ଦ୍ବିତୀୟ ଅଧ୍ୟାୟ ଅମ୍ଳ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ

[ଚିତ୍ର ବର୍ଣ୍ଣନା: ପୃଷ୍ଠାର ବାମ ପାର୍ଶ୍ୱରେ ବିଭିନ୍ନ ବୈଜ୍ଞାନିକ ଉପକରଣ ଓ ପ୍ରତୀକ (ଯଥା: ଅଣୁବୀକ୍ଷଣ ଯନ୍ତ୍ର, ଫ୍ଲାସ୍କ, କଏଲ, ଉପଗ୍ରହ, ପୃଥିବୀ, ଦୂରବୀକ୍ଷଣ ଯନ୍ତ୍ର, ଚୁମ୍ବକ, ପରିପାକ ତନ୍ତ୍ର ଆଦି) ର ରେଖାଚିତ୍ର।]

[ଚିତ୍ର ବର୍ଣ୍ଣନା: ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସର ଏକ ପ୍ରବେଶ ତୋରଣ, ସାର୍ ସି.ଭି. ରମଣଙ୍କ ପ୍ରତିଛବି, ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରବେଶ ପଥରେ କାଗଜ ଧରି ସ୍ୱାଗତ କରୁଥିବାର ଦୃଶ୍ୟ।]

ଫେବୃଆରୀ ମାସ ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୁଏ । ଏହି ଅବସରରେ ଗୋଟିଏ ବିଦ୍ୟାଳୟରେ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା । ସେଦିନ ମହେଶ ଓ ଜ୍ୟୋତି ଦୁଇ ଭାଇ ଭଉଣୀଙ୍କୁ ଖଣ୍ଡେ ଧଳା କାଗଜ ଦେଇ ବିଦ୍ୟାଳୟର ପ୍ରବେଶ ପଥରେ ଠିଆ ହୋଇ ସ୍ଵାଗତ ଜଣେଇବା ପାଇଁ କୁହାଗଲା । ସେମାନଙ୍କ ମନରେ କୌତୁହଳ ସୃଷ୍ଟି ହେଲା ଯେ, ସେମାନଙ୍କୁ କାହିଁକି ଧଳା କାଗଜ ଦିଆଗଲା । ସେମାନଙ୍କ ଆଗରେ କିଛି ପାଦ ଦୂରରେ ରହି ଜଣେ ସ୍ୱେଚ୍ଛାସେବୀ ସେ କାଗଜ ଉପରକୁ କିଛି ତରଳ ପଦାର୍ଥ ସିଞ୍ଚନ କଲେ । ମହେଶ ଓ ଜ୍ୟୋତି ଦୁହେଁ ଆଶ୍ଚର୍ଯ୍ୟ ହେଲେ ଯେ କାଗଜ ଉପରେ ‘ବିସ୍ମୟକର ବିଜ୍ଞାନ ଜଗତକୁ ସ୍ବାଗତ’ ବାକ୍ୟଟି ସ୍ପଷ୍ଟ ଦେଖାଗଲା । ସେମାନେ ଉତ୍ସାହିତ ହେଲେ ଓ ଜାଣିବାକୁ ଆଗ୍ରହୀ ହେଲେ ଏପରି କାହିଁକି ହେଲା ? ଏହାର କାରଣ କ’ଣ ? ରଙ୍ଗୀନ ସାମଗ୍ରୀର ପୃଥିବୀ ନାମକ ପ୍ରକଳ୍ପ ଦେଖି ସେମାନଙ୍କର ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଆଂଶିକ ଉତ୍ତର ପାଇଲେ । ଭିନ୍ନ ଭିନ୍ନ ସାମଗ୍ରୀ ମିଶି ରଙ୍ଗର ପରିବର୍ତ୍ତନ ହୋଇଥିବାର ବିଭିନ୍ନ କାର୍ଯ୍ୟ ଦେଖିଲେ । ସେମାନେ ନିଷ୍ପତ୍ତି ନେଲେ ଯେ, ସେହି ରଙ୍ଗ ପରିବର୍ତ୍ତନ ବିଷୟରେ ଆଗକୁ ଅନୁସନ୍ଧାନ କରିବେ । ଏବେ ଆସ ଏହି ଶିକ୍ଷଣ ଅଭିଯାନରେ ସେମାନଙ୍କ ସହିତ ଯୋଗ ଦେବା ।

ଜାତୀୟ ବିଜ୍ଞାନ ଦିବସ ଚିତ୍ର : ୨.୧. ଏକ ବିଜ୍ଞାନ ମେଳାର ଦୃଶ୍ୟ ଆବିଷ୍କାର କର ଅନୁସନ୍ଧାନ କର ଆନନ୍ଦିତ ହୁଅ


[ଚିତ୍ର ବର୍ଣ୍ଣନା: ଚିତ୍ର ୨.୨ (କ) ରେ ଜଣେ ଛାତ୍ରୀ ଡ୍ରପର ସାହାଯ୍ୟରେ ନୀଳ ଲିଟମସ୍ କାଗଜ ଉପରେ ଦ୍ରବଣ ପକାଉଛି ଏବଂ ଚିତ୍ର ୨.୨ (ଖ) ରେ ଜଣେ ଛାତ୍ର ଲାଲ ଲିଟମସ୍ କାଗଜ ଉପରେ ଦ୍ରବଣ ପକାଉଛି।]

୨.୧ ପ୍ରକୃତି – ଆମ ବିଜ୍ଞାନର ପରୀକ୍ଷାଗାର ୨.୧.୧ ସୂଚକ ଭାବରେ ଲିଟମସ

କାର୍ଯ୍ୟ ୨.୧ ଆସ ଅନୁସନ୍ଧାନ କରିବା ଲେମ୍ବୁରସ, ସାବୁନ୍ ପାଣି, ଅଁଳାରସ, ହଳଦୀପାଣି, ଭିନେଗାର, ବେକିଂ ସୋଡ଼ା ଦ୍ରବଣ, ଚୂନପାଣି, କଳପାଣି, ଲୁଗା ସଫା ଗୁଣ୍ଡ, ଚିନି ପାଣି ଓ ଲୁଣ ପାଣି ସଂଗ୍ରହ କର।

ଚିତ୍ର ୨.୨ (କ) : ନୀଳ ଲିଟମସ୍ କାଗଜରେ ରଙ୍ଗ ପରିବର୍ତ୍ତନ

  • ଗୋଟିଏ ନୀଳ ଲିଟମସ କାଗଜର ଖଣ୍ଡେ ପଟିନିଅ ଓ ଏହାକୁ ଛୋଟ ଛୋଟ ଖଣ୍ଡରେ ବିଭକ୍ତ କର।
  • ଏହାକୁ ସଫା ଶୁଖୁଲା ଓ ଧଳା ଟାଇଲ ଉପରେ ବିଛାଇ ଦିଅ।
  • ଚିତ୍ର ୨.୨ ‘କ’ ଭଳି ଡ୍ରପରରେ କିଛି ଦ୍ରବଣ ନେଇ ତଳେ ବିଛା ହୋଇଥିବା ନୀଳ ଲିଟମସ କାଗଜ ଉପରେ ଗୋଟିଏ ପରେ ଗୋଟିଏ ବୁନ୍ଦା ପକାଅ।
  • ତୁମେ କିଛି ନୀଳ ଲିଟମସର କାଗଜ ରଙ୍ଗ ପରିବର୍ତ୍ତନ ଦେଖିଲ ?
  • ଚିତ୍ର - ୨.୨ ‘ଖ’ ଅନୁସାରେ ଏହି ଭଳି ଶିକ୍ଷଣ କାର୍ଯ୍ୟକୁ ଲାଲ ଲିଟମସ କାଗଜ ଉପରେ କର।
  • ତୁମ ଅନୁଧ୍ୟାନକୁ ସାରଣୀ ୨.୧ ରେ ଲିପିବଦ୍ଧ କର। ଚିତ୍ର ୨.୨ (ଖ) : ଲାଲ ଲିଟମସ୍ କାଗଜରେ ରଙ୍ଗ ପରିବର୍ତ୍ତନ

ଚୂନପାଣି କିପରି ପ୍ରସ୍ତୁତ କରିବ କିଛି ଚୂନ ନେଇ ପାଣିରେ ଭଲ ଭାବରେ ଗୋଳାଅ। ଏହାକୁ ସେହିପରି ପ୍ରାୟ ଏକ ଘଣ୍ଟା ରଖିଦିଅ। ଅନ୍ୟ ଏକ ପାତ୍ରକୁ ଏହି ଦ୍ରବଣକୁ ଛାଣି ରଖ। ଏହା ହେଉଛି ସ୍ୱଚ୍ଛ ଚୂନପାଣି । ଚୂନପାଣିର ରାସାୟନିକ ନାମ ହେଉଛି କ୍ୟାଲସିୟମ୍ ହାଇଡ୍ରକ୍‌ସାଇଡ୍ ର ଦ୍ରବଣ।

ସାରଣୀ ୨.୧ : ନୀଳ ଓ ଲାଲ ଲିଟମସ କାଗଜ ବ୍ୟବହାର କରି ନମୁନାର ପ୍ରକୃତି ପରୀକ୍ଷା

କ୍ରମିକ ନମ୍ବରନମୁନା ପଦାର୍ଥର ନାମକାର୍ଯ୍ୟ ୨.୧ ପରେ ନୀଳ ଲିଟମସ କାଗଜର ରଙ୍ଗକାର୍ଯ୍ୟ ୨.୧ ପରେ ଲାଲ ଲିଟମସ କାଗଜର ରଙ୍ଗ
ଲେମ୍ବୁ ରସ
ସାବୁନ ପାଣି
ଅଁଳା ରସ
ତେନ୍ତୁଳି ରସ
ଭିନେଗାର
ବେକିଙ୍ଗ ସୋଡ଼ାର ଦ୍ରବଣ
ଚୂନ ପାଣି
କଳ ପାଣି
ଲୁଗା ସଫା ପାଉଡ଼ର ଦ୍ରବଣ
୧୦ଚିନି ପାଣି
୧୧ଲୁଣ ପାଣି
୧୨ଅନ୍ୟ କିଛି

ଆସ ବର୍ତ୍ତମାନ ସାରଣୀ – ୨.୧ କୁ ବିଶ୍ଲେଷଣ କରିବା ଏବଂ ନେଇଥିବା ନମୁନାଗୁଡ଼ିକୁ ନିମ୍ନମତେ ୩ ଟି ଭାଗରେ ବିଭକ୍ତ କରିବା – ପ୍ରଥମ ଭାଗ - (କ) କେତେକ ନମୁନା ନୀଳ ଲିଟମସକୁ ଲାଲ କରେ। ଦ୍ଵିତୀୟ ଭାଗ - (ଖ) କେତେକ ନମୁନା ଲାଲ ଲିଟମସକୁ ନୀଳ କରେ। ତୃତୀୟ ଭାଗ - (ଗ) କେତେକ ନମୁନା ଉଭୟ ଲିଟମସ କାଗଜ ଉପରେ ପ୍ରଭାବ ପକାଏ ନାହିଁ ।

ସାରଣୀ – ୨.୨ : ସାରଣୀ ୨.୧ ର ନମୁନା ସବୁକୁ ପରୀକ୍ଷା ପରେ ପ୍ରକୃତି ଅନୁଯାୟୀ ଲେଖ

ଭାଗ ‘କ’ଭାଗ ‘ଖ’ଭାଗ ‘ଗ’

[ଚିତ୍ର ବର୍ଣ୍ଣନା: ଜଣେ ଛାତ୍ରୀ ଚିନ୍ତାମଗ୍ନ ଥିବାର ଚିତ୍ର; ଚିତ୍ର ୨.୩ ରେ ନୀଳ ଏବଂ ଲାଲ ଲିଟମସ୍ କାଗଜ ପଟି; ଗଛ ଗଣ୍ଡି ଉପରେ ବଢ଼ିଥିବା ଲାଇକେନ୍‌ର ପ୍ରାକୃତିକ ଦୃଶ୍ୟ।]

ମୁଁ ଜାଣିବାକୁ ଇଚ୍ଛୁକ – ଏ ନୀଳ ଓ ଲାଲ ଲିଟମସ କାଗଜ କ’ଣ ଓ କେଉଁଥିରୁ ତିଆରି ହୁଏ ? ତା’ ଉପରେ କେତେକ ନମୁନା ଦ୍ରବଣ ପକାଇଲେ ତା’ର ରଙ୍ଗ କାହିଁକି ପରିବର୍ତ୍ତନ ହେଉଛି ?

ଚିତ୍ର ୨.୩ : ନୀଳ ଏବଂ ଲାଲ ଲିଟମସ୍ କାଗଜ ପଟି

ଆସ ଖୋଜି ବାହାର କରିବା । ଲିଟ୍‌ମସ୍ ଏକ ପ୍ରାକୃତିକ ପଦାର୍ଥ। ଏହା ଲାଇକେନ୍‌ରୁ ପ୍ରସ୍ତୁତ ହୋଇଥାଏ। ଏହା ଦୁଇ ପ୍ରକାରରେ ମିଳିଥାଏ। ଯଥା : (୧) ଦ୍ରବଣ ଆକାରରେ ଓ (୨) କାଗଜ ପଟି ଆକାରରେ । ଲିଟ୍‌ମସ୍ କାଗଜ ଦୁଇଟି ରଙ୍ଗରେ ଉପଲବ୍ଧ ହୋଇଥାଏ। ଯଥା ଲାଲ ଓ ନୀଳ (ଚିତ୍ର - ୨.୩ ରେ ଦର୍ଶାଯାଇଛି)। ଯେଉଁ ପଦାର୍ଥ ନୀଳ ଲିଟ୍‌ମସ୍ କାଗଜକୁ ଲାଲ କରିଦିଏ ତାହା ଅମ୍ଳୀୟ ପ୍ରକୃତିର, ଯେଉଁ ପଦାର୍ଥ ଲାଲ ଲିଟ୍‌ମସ୍ କାଗଜକୁ ନୀଳ କରିଦିଏ ତାହା କ୍ଷାରୀୟ ପ୍ରକୃତିର । ଯେହେତୁ ଅମ୍ଳୀୟ ଓ କ୍ଷାରୀୟ ଦ୍ରବଣର ଉପସ୍ଥିତିରେ ଲିଟ୍‌ମସ୍ ର ରଙ୍ଗ ବଦଳିଯାଏ ତାହାକୁ ଅମ୍ଳ ସୂଚକ ବୋଲି କୁହାଯାଏ।

ଅନ୍ୟ କେତେକ ପ୍ରାକୃତିକ ଓ କୃତ୍ରିମ ପଦାର୍ଥ ଅଛି ଯାହାକୁ କି ସୂଚକ ଭାବରେ ବ୍ୟବହାର କରାଯାଇଥାଏ। ସଂଶ୍ଳେଷିତ କୃତ୍ରିମ ପଦାର୍ଥ ଗୁଡ଼ିକ ବିଜ୍ଞାନାଗାରରେ ପ୍ରସ୍ତୁତ କରାଯାଇଥାଏ। ପରବର୍ତ୍ତୀ ଶ୍ରେଣୀରେ ଏ ବିଷୟରେ ତୁମେମାନେ ଅଧିକ ଶିକ୍ଷାଲାଭ କରିବ।

ଲାଇକେନ୍ ସାମଗ୍ରିକ ଅବଲୋକନ ଦୁଇଟି ଜୀବ ଯଥା ଶୈବାଳ ଓ କବକ ସଂଯୋଗରୁ ଲାଇକେନର ସୃଷ୍ଟି । ନିର୍ମଳ ବାୟୁ ଓ ଅତ୍ୟଧିକ ବର୍ଷା ହେଉଥିବା ଅଞ୍ଚଳରେ ଗଛ ଓ ପଥର ଉପରେ ଏମାନେ ବସନ୍ତି। ତୁମ ଅଞ୍ଚଳରେ ଗଛ ଉପରେ ଲାଇକେନ ବଢ଼ିବାର ଦେଖିଛ କି ?

ବର୍ତ୍ତମାନ ଆସ ସାରଣୀ - ୨.୨ ରେ ଥିବା ଭାଗ - କ,ଖ,ଗ ର ପଦାର୍ଥ ଗୁଡ଼ିକର ଶ୍ରେଣୀ ବିଭାଗ କରିବା। ଭାଗ ‘କ’ ରେ ଥିବା ଲେମ୍ବୁରସ, ଅଁଳା ରସ, ତେନ୍ତୁଳି ପାଣି ଓ ଭିନେଗାର ନୀଳ ଲିଟମସକୁ ଲାଲ କରିଦିଏ। ସେ ସବୁକୁ ଅମ୍ଳୀୟ ପଦାର୍ଥ କୁହାଯାଏ। ସେମାନେ ଅମ୍ଳୀୟ ପ୍ରକୃତିର। ଭାଗ ‘ଖ’ ରେ ଥିବା ସାବୁନ ଦ୍ରବଣ, ବେକିଙ୍ଗ ସୋଡ଼ାର ଦ୍ରବଣ, ଚୂନ ପାଣି ଓ ସାବୁନ୍ ପାଣି ଲାଲ ଲିଟ୍‌ମସ୍‌କୁ ନୀଳ କରିଦିଏ। ଏଗୁଡ଼ିକ କ୍ଷାରୀୟ ପ୍ରକୃତିର । ଭାଗ ‘ଗ’ ରେ ଥିବା କଳ ପାଣି, ଚିନି ପାଣି ଓ ଲୁଣ ପାଣି କୌଣସି ଲିଟ୍‌ମସ୍ କାଗଜର ରଙ୍ଗକୁ ବଦଳାଇ ପାରିଲେ ନାହିଁ। ଏମାନଙ୍କ ପ୍ରକୃତି କ’ଣ କହିପାରିବ ? ଏହି ପଦାର୍ଥଗୁଡ଼ିକ ଅମ୍ଳୀୟ ବା କ୍ଷାରୀୟ ନୁହଁନ୍ତି। ତେଣୁ ଏଗୁଡ଼ିକୁ ନିରପେକ୍ଷ (ନିଉଟ୍ରାଲ) ପଦାର୍ଥ କୁହାଯାଏ।


[ଚିତ୍ର ବର୍ଣ୍ଣନା: ଚିତ୍ର ୨.୪ ରେ ଫଳର ଟୋକେଇ ଓ ବିଭିନ୍ନ ଫଳ (କମଳା, ଅଁଳା, କଞ୍ଚା ଆମ୍ବ, ଟମାଟୋ) ରେ ଥିବା ସମ୍ପୃକ୍ତ ଅମ୍ଳର ପ୍ରଦର୍ଶନ; ଜଣେ ଛାତ୍ରୀ ଚିନ୍ତା କରୁଥିବାର ଚିତ୍ର।]

କାର୍ଯ୍ୟ ୨.୨ : ଆସ ସଂପର୍କ ବୁଝିବା ଓ ଅନୁସନ୍ଧାନ କରିବା ସାରଣୀ ୨.୨ ର ଭାଗ ‘କ’ ରେ ଥିବା ସମସ୍ତ ସାମଗ୍ରୀ ଖାଇବା ଯୋଗ୍ୟ କି ? ଏସବୁ ସାମଗ୍ରୀର ସ୍ୱାଦକୁ ତୁମେମାନେ କେବେ ଚାଖିଛ ? ସେସବୁ ସ୍ୱାଦକୁ ମନେ ପକେଇପାରିବ କି ? ଏ ସମସ୍ତ ସାମଗ୍ରୀର ସ୍ଵାଦ ଖଟା। ଏଥର ଆମେ କହିପାରିବା, ଯେଉଁ ପଦାର୍ଥର ସ୍ଵାଦ ଖଟା ସେଗୁଡ଼ିକରେ ଅମ୍ଳ ରହିଛି। ସେମାନେ ଅମ୍ଳୀୟ ପ୍ରକୃତିର।

ସତର୍କତା - କାହାକୁ ନ ପଚାରି ବା କେହି ନ କହିଲା ପର୍ଯ୍ୟନ୍ତ କୌଣସି ପଦାର୍ଥ କୁ ଚାଖିବ ନାହିଁ । ଜାଣି ନଥିବା ଦ୍ରବ୍ୟକୁ କେବେବି ଚାଖ ନାହିଁ । ପାଟିରେ ଲଗାଅ ନାହିଁ ।

କେତେକ ସାଧାରଣ ଖାଦ୍ୟ ପଦାର୍ଥ ଓ ସେଥିରେ ଥିବା ଅମ୍ଳର ନାମ ନିମ୍ନସ୍ଥ ଚିତ୍ର - ୨.୪ ରେ ଦିଆଯାଇଛି।

  • ସାଇଟ୍ରିକ୍ ଅମ୍ଳ
  • ଆସକରବିକ୍ ଅମ୍ଳ (ଭିଟାମିନ୍ - C) ଓ ସାଇଟ୍ରିକ୍ ଅମ୍ଳ
  • ଟାର୍‌ଟାରିକ୍ ଅମ୍ଳ
  • ସାଇଟ୍ରିକ୍ ଅମ୍ଳ ଓ ଅକ୍ସାଲିକ୍ ଅମ୍ଳ

ଚିତ୍ର ୨.୪ : କିଛି ଖାଦ୍ୟ ପଦାର୍ଥରେ ସବୁଠାରୁ ସାଧାରଣ ଅମ୍ଳ

ନିମ୍ନସ୍ଥ ଦ୍ରବ୍ୟରେ କି କି ଅମ୍ଳ ରହିଛି – ଆସ ସେଗୁଡ଼ିକୁ ତାଲିକା ଭୁକ୍ତ କରିବା - ଦହି - .... ତେନ୍ତୁଳି - .... ଭିନେଗାର - ....

ବର୍ତ୍ତମାନ ଆସ ଭାଗ ‘ଖ’ ରୁ ବେକିଂ ସୋଡ଼ାର ଦ୍ରବଣ ନିଅ । ବେକିଂସୋଡ଼ା ଦ୍ରବଣକୁ ତୁମ ଦୁଇ ଆଙ୍ଗୁଠି ସାହାଯ୍ୟରେ ଘଷ। କ’ଣ ଅନୁଭବ କରୁଛ ? ଏହା ହାତକୁ ସାବୁନ ସଦୃଶ ଚିକ୍କଣ ଅନୁଭୂତ ହେଉଛି କି ? କ୍ଷାରୀୟ ପଦାର୍ଥ ସାଧାରଣତଃ ହାତକୁ ଚିକ୍କଣ ଲାଗେ। କ୍ଷାରୀୟ ପଦାର୍ଥ ଗୁଡ଼ିକର ସ୍ୱାଦ ସାଧାରଣତଃ ପିତା ବା କଷା । କିନ୍ତୁ ସମସ୍ତ ପିତା ବା କଷା ଦ୍ରବ୍ୟରେ କ୍ଷାରୀୟ ଉପସ୍ଥିତ ନଥାଏ। ଉଦାହରଣ ସ୍ୱରୂପ କଲରା ର ସ୍ଵାଦ ପିତା। କିନ୍ତୁ ସେଥିରେ କ୍ଷାରୀୟ ଗୁଣ ନଥାଏ।

ଏବେ, ମୁଁ ଏକ ସୂଚକ ବ୍ୟବହାର କରି ଚଟାଣ ସଫା କରିବା ତରଳ ପଦାର୍ଥର ପ୍ରକୃତି ଯାଞ୍ଚ କରିପାରିବି !

ଯଦି ଲିଟ୍‌ମସ୍ କାଗଜ ନାହିଁ, ତେବେ ଅନ୍ୟ କୌଣସି ପ୍ରାକୃତିକ ପଦାର୍ଥକୁ ଅମ୍ଳ-କ୍ଷାର ସୂଚକ ରୂପେ ବ୍ୟବହାର କରିହେବ କି ?


[ଚିତ୍ର ବର୍ଣ୍ଣନା: ଚିତ୍ର ୨.୫ ରେ ଲାଲ ଗୋଲାପ ଫୁଲ; ଚିତ୍ର ୨.୬ ରେ ଏକ କାଚ ପାତ୍ରରେ ଗରମ ପାଣିରେ ଭିଜା ହୋଇଥିବା ଗୋଲାପ ପାଖୁଡ଼ା; ଚିତ୍ର ୨.୭ ରେ ପରୀକ୍ଷାନଳୀ ଷ୍ଟାଣ୍ଡରେ ଥିବା ପରୀକ୍ଷାନଳୀରେ ଲାଲ ଗୋଲାପ ରସ।]

୨.୧.୨ – ସୂଚକ ଭାବରେ ଲାଲ ଗୋଲାପ । ତୁମେମାନେ ହୁଏତ ତୁମ ଘର ଓ ଘର ବାହାରେ ଅନେକ ଫୁଲ ଦେଖିଥିବ ଓ ସେସବୁକୁ ଅନୁଧ୍ୟାନ କରିଥିବ । ସେହି ଫୁଲଗୁଡ଼ିକୁ ସୂଚକ ଭାବରେ ବ୍ୟବହାର କରିବାକୁ ଚେଷ୍ଟା କର।

କାର୍ଯ୍ୟ ୨.୩ : ଆସ ପ୍ରସ୍ତୁତ କରିବା । ଚିତ୍ର ୨.୬: ଲାଲ ଗୋଲାପ ପାଖୁଡ଼ା ଗରମ ପାଣିରେ ବୁଡ଼ାଗଲା

  • ବାହାରେ ତଳେ ପଡ଼ିଥିବା ଗୋଲାପ ଫୁଲର କେତେକ ପାଖୁଡ଼ା ସଂଗ୍ରହ କର। (ଗଛରୁ ଫୁଲ ତୋଳିବ ନାହିଁ) ।
  • ସେ ପାଖୁଡ଼ା ଗୁଡ଼ିକୁ ପାଣିରେ ଭଲ ଭାବରେ ଧୋଇ ସଫା କରିଦିଅ।
  • ହେମଦସ୍ତା ଓ ପୁଆ ସାହାଯ୍ୟରେ ସେ ପାଖୁଡ଼ା ଗୁଡ଼ିକୁ ଛେଚି
  • ତା'ପରେ ସେଗୁଡ଼ିକୁ ଏକ କାଚ ପାତ୍ରରେ ରଖ।
  • କାଚ ପାତ୍ରରେ ଥିବା ଛେଚା ହୋଇଥିବା ଗୋଲାପ ଫୁଲର ପାଖୁଡ଼ାଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ସେଥିରେ ଗରମପାଣି ଢ଼ାଳ। ଚିତ୍ର ୨.୫: ଲାଲ ଗୋଲାପ

ସତର୍କତା – ଶିକ୍ଷକ କିମ୍ବା ଅଭିଭାବକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟଟି କରିବ।

  • କାଚପାତ୍ରଟିକୁ ଘୋଡ଼ଣି ଦ୍ବାରା ଘୋଡ଼େଇ ରଖ । ପାଣି ରଙ୍ଗୀନ ହେବା ପର୍ଯ୍ୟନ୍ତ (୫-୧୦ ମିନିଟ୍) ଅପେକ୍ଷା କର (ଚିତ୍ର- ୨.୬)। ତା'ପରେ ଛାଣି ଦିଅ।
  • ଛାଣିବା ପରେ ସଂଗୃହୀତ ତରଳ ପଦାର୍ଥ (ନିଷ୍କର୍ଷକ) ଅମ୍ଳ କ୍ଷାରକ ସୂଚକ ଭାବରେ ବ୍ୟବହାର କରାଯାଏ। (ଚିତ୍ର ୨.୭)

ପରୀକ୍ଷାନଳୀ / ଟେଷ୍ଟ ଟ୍ୟୁବ୍ ପରୀକ୍ଷାନଳୀ ଷ୍ଟାଣ୍ଡ୍ ଲାଲ୍ ଗୋଲାପ ରସ ଚିତ୍ର ୨.୭ : ପରୀକ୍ଷା ନଳୀରେ ଗୋଲାପ ରସ

କାର୍ଯ୍ୟ ୨.୪ : ଆସ ଖୋଜିବା ଗୋଲାପ ପାଖୁଡ଼ାରୁ ପ୍ରସ୍ତୁତ ନିଷ୍କର୍ଷର ୧୦-୨୦ ବୁନ୍ଦା ଲେଖାଏଁ ଦୁଇଟି ପରୀକ୍ଷାନଳୀ ବା ସ୍ଵଚ୍ଛ କାଚ ବୋତଲରେ ରଖ । ତାକୁ ‘କ’ ଓ ‘ଖ’ ନାମ ଦିଅ।


[ଚିତ୍ର ବର୍ଣ୍ଣନା: ଚିତ୍ର ୨.୮ ରେ ଦୁଇଟି ଟେଷ୍ଟ ଟ୍ୟୁବ୍; ଗୋଲାପ ରସରେ ଲେମ୍ବୁ ରସ ମିଶାଇଲେ ଲାଲ ରଙ୍ଗ ହେବା (କ) ଏବଂ ସାବୁନ ପାଣି ମିଶାଇଲେ ସବୁଜ ରଙ୍ଗ ହେବା (ଖ) ର ପ୍ରଦର୍ଶନ।]

  • ଡ୍ରପର ସାହାଯ୍ୟରେ ୨୦-୩୦ ବୁନ୍ଦା ଲେମ୍ବୁ ରସ ନେଇ ପରୀକ୍ଷାନଳୀ ‘କ’ ରେ ଓ ୨୦-୩୦ ବୁନ୍ଦା ସାବୁନ ପାଣି ନେଇ ପରୀକ୍ଷା ନଳୀ - ‘ଖ’ ରେ ପକାଅ।
  • ଅନୁଧ୍ୟାନ କର ଏବଂ ରଙ୍ଗରେ କ’ଣ ସବୁ ପରିବର୍ତ୍ତନ ହେଉଛି ତାକୁ ସାରଣୀ ୨.୩ ରେ ଲେଖ।
  • କାର୍ଯ୍ୟ - ୨.୧ ରୁ ଅନ୍ୟ ନମୁନା ନେଇ ଏହି ପରୀକ୍ଷାକୁ ପୁଣି ଥରେ କର ଓ ନିଜର ଅନୁଧ୍ୟାନକୁ ସାରଣୀ ୨.୩ ରେ ଲେଖ।

ଚିତ୍ର ୨.୮ ଲେମ୍ବୁ ରସ (କ) ଏବଂ ସାବୁନ ପାଣି (ଖ) ମିଶାଇଲେ ଲାଲ ଗୋଲାପ ରସ ରଙ୍ଗରେ ପରିବର୍ତ୍ତନ

ସାରଣୀ - ୨.୩ : ଲାଲ ଗୋଲାପ ପାଖୁଡ଼ାରୁ ସଂଗୃହୀତ ନିଷ୍କର୍ଷକ ସହିତ ବିଭିନ୍ନ ନମୁନାର ପ୍ରକୃତି ପରୀକ୍ଷଣ ।

କ୍ରମିକ ନମ୍ବରନମୁନାର ନାମନମୁନା ମିଶାଇବା ପରେ ଗୋଲାପରୁ ସଂଗୃହୀତ ରସର ରଙ୍ଗପଦାର୍ଥର ପ୍ରକୃତି
ଲେମ୍ବୁ ରସ
ସାବୁନ ପାଣି
ଅଁଳା ରସ

ତୁମ ସାଙ୍ଗମାନଙ୍କ ସହ ତୁମ ପରୀକ୍ଷଣ ବିଷୟରେ ଆଲୋଚନା କର । ନୀଳ ଲିଟମସ କାଗଜ ଲାଲ ରଙ୍ଗରେ ପରିବର୍ତ୍ତନ ଭଳି ଏହି ନମୁନା ଗୁଡିକ ଗୋଲାପ ଫୁଲରୁ ସଂଗୃହୀତ ପଦାର୍ଥର ରଙ୍ଗକୁ ଲାଲ ରଙ୍ଗର ଗାର ଭଳି ପରିବର୍ତ୍ତନ କରିଥାଏ କି ? (ଦଳ – କ ସାରଣୀ ୨.୨ ) ଲାଲ ଲିଟମସ କାଗଜ ନୀଳ ରଙ୍ଗରେ ପରିବର୍ତ୍ତନ ଭଳି ଏହି ନମୁନା ଗୁଡିକ ଗୋଲାପ ଫୁଲରୁ ସଂଗୃହୀତ ପଦାର୍ଥରେ ରଙ୍ଗକୁ ସବୁଜ ରଙ୍ଗର ଛାଇ ଭଳି ପରିବର୍ତ୍ତନ କରିଥାଏ କି ? (ଦଳ ଖ, ସାରଣୀ ୨.୨) ନୀଳ ଓ ଲାଲ ରଙ୍ଗର ଲିଟମସ କାଗଜର ରଙ୍ଗ ପରିବର୍ତ୍ତନ ନ ହେଲା ଭଳି ଏହି ନମୁନା ଗୁଡିକ ଗୋଲାପ ଫୁଲରୁ ସଂଗୃହୀତ ପଦାର୍ଥର ରଙ୍ଗରେ କୌଣସି ପରିବର୍ତ୍ତନ ଆଣିଥା'ନ୍ତି କି ? (ଦଳ – ଗ, ସାରଣୀ ୨.୨)

ଏହି କାର୍ଯ୍ୟରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଲାଲ ଗୋଲାପ ଫୁଲରୁ ସଂଗୃହୀତ ପଦାର୍ଥରୁ ପ୍ରକୃତି ଜାଣିବା ପାଇଁ ଓ ଅମ୍ଳ କ୍ଷାର ସୂଚକ ଭାବରେ ବ୍ୟବହାର କରାଯାଇ ପାରିବ । ଲାଲ ଗୋଲାପ ଫୁଲରୁ ସଂଗୃହୀତ ଦ୍ରବଣ ଅମ୍ଳୀୟ ଦ୍ରବଣରେ ଲାଲ ରଙ୍ଗ ଓ କ୍ଷାରକୀୟ ଦ୍ରବଣରେ ସବୁଜ ରଙ୍ଗ ହୁଏ ।

ତୁମେ ସାରଣୀ– ୨.୩ ରେ ଥିବା ପଦାର୍ଥ ଗୁଡିକର ପ୍ରକୃତି ନିରୂପଣ କରି ପୂରଣ କରି ପାରିବ କି ?


[ଚିତ୍ର ବର୍ଣ୍ଣନା: ନୀଳ ଏବଂ ଗୋଲାପି ରଙ୍ଗର ହାଇଡ୍ରାଙ୍ଗିଆ ଫୁଲ; ଚିତ୍ର ୨.୯ ରେ (କ) ପେଟ୍ରିଡିସ୍‌ରେ ହଳଦୀ ପେଷ୍ଟ ଏବଂ (ଖ) ହଳଦୀ କାଗଜ ପଟିର ଦୃଶ୍ୟ।]

ଆମେ ନିଶ୍ଚିତ ଯେ, ଉପରୋକ୍ତ ଫଳାଫଳରେ ତୁମେମାନେ ଉତ୍‌ଫୁଲ୍ଲିତ ହେଉଥିବ । ଉପରୋକ୍ତ ପ୍ରକ୍ରିୟାକୁ ପୁନର୍ବାର କରି ସେହି ଦ୍ରବଣକୁ ଗୋଲାପୀ କୋବି, ବିଟ୍, ହଳଦୀ ଭଳି ପନିପରିବା, ଜାମୁକୋଳି ଭଳି ଫଳ, ଲାଲ୍ ମନ୍ଦାର ଭଳି ଫୁଲରେ ଅମ୍ଳ-କ୍ଷାରକ ସୂଚକ ଭାବରେ ପରୀକ୍ଷା କରାଯାଇ ପାରିବ ।

ଚିତ୍ତାକର୍ଷକ ତଥ୍ୟ ହାଇଡ୍ରାଙ୍ଗିଆ (hydrangea) ଏକ ଗଛ ଯାହାକି ହିମାଳୟର ଥଣ୍ଡା ଅଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ବଢ଼ିଥାନ୍ତି । ମୃତ୍ତିକାର ପ୍ରକୃତି ଅନୁସାରେ ଏହି ଗଛରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଫୁଟି ଥାଏ । ଅମ୍ଳୀୟ ମାଟିରେ ନୀଳ ରଙ୍ଗର ଫୁଲ ହୁଏ । କ୍ଷାରକୀୟ ମାଟିରେ ଗୋଲାପି କିମ୍ବା ଲାଲ ରଙ୍ଗର ଫୁଲ ହୁଏ । ବାଗିଚାର ମାଳୀ କ'ଣ ମୃତ୍ତିକାର ଅମ୍ଳୀୟ ଓ କ୍ଷାରକୀୟ ଗୁଣ ବ୍ୟବସ୍ଥିତ କରି ଏ ଫୁଲର ରଙ୍ଗକୁ ବଦଳାଇ ପାରିବ ?

୨.୧.୩- ସୂଚକ ଭାବରେ ହଳଦୀ କାର୍ଯ୍ୟ ୨.୧ ରେ ଆମେ ନୀଳ ଓ ଲାଲ୍ ଲିଟମସ୍ କାଗଜକୁ ବ୍ୟବହାର କରୁଥିଲେ । ଅନ୍ୟ କେତେକ ପ୍ରାକୃତିକ ସୂଚକରେ ତୁମେମାନେ କାଗଜ ପଟି ତିଆରି କରିପାରିବ କି ? ନିମ୍ନସ୍ଥ କାର୍ଯ୍ୟ ଅନୁସାରେ ପ୍ରାକୃତିକ ସୂଚକ ଆସ ପ୍ରସ୍ତୁତ କରିବା ।

କାର୍ଯ୍ୟ ୨.୫ : ଆସ ପ୍ରସ୍ତୁତ କରିବା

  • ଗୋଟିଏ ଚଟକା କାଚ ପାତ୍ର (Petridish) କିମ୍ବା ଅନ୍ୟ ପାତ୍ରରେ ଏକ ଚାମଚ ହଳଦୀ ଗୁଣ୍ଡ ରଖି ସେଥିରେ କମ୍ ପାଣି ମିଶେଇ ଏକ ପେଷ୍ଟ ତିଆରି କର । (ଚିତ୍ର ୨.୯ କ ଦେଖ)
  • ଯତ୍ନର ସହିତ ଏକ ଫିଲ୍ଟର କାଗଜକୁ ସେ ହଳଦୀ ପେଷ୍ଟରେ ହଳଦିଆ ରଙ୍ଗହେଲା ପର୍ଯ୍ୟନ୍ତ ବୁଡାଇ ରଖ ।
  • ସେହି ପରେ ଫିଲ୍ଟର କାଗଜକୁ ବାହାର କରି ଶୁଖାଅ ।
  • ହଳଦିଆ ଫିଲ୍ଟର କାଗଜକୁ କାଟି ଛୋଟ ଛୋଟ ଖଣ୍ଡରେ ପରିଣତ କର । ଏବେ ଆମେ ତାକୁ ହଳଦୀ କାଗଜ ଭାବରେ ବ୍ୟବହାର କରିପାରିବା । (ଚିତ୍ର ୨.୯ ଖ ଦେଖ)

ସତର୍କତା ଶିକ୍ଷକ, ଶିକ୍ଷୟତ୍ରୀ ବା ଅନ୍ୟ କେହି ବୟସ୍କ ଲୋକଙ୍କ ଉପସ୍ଥିତିରେ ଏ ସବୁ କାମ କରିବ ।

(କ) ହଳଦୀ ପେଷ୍ଟ (ଖ) ହଳଦୀ କାଗଜ ପଟି ଚିତ୍ର ୨.୯ : ହଳଦୀ କାଗଜ ପ୍ରସ୍ତୁତ କରିବା


[ଚିତ୍ର ବର୍ଣ୍ଣନା: ଜଣେ ଛାତ୍ର ଧଳା ସାର୍ଟରେ ଲାଗିଥିବା ହଳଦୀ ଦାଗ ସାବୁନ ସଂସ୍ପର୍ଶରେ ଆସି ଲାଲ ହେବା ଘଟଣା ବିଷୟରେ ଚିନ୍ତା କରୁଛି; କଞ୍ଚା ହଳଦୀ ଓ ହଳଦୀ ଗୁଣ୍ଡର ଛବି।]

  • କାର୍ଯ୍ୟ ୨.୧ ଅନୁସାରେ ଡ୍ରପର ସାହାଯ୍ୟରେ ପ୍ରତ୍ୟେକ ନମୁନାରୁ ବୁନ୍ଦାଏ ଲେଖାଏଁ ନେଇ ପ୍ରତ୍ୟେକ ଖଣ୍ଡ ହଳଦୀ କାଗଜ ଉପରେ ପକାଅ ।
  • ନିଜର ପର୍ଯ୍ୟବେକ୍ଷଣକୁ ସାରଣୀ ୨.୪ ରେ ଲିପିବଦ୍ଧ କର ।

ସାରଣୀ ୨.୪ : ହଳଦୀ କାଗଜ ସାହାଯ୍ୟରେ ନମୁନା ଗୁଡିକର ପ୍ରକୃତି ପରୀକ୍ଷା

କ୍ରମିକ ନମ୍ବରନମୁନାର ନାମବୁନ୍ଦାଏ ନମୁନାକୁ ପକେଇଲା ପରେ ହଳଦୀ କାଗଜର ରଙ୍ଗ
ଲେମ୍ବୁରସ
ସାବୁନ ର ଦ୍ରବଣ
ଅଁଳାରସ

ତୁମେ କ’ଣ ଅନୁଭବ କଲ / ଅନୁଧ୍ୟାନ କଲ ? ସମସ୍ତ ନମୁନା ହଳଦୀ କାଗଜର ରଙ୍ଗକୁ ପରିବର୍ତ୍ତନ କଲା କି ? ଯେଉଁ ସବୁ ନମୁନା ହଳଦୀ କାଗଜର ରଙ୍ଗ ପରିବର୍ତ୍ତନ କରି ପାରିଲା ସେଗୁଡିକୁ ଲିପିବଦ୍ଧ କର । ଦଳ ‘କ’ ଭାଗ ‘ଖ’ ଭାଗ ‘ଗ’ ରେ ଥିବା ସମସ୍ତ ନମୁନା ମଧ୍ୟରେ ତୁଳନା କର । (ସାରଣୀ ୨.୨ ଦେଖ) ଅମ୍ଳୀୟ ପଦାର୍ଥ ପାଇଁ “ହଳଦୀ କାଗଜ” ସୂଚକ ଭାବରେ ବ୍ୟବହାର କରାଯାଇ ପାରିବକି ? ତୁମ ଅନୁଧ୍ୟାନ ସାଙ୍ଗମାନଙ୍କ ସହ ଆଲୋଚନା କର ।

ଉକ୍ତ ପର୍ଯ୍ୟବେକ୍ଷଣରୁ ଆମେ ଏଇ ସମ୍ବନ୍ଧରେ ଉପନୀତ ହେଲୁ ଯେ ‘ହଳଦୀ କାଗଜକୁ’ କ୍ଷାରୀୟ ପଦାର୍ଥ ପାଇଁ ବ୍ୟବହାର କରାଯାଇ ପାରିବ । କିନ୍ତୁ ଏହା ଅମ୍ଳୀୟ ଓ ନିରପେକ୍ଷ ପଦାର୍ଥର ପୃଥକୀକରଣ କରିପାରିବ ନାହିଁ ।

ମୋ ଧଳା ସାର୍ଟ ରେ ଲାଗିଥିବା ତରକାରୀ ଦାଗ ଛଡ଼େଇବା ପାଇଁ ସାବୁନ ବ୍ୟବହାର କରି ଦେଖିଲି ଏହାର ରଙ୍ଗ ବଦଳି ଯାଇଛି । ବର୍ତ୍ତମାନ ମୁଁ ଏହାର କାରଣ କ'ଣ ଜାଣିଲି ।

ଚିତ୍ତାକର୍ଷକ ତଥ୍ୟ ହଳଦୀକୁ ସବୁଜ ମସଲା ବୋଲି କାହିଁକି କୁହାଯାଏ ? ହଳଦୀ ହେଉଛି ‘ଅଦା’ ପରିବାରର ସଦସ୍ୟ ଯାହାକି ଭାରତ ଭଳି ଅନ୍ୟ ଦେଶ ମାନଙ୍କରେ ଚାଷ କରାଯାଇଥାଏ । ସମ୍ପୂର୍ଣ୍ଣ ବିକଶିତ ଖାଦ୍ୟ ର ରଙ୍ଗ ଓ ସ୍ଵାଦ ଭଲ ହେବା ପାଇଁ ହଳଦୀକୁ ବ୍ୟବହାର କରାଯାଇଥାଏ। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ସ୍ଵାସ୍ଥ୍ୟର ଉନ୍ନତି ପାଇଁ ହଳଦୀକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ ଏବଂ କେତେକ ପାରମ୍ପରିକ ଘରୋଇ ଉପଚାର ପାଇଁ ହଳଦୀକୁ ବ୍ୟବହାର କରାଯାଇଥାଏ ।


[ଚିତ୍ର ବର୍ଣ୍ଣନା: ହଳଦୀ ଲେପିତ ଗ୍ରୀଟିଙ୍ଗ କାର୍ଡ଼ ଯେଉଁଥିରେ ଓଡ଼ିଆରେ କବିତା ଲେଖାଅଛି; ଜଣେ ଛାତ୍ର କପଡ଼ାର ଗନ୍ଧ ପରୀକ୍ଷା କରୁଥିବାର ଚିତ୍ର।]

ଗୁରୁପୂର୍ଣ୍ଣିମା ଦିନ ଅଶ୍ବିନୀ ତା’ର ଗୁରୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଧଳା କାଗଜରେ ଏକ କୃତଜ୍ଞତା ପତ୍ର (greeting card) ତିଆରି କଲା। ହଳଦୀ ପେଷ୍ଟ୍କୁ ଧଳା କାଗଜରେ ଲେପି ତାକୁ ଶୁଖାଇଲା । ଓଡିଆରେ ସେହି କାଗଜ ଉପରେ ସାରଣୀ ୨.୪ ର ଦ୍ରବଣ ମଧ୍ୟରୁ ଗୋଟିଏ ଦ୍ରବଣ ନେଇ ନିଜର ବାର୍ତ୍ତା ଲେଖିଲା।

ଗୁରୁଙ୍କୁ ସଦା ମୁଁ କରଇ ସମ୍ମାନ ନବୀନ ଜିଜ୍ଞାସା ଦେଲେ ଶିକ୍ଷା-ସମ୍ମାନ ମସ୍ତକ ନୁଆଁଇ ମୁଁ କରୁଛି ପ୍ରଣାମ । Thanks

ବାର୍ତ୍ତା ଲେଖିବା ପାଇଁ କେଉଁ ଦ୍ରବଣ ବ୍ୟବହାର କରାଯାଇଥିବ ? ଶିକ୍ଷକ ତା'ର ବୈଜ୍ଞାନିକ ଧାରଣାର ସୃଜନାତ୍ମକ ପ୍ରୟୋଗକୁ ପ୍ରଶଂସା କଲେ ।

ଏପରି କୌଣସି ପଦାର୍ଥ ଅଛି କି ଯେଉଁଥିରେ ଅମ୍ଳୀୟ କିମ୍ବା କ୍ଷାରୀୟ ପଦାର୍ଥ ମିଶାଇଲେ ତା’ର ଗନ୍ଧ ପରିବର୍ତ୍ତନ ହୁଏ ।

ଅମ୍ଳ ଓ କ୍ଷାରକ ମାଧ୍ୟମରେ କେତେକ ପଦାର୍ଥ ମଧ୍ୟରେ ସେମାନଙ୍କର ଗନ୍ଧ ପରିବର୍ତ୍ତନ ହୋଇଥାଏ । ସେଗୁଡିକୁ ଘ୍ରାଣସୂଚକ (olfactory indicator) ପଦାର୍ଥ କୁହାଯାଏ । ଆସ ସେଗୁଡିକୁ ଅନ୍ଵେଷଣ କରିବା ।

କାର୍ଯ୍ୟ ୨.୬ – ଆସ ଅନୁସନ୍ଧାନ କରିବା

  • ଗୋଟିଏ ପାତ୍ରରେ କିଛି ପରିଷ୍କାର କଟା ପିଆଜ ନିଅ ଓ ଏହା ସହିତ କିଛି ପରିଷ୍କାର କପଡ଼ା ବା ଫିଲ୍ଟର କାଗଜ ରଖ। ପାତ୍ରଟିକୁ ଭଲଭାବରେ ବନ୍ଦ କରି ଗୋଟିଏ ରାତି ରଖ ।
  • ପରଦିନ ସକାଳୁ ସେ ପାତ୍ରଟିକୁ ଖୋଲି ସେଥିରୁ ଦୁଇଖଣ୍ଡ କପଡ଼ା ବା କାଗଜ ନେଇ ତାର ଗନ୍ଧକୁ ପରୀକ୍ଷା କର ।
  • ସେ ଦୁଇଖଣ୍ଡ କାଗଜକୁ ପରିଷ୍କାର ଚଟାଣ ଉପରେ ରଖିଦିଅ। ଗୋଟିଏ ଖଣ୍ଡ କାଗଜ ଉପରେ କେତେ ଟୋପା ତେନ୍ତୁଳି ପାଣି ଓ ଅନ୍ୟ ଖଣ୍ଡ ଉପରେ କେତେ ଟୋପା ବେକିଙ୍ଗସୋଡା ଦ୍ରବଣ ପକାଅ ଯେମିତିକି ପୁରା କପଡ଼ା ଖଣ୍ଡ ବା କାଗଜ ଖଣ୍ଡ ଉପରେ ଖେଳେଇ ହୋଇଯିବ ।
  • ତା’ର ଗନ୍ଧକୁ ପୁଣି ପରୀକ୍ଷା କର ।
  • ହଳଦୀ ପାଣି ଓ ବେକିଙ୍ଗସୋଡା ଦ୍ରବଣ ପକେଇବା ପୂର୍ବରୁ ଓ ପରେ ଗନ୍ଧରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛ କି ? ତୁମ ଅନୁଧ୍ୟାନ (observation) ଲିପିବଦ୍ଧ କର ।
  • ସେହି ପରି ଅନ୍ୟ ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥ କୁ ନେଇ ପରୀକ୍ଷା କରି ତା’ର ଫଳାଫଳ କୁ ଲିପିବଦ୍ଧ କର । ଗନ୍ଧକୁ ପରୀକ୍ଷା କର ଏବଂ ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କର ।

[ଚିତ୍ର ବର୍ଣ୍ଣନା: ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ପ୍ରତିଛବି।]

ଆସ ଜଣେ ବୈଜ୍ଞାନିକଙ୍କୁ ଜାଣିବା ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଆଧୁନିକ ରସାୟନ ବିଜ୍ଞାନର ଜନକ ବୋଲି ପରିଚିତ । ସେ ଯୁକ୍ତରାଷ୍ଟ୍ର ଆମେରିକାରେ ଗବେଷଣା କରି ଡକ୍ଟରେଟ ଉପାଧି ପାଇଥିଲେ ଓ ତା’ପରେ ଭାରତ ଫେରିଲେ । ଭାରତରେ ଉଚ୍ଚତର ବୈଜ୍ଞାନିକ ଗବେଷଣା ପାଇଁ ସେ ତାଙ୍କ ଜ୍ଞାନ ବିତରଣ କରିଥିଲେ । ୧୯୦୧ ମସିହାରେ ସେ ଔଷଧ ସମ୍ବନ୍ଧୀୟ ଗବେଷଣା ପାଇଁ ଭାରତରେ ଏକ ଔଷଧ କମ୍ପାନୀ ସ୍ଥାପନ କରିଥିଲେ । ସେ ଭାରତୀୟ ସଂସ୍କୃତି ଓ ଜ୍ଞାନ ପରମ୍ପରା ସହିତ ଦୃଢ଼ଭାବେ ଜଡ଼ିତ ଥିଲେ। ସେ ରସାୟନ ବିଜ୍ଞାନର ଇତିହାସ ଲେଖି ପୁରାତନ ବୈଜ୍ଞାନିକମାନଙ୍କର ସଫଳତା ଓ ବିଶେଷ ଜ୍ଞାନ ବିଷୟରେ ଆଧୁନିକ ଜନସମାଜରେ ପ୍ରଚାର କରାଇଥିଲେ। ଭାରତର ରସାୟନ ବିଜ୍ଞାନର ଇତିହାସ ବିଷୟରେ ତାଙ୍କର ରଚନା ମାଧ୍ୟମରେ ସେ ଭାରତୀୟ ବୈଜ୍ଞାନିକମାନଙ୍କର କୃତି ଓ ଦକ୍ଷତାକୁ ଆଧୁନିକ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଚାର୍ଯ୍ୟ ରାୟ ଜଣେ ସମାଜ ସଂସ୍କାରକ ଯେ କି ଶିକ୍ଷାନୁଷ୍ଠାନଗୁଡ଼ିକରେ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରାଇବା ପାଇଁ ଆହ୍ୱାନ ଦେଇଥିଲେ ।

୨.୨: ଅମ୍ଳୀୟ ପଦାର୍ଥ ସହ କ୍ଷାରୀୟ ପଦାର୍ଥ ମିଶିଲେ କ'ଣ ହୁଏ ? ଆସ ନିମ୍ନ ପରୀକ୍ଷଣ ଦ୍ୱାରା ଅନୁସନ୍ଧାନ କରିବା ।

କାର୍ଯ୍ୟ ୨.୭ - ଆସ ପରୀକ୍ଷଣ କରିବା

  • ଗୋଟିଏ ପରୀକ୍ଷା ନଳୀରେ ଗୋଟିଏ ବୁନ୍ଦା ଲେମ୍ବୁରସ ନିଅ ଓ ସେଥିରେ ପ୍ରାୟ ୨୦ ବୁନ୍ଦା ପାଣି ମିଶାଅ । ଏହାର ରଙ୍ଗକୁ ନିରୀକ୍ଷଣ କର ।
  • ଗୋଟିଏ ବୁନ୍ଦା ନୀଳ ଲିଟ୍‌ମସ୍ ଦ୍ରବଣ ଏଥିରେ ମିଶାଅ । ଏହାର ରଙ୍ଗରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛ କି ? ଏହା ଲାଲ ଦେଖାଯାଉଛି କି ?
  • ଡ୍ରପର ସାହାଯ୍ୟରେ ପରୀକ୍ଷାନଳୀ ଭିତରକୁ (ଚିତ୍ର ୨.୧୦ ଖ ଦେଖ) ଧୀରେ ଧୀରେ ବୁନ୍ଦା ବୁନ୍ଦା କରି ଚୂନ ପାଣି ପକାଅ ଓ ପରୀକ୍ଷାନଳୀଟିକୁ ବୃତ୍ତାକାର ଗତିରେ ଜଳଭଉଁରି ଭଳି ଘୂରାଅ ।
  • ଏବେ ତୁମେ କ’ଣ ଲକ୍ଷ୍ୟ କରୁଛ ? ଦ୍ରବଣର ରଙ୍ଗରେ କିଛି ପରିବର୍ତ୍ତନ ହେଉଛି କି ?
  • କିଛି ସମୟ ଏମିତି କଲାପରେ ଦ୍ରବଣର ରଙ୍ଗ ଲାଲରୁ ନୀଳକୁ ପରିବର୍ତ୍ତନ ହେବ ।
  • ପୁଣି ସେ ପରୀକ୍ଷାନଳୀ ଭିତରକୁ ଗୋଟିଏ ବୁନ୍ଦା ଲେମ୍ବୁରସ ପକାଅ । ତୁମେ କହିପାରିବ କି କାହିଁକି ଏହି ରଙ୍ଗ ପରିବର୍ତ୍ତନ ହୋଇଥାଏ ?

ଚିତ୍ର ୨.୧୦ (କ) ଲେମ୍ବୁରସରେ ନୀଳ ଲିଟମସ୍ ଦ୍ରବଣ ମିଶାଇବା ପରେ ଦ୍ରବଣର ରଙ୍ଗ ଚିତ୍ର ୨.୧୦ (ଖ) ଚୂନପାଣି ମିଶିବା ପରେ ଦ୍ରବଣର ରଙ୍ଗ


[ଚିତ୍ର ବର୍ଣ୍ଣନା: ଚିତ୍ର ୨.୧୧ ରେ ବଗିଚାରେ ଗଛ ପାଖରେ ବସିଥିବା ଝିଅଟିକୁ ନାଲି ପିମ୍ପୁଡ଼ି କାମୁଡ଼ିବା ଦୃଶ୍ୟ; ଚିତ୍ର ୨.୧୨ ରେ ଚାଷୀମାନେ ଜମିରେ ଚୂନ ପ୍ରୟୋଗ କରି ମାଟିର ଅମ୍ଳତା ନିରପେକ୍ଷ କରୁଥିବାର ଦୃଶ୍ୟ।]

ପ୍ରାରମ୍ଭରେ ଯେତେବେଳେ ଲେମ୍ବୁରସରେ ନୀଳ ଲିଟମସ ଦ୍ରବଣ ମିଶାଗଲା, ସେତେବେଳେ ଦ୍ରବଣର ରଙ୍ଗ ଲାଲ ହୋଇଗଲା । ଚୂନ ପାଣି ମିଶାଇଲା ପରେ ଦ୍ରବଣର ରଙ୍ଗ ଲାଲରୁ ନୀଳ ହୋଇଗଲା । ଏଥିରୁ ଜଣାଗଲା ଯେ, ପରୀକ୍ଷାନଳୀରେ ଥିବା ଦ୍ରବଣ ଆଦୌ ଅମ୍ଳୀୟ ନଥିଲା । ଚୂନ ପାଣି ମିଶାଇବା ଦ୍ୱାରା ଏହାର ପ୍ରଭାବରେ ଅମ୍ଳ ପ୍ରଶମିତ (Neutral) ହୋଇଗଲା ।

ଯଦି ଅମ୍ଳୀୟ ଦ୍ରବଣକୁ କ୍ଷାରକୀୟ ଦ୍ରବଣ ସହ ଯଥେଷ୍ଟ ପରିମାଣରେ ମିଶାଯାଏ ତେବେ ମିଶ୍ରିତ ଦ୍ରବଣର ପ୍ରକୃତି ଅମ୍ଳୀୟ ନୁହେଁ କି କ୍ଷାରକୀୟ ନୁହେଁ । ଉକ୍ତ ଦ୍ରବଣଟି ପ୍ରଶମିତ ବା ନିରପେକ୍ଷ (Neutral) ପଦାର୍ଥ । ଏହି ପ୍ରତିକ୍ରିୟାକୁ ନିରପେକ୍ଷୀକରଣ ପ୍ରତିକ୍ରିୟା କୁହାଯାଏ । ଏକ ନିରପେକ୍ଷୀକରଣ ପ୍ରତିକ୍ରିୟାରେ ଉତ୍ତାପର ନିର୍ଗମନ ସହ ଲୁଣ ଓ ଜଳ ଉତ୍ପନ୍ନ ହୁଏ ।

ଅମ୍ଳ+କ୍ଷାରକଲୁଣ+ଜଳ+ତାପ\text{ଅମ୍ଳ} + \text{କ୍ଷାରକ} \rightarrow \text{ଲୁଣ} + \text{ଜଳ} + \text{ତାପ}

ଦୈନନ୍ଦିନ ଜୀବନରେ ଅନେକ ଉଦାହରଣ ଅଛି ଯାହାକୁ ତୁମେ ନିରପେକ୍ଷୀକରଣ ପ୍ରତିକ୍ରିୟାର ପ୍ରୟୋଗ ଦେଖିପାରିବ। ଆସ ଖୋଜିବା ।

୨.୩. ଦୈନନ୍ଦିନ ଜୀବନରେ ନିରପେକ୍ଷୀକରଣ ଚିତ୍ର ୨.୧୧: ପିମ୍ପୁଡ଼ି କାମୁଡ଼ାର ତୀବ୍ର ଯନ୍ତ୍ରଣା ପରିସ୍ଥିତି– ୧ : କୀର୍ତ୍ତି ବଗିଚାରେ ବସିଥିଲା । ଗଛ ଗଣ୍ଡି ଉପରେ ବସି ଏକ ପ୍ରଜାପତିକୁ ହାତରେ ଧରି ପର୍ଯ୍ୟବେକ୍ଷଣ କରୁଥିଲା । ତତ୍‌କ୍ଷଣାତ୍ ଏକ ନାଲି ପିମ୍ପୁଡି ତାକୁ କାମୁଡି ଦେଲା । ତା’ର ଚର୍ମ ନାଲି ପଡିଗଲା ଓ ଯନ୍ତ୍ରଣା ହେଲା । (ଚିତ୍ର ୨.୧୧ ଦେଖ) କୀର୍ତ୍ତିର ଭାଇ ପିମ୍ପୁଡି କାମୁଡ଼ିଥିବା ଜାଗାରେ ବେକିଂ ସୋଡା ବୋଳି ଦେଲେ । ଏହା ପରେ ସେ ଯନ୍ତ୍ରଣା ମୁକ୍ତ ହେଲା । ତୁମେ ଏହାର କାରଣ ବିଷୟରେ କିଛି ଚିନ୍ତା କରୁଛ ?

ଯେତେବେଳେ ପିମ୍ପୁଡି କାମୁଡେ ସେତେବେଳେ ସେ ଜାଗାରେ ଅମ୍ଳୀୟ ପଦାର୍ଥ (ଫର୍ମିକ୍ ଅମ୍ଳ) ଚର୍ମ ଭିତରକୁ ଛାଡିଦିଏ । ବେକିଂ ସୋଡ଼ା କ୍ଷାରକ ହୋଇଥିବାରୁ ଏହାକୁ ଘଷିବା ଫଳରେ ଅମ୍ଳର ପ୍ରଭାବକୁ ନିରପେକ୍ଷୀକରଣ ଦ୍ବାରା ପ୍ରଶମିତ କରାଯାଇପାରିଲା । ତୁମେ ଜାଣିଛ କି ତୁମ ଅଞ୍ଚଳରେ ପିମ୍ପୁଡି କାମୁଡ଼ିଲେ ପ୍ରତିକାର ପାଇଁ କ’ଣ କରନ୍ତି ?

ଚିତ୍ର ୨.୧୨: ମାଟିର ଅମ୍ଳୀୟ ପ୍ରକୃତିକୁ ନିରପେକ୍ଷ କରିବା ପରିସ୍ଥିତି -୨ : କୃଷକମାନଙ୍କ ପୋର୍ଟାଲ (କୃଷି, ସହଯୋଗ ଓ କୃଷକ କଲ୍ୟାଣ ବିଭାଗର ଅନଲାଇନ ପ୍ଲାଟଫର୍ମ)ରେ ଜଣେ କୃଷକଙ୍କର ଜିଜ୍ଞାସା ଥିଲା “ମୋ ଗଛଗୁଡିକ ଆଜିକାଲି ଭଲରେ ବଢିପାରୁନାହାନ୍ତି” । ଅନେକ ଆଲୋଚନା ପରେ ଜଣାପଡିଲା ଯେ, ଗଛ ଭଲ ବଢିବା ପାଇଁ ମୃତ୍ତିକାରେ ଅଧିକ ପରିମାଣରେ ରାସାୟନିକ ସାର ବ୍ୟବହାର କରିବା ହେଉଛି ଏହାର କାରଣ । ଏହା ଦ୍ଵାରା ମାଟି ଅମ୍ଳୀୟ ହୋଇ ଗଛ ବଢିବାରେ ବାଧା ସୃଷ୍ଟି ହୋଇଥାଏ । ଏହି କୃଷକଙ୍କୁ ଆମେ କି ପ୍ରକାର ପ୍ରତିକାର ବ୍ୟବସ୍ଥା ଯୋଗାଇ ପାରିବା ?


[ଚିତ୍ର ବର୍ଣ୍ଣନା: ବାଦାମ ଚୋପା ଭିତରୁ ଜଣେ ବାଳକ ବହି ଧରି ବାହାରୁଥିବାର ଏକ କଳ୍ପନାତ୍ମକ ଚିତ୍ର।]

ଯେଉଁ ମୃତ୍ତିକା ଅଧିକ ଅମ୍ଳୀୟ ସେ ମୃତ୍ତିକାରେ ଗଛ ଭଲ ବଢିପାରେ ନାହିଁ । ଏହି ପ୍ରକାର ମୃତ୍ତିକାରେ ଚୂନ ମିଶାଇ ପ୍ରତିକାର କରାଯାଇପାରିବ, କାରଣ ଚୂନ ହେଉଛି କ୍ଷାରକ । (ଚିତ୍ର – ୨.୧୨ ଦେଖ)

ଯଦି ମୃତ୍ତିକା କ୍ଷାରୀୟ ହୋଇଥାଏ ତେବେ ତାର ପ୍ରତିକାର ପାଇଁ ଜୈବିକ ଖତ ଓ ଗଛର ପତ୍ରରୁ ପ୍ରସ୍ତୁତ କମ୍ପୋଷ୍ଟକୁ ସେ ମାଟିରେ ମିଶାଇବା । ଏହି ସବୁ ଜୈବିକ ପଦାର୍ଥ ମୃତ୍ତିକାକୁ ଅମ୍ଳୀୟ ପଦାର୍ଥ ଯୋଗାଇ ଏହାର କ୍ଷାରୀୟ ଗୁଣକୁ ହ୍ରାସ କରି ନିରପେକ୍ଷ କରିଥାଏ। ବେଳେବେଳେ ମୃତ୍ତିକା ନିରପେକ୍ଷ ଅବସ୍ଥାରେ ଥାଏ । ତଥାପି ପୋଷକ ଦ୍ରବ୍ୟ ଅଭାବରୁ ସେ ମୃତ୍ତିକାରେ ବଢ଼ୁଥିବା ଗଛଗୁଡିକ ରୁଗ୍‌ଣ ହୋଇଥାଏ ।

ପରିସ୍ଥିତି – ୩ : ଅଶ୍ୱିନୀର ସାଙ୍ଗ ମାନସର ଘର ଏକ ଶିଳ୍ପାଞ୍ଚଳ ନିକଟରେ । ମାନସ ତାର ସାଙ୍ଗକୁ କହିଲା ଘର ପାଖରେ ଥିବା ଏକ ହ୍ରଦରେ ମାଛ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହାର କାରଣ ବିଷୟରେ ତୁମେମାନେ କ’ଣ ଚିନ୍ତା କରୁଛ ? ଶିଳ୍ପାଞ୍ଚଳର କଳକାରଖାନାରୁ ନିର୍ଗତ ଆବର୍ଜନା ସବୁ ହ୍ରଦରେ ମିଶୁଥିବାରୁ ହୁଏତ ଏପରି ଘଟୁଛି ।

ଯଦି କଳକାରଖାନାରୁ ନିର୍ଗତ ଆବର୍ଜନା ଅମ୍ଳୀୟ ତେବେ କଣ କଲେ ମାଛ ମାନେ ନିରାପଦରେ ବଢିପାରିବେ ? ଆବର୍ଜନା ଗୁଡିକୁ ହ୍ରଦକୁ ଛାଡିବା ପୂର୍ବରୁ ସେଗୁଡିକୁ କ୍ଷାରୀୟ ପଦାର୍ଥ ଦ୍ଵାରା ନିରପେକ୍ଷୀକରଣ କରି ଛାଡିବା ଉଚିତ ।

ଆସ ପୁନରାବୃତ୍ତି କରିବା : ମହେଶ ଓ ଜ୍ୟୋତି ଧରିଥିବା ଧଳା କାଗଜ ଉପରେ କିଛି ତରଳ ପଦାର୍ଥ ସିଞ୍ଚନ କରିବା ଫଳରେ ତା ଉପରେ ଲେଖା ହୋଇଗଲା “ବିସ୍ମୟକର ବିଜ୍ଞାନ ଜଗତକୁ ସ୍ଵାଗତ” । ବର୍ତ୍ତମାନ ତୁମେମାନେ ଏହାର କାରଣ ବୁଝାଇ ପାରିବ କି ? ଧଳା କାଗଜ ଉପରେ ସିଞ୍ଚନ ପାଇଁ ହଳଦୀ ଦ୍ରବଣ (ହଳଦୀ ପାଣି) ଓ ଲେଖିବା ପାଇଁ ସାବୁନ ଦ୍ରବଣ (ସାବୁନ ପାଣି) ବ୍ୟବହାର କରାଯିବା ଏହାର ସମ୍ଭାବିତ କାରଣ ବୋଲି ତୁମେମାନେ ଚିନ୍ତା କରୁଛ କି ?

ସଂକ୍ଷେପରେ :

  • ଆମ ଚାରିପାଖରେ ଥିବା ପଦାର୍ଥ ଗୁଡିକୁ ଅମ୍ଳୀୟ, କ୍ଷାରୀୟ, ନିରପେକ୍ଷ (ନିଉଟ୍ରାଲ) ପଦାର୍ଥ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରିବ।
  • ଲାଇକେନ, ଲାଲଗୋଲାପ, ଲାଲମନ୍ଦାର, ଗୋଲାପି କୋବି ଓ ହଳଦୀ ଇତ୍ୟାଦିର ରସ ପଦାର୍ଥର ପ୍ରକୃତି ଜାଣିବା ପାଇଁ ବ୍ୟବହାର କରାଯାଇପାରିବ ।
  • ଅମ୍ଳୀୟ ଓ କ୍ଷାରୀୟ ପଦାର୍ଥର ରଙ୍ଗ ସୂଚାଉଥିବା ପଦାର୍ଥ ଗୁଡିକୁ ଅମ୍ଳ-କ୍ଷାର ସୂଚକ ବୋଲି କୁହାଯାଏ ।
  • ଅମ୍ଳ ନୀଳ ଲିଟମସକୁ ଲାଲ କରିଦିଏ ଓ କ୍ଷାରକ ଲାଲ ଲିଟମସକୁ ନୀଳ କରିଦିଏ ।
  • ଲାଲ ଗୋଲାପର ରସ ଅମ୍ଳୀୟ ଦ୍ରବଣରେ ଲାଲ ରଙ୍ଗ ଓ କ୍ଷାରୀୟ ଦ୍ରବଣରେ ସବୁଜ ରଙ୍ଗ ପ୍ରଦର୍ଶନ କରାଏ ।
  • ହଳଦୀର ହଳଦିଆ ରଙ୍ଗ କ୍ଷାରୀୟ ପଦାର୍ଥରେ ଲାଲ ରଙ୍ଗ ହୁଏ, କିନ୍ତୁ ଅମ୍ଳୀୟ ଓ ନିରପେକ୍ଷ ପଦାର୍ଥ ରେ ଅପରିବର୍ତ୍ତିତ ରହେ ।
  • ଅମ୍ଳ ଓ କ୍ଷାର ପରସ୍ପରକୁ ନିରପେକ୍ଷ କରନ୍ତି ଏବଂ ଏହି ପ୍ରତିକ୍ରିୟାରେ ଲବଣ ଓ ଜଳ ସୃଷ୍ଟି ସହ ତାପ ଉତ୍ପନ୍ନ ହୁଏ ।
  • ନାଲି ପିମ୍ପୁଡି କାମୁଡିବା, ଅମ୍ଳୀୟ ବା କ୍ଷାରୀୟ ମୃତ୍ତିକାର ପ୍ରତିକାର ଏବଂ ଶିଳ୍ପାଞ୍ଚଳ ଆବର୍ଜନା ଆଦି ସାଧାରଣ ଦୈନନ୍ଦିନ ସମସ୍ୟାଗୁଡ଼ିକ ନିରପେକ୍ଷୀକରଣ ଦ୍ବାରା ସମାଧାନ ହୋଇପାରିବ।

[ଚିତ୍ର ବର୍ଣ୍ଣନା: ପୃଷ୍ଠାର ବାମ ପାର୍ଶ୍ୱରେ ଏକ ସିଡ଼ି ଉପରେ ବସିଥିବା ଝିଅ ଯାହା ପାଖରେ କ’ଣ, କାହିଁକି, କେଉଁଠି, କେତେବେଳେ, କିଏ, କାହାକୁ ଆଦି ପ୍ରଶ୍ନବାଚୀ ଶବ୍ଦ ଲେଖାଅଛି; ଚିତ୍ର ୨.୧୩, ୨.୧୪, ୨.୧୫ ରେ ଲାଲ ଗୋଲାପ ରସରୁ ପ୍ରସ୍ତୁତ କାଗଜ ପଟିକୁ ପାତ୍ରରେ ବୁଡ଼ାଯାଉଥିବାର ଦୃଶ୍ୟ (ସବୁଜ, ଗୋଲାପି/ଅପରିବର୍ତ୍ତିତ, ଲାଲ)।]

ଆସ ଆମ ଶିକ୍ଷଣ ଅଭିବୃଦ୍ଧି କରିବା ୧. ଏକ ଦ୍ରବଣ ଲାଲ୍ ଲିଟ୍‌ମସ୍ କାଗଜକୁ ନୀଳ କରେ। ନିମ୍ନସ୍ଥ ଦ୍ରବଣ ଗୁଡିକ ମଧ୍ୟରୁ କେଉଁ ଦ୍ରବଣ ଅଧିକ ମିଶାଇଲେ ଲିଟମସ କାଗଜର ରଙ୍ଗ ପୁଣି ଲାଲ ହୋଇଯାଏ ? (କ) ଚୂନ ପାଣି (ଖ) ଖାଇବା ସୋଡା (ଗ) ଭିନେଗାର (ଘ) ସାଧାରଣ ଲୁଣ ପାଣି

୨. ତୁମକୁ କ, ଖ, ଗ ନାମରେ ୩ ଟି ଅଜଣା ଦ୍ରବ୍ୟ ଦିଆଯିବ । କିଏ ଅମ୍ଳୀୟ, କିଏ କ୍ଷାରୀୟ ଓ କିଏ ନିରପେକ୍ଷ ତୁମେ ଜାଣିନାହଁ। ଦ୍ରବଣ-କ ରେ ଲାଲ୍ ଲିଟ୍‌ମସ୍ ଦ୍ରବଣ ମିଶାଇଲେ ତାହା ନୀଳ ହୁଏ । ଦ୍ରବଣ- ଖ ରେ ଅଳ୍ପ କିଛି ବୁନ୍ଦା ହଳଦୀ ଦ୍ରବଣ ମିଶେଇଲେ ଏହା ଲାଲ ହୁଏ, ଓ ଲାଲ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଦ୍ରବଣ – ଗ ରେ ମିଶେଇଲେ ତାହା ସବୁଜ ହୁଏ । ଉପରୋକ୍ତ ପରୀକ୍ଷଣରୁ ଦ୍ରବଣ କ,ଖ, ଗ ର ପ୍ରକୃତି ଜାଣିବା ପାଇଁ ନିମ୍ନସ୍ଥ କେଉଁ ଅନୁକ୍ରମଟି ଠିକ୍ ? କ. ଅମ୍ଳୀୟ, ଅମ୍ଳୀୟ ଓ ଅମ୍ଳୀୟ ଖ. ନିରପେକ୍ଷ, କ୍ଷାରୀୟ ଓ କ୍ଷାରୀୟ ଗ. କ୍ଷାରୀୟ, କ୍ଷାରୀୟ ଓ ଅମ୍ଳୀୟ ଘ. କ୍ଷାରୀୟ, କ୍ଷାରୀୟ ଓ କ୍ଷାରୀୟ

୩. ଚିତ୍ର ୨.୧୩, ୨.୧୪ ଓ ୨.୧୫ କୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର ଯେଉଁଥିରେ ଲାଲ ଗୋଲାପ ରସରୁ ପ୍ରସ୍ତୁତ କାଗଜପଟି ବ୍ୟବହାର କରାଯାଇଛି ? ପ୍ରତି ପାତ୍ର ରେ ଥିବା ଦ୍ରବଣର ପ୍ରକୃତିକୁ ନାମାଙ୍କିତ କର। ଚିତ୍ର ୨.୧୩ ଚିତ୍ର ୨.୧୪ ଚିତ୍ର ୨.୧୫

୪. ବିଜ୍ଞାନାଗାରରେ ଥିବା ଏକ ତରଳ ନମୁନା ଭିନ୍ନ ଭିନ୍ନ ସୂଚକ ଦ୍ବାରା ନିମ୍ନମତେ ପରୀକ୍ଷା କରାଗଲା।

ସୂଚକଲାଲ୍ ଲିଟ୍‌ମସ୍ନୀଳ ଲିଟ୍‌ମସ୍ହଳଦୀ ପାଣି
ପରିବର୍ତ୍ତନକୌଣସି ପରିବର୍ତ୍ତନ ନାହିଁଲାଲ୍ ହୋଇଗଲାରଙ୍ଗର କୌଣସି ପରିବର୍ତ୍ତନ ନାହିଁ

ଏହି ପରୀକ୍ଷା ଆଧାରରେ ନିଆଯାଇଥିବା ତରଳ ନମୁନାର ପ୍ରକୃତି ଅମ୍ଳୀୟ କି କ୍ଷାରୀୟ ଚିହ୍ନଟ କର ଓ ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।


୫. ଲିପିକା ଆଖି ବୁଜିଥିବା ଅବସ୍ଥାରେ ଅମ୍ଳୀୟ କି କ୍ଷାରୀୟ ପରୀକ୍ଷା କରିବା ପାଇଁ ତାକୁ ଦୁଇଟି ଅଜଣା ଦ୍ରବଣ ଦିଆଗଲା । ସେହି ଦ୍ରବଣ ଦୁଇଟିର ଗୁଣ ପରୀକ୍ଷା କରିବା ପାଇଁ ଲିପିକା କି କି ସୂଚକ ପଦାର୍ଥ ବ୍ୟବହାର କରିବା ଉଚିତ ଓ କାହିଁକି ?

୬. ଅଧ୍ୟାୟ ଆରମ୍ଭରେ ଥିବା ବାର୍ତ୍ତା ଗୋଟିଏ ଧଳା କାଗଜରେ ଲେଖିବା ପାଇଁ ତୁମେ କେଉଁକେଉଁ ଉପାଦାନ ବ୍ୟବହାର କରିବ ? ତୁମର ସ୍ପ୍ରେ ବୋତଲରେ ଏଥିପାଇଁ କ’ଣ ରଖିବ ? ବିଭିନ୍ନ ସମ୍ଭାବ୍ୟ ସଂଯୋଜନ ଓ ଲେଖାର ରଙ୍ଗକୁ ନେଇ ଏକ ସାରଣୀ ତିଆରି କର।

୭. ଅଙ୍ଗୁର ରସ ସହିତ ଲାଲ ଗୋଲାପ ରୁ ସଂଗୃହୀତ ପଦାର୍ଥ ମିଶାଗଲା । ମିଶ୍ରଣଟି ଲାଲ ରଙ୍ଗ ଭଳି ଦେଖାଗଲା । ଯଦି ସେ ମିଶ୍ରଣରେ ଖାଇବାସୋଡା ମିଶାଯାଏ ତେବେ କ’ଣ ହେବ ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।

୮. କମଳାରସ ବ୍ୟବହାର କରି ଜ୍ୟୋତି ତା’ର ଜନ୍ମ ଦିନରେ ତା’ ଆଈ ପାଖକୁ ଏକ ଗୁପ୍ତ ବାର୍ତ୍ତା ପଠେଇଲା । ବାର୍ତ୍ତାଟି ପଢିବା ପାଇଁ ଜ୍ୟୋତିର ଆଈଙ୍କୁ ତୁମେ ସାହାଯ୍ୟ କରିପାରିବ କି ? କେଉଁ ସୂଚକ ବ୍ୟବହାର କଲେ ବାର୍ତ୍ତାଟି ସ୍ପଷ୍ଟ ପଢି ହେବ ?

୯. ପ୍ରାକୃତିକ ସୂଚକ କିପରି ପ୍ରସ୍ତୁତ କରାଯାଏ ? ଉଦାହରଣ ସହ ବର୍ଣ୍ଣନା କର ।

୧୦. ତୁମକୁ ଭିନେଗାର, ଖାଇବାସୋଡାର ଦ୍ରବଣ ଓ ଚିନିର ଦ୍ରବଣ ଏହି ତିନୋଟି ତରଳ ପଦାର୍ଥ ଦିଆଯିବ । କେବଳ ହଳଦୀ କାଗଜ ବ୍ୟବହାର କରି ତୁମେ ସେହି ତିନୋଟି ପଦାର୍ଥର ପ୍ରକୃତି ଚିହ୍ନଟ କରି ପାରିବ କି ? ଏହାର କାରଣ ବର୍ଣ୍ଣନା କର ।

୧୧. ଲାଲ୍ ଗୋଲାପରୁ ପ୍ରସ୍ତୁତ ପଦାର୍ଥକୁ ଏକ ତରଳ ‘X’ ରେ ମିଶାଇଲେ ତରଳର ରଙ୍ଗ ସବୁଜ ହୁଏ । କହିଲ, ତରଳ ‘X’ ର ପ୍ରକୃତି କ’ଣ ? ସେ ତରଳ ‘X’ ରେ ଅଧିକ ଅଁଳା ରସ ମିଶାଇଲେ କ'ଣ ହେବ ?

୧୨. ନିମ୍ନରେ ଦିଆଯାଇଥିବା ପ୍ରବାହ ଚିତ୍ର (flowchart)ର ସୂଚନାଗୁଡିକୁ ପର୍ଯ୍ୟବେକ୍ଷଣ ଓ ବିଶ୍ଳେଷଣ କର । ଖାଲି ଥିବା ସ୍ଥାନରେ ସୂଚନାଗୁଡ଼ିକ ପୂରଣ କର ।

ନୂତନତ୍ବ | ଆବିଷ୍କାର | ଅନୁସନ୍ଧାନ | ଅନ୍ବେଷଣ | କୌତୁହଳ

ଏକ ବଗିଚାରେ ରୁଗ୍ଣ ଗଛ ଥିବାର କଳ୍ପନା କର

  • ମୃତ୍ତିକାର ପ୍ରକୃତି _______ ହୋଇଥିବ
  • ମୃତ୍ତିକାର ପ୍ରକୃତି _______ ହୋଇଥିବ
  • ମୃତ୍ତିକାର ପ୍ରକୃତି ପରୀକ୍ଷା ପାଇଁ କେଉଁ ସୂଚକ ବ୍ୟବହାର କରିପାରିବ ?
  • ଅମ୍ଳୀୟ ମୃତ୍ତିକା କୁ _______ ଦ୍ବାରା ପ୍ରତିକାର କରାଯାଇପାରିବ ।
  • କ୍ଷାରୀୟ ମୃତ୍ତିକା କୁ _______ ଦ୍ଵାରା ପ୍ରତିକାର କରାଯାଇପାରିବ ।

[ଚିତ୍ର ବର୍ଣ୍ଣନା: ସ୍କୁବା ଡାଇଭିଂ କରୁଥିବା ବ୍ୟକ୍ତିର ଚିତ୍ର ଏବଂ ପାର୍ଶ୍ୱରେ ଇତିହାସ, କଳା, ଭୂଗୋଳ, ସମାଜ, ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତି ସମ୍ପର୍କିତ ଏକ ଦଉଡ଼ିର ଗଣ୍ଠି ଚିତ୍ରଣ।]

ଅଧିକ ଜାଣିବା ଅମ୍ଳାନ ଥରେ ଗୋଟିଏ ଅଣ୍ଡା ଖୋଳ ବା ମାର୍ବଲ ଉପରେ ଭିନେଗାର ପକେଇଦେଲା । ଦେଖିଲା ଭୁରୁ ଭୁରୁ ହୋଇ ଫୋଟକା ବାହାରୁଛି। ପୁଣି ସେ କିଛି ସାବୁନ ପାଣି ନେଇ ଆଉ ଗୋଟିଏ ଅଣ୍ଡା ଖୋଳ ବା ମାର୍ବଲ ଉପରେ ପକାଇଲା । ଦେଖିଲା ଏଥର କିଛି ଭୁରୁ ଭୁରୁ ହୋଇ ଫୋଟକା ବାହାରୁ ନାହିଁ। ତା’ ଭାଇ ଅସିତ୍ କହିଲେ ମାର୍ବଲ ଖଣ୍ଡ ଉପରେ ଭିନେଗାର ପକାଇଲେ କ'ଣ ହେଉଛି ଦେଖ। ତେବେ ଭିନେଗାର ପକେଇଲେ କାହିଁକି ଫୋଟକା ବାହାରିବା ଦେଖାଗଲା ଓ ସାବୁନ୍ ଦ୍ରବଣ ପକେଇଲେ କାହିଁକି ଫୋଟକା ଦେଖାଗଲା ନାହିଁ ?

ଅନୁସନ୍ଧାନମୂଳକ ପ୍ରକଳ୍ପ ୧. ଅମ୍ଳୀୟ ବା କ୍ଷାରୀୟ ପଦାର୍ଥ ଏବଂ ପ୍ରାକୃତିକ ସୂଚକ ବ୍ୟବହାର କରି ରଙ୍ଗୋଲୀ ସୃଷ୍ଟି କର । ୨. ବିଭିନ୍ନ ଉତ୍ସରେ ଥିବା ଜଳର ଅମ୍ଳୀୟ, କ୍ଷାରକୀୟ ବା ନିରପେକ୍ଷ ପ୍ରକୃତି ବିଷୟରେ ତୁମ ଶ୍ରେଣୀରେ ଆଲୋଚନା କର। ବର୍ଷାଜଳ, ନଦୀଜଳ, ପୋଖରୀଜଳ, ନଳକୂପର ଜଳ, କୂଅ ଜଳର ନମୁନା ନେଇ ପରୀକ୍ଷା କରିପାରିବ। ୩. ତୁମ ଅଞ୍ଚଳର ମୃତ୍ତିକାର ନମୁନା ସଂଗ୍ରହ କର ଏବଂ ଏହାର ପ୍ରକୃତି ଅମ୍ଳୀୟ, କ୍ଷାରୀୟ ବା ନିରପେକ୍ଷ ନିରୂପଣ କର । ୪. ତୁମ ରାଜ୍ୟର କନ୍ଧମାଳ ଜିଲ୍ଲାରେ କରାଯାଉଥିବା ହଳଦୀ ଚାଷ ଉପରେ ଅଧିକ ତଥ୍ୟ ସଂଗ୍ରହ କରି ନିଜ ଖାତାରେ ଲେଖ ।