ଚତୁର୍ଥ ଅଧ୍ୟାୟ

ଧାତୁ ଓ ଅଧାତୁର ଦୁନିଆ

[ଚିତ୍ର ବର୍ଣ୍ଣନା: ପୃଷ୍ଠାର ଉପର ଭାଗରେ ଏକ କମାରଶାଳାର ଦୃଶ୍ୟ ରହିଛି, ଯେଉଁଠାରେ ଜଣେ କମାର ଲୁହା ପିଟୁଛନ୍ତି, ପାଖରେ ଜଣେ ମହିଳା ଓ ପୁରୁଷ ବସିଛନ୍ତି ଏବଂ ଜଣେ ବୟସ୍କ ବ୍ୟକ୍ତିଙ୍କ ସହିତ ଦୁଇଜଣ ପିଲା କାର୍ଯ୍ୟକୁ ଉତ୍ସାହର ସହିତ ଦେଖୁଛନ୍ତି।]

ମାନସ ଓ ମନ୍ଦାକିନୀ ପୁରୀ ଜିଲ୍ଲାର ଜଗନ୍ନାଥପୁର ଗ୍ରାମରେ ରହନ୍ତି ଓ ନିକଟସ୍ଥ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢନ୍ତି । ଥରେ ବିଦ୍ୟାଳୟ ତରଫରୁ ସେମାନଙ୍କୁ ଧାତୁ କାରିଗରମାନେ କରୁଥିବା ବିଭିନ୍ନ କାରିଗରୀ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଦିଆଗଲା । ସେମାନେ ନିକଟସ୍ଥ ପାଟପୁର ଗ୍ରାମରେ ଥିବା ଲୁହାକାରିଗରମାନଙ୍କ କମାରଶାଳା ପରିଦର୍ଶନ କରି ପ୍ରକଳ୍ପ ଆଗେଇ ନେବାପାଇଁ ସ୍ଥିରକଲେ । ଏହି କାର୍ଯ୍ୟରେ ସେମାନଙ୍କୁ ମନ୍ଦାକିନୀର ଜେଜେବାପା ମଧ୍ୟ ସହଯୋଗକଲେ । ପ୍ରକୃତରେ ସେମାନେ ଆମର ନିତିଦିନିଆ କାମରେ ଲାଗୁଥିବା ବିଭିନ୍ନ ଲୁହା ଉପକରଣଗୁଡିକ କିପରି ତିଆରି ହେଉଛି, ସେ ବିଷୟରେ ଜାଣିବା ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ । ଜେଜେବାପା ଜଣେ ବୟସ୍କ କାରିଗର ସୁଦର୍ଶନ ମଉସାଙ୍କ ସାଙ୍ଗରେ ସେମାନଙ୍କର କଥାବାର୍ତ୍ତା କରାଇଦେଲେ ।

ମାନସ : ମଉସା, ଆପଣ କେଉଁ କେଉଁ ଜିନିଷ ତିଆରି କରନ୍ତି ?

ସୁଦର୍ଶନ : ଆମର ନିତିଦିନିଆ ବ୍ୟବହାରରେ ଲାଗୁଥିବା କଟୁରୀ, କୁରାଢି, ଦାଆ, ହାତୁଡି, ଶାବଳ, କୋଦାଳ, କୋଡି, ପନିକି ଓ କୋରଣା ଇତ୍ୟାଦି ।

ମନ୍ଦାକିନୀ : ଏହିସବୁ ଜିନିଷ ତିଆରି ପାଇଁ ଆପଣ କି କି ପଦାର୍ଥ ବ୍ୟବହାର କରନ୍ତି ?

ସୁଦର୍ଶନ : ଏଥିପାଇଁ ମୁଖ୍ୟତଃ ଲୁହା ଧାତୁ ବ୍ୟବହାରକରାଯାଏ । କେତେକ ଉପକରଣର ବେଣ୍ଟ ତିଆରି ପାଇଁ ଆମେ କାଠ ବ୍ୟବହାରକରୁ । ଏହା ଛଡା ଲୁହାକୁ ଗରମ କରି ନରମ କରିବା ପାଇଁ ଚୁଲ୍ଲାରେ ଆମେ କୋଇଲାକୁ ଜାଳେଣି ରୂପେ ନେଇଥାଉ ।

ସୁଦର୍ଶନ ମଉସା ଏକ ଲୁହା ଖଣ୍ଡକୁ ଚୁଲ୍ଲାରେ ଗରମ କଲେ । ତାହା ଲାଲରଙ୍ଗ ହୋଇଗଲା । ସଙ୍ଗେ ସଙ୍ଗେ ଏକ ହାତୁଡି ଦ୍ଵାରା ସେ ଏହାକୁ ଖୁବ ଜୋରରେ ପିଟିଚାଲିଲେ । ମନ୍ଦାକିନୀ ଖୁବ ଆଶ୍ଚର୍ଯ୍ୟ ହୋଇ ପଚାରିଲା ‘କାହିଁକି ଏହାକୁ ପିଟୁଛନ୍ତି ?’

ସୁଦର୍ଶନ : ଏହାକୁ ଗୋଟିଏ କୁରାଢୀ ଆକୃତିର କରିବା ପାଇଁ ।

ମନ୍ଦାକିନୀ : ତେବେ ଖଣ୍ଡେ ଲୁହାକୁ ପିଟିପିଟି ପତଳା ଓ ଚଟକା କରାଯାଇପାରେ ! ଅନ୍ୟ ଧାତୁଗୁଡିକୁ ବି କ’ଣ ଏହିପରି କରାଯାଇପାରିବ ?

ତୁମମାନଙ୍କ ମନକୁ ମଧ୍ୟ ଏହିପରି ଅନେକ ପ୍ରଶ୍ନ ଆସୁଥିବ । ତେବେ ଧାତୁଗୁଡିକୁ ନେଇ ଆଉ କ’ଣ ସବୁ କରିପାରିବା, ଚାଲ ଦେଖିବା ।

୪.୧ – ପଦାର୍ଥଗୁଡିକର ଧର୍ମ

୪.୧.୧– ନମନୀୟତା (Malleability)

କାର୍ଯ୍ୟ ୪.୧ ଆସ ଅନୁସନ୍ଧାନ କରିବା ।

ସତର୍କତା – ଏହି କାର୍ଯ୍ୟକୁ ତୁମେ ଶିକ୍ଷକ କିମ୍ବା ଜଣେ ଅଭିଭାବକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କର ।

କିଛି ଅବ୍ୟବହୃତ ତମ୍ବା ଓ ଆଲୁମିନିୟମ ଖଣ୍ଡ, ଗୋଟିଏ ଲୁହାକଣ୍ଟା, ଖଣ୍ଡେ କୋଇଲା, ମଟର ଦାନା ପରି ଛୋଟ ଗନ୍ଧକଖଣ୍ଡ ଏବଂ କାଠ ଖଣ୍ଡଟିଏ ସଂଗ୍ରହ କର ।

ଷଷ୍ଠ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକରେ ଥିବା “ଆମ ଚତୁଃପାର୍ଶ୍ଵରେ ଥିବା ବସ୍ତୁ” ଅଧ୍ୟାୟକୁ ମନେପକାଅ । ନେଇଥିବା ପଦାର୍ଥଗୁଡିକୁ ପର୍ଯ୍ୟବେକ୍ଷଣ କର । ସେଗୁଡିକ ଚକ୍ ଚକ୍ କରୁଛି କି ? ସେଗୁଡିକ ଶକ୍ତ ନା ନରମ ? ତୁମର ପର୍ଯ୍ୟବେକ୍ଷଣକୁ ସାରଣୀ ୪.୧ରେ ଲେଖ ।

ବର୍ତ୍ତମାନ ପ୍ରତ୍ୟେକ ପଦାର୍ଥକୁ ଗୋଟିଏ ପରେ ଗୋଟିଏ କରି ଯେ କୌଣସି ଏକ ଶକ୍ତ ଚଟାଣ ଉପରକୁ ନେଇ ହାତୁଡିରେ ପିଟ (ଚିତ୍ର - ୪.୨) । କ’ଣ ହେବ ବୋଲି ଭାବୁଛ ? ସବୁ ପଦାର୍ଥ କିଛି ମାତ୍ରାରେ ଚେପ୍‌ଟା ହେଲେ କି ? କିଛି ପଦାର୍ଥ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା କି ? ପର୍ଯ୍ୟବେକ୍ଷଣକୁ ସାରଣୀ ୪.୧ରେ ଲେଖ ।

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୨ : ହାତୁଡ଼ି ସାହାଯ୍ୟରେ ଲୁହା କଣ୍ଟାକୁ ପିଟିବା।]

ସାରଣୀ – ୪.୧: ବିଭିନ୍ନ ବସ୍ତୁର ବାହ୍ୟରୂପ, କଠିନତା ଏବଂ ହାତୁଡିରେ ପିଟିବାର ପ୍ରଭାବ।

କ୍ରମିକ ସଂଖ୍ୟାବସ୍ତୁ ବା ସାମଗ୍ରୀବାହ୍ୟରୂପ (ଉଜ୍ଜ୍ବଳ/ ଅନୁଜ୍ଜ୍ବଳ)କଠିନ / ନରମହାତୁଡ଼ିରେ ପିଟିବାର ପ୍ରଭାବ (ଚେପଟା/ ଖଣ୍ଡଖଣ୍ଡ ହୋଇଯିବା)
ତମ୍ବା ତାର
ଆଲୁମିନିୟମ ଖଣ୍ଡ
ଲୁହା କଣ୍ଟା
କୋଇଲା ଖଣ୍ଡ
ଗନ୍ଧକ ଖଣ୍ଡ
କାଠ ଖଣ୍ଡ

ସାରଣୀ – ୪.୧ କୁ ବିଶ୍ଳେଷଣକର । ତମ୍ବା, ଲୁହା, ଆଲୁମିନିୟମ୍ ଆଦି ଧାତୁ ଉଜ୍ଜ୍ଵଳ ବା ଚକ୍‌ଚକ୍ ଦେଖାଯା’ନ୍ତି । ଧାତୁଗୁଡିକର ଏହି ଉଜ୍ଜ୍ବଳତାକୁ ଧାତବ ଔଜ୍ଜଲ୍ୟ ବା ଧାତବ ଦୀପ୍ତି କହନ୍ତି । ତମ୍ବା, ଆଲୁମିନିୟମ ଓ ଲୁହା ଆଦି ଧାତୁ ଅଟନ୍ତି । କୋଇଲା, ଗନ୍ଧକ, କାଠର ଉଜ୍ଜ୍ବଳତା ନାହିଁ ଏବଂ ଏଗୁଡିକ ଧାତୁ ପରି ଏତେ ଶକ୍ତ ନୁହଁନ୍ତି । ଏଗୁଡିକ ଅଧାତୁ ।

ସବୁ ଧାତୁ ଶକ୍ତ ଏବଂ କଠିନ ଅଟନ୍ତି କି ? ନା, ପ୍ରକୃତରେ ସୋଡିୟମ ଏବଂ ପୋଟାସିୟମ ପରି କିଛି ଧାତୁ ଏତେ ନରମ ଯେ ସେମାନଙ୍କୁ ଏକ ଛୁରୀ ସାହାଯ୍ୟରେ କାଟି ଖଣ୍ଡ ଖଣ୍ଡ କରିହେବ । ପାରଦ ହେଉଛି ଏକ ଧାତୁ ଯାହା ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ମିଳିଥାଏ । ପାରଦକୁ ତୁମେ ବୋଧହୁଏ ତାପମାନଯନ୍ତ୍ର (Thermometer)ରେ ଦେଖୁଥିବ । ଷଷ୍ଠ ଶ୍ରେଣୀ ପାଠ୍ୟ ପୁସ୍ତକରେ ଥିବା ‘ତାପମାତ୍ରା ଓ ଏହାର ମାପ’ ଅଧ୍ୟାୟକୁ ମନେପକାଅ ।

କେଉଁ ବସ୍ତୁଗୁଡିକୁ ହାତୁଡିରେ ପିଟିବା ପରେ ପତଳା ବା ଚେପ୍‌ଟା ହୋଇଯିବାର ଦେଖିଲ ?

ତୁମେ ନିଶ୍ଚିତ ଦେଖୁଥିବ ଯେ ତମ୍ବା ଖଣ୍ଡ, ଆଲୁମିନିୟମ ଖଣ୍ଡ ଓ ଲୁହା କଣ୍ଟାକୁ ପିଟିବା ପରେ ସେଗୁଡିକ ଚେପ୍‌ଟା ହୋଇଗଲା । ଅନ୍ୟ ବସ୍ତୁଗୁଡିକର ଗୁଣ କିନ୍ତୁ ଭିନ୍ନ ଥିଲା । ପଦାର୍ଥର ଯେଉଁ ଗୁଣ ଯୋଗୁଁ ଏହାକୁ ପିଟି ଚେପ୍‌ଟା ବା ପତଳା ଚଦରରେ ପରିଣତ କରିହୁଏ ତାହାକୁ ନମନୀୟତା (Malleability) କୁହନ୍ତି । ଅଧିକାଂଶ ଧାତୁ ନମନୀୟତା ଗୁଣ ପ୍ରଦର୍ଶନକରନ୍ତି । ତୁମେ କିଛି ଧାତୁ ଚଦରର ଉଦାହରଣ ଦେଇପାରିବ କି ? କିଛି ମିଠା ଉପରେ ଚକ୍ ଚକ୍ କରୁଥିବା ରୁପାର ଅତି ପତଳା ଆବରଣ ଦିଆଯାଇଥିବା ଓ ଆଲୁମିନିୟମ ଜରିରେ ଖାଦ୍ୟ ପୁଡ଼ିଆ ହୋଇ ଆସୁଥିବା ଦେଖୁଥିବ । ରୁପା ଓ ଆଲୁମିନିୟମର ନମନୀୟତା ଧର୍ମ ପାଇଁ ଏସବୁ ସମ୍ଭବ ହେଉଛି । ସୁନା ଓ ରୁପା ହେଉଛନ୍ତି ସବୁଠାରୁ ଅଧିକ ନମନୀୟ ଧାତୁ ।

ଖଣ୍ଡିଏ କୋଇଲା କିମ୍ବା ଟିକିଏ ଗନ୍ଧକ ଏହି ନମନୀୟତା ଧର୍ମ ଦେଖାନ୍ତି ନାହିଁ । ସେମାନେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯା’ନ୍ତି । ଏମାନଙ୍କୁ ଭଙ୍ଗୁର (brittle) ପଦାର୍ଥ କୁହାଯାଏ । ଅନ୍ୟ ପକ୍ଷରେ କାଠ ଚେପ୍‌ଟା ଓ ପତଳା ହୁଏ ନାହିଁ କି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ ନାହିଁ । ତେଣୁ କାଠ ନମନୀୟ କିମ୍ବା ଭଙ୍ଗୁର ନୁହେଁ ।

ସାମଗ୍ରିକ ଦୃଷ୍ଟିକୋଣ (HOLISTIC LENS) ଭାରତ ସଭ୍ୟତାର ପ୍ରଗତି ଉପରେ ଲୁହାର ପ୍ରଭାବ

ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ସାମାଜିକ ବିଜ୍ଞାନ ଅଧ୍ୟୟନ: ଭାରତ ଓ ପୃଥିବୀ’ରେ, ତୁମେ ହରପ୍ପା ଅଧିବାସୀମାନଙ୍କ ବିଷୟରେ ଜାଣିଛ । ସେମାନେ ତମ୍ବା ଏବଂ ସୁନା ଭଳି ଧାତୁର ବ୍ୟବହାର କିପରି କରିହେବ ତାହା ଜାଣିଥିଲେ । ସେମାନେ ଏହି ଧାତୁଗୁଡ଼ିକୁ ବାସନକୁସନଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ତିଆରି କରିବାରେ ବ୍ୟବହାର କରୁଥିଲେ । ତଥାପି ହରପ୍ପାମାନେ ଏକ ପ୍ରମୁଖ ଧାତୁ ଲୁହା ବ୍ୟବହାର କରୁଥିବାର କୌଣସି ପ୍ରମାଣ ତୁମେ କ୍ଵଚିତ୍ ପାଇବ, ଯଦିଓ ତୁମେ ଏବେ ଲୁହାର ବହୁଳ ବ୍ୟବହାର ଦେଖୁଛ । କାରଣ ଦୈନନ୍ଦିନ କାର୍ଯ୍ୟକଳାପରେ ଲୁହା ବ୍ୟବହାର ହେବା ପାଇଁ ବହୁତ ସମୟ ଲାଗିଲା ।

ତଥାପି, ପରବର୍ତ୍ତୀ ସମୟରେ ଲୁହାର ବହୁଳ ବ୍ୟବହାର ହେବା ପରେ, ଭାରତରେ ସଭ୍ୟତାର ପ୍ରଗତିରେ ଏହାର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଥିଲା । ଉଦାହରଣ ସ୍ଵରୂପ ଲୁହା ଶକ୍ତ ହୋଇଥିବା ଯୋଗୁଁ, ଏଥରୁ ତିଆରି ହଳ ଭଳି କୃଷି ଉପକରଣ ପୂର୍ବରୁ ବ୍ୟବହୃତ ଉପକରଣ ଅପେକ୍ଷା ବହୁତ ଉନ୍ନତ ଥିଲା ।

ସାଧାରଣତଃ ଏହା ବିବେଚନା କରାଯାଏ ଯେ ଲୁହା ତୁଳନାରେ ତମ୍ବା ପୂର୍ବରୁ ଆବିଷ୍କୃତ ହୋଇଥିଲା । ଲୁହା ପୂର୍ବରୁ ତମ୍ବା ଆବିଷ୍କାର ହେବାର ସମ୍ଭାବ୍ୟ କାରଣ କ'ଣ ହୋଇପାରେ ?

୪.୧.୨- ତନ୍ୟତା (Ductility)

ତୁମେ ଧାତବ ତାରର ବ୍ୟବହାର କେଉଁଠି ଦେଖୁଛ ?

ବୈଦ୍ୟୁତିକ ଉପକରଣଗୁଡିକରେ ତମ୍ବା କିମ୍ବା ଆଲୁମିନିୟମ ତାର ବ୍ୟବହାର ହୋଇଥିବା ନିଶ୍ଚୟ ଦେଖୁଥିବ । ହାର, କାନଫୁଲ, ଭଳି ବିଭିନ୍ନ ଅଳଙ୍କାର ମଧ୍ୟ ଧାତବ ତାରରୁ ତିଆରି ହୋଇଥାଏ । ବୀଣା, ସିତାର, ଗୀଟାର, ଭାଓଲିନ ଆଦି ତାରଯୁକ୍ତ ବାଦ୍ୟ ଯନ୍ତ୍ରରେ ଧାତବ ତାର ହିଁ ସୁନ୍ଦର ଧ୍ୱନି ସୃଷ୍ଟିକରିଥାଏ । ଧାତୁକୁ ଟାଣି ତାର ପ୍ରସ୍ତୁତ କରାଯାଇପାରେ । ଧାତୁର ଏହି ଗୁଣକୁ ତନ୍ୟତା (Ductility) କହନ୍ତି । ମୁଖ୍ୟତଃ ଧାତୁଗୁଡିକରେ ଏହି ତନ୍ୟତା ଗୁଣ ରହିଥାଏ । ରୁପାର ଏହି ତନ୍ୟତା ଗୁଣକୁ ଆଧାର କରି ଆମ ରାଜ୍ୟର କଟକରେ ତାରକସି ଶିଳ୍ପ ଗଢ଼ି ଉଠିଛି ।

[ଚିତ୍ର ବର୍ଣ୍ଣନା: ଜଣେ ଝିଅ ବୁଝାଉଛି: (୧) ସୁନା ଏତେ ତନ୍ୟ ଯେ ୧ ଗ୍ରାମ୍ ସୁନାରୁ ପ୍ରାୟ ୨ କି.ମି. ଲମ୍ବା ତାର ପ୍ରସ୍ତୁତ କରିହେବ । (୨) ଧାତୁର ତନ୍ୟତା ଗୁଣ ଯୋଗୁଁ ଧାତବ ତାରରୁ ଚା’ ଛଣା ତିଆରି କରିହୁଏ ।]

ତୁମେ କେବେ କୋଇଲା କିମ୍ବା ଗନ୍ଧକରେ ପ୍ରସ୍ତୁତ ହୋଇଥିବା ତାର ଦେଖୁଛ କି ?

ନିଶ୍ଚିତ ଭାବେ ନା । ଆମେ କହିପାରିବା ଯେ, କୋଇଲା ଓ ଗନ୍ଧକ ତନ୍ୟ ନୁହନ୍ତି ।

ଅଧିକ ଜାଣିବା ଷ୍ଟିଲ ଏକ ମିଶ୍ର ଧାତୁ ଯାହା ଧାତୁ (ଲୁହା) ଓ ଅଧାତୁ (କାର୍ବନ) ର ମିଶ୍ରଣରେ ତିଆରି । ଷ୍ଟିଲରେ ତିଆରି ତାର ଖୁବ୍ ଶକ୍ତ ଓ ଭାରି ଜିନିଷକୁ ଧରି ରଖିପାରେ । ସେଥିପାଇଁ ଝୁଲା ପୋଲ ଓ ଟ୍ରେନରେ ଷ୍ଟିଲ୍ ତାର ବ୍ୟବହୃତ ହୋଇଥାଏ । ଏହିପରି ଏକ ଝୁଲା ପୋଲ କଟକର ଧବଳେଶ୍ଵରରେ ତୁମେ ଦେଖିବାକୁ ପାଇବ । (ଝୁଲା ପୋଲ)

[ଚିତ୍ର ବର୍ଣ୍ଣନା: କଟକ ଧବଳେଶ୍ୱରର ଏକ ଝୁଲା ପୋଲର ଚିତ୍ର, ଉପରେ ଜଣେ ସ୍କୁବା ଡାଇଭର ଭାସୁଥିବା ଚିତ୍ର ରହିଛି । ପାଖରେ ଜଣେ ଦୃଷ୍ଟିହୀନ ପିଲା କହୁଛି: "କାଠ ଓ ଧାତୁରେ ମୋର ବାଡ଼ି ବାଜିଲେ ସୃଷ୍ଟି ହେଉଥିବା ଧ୍ୱନିର ଭିନ୍ନତାରୁ ମୁଁ ମୋର ରାସ୍ତା ଜାଣିପାରେ ।"]

୪.୧.୩- ନିନାଦତା (Sonority)

ଧାତୁ ନିର୍ମିତ ଚାମଚ, ପ୍ଲେଟ କିମ୍ବା ମୁଦ୍ରାଟିଏ ଚଟାଣରେ ପଡ଼ିଗଲେ କିପରି ଶବ୍ଦ ସୃଷ୍ଟି ହୁଏ ଲକ୍ଷ୍ୟ କରିଛକି ? ଏହା ଖଣ୍ଡେ କୋଇଲା ବା କାଠ ଚଟାଣରେ ପଡି ସୃଷ୍ଟିକରୁଥିବା ଶବ୍ଦ ଠାରୁ ଭିନ୍ନ ନୁହେଁ କି ?

କାର୍ଯ୍ୟ ୪.୨ : ଆସ ଅନୁସନ୍ଧାନ କରିବା

ସତର୍କତା – ବସ୍ତୁଗୁଡିକୁ ଚଟାଣରେ ପକାଇବାବେଳେ ସାବଧାନତା ଅବଲମ୍ବନ କର ।

ଗୋଟିଏ ଧାତୁ ନିର୍ମିତ ଚାମଚ, ଏକ ମୁଦ୍ରା, ଖଣ୍ଡେ କୋଇଲା ଓ କାଠ ଖଣ୍ଡଟିଏ ସଂଗ୍ରହକର ।

ଏଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଚଟାଣ ଉପରକୁ ପକାଅ ।

ଏହି ବସ୍ତୁଗୁଡିକ ଦ୍ଵାରା ସୃଷ୍ଟି ହେଉଥିବା ଧ୍ୱନିରେ କିଛି ଭିନ୍ନତା ଲକ୍ଷ୍ୟ କରୁଛ କି ?

ତୁମେ ଦେଖିବ ଯେ, ଧାତବ ଚାମଚ ଓ ମୁଦ୍ରା ଚଟାଣରେ ପଡ଼ିବା ବେଳେ କିଛି ସମୟ ଧରି ଲାଗିରହୁଥିବା ଗମ୍ଭୀର ଗୁଞ୍ଜନ ଶବ୍ଦ ସୃଷ୍ଟି କରୁଥିବା ବେଳେ କୋଇଲା ଓ କାଠ ଖଣ୍ଡ ମାନ୍ଦା ଶବ୍ଦ ସୃଷ୍ଟି କରେ ।

ଧାତୁ ମାନଙ୍କର ଏହି ଗମ୍ଭୀର ଗୁଞ୍ଜନ ଧ୍ୱନି ସୃଷ୍ଟିକାରୀ ଗୁଣକୁ ନିନାଦତା କହନ୍ତି ଏବଂ ଧାତୁମାନେ ନିନାଦ୍ୟ ଅଟନ୍ତି ।

[ଚିତ୍ର ବର୍ଣ୍ଣନା: ନୃତ୍ୟ କରୁଥିବା ଜଣେ ପିଲା କହୁଛି: "ବାଃ, ମୋ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ମଧ୍ୟ ଧାତୁଗୁଡ଼ିକର ନିନାଦତା ଗୁଣ ଯୋଗୁ ହିଁ ସୃଷ୍ଟି ହେଉଛି ।" ଏବଂ ଅନ୍ୟ ଏକ ବାର୍ତ୍ତା: "ହଁ, ମୁଁ ଏବେ ବୁଝି ପାରୁଛି ଯେ, ବିଦ୍ୟାଳୟ ଘଣ୍ଟିରୁ ଟଂ ଟଂ ଶବ୍ଦ ଧାତୁର ନିନାଦତା ଗୁଣ ପାଇଁ ବାହାରୁଛି ।"]

୪.୧.୪ ତାପ ପରିବହନ

ରୋଷେଇ ଘରେ ରନ୍ଧନ ପାତ୍ରଗୁଡିକୁ ଦେଖୁଛ କି ? ତୁମେ ନିଶ୍ଚିତ ଲକ୍ଷ୍ୟ କରିଥିବ ଯେ, ଗରମକରିବା ପାଇଁ ବ୍ୟବହୃତ ପାତ୍ରଗୁଡିକ ଧାତୁରେ ତିଆରି ହୋଇଛି । ତୁମେ ଏପରି କିଛି ଧାତୁର ନାମ କହିପାରିବ କି, ଯେଉଁଥରେ ରନ୍ଧନ ପାତ୍ରସବୁ ତିଆରି ହୁଅନ୍ତି ?

ଧାତୁଗୁଡିକ ଏହି ଉଦ୍ଦେଶ୍ୟରେ କାହିଁକି ବ୍ୟବହୃତ ହୁଅନ୍ତି ତୁମେ ଜାଣିଛ କି ? ଆସ ଜାଣିବାକୁ ଚେଷ୍ଟା କରିବା ।

କାର୍ଯ୍ୟ ୪.୩ : ଆସ ଅନୁସନ୍ଧାନ କରିବା

ସତର୍କତା– ଶିକ୍ଷକ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟଟି କରାଯିବ । ଗରମ ଜଳ ବ୍ୟବହାର ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବ ।

୧. ଟେବୁଲ୍ ଉପରେ କାଚ ପାତ୍ରଟିଏ ରଖ । ୨. ଏଥିରେ ଗରମ ଜଳ ଭର୍ତ୍ତିକର । ୩. ସମାନ ଆକାର ଓ ମୋଟେଇର ଗୋଟିଏ ଧାତବ ଚାମଚ ଓ ଗୋଟିଏ କାଠ ଚାମଚ ନିଅ । ୪. ଉଭୟ ଚାମଚକୁ ଏକ ସଙ୍ଗେ ଗରମ ଜଳ ଥିବା ପାତ୍ରରେ ଦୁଇ ମିନିଟ ସ୍ଥିର ଭାବରେ ବୁଡାଇ ରଖ । (ଚିତ୍ର ୪.୩) ୫. ବର୍ତ୍ତମାନ ଚାମଚ ଦ୍ଵୟର ଉପର ମୁଣ୍ଡକୁ ସାବଧାନତା ସହ ସ୍ପର୍ଶକର ।

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୩ : ଗରମ ଜଳ ଭର୍ତ୍ତି କାଚ ଗ୍ଲାସରେ ଗୋଟିଏ ଧାତବ ଚାମଚ ଓ ଗୋଟିଏ କାଠ ଚାମଚ ବୁଡ଼ି ରହିଛି।]

କିଛି ଆଲୋଚନା :

  • କେଉଁ ଚାମଚଟି ଅଧିକ ଉତ୍ତପ୍ତ ହୁଏ ?
  • ଏହି ପରୀକ୍ଷାଟି ଚାମଚ ଦ୍ବୟରେ ତାପ ସ୍ଥାନାନ୍ତରଣ ସମ୍ବନ୍ଧରେ କ’ଣ ସୂଚନା ଦିଏ ?

ତୁମେ ହୁଏ ତ ଲକ୍ଷ୍ୟ କରିଥିବ ଯେ, ଧାତବ ଚାମଚଟି କାଠ ଚାମଚ ଅପେକ୍ଷା ହାତକୁ ଅଧିକ ଗରମ ଲାଗିଛି, ଯଦିଓ ଉଭୟ ଚାମଚକୁ ସମାନ ତାପମାତ୍ରାର ଜଳରେ ସମାନ ସମୟ ପାଇଁ ବୁଡାଇ ରଖାଯାଇଥିଲା । ଏହା ଦର୍ଶାଉଛି ଯେ ଧାତବ ପଦାର୍ଥରେ ତାପ ସ୍ଥାନାନ୍ତରିତହୁଏ । ତୁଳନାତ୍ମକ ଭାବେ ଧାତବ ଚାମଚ ଅପେକ୍ଷା କାଠ ଚାମଚରେ ତାପ ସ୍ଥାନାନ୍ତର ଅତ୍ୟନ୍ତ କ୍ଷୀଣ ଭାବରେ ହୋଇଥାଏ ।

ଏପରି ପରିସ୍ଥିତିରେ, ପଦାର୍ଥର ଗୋଟିଏ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ତାପର ସ୍ଥାନାନ୍ତରଣକୁ ତାପ ପରିବହନ କହନ୍ତି । ତାପ ପରିବହନ କରୁଥିବା ପଦାର୍ଥମାନଙ୍କୁ ତାପ ପରିବାହୀ କୁହାଯାଏ ।

ନିଜର ପର୍ଯ୍ୟବେକ୍ଷଣକୁ ଆଧାର କରି ତୁମେ କହିପାରିବ ଯେ, ଧାତୁଗୁଡିକ ତାପ ସୁପରିବାହୀ (good conductor) ହୋଇଥିବା ବେଳେ କାଠ ବା ଅଧାତୁ ତାପ କୁପରିବାହୀ (poor conductor) ଅଟନ୍ତି । ବର୍ତ୍ତମାନ ଆମେ ବୁଝି ପାରୁଥିବା ଯେ କାହିଁକି ରନ୍ଧନ ପାତ୍ରଗୁଡିକ ଧାତୁରେ ଏବଂ ସେଗୁଡ଼ିକର ବେଣ୍ଟ କାଠ ବା ଅନ୍ୟ ତାପ – ଅପରିବାହୀ (non-conductor) ପଦାର୍ଥରେ ତିଆରି ହୋଇଥାଏ । ‘ପ୍ରକୃତିରେ ତାପ ସ୍ଥାନାନ୍ତରଣ’ ଅଧ୍ୟାୟରେ ଏ ବିଷୟରେ ଆମେ ଅଧିକ ଜାଣିବା ।

୪.୧.୫ ବିଦ୍ୟୁତ ପରିବହନ (Conduction of Electricity)

ତୁମେ କେବେ ଜଣେ ବିଦ୍ୟୁତ୍ ମିସ୍ତ୍ରୀ (Electrician) ଙ୍କୁ ସ୍କ୍ରୁଡ୍ରାଇଭର ବ୍ୟବହାରକରିବା ଦେଖୁଛକି ? ଏହାର ବେଣ୍ଟଟି କେଉଁ ପ୍ରକାର ପଦାର୍ଥରେ ତିଆରି ହୋଇଛି ? ଆଉ ମଧ୍ୟ ତୁମେ ଲକ୍ଷ୍ୟ କରିଥିବ ଯେ, ମିସ୍ତ୍ରୀ ଜଣକ କାମ କରୁଥିବା ବେଳେ ରବର ଗ୍ଲୋଭସ ଓ ଜୋତା ପିନ୍ଧିଥିବେ । ଏହାର କାରଣ କ’ଣ ହୋଇପାରେ ?

କାର୍ଯ୍ୟ ୪.୪ : ଆସ ସଂରଚନା ଓ ପ୍ରସ୍ତୁତି କରିବା

ବିଦ୍ୟୁତ୍ ଅଧ୍ୟାୟରେ ଦିଆଯାଇଥିବା ଟେଷ୍ଟରର ପରିପଥ ପରି ଏକ ବିଦ୍ୟୁତ ପରିପଥ ଡିଜାଇନ କର । ନିମ୍ନ ତାଲିକାଭୁକ୍ତ ପଦାର୍ଥମାନଙ୍କୁ ନେଇ ସମାନ କାର୍ଯ୍ୟର ପୁନରାବୃତ୍ତି କର ଓ ତୁମର ପର୍ଯ୍ୟବେକ୍ଷଣଗୁଡିକୁ ସାରଣୀ ୪.୨ରେ ଲେଖ ।

୧. ତୁମେ କିଛି ଜିନିଷ ସଂଗ୍ରହ କରିପାର, ଯେପରିକି ଆଲୁମିନିୟମ ପାତ, ଗୋଟିଏ ଲୁହାକଣ୍ଟା, ମଟର ଦାନା ଆକାରର ଗନ୍ଧକଖଣ୍ଡ, ଏକ ତମ୍ବା ତାର, ଖଣ୍ଡେ କୋଇଲା, ଖଣ୍ଡେ ଶୁଖୁଲା କାଠ, ଖଣ୍ଡିଏ ପଥର, ଗୋଟିଏ ପେନ୍‌ସିଲ୍ ଦାଗ ଲିଭା ରବର (Eraser) ଏବଂ ଛୋଟ ନାଇଲନ ରଶି । ୨. ଏଗୁଡିକ ମଧ୍ୟରୁ କେଉଁଟି ଟେଷ୍ଟରର ବଲ୍‌ବକୁ ଜଳାଇବା ପାଇଁ ବ୍ୟବହାରହୋଇ ପାରିବ ଓ କେଉଁଟି ହୋଇପାରିବ ନାହିଁ ଅନୁମାନ କର ।

ସାରଣୀ ୪.୨ : ବିଭିନ୍ନ ବସ୍ତୁ ବା ସାମଗ୍ରୀ ଦ୍ୱାରା ବିଦ୍ୟୁତ ପରିବହନ

କ୍ରମିକ ସଂଖ୍ୟାବସ୍ତୁ / ସାମଗ୍ରୀପର୍ଯ୍ୟବେକ୍ଷଣ (ବଲ୍‌ବ ଜଳେ/ ଜଳେ ନାହିଁ)ବିଦ୍ୟୁତ୍ ସୁପରିବାହୀ କିମ୍ବା ବିଦ୍ୟୁତ୍‌ର କୁପରିବାହୀ
ଆଲୁମିନିୟମ୍ ପାତ
ଲୁହାକଣ୍ଟା
ଗନ୍ଧକ
[???]

ତୁମେ ନିଶ୍ଚିତ ଦେଖୁଥିବ ଯେ ଆଲୁମିନିୟମ୍, ଲୁହା ଓ ତମ୍ବା ତିଆରି ବସ୍ତୁଗୁଡିକ ବଲ୍‌ବକୁ ଜଳାଉଥିବା ବେଳେ ଗନ୍ଧକ, କୋଇଲା, କାଠ, ପଥର, ରବର ଓ ନାଇଲନ ରଶି ଏହା କରିପାରୁ ନାହିଁ । କାର୍ଯ୍ୟ – ୪.୪ ରେ ବିଭିନ୍ନ ସାମଗ୍ରୀ ବ୍ୟବହାର ସମୟରେ ବଲ୍‌ବଗୁଡିକର ଜଳିବାରୁ ତୁମେ କିଛି ତଥ୍ୟ ପାଉଛ କି ? ଏହା ଦେଖା ଗଲା ଯେ, ଯେଉଁ ପଦାର୍ଥ ଗୁଡିକ ବଲ୍‌ବକୁ ଜଳାଉଛନ୍ତି ସେ ସମସ୍ତ ଧାତୁ ଅଟନ୍ତି ।

ଯେଉଁ ପଦାର୍ଥଗୁଡିକ ସେମାନଙ୍କ ମଧ୍ୟ ଦେଇ ସହଜରେ ବିଦ୍ୟୁତ୍ ପରିବହନ କରାଇଥାନ୍ତି ସେମାନଙ୍କୁ ବିଦ୍ୟୁତ୍ ସୁପରିବାହୀ କହନ୍ତି । ବିପରୀତ କଥାରେ, ଯେଉଁ ପଦାର୍ଥସବୁ ସେମାନଙ୍କ ମଧ୍ୟ ଦେଇ ବିଦ୍ୟୁତ ପ୍ରବାହକୁ ପ୍ରତିରୋଧ କରନ୍ତି ସେମାନଙ୍କୁ ବିଦ୍ୟୁତ୍‌ର କୁପରିବାହୀ କୁହାଯାଏ ।

ତେଣୁ, ବର୍ତ୍ତମାନ ଆମେ ଏହା ବୁଝି ପାରୁଥିବା ଯେ ସ୍କ୍ରୁଡ୍ରାଇଭରର ପ୍ଲାଷ୍ଟିକ୍ ଆବରଣ ଓ ରବର ଗ୍ଲୋଭ୍ସ ବିଦ୍ୟୁତ୍‌ର କୁପରିବାହୀ ହୋଇଥିବାରୁ ଇଲେକ୍ଟ୍ରିସିଆନମାନଙ୍କୁ ବିଦ୍ୟୁତ୍ ଆଘାତରୁ ରକ୍ଷା କରେ ।

ଆମେ ଶିଖିଲୁ ଯେ ଧାତୁଗୁଡିକ ସାଧାରଣତଃ ଶକ୍ତ ବା ଟାଣ, ଉଜ୍ଜ୍ବଳ, ନମନୀୟ, ତନ୍ୟ ଏବଂ ତାପ ଓ ବିଦ୍ୟୁତ୍ ସୁପରିବାହୀ । ଏବେ ଆସ ଜାଣିବା ଧାତୁ ଗୁଡ଼ିକ ବାୟୁ ଓ ଜଳର ଉପସ୍ଥିତିରେ କିପରି ଆଚରଣ କରନ୍ତି ।

୪.୨ ଧାତୁ ଗୁଡ଼ିକ ଉପରେ ବାୟୁ ଓ ଜଳର ପ୍ରଭାବ : ଲୁହା

ଅନେକ ସମୟରେ ତୁମେ ଲକ୍ଷ୍ୟ କରିଥିବ ଯେ, ଲୁହାରେ ତିଆରି ବସ୍ତୁଗୁଡିକ କିଛି ଦିନ ଖୋଲା ସ୍ଥାନରେ ପଡ଼ିରହିଲେ ସେଗୁଡିକ ଉପରେ ବାଦାମୀ ରଙ୍ଗର ପଦାର୍ଥ ସବୁ ଜମିଯାଏ । କେଉଁ ପରିସ୍ଥିତିରେ ଲୁହା ଉପରେ ଏପରି ଧୂସର ପଦାର୍ଥ ସୃଷ୍ଟି ହୁଏ ? ୧. ଯେତେବେଳେ ଏହା କେବଳ ଶୁଷ୍କ ବାୟୁ ସଂସ୍ପର୍ଶରେ ଆସେ ? ୨. ଯେତେବେଳେ ଏହା କେବଳ ଜଳ ସଂସ୍ପର୍ଶରେ ଆସେ ? ୩. ଯେତେବେଳେ ଏହା ଉଭୟ ବାୟୁ ଓ ଜଳ ସଂସ୍ପର୍ଶରେ ଆସେ ?

ସାରଣୀ ୪.୩ : ଲୁହାକଣ୍ଟା ଉପରେ ଧୂସର ରଙ୍ଗର ପଦାର୍ଥ ସୃଷ୍ଟି ହେବା

କାଚ ବୋତଲପରିସ୍ଥିତିପର୍ଯ୍ୟବେକ୍ଷଣ
ଜଳର ଅନୁପସ୍ଥିତି (ନା)ବାୟୁର ଉପସ୍ଥିତି (ହଁ)
ଜଳର ଉପସ୍ଥିତି (ହଁ)ବାୟୁର ଅନୁପସ୍ଥିତି (ନା)
ଜଳର ଉପସ୍ଥିତି (ହଁ)ବାୟୁର ଉପସ୍ଥିତି (ହଁ)

କାର୍ଯ୍ୟ ୪.୫ : ଆସ ପରୀକ୍ଷା କରିବା

ସତର୍କତା – ଲୁହାକଣ୍ଟା ବ୍ୟବହାର ସମୟରେ ସତର୍କ ରୁହ ।

୧. ଚକ୍ ଚକ୍ କରୁଥିବା କିଛି ଲୁହା କଣ୍ଟା ନିଅ । ଯଦି ତୁମେ ପୁରୁଣା ଲୁହା କଣ୍ଟା ବ୍ୟବହାର କରୁଛ ତେବେ ଏହା ଉପରେ ଥିବା ବାଦାମୀ ଆବରଣକୁ ଖଣ୍ଡେ ବାଲି କାଗଜରେ ଘଷି ସଫା କରିଦିଅ । ୨. ତିନୋଟି ସଫା ଓ ଶୁଖୁଲା କାଚ ବୋତଲ କିମ୍ବା ପରୀକ୍ଷା ନଳୀ (Test tubes) ନିଅ । ସେଗୁଡ଼ିକର ମୁହଁକୁ ଭଲଭାବରେ ବନ୍ଦ କରିବାପାଇଁ ଉପଯୁକ୍ତ ଠିପି କିମ୍ବା କର୍କ ନିଅ । କାଚ ବୋତଲ କିମ୍ବା ପରୀକ୍ଷା ନଳୀଗୁଡିକରେ କ, ଖ ଓ ଗ ଚିହ୍ନ ଲଗାଅ । ୩. ତିନୋଟି ଲୁହାକଣ୍ଟା ନେଇ ପ୍ରତ୍ୟେକକୁ ସୂତା ଦ୍ୱାରା ବାନ୍ଧିଦିଅ । ୪. ଗୋଟିଏ ଲୁହାକଣ୍ଟା ଓ କିଛି ସିଲିକା ଜେଲ୍ ‘କ’ ଚିହ୍ନିତ କାଚ ବୋତଲରେ ରଖି ଠିପିକୁ ଦୃଢ ଭାବରେ ବନ୍ଦ କରିଦିଅ (ଚିତ୍ର : ୪.୪ କ) । ସିଲିକା ଜେଲ୍ ବାୟୁକୁ ଶୁଷ୍କ କରିଦିଏ । କେତେକ ଔଷଧ ବୋତଲ, ପାଣିବୋତଲ, ଜୋତାଡବା ଇତ୍ୟାଦିକୁ ଶୁଷ୍କ ରଖିବା ପାଇଁ ସେଥିରେ ଏହି ସିଲିକା ଜେଲ୍ ର ଛୋଟ ପାଉଚ ବ୍ୟବହାର କରାଯାଇଥାଏ । ୫. ଗୋଟିଏ ଲୁହାକଣ୍ଟା ‘ଖ’ ଚିହ୍ନିତ ବୋତଲରେ ରଖି ଏଥିରେ ସଦ୍ୟ ଫୁଟାଯାଇ ଥଣ୍ଡା କରାଯାଇଥିବା ଜଳ ଭର୍ତ୍ତି କର ଯେପରିକି କଣ୍ଟାଟି ଜଳରେ ସମ୍ପୂର୍ଣ୍ଣ ବୁଡ଼ି ରହିବ । (ଫୁଟାଇବା ଦ୍ୱାରା ଜଳରୁ ଦ୍ରବୀଭୂତ ଗ୍ୟାସ ବାହାରି ଯାଏ) । ବର୍ତ୍ତମାନ ଏଥିରେ ଯେକୌଣସି ତେଲରୁ କିଛି ପକାଅ । ଏହା ଦ୍ଵାରା ଜଳ ପୃଷ୍ଠ ଉପରେ ତେଲର ଏକ ସ୍ତର ରହି ଜଳ ମଧ୍ୟକୁ ବାୟୁର ପ୍ରବେଶକୁ ପ୍ରତିହତକରିବ । ବୋତଲଟିକୁ ଠିପି ଦେଇ ଦୃଢ ଭାବରେ ବନ୍ଦକରିଦିଅ । (ଚିତ୍ର ୪.୪ ଖ) ୬. ଆଉ ଗୋଟିଏ ଲୁହାକଣ୍ଟା ‘ଗ’ ଚିହ୍ନିତ ବୋତଲରେ ରଖି ସେଥିରେ ଜଳ ଭର୍ତ୍ତିକର ଯେପରିକି କଣ୍ଟାଟି ଜଳରେ ଆଂଶିକ ବୁଡ଼ିରହିବ । ଏହାକୁ ଠିପି ନଦେଇ ଖୋଲା ରଖିଦିଅ, ଯାହାଦ୍ଵାରା ଲୁହାକଣ୍ଟାଟି ଉଭୟ ବାୟୁ ଓ ଜଳ ସଂସ୍ପର୍ଶରେ ଆସିପାରିବ । (ଚିତ୍ର ୪.୪ ଗ) । ୭. କାଚ ବୋତଲଗୁଡିକୁ ସାଧାରଣ ତାପମାତ୍ରାରେ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ସ୍ଥିର ଭାବରେ ରଖିଦିଅ ଓ କ’ଣ ସବୁ ପରିବର୍ତ୍ତନ ହେଉଛି ପର୍ଯ୍ୟବେକ୍ଷଣ କର । ୮. ତୁମର ପର୍ଯ୍ୟବେକ୍ଷଣକୁ ସାରଣୀ ୪.୩ ରେ ଲେଖ ।

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୪ : ଲୁହା କଣ୍ଟା ରଖାଯାଇଥିବା ତିନୋଟି ଗ୍ଲାସ୍ ବୋତଲ— ‘କ’ ରେ ସିଲିକାଜେଲ୍ ଓ ଶୁଷ୍କ ବାୟୁରେ ଝୁଲୁଥିବା ଲୁହାକଣ୍ଟା; ‘ଖ’ ରେ ଉପରେ ତେଲ ସ୍ତର ଥିବା ଫୁଟା ଜଳରେ ବୁଡ଼ିଥିବା ଲୁହାକଣ୍ଟା; ‘ଗ’ ରେ ଖୋଲା ମୁହଁ ଥିବା ବୋତଲରେ ଆଂଶିକ ବୁଡ଼ିଥିବା ଲୁହାକଣ୍ଟା ।]

ଏହି ପରୀକ୍ଷାରୁ ତୁମେ କ’ଣ ନିଷ୍ପତ୍ତି ନେଇପାରିବ ?

ଏହି ପରୀକ୍ଷାରୁ ଜଣାଗଲା ଯେ, କାଚ ବୋତଲ ‘କ’ ଓ ‘ଖ’ ରେ ଥିବା ଲୁହାକଣ୍ଟା ଉପରେ କୌଣସି ବାଦାମି ରଙ୍ଗର ପଦାର୍ଥ ଜମି ନାହିଁ । ଏହା କି ସୂଚନା ଦେଉଛି ? ଏହା ସୂଚିତ କରେ ଯେ ଲୁହାକଣ୍ଟାକୁ କେବଳ ଶୁଖୁଲା ବାୟୁ (ବୋତଲ ‘କ’) କିମ୍ବା କେବଳ ପାଣି (ବୋତଲ ‘ଖ’) ରେ ରଖିଲେ ଏହା ଉପରେ ବାଦାମି ରଙ୍ଗର ପଦାର୍ଥ ଜମା ହୁଏ ନାହିଁ କିମ୍ବା ବିବର୍ଣ୍ଣୀକରଣ ହୁଏ ନାହିଁ । ଅନ୍ୟ ପକ୍ଷରେ ବୋତଲ ‘ଗ’ ରେ ଥିବା ଲୁହାକଣ୍ଟା ଉପରେ ଧୂସର ରଙ୍ଗର ପଦାର୍ଥ ସୃଷ୍ଟି ହେବା ପାଇଁ ଉଭୟ ବାୟୁ ଓ ଜଳ ଆବଶ୍ୟକ । ଏଣୁ ଲୁହା ତିଆରି ବସ୍ତୁମାନଙ୍କ ଉପରେ ଧୂସର ରଙ୍ଗର ପଦାର୍ଥ ଜମିବା ପାଇଁ ଆର୍ଦ୍ର ବାୟୁ ଦାୟୀ । ଜମିଥିବା ଏହି ଧୂସର ପଦାର୍ଥକୁ କଳଙ୍କି କହନ୍ତି । ଲୁହାରେ ତିଆରି ବସ୍ତୁ ଉପରେ କଳଙ୍କି ସୃଷ୍ଟି ହେବା ପ୍ରକ୍ରିୟାକୁ କଳଙ୍କି ଧରିବା କୁହାଯାଏ ।

ବାୟୁମଣ୍ଡଳରେ ଖୋଲା ରହିଥିବା ଅନ୍ୟ ଧାତୁଗୁଡିକୁ ମଧ୍ୟ ଏପରି ରଙ୍ଗହୀନ ହେବା ବା ରଙ୍ଗବିକୃତ ହେବାର ଦେଖାଯା’ନ୍ତି । ତୁମେ କେବେ ତମ୍ବା ବସ୍ତୁ ଉପରେ ସବୁଜ ରଙ୍ଗର ଆସ୍ତରଣ କିମ୍ବା ରୁପା ବସ୍ତୁ ଉପରେ କଳା ରଙ୍ଗର ଆସ୍ତରଣ ଥିବା ଦେଖୁଛ କି ? ବାୟୁ, ଜଳ କିମ୍ବା ଅନ୍ୟ କୌଣସି ପଦାର୍ଥ ଯୋଗୁଁ ଧାତୁ ପୃଷ୍ଠର ହେଉଥିବା ମୃଦୁ କ୍ଷୟକୁ ସଂକ୍ଷାରଣ (corrosion) କହନ୍ତି ।

ଲୁହା କଳଙ୍କି ଧରିବା ଆମ ଦେଶରେ ଏକ ଗମ୍ଭୀର ସମସ୍ୟା ବୋଲି ତୁମେ ଜାଣିଛ କି ? ପ୍ରତି ବର୍ଷ କଳଙ୍କି ଲାଗି ନଷ୍ଟ ହେଉଥିବା ଲୌହ ନିର୍ମିତ ଜିନିଷଗୁଡିକୁ ବଦଳାଇବା ବା ସେଗୁଡ଼ିକର ମରାମତି ନିମନ୍ତେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରାଯାଏ ।

ଲୁହାର କଳଙ୍କିଧରିବା ପ୍ରକ୍ରିୟାକୁ ବିଭିନ୍ନ ଉପାୟରେ ପ୍ରତିରୋଧ କରାଯାଇ ପାରିବ । ରଙ୍ଗକରିବା, ତେଲ ଲଗାଇବା, ଗ୍ରୀସ୍‌କରିବା ଏବଂ ଲୁହା ଉପରେ ଦସ୍ତା ଧାତୁର ଏକ ସୁରକ୍ଷା ସ୍ତର ଲଗାଇବା (Galvanisation) ଭଳି ଅନେକ ପଦ୍ଧତି ଦ୍ୱାରା ଲୁହାର କଳଙ୍କିକୁ ରୋକାଯାଇପାରିବ । ଆମେ ଏ ବିଷୟରେ ଉଚ୍ଚ ଶ୍ରେଣୀରେ ଶିଖିବା ।

ଚିତ୍ତାକର୍ଷକ ତଥ୍ୟ ପ୍ରାଚୀନ ଭାରତୀୟ ଧାତୁ ବିଜ୍ଞାନର ଚମତ୍କାରିତା !

ଦିଲ୍ଲୀରେ ଥିବା ଲୌହ ସ୍ତମ୍ଭଟି ୧୬୦୦ ବର୍ଷରୁ ଅଧିକ ସମୟ ପୂର୍ବେ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ନିର୍ମିତ ହୋଇଥିଲା । ଏହାର ଉଚ୍ଚତା ପ୍ରାୟ ୮ ମିଟର ଏବଂ ଓଜନ ୬୦୦୦ କିଲୋଗ୍ରାମରୁ ଅଧିକ । ଏହି ସ୍ତମ୍ଭ ସମ୍ବନ୍ଧରେ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଦୀର୍ଘ ବର୍ଷ ଧରି ପବନ, ବର୍ଷା ଓ ପ୍ରତିକୂଳ ପାଗର ସମ୍ମୁଖୀନ ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ଏହି ସ୍ତମ୍ଭରେ ପ୍ରାୟ କୌଣସି କଳଙ୍କି ନାହିଁ । ଅନ୍ୟ କଥାରେ କହିବାକୁ ଗଲେ ଏହା ଏକ କଳଙ୍କି ପ୍ରତିରୋଧ ଉପାୟରେ ତିଆରିହୋଇଛି । ଏହା ଆମକୁ ଭାରତରେ ବିକଶିତ ଧାତୁ ପ୍ରଯୁକ୍ତି ବିଦ୍ୟାର ଦକ୍ଷତା ଓ ଚମତ୍କାରିତା କଥା କୁହେ । (ଲୌହ ସ୍ତମ୍ଭ, ଦିଲ୍ଲୀ)

୪.୩ ଅନ୍ୟ ଧାତୁଗୁଡ଼ିକ ଉପରେ ବାୟୁ ଓ ଜଳର ପ୍ରଭାବ

କାର୍ଯ୍ୟ ୪.୬ : ଆସ ଅନୁସନ୍ଧାନ କରିବା (ପ୍ରଦର୍ଶନ କାର୍ଯ୍ୟ)

ଶିକ୍ଷକ ଏହି ପ୍ରଦର୍ଶନ କାର୍ଯ୍ୟ କରିପାରିବେ ।

ସତର୍କତା – ଶିକ୍ଷାର୍ଥୀମାନେ ସୁରକ୍ଷା ଚଷମା ପିନ୍ଧିବେ ଏବଂ ନିରାପଦ ଦୂରତାରେ ରହିବେ ।

୧. ୩-୪ ସେ.ମି. ଲମ୍ବର ଖଣ୍ଡିଏ ମ୍ୟାଗ୍ନେସିୟମ ଫିତା ନେଇ ଏହାକୁ ବାଲି କାଗଜରେ ଘଷି ସଫାକର । ୨. ଚିମୁଟାରେ ଫିତାର ଗୋଟିଏ ମୁଣ୍ଡକୁ ଧରି ଅନ୍ୟ ମୁଣ୍ଡଟିକୁ ସ୍ପିରିଟ୍ ବତୀ କିମ୍ବା ମହମବତୀ ସାହାଯ୍ୟରେ ଜଳାଅ । (ଚିତ୍ର ୪.୫) ୩. ମ୍ୟାଗ୍ନେସିୟମ ଫିତାଟିକୁ ଜଳିବାକୁ ଦିଅ । ୪. ତୁମେ କ'ଣ ଦେଖୁଛ ? ୫. ତୁମେ ନିଶ୍ଚୟ ଦେଖୁଥିବ ଯେ, ମ୍ୟାଗ୍ନେସିୟମ ଫିତାଟି ଉଜ୍ଜ୍ଵଳ ଧଳା ଶିଖା ସହ ଜଳି ଧଳା ରଙ୍ଗର ଚୂର୍ଣ୍ଣକୁ ପରିବର୍ତ୍ତିତ ହୋଇଛି । ଏହି ଚୂର୍ଣ୍ଣକୁ ଗୋଟିଏ ନିରୀକ୍ଷଣ କାଚରେ ସଂଗ୍ରହକର । ଏହା ମ୍ୟାଗ୍ନେସିୟମ ଅକ୍‌ସାଇଡ୍ ସୃଷ୍ଟିହୋଇଛି । ବାୟୁରେ ଥିବା ଅମ୍ଳଜାନ ସହ ମ୍ୟାଗ୍ନେସିଅମ୍‌ର ପ୍ରତିକ୍ରିୟା ଫଳରେ ଏହା ସୃଷ୍ଟି ହୋଇଥାଏ । ୬. ଏହି ଚୂର୍ଣ୍ଣରେ ଦୁଇ ଚାରି ଟୋପା ଉଷ୍ମ ଜଳ ମିଶାଇ ଭଲ ଭାବରେ ଘାଣ୍ଟିଦିଅ ଓ ଏହାର ପ୍ରକୃତି ଯାଞ୍ଚକର । ୭. “ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ” ଅଧ୍ୟାୟଟିକୁ ମନେପକାଅ । ମ୍ୟାଗ୍ନେସିୟମ ଅକ୍‌ସାଇଡ୍ ଦ୍ରବଣଟି ଅମ୍ଳୀୟ, କ୍ଷାରୀୟ ଅଥବା ନିରପେକ୍ଷ ତାହା ଯାଞ୍ଚ କର । ଏଥିପାଇଁ ତୁମେ ଯେକୌଣସି ଅମ୍ଳ-କ୍ଷାରକ ସୂଚକ ବ୍ୟବହାର କରିପାରିବ ।

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୫: ଚିମୁଟା ସାହାଯ୍ୟରେ ଧରି ସ୍ପିରିଟ୍ ବତୀରେ ମ୍ୟାଗ୍ନେସିୟମ୍ ରିବନର ଦହନ କରାଯାଉଛି।]

ତୁମେ ଦେଖିବ ଯେ ଏହା ଲାଲ ଲିଟ୍‌ମସ କାଗଜର ରଙ୍ଗକୁ ନୀଳକୁ ପରିବର୍ତ୍ତନ କରିଦେଉଛି । ତେଣୁ ଏହାର ପ୍ରକୃତି କ୍ଷାରୀୟ । ସାଧାରଣତଃ ଧାତୁମାନଙ୍କ ଅକ୍‌ସାଇଡ୍‌ଗୁଡ଼ିକ କ୍ଷାରୀୟ ପ୍ରକୃତି ବିଶିଷ୍ଟ ଅଟନ୍ତି । ମ୍ୟାଗ୍ନେସିୟମ ରିବନର ଏହି ଜ୍ଵଳନ ସମ୍ବନ୍ଧୀୟ ଅଧିକ ଆଲୋଚନା ଆମେ ପରବର୍ତ୍ତୀ ଅଧ୍ୟାୟ “ଆମ ଚତୁଃପାର୍ଶ୍ଵରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ” ରେ ଆଲୋଚନା କରିବା ।

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୬: ୱାଚ୍ ଗ୍ଲାସ୍ ଉପରେ ନାଲି ଲିଟମସ୍ କାଗଜ ଓ ନୀଳ ଲିଟମସ୍ କାଗଜ ରଖି ମ୍ୟାଗ୍ନେସିୟମ୍ ଅକ୍‌ସାଇଡ଼ର ପ୍ରକୃତି ପରୀକ୍ଷା କରାଯାଉଛି।]

ତୁମେ ଜାଣିଛ କି ସୋଡିୟମ୍ ଏକ ଧାତୁ ଯାହାକୁ କିରୋସିନ୍‌ରେ ବୁଡାଇ ରଖାଯାଏ । କାରଣ ଏହା ଅମ୍ଳଜାନ ଓ ଜଳ ସହ ଦ୍ରୁତ ପ୍ରତିକ୍ରିୟା କରି ପ୍ରଚୁର ପରିମାଣରେ ତାପ ଉତ୍ପନ୍ନ କରେ । କିରୋସିନରେ ବୁଡାଇ ରଖିବା ଦ୍ଵାରା ସୋଡିୟମ୍ ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସିପାରେ ନାହିଁ । ତୁମେ ଏହାର ଅକ୍‌ସାଇଡ୍‌ର ପ୍ରକୃତି ସମ୍ବନ୍ଧରେ ପୂର୍ବାନୁମାନ କରିପାରିବ କି ?

ଏବେ ଆସ ଆଉ କିଛି ପଦାର୍ଥମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁଗୁଡିକ ଧାତୁ ପରି ଆଚରଣ କରନ୍ତି ନାହିଁ ।

୪.୪- ବାୟୁ ଓ ଜଳରେ ଧାତୁଠାରୁ ଭିନ୍ନ ଭାବରେ ଆଚରଣ କରୁଥିବା ପଦାର୍ଥ

କାର୍ଯ୍ୟ ୪.୭ : ଆସ ପରୀକ୍ଷା କରିବା (ପ୍ରଦର୍ଶନ କାର୍ଯ୍ୟ)

ଶିକ୍ଷକ ଏହି ପ୍ରଦର୍ଶନ କାର୍ଯ୍ୟ କରିପାରିବେ ।

ସତର୍କତା – ଏହି ପ୍ରଦର୍ଶନ କାର୍ଯ୍ୟ ଏକ ଫ୍ଲୁମ୍‌ହୁଡ଼୍ ବା ଉତ୍ତମ ରୂପେ ବାୟୁ ଚଳାଚଳ କରୁଥିବା ଅଞ୍ଚଳରେ କରାଯିବା ଉଚିତ୍ । ଜଳୁଥିବା ଗନ୍ଧକ ଉତ୍ପନ୍ନ କରୁଥିବା ଧୂଆଁକୁ ପ୍ରଶ୍ଵାସରେ ଗ୍ରହଣ କରିବା କ୍ଷତିକାରକ ହେବ ।

୧. ଗୋଟିଏ ପ୍ରଜ୍ଵଳନ ଚାମଚରେ (ଏକ ଲମ୍ବା ବେଣ୍ଟବାଲା ଧାତବ ଚାମଚ ଯେଉଁଥିରେ ପଦାର୍ଥମାନଙ୍କୁ ନିରାପଦରେ ଉତ୍ତପ୍ତ କରିବା ବା ଜଳାଇବା କାର୍ଯ୍ୟ କରିହୁଏ) ଅଳ୍ପ ଗନ୍ଧକ ଗୁଣ୍ଡ ନିଅ (ଚିତ୍ର : ୪.୭ କ) । ଯଦି ପ୍ରଜ୍ବଳନ ଚାମଚଟିଏ ଉପଲବ୍ଧ ନ ହୁଏ ତେବେ କୌଣସି ଏକ ବୋତଲର ଧାତବ ଠିପି ଚାରିପଟେ ଧାତବ ତାର ଗୁଡାଇ ତାହାକୁ ଚାମଚ ଆକାରରେ ବ୍ୟବହାର କରିପାରିବ । (ଚିତ୍ର ୪.୭ (ଖ)) ୨. ଏହାକୁ ଏକ ଶିଖାରେ ଗରମକର ଏବଂ ଗନ୍ଧକ ଜଳିବାକୁ ଆରମ୍ଭ କରିବା ମାତ୍ରେ ସଙ୍ଗେ ସଙ୍ଗେ ପ୍ରଜ୍ଵଳନ ଚାମଚଟିକୁ ଏକ ଗ୍ୟାସ୍‌ ଜାର ବା ଗ୍ୟାସ୍‌ ପାତ୍ରରେ ରଖି ଠିକ ଭାବରେ ଢାଙ୍କିଦିଅ ଯେପରି ଉତ୍ପନ୍ନ ଗ୍ୟାସ୍ ବାହାରକୁ ଆସିପାରିବ ନାହିଁ । (ଚିତ୍ର ୪.୭ (ଗ)) ୩. ୩-୪ ମିନିଟ ପରେ ଢାଙ୍କୁଣୀ କାଢି ପ୍ରଜ୍ବଳନ ଚାମଚ ବାହାରକୁ ଆଣ, ଜାରରେ ଅଳ୍ପ ପାଣି ମିଶାଅ ଓ ସଙ୍ଗେ ସଙ୍ଗେ ପୂର୍ବ ପରି ଘୋଡାଇ ଦେଇ ଗ୍ୟାସ୍ ଜାରକୁ ଭଲ ଭାବରେ ହଲାଇଦିଅ ଯେପରି ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇଯିବ । ୪. ପୁଣିଥରେ “ପଦାର୍ଥର ଅନୁସନ୍ଧାନ ଅମ୍ଳୀୟ, କ୍ଷାରୀୟ ଓ ନିରପେକ୍ଷ” ଅଧ୍ୟାୟକୁ ମନେପକାଅ । ଏକ ଅମ୍ଳ – କ୍ଷାର ସୂଚକ ସାହାଯ୍ୟରେ ଗ୍ୟାସ୍ ଜାରରେ ଥିବା ଦ୍ରବଣଟି ଆମ୍ଳୀୟ, କ୍ଷାରୀୟ କି ନିରପେକ୍ଷ ତାହା ପରୀକ୍ଷା କର । ୫. ତୁମେ କ'ଣ ଲକ୍ଷ୍ୟ କରୁଛ ?

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୭ (କ): ପ୍ରଜ୍ଜ୍ଵଳନ ଚାମଚ; ଚିତ୍ର ୪.୭ (ଖ): ତତ୍‌କ୍ଷଣିକ ପ୍ରଜ୍ଜ୍ଵଳନ ଚାମଚ; ଚିତ୍ର ୪.୭ (ଗ): ଗ୍ୟାସ୍ ଜାର୍ ଭିତରେ ସଲଫର ଜଳାଇବା ।]

ଏହା ନିଶ୍ଚିତ ଭାବରେ ଅମ୍ଳୀୟ ପ୍ରକୃତିର ଅଟେ । (ଚିତ୍ର ୪.୭ ଘ)

ସଲଫର (ଗନ୍ଧକ) ବାୟୁ (ଅମ୍ଳଜାନ)ରେ ଜାଳିଲେ ସଲଫର ଡାଇଅକ୍‌ସାଇଡ୍ ଗ୍ୟାସ୍ ସୃଷ୍ଟି ହୁଏ । ସଲଫର ଡାଇଅକ୍‌ସାଇଡ୍ ଗ୍ୟାସ୍ ଜଳରେ ଦ୍ରବୀଭୂତ ହେଲେ ସଲଫରସ ଏସିଡ ସୃଷ୍ଟି ହୁଏ ।

ସଲଫର ବା ଗନ୍ଧକ ଧାତୁମାନଙ୍କ ପରି ଜଳରେ ସମାନ ଆଚରଣ କରେ କି ?

କାର୍ଯ୍ୟ : ୪.୮ : ଆସ ଅନୁସନ୍ଧାନ କରିବା

  • ଏକ କାଚ ପାତ୍ରରେ କିଛି ସଲଫର ଚୂର୍ଣ୍ଣ ନିଅ ।
  • ଏଥିରେ ଅଳ୍ପ ଜଳ ମିଶାଅ ।
  • ତୁମେ କ'ଣ ଲକ୍ଷ୍ୟ କରୁଛ ?

[ଚିତ୍ର ବର୍ଣ୍ଣନା: ଚିତ୍ର ୪.୭ (ଘ): ୱାଚ୍ ଗ୍ଲାସ୍ ରେ ଥିବା ଦ୍ରବଣକୁ ନୀଳ ଓ ନାଲି ଲିଟମସ କାଗଜ ସାହାଯ୍ୟରେ ପରୀକ୍ଷା କରାଯାଉଛି, ଯେଉଁଥିରେ ନୀଳ ଲିଟମସ୍ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଛି ।]

ତୁମେ ଲକ୍ଷ୍ୟ କରୁଥିବ ଯେ, ସଲଫର୍ ଜଳସହ କୌଣସି ପ୍ରତିକ୍ରିୟା କରୁନାହିଁ । ସଲଫର୍‌ ଓ ଫସ୍‌ଫରସ୍ ପରି ପଦାର୍ଥଗୁଡିକ ବାୟୁ ଓ ଜଳରେ ଧାତୁମାନଙ୍କ ଠାରୁ ଭିନ୍ନ ଆଚରଣ ପ୍ରଦର୍ଶନ କରନ୍ତି । ଫସ୍‌ଫରସ୍‌କୁ ଜଳରେ ସଂରକ୍ଷିତ କରାଯାଏ, କାରଣ ଏହା ବାୟୁମଣ୍ଡଳୀୟ ଅମ୍ଳଜାନ ସଂସ୍ପର୍ଶରେ ଆସିଲେ ଏଥିରେ ନିଆଁ ଲାଗିଯାଏ ।

ଏହି ପଦାର୍ଥଗୁଡିକ ସାଧାରଣତଃ ନରମ ଓ ଦେଖିବାକୁ ଫିକା । ସେମାନେ ନମନୀୟ, ତନ୍ୟ କିମ୍ବା ନିନାଦ୍ୟ ନୁହନ୍ତି । ଆଉ ମଧ୍ୟ ସେମାନେ ତାପ ଓ ବିଦ୍ୟୁତର କୁପରିବାହୀ । ଏଗୁଡ଼ିକୁ ଅଧାତୁ (Non-metals) କହନ୍ତି । ଅଧାତୁ ମାନଙ୍କ ଅକ୍‌ସାଇଡ୍ ଅମ୍ଳୀୟ ପ୍ରକୃତି ବିଶିଷ୍ଟ । ଅନ୍ୟ କେତେକ ଅଧାତୁ ଯେପରି ଅମ୍ଳଜାନ (Oxygen), ଉଦଜାନ (Hydrogen), ଯବକ୍ଷାରଜାନ (Nitrogen), ଅଙ୍ଗାରକ (Carbon) ଇତ୍ୟାଦିକୁ ପ୍ଲାଷ୍ଟିକ, କାଚ, କାଠ, ରବର ଓ କାଗଜ ଭଳି ସାମଗ୍ରୀ ସହ ତୁଳନା କରିବା ଉଚିତ୍ ନୁହେଁ । ଏହି ସାମଗ୍ରୀଗୁଡିକୁ ଧାତୁ କିମ୍ବା ଅଧାତୁ ଶ୍ରେଣୀଭୁକ୍ତ କରାଯାଇ ନାହିଁ, କାରଣ ସେମାନେ ମୌଳିକ ନୁହଁନ୍ତି ।

ଅଧିକ ଜାଣିବା ଧାତୁ ଓ ଅଧାତୁମାନେ ମୌଳିକ ପଦାର୍ଥର ଉପବର୍ଗ (sub-category) ଅଟନ୍ତି । ଏକ ମୌଳିକ ହେଉଛି ସେହି ପଦାର୍ଥ ଯାହାକୁ ଭାଙ୍ଗି ଅଧିକ ସରଳତର ପଦାର୍ଥରେ ପରିଣତ କରାଯାଇପାରିବ ନାହିଁ । ବର୍ତ୍ତମାନ ୧୧୮ ଟି ମୌଳିକ ଆମର ଜ୍ଞାତ ଅଟନ୍ତି । ଏହି ମୌଳିକଗୁଡ଼ିକ ସମସ୍ତ ପଦାର୍ଥର ଗଠନର ମୂଳ ଏକକ ଅଟନ୍ତି । କେତେକ ମୌଳିକ ପ୍ରକୃତି ଦ୍ୱାରା ସୃଷ୍ଟିହୋଇଥିବା ବେଳେ ଅନ୍ୟଗୁଡ଼ିକ ପରୀକ୍ଷାଗାରରେ କୃତ୍ରିମ ଭାବରେ ତିଆରି ଏବଂ ପ୍ରକୃତିରେ ସେମାନଙ୍କର ସ୍ଥିତି ନାହିଁ । ମୌଳିକମାନଙ୍କ ବିଷୟରେ ଅଧିକ କଥା ତୁମେ ଉଚ୍ଚଶ୍ରେଣୀରେ ପଢ଼ିବ ।

୪.୫ ଦୈନନ୍ଦିନ ଜୀବନରେ ଅଧାତୁଗୁଡିକ ଅତ୍ୟାବଶ୍ୟକ କି ?

ଧାତୁମାନଙ୍କର କେତେକ ସ୍ବତନ୍ତ୍ର ଗୁଣ ଯେପରିକି ଉଜ୍ଜ୍ବଳତା, ତାପ ଓ ବିଦ୍ୟୁତ ସୁପରିବାହିତା ଏବଂ ଅଧିକ ଦୃଢତା ଇତ୍ୟାଦି ପାଇଁ ଦୈନନ୍ଦିନ ଜୀବନରେ ତୁମେ ଅନେକଗୁଡିଏ ଧାତୁର ବ୍ୟବହାର ଦେଖିବାକୁ ପାଉଥିବ । ଏହାର ମାନେ ଏହା ନୁହେଁ ଯେ, ଅଧାତୁଗୁଡ଼ିକର ଆମ ଜୀବନରେ କୌଣସି ଗୁରୁତ୍ଵ ନାହିଁ ।

[ଚିତ୍ର ବର୍ଣ୍ଣନା: ଏକ ବାଦାମ ଚୋପା ଭିତରେ ବସିଥିବା ଏକ ପିଲାର କାର୍ଟୁନ ଚିତ୍ର।]

ଆମେ ପ୍ରଶ୍ବାସରେ ଅମ୍ଳଜାନ ନେଉ, ଯାହା ଏକ ଅଧାତୁ । ଅମ୍ଳଜାନ ବିନା ଆମେ ବଞ୍ଚିପାରିବା ନାହିଁ । ତୁମେ ଅମ୍ଳଜାନର ଅନ୍ୟ କୌଣସି ବ୍ୟବହାର ବିଷୟରେ ଭାବି ପାରୁଛ କି ?

ଦୈନନ୍ଦିନ ଜୀବନରେ ଅଙ୍ଗାରକ ବା କାର୍ବନ ଏକ ଅତ୍ୟାବଶ୍ୟକ ଅଧାତୁ, କାରଣ ଏହା ଜୀବ ଜଗତର ମୂଳ ଗଠନ ଏକକ । ଏହା ପୁଷ୍ଟିସାର, ସ୍ନେହସାର ଓ ଶ୍ୱେତସାରର ଏକ ଉପାଦାନ ଯାହା ଶରୀର ବୃଦ୍ଧି ଓ ଶକ୍ତି ପାଇଁ ଆବଶ୍ୟକ ।

ସାର ଓ ଅନ୍ୟ ରାସାୟନିକ ପଦାର୍ଥ ପ୍ରସ୍ତୁତିରେ ଯବକ୍ଷାରଜାନ (Nitrogen) ବ୍ୟବହୃତ ହୁଏ । ଉଭିଦର ବୃଦ୍ଧି ପାଇଁ ଏହା ଏକ ଅତ୍ୟାବଶ୍ୟକ ପୋଷକ । କ୍ଲୋରିନ୍ ହେଉଛି ଅନ୍ୟ ଏକ ଅଧାତୁ ଯାହାକୁ ସାଧାରଣତଃ ଜଳ ବିଶୋଧନ ପାଇଁ ବ୍ୟବହାର କରାଯାଏ । ଆୟୋଡିନ୍ ମଧ୍ୟ ଏକ ଅଧାତୁ ଏହାର ଦ୍ରବଣକୁ କ୍ଷତ ସ୍ଥାନରେ ବିଶୋଧକ (Antiseptic) ରୂପେ ବ୍ୟବହାର କରାଯାଏ ।

ବିଜ୍ଞାନ ଓ ସମାଜ

ତୁମେ ଜାଣିଛ, ଅନେକ ଧାତୁ ଓ ସେମାନଙ୍କ ମିଶ୍ରଧାତୁ (ଦୁଇ ବା ଅଧିକ ଧାତୁ କିମ୍ବା ଧାତୁ ଓ ଅଧାତୁର ମିଶ୍ରଣ) ଆମ ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ବାସନକୁସନ, ଯନ୍ତ୍ରାଂଶ, ଉପକରଣ ଆଦି ତିଆରି ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ଅଟନ୍ତି । ଏଗୁଡ଼ିକ ମଧ୍ୟ ଆଧୁନିକ ପ୍ରଯୁକ୍ତିବିଜ୍ଞାନ ଓ ପ୍ରାୟ ସମସ୍ତ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ଅଟନ୍ତି । କେତେକ ବିଶେଷ ଧାତୁ ପରମାଣୁ ଶକ୍ତି (ଯେପରିକି ଜିରକୋନିୟମ), ବିମାନ ନିର୍ମାଣ (ଟାଇଟନିୟମ) ଇତ୍ୟାଦିରେ ବ୍ୟବହୃତ ହୋଇଥାନ୍ତି । ଭାରତରେ ଅନେକ ଧାତୁ, ବିଶେଷକରି ଲୁହା ଓ ଆଲୁମିନିୟମର ପୁନଃଚକ୍ରଣ କରାଯାଇ ଆବର୍ଜନା ହ୍ରାସ ଓ ଧାତୁଗୁଡ଼ିକର ଉପଲବ୍‌ଧତା ବଜାୟ ରଖାଯାଇପାରୁଛି ।

ସଂକ୍ଷେପରେ

୧. ଧାତୁ ଓ ଅଧାତୁଗୁଡିକୁ ସେମାନଙ୍କ ଗୁଣ ଆଧାରରେ ପୃଥକ କରାଯାଏ । ୨. ସାଧାରଣତଃ ଧାତୁଗୁଡିକ ଉଜ୍ଜ୍ବଳ ହୋଇଥିବା ବେଳେ ଅଧିକାଂଶ ଅଧାତୁ ଅନୁଜ୍ଜ୍ବଳ । ୩. ଧାତୁଗୁଡିକ ସାଧାରଣତଃ ନମନୀୟ ଓ ତନ୍ୟ ହୋଇଥିବାବେଳେ ଅଧାତୁଗୁଡ଼ିକର ଏସବୁ ଗୁଣ ନଥାଏ । ୪. ଧାତୁଗୁଡିକ ତାପ ଓ ବିଦ୍ୟୁତ ସୁପରିବାହୀ, କିନ୍ତୁ ଅଧାତୁଗୁଡିକ ସାଧାରଣତଃ କୁପରିବାହୀ । ୫. ଧାତୁଗୁଡିକ ଅମ୍ଳଜାନ ସହ ପ୍ରତିକ୍ରିୟା କରି ସୃଷ୍ଟିକରୁଥିବା ଧାତବ ଅକ୍‌ସାଇଡ଼ଗୁଡ଼ିକର ପ୍ରକୃତି କ୍ଷାରୀୟ । ୬. ଅଧାତୁଗୁଡିକ ଅମ୍ଳଜାନ ସହ ପ୍ରତିକ୍ରିୟା କରି ସୃଷ୍ଟିକରୁଥିବା ଅକ୍‌ସାଇଡଗୁଡ଼ିକର ପ୍ରକୃତି ଅମ୍ଳୀୟ । ୭. ସାଧାରଣତଃ ଅଧାତୁଗୁଡିକ ଜଳ ସହିତ ପ୍ରତିକ୍ରିୟା କରନ୍ତି ନାହିଁ । ୮. ଧାତୁ ନିର୍ମିତ ବସ୍ତୁଗୁଡିକ ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସି କ୍ଷୟ ହୁଅନ୍ତି । ଏହି ପ୍ରକ୍ରିୟାକୁ ସଂକ୍ଷାରଣ କୁହାଯାଏ । ୯. ଧାତୁ ଓ ଅଧାତୁଗୁଡିକର ଦୈନନ୍ଦିନ ଜୀବନରେ ବ୍ୟାପକ ପ୍ରୟୋଗ ରହିଛି ।


ଆମ ଶିକ୍ଷଣର ଅଭିବୃଦ୍ଧି କରିବା

[ଚିତ୍ର ବର୍ଣ୍ଣନା: ପାର୍ଶ୍ୱରେ ଦଉଡ଼ି ଓ ପଥର ପାହାଚ ଉପରେ ଏକ ଝିଅ ବସିଛି ଯାହା ଉପରେ ପ୍ରଶ୍ନବାଚୀ ଶବ୍ଦଗୁଡ଼ିକ ଲେଖାଅଛି: କାହିଁକି, କ’ଣ, କେଉଁଠି, କେତେ ସମୟ, କିପରି, କେବେ, କାହାକୁ, ଆଉ କ’ଣ, କାହିଁକି ନାହିଁ ।]

୧. କେଉଁ ଧାତୁ ଶସ୍ତା ଓ ଏହାର ପତଳା ପାତକୁ ସହଜରେ ମୋଡ଼ି ଯେକୌଣସି ଆକାରର କରିହୁଏ ବୋଲି ଏହାକୁ ଖାଦ୍ୟ ପୁଡିଆ ପ୍ରସ୍ତୁତି ପାଇଁ ସାଧାରଣତଃ ବ୍ୟବହାର କରାଯାଏ ? (କ) ଆଲୁମିନିୟମ୍ (ଖ) ତମ୍ବା (ଗ) ଲୁହା (ଘ) ସୁନା

୨. ନିମ୍ନଲିଖିତ କେଉଁ ଧାତୁ ଜଳ ସଂସ୍ପର୍ଶରେ ଆସିଲେ ସେଥିରେ ନିଆଁ ଲାଗିଯାଏ ? (କ) ତମ୍ବା (ଖ) ଆଲୁମିନିୟମ୍ (ଗ) ଦସ୍ତା (ଘ) ସୋଡିୟମ୍

୩. ନିମ୍ନଲିଖିତ ଉକ୍ତିଗୁଡିକ ଠିକ୍ ବା ଭୁଲ୍ ? କାରଣ ସହିତ ଦର୍ଶାଅ । (କ) ଆଲୁମିନିୟମ୍ ଓ ତମ୍ବା ଦୁଇଟି ଅଧାତୁର ଉଦାହରଣ ଯାହା ବାସନ‌କୁସନ ଓ ମୂର୍ତ୍ତି ତିଆରି ପାଇଁ ବ୍ୟବହୃତ ହୁଏ । (ଖ) ଧାତୁ ଗୁଡିକ ଅମ୍ଳଜାନ ସହ ସଂଯୁକ୍ତ ହୋଇ ଅକ୍‌ସାଇଡ୍ ତିଆରିକରନ୍ତି ଯାହାର ଦ୍ରବଣ ନୀଳ ଲିଟମସ କାଗଜର ବର୍ଣ୍ଣକୁ ଲାଲ କରିଦିଏ । (ଗ) ଅମ୍ଳଜାନ ଶ୍ୱସନ ପାଇଁ ଏକ ଅପରିହାର୍ଯ୍ୟ ଅଧାତୁ । (ଘ) ପାଣି ଫୁଟାଇବା ପାଇଁ ତମ୍ବା ପାତ୍ର ବ୍ୟବହାର କରାଯାଇଥାଏ, କାରଣ ସେଗୁଡିକ ବିଦ୍ୟୁତ୍‌ର ସୁପରିବାହୀ ।

୪. କାହିଁକି କେବଳ ଅଳ୍ପ କେତେକ ଧାତୁ ଅଳଙ୍କାର ତିଆରି ପାଇଁ ଉପଯୁକ୍ତ ଅଟନ୍ତି ?

୫. ‘କ’ ସ୍ତମ୍ଭରେ ଦିଆଯାଇଥିବା ଧାତୁ ଓ ଅଧାତୁଗୁଡ଼ିକର ବ୍ୟବହାର ବା ଗୁଣ ସହିତ ‘ଖ’ ସ୍ତମ୍ଭ ରେ ଥିବା ଉପଯୁକ୍ତ ଧାତୁ ବା ଅଧାତୁର ନାମକୁ ମିଳାଅ ।

‘କ’ ସ୍ତମ୍ଭ‘ଖ’ ସ୍ତମ୍ଭ
I. ବିଦ୍ୟୁତ ତାର ତିଆରିa) ଅମ୍ଳଜାନ
II. ସବୁଠାରୁ ନମନୀୟ ଓ ତନ୍ୟb) କ୍ଲୋରିନ
III. ସଜୀବ ଏହା ବିନା ବଞ୍ଚିପାରିବ ନାହିଁc) ତମ୍ବା
IV. ଏହା ରହିଥିବା ରାସାୟନିକ ସାର ମୃତ୍ତିକାରେ ପ୍ରୟୋଗ କଲେ ଉଭିଦ ସୁସ୍ଥ ସବଳ ହୋଇ ବଞ୍ଚନ୍ତିd) ଯବକ୍ଷାରଜାନ
V. ଜଳ ବିଶୋଧନ ପାଇଁ ବ୍ୟବହୃତହୁଏe) ସୁନା

୬. ମ୍ୟାଗ୍ନେସିୟମ୍ ଓ ସଲଫର ସହ ଅମ୍ଳଜାନ ପ୍ରତିକ୍ରିୟା କଲେ କ’ଣ ହୁଏ ? ଉତ୍ପନ୍ନ ଉତ୍ପାଦଗୁଡ଼ିକ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ’ଣ ଅଛି ?

[ଚିତ୍ର ବର୍ଣ୍ଣନା: ପାର୍ଶ୍ୱରେ ଥିବା ନିଶୁଣି ଉପରେ ଜଣେ ବାଳକ ଚଢ଼ୁଥିବାର ଚିତ୍ର, ପାହାଚଗୁଡ଼ିକରେ ଲେଖାଅଛି: ନୂତନତ୍ବ, ଆବିଷ୍କାର, ଅନୁସନ୍ଧାନ, ଅନ୍ବେଷଣ, କୌତୂହଳ ।]

୭. ନିମ୍ନ ପ୍ରଦତ୍ତ ପ୍ରବାହ ଚିତ୍ରଟି ସମ୍ପୂର୍ଣ୍ଣ କର ।

[ଚିତ୍ର ବର୍ଣ୍ଣନା: ଏକ ପ୍ରବାହ ଚିତ୍ର (Flowchart): [ ? ] + ବାୟୁ + ତାପ -> [ ପାଉଁଶ ] [ ପାଉଁଶ ] + ଜଳ -> [ ? ] [ ? ] ମଧ୍ୟରେ ନୀଳ ଓ ଲାଲ ଲିଟ୍‌ମସ ଦ୍ରବଣକୁ ଅଲଗା ଅଲଗା ମିଶାଅ । ଶାଖା ୧: ନୀଳ ଲିଟମସ୍ ଦ୍ରବଣରେ ପରିବର୍ତ୍ତନ -> [ ? ] ଶାଖା ୨: ଲାଲ୍ ଲିଟମସ୍ ଦ୍ରବଣରେ ପରିବର୍ତ୍ତନ -> [ ନୀଳ ]]

୮. ତୁମକୁ ନିମ୍ନଲିଖିତ ପଦାର୍ଥଗୁଡିକ ଦର୍ଶାଯାଇଛି । ଆଲୋଚନା କର, ତୁମେ କେଉଁ ପଦାର୍ଥକୁ ପାଣି ଫୁଟାଇବା ପାତ୍ର ତିଆରି ପାଇଁ ସବୁଠୁ ଅଧିକ ପସନ୍ଦକରିବ ଏବଂ କାହିଁକି ?

ଲୁହାତମ୍ବାସଲଫରକୋଇଲାପ୍ଲାଷ୍ଟିକ୍କାଠ

୯. ତୁମକୁ ତେଲ, ଜଳ ଓ ଭିନେଗାରରେ ବୁଡ଼ିରହିଥିବା ତିନିଟି ଲୁହାକଣ୍ଟା ଦିଆଯାଇଛି । କେଉଁ କଣ୍ଟାଟି କଳଙ୍କି ଧରିବ ନାହିଁ ଏବଂ କାହିଁକି ?

୧୦. ଧାତୁ ଓ ଅଧାତୁଗୁଡିକର ବିଭିନ୍ନ ଧର୍ମ କିପରି ସେମାନଙ୍କର ବ୍ୟବହାରକୁ ସ୍ଥିର କରେ ?

୧୧. ଲୁହାକୁ କଳଙ୍କି ଧରିବାରୁ ରକ୍ଷାକରିବା ପାଇଁ ଗୋଟିଏ ଉପାୟ ହେଉଛି, ଏହା ଉପରେ ଦସ୍ତାର ଏକ ପତଳା ଆବରଣଦେବା । ସଲଫର ଜଳ ସହିତ ପ୍ରତିକ୍ରିୟାକରେ ନାହିଁ । ଏହାକୁ ଲୁହା ଉପରେ ପ୍ରଲେପଦେବା ପାଇଁ ବ୍ୟବହାର କରିହେବ କି ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।

୧୨. ଜଣେ ଲୁହା କାରିଗର କୌଣସି ଉପକରଣ ତିଆରିକରିବା ପୂର୍ବରୁ ନେଉଥିବା ଲୁହାକୁ ଉତ୍ତପ୍ତ କରିଥାଏ । ଏହି ପ୍ରଣାଳୀରେ ଉତ୍ତପ୍ତକରିବା କାହିଁକି ଆବଶ୍ୟକ ?

ଅନୁସନ୍ଧାନମୂଳକ ପ୍ରକଳ୍ପ

୧. ଭାରତର ପ୍ରସିଦ୍ଧ ଧାତୁ କଳାକୃତି ମଧ୍ୟରେ ଢୋକ୍ରା, ବିଦ୍ରୀୟ, ପେମ୍ବାର୍ଥୀ, କାମରୂପୀ, ତାରକସି ଆଦି ପ୍ରମୁଖ ଅଟେ । ଏହି କଳାକୃତିଗୁଡିକ କେଉଁ କେଉଁ ରାଜ୍ୟରେ ପ୍ରସ୍ତୁତ ହୁଏ ତାହା ଖୋଜି ବାହାର କର । ଆଉ ମଧ୍ୟ ସେଗୁଡ଼ିକର ଫଟୋଗୁଡ଼ିକୁ ନେଇ ଏକ କୋଲାଜ୍ (Collage) ପ୍ରସ୍ତୁତ କର । ୨. ଭାରତର ଏକ ମାନଚିତ୍ରରେ କେଉଁ କେଉଁ ରାଜ୍ୟରେ ଲୁହା, ସୁନା, ଆଲୁମିନିୟମ ଓ ଅନ୍ୟ ଧାତୁଗୁଡିକ ମିଳେ ସେଗୁଡିକୁ ଚିହ୍ନଟ କର । ୩. ଗୋଟିଏ ସ୍ମାର୍ଟଫୋନରେ ବ୍ୟବହାର ହୋଇଥିବା ଧାତୁ ଓ ଅଧାତୁଗୁଡିକୁ ଜାଣ । ସେମାନେ ଫୋନଟିକୁ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କିପରି ସାହାଯ୍ୟ କରନ୍ତି, ତା’ର ଅନୁସନ୍ଧାନ କର । ୪. ଆରାମ ଏବଂ ବିଳାସ ପାଇଁ ଧାତୁର ବ୍ୟବହାର ବୃଦ୍ଧି କରାଯିବା ଉଚିତ କି ହ୍ରାସ କରାଯିବା ଉଚିତ୍ ଏହି ବିଷୟରେ ଶ୍ରେଣୀଗୃହରେ ଏକ ବିତର୍କ ଆୟୋଜନ କର ।