୁ ସୂର୍ଯ୍ୟକିରଣରେ ରଖାଯାଇଥିଲା ଓ ଅନ୍ୟଟିକୁ ୩୬ ଘଣ୍ଟା ଧରି ଅନ୍ଧାର ଘରେ ରଖାଯାଇଥିଲା। ପ୍ରତ୍ୟେକ ଗଛରୁ ସେ ଗୋଟିଏ ଲେଖାଏଁ ପତ୍ର ନେଲା । ସେ ପତ୍ରରେ ମଣ୍ଡଦ ଅଛି କି ନାହିଁ ପରୀକ୍ଷା କରିବା ପୂର୍ବରୁ ଏବଂ ପରେ ପତ୍ରଗୁଡ଼ିକୁ ତୁଳନା କରିବାକୁ ଇଚ୍ଛାକଲା ।
ଭାସ୍କର ଗୋଟିଏ ଟ୍ରେସିଂ ପେପର (ତେଲିଆ କାଗଜ) ନେଇ ସେଥିରେ ପତ୍ରର ସ୍କେଚ୍ ଅଙ୍କନ କଲା । ସେଥିରେ ପତ୍ରର ସବୁଜ ଓ ଅଣ-ସବୁଜ ଅଂଶଗୁଡ଼ିକୁ ଚିହ୍ନାଇ ରଖିଲା । ତା’ପରେ, ସେ ପତ୍ରଦୁଇଟିକୁ ନେଇ କାର୍ଯ୍ୟ ୧୦.୨ ରେ ଦର୍ଶାଯାଇଥିବା ପରି ଏକ ଆୟୋଡିନ୍ ପରୀକ୍ଷା କଲା । ଶେଷରେ ନିଜର ପର୍ଯ୍ୟବେକ୍ଷଣକୁ ସାରଣୀ ୧୦.୨ ରେ ଲେଖିଲା ।
ସାରଣୀ ୧୦.୨ : ଗଛର ପତ୍ରର ସବୁଜ ଏବଂ ଅଣ-ସବୁଜ ଅଂଶରେ ମଣ୍ଡଦର ଉପସ୍ଥିତି
| କ୍ରମ ସଂଖ୍ୟା | କୁଣ୍ଡରେ ଲଗାଯାଇଥିବା ଗଛ ପାଇଁ ଆଲୋକ ଅବସ୍ଥା | ଆୟୋଡ଼ିନ୍ ପରୀକ୍ଷା ପୂର୍ବରୁ ପ୍ରାରମ୍ଭିକ ରଙ୍ଗ | ଆୟୋଡ଼ିନ୍ ପରୀକ୍ଷା ପରେ ଅନ୍ତିମ ରଙ୍ଗ |
|---|---|---|---|
| ୧ | ସୂର୍ଯ୍ୟାଲୋକରେ ରଖାଯାଇଥିବା ଗଛ | ପତ୍ରରେ ସବୁଜ ଏବଂ ଅଣ-ସବୁଜ ଅଂଶ | ପତ୍ରରେ ସବୁଜ ଅଂଶ ଗାଢ଼ ନୀଳ ହୋଇଗଲା |
| ୨ | ଅନ୍ଧକାରରେ ରଖାଯାଇଥିବା ଗଛ | ପତ୍ରରେ ସବୁଜ ଏବଂ ଅଣ-ସବୁଜ ଅଂଶ | ରଙ୍ଗରେ କୌଣସି ପରିବର୍ତ୍ତନ ହେଲାନାହିଁ |
(ଚିତ୍ର ବର୍ଣ୍ଣନା: ଟେବୁଲରେ ସୂର୍ଯ୍ୟାଲୋକ ଏବଂ ଅନ୍ଧକାରରେ ରଖାଯାଇଥିବା ଗଛର କୁଣ୍ଡ ଓ ପତ୍ରରେ ଆୟୋଡିନ୍ ପରୀକ୍ଷାର ଫଳାଫଳ ଦର୍ଶାଉଥିବା ଚିତ୍ର ଏବଂ ବିଭିନ୍ନ ପ୍ରକାରର ରଙ୍ଗୀନ ପତ୍ରଗୁଡ଼ିକର ଚିତ୍ର।)
ସାରଣୀ ୧୦.୨ ରେ, ଭାସ୍କରର ପରୀକ୍ଷା ଅନୁଯାୟୀ ସୂର୍ଯ୍ୟକିରଣରେ ରଖାଯାଇଥିବା ଗଛର ପତ୍ରରେ ସବୁଜ ଅଂଶରେ ଗାଢ଼ ନୀଳ ରଙ୍ଗର ଉପସ୍ଥିତି ଦର୍ଶାଯାଇଛି । ଗାଢ଼ ନୀଳ ରଙ୍ଗ ମଣ୍ଡଦର ଉପସ୍ଥିତି ସୂଚାଇଥାଏ । ସେହିପରି ଅନ୍ଧାରରେ ରଖାଯାଇଥିବା ଗଛର ପତ୍ରର ସବୁଜ ଅଂଶ ସହିତ ଅନ୍ୟ କୌଣସି ଅଂଶରେ ବି ଗାଢ଼ ନୀଳ ରଙ୍ଗ ନାହିଁ, ଯାହା ସୂଚାଉଛି ଯେ କୌଣସି ମଣ୍ଡଦ ଉତ୍ପାଦିତ ହୋଇନାହିଁ। ସୂର୍ଯ୍ୟକିରଣରେ ରଖାଯାଇଥିବା ଗଛର ପତ୍ରରେ ଅଣ-ସବୁଜ ଅଂଶରେ ଗାଢ଼ ନୀଳ ରଙ୍ଗ ଦେଖାଯାଉନାହିଁ । ଭାସ୍କର ପରି ତୁମେ ମଧ୍ୟ ଭାବୁଛ କି ଯେ ସେହି ଅଂଶଗୁଡ଼ିକରେ କୌଣସି ହରିତ୍ ଲବକ ବା ସବୁଜ କଣା (କ୍ଲୋରୋଫିଲ୍) ନାହିଁ ? ପ୍ରକୃତରେ ଅଣ-ସବୁଜ ଅଂଶରେ ପର୍ଯ୍ୟାପ୍ତ ପରିମାଣରେ ହରିତ୍ ଲବକ ନଥିବାରୁ ଯଥେଷ୍ଟ ମଣ୍ଡଦ ତିଆରି ହୋଇନାହିଁ।
ଚିତ୍ତାକର୍ଷକ ତଥ୍ୟ
କିଛି ଉଦ୍ଭିଦର ପତ୍ର ଲାଲ, ବାଇଗଣୀ କିମ୍ବା ମାଟିଆ ଦେଖାଯାଏ କାରଣ ଏଥିରେ ସବୁଜ ରଙ୍ଗର ହରିତ୍ ଲବକ ଅପେକ୍ଷା ଅନ୍ୟ ରଙ୍ଗୀନ ବର୍ଣ୍ଣକଣା ବା ଲବକ ଅଧିକ ଥାଏ । ଏହା ସବୁଜ ରଙ୍ଗକୁ ଲୁଚାଇ ଦିଏ। ଏହି ବର୍ଣ୍ଣକଣାଗୁଡ଼ିକ ମଧ୍ୟରୁ କିଛି ଆଲୋକ ସଂଶ୍ଳେଷଣରେ ମଧ୍ୟ ସାହାଯ୍ୟ କରନ୍ତି। ଏପରି ପତ୍ରରେ ପ୍ରକୃତରେ ଆଲୋକ ସଂଶ୍ଳେଷଣ ହୋଇଛି କି ନାହିଁ ତାହା ଆୟୋଡ଼ିନ୍ ପରୀକ୍ଷା ଦ୍ଵାରା ଜାଣିପାରିବା। ଜଣାଯିବ ଯେ ଏଥିରେ ଆଲୋକ ସଂଶ୍ଳେଷଣ ହେଉଛି।
ସାରଣୀ ୧୦.୨ ରେ ତାଲିକାଭୁକ୍ତ ପର୍ଯ୍ୟବେକ୍ଷଣରୁ ଆମେ କ’ଣ ଜାଣିବାକୁ ପାଇଲେ ? ଆମେ ଜାଣୁ ଯେ ହରିତ୍ ଲବକ (କ୍ଲୋରୋଫିଲ୍) ଉପସ୍ଥିତି ଯୋଗୁଁ ପତ୍ରଗୁଡ଼ିକ ପ୍ରାୟତଃ ସବୁଜ ହୋଇଥାଏ । ଆମେ ଏହା ମଧ୍ୟ ଦେଖିଛୁ ଯେ ପତ୍ରର ସବୁଜ ଅଂଶ ଥିବା ସ୍ଥାନରେ ହିଁ ମଣ୍ଡଦ ଉତ୍ପାଦନ ହୁଏ । ଆମେ ଏବେ ଏହି ସିଦ୍ଧାନ୍ତ କରି ପାରିବା ଯେ ହରିତ୍ ଲବକ ସୂର୍ଯ୍ୟକିରଣ ଉପସ୍ଥିତିରେ ମଣ୍ଡଦ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ପ୍ରକୃତରେ, ଏହା ମଣ୍ଡଦ ପ୍ରସ୍ତୁତି ପାଇଁ ଅତ୍ୟାବଶ୍ୟକ। ତେଣୁ, ପତ୍ରଗୁଡ଼ିକୁ ଉଦ୍ଭିଦର ‘ଖାଦ୍ୟ କାରଖାନା’ ବା ରୋଷେଇଘର ମଧ୍ୟ କୁହାଯାଏ।
ଉଦ୍ଭିଦରେ ଖାଦ୍ୟ ପ୍ରସ୍ତୁତି ପାଇଁ ଆଉ କ’ଣ ଆବଶ୍ୟକ ? ଆସ ଜାଣିବା।
୧୦.୨.୨ ଉଦ୍ଭିଦରେ ଖାଦ୍ୟ ପ୍ରସ୍ତୁତିରେ ବାୟୁର ଭୂମିକା
(ସମ୍ବାଦ: “ଉଦ୍ଭିଦରୁ ଖାଦ୍ୟ ପ୍ରସ୍ତୁତ ସଂପର୍କରେ ବୈଜ୍ଞାନିକମାନଙ୍କର ଅବଦାନ ବିଷୟରେ ପଢ଼ିବା ବେଳେ, ମୋର ଭଉଣୀ ମୋତେ କହିଲା ଯେ ଉଦ୍ଭିଦମାନଙ୍କରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ବାୟୁର ମଧ୍ୟ ଭୂମିକା ଅଛି ।” - “ଉଦ୍ଭିଦମାନଙ୍କରେ ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ପାଇଁ ବାୟୁରୁ କେଉଁ ଗ୍ୟାସ୍ ଆବଶ୍ୟକ ?”)
କାର୍ଯ୍ୟ ୧୦.୪ : ଆସ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟ)
ଶିକ୍ଷକ ଏହି କାର୍ଯ୍ୟ ପ୍ରଦର୍ଶନ କରିପାରିବେ ।
କୁଣ୍ଡରେ ଥିବା ଗୋଟିଏ ସବୁଜ ଗଛ ନିଅ ଏବଂ ଏହାକୁ ଦୁଇରୁ ତିନି ଦିନ ପାଇଁ ଅନ୍ଧାରରେ ରଖ । ଏହାଦ୍ଵାରା ପତ୍ରରେ ଥିବା ମଣ୍ଡଦ ବ୍ୟବହୃତ ହୋଇଯିବ । ତାପରେ, ଏହି ଗଛର ଗୋଟିଏ ପତ୍ର ପରୀକ୍ଷା ପାଇଁ ବାଛ ।
ଏକ ଚଉଡା ମୁହଁ ଥିବା ବୋତଲ ନିଅ ଏବଂ ଏଥିରେ କିଛି କଷ୍ଟିକ୍ ସୋଡା (ସୋଡିୟମ୍ ହାଇଡ୍ରୋକ୍ସାଇଡ୍) ଢାଳ । କଷ୍ଟିକ୍ ସୋଡା ବାୟୁରୁ ଅଙ୍ଗାରକାମ୍ଳ ଶୋଷଣ କରେ ।
ସତର୍କତା: କଷ୍ଟିକ୍ ସୋଡ଼ା ଏକ ଶକ୍ତିଶାଳୀ ରାସାୟନିକ ପଦାର୍ଥ । ଏହା ଚର୍ମରେ ଲାଗିଲେ ତାକୁ ପୋଡ଼ିଦେଇପାରେ; ତେଣୁ ଶିକ୍ଷକ ଏହାକୁ ପରିଚାଳନା କରିବା ଉଚିତ ।
ବୋତଲର କର୍କ ମଧ୍ୟରେ ଥିବା ଫାଟ ଦେଇ ପତ୍ରଟିର ଅଧା ଅଂଶ ପ୍ରବେଶ କରାଅ । ଅନ୍ୟ ଅର୍ଦ୍ଧେକ ଅଂଶ ବୋତଲ ବାହାରେ ରହୁ । ଚିତ୍ର ୧୦.୩ ‘କ’ ରେ ଦେଖାଯାଇଥିବା ପରି ବୋତଲକୁ ରଖ।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୩: କ୍ଲୋରୋଫିଲ୍ ଏବଂ ବାୟୁର ଭୂମିକା ପରୀକ୍ଷା କରିବା - (କ) ମଣ୍ଡଦହୀନ ଉଦ୍ଭିଦର ପତ୍ରକୁ କଷ୍ଟିକ୍ ସୋଡ଼ା ଦ୍ରବଣ ଥିବା ବୋତଲ ଭିତରେ ଅଧା ପୂରାଇ ରଖିବା ବ୍ୟବସ୍ଥା, (ଖ) ପତ୍ରରେ ଆୟୋଡ଼ିନ୍ ପରୀକ୍ଷା।)
ଉଦ୍ଭିଦକୁ ଆଣି କିଛି ଘଣ୍ଟା ପାଇଁ ସୂର୍ଯ୍ୟକିରଣରେ ରଖ।
ଜଳ, ସୂର୍ଯ୍ୟକିରଣ, କ୍ଲୋରୋଫିଲ୍ ଏବଂ ଅଙ୍ଗାରକାମ୍ଳର ଉପଲବ୍ଧତାକୁ ପର୍ଯ୍ୟବେକ୍ଷଣ କର ଏବଂ ସାରଣୀ ୧୦.୩ ରେ ଲେଖ।
ପତ୍ରକୁ ବାହାରକୁ କାଢି କାର୍ଯ୍ୟ ୧୦.୨ରେ କରାଯାଇଥିବା ପରି ପରୀକ୍ଷା କର ଏବଂ ଆୟୋଡିନ୍ ବ୍ୟବହାର କରି ମଣ୍ଡଦର ଉପସ୍ଥିତି ପରୀକ୍ଷା କର।
ସାରଣୀ ୧୦.୩ ରେ ତୁମର ପର୍ଯ୍ୟବେକ୍ଷଣ ଲେଖ ।
ସାରଣୀ ୧୦.୩ : ଉଦ୍ଭିଦରେ ମଣ୍ଡଦ ପ୍ରସ୍ତୁତିରେ ବାୟୁର ଭୂମିକା
| ପତ୍ରର ଏକ ଅଂଶ | ଉପଲବ୍ଧତା (ଜଳ) | ଉପଲବ୍ଧତା (ସୂର୍ଯ୍ୟାଲୋକ) | ଉପଲବ୍ଧତା (ହରିତ୍ ଲବକ) | ଉପଲବ୍ଧତା (ଅଙ୍ଗାରକାମ୍ଳ) | ମଣ୍ଡଦ ଅଛି (ହଁ/ନା) |
|---|---|---|---|---|---|
| ବୋତଲ ଭିତରେ ଥିବା ପତ୍ରର ଅଂଶ | |||||
| ବୋତଲ ବାହାରେ ଥିବା ପତ୍ରର ଅଂଶ |
ଆମେ ଦେଖୁଛୁ ଯେ ବୋତଲ ବାହାରେ ଥିବା ପତ୍ରର ଅଂଶ ଗାଢ଼ ନୀଳ ହୋଇଯାଇଛି, ଏହା ମଣ୍ଡଦ ଉପସ୍ଥିତିକୁ ସୂଚିତ କରେ। କିନ୍ତୁ, ବୋତଲ ଭିତରେ ଥିବା ପତ୍ରର ଅଂଶ ଗାଢ ନୀଳ ରଙ୍ଗ ହୋଇ ନାହିଁ, ଯାହା ସୂଚିତ କରେ ଯେ ପତ୍ରର ସେହି ଅଂଶରେ ଖାଦ୍ୟ ତିଆରିହୁଏ ନାହିଁ। ଏହାର କାରଣ ହେଉଛି ବୋତଲ ଭିତରେ ଥିବା କଷ୍ଟିକ୍ ସୋଡା ଦ୍ରବଣ ବାୟୁରେ ଥିବା ଅଙ୍ଗାରକାମ୍ଳ ଶୋଷଣ କରିନେଇଛି। ଏହି ପରୀକ୍ଷଣରୁ କ’ଣ ଜଣାପଡୁଛି ?
ଏହି ପରୀକ୍ଷାରୁ ଜଣା ପଡ଼ିଲା ଯେ ବାୟୁରେ ଥିବା ଅଙ୍ଗାରକାମ୍ଳ ଉଦ୍ଭିଦ ପତ୍ରରେ ମଣ୍ଡଦ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ।
କାର୍ଯ୍ୟ ୧୦.୩ ଏବଂ ୧୦.୪ ଉପରେ ଆଧାର କରି, ତୁମେ କେଉଁ ସିଦ୍ଧାନ୍ତରେ ଉପନୀତ ହେଲ ? ଉଦ୍ଭିଦର କେଉଁ ଅଂଶ ମଣ୍ଡଦ ସଂଶ୍ଳେଷଣରେ ଅଂଶଗ୍ରହଣ କରେ ?
ଏପର୍ଯ୍ୟନ୍ତ ତଥ୍ୟ ଓ ପରୀକ୍ଷାଗୁଡିକରୁ, ଆମେ ଜାଣିଲୁ ଯେ ଉଦ୍ଭିଦମାନଙ୍କରେ ଖାଦ୍ୟ ସଂଶ୍ଳେଷଣ ପାଇଁ ସୂର୍ଯ୍ୟକିରଣ, ପାଣି, ହରିତ୍ ଲବକ ଏବଂ ଅଙ୍ଗାରକାମ୍ଳ ଅତ୍ୟାବଶ୍ୟକ। ଯେଉଁ ପ୍ରକ୍ରିୟାରେ ସୂର୍ଯ୍ୟକିରଣ ଏବଂ ହରିତ୍ ଲବକ ଉପସ୍ଥିତିରେ ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତ କରେ ସେହି ପ୍ରକ୍ରିୟାକୁ ଆଲୋକ ସଂଶ୍ଳେଷଣ (photosynthesis) କୁହାଯାଏ। ଆଲୋକ ସଂଶ୍ଳେଷଣ ପାଇଁ ପତ୍ର ହେଉଛି ମୁଖ୍ୟ ସ୍ଥାନ । ଉଦ୍ଭିଦର ଅନ୍ୟ ସବୁଜ ଅଂଶ ମଧ୍ୟ ଆଲୋକସଂଶ୍ଳେଷଣ କରେ କି ? ହଁ, ହରିତ୍ ଲବକ ଥିବା ଉଦ୍ଭିଦର ଅନ୍ୟ ଅଂଶ ମଧ୍ୟ ଆଲୋକ ସଂଶ୍ଳେଷଣ କରେ।
ଏପର୍ଯ୍ୟନ୍ତ ଆମେ ଜାଣିଲୁ ଯେ ଉଦ୍ଭିଦମାନେ ବାୟୁ ଓ ଜଳରୁ ଅଙ୍ଗାରକାମ୍ଳ ଗ୍ରହଣକରନ୍ତି ଏବଂ ସୂର୍ଯ୍ୟକିରଣ ବ୍ୟବହାର କରି ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ବାରା ସେମାନଙ୍କର ଖାଦ୍ୟ ପ୍ରସ୍ତୁତକରନ୍ତି । କିନ୍ତୁ ତୁମେ କେବେ ଭାବିଛ କି ଏହି ପ୍ରକ୍ରିୟାରେ ଆଉ କ’ଣ ଘଟେ ? ଉଦ୍ଭିଦମାନେ କେବଳ ସେମାନଙ୍କ ପରିବେଶରୁ ପଦାର୍ଥ ଗ୍ରହଣ କରନ୍ତି, ନା ପରିବେଶକୁ ସେମାନେ କିଛି ଉତ୍ସର୍ଜନ କରନ୍ତି ? ଆସ, ଏହାକୁ ବର୍ଷା ଦିଦିଙ୍କ ଦ୍ବାରା କରାଯାଇଥିବା ଏକ ପରୀକ୍ଷଣ ମାଧ୍ଯମରେ ଅନୁସନ୍ଧାନ କରିବା।
କାର୍ଯ୍ୟ ୧୦.୫ : ଆସ, ଅନୁସନ୍ଧାନ କରିବା
ଚିତ୍ର ୧୦.୪ ଦେଖ । ‘କ’ ଏବଂ ‘ଖ’ ଭାବରେ ନାମିତ ହୋଇଥିବା ଦୁଇଟି ପରୀକ୍ଷଣ ବ୍ୟବସ୍ଥା ତୁଳନା କର ଏବଂ ବିଶ୍ଳେଷଣ କର।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୪ : ଆଲୋକ ସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହେଉଥିବା କାର୍ଯ୍ୟ: ବ୍ୟବସ୍ଥା ‘କ’ (ସୂର୍ଯ୍ୟାଲୋକରେ) ଏବଂ ବ୍ୟବସ୍ଥା ‘ଖ’ (ଅନ୍ଧାରରେ) ବିକର, ଜଳజ ଉଦ୍ଭିଦ, ଫନେଲ୍ ଏବଂ ଓଲଟା ପରୀକ୍ଷା ନଳୀରେ ବାୟୁ ଫୋଟକା ଜମା ହେବା ଦର୍ଶାଉଛି।)
ଚିତ୍ର ୧୦.୪ ରେ, ବ୍ୟବସ୍ଥା ‘କ’ କୁ ସୂର୍ଯ୍ୟାଲୋକରେ ରଖାଯାଇଛି, ଏବଂ ବ୍ୟବସ୍ଥା ‘ଖ’ କୁ ଅନ୍ଧାରରେ ରଖାଯାଇଛି । ଦୁଇଟି ବ୍ୟବସ୍ଥାରେ ତୁମେ କେଉଁ ପାର୍ଥକ୍ୟ ଦେଖୁଛ ? ତୁମେ କ’ଣ ବ୍ୟବସ୍ଥା ‘କ’ ରେ ଓଲଟା ପରୀକ୍ଷା ଟ୍ୟୁବରେ ବାୟୁ ବୁଦ୍ବୁଦ୍ (ଫୋଟକା) ବାହାରୁଥିବା ଦେଖୁଛ ? ଏହି ବ୍ୟବସ୍ଥାରେ ଉତ୍ପାଦିତ ଗ୍ୟାସ୍ ଯୋଗୁଁ ବୁଦବୁଦ ବାହାରୁଛି ଏବଂ ଓଲଟା ପରୀକ୍ଷା ନଳୀରେ ଜମା ହେଉଛି । ଏହା କେଉଁ ଗ୍ୟାସ୍ ?
“ହଁ ! ମୋର ମନେ ପଡିଲା । ଆମ ବିଜ୍ଞାନ ପରୀକ୍ଷାଗାରରେ, ଝରକା ପାଖରେ ସୂର୍ଯ୍ୟାଲୋକରେ ଏହିପରି ଏକ ବ୍ୟବସ୍ଥା ମୁଁ ଦେଖୁଛି।”
ଯେତେବେଳେ ଓଲଟା ପରୀକ୍ଷା ନଳୀରେ ପର୍ଯ୍ୟାପ୍ତ ଗ୍ୟାସ୍ ଜମା ହୋଇଗଲା, ସେତେବେଳେ ବର୍ଷା ଦିଦି ପରୀକ୍ଷା ନଳୀକୁ ବ୍ୟବସ୍ଥାରୁ ବାହାର କରିବା ସମୟରେ ତାଙ୍କ ବୁଢ଼ାଆଙ୍ଗୁଠିକୁ ପରୀକ୍ଷା ନଳୀର ମୁହଁରେ ରଖିଲେ । ତା’ପରେ ସେ ଶୀଘ୍ର ପରୀକ୍ଷା ନଳୀରେ ଏକ ଜଳୁଥିବା ଦିଆସିଲି କାଠି ଭର୍ତ୍ତି କଲେ ଏବଂ ଦିଆସିଲି କାଠି ଜୋର୍ ରେ ଜଳିଉଠିଲା ।
ସେ ସିଦ୍ଧାନ୍ତ କଲେ ଯେ ପରୀକ୍ଷା ନଳୀରେ ଥିବା ଗ୍ୟାସ ରେ ଅମ୍ଳଜାନ ପ୍ରଚୁର ପରିମାଣରେ ଅଛି । ଅର୍ଥାତ୍ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ସମୟରେ ଅମ୍ଳଜାନ ନିର୍ଗତହୁଏ । ଏହା ମଧ୍ୟ ସୂଚିତକରେ ଯେ ସୂର୍ଯ୍ୟାଲୋକର ଉପସ୍ଥିତିରେ ଆଲୋକ ସଂଶ୍ଳେଷଣ ଘଟେ।
ବର୍ଷା ଦିଦିଙ୍କ ପରୀକ୍ଷଣକୁ ଆଧାର କରି, ଆମେ ମଧ୍ୟ ସିଦ୍ଧାନ୍ତ ନେଇପାରିବା ଯେ ଆଲୋକ ସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ ହୁଏ।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୫ ଆଲୋକସଂଶ୍ଳେଷଣ ଦେଖାଉଥିବା ଏକ ଚିତ୍ର: ଗୋଟିଏ ସୂର୍ଯ୍ୟମୁଖୀ ଗଛ ଯେଉଁଥିରେ ସୂର୍ଯ୍ୟଙ୍କଠାରୁ ‘ଆଲୋକ ଶକ୍ତି’, ବାୟୁରୁ ‘ଅଙ୍ଗାରକାମ୍ଳ’, ମାଟିରୁ ‘ଜଳ ଓ ଖଣିଜ ଲବଣ’ ଗ୍ରହଣ କରି ପତ୍ରରେ ଥିବା ‘ହରିତ୍ ଲବକ’ ଦ୍ଵାରା ‘ଶ୍ଵେତସାର (ଶର୍କରା)’ ପ୍ରସ୍ତୁତ ହେଉଛି ଏବଂ ‘ଅମ୍ଳଜାନ’ ବାୟୁମଣ୍ଡଳକୁ ନିର୍ଗତ ହେଉଛି।)
୧୦.୨.୩ ସଂକ୍ଷେପରେ ଆଲୋକସଂଶ୍ଳେଷଣ
ଆମେ ଜାଣୁ ଯେ ଜଳ, ସୂର୍ଯ୍ୟକିରଣ, ବାୟୁରୁ ଅଙ୍ଗାରକାମ୍ଳ ଏବଂ ହରିତ୍ ଲବକ ଆଲୋକସଂଶ୍ଳେଷଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ (ଚିତ୍ର ୧୦.୫) । ଆଲୋକସଂଶ୍ଳେଷଣରେ ଶର୍କରା ଉତ୍ପାଦନ ହୁଏ । ଆଲୋକସଂଶ୍ଳେଷଣ ସମୟରେ ଖାଦ୍ୟ ପ୍ରକୃତରେ ଏକ ସରଳ ଶର୍କରା ଗ୍ଲୁକୋଜ୍ ଭାବରେ ଉତ୍ପାଦିତ ହୁଏ । ଏହି ଗ୍ଲୁକୋଜ୍ କେବଳ ଶକ୍ତିର ଏକ ତୁରନ୍ତ ଉତ୍ସ ଭାବରେ କାର୍ଯ୍ୟ କରେ ନାହିଁ ବରଂ ପରେ ମଣ୍ଡଦରେ ରୂପାନ୍ତରିତ ହୋଇ ଉଦ୍ଭିଦରେ ସଂଚିତ ହୁଏ। ଆଲୋକସଂଶ୍ଳେଷଣର ଶବ୍ଦ ସମୀକରଣ ନିମ୍ନରେ ଦିଆଯାଇଛି -
ବୈଜ୍ଞାନିକଙ୍କୁ ଜାଣ
(ଚିତ୍ର ବର୍ଣ୍ଣନା: ବୈଜ୍ଞାନିକ ରୁସ୍ତମ୍ ହର୍ମୁସ୍ଜି ଦସ୍ତୁରଙ୍କ ଫଟୋଚିତ୍ର।)
ବିଶ୍ଵର ଅନେକ ବୈଜ୍ଞାନିକ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ବିଷୟରେ ତଥ୍ୟ ଓ ଜ୍ଞାନର ବିକାଶ କରିବାରେ ଅବଦାନ ରଖୁଛନ୍ତି। ଭାରତରେ ରୁସ୍ତମ୍ ହର୍ମୁସ୍ଜି ଦସ୍ତୁର (୧୮୯୬-୧୯୬୧) ଆଲୋକସଂଶ୍ଳେଷଣ ପ୍ରକ୍ରିୟା ଅଧ୍ୟୟନ କରିଥିଲେ। ସେ ଜଣେ ଭାରତୀୟ ଉଦ୍ଭିଦବିଜ୍ଞାନୀ ଥିଲେ ଏବଂ ୧୯୨୧-୧୯୩୫ ପର୍ଯ୍ୟନ୍ତ ରୟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବମ୍ବେ (ବର୍ତ୍ତମାନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ମୁମ୍ବାଇ) ରେ ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସେ ଆଲୋକସଂଶ୍ଳେଷଣ ଉପରେ ଜଳ ଏବଂ ତାପମାତ୍ରାର ପରିମାଣର ପ୍ରଭାବ ଅଧ୍ୟୟନ କରିଥିଲେ। ସେ ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଜଳ, ତାପମାତ୍ରା ଏବଂ ଆଲୋକ ରଙ୍ଗର ଗୁରୁତ୍ବ ପରୀକ୍ଷା କରିଥିଲେ।
୧୦.୨.୪ ଆଲୋକସଂଶ୍ଳେଷଣ ସମୟରେ ପତ୍ରଗୁଡ଼ିକ କିପରି ଗ୍ୟାସ୍ ବିନିମୟ କରନ୍ତି ?
ଆମେ ଏବେ ଜାଣିଲେ ଯେ ଆଲୋକସଂଶ୍ଳେଷଣ ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ହୁଏ ଏବଂ ଏହି ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତହୁଏ । ଉଦ୍ଭିଦର କେଉଁ ଅଂଶ ଅଙ୍ଗାରକାମ୍ଳ ଏବଂ ଅମ୍ଳଜାନର ବିନିମୟରେ ସାହାଯ୍ୟ କରେ ? ଉଦ୍ଭିଦର କେଉଁ ଅଂଶରେ ଗ୍ୟାସ୍ ବିନିମୟ ହୁଏ ତାହା ବୁଝିବା ପାଇଁ ଆସ ଏକ କାର୍ଯ୍ୟ କରିବା।
କାର୍ଯ୍ୟ ୧୦.୬ : ଆସ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟକଳାପ)
ଶିକ୍ଷକ ଏହି କାର୍ଯ୍ୟକଳାପ ପ୍ରଦର୍ଶନ କରିପାରିବେ ।
- ରିଓ, ମନି ପ୍ଲାଣ୍ଟ, ପିଆଜ, ମନ୍ଦାର, କୋଲିୟସ୍ (Rhoeo, Money plant, Onion, Hibiscus, Coleus) ଯେକୌଣସି ଗଛରୁ ଏକ ପତ୍ର ସଂଗ୍ରହ କର।
- ଏହାକୁ ଜଳପୂର୍ଣ୍ଣ ଏକ ବିକରରେ ରଖ ।
- ପତ୍ରର ତଳ ପୃଷ୍ଠରୁ ଏକ ପତଳା ସ୍ତରକୁ ସତର୍କତାର ସହ ବାହାର କରି ଆଣ।
- ସେହି ପତଳା ସ୍ତରକୁ ପାଣି ସହିତ ଏକ ୱାଚ୍ ଗ୍ଲାସରେ ରଖ ।
- ଏବେ ଏକ ଅଣୁବୀକ୍ଷଣ ସ୍ଲାଇଡ୍ ନିଅ ଏବଂ ସତର୍କତାର ସହିତ ଏଥିରେ ପାଣିର ଏକ ବୁନ୍ଦା ରଖ।
- ଚିମୁଟା ସାହାଯ୍ୟରେ ଗ୍ଲାସରୁ ପତ୍ରର ପତଳା ସ୍ତରକୁ ସ୍ଲାଇଡକୁ ସ୍ଥାନାନ୍ତର କର ।
- ଡ୍ରପର ସାହାଯ୍ୟରେ ସେହି ପତଳା ପତ୍ର ସ୍ତର ଉପରେ କାଳି ବୁନ୍ଦାଟିଏ ପକାଅ।
- ଗୋଟିଏ କାଚ ଆବରଣ ଦ୍ଵାରା ସେହି ପତଳା ସ୍ତରକୁ ଘୋଡାଅ ଏବଂ ଏହାକୁ ଅଣୁବୀକ୍ଷଣଯନ୍ତ୍ର ତଳେ ପର୍ଯ୍ୟବେକ୍ଷଣ କର।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୬ : ରିଓ ପତ୍ରର ତଳ ପୃଷ୍ଠରେ ସ୍ତୋମ୍ (Stomata) - ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାଯାଉଥିବା ଛୋଟ ଛିଦ୍ର ସଦୃଶ ଗଠନ।)
ତୁମେ କ’ଣ ପର୍ଯ୍ୟବେକ୍ଷଣ କରୁଛ ? ଚିତ୍ର ୧୦.୬ ରେ ଦେଖାଯାଇଥିବା ପରି, ତୁମେ କ’ଣ ପତ୍ରର ପତଳା ସ୍ତର ଉପରେ ଛୋଟ ଛିଦ୍ର ଦେଖି ପାରୁଛ ? ଏହି ଛିଦ୍ରଗୁଡ଼ିକୁ ସ୍ତୋମ୍ (stomata) କୁହାଯାଏ । ପତ୍ରର ପୃଷ୍ଠରେ ଥିବା ସ୍ତୋମ୍ ଗ୍ୟାସ ବିନିମୟରେ ସାହାଯ୍ୟ କରେ।
୧୦. ୩ ଉଦ୍ଭିଦରେ ପରିବହନ
୧୦.୩. ୧ ଜଳ ଏବଂ ଖଣିଜ ପଦାର୍ଥର ପରିବହନ
ସମସ୍ତ ଜୀବ ବୃଦ୍ଧି ପାଇଁ ପାଣି ଆବଶ୍ୟକ କରନ୍ତି। ଉଦ୍ଭିଦଗୁଡ଼ିକ ଆଲୋକସଂଶ୍ଳେଷଣ ପ୍ରକ୍ରିୟାରେ ଜଳ ବ୍ୟବହାର କରନ୍ତି । ଉଦ୍ଭିଦ ତା’ର ମୂଳ ଦ୍ବାରା ମାଟିରେ ଥିବା ଖଣିଜ ପଦାର୍ଥ ଓ ପାଣି ଗ୍ରହଣ କରେ। ଖଣିଜ ପଦାର୍ଥଗୁଡ଼ିକ ଉଦ୍ଭିଦର ବୃଦ୍ଧି ପାଇଁ ଗୁରୁତ୍ବପୂର୍ଣ୍ଣ ପୋଷକ ଅଟେ । ମୂଳ ଦ୍ବାରା ଗ୍ରହଣ କରାଯାଇଥିବା ଜଳ ଏବଂ ଖଣିଜ ପଦାର୍ଥଗୁଡ଼ିକ ଉଦ୍ଭିଦର ସମସ୍ତ ଅଂଶକୁ କିପରି ପରିବାହିତ ହୁଏ ?
ଉଦ୍ଭିଦରେ କିପରି ଜଳ ପରିବହନ ହୁଏ ତାହା ଅଧ୍ୟୟନ କରିବା ପାଇଁ ଆମେ ଗୋଟିଏ କାର୍ଯ୍ୟ କରିପାରିବା । ଏହି କାର୍ଯ୍ୟ ପାଇଁ ଆମକୁ ଦୁଇଟି କାଚ ପାତ୍ର, କିଛି ପାଣି, ଲାଲ କାଳି ଏବଂ ଧଳା ରଙ୍ଗର ଫୁଲ ଫୁଟିଥିବା ଦୁଇଟି ସମାନ କୋମଳ ଉଦ୍ଭିଦର ଡାଳ ଆବଶ୍ୟକ (ଉଦାହରଣ ସ୍ଵରୂପ, ଧଳା ସଦାବାହାର ବା ସଦାବିହାରୀ -ଚିତ୍ର ୧୦.୭ ) ।
କାର୍ଯ୍ୟ ୧୦.୭ : ଆସ ପରୀକ୍ଷା କରିବା
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୭: ଉଦ୍ଭିଦରେ ଜଳ ପରିବହନ ଯାଞ୍ଚ କରିବା ପାଇଁ ପରୀକ୍ଷଣ: (କ) ଜଳ ସହିତ ଡାଳ, (ଖ) ରଙ୍ଗୀନ ଜଳ ସହିତ ଡାଳ (ଲାଲ କାଳି ମିଶ୍ରିତ), (ଗ) ଗୋଟିଏ ଦିନ ପରେ ପାଣି ସହିତ ଡାଳ, (ଘ) ଗୋଟିଏ ଦିନ ପରେ ରଙ୍ଗୀନ ଜଳ ସହିତ ଡାଳର ଫୁଲ ଓ ଶିରା ଲାଲ ହୋଇଥିବା, (ଙ) ଡାଳର କଟା ଶେଷ ଭାଗର ବର୍ଦ୍ଧିତ ଦୃଶ୍ୟ ଯେଉଁଥିରେ ଜାଇଲେମ୍ ଓ ଫ୍ଲୋଏମ୍ ସ୍ଥାନ ଦର୍ଶାଯାଇଛି।)
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୮: ଉଦ୍ଭିଦରେ ଜଳ ଏବଂ ଖଣିଜ ପଦାର୍ଥର ପରିବହନ: ଜାଇଲେମ୍ ମାଧ୍ୟମରେ ଜଳ ପରିବହନ (ମୂଳରୁ ଉପରକୁ) ଏବଂ ଫ୍ଲୋଏମ୍ ମାଧ୍ୟମରେ ଖାଦ୍ୟ ପରିବହନ (ପତ୍ରରୁ ବିଭିନ୍ନ ଅଂଶକୁ) ଦର୍ଶାଉଥିବା ଚିତ୍ର।)
- ଦୁଇଟି ବିକର ନିଅ ଏବଂ ସେଗୁଡ଼ିକୁ ‘କ’ ‘ଖ’ ଭାବରେ ନାମିତ କର ।
- ପ୍ରତ୍ୟେକ ବିକରର ଏକ ତୃତୀୟାଂଶ ପାଣିରେ ପୂର୍ଣ୍ଣ କର ।
- ବିକର ‘ଖ’ ରେ କିଛି ବୁନ୍ଦା ଲାଲ କାଳି ମିଶାଅ।
- ଉଭୟ ଗଛର ଡ଼ାଳକୁ ପାଣି ଭିତରେ ରଖି ସେମାନଙ୍କ ମୂଳକୁ ତେରେଛା ଭାବରେ କାଟି ଦିଅ ଏବଂ ତୁରନ୍ତ ପ୍ରତ୍ୟେକ ବିକରରେ ଗୋଟିଏ ଲେଖାଏଁ ଗଛ ରଖ, ଯେପରି ଚିତ୍ର ୧୦.୭ ‘କ’ ଓ ଚିତ୍ର ୧୦.୭ ‘ଖ’ ରେ ଦେଖାଯାଇଛି।
- ପରଦିନ ଏହି ଗଛଗୁଡ଼ିକୁ ପର୍ଯ୍ୟବେକ୍ଷଣ କର।
ତୁମେ କ’ଣ ଲକ୍ଷ୍ୟ କରୁଛ ? ବିକର ଦୁଇଟିରେ ରଖାଯାଇଥିବା ଗଛର କାଣ୍ଡ ତୁଳନା କର । ତୁମେ ବିକର ‘ଖ’ ରେ ଥିବା ଗଛର ଡ଼ାଳ, ପତ୍ର ଏବଂ ଫୁଲରେ ଲାଲ ରଙ୍ଗ ଦେଖୁଛ କି ? ଗୋଟିଏ ଦିନ ପରେ ଗଛ ଦୁଇଟିକୁ ଚିତ୍ର ୧୦.୭ ‘ଗ’ ଏବଂ ଚିତ୍ର ୧୦.୭ ‘ଘ’ ରେ ଦର୍ଶାଯାଇଛି । ଚିତ୍ର ୧୦.୭ ‘ଗ’ ରେ ଥିବା ଗଛକୁ ଚିତ୍ର ୧୦.୭ ‘ଘ’ ସହିତ ତୁଳନା କର । ଚିତ୍ର ୧୦.୭ ‘ଘ’ ରେ ଥିବା ଗଛର ଡାଳ, ପତ୍ର ଏବଂ ଫୁଲରେ ଏକ ଲାଲ ରଙ୍ଗ ଦୃଶ୍ୟମାନ ହେଉଛି। ଉଦ୍ଭିଦର ବିଭିନ୍ନ ଅଂଶ ଏହି ଲାଲ ରଙ୍ଗ କିପରି ଗ୍ରହଣ କଲେ ?
ଲାଲ୍ ରଙ୍ଗର ପାଣିରେ ବୁଡ଼ାଯାଇନଥିବା ଉଦ୍ଭିଦର ଉପର ଅଂଶରୁ ଡାଳକୁ କାଟି ଦିଅ ଏବଂ ଏକ ବର୍ଦ୍ଧକ କାଚ ବ୍ୟବହାର କରି କଟା ଡାଳକୁ ପର୍ଯ୍ୟବେକ୍ଷଣ କର। ତୁମେ କାଣ୍ଡରେ ଲାଲ ରଙ୍ଗ ଦେଖିପାରୁଛ କି (ଚିତ୍ର ୧୦.୭ ଙ) ?
ଲାଲ ରଙ୍ଗର କାଳି କିପରି ଉପରକୁ ଗତି କରେ ? ଏହା ଉଦ୍ଭିଦର କାଣ୍ଡ, ଶାଖା ଏବଂ ପତ୍ରରେ ଥିବା ଜାଇଲେମ୍ ନାମକ ସରୁ ନଳୀର ଉପସ୍ଥିତି ଯୋଗୁଁ ହୋଇଥାଏ। ଲାଲ କାଳି ପରି ପାଣିରେ ଦ୍ରବୀଭୂତ ଖଣିଜ ପଦାର୍ଥ ମଧ୍ୟ ଜାଇଲେମ୍ ମାଧ୍ୟମରେ କାଣ୍ଡର ଉପରକୁ ଗତି କରେ।
ବର୍ତ୍ତମାନ ଆମେ ଜାଣିଲେ ଯେ ଜଳ ଏବଂ ଖଣିଜ ପଦାର୍ଥ ଜାଇଲେମ୍ ମାଧ୍ୟମରେ ପତ୍ର ଏବଂ ଉଦ୍ଭିଦର ଅନ୍ୟାନ୍ୟ ଅଂଶକୁ ପରିବହନହୁଏ (ଚିତ୍ର ୧୦.୮)। ଜାଇଲେମ୍ ମାଧ୍ୟମରେ ପରିବହନ ହେଉଥିବା ପାଣି ବିଭିନ୍ନ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହୁଏ । ଖାଦ୍ୟ କିପରି ଉଦ୍ଭିଦର ଅନ୍ୟ ଅଂଶକୁ ପରିବହନ ହୁଏ ?
୧୦.୩.୨ ଖାଦ୍ୟ ପରିବହନ
ଆମେ ଜାଣିଛେ ଯେ ଆଲୋକ ସଂଶ୍ଳେଷଣର ମୁଖ୍ୟ ସ୍ଥାନ ହେଉଛି ପତ୍ର । ଉଦ୍ଭିଦର ପତ୍ରରେ ପ୍ରସ୍ତୁତ ଖାଦ୍ୟ ଅନ୍ୟ ଅଂଶକୁ ପରିବାହିତ ହୋଇଥାଏ। ଏହି ଖାଦ୍ୟ ପରିବହନ ଫ୍ଲୋଏମ୍ ନାମକ ଅନ୍ୟ କ୍ଷୁଦ୍ର ନଳୀମାନଙ୍କ ଦ୍ବାରା ହୋଇଥାଏ (ଚିତ୍ର ୧୦.୮)। ଏହି ପରିବାହିତ ଖାଦ୍ୟ ଉଦ୍ଭିଦର ଅନ୍ୟ ଅଂଶ ଯଥା – ମଞ୍ଜି ବା ମୂଳରେ ମଧ୍ୟ ସଞ୍ଚିତ ହୋଇ ରହିଥାଏ।
୧୦.୪ ଉଦ୍ଭିଦମାନେ ଶ୍ଵାସକ୍ରିୟା କରନ୍ତି କି ?
ଷଷ୍ଠ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଜିଜ୍ଞାସାର ‘ସଜୀବ: ସେମାନଙ୍କର ଗୁଣାବଳୀ ଅନୁସନ୍ଧାନ’ ଅଧ୍ୟାୟରେ, ତୁମେ ଶିଖୁଛ ଯେ ସମସ୍ତ ଜୀବନ୍ତ ପ୍ରାଣୀ ଶ୍ଵାସକ୍ରିୟା କରନ୍ତି। ଉଦ୍ଭିଦମାନେ କ'ଣ ଆମ ପରି ଶ୍ଵାସକ୍ରିୟା କରନ୍ତି ?
କାର୍ଯ୍ୟକଳାପ ୧୦.୮ : ଆସ ଜାଣିବା (ପ୍ରଦର୍ଶନ କାର୍ଯ୍ୟ)
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୯ : ଉଦ୍ଭିଦରେ ଶ୍ଵାସକ୍ରିୟା ପରୀକ୍ଷା କରିବା ପାଇଁ ବ୍ୟବସ୍ଥା: ଏକ କୋନ୍ ଆକାର ଫ୍ଲାସ୍କରେ ଗଜା ମଞ୍ଜି ଓ ଓଦା ତୁଳା, ଯାହା ପରୀକ୍ଷା ନଳୀ ‘କ’ ଓ ‘ଖ’ ଏବଂ ଚୂନ ପାଣି ଥିବା ପରୀକ୍ଷା ନଳୀ ସହ ରବର ପାଇପ୍ ଦ୍ୱାରା ସଂଯୁକ୍ତ।)
- କିଛି ମୁଗ ମଞ୍ଜିକୁ ରାତିସାରା ପାଣିରେ ବୁଡ଼ାଇ ରଖ ।
- ଏକ କୋନ୍ ଆକାର ଫ୍ଲାସ୍କରେ କିଛି ତୁଳା ନେଇ ବିଛାଇ ଦିଅ ଏବଂ ତୁଳାକୁ ପାଣିରେ ଓଦା ରଖ।
- କୋନ୍ ଆକାର ଫ୍ଲାସ୍କରେ ଓଦା ତୁଳା ଉପରେ ଭିଜା ମଞ୍ଜିଗୁଡ଼ିକୁ ରଖ (ଚିତ୍ର ୧୦.୯)।
- କୋନ୍ ଆକାର ଫ୍ଲାସ୍କର ମୁହଁକୁ ଦୁଇଟି ଛିଦ୍ର ଥିବା କର୍କ ଲଗାଇ ବନ୍ଦ କର।
- ଚିତ୍ର ୧୦.୯ ରେ ଦେଖାଯାଇଥିବା ପରି, କର୍କର ଛିଦ୍ର ଦେଇ ଦୁଇଟି କାଚ ନଳୀ ‘କ’ ଏବଂ ‘ଖ’ ଭର୍ତ୍ତି କର।
- ଅନ୍ଧାରରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ସେହିପରି ଅବିଚଳିତ ରଖ।
- ଦୁଇଟି ପରୀକ୍ଷା ନଳୀ ନିଅ ଏବଂ ସେଗୁଡ଼ିକୁ ଚୂନ ପାଣିରେ ଭର୍ତ୍ତି କର।
- ଗୋଟିଏ ପରୀକ୍ଷା ନଳୀର ମୁହଁକୁ ଗୋଟିଏ ଛିଦ୍ର ଥିବା କର୍କ ସହିତ ବନ୍ଦ କର ଏବଂ କର୍କର ଛିଦ୍ର ମାଧ୍ୟମରେ ସେହି ପରୀକ୍ଷା ନଳୀରେ ଗୋଟିଏ କାଚ ନଳୀ ବୁଡ଼ାଇ ଦିଅ ।
- ଚିତ୍ର ୧୦.୯ ରେ ଦେଖାଯାଇଥିବା ପରି ଫ୍ଲାସ୍କ ଏବଂ ପରୀକ୍ଷା ନଳୀକୁ ଏକ ରବର ପାଇପ୍ ସହିତ ସଂଯୋଗ କର।
ଉଭୟ ପରୀକ୍ଷା ନଳୀକୁ ତୁଳନା କରି ରଙ୍ଗରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ ଦେଖ । ଉଭୟ ପରୀକ୍ଷା ନଳୀରେ ଚୂନ ପାଣି କ୍ଷୀର ଭଳି ହୋଇଗଲା କି ? ଫ୍ଲାସ୍କ ସହିତ ସଂଯୁକ୍ତ ପରୀକ୍ଷା ନଳୀରେ ଚୂନ ପାଣି କାହିଁକି କ୍ଷୀର ଭଳି ହୋଇଯାଏ ? ଫ୍ଲାସ୍କରେ ଅଧିକ ଅଙ୍ଗାରକାମ୍ଳର ଉପସ୍ଥିତି ଯୋଗୁଁ ଚୂନ ପାଣି କ୍ଷୀର ଭଳି ହୋଇଯାଏ। କିନ୍ତୁ, ଏହି ଅଙ୍ଗାରକାମ୍ଳ କେଉଁଠାରୁ ଆସିଲା ? ଆମେ ଜାଣୁ, ଅଙ୍ଗାରକାମ୍ଳ ପ୍ରାକୃତିକ ଭାବରେ ବାୟୁରେ ବହୁତ କମ୍ ପରିମାଣରେ ଥାଏ। ଫ୍ଲାସ୍କରେ, ବିହନଗୁଡ଼ିକ ଶ୍ଵାସକ୍ରିୟା ସମୟରେ ଅଧିକ ଅଙ୍ଗାରକାମ୍ଳ ଉତ୍ପାଦନ କରନ୍ତି।
ଶ୍ଵାସକ୍ରିୟା ସମୟରେ, ଅମ୍ଳଜାନର ଉପସ୍ଥିତିରେ ଗ୍ଲୁକୋଜ୍ ଭାଙ୍ଗିଯାଏ ଏବଂ ଅଙ୍ଗାରକାମ୍ଳ, ଜଳ ଏବଂ ଶକ୍ତି ବାହାରିଥାଏ । ଶ୍ଵାସକ୍ରିୟା ପ୍ରକ୍ରିୟା ପାଇଁ ଶବ୍ଦ ସମୀକରଣଟି ନିମ୍ନଲିଖିତ ପ୍ରକାରେ ଲେଖାଯାଇପାରେ ।
ଶ୍ଵାସକ୍ରିୟା ସମୟରେ ଉତ୍ପାଦିତ ଶକ୍ତି ଉଦ୍ଭିଦମାନଙ୍କ ଦ୍ବାରା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ବ୍ୟବହୃତ ହୁଏ। ଉଦ୍ଭିଦର ସବୁଜ କିମ୍ବା ଅଣ-ସବୁଜ, ସମସ୍ତ ଅଂଶ ଶ୍ଵାସକ୍ରିୟା କରନ୍ତି ।
ଏହିପରି ଖାଦ୍ୟ ସଂଶ୍ଳେଷଣ, ପରିବହନ ଏବଂ ଶକ୍ତି ଉତ୍ପନ୍ନ ପାଇଁ ଖାଦ୍ୟର ବ୍ୟବହାର କରିବାକୁ ଉଦ୍ଭିଦମାନଙ୍କର ଭିନ୍ନ ଭିନ୍ନ ବ୍ୟବସ୍ଥା ଅଛି ।
ସାରାଂଶ
୧. ଜୀବଜଗତର ସମସ୍ତଙ୍କୁ ଏପରି ଖାଦ୍ୟ ଆବଶ୍ୟକ ଯାହା ସେମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଶକ୍ତି ଯୋଗାଇଥାଏ।
୨. ଉଦ୍ଭିଦଗୁଡ଼ିକ ଗ୍ଲୁକୋଜ୍ ଏବଂ ଅମ୍ଳଜାନ ଉତ୍ପାଦନ କରିବା ପାଇଁ ସୂର୍ଯ୍ୟକିରଣ ଏବଂ ହରିତ୍ ଲବକ ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ବ୍ୟବହାର କରନ୍ତି । ଖାଦ୍ୟ ସଂଶ୍ଳେଷଣର ଏହି ପ୍ରକ୍ରିୟାକୁ ଆଲୋକସଂଶ୍ଳେଷଣ କୁହାଯାଏ।
୩. ପତ୍ରଗୁଡ଼ିକ ହେଉଛି ଉଦ୍ଭିଦର ଖାଦ୍ୟ କାରଖାନା ।
୪. ଆଲୋକସଂଶ୍ଳେଷଣ ଏବଂ ଶ୍ଵାସକ୍ରିୟା ସମୟରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ ପ୍ରକ୍ରିୟାରେ ପତ୍ରପୃଷ୍ଠରେ ଥିବା କ୍ଷୁଦ୍ର ଛିଦ୍ର ସ୍ତୋମ୍ ସାହାଯ୍ୟ କରେ।
୫. ଜାଇଲେମ୍ ମୂଳରୁ ଜଳ ଏବଂ ଖଣିଜ ପଦାର୍ଥ ପରିବହନ କରେ ଏବଂ ଫ୍ଲୋଏମ୍ ପତ୍ରରେ ପ୍ରସ୍ତୁତ ଖାଦ୍ୟ ଗଛର ସମସ୍ତ ଅଂଶକୁ ବହନ କରେ।
୬. ଉଦ୍ଭିଦଗୁଡ଼ିକ ଶ୍ଵସନ ନାମକ ପ୍ରକ୍ରିୟାରେ ଗ୍ଲୁକୋଜ୍କୁ ଭାଙ୍ଗି ଶକ୍ତି ବାହାର କରନ୍ତି । ଏହି ପ୍ରକ୍ରିୟାରେ ସେମାନେ ଅମ୍ଳଜାନ ବ୍ୟବହାର କରନ୍ତି ଏବଂ ଅଙ୍ଗାରକାମ୍ଳ ତ୍ୟାଗ କରନ୍ତି ।
ଆସ, ଆମର ଶିକ୍ଷଣ ବୃଦ୍ଧି କରିବା
୧. ନିମ୍ନଲିଖିତ ସାରଣୀ ପୂରଣ କର ।
| କ୍ର.ନଂ. | ବୈଶିଷ୍ଟ୍ୟ | ଆଲୋକ ସଂଶ୍ଳେଷଣ | ଶ୍ବସନ |
|---|---|---|---|
| ୧ | କଞ୍ଚାମାଲ | ||
| ୨ | ଉତ୍ପାଦଗୁଡ଼ିକ | ||
| ୩ | ଶବ୍ଦ ସମୀକରଣ | ||
| ୪ | ଗୁରୁତ୍ବ |
୨. ଏପରି ଏକ ପରିସ୍ଥିତି କଳ୍ପନା କର ଯେଉଁଠାରେ ପୃଥିବୀରେ ଆଲୋକସଂଶ୍ଳେଷଣ କରୁଥିବା ସମସ୍ତ ଜୀବ ଅଦୃଶ୍ୟ ହୋଇଯାଇଛନ୍ତି। ଜୀବନ୍ତ ପ୍ରାଣୀମାନଙ୍କ ଉପରେ ଏହାର ପ୍ରଭାବ କ’ଣ ହେବ ?
୩. ଆୟୋଡିନ୍ ଦ୍ରବଣରେ ଖଣ୍ଡିଏ ଆଳୁ ରଖିଲେ ମଣ୍ଡଦର ଉପସ୍ଥିତି ଦର୍ଶାଉଛି । ଆଳୁରେ ମଣ୍ଡଦ କେଉଁଠାରୁ ଆସେ ? ଆଳୁ ଗଛରେ କେଉଁଠାରେ ଖାଦ୍ୟ ସଂଶ୍ଳେଷିତ ହୁଏ ଏବଂ ଏହା ଆଳୁରେ କିପରି ପହଞ୍ଚେ ?
୪. ପତ୍ରର ପ୍ରଶସ୍ତ ଏବଂ ସମତଳ ଗଠନ କ’ଣ ଗଛଗୁଡ଼ିକୁ ଆଲୋକସଂଶ୍ଳେଷଣ ପାଇଁ ଅଧିକ ଦକ୍ଷ କରିଥାଏ ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।
୫. Y ବ୍ୟବହାର କରି X କୁ ଭାଙ୍ଗିଲେ ଅଙ୍ଗାରକାମ୍ଳ, Z ଏବଂ ଶକ୍ତି ଉତ୍ପନ୍ନ ହୁଏ ।
X, Y, ଏବଂ Z ଏହି ପ୍ରକ୍ରିୟାର ତିନୋଟି ଭିନ୍ନ ଭିନ୍ନ ଉପାଦାନ। X, Y, ଏବଂ Z କେଉଁ କେଉଁ ଉପାଦାନକୁ ବୁଝାଏ ?
୬. କୁଣ୍ଡରେ ଲାଗିଥିବା ଦୁଇଟି ସମାନ ଆକାରର ଗଛ ସହିତ କୃଷ୍ଣ ଏକ ପରୀକ୍ଷଣ ବ୍ୟବସ୍ଥା କଲା । ସେଥିରୁ ଗୋଟିଏକୁ ସୂର୍ଯ୍ୟାଲୋକରେ ଏବଂ ଅନ୍ୟଟିକୁ ଏକ ଅନ୍ଧାର କୋଠରୀରେ ରଖିଲା, ଯେପରି ଚିତ୍ର ୧୦.୧୦ ରେ ଦେଖାଯାଇଛି।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୧୦ ପରୀକ୍ଷା କୁଣ୍ଡ: (କ) ସୂର୍ଯ୍ୟାଲୋକରେ ଥିବା ସବୁଜ ଗଛ, (ଖ) ଅନ୍ଧକାରରେ ଥିବା ହଳଦିଆ/ଫିକା ଗଛ।)
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ:
(କ) ଏହି ପରୀକ୍ଷଣ ମାଧ୍ୟମରେ ସେ କେଉଁ ଧାରଣା ପରୀକ୍ଷା କରିପାରିବ ?
(ଖ) ଉଭୟ ଅବସ୍ଥାରେ ଉଦ୍ଭିଦରେ କ’ଣ ପାର୍ଥକ୍ୟ ଦେଖୁଛ ?
(ଗ) ତୁମ ମତରେ, କେଉଁ ଉଦ୍ଭିଦର ପତ୍ରଗୁଡ଼ିକ ଆୟୋଡିନ୍ ପରୀକ୍ଷାରେ ମଣ୍ଡଦ ଉପସ୍ଥିତିକୁ ନିଶ୍ଚିତ କରନ୍ତି ?
୭. ବୀଣା ବିଶ୍ଵାସ କରେ ଯେ ଅଙ୍ଗାରକାମ୍ଳ ଆଲୋକ ସଂଶ୍ଳେଷଣ ପାଇଁ ଅତ୍ୟାବଶ୍ୟକ। ସେ ତା’ର ଧାରଣାକୁ ସମର୍ଥନ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ପ୍ରମାଣ ସଂଗ୍ରହ କରିବା ପାଇଁ ଚିତ୍ର ୧୦.୧୧ ରେ ଦେଖାଯାଇଥିବା ପରି ଏକ ପରୀକ୍ଷଣ ବ୍ୟବସ୍ଥା ସ୍ଥାପନ କଲା ।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୧୧: ପର୍ଯ୍ୟାପ୍ତ ପାଣି ସହିତ ଏକ ପାତ୍ରରେ ରଖାଯାଇଥିବା ଉଦ୍ଭିଦକୁ ନିର୍ଦ୍ଧାରିତ ପରିସ୍ଥିତିରେ ରଖାଯାଇଛି: (କ) ସୂର୍ଯ୍ୟକିରଣ ଏବଂ ଅଙ୍ଗାରକାମ୍ଳ ଉପସ୍ଥିତ, (ଖ) ସୂର୍ଯ୍ୟକିରଣ କିନ୍ତୁ ଅଙ୍ଗାରକାମ୍ଳ ଅନୁପସ୍ଥିତ, (ଗ) ଅନ୍ଧକାର କିନ୍ତୁ ଅଙ୍ଗାରକାମ୍ଳ ଉପସ୍ଥିତ, (ଘ) ଅନ୍ଧକାର କିନ୍ତୁ ଅଙ୍ଗାରକାମ୍ଳ ଅନୁପସ୍ଥିତ।)
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତରଦିଅ -
(କ) ଉପରୋକ୍ତ ବ୍ୟବସ୍ଥା ଗୁଡ଼ିକରେ କେଉଁ ଉଦ୍ଭିଦ ଗୁଡ଼ିକରେ ମଣ୍ଡଦ ପ୍ରସ୍ତୁତ ହେବ ?
(ଖ) ଉପରୋକ୍ତ ବ୍ୟବସ୍ଥା ଗୁଡ଼ିକରେ କେଉଁ ଉଦ୍ଭିଦ ଗୁଡ଼ିକରେ ମଣ୍ଡଦ ପ୍ରସ୍ତୁତ ହେବନାହିଁ ?
(ଗ) ଉପରୋକ୍ତ ବ୍ୟବସ୍ଥା ଗୁଡ଼ିକରେ କେଉଁ ଉଦ୍ଭିଦ ଗୁଡ଼ିକରେ ଅମ୍ଳଜାନ ଉତ୍ପାଦନ ହେବ ?
(ଘ) ଉପରୋକ୍ତ ବ୍ୟବସ୍ଥା ଗୁଡ଼ିକରେ କେଉଁ ଉଦ୍ଭିଦ ଗୁଡ଼ିକରେ ଅମ୍ଳଜାନ ଉତ୍ପାଦନ ହେବନାହିଁ ?
୮. ଅନନ୍ୟା ଚାରୋଟି ପରୀକ୍ଷା ନଳୀ ନେଲା ଏବଂ ପ୍ରତ୍ୟେକ ପରୀକ୍ଷା ନଳୀ ତିନି-ଚତୁର୍ଥାଂଶ ପାଣିରେ ପୂର୍ଣ୍ଣ କଲା। ସେ ସେଗୁଡ଼ିକୁ ‘କ’, ‘ଖ’, ‘ଗ’, ଏବଂ ‘ଘ’ ନାମରେ ନାମିତ କଲା (ଚିତ୍ର ୧୦.୧୨)।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୧୨: ପରୀକ୍ଷାମୂଳକ ବ୍ୟବସ୍ଥା - (କ) ଜଳ + ଗେଣ୍ଡା, (ଖ) ଜଳ + ଜଳଜ ଉଦ୍ଭିଦ, (ଗ) ଜଳ + ଗେଣ୍ଡା + ଜଳଜ ଉଦ୍ଭିଦ, (ଘ) କେବଳ ଜଳ।)
ପରୀକ୍ଷା ନଳୀ ‘କ’ ରେ, ସେ ଗୋଟିଏ ଗେଣ୍ଡା ରଖିଲା; ପରୀକ୍ଷା ନଳୀ ‘ଖ’ ରେ ସେ ଗୋଟିଏ ଜଳଜ ଉଦ୍ଭିଦ ରଖିଲା; ପରୀକ୍ଷା ନଳୀ ‘ଗ’ ରେ ସେ ଉଭୟ ଗୋଟିଏ ଗେଣ୍ଡା ଓ ଏକ ଉଦ୍ଭିଦ ରଖିଲା। ପରୀକ୍ଷା ନଳୀ ‘ଘ’ ରେ, ସେ କେବଳ ପାଣି ରଖିଲା । ଅନନ୍ୟା ସମସ୍ତ ପରୀକ୍ଷା ନଳୀରେ ଗୋଟିଏ ଅଙ୍ଗାରକାମ୍ଳ ସୂଚକ ଯୋଡ଼ିଥିଲା। ସେ ପାଣିର ପ୍ରାରମ୍ଭିକ ରଙ୍ଗ ରେକର୍ଡ କଲା ଏବଂ ୨-୩ ଘଣ୍ଟା ପରେ ପରୀକ୍ଷା ନଳୀରେ କୌଣସି ରଙ୍ଗ ପରିବର୍ତ୍ତନ ହୋଇଛି କି ନାହିଁ ତାହା ଦେଖିଲା ।
ସେ କ’ଣ ଜାଣିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ? ସେ କିପରି ନିଜକୁ ଠିକ୍ ପ୍ରମାଣ କରିବ ?
୯. ଗରମ କିମ୍ବା ଥଣ୍ଡା ପରିସ୍ଥିତିରେ ଉଦ୍ଭିଦମାନଙ୍କରେ ଜଳ ପରିବହନ ଦ୍ରୁତ ହୁଏ କି ନାହିଁ ତାହା ପର୍ଯ୍ୟବେକ୍ଷଣ କରିବା ପାଇଁ ଏକ ପରୀକ୍ଷାର ରୂପରେଖା ନକ୍ସା ପ୍ରସ୍ତୁତ କର।
୧୦. ପ୍ରକୃତିରେ ସନ୍ତୁଳନ ବଜାୟ ରଖିବା ପାଇଁ ଆଲୋକସଂଶ୍ଳେଷଣ ଏବଂ ଶ୍ଵାସକ୍ରିୟା ଅତ୍ୟନ୍ତ ଜରୁରୀ । ଆଲୋଚନା କର।
ଅନୁସନ୍ଧାନମୂଳକ ପ୍ରକଳ୍ପ
୧. ଏକ ବଡ଼ ସ୍ବଚ୍ଛ ବୋତଲରେ ସ୍ପାଇଡର ପ୍ଲାଣ୍ଟ (Spider plant) କିମ୍ବା ଜେଡ୍ ପ୍ଲାଣ୍ଟ (Jade Plant) ଭଳି ବଢ଼ୁଥିବା ଗଛ ଲଗାଇ ଏକ ବୋତଲ ବଗିଚା କର (ଚିତ୍ର ୧୦.୧୩) । କିଛି ଦିନ ଗଛଗୁଡ଼ିକ ସଠିକ୍ ଭାବରେ ବଢ଼ିବା ପରେ, ବୋତଲର ମୁହଁକୁ ବନ୍ଦ କର। ଗଛର ବୃଦ୍ଧି ନିରୀକ୍ଷଣ କର । ଯଦି ଗଛଟି ଭଲ ଭାବରେ ବଢ଼ୁଛି ତେବେ ଏହାର ଅର୍ଥ ହେଉଛି ଗଛଟି ଗ୍ୟାସର ବିନିମୟ ବଜାୟ ରଖୁଛି, ଅର୍ଥାତ, ଗଛର ଶ୍ଵାସକ୍ରିୟା ପ୍ରକ୍ରିୟାରେ ଉତ୍ପାଦିତ ଅଙ୍ଗାରକାମ୍ଳ ଆଲୋକସଂଶ୍ଳେଷଣ ପାଇଁ ବ୍ୟବହୃତ ହେଉଛି, ଏବଂ ଆଲୋକସଂଶ୍ଳେଷଣରେ ଉତ୍ପାଦିତ ଅମ୍ଳଜାନ ବୋତଲ ଭିତରେ ଥିବା ଗଛ ଦ୍ବାରା ଶ୍ଵାସକ୍ରିୟାରେ ବ୍ୟବହୃତ ହେଉଛି।
(ଚିତ୍ର ବର୍ଣ୍ଣନା - ଚିତ୍ର ୧୦.୧୩: ବୋତଲ ବଗିଚା - କାଚ ବୋତଲ ଭିତରେ ବଢ଼ୁଥିବା ସ୍ପାଇଡର ପ୍ଲାଣ୍ଟ ଓ ମାଟି।)
୨. ଫସଲ ଉତ୍ପାଦନ ପାଇଁ ଉଦ୍ଭିଦର ଆଲୋକସଂଶ୍ଳେଷଣ, ଶ୍ଵାସକ୍ରିୟା ଏବଂ ଜଳ ଓ ଖାଦ୍ୟ ପରିବହନ ଭଳି ପ୍ରକ୍ରିୟା କିପରି ଗୁରୁତ୍ବପୂର୍ଣ୍ଣ ?
୩. ତୁମ ଆଖପାଖରେ ଯଦି ଏକ ସବୁଜଗୃହ (Green House) ଅଛି, ତେବେ ତାହା ପରିଦର୍ଶନ କର। ଲୋକମାନେ କିପରି ସବୁଜ ଘରେ ଗଛ ଚାଷ କରନ୍ତି ଓ ଗଛ ବଢ଼ାନ୍ତି ତାହା ଦେଖ। ସେମାନେ ଚାଷ ପାଇଁ ବ୍ୟବହୃତ ଆଲୋକ, ପାଣି ଏବଂ ଅଙ୍ଗାରକାମ୍ଳ ପରିମାଣକୁ କିପରି ନିୟନ୍ତ୍ରଣ କରନ୍ତି ତାହା ଜାଣ।
ବୈଜ୍ଞାନିକଙ୍କୁ ଜାଣ
(ଚିତ୍ର ବର୍ଣ୍ଣନା: ଭାରତୀୟ ମହିଳା ବୈଜ୍ଞାନିକ କମଲା ସୋହୋନିଙ୍କ ଫଟୋଚିତ୍ର।)
କମଲା ସୋହୋନି (୧୯୧୧-୧୯୯୮) ଭାରତର ଜଣେ ମହିଳା ବୈଜ୍ଞାନିକ ଥିଲେ। ଉଦ୍ଭିଦର ଶ୍ଵସନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ପିଏଚ୍ଡ଼ି ଡ଼ିଗ୍ରୀ ହାସଲ କରିଥିଲେ । ସେ ଭାରତ ଫେରି ନୂଆ ଦିଲ୍ଲୀର ଲେଡ଼ି ହାଡ଼ିଞ୍ଜ ମେଡ଼ିକାଲ କଲେଜରେ ଏବଂ ପରେ କୁନୁରସ୍ଥ ପୋଷକତତ୍ତ୍ଵ ଗବେଷଣା ପ୍ରୟୋଗଶାଳାରେ କାମ କରିଥିଲେ। ଏହା ପରେ, ସେ ବମ୍ବେର ତତ୍କାଳୀନ ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସକୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କୁ ଶେଷରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କର ଅଧିକାଂଶ କାର୍ଯ୍ୟ ଉଦ୍ଭିଦ ଭିତ୍ତିକ ଖାଦ୍ୟର ପୋଷଣ ମୂଲ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରିଥିଲା । ସେ ନୀରା ନାମକ ଏକ ପୁଷ୍ଟିକର ପାନୀୟ ଭାବରେ ନଡ଼ିଆ ରସ ଉପରେ ମଧ୍ଯ କାମ କରିଥିଲେ।