ଷଷ୍ଠ ଅଧ୍ୟାୟ
କିଶୋରାବସ୍ଥା : ବୃଦ୍ଧି ଓ ପରିବର୍ତ୍ତନ
[ଚିତ୍ର ବର୍ଣ୍ଣନା: ପୃଷ୍ଠାର ଉପର ଭାଗରେ ବର୍ଷାରେ ଆନନ୍ଦରେ ଦୌଡ଼ୁଥିବା କିଛି କିଶୋର-କିଶୋରୀ (ପୁଅ ଓ ଝିଅ) ମାନଙ୍କର ଏକ ରଙ୍ଗୀନ ଚିତ୍ର ରହିଛି। ପାର୍ଶ୍ଵରେ ବିଜ୍ଞାନ ସମ୍ବନ୍ଧୀୟ ଉପକରଣ (ଅଣୁବୀକ୍ଷଣ ଯନ୍ତ୍ର, ଫ୍ଲାସ୍କ ଇତ୍ୟାଦି) ର ରେଖାଚିତ୍ର ରହିଛି।]
ସାଧାରଣତଃ ଗୋଟିଏ ଉଦ୍ଭିଦର ଜୀବନଯାତ୍ରା ବିହନ ବା ମଞ୍ଜିର ଅଙ୍କୁରୋଦ୍ଗମ ସହିତ ଆରମ୍ଭ ହୁଏ। ଯଦି ଜଳ, ସୂର୍ଯ୍ୟାଲୋକ ଏବଂ ଅନ୍ୟ ପୋଷକ ତତ୍ତ୍ଵ ଯଥେଷ୍ଟ ମିଳିଥାଏ, ତେବେ ମଞ୍ଜି ଧୀରେଧୀରେ ଚାରା ହୁଏ। ପରେ ଏହି ଚାରା ଏକ ତରୁଣ ଉଦ୍ଭିଦରେ ପରିଣତ ହୁଏ। ଉଦ୍ଭିଦ ବଢ଼ିବା ସହିତ ସେଥିରେ କିଛି ଦୃଶ୍ୟମାନ ପରିବର୍ତ୍ତନ ଘଟେ – ଏହାର ଉଚ୍ଚତା ବଢ଼େ, ଅଧିକ ପତ୍ର ଆସେ, ତା’ପରେ ଫୁଲ ଓ ଫଳ ହୁଏ। ଫଳ ମଧ୍ୟରେ ଥିବା ବିହନରୁ ପୁଣି ନୂତନ ଉଦ୍ଭିଦ ଜନ୍ମ ନିଏ। ଏଭଳି ଭାବେ ଉଦ୍ଭିଦର ଜୀବନଚକ୍ର ଚାଲିଥାଏ।
ମଞ୍ଜି ଅଙ୍କୁରିତ ହେବା ପରେ ତୁରନ୍ତ ନୂତନ ମଞ୍ଜି ଉତ୍ପାଦନ କରିପାରେ ନାହିଁ। ମଞ୍ଜି ଉତ୍ପାଦନ କରିବା ପାଇଁ ଉଦ୍ଭିଦଟି ଧୀରେଧୀରେ ବଢ଼ିବା ଓ ପରିପକ୍ଵ ହେବା ଆବଶ୍ୟକ। ଏହିପରି ଭାବରେ, ପ୍ରାଣୀମାନେ ମଧ୍ୟ ପ୍ରଜନନ କରିବା ପୂର୍ବରୁ ବଢ଼ନ୍ତି ଓ ପରିପକ୍ଵ ହୁଅନ୍ତି। କିଛି ପ୍ରାଣୀ ଅଣ୍ଡା ଦିଅନ୍ତି ଓ ଅଣ୍ଡାରୁ ଛୁଆ ଫୁଟି ବାହାରେ। ମଣିଷ ପରି ସ୍ତନ୍ୟପାୟୀ ସିଧାସଳଖ ଛୁଆ ଜନ୍ମକରନ୍ତି। ଉଭୟ ପ୍ରକାରେ ଜନ୍ମିଥିବା ଛୁଆମାନେ ସମୟ ସହିତ ବଢ଼ିଥାନ୍ତି ଓ ପରିପକ୍ଵ ହୁଅନ୍ତି।
[ଚିତ୍ର ବର୍ଣ୍ଣନା: ଦୀପକ ଓ ଦେବଯାନୀ ପରସ୍ପର ସହ କଥାବାର୍ତ୍ତା କରୁଥିବାର ଏକ ଦୃଶ୍ୟ।]
-
ଦେବଯାନୀ କହୁଛି: "ଦୀପକ, ତୋର ଏବେ ପତଳା ନିଶ ଦେଖାଯାଉଛି। ତୋର ସ୍ୱର ମଧ୍ୟ ବଦଳି ଯାଇଛି।"
-
ଦୀପକ କହୁଛି: "ଆଉ ଦେବଯାନୀ, ତୁ ତ ବହୁତ ଡେଙ୍ଗା ହୋଇଯାଇଛୁ।"
ମଣିଷର ଜୀବନଯାତ୍ରାକୁ କେତେକ ପ୍ରମୁଖ ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ – ଶୈଶବ, ବାଲ୍ୟକାଳ, କିଶୋରାବସ୍ଥା, ଯୌବନାବସ୍ଥା ଓ ବୃଦ୍ଧାବସ୍ଥା। ପ୍ରତ୍ୟେକ ବ୍ୟକ୍ତି ଏହି ପର୍ଯ୍ୟାୟଗୁଡ଼ିକୁ ନିଜ ଜୀବନକାଳରେ ଅନୁଭବ କରନ୍ତି, ଯଦିଓ ଏହାର ଅବଧି ପ୍ରତି ବ୍ୟକ୍ତି ପାଇଁ ଭିନ୍ନ ହୋଇପାରେ। ଶୈଶବରୁ ଯୌବନାବସ୍ଥା ପର୍ଯ୍ୟନ୍ତ ଆମ ଶରୀରରେ ଧୀରେ ଧୀରେ ବହୁ ପରିବର୍ତ୍ତନ ଘଟେ। ପ୍ରଥମ ୧୦ – ୧୨ ବର୍ଷ ପର୍ଯ୍ୟନ୍ତ ଅଧିକାଂଶ ପରିବର୍ତ୍ତନ ଉଚ୍ଚତା ଓ ଓଜନ ସହିତ ଜଡିତ ଥାଏ। ଏହା ପରେ ଶରୀରରେ ଅନ୍ୟ ଦୃଶ୍ୟମାନ ପରିବର୍ତ୍ତନ ଆସିଥାଏ, ଯାହା କିଶୋରାବସ୍ଥା ଆରମ୍ଭର ସୂଚନା ଦିଏ। କିଶୋରାବସ୍ଥା ହେଉଛି ଦ୍ରୁତ ବୃଦ୍ଧି ଓ ବିକାଶର ଏକ ଅଭିନବ ପର୍ଯ୍ୟାୟ, ଯାହା ସାଧାରଣତଃ ୧୦ ରୁ ୧୯ ବର୍ଷ ବୟସ ମଧ୍ୟରେ ଦେଖାଯାଏ। କିଶୋରାବସ୍ଥା ମାନବ ଶରୀରକୁ ଯୌବନାବସ୍ଥା ପାଇଁ ପ୍ରସ୍ତୁତ କରିଥାଏ।
ଏକକୋଷୀ ଆଦି କେତେକ ପ୍ରାଣୀ ଜନ୍ମ ପରେ ତୁରନ୍ତ ପ୍ରଜନନ କରିପାରନ୍ତି। କିନ୍ତୁ ମନୁଷ୍ୟ ସେମାନଙ୍କ ପରି ତୁରନ୍ତ ପ୍ରଜନନ କରେ ନାହିଁ। ପ୍ରଜନନ କ୍ଷମତା ଅର୍ଜନ କରିବା ପାଇଁ ମନୁଷ୍ୟ ଶରୀରର ବୃଦ୍ଧି ଓ ପରିପକ୍ଵତା ଆବଶ୍ୟକ। ମନୁଷ୍ୟର ବୃଦ୍ଧି ଓ ବିକାଶ ଘଟିବା ସହିତ ସେ ପ୍ରଜନନକ୍ଷମ ହୋଇଥାଏ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଶାରୀରିକ, ଭାବନାତ୍ମକ ଓ ବ୍ୟବହାରିକ ପରିବର୍ତ୍ତନ ଅନୁଭବ କରିଥାଏ। ଏଥିରୁ କିଛି ପରିବର୍ତ୍ତନ ସ୍ପଷ୍ଟଭାବେ ଦୃଷ୍ଟିଗୋଚର ହେଲା ବେଳେ ଆଉ କିଛି ପରିବର୍ତ୍ତନ ଆଭ୍ୟନ୍ତରୀଣ ଓ ଆମକୁ ଅଦୃଶ୍ୟ ଭାବରେ ଘଟିଥାଏ। ଏହି ଅଧ୍ୟାୟରେ ତୁମେ କିଶୋରାବସ୍ଥା ବିଷୟରେ ଅଧିକ ଜାଣିବ, ଏହି ଅବସ୍ଥାର ଗୁରୁତ୍ଵ ବୁଝିବ ଓ ଏହି ସମୟକୁ ଦାୟିତ୍ୱ ସମ୍ପନ୍ନ ଭାବରେ କିପରି ପରିଚାଳନା କରିବା ଉଚିତ୍ ତାହା ଶିଖିବ।
୬.୧ ବୟସ ସହିତ ବୃଦ୍ଧି : କିଶୋରାବସ୍ଥାର ଦିନଗୁଡ଼ିକ
ଗ୍ରୀଷ୍ମାବକାଶରେ ଦୀପକ ତା’ର ମାମୁଁ ଘରକୁ ଯାଇଥିଲା। ସେ ଘରକୁ ପଶିବା ମାତ୍ରେ ତା’ର ୧୨ ବର୍ଷୀୟା ଭଉଣୀ ଦେବଯାନୀ ଦୌଡ଼ି ଆସି ତାକୁ ସ୍ଵାଗତ କଲା। ଆସ, ଦୀପକ ଓ ଦେବଯାନୀ ମଧ୍ୟରେ ହୋଇଥିବା ଏହି ରୋଚକ କଥାବାର୍ତ୍ତାକୁ ବୁଝିବାକୁ ଚେଷ୍ଟା କରିବା।
କାର୍ଯ୍ୟ ୬.୧ ଆସ ଆଲୋଚନା କରିବା
-
ଗୋଟିଏ ଜାର୍ ଏବଂ କିଛି ଛୋଟ କାଗଜ ନିଅ।
-
ପଞ୍ଚମରୁ ଅଷ୍ଟମ ଶ୍ରେଣୀପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଖିପାରୁଥିବା ପରିବର୍ତ୍ତନଗୁଡ଼ିକୁ ସେଥିରେ ଲେଖ।
-
ଏହି ପରିବର୍ତ୍ତନ ସେମାନଙ୍କର ଉଚ୍ଚତା, ବଳ, ବ୍ୟବହାର କିମ୍ବା ଅନ୍ୟ କୌଣସି ଦିଗ ସହିତ ସମ୍ପୃକ୍ତ ହୋଇପାରେ।
-
ଦୟାକରି କୌଣସି କାଗଜରେ ତୁମ ନାମ ଲେଖିବ ନାହିଁ।
-
କାଗଜଗୁଡ଼ିକ ମୋଡ଼ି ଜାରରେ ରଖ।
-
କାଗଜ ଗୁଡ଼ିକ ମିଶିଯିବା ପାଇଁ ଜାର୍କୁ ଭଲ ଭାବରେ ହଲେଇ ଦିଅ।
-
ଗୋଟିଏ ଗୋଟିଏ ଛୋଟ କାଗଜ କାଢ଼ି ଖୋଲି ଦେଖ।
-
କାଗଜରେ ଥିବା ସୂଚନା ଅନୁଯାୟୀ ପରିବର୍ତ୍ତନଗୁଡ଼ିକ ବିଷୟରେ ଆଲୋଚନା କର। କାଗଜଗୁଡ଼ିକରେ ଲେଖାଯାଇଥିବା ପରିବର୍ତ୍ତନମାନଙ୍କ ମଧ୍ୟରୁ ସବୁଠାରୁ ସାଧାରଣ ଭାବେ ଦେଖାଯାଉଥିବା ପରିବର୍ତ୍ତନଗୁଡ଼ିକ କ’ଣ ଥିଲା।
[ଚିତ୍ର ବର୍ଣ୍ଣନା: ଏକ ପୁଅ ମ୍ୟାଟ୍ ଉପରେ ପୁସ୍-ଅପ୍ସ (ବ୍ୟାୟାମ) କରୁଥିବାର ଚିତ୍ର।]
ସାରଣୀ ୬.୧ ବୃଦ୍ଧି ସମୟରେ ଅତି ସାଧାରଣ ପରିବର୍ତ୍ତନ
| କ୍ରମିକ ସଂଖ୍ୟା | ପରିବର୍ତ୍ତନ | ତୁମର ପର୍ଯ୍ୟବେକ୍ଷଣ |
|---|---|---|
| ୧ | ଉଚ୍ଚତା | |
| ୨ | ଓଜନ ଓ ଶକ୍ତି | |
| ୩ | [???] |
ତୁମେ ମଧ୍ଯ ଏହି ପରିବର୍ତ୍ତନଗୁଡ଼ିକ ଅନୁଭବ କରୁଛ କି ? ଯଦି ହଁ, ତେବେ ଏହାର କାରଣ ଏହା ଯେ ତୁମେ ମଧ୍ଯ ଧୀରେ ଧୀରେ ଏହି ପର୍ଯ୍ୟାୟରେ ପହଞ୍ଚୁଛ। ଏହି ପର୍ଯ୍ୟାୟ ପ୍ରାୟ ୧୦ ବର୍ଷ ବୟସରୁ ଆରମ୍ଭ ହୁଏ ଏବଂ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ଜାରି ରହିପାରେ। ଏହା ସାଧାରଣତଃ ଶୈଶବ ଓ ଯୌବନାବସ୍ଥା ମଧ୍ୟରେ ବିକାଶର ଏକ ପର୍ଯ୍ୟାୟ, ଏବଂ ଏହାକୁ କିଶୋରାବସ୍ଥା ବୋଲି କୁହାଯାଏ।
ସାରଣୀ ୬.୧ ବିଶ୍ଳେଷଣ କରିବା ସମୟରେ, ତୁମେ ନିମ୍ନଲିଖିତ ବିଷୟଗୁଡ଼ିକ ଲକ୍ଷ୍ୟ କରିଥିବ:
-
ଉଚ୍ଚତାରେ ବୃଦ୍ଧି: ଜନ୍ମରୁ ଆମ ଶରୀରର ନିରନ୍ତର ବୃଦ୍ଧି ଏବଂ ବିକାଶ ଉଚ୍ଚତା ବୃଦ୍ଧି ସହିତ ହୋଇଥାଏ। ତେବେ କିଶୋରାବସ୍ଥାରେ ଉଚ୍ଚତା ବୃଦ୍ଧି ଦ୍ରୁତ ହୋଇଥାଏ।
-
ଶରୀର ଗଠନ, ଓଜନ ବୃଦ୍ଧି ଏବଂ ଶକ୍ତିରେ ପରିବର୍ତ୍ତନ: ପୁଅମାନଙ୍କର ବୟସ ବଢ଼ିବା ସମୟରେ ଏମିତି ଦେଖାଯାଇପାରେ ଯେ ଉଚ୍ଚତା ବୃଦ୍ଧି ସହିତ, ସେମାନଙ୍କର ଓଜନ ବୃଦ୍ଧି ପାଇପାରେ, ସେମାନଙ୍କ କାନ୍ଧ ଟିକେ ପ୍ରଶସ୍ତ ହୋଇପାରେ ଏବଂ ସେମାନଙ୍କ ଛାତି ପ୍ରଶସ୍ତ ହୋଇପାରେ। ଝିଅମାନଙ୍କର ମଧ୍ୟ ଉଚ୍ଚତା ଏବଂ ଓଜନରେ ବୃଦ୍ଧି ସହିତ ସ୍ତନର ବିକାଶ ଭଳି ଅନ୍ୟାନ୍ୟ ଶାରୀରିକ ପରିବର୍ତ୍ତନ ହୋଇଥାଏ।
[ଚିତ୍ର ବର୍ଣ୍ଣନା ୧: ମାନବ ଗଳାର ଚିତ୍ର, ଯେଉଁଥିରେ 'ଆଦମଙ୍କ ଆପଲ' (Adam's apple) କୁ ତୀର ଚିହ୍ନ ଦ୍ୱାରା ଦର୍ଶାଯାଇଛି।]
[ଚିତ୍ର ବର୍ଣ୍ଣନା ୨: ଜଣେ କିଶୋର ବାଳକ ଦର୍ପଣ ଆଗରେ ଠିଆ ହୋଇ ନିଜ ମୁହଁକୁ ପର୍ଯ୍ୟବେକ୍ଷଣ କରୁଛି, ପଛରେ ଜଣେ ବୟସ୍କ ବ୍ୟକ୍ତି (ବାପା) ଦାଢ଼ି କାଟୁଛନ୍ତି।]
-
ସ୍ଵରରେ ପରିବର୍ତ୍ତନ: କିଶୋରାବସ୍ଥାରେ ପୁଅମାନଙ୍କର ଗଳାରେ ଥିବା ସ୍ଵର ପେଟିକା ବୃଦ୍ଧି ପାଏ। ଏହା ଯୋଗୁଁ ସେମାନଙ୍କ ସ୍ଵର କର୍କଶ ହୁଏ। ଗଳାରେ ଥିବା ଏହି ସ୍ଵରପେଟିକା ଆମକୁ କଥା କହିବାରେ ସାହାଯ୍ୟ କରେ। ଏହାର ବୃଦ୍ଧି ଗଳାରେ ଏକ ଗଣ୍ଠି ଭାବେ ଦେଖାଯାଏ, ଯାହାକୁ ଆଦମଙ୍କ ଆପଲ ବୋଲି (Adam's apple) କୁହାଯାଏ। ତେବେ ଏହା ସମସ୍ତଙ୍କଠାରେ ସ୍ପଷ୍ଟ [???] ଯାଏ ନାହିଁ। କିଶୋରୀ ଝିଅମାନଙ୍କର ମଧ୍ୟ ସ୍ଵର ପେଟିକାର ବୃଦ୍ଧି ହୁଏ, କିନ୍ତୁ ଏହା ପୁଅମାନଙ୍କ ପରି ବଡ଼ ନ ହେବାରୁ ସେମାନଙ୍କ ସ୍ଵରରେ କେବଳ ସାମାନ୍ୟ ପରିବର୍ତ୍ତନ ହୁଏ।
-
ଶରୀରର ବିଭିନ୍ନ ସ୍ଥାନରେ କେଶ ବୃଦ୍ଧି: କିଶୋରାବସ୍ଥାରେ ଉଭୟ ପୁଅ ଓ ଝିଅମାନଙ୍କର ଶରୀରର ବିଭିନ୍ନ ସ୍ଥାନ ଯେପରିକି କାଖ ଓ ଜନନାଙ୍ଗ ପାର୍ଶ୍ଵଦେଶରେ କେଶ ବୃଦ୍ଧି ହୋଇଥାଏ, ପୁଅମାନଙ୍କ ମୁହଁରେ ଉଠିଥିବା କେଶ ବୟସ ବଢିବା ସହିତ ନିଶ ଏବଂ ଦାଢ଼ିରେ ପରିଣତ ହୁଏ। କିଛି ପୁଅଙ୍କ ଛାତି ଏବଂ ପିଠିରେ ବି କେଶ ବୃଦ୍ଧି ହୋଇପାରେ, ପୁଣି କିଛି ପୁଅଙ୍କର ଶରୀରରେ କେଶର କୌଣସି ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହୋଇ ନଥାଏ। ଏ ସବୁ ପରିବର୍ତ୍ତନ ସମ୍ପୂର୍ଣ୍ଣ ସ୍ଵାଭାବିକ ଅଟେ।
-
ମୁହଁ ଚର୍ମରେ ପରିବର୍ତ୍ତନ : ବ୍ରଣ: କିଶୋରାବସ୍ଥାରେ ମୁହଁ ଚର୍ମରେ ବ୍ରଣ ଦେଖାଯିବା ଏକ ସାଧାରଣ ଘଟଣା। ମୁହଁରେ ଦେଖାଯାଉଥିବା ଛୋଟ ଲାଲ ଚିହ୍ନ ବା ଗଣ୍ଠି ହେଉଛି ବ୍ରଣ। ଏହି ବୟସରେ ଚର୍ମରୁ ଅଧିକ ତୈଳାକ୍ତ ପଦାର୍ଥ ସ୍ରବଣ ହୁଏ ଯାହା ଚର୍ମର ଛିଦ୍ର ବନ୍ଦ କରିଦିଏ ଏବଂ ସଂକ୍ରମଣ ହୋଇ ପରେ ବ୍ରଣ ସୃଷ୍ଟିର କାରଣ ହୁଏ। ବାସ୍ତବରେ କେତେଗୁଡିଏ ଚର୍ମରୋଗର ବ୍ରଣ ଏକ ଲକ୍ଷଣ ମାତ୍ର।
ମନେରଖ: ଆମେ ଜାଣି ରଖିବା ଉଚିତ ଯେ ଉଚ୍ଚତା ବୃଦ୍ଧି, ସ୍ଵର ପରିବର୍ତ୍ତନ କିମ୍ବା ମୁହଁର କେଶ ପରିବର୍ତ୍ତନ ଯେଉଁ ପ୍ରକାର ବି ହେଉ, ତା’ର ସମୟ, ପ୍ରକୃତି ଏବଂ ପରିସର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ। ଏହି ପରିବର୍ତ୍ତନଗୁଡ଼ିକ ସମ୍ପୂର୍ଣ୍ଣ ସ୍ଵାଭାବିକ। ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନକାଳ ମଧ୍ୟରେ କିଶୋରାବସ୍ଥା ଅନୁଭବ କରନ୍ତି, ଏବଂ ଏହାର ଅବଧି ମଧ୍ଯ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ବ୍ୟକ୍ତି ପର୍ଯ୍ୟନ୍ତ ଭିନ୍ନ ହୋଇଥାଏ।
ଏବେ ଆମେ କିଶୋରାବସ୍ଥାରେ ଘଟୁଥିବା କିଛି ପରିବର୍ତ୍ତନ ବିଷୟରେ ଜାଣିଲେ। ବିଶେଷ କରି ଯେଉଁଗୁଡ଼ିକ ସହଜରେ ଲକ୍ଷ୍ୟ କରାଯାଇପାରିବ ସେପରି କେତେକ ପରିବର୍ତ୍ତନ ହେଉଛି ସ୍ଵର ପରିବର୍ତ୍ତନ, ପୁଅମାନଙ୍କ ମୁହଁ ଏବଂ ଛାତିରେ କେଶ ବୃଦ୍ଧି, ଏବଂ ଝିଅମାନଙ୍କ ସ୍ତନ ବିକାଶ ଇତ୍ୟାଦି। କିନ୍ତୁ ଏସବୁ ପ୍ରଜନନ ପ୍ରକ୍ରିୟାରେ ସିଧାସଳଖ ଜଡିତ ନୁହେଁ। ତଥାପି, ଏହି ବୈଶିଷ୍ଟ୍ୟପୂର୍ଣ୍ଣ ପରିବର୍ତ୍ତନ ପୁରୁଷମାନଙ୍କୁ ମହିଳାମାନଙ୍କଠାରୁ ପୃଥକ୍ କରିବାରେ ସାହାଯ୍ୟ କରେ। ଏହି କାରଣରୁ, ସେଗୁଡ଼ିକୁ ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ (ଲକ୍ଷଣ) କୁହାଯାଏ।
ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟଗୁଡ଼ିକ ଶରୀର ଯୌବନାବସ୍ଥା ପାଇଁ ପ୍ରସ୍ତୁତ ହେଉଥିବାର ପ୍ରାକୃତିକ ସଂକେତ ଅଟେ। ଏଗୁଡ଼ିକ ବୟଃସନ୍ଧି ଆରମ୍ଭକୁ ଚିହ୍ନିତ କରେ। ବୟଃସନ୍ଧି ହେଉଛି ଏପରି ଏକ ପର୍ଯ୍ୟାୟ ଯେଉଁଠାରେ କିଶୋର ଶରୀର ପ୍ରଜନନକ୍ଷମ ହେବା ପାଇଁ କେତେକ ବାହ୍ୟ ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ ମଧ୍ୟ ଦେଇ ପ୍ରସ୍ତୁତି ଆରମ୍ଭ କରେ।
୬.୨ ପ୍ରଜନନ କ୍ଷମତା ସୂଚିତ କରୁଥିବା ପରିବର୍ତ୍ତନ
କିଶୋରାବସ୍ଥା ଉଭୟ ବାହ୍ୟ, ଦୃଶ୍ୟମାନ ଏବଂ କେତେକ ଆଭ୍ୟନ୍ତରୀଣ ପରିବର୍ତ୍ତନ ଦ୍ଵାରା ଚିହ୍ନିତ ହୁଏ। ଏପରି ଏକ ପରିବର୍ତ୍ତନ ହେଉଛି ପ୍ରଜନନ ପ୍ରକ୍ରିୟାରେ ଜଡିତ ବିଭିନ୍ନ ଅଂଶର ପରିପକ୍ଵତା। ପୁଅ ଏବଂ ଝିଅ ଉଭୟ ଧୀରେ ଧୀରେ ଏପରି ପରିବର୍ତ୍ତନ ଅନୁଭବ କରନ୍ତି, ଏବଂ ଏହି ପରିବର୍ତ୍ତନଗୁଡ଼ିକ ବୃଦ୍ଧି ପ୍ରକ୍ରିୟାର ଏକ ସ୍ଵାଭାବିକ ଅଂଶ। କିଶୋରୀମାନଙ୍କ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ପରିବର୍ତ୍ତନ ହେଉଛି ମାସିକ ଋତୁସ୍ରାବ ବା ରଜଃସ୍ରାବ ଚକ୍ର ଆରମ୍ଭ। ଏହା ସାଧାରଣତଃ ପ୍ରତି ୨୮ ରୁ ୩୦ ଦିନରେ ପୁନରାବୃତ୍ତି ହୁଏ ଏବଂ ଏହା ‘ମାସିକ ଋତୁ ଚକ୍ର’ ଭାବରେ ଜଣାଶୁଣା। ଅନେକ ସୁସ୍ଥ ଝିଅଙ୍କର ୨୧ରୁ ୩୫ ଦିନ ବ୍ୟବଧାନ ବିଶିଷ୍ଟ ଦୀର୍ଘ କିମ୍ବା ଛୋଟ ମାସିକ ଋତୁଚକ୍ର ହୋଇପାରେ। ମାସିକ ଋତୁଚକ୍ର ଏକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା ଏବଂ ଏହା ଉତ୍ତମ ପ୍ରଜନନ ସ୍ୱାସ୍ଥ୍ୟର ଲକ୍ଷଣ ମଧ୍ୟରୁ ଗୋଟିଏ। ଋତୁଚକ୍ରର ଯେଉଁ ପର୍ଯ୍ୟାୟରେ ଶରୀରରୁ ରକ୍ତ ନିର୍ଗତ ହୁଏ ତାକୁ ଋତୁସ୍ରାବ କୁହାଯାଏ। ଏହା ତିନିରୁ ସାତ ଦିନ ପର୍ଯ୍ୟନ୍ତ ରହିପାରେ। କିଛି ଝିଅ ଏହି ଦିନଗୁଡ଼ିକରେ ତଳି ପେଟରେ ଯନ୍ତ୍ରଣା କିମ୍ବା ଅସ୍ଵସ୍ତି ଅନୁଭବ କରିପାରନ୍ତି। ସାଧାରଣତଃ, ୪୫ ରୁ ୫୫ ବର୍ଷ ବୟସ ସୁଦ୍ଧା ଋତୁସ୍ରାବ ସ୍ଵାଭାବିକ ଭାବରେ ବନ୍ଦ ହୋଇଯାଏ, ଯାହା ମହିଳାଙ୍କ ଜୀବନରେ ପ୍ରଜନନ କ୍ଷମତା ସମାପ୍ତି ସୂଚିତ କରେ।
ଋତୁସ୍ରାବ ବିଷୟରେ ଭ୍ରମ ଧାରଣା
ଋତୁସ୍ରାବ ବିଷୟରେ ଅନେକ ଭୁଲ ଧାରଣା (ଅନ୍ଧବିଶ୍ଵାସ) ଅଛି ଯାହା ପ୍ରାୟତଃ ମନରେ ଅନାବଶ୍ୟକ ଭୟ, ଲଜ୍ଜା ଏପରିକି ଅପରାଧୀ ଭାବନା ସୃଷ୍ଟି କରେ। ଏହିପରି (ଧାରଣା) ବିଶ୍ବାସଗୁଡ଼ିକ କିଛି ଭ୍ରମ ଏବଂ ନିଷେଧକୁ ଜନ୍ମ ଦେଇଛି। ଏହି ଭ୍ରମ ଏବଂ ନିଷେଧ ଯୋଗୁଁ ଋତୁସ୍ରାବ ହେଉଥିବା ଝିଅମାନଙ୍କୁ ଶାରୀରିକ ଭାବରେ ଅଲଗା ରଖିବା ପ୍ରଥା ଦୁର୍ଭାଗ୍ୟବଶତଃ ଏବେ ବି ପ୍ରଚଳିତ। ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା ଏବଂ ଏପରି ଭ୍ରମଗୁଡ଼ିକର କୌଣସି ବୈଜ୍ଞାନିକ ଆଧାର ନାହିଁ। ଋତୁସ୍ରାବ ପ୍ରତି ଆମେ ବୈଜ୍ଞାନିକ ଦୃଷ୍ଟିକୋଣ ଉନ୍ମୁକ୍ତ କଲେ ହିଁ ସମାଜ ମହିଳାମାନଙ୍କର ଉତ୍ତମ ପ୍ରଜନନ ଆବଶ୍ୟକତା ଉପଲବ୍ଧି କରିବ ଏବଂ ଏହା ଦ୍ଵାରା ମହିଳାମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଦିଆଯାଇପାରିବ।
କିଶୋରାବସ୍ଥା କେବଳ ଶାରୀରିକ କିମ୍ବା ପ୍ରଜନନ କ୍ଷମତା ସହିତ ଜଡିତ ପରିବର୍ତ୍ତନ ନୁହେଁ ବରଂ ମାନସିକ ଏବଂ ଆଚରଣଗତ ପରିବର୍ତ୍ତନ ସହ ମଧ୍ଯ ସଂପୃକ୍ତ। ଆସ, ସେଗୁଡ଼ିକ ବିଷୟରେ ଆଲୋଚନା କରିବା !
୬.୩ କିଶୋରମାନଙ୍କ ଠାରେ ଆବେଗାତ୍ମକ ଓ ଆଚରଣଗତ ପରିବର୍ତ୍ତନ:
କାର୍ଯ୍ୟ ୬.୨ ଆସ ତାଲିକା କରିବା
ଗତ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ତୁମର କିମ୍ବା ତୁମର ସହପାଠୀ ଓ ବନ୍ଧୁମାନଙ୍କର ଭାବନା କିମ୍ବା ଆଚରଣରେ କୌଣସି ପରିବର୍ତ୍ତନ ହୋଇଛି କି ନାହିଁ ସେ ବିଷୟରେ ଭାବିବା ପାଇଁ କିଛି ସମୟ ନିଅ। ଏହି ପରିବର୍ତ୍ତନଗୁଡ଼ିକ କେବେ ରୋମାଞ୍ଚକର, କେବେ ଅସ୍ପଷ୍ଟ ବା ଉଭୟ ହୋଇପାରେ। ଆସ, ଆମେ ସାରଣୀ ୬.୨ ରେ କିଛି ଆବେଗାତ୍ମକ ପରିବର୍ତ୍ତନ ତାଲିକାଭୁକ୍ତ କରିବା। ତା’ ସହିତ ଆଚରଣ ଉପରେ ସେମାନଙ୍କର ପ୍ରଭାବ ଓ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଉପାୟଗୁଡିକର ତାଲିକା ମଧ୍ଯ କରିବା।
ସାରଣୀ ୬.୨ ଆବେଗାତ୍ମକ ପରିବର୍ତ୍ତନ, ଆଚରଣ ଉପରେ ସେମାନଙ୍କର ସମ୍ଭାବ୍ୟ ପ୍ରଭାବ ଏବଂ ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶର ଉପାୟ
| କ୍ରମିକ ସଂଖ୍ୟା | ପ୍ରମୁଖ ଆବେଗାତ୍ମକ ପରିବର୍ତ୍ତନ | ଆଚରଣ ଉପରେ ସମ୍ଭାବ୍ୟ ପ୍ରଭାବ | ସକାରାତ୍ମକ ଅଭିବୃଦ୍ଧି ଏବଂ ବିକାଶର ଉପାୟ |
|---|---|---|---|
| ୧ | ମନୋଭାବ ପରିବର୍ତ୍ତନ | ସଂଗୀତ, ନୃତ୍ୟ, କିମ୍ବା କ୍ରୀଡା ପରି ବିବିଧ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା | ଆତ୍ମ-ଅନ୍ଵେଷଣ ସହିତ ସୃଜନଶୀଳ ଓ ନବୋଦ୍ଭାବନ ପ୍ରବୃତ୍ତିକୁ ବୃଦ୍ଧି କରିପାରିବା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା |
| ୨ | ତୀବ୍ର ଆବେଗ | ବର୍ଦ୍ଧିତ ସମ୍ବେଦନଶୀଳତା | ସହାନୁଭୂତି ଓ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ |
| ୩ | ଅନ୍ୟ ଯେକୌଣସି |
ସାରଣୀ ୬.୨ କୁ ଆଲୋଚନା କରିବା ସମୟରେ, ତୁମେ ହୁଏତ କିଶୋରମାନଙ୍କ ମଧ୍ୟରେ ଘଟୁଥିବା ବିଭିନ୍ନ ଆଚରଣ ଓ ଭାବନାଗତ ପରିବର୍ତ୍ତନକୁ ଧ୍ୟାନ ଦେଇଥିବ। କାରଣ ଶୈଶବ ତୁଳନାରେ କିଶୋରାବସ୍ଥାରେ ଆବେଗ ତୀବ୍ର ହୋଇଥାଏ। ଏହି ଆବେଗଗୁଡ଼ିକ କିଶୋରମାନଙ୍କ ଆଚରଣକୁ ପ୍ରଭାବିତ କରିପାରେ, ଯେପରିକି ଦରିଦ୍ର ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ସାମାଜିକ ପଦକ୍ଷେପ ନେବା, ସାମାଜିକ କାର୍ଯ୍ୟରେ ଯୋଗ ଦେବା, କିମ୍ବା ନୂତନ କିଛି ଶିଖିବାରେ ଆଗ୍ରହ ପ୍ରକାଶକରିବା। ଆମର ଭାବନା ବା ଆବେଗ ଆମର ଆଚରଣ ଓ କାମକୁ କିପରି ପ୍ରଭାବିତ କରେ, ଆମେ ଯଦି ବୁଝିପାରିବା ତେବେ ଆମେ ଉତ୍ତମ ନିଷ୍ପତ୍ତି ନେଇପାରିବା ଓ ପରିସ୍ଥିତି ଅନୁଯାୟୀ ଚିନ୍ତାଶୀଳ ଭାବରେ ପ୍ରତିକ୍ରିୟା ଦେଇପାରିବା।
[ଚିତ୍ର ବର୍ଣ୍ଣନା: ପୁଅ ଓ ଝିଅ ମଧ୍ୟରେ ପୋଷକ ତତ୍ତ୍ଵ ବିଷୟରେ ଆଲୋଚନା।]
-
ଝିଅ କହୁଛି: "ଉପଯୁକ୍ତ ବୃଦ୍ଧି ପାଇଁ ଏବଂ ଖେଳ ପଡିଆରେ ଭଲ ପ୍ରଦର୍ଶନ ପାଇଁ ଆମକୁ ପୁଷ୍ଟିସାର ଏବଂ ଶ୍ଵେତସାର ଆବଶ୍ୟକ।"
-
ପୁଅ କହୁଛି: "କେବଳ ସେତିକି ନୁହେଁ, ଆମକୁ ପର୍ଯ୍ୟାପ୍ତ ପରିମାଣର ସ୍ନେହସାର, ଭିଟାମିନ୍ ଏବଂ ଖଣିଜପଦାର୍ଥ ମଧ୍ୟ ଆବଶ୍ୟକ।"
୬.୪ କିଶୋରାବସ୍ଥାକୁ ଏକ ଆନନ୍ଦମୟ ଅନୁଭବରେ ପରିଣତ କରିବା
କିଶୋରାବସ୍ଥାର ଯାତ୍ରା ଏକ ଅନନ୍ୟ ଅଭିଜ୍ଞତା। ଜୀବନର ଏହି ପର୍ଯ୍ୟାୟରେ ବୃଦ୍ଧି ପାଉଥିବା କୌତୂହଳ ଏବଂ ଉତ୍ସାହ କିଶୋର-କିଶୋରୀମାନଙ୍କୁ ସେମାନଙ୍କ ଚାରିପାଖରେ ଥିବା ପ୍ରାୟ ସବୁକିଛିକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖିବାର ସାମର୍ଥ୍ୟ ପ୍ରଦାନକରେ। ଭଲ, ଚିନ୍ତାଶୀଳ ନିଷ୍ପତ୍ତି ଏବଂ ଛୋଟ ଛୋଟ କାର୍ଯ୍ୟ କିଶୋରମାନଙ୍କ ସାମଗ୍ରିକ ସୁସ୍ଥତା ଉପରେ ଏକ ଶକ୍ତିଶାଳୀ ସକାରାତ୍ମକ ପ୍ରଭାବ ପକାଇପାରେ। ଆସ, ସେଗୁଡିକ ବିଷୟରେ ଅଧିକ ଜାଣିବା !
୬.୪.୧ ପୌଷ୍ଟିକ ଆବଶ୍ୟକତା ପୂରଣକରିବା
ଷଷ୍ଠ ଶ୍ରେଣୀରେ ‘ସୁଷମ ଖାଦ୍ୟ : ସୁସ୍ଥ ଶରୀରର ଉପାୟ’ ବିଷୟରେ ତୁମେ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବାର ଆବଶ୍ୟକତା ବିଷୟରେ ଶିଖିଛ। ଯେହେତୁ କିଶୋରାବସ୍ଥାରେ ଅନେକ ପରିବର୍ତ୍ତନ ସହିତ ବୃଦ୍ଧି ଏବଂ ବିକାଶ ଘଟିଥାଏ, ତେଣୁ ଏହି ସମୟରେ ପୋଷଣ ଯୁକ୍ତ ଖାଦ୍ୟାହାର ଅତି ଗୁରୁତ୍ଵପୂର୍ଣ୍ଣ ଅଟେ।
କାର୍ଯ୍ୟ ୬.୪ ଆସ, ତାଲିକା କରିବା
ତୁମ ଅଞ୍ଚଳରେ ଉପଲବ୍ଧ ଖାଦ୍ୟ ଉପରେ ଆଧାର କରି, ସ୍ଵାସ୍ଥ୍ୟକର ଖାଦ୍ୟ ଉତ୍ସ, ସେଥିରେ ଥିବା ପୋଷକ ତତ୍ତ୍ଵ ଏବଂ ଏହି ପୋଷକ ତତ୍ତ୍ଵଗୁଡ଼ିକ ଆମର ବୃଦ୍ଧି ଏବଂ ବିକାଶରେ କିପରି ସାହାଯ୍ୟ କରନ୍ତି ତାହାକୁ ସାରଣୀ ୬.୩ ପୂରଣ କର।
ସାରଣୀ ୬.୩ ଖାଦ୍ୟ ଉତ୍ସ, ଏଥିରେ ଥିବା ପୋଷକ ତତ୍ତ୍ବ ଏବଂ ଏହି ପୋଷକ ତତ୍ତ୍ବର କାର୍ଯ୍ୟ
| କ୍ରମିକ ସଂଖ୍ୟା | ଖାଦ୍ୟ ଉତ୍ସ | ଆମେ ପାଉଥିବା ପୋଷକ ତତ୍ତ୍ବ | ପୋଷକ ତତ୍ତ୍ବର କାର୍ଯ୍ୟ |
|---|---|---|---|
| ୧ | କ୍ଷୀର, ବାଜରା, ଦହି, ଛେନା ଓ ପନିର | କ୍ୟାଲସିୟମ, ପୁଷ୍ଟିସାର, ସ୍ନେହସାର | ଅସ୍ଥିମାନଙ୍କର ସର୍ବୋତ୍ତମ ବୃଦ୍ଧିରେ ସାହାଯ୍ୟ କରିବା |
| ୨ | [???] | ପୁଷ୍ଟିସାର | ଉପଯୁକ୍ତ ଶରୀର ବୃଦ୍ଧି, ଶକ୍ତି ଲାଭ ଓ ଶକ୍ତି ସ୍ତରରେ ଉନ୍ନତ କରିବାରେ ସାହାଯ୍ୟ କରିବା |
| ୩ | ପାଳଙ୍ଗ, ଶିମ୍ବ, କିସ୍ମିସ୍ ଓ ଡିମିରି ଭଳି ଶୁଖିଲା ଫଳ | ଲୌହ | ରକ୍ତ ତିଆରି କରିବାରେ ସାହାଯ୍ୟ କରିବା |
ବିଜ୍ଞାନ ଏବଂ ସମାଜ
କିଶୋର, ବିଶେଷ କରି ଝିଅମାନେ, କେବେ କେବେ ଲୌହ କିମ୍ବା ଭିଟାମିନ୍ ଅଭାବ ଯୋଗୁଁ ରକ୍ତ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି।
-
ଏହି ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଅନ୍ଵେଷଣ କର।
-
ଆମ ଶରୀରରେ ଲୌହ ଅଭାବକୁ କିପରି ଦୂର କରିପାରିବା ?
-
ଲୌହ ଅଭାବ ଦୂରୀକରଣ ପାଇଁ ଅବଲମ୍ବନ କରାଯାଇଥିବା ସରକାରୀ ଯୋଜନାଗୁଡ଼ିକ ବିଷୟରେ ଅନୁଧ୍ୟାନ କର।
[ଚିତ୍ର ବର୍ଣ୍ଣନା: ବୈଜ୍ଞାନିକ ଡୋରୋଥ୍ ହଜକିନ୍ଙ୍କ ଫଟୋଚିତ୍ର।]
ବୈଜ୍ଞାନିକଙ୍କୁ ଜାଣିବା
ଡୋରୋଥ୍ ହଜକିନ୍ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଥିଲେ। ସେ ଭିଟାମିନ୍ ର ଗଠନ ବିଷୟରେ ଅଧ୍ୟୟନ କରିଥିଲେ। ସେ ୧୯୬୪ ମସିହାରେ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଥିଲେ ଓ ରସାୟନ ବିଜ୍ଞାନରେ ଏହି ପୁରସ୍କାର ପାଇବାରେ ସେ ତୃତୀୟ ମହିଳା ଅଟନ୍ତି। ତୁମେ କ'ଣ ଜାଣ କି ଯେ ମାନବ ଶରୀର ଠିକ୍ କାର୍ଯ୍ୟ କରିବା ପାଇଁ ଭିଟାମିନ୍ ଆବଶ୍ୟକ। ଅଧିକାଂଶ ଭିଟାମିନ୍ ପରି, ଏହା ମାନବ ଶରୀରରେ ତିଆରି ହୋଇପାରେ ନାହିଁ। ଆମେ ବାହାରୁ ଖାଉଥିବା ଖାଦ୍ୟରୁ ହିଁ ଏହାକୁ ପାଇବାକୁ ହୋଇଥାଏ। ଏବେ ଭିଟାମିନ୍ ର ଉତ୍ସ ବିଷୟରେ ତୁମ ଶିକ୍ଷକଙ୍କ ସହିତ ଆଲୋଚନା କର।
୬.୪.୨ ବ୍ୟକ୍ତିଗତ ପରିଚ୍ଛନ୍ନତା
ପୋଷଣ ବ୍ୟତୀତ, କିଶୋରାବସ୍ଥାରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ମଧ୍ଯ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଶରୀରର ବିଭିନ୍ନ ଅଂଶ, ବିଶେଷକରି କାଖ ଏବଂ ଜନନେନ୍ଦ୍ରିୟର ପରିଛନ୍ନତା ଆମକୁ ସମ୍ଭାବ୍ୟ ରୋଗ ସଂକ୍ରମଣରୁ ରକ୍ଷାକରିପାରେ।
ଝିଅମାନଙ୍କ ପାଇଁ ଋତୁସ୍ରାବ ସମୟରେ ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଉଭୟ ଆରାମ ଏବଂ ସ୍ଵାସ୍ଥ୍ୟ ପାଇଁ ଜରୁରୀ। ଏହି ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଥିବା ସାନିଟାରୀ ପ୍ୟାଡ୍ ଏବଂ ପୁନଃବ୍ୟବହାରଯୋଗ୍ୟ କପଡା ପ୍ୟାଡ୍ ଭଳି ଜିନିଷ ବ୍ୟବହାର କରି ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖାଯାଇ ପାରିବ।
ଝିଅ ଏବଂ ମହିଳାଙ୍କର ଋତୁସ୍ରାବ ସ୍ୱାସ୍ଥ୍ୟ ସୁରକ୍ଷାକୁ ଉନ୍ନତ କରିବା ପାଇଁ ସରକାର ଏହି ଉତ୍ପାଦଗୁଡ଼ିକୁ ମାଗଣାରେ କିମ୍ବା କମ ଦାମରେ ଯୋଗାଇବାକୁ ପ୍ରୟାସକରୁଛନ୍ତି। ଆମ ରାଜ୍ୟରେ ବିଦ୍ୟାଳୟମାନଙ୍କରେ ଏହି ଉଦ୍ଦେଶ୍ୟରେ ଖୁସି ଯୋଜନା କାର୍ଯ୍ୟକାରୀ ହେଉଛି। ଆମେ ସମସ୍ତେ କିଶୋରୀମାନଙ୍କ ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନରେ ଆବଶ୍ୟକୀୟ ସୁବିଧା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରିବା ଉଚିତ। ସାମୂହିକ ଭାବରେ, ଆମେ ଆଗକୁ ବଢ଼ିବା ଉଚିତ, ସାନିଟାରୀ ପ୍ୟାଡ୍ ସଂପର୍କିତ ଯେକୌଣସି ଭ୍ରମ ଧାରଣାକୁ ହ୍ରାସ କରିବା ଏବଂ ଋତୁସ୍ରାବ ସଂପର୍କୀୟ ପରିଚ୍ଛନ୍ନତାରେ ସାହାଯ୍ୟ କରିବା ଉଚିତ। ବ୍ୟବହୃତ ସାନିଟାରୀ ପ୍ୟାଡ୍ଗୁଡ଼ିକୁ ସର୍ବଦା ଖବରକାଗଜରେ ଗୁଡ଼ାଇ ଅଳିଆପାତ୍ର ଭିତରେ ଠିକ୍ ଭାବରେ ଫିଙ୍ଗିବା ଉଚିତ। ସମୟକ୍ରମେ ଏଗୁଡିକୁ ବୈଦ୍ୟୁତିକ ଅଗ୍ନିକୁଣ୍ଡ (Incinerator) ରେ ଜାଳିବା ପାଇଁ ସଚେତନତା ସୃଷ୍ଟି କରାଯିବା ଉଚିତ। ଏପରି କରିବା ଦ୍ବାରା ସ୍ଵାସ୍ଥ୍ୟ ଏବଂ ପରିବେଶ ପରିଚ୍ଛନ୍ନତା ସୁନିଶ୍ଚିତ ହୋଇଥାଏ। ଆଜିକାଲି ପରିବେଶ ଅନୁକୂଳ ସାନିଟାରୀ ପ୍ୟାଡ ମଧ୍ଯ ଉପଲବ୍ଧ ହେଲାଣି ଯାହା ଜୈବ ଅବକ୍ଷୟ ଯୋଗ୍ୟ ହେବା ସହିତ ସ୍ଵାସ୍ଥ୍ୟକର ଅଟେ।
[ଚିତ୍ର ବର୍ଣ୍ଣନା: ପିଲାମାନେ ଫୁଟବଲ୍ ଖେଳୁଥିବା, ସ୍କିପିଂ (ଦଉଡ଼ି ଡିଆଁ) କରୁଥିବା ଏବଂ ଯୋଗ/ବ୍ୟାୟାମ କରୁଥିବାର ଚିତ୍ର।]
ବିଜ୍ଞାନ ଏବଂ ସମାଜ
ଋତୁସ୍ରାବକାଳୀନ ସ୍ଵଚ୍ଛତାକୁ ନିଶ୍ଚିତ କରିବା ପାଇଁ, ସରକାର ନିମ୍ନ ପଦକ୍ଷେପ ନେଇଛନ୍ତି –
-
ଋତୁସ୍ରାବକାଳୀନ ସ୍ଵଚ୍ଛତା ଯୋଜନା (MHS): ଭାରତ ସରକାରଙ୍କ ଏହି ଯୋଜନା ଅଧୀନରେ, ଗ୍ରାମାଞ୍ଚଳରେ କିଶୋରୀ ଝିଅମାନଙ୍କୁ ମାଗଣାରେ କିମ୍ବା ରିହାତି ମୂଲ୍ୟରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଏ। ଏହି ଯୋଜନାରେ ଝିଅମାନଙ୍କୁ ଋତୁସ୍ରାବକାଳୀନ ସ୍ଵଚ୍ଛତା ଏବଂ ସ୍ୱାସ୍ଥ୍ୟ ବିଷୟରେ ଶିକ୍ଷା ଦେବା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ଯ ପରିଚାଳନା କରାଯାଏ।
-
ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RKSK): କିଶୋର-କିଶୋରୀମାନଙ୍କ ସାମଗ୍ରିକ ସ୍ଵାସ୍ଥ୍ୟକୁ ଉନ୍ନତ କରିବା ଏହି ଯୋଜନାର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଋତୁସ୍ରାବକାଳୀନ ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତା ମଧ୍ୟ ଅନ୍ତର୍ଭୁକ୍ତ। ଏହା ସହପାଠୀ ଶିକ୍ଷାକୁ ଉତ୍ସାହିତ କରେ, ଯେଉଁଠାରେ ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରମାନଙ୍କୁ ଏହି ବିଷୟଗୁଡ଼ିକ ଶିଖିବାରେ ସାହାଯ୍ୟ କରନ୍ତି।
-
ସୁବିଧା ସାନିଟାରୀ ନାପକିନ ପ୍ରୟାସ: ଏହି ପ୍ରୟାସ ଅଧୀନରେ, ଜନ ଔଷଧି କେନ୍ଦ୍ର ମାଧ୍ୟମରେ ସୁଲଭ ମୂଲ୍ୟରେ ଜୈବବିଘଟନଶୀଳ ସାନିଟାରୀ ଯୋଗାଇ ଦିଆଯାଏ। ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ୍ରାବକାଳୀନ ସ୍ୱଚ୍ଛତା ଉତ୍ପାଦଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ଏହି ପ୍ରୟାସର ଲକ୍ଷ୍ୟ।
-
ରାଜ୍ୟସ୍ତରୀୟ ପଦକ୍ଷେପ: ବିଭିନ୍ନ ରାଜ୍ୟ ସରକାରଙ୍କର ଏହି ଉଦ୍ଦେଶ୍ୟରେ ନିଜସ୍ଵ କାର୍ଯ୍ୟକ୍ରମମାନ ଅଛି, ଯେପରିକି କର୍ଣ୍ଣାଟକରେ 'ଶୁଚି ଯୋଜନା’ ଏବଂ ତାମିଲନାଡୁ ଏବଂ ଓଡ଼ିଶା ଭଳି ରାଜ୍ୟରେ ମାଗଣା ସାନିଟାରୀ (ଖୁସି) ନାପକିନ ଯୋଜନା। ଏହି କାର୍ଯ୍ୟକ୍ରମଗୁଡ଼ିକ ସରକାରୀ ବିଦ୍ୟାଳୟଗୁଡ଼ିକରେ ମାଗଣା ସାନିଟାରୀ ପ୍ୟାଡ୍ ବଣ୍ଟନ କରିବା ଲକ୍ଷ୍ୟରେ ପରିଚାଳିତ ହେଉଅଛି।
୬.୪.୩ ଶାରୀରିକ କାର୍ଯ୍ୟକଳାପ
କିଶୋର ଅବସ୍ଥାରେ ନିୟମିତ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ମଧ୍ଯ ବହୁତ ଗୁରୁତ୍ବପୂର୍ଣ୍ଣ। ତୁମେ ନିୟମିତ ବ୍ୟାୟାମ କର କିମ୍ବା ଖେଳ ଓ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କର କି ? ତୁମେ କି ପ୍ରକାରର ବ୍ୟାୟାମ କର ? ବାସ୍ତବରେ ଏହି କାର୍ଯ୍ୟକଳାପଗୁଡ଼ିକ ତୁମ ଶରୀର ଓ ମନକୁ ସୁସ୍ଥ ରଖେ, ତୁମ ସହନଶକ୍ତି ତିଆରି କରେ ଏବଂ ତୁମ ମାନସିକ ଭାବକୁ ବୃଦ୍ଧି କରେ (ଚିତ୍ର ୬.୨)।
[ଚିତ୍ର ବର୍ଣ୍ଣନା ୧ (ଚିତ୍ର ୬.୩): ଶ୍ରେଣୀଗୃହରେ ଏକାଠି ବସି ପିଲାମାନେ ପ୍ରୋଜେକ୍ଟ କାମ କରୁଛନ୍ତି। ଲେଖାଅଛି: ବିଶ୍ୱାସ, ପାରସ୍ପରିକ ସମ୍ମାନ, ମର୍ଯ୍ୟାଦାପୂର୍ଣ୍ଣ କଥାବାର୍ତ୍ତା, ସଚେତନ।]
[ଚିତ୍ର ବର୍ଣ୍ଣନା ୨ (ଚିତ୍ର ୬.୪): ସାଇବର ଧମକ ବା ବୁଲିଂ ବିରୁଦ୍ଧରେ ଏକ ନିଷେଧ ଚିହ୍ନ (No Symbol)। ଭିତରେ ମୋବାଇଲ ଓ ଲାପଟପ୍ ସହ ଲେଖାଅଛି: ମଜା କରିବା, ବିଭ୍ରାନ୍ତକାରୀ ତଥ୍ୟ, ବ୍ୟକ୍ତିଗତ ମନ୍ତବ୍ୟ, ଚିଡାଇବା।]
୬.୪.୪ ସନ୍ତୁଳିତ ସାମାଜିକ ଜୀବନ
ଆମେ ସମସ୍ତେ ଏକ ସମାଜରେ ବାସ କରୁ ଏବଂ ଆମର ଦୈନନ୍ଦିନ ଜୀବନରେ ପରସ୍ପର ସହିତ ବିଭିନ୍ନ କାର୍ଯ୍ୟରେ ଜଡିତ ହୋଇଥାଉ। ତେଣୁ ଆମେ ସମସ୍ତେ ପରସ୍ପର ପ୍ରତି ନମ୍ରତା ଓ ସମ୍ମାନ ପ୍ରଦର୍ଶନ କରିବା ଉଚିତ (ଚିତ୍ର ୬.୩)। ଏହା ଦ୍ଵାରା ଏକ ଉପଯୁକ୍ତ ଏବଂ ସୁରକ୍ଷିତ ପରିବେଶ ସୃଷ୍ଟି ହୋଇଥାଏ।
ଯେହେତୁ କିଶୋରାବସ୍ଥା ହେଉଛି ଅଭିଜ୍ଞତା ଓ ଭାବନା ଦ୍ଵାରା ଚିହ୍ନିତ ଜୀବନର ଏକ ନୂତନ ପର୍ଯ୍ୟାୟ, ଏହି ସମୟରେ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାବେଳେ ଆମେ ଚିନ୍ତାଶୀଳ ଓ ଦାୟିତ୍ୱବାନ ହେବା ଉଚିତ – ତାହା ବ୍ୟକ୍ତିଗତ ଭାବରେ ହେଉ କି ସାମାଜିକ ମାଧ୍ୟମ ହେଉ। ଏହି ସମୟରେ କିଶୋରୀମାନେ ସେମାନଙ୍କ ସହପାଠୀ ବା ସାଥୀମାନଙ୍କ ପ୍ରତି ଆକର୍ଷଣ ଅନୁଭବ କରିପାରନ୍ତି ଓ ତାଙ୍କ ଆଚରଣକୁ ଅନୁକରଣ କରିପାରନ୍ତି। ଅଧୁନା ସେମାନେ ପ୍ରାୟତଃ ଅନଲାଇନରେ ପରସ୍ପର ସହିତ ଯୋଗାଯୋଗ କରୁଛନ୍ତି।
ଆଧୁନିକ ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୂଚନା ପାଇବା, ସଂଯୋଗ ସ୍ଥାପନ କରିବା, ପରସ୍ପର ଭାବ ବିନିମୟ କରିବା ଏବଂ ତଥ୍ୟ ବିନିମୟ କରିବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ଉପଲବ୍ଧ କରାଇଛି। ସାମୂହିକ ମଙ୍ଗଳ ପାଇଁ ଆମେ ଏହି ପ୍ଲାଟଫର୍ମଗୁଡ଼ିକୁ ଦାୟିତ୍ଵର ସହ ବ୍ୟବହାର କରିବା ଉଚିତ। କେତେକ ସମୟରେ, ଆମେ ଜାଣତରେ କିମ୍ବା ଅଜାଣତରେ, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅସାବଧାନତାବଶତଃ ବ୍ୟବହାର କରୁ। ବୟସ୍କ ଏବଂ ଶିକ୍ଷକମାନଙ୍କଠାରୁ ମାର୍ଗଦର୍ଶନ ନେବା, ଏହି ପ୍ଲାଟଫର୍ମଗୁଡ଼ିକୁ ସକାରାତ୍ମକ ଭାବରେ ବ୍ୟବହାର କରିବାରେ ସାହାଯ୍ୟ କରିପାରିବ।
ବିଜ୍ଞାନ ଏବଂ ସମାଜ
ସାଇବର ବୁଲିଂ ବା ସାଇବର ଧମକ ହେଉଛି ଡିଜିଟାଲ୍ ଉପକରଣ ଯଥା : ଫୋନ୍, କମ୍ପ୍ୟୁଟର କିମ୍ବା ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରି ଅନ୍ୟମାନଙ୍କୁ ଭ୍ରାମକ ବାର୍ତ୍ତା ପଠାଇ, ମିଥ୍ୟା ଖବର ପ୍ରସାରଣ କରି କିମ୍ବା ବିନା ସମ୍ମତିରେ ବ୍ୟକ୍ତିଗତ ତଥ୍ୟ ଚୋରି ଓ ବିନିମୟ କରି ହଇରାଣ କରିବା (ଚିତ୍ର ୬.୪)। ଯଦି କେହି ତୁମକୁ ଏହିପରି ଧମକ ଦେବାକୁ ଚେଷ୍ଟାକରେ, ତେବେ ତୁମେ ଭୟଭୀତ କିମ୍ବା ଅସହାୟ ହେବନାହିଁ। ବରଂ, ବୁଦ୍ଧିମାନ ଭାବେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ତଥା ଅଭିଭାବକ ଓ ଶିକ୍ଷକଙ୍କ ସାହାଯ୍ୟ ନେବା ଆବଶ୍ୟକ। ସେହିପରି, ଅନଲାଇନରେ କୌଣସି ଫଟୋ ଅପଲୋଡ୍ କରିବା କିମ୍ବା ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସୂଚନା ବିନିମୟ କରିବା ସମୟରେ ତୁମେ ସତର୍କ ରହିବା ଉଚିତ୍।
କାର୍ଯ୍ୟ ୬.୪ ଆସ ସଚେତନତା ପ୍ରସାର କରିବା
ଦଳ ହିସାବରେ କାମ କରି ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ବା ସୋସିଆଲ୍ ମିଡିଆ ବ୍ୟବହାର ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟର୍ ଏବଂ ପାମ୍ପଲେଟ୍ ଡିଜାଇନ୍ କର ଏବଂ ସେଗୁଡ଼ିକୁ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଲଗାଅ। ଏହାପରେ ସାମୂହିକ ପର୍ଯ୍ୟବେକ୍ଷଣ ଆଧାରରେ ସାରଣୀ ୬.୪ ପୂରଣ କର।
ସାରଣୀ ୬.୪ ସୋସିଆଲ୍ ମିଡିଆରେ କ’ଣ କରିବା ଓ କ’ଣ କରିବା ନାହିଁ
| କ୍ରମିକ ସଂଖ୍ୟା | କରିବା | କରିବା ନାହିଁ |
|---|---|---|
| ୧ | ଶ୍ରଦ୍ଧାଶୀଳ ଓ ସଦୟ ହେବା | ଅପରିଚିତ / ଆଭାସୀ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ଫଟୋ ସେୟାର କରିବା ନାହିଁ |
| ୨ | ପୋଷ୍ଟ କରିବା ପୂର୍ବରୁ ଚିନ୍ତା କରିବା | |
| ୩ | ଗୋପନୀୟତାକୁ ସୁରକ୍ଷିତ ରଖିବା |
୬.୪.୫ କ୍ଷତିକାରକ ପଦାର୍ଥଠାରୁ ଏଡ଼ାଇ ରହିବା – ‘ନା’ କହିବାକୁ ଶିଖିବା
କିଛି ଲୋକ ଏପରିକି ତୁମ ସାଙ୍ଗମାନେ ତୁମକୁ ତମାଖୁ, ଗୁଟଖା, ସିଗାରେଟ୍, ବିଡ଼ି, ମଦ୍ୟପାନ କିମ୍ବା ଜୀବନ ପ୍ରତି ବିପଦପୂର୍ଣ୍ଣ ଅବୈଧ ଔଷଧ ଭଳି କ୍ଷତିକାରକ ପଦାର୍ଥ ସେବନକରିବାକୁ ପ୍ରଲୋଭିତ କରିପାରନ୍ତି, ପ୍ରବର୍ତ୍ତାଇପାରନ୍ତି, ବାଧ୍ୟ କରିପାରନ୍ତି କିମ୍ବା ଚାପ ସୃଷ୍ଟିକରିପାରନ୍ତି। କିଶୋରାବସ୍ଥା ଜିଜ୍ଞାସା ଏବଂ ଉତ୍ତେଜନାର ସମୟ ହୋଇଥିବାରୁ, କିଶୋର-କିଶୋରୀମାନେ ଏପରି ଲୋକମାନଙ୍କ ପ୍ରଭାବରେ ପଡ଼ି ଏହି କ୍ଷତିକାରକ ପଦାର୍ଥଗୁଡିକୁ ସେବନକରିବାକୁ ଇଚ୍ଛା କରିପାରନ୍ତି।
ଏହି ପଦାର୍ଥଗୁଡ଼ିକ କେବଳ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ ନିଶା ମଧ୍ଯ ସୃଷ୍ଟି କରେ। ଅର୍ଥାତ୍ ଲୋକମାନେ ଥରେ ସେଗୁଡ଼ିକୁ ସେବନ କରିବା ଆରମ୍ଭ କଲେ, ବାରମ୍ବାର ସେଗୁଡ଼ିକୁ ସେବନକରିବା ପାଇଁ ଏକ ପ୍ରବଳ ଇଚ୍ଛା ଜାଗ୍ରତ ହୋଇଥାଏ। କାଳକ୍ରମେ ସେମାନେ ନିୟମିତ ଭାବରେ ସେଗୁଡ଼ିକୁ ବ୍ୟବହାରକରିବା ଆରମ୍ଭକରନ୍ତି। ଏହାକୁ ପଦାର୍ଥ ଦୁର୍ବ୍ୟସନ (ମାଦକାସକ୍ତି) କୁହାଯାଏ।
[ଚିତ୍ର ବର୍ଣ୍ଣନା (ଚିତ୍ର ୬.୪): ସୁସ୍ଥ ଫୁସଫୁସ (ଗୋଲାପୀ) ଏବଂ ବିଡି/ସିଗାରେଟ୍ ଟାଣିବା ଯୋଗୁଁ ନଷ୍ଟ ହୋଇ କଳା ପଡ଼ିଯାଇଥିବା ଫୁସଫୁସର ତୁଳନାତ୍ମକ ଚିତ୍ର।]
ଆଜି ଯିଏ ନିଶାଗ୍ରସ୍ତ, ସେ ହୁଏତ ଥରେ ‘କେବଳ ମାତ୍ର ଥରେ’ କହିବା ସହିତ ଆରମ୍ଭ କରିଥିବେ ! ପ୍ରଥମ ଥର ଏବଂ ପ୍ରତ୍ୟେକ ଥର ମାଦକ ପଦାର୍ଥକୁ ନା କୁହ।
[ଚିତ୍ର ବର୍ଣ୍ଣନା: ପୃଷ୍ଠାର ବାମ ଭାଗରେ ଜଣେ ଡାକ୍ତର ଟେବୁଲ୍ ପାଖରେ ବସି ପରାମର୍ଶ ଦେଉଥିବା ଏବଂ ଡାହାଣ ଭାଗରେ କିଶୋର-କିଶୋରୀ ଚିନ୍ତାଶୀଳ ଭାବରେ କଥା ହେଉଥିବାର ଚିତ୍ର।]
ଏହି ପଦାର୍ଥଗୁଡ଼ିକ ବ୍ୟବହାର କରିବା ଦ୍ବାରା ଶ୍ଵାସକ୍ରିୟାରେ ଅସୁବିଧା, ଶକ୍ତି ହ୍ରାସ ଏବଂ ଫୁସଫୁସରେ କ୍ଷତି ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ସୁସ୍ଥ ରହିବା ପାଇଁ, ଏହି ପଦାର୍ଥଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇବା ଏବଂ ଏହା ବଦଳରେ ସୁସ୍ଥ ନିଷ୍ପତ୍ତି ନେବା ଗୁରୁତ୍ୱପୂର୍ଣ୍ଣ। ’ନା’ କହିବାର ନିଷ୍ପତ୍ତିରେ ଦୃଢ଼ ଏବଂ ଆତ୍ମବିଶ୍ଵାସୀ ରହିବା ଗୁରୁତ୍ୱପୂର୍ଣ୍ଣ।
ନିଶା ଅଭ୍ୟାସ ଦୂର କରିବାର ପ୍ରଥମ ପଦକ୍ଷେପ ହେଉଛି ପରିବାର ଏବଂ ବନ୍ଧୁମାନଙ୍କଠାରୁ ସାହାଯ୍ୟ ଏବଂ ସମର୍ଥନ ଲୋଡ଼ିବା, ଏବଂ ବିଶ୍ୱସ୍ତ ଲୋକ ଯଥା ପିତା, ମାତା କିମ୍ବା ଶିକ୍ଷକଙ୍କ ସହିତ କଥାବାର୍ତ୍ତା କରିବା। ପରାମର୍ଶ ଏବଂ ଡାକ୍ତରୀ ମାର୍ଗଦର୍ଶନ ମଧ୍ଯ ଏପରି ପରିସ୍ଥିତିର ମୁକାବିଲା କରିବାରେ ସହାୟକ ହୋଇପାରେ। ମନେରଖ, ତୁମର ସ୍ଵାସ୍ଥ୍ୟ ଏବଂ ତୁମର ଭବିଷ୍ୟତ ତୁମ ହାତରେ। ତେଣୁ ସର୍ବଦା ବିଜ୍ଞତାର ସହିତ ନିଷ୍ପତ୍ତି ନିଅ।
ବିଜ୍ଞାନ ଏବଂ ସମାଜ
ନିଶାମୁକ୍ତି ଭାରତ ଅଭିଯାନ
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ନିଶାମୁକ୍ତ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ି, ମହିଳା ଏବଂ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ନିଶାଦ୍ରବ୍ୟ ଅପବ୍ୟବହାରକୁ ଏଡ଼ାଇବା ପ୍ରସଙ୍ଗରେ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ସଚେତନତା ପ୍ରସାର କରିବା। ବିଶେଷ କରି, ପ୍ରାରମ୍ଭିକ ବୟସର ଶିଶୁମାନଙ୍କ ମଧ୍ୟରେ ଏହି ଅପବ୍ୟବହାର ରୋକିବା ଉପରେ ଗୁରୁତ୍ବ ଦିଆଯାଇଛି। ସରକାର ନିଶାଦ୍ରବ୍ୟ ନିବାରଣ ଏବଂ ନିଶାସକ୍ତ ବ୍ୟକ୍ତିଙ୍କ ନିଶାମୁକ୍ତିରେ ସାହାଯ୍ୟ କରିବା ପାଇଁ ଏକ ଜାତୀୟ ନିଶାମୁକ୍ତି ହେଲ୍ପଲାଇନ୍ ୧୪୪୪୬ ଆରମ୍ଭ କରିଛନ୍ତି।
୬.୫ କିଶୋରାବସ୍ଥା ପାଇଁ ’କାହିଁକି’ ପ୍ରଶ୍ନ
-
ପୁଅ କହୁଛି: "ଆମେ ବର୍ତ୍ତମାନ କିଶୋରାବସ୍ଥାରେ ଘଟୁଥିବା ପରିବର୍ତ୍ତନଗୁଡ଼ିକୁ ବୁଝିବାକୁ ସକ୍ଷମ ହୋଇଛୁ ଏବଂ ଏହାକୁ ଦାୟିତ୍ୱବୋଧ ସହିତ ପରିଚାଳନା କରିପାରିବା ଉପାୟ ମଧ୍ୟ ଶିଖିପାରିଛୁ।"
-
ଝିଅ କହୁଛି: "କିନ୍ତୁ ମୁଁ ଭାବୁଛି ଜୀବନର ଏହି ପର୍ଯ୍ୟାୟରେ ଏପରି ପରିବର୍ତ୍ତନଗୁଡ଼ିକ କାହିଁକି ଘଟେ !"
କିଶୋର ଅବସ୍ଥାରେ ଅନେକ ପରିବର୍ତ୍ତନ ହୋଇଥାଏ, ଯେଉଁଥିରେ ଋତୁସ୍ରାବ ଏବଂ ଯୌବନର ଅନ୍ୟାନ୍ୟ ଲକ୍ଷଣ ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକ ମୁଖ୍ୟତଃ ହରମୋନ୍ ଯୋଗୁଁ ହୋଇଥାଏ। ହରମୋନ୍ଗୁଡ଼ିକ ଆମ ଶରୀରରେ ଉତ୍ପାଦିତ କିଛି ରାସାୟନିକ ପଦାର୍ଥ ଅଟେ। ଏହା ବୃଦ୍ଧି ଓ ବିକାଶର ବିଭିନ୍ନ ଦିଗକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥାଏ। ସେଥିଯୋଗୁଁ ଶରୀରର ଠିକ୍ କାର୍ଯ୍ୟକାରିତା ସମ୍ଭବ ହୁଏ। ଏଗୁଡ଼ିକ ଶରୀରର ବିଭିନ୍ନ ଅଂଶରେ ଉତ୍ପାଦିତ ହୁଏ ଓ ମସ୍ତିଷ୍କରୁ ଆସୁଥିବା ସଙ୍କେତର ପ୍ରତିକ୍ରିୟାରେ ନିର୍ଗତ ହୁଏ। କିଛି ହରମୋନ୍ ମନ ଏବଂ ଆଚରଣକୁ ପ୍ରଭାବିତ କରେ।
କିଶୋରାବସ୍ଥା ସମ୍ପର୍କରେ ଅବଗତ ରହି, ଆବଶ୍ୟକ ସମୟରେ ସହାୟତା ସହିତ ମାର୍ଗଦର୍ଶନ ଖୋଜି ଏବଂ ସୁସ୍ଥ ନିଷ୍ପତ୍ତି ନେଇ, ତୁମେ ତୁମର ଉଜ୍ଜ୍ଵଳ ଭବିଷ୍ୟତ ଜୀବନ ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିପାରିବ।
ସାରାଂଶ
୧. କିଶୋରାବସ୍ଥା ହେଉଛି ଶୈଶବରୁ ଯୌବନ ମଧ୍ୟରେ ପରିବର୍ତ୍ତନର ସମୟ। ଏହା ସାଧାରଣତଃ ୧୦ ବର୍ଷ ରେ ଆରମ୍ଭ ହୁଏ ଏବଂ ପ୍ରାୟତଃ ୧୯ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ୨. କିଶୋରାବସ୍ଥା ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ବୈଶିଷ୍ଟ୍ୟପୂର୍ଣ୍ଣ ଶାରୀରିକ, ଜୈବିକ ଏବଂ ଆବେଗିକ ପରିବର୍ତ୍ତନ ଦ୍ବାରା ଚିହ୍ନିତ। ୩. ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ପୃଥକ କରିବାରେ ସାହାଯ୍ୟ କରୁଥିବା କିନ୍ତୁ ପ୍ରଜନନରେ ସିଧାସଳଖ ଜଡିତ ନ ଥିବା ବୈଶିଷ୍ଟ୍ୟଗୁଡ଼ିକୁ ଗୌଣ ଲିଙ୍ଗୀୟ ବୈଶିଷ୍ଟ୍ୟ କୁହାଯାଏ। ୪. ବୟଃସନ୍ଧି (Puberty) ସମୟରେ ଏକ ଶିଶୁର ଶରୀର ପ୍ରଜନନକ୍ଷମ ଯୁବାବସ୍ଥା ପ୍ରାପ୍ତ ହୁଏ। ସେଥିପାଇଁ ଶରୀରକୁ ଉଭୟ ବାହ୍ୟ ଚେହେରା ଏବଂ ଆଭ୍ୟନ୍ତରୀଣ ପରିବର୍ତ୍ତନ ଦେଇ ଗତି କରିବାକୁ ପଡେ। ୫. ଝିଅମାନଙ୍କ ମଧ୍ୟରେ କିଶୋରାବସ୍ଥା ମଧ୍ୟ ଋତୁଚକ୍ର ଆରମ୍ଭ ଦ୍ବାରା ସୂଚିତ ହୁଏ, ଯେଉଁ ସମୟରେ ସାଧାରଣତଃ ପ୍ରତି ୨୮-୩୦ ଦିନରେ ଶରୀରରୁ ରକ୍ତ ନିର୍ଗତ ହୁଏ, ଏହି ପ୍ରକ୍ରିୟାକୁ ଋତୁସ୍ରାବ କୁହାଯାଏ। ଋତୁସ୍ରାବ ଯୌବନ ସମୟରେ ଆରମ୍ଭ ହୁଏ ଏବଂ ସାଧାରଣତଃ ୪୫-୫୫ ବର୍ଷ ବୟସ ମଧ୍ୟରେ ଶେଷ ହୁଏ। ୬. କିଶୋରୀମାନେ ଅନେକ ଆବେଗାତ୍ମକ ଏବଂ ଆଚରଣଗତ ପରିବର୍ତ୍ତନର ସମ୍ମୁଖୀନ ହୁଅନ୍ତି। ୭. ସନ୍ତୁଳିତ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ଉତ୍ତମ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା କିଶୋରମାନଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରେ। ୮. ତମାଖୁ, ମଦ୍ୟ ଏବଂ ନିଶା ଔଷଧ ଭଳି ମାଦକଦ୍ରବ୍ୟଗୁଡ଼ିକ ଶରୀର ଏବଂ ମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହି ପଦାର୍ଥଗୁଡ଼ିକୁ ’ନା’ କହିବା ଏବଂ ସେଗୁଡ଼ିକଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ। ୯. କିଶୋରାବସ୍ଥାରେ ଶରୀରରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ମୁଖ୍ୟତଃ ଶରୀରରେ ଉତ୍ପାଦିତ କିଛି ରାସାୟନିକ ପଦାର୍ଥ ଦ୍ବାରା ନିୟନ୍ତ୍ରିତ। ଏହି ରାସାୟନିକ ପଦାର୍ଥଗୁଡ଼ିକୁ ହରମୋନ୍ କୁହାଯାଏ। ୧୦. ଉପଯୁକ୍ତ ମାର୍ଗଦର୍ଶନ ଏବଂ ସଚେତନତା କିଶୋରମାନଙ୍କୁ ଶାରୀରିକ, ଆବେଗିକ ଏବଂ ଆଚରଣଗତ ପରିବର୍ତ୍ତନଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବାରେ ସାହାଯ୍ୟ କରେ।
ଆମ ଶିକ୍ଷଣର ଅଭିବୃଦ୍ଧି କରିବା
୧. ଏଗାର ବର୍ଷର ବାଳକ ରମେଶର ମୁହଁରେ କିଛି ବ୍ରଣ ହୋଇଥିଲା। ତା’ର ମାଆ ତାକୁ କହିଥିଲେ ଯେ ଏହା ଶରୀରରେ ଚାଲିଥିବା ଜୈବିକ ପରିବର୍ତ୍ତନ ଯୋଗୁଁ ହେଉଛି। (i) ରମେଶ ମୁହଁରେ ଏହି ବ୍ରଣ ହେବାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ? (ii) ଏହି ବ୍ରଣରୁ ଆରାମ ପାଇବା ପାଇଁ ସେ କ’ଣ କରିପାରିବ ?
[ଚିତ୍ର ବର୍ଣ୍ଣନା: ଫାଷ୍ଟଫୁଡ୍ (ବର୍ଗର, ପିଜା, ଡୋନଟ୍, ଫ୍ରେଞ୍ଚ ଫ୍ରାଇଜ୍) ବନାମ ସନ୍ତୁଳିତ ଭାରତୀୟ ଥାଳି (ରୁଟି, ଡାଲି, ଭାତ, ସାଲାଡ, ତରକାରୀ) ର ତୁଳନାତ୍ମକ ଚିତ୍ର।]
୨. କିଶୋରମାନଙ୍କ ପାଇଁ ନିମ୍ନଲିଖିତ ଖାଦ୍ୟସମୂହ ମଧ୍ୟରୁ କେଉଁଟି ଏକ ଭଲ ବିକଳ୍ପ ହେବ ଏବଂ କାହିଁକି ? (କ) ଫାଷ୍ଟଫୁଡ୍ (ଖ) ସନ୍ତୁଳିତ ଖାଦ୍ୟ
୩. ନିମ୍ନଲିଖିତ ବାକ୍ୟଗୁଡ଼ିକରେ ରେଖାଙ୍କିତ ଶବ୍ଦକୁ ଅର୍ଥବୋଧକ କର : (i) ସାଧାରଣତଃ ପ୍ରତି ୨୮–୩୦ ଦିନରେ ଘଟୁଥିବା କିଶୋରୀମାନଙ୍କ ରକ୍ତ ନିର୍ଗତ ହେବା ପ୍ରକ୍ରିୟା ଋତୁସ୍ରାବ ଅଟେ। (ii) କିଶୋର ପୁଅମାନଙ୍କ ସ୍ୱରରେ କର୍କଶତା ସ୍ୱରପେଟିକା ବୃଦ୍ଧି ହେତୁ ହୋଇଥାଏ। (iii) ଗୌଣ ଯୌନ ବୈଶିଷ୍ଟ୍ୟଗୁଡ଼ିକ ହେଉଛି କେତେକ ପ୍ରାକୃତିକ ଲକ୍ଷଣ ଯାହା ଶରୀର ଯୁବାବସ୍ଥା ପାଇଁ ପ୍ରସ୍ତୁତ ହେବା ଆରମ୍ଭକୁ ଚିହ୍ନିତ କରେ। (iv) ଆମେ ତମାଖୁ ଓ ମାଦକଦ୍ରବ୍ୟ କୁ ନା କହିବା ଉଚିତ୍ କାରଣ ଏଗୁଡ଼ିକ ନିଶାକାରକ।
୪. ଶାନ୍ତି ତା’ର ସାଙ୍ଗକୁ କହିଲା ଯେ “କିଶୋରାବସ୍ଥା କେବଳ ଶାରୀରିକ ଯେପରିକି ଉଚ୍ଚତା ବୃଦ୍ଧି କିମ୍ବା ଶରୀରର କେଶ ବୃଦ୍ଧି ପରି ପରିବର୍ତ୍ତନ ଆଣିଥାଏ।” ସେ କ’ଣ ଠିକ୍ କହିଲା ? ଶାନ୍ତିର ଏହି ବର୍ଣ୍ଣନାରେ ତୁମେ କି ପରିବର୍ତ୍ତନ କରିବ ?
୫. ଶ୍ରେଣୀରେ ଏକ ଆଲୋଚନା ସମୟରେ, କିଛି ଛାତ୍ର ନିମ୍ନଲିଖିତ ବିଷୟଗୁଡ଼ିକ ଉଠାଇଥିଲେ। ଏହି ବିଷୟଗୁଡ଼ିକ ଠିକ୍ କି ଭୁଲ ଯାଞ୍ଚ କରିବା ପାଇଁ ତୁମେ ସେମାନଙ୍କୁ କେଉଁ ପ୍ରଶ୍ନ ପଚାରିବ ? (କ) କିଶୋରମାନଙ୍କୁ ଆଚରଣଗତ ପରିବର୍ତ୍ତନ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। (ଖ) ଯଦି କେହି ଥରେ କ୍ଷତିକାରକ ପଦାର୍ଥ ବ୍ୟବହାର କରନ୍ତି, ତେବେ ସେମାନେ ଯେତେବେଳେ ଚାହିଁବେ ସେତେବେଳେ ବନ୍ଦ କରିପାରିବେ।
୬. କିଶୋରୀମାନେ କେତେକ ସମୟରେ ମନୋଭାବର ହଠାତ୍ ପରିବର୍ତ୍ତନ (mood swing) ଅନୁଭବ କରନ୍ତି। କିଛି ଦିନ ସେମାନେ ଖୁବ୍ ଉତ୍ସାହୀ (energetic) ଅନୁଭବ କରନ୍ତି, ଆଉ କିଛି ଦିନ ସେମାନେ ଉଦାସ ଅନୁଭବ କରିପାରନ୍ତି। ଏହି ବୟସ ସହିତ ଅନ୍ୟ କେଉଁ ଆଚରଣଗତ ପରିବର୍ତ୍ତନ ଜଡିତ ?
୭. ଶୌଚାଳୟ ବ୍ୟବହାର ସମୟରେ, ମାଳତୀ ଦେଖିଲା ଯେ ବ୍ୟବହୃତ ସାନିଟାରୀ ପ୍ୟାଡ ଅଳିଆ ପାତ୍ର ପାଖରେ ଏଣେତେଣେ ପଡ଼ିଛି। ଏହା ଦେଖି ସେ ଦୁଃଖିତ ହେଲା ଏବଂ ନିଜ ଅନୁଭୂତି ସାଙ୍ଗମାନଙ୍କୁ କହିଲା। ସେମାନେ ଋତୁସ୍ରାବ ପରିଛନ୍ନତା ଏବଂ ସୁସ୍ଥ ପରିମଳ ଅଭ୍ୟାସ ବିଷୟରେ ଆଲୋଚନା କଲେ। ତୁମେ ତୁମ ବନ୍ଧୁମାନଙ୍କୁ ଋତୁସ୍ରାବ ସମୟରେ କେଉଁ ସ୍ଵାସ୍ଥ୍ୟବିଧି ଏବଂ ପରିମଳ ଅଭ୍ୟାସ ବିଷୟରେ ପରାମର୍ଶ ଦେବ ?
୮. ମୀନା ଏବଂ ମନୋଜ ସହପାଠୀ ଓ ଭଲ ବନ୍ଧୁ ଥିଲେ। ୧୧ ବର୍ଷ ବୟସରେ, ମୀନାର ବେକ ଆଗ ଭାଗରେ ଏକ ଛୋଟ ଫୁଲା ସୃଷ୍ଟି ହୋଇଥିଲା। ସେ ଡାକ୍ତରଙ୍କ ପାଖକୁ ଯାଇଥିଲା। ଡାକ୍ତର ତାକୁ ଔଷଧ ଦେଇଥିଲେ ଏବଂ ଆୟୋଡିନ୍ ଯୁକ୍ତ ଖାଦ୍ୟ ଖାଇବାକୁ କହିଥିଲେ। ସେହିପରି, ୧୨ ବର୍ଷ ବୟସରେ ମନୋଜର ବେକର ଆଗ ଭାଗରେ ଏକ ଗଣ୍ଠି ସୃଷ୍ଟି ହୋଇଥିଲା। କିନ୍ତୁ ଡାକ୍ତର ତାକୁ କହିଥିଲେ ଯେ ଏହା ଶରୀର ବୃଦ୍ଧି ହେବାର ଏକ ସ୍ଵାଭାବିକ ଲକ୍ଷଣ। ତୁମ ମତରେ, ମୀନା ଏବଂ ମନୋଜକୁ ଡାକ୍ତର ଭିନ୍ନ ଭାବରେ ପରାମର୍ଶ ଦେବାର ସମ୍ଭାବ୍ୟ କାରଣ କ'ଣ ହୋଇପାରେ ?
୯. କିଶୋରାବସ୍ଥାରେ ପୁଅ ଏବଂ ଝିଅମାନେ କିଛି ଶାରୀରିକ ପରିବର୍ତ୍ତନ ଭୋଗିଥାନ୍ତି, ଯାହା ମଧ୍ୟରୁ କିଛି ତଳେ ଲେଖା ଯାଇଛି: (କ) ସ୍ଵରରେ ପରିବର୍ତ୍ତନ (ଖ) ସ୍ତନ ବିକାଶ (ଗ) ନିଶ ବୃଦ୍ଧି (ଘ) ମୁହଁରେ କେଶ ବୃଦ୍ଧି (ଙ) ମୁହଁରେ ବ୍ରଣ (ଚ) ଜନନାଙ୍ଗ ଅଞ୍ଚଳରେ କେଶ ବୃଦ୍ଧି (ଛ) କାଖରେ କେଶ ବୃଦ୍ଧି
ନିମ୍ନରେ ଦିଆଯାଇଥିବା ସାରଣୀରେ ଏହି ପରିବର୍ତ୍ତନଗୁଡ଼ିକୁ ବର୍ଗୀକୃତ କର।
| କେବଳ ପୁଅମାନଙ୍କଠାରେ ପରିଲକ୍ଷିତ ହୁଏ | କେବଳ ଝିଅମାନଙ୍କଠାରେ ପରିଲକ୍ଷିତ ହୁଏ | ଉଭୟ ପୁଅ ଓ ଝିଅମାନଙ୍କଠାରେ ପରିଲକ୍ଷିତ ହୁଏ |
|---|---|---|
୧୦. କିଶୋରାବସ୍ଥାରେ ସୁସ୍ଥ ଜୀବନଶୈଳୀ ପାଇଁ ପରାମର୍ଶ ଉଲ୍ଲେଖ କରି ଏକ ପୋଷ୍ଟର ପ୍ରସ୍ତୁତ କର।
ଅନୁସନ୍ଧାନମୂଳକ ପ୍ରକଳ୍ପ
-
ଯୁବକ ଯୁବତୀଙ୍କ ମାନସିକ ସ୍ଵାସ୍ଥ୍ୟକୁ ଉନ୍ନତ କରିବା ପାଇଁ ତୁମ ଅଞ୍ଚଳରେ କାମ କରୁଥିବା କିଛି ବ୍ୟକ୍ତି ଏବଂ ସଂଗଠନ ବିଷୟରେ ଅନୁସନ୍ଧାନକର। ସେମାନଙ୍କ ସହିତ ସାକ୍ଷାତକାର କର। ସାକ୍ଷାତକାରରେ ପଚାରିବାକୁ ଥିବା ପାଞ୍ଚଟି ପ୍ରଶ୍ନର ତାଲିକାଦିଅ।
-
‘ବାଲ୍ୟବିବାହ : ଏକ ସାମାଜିକ କୁପ୍ରଥା’ ଏହି ବିଷୟବସ୍ତୁ ଉପରେ ଏକ ଏକାଙ୍କିକା ପ୍ରଦର୍ଶନ କର, ଏହା କିପରି ପିଲାମାନଙ୍କ ସାମଗ୍ରିକ ମଙ୍ଗଳ ଉପରେ, ବିଶେଷକରି ଯୁବତୀମାନଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଏ ତାହା ଉପରେ ଆଲୋକପାତ କର।
-
ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଏ। ତୁମ ଶିକ୍ଷକଙ୍କ ସହାୟତାରେ ଏକ ଛୋଟ ଯୋଗ ଶିବିର ଆୟୋଜନ କର ଏବଂ କିଛି ଆସନ ଅଭ୍ୟାସ କର।