ପଞ୍ଚମ ଅଧ୍ୟାୟ
ଆମ ଚତୁଃପାର୍ଶ୍ବରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ
-
[ଚିତ୍ର: ଜଣେ ଛାତ୍ରୀ ଚିନ୍ତାଶୀଳ ମୁଦ୍ରାରେ ବିଭିନ୍ନ ପରିବର୍ତ୍ତନ ବିଷୟରେ କହୁଛନ୍ତି]
-
"ଅଧ ଘଣ୍ଟା ପୂର୍ବରୁ ମୁଁ ଏଠାରେ ଏକ ବରଫ ଖଣ୍ଡ ରଖିଥିଲି । ଏହା ବର୍ତ୍ତମାନ ପାଣି ହୋଇଯାଇଛି ।"
-
"ଏହି ଗୋଲାପ ଗଛରେ କାଲି ମୁଁ ଯେଉଁ କଢ଼ଟି ଦେଖିଥିଲି ଆଜି ତାହା ଫୁଲ ହୋଇଯାଇଛି ।"
-
"ଥଣ୍ଡା ପାଣି ଥିବା ଏହି ବୋତଲର ପାଣି ଆଉ ଥଣ୍ଡା ନାହିଁ ।"
-
"କାଲି ମୁଁ ଏହି କଦଳୀ ଉପରେ କିଛି ଧୂସର ଦାଗ ଦେଖିଥିଲି। କିନ୍ତୁ ଆଜି ଏଥିରେ ଅଧିକ ଧୂସର ଦାଗ ଅଛି ଓ ତୀବ୍ର ଗନ୍ଧ ହେଉଛି ।"
ଏହି ଛାତ୍ରଛାତ୍ରୀ ମାନେ କିଛି ପରିବର୍ତ୍ତନ ସମ୍ବନ୍ଧରେ ବର୍ଣ୍ଣନା କରୁଛନ୍ତି । ସେମାନେ କେଉଁ ପ୍ରକାର ପରିବର୍ତ୍ତନ ବିଷୟରେ କଥା ହେଉଛନ୍ତି ?
କାର୍ଯ୍ୟ- ୫.୧: ଆସ ଚିନ୍ତା କରିବା ଓ ପୁନର୍ବିଚାର କରିବା ।
ତୁମେ ହୁଏତ ତୁମ ଚାରିପାଖରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନକୁ ଲକ୍ଷ୍ୟ କରିଥିବ । ସେଥିରୁ କେତେକ ସାରଣୀ – ୫.୧ ରେ ଲେଖାଯାଇଅଛି । ତୁମେ ଦେଖିପାରିବ ଯେ, ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ପରିବର୍ତ୍ତନ ହେଉଛି । ପୁନଃ ବିଚାର ପାଇଁ ଟିକିଏ ସମୟ ନିଅ । ତୁମର ପର୍ଯ୍ୟବେକ୍ଷଣକୁ ସାରଣୀ – ୫.୧ ରେ ଲେଖ ।
ସାରଣୀ ୫.୧ : ଆମ ଚାରିପାଖରେ ପରିଲକ୍ଷିତ କେତେକ ପରିବର୍ତ୍ତନ
| କ୍ରମିକ ସଂଖ୍ୟା | ପରିବର୍ତ୍ତନ | ପର୍ଯ୍ୟବେକ୍ଷଣ (ଆକାର, ଆକୃତି, ଗନ୍ଧ କିମ୍ବା ଅନ୍ୟଗୁଣ) |
|---|---|---|
| ୧ | ବରଫ ଖଣ୍ଡ ତରଳିବା | |
| ୨ | ପନିପରିବା କାଟିବା | |
| ୩ | ପାଣି ଫୁଟାଇବା | |
| ୪ | ଚାଉଳରୁ ମୁଢ଼ି ତିଆରି କରିବା | |
| ୫ | କାଗଜ ଖଣ୍ଡିଏ କାଟିବା | |
| ୬ | ବିଟ୍ ରସକୁ ପାଣିରେ ମିଶାଇବା | |
| ୭ | କାଠ ଜଳିବା | |
| ୮ | ଓଦା ଲୁଗା ଶୁଖାଇବା | |
| ୯ | ଛୋଟ ଛୋଟ ଅଟା ଗୁଳା ତିଆରି କରିବା | |
| ୧୦ | ଅଟା ଗୁଳାକୁ ବେଲି ରୁଟି ତିଆରି କରିବା | |
| ୧୧ | ଅନ୍ୟ କିଛି |
ତୁମେ ହୁଏତ ଲକ୍ଷ୍ୟ କରିଥିବ ଯେ, ଏହି ସବୁ ପଦାର୍ଥ ବା ବସ୍ତୁର ଆକାର, ଆକୃତି, ଗନ୍ଧ କିମ୍ବା ଅନ୍ୟ ଗୁଣରେ ପରିବର୍ତ୍ତନ ହୋଇଛି । ତୁମେ ତୁମ ଚାରିପାଖରେ ଘଟୁଥିବା ଅନ୍ୟ କିଛି ପରିବର୍ତ୍ତନ କଥା ଭାବୁଛ କି ? ସେହି ପରିବର୍ତ୍ତନଗୁଡ଼ିକର ମଧ୍ୟ ଏକ ତାଲିକା ପ୍ରସ୍ତୁତ କର ।
ଆମ ଚାରିପାଖରେ ଘଟୁଥିବା ପରିବର୍ତ୍ତନଗୁଡିକୁ ଆମେ ଆମର ଦର୍ଶନ, ଶ୍ରବଣ, ଘ୍ରାଣ, ସ୍ପର୍ଶ ଓ ସ୍ବାଦ ଇନ୍ଦ୍ରିୟମାନଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରିଥାଉ ।
ଆସ ଏହି ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟାକରିବା। ଏହି ପରିବର୍ତ୍ତନଗୁଡ଼ିକୁ ଆମେ ବିଭିନ୍ନ ବର୍ଗରେ ସଜାଇ ପାରିବା କି ?
- [ଚିତ୍ର ୫.୧: ରଙ୍ଗୀନ କାଗଜରୁ ତିଆରି ବିଭିନ୍ନ ପ୍ରକାରର ହାତତିଆରି ବସ୍ତୁ/ଖେଳଣା ଯଥା ଚଢ଼େଇ, ଡଙ୍ଗା, ପ୍ରଜାପତି ଇତ୍ୟାଦି]
୫.୧ ଏକ ପଦାର୍ଥର ରୂପରେ ପରିବର୍ତ୍ତନ ହୋଇପାରେ କିନ୍ତୁ ମୂଳ ପଦାର୍ଥ ସମାନ ରହିପାରେ
କାର୍ଯ୍ୟ- ୫.୨ : ଆସ ତିଆରି କରିବା ଓ ଆଲୋଚନା କରିବା
କ) କାଗଜ ସାହାଯ୍ୟରେ କିଛି ବସ୍ତୁ ତିଆରି କରିବା
୧. କିଛି କାଗଜ ଫର୍ଦ୍ଦ ନିଅ ଓ ସେଗୁଡିକୁ ଭାଙ୍ଗି ନୂଆ ନୂଆ ବସ୍ତୁ ତିଆରି କର (ଚିତ୍ର - ୫.୧) । ୨. ଏହି ବସ୍ତୁଗୁଡିକୁ ଖୋଲିଦେବା ପରେ ତୁମେ ସେହି ସମାନ କାଗଜ ପାଉଛ କି ?
ଖ) ବେଲୁନ୍ ସହିତ ଖେଳିବା
୧. ବେଲୁନ୍ଟିଏ ନେଇ ତାକୁ ଫୁଙ୍କି ଫୁଲାଅ । ବର୍ତ୍ତମାନ ଏଥିରୁ ପବନ ବାହାରକୁ ଛାଡିଦିଅ । ୨. ତୁମେ ସେହି ପୂର୍ବର ଫୁଲି ନଥିବା ବେଲୁନ ପାଉଛ କି ? ୩. ଆଉ ଏକ ବେଲୁନ ନେଇ ଫୁଙ୍କି ଫୁଲାଅ ତାର ମୁହଁକୁ ଦୃଢ ଭାବରେ ବାନ୍ଧିଦିଅ ଯେପରି ଏଥିରୁ ପବନ ବାହାରି ଯିବନାହିଁ । ଏବେ ଏହାକୁ ଏକ ପିନ୍ ଦ୍ୱାରା ଫୁଟାଅ । ସତର୍କତା – ପିନ୍ ବ୍ୟବହାର ସମୟରେ ସାବଧାନ ରହିବ । ୧. କ'ଣ ହେଉଛି ? ତୁମେ ପୂର୍ବର ସେହି ଫୁଲି ନଥିବା ବେଲୁନ୍ଟି ଫେରିପାଇବାକୁ ସକ୍ଷମ ହେଉଛ କି ?
ଗ) ଚକ୍ ଖଣ୍ଡକୁ ଗୁଣ୍ଡ କରିବା
୧. ଛୋଟ ଚକ୍ ଖଣ୍ଡେ ନେଇ ପାଉଡ଼ର ପରି ଗୁଣ୍ଡ କରିଦିଅ । ୨. ତୁମେ ଏହି ଚକ୍ ପାଉଡ଼ରରୁ ପୂର୍ବର ସେହି ଚକ୍ ଖଣ୍ଡକୁ ଫେରାଇ ଆଣିପାରିବ କି ?
ଉପରୋକ୍ତ କ, ଖ ଓ ଗ ତାଲିକାଭୁକ୍ତ ପରିବର୍ତ୍ତନଗୁଡିକ ମଧ୍ୟରେ କିଛି ସାମଞ୍ଜସ୍ୟ ଅଛି କି ?
ଏ ସମସ୍ତ ପରିବର୍ତ୍ତନ କ୍ଷେତ୍ରରେ ଯେପରି କାଗଜ, ବେଲୁନ୍ର ରବର ଓ ଚକ୍ ପୂର୍ବପରି ସମାନ ରହିଲେ, ଯଦିଓ ସେମାନଙ୍କର ରୂପ (ଆକାର ବା ଆକୃତି)ରେ ପରିବର୍ତ୍ତନ ହୋଇଥିଲା । ତୁମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ପାଠ୍ୟ ପୁସ୍ତକ ‘ଜିଜ୍ଞାସା’ର ‘ଜଳ’ ବିଭିନ୍ନ ଅବସ୍ଥା ପ୍ରସଙ୍ଗ ମନେ ପକାଅ । ଜଳ କଠିନ, ତରଳ ଓ ବାଷ୍ପ ଏପରି ତିନୋଟି ଅବସ୍ଥାରେ ରହିପାରିବ ଏବଂ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପରିବର୍ତ୍ତନ ହୋଇପାରିବ ।
ଏ ସମସ୍ତ କ୍ଷେତ୍ରରେ ଆମେ ଯଦିଓ ପଦାର୍ଥର ପରିବର୍ତ୍ତନ ଦେଖିଲେ, କୌଣସି ନୂତନ ପଦାର୍ଥ ସୃଷ୍ଟି ହେବା ଦେଖୁଲେ ନାହିଁ । ଯେଉଁ ପରିବର୍ତ୍ତନରେ ପଦାର୍ଥର କେବଳ ଆକାର, ଆକୃତି, ଅବସ୍ଥା ଭଳି ଭୌତିକ ଧର୍ମଗୁଡିକର ପରିବର୍ତ୍ତନ ହୋଇଥାଏ, ତାହାକୁ ଭୌତିକ ପରିବର୍ତ୍ତନ କୁହାଯାଏ ।
ଆସ, ଏକ ଭିନ୍ନ ପ୍ରକାର ପରିବର୍ତ୍ତନ ବିଷୟରେ ଅନୁସନ୍ଧାନ କରିବା ।
୫.୨ ଏକ ପଦାର୍ଥ ରୂପରେ ପରିବର୍ତ୍ତନ ହୋଇପାରେ ଏବଂ ମୂଳ ପଦାର୍ଥ ସମାନ ନ ରହିପାରେ !
କାର୍ଯ୍ୟ- ୫.୩ : ଆସ ଅନୁସନ୍ଧାନ କରିବା
୧. ଦୁଇଟି କାଚ ପାତ୍ର କିମ୍ବା ଛୋଟ ସ୍ଵଚ୍ଛ ବୋତଲ ନିଅ । ସେମାନଙ୍କୁ ‘କ’ ଓ ‘ଖ’ ରୂପେ ଚିହ୍ନିତ କର । ୨. ‘କ’ ପାତ୍ରର ଏକ ଚତୁର୍ଥାଂଶକୁ କଳପାଣି ଏବଂ ‘ଖ’ ପାତ୍ରର ଏକ ଚତୁର୍ଥାଂଶକୁ ଚୂନପାଣିରେ ପୂର୍ଣ୍ଣ କର । ୩. ବର୍ତ୍ତମାନ ଦୁଇଟି ଅଲଗା ଅଲଗା ନଳୀ ସାହାଯ୍ୟରେ ପାତ୍ର ଦୁଇଟି ଭିତରକୁ ଫୁଙ୍କି ପବନ ଭର୍ତ୍ତି କର ଓ ପର୍ଯ୍ୟବେକ୍ଷଣ କର (ଚିତ୍ର - ୫.୨) ।
ସତର୍କତା – ଏହା କରିବା ସମୟରେ ପାଣି ବା ଚୂନପାଣିକୁ ଶୋଷିନିଅ ନାହିଁ ।
- [ଚିତ୍ର ୫.୨: ଜଣେ ବାଳକ ନଳୀ (straw) ସାହାଯ୍ୟରେ (କ) କାଚପାତ୍ରରେ ଥିବା କଳପାଣି ଏବଂ (ଖ) କାଚପାତ୍ରରେ ଥିବା ଚୂନପାଣି ମଧ୍ୟକୁ ଫୁଙ୍କି ପବନ ପ୍ରବେଶ କରାଉଛି]
ତୁମେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଛ କି ?
କାଚ ପାତ୍ର ‘କ’ରେ ପାଣି ଭିତରେ ପବନ ଭରିବା ବେଳେ କେବଳ ଫୋଟକା ଗୁଡିଏ ସୃଷ୍ଟି ହେଉଛି ଏବଂ ପାଣିର ରୂପରେ କୌଣସି ପରିବର୍ତ୍ତନ ହେଉନାହିଁ । କାଚ ପାତ୍ର ‘ଖ’ରେ ଚୂନପାଣି ଭିତରକୁ ପବନ ପଶିବାରୁ ଫୋଟକା ସବୁ ସୃଷ୍ଟି ହେଉଛି ଏବଂ ଚୂନପାଣିର ରଙ୍ଗ ବଦଳି ଦୁଧୂଆ ରଙ୍ଗ ହୋଇଯାଇଛି । ଆମେ ଯଦି ଏହାକୁ କିଛି ସମୟ ସ୍ଥିର ଭାବରେ ରଖି ଦେଉଛେ ଏକ ଧଳାରଙ୍ଗର ପଦାର୍ଥ ପାତ୍ର ଭିତରେ ତଳକୁ ବସିଯାଇଛି, ଯାହା କିଛି ନୂତନ ପଦାର୍ଥ ସୃଷ୍ଟି ହୋଇଥିବାର ସୂଚନା ଦେଉଛି । ଯେଉଁ ପରିବର୍ତ୍ତନ ଗୁଡିକରେ ଏକ ବା ଅଧିକ ନୂତନପଦାର୍ଥ ସୃଷ୍ଟି ହୁଅନ୍ତି ତାହାକୁ ରାସାୟନିକ ପରିବର୍ତ୍ତନ କୁହନ୍ତି । ନୂତନ ପଦାର୍ଥସବୁ ଯେଉଁ ପ୍ରକ୍ରିୟାରେ ସୃଷ୍ଟି ହୁଅନ୍ତି ତାହାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ । ଏଠାରେ ତୁମେ ଫୁଙ୍କିବା ବାୟୁ (ନିଃଶ୍ବାସ ବାୟୁ)ରେ ଥିବା ଅଙ୍ଗାରକାମ୍ଳ ବାଷ୍ପ ଚୂନପାଣି ସହ ପ୍ରତିକ୍ରିୟା କରି ଧଳାରଙ୍ଗର ଏକ ନୂତନପଦାର୍ଥ (କ୍ୟାଲସିୟମ କାର୍ବୋନେଟ) ସୃଷ୍ଟି କରୁଛି ଯାହା ଜଳରେ ଅଦ୍ରବଣୀୟ । ସେଥିପାଇଁ ପାତ୍ରରେ ଥିବା ଚୂନପାଣି ଦୁଧୂଆ ଦେଖାଯାଉଛି । ଏହା ସହିତ ଅଳ୍ପ ପରିମାଣରେ ଜଳ ମଧ୍ଯ ସୃଷ୍ଟି ହୁଏ । ଏହି ନୂତନପଦାର୍ଥ ସୃଷ୍ଟିହେବା ଏକ ରାସାୟନିକ ପରିବର୍ତ୍ତନର ସୂଚନା ଦିଏ । ରାସାୟନିକ ପରିବର୍ତ୍ତନ ସହ ସମ୍ପୃକ୍ତ ରାସାୟନିକ ପ୍ରତିକ୍ରିୟାକୁ ସଂକ୍ଷେପରେ ରାସାୟନିକ ସମୀକରଣ (Chemical equation) ରୂପରେ ଦର୍ଶାଯାଇପାରିବ ।
କ୍ୟାଲ୍ସିଅମ୍ ହାଇଡ୍ରକ୍ସାଇଡ୍ (ଚୂନପାଣି) + କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲ୍ସିଅମ୍ କାର୍ବୋନେଟ୍ (ଅଦ୍ରବଣୀୟ ପଦାର୍ଥ) + ଜଳ
ଚୂନପାଣିର ରଙ୍ଗ ବଦଳି ଦୁଧୂଆରଙ୍ଗ ହେବାକୁ ମଧ୍ୟ ଅଙ୍ଗାରକାମ୍ଳର ଉପସ୍ଥିତି ପରୀକ୍ଷା ପାଇଁ ବ୍ୟବହାର କରାଯାଏ । ଆସ, ଏହାକୁ ଆମ ରୋଷେଇଘରୁ ମିଳୁଥିବା କିଛି ପଦାର୍ଥଦ୍ଵାରା ଅନ୍ୟ ଏକ କାର୍ଯ୍ୟ ମାଧ୍ଯମରେ ଅନୁସନ୍ଧାନ କରିବା ।
କାର୍ଯ୍ୟ- ୫.୪ : ଆସ ପରୀକ୍ଷଣ କରିବା
୧. ଏକ ଚାମଚ ଭିନେଗାର କିମ୍ବା ଲେମ୍ବୁରସ ଗୋଟିଏ ପରୀକ୍ଷାନଳୀ (Test tube) ରେ ନିଅ । ୨. ଏଥିରେ ଚିମୁଟାଏ ଖାଇବାସୋଡା (ସୋଡିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍) ମିଶାଅ । ୩. ତୁମେ କ'ଣ ଦେଖୁଛ ? ୪. ଫିସ୍ଫିସ୍ ଶବ୍ଦ ଶୁଣିବା ସହ ବୁଦ୍ବୁଦ୍ ହୋଇ ଗ୍ୟାସ୍ ଫୋଟକାଗୁଡିଏ ସୃଷ୍ଟି ହୋଇଥିବାର ଦେଖିବାକୁ ପାଇବ । ୫. ଅନ୍ୟ ଏକ ଟେଷ୍ଟଟ୍ୟୁବରେ ସଦ୍ୟ ପ୍ରସ୍ତୁତ ଚୂନପାଣି ନେଇ ତା ମଧ୍ୟରେ ଏହି ଗ୍ୟାସ୍କୁ ପ୍ରବେଶ କରାଅ (ଚିତ୍ର ୫.୩ ରେ ଦର୍ଶାଯାଇଥିବା ପରି) । ୬. କ'ଣ ଦେଖୁଛ ? ୭. ଚୂନପାଣିର ରଙ୍ଗ ବଦଳି ଦୁଧୂଆ ହୋଇଯାଇଛି । ଯାହା ଭିନେଗାର ଓ ଖାଇବା ସୋଡା (ବେକିଙ୍ଗ ସୋଡା) ର ମିଶ୍ରଣରୁ ସୃଷ୍ଟି ହେଲା। ଏହି ଗ୍ୟାସ୍ ବିଷୟରେ ତୁମେ କ’ଣ ଅନୁମାନ କରୁଛ ? ଏହା ସୂଚନା ଦିଏ ଯେ, ସୃଷ୍ଟି ହୋଇଥିବା ଗ୍ୟାସ୍ ହେଉଛି ଅଙ୍ଗାରକାମ୍ଳ ।
ଏହି କାର୍ଯ୍ୟକୁ ମଧ୍ୟ ଟେଷ୍ଟଟ୍ୟୁବ୍ ପରିବର୍ତ୍ତେ ଦୁଇଟି ବ୍ୟବହୃତ ଛୋଟ ପ୍ଲାଷ୍ଟିକ୍ ବୋତଲ ଓ ନମନୀୟ ନଳୀ ବ୍ୟବହାର କରି କରାଯାଇପାରିବ (ଚିତ୍ର-୫.୩ ଖ) ।
- [ଚିତ୍ର ୫.୩ : (କ) ଟେଷ୍ଟ ଟ୍ୟୁବ୍ ସେଟ୍ଅପ୍ ଏବଂ (ଖ) ଦୁଇଟି ପ୍ଲାଷ୍ଟିକ୍ ବୋତଲ ସଂଯୋଗ ଦ୍ୱାରା ଭିନେଗାର୍ ଓ ବେକିଙ୍ଗ୍ ସୋଡାର ରାସାୟନିକ ପ୍ରତିକ୍ରିୟା ଏବଂ ଚୂନପାଣି ଦୁଧିଆ ହେବାର ପ୍ରଦର୍ଶନ]
ଯେହେତୁ ଏହି ପ୍ରତିକ୍ରିୟାରେ ଏକ ନୂଆ ପଦାର୍ଥ, ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି, ଆମେ କହିପାରିବା ଯେ ଏଠାରେ ରାସାୟନିକ ପରିବର୍ତ୍ତନ ଘଟିଛି । ଏହାକୁ ମଧ୍ୟ ନିମ୍ନୋକ୍ତ ଏହିପରି ରାସାୟନିକ ସମୀକରଣ ରୂପରେ ଉପସ୍ଥାପନ କରାଯାଇପାରିବ ।
ଭିନେଗାର + ବେକିଙ୍ଗ ସୋଡା → କାର୍ବନ ଡାଇଅକ୍ସାଇଡ୍ + ଅନ୍ୟ ପଦାର୍ଥ
ଉପରୋକ୍ତ କାର୍ଯ୍ୟଟିକୁ ବେକିଙ୍ଗ୍ ସୋଡା ଓ ଜଳ ବ୍ୟବହାର କରି ପୁନରାବୃତ୍ତି କର। ତୁମେ କିଛି ଗ୍ୟାସ୍ ଫୋଟକା ସୃଷ୍ଟି ହେବାର ଦେଖୁଛ କି ? ଏହା ଏକ ଭୌତିକ ନା ରାସାୟନିକ ପରିବର୍ତ୍ତନ ?
୫.୩ – ରାସାୟନିକ ପରିବର୍ତ୍ତନ ସହ ସମ୍ପୃକ୍ତ ଅନ୍ୟ କେତେକ ପ୍ରତିକ୍ରିୟା
୫.୩.୧ – କଳଙ୍କି ଧରିବା (Rusting)
ଲୁହାରେ କଳଙ୍କି ଲାଗିବା କଥା ତୁମେ “ଧାତୁ ଓ ଅଧାତୁ ଜଗତ” ଅଧ୍ୟାୟରେ ପଢିଛ । ସେଠାରେ ଧୂସର ରଙ୍ଗର ଏକ ନୂତନ ପଦାର୍ଥ – “କଳଙ୍କି” ସୃଷ୍ଟି ହୋଇଥିଲା । ଏଣୁ କଳଙ୍କି ଧରିବା ମଧ୍ୟ ଏକ ରାସାୟନିକ ପରିବର୍ତ୍ତନ। କାରଣ ଏହା ଏକ ନୂତନ ପଦାର୍ଥ “ଆଇରନ୍ ଅକ୍ସାଇଡ୍” ସୃଷ୍ଟିହେବା ପ୍ରକ୍ରିୟା ସହ ସମ୍ପୃକ୍ତ । (ଚିତ୍ର - ୫.୪)
-
[ଚିତ୍ର ୫.୪: କଳଙ୍କିଲଗା ଲୁହାକଣ୍ଟା]
-
[ଚିତ୍ର ୫.୫: ଉଜ୍ଜ୍ୱଳ ଆଲୋକ ସହିତ ମ୍ୟାଗ୍ନେସିୟମ ଫିତା ଜଳିବା]
୫.୩.୨ - ଦହନ (combustion)
“ଧାତୁ ଓ ଅଧାତୁର ଦୁନିଆ” ଅଧ୍ୟାୟରେ ପଢିଥିବା ମ୍ୟାଗ୍ନେସିୟମ ଫିତାର ଜଳିବା କଥା ମନେପକାଅ (ଚିତ୍ର ୫.୫)। ତୁମେ ଅନୁମାନ କରି କହିପାରିବ କି ଏହା ଭୌତିକ ନା ରାସାୟନିକ ପରିବର୍ତ୍ତନ ।
ମ୍ୟାଗ୍ନେସିୟମ ଫିତା ଜଳିଲେ ମ୍ୟାଗ୍ନେସିଅମ ଅକ୍ସାଇଡ୍ ନାମକ ଏକ ନୂତନ ପଦାର୍ଥ ସୃଷ୍ଟି ହୁଏ । ତେଣୁ ମ୍ୟାଗ୍ନେସିଅମ ଫିତା ଜଳିବା ମଧ୍ଯ ରାସାୟନିକ ପରିବର୍ତ୍ତନ ଅନ୍ତର୍ଗତ ଅଟେ । ଆମେ ପର୍ଯ୍ୟବେକ୍ଷଣ କଲେ ଯେ, ଏହି ପ୍ରତିକ୍ରିୟାରେ ଏକ ନୂତନପଦାର୍ଥ ସୃଷ୍ଟିହେବା ସହିତ ତାପ ଓ ଆଲୋକ ମଧ୍ଯ ଉତ୍ପନ୍ନ ହେଉଛି ।
ମ୍ୟାଗ୍ନେସିୟମ ଫିତା ଜଳିବା ପ୍ରକ୍ରିୟାକୁ ନିମ୍ନ ପ୍ରତିକ୍ରିୟା ଆକାରରେ ଦର୍ଶାଯାଇପାରିବ।
ମ୍ୟାଗ୍ନେସିୟମ + ଅକ୍ସିଜେନ (ବାୟୁ) → ମ୍ୟାଗ୍ନେସିୟମ ଅକ୍ସାଇଡ଼୍ (ଧଳା ପାଉଡ଼ର) + ତାପ + ଆଲୋକ
ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହ ପ୍ରତିକ୍ରିୟା କରି ତାପ କିମ୍ବା ଆଲୋକ କିମ୍ବା ଉଭୟ ତାପ ଓ ଆଲୋକ ଉତ୍ପନ୍ନ କରେ ତାହାକୁ ଦହନ (combustion) କୁହାଯାଏ । ଯେଉଁ ପଦାର୍ଥଗୁଡିକ ଦହନ ପ୍ରତିକ୍ରିୟା କରନ୍ତି ସେମାନଙ୍କୁ ଦହନଶୀଳ (combustible) ପଦାର୍ଥ କୁହାଯାଏ ।
ଉଦାହରଣ ସ୍ୱରୂପ – କାଠ, କାଗଜ, ତୁଳା, କିରୋସିନ୍ ଇତ୍ୟାଦି ଦହନଶୀଳ ପଦାର୍ଥ ।
ଆସ ଜାଣିବା, ଦହନ ପାଇଁ ଅମ୍ଳଜାନର ଉପସ୍ଥିତି ଅତ୍ୟାବଶ୍ୟକ କି ନୁହେଁ ?
କାର୍ଯ୍ୟ- ୫.୫ : ଆସ ଅନୁସନ୍ଧାନ କରିବା
୧. ଦୁଇଟି ଏକା ପ୍ରକାର ମହମବତୀ ଅଲଗା ଅଲଗା ଦୁଇଟି ଚଟକା ପାତ୍ରରେ ରଖି ଜଳାଅ । ୨. ଗୋଟିକୁ ଚିତ୍ରରେ ପ୍ରଦର୍ଶିତ ହେବାପରି ଏକ କାଚପାତ୍ରରେ ଢ଼ାଙ୍କି ଦିଅ (ଚିତ୍ର: ୫.୬ ଖ) । ୩. ମହମବତୀ ଦୁଇଟିର ଜଳୁଥିବା ଶିଖାରେ କ’ଣ ଘଟୁଛି ? ଆମେ ଦେଖୁଛେ ଯେ, ଯେଉଁ ମହମବତୀ ଢ଼ଙ୍କା ଯାଇନଥିଲା ଚିତ୍ର- ୫.୬ (କ) ତାହା ନିରନ୍ତର ଜଳୁଛି ଯେତେବେଳେ କି ଢ଼ଙ୍କା ଯାଇଥିବା ମହମବତୀ (ଚିତ୍ର ୫.୬ ଖ) କିଛି ସମୟ ପରେ ଲିଭିଯାଇଛି । ଏମିତି କାହିଁକି ହୁଏ ?
- [ଚିତ୍ର ୫.୬: ମହମବତୀ (କ) ଖୋଲାରେ ଜଳୁଥିବା (ଖ) କାଚ ଗ୍ଲାସ୍ ଦ୍ୱାରା ଢଙ୍କା ହୋଇଥିବା]
ଯେହେତୁ କାଚପାତ୍ର ଦ୍ଵାରା ଢ଼ଙ୍କା ଯାଇଥିବା ମହମବତୀ ନିରନ୍ତର ବାୟୁ ପାଉନାହିଁ, ଜଳୁଥିବା ଶିଖା ଶୀଘ୍ର ଲିଭିଗଲା । ଦହନରେ ସହାୟକ ହେଉଥିବା ବାୟୁର ସେହି ଉପାଦାନଟି ହେଉଛି ଅମ୍ଳଜାନ ।
ଢ଼ଙ୍କାଯାଇଥିବା ମହମବତୀର ପାତ୍ରରେ ଅଙ୍ଗାରକାମ୍ଳର ଉପସ୍ଥିତି ଦ୍ଵାରା ଏହାକୁ ନିଶ୍ଚିତ କରିହେବ । ତୁମେ କିପରି ଅଙ୍ଗାରକାମ୍ଳ ଗ୍ୟାସ୍ ର ଉପସ୍ଥିତି ପରୀକ୍ଷା କରିପାରିବ ?
ସେହି ପେଟ୍ରି ଡ଼ିସ୍ ରେ ଅଳ୍ପ ପରିମାଣରେ ଚୂନପାଣି ମିଶାଇ ତୁମେ ଅଙ୍ଗାରକାମ୍ଳ ଗ୍ୟାସ୍ ର ଉପସ୍ଥିତି ପରୀକ୍ଷା କରିପାରିବ । ତୁମେ ଲକ୍ଷ୍ୟ କରିବ ଯେ ତାହା ଦୁଧୂଆ ରଙ୍ଗକୁ ବଦଳି ଯାଇଛି । ମହମରେ ଥିବା ଅଙ୍ଗାରକ (କାର୍ବନ) ଓ ବାୟୁର ଅମ୍ଳଜାନଦ୍ୱାରା ଏହି ଅଙ୍ଗାରକାମ୍ଳ ସୃଷ୍ଟି ହୋଇଥିଲା । ଅନ୍ୟକଥାରେ, ଦହନ ପାଇଁ ଅମ୍ଳଜାନ ଆବଶ୍ୟକ ।
ବିଜ୍ଞାନ ଓ ସମାଜ :
ଯଦି ଜଣେ ବ୍ୟକ୍ତିଙ୍କ ପିନ୍ଧିଥିବା ପୋଷାକରେ ନିଆଁ ଲାଗିଯାଏ ତେବେ ଜଣେ ସେହି ନିଆଁକୁ ଲିଭାଇବା ପାଇଁ ସର୍ବୋତ୍ତମ ଉପାୟଟି କ'ଣ ? ସେହି ବ୍ୟକ୍ତିଙ୍କ ଉପରେ ଗୋଟିଏ କମ୍ବଳ କିମ୍ବା ମୋଟା କପଡ଼ା ଘୋଡ଼ାଇ ଦିଅ। ଏହା ବାୟୁ ଯୋଗାଣକୁ ବିଚ୍ଛିନ୍ନ କରିଦିଏ ଏବଂ ନିଆଁ ଲିଭିଯାଏ। ସତର୍କତା : କୃତ୍ରିମତନ୍ତୁ ନିର୍ମିତ କମ୍ବଳ (ସିନଥେଟିକ୍ କମ୍ବଳ) ବା ସିନଥେଟିକ୍ କପଡ଼ା କେବେବି ନିଆଁ ଲିଭେଇବା ପାଇଁ ବ୍ୟବହାର ହେବା ଉଚିତ୍ ନୁହେଁ । କାରଣ ଏଗୁଡ଼ିକ ତରଳି ଚର୍ମରେ ଲାଗିଯିବ।
ଚିତ୍ତାକର୍ଷକ ତଥ୍ୟ :
ପ୍ରକୃତିର ବିସ୍ମୟ – ବିଳମ୍ବିତ ସନ୍ଧ୍ୟାରେ ଏକ ଉଦ୍ୟାନ ବା ପ୍ରାନ୍ତରେ କିଛି କୀଟଙ୍କ ଠାରୁ ଆଲୋକ ବାହାରୁଥିବାର ତୁମେ ହୁଏତ ଦେଖିଥିବ ? ଏହି କୀଟଗୁଡ଼ିକୁ ଖଦ୍ୟୋତ (ଜୁଳୁଜୁଳିଆ ପୋକ) କହନ୍ତି । ସେମାନଙ୍କ ଆଲୋକ ଏକ ରାସାୟନିକ ପରିବର୍ତ୍ତନ ଦ୍ଵାରା ଉତ୍ପନ୍ନ ହୋଇଥାଏ। ସଜୀବଙ୍କ ଠାରେ କୌଣସି ପ୍ରକାର ତାପ ବିନା ଆଲୋକ ଉତ୍ପାଦନକୁ ଜୈବଦୀପ୍ତି (bioluminescence) କୁହାଯାଏ।
- [ଚିତ୍ର: ରାତିରେ ଗଛ ଉପରେ ଜଳୁଥିବା ଜୁଳୁଜୁଳିଆ ପୋକ]
ଦହନ ପାଇଁ ବାୟୁର ଉପସ୍ଥିତି ଯଥେଷ୍ଟ କି ?
ଆମେ ଉପରୋକ୍ତ କାର୍ଯ୍ୟରୁ ଶିଖିଲୁ ଯେ, ଦହନ ପାଇଁ ଦହନଶୀଳ ପଦାର୍ଥ ଓ ଅମ୍ଳଜାନ ଆବଶ୍ୟକ । ଆଉ ମଧ୍ଯ ଆମେ ଜାଣିଛୁ ଯେ, କାଗଜ ଏକ ଦହନଶୀଳ ପଦାର୍ଥ, କିନ୍ତୁ ଆମେ ଏହାକୁ ଯେତେ ଦୀର୍ଘ ସମୟ ପାଇଁ ବାୟୁରେ ରଖିଲେ ମଧ୍ୟ ଏଥିରେ ନିଆଁ ଲାଗିବ ନାହିଁ । ତେବେ ଦହନ ପାଇଁ ଆଉ କ’ଣ ଆବଶ୍ୟକ ? ଆସ ଏ ବିଷୟରେ ଶିଖିବା ।
କାର୍ଯ୍ୟ- ୫.୬ : ଆସ ଅନୁସନ୍ଧାନ କରିବା
ସତର୍କତା – ଏହି କାର୍ଯ୍ୟକୁ ତୁମ ଶିକ୍ଷକ କିମ୍ବା ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ତତ୍ତ୍ବାବଧାନରେ କର ।
-
[ଚିତ୍ର ୫.୭ (a): ସୂର୍ଯ୍ୟକିରଣକୁ ପରିବର୍ଦ୍ଧକ କାଚ (Magnifying glass) ସାହାଯ୍ୟରେ କାଗଜ ଉପରେ କେନ୍ଦ୍ରୀଭୂତ କରିବା]
-
[ଚିତ୍ର ୫.୭ (b): କେନ୍ଦ୍ରୀଭୂତ ସୂର୍ଯ୍ୟକିରଣ ଦ୍ୱାରା କାଗଜରେ ନିଆଁ ଲାଗିବା]
୧. ଚିମୁଟାରେ ଖଣ୍ଡେ କାଗଜ ଧରି ଜଳୁଥିବା ଦିଆସିଲି କାଠି ନିକଟକୁ ଆଣ । ଏଥିରେ ସଙ୍ଗେସଙ୍ଗେ ନିଆଁ ଲାଗିଯିବ । ତୁମେ କହିପାରିବ କି ଜ୍ବଳନ ପ୍ରକ୍ରିୟା ପାଇଁ ଆମେ କାହିଁକି ନିଆଁ ଆବଶ୍ୟକ କରୁ ? ୨. ଆଉ ଖଣ୍ଡିଏ କାଗଜ ନିଅ । ଗୋଟିଏ ପରିବର୍ଦ୍ଧକ କାଚ ସାହାଯ୍ୟରେ ଏହା ଉପରେ ସୂର୍ଯ୍ୟକିରଣକୁ ସବୁଠାରୁ ଉଜ୍ଜ୍ଵଳ ବିନ୍ଦୁ ସଦୃଶ ଚିହ୍ନ ଆସିବା ପରି କେନ୍ଦ୍ରୀଭୂତ କର (ଚିତ୍ର ୫.୭ (କ))। କିଛି ସମୟ ସେଠାରେ ଏହାକୁ ଧରି ରଖ । ତୁମେ କ’ଣ ଦେଖୁଛ ?
ଆମେ ଦେଖୁଛୁ ଯେ, ସେହି କାଗଜରୁ ଧୂଆଁ ନିର୍ଗତ ହେବା ଆରମ୍ଭ ହେଉଛି ଏବଂ ତା ପରେ ଏଥିରେ ନିଆଁ ଲାଗିଯାଉଛି (ଚିତ୍ର ୫.୭ ଖ) । ଏଣୁ ଆମେ ଜାଣିଲେ ଯେ, ଗୋଟିଏ ପଦାର୍ଥ ବିନା ନିଆଁରେ ମଧ୍ଯ ଜଳିପାରିବ । ଏହି ପରିବର୍ତ୍ତନକୁ ଆମେ କିପରି ବୁଝାଇବା ?
କାଗଜ ଉପରେ ସୂର୍ଯ୍ୟକିରଣ କେନ୍ଦ୍ରିତ ହୋଇ ଏହାକୁ ଉତ୍ତପ୍ତ କରେ । ସମୟକ୍ରମେ କାଗଜଟିର ତାପମାତ୍ରା ବଢି ଚାଲେ। କିଛି ସମୟ ପରେ କାଗଜଟି ଏତେ ଉତ୍ତପ୍ତ ହୋଇଯାଏ ଯେ, ଏହା ଜଳିବାକୁ ଆରମ୍ଭ କରେ । ଯେଉଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପଦାର୍ଥ ଜଳିବାକୁ ଆରମ୍ଭ କରେ ତାହାକୁ ସେହି ପଦାର୍ଥର ପ୍ରଜ୍ଜ୍ଵଳନ ତାପମାତ୍ରା (ignition temperature) କୁହାଯାଏ। ଯେହେତୁ ଜଳୁଥିବା ଡିଆସିଲି କାଠିଟିର ତାପମାତ୍ରା କାଗଜଟିର ପ୍ରଜ୍ଜ୍ଵଳନ ତାପମାତ୍ରା ଠାରୁ ଅଧିକ ରହିଥୁଲା କାଗଜଟିରେ ତୁରନ୍ତ ନିଆଁ ଲାଗିଗଲା ।
- [ଚିତ୍ର ୫.୮: ଅଗ୍ନି ତ୍ରିଭୁଜ (Fire Triangle) - ଅମ୍ଳଜାନ, ଇନ୍ଧନ, ତାପ]
ତେଣୁ ଆମେ ଏହି ସିଦ୍ଧାନ୍ତ ନେଇପାରିବା ଯେ, ଦହନ ପ୍ରକ୍ରିୟା ଘଟିବା ପାଇଁ ତିନୋଟି କାରକ ଆବଶ୍ୟକ (ଚିତ୍ର ୫.୮): ୧. ଏକ ଦହନଶୀଳ ପଦାର୍ଥ, ଯାହାକୁ “ଇନ୍ଧନ” (fuel) ମଧ୍ୟ କୁହାଯାଏ । ୨. ଅମ୍ଳଜାନ ୩. ଇନ୍ଧନ କୁ ଏହାର ପ୍ରଜ୍ବଳନ ତାପମାତ୍ରାରେ ପହଞ୍ଚାଇବା ପାଇଁ ଆବଶ୍ୟକ ତାପ ।
୫.୪ ସମାନ ପ୍ରତିକ୍ରିୟାରେ ଭୌତିକ ଓ ରାସାୟନିକ ପରିବର୍ତ୍ତନ ଘଟିପାରିବ କି ?
ମହମବତୀଟିଏ ଜଳିବା ବେଳେ କ’ଣ ସବୁ ପରିବର୍ତ୍ତନ ହୁଏ ? ଆସ ଅନୁସନ୍ଧାନ କରିବା।
- [ଚିତ୍ର ୫.୯ : ମହମବତୀର ଜ୍ଵଳନ ସମୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚାଲିଥିବା ଆଲୋଚନାର ଦୃଶ୍ୟ]
କାର୍ଯ୍ୟ ୫.୭ ଚିନ୍ତା କର, ଯୁଗ୍ମ ଭାବରେ ଆଲୋଚନା କର ଓ ବିନିମୟ କର ।
ଚିତ୍ର ୫.୯କୁ ଦେଖ । ଛାତ୍ରଛାତ୍ରୀମାନେ ଜଳୁଥିବା ମହମବତୀ ବିଷୟରେ କ'ଣ ସବୁ ଆଲୋଚନା କରୁଛନ୍ତି ବିଶ୍ଳେଷଣ କର।
-
"ମହମବତୀର ମହମ ତରଳି ଯାଏ ........."
-
"ମୁଁ ଭାବୁଛି ମହମ ଜଳେ ଏବଂ ନୂତନ ପଦାର୍ଥ ସୃଷ୍ଟି ହୁଏ ..."
-
"ହୁଏତ ମହମବତୀର ସଳିତାଟି ତରଳ ମହମକୁ ଟାଣି ଦେଇଥାଏ ..."
-
"ମହମ ତରଳିଯାଏ, ବହି ଯାଏ ଏବଂ ବିଭିନ୍ନ ଆକାରରେ ଘନୀଭୂତ ହୁଏ..."
-
"ବୋଧହୁଏ ..."
ମହମବତୀର ମହମ ତରଳି ଯାଏ ଓ ବତୀ ଉପରକୁ ଉଠିଯାଏ ଏବଂ ଶିଖାର ଉତ୍ତାପ ଯୋଗୁ ବାଷ୍ପୀଭୂତ ହୋଇଯାଏ । ମହମର ବାଷ୍ପ ଜଳି ଶିଖା ସୃଷ୍ଟି କରେ । ମହମ ତରଳିବା, ଘନୀଭୂତ ହେବା ଏବଂ ବାଷ୍ପୀଭୂତ ହେବା ଭୌତିକ ପରିବର୍ତ୍ତନ ଅଟନ୍ତି । ଅନ୍ୟପକ୍ଷରେ ମହମର ବାଷ୍ପ ଜଳିବା ଏକ ରାସାୟନିକ ପରିବର୍ତ୍ତନ ଅଟେ । ଏହା ଦର୍ଶାଏ ଯେ ମହମବତୀ ଜଳିବାରେ ଉଭୟ ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମ୍ପୃକ୍ତ।
ଜଣେ ବୈଜ୍ଞାନିକଙ୍କୁ ଜାଣିବା
ତୁମେ ଯେଉଁ ମହମବତୀ ଦେଖୁଛ, ତାହା ବହୁତ ଦିନ ଧରି ମାଇକେଲ୍ ଫାରାଡେଙ୍କ ପରି ଅନେକ ବୈଜ୍ଞାନିକଙ୍କ ପାଇଁ କୌତୂହଳର ବିଷୟ ହୋଇ ରହିଥିଲା । ମାଇକେଲ୍ ଫାରାଡେଙ୍କର ବିଜ୍ଞାନର ବିଭିନ୍ନକ୍ଷେତ୍ରରେ ଅନେକ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ ଊନବିଂଶ ଶତାବ୍ଦୀରେ ମହମବତୀର ରାସାୟନିକ ଇତିହାସ ସମ୍ବନ୍ଧରେ ଏକ ବକ୍ତୃତାମାଳା ପ୍ରଦାନ କରିଥିଲେ । ଫାରାଡେ ବିଶ୍ଵାସ କରୁଥିଲେ ଯେ, ବୈଜ୍ଞାନିକ ଅଧ୍ୟୟନ ନିମନ୍ତେ ମହମବତୀ ହେଉଛି ଏକ ଉପଯୁକ୍ତ ବସ୍ତୁ । ସେ ଏହା ମାଧ୍ୟମରେ ଗଳନ, ବାଷ୍ପୀଭବନ ଓ ଦହନ ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ।
୫.୫ ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଅଟନ୍ତି କି ?
ଥରେ କୌଣସି ଜିନିଷର କିଛି ପରିବର୍ତ୍ତନ ହୋଇଗଲା ପରେ ଆମେ ଏହାକୁ ତାହାର ମୂଳ ରୂପରେ ଫେରି ପାଇବା କି ?
କାର୍ଯ୍ୟ ୫.୮ - ଆସ ଚିନ୍ତା କରିବା
ଆମେ ଏ ପର୍ଯ୍ୟନ୍ତ ଯେତେସବୁ ପରିବର୍ତ୍ତନ ବିଷୟରେ ଆଲୋଚନା କରିଛେ ସେ ସବୁକୁ ଆଉଥରେ ଚିନ୍ତା କର। ଏମାନଙ୍କ ମଧ୍ୟରୁ କେଉଁ ବସ୍ତୁ ବା ପଦାର୍ଥକୁ ଆମେ ଆରମ୍ଭରେ ଯେଉଁ ରୂପରେ ଦେଖୁଥିଲେ ସେହି ରୂପରେ ଫେରିପାଇବା ? ତୁମର ପର୍ଯ୍ୟବେକ୍ଷଣକୁ ସାରଣୀ ୫.୨ରେ ଲେଖ।
ସାରଣୀ ୫.୨ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତ୍ତୀ ହୋଇପାରିବ କି ?
| କ୍ରମିକ ସଂଖ୍ୟା | ପରିବର୍ତ୍ତନ | ମୂଳ ଅବସ୍ଥା ଫେରି ପାରିବ (ହଁ/ ନା) |
|---|---|---|
| ୧ | ବରଫ ତରଳାଇବା | |
| ୨ | ପନିପରିବା କାଟିବା | ନା |
| ୩ | ପାଣି ଫୁଟାଇବା | |
| ୪ | ଚାଉଳରୁ ମୁଢ଼ି ତିଆରି କରିବା | |
| ୫ | ||
| ୬ |
ଯେଉଁ ପରିବର୍ତ୍ତନରେ ଆମେ ପଦାର୍ଥର ମୂଳ ଅବସ୍ଥାକୁ ଫେରି ପାଇଥାଉ ତାହା ପ୍ରତ୍ୟାବର୍ତ୍ତୀ। ଉଦାହରଣ ସ୍ଵରୂପ ଯେତେବେଳେ ବରଫ ତରଳେ, ଏହାକୁ ପୁନଃ ଥଣ୍ଡାକରି ବରଫ ପାଇହୁଏ। ସେହିପରି ଯେତେବେଳେ ଜଳ ବାଷ୍ପୀଭୂତ ହୁଏ, ଏହାକୁ ଘନୀଭୂତ କରି ତରଳ ଜଳ ପାଇହୁଏ। ତଥାପି କେତେକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ ହୋଇପାରିବ ନାହିଁ । ଯେହେତୁ ପରିବର୍ତ୍ତନ ପରେ ଆମେ ପଦାର୍ଥକୁ ଆଉ ତା’ର ମୂଳ ରୂପରେ ଫେରି ପାଇବା ନାହିଁ । ଉଦାହରଣ ସ୍ୱରୂପ କଟା ଯାଇଥିବା ପନିପରିବାକୁ ଆଉ ସେମାନଙ୍କର ପୂର୍ବ ଆକାର ଓ ଆକୃତିକୁ ଫେରାଇ ଅଣାଯାଇ ପାରିବ ନାହିଁ। ମୁଢ଼ି ପ୍ରସ୍ତୁତି ପରେ ଆଉ ସେଥିରୁ ମୂଳ ପଦାର୍ଥ ଚାଉଳ ପାଇ ହେବ ନାହିଁ । ଏଣୁ ଆମ ଚାରିପାଖରେ ଘଟିଥିବା ପରିବର୍ତ୍ତନମାନଙ୍କୁ ପ୍ରତ୍ୟାବର୍ତ୍ତୀ ଓ ଅପ୍ରତ୍ୟାବର୍ତ୍ତୀ ଏପରି ଦୁଇଟି ଶ୍ରେଣୀଭୁକ୍ତ କରାଯାଇ ପାରିବ।
୫.୬ ସମସ୍ତ ପରିବର୍ତ୍ତନ ଆବଶ୍ୟକ କି ?
ଆମ ଦୈନନ୍ଦିନ ଜୀବନରେ ଅନେକ ଉପଯୋଗୀ ପରିବର୍ତ୍ତନ ଘଟେ । ଉଦାହରଣ ସ୍ୱରୂପ କ୍ଷୀର ଦହିରେ ପରିଣତ ହେବା, ଫଳ ପାଚିବା, ଫଳ କାଟିବା ଏବଂ ଖାଦ୍ୟ ରନ୍ଧନ କରିବା। ଏ ସମସ୍ତ ପରିବର୍ତ୍ତନ ଆମର ଆବଶ୍ୟକ। ତୁମେ ଆମ ଚାରିପାଖରେ ଘଟୁଥିବା ଅନ୍ୟ କେତେକ ଆବଶ୍ୟକ ପରିବର୍ତ୍ତନ କଥା ଭାବିପାରିବ କି ?
- [ଚିତ୍ର ୫.୧୦: (କ) ଏକ ପାହାଡ଼ର ତଳେ ଥିବା ଅବକ୍ଷେପ (ଖ) ଶିଳାରେ ଲାଲ ଅବକ୍ଷେପ ସ୍ତର]
ଅନ୍ୟ ପକ୍ଷରେ କେତେକ ପରିବର୍ତ୍ତନ ଆମ ପାଇଁ ଅନାବଶ୍ୟକ ହୋଇପାରେ, ଯେପରିକି ଲୁହାରେ କଳଙ୍କି ଲାଗିବା କିମ୍ବା ସଂରକ୍ଷଣ ବେଳେ ଖାଦ୍ୟ ପଚିଯିବା। ଗୋଟିଏ ପରିବର୍ତ୍ତନ କେତେକ ପରିସ୍ଥିତିରେ ଅନାବଶ୍ୟକ ହୋଇପାରେ ବା ଆମ ପାଇଁ ଖୁବ୍ ଉପଯୋଗୀ ହୋଇପାରେ। ଉଦାହରଣ ସ୍ଵରୂପ ଖାଦ୍ୟର ବିଘଟନ, ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟରେ ପରିବର୍ତ୍ତନ କରିବା ପାଇଁ ଅତି ଉପଯୋଗୀ ହୋଇପାରିବ।
ବର୍ଷବର୍ଷ ଧରି ମାନବର କାର୍ଯ୍ୟକଳାପ ଯୋଗୁ କିଛି ପରିବର୍ତ୍ତନ ଏକ ଦୀର୍ଘକାଳୀନ ପରିବେଶଗତ ପ୍ରଭାବ ପକାଇପାରେ। ଉଦାହରଣ ସ୍ଵରୂପ, ମୋଟର ଯାନ, ରେଳଗାଡ଼ି, ଉଡ଼ାଜାହାଜ ଆଦି ଯାନବାହନଗୁଡ଼ିକରେ ଇନ୍ଧନର ବ୍ୟବହାରର ବୃଦ୍ଧି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି କରୁଛି। କାନ୍ଥ, ଦରଜା, ଆସବାବପତ୍ରରେ ଲଗା ଯାଇଥିବା ରଙ୍ଗ ଶୁଖି ବାଷ୍ପୀଭବନ ମାଧ୍ଯମରେ ବାୟୁମଣ୍ଡଳ ପ୍ରଦୂଷଣ ସୃଷ୍ଟିକାରୀ ଅନେକ ପଦାର୍ଥ ନିର୍ଗତ କରେ।
୫.୭ କେତେକ ମନ୍ଥର ପ୍ରାକୃତିକ ପରିବର୍ତ୍ତନ
୫.୭.୧ ଶିଳାର ଅବକ୍ଷୟ
ତୁମେ ପର୍ବତର ପାଦଦେଶରେ ବାଲି, ମାଟି, ପଥର ସବୁ ଗଦା ହୋଇଥିବାର ଦେଖୁଛ ? ଚିତ୍ର ୫.୧୦ (କ) ଏଗୁଡ଼ିକୁ ଅପକ୍ଷେପ କୁହାଯାଏ। ଏଗୁଡ଼ିକ କିପରି ସୃଷ୍ଟି ହୋଇଛି ? ଭୌତିକ ପରିବର୍ତ୍ତନ ଦ୍ଵାରା ବଡ଼ବଡ଼ ଶିଳା ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଏ । ଜଳବାୟୁର ଅବସ୍ଥା ଯୋଗୁ ତାପମାତ୍ରାରେ ପରିବର୍ତ୍ତନ, ଗଛମାନଙ୍କର ଚେର ବୃଦ୍ଧି, ଏପରିକି ଶିଳାଫାଟରେ ଜଳ ବରଫ ହୋଇ ଜମିବା କାରଣରୁ ଶିଳା ସବୁ ଭାଙ୍ଗିଯାଏ।
ଜଳ ଓ ଜଳରେ ଥିବା ରାସାୟନିକ ପଦାର୍ଥ ମଧ୍ଯ ଶିଳା ସହ ପ୍ରତିକ୍ରିୟା କରେ । ସେମାନଙ୍କ ରାସାୟନିକ ସଂଗଠନରେ ପରିବର୍ତ୍ତନ କରାଇଥାଏ। ଏପରି ରାସାୟନିକ ପରିବର୍ତ୍ତନର ଏକ ଉଦାହରଣ ଚିତ୍ର ୫.୧୦ (ଖ)ରେ ପ୍ରଦର୍ଶିତ ହୋଇଛି। ଏଠାରେ ମୂଳତଃ କଳାରଙ୍ଗର ଏକ ପଥର ‘ବାସାଲ୍ଟ’ରେ ଥିବା ଲୁହାର ରାସାୟନିକ ପରିବର୍ତ୍ତନ ହୋଇ ଏକ ଲାଲ୍ ରଙ୍ଗର ସ୍ତର ଉତ୍ପନ୍ନ ହେଉଛି । ଏହି ଲାଲ୍ ରଙ୍ଗର ସ୍ତରଟି ଆଇରନ୍ ଅକ୍ସାଇଡ୍। ଶିଳା ପୃଷ୍ଠ ଦୀର୍ଘକାଳ ପର୍ଯ୍ୟନ୍ତ ଜଳ କିମ୍ବା ଜଳୀୟବାଷ୍ପ ଧାରଣ କରୁଥିବା ବାୟୁ ସଂସ୍ପର୍ଶରେ ଆସିଲେ ଆଇରନ୍ ଅକ୍ସାଇଡ୍ ସୃଷ୍ଟି ହୁଏ । ଶିଳାରେ ଏ ସବୁ ଭୌତିକ ଓ ରାସାୟନିକ ପରିବର୍ତ୍ତନ ସମୂହକୁ ଶିଳା ଅବକ୍ଷୟ କୁହାଯାଏ, ଯାହା ଶେଷରେ ମୃତ୍ତିକା ତିଆରି କରେ।
୫.୭.୨ କ୍ଷୟ (Erosion)
ନଦୀ ଶଯ୍ୟାରେ ବା ହ୍ରଦରେ ସୂକ୍ଷ୍ମ ବାଲି ଜମା ହୋଇଥିବାର ଲକ୍ଷ୍ୟ କରିଛ କି ? ଶିଳାଗୁଣ୍ଡ ମୃତ୍ତିକା ଓ ଅବକ୍ଷେପ ସବୁ ଭାଙ୍ଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପବନ, ଜଳସ୍ରୋତ ଆଦି ପ୍ରାକୃତିକ ବଳ ଦ୍ଵାରା ସ୍ଥାନାନ୍ତରିତ ହୋଇ ବାଲି ସୃଷ୍ଟି ହୋଇଥାଏ। ଏହି ପ୍ରକ୍ରିୟାକୁ “କ୍ଷୟ” କୁହାଯାଏ। ଭୂସ୍ଖଳନ ସମୟରେ ମୃତ୍ତିକା କ୍ଷୟ ଏକ ଭୌତିକ ପରିବର୍ତ୍ତନର ଉଦାହରଣ। ନଦୀର ପଥର ଓ ବାଲିଗରଡ଼ା ସବୁ ଜଳସ୍ରୋତରେ କ୍ରମାଗତ କ୍ଷୟ ଯୋଗୁ ଚିକ୍କଣ ଦେଖାଯାନ୍ତି । ତୁମେ ଜଳସ୍ରୋତରେ ବାଲିଗରଡ଼ା ଦେଖିଥିବ। ଯେତେବେଳେ ପବନ ବା ଜଳସ୍ରୋତର ବେଗ ହ୍ରାସ ପାଏ ଶିଳାକ୍ଷୟ ଯୋଗୁ ଏ ସବୁ ବାହିତ ହୋଇ ଆସିଥିବା ପଦାର୍ଥ ସାଗର ବା ହ୍ରଦର ନିମ୍ନ ଶଯ୍ୟାରେ ବସିଯାଆନ୍ତି । ଏହି ଅବକ୍ଷେପ ସବୁ ବହୁବର୍ଷ ଧରି ଜମା ହୋଇ ଶକ୍ତ ହୁଏ ଓ ନୂତନ ଶିଳା ଗଠିତ ହୁଏ। ଏହିପରି ପରିବର୍ତ୍ତନ ହଜାର ହଜାର ବର୍ଷ ଧରି ଚାଲିଛି। ଏହା ପ୍ରତ୍ୟାବର୍ତ୍ତୀ ହୋଇପାରିବ ନାହିଁ ।
ସଂକ୍ଷେପରେ
୧. ଏକ ଭୌତିକ ପରିବର୍ତ୍ତନରେ ଗୋଟିଏ ପଦାର୍ଥ ବା ବସ୍ତୁର ଭୌତିକ ଗୁଣରେ ପରିବର୍ତ୍ତନ ହୋଇଥାଏ ଓ କୌଣସି ନୂତନ ପଦାର୍ଥ ସୃଷ୍ଟି ହୋଇ ନଥାଏ। ୨. ଏକ ରାସାୟନିକ ପରିବର୍ତ୍ତନ ହେଉଛି ଯେଉଁଥିରେ ଏକ ବା ଏକାଧୂକ ନୂତନ ପଦାର୍ଥ ସୃଷ୍ଟି ହୁଏ । ଏହା ଏକ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ହୋଇଥାଏ, ଯାହାକୁ ରାସାୟନିକ ସମୀକରଣ ମାଧ୍ୟମରେ ଦର୍ଶାଯାଇପାରିବ। ୩. ଦହନ, ରନ୍ଧନ ଓ କଳଙ୍କି ଧରିବା ରାସାୟନିକ ପରିବର୍ତ୍ତନର ଉଦାହରଣ। ୪. ଯେଉଁ ପଦାର୍ଥଗୁଡ଼ିକର ଦହନ ହୋଇଥାଏ, ସେମାନେ ଦହନଶୀଳ ପଦାର୍ଥ ଅଟନ୍ତି । ତାପ କିମ୍ବା ଆଲୋକ ବା ଉଭୟ ଦହନ ସମୟରେ ନିର୍ଗତ ହୋଇଥାନ୍ତି। ୫. ଯେଉଁ ସର୍ବନିମ୍ନ ତାପମାତ୍ରାରେ ଗୋଟିଏ ପଦାର୍ଥ ନିଆଁ ଧରିପାରେ, ତାହାକୁ ସେହି ପଦାର୍ଥର ପ୍ରଜ୍ଜ୍ଵଳନ ତାପମାତ୍ରା କହନ୍ତି । ୬. କେତେକ ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ ଓ ଅନ୍ୟ କେତେକ ଅପ୍ରତ୍ୟାବର୍ତ୍ତୀ ଅର୍ଥାତ୍ ପ୍ରତ୍ୟାବର୍ତ୍ତୀ ନୁହଁନ୍ତି । ୭. କେତେକ ପରିବର୍ତ୍ତନ ଉପଯୋଗୀ ଓ ଅନ୍ୟ କେତେକ ସେପରି ନୁହନ୍ତି। ୮. ଭୌତିକ ଓ ରାସାୟନିକ ପରିବର୍ତ୍ତନ ଦେଇ ଗତିକରି ଶିଳା ବିଭାଜିତ ହୁଏ ଓ ମୃତ୍ତିକା ଗଠିତ ହୁଏ । ୯. ଜଳସ୍ରୋତ ଓ ପବନ ଦ୍ୱାରା ହେଉଥିବା କ୍ଷୟ ଏକ ଭୌତିକ ପରିବର୍ତ୍ତନ।
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
୧. ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଏକ ଭୌତିକ ପରିବର୍ତ୍ତନର ଲକ୍ଷଣ ଅଟନ୍ତି ? (i) ପଦାର୍ଥର ଅବସ୍ଥା ପରିବର୍ତ୍ତନ ହୋଇପାରେ କିମ୍ବା ହୋଇନପାରେ। (ii) ଭିନ୍ନ ଧର୍ମ ବିଶିଷ୍ଟ ଏକ ପଦାର୍ଥ ସୃଷ୍ଟି ହୁଏ । (iii) କୌଣସି ନୂତନ ପଦାର୍ଥ ସୃଷ୍ଟି ହୁଏନାହିଁ । (iv) ପଦାର୍ଥଟି ଏକ ରାସାୟନିକ ପ୍ରତିକ୍ରିୟା କରିଥାଏ। (କ) (i) ଓ (ii) (ଖ) (ii) ଓ (iii) (ଗ) (i) ଓ (iii) (ଘ) (iii) ଓ (iv)
୨. ନିମ୍ନରେ ଦିଆଯାଇଥିବା କେଉଁ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତ୍ତୀ ହୋଇପାରିବ ଓ କେଉଁଗୁଡ଼ିକ ହୋଇପାରିବ ନାହିଁ ଅନୁମାନ କର। ଯଦି ତୁମେ ନିଶ୍ଚିତ ନୁହେଁ, ତେବେ ତଳେ ତାହା ଲେଖି ପାରିବ। ଏ ସବୁ ସମ୍ବନ୍ଧରେ ତୁମେ କାହିଁକି ନିଶ୍ଚିତ ନୁହଁ । କ) କପଡ଼ା ସିଲେଇ ସାର୍ଟ କରିବା ଖ) ସିଧା ସୂତାକୁ ବଙ୍କା କରିବା ଗ) ପିଠଉରୁ ଇଡ୍ଲି ତିଆରି କରିବା ଘ) ପାଣିରେ ଚିନି ଦ୍ରବୀଭୂତ କରିବା ଙ) କୂଅରୁ ପାଣି କାଢ଼ିବା ଚ) ଫଳ ପାଚିବା ଛ) ଏକ ଖୋଲା ପାତ୍ରରେ ପାଣି ଫୁଟାଇବା ଜ) ଏକ ଗାଲିଚାକୁ ଗୁଡ଼ାଇବା ଝ) ଗହମ ପେଷି ଅଟା ପ୍ରସ୍ତୁତ କରିବା ଞ) ଶିଳାରୁ ମୃତ୍ତିକା ପ୍ରସ୍ତୁତି
୩. ନିମ୍ନ ଉକ୍ତିଗୁଡ଼ିକ ସତ୍ୟ ବା ମିଥ୍ୟା ଦର୍ଶାଅ । ଯଦି କୌଣସି ଉକ୍ତି ମିଥ୍ୟା ହୋଇଥାଏ ତେବେ ସତ୍ୟ ଉକ୍ତିଟି ଲେଖ। (କ) ମହମବତୀ ଜଳିବା ପାଇଁ ମହମ ତରଳିବା ଆବଶ୍ୟକ। (ସତ୍ୟ/ ମିଥ୍ୟା) (ଖ) ଜଳୀୟବାଷ୍ପକୁ ଘନୀଭୂତ କରି ଜଳ ସଂଗ୍ରହ କରିବା ରାସାୟନିକ ପରିବର୍ତ୍ତନର ଅନ୍ତର୍ଭୁକ୍ତ । (ସତ୍ୟ/ ମିଥ୍ୟା) (ଗ) ପତ୍ରକୁ କମ୍ପୋଷ୍ଟରେ ପରିଣତ କରିବା ଏକ ରାସାୟନିକ ପରିବର୍ତ୍ତନ ଅଟେ । (ସତ୍ୟ/ ମିଥ୍ୟା) (ଘ) ଲେମ୍ବୁରସ ସହ ଖାଇବା ସୋଡ଼ା ମିଶାଇବା ଏକ ରାସାୟନିକ ପରିବର୍ତ୍ତନ। (ସତ୍ୟ/ ମିଥ୍ୟା)
୪. ନିମ୍ନ ଉକ୍ତିଗୁଡ଼ିକରେ ଥିବା ଶୂନ୍ୟସ୍ଥାନ ପୂରଣ କର: (କ) ନଳିନୀ ଲକ୍ଷ୍ୟ କଲା ଯେ ତା’ ସାଇକେଲ ହ୍ୟାଣ୍ଡେଲରେ ଧୂସରରଙ୍ଗର ପଦାର୍ଥ ଜମିଯାଇଛି। ସେହି ଧୂସର ପଦାର୍ଥଗୁଡ଼ିକ ________ ଯୋଗୁ ଜମିଛି ଏବଂ ଏହା ଏକ ________ ପରିବର୍ତ୍ତନ। (ଖ) ଗୋଟିଏ ରୁମାଲକୁ ଭାଙ୍ଗିବା ଏକ ________ ପରିବର୍ତ୍ତନ ଏବଂ ଏହାକୁ ________ କରାଯାଇ ପାରିବ। (ଗ) ଯେଉଁ ରାସାୟନିକ ପ୍ରତିକ୍ରିୟାରେ ଗୋଟିଏ ପଦାର୍ଥ ଅମ୍ଳଜାନ ସହ ପ୍ରତିକ୍ରିୟା କରିବା ସହିତ ତାପ ନିର୍ଗତ କରେ ତାହାକୁ ________ କହନ୍ତି ଏବଂ ଏହା ଏକ ________ ପରିବର୍ତ୍ତନ। (ଘ) ମ୍ୟାଗ୍ନେସିୟମ ବାୟୁରେ ଜଳି ଉତ୍ପନ୍ନ କରୁଥିବା ପଦାର୍ଥକୁ ________ କହନ୍ତି। ଉତ୍ପନ୍ନ ପଦାର୍ଥଟିର ପ୍ରକୃତି ________ । ମ୍ୟାଗ୍ନେସିୟମ ଜଳିବା ଏକ ________ ପରିବର୍ତ୍ତନ।
୫. ଜଳ ବରଫକୁ ଏବଂ ଜଳ ଜଳୀୟବାଷ୍ପକୁ ପରିବର୍ତ୍ତନ ହେବା ଭୌତିକ ପରିବର୍ତ୍ତନ ନା ରାସାୟନିକ ପରିବର୍ତ୍ତନ ବୁଝାଅ।
୬. ଦୁଧକୁ ଦହି କରିବା ଏକ ଭୌତିକ ନା ରାସାୟନିକ ପରିବର୍ତ୍ତନ ? ତୁମ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବା ।
୭. ପ୍ରାକୃତିକ କାରକ – ପବନ, ବର୍ଷା ଇତ୍ୟାଦି ଶିଳାରୁ ମୃତ୍ତିକା କରିବାରେ ସାହାଯ୍ୟ କରନ୍ତି। ଏହି ପରିବର୍ତ୍ତନ ଭୌତିକ ନା ରାସାୟନିକ ଏବଂ କାହିଁକି ?
୮. ତଳେ ଦିଆ ଯାଇଥିବା ପରିବେଶ ଅନୁକୂଳ ପୃଥିବୀ ଶୀର୍ଷକ ଗଳ୍ପଟିକୁ ପଢ଼ି ବନ୍ଧନୀ ମଧ୍ୟରେ ଥିବା ସବୁଠାରୁ ବିକଳ୍ପ ବା ବିକଳ୍ପଗୁଡ଼ିକୁ ଠିକ୍ ଚିହ୍ନ ଦିଅ। ନିଜ ପସନ୍ଦରେ ଏହି ଗଳ୍ପର ଏକ ଉପଯୁକ୍ତ ଶୀର୍ଷକ ଦିଅ।
ନନ୍ଦିନୀ ରୋଷେଇଘରେ ଭୋଜନ ପ୍ରସ୍ତୁତ କଲାବେଳେ ପନିପରିବା କାଟେ, ଆଳୁରୁ ଚୋପା ଛଡ଼ାଏ ଓ ଫଳ କାଟେ (ଭୌତିକ ପରିବର୍ତ୍ତନ/ରାସାୟନିକ ପରିବର୍ତ୍ତନ) । ସେ ମଞ୍ଜି, ଫଳ ଓ ପନିପରିବା ଚୋପାକୁ ଗୋଟିଏ ମାଟିପାତ୍ରରେ ସଂଗ୍ରହ କରେ (ଭୌତିକ ପରିବର୍ତ୍ତନ/ ରାସାୟନିକ ପରିବର୍ତ୍ତନ)। ସେହି ଫଳ, ପରିବା ଚୋପା ଓ ଅନ୍ୟ ସାମଗ୍ରୀଗୁଡ଼ିକ ବୀଜାଣୁ ଓ କବକମାନଙ୍କ ଯୋଗୁ ବିଘଟିତ ହୋଇ କମ୍ପୋଷ୍ଟରେ ପରିଣତ ହେବାକୁ ଆରମ୍ଭ କରେ (ଭୌତିକ ପରିବର୍ତ୍ତନ/ ରାସାୟନିକ ପରିବର୍ତ୍ତନ)। ସେ ସେହି କମ୍ପୋଷ୍ଟରେ ମଞ୍ଜି ଲଗାଇବାକୁ ସ୍ଥିର କରେ ଓ ନିୟମିତ ପାଣି ଦିଏ । ଅଳ୍ପଦିନ ପରେ ସେ ଦେଖେ ଯେ ମଞ୍ଜିଗୁଡ଼ିକ ଅଙ୍କୁରିତ ହେବାକୁ ଆରମ୍ଭ କରେ ଓ ଛୋଟ ଚାରାଗୁଡ଼ିକ ବଢ଼ିବାକୁ ଲାଗେ। ଶେଷରେ ସେଥିରେ ରଙ୍ଗୀନ ଫୁଲଗୁଡ଼ିଏ ଫୁଟେ (ଭୌତିକ ପରିବର୍ତ୍ତନ/ ରାସାୟନିକ ପରିବର୍ତ୍ତନ)। ତା’ର ଏହି ପ୍ରୟାସ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଦ୍ବାରା ପ୍ରଶଂସିତ ହୋଇଛି।
୯. ଏଠାରେ କେତେକ ପରିବର୍ତ୍ତନ ଦିଆଯାଇଛି। ଭୌତିକ ପରିବର୍ତ୍ତନଗୁଡ଼ିକ (କ) ଚିହ୍ନିତ ଅଞ୍ଚଳରେ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ (ଖ) ଚିହ୍ନିତ ଅଞ୍ଚଳରେ ଲେଖ। ଉଭୟ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ (ଗ)ଚିହ୍ନିତ ଅଞ୍ଚଳରେ ସୂଚିତ କର।
ମହମବତୀ ଜଳିବା ପ୍ରକ୍ରିୟା, କାଗଜ ଚିରିବା, କଳଙ୍କି ଧରିବା, ଦୁଧରୁ ଦହି ହେବା, ଫଳ ପାଚିବା, ବରଫ ତରଳିବା, ପୋଷାକ ଭାଙ୍ଗିବା, ମ୍ୟାଗ୍ନେସିୟମ ଜଳିବା, ଭିନେଗାରରେ ଖାଇବା ସୋଡ଼ା ମିଶିବା ।
- [ଚିତ୍ର: ଭୌତିକ (କ), ରାସାୟନିକ (ଖ), ଓ ଉଭୟ (ଗ) ଦର୍ଶାଉଥିବା ଭେନ୍ ଡାଏଗ୍ରାମ୍]
- [ଚିତ୍ର ୫.୧୧ : (କ), (ଖ), (ଗ), (ଘ) ରେ ବିଭିନ୍ନ ପରୀକ୍ଷଣ ଯଥା ଭିନେଗାର + ଖାଇବା ସୋଡ଼ା, ଭିନେଗାର + ଖାଇବା ଲୁଣ, ଲେମ୍ବୁପାଣି + ଖାଇବା ସୋଡ଼ା ସହିତ ଚୂନପାଣିର ସଂଯୋଗ ପ୍ରଦର୍ଶନ]
୧୦. ଚିତ୍ର ୫.୧୧ ‘କ’, ‘ଖ’, ‘ଗ’, ‘ଘ’ରେ କରାଯାଇଥିବା ପରୀକ୍ଷଣଗୁଡ଼ିକ ପ୍ରଦର୍ଶିତ ହୋଇଛି। କେଉଁ କ୍ଷେତ୍ର ବା କ୍ଷେତ୍ରଗୁଡ଼ିକରେ ଚୂନପାଣି ଦୁଧୁଆ ହୋଇଛି ଖୋଜ ଓ କାହିଁକି ? (କ) ଭିନେଗାର ଓ ଖାଇବା ସୋଡ଼ା → ଚୂନପାଣି (ଖ) ଭିନେଗାର ଓ ଖାଇବା ସୋଡ଼ା → ଚୂନପାଣି (ଗ) ଭିନେଗାର ଓ ଖାଇବା ଲୁଣ → ଚୂନପାଣି (ଘ) ଲେମ୍ବୁପାଣି ଓ ଖାଇବା ସୋଡ଼ା → ଚୂନପାଣି
ଅନୁସନ୍ଧାନମୂଳକ ପ୍ରକଳ୍ପ
୧. ଖଣ୍ଡେ କାଗଜ ଉପରେ ଲେମ୍ବୁରସକୁ କାଳିରୂପେ ବ୍ୟବହାର କରି ଗୋଟିଏ ବାର୍ତ୍ତା ଲେଖ। ଏହାକୁ ଶୁଖିବାକୁ ଦିଅ। ଦେଖିବ ବାର୍ତ୍ତାଟି ଅଦୃଶ୍ୟ ହୋଇଯାଇଛି। ବର୍ତ୍ତମାନ ଏହା ଉପରେ ଏକ ଉତ୍ତପ୍ତ ଇସ୍ତ୍ରୀ ରଖ । (କିମ୍ବା କାଗଜଟିକୁ ଏକ ଜଳୁଥିବା ଶିଖା ଉପରେ ସାବଧାନତାର ସହ ଧର ଯେପରି ଏଥିରେ ନିଆଁ ଲାଗି ନଯାଏ)। କାଗଜଟି ଉତ୍ତପ୍ତ ହେବା ମାତ୍ରେ ଅଦୃଶ୍ୟ ଅକ୍ଷରଗୁଡ଼ିକ ଧୂସର ରଙ୍ଗକୁ ବଦଳିଯିବ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କୌଣସିଟି ପ୍ରତ୍ୟାବର୍ତ୍ତୀ ହୋଇପାରିବ କି ? ସତର୍କତା – ଏହି କାର୍ଯ୍ୟକୁ ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ସମ୍ପାଦନ କର।
୧. ଆଜିକାଲି ଆମେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ପଥର ଭାଙ୍ଗିବା ଦ୍ବାରା ବହୁ ଧନଜୀବନ କ୍ଷୟ ହେଉଥିବାର ଅନେକ ଖବର ଶୁଣୁଛେ। ଭୂସ୍ଖଳନ ଓ ପଥର କ୍ଷୟ ହ୍ରାସ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ଆଲୋଚନା କର ।
୨. ରୋଷେଇ ଘରେ ଚାଲୁଥିବା କାର୍ଯ୍ୟକଳାପଗୁଡ଼ିକୁ ଅନୁଧ୍ୟାନ କର ଏବଂ କେଉଁ ପରିବର୍ତ୍ତନକୁ ପ୍ରତ୍ୟାବର୍ତ୍ତୀ କରାଇ ହେବ ଟିପି ରଖ। ଏଗୁଡ଼ିକ ଭୌତିକ ନା ରାସାୟନିକ ପରିବର୍ତ୍ତନ ?
- [ଚିତ୍ର ୫.୧୨: ଗଛ ଡାଳରେ ବସି ରଙ୍ଗ ବଦଳାଉଥିବା ଏକ ବହୁରୂପୀ ଏଣ୍ଡୁଅ (Chameleon)]
୩. ପାଉଁରୁଟି ପ୍ରସ୍ତୁତି ସମୟରେ ଏହାକୁ ଫୁଲାଇବା ଓ ନରମ କରିବା ପାଇଁ ଏଥିରେ ଇଷ୍ଟ ମିଶାଯାଏ। ଇଷ୍ଟ କିପରି କାର୍ଯ୍ୟକରେ ? ଚେଷ୍ଟା କର ଓ ଖୋଜି ବାହାର କର । (କ) ଗୋଟିଏ ଛୋଟ ବୋତଲ, କିଛି ଚିନି, ତାଜା ଇଷ୍ଟ, ଜଳ ଓ ଏକ ବେଲୁନ୍ ନିଅ। ଦୁଇ ଚାମଚ ଚିନି ଓ ଅଳ୍ପ ଜଳ ବୋତଲରେ ନେଇ ଏକ ଶର୍କରା ଦ୍ରବଣ ପ୍ରସ୍ତୁତ କର। ଏଥିରେ ଏକ ଚାମଚ ଇଷ୍ଟ ମିଶାଇ ବୋତଲ ମୁହଁକୁ ବେଲୁନ୍ ସାହାଯ୍ୟରେ ଅବରୋଧ କରିଦିଅ । ଏହାକୁ ଏକ ଘଣ୍ଟା ପାଇଁ ସ୍ଥିର ଭାବରେ ରହିବାକୁ ଛାଡ଼ି ଦିଅ। (ଖ) ତୁମେ କ'ଣ ପର୍ଯ୍ୟବେକ୍ଷଣ କରୁଛ ? (ଗ) ସାବଧାନତାର ସହିତ ବେଲୁନ୍ର ମୁହଁକୁ ଦୃଢ଼ ଭାବରେ ଧରି ବୋତଲରୁ ବାହାର କର ଓ ସଦ୍ୟ ପ୍ରସ୍ତୁତ ଚୂନପାଣି ଥିବା ଅନ୍ୟ ଏକ ଛୋଟ ବୋତଲରେ ଏହାକୁ ଯୋଡ଼ି ଦିଅ। ବୋତଲକୁ ହଲାଅ, ଯେପରି ବେଲୁନ୍ର ଉପାଦାନ ଗୁଡ଼ିକ ଚୂନପାଣି ସହିତ ମିଶିବ। (ଘ) ତୁମେ କ'ଣ ପର୍ଯ୍ୟବେକ୍ଷଣ କରୁଛ ? (ଙ) ତୁମେ ଏହି ପରୀକ୍ଷଣରୁ କ’ଣ ସିଦ୍ଧାନ୍ତ ନେଇ ପାରିବ ? (ଚ) ଏହି ପରୀକ୍ଷଣରେ ହୋଇଥିବା ସମସ୍ତ ପରିବର୍ତ୍ତନକୁ ଖୋଜ ଏବଂ ସେଗୁଡ଼ିକ ଭୌତିକ ନା ରାସାୟନିକ ପରିବର୍ତ୍ତନ ଉଲ୍ଲେଖ କର।
୪. ବହୁରୂପୀ ଏଣ୍ଡୁଅ ତା’ର ପରିବେଶ ସହିତ ମିଶିଯିବା ପାଇଁ ନିଜର ରଙ୍ଗ ପରିବର୍ତ୍ତନ କରେ। ସେମାନେ ଯେତେବେଳେ ରାଗି ଯାଆନ୍ତି କିମ୍ବା ବିପଦ ଆଶଙ୍କା କରନ୍ତି, ସେତେବେଳେ ରଙ୍ଗ ପରିବର୍ତ୍ତନ କରନ୍ତି (ଚିତ୍ର ୫.୧୨) । ଏହି ପରିବର୍ତ୍ତନ ପ୍ରତ୍ୟାବର୍ତ୍ତୀ କି ? ଇଣ୍ଟରନେଟ୍ କିମ୍ବା ବିଦ୍ୟାଳୟ ପାଠାଗାରରୁ ଏହି ତଥ୍ୟ ଅନୁସନ୍ଧାନ କର।