ତୃତୀୟ ଅଧ୍ୟାୟ
ବିଦ୍ୟୁତ୍ : ଏହାର ପରିପଥ ଓ ଉପାଦାନ
ନିହାର ଓ ତାର ସହପାଠୀମାନେ ହୀରାକୁଦ ନଦୀବନ୍ଧ ଦେଖିଯିବା ପାଇଁ ଆଗ୍ରହ ପ୍ରକାଶ କଲେ । ଉତ୍ସାହିତ ହେଲେ । ସେମାନେ ସେଠାରେ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବେ ଯେଉଁଠାରେ କି ଜଳରୁ ବିଦ୍ୟୁତ୍ ଉତ୍ପାଦନ ହେଉଛି । ସେମାନେ ସେଠାରୁ ମହାନଦୀ କୂଳରେ ଅବସ୍ଥିତ ମା’ ସମଲେଶ୍ଵରୀ, ଘଣ୍ଟେଶ୍ଵରୀ ମନ୍ଦିର ତଥା ଦେବ୍ରିଗଡ ଅଭୟାରଣ୍ୟ ପରିଦର୍ଶନ କରିବାକୁ ଯିବେ ବୋଲି ଆହୁରି ଖୁସି ଥିଲେ।
ଯାତ୍ରା ପୂର୍ବରୁ ବିଦ୍ୟୁତ୍ ଶକ୍ତିର ବ୍ୟବହାର ବିଷୟରେ ସେମାନେ ଏକ ଦଳଗତ କାର୍ଯ୍ୟ ପ୍ରସ୍ତୁତ କଲେ । ଏଥିପାଇଁ ସେମାନେ ସେମାନଙ୍କ ଘର, ବିଦ୍ୟାଳୟ, ପଡ଼ିଶାଘର, ସହର ଓ ଶେଷରେ ଇଣ୍ଟରନେଟ୍ ଖୋଜିବାରେ ଲାଗିପଡ଼ିଲେ । ଆଶ୍ଚର୍ଯ୍ୟର କଥା ସେମାନଙ୍କର ତାଲିକା ବଢ଼ି ଚାଲିଲା। ସେମାନେ ବିଭିନ୍ନ ବ୍ୟବହାରଗୁଡ଼ିକୁ ଅଲଗା ଅଲଗା ଶୀର୍ଷକ ଅଧୀନରେ ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି ନେଲେ।
-
ରନ୍ଧନ: ବିଦ୍ୟୁତ୍ କେଟଲି, ମିକ୍ସର ଗ୍ରାଇଣ୍ଡର, ଟୋଷ୍ଟର, ଓଭନ୍, ମାଇକ୍ରୋୱେଭ୍
-
ଆଲୋକୀକରଣ: ଘର, ଅଫିସ୍, ଗଳିରାସ୍ତା, ବଜାର, କଳକାରଖାନା
-
ଗମନାଗମନ: ଟ୍ରେନ୍, ବସ୍, କାର୍, ସ୍କୁଟର, ଲିଫ୍ଟ, ଏସ୍କାଲେଟର
-
ଗରମ ଓ ଥଣ୍ଡା: ପଙ୍ଖା, ରୁମ୍ ହିଟର, ଇମର୍ସନ ରଡ୍, ଗିଜର, ଏୟାରକଣ୍ଡିସନର
-
ମନୋରଞ୍ଜନ: ଟେଲିଭିଜନ, ରେଡ଼ିଓ
-
ଯୋଗାଯୋଗ: ମୋବାଇଲ୍ ଫୋନ୍, ଇଣ୍ଟରନେଟ୍
-
ଅନ୍ୟାନ୍ୟ: ୱାଟରପମ୍ପ, କ୍ରେନ୍, କମ୍ପ୍ୟୁଟର
[ଚିତ୍ର ବର୍ଣ୍ଣନା: ପୃଷ୍ଠାରେ ତିନୋଟି ଚିତ୍ର ରହିଛି – ବିପଦ ସଙ୍କେତର ଏକ ତ୍ରିକୋଣୀୟ ଚିହ୍ନ, ଏକ ନାଲି ରଙ୍ଗର ଟର୍ଚ୍ଚ ଲାଇଟ୍ ଏବଂ ଜଣେ ଭାବୁଥିବା ପିଲାର ଚିତ୍ର।]
ତୁମେ ନିହାର ଓ ତାର ସାଙ୍ଗଙ୍କର ତାଲିକାରେ ଆଉ କିଛି ବ୍ୟବହାର ଯୋଡ଼ି ସାହାଯ୍ୟ କରିପାରିବ କି? ବିଦ୍ୟୁତ୍ ବ୍ୟବହାର ବିଷୟରେ ଅନ୍ୟ କିଛି ପ୍ରସ୍ତାବ ଦିଅ।
ଆମେ ସବୁ ସମୟରେ ବିଦ୍ୟୁତ୍ ବ୍ୟବହାର କରୁ, ଆସ ଏହି ବିଦ୍ୟୁତ୍ ବିଷୟରେ ଅଧିକ ଜାଣିବା। ବିଦ୍ୟୁତ୍ ବିଭିନ୍ନ ଉପାୟରେ ଉତ୍ପାଦିତ ହୁଏ ବୋଲି ତୁମେ ଜାଣିଛ। ଯଥା- ପବନ କଳରୁ ପବନ ଶକ୍ତି ବ୍ୟବହାର କରି, ସୌର ପ୍ୟାନେଲ ଦ୍ଵାରା ସୂର୍ଯ୍ୟଙ୍କ ରଶ୍ମିକୁ ଗ୍ରହଣ କରି, ଜଳ ଶକ୍ତି ଦ୍ଵାରା ପ୍ରାକୃତିକ ଗ୍ୟାସ୍ କିମ୍ବା କୋଇଲା ଦ୍ଵାରା (ଷଷ୍ଠ ଶ୍ରେଣୀରେ ପ୍ରକୃତିର ଭଣ୍ଡାର ବିଷୟରେ ପଢ଼ିଛ) ବିଦ୍ୟୁତ୍ ଉତ୍ପନ୍ନ ହୋଇଥାଏ। ଏହି ସବୁ ଉତ୍ସରୁ ବିଦ୍ୟୁତ୍ ଉତ୍ପନ୍ନ ହୋଇ ପରିବାହୀ ତାର ମାଧ୍ୟମରେ ବାସଗୃହ ଓ କାରଖାନାକୁ ଯୋଗାଇ ଦିଆଯାଇଥାଏ। ଉଦାହରଣ ସ୍ଵରୂପ, ଆମ ଘରେ ବିଭିନ୍ନ ଯନ୍ତ୍ରପାତି ବା ଉପକରଣ ଚଳେଇବା ପାଇଁ ଆମେ କାନ୍ଥରେ ଥିବା ପ୍ଲଗ୍ ଓ ସୁଇଚ୍ ବ୍ୟବହାର କରୁ।
ତଥାପି, ବିଦ୍ୟୁତ୍ ବିଷୟରେ ଜାଣିବାକୁ ହେଲେ, ଆମେ ବ୍ୟବହାର କରୁଥିବା ଏକ ସହଜରେ ନେବା-ଆଣିବା କରିହେଉଥିବା ବିଦ୍ୟୁତ୍ ଉତ୍ସ ପ୍ରତି ଧ୍ୟାନ ଦେବା। ଆସ, ଟର୍ଚ୍ଚଲାଇଟ୍ ଭଳି ଏକ ସାଧାରଣ ଯନ୍ତ୍ରରୁ ଆମେ ଆରମ୍ଭ କରିବା।
ସତର୍କତା: ବିଦ୍ୟୁତ୍ ଖୁଣ୍ଟ ଏବଂ ଅନ୍ୟାନ୍ୟ ଉପକରଣଗୁଡ଼ିକ ଉପରେ ବିପଦ ସଙ୍କେତ ଲୋକଙ୍କୁ ସତର୍କ କରାଇଦିଏ ଯେ ଯଦି ଆମେ ସତର୍କତାର ସହିତ ବ୍ୟବହାର ନ କରିବା ତେବେ ବିଦ୍ୟୁତ୍ ଆମ ପାଇଁ ବିପଦ ସୃଷ୍ଟି କରିପାରେ। ତୁମ ଘର କିମ୍ବା ସ୍କୁଲରେ ହୋଇଥିବା ବିଦ୍ୟୁତ୍ ଯୋଗାଣ ସହିତ କେବେବି ପରୀକ୍ଷା କରିବ ନାହିଁ। ଏପରିକି ଛୋଟ ପୋର୍ଟେବଲ୍ ଜେନେରେଟର ମଧ୍ୟ ବିଦ୍ୟୁତ୍ ବିପଦ ସୃଷ୍ଟି କରିପାରେ। କୌଣସି ପରୀକ୍ଷଣ ପାଇଁ କେବଳ ଟର୍ଚ୍ଚଲାଇଟ୍, କାନ୍ଥ ଘଣ୍ଟା, ରେଡିଓ ବା ରିମୋଟରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ କିମ୍ବା ସେଲ୍ ବ୍ୟବହାର କର।
୩.୧ ଗୋଟିଏ ଟର୍ଚ୍ଚ ଲାଇଟ୍
ତୁମେ ଟର୍ଚ୍ଚ ଲାଇଟ୍ ବ୍ୟବହାର କରିଥିବ, ଯାହାକୁ ଫ୍ଲାସ୍ ଲାଇଟ୍ ମଧ୍ୟ କୁହାଯାଏ।
କାର୍ଯ୍ୟ ୩.୧: ଆସ ଅନୁସନ୍ଧାନ କରିବା
-
ଗୋଟିଏ ଟର୍ଚ୍ଚ ଲାଇଟ୍ ନିଅ। (ଚିତ୍ର ୩.୧)
-
ଏହାକୁ ଯତ୍ନର ସହିତ ଅନୁଧ୍ୟାନ କର। ତୁମେ ଏକ ଲ୍ୟାମ୍ପ ଓ ଏକ ସୁଇଚ୍ ଦେଖିପାରୁଛ କି?
-
ସୁଇଚ୍କୁ ଆଗକୁ ଖସାଅ ଓ ଅନୁଧ୍ୟାନ କର। ଟର୍ଚ୍ଚ ଜଳୁଛି କି?
-
ବର୍ତ୍ତମାନ ସୁଇଚ୍କୁ ପଛକୁ ଖସାଇ ମୂଳ ସ୍ଥାନକୁ ଆଣ ଏବଂ ଟର୍ଚ୍ଚକୁ ପର୍ଯ୍ୟବେକ୍ଷଣ କର। ତୁମେ ନିଶ୍ଚୟ ଲକ୍ଷ୍ୟ କରିଥିବ ଯେ ସୁଇଚ୍ର ପ୍ରଥମ ସ୍ଥିତିରେ ଟର୍ଚ୍ଚ ଜଳିଲା ଏବଂ ଦ୍ଵିତୀୟ ସ୍ଥିତିରେ ଜଳିଲା ନାହିଁ।
-
ବର୍ତ୍ତମାନ, ଟର୍ଚ୍ଚଲାଇଟଟିକୁ ଖୋଲିଦିଅ। ତା’ ଭିତରେ କ’ଣ ଦେଖିଲ? ଟର୍ଚ୍ଚଲାଇଟ୍ ଭିତରେ ତୁମେ ଦୁଇ କିମ୍ବା ଅଧିକ ବୈଦ୍ୟୁତିକ ସେଲ୍ ଦେଖିବାକୁ ପାଇବ।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧ ରେ ଏକ ନାଲି ରଙ୍ଗର ହ୍ୟାଣ୍ଡହେଲ୍ଡ ଟର୍ଚ୍ଚଲାଇଟ୍ ଦର୍ଶାଯାଇଛି ଏବଂ ପାଖରେ ଜଣେ ଝିଅ ଭାବୁଥିବାର ଚିତ୍ର ଅଛି – "ଏକ ଟର୍ଚ୍ଚରେ, ଆମେ ସାଧାରଣତଃ ଗୋଟିଏରୁ ଅଧିକ କୋଷ ବ୍ୟବହାର କରୁ। ସେଗୁଡ଼ିକୁ କ’ଣ କୌଣସି ନିର୍ଦ୍ଦିଷ୍ଟ କ୍ରମରେ ରଖାଯାଇଛି?"]
୩.୨: ଗୋଟିଏ ସରଳ ବିଦ୍ୟୁତ୍ ପରିପଥ
ଟର୍ଚ୍ଚ କିପରି କାର୍ଯ୍ୟ କରେ ବୁଝିବା ପାଇଁ ପ୍ରଥମେ ଏହାର ଉପାଦାନଗୁଡ଼ିକ ବିଷୟରେ ଜାଣିବା।
୩.୨.୧ : ବିଦ୍ୟୁତ୍ କୋଷ (Electric cell)
କାର୍ଯ୍ୟ ୩.୨: ଆସ ପରୀକ୍ଷା କରିବା
- ଏକ ବିଦ୍ୟୁତ୍ କୋଷ ନିଅ, ଯତ୍ନର ସହିତ ଏହାର ଚାରିପାଖକୁ ଦେଖ। (ଚିତ୍ର ୩.୨)। ତୁମେ କ’ଣ ବିଦ୍ୟୁତ୍ କୋଷ ଉପରେ ଏକ ଯୁକ୍ତ ଚିହ୍ନ (+) ଏବଂ ବିଯୁକ୍ତ ଚିହ୍ନ (-) ଦେଖୁଛ? ଏହାର ଗୋଟିଏ ମୁଣ୍ଡରେ ଏକ ଛୋଟ ଧାତବଟୋପି ଏବଂ ଅନ୍ୟ ମୁଣ୍ଡରେ ଚଟକା ଧାତବ ପଦାର୍ଥଟିଏ ଲାଗିଥିବାର ଦେଖୁଛ ତ?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୨ ରେ ଗୋଟିଏ ବୈଦ୍ୟୁତିକ ସେଲ୍ ଦର୍ଶାଯାଇଛି, ଯାହାର ଧାତବ ଟୋପି ପାଖକୁ 'ଯୁକ୍ତ ଅଗ୍ର (+)' ଏବଂ ଚଟକା ପାଖକୁ 'ବିଯୁକ୍ତ ଅଗ୍ର (-)' ଭାବରେ ଚିହ୍ନିତ କରାଯାଇଛି।]
ଗୋଟିଏ ବିଦ୍ୟୁତ୍ କୋଷରେ ଦୁଇଟି ଅଗ୍ର ଥାଏ; ଗୋଟିଏ ଯୁକ୍ତ (+) ଅନ୍ୟଟି ବିଯୁକ୍ତ (-)। ଆମେ ନେଇଥିବା ବିଦ୍ୟୁତ୍ କୋଷରେ ଧାତୁ ଟୋପି ହେଉଛି ବୈଦ୍ୟୁତିକ କୋଷର ଯୁକ୍ତ (+) ଅନ୍ୟଟି (ଚଟକା ଧାତବ ପଦାର୍ଥ) ବିଯୁକ୍ତ (–) ଅଗ୍ର। ବିଦ୍ୟୁତ୍ କୋଷ ହେଉଛି ସହଜରେ ନେବା–ଆଣିବା କରିହେଉଥିବା ବା ପୋର୍ଟେବଲ୍ ବିଦ୍ୟୁତ୍ ଶକ୍ତିର ଉତ୍ସ।
୩.୨.୨ ବ୍ୟାଟେରୀ
କାର୍ଯ୍ୟ ୩.୩: ଆସ ପରୀକ୍ଷା କରିବା
-
ଦୁଇଟି କୋଷ ବ୍ୟବହାର କରୁଥିବା ଏକ ଟର୍ଚ୍ଚ ନିଅ। ଏହାର କୋଷ ଥିବା କୋଠରୀକୁ ଖୋଲ ଏବଂ କୋଷଗୁଡ଼ିକୁ ବାହାର କର।
-
ପ୍ରଥମେ କୋଷଗୁଡ଼ିକୁ ଗୋଟିକ ପଛରେ ଗୋଟିଏର ବିପରୀତ ଦିଗରେ ରଖି ସ୍ଵିଚ୍ ଅନ୍ କର। ଟର୍ଚ୍ଚ ଜଳୁଛି କି ନାହିଁ ଦେଖ। ପୁଣି କୋଷ ଦୁଇଟିକୁ ଆଉ ଗୋଟିଏ ଅଲଗା କ୍ରମରେ ରଖି ଟର୍ଚ୍ଚ ଜଳୁଛି କି ନାହିଁ ଦେଖ।
-
ଟର୍ଚ୍ଚ ଜଳୁଥିବା ସମୟରେ ଟର୍ଚ୍ଚରେ କୋଷଗୁଡ଼ିକୁ କେଉଁ କ୍ରମରେ ରଖାଯାଇଥିଲା ତାହା ଦେଖ।
ଚିତ୍ର ୩.୩ ରେ ଦେଖାଯାଇଥିବା କ୍ରମରେ କୋଷଗୁଡ଼ିକୁ ରଖିଲେ ଟର୍ଚ୍ଚ ଜଳେ। ଦୁଇଟି କୋଷର ଅଗ୍ର କିପରି ସଂଯୁକ୍ତ ହୋଇଛି ତାହା ଲକ୍ଷ୍ୟ କର। ଗୋଟିଏ କୋଷର ଯୁକ୍ତ (+) ଅଗ୍ର ଅନ୍ୟ କୋଷର ବିଯୁକ୍ତ (-) ଅଗ୍ର ସହ ସଂଯୁକ୍ତ ହେଲେ ଟର୍ଚ୍ଚ ଜଳେ। ଦୁଇ କିମ୍ବା ଅଧିକ କୋଷର ଏହିପରି ସଂଯୋଗକୁ ବ୍ୟାଟେରୀ କୁହାଯାଏ।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୩ : (କ) ଦୁଇଟି କୋଷ ଶ୍ରେଣୀ ସଂଯୋଗରେ ଥିବା ବ୍ୟବସ୍ଥା (ଖ) ଚାରୋଟି କୋଷରୁ ତିଆରି ବ୍ୟାଟେରୀ।]
ଅନେକ ସମୟରେ ଯନ୍ତ୍ର ଉପକରଣ ପାଇଁ ଆମେ ହୁଏତ ଗୋଟିଏରୁ ଅଧିକ କୋଷ ଆବଶ୍ୟକ କରୁ। ତେଣୁ, ଚିତ୍ର ୩.୩ ଭଳି ଦୁଇ କିମ୍ବା ଅଧିକ କୋଷକୁ ଏକାଠି ସଂଯୋଗ କରୁ। ଗୋଟିଏରୁ ଅଧିକ କୋଷ ସଂଯୋଗ କରିବା ଦ୍ଵାରା ଉପକରଣଗୁଡ଼ିକୁ ଅଧିକ ସମୟ ଧରି ଅଧିକ ଶକ୍ତି ଯୋଗାଇ ହୋଇଥାଏ।
ଚିତ୍ତାକର୍ଷକ ତଥ୍ୟ: ଗୋଟିଏ ସେଲ୍ ବା କୋଷକୁ ଆମେ ସାଧାରଣତଃ ବ୍ୟାଟେରୀ କହୁ। ଆମର ମୋବାଇଲ ଫୋନକୁ ଶକ୍ତି ଦେଉଥିବା ଗୋଟିଏ ସେଲ ପାଇଁ ମଧ୍ୟ ଆମେ ବ୍ୟାଟେରୀ ଶବ୍ଦ ବ୍ୟବହାର କରୁ।
୩.୨.୩ ବିଦ୍ୟୁତ୍ ବତୀ (Incandescent Lamp)
ଏହି କାର୍ଯ୍ୟକଳାପ ପାଇଁ, ତୁମେ ଗୋଟିଏ ଟର୍ଚ୍ଚ ସହିତ ଗୋଟିଏ ଦୀପ୍ତିମାନ୍ ବତୀ ବା ବଲ୍ବ ଆବଶ୍ୟକ କରିବ। ପୁରୁଣା ଟର୍ଚ୍ଚ ସହିତ ଏହି ଭଳି ବତୀ ବ୍ୟବହାର ହୋଇଥାଏ। ତୁମ ଶିକ୍ଷକଙ୍କ ସହାୟତାରେ ତୁମେ ନିଶ୍ଚିତ ହେବ ଯେ ଟର୍ଚ୍ଚରେ ଏହି ପ୍ରକାର ବଲ୍ବ ବ୍ୟବହାର ହୋଇଛି ନା ନାହିଁ।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୪ (କ) ଏକ ତାପଦୀପ୍ତ ବଲ୍ବର ଚିତ୍ର, ଯେଉଁଥିରେ କାଚ ବଲ୍ବ, ଫିଲାମେଣ୍ଟ, ମୋଟା ତାର, ବିଦ୍ୟୁତ୍ରୋଧୀ (ଧାରକ), ଧାତବ ଖୋଳ (ଅନ୍ୟ ବିଦ୍ୟୁତ୍ ଅଗ୍ର) ଏବଂ ଧାତବ ଶୀର୍ଷ (ଗୋଟିଏ ବିଦ୍ୟୁତ୍ ଅଗ୍ର) ଦର୍ଶାଯାଇଛି। ଚିତ୍ର ୩.୪ (ଖ) ବଲ୍ବର ଏକ ସରଳ ଚିତ୍ର (ବିଦ୍ୟୁତ୍ ଅଗ୍ରମାନଙ୍କ ତାର ସଂଯୋଗ)।]
-
ଟର୍ଚ୍ଚ ନିଅ ଏବଂ ତାର ବତୀକୁ ପରୀକ୍ଷା କର। ତୁମେ କ’ଣ ଦେଖୁଛ? ତୁମେ କ’ଣ କାଚ ବଲ୍ବ ମଝିରେ ସରୁ ପତଳା ତାର ଲାଗିଥିବା ଲକ୍ଷ୍ୟ କରୁଛ କି?
-
ବର୍ତ୍ତମାନ, ଟର୍ଚ୍ଚକୁ ଜଳାଅ। ବଲ୍ବର କେଉଁ ଅଂଶ ଜଳୁଛି? ବଲ୍ବ ମଝିରେ ଥିବା ପତଳା ତାର ଦୀପ୍ତିମାନ ହୋଇ ଆଲୋକ ପ୍ରଦାନ କରୁଛି। ଏହି ସରୁ ପତଳା ତାରକୁ ବଲ୍ବର ଫିଲାମେଣ୍ଟ କୁହାଯାଏ।
-
ବଲ୍ବଟିକୁ ନେଇ ତୁମ ଶିକ୍ଷକଙ୍କ ସହାୟତାରେ ନିରୀକ୍ଷଣ କର ଯେ ଫିଲାମେଣ୍ଟ ବଲ୍ବରେ କିପରି ଲାଗିଛି?
ଫିଲାମେଣ୍ଟଟି ଦୁଇଟି ମୋଟା ତାର ସହିତ ସଂଯୁକ୍ତ କରାଯାଇଛି (ଚିତ୍ର ୩.୪ (କ) ଦେଖ)। ଗୋଟିଏ ମୋଟା ତାର ବଲ୍ବର କଡ଼ରେ ଥିବା ଧାତବ ଖୋଳ ସହିତ ଏବଂ ଅନ୍ୟଟି ତଳ କେନ୍ଦ୍ରରେ ଥିବା ଧାତବ ଶୀର୍ଷ ସହ ସଂଯୁକ୍ତ ହୋଇଛି। ବତୀ ସହ ସଂଯୁକ୍ତ ଏଇ ଦୁଇଟି ତାର ଏପରି ରଖାଯାଇଛି ଯେପରିକି ପରସ୍ପରକୁ ଆଦୌ ସ୍ପର୍ଶ କରିବେ ନାହିଁ (ଚିତ୍ର ୩.୪ (ଖ))। ବଲ୍ବର ଫିଲାମେଣ୍ଟ ହିଁ ଉତ୍ତପ୍ତ ହେବା ସହ ନାଲି ହୋଇ ଆଲୋକ ସୃଷ୍ଟି କରେ।
[ସଂଳାପ ବକ୍ସ: "କିନ୍ତୁ, ମୋ ଟର୍ଚ୍ଚରେ ଅଲଗା ପ୍ରକାର ଲ୍ୟାମ୍ପ୍ ଅଛି। ବାସ୍ତବିକ ଏହା ଟର୍ଚ୍ଚରୁ ବାହାର କରିହେବ ନାହିଁ, କାରଣ ଏହା ଟର୍ଚ୍ଚ ସହିତ ଦୃଢ଼ଭାବରେ ସଂଯୁକ୍ତ ହୋଇଛି।"]
ଏଲ୍ଇଡ଼ି (LED) ବତୀ
ଆଜିକାଲି ବ୍ୟବହୃତ ହେଉଥିବା ଅଧିକାଂଶ ଟର୍ଚ୍ଚରେ ଓ ଅନ୍ୟାନ୍ୟ ଉପକରଣରେ ତାପଦୀପ୍ତ ବଲ୍ବ ବଦଳରେ ଆଲୋକ ନିର୍ଗତକାରୀ ଡ଼ାୟୋଡ଼୍ LED (Light Emitting Diode) ଲ୍ୟାମ୍ପ୍ ବ୍ୟବହୃତ ହେଉଛି, ଯାହା ଚିତ୍ର ୩.୫ ରେ ଦେଖାଯାଇଛି।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୫ ଟର୍ଚ୍ଚ ପାଇଁ LED ବତୀ ଏବଂ ଚିତ୍ର ୩.୬ ରେ ବିଭିନ୍ନ ରଙ୍ଗର (ନାଲି, ନୀଳ, ଧଳା, ହଳଦିଆ, ସବୁଜ) ଦୁଇଗୋଟି ଗୋଡ଼ ଥିବା LED ଗୁଡ଼ିକ ଦର୍ଶାଯାଇଛି।]
କାର୍ଯ୍ୟ ୩.୫ ଆସ ପର୍ଯ୍ୟବେକ୍ଷଣ କରିବା
-
କୌଣସି ରଙ୍ଗର LED ବଲ୍ବ ନିଅ (ଚିତ୍ର ୩.୬) ଏବଂ ଲକ୍ଷ୍ୟ କର। ଏହା ଭିତରେ କୌଣସି ଫିଲାମେଣ୍ଟ ଦେଖୁଛ?
-
LED ସହିତ ସଂଲଗ୍ନ ଦୁଇଟି ତାରର ଦୈର୍ଘ୍ୟକୁ ଲକ୍ଷ୍ୟ କର। ଗୋଟିଏ ଅନ୍ୟ ଅପେକ୍ଷା ଅଧିକ ଲମ୍ବା ଦେଖୁଛ କି?
ତାପଦୀପ୍ତ ବଲ୍ବ ପରି LED ରେ ଫିଲାମେଣ୍ଟ ନାହିଁ (ଚିତ୍ର ୩.୬)। ସେମାନଙ୍କର ମଧ୍ୟ ଦୁଇଟି ଅଗ୍ର ଅଛି, କିନ୍ତୁ ଗୋଟିଏ ଯୁକ୍ତାତ୍ମକ ଏବଂ ଲମ୍ବା ତାର ସହିତ ସଂଲଗ୍ନ ଓ ଅନ୍ୟଟି ବିଯୁକ୍ତାତ୍ମକ ଏବଂ ଛୋଟ ତାର ସହ ସଂଯୁକ୍ତ। ଗୋଟିଏ ଟର୍ଚ୍ଚରେ ବିଭିନ୍ନ ଆକୃତିର ଗୋଟିଏ କିମ୍ବା ଅଧିକ LED ବ୍ୟବହାର କରାଯାଇପାରେ।
ବିଦ୍ୟୁତ୍ କୋଷ, ବ୍ୟାଟେରୀ ଏବଂ ବିଦ୍ୟୁତ୍ ବତୀ ବିଷୟରେ ଜାଣିବା ପରେ, ଆମେ ବର୍ତ୍ତମାନ ଏକ ବିଦ୍ୟୁତ୍ କୋଷ କିମ୍ବା ବ୍ୟାଟେରୀ ବ୍ୟବହାର କରି ଟର୍ଚ୍ଚଲାଇଟ୍ ଜଳାଇ ପାରିବା।
୩.୨.୪: ବ୍ୟାଟେରୀ ବ୍ୟବହାର କରି ବିଦ୍ୟୁତ ବତୀଟିଏ ଜଳାଇବା
କାର୍ଯ୍ୟ ୩.୬: ଆସ ତିଆରି କରିବା
-
ଏକ ବିଦ୍ୟୁତ୍ ସେଲ୍, ଟର୍ଚ୍ଚରେ ବ୍ୟବହୃତ ଏକ ତାପଦୀପ୍ତ ବଲ୍ବ, ଏକ ସେଲ୍ ଧାରକ (holder), ବତୀଧାରକ ଏବଂ ଚାରି ଖଣ୍ଡ ତାର ନିଅ।
-
ପ୍ରତ୍ୟେକ ତାରର ଉଭୟ ପ୍ରାନ୍ତରୁ ପ୍ରାୟ ୧ ସେ.ମି. ପ୍ଲାଷ୍ଟିକ୍ ଆବରଣ ଖୋଲି ଧାତୁ ବାହାର କର।
-
ଚିତ୍ର ୩.୭ (କ) ରେ ଦର୍ଶାଯାଇଥିବା ଭଳି ସେଲ୍ ଧାରକର ଦୁଇ ଅଗ୍ର ସହିତ ଦୁଇଟି ତାର ସଂଲଗ୍ନ କର।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୭: (କ) ଦୁଇଟି ତାର ସଂଲଗ୍ନ ଥିବା ଏକ ବିଦ୍ୟୁତ୍ ସେଲ୍ ଧାରକ (ଖ) ସେଲ୍ ଧାରକ ଭିତରେ ଏକ ବିଦ୍ୟୁତ୍ ସେଲ୍ (ଗ) ବୈଦ୍ୟୁତିକ ଟେପ୍ ବ୍ୟବହାର କରି ଏକ ବିଦ୍ୟୁତ୍ ସେଲ୍ ସହିତ ସଂଲଗ୍ନ ତାରଗୁଡ଼ିକ।]
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୮: (କ) ତାର ସହିତ ସଂଲଗ୍ନ ଏକ ବିଦ୍ୟୁତ୍ ବତୀ ଧାରକ (ଖ) ବତୀଧାରକ ଭିତରେ ଏକ ତାପଦୀପ୍ତ ବଲ୍ବ (ଗ) ବୈଦ୍ୟୁତିକ ଟେପ୍ ସହିତ ଟର୍ଚ୍ଚ ବଲ୍ବ ସଂଲଗ୍ନ ତାର।]
-
ଧାରକରେ ସେଲ୍ ଟିକୁ ଏପରି ଭାବରେ ରଖ ଯେମିତି ଏହାର ବିଯୁକ୍ତାତ୍ମକ ଅଗ୍ର ଧାରକର ସ୍ପ୍ରିଙ୍ଗ ପାର୍ଶ୍ଵ ଆଡ଼କୁ ଥିବ (ଚିତ୍ର ୩.୭ଖ)। ଯଦି ଏକ ସେଲ୍ ଧାରକ ଉପଲବ୍ଧ ନଥାଏ, ତେବେ ବୈଦ୍ୟୁତିକ ଟେପ୍ (ଚିତ୍ର ୩.୭ଗ) ବ୍ୟବହାର କରି ଦୁଇଟି ତାରକୁ ସେଲ୍ ସହିତ ସମାଯୋଜନ କର।
-
ଚିତ୍ର ୩.୮ (କ) ରେ ଦେଖାଯାଇଥିବା ପରି ବଲ୍ବ ଧାରକର ସ୍କ୍ରୁ ସହିତ ଦୁଇଟି ତାର ସଂଲଗ୍ନ କର। ଧାରକରେ (ଚିତ୍ର ୩.୮ଖ) ଧୀରେ ଧୀରେ ବୁଲାଇ ଧାରକରେ ଲ୍ୟାମ୍ପକୁ ସଂଯୋଗ କର। ଯଦି ଏକ ବତୀ ଧାରକ ଉପଲବ୍ଧ ନଥାଏ, ତେବେ ବତୀର ଦୁଇ ପ୍ରାନ୍ତରେ ଦୁଇଟି ତାର ସଂଲଗ୍ନ କରିବା ପାଇଁ ବୈଦ୍ୟୁତିକ ଟେପ୍ ବ୍ୟବହାର କର (ଚିତ୍ର ୩.୮ ଗ)।
ବର୍ତ୍ତମାନ ଆଲୋକ ସୃଷ୍ଟି କରିବା ପାଇଁ ସେଲ୍କୁ ବଲ୍ବ ସହିତ ଯୋଡ଼ିବା।
-
ଆମେ ଏହି କାର୍ଯ୍ୟକୁ ଦୁଇଟି ଭାଗରେ କରିବା – ପୂର୍ବାନୁମାନ ଏବଂ ପର୍ଯ୍ୟବେକ୍ଷଣ। ବଲ୍ବ ଏବଂ ସେଲ୍କୁ କିପରି ସଂଯୋଗ କରାଯାଇ ପାରିବ ତାହାର କିଛି ଉପାୟ ସାରଣୀ ୩.୧ ରେ ଦର୍ଶାଯାଇଛି।
-
ପ୍ରତ୍ୟେକ ବ୍ୟବସ୍ଥା ପାଇଁ ବତୀ ଜଳିବ କି ନାହିଁ ପୂର୍ବାନୁମାନ କର ଏବଂ ସାରଣୀ ୩.୧ ରେ ତୁମର ପୂର୍ବାନୁମାନ ଲେଖ।
-
ବର୍ତ୍ତମାନ ବଲ୍ବ ଏବଂ ସେଲ୍କୁ ସଂଯୋଗ କର ଏବଂ ବଲ୍ବ ଜଳୁଛି କି ନାହିଁ ପର୍ଯ୍ୟବେକ୍ଷଣ କର। ସାରଣୀ ୩.୧ ରେ ତୁମର ପର୍ଯ୍ୟବେକ୍ଷଣକୁ ଲେଖ। ଯେଉଁ ବଲ୍ବଗୁଡ଼ିକ ଜଳିବ, ସେମାନଙ୍କର ଉପର କାଚକୁ ହଳଦିଆ ରଙ୍ଗ କର।
ସାରଣୀ ୩.୧ : ବତୀ ଜଳାଇବାର ପ୍ରଚେଷ୍ଟା
(ଦ୍ରଷ୍ଟବ୍ୟ: କୌଣସି ପରିପଥରେ ବତୀ ଜଳୁଥିବାର ପ୍ରଦର୍ଶିତ ହୋଇନାହିଁ ।)
| କ୍ର.ନଂ | ବିଦ୍ୟୁତକୋଷ ଓ ବଲ୍ବର ବ୍ୟବସ୍ଥା | ଅନୁମାନ | ପର୍ଯ୍ୟବେକ୍ଷଣ |
|---|---|---|---|
| ୧ | [ବ୍ୟବସ୍ଥା ୧] | ||
| ୨ | [ବ୍ୟବସ୍ଥା ୨] | ||
| ୩ | [ବ୍ୟବସ୍ଥା ୩] | ||
| ୪ | [ବ୍ୟବସ୍ଥା ୪] | ||
| ୫ | [ବ୍ୟବସ୍ଥା ୫] | ||
| ୬ | [ବ୍ୟବସ୍ଥା ୬] |
ସାରଣୀ ୩.୧ ର କ୍ରମିକ ନମ୍ବର ୧ ଓ ୬ ବ୍ୟବସ୍ଥାରେ ବଲ୍ବ ଜଳିବ ଓ ଅନ୍ୟ ସବୁ ବ୍ୟବସ୍ଥାରେ ଜଳିବ ନାହିଁ। ଯେଉଁଠି ବଲ୍ବ ଜଳି ପାରିବ ସେହି ସବୁ ବ୍ୟବସ୍ଥାକୁ ଯତ୍ନର ସହିତ ଦେଖ। ଜଳୁ ନଥିବା ବ୍ୟବସ୍ଥା ସହିତ ତୁଳନା କର। ଏହାର କାରଣ ତୁମେ ଜାଣିଛ କି?
୩.୨.୫ ଗୋଟିଏ ବିଦ୍ୟୁତ୍ ପରିପଥ
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୯ ରେ ଏକ ବୈଦ୍ୟୁତିକ ପରିପଥ ଦେଖାଯାଇଛି ଯେଉଁଥିରେ ସେଲ୍ ଏବଂ ବଲ୍ବ ସଂଯୁକ୍ତ ହୋଇ ବଲ୍ବଟି ଜଳୁଛି।]
ଚିତ୍ର ୩.୯ ରେ ଦେଖାଯାଇଥିବା ପରି ବତୀ ବା ବଲ୍ବର ଦୁଇ ଅଗ୍ର ଯଥାକ୍ରମେ ସେଲ୍ର ଦୁଇ ଅଗ୍ର ସହ ଉପଯୁକ୍ତ ଭାବରେ ସଂଯୁକ୍ତ ହେଲେ ବଲ୍ବ ଜଳିଥାଏ। ଏହି ବ୍ୟବସ୍ଥା ଏକ ବିଦ୍ୟୁତ୍ ପରିପଥ ସୃଷ୍ଟି କରେ, ଯାହା ବଲ୍ବ ମଧ୍ୟ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହ ନିମିତ୍ତ ପଥ ସଂପୂର୍ଣ୍ଣ କରେ। କେବଳ ବିଦ୍ୟୁତ୍ ସ୍ରୋତ ବିଦ୍ୟୁତ୍ ପରିପଥରେ ପ୍ରବାହିତ ହେଲେ ହିଁ ବଲ୍ବ ଜଳେ।
ଏକ ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ପ୍ରବାହର ଦିଗ ବିଦ୍ୟୁତ୍ସେଲର ଯୁକ୍ତ (+) ଅଗ୍ରରୁ ବିଯୁକ୍ତ (-) ଅଗ୍ରକୁ ହୋଇଥାଏ। ଯେତେବେଳେ ବିଦ୍ୟୁତବତୀ ଓ ସେଲ୍ର ଉଭୟ ଅଗ୍ର ପରିବାହୀ ତାର ଦ୍ଵାରା ଉପଯୁକ୍ତ ଭାବରେ ସଂଯୁକ୍ତ କରାଯାଏ, ସେତେବେଳେ ବିଦ୍ୟୁତସ୍ରୋତ ବତୀର ଫିଲାମେଣ୍ଟରେ ପ୍ରବାହିତ ହୋଇ ବଲ୍ବକୁ ଜଳାଏ। ଗୋଟିଏ ତାପଦୀପ୍ତ ବତୀରେ କେଉଁ ଅଗ୍ର ବ୍ୟାଟେରୀରେ ଯୁକ୍ତ (+) ବା ବିଯୁକ୍ତ (-) ଅଗ୍ର ସହ ସଂଯୁକ୍ତ ହୋଇଛି, ତାହା ଗୁରୁତ୍ଵପୂର୍ଣ୍ଣ ନୁହେଁ। ବିଦ୍ୟୁତ୍ ସ୍ରୋତ ବିଦ୍ୟୁତପରିପଥ ମଧ୍ୟଦେଇ ଫିଲାମେଣ୍ଟରେ ପ୍ରବାହିତ ହେବା ପର୍ଯ୍ୟନ୍ତ ବଲ୍ବ ଜଳୁଥିବ।
ଚିତ୍ତାକର୍ଷକ ତଥ୍ୟ: ବେଳେବେଳେ ତାପଦୀପ୍ତ ବତୀ ସେଲ ସହ ସଂଯୁକ୍ତ ହେଲା ପରେ ମଧ୍ୟ ବଲ୍ବ ଜଳେ ନାହିଁ। ସେତେବେଳେ ଆମେ କହୁ ବଲ୍ବଟି ଫ୍ୟୁଜ୍ ହୋଇଯାଇଛି କାରଣ ସେତେବେଳେ ଫିଲାମେଣ୍ଟଟି ଛିଡ଼ି ଯାଇଥାଏ। ଛିଡ଼ା ଫିଲାମେଣ୍ଟ ବିଦ୍ୟୁତ୍ ପ୍ରବାହକୁ ବନ୍ଦ କରିଦିଏ, ତେଣୁ ବତୀଟି ଜଳିପାରେ ନାହିଁ।
ବର୍ତ୍ତମାନ ଗୋଟିଏ LED ଜଳେଇବାକୁ ଚେଷ୍ଟା କରିବା
କାର୍ଯ୍ୟ ୩.୭: ଆସ ପରୀକ୍ଷା କରିବା
-
ଦୁଇଟି ବିଦ୍ୟୁତ୍ ସେଲ୍, ଯେକୌଣସି ରଙ୍ଗର ଗୋଟିଏ LED, ଗୋଟିଏ ସେଲ ଧାରକ ଏବଂ ଦୁଇ ଖଣ୍ଡ ବିଦ୍ୟୁତ ତାର ନିଅ।
-
ବିଦ୍ୟୁତ ତାରଖଣ୍ଡର ଉଭୟ ଅଗ୍ରରୁ ପ୍ରାୟ ଏକ ସେଣ୍ଟିମିଟର ପ୍ଲାଷ୍ଟିକ୍ ଚାଞ୍ଛି ଦିଅ ଯେପରି ତା’ର ଧାତୁ ଅଂଶ ଦେଖାଯିବ।
-
ଦୁଇଟି ତାରକୁ ଚିତ୍ର (୩.୧୦ କ) ଭଳି ସେଲ ଧାରକ ସହ ସଂଯୋଗ କର।
-
ଦୁଇଟି ସେଲ୍କୁ ଧାରକରେ ଖଞ୍ଜ ଯେପରି ପ୍ରତ୍ୟେକ ସେଲ୍ ବିଯୁକ୍ତ (-) ଅଗ୍ର ଧାରକର ସ୍ପ୍ରିଙ୍ଗ ସହ ସଂଯୁକ୍ତ ହୋଇଥିବ (ଚିତ୍ର ୩.୧୦ (ଖ) ଦେଖ)। ଏବେ ବ୍ୟାଟେରୀ ବ୍ୟବହାର ପାଇଁ ପ୍ରସ୍ତୁତ।
-
ବର୍ତ୍ତମାନ କେଉଁଟି ବ୍ୟାଟେରୀର ଯୁକ୍ତ (+) ଅଗ୍ର କିପରି ସ୍ଥିର କରିବ? ସେଲ୍ର ଯୁକ୍ତ (+) ଅଗ୍ର ଧାରକର ଯେଉଁ ଅଗ୍ର ସହ ସଂଯୁକ୍ତ ହୋଇଥିବ ତାହା ଧାରକର ଯୁକ୍ତ (+) ଅଗ୍ର ଏବଂ କୋଷର ବିଯୁକ୍ତ (-) ଅଗ୍ର ଧାରକର ଯେଉଁ ଅଗ୍ର ସହ ସଂଯୁକ୍ତ ହୋଇଥିବ ତାହା ବିଯୁକ୍ତ (-) ଅଗ୍ର।
-
ବର୍ତ୍ତମାନ ବ୍ୟାଟେରୀ ଯୁକ୍ତ (+) ଅଗ୍ରରେ ଥିବା ତାରକୁ LED ର ଲମ୍ବା ତାର ସହିତ ଏବଂ ବିଯୁକ୍ତ (-) ଅଗ୍ରରେ ଥିବା ତାରକୁ LED ର ଛୋଟ ତାର (ଚିତ୍ର ୩.୧୦ ଗ ଭଳି) ସଂଯୁକ୍ତ କର। ବର୍ତ୍ତମାନ LED ଜଳୁଛି କି?
-
ଉପରୋକ୍ତ LED ସଂଯୋଗର ବିପରୀତ (ଚିତ୍ର ୩.୧୦ (ଘ) ଭଳି) ତାର ଦୁଇଟିକୁ ଅଦଳବଦଳ ପୂର୍ବକ ସଂଯୋଗ କରି ପୂର୍ବଭଳି ଦେଖ। ଏବେ LED ଜଳୁଛି କି?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୦ ଗୋଟିଏ LED ଜଳାଇବା ପାଇଁ ପ୍ରଚେଷ୍ଟା – (କ), (ଖ), (ଗ) ସଠିକ ସଂଯୋଗ ଏବଂ (ଘ) ବିପରୀତ ସଂଯୋଗ ଦର୍ଶାଉଥିବା ଚିତ୍ର।]
ତୁମେ ନିଶ୍ଚୟ ନିରୀକ୍ଷଣ କରିଥିବ: ପ୍ରଥମ (ଚିତ୍ର ୩.୧୦ ଗ ଭଳି) ସଂଯୋଗରେ LED ଜଳିଥିବ ଓ ଦ୍ଵିତୀୟ (ଚିତ୍ର ୩.୧୦ ଘ ଭଳି) ସଂଯୋଗରେ LED ଜଳି ନଥିବ। ଏହାର କାରଣ ହେଉଛି LED ରେ ବିଦ୍ୟୁତ ସ୍ରୋତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ। ଯେତେବେଳେ LED ର ଯୁକ୍ତ (+) ଅଗ୍ର (ଲମ୍ବା ତାର) ବ୍ୟାଟେରୀ ଯୁକ୍ତ (+) ଅଗ୍ର ସହ ଓ ବିଯୁକ୍ତ (-) ଅଗ୍ର (ଛୋଟ ତାର) ବ୍ୟାଟେରୀ ବିଯୁକ୍ତ (-) ଅଗ୍ର ସହ ସଂଯୁକ୍ତ ହୋଇଥାଏ ସେତେବେଳେ LED ରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଥାଏ। ବିଦ୍ୟୁତ ସ୍ରୋତ LED ମଧ୍ୟରେ ପ୍ରବାହିତ ହେଲେ LED ଜଳେ। LED ର ସଠିକ ସଂଯୋଗ ପାଇଁ ସଦାସର୍ବଦା ଯତ୍ନଶୀଳ ହେବ।
ଅଧିକ ଜାଣିବା: ବେଳେବେଳେ ଦେଖାଯାଏ କେତେକ ବୈଦ୍ୟୁତିକ ଯନ୍ତ୍ରପାତିରେ କୋଷଗୁଡ଼ିକ ଉପକରଣର ପାଖାପାଖି ଲଗା ଯାଇଥାଏ। ତେବେ ସେଲ୍ର ଅଗ୍ରଗୁଡିକ କିପରି ସଂଯୋଗ କରାଯାଇଥାଏ? ତୁମେ ଯଦି ବ୍ୟାଟେରୀ କୋଠରୀ ମଧ୍ୟକୁ ଭଲ ଭାବରେ ନିରୀକ୍ଷଣ କରିବ ଦେଖିବ ଗୋଟିଏ ସେଲ୍ର ଯୁକ୍ତ ଅଗ୍ର ଅନ୍ୟ ସେଲ୍ର ବିଯୁକ୍ତ ଅଗ୍ର ସହ ଏକ ମୋଟା ଧାତବ ପଟି ଦ୍ଵାରା ସଂଯୁକ୍ତ ହୋଇଥିବ। ସଠିକ ସଂଯୋଗ ପାଇଁ ତା’ ଭିତରେ + ଓ – ଚିହ୍ନିତ ହୋଇଥାଏ।
୩.୨.୬ ବିଦ୍ୟୁତ ସୁଇଚ୍
ଆସ ଆମେ ଗୋଟିଏ ସରଳ ସୁଇଚ୍ ତିଆରି କରିବା।
[ସଂଳାପ ବକ୍ସ: "ଗୋଟିଏ ସୁଇଚ୍ ଏକ ଟର୍ଚ୍ଚକୁ କିପରି ଜଳାଏ ବା ବନ୍ଦ କରେ?"]
କାର୍ଯ୍ୟ ୩.୮ ଆସ ତିଆରି କରିବା
-
ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେଫଟି ପିନ୍ ବା କାଗଜ କ୍ଲିପ୍, ଦୁଇ ଖଣ୍ଡ ତାର ଏବଂ ଖଣ୍ଡେ କାର୍ଡବୋର୍ଡ ସଂଗ୍ରହ କର।
-
ଗୋଟିଏ ଡ୍ରଇଂ ପିନ୍କୁ ସେଫଟି ପିନ୍ର କଣାରେ ଭର୍ତ୍ତି କରି କାର୍ଡବୋର୍ଡ ଉପରେ ଲଗାଅ, ଯେପରି ସେଫ୍ଟି ପିନ୍ ମୁକ୍ତ ଭାବରେ ଘୁରି ପାରିବ (ଚିତ୍ର ୩.୧୧ (କ))। ଅନ୍ୟ ଡ୍ରଇଂ ପିନ୍ ଟିକୁ କାର୍ଡବୋର୍ଡ ଉପରେ ଏପରି ଲଗାଅ ଯେ ସେଫଟି ପିନ୍ର ମୁକ୍ତ ଅଗ୍ରଟି ଏହାକୁ ସ୍ପର୍ଶ କରିପାରୁଥିବ (୩.୧୧ (ଖ) ଭଳି)।
-
ପ୍ରତ୍ୟେକ ଡ୍ରଇଂ ପିନ୍ ସହିତ ଗୋଟିଏ ଲେଖାଏଁ ତାର ଦ୍ଵାରା ସଂଯୋଗ କର। ଏବେ ଆମର ସୁଇଚ୍ ପ୍ରସ୍ତୁତ ହୋଇଗଲା।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୧ ଏକ ସୁଇଚ୍ – (କ) ଅଫ୍ (off) ଅବସ୍ଥାରେ, (ଖ) ଅନ୍ (on) ଅବସ୍ଥାରେ।]
କାର୍ଯ୍ୟ ୩.୯ ଆସ ପରୀକ୍ଷା କରିବା
-
ଚିତ୍ର ୩.୧୨ (କ) ଭଳି ବିଦ୍ୟୁତ୍ କୋଷ, ବତୀ (ବଲ୍ବ) ଓ ସୁଇଚ୍କୁ ସଂଯୋଗ କର। ଲକ୍ଷ୍ୟକର ବତୀ ଜଳୁଛି କି?
-
ଚିତ୍ର ୩.୧୨ (ଖ) ଭଳି ସେଫଟିପିନ୍ର ମୁକ୍ତ ଅଗ୍ରଟିକୁ ଘୂରାଅ ଯେପରିକି ଏହା ଅନ୍ୟ ଡ୍ରଇଂ ପିନ୍କୁ ସ୍ପର୍ଶ କରିବ। ବତୀ ଜଳୁଛି କି ନାହିଁ ଲକ୍ଷ୍ୟ କର। ଯେତେବେଳେ ସେଫ୍ଟି ପିନ୍ ଉଭୟ ଡ୍ରଇଂ ପିନ୍କୁ ସ୍ପର୍ଶ କରେ ସେତେବେଳେ ଏହାର ପରିପଥ କୌଣସି ଫାଙ୍କା ନ ଥାଇ ସମ୍ପୂର୍ଣ୍ଣ ହୁଏ।
-
ଚିତ୍ର ୩.୧୨ (ଖ) ଭଳି ଆମେ ଏହାକୁ ସୁଇଚ୍ର ଅନ୍ (on) ଅବସ୍ଥା କହିଥାଉ। ସେତେବେଳେ ପରିପଥ ମୁଦିତ (closed) ଥାଏ ଏବଂ ବିଦ୍ୟୁତ ସ୍ରୋତ ସେଲ୍ର ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ପ୍ରବାହିତ ହୋଇ ବଲ୍ବକୁ ଜଳାଏ। ଯେତେବେଳେ ସେଫ୍ଟି ପିନ୍ ଦ୍ଵିତୀୟ ଡ୍ରଇଂ ପିନ୍କୁ ସ୍ପର୍ଶ କରେ ନାହିଁ ସେତେବେଳେ ପରିପଥରେ ଥିବା ଫାଙ୍କ ବିଦ୍ୟୁତ ସ୍ରୋତ ପ୍ରବାହକୁ ବାଧା ଦିଏ ଏବଂ ବତୀ (ବଲ୍ବ) ଜଳେ ନାହିଁ। ଏହି ଅଫ୍ ଅବସ୍ଥାରେ ଆମେ କହିବା ପରିପଥ ଖୋଲା ଅଛି (ଚିତ୍ର – ୩.୧୨ (କ) ଭଳି)।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୨: ଏକ ବୈଦ୍ୟୁତିକ ପରିପଥ ଯେଉଁଥିରେ ଏକ ସ୍ଵିଚ୍ (କ) ‘ଅଫ୍’ ସ୍ଥିତିରେ (ଖ) ‘ଅନ୍’ ସ୍ଥିତିରେ ରହିଛି।]
ପରିପଥର କୌଣସି ସ୍ଥାନରେ ସୁଇଚ୍କୁ ଲଗା ଯାଇପାରିବ। ସ୍ଵିଚ୍ ଗୋଟିଏ ସରଳ ଯନ୍ତ୍ର ଯାହା ପରିପଥକୁ ସମ୍ପୂର୍ଣ୍ଣ କରେ ବା ବିଚ୍ଛିନ୍ନ କରିଦିଏ। ଘରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତିରେ ଏହିପରି ସ୍ଵିଚ୍ ବ୍ୟବହାର କରାଯାଇଥାଏ, ସେଗୁଡିକ ଭିନ୍ନ ଭିନ୍ନ ଢାଞ୍ଚାର ହୋଇଥିଲେ ମଧ୍ୟ ଏକାଭଳି କାର୍ଯ୍ୟ କରିଥାନ୍ତି।
୩.୩ ବୈଦ୍ୟୁତିକ ପରିପଥର ଚିତ୍ର
[ସଂଳାପ ବକ୍ସ: "ପରିପଥଗୁଡ଼ିକୁ ଆମେ ସରଳ ଉପାୟରେ ଉପସ୍ଥାପନ କରିପାରିବା କି?"]
ଗୋଟିଏ ବୈଦ୍ୟୁତିକ ପରିପଥର ବିଭିନ୍ନ ଉପାଦାନକୁ ସାରଣୀ ୩.୨ ରେ ଦର୍ଶାଯାଇଥିବା ଭଳି ବିଭିନ୍ନ ସଂକେତ ଦ୍ଵାରା ପ୍ରକାଶିତ କରାଯାଇଥାଏ।
ସାରଣୀ ୩.୨ ବୈଦ୍ୟୁତିକ ଉପାଦାନ ଓ ସେମାନଙ୍କର ସଙ୍କେତ
| କ୍ରମାଙ୍କ | ବୈଦ୍ୟୁତିକ ଉପାଦାନ | ସଙ୍କେତ |
|---|---|---|
| ୧ | ବିଦ୍ୟୁତ୍ ସେଲ୍ | [ଲମ୍ବା ପତଳା ଗାର (+) ଓ ଛୋଟ ମୋଟା ଗାର (-)] |
| ୨ | ବ୍ୟାଟେରୀ | [ଏକାଧିକ ସେଲ୍ ସଙ୍କେତର ଶ୍ରେଣୀ ସଂଯୋଗ] |
| ୩ | ବିଦ୍ୟୁତ ବଲ୍ବ | [ଗୋଲ ଭିତରେ କ୍ରସ୍ (X) ଚିହ୍ନ] |
| ୪ | LED (ଏଲ୍ଇଡ଼ି) | [ଡାୟୋଡ୍ ସଙ୍କେତ ସହ ଦୁଇଟି ଆଲୋକ ନିର୍ଗତ ତୀର ଚିହ୍ନ] |
| ୫ | ସ୍ଵିଚ୍ ‘ଅନ୍’ ଅବସ୍ଥାରେ | [ସଂଯୁକ୍ତ ବିନ୍ଦୁ ସହିତ ବନ୍ଦ ରେଖା] |
| ୬ | ସ୍ଵିଚ୍ ‘ଅଫ୍’ ଅବସ୍ଥାରେ | [ଖୋଲା ଥିବା ରେଖା] |
| ୭ | ତାର | [ସଳଖ ସରଳରେଖା] |
ବିଦ୍ୟୁତ ସେଲ୍ର ସଙ୍କେତରେ ଲମ୍ବା ରେଖାଟି ଯୁକ୍ତ (+) ଅଗ୍ର ଓ ଛୋଟ ରେଖାଟି ବିଯୁକ୍ତ (-) ଅଗ୍ରକୁ ସୂଚାଏ (ଚିତ୍ର ୩.୧୩ କ)। LED ପାଇଁ ଉଦ୍ଦିଷ୍ଟ ସଙ୍କେତରେ ଥିବା ତ୍ରିଭୁଜ ସଙ୍କେତଟି ବିଦ୍ୟୁତ ସ୍ରୋତ ପ୍ରବାହର ଦିଗ ସୂଚାଏ। ଦୁଇଟି ତୀର ଚିହ୍ନ LED ଦ୍ଵାରା ଆଲୋକ ରଶ୍ମି ନିର୍ଗତ ହୋଇଥିବାର ସୂଚନା ଦେଇଥାଏ (ଚିତ୍ର – ୩.୧୩ (ଖ))।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୩ (କ) ବିଦ୍ୟୁତ କୋଷ ଏବଂ (ଖ) LED ର ପ୍ରତୀକାତ୍ମକ ଚିତ୍ର।]
ବୈଦ୍ୟୁତିକ ଉପାଦାନଗୁଡ଼ିକୁ ଉପସ୍ଥାପନ ପାଇଁ ସଙ୍କେତ ବ୍ୟବହାର କରିବା ଦ୍ଵାରା ବୈଦ୍ୟୁତିକ ପରିପଥ ଆଙ୍କିବା ଓ ବୁଝିବା ସହଜ ହୋଇଥାଏ। ସଙ୍କେତ ବ୍ୟବହାର କରି ବୈଦ୍ୟୁତିକ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର (circuit diagram) କୁହାଯାଏ।
୩.୧୦ ଆସ ପରିପଥ ଚିତ୍ର ଅଙ୍କନ କରିବା
ସାରଣୀ ୩.୨ ରେ ଦର୍ଶାଯାଇଥିବା ସଙ୍କେତକୁ ବ୍ୟବହାର କରି ଚିତ୍ର ୩.୧୨ (କ) ଏବଂ ୩.୧୦ (ଗ) ରେ ଦିଆଯାଇଥିବା ବୈଦ୍ୟୁତିକ ପରିପଥର ଚିତ୍ର ଅଙ୍କନ କର। ତୁମର ପରିପଥର ଚିତ୍ର ଯଥାକ୍ରମେ ୩.୧୪ (କ) ଓ ୩.୧୪ (ଖ) ଭଳି ହେଉଛି କି?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୪ : ପରିପଥ ଚିତ୍ର (କ) ଏକ ତାପଦୀପ୍ତ ବତୀ ସହିତ (ଖ) ଏକ LED ସହିତ।]
ଅଧିକ ଜାଣିବା: ଅନ୍ତର୍ଜାତୀୟ ଇଲେକ୍ଟ୍ରୋନିକାଲ୍ ଆୟୋଗ (IEC), ଆମେରିକୀୟ ଜାତୀୟ ଷ୍ଟାଣ୍ଡାର୍ଡ ଅନୁଷ୍ଠାନ (ANSI) ଏବଂ ଇଲେକ୍ଟ୍ରିକାଲ୍ ଓ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟର ମାନଙ୍କ ଅନୁଷ୍ଠାନ (IEEE) ପ୍ରଭୃତି ଅନ୍ତର୍ଜାତୀୟ ସଂସ୍ଥାମାନେ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ ଅଂଶ ପାଇଁ ମାନକ ସଙ୍କେତ ସୃଷ୍ଟି କରିଛନ୍ତି। ଏହି ସଙ୍କେତ ସବୁକୁ ବ୍ୟବହାର କରି ସମଗ୍ର ପୃଥିବୀରେ ବିଭିନ୍ନ ଦେଶ ଓ ଶିଳ୍ପ ଅନୁଷ୍ଠାନ ପରସ୍ପର ମଧ୍ୟରେ ସହଜରେ ବୁଝାମଣା କରି ପାରୁଛନ୍ତି।
୩.୪ ବିଦ୍ୟୁତ ପରିବାହୀ ଓ ବିଦ୍ୟୁତରୋଧୀ (ଅପରିବାହୀ) ପଦାର୍ଥ
[ସଂଳାପ ବକ୍ସ: "ବୈଦ୍ୟୁତିକ ପରିପଥ ପାଇଁ ଆମେ କାହିଁକି ଧାତବ ତାର ବ୍ୟବହାର କରୁ? ଆଉ କ’ଣ ଅନ୍ୟ କିଛି ସାମଗ୍ରୀ ବ୍ୟବହାର କରିପାରିବା ନାହିଁ?" / "ବିଦ୍ୟୁତ ତାର ଗୁଡ଼ିକୁ କାହିଁକି ପ୍ଲାଷ୍ଟିକ୍ ବା ରବର ଆବରଣ ଦିଆଯାଇଥାଏ?"]
ମନେକର ଆମେ ଧାତୁ ବ୍ୟତୀତ ଅନ୍ୟ ସାମଗ୍ରୀରେ ତାର ତିଆରି କରିବା ଏବଂ ତାକୁ ବୈଦ୍ୟୁତିକ ପରିପଥ ତିଆରି କରିବାରେ ବ୍ୟବହାର କରିବା। ଏହି ସାମଗ୍ରୀ ମଧ୍ୟରେ ବିଦ୍ୟୁତ ସ୍ରୋତ ଗତି କରିବ ବୋଲି ଚିନ୍ତା କରୁଛ କି?
୩.୧୧ ଆସ ଚିହ୍ନଟ କରିବା
-
ଚିତ୍ର ୩.୧୫ (କ) ଭଳି ଗୋଟିଏ ବିଦ୍ୟୁତ୍ ସେଲର ଏକ ଅଗ୍ରକୁ ଗୋଟିଏ ବତୀ (ବଲ୍ବ)ର ଏକ ଅଗ୍ର ସହ ସଂଯୋଗ କରି ସେଲର ଓ ବତୀର ଅନ୍ୟ ଅଗ୍ରଦ୍ଵୟରେ ତାର ଲଗାଇ ଖୋଲା ରଖ।
-
ଦୁଇ ତାରର ମୁକ୍ତ ଶେଷାଗ୍ରକୁ ଅସ୍ଥାୟୀ ଭାବରେ ଅଳ୍ପ ସମୟ ପାଇଁ ସ୍ପର୍ଶ କରାଅ। ବଲ୍ବ ଜଳୁଛି କି? ଯଦି ଉତ୍ତର ହଁ ହୁଏ ତାହେଲେ ଏବେ ପରୀକ୍ଷା ପାଇଁ ଆମର ଟେଷ୍ଟର ପ୍ରସ୍ତୁତ ହୋଇଗଲା। ଆମେ ଟେଷ୍ଟର ବ୍ୟବହାର କରି କେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁସ୍ରୋତ ପ୍ରବାହିତ ହେଉଛି କି ନାହିଁ ତାହା ଚିହ୍ନଟ କରିପାରିବା।
-
ଧାତବ ଚାମଚ, ମୁଦ୍ରା, ସୋଲ ନିର୍ମିତ ପଦାର୍ଥ, ରବର, କାଚ, ଚାବି, ପିନ୍କଣ୍ଟା, ପ୍ଲାଷ୍ଟିକ୍ ସ୍କେଲ୍, କାଠଖଣ୍ଡ, ଆଲୁମିନିୟମ୍ ପାତ୍ର, ମହମବତୀ, ସିଲେଇ ଛୁଞ୍ଚି, କାର୍ଡ଼ବୋର୍ଡ଼, କାଗଜ ଓ ପେନ୍ସିଲ୍ ସୀସା ଭଳି ବିଭିନ୍ନ ସାମଗ୍ରୀ ସଂଗ୍ରହ କର।
-
ଚିତ୍ର ୩.୧୫ (ଖ) ରେ ଦର୍ଶାଯାଇଥିବା ଭଳି ସେ ସମସ୍ତ ପଦାର୍ଥକୁ ଗୋଟି ଗୋଟି କରି ସଂଯୋଗ କର। ପ୍ରତ୍ୟେକ କ୍ଷେତ୍ରରେ ବଲ୍ବ ଜଳୁଛି କି ନାହିଁ ଦେଖ। ଦୁଇ ତାରର ଅଗ୍ରଦ୍ଵୟ ଯେପରି ସିଧା ସଂଯୁକ୍ତ ନ ହୁଅନ୍ତି, ସେଥିପ୍ରତି ସତର୍କ ରୁହ।
-
ସାରଣୀ ୩.୩ ରେ ତୁମ ପରୀକ୍ଷଣର ଅନୁଧ୍ୟାନକୁ ଲିପିବଦ୍ଧ କର।
[ଚିତ୍ର ବର୍ଣ୍ଣନା: ଚିତ୍ର- ୩.୧୫ (କ) ବିଦ୍ୟୁତ୍ ପ୍ରବାହ ଟେଷ୍ଟର ଏବଂ (ଖ) ଚାମଚ ଲଗାଇ ଟେଷ୍ଟର ବ୍ୟବହାର କରି ଏକ ପଦାର୍ଥର ବିଦ୍ୟୁତ୍ ପରିବାହିତା ପରୀକ୍ଷା।]
ସାରଣୀ ୩.୩ ବିଦ୍ୟୁତପରିବାହୀ ଓ ବିଦ୍ୟୁତରୋଧୀ ବସ୍ତୁ ଚିହ୍ନଟ କରିବା
| କ୍ର.ସଂ | ବସ୍ତୁ | କେଉଁଥିରେ ତିଆରି | ବତୀ ଜଳୁଛି (ହଁ/ ନା) | ସିଦ୍ଧାନ୍ତ (ପରିବାହୀ/ ପ୍ରତିରୋଧୀ) |
|---|---|---|---|---|
| ୧ | ବାଡ଼ି | କାଠ | ନା | ପ୍ରତିରୋଧୀ |
| ୨ | ସ୍କେଲ୍ | ପ୍ଲାଷ୍ଟିକ୍ | ||
| ୩ | ଚୁଡ଼ି | କାଚ | ||
| ୪ | କାଗଜ ପଟି | କାଗଜ | ||
| ୫ | ମହମବତୀ | ମହମ | ||
| ୬ | ଚାବିକାଠି | ଧାତୁ | ||
| ୭ | ଇରେଜର | ରବର | ||
| ୮ | [???] | |||
| ୯ | [???] |
-
ତୁମ ପର୍ଯ୍ୟବେକ୍ଷଣ ଗୁଡ଼ିକ ବିଶ୍ଳେଷଣ କର। ସମସ୍ତ ବସ୍ତୁ ସଂଯୁକ୍ତ ହେବା ସମୟରେ ବଲ୍ବ (ବତୀ) ଜଳୁଛି କି? କିଛି ସାମଗ୍ରୀ ପାଇଁ ବତୀ ଜଳେ। ଏହାର କାରଣ ଯେଉଁ ସାମଗ୍ରୀ ମାଧ୍ୟମରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଥାଏ, ସେହି କ୍ଷେତ୍ରରେ ବତୀ ଜଳେ, କିନ୍ତୁ ଯେଉଁ ସାମଗ୍ରୀ ମାଧ୍ୟମରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ, ସେହି କ୍ଷେତ୍ରରେ ବତୀ ଜଳେ ନାହିଁ। ଯେଉଁ ସାମଗ୍ରୀ ମାଧ୍ୟମରେ ବିଦ୍ୟୁତ ସ୍ରୋତ ସହଜରେ ପ୍ରବାହିତ ହୋଇପାରେ ତାକୁ ବିଦ୍ୟୁତ ସୁପରିବାହୀ ବା ପରିବାହୀ କୁହାଯାଏ। ଯେଉଁ ସାମଗ୍ରୀ ମଧ୍ୟ ଦେଇ ପ୍ରବାହିତ ହୋଇପାରେ ନାହିଁ ତାକୁ କୁପରିବାହୀ ବା ବିଦ୍ୟୁତରୋଧୀ କୁହାଯାଏ।
-
ପରୀକ୍ଷଣରୁ ସାରଣୀ ୩.୩ ରେ ଲିପିବଦ୍ଧ କରିଥିବା ତଥ୍ୟରେ କେଉଁଗୁଡ଼ିକ ବିଦ୍ୟୁତପରିବାହୀ ଓ କେଉଁଗୁଡ଼ିକ ବିଦ୍ୟୁତରୋଧୀ ସେଗୁଡ଼ିକୁ ନିଶ୍ଚିତ କର ଓ ତାହା ସାରଣୀରେ ଉଲ୍ଲେଖ କର। ସାରଣୀ ୩.୩ ରୁ ତୁମେ ଅନୁଭବ କଲ ଯେ, ଧାତୁଗୁଡ଼ିକ ବିଦ୍ୟୁତ୍ପରିବାହୀ ଓ ସେଥିପାଇଁ ତାର ତିଆରି ପାଇଁ ଧାତୁ ବ୍ୟବହାର କରାଯାଇଥାଏ।
ଅଧିକ ଜାଣିବା: ରୂପା, ତମ୍ବା ଓ ସୁନା ହେଉଛି ବିଦ୍ୟୁତର ଅତି ଉତ୍ତମ ପରିବାହୀ। କମ୍ ଖର୍ଚ୍ଚ ଦୃଷ୍ଟିରୁ ଓ ଅଧିକ ଯୋଗାଣ ନିମନ୍ତେ ମୁଖ୍ୟତଃ ତାରଗୁଡିକ ତମ୍ବାରେ ତିଆରି କରାଯାଇଥାଏ। ଭିନ୍ନ ଭିନ୍ନ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ପ୍ରକାର ତାର ବ୍ୟବହାର କରାଯାଇଥାଏ।
ସାରଣୀ ୩.୩ ରୁ ତୁମେମାନେ ଅନୁଭବ କରିଥିବ ଯେ ପ୍ଲାଷ୍ଟିକ, ରବର ଓ ଚିନାମାଟିରେ ତିଆରି ପଦାର୍ଥ ଗୁଡିକ ବିଦ୍ୟୁତରୋଧୀ। ତୁମେ ଏବେ ବୁଝିପାରିଲ ତ ତାର ଗୁଡିକ ଏହି ପଦାର୍ଥ ଦ୍ଵାରା ଆବୃତ କରାଯାଇଥାଏ କାହିଁକି? ପରିବାହୀ ଓ ବିଦ୍ୟୁତରୋଧୀ ଉଭୟ ଆମ ପାଇଁ ଗୁରୁତ୍ଵପୂର୍ଣ୍ଣ। ବିଦ୍ୟୁତ ତାର, ସୁଇଚ୍, ପ୍ଲଗ୍-ସଂଯୋଜକ ଓ କଣା ଥିବା ପ୍ଲଗ୍ (socket) ଗୁଡିକ ପରିବାହୀରେ ତିଆରି। ବିଦ୍ୟୁତ ଧକ୍କାରୁ ରକ୍ଷା ପାଇବା ପାଇଁ ତାର ଉପରେ ପ୍ଲଗ୍ର ଉପର ଅଂଶ ଓ ସୁଇଚ୍ରେ ରବର, ପ୍ଲାଷ୍ଟିକ ବା ଚିନାମାଟିର ଆବରଣ ବ୍ୟବହାର କରାଯାଇଥାଏ।
ସତର୍କତା: ଆମ ଶରୀର ବିଦ୍ୟୁତର ପରିବାହୀ, ଆମ ଶରୀରରେ ବିଦ୍ୟୁତ ପ୍ରବାହିତ ହେଲେ (ଶକ୍ ଲାଗିଲେ) ଆମର ବହୁତ କ୍ଷତି ହୁଏ, ଏପରିକି ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ଥାଏ। ସର୍ବଦା ଘରୋଇ ବିଦ୍ୟୁତ ଉପକରଣ ଗୁଡିକ ଯତ୍ନର ସହିତ ବ୍ୟବହାର କର। ଓଦା ହାତରେ ସୁଇଚ୍, ପ୍ଲଗ୍କୁ ଛୁଇଁବ ନାହିଁ ଓ ଓଦା ଅଞ୍ଚଳରେ ଥିବା ବିଦ୍ୟୁତ୍ ଯନ୍ତ୍ରପାତିକୁ ବ୍ୟବହାର କରିବ ନାହିଁ। ଭଙ୍ଗା ପ୍ଲଗ୍, ଭଙ୍ଗା ସୁଇଚ୍, ଅତି ପୁରୁଣା ବିଦ୍ୟୁତ୍ ସରଞ୍ଜାମ ଗୁଡିକୁ ଆଦୌ ବ୍ୟବହାର କରିବ ନାହିଁ କି ଛୁଇଁବ ନାହିଁ।
ଅଧିକ ଜାଣିବା: ବିଦ୍ୟୁତ କୋଷ (cell) ବା ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ ଓ କାନ୍ଥରେ ଲାଗିଥିବା ପ୍ଲଗ ଥିବା ସକେଟରୁ ଆସୁଥିବା ବିଦ୍ୟୁତ ମଧ୍ୟରେ ପାର୍ଥକ୍ୟ ବିଷୟରେ ତୁମେମାନେ କିପରି ଚିନ୍ତା କରୁଛ? ସାଧାରଣତଃ ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ କ୍ଷୁଦ୍ର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରାଇଥାଏ ଏବଂ ଏହା ସଳଖ ବିଦ୍ୟୁତ୍ ବା DC (Direct Current) ପ୍ରକାରର ହୋଇଥାଏ। ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରୁ ଯେଉଁ ବିଦ୍ୟୁତ ସ୍ରୋତ ଆମ ଘରକୁ ଆସିଥାଏ ତାହାକୁ ପ୍ରତ୍ୟାବର୍ତ୍ତୀ ସ୍ରୋତ ବା AC (Alternating Current) କୁହାଯାଏ। ପ୍ରତ୍ୟାବର୍ତ୍ତୀ ସ୍ରୋତ ଦ୍ଵାରା ବଡ ବଡ ବିଦ୍ୟୁତ ଉପକରଣ କାର୍ଯ୍ୟକ୍ଷମ ହୋଇଥାଏ।
ସଂକ୍ଷେପରେ
-
ବିଦ୍ୟୁତ ସେଲ୍/କୋଷ ହେଉଛି ସହଜରେ ସୁବିଧାରେ ନେବା ଆଣିବା କରି ପାରୁଥିବା ଏକ ଉତ୍ସ।
-
ଗୋଟିଏ ବିଦ୍ୟୁତ୍ କୋଷରେ ଦୁଇଟି ଅଗ୍ର ଥାଏ, ଗୋଟିଏ ଯୁକ୍ତ (+) ଅନ୍ୟଟି ବିଯୁକ୍ତ (-)।
-
ଗୋଟିଏ ଦୀପ୍ତିମାନ ବତୀରେ ଥିବା ସୂକ୍ଷ୍ମ ପତଳା ତାରକୁ ଫିଲାମେଣ୍ଟ୍ କୁହାଯାଏ। ଏହା ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହା ଉତ୍ତପ୍ତ ହୋଇ ଆଲୋକ ଉତ୍ପନ୍ନ କରିଥାଏ।
-
ଗୋଟିଏ LED ର ଦୁଇଟି ଶେଷାଗ୍ର। ଗୋଟିଏ ଯୁକ୍ତ (+) (ଲମ୍ବା ତାର ସହ ସଂଯୁକ୍ତ ହୋଇଥାଏ) ଅନ୍ୟଟି ବିଯୁକ୍ତ (–) (ଛୋଟ ତାର ସହ ସଂଯୁକ୍ତ ହୋଇଥାଏ)।
-
LED ମଧ୍ୟରେ ବିଦ୍ୟୁତ ସ୍ରୋତ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ।
-
ଗୋଟିଏ LED ର ଯୁକ୍ତ (+) ଅଗ୍ର (ଲମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର (+) ସହ ଏବଂ ବିଯୁକ୍ତ (-) ଅଗ୍ର (ସାନତାର) ବ୍ୟାଟେରୀର ବିଯୁକ୍ତ (-) ଅଗ୍ର ସହ ସଂଯୁକ୍ତ ହେଲେ LED ଆଲୋକ ଦିଏ।
-
ସୁଇଚ୍ ଏକ ସରଳ ଯନ୍ତ୍ର ଯାହା ବିଦ୍ୟୁତ୍ ପରିପଥକୁ ସମ୍ପୂର୍ଣ୍ଣ କରାଏ ଅଥବା ବନ୍ଦ କରାଏ।
-
ଏକ ବିଦ୍ୟୁତ୍ କୋଷରେ ମୁଦିତ ପରିପଥରେ (closed electrical circuit) ବିଦ୍ୟୁତ୍ ସ୍ରୋତ ଯୁକ୍ତ (+) ଅଗ୍ର ରୁ ବିଯୁକ୍ତ (-) ଅଗ୍ର ଆଡକୁ ପ୍ରବାହିତ ହୁଏ।
-
ବୈଦ୍ୟୁତିକ ସଙ୍କେତ ବ୍ୟବହାର କରି ବିଦ୍ୟୁତ୍ ପରିପଥର ଉପସ୍ଥାପନକୁ ପରିପଥ ଚିତ୍ର (circuit diagram) କୁହାଯାଏ।
-
ଯେଉଁ ପଦାର୍ଥ ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୋଇପାରେ ତାକୁ ବିଦ୍ୟୁତ୍ର ସୁପରିବାହୀ ବା ପରିବାହୀ କୁହାଯାଏ।
-
ଯେଉଁ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ ତାକୁ ବିଦ୍ୟୁତ୍ର କୁପରିବାହୀ ବା ବିଦ୍ୟୁତ୍ରୋଧୀ କୁହାଯାଏ।
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
-
ଭୁଲ୍ ଉକ୍ତିକୁ ବାଛ। (କ) ବିଦ୍ୟୁତ୍ ପରିପଥରେ ବିଦ୍ୟୁତ ସ୍ରୋତର ଉତ୍ସ ହେଉଛି ଗୋଟିଏ ସୁଇଚ୍। (ଖ) ଗୋଟିଏ ସୁଇଚ୍ ବୈଦ୍ୟୁତିକ ପରିପଥକୁ ସମ୍ପୂର୍ଣ୍ଣ ସଂଯୋଗ ବା ବିଚ୍ଛିନ୍ନ କରିବାରେ ସାହାଯ୍ୟ କରେ। (ଗ) ଆମର ଆବଶ୍ୟକ ପରିମାଣର ବିଦ୍ୟୁତ୍ ବ୍ୟବହାରକୁ ସୁଇଚ୍ ନିୟନ୍ତ୍ରଣ କରେ। (ଘ) ଯେତେବେଳେ ସୁଇଚ୍ ବନ୍ଦ ଥାଏ ସେତେବେଳେ ଦୁଇ ଅଗ୍ର ମଧ୍ୟରେ ବାୟୁ ବ୍ୟବଧାନ ଥାଏ।
-
ଚିତ୍ର ୩.୧୬ କୁ ନିରୀକ୍ଷଣ କର। କେଉଁ ସାମଗ୍ରୀ ସହ କ ଓ ଖ ଅଗ୍ରକୁ ଯୋଗ କଲେ ବତୀ ଜଳିବ ନାହିଁ?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୬ ରେ ଏକ ବ୍ୟାଟେରୀ ଏବଂ ବଲ୍ବ ସହ ଖୋଲା ଥିବା ଦୁଇଟି ତାର (କ) ଓ (ଖ) ଅଗ୍ର ଦର୍ଶାଯାଇଛି।]
- ଚିତ୍ର ୩.୧୭ ରେ ଯଦି ଗୋଟିଏ ବତୀର ଫିଲାମେଣ୍ଟ୍ ଭାଙ୍ଗିଯାଏ ତେବେ ଅନ୍ୟ ବତୀଟି ଜଳିବ କି? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୭ ରେ ଦୁଇଟି ବଲ୍ବ ଏବଂ ବ୍ୟାଟେରୀ ଶ୍ରେଣୀ ସଂଯୋଗରେ ଥିବା ପରିପଥ ଚିତ୍ର।]
-
ଜଣେ ଛାତ୍ର ବୈଦ୍ୟୁତିକ ପରିପଥ ତିଆରି କଲାବେଳେ ସଂଯୋଗ କରାଯାଇଥିବା ତାରରୁ ବିଦ୍ୟୁତ୍ରୋଧୀ ଆବରଣ କାଢ଼ିବାକୁ ଭୁଲିଯାଇଥିଲା। ଯଦି ବତୀ ଓ ବିଦ୍ୟୁତ କୋଷ ଠିକ ଭାବରେ କାମ କରୁଥାଏ ବଲ୍ବ ଜଳିବ କି?
-
ବୈଦ୍ୟୁତିକ ଉପାଦାନମାନଙ୍କ ପାଇଁ ସଙ୍କେତ ବ୍ୟବହାର କରି ଗୋଟିଏ ଟର୍ଚ୍ଚ ପାଇଁ ପରିପଥ ଚିତ୍ର କର।
-
ଚିତ୍ର ୩.୧୮ ରେ : (କ) ଯଦି ସୁଇଚ୍ ଅନ୍ ବ୍ୟବସ୍ଥାରେ ଓ ସୁଇଚ୍ ଅଫ୍ ଅବସ୍ଥାରେ ରହେ କେଉଁ ବଲ୍ବଟି ଜଳିବ?
(ଖ) ଯଦି ସୁଇଚ୍ ଅଫ୍ ଓ ସୁଇଚ୍ ଅନ୍ ଅବସ୍ଥାରେ ରହେ କେଉଁ ବଲ୍ବଟି ଜଳିବ?
(ଗ) ଯଦି ଓ ଉଭୟ ଅନ୍ ଅବସ୍ଥାରେ ରହେ, ତେବେ କେଉଁ ବଲ୍ବ ଜଳିବ?
(ଘ) ଯଦି ଓ ଉଭୟ ଅଫ୍ ଅବସ୍ଥାରେ ରହେ, ତେବେ କେଉଁ ବଲ୍ବ ଜଳିବ?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୮ ରେ ଦୁଇଟି ବଲ୍ବ (), ଦୁଇଟି ସୁଇଚ୍ () ଏବଂ ଏକ ବ୍ୟାଟେରୀ ଥିବା ପରିପଥ ଚିତ୍ର।]
- ଚିତ୍ର ୩.୧୯ ରେ ଦର୍ଶାଯାଇଥିବା ଭଳି ଭାରତୀ ଏକ ବିଦ୍ୟୁତ ପରିପଥ ତିଆରି କଲା। ପରିପଥକୁ ବନ୍ଦ କରିବାପରେ ମଧ୍ୟ ବତୀ ଜଳିଲା ନାହିଁ। ଏହାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ? ଏକ ଅସଫଳ କାର୍ଯ୍ୟର ଯେତେ ଅଧିକ ସମ୍ଭାବ୍ୟ କାରଣ ଚିନ୍ତାକରୁଛ, ତାହା ଲେଖ। ଏ ବତୀ କାହିଁକି ଜଳିଲା ନାହିଁ, ଏହା ଜାଣିବା ପାଇଁ ତୁମେ କ’ଣ କରିବ?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୧୯ ରେ ସେଲ୍, ବଲ୍ବ ଏବଂ ସେଫ୍ଟିପିନ୍ ସୁଇଚ୍ ସଂଯୋଗ ହୋଇଥିବା ଏକ ପରିପଥ।]
- ଚିତ୍ର ୩.୨୦ ରେ ଯେତେବେଳେ ସୁଇଚ୍ ବନ୍ଦ କରାଯିବ କେଉଁ କ୍ଷେତ୍ରରେ ବଲ୍ବ ଜଳିବ ନାହିଁ?
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୨୦ ରେ (କ), (ଖ), (ଗ), (ଘ) ଭାବେ ୪ଟି ଭିନ୍ନ ଭିନ୍ନ ସଂଯୋଗ ଥିବା ପରିପଥ ଚିତ୍ର ଦିଆଯାଇଛି (ବଲ୍ବ ଏବଂ LED ସହିତ)।]
-
ମନେକର, ‘+’ ଓ ‘-’ ଚିହ୍ନ / ସଙ୍କେତ ବ୍ୟାଟେରୀରେ ପଢ଼ି ହେଉନାହିଁ। ବ୍ୟାଟେରୀର ଦୁଇ ଶେଷାଗ୍ରକୁ କିପରି ଚିହ୍ନଟ କରିବ ତୁମ ମତଦିଅ।
-
ତୁମକୁ ଛଅଟି ବିଦ୍ୟୁତ କୋଷ ଦିଆଯାଇଛି A, B, C, D, E ଓ F। ଏଥିରୁ କେତେକ କାର୍ଯ୍ୟକ୍ଷମ ଓ ଅନ୍ୟ କେତେକ କାର୍ଯ୍ୟକ୍ଷମ ନୁହନ୍ତି। ଏକ ଶିକ୍ଷଣ କାର୍ଯ୍ୟର ପରିକଳ୍ପନା କର : ଯାହାଦ୍ଵାରା କେଉଁ କୋଷଗୁଡିକ କାର୍ଯ୍ୟକ୍ଷମ ଅଟନ୍ତି ଜାଣି ହେବ?
-
ତୁମେ ଯେଉଁ ପ୍ରଣାଳୀ ଅନୁସରଣ କରିବ ତାହା ଲେଖ।
-
ତୁମେ ଆବଶ୍ୟକ କରୁଥିବା ପଦାର୍ଥର ତାଲିକା କର।
-
କାର୍ଯ୍ୟକ୍ଷମ ଥିବା କୋଷକୁ ଚିହ୍ନଟ କରିବାପାଇଁ ଏହି ପଦାର୍ଥ ସାହାଯ୍ୟରେ କାର୍ଯ୍ୟକ୍ରମ ସଂପାଦନ କର।
- ଗୋଟିଏ LED ଜଳିବାପାଇଁ ଦୁଇଟି ବିଦ୍ୟୁତ୍କୋଷ ଆବଶ୍ୟକ କରେ। କବିତା ଏକ ପରିପଥ ଚିତ୍ର ତିଆରି କଲା (ଚିତ୍ର ୩.୨୧ ଭଳି)। ବଲ୍ବ ଜଳିବ କି? ଯଦି ନା, ତେବେ ତାରକୁ ନେଇ ସଠିକ ସଂଯୋଗ କର।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୨୧ ରେ ଦୁଇଟି ସେଲ୍ ଏବଂ LED ର ଭୁଲ/ସଠିକ ସଂଯୋଗ ପରୀକ୍ଷଣ ଚିତ୍ର।]
ଅନୁସନ୍ଧାନମୂଳକ ପ୍ରକଳ୍ପ
-
ମନେକର କୌଣସି କାରଣରୁ ତୁମ ଅଞ୍ଚଳରେ ଦୁଇଦିନ ପାଇଁ ବିଦ୍ୟୁତ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଲା। ତୁମ ଦୈନିକ ଜୀବନରେ ତୁମେ କେଉଁ କାର୍ଯ୍ୟ କରିପାରିବ ନାହିଁ, ତାହାର ତାଲିକା କର।
-
ଏକ ସୌର ପ୍ୟାନେଲ୍କୁ (ଚିତ୍ର ୩.୨୨ (କ)) ବୈଦ୍ୟୁତିକ ଶକ୍ତିର ଉତ୍ସ ଭାବରେ ବ୍ୟବହାର କରି ଏକ ଖେଳଣା ପଙ୍ଖା (ଚିତ୍ର ୩.୨୨ (ଖ)) ଚଳାଇବା ପାଇଁ ଚିତ୍ର ୩.୨୨ (ଗ) ରେ ଦେଖାଯାଇଥିବା ପରି ଏକ ପରିପଥ ତିଆରି କର।
[ଚିତ୍ର ବର୍ଣ୍ଣନା: ଚିତ୍ର ୩.୨୨ (କ) ସୌର ପ୍ୟାନେଲ୍, (ଖ) ଛୋଟ ମୋଟର ଓ ପଙ୍ଖା, (ଗ) ସୌର ପ୍ୟାନେଲ୍ ସହିତ ମୋଟର ସଂଯୁକ୍ତ ହୋଇ ଖରାରେ ଚାଲୁଥିବା ବ୍ୟବସ୍ଥା।]
-
ଗୋଟିଏ ବିଦ୍ୟୁତ ଉପକରଣ ଦୋକାନକୁ ଯାଅ। ସେ ଦୋକାନୀଙ୍କ ସହାୟତାରେ ସେଠାରେ ଥିବା ବିଭିନ୍ନ ବିଦ୍ୟୁତ୍ କୋଷକୁ ଚିହ୍ନଟ କର। ପ୍ରତିଟି ବିଦ୍ୟୁତ୍ କୋଷ କେଉଁ କେଉଁ ଯନ୍ତ୍ର ପାଇଁ ବ୍ୟବହୃତ ହୋଇଥାଏ ତାହାର ତାଲିକା ପ୍ରସ୍ତୁତ କର।
-
ତୁମ ଘରେ ଥିବା ଜିନିଷ ଗୁଡିକର ତିନୋଟି ବର୍ଗରେ ଏକ ତାଲିକା ପ୍ରସ୍ତୁତ କର:
-
କେବଳ ବିଦ୍ୟୁତରୋଧୀ ବସ୍ତୁ
-
କେବଳ ବିଦ୍ୟୁତ୍ ପରିବାହୀ ବସ୍ତୁ
-
ବସ୍ତୁ ଯାହାର କିଛି ଅଂଶ ପରିବାହୀ ଓ ଆଉ କିଛି ଅଂଶ ବିଦ୍ୟୁତ୍ରୋଧୀ ପଦାର୍ଥରେ ତିଆରି।
ବିଜ୍ଞାନ ଓ ସମାଜ
ବିଦ୍ୟୁତ୍ ସେଲ୍ ବା ବ୍ୟାଟେରୀ ବିଦ୍ୟୁତ୍ ଶକ୍ତିର ଏକ ଉତ୍ତମ ଉତ୍ସ ଯାହାକୁ ନେବାଆଣିବାରେ ବହୁତ ସହଜ ହୋଇଥାଏ ଓ ଏହା ସାହାଯ୍ୟରେ କେତେକ ବୈଦ୍ୟୁତିକ ଯନ୍ତ୍ରପାତିକୁ ଚଳାଇବା ପାଇଁ ଖୁବ୍ ସହଜ ହୋଇଥାଏ। ଏହି ବିଦ୍ୟୁତ ସେଲ୍ ବା ବ୍ୟାଟେରୀଗୁଡିକ ଭିନ୍ନ ଭିନ୍ନ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ଆକାର ଓ ଆକୃତିରେ ଉପଲବ୍ଧ ହୋଇଥାନ୍ତି, ଯଥା – ଟର୍ଚ୍ଚ ବ୍ୟାଟେରୀ, କାନ୍ଥ ଘଣ୍ଟା, ଶୁଣିବାଯନ୍ତ୍ର (hearing aid) ସବୁ ବଟମ ଆକୃତିର, ପୁନଃ ଚାର୍ଜ କରାଯାଉଥିବା ବ୍ୟାଟେରୀ (rechargeable battery), ବିଦ୍ୟୁତ ଗାଡି, ମୋବାଇଲ୍ ଫୋନ୍ ଏବଂ ଲାପ୍ଟପ୍ରେ ବ୍ୟବହୃତ ହୋଇଥାଏ।
[ଚିତ୍ର ବର୍ଣ୍ଣନା: ପୃଷ୍ଠା ଶେଷରେ ବିଭିନ୍ନ ଆକାରର ସେଲ୍/ବ୍ୟାଟେରୀ (AA, ବଟନ୍ ସେଲ୍, 9V ବ୍ୟାଟେରୀ ଇତ୍ୟାଦି) ର ଚିତ୍ର ଦର୍ଶାଯାଇଛି।]