ସପ୍ତମ ଅଧ୍ୟାୟ
ପ୍ରକୃତିରେ ତାପ ସ୍ଥାନାନ୍ତରଣ
[ଚିତ୍ର ବର୍ଣ୍ଣନା: ପାହାଡ଼ିଆ ଅଞ୍ଚଳରେ ଥିବା ଏକ ଘର ଆଗରେ ଜେଜେବାପା, ଜେଜେମା, ରବି ଓ ଶିଖା ନିଆଁ ଚାରିପାଖରେ ବସିଛନ୍ତି। ଜେଜେମା ନିଆଁ ଉପରେ ଏକ କଡ଼େଇରେ ରୋଷେଇ କରୁଛନ୍ତି। କଡ଼ରେ ଗୋଟିଏ ଛୋଟ ପକ୍ଷୀ ବସିଛି।]
ଶିଖା ଏବଂ ତା’ର ଭାଇ ରବି କୋରାପୁଟରେ ରହନ୍ତି। ଶୀତ ଦିନ ସନ୍ଧ୍ୟାରେ, ସେମାନେ ନିଆଁ ଜାଳି ତା’ ପାଖରେ ବସିଥିଲେ। ରବି ତା’ର ଶୀତକାଳୀନ ଛୁଟିରେ ପୁରୀ ଭ୍ରମଣର ଅନୁଭୂତି କହିଲା। ସେ କହିଲା ଯେ, କୋରାପୁଟ ତୁଳନାରେ ପୁରୀରେ ଶୀତ କମ୍। ଶିଖା ଏବଂ ରବି ଉଭୟ ଜାଣିବାକୁ ଚାହିଁଲେ ଯେ କାହିଁକି କିଛି ସ୍ଥାନରେ ବହୁତ ଥଣ୍ଡା ଓ କିଛି ସ୍ଥାନରେ ବହୁତ ଗରମ ହୁଏ। ସେମାନଙ୍କର କଥାବାର୍ତ୍ତା ଶୁଣି, ସେମାନଙ୍କ ଜେଜେବାପା (ଯିଏ କି ଜଣେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ) କହିଲେ, “ପୁରୀ ସମୁଦ୍ରର ନିକଟତର ଏବଂ ଏହାର ଏକ ଲମ୍ବା ଉପକୂଳ ମଧ୍ୟ ଅଛି, ଯାହା ଫଳରେ ସେଠାରେ ଗରମ ହୁଏ ଏବଂ ଅଧିକ ଆର୍ଦ୍ର ଅନୁଭବ ହୁଏ। ରବି ଉତ୍ତର ଦେଲା, “ହଁ, ଆମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ପଢ଼ିଛୁ ଯେ ପୃଥିବୀରେ ଆମ ପାଇଁ ସୂର୍ଯ୍ୟ ହେଉଛି ତାପ ଏବଂ ଆଲୋକର ମୁଖ୍ୟ ଉତ୍ସ ଏବଂ ବିଷୁବ ରେଖା ଅଞ୍ଚଳରେ ଜଳବାୟୁ ସାଧାରଣତଃ ଉଷ୍ଣ। ପରିବେଶର ଜଳବାୟୁ ସାଧାରଣତଃ ସୂର୍ଯ୍ୟଙ୍କ ଉପସ୍ଥିତି ଦ୍ୱାରା ହିଁ ଥଣ୍ଡା ଓ ଗରମ ହୁଏ।”
ଯେତେବେଳେ ସେମାନେ କଥାବାର୍ତ୍ତା କରୁଥିଲେ, ଶିଖା ତାଙ୍କ ଜେଜେମାଙ୍କ ପାଖରେ ରହି ସେ କ’ଣ କରୁଥିଲେ ତାହା ଦେଖୁଥିଲା। ସେ ଏକ ବଡ଼ ଧାତୁରେ ତିଆରି କଡ଼େଇରେ ରାନ୍ଧୁଥିଲେ। ଶିଖା ପଚାରିଲା “ସାଧାରଣତଃ ରୋଷେଇ ପାତ୍ର କେଉଁଥିରେ ତିଆରି ହୋଇଥାଏ?” ରବି ତୁରନ୍ତ ଉତ୍ତର ଦେଲା ଯେ ସେମାନେ ସେ ବିଷୟରେ ‘ଧାତୁ ଏବଂ ଅଧାତୁର ଦୁନିଆଁ’ ଅଧ୍ୟାୟରେ ପଢ଼ିଛନ୍ତି। ଧାତବ ପଦାର୍ଥଗୁଡ଼ିକ ତାପର ସୁପରିବାହୀ।
ଏହି ପଦାର୍ଥଗୁଡ଼ିକରେ ତାପର ସ୍ଥାନାନ୍ତରଣ କିପରି ହୁଏ?
କେତେକ ପଦାର୍ଥ କାହିଁକି ତାପ ସୁପରିବାହୀ ତାହା ଶିକ୍ଷା କରିବା ପାଇଁ ଆସ ଏକ କାର୍ଯ୍ୟ କରିବା।
୭.୧ ତାପ ପରିବହନ
କାର୍ଯ୍ୟ ୭.୧ : ଆସ ପରୀକ୍ଷଣ କରିବା
! ସତର୍କତା — ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ।
[ଚିତ୍ର ବର୍ଣ୍ଣନା: ଏକ ଷ୍ଟାଣ୍ଡରେ ଭୂସମାନ୍ତର ଭାବେ ଲାଗିଥିବା ଧାତବ ଫିତାରେ ମହମ ସାହାଯ୍ୟରେ ତଳମୁହାଁ ହୋଇ ଚାରୋଟି ପିନ୍ (I, II, III, IV) ଲାଗିଛି ଏବଂ ପିନ୍ I ପାଖ ପ୍ରାନ୍ତରେ ଏକ ଜଳନ୍ତା ମହମବତୀ ରଖାଯାଇଛି।] ଚିତ୍ର ୭.୧ : ଧାତବ ପାତରେ ତାପ ସ୍ଥାନାନ୍ତରଣ
୧. ପ୍ରାୟ ୧୫ ସେ.ମି. ଲମ୍ବର ଆଲୁମିନିୟମ କିମ୍ବା ଲୁହା ଭଳି ଏକ ଧାତୁର ପାତ ନିଅ। ୨. ମହମ ସାହାଯ୍ୟରେ ପାତରେ ଚାରୋଟି ପିନ୍ ଲଗାଅ। ସେଗୁଡ଼ିକୁ ଏପରି ଭାବରେ ସଜାଅ ଯେ ସେଗୁଡ଼ିକ ପ୍ରାୟ ସମାନ ଦୂରତା (ପ୍ରାୟ ୨ ସେ.ମି. ବ୍ୟବଧାନରେ), ଚିତ୍ର ୭.୧ ରେ ଦେଖାଯାଉଥିବା ପରି ରହିବେ। ୩. ଚିତ୍ର ୭.୧ ରେ ଦେଖାଯାଇଥିବା ପରି ପାତକୁ ଏକ ଷ୍ଟାଣ୍ଡ୍ରେ ସ୍ଥିର କରି ରଖ ଏବଂ ପିନ୍ଗୁଡ଼ିକ I, II, III ଏବଂ IV ଭାବରେ ନାମାଙ୍କନ କର। ଯଦି ଷ୍ଟାଣ୍ଡ୍ ଉପଲବ୍ଧ ନାହିଁ, ତେବେ ପାତଟିକୁ ଦୁଇଟି ଇଟା ମଧ୍ୟରେ ରଖ। ୪. ମହମବତୀ କିମ୍ବା ସ୍ପିରିଟ୍ ଲ୍ୟାମ୍ପ୍ ସାହାଯ୍ୟରେ ପାତର ଶେଷ ଭାଗକୁ ଗରମ କର। ୫. ପିନ୍ଗୁଡ଼ିକର କ’ଣ ହେବ? ସେଗୁଡ଼ିକ କ’ଣ ଲାଗି ରହିବେ କି? ୬. ପାତରୁ ପିନ୍ଗୁଡ଼ିକ କେଉଁ କ୍ରମରେ ଖସିବ ତାହା ଅନୁମାନ କର। ୭. ସାରଣୀ ୭.୧ ରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖୁ ରଖ।
ସାରଣୀ ୭.୧ : ପିନ୍ ଖସିବା
| ପ୍ରଥମେ ଖସିବା ପିନ୍ (ପୂର୍ବାନୁମାନ) | ତୁମେ ଯାହା ପର୍ଯ୍ୟବେକ୍ଷଣ କଲ (ପର୍ଯ୍ୟବେକ୍ଷଣ) | ତାହାର କାରଣ |
|---|---|---|
[ଚିତ୍ର ବର୍ଣ୍ଣନା: ଜଣେ ଛାତ୍ରୀ (ଶିଖା) ଚିନ୍ତାମଗ୍ନ ହୋଇ ପ୍ରଶ୍ନ ଭାବୁଛି।]
ତୁମେ ଦେଖିଲ ମହମବତୀର ସବୁଠାରୁ ନିକଟତମ ପିନ୍ (ପିନ୍ I) ପ୍ରଥମେ ପଡ଼ିଲା। ତା ପରେ ପିନ୍ II, III ଏବଂ IV ପଡୁଛି। ଏପରି କାହିଁକି ହେଲା? କାହିଁକି ସମସ୍ତ ପିନ୍ ଏକା ସମୟରେ ପଡ଼ିଲା ନାହିଁ? ତୁମର ପର୍ଯ୍ୟବେକ୍ଷଣରୁ, ତୁମେ କ'ଣ ଅନୁମାନ କରିପାରୁଛ?
ତୁମେ ଭାବୁଛ କି, ଧାତବ ପାତରେ ତାପ ସ୍ଥାନାନ୍ତରିତ ହେଉଛି? ତାପ ଯେତେବେଳେ ପାତ ଦେଇ ସଂଚରିତ ହୁଏ ଏବଂ ପିନ୍ I ପାଖକୁ ଯାଏ, ଏହାକୁ ଧରିଥିବା ମହମ ତରଳିଯାଏ ଏବଂ ପିନ୍ ଖସିଯାଏ। ଏଠାରେ ପାତର ଗରମ ପ୍ରାନ୍ତରୁ ତାପ ଥଣ୍ଡା ପ୍ରାନ୍ତକୁ ସ୍ଥାନାନ୍ତର ହୁଏ। ଗରମ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ତାପ ପରିବହନ କୁହାଯାଏ। ଏହି ପ୍ରକ୍ରିୟାରେ, ଯେଉଁ କଣିକା ଉତ୍ତପ୍ତ ହୁଏ, ତାହା ତାପକୁ ଅନ୍ୟ ଏକ କଣିକା ପାଖକୁ ପଠାଇଥାଏ। ତଥାପି, କଣିକାଗୁଡ଼ିକ ନିଜେ ଗତି କରନ୍ତି ନାହିଁ, ସେମାନଙ୍କର ସ୍ଥିତି ସ୍ଥିର ଥାଏ।
ଧାତୁ ଭଳି ପଦାର୍ଥ ମଧ୍ଯ ଦେଇ ତାପ ସହଜରେ ଗତି କରେ। ସେଥିପାଇଁ ଧାତୁକୁ ତାପର ସୁପରିବାହୀ କୁହାଯାଏ। ଆମେ ରୋଷେଇ କରିବା ପାଇଁ ଧାତୁରେ ତିଆରି ପାତ୍ର ବ୍ୟବହାର କରୁ, କାରଣ ଧାତୁଗୁଡ଼ିକ ତାପର ସୁପରିବାହୀ। କଠିନ ପଦାର୍ଥରେ ତାପର ସଂଚରଣ ମୁଖ୍ୟତଃ ପରିବହନ ଦ୍ଵାରା ହୋଇଥାଏ। ଯଦି ଆମେ ଧାତୁ ବଦଳରେ କାଚ କିମ୍ବା କାଠ ଭଳି ପଦାର୍ଥରେ ତିଆରି ଏକ ପାତ ବ୍ୟବହାର କରିବା, ତେବେ କାର୍ଯ୍ୟ ୭.୧ ରେ ଦର୍ଶାଯାଇଥିବା ଭଳି ପାତର ପିନ୍ଗୁଡ଼ିକ ପଡ଼ିବ ନାହିଁ।
“ବର୍ତ୍ତମାନ ମୁଁ ଜାଣିଲି ଯେ ଆମେ କାହିଁକି ରୋଷେଇ ପାଇଁ ଧାତବ ପାତ୍ର ବ୍ୟବହାର କରୁ ଓ ଚା ପିଇବା ପାଇଁ ମାଟି ବା ଚିନାମାଟିର କପ୍ ବ୍ୟବହାର କରୁ।”
ଆମେ ଯାହା ଜାଣିଲେ ତାକୁ ଆଧାର କରି ତୁମେ ଏହାର କାରଣ ବିଷୟରେ ଚିନ୍ତା କରିପାରିବ। କାଚ ଓ କାଠ ଭଳି ପଦାର୍ଥ ମଧ୍ଯ ଦେଇ ସହଜରେ ତାପ ପରିବହନ ହୋଇପାରେ ନାହିଁ। ତେଣୁ ସେମାନଙ୍କୁ ତାପ କୁପରିବାହୀ (insulator) କୁହାଯାଏ। ମାଟି ଏବଂ ଚିନାମାଟି ମଧ୍ଯ କୁପରିବାହୀ। ସେଥିପାଇଁ ଆମେ ଚା’ କିମ୍ବା କଫି ପିଇବାପାଇଁ ଏଭଳି ପଦାର୍ଥର କପ୍ ବ୍ୟବହାର କରୁ। ଏଭଳି ପାତ୍ରରେ ଗରମ ପଦାର୍ଥ ଅଧିକ ସମୟ ଗରମ ରହିଥାଏ।
ତୁମ ଚାରିପାଖରେ ଥିବା କିଛି ପଦାର୍ଥର ତାଲିକା ପ୍ରସ୍ତୁତ କର ଏବଂ ସେମାନେ ସୁପରିବାହୀ ନା କୁପରିବାହୀ ତା’ର ବର୍ଗୀକରଣ ସାରଣୀ ୭.୨ରେ ଲେଖ।
ସାରଣୀ ୭.୨ : ତାପ କୁପରିବାହୀ ଓ ସୁପରିବାହୀମାନଙ୍କର ତାଲିକା
| କ୍ରମ ସଂଖ୍ୟା | ପଦାର୍ଥ | ତାପ ସୁପରିବାହୀ/ କୁପରିବାହୀ |
|---|---|---|
| ୧ | ଇସ୍ପାତ | ସୁପରିବାହୀ |
| ୨ | କାଠ | |
| ୩ |
ଉପର ସାରଣୀରେ ଥିବା ପଦାର୍ଥରେ ବାୟୁ ଅଛି କି ? ଯଦି ଅଛି, ତେବେ ତୁମେ ଏହାକୁ କେଉଁଠାରେ ରଖୁଛ ? ତୁମେ ନିଶ୍ଚୟ ଅନୁଭବ କରିଥିବ ଯେ ଶୀତଦିନେ, ଆମେ ପଶମ ପୋଷାକ ପିନ୍ଧିବାକୁ ଭଲ ପାଉ। ଦେହକୁ ଉଷ୍ମ ରଖିବା ପାଇଁ ପଶମ ପୋଷାକ ସାହାଯ୍ୟ କରେ।
[ଚିତ୍ର ବର୍ଣ୍ଣନା: କୋଠରୀ ଭିତରେ ଖଟ ଉପରେ ଜଣେ ବ୍ୟକ୍ତି ଦୁଇଟି ଚାଦର ଘୋଡ଼ି ହୋଇ ଶୋଇଛନ୍ତି ଏବଂ ଚାଦର ମଧ୍ୟରେ ଥିବା ବାୟୁ ସ୍ତରକୁ ବଡ଼ କରି ଦେଖାଯାଇଛି।] ଚିତ୍ର ୭.୨ : ଦୁଇଟି ଚାଦର ମଧ୍ୟରେ ଥିବା ବାୟୁ ତାପ କୁପରିବାହୀ
ପଶମ କପଡ଼ାରେ ଥିବା ଛିଦ୍ର ବାୟୁକୁ ଧରି ରଖେ ଏବଂ ବାୟୁ ତାପ କୁପରିବାହୀ ହୋଇଥିବାରୁ ଏହା ଆମ ଶରୀରର ତାପକୁ ପରିବେଶକୁ ଯିବାକୁ ଦିଏ ନାହିଁ। ଫଳସ୍ୱରୂପ, ଆମେ ଉଷ୍ମତା ଅନୁଭବ କରୁ। ସେହିପରି, ଦୁଇଟି ପତଳା ଚାଦର ମଧ୍ୟରେ ବାୟୁର ଉପସ୍ଥିତି ଯୋଗୁଁ ଏହାକୁ ଆମେ କମ୍ବଳ ଅପେକ୍ଷା ଅଧିକ ବ୍ୟବହାର କରୁ (ଚିତ୍ର ୭.୨)।
ଏପରି ଘର ନିର୍ମାଣ କରିବା ସମ୍ଭବ କି ଯାହା ବିଶେଷ କରି ଗ୍ରୀଷ୍ମ ଦିନର ଗରମ ଓ ଶୀତ ଦିନର ଥଣ୍ଡା ସମୟରେ ଅଧିକ ପ୍ରଭାବିତ ହୁଏ ନାହିଁ ? ତାପ ସ୍ଥାନାନ୍ତରଣ ପ୍ରକ୍ରିୟାର ମୌଳିକ ଧାରଣା ପ୍ରୟୋଗ କରି ବେଳେବେଳେ ଏଭଳି ସ୍ଥାନରେ ଘର ନିର୍ମାଣ କରାଯାଇଛି ଯେଉଁଠାରେ ବାହାରର ଅତ୍ୟଧିକ ଗରମ କିମ୍ବା ଥଣ୍ଡା ଦ୍ୱାରା ତାହା ପ୍ରଭାବିତ ହୁଏ ନାହିଁ।
ଚିତ୍ତାକର୍ଷକ ତଥ୍ୟ
[ଚିତ୍ର ବର୍ଣ୍ଣନା: ଜଣେ ଝିଅ ହାତରେ ଏକ ମ୍ୟାଗ୍ନିଫାଇଙ୍ଗ୍ ଗ୍ଲାସ୍ ଧରି ଠିଆ ହୋଇଛି।] ଆମ ରାଜ୍ୟର ମହେନ୍ଦ୍ରଗିରି ଅଞ୍ଚଳରେ, ଯେପରିକି ଗଜପତି ଜିଲ୍ଲାରେ ଶୀତ ଦିନରେ ଅତ୍ୟନ୍ତ ଥଣ୍ଡା ଅନୁଭୂତ ହୁଏ ଏବଂ ବେଳେବେଳେ ତୁଷାରପାତ ହୁଏ। ଏଠାରେ ଘରଗୁଡ଼ିକ ପ୍ରାୟତଃ ଉଷ୍ମ ରହିବା ପାଇଁ ତିଆରି ହୋଇଥାଏ। ଦୁଇଟି କାଠ ସ୍ତର ମଧ୍ୟରେ କିଛି ପଦାର୍ଥକୁ ଦେଇ କାନ୍ଥ ତିଆରି ହୁଏ। ସେଥିରେ ଗୋବର ଏବଂ କାଦୁଅ ସହ କୁଟାକାଠି ମଧ୍ୟ ମିଶାଯାଇଥାଏ। ଯେହେତୁ କାଠ ଏବଂ କାଦୁଅ ତାପ କୁପରିବାହୀ, ଏହା ତାପ ପ୍ରବାହକୁ ରୋକିଥାଏ ଏବଂ ଶୀତଦିନରେ ଘରଗୁଡ଼ିକୁ ଉଷ୍ମ ରଖିବାରେ ସାହାଯ୍ୟ କରେ। ଖରାଦିନେ ମଧ୍ୟ ଏହି ଘରଗୁଡ଼ିକ ଅପେକ୍ଷାକୃତ ଥଣ୍ଡା ରହିଥାଏ।
ଏଭଳି କିଛି ଘର ଅଛି, ଯାହାର ବାହାର କାନ୍ଥ ଫମ୍ପା ଇଟା ଦ୍ଵାରା ତିଆରି ହୋଇଛି ଯାହା ଦ୍ଵାରା ଘର ଭିତରେ ଗ୍ରୀଷ୍ମ ଦିନରେ ଥଣ୍ଡା ଏବଂ ଶୀତଦିନରେ ଉଷ୍ମ ରହେ। ଏଭଳି ହେବାର କାରଣ ଇଟା ଭିତରେ ଥିବା ବାୟୁ ତାପ କୁପରିବାହୀ। ମିଲି ସେମାନଙ୍କ ପାଖରେ ଜଳୁଥିବା କାଠରୁ ଧୂଆଁ ବାହାରିବା କଥା ରବିକୁ କହିଲା।
[ଚିତ୍ର ବର୍ଣ୍ଣନା: ଶିଖା ମୁହଁରେ ଆଙ୍ଗୁଠି ରଖି ଭାବୁଛି: “ଧୂଆଁ କାହିଁକି ଉପରକୁ ଉଠେ ?”]
୭.୨ ପରିଚଳନ
ଧୂଆଁ କାହିଁକି ଉପରକୁ ଉଠୁଛି, ତାହା ବୁଝିବା ପାଇଁ ଆସ ଏକ କାର୍ଯ୍ୟ କରିବା।
[ଚିତ୍ର ବର୍ଣ୍ଣନା: ଏକ ଭୂସମାନ୍ତର କାଠ ଦଣ୍ଡର ଦୁଇ ପାଖରେ ସୂତା ସାହାଯ୍ୟରେ ଦୁଇଟି କାଗଜ କପ୍ ଓଲଟା ଭାବେ ଝୁଲାଇ ସମତୁଲ ଅବସ୍ଥାରେ ରଖାଯାଇଛି।] ଚିତ୍ର ୭.୩ (କ) ପ୍ରାରମ୍ଭିକ ସ୍ଥିତି
କାର୍ଯ୍ୟ ୭.୨ : ଆସ ଅନୁସନ୍ଧାନ କରିବା
• ଦୁଇଟି ଏକାଭଳି କାଗଜ କପ୍ ନିଅ। • ସମାନ ଲମ୍ବ ବିଶିଷ୍ଟ ସୂତା ବ୍ୟବହାର କରି ସେଗୁଡ଼ିକୁ ଓଲଟା ସ୍ଥିତିରେ କାଠର ଦୁଇ ମୁଣ୍ଡରେ ଝୁଲାଇ ଦିଅ। • ବର୍ତ୍ତମାନ, କପ୍ ଦୁଇଟିକୁ ସଜାଡ଼ ଯାହା ଦ୍ଵାରା କାଠଟି ଭୂସମାନ୍ତର ରହିବ। • ସେଥିରୁ ଗୋଟିଏ କପ୍ ତଳେ ଏକ ଜଳନ୍ତା ମହମବତୀ ରଖ (ଚିତ୍ର ୭.୩ ଖ)। • କପ୍ର ସ୍ଥିତିରେ କ’ଣ ପରିବର୍ତ୍ତନ ହେଉଛି ତାହା ଦେଖ। • ସାରଣୀ ୭.୩ ରେ ତୁମର ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖ ଏବଂ ସମ୍ଭାବ୍ୟ କାରଣଗୁଡ଼ିକ ଚିନ୍ତା କର।
[ଚିତ୍ର ବର୍ଣ୍ଣନା: କାଠ ଦଣ୍ଡର ଡାହାଣ ପାଖ କାଗଜ କପ୍ ତଳେ ଏକ ଜଳନ୍ତା ମହମବତୀ ରଖାଯାଇଛି, ଯାହା ଫଳରେ ଗରମ ବାୟୁ ଯୋଗୁଁ ସେହି କପ୍ଟି ଉପରକୁ ଉଠିଯାଇଛି।] ଚିତ୍ର ୭.୩ (ଖ) ଗରମ ପବନ
ସାରଣୀ ୭.୩ : ପର୍ଯ୍ୟବେକ୍ଷଣ ଏବଂ ସମ୍ଭାବ୍ୟ କାରଣ
| କପ୍ ବିଷୟରେ ପର୍ଯ୍ୟବେକ୍ଷଣ | ପର୍ଯ୍ୟବେକ୍ଷଣର ସମ୍ଭାବ୍ୟ କାରଣ |
|---|---|
ତୁମେ ଦେଖିଲ ଯେ ଯେଉଁ କପ୍ ତଳେ ଜ୍ଵଳନ୍ତ ମହମବତୀ ରଖାଯାଇଥିଲା, ଯାହାର ପ୍ରଭାବରେ ବାୟୁ ଉପରକୁ ଉଠିଲା (ଚିତ୍ର ୭.୩ ଖ)। ଏପରି କାହିଁକି ହେଲା? ମହମବତୀ ଚାରିପାଖରେ ଥିବା ବାୟୁ ଗରମ ହେଲା। ବାୟୁ ଗରମ ହେଲେ ବିସ୍ତାରିତ ହୁଏ ଏବଂ ଅଧିକ ସ୍ଥାନ ଅଧିକାର କରେ। ଫଳସ୍ଵରୂପ, ଏହା ହାଲୁକା ହୋଇ ଉପରକୁ ଉଠିଥାଏ।
ତୁମେ ବାୟୁର ପ୍ରସାରଣ ଅନୁଭବ କରିବା ପାଇଁ ଏକ ଆଂଶିକ ଫୁଲାଯାଇଥିବା ବେଲୁନ୍ ରଖ। ଏହାକୁ ସୂର୍ଯ୍ୟାଲୋକରେ ଗରମ କର (ଚିତ୍ର ୭.୪)। ବେଲୁନରେ ବାୟୁ ଗରମ ହୋଇ ପ୍ରସାରିତ ହୁଏ ଏବଂ ବେଲୁନଟି ବଡ଼ ହୋଇଯାଏ।
[ଚିତ୍ର ବର୍ଣ୍ଣନା: ଖରାରେ ରଖାଯାଇଥିବା ଗୋଟିଏ ହଳଦିଆ ରଙ୍ଗର ଫୁଲିଥିବା ବେଲୁନ୍।] ଚିତ୍ର ୭.୪ : ଖରାରେ ଥିବା ବେଲୁନ୍
ତୁମେ ନିଶ୍ଚୟ ଦେଖିଥିବ ଯେ ଯେତେବେଳେ ଧୂପକାଠି ଜଳିଯାଏ, ଧୂଆଁ ଉପରକୁ ଉଠିଥାଏ। ଧୂଆଁ ହେଉଛି ଏକ ଉତ୍ତପ୍ତ ଗ୍ୟାସ ଏବଂ କ୍ଷୁଦ୍ରକଣିକାର ମିଶ୍ରଣ ଯାହା ଜଳିବା ଦ୍ଵାରା ବାହାରକୁ ବାହାରେ। ଏହା ଚାରିପାଖରେ ପବନ ଅପେକ୍ଷା ଧୂଆଁ ଉଷ୍ମ, ସେଥିପାଇଁ ଉପରକୁ ଉଠେ। ଆସ, ଜାଣିବା କିପରି ତାପ ସ୍ଥାନାନ୍ତରଣ ହୋଇଥାଏ।
[ଚିତ୍ର ବର୍ଣ୍ଣନା: ରବି ଉପରକୁ ଆଙ୍ଗୁଠି ଦେଖାଇ ଉତ୍ସାହର ସହ କିଛି କହୁଛି।]
“ତରଳ ପଦାର୍ଥରେ ତାପ ସ୍ଥାନାନ୍ତର କିପରି ଘଟେ? ଗରମ ବାୟୁ ପରି ତରଳ ପଦାର୍ଥ ମଧ୍ଯ ଗରମ ହେଲେ ଉପରକୁ [???]?”
କାର୍ଯ୍ୟ ୭.୩ : ଆସ ଖୋଜି ବାହାର କରିବା
ସତର୍କତା – ଏହି କାର୍ଯ୍ୟ ଜଣେ ଶିକ୍ଷକ କିମ୍ବା ଜଣେ ବୟସ୍କ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ।
• ଚିତ୍ରରେ ଦର୍ଶାଯାଇଥିବା ପରି ଏକ ୫୦୦ ମି.ଲି. ବିକରରେ ଅଧାପର୍ଯ୍ୟନ୍ତ ପାଣି ନିଅ (ଚିତ୍ର ୭.୫)। • ଏକ କାଠି ସାହାଯ୍ୟରେ ପୋଟାସିୟମ ପରମାଙ୍ଗାନେଟ୍ର ଏକ ଦାନା ପାଣି ଭିତରେ ରଖ। • ବିକର ତଳେ ଏକ ଜଳନ୍ତା ମହମବତୀ ରଖି ପର୍ଯ୍ୟବେକ୍ଷଣ କର (ଚିତ୍ର ୭.୫ କ)। • ଜଳର ଉପର ସ୍ତରର ପରିବର୍ତ୍ତନକୁ ପର୍ଯ୍ୟବେକ୍ଷଣ କର। ବିକର ଭିତରେ ରଙ୍ଗୀନ ପାଣିର ଧାରକୁ ଲକ୍ଷ୍ୟ କର। • ରଙ୍ଗୀନ ପାଣି ଧାର ଉପରକୁ ଉଠୁଛି ଓ ତଳକୁ ଖସୁଛି (ଚିତ୍ର ୭.୫ କ)।
[ଚିତ୍ର ବର୍ଣ୍ଣନା: (କ) ଟ୍ରାଇପଡ୍ ଷ୍ଟାଣ୍ଡ ଉପରେ ବିକରରେ ପାଣି ରଖି ଏକ ଷ୍ଟ୍ର’ ବା କାଠି ସାହାଯ୍ୟରେ ପୋଟାସିୟମ୍ ପରମାଙ୍ଗାନେଟ୍ ଦାନା ରଖାଯାଉଛି। (ଖ) ତଳେ ମହମବତୀ ଜଳାଇବା ପରେ ରଙ୍ଗୀନ ପାଣି ଧାର ମଝିରେ ଉପରକୁ ଉଠି ଦୁଇ ପାର୍ଶ୍ଵ ଦେଇ ତଳକୁ ଖସୁଛି।] ଚିତ୍ର ୭.୫ (କ) : ପ୍ରାରମ୍ଭିକ ସେଟ୍ଅପ୍ ଚିତ୍ର ୭.୫ (ଖ) : ଗରମ ପାଣିରେ ପରିଚଳନ ପ୍ରଦର୍ଶନ
ଗରମ କଲେ ରଙ୍ଗୀନ ପାଣିଧାର ବିକର ମଧ୍ୟଦେଇ ତଳୁ ଉପରକୁ ଉଠେ ଏବଂ ପାର୍ଶ୍ଵଦେଇ ତଳକୁ ଖସେ କାହିଁକି ? ବିକରକୁ ଗରମ କଲେ ତଳେ ଥିବା ପାଣି ମଧ୍ଯ ଗରମ ହୁଏ। ବିକର ଗରମ ହେଲାପରେ ତଳେ ଥିବା ପାଣି ଗରମ ହୋଇ ବିସ୍ତାରିତ ହୁଏ, ହାଲୁକା ହୁଏ ଏବଂ ଉପରକୁ ଉଠିଥାଏ। ବିକରର ପାର୍ଶ୍ଵରେ ଥିବା ପାଣି ତୁଳନାତ୍ମକ ଭାବରେ ଥଣ୍ଡା ଏବଂ ଭାରୀ, ଏବଂ ସେଥିପାଇଁ ଉପରକୁ ଉଠୁଥିବା ପାଣିର ଖାଲି ସ୍ଥାନ ନେବାକୁ ତଳକୁ ଆସେ। ତା’ ପରେ, ଏହି ପାଣି ଗରମ ହୁଏ ଏବଂ ପୁଣି ଉପରକୁ ଉଠିଥାଏ। ଏହି ଚକ୍ର ଜଳ ସମ୍ପୂର୍ଣ୍ଣ ଗରମ ହେବା ପର୍ଯ୍ୟନ୍ତ ଚାଲିଥାଏ। ଏହିକ୍ଷେତ୍ରରେ, ଜଳକଣିକାଗୁଡ଼ିକର ଗତିଦ୍ୱାରା ଜଳ ସମ୍ପୂର୍ଣ୍ଣ ଗରମ ହୁଏ, ଏହାକୁ ପରିଚଳନ କୁହାଯାଏ (ଚିତ୍ର ୭.୫ ଖ)। ପରିଚଳନ ଯୋଗୁ ଆମେ ବିକର ଭିତରେ ରଙ୍ଗୀନ ଜଳ ଧାରା ଦେଖୁ।
ତେଣୁ, ଆମେ ସିଦ୍ଧାନ୍ତ ନେଇ ପାରିବା ଯେ ଜଳ, ବାୟୁ ପରି ପରିଚଳନ ପ୍ରକ୍ରିୟା ଦ୍ଵାରା ଗରମ ହୁଏ। ଏଠାରେ ତାପ ସ୍ଥାନାନ୍ତର ତରଳ ଏବଂ ଗ୍ୟାସ କଣିକାଗୁଡ଼ିକର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ପ୍ରକୃତ ଗତିଦ୍ୱାରା ହୁଏ।
୭.୨.୧ ସ୍ଥଳ ଏବଂ ସମୁଦ୍ର ପବନ
ରବି ଶୀତଦିନରେ ପୁରୀର ଏକ ବେଳାଭୂମି ପରିଦର୍ଶନ କରିବାର ଅଭିଜ୍ଞତା କଥା କହିଲା। “ଶୀତଦିନରେ, ସ୍ଥଳଭାଗର ବାଲି କିମ୍ବା ମାଟି ସମୁଦ୍ର ଜଳ ଅପେକ୍ଷା ଗରମ। କିନ୍ତୁ ରାତିରେ, ଏହି ବାଲି କିମ୍ବା ମାଟି ଜଳ ଅପେକ୍ଷା ଥଣ୍ଡା।” ଶିଖା ଉତ୍ତର ଦେଲା, “ହଁ, ବିଭିନ୍ନ ବସ୍ତୁ ଭିନ୍ନଭିନ୍ନ ଭାବରେ ଗରମ ଏବଂ ଥଣ୍ଡା ହୁଏ। ସ୍ଥଳଭାଗ ଏବଂ ସମୁଦ୍ର ଜଳ କିପରି ଗରମ ଏବଂ ଥଣ୍ଡାହୁଏ ତାହା ଜାଣିବା ପାଇଁ ଆସ, ଏକ କାର୍ଯ୍ୟ ସମ୍ପାଦନ କରିବା।”
[ଚିତ୍ର ବର୍ଣ୍ଣନା: ଘାସ ପଡ଼ିଆରେ ଖରାରେ ଦୁଇଟି ଷ୍ଟାଣ୍ଡରେ ଥର୍ମୋମିଟର ଲଗାଇ ଗୋଟିଏ ପାତ୍ରରେ ମାଟି ଏବଂ ଅନ୍ୟ ପାତ୍ରରେ ପାଣି ରଖାଯାଇଛି।] ଚିତ୍ର ୭.୬ : ମାଟି ଓ ପାଣିର ତାପମାତ୍ରା ମାପିବା
କାର୍ଯ୍ୟ ୭.୪ : ଆସ ଅନୁସନ୍ଧାନ କରିବା
ସତର୍କତା : ଏହି କାର୍ଯ୍ୟ ଗୋଟିଏ ଶୁଖୁଲା ପାଗରେ ଜଣେ ଶିକ୍ଷକ କିମ୍ବା ବୟସ୍କଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ୍।
i. ଚିତ୍ର ୭.୬ ରେ ଦେଖାଯାଇଥିବା ପରି ଦୁଇଟି ସମାନ ପାତ୍ର ନିଅ। ii. ଗୋଟିଏ ପାତ୍ରକୁ ମାଟିରେ ଅଧା ପୂରଣ କର ଏବଂ ଅନ୍ୟ ପାତ୍ରରେ ଅଧା ପାଣି ନିଅ। iii. ଚିତ୍ର ୭.୬ ରେ ଦେଖାଗଲା ପରି ପ୍ରତ୍ୟେକ ପାତ୍ରରେ ଏକ ବିଜ୍ଞାନଗାର ଥର୍ମୋମିଟର ରଖିବା, ଯେପରି ଥର୍ମୋମିଟରର ବଲ୍ବ ଗୁଡ଼ିକ ମାଟି ଏବଂ ପାଣିରେ ବୁଡ଼ି ରହିଥିବ ଏବଂ ପାତ୍ରଗୁଡ଼ିକର ତଳ କିମ୍ବା ପାର୍ଶ୍ଵକୁ ସ୍ପର୍ଶ କରୁନଥିବ। iv. ପରୀକ୍ଷଣଟିକୁ ସୂର୍ଯ୍ୟାଲୋକ ପଡ଼ୁଥିବା ସ୍ଥାନରେ ରଖ। v. ପ୍ରତ୍ୟେକ ୫ ମିନିଟ୍ ବ୍ୟବଧାନରେ ମାଟି ଏବଂ ପାଣିର ତାପମାତ୍ରା ମାପି ସାରଣୀ ୭.୪ ରେ ଲେଖ।
ସାରଣୀ ୭.୪ : ଉତ୍ତପ୍ତ ମାଟି ଏବଂ ପାଣିର ତାପମାତ୍ରା
| କ୍ରମିକ ସଂଖ୍ୟା | ସମୟ (ମିନିଟ୍ରେ) | ମାଟିର ତାପମାତ୍ରା (°C ରେ) | ଜଳର ତାପମାତ୍ରା (°C ରେ) |
|---|---|---|---|
| ୧ | ୦ | ||
| ୨ | ୫ | ||
| ୩ | ୧୦ | ||
| ୪ | ୧୫ | ||
| ୫ | ୨୦ |
୧. ମାଟି ଓ ପାଣି ମଧ୍ୟରୁ କାହାର ତାପମାତ୍ରା ଶୀଘ୍ର ବୃଦ୍ଧି ପାଇଲା ? ୨. ମାଟି ଏବଂ ପାଣିର ତାପମାତ୍ରା ସମାନ ସମୟରେ ସମାନ ଭାବରେ ବୃଦ୍ଧି ପାଇଲା କି ? ୩. ଯଦି ନୁହେଁ, ତେବେ କେଉଁଟି ଶୀଘ୍ର ଗରମ ହେଲା ? ୪. ୨୦ ମିନିଟ୍ରେ କାହାର ତାପମାତ୍ରା ଅଧିକ ବୃଦ୍ଧି ପାଇଲା ?
୨୦ ମିନିଟ୍ରେ, ତୁମେ ଜାଣିପାରିବ ଯେ ମାଟି ପାଣି ଅପେକ୍ଷା ଅଧିକ ଗରମ ହେଲା। ଏହା ସୂଚିତ କରେ ଯେ ମାଟି ପାଣି ଅପେକ୍ଷା ଦ୍ରୁତ ଗତିରେ ଗରମ ହୁଏ।
ମାଟି ପାଣି ଅପେକ୍ଷା ଶୀଘ୍ର ଥଣ୍ଡା ହୁଏ କି ? ମାଟି ଏବଂ ପାଣି ଗରମ ହେଲାପରେ, ପରୀକ୍ଷଣଟିକୁ ଘର ଭିତରକୁ ଆଣ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅ। ୨୦ ମିନିଟ୍ରେ ତୁମେ ଦେଖିବ ଯେ ପାଣି ଅପେକ୍ଷା ମାଟି ଶୀଘ୍ର ଥଣ୍ଡା ହୋଇଛି, ଯେପରି ଏହା ଶୀଘ୍ର ଗରମ ହୋଇଥିଲା।
ଉପକୂଳବର୍ତ୍ତୀ ଅଞ୍ଚଳରେ ବାସକରୁଥିବା ଲୋକମାନେ ଜଳଭାଗ ଓ ସ୍ଥଳଭାଗର ଗରମ ଓ ଥଣ୍ଡା ହେବା ପ୍ରକ୍ରିୟା ଭିନ୍ନ ଭିନ୍ନ ହାରରେ ହେଉଥିବା ଅନୁଭବ କରନ୍ତି। ଯେହେତୁ ଦିନରେ ଜଳଭାଗ ଅପେକ୍ଷା ସ୍ଥଳଭାଗ ଶୀଘ୍ର ଗରମ ହୁଏ, ଏହା ସ୍ଥଳଭାଗର ବାୟୁକୁ ଉପରକୁ ଉଠାଏ। ତେଣୁ ଜଳଭାଗର ଶୀତଳବାୟୁ ସ୍ଥଳଭାଗରେ ପ୍ରବେଶ କରେ। ଏହି ଶୀତଳ ବାୟୁକୁ ସମୁଦ୍ରପବନ କୁହାଯାଏ (ଚିତ୍ର ୭.୭ କ)। ତେଣୁ, ଗରମ ସ୍ଥାନ ଗୁଡ଼ିକରେ, ସମୁଦ୍ରପବନ ଲୋକଙ୍କୁ ଗରମରୁ ରକ୍ଷା କରେ। ସେଥିପାଇଁ, ଉପକୂଳବର୍ତ୍ତୀ ଅଞ୍ଚଳର ଘରଗୁଡ଼ିକର ଝରକାଗୁଡ଼ିକ ସମୁଦ୍ରଆଡ଼କୁ ମୁହଁକରି ରଖାଯାଇଥାଏ।
[ଚିତ୍ର ବର୍ଣ୍ଣନା: (କ) ଦିନବେଳା ସୂର୍ଯ୍ୟ ଥିବା ସମୟରେ ଉଷ୍ମ ସ୍ଥଳଭାଗରୁ ଗରମ ବାୟୁ ଉପରକୁ ଉଠି ସମୁଦ୍ର ଆଡ଼କୁ ଯାଉଛି ଏବଂ ଶୀତଳ ଜଳଭାଗରୁ ଶୀତଳ ସମୁଦ୍ର ପବନ ସ୍ଥଳଭାଗ ଆଡ଼କୁ ବହୁଛି। (ଖ) ରାତିବେଳା ଚନ୍ଦ୍ର ଥିବା ସମୟରେ ଉଷ୍ଣତର ଜଳଭାଗରୁ ଗରମ ବାୟୁ ଉପରକୁ ଉଠୁଛି ଏବଂ ଶୀତଳ ସ୍ଥଳଭାଗରୁ ଶୀତଳ ସ୍ଥଳଭାଗ ପବନ ସମୁଦ୍ର ଆଡ଼କୁ ବହୁଛି।] ଚିତ୍ର ୭.୭ (କ) ସମୁଦ୍ର ପବନ ଚିତ୍ର ୭.୭ (ଖ) ସ୍ଥଳଭାଗ ବାୟୁ
ସେହି ଭଳି ରାତି ହେଲେ ଏହି ପ୍ରକ୍ରିୟାଟି ବିପରୀତ ହୁଏ। ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ସ୍ଥଳଭାଗ ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡା ହୁଏ, ଯାହା ଫଳରେ ଜଳଭାଗର ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଥାଏ ଏବଂ ସ୍ଥଳଭାଗର ଥଣ୍ଡାବାୟୁ ସମୁଦ୍ର ଆଡ଼କୁ ବହିଥାଏ। ଏହି ବାୟୁକୁ ସ୍ଥଳବାୟୁ କୁହାଯାଏ (ଚିତ୍ର ୭.୭ ଖ)। ସେଥିପାଇଁ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଅନୁଭବ କରନ୍ତି ଯେ ଦିନ ଓ ରାତିରେ ବାୟୁ ବିପରୀତ ଦିଗରେ ବହେ।
୭.୩ ବିକିରଣ
ତୁମର ମନେ ଅଛି କି ଯେତେବେଳେ ଶିଖା ଏବଂ ରବି ନିଆଁ ପାଖରେ ବସିଥିଲେ ନିଆଁର ପ୍ରଭାବରେ ଗରମ ଅନୁଭବ କରୁଥିଲେ ? ସେମାନଙ୍କ ଜେଜେବାପା ସେମାନଙ୍କୁ କୁହନ୍ତି ଯେ ଏହି କ୍ଷେତ୍ରରେ ତାପ ସ୍ଥାନାନ୍ତର ସିଧାସଳଖ ଗରମବସ୍ତୁରୁ ଆମ ପାଖକୁ ହୋଇଥାଏ। ଏହି ପ୍ରକ୍ରିୟାକୁ ବିକିରଣ କୁହାଯାଏ।
ବିକିରଣ ପ୍ରକ୍ରିୟା ଦ୍ବାରା ତାପର ସ୍ଥାନାନ୍ତର ପାଇଁ କୌଣସି ମାଧ୍ଯମର ଆବଶ୍ୟକତା ନାହିଁ। ସମସ୍ତ ବସ୍ତୁ ତାପ ବିକିରଣ କରନ୍ତି। ତୁମେ ନିଶ୍ଚୟ ଦେଖୁଥିବ ଯେ ଏକ ଗରମ ପାତ୍ର ନିଆଁଠାରୁ ଦୂରରେ ରଖିଲେ କିଛି ସମୟ ପରେ ଥଣ୍ଡା ହୋଇଯାଏ। ଏହାର କାରଣ କ’ଣ ? ଗରମ ପାତ୍ର ପରିବେଶକୁ ତାପ ବିକିରଣ କରିଥାଏ ଏବଂ ଏହାଦ୍ଵାରା ଥଣ୍ଡା ହୁଏ। ସୂର୍ଯ୍ୟଙ୍କ ଠାରୁ ତାପ ଏହି ପ୍ରକ୍ରିୟାରେ ଆମ ପାଖକୁ ଆସିଥାଏ।
[ଚିତ୍ର ବର୍ଣ୍ଣନା: ଶିଖା ଗାଲରେ ହାତ ଦେଇ ଆଶ୍ଚର୍ଯ୍ୟ ହୋଇ ଭାବୁଛି: “ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ନିଆଁଠାରୁ ତାପ କିପରି ଆମ ପାଖରେ ପହଞ୍ଚୁଥାଏ ?”]
ଅଧିକ ଜାଣିବା
[ଚିତ୍ର ବର୍ଣ୍ଣନା: ପାଣି ଭିତରେ ସ୍କୁବା ଡାଇଭର ପହଁରୁଛନ୍ତି।] ଖରାଦିନରେ ଧଳା କିମ୍ବା ହାଲୁକା ରଙ୍ଗର ପୋଷାକ ଓ ଶୀତ ଦିନରେ ଗାଢ଼ ରଙ୍ଗର ପୋଷାକ କାହିଁକି ଆରାମଦାୟକ ଲାଗେ ? ହାଲୁକା ରଙ୍ଗର ପୋଷାକ ଉପରେ ପଡ଼ୁଥିବା ଅଧିକାଂଶ ତାପ ପ୍ରତିଫଳିତ ହୋଇଯାଏ ଏବଂ ସେଗୁଡ଼ିକୁ ପିନ୍ଧିଲେ ଆମକୁ ଅଧିକ ଆରାମ ଅନୁଭବ ହୁଏ। ଅନ୍ୟପକ୍ଷରେ, ଗାଢ଼ରଙ୍ଗର ବସ୍ତ୍ରଗୁଡ଼ିକ ଅଧିକ ତାପ ଶୋଷଣ କରେ, ତେଣୁ ଆମେ ଶୀତଦିନରେ ଏଗୁଡ଼ିକ ଦ୍ଵାରା ଅଧିକ ଆରାମ ଅନୁଭବ କରୁ।
ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ଅନେକ ଉଦାହରଣ ଅଛି, ଯେଉଁଠାରେ ଆମେ ଏକାସାଙ୍ଗରେ ପରିବହନ, ପରିଚଳନ ଏବଂ ବିକିରଣ ଇତ୍ୟାଦି ହେଉଥିବାର ଦେଖିପାରିବା।
[ଚିତ୍ର ବର୍ଣ୍ଣନା: ଗ୍ୟାସ୍ ଚୁଲା/ଇଣ୍ଡକ୍ସନ ଉପରେ ଥିବା ଏକ ଧାତବ ପାତ୍ରରେ ପାଣି ଫୁଟୁଛି।] ଚିତ୍ର ୭.୮ : ପାତ୍ରରେ ପାଣି ଗରମ କରିବା
ଚିତ୍ର ୭.୮ ରେ ଦର୍ଶାଯାଇଥିବା ଭଳି, ପାଣି ଗରମ ହେବାର ପ୍ରକ୍ରିୟାକୁ ବିଚାର କର। ଆସ, ଆମେ ପାତ୍ର ଓ ପାଣି ଗରମ ହେବା ତଥା ନିଆଁ ଓ ଗରମ ପାତ୍ର ଉଷ୍ମତା ଅନୁଭବ କରିବାର ଉପାୟଗୁଡ଼ିକୁ ଚିହ୍ନଟ କରିବା। ପରିବହନ ଦ୍ୱାରା ତାପ ନିଆଁରୁ ପାତ୍ରକୁ ସ୍ଥାନାନ୍ତରିତ ହୁଏ। ପରବର୍ତ୍ତୀ ସମୟରେ ପରିଚଳନ ଦ୍ଵାରା ପାତ୍ରରେ ପାଣି ଗରମ ହୁଏ। ନିଆଁ ଓ ପାତ୍ରରୁ ଆମେ ଯେଉଁ ଉଷ୍ମତା ଅନୁଭବ କରୁ ତାହା ବିକିରଣ ଦ୍ବାରା ହିଁ ହୋଇଥାଏ।
ଆମେ ସିଦ୍ଧାନ୍ତ ଗୁଡ଼ିକ ଲେଖିବା :
ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ଉଦାହରଣ ଏବଂ ଆଲୋଚନାରୁ ଆମେ ଏହା ଜାଣିଲୁ ଯେ ତିନୋଟି ପ୍ରକ୍ରିୟା ଦ୍ବାରା ତାପ ସ୍ଥାନାନ୍ତରିତ ହୁଏ। ଏଗୁଡ଼ିକ ହେଉଛି ପରିବହନ, ପରିଚଳନ ଏବଂ ବିକିରଣ। ୧. ପରିବହନରେ ଯେତେବେଳେ ଗୋଟିଏ କଣିକା ତାପ ଗ୍ରହଣ କରି ଗରମ ହୁଏ ସେତେବେଳେ ନିକଟସ୍ଥ କଣିକାକୁ ତାପ ସଂଚାରଣ କରେ, ଏହି ପ୍ରକ୍ରିୟା ଲାଗିରହେ। କଣିକାଗୁଡ଼ିକ ନିଜେ ନିଜେ ସେମାନଙ୍କ ସ୍ଥାନରୁ ଦୂରେଇ ଯାଆନ୍ତି ନାହିଁ। ୨. ପରିଚଳନରେ, ତାପ ସ୍ଥାନାନ୍ତର କଣିକା ଗୁଡ଼ିକର ପ୍ରକୃତ ଗତି ଦ୍ବାରା ଘଟେ। ୩. ମନେରଖ ଯେ ପରିବହନ ଏବଂ ପରିଚଳନରେ, ଏକ ମାଧ୍ୟମ ରହିବା ଆବଶ୍ୟକ, ଯାହାର କଣିକାଗୁଡ଼ିକ ତାପ ସ୍ଥାନାନ୍ତରରେ ସାହାଯ୍ୟ କରନ୍ତି। ୪. ବିକିରଣ କ୍ଷେତ୍ରରେ, ତାପ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରେ ଏବଂ ଏଥିରେ ସ୍ଥାନାନ୍ତର ପାଇଁ କୌଣସି ଭୌତିକ ମାଧ୍ଯମର ଆବଶ୍ୟକତା ନାହିଁ।
ଚିତ୍ତାକର୍ଷକ ତଥ୍ୟ
[ଚିତ୍ର ବର୍ଣ୍ଣନା: ପାରମ୍ପରିକ ରୁମ୍ ହିଟର ତଥା ରୋଷେଇ ଚୁଲା “ବୁଖାରି” ଯାହାର ଉପର ପଟେ ଏକ ଲମ୍ବା ପାଇପ୍ ଲାଗିଛି ଏବଂ ମଝିରେ କେଟଲି ରଖାଯାଇଛି।] ହିମାଳୟ ଭଳି ଅତ୍ୟଧିକ ଶୀତ ଅଞ୍ଚଳରେ ଶୀତଦିନେ ଘରକୁ ଗରମ ରଖିବା ପାଇଁ ପାରମ୍ପରିକ “ବୁଖାରି”ର ବ୍ୟବହାର କରାଯାଏ। ସେଥିରେ ଏକ ଲମ୍ବା ପାଇପ ଯୋଡ଼ି ହୋଇ ରହିଥାଏ ଏବଂ ନିର୍ଗତ ଧୂଆଁକୁ ବାହାରକୁ ଛାଡ଼ିଥାଏ। ଏହା ସହିତ ବୁଖାରି ରୋଷେଇ କରିବା ପାଇଁ ବ୍ୟବହାର ହୁଏ। ଏହାର ଉପର ପାର୍ଶ୍ୱଟି ଚଟାଣ ଭଳି ହୋଇଥିବାରୁ ବାସନକୁସନ ରଖି ହୁଏ। ଏହା ଘରକୁ ଗରମ ରଖିବା ଓ ରୋଷେଇ କରିବା ସମୟରେ ତାପ ସ୍ଥାନାନ୍ତରର ତିନୋଟିଯାକ ପ୍ରକ୍ରିୟା ପରିବହନ, ପରିଚଳନ ଓ ବିକିରଣ ପ୍ରଦର୍ଶନ କରେ।
ଷଷ୍ଠ ଶ୍ରେଣୀ ବିଜ୍ଞାନ ବହି ‘ଜିଜ୍ଞାସା’ ରେ ଆମେ ଶିଖିଲେ ପୃଥିବୀ ପାଉଥିବା ତାପର ମୁଖ୍ୟ ଉତ୍ସ ସୂର୍ଯ୍ୟ। ତୁମେ ଦେଖିଛ ତୁମ ବାପା ମା’ ଘରେ ତାର ବା ଦଉଡ଼ି ଉପରେ ଓଦା ପୋଷାକ ଶୁଖାଉଛନ୍ତି। ଖରାଦିନେ ଓଦା ପୋଷାକ ଶୀଘ୍ର ଶୁଖିଯାଏ କାରଣ ସୂର୍ଯ୍ୟ ରଶ୍ମି ଜଳର ବାଷ୍ପୀଭବନକୁ ଦ୍ରୁତ କରିଥାଏ। ତେଣୁ, ଓଦା ପୋଷାକ ହେଉ କି ହ୍ରଦ ଓ ସମୁଦ୍ର ହେଉ, ଜଳର ବାଷ୍ପୀଭବନରେ ସୂର୍ଯ୍ୟର ଉତ୍ତାପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆସ ଏହାକୁ ଅଧିକ ବିସ୍ତାରିତ ଭାବରେ ବୁଝିବା ପାଇଁ ଜଳଚକ୍ର ଘଟଣାଟି ଆଲୋଚନା କରିବା।
[ଚିତ୍ର ବର୍ଣ୍ଣନା: ପ୍ରକୃତିର ଜଳଚକ୍ରର ଚିତ୍ର, ଯେଉଁଥିରେ ସୂର୍ଯ୍ୟ, ବାଷ୍ପୀଭବନ (ସମୁଦ୍ରରୁ), ଉସ୍ୱେଦନ (ଗଛରୁ), ଘନୀଭବନ (ମେଘ) ଏବଂ ଅବପାତନ/ବୃଷ୍ଟିପାତ (ପାହାଡ଼ ଉପରେ) ଦର୍ଶାଯାଇଛି।] ଚିତ୍ର ୭.୯ : ଜଳଚକ୍ର
ଷଷ୍ଠ ଶ୍ରେଣୀ ବିଜ୍ଞାନ ବହି “ଜିଜ୍ଞାସା” ରେ ଶିଖିଛ, ପ୍ରକୃତିରେ ପାଣି ତିନୋଟି ଅବସ୍ଥାରେ ଅଛି। ପୃଥିବୀରେ ଥିବା ମହାସାଗର, ନଦୀ, ହ୍ରଦ ଓ ଜଳାଶୟ ଗୁଡ଼ିକରେ ଜଳ ତରଳ ଭାବରେ ଭରି ରହିଛି। ପର୍ବତ ଏବଂ ମେରୁ ଅଞ୍ଚଳରେ ତୁଷାର, ବରଫ ଚାଦର ଏବଂ ହିମବାହ ଆଦିରେ କଠିନ ଭାବରେ ଏବଂ ପୃଥିବୀର ବାୟୁମଣ୍ଡଳରେ ଜଳୀୟବାଷ୍ପ ଗ୍ୟାସ ଭାବରେ ରହି ଥାଏ। ଗ୍ରୀଷ୍ମଋତୁରେ, କିଛି ତୁଷାର ଏବଂ ବରଫ ସୂର୍ଯ୍ୟର ବିକିରଣ ଯୋଗୁଁ ତରଳିଯାଇ ନଦୀ ଭାବରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଥାଏ ଏବଂ ଶୀତଦିନେ ତାହା ବରଫ ପାତ ଦ୍ୱାରା ପୁନଃ ଭରଣ ହୁଏ। ସୂର୍ଯ୍ୟଙ୍କ ତାପ ଦ୍ବାରା ସମୁଦ୍ର, ନଦୀ, ହ୍ରଦ ଇତ୍ୟାଦି ବାଷ୍ପୀଭୂତ ହୋଇ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ରହେ। ଏହି ପ୍ରକ୍ରିୟାଟି ଉଦ୍ଭିଦମାନଙ୍କ ପାଖରୁ ଉସ୍ୱେଦନ ଦ୍ୱାରା ହୋଇଥାଏ। ଯେତେବେଳେ ଜଳୀୟବାଷ୍ପ ଉପରକୁ ଉଠିଯାଏ, ଏହା ଥଣ୍ଡା ହୋଇଯାଏ ଏବଂ ଘନୀଭୂତ ହୋଇ ମେଘ ଗଠନ କରେ। ମେଘ ଆଣେ ବର୍ଷା, ତୁଷାର ଏବଂ କରକା। ଏହି ପ୍ରକ୍ରିୟାକୁ ବୃଷ୍ଟିପାତ କୁହାଯାଏ।
ଜଳର ନିରନ୍ତର ଗତି – ଜଳୀୟବାଷ୍ପ ଭାବରେ ଉପରକୁ ଉଠିବା ଏବଂ ତଳକୁ ବୃଷ୍ଟିପାତ ମାଧ୍ଯମରେ ଆସି ମାଟି, ପଥର ଓ ଉଦ୍ଭିଦ ଦେଇ ଗତି କରି, ଶେଷରେ ଜଳାଶୟକୁ ଫେରିଯିବାକୁ ଜଳଚକ୍ର କୁହାଯାଏ (ଚିତ୍ର ୭.୯)।
ତେଣୁ, ଜଳଚକ୍ର ଜଳର ପୁନଃ ଭରଣରେ ସାହାଯ୍ୟ କରେ ଏବଂ ନଦୀ, ହ୍ରଦ ଓ ସମୁଦ୍ରରେ ଜଳ ପୂରଣ କରିବାରେ ମଧ୍ୟ ଏହା ସାହାଯ୍ୟ କରେ। ଏହି ପ୍ରକ୍ରିୟା ଦ୍ଵାରା ପୃଥିବୀରେ ଥିବା ମୋଟ ଜଳ ପରିମାଣ ସଂରକ୍ଷଣ ହୋଇଥାଏ। ପୃଥିବୀ ପୃଷ୍ଠରେ ପଡ଼ୁଥିବା ବର୍ଷାଜଳ, ପୋଖରୀ, ହ୍ରଦ, ନଦୀ ଓ ପରିଶେଷରେ ସମୁଦ୍ରରେ ମିଶିଯାଏ କିମ୍ବା ଭୂମି ଭିତରକୁ ପ୍ରବେଶ କରେ।
ଜଣେ ବୈଜ୍ଞାନିକଙ୍କୁ ଜାଣିବା
ବରାହମିହିର ଷଷ୍ଠ ଶତାବ୍ଦୀର ଉଜ୍ଜୟିନୀ (ମଧ୍ୟପ୍ରଦେଶ) ର ଜଣେ ଜ୍ୟୋତିର୍ବିଜ୍ଞାନୀ ଏବଂ ଗଣିତଜ୍ଞ ଥିଲେ। ତାଙ୍କର ବହି ‘ବୃହତ ସଂହିତା’ରେ ସେ ଋତୁକାଳୀନ ବର୍ଷାର ପୂର୍ବାନୁମାନ ପାଇଁ ବିଭିନ୍ନ ପଦ୍ଧତି ଦେଇଥିଲେ। ଋତୁକାଳୀନ ବର୍ଷା ବିଷୟରେ ତାଙ୍କର ପୂର୍ବାନୁମାନ କେତେକ ଉପାଦାନ ଉପରେ ଆଧାରିତ ଥିଲା, ଯେପରିକି ମେଘ ଗଠନ, ପବନର ଶୈଳୀ, ଚନ୍ଦ୍ର ଓ ତାରାମାନଙ୍କର ସ୍ଥିତି ଏବଂ ଅନ୍ୟାନ୍ୟ ପ୍ରାକୃତିକ ଘଟଣା।
ତୁମେ ହୁଏତ ଲୋକମାନଙ୍କୁ କୂଅ କିମ୍ବା ହ୍ୟାଣ୍ଡପମ୍ପରୁ ପାଣି ଟାଣିବା ଦେଖିଥିବ। ଏହା ସେହି ପାଣି ଯାହା ମାଟି ଭିତରକୁ ପଶିଯାଇଛି। ଆସ ଏକ କାର୍ଯ୍ୟ ଦ୍ବାରା ବୁଝିବା ଯେ ପାଣି କିପରି ପୃଥିବୀ ଅଭ୍ୟନ୍ତରକୁ ଯାଏ।
୭.୪.୧ କିପରି ପୃଥିବୀ ପୃଷ୍ଠରୁ ଭିତରକୁ ପ୍ରବେଶ କରିଥାଏ
[ଚିତ୍ର ବର୍ଣ୍ଣନା: ଶିଖା ଦୁଇ ହାତ ଖୋଲି ପଚାରୁଛି: “ମାଟି ଭିତରକୁ ପାଣି କିପରି ପ୍ରବେଶ କରେ ?”]
କାର୍ଯ୍ୟ ୭.୫ : ଆସ ଅନୁସନ୍ଧାନ କରିବା
[ଚିତ୍ର ବର୍ଣ୍ଣନା: ତିନୋଟି ଓଲଟା କଟା ବୋତଲ ଷ୍ଟାଣ୍ଡ ଉପରେ ରଖାଯାଇଛି, ଯେଉଁଥିରେ ଯଥାକ୍ରମେ କାଦୁଅ, ବାଲି ଓ ଗୋଡ଼ି ରଖି ଉପରୁ ପାଣି ଢଳାଯାଉଛି ଏବଂ ତଳେ ଥିବା ବିକରରେ ପାଣି ଜମା ହେଉଛି।] ଚିତ୍ର ୭.୧୦ : କାଦୁଅ, ବାଲି ଓ ଗୋଡ଼ି ଭିତରେ ଜଳପ୍ରବାହକୁ ତୁଳନା କରିବା
(i) ୧ ଲିଟର କ୍ଷମତା ବିଶିଷ୍ଟ ତିନୋଟି ସ୍ୱଚ୍ଛ, ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଅ। (ii) ସେଗୁଡ଼ିକୁ ମଝିରୁ କାଟି ଛୋଟ କର ଏବଂ ବୋତଲ ଠିପିରେ ଏକ ଛିଦ୍ର କର। (iii) ସେଗୁଡ଼ିକୁ ଓଲଟା ରଖ। ଚିତ୍ର ୭.୧୦ ରେ ଦେଖାଯାଇଥିବା ପରି ଗୋଟିଏ ବୋତଲରେ କିଛି କାଦୁଅ ନିଅ, ଦ୍ବିତୀୟଟିରେ ବାଲି ଏବଂ ତୃତୀୟଟିରେ ପଥର ନିଅ। (iv) ପ୍ରତ୍ୟେକ ବୋତଲ ତଳେ ଗୋଟିଏ ଲେଖାଏଁ ବିକର ରଖ। (v) ପ୍ରତ୍ୟେକ ବୋତଲରେ ୨୦୦ ମି.ଲି. ଜଳ ମିଶାଅ। (vi) ପ୍ରତ୍ୟେକ ବୋତଲରୁ କେତେ ଜଳ ବାହାରୁଛି ତାହା ଅନୁମାନ କର। (vii) ପ୍ରତ୍ୟେକ ବୋତଲ ଦେଇ ବହିଯାଉଥିବା ଜଳକୁ ୧୦ ମିନିଟ୍ ପାଇଁ ସଂଗ୍ରହ କର। (viii) ପ୍ରତ୍ୟେକ ବୋତଲ ଦେଇ ଆସୁଥିବା ଜଳର ପରିମାଣକୁ ତୁଳନା କର।
ସାରଣୀ ୭.୫ : ଭୂପୃଷ୍ଠରୁ ଜଳ କିପରି ମାଟି ଭିତରେ ପଶେ
| ବୋତଲ ଭିତରେ ଥିବା ପଦାର୍ଥ | ପୂର୍ବାନୁମାନ ଜଳର ଝରିବା ପ୍ରଣାଳୀ (ଅତି ଧୀର/ ଧୀର/ ଦ୍ରୁତ) | ପର୍ଯ୍ୟବେକ୍ଷଣ ଜଳର ଝରିବା ପ୍ରଣାଳୀ (ଅତି ଧୀର/ ଧୀର/ ଦ୍ରୁତ) |
|---|---|---|
| ବୋତଲ ୧ (କାଦୁଅ) | ||
| ବୋତଲ ୨ (ବାଲି) | ||
| ବୋତଲ ୩ (ଗୋଡ଼ି) |
[ଚିତ୍ର ବର୍ଣ୍ଣନା: (କ) ଗୋଡ଼ି/ପଥର ମଧ୍ୟରେ ଥିବା ବଡ଼ ଖାଲିସ୍ଥାନ ଦେଇ ପାଣି ସହଜରେ ତଳକୁ ପ୍ରବାହିତ ହେଉଛି। (ଖ) ମାଟି କଣିକା ମଧ୍ୟରେ ଖାଲିସ୍ଥାନ କମ୍ ଥିବାର ଦର୍ଶାଯାଇଛି।] ଚିତ୍ର ୭.୧୧
ଫଳାଫଳଗୁଡ଼ିକ ତୁମର ପୂର୍ବାନୁମାନ ସହିତ ମେଳ ଖାଉଛି କି ?
ତୁମେ ଦେଖିଥିବ ଯେ ପାଣି ଗୋଡ଼ି ବା ପଥର ଦେଇ ସବୁଠାରୁ ଶୀଘ୍ର, ବାଲି ଦେଇ ଧୀରେ ଧୀରେ, ଏବଂ ମାଟି ଦେଇ ସବୁଠାରୁ ଧୀରେ ପାଣି ଝରୁଛି। ଏହା କାହିଁକି ଏପରି ହେଉଛି ? ପଥର ବା ଗୋଡ଼ି ମଧ୍ଯରେ ଖାଲି ସ୍ଥାନ ଅଧିକ ହୋଇଥାଏ, କିନ୍ତୁ ବାଲି ଏବଂ ମାଟିରେ କମ୍ ଥାଏ। ତେଣୁ, ପଥର ବା ଗୋଡ଼ି ଦେଇ ଅଧିକ ସହଜରେ ପାଣି ଝରିପାରେ।
ଏଭଳି ପୃଥିବୀ ପୃଷ୍ଠରୁ ତଳକୁ ମାଟି ଦେଇ ତଳକୁ ପାଣିର ପ୍ରବାହ ପ୍ରକ୍ରିୟାକୁ ଖାଲି ସ୍ଥାନରେ ଅବଶୋଷଣ କୁହାଯାଏ। ଯଦି ମାଟି ଏବଂ ପଥର ମଧ୍ଯରେ ଖାଲି ସ୍ଥାନ ଥାଏ ତେବେ ଅଧିକ ସହଜରେ ଜଳ ପ୍ରବାହିତ ହୋଇପାରେ।
ଯେଉଁ ପାଣି ଛିଦ୍ର ଦେଇ ପ୍ରବେଶ କରେ ତାହା ଛିଦ୍ର ସ୍ଥାନରେ ସଂରକ୍ଷିତ ହୋଇଯାଏ। ପୃଷ୍ଠ ତଳେ ଥିବା ପଥରଗୁଡ଼ିକରେ ଥିବା ଅବଶିଷ୍ଟାଂଶ ଏବଂ ଖୋଲା ସ୍ଥାନଗୁଡ଼ିକରେ ଭୂତଳ ଜଳ ଭାବରେ ସଂଗୃହୀତ ହୋଇ ରହେ। ଜଳର ଭୂତଳ ସ୍ତର ଏବଂ ଛିଦ୍ର ସ୍ଥାନରେ ଓ ପଥର ମଧ୍ଯରେ ଜମି ରହୁଥିବା ଜଳକୁ ଭୂତଳ ସ୍ତର କୁହାଯାଏ (ଚିତ୍ର ୭.୧୨)।
ଏହି ଜଳକୁ ଆମେ କୂପ କିମ୍ବା ନଳକୂପ ଖୋଳି ବ୍ୟବହାର କରିଥାଉ। ଭୂତଳସ୍ତର ସ୍ଥାନ ଅନୁସାରେ ଏହି ଜଳ ଭୂମିରୁ ଅଳ୍ପ କେତେ ମିଟରରୁ ଶହ ଶହ ମିଟର ତଳେ ରହିଥାଏ।
[ଚିତ୍ର ବର୍ଣ୍ଣନା: ବର୍ଷା ହେବା ପରେ ଭୂପୃଷ୍ଠ ଜଳ ମାଟି ଓ ପଥର ସ୍ତର ଦେଇ ଭୂତଳ ଜଳସ୍ତର (Aquifer) ରେ ପ୍ରବେଶ କରିବା ଏବଂ ସେଠାରେ କୂଅ ଦ୍ୱାରା ପାଣି ବାହାର କରିବାର ପ୍ରକ୍ରିୟା।] ଚିତ୍ର ୭.୧୨ : ଜଳଭଣ୍ଡାର
ତଥାପି, ଭୂତଳ ଜଳ ଅସୀମ ନୁହେଁ। ବଢୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବାକୁ ସେଥିପାଇଁ ଭୂତଳ ଜଳ ନିଷ୍କାସନ ଦ୍ରୁତ ବେଗରେ ବଢ଼ିଚାଲିଛି। ଏହା ସହିତ, ଉଦ୍ଭିଦ ଆଚ୍ଛାଦନ ହ୍ରାସ ପାଇଛି ଏବଂ ସହରାଞ୍ଚଳରେ ବର୍ଦ୍ଧିତ କଂକ୍ରିଟ୍ ପୃଷ୍ଠ ଜଳର ଅନୁପ୍ରବେଶକୁ ସୀମିତ କରିଛି। ଫଳସ୍ୱରୂପ, ଭୂତଳ ଜଳ ହ୍ରାସ ପାଉଛି। ଏହାର ସମାଧାନ ପାଇଁ, ବର୍ଷା ଜଳ ଅମଳ ଏବଂ ପୁନଃଭରଣ ପିଟ୍ ବ୍ୟବହାର କରାଯିବା ଆବଶ୍ୟକ ରହିଛି। ସୁତରାଂ ଜଳଚକ୍ର ଭୂଗର୍ଭ ଜଳକୁ ପୁନଃଭରଣ କରେ ଓ ଏହା ଦ୍ଵାରା ଭୂଗର୍ଭ ଜଳର ସ୍ଥାୟୀ ଯୋଗାଣ ନିଶ୍ଚିତ ହୁଏ।
ଯେହେତୁ ଜଳ ଅଭାବ ଜୀବନକୁ କଷ୍ଟକର କରିଥାଏ, ଲୋକମାନେ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଉପାୟ ବିକଶିତ କରୁଛନ୍ତି। ଉଦାହରଣ ସ୍ଵରୂପ, ଲଦାଖରେ ଲୋକମାନେ ଜଳ ସଂରକ୍ଷଣ ପାଇଁ ଅଭିନବ ଉପାୟ ବିକଶିତ କରିଛନ୍ତି। ଶୀତଦିନେ ବରଫ ସ୍ତୂପ ତିଆରି କରି ସେଥିରେ ଜଳ ସଂଗ୍ରହ କରୁଛନ୍ତି (ଚିତ୍ର ୭.୧୩)।
ବିଜ୍ଞାନ ଓ ସମାଜ
[ଚିତ୍ର ବର୍ଣ୍ଣନା: ପାର୍ବତ୍ୟ ଅଞ୍ଚଳରେ ନିର୍ମିତ ଶଙ୍କୁ ଆକୃତିର ଏକ ବଡ଼ ‘ବରଫ ସ୍ତୂପ’ (Ice Stupa)।] ଚିତ୍ର ୭.୧୩ : ବରଫ ସ୍ତୂପ
ବସନ୍ତ ଋତୁରେ ଲଦାଖରେ ଝରଣାଗୁଡ଼ିକ ପ୍ରାୟତଃ ଶୁଖିଯାଏ। ଜଳର ଅଭାବ ଭରଣା କରିବା ପାଇଁ ସୂର୍ଯ୍ୟ କିରଣ ବରଫ ତରଳାଇବା ପର୍ଯ୍ୟାପ୍ତ ହୋଇପାରେନାହିଁ। ସେଥିପାଇଁ ଶୀତଦିନେ ଉପରେ ଥିବା ପର୍ବତରୁ ପାଣି ଝରଣା ଆକାରରେ କିମ୍ବା ପାଇପ୍ ଦେଇ ତଳକୁ ଅଣାଯାଏ। ଏହି ପାଣି ଉପରେ ଶୀତଳ ବାୟୁ ସିଞ୍ଚନ କରାଯାଏ। ଯେତେବେଳେ ଥଣ୍ଡାପବନ ଏହା ଉପରେ ପଡ଼େ, ଅତ୍ୟନ୍ତ କମ୍ ତାପ ଯୋଗୁଁ ଏହା ବରଫ ଆକାରରେ ଜମାଟ ବାନ୍ଧିଯାଏ। ଏହି ବରଫ ସ୍ତର ପରେ ସ୍ତର ଜମା ହୋଇ ଏକ ଉଚ୍ଚ, କୋଣ ଆକୃତି ସୃଷ୍ଟି କରେ, ଯାହାକୁ ବରଫ ସ୍ତୂପ କୁହାଯାଏ। ବରଫ ସ୍ତୂପ ବସନ୍ତ ଋତୁରେ ଧୀରେ ତରଳିଯାଏ। ଚାଷ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସାରା ଗ୍ରୀଷ୍ମ ଋତୁରେ ପାଣି ଯୋଗାଇଥାଏ।
ସଂକ୍ଷେପରେ
୧. ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାପ ସ୍ଥାନାନ୍ତରିତ ହେବାର ତିନୋଟି ଉପାୟ ଅଛି — ପରିବହନ, ପରିଚଳନ ଏବଂ ବିକିରଣ। ୨. ବସ୍ତୁର ଉତ୍ତପ୍ତ ଅଂଶରୁ ଥଣ୍ଡା ଅଂଶକୁ ତାପ ସ୍ଥାନାନ୍ତର ପ୍ରକ୍ରିୟାକୁ ପରିବହନ କୁହାଯାଏ। ଏହି ପ୍ରକ୍ରିୟାରେ, କଣିକାଗୁଡ଼ିକ ସେମାନଙ୍କର ସ୍ଥାନରୁ ଘୁଞ୍ଚନ୍ତି ନାହିଁ। ୩. ଯେଉଁ ପଦାର୍ଥ ଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ, ସେଗୁଡ଼ିକୁ ତାପର ସୁପରିବାହୀ କୁହାଯାଏ। ୪. ଯେଉଁ ପଦାର୍ଥଗୁଡ଼ିକ ସହଜରେ ତାପକୁ ସେମାନଙ୍କ ମଧ୍ୟ ଦେଇ ଗତି କରିବାକୁ ଦିଏ ନାହିଁ, ସେମାନଙ୍କୁ ତାପର କୁପରିବାହୀ କୁହାଯାଏ। ୫. କଠିନ ପଦାର୍ଥରେ ତାପ ପରିବହନ ପ୍ରକ୍ରିୟା ମାଧ୍ଯମରେ ସ୍ଥାନାନ୍ତରିତ ହୁଏ। କିନ୍ତୁ ତରଳ ଏବଂ ଗ୍ୟାସରେ ପରିଚଳନ ଦ୍ବାରା ତାପ ସ୍ଥାନାନ୍ତରିତ ହୁଏ। ୬. ସୂର୍ଯ୍ୟର ଉତ୍ତାପ ବିକିରଣ ମାଧ୍ୟମରେ ପୃଥିବୀରେ ପହଞ୍ଚେ। ୭. ପରିଚଳନରେ ତାପ ସ୍ଥାନାନ୍ତର କଣିକାଗୁଡ଼ିକର ଗତିଦ୍ୱାରା ହୋଇଥାଏ। ପରିଚଳନର ଉଦାହରଣ ହେଲା ସ୍ଥଳ ପବନ ଏବଂ ସମୁଦ୍ର ପବନ। ୮. ସମସ୍ତ ବସ୍ତୁ ସେମାନଙ୍କ ପରିବେଶ ସହିତ ତାପ ବିନିମୟ ବିକିରଣ ପ୍ରକ୍ରିୟା ଦ୍ଵାରା କରନ୍ତି। ୯. ପରିବହନ ଏବଂ ପରିଚଳନ ପ୍ରକ୍ରିୟାରେ ତାପ ସ୍ଥାନାନ୍ତର ପାଇଁ ଏକ ମାଧ୍ୟମ ଆବଶ୍ୟକ କିନ୍ତୁ ବିକିରଣ ପାଇଁ କୌଣସି ମାଧ୍ଯମର ଆବଶ୍ୟକତା ନାହିଁ। ୧୦. ଘର ଓ ପୋଷାକ ପ୍ରସ୍ତୁତିରେ ତାପ ସ୍ଥାନାନ୍ତରଣର ନୀତି ବ୍ୟବହାର କରାଯାଏ। ୧୧. ଜଳର ନିରନ୍ତର ଗତି — ବାଷ୍ପ ଭାବରେ ଉପରକୁ ଏବଂ ଅବପାତ ମାଧ୍ୟମରେ ତଳକୁ, ଜଳ ଅତିକ୍ରମ କରି ମାଟି, ପଥର ଏବଂ ଗଛଲତା ମାଧ୍ୟମରେ ଏବଂ ଶେଷରେ ଜଳ ଉତ୍ସକୁ ଫେରିଯିବା ପ୍ରକ୍ରିୟାକୁ ଜଳଚକ୍ର କୁହାଯାଏ। ୧୨. ମାଟି ଏବଂ ପଥର ଦେଇ ଭୂପୃଷ୍ଠ ଜଳ ମାଟି ଭିତରକୁ ପ୍ରବେଶ କରିବାର ପ୍ରକ୍ରିୟାକୁ ଅନ୍ତଃପ୍ରବେଶ କୁହାଯାଏ। ୧୩. ଭୂତଳ ଜଳ ହେଉଛି ସେହି ଜଳ ଯାହା ମାଟି ଭିତରକୁ ପ୍ରବେଶ କରି ପଥର ଛିଦ୍ରରେ ସଞ୍ଚିତହୁଏ। ୧୪. ଭୂତଳ ସ୍ତର ଏବଂ ପଥର ଛିଦ୍ର ସ୍ଥାନରେ ଗଚ୍ଛିତ ଥିବା ଜଳକୁ ଭୂଗର୍ଭ ଜଳସ୍ତର କୁହାଯାଏ।
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
୧. ପ୍ରତ୍ୟେକ କ୍ଷେତ୍ରରେ ଠିକ୍ ବାଛ।
[ଚିତ୍ର ବର୍ଣ୍ଣନା: ଏକ ରନ୍ଧନ ପ୍ୟାନ୍, ଯାହାର ମୁଖ୍ୟ ଧାତବ ଅଂଶ ‘କ’ ଏବଂ ବେଣ୍ଟ/ହାଣ୍ଡଲ୍ ‘ଖ’ ଚିହ୍ନିତ ହୋଇଛି।] ଚିତ୍ର ୭.୧୪ : ପାତ୍ର
(୧) ଚିତ୍ର ୭.୧୪ରେ ଦେଖାଯାଇଥିବା ତୁମ ବାପା ‘କ’ ଓ ‘ଖ’ ଦୁଇଟି ଭିନ୍ନ ପଦାର୍ଥରେ ତିଆରି ଏକ ପାତ୍ର କିଣିଥିଲେ। ପଦାର୍ଥ ‘କ’ ଏବଂ ପଦାର୍ଥ ‘ଖ’ ର ନିମ୍ନଲିଖିତ କେଉଁ ଗୁଣଗୁଡ଼ିକ ଅଛି ? (i) କ ଏବଂ ଖ ଉଭୟ ତାପର ସୁପରିବାହୀ। (ii) କ ଏବଂ ଖ ଉଭୟ ତାପର କୁପରିବାହୀ। (iii) ‘କ’ ହେଉଛି ତାପର ସୁପରିବାହୀ ଏବଂ ‘ଖ’ ହେଉଛି ତାପର କୁପରିବାହୀ। (iv) ‘କ’ ହେଉଛି ତାପର କୁପରିବାହୀ ଏବଂ ‘ଖ’ ହେଉଛି ତାପର ସୁପରିବାହୀ।
[ଚିତ୍ର ବର୍ଣ୍ଣନା: ଧାତବ ରଡ୍ରେ ମହମରେ ଲାଗିଥିବା ପିନ୍ (IV, III, II, I), ଯେଉଁଥିରେ ମହମବତୀ ପିନ୍ II ଓ III ମଝିରେ ରଖାଯାଇଛି।] ଚିତ୍ର ୭.୧୫ : ତାପ ସ୍ଥାନାନ୍ତର
(୨) ଧାତବ ପାତରେ ଲାଗିଥିବା ମହମରେ ପିନ୍ଗୁଡ଼ିକ ଲଗାଯାଇଛି। ଚିତ୍ର ୭.୧୫ ରେ ଦେଖାଯାଇଥିବା ପରି ମହମବତୀକୁ ରଡ୍ ତଳେ ରଖାଯାଇଛି। ନିମ୍ନଲିଖିତ ମଧ୍ୟରୁ କ’ଣ ଘଟିବ ? (କ) ସମସ୍ତ ପିନ୍ ପ୍ରାୟ ଏକା ସମୟରେ ପଡ଼ିଯିବ। (ଖ) ପିନ୍ I, ପିନ୍ II, ପିନ୍ III, ପିନ୍ IV ଅପେକ୍ଷା ଶୀଘ୍ର ପଡ଼ିଯିବ। (ଗ) ପିନ୍ I ଓ II; ପିନ୍ III ଓ IV ର ପରେ ପଡ଼ିବ। (ଘ) ପିନ୍ II ଏବଂ III ପ୍ରାୟ ସମାନ ସମୟରେ ପଡ଼ିଯିବ।
୩. ଧୂଆଁ ଚିହ୍ନଟକାରୀ ଏକ ଉପକରଣ ଯାହା ଧୂଆଁ ଚିହ୍ନଟ କରେ ଏବଂ ଆଲାରାମ ବଜାଏ। ତୁମ ଘରେ ଏଥିପାଇଁ ସବୁଠାରୁ ଉପଯୁକ୍ତ ସ୍ଥାନ କେଉଁଠି ହେବ: (କ) ଚଟାଣ ନିକଟରେ (ଖ) କାନ୍ଥର ମଝିରେ (ଗ) ଛାତ ଉପରେ (ଘ) କୋଠରୀର ଯେକୌଣସି ସ୍ଥାନରେ
୪. ଜଣେ ଦୋକାନୀ ତୁମକୁ ଗୋଟିଏ ଗ୍ଲାସରେ ଥଣ୍ଡା ଲସି ପରିବେଷଣ କରିଥିଲେ। ଘଟଣାକ୍ରମେ, ଗ୍ଲାସ୍ଟିରେ ଛୋଟ ଛିଦ୍ର ଥିଲା। ଦୋକାନୀ ଛିଦ୍ରଯୁକ୍ତ ଗ୍ଲାସ୍କୁ ରଖିବା ପାଇଁ ତୁମକୁ ଆଉ ଗୋଟିଏ ପାତ୍ର ଦେଇଥିଲେ। ଏହା କ’ଣ ଲସିକୁ ଅଧିକ ସମୟ ପାଇଁ ଥଣ୍ଡା ରଖିବାରେ ସାହାଯ୍ୟ କରିପାରିବ ? ବ୍ୟାଖ୍ୟା କର।
୫. ନିମ୍ନଲିଖିତ ବକ୍ତବ୍ୟ ଗୁଡ଼ିକ ସତ୍ୟ [T] କିମ୍ବା ମିଥ୍ୟା [F] କାରଣ ସହିତ କୁହ :
(i) କଠିନ ପଦାର୍ଥରେ ପରିଚଳନ ଦ୍ବାରା ତାପ ସ୍ଥାନାନ୍ତର ହୁଏ। [ ] (ii) ପରିଚଳନରେ କଣିକା ଗୁଡ଼ିକର ଗତି ମାଧ୍ୟମରେ ତାପ ସ୍ଥାନାନ୍ତରଣ ହୁଏ। [ ] (iii) କାଦୁଅ ଥିବା ଅଞ୍ଚଳଗୁଡ଼ିକ ବାଲିଆ ଅଞ୍ଚଳ ଅପେକ୍ଷା ଅଧିକ ଜଳ ଅନ୍ତଃଶୋଷଣ କରିଥାଏ। [ ] (iv) ସ୍ଥଳଭାଗରୁ ସମୁଦ୍ରକୁ ଶୀତଳ ବାୟୁର ପ୍ରବାହକୁ ସମୁଦ୍ର ବାୟୁ କୁହାଯାଏ। [ ]
୬. ପାତ୍ରରେ ରଖାଯାଇଥିବା କିଛି ବରଫ ଖଣ୍ଡ କେବେ କେବେ ପାଣିରେ ତରଳିଯାଏ। ଏଥିପାଇଁ ବରଫ ଖଣ୍ଡ ଗୁଡ଼ିକ କେଉଁଠାରୁ ଉତ୍ତାପ ପାଆନ୍ତି ?
୭. ଏକ ଜଳନ୍ତା ଧୂପକାଠି ତଳ ମୁହାଁ କରି ଲଗାଯାଇଛି। ଧୂପକାଠିରୁ ଧୂଆଁ କେଉଁ ଦିଗରେ ବାହାରିବ ? ଏକ ଚିତ୍ର ସାହାଯ୍ୟରେ ଧୂଆଁର ଗତି ଦେଖାଅ।
୮. ପାଣି ଥିବା ଦୁଇଟି ଟେଷ୍ଟଟ୍ୟୁବ୍ ଏକ ମହମବତୀର ନିଆଁ ଦ୍ଵାରା ଗରମ କରାଯାଉଛି (ଚିତ୍ର ୭.୧୬ ରେ ଦେଖାଯାଇଛି)। କେଉଁ ଥର୍ମୋମିଟର (ଚିତ୍ର ୭.୧୬ କ କିମ୍ବା ଚିତ୍ର ୭.୧୬ ଖ) ରେ ଅଧିକ ତାପମାତ୍ରା ରେକର୍ଡ କରିବ ? ବ୍ୟାଖ୍ୟା କର।
[ଚିତ୍ର ବର୍ଣ୍ଣନା: (କ) ଟେଷ୍ଟଟ୍ୟୁବ୍ର ତଳ ଭାଗକୁ ମହମବତୀରେ ଗରମ କରାଯାଉଛି ଏବଂ ଥର୍ମୋମିଟର ଉପର ଭାଗରେ ବୁଡ଼ିଛି। (ଖ) ଟେଷ୍ଟଟ୍ୟୁବ୍ର ଉପର ଭାଗକୁ ମହମବତୀରେ ଗରମ କରାଯାଉଛି ଏବଂ ଥର୍ମୋମିଟର ତଳ ଭାଗରେ ବୁଡ଼ିଛି।] ଚିତ୍ର ୭.୧୬ : ଦୁଇଟି ଟେଷ୍ଟ ଟ୍ୟୁବ୍ରେ ବୁଡ଼ାଯାଇଥିବା ଦୁଇଟି ଥର୍ମୋମିଟର।
୯. ଅତ୍ୟଧିକ ଗରମ ଅଞ୍ଚଳରେ ବାହ୍ୟ କାନ୍ଥ ନିର୍ମାଣ ପାଇଁ କାହିଁକି ଫମ୍ପା ଇଟା ବ୍ୟବହାର କରାଯାଏ ? ୧୦. ବଡ଼ ଜଳାଶୟ ଗୁଡ଼ିକ କିପରି ତା’ର ଚତୁଃପାର୍ଶ୍ଵର ଅତ୍ୟଧିକ ତାପମାତ୍ରାକୁ ଅବରୋଧ କରିଥାଏ, ତାହା ବ୍ୟାଖ୍ୟା କର। ୧୧. ପୃଥିବୀ ପୃଷ୍ଠ ଦେଇ ଜଳ କିପରି ଅନ୍ତଃପ୍ରବେଶ କରି ଭୂତଳ ଜଳ ଭାବରେ ସଂରକ୍ଷିତ ହୁଏ ତାହା ବ୍ୟାଖ୍ୟା କର। ୧୨. ଜଳଚକ୍ର ପୃଥିବୀର ଜଳ ପରିମାଣକୁ ପୁନଃବଣ୍ଟନ ଏବଂ ପୁନଃଭରଣରେ ସାହାଯ୍ୟ କରେ। ଉକ୍ତିର ଯଥାର୍ଥତା ଦର୍ଶାଅ।
ସନ୍ଧାନମୂଳକ ପ୍ରକଳ୍ପ
[ଚିତ୍ର ବର୍ଣ୍ଣନା: ପାର୍ଶ୍ଵରେ ଏକ ଦଉଡ଼ିର ଜାଲି ଆକୃତିରେ ‘ଇତିହାସ’, ‘କଳା’, ‘ଭୂଗୋଳ’, ‘ସମାଜ’, ‘ପ୍ରଯୁକ୍ତିବିଦ୍ୟା’, ‘ଅର୍ଥନୀତି’ ଏବଂ ‘ଗଣିତ’ ଶବ୍ଦଗୁଡ଼ିକ ଲେଖାଯାଇଛି।]
୧. ସମାଜ : ଜଳ ଅମଳ ସ୍ଥାନ କିମ୍ବା ପୁନଃଭରଣ ପିଟ୍ ପରିଦର୍ଶନ କର। ଲୋକଙ୍କଠାରୁ ଜାଣ ଯେ ସେଗୁଡ଼ିକ କେଉଁଥରେ ନିର୍ମିତ ଏବଂ କିପରି କାମ କରନ୍ତି। ଚିତ୍ର ସହିତ ଏକ ରିପୋର୍ଟ ପ୍ରସ୍ତୁତ କର। ୨. କାର୍ଯ୍ୟ : ଏକ ଧାତୁ ଚାରିପାଖରେ ଏକ ପତଳା କାଗଜ ଫିତାକୁ ଜୋରରେ ଗୁଡ଼ାଅ। ଏହାର ଘୂର୍ଣ୍ଣନ ସମୟରେ ଏକ ମହମବତୀ ସାହାଯ୍ୟରେ କାଗଜକୁ ଜାଳିବାକୁ ଚେଷ୍ଟା କର। କାଗଜ ଜଳୁଛି କି ? ତୁମର ପର୍ଯ୍ୟବେକ୍ଷଣକୁ ବ୍ୟାଖ୍ୟା କର। ୩. କାର୍ଯ୍ୟ : ଏକ କାଗଜ ନିଅ। ଏଥିରେ ଦେଖାଯାଇଥିବା ପରି ଏକ ଅଙ୍କାବଙ୍କା ଚିତ୍ର ଆଙ୍କ (ଚିତ୍ର ୭.୧୭ କ)। ଅଙ୍କାବଙ୍କା ଚିତ୍ର ସହିତ କାଗଜକୁ କାଟି ଏହି କାଗଜକୁ ଏକ ଜଳନ୍ତା ମହମବତୀ ଉପରେ ଝୁଲାଇ ରଖ (ଚିତ୍ର ୭.୧୭ (ଖ))। ତୁମର ପର୍ଯ୍ୟବେକ୍ଷଣକୁ ବ୍ୟାଖ୍ୟା କର।
[ଚିତ୍ର ବର୍ଣ୍ଣନା: (କ) କଇଞ୍ଚି ସାହାଯ୍ୟରେ କାଗଜକୁ କୁଣ୍ଡଳାକାର (spiral) ଭାବେ କଟାଯାଉଛି। (ଖ) କଟାଯାଇଥିବା କୁଣ୍ଡଳାକାର କାଗଜକୁ ଏକ ଜଳନ୍ତା ମହମବତୀ ଉପରେ ଝୁଲାଇ ରଖାଯାଇଛି।] ଚିତ୍ର ୭.୧୭ (କ) : ଚିତ୍ରକୁ ଅଙ୍କାବଙ୍କା କାଟିବା ଚିତ୍ର ୭.୧୭ (ଖ) : କୁଣ୍ଡଳାକାର କାଗଜ