ଅଷ୍ଟମ ଅଧ୍ୟାୟ

ସମୟ ଏବଂ ଗତିର ପରିମାପ

[ଚିତ୍ର ବର୍ଣ୍ଣନା: ବିଦ୍ୟାଳୟ ଖେଳପଡ଼ିଆରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାର ଦୃଶ୍ୟ, ଯେଉଁଠାରେ ପ୍ରତିଯୋଗୀମାନେ ଫିନିସିଂ ଲାଇନ ଆଡ଼କୁ ଦୌଡ଼ୁଛନ୍ତି ଏବଂ ଶିକ୍ଷୟିତ୍ରୀ ହାତରେ ଷ୍ଟପଓ୍ୱାଚ୍ ଧରି ଠିଆ ହୋଇଛନ୍ତି।]

ମନୀଷା ଏବଂ ତା ଭଉଣୀ ଟେଲିଭିଜନରେ ଏକ ଖେଳ ଦେଖୁଥା’ନ୍ତି। ମନୀଷା ଦୌଡ଼ିବାକୁ ଭଲ ପାଏ। ଜିଲ୍ଲା ସ୍ତରରେ ଅନୁଷ୍ଠିତ ଏକ ଆନ୍ତଃସ୍କୁଲ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ଜିତି ତା’ଙ୍କ ଜିଲ୍ଲାର ଝିଅମାନଙ୍କ ମଧ୍ୟରେ ସେ ଦୌଡ଼ରାଣୀ ଭାବରେ ସୁନାମ ଅର୍ଜନ କରିଥିଲା। ସେ ଏବେ ରାଜ୍ୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି; ଭବିଷ୍ୟତରେ ଆନ୍ତର୍ଜାତୀୟ ସ୍ତରରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିବାର ସ୍ୱପ୍ନ ମଧ୍ୟ ଦେଖୁଛି।

ଅତୀତରେ ଅନୁଷ୍ଠିତ ଅଲିମ୍ପିକ୍ ଦୌଡ଼ରେ ଦୁଇ ଜଣ ପ୍ରତିଦ୍ଵନ୍ଦୀ ଶେଷ ସୀମା ଅତିକ୍ରମ କରୁଥିବା ଦେଖିବା ସମୟରେ, ମନୀଷା ସର୍ବଦା ଆଶ୍ଚର୍ଯ୍ୟ ହୁଏ ଯେ ଦୌଡ଼ ପ୍ରତିଯୋଗିତା ପାଇଁ ସମୟର ମାପ ଏତେ ଉନ୍ନତ ଯେ ସେମାନେ ବିଜେତାଙ୍କୁ ସେତେବେଳେ ଚିହ୍ନଟ କରିପାରିବେ ଯେତେବେଳେ ଦୁଇଜଣ ଦୌଡ଼ାଳି ପ୍ରାୟ ଏକାଠି ଶେଷ ରେଖା ଅତିକ୍ରମ କରୁଥିବା ଦେଖାଯାଉଛନ୍ତି। ତଥାପି ସେମାନେ କିପରି ଚୟନ କରିପାରୁଛନ୍ତି ପ୍ରଥମ କିଏ ? ତାଙ୍କ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ସରସ୍ଵତୀ ଦିଦି ଦୌଡ଼ର ସମୟ ନିର୍ଦ୍ଧାରଣ ପାଇଁ ‘ଷ୍ଟପ୍‌ୱାଚ୍‌’ ନାମକ ଏକ ବିଶେଷ ପ୍ରକାରର ଘଣ୍ଟା ବ୍ୟବହାର କରନ୍ତି। ତା' ମାଆ ହାତରେ ଘଣ୍ଟା ପିନ୍ଧିଥିବାର ଏବଂ ଭଉଣୀ ସମୟ ଯାଞ୍ଚ କରିବା ପାଇଁ ଆବଶ୍ୟକ ହେଲେ ମୋବାଇଲ୍ ଫୋନ୍ ଦେଖୁଥିବାର ସେ ଦେଖୁଛି। ତା ମାମୁଁ ଏକ ବ୍ରେଲି ଘଣ୍ଟା ବ୍ୟବହାର କରୁଥିଲେ ଏବଂ ସେ ଏକ କଥା କହୁଥିବା ଘଣ୍ଟା କିଣିଥିଲେ ଯାହା ଏକ ବଟନ୍ ଛୁଇଁଲେ ସମୟ ଘୋଷଣା କରୁଥିଲା। ବିଦ୍ୟାଳୟର ପ୍ରବେଶ ଦ୍ବାର ପାଖ କାନ୍ଥରେ ଏକ ବଡ଼ ଘଣ୍ଟା ମଧ୍ୟ ଥିଲା। ତାର ଚିନ୍ତାଧାରା ଅତୀତର ଲୋକମାନଙ୍କ ଆଡ଼କୁ ଗଲା, ଯେଉଁମାନଙ୍କ ପାଖରେ ଆଧୁନିକ ଉପକରଣ ନଥିଲା ଏବଂ ସେ ଚିନ୍ତାକଲା, ଘଣ୍ଟା ନଥିଲା ସମୟରେ ଲୋକେ ସମୟ କିପରି ଜାଣିପାରୁଥିଲେ ?


[ଚିତ୍ର ବର୍ଣ୍ଣନା: ଜଣେ ଝିଅ ଭାବୁଛି: "ଘଣ୍ଟା ଭଳି ଉପକରଣ ନ ଥିବା ସମୟରେ ସମୟ କିପରି ମପା ଯାଉଥିଲା ?"]

ଜିଜ୍ଞାସା

ଘଣ୍ଟା ଭଳି ଉପକରଣ ନ ଥିବା ସମୟରେ ସମୟ କିପରି ମପା ଯାଉଥିଲା ?

୮.୧ ସମୟର ପରିମାପ

ମଣିଷ ବହୁତ ଦିନ ପୂର୍ବରୁ ସମୟର ହିସାବ ରଖିବାକୁ ଆଗ୍ରହୀ ଥିଲା। ସେ ଲକ୍ଷ୍ୟ କରିବା ଆରମ୍ଭ କରିଥିଲା ଯେ ପ୍ରକୃତିରେ ଅନେକ ଘଟଣା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପୁନରାବୃତ୍ତି ହୁଏ—ଉଦାହରଣ ସ୍ୱରୂପ, ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ, ଚନ୍ଦ୍ର-କଳାରେ ହ୍ରାସବୃଦ୍ଧି ଏବଂ ଋତୁ ପରିବର୍ତ୍ତନ। ସେମାନେ ସମୟ ରକ୍ଷା ପାଇଁ ଏହି ଘଟଣାଗୁଡିକର ସମୟ-ଚକ୍ର ବ୍ୟବହାର କରିବା ଆରମ୍ଭ କରିଥିଲେ। ପ୍ରଥମେ, ସେମାନେ କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ। ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ ଚକ୍ର ଦ୍ଵାରା ଏକ ‘ଦିନ’କୁ ଗଣନା କରାଯାଇଥିଲା। ତା’ପରେ ଏହି ଦିନର ସମୟ ମାପିବାର ଉପାୟ ଖୋଜିବା ଆରମ୍ଭ ହୋଇଥିଲା।

ତେଣୁ ସେମାନେ ସମୟ ମାପିବା ପାଇଁ ଅନେକ ଉପକରଣ ତିଆରି କରିଥିଲେ ଯାହା ସେମାନଙ୍କୁ ଗୋଟିଏ ଦିନ ମଧ୍ୟରେ ସମୟର ବ୍ୟବଧାନ ମଧ୍ୟ ମାପିବାରେ ସାହାଯ୍ୟ କରିଥିଲା। ସୂର୍ଯ୍ୟଘଡ଼ି, ଜଳଘଡ଼ି, ବାଲିଘଡ଼ି (Hour-glass) ଏବଂ ମହମବତୀ ଘଣ୍ଟା ଇତ୍ୟାଦି ଏହାର କେତେଗୋଟି ଉଦାହରଣ ଅଟେ।

ଏକ ସୂର୍ଯ୍ୟଘଡ଼ିରେ ଦିନବେଳେ ସୂର୍ଯ୍ୟଙ୍କ ଆଲୋକ ଦ୍ବାରା ପଡ଼ିଥିବା ବସ୍ତୁର ଛାଇର ପରିବର୍ତ୍ତନଶୀଳ ସ୍ଥିତି ସହିତ ସମୟ ନିର୍ଣ୍ଣୟ କରାଯାଉଥିଲା (ଚିତ୍ର ୮.୧)। ଜଳଘଡ଼ିଗୁଡ଼ିକ ସମୟ ମାପ କରିବା ପାଇଁ ଏକ ପାତ୍ର ଭିତରକୁ କିମ୍ବା ବାହାରକୁ ଜଳର ନିୟନ୍ତ୍ରିତ ପ୍ରବାହ ବ୍ୟବହାର କରୁଥିଲେ। ଗୋଟିଏ ପ୍ରକାର ଘଡ଼ିରେ, ସମୟ ପାଇଁ ଚିହ୍ନିତ ପାତ୍ରରୁ ପାଣି ବାହାରକୁ ଆସୁଥିଲା (ଚିତ୍ର ୮.୨ କ)। ଅନ୍ୟ ପ୍ରକାରରେ, ନିମ୍ନରେ ସୂକ୍ଷ୍ମ ରନ୍ଧ୍ର ଥିବା ଏକ ପାତ୍ର ଜଳପୃଷ୍ଠରେ ଭାସମାନ ହେଉଥିଲା (ଚିତ୍ର ୮.୨-ଖ)। ଏହା ଧୀରେ ଧୀରେ ଏକ ନିର୍ଦ୍ଦିଷ୍ଟ ସମୟରେ ପୂର୍ଣ୍ଣ ହେଉଥିଲା ଏବଂ ଶେଷରେ ବୁଡ଼ିଯାଉଥିଲା। ପୁନଃ ବ୍ୟବହାର ପାଇଁ ଏହାକୁ ଉପରକୁ ଉଠାଇ ପୁଣି ଭାସମାନ କରାଯାଉଥିଲା। ଏକ ବାଲିଘଡ଼ିରେ (ଚିତ୍ର ୮.୩), ଗୋଟିଏ ପାତ୍ରରୁ ଏହାର ନିମ୍ନରେ ସଂଯୁକ୍ତ ଅନ୍ୟ ଏକ ପାତ୍ରକୁ ବାଲି ପ୍ରବାହ ଆଧାରରେ ସମୟ ମାପ କରାଯାଉଥିଲା। ମହମବତୀ ଘଣ୍ଟା (ଚିତ୍ର ୮.୪) ହେଉଛି ନିୟମିତ ବ୍ୟବଧାନରେ ଦାଗ ଦିଆ ହୋଇଥିବା ଏକ ମହମବତୀ ଯାହା ଜଳିବା ସମୟରେ ବିତିବା ସମୟ ସୂଚିତ କରୁଥିଲା।

[ଚିତ୍ର ବର୍ଣ୍ଣନା: ଚିତ୍ର ୮.୧ ସୂର୍ଯ୍ୟ ଘଡ଼ି; ଚିତ୍ର ୮.୨ (କ) ଓ (ଖ) ଜଳ ଘଡ଼ି; ଚିତ୍ର ୮.୩ ବାଲି ଘଡ଼ି; ଚିତ୍ର ୮.୪ ମହମବତୀ ଘଣ୍ଟା]


[ଚିତ୍ର ବର୍ଣ୍ଣନା: ଜୟପୁରସ୍ଥିତ ଜନ୍ତର ମନ୍ତରର ବିଶାଳ ସମ୍ରାଟ ଯନ୍ତ୍ରର ଚିତ୍ର।]

ଚିତ୍ତାକର୍ଷକ ତଥ୍ୟ

ବିଶ୍ଵର ସର୍ବବୃହତ ପଥର ସୂର୍ଯ୍ୟଘଡ଼ି, “ସମ୍ରାଟ ଯନ୍ତ୍ର”, ପ୍ରାୟ ୩୦୦ ବର୍ଷ ପୂର୍ବେ ରାଜସ୍ଥାନର ଜୟପୁରସ୍ଥ ଜନ୍ତର ମନ୍ତରରେ ନିର୍ମିତ ହୋଇଥିଲା। ଏହା ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଅଟେ, ଯେଉଁଥିରେ ଅନେକ ଜ୍ୟୋତିର୍ବିଜ୍ଞାନ ଉପକରଣ ରହିଛି। ପଥର ଘଡ଼ିର ଉଚ୍ଚତା ୨୭ ମିଟର, ଏହାର ଛାଇ ପ୍ରତି ସେକେଣ୍ଡରେ ପ୍ରାୟ ୧ ମିଲିମିଟର ଗତି କରେ ଏବଂ ୨ ସେକେଣ୍ଡ ପର୍ଯ୍ୟନ୍ତ ସମୟ ବ୍ୟବଧାନ ମାପ କରିବା ପାଇଁ ସୂକ୍ଷ୍ମ ଭାବରେ ଚିହ୍ନିତ ସ୍କେଲରେ ପଡ଼େ। ଯେକୌଣସି ସୂର୍ଯ୍ୟଘଡ଼ି ପରି, ଏହା ସ୍ଥାନୀୟ କିମ୍ବା ‘ସୌର ସମୟ’ ମାପ କରେ ଏବଂ ଭାରତୀୟ ମାନକ ସମୟ ନିର୍ଣ୍ଣୟ କରିବା ପାଇଁ ଏଥିରେ କିଛି ସଂଶୋଧନ ଆବଶ୍ୟକ ହୁଏ।

ଆମେ ଏକ ଜଳ ଘଡ଼ି ତିଆରି କରିବା କି ?

କାର୍ଯ୍ୟ ୮.୧: ଆସ ତିଆରି କରିବା

୧. ଠିପିଥିବା ଏକ ବ୍ୟବହୃତ ସ୍ୱଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଅ (୧/୨ ଲିଟର କିମ୍ବା ତା'ଠାରୁ ବଡ଼)।

୨. ଚିତ୍ର ୮.୫-(କ) ରେ ଦେଖାଯାଇଥିବା ପରି ଏହାକୁ ପ୍ରାୟ ମଝିରେ ଦୁଇ ଭାଗରେ କାଟି ଦିଅ।

୩. ଏକ ଡ୍ରଇଂ ପିନ୍ ବ୍ୟବହାର କରି, ବୋତଲର ଠିପିରେ ଏକ ଛୋଟ କଣା କର (ଚିତ୍ର ୮.୫-ଖ)।

[ଚିତ୍ର ବର୍ଣ୍ଣନା: ଚିତ୍ର ୮.୫: ଏକ ଜଳ ଘଡ଼ି ତିଆରି ପ୍ରଣାଳୀ (କ) ବୋତଲ କାଟିବା, (ଖ) ଠିପିରେ କଣା କରିବା, (ଗ) ଓଲଟାଇ ରଖିବା, (ଘ) ପାଣି ଭର୍ତ୍ତି କରିବା]

୪. ବୋତଲର ଉପର ଅଂଶକୁ ତଳ ଅଧା ଅଂଶ ଉପରେ ଏକ ଓଲଟା ସ୍ଥିତିରେ ରଖ (ଚିତ୍ର ୮.୫ ଗ)।

୫. ବୋତଲର ଉପର ଅଂଶକୁ ଜଳରେ ପୂର୍ଣ୍ଣ କର। ଜଳ ସ୍ତର ଚିହ୍ନଟ କରିବା ପାଇଁ ତୁମେ କିଛି ବୁନ୍ଦା କାଳି କିମ୍ବା ରଙ୍ଗ ବ୍ୟବହାର କରିପାରିବ (ଚିତ୍ର ୮.୫-ଘ)।

୬. ବୋତଲର ତଳ ଅଂଶରେ ଜଳ ଟପ୍ ଟପ୍ କରି ପଡ଼ିବା ଆରମ୍ଭ କରିବ। ଏକ ଘଣ୍ଟା ବ୍ୟବହାର କରି ସମସ୍ତ ଜଳ ତଳ ପାତ୍ରରେ ପଡ଼ିବା ପର୍ଯ୍ୟନ୍ତ ପ୍ରତି ଗୋଟିଏ ମିନିଟ୍ ପରେ ଜଳର ସ୍ତର ଚିହ୍ନିତ କର।

ତୁମର ଜଳ ଘଡ଼ି ପ୍ରସ୍ତୁତ ହେଲା। ତୁମେ କ'ଣ ଏବେ ଅନୁମାନ କରିପାରିବ କି ଏହାକୁ କିପରି ବ୍ୟବହାର କରିପାରିବ ? ତଳ ଅଂଶରୁ ଉପର ଅଂଶକୁ ଜଳ ଢାଳି ତଳ ଅଂଶରେ ଜଳ ପଡ଼ିବା ଦେଖ। ପ୍ରତ୍ୟେକ ଥର ଏହା ଅଙ୍କିତ ଏକ ଚିହ୍ନରୁ ଅନ୍ୟ ଏକ ଚିହ୍ନକୁ ସ୍ପର୍ଶ କରିବା ପାଇଁ ଗୋଟିଏ ମିନିଟ୍ ନେଉଛି।


[ଚିତ୍ର ବର୍ଣ୍ଣନା: ପେଣ୍ଡୁଲମ୍ ଘଣ୍ଟା ଏବଂ ପେଣ୍ଡୁଲମ୍‌ର ଚିତ୍ର]

ଚିତ୍ତାକର୍ଷକ ତଥ୍ୟ

ପ୍ରାଚୀନ ଭାରତରେ ଛାୟା ଏବଂ ଜଳ ଘଡ଼ି ଉଭୟ ବ୍ୟବହାର କରି ସମୟ ମାପ କରାଯାଉଥିଲା। ଛାୟା-ଆଧାରିତ ସମୟ ମାପ ବିଷୟରେ ସୂଚନା ସର୍ବପ୍ରଥମେ କୌଟିଲ୍ୟଙ୍କ ଦ୍ୱାରା ରଚିତ ଅର୍ଥଶାସ୍ତ୍ରରୁ ମିଳିଥିଲା (ଏହା ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ-ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ମଧ୍ୟରେ ରଚିତ ଏବଂ ସଂଶୋଧିତ ହୋଇଥିଲା)। ଏକ ଭୂଲମ୍ବ ବାଡ଼ିର ଛାୟା ମାପ ବ୍ୟବହାର କରି ସମୟ ପାଇଁ ଏକ ଠିକ୍ ବ୍ୟଞ୍ଜକ ବରାହମିହିର ପ୍ରାୟ ୫୩୦ ଖ୍ରୀଷ୍ଟାବ୍ଦରେ ଦେଇଥିଲେ। ଜଳ ଘଡିର ବର୍ଣ୍ଣନା ଅର୍ଥଶାସ୍ତ୍ର, ଶାର୍ଦୂଳକର୍ଣ୍ଣାବଦାନ ଏବଂ ଅନ୍ୟ କିଛି ଗ୍ରନ୍ଥରେ (ଆଦ୍ୟ ଖ୍ରୀଷ୍ଟୀୟ ଶତାବ୍ଦୀଗୁଡିକରେ) କରାଯାଇଥିଲା। ଏହି ଘଡ଼ିଗୁଡ଼ିକ ସଂପୂର୍ଣ୍ଣ ଠିକ୍ ନଥିଲା କାରଣ ଜଳସ୍ତର ହ୍ରାସ ପାଇବା ସହିତ ପ୍ରବାହ ଗତିର ହାର ହ୍ରାସ ପାଉଥିଲା। ଏହି ଦୃଷ୍ଟିରୁ (ଚିତ୍ର ୮.୨ ଖ), ଘଟିକା-ଯନ୍ତ୍ରର ବିକାଶ ହୋଇଥିଲା, ଯାହା ପ୍ରଥମେ ଆର୍ଯ୍ୟଭଟ୍ଟ କହିଥିଲେ ଏବଂ ତା’ପରେ ଅନେକ ଜ୍ୟୋତିର୍ବିଜ୍ଞାନ ଗ୍ରନ୍ଥରେ ଏହାର ବର୍ଣ୍ଣନା ମିଳେ। ବୌଦ୍ଧ ମଠ, ରାଜପ୍ରାସାଦ, ନଗର-ଛକରେ ଘଟିକା ଯନ୍ତ୍ର ଦ୍ଵାରା ସମୟ ନିରନ୍ତର ମାପ କରାଯାଉଥିଲା ଏବଂ ପ୍ରତ୍ୟେକ ଥର ପାତ୍ର ବୁଡ଼ିବା ସମୟରେ ଢୋଲ, ଶଙ୍ଖ ବା ଘଣ୍ଟି ବାଜିବା ଦ୍ଵାରା ସମୟର ସୂଚନା ଘୋଷଣା କରାଯାଉଥିଲା। ଯଦିଓ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଘଟିକା-ଯନ୍ତ୍ରକୁ ପେଣ୍ଡୁଲମ୍ ଘଣ୍ଟା ଦ୍ଵାରା ଧୀରେ ଧୀରେ ବଦଳାଯାଇଥିଲା, ତଥାପି ଧାର୍ମିକ ସ୍ଥଳରେ ଏହାକୁ ବ୍ୟବହାର କରାଯାଉଥିଲା।

ମାନବ ସଭ୍ୟତାର ଉନ୍ନତି ଏବଂ ଲୋକମାନେ ଦୂର ଦୂରାନ୍ତର ଯାତ୍ରା ଆରମ୍ଭ କରିବା ସହିତ, ସମୟର ମାପ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଓ ଜଟିଳ ହୋଇଗଲା। ଏହା ଚତୁର୍ଦ୍ଦଶ ଶତାବ୍ଦୀ ପରଠାରୁ ଓଜନ, ଗିଅର ଏବଂ ସ୍ପ୍ରିଙ୍ଗ ଦ୍ବାରା ଚାଳିତ ସମୟ ମାପ ପାଇଁ ଯାନ୍ତ୍ରିକ ଉପକରଣଗୁଡ଼ିକର ବିକାଶ ପାଇଁ ସହାୟକ ହୋଇଥିଲା। ତଥାପି ସପ୍ତଦଶ ଶତାବ୍ଦୀରେ ପେଣ୍ଡୁଲମ୍ ଘଣ୍ଟାର ଉଦ୍ଭାବନ ଯାନ୍ତ୍ରିକ ସମୟ ରକ୍ଷାରେ ଏକ ପ୍ରମୁଖ ସଫଳତା ଥିଲା।

ଚିତ୍ର ୮.୬ : ହାଇଜେନ୍‌ଙ୍କ ପେଣ୍ଡୁଲମ୍ ଘଣ୍ଟା

ଜଣେ ବୈଜ୍ଞାନିକଙ୍କୁ ଜାଣିବା

ପେଣ୍ଡୁଲମ୍ ଘଣ୍ଟା ୧୬୫୬ ମସିହାରେ ଉଦ୍ଭାବିତ ହୋଇଥିଲା ଏବଂ ୧୬୫୭ ମସିହାରେ କ୍ରିଷ୍ଟିଆନ୍ ହାଇଜେନ୍ସ (୧୬୨୯-୧୬୯୫) ଦ୍ୱାରା ପେଟେଣ୍ଟ କରାଯାଇଥିଲା। ସେ ଗାଲିଲିଓ ଗାଲିଲି (୧୫୬୪–୧୬୪୨)ଙ୍କ ପେଣ୍ଡୁଲମ୍ ବିଷୟରେ ଅନୁସନ୍ଧାନ ଦ୍ଵାରା ଅନୁପ୍ରାଣିତ ହୋଇଥିଲେ। କୁହାଯାଏ ଯେ ଥରେ ଏକ ଚର୍ଚ୍ଚରେ ବସିଥିବା ସମୟରେ, ଗାଲିଲିଓଙ୍କ ଦୃଷ୍ଟି ଛାତରୁ ଝୁଲି ରହିଥିବା ଏକ ଦୀପ ଉପରେ ପଡ଼ିଲା, ଯାହା ଆଗକୁ ପଛକୁ ଦୋଳାୟମାନ ହେଉଥିଲା। ସମୟ ମାପିବା ପାଇଁ ତାଙ୍କ ନାଡ଼ି ବ୍ୟବହାର କରି, ଗାଲିଲିଓ ଜାଣିଲେ ଯେ ଦୀପ ପ୍ରତ୍ୟେକ ଦୋଳାୟମାନ ପାଇଁ ସମାନ ସମୟ ନେଉଛି। ବିଭିନ୍ନ ପେଣ୍ଡୁଲମ୍ ସହିତ ପରୀକ୍ଷଣ କରିବା ପରେ ଗାଲିଲିଓ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଗୋଟିଏ ଦୋଳନ ସମାପ୍ତ କରିବାକୁ ଲାଗୁଥିବା ସମୟ ଏକ ନିର୍ଦ୍ଦିଷ୍ଟ ଲମ୍ବ ପେଣ୍ଡୁଲମ୍ ପାଇଁ ସର୍ବଦା ସମାନ।


[ଚିତ୍ର ବର୍ଣ୍ଣନା: (କ) ସରଳ ପେଣ୍ଡୁଲମ୍ (ଆଧାର, ଲମ୍ବା ସୂତା, ବବ୍); (ଖ) ପେଣ୍ଡୁଲମର ଦୋଳନ ଗତି (ମଧ୍ୟମ ସ୍ଥିତି ‘O’, ଚରମ ସ୍ଥିତି ‘କ’ ଏବଂ ‘ଖ’)]

୮.୧.୧ ଏକ ସରଳ ପେଣ୍ଡୁଲମ୍

ଏକ ସରଳ ପେଣ୍ଡୁଲମ୍‌ରେ ଏକ ଛୋଟ ଧାତୁ ବଲ୍ (ଯାହାକୁ ପେଣ୍ଡୁଲମ୍‌ର ବବ୍ କୁହାଯାଏ) ରହି ଥାଏ ଯାହା ଚିତ୍ର ୮.୭ ‘କ’ରେ ଦେଖାଯାଇଥିବା ପରି ଏକ ଲମ୍ବା ସୂତା ଦ୍ୱାରା ଝୁଲି ରହିଥାଏ। ଆମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ‘ଜିଜ୍ଞାସା’ ରେ ‘ଦୈର୍ଘ୍ୟ ଏବଂ ଗତିର ମାପ’ ଅଧ୍ୟାୟରେ ଏକ କାର୍ଯ୍ୟ କରିଥିଲୁ, ଯେଉଁଠାରେ ଆମେ ଏକ ସୂତା ସହିତ ଝୁଲିଥିବା ଏକ ରବରର ଦୋଳନଶୀଳ ଗତି ଦେଖୁଥିଲୁ। ପେଣ୍ଡୁଲମ୍ କ'ଣ ତାହା ସହ ସମାନ ?

ସ୍ଥିର ଅବସ୍ଥାରେ ପେଣ୍ଡୁଲମ୍ ଏହାର ମଧ୍ୟମ ସ୍ଥିତିରେ ଥାଏ। ଯେତେବେଳେ ପେଣ୍ଡୁଲମ୍‌ର ବବ୍‌କୁ ଗୋଟିଏ ପାର୍ଶ୍ୱକୁ ଟିକିଏ ଘୁଞ୍ଚାଯାଏ ଏବଂ ଛାଡ଼ିଦିଆଯାଏ, ଏହା ଦୋଳନ ଗତି ଆରମ୍ଭ କରେ। ଏହାର ଗତି ଆବର୍ତ୍ତୀ ପ୍ରକୃତିର କାରଣ ଏହା ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ ପରେ ଏହାର ପଥ ପୁନରାବୃତ୍ତି କରେ।

ପେଣ୍ଡୁଲମ୍ “ଗୋଟିଏ ଦୋଳନ” ସମାପ୍ତ କରିଛି ବୋଲି ସେତେବେଳେ କୁହାଯାଏ—ଯେତେବେଳେ ଏହାର ବବ୍, ମଧ୍ୟମ ସ୍ଥିତି ‘O’ ରୁ ଆରମ୍ଭ ହୋଇ, ଚରମ ସ୍ଥିତି ‘କ’ କୁ ଗତି କରେ, ଦିଗ ପରିବର୍ତ୍ତନ ପୂର୍ବକ ଅନ୍ୟ ଏକ ଚରମ ସ୍ଥିତି ‘ଖ’ କୁ ଗତି କରେ, ଏବଂ ପୁଣି ଦିଗ ପରିବର୍ତ୍ତନ କରି ‘O’ କୁ ଫେରି ଆସେ (ଚିତ୍ର ୮.୭ଖ)। ଯେତେବେଳେ ଏହାର ବବ୍ ଏକ ଚରମ ସ୍ଥିତି ‘କ’ ରୁ ଅନ୍ୟ ଏକ ଚରମ ସ୍ଥିତି ‘ଖ’ କୁ ଗତି କରେ ଏବଂ ‘କ’ କୁ ଫେରି ଆସେ ସେତେବେଳେ ପେଣ୍ଡୁଲମ୍ ମଧ୍ୟ ଗୋଟିଏ ଦୋଳନ ସମାପ୍ତ କରେ। ଗୋଟିଏ ଦୋଳନ ସମାପ୍ତ କରିବାକୁ ପେଣ୍ଡୁଲମ୍ ଯେଉଁ ସମୟ ନେଇଥାଏ ତାହାକୁ ଏହାର ‘ଆବର୍ତ୍ତ କାଳ’ କୁହାଯାଏ। ଆସ ଏବେ ଏକ ପେଣ୍ଡୁଲମ୍ ତିଆରି କରିବା ଏବଂ ଏହାର ‘ଆବର୍ତ୍ତ କାଳ’ ମାପିବା।

କାର୍ଯ୍ୟ ୮.୨ ଆସ ପରୀକ୍ଷଣ କରିବା

୧. ପ୍ରାୟ ୧୫୦ ସେମି ଲମ୍ବା ଖଣ୍ଡେ ସୂତା, ହୁକ ଲାଗିଥିବା ଭାରୀ ଧାତୁ ବା ପଥର (ବବ୍), ଏକ ଷ୍ଟପଓ୍ୱାଚ୍/ ଘଣ୍ଟା ଏବଂ ଏକ ରୁଲର ସଂଗ୍ରହ କରିବା।

୨. ସୂତାର ଗୋଟିଏ ମୁଣ୍ଡରେ ବବ୍ ବାନ୍ଧ।

୩. ସୂତାର ଅନ୍ୟ ମୁଣ୍ଡକୁ ଏକ ଶକ୍ତ ଆଧାରରେ ବାନ୍ଧିଦିଅ ଯେପରି ଆଧାର ଏବଂ ବବ୍ ମଧ୍ୟରେ ସୂତାର ଲମ୍ବ ପ୍ରାୟ ୧୦୦ ସେମି ହେବ।

୪. ବବ୍ ସ୍ଥିର ହେବା ପର୍ଯ୍ୟନ୍ତ ଅପେକ୍ଷା କର। ତୁମର ପେଣ୍ଡୁଲମ୍ ଏବେ ପ୍ରସ୍ତୁତ।

୫. ବବ୍‌କୁ ଧୀରେ ଧରି ରଖ, ଏହାକୁ ଗୋଟିଏ ପାର୍ଶ୍ୱକୁ ଟିକେ ଘୁଞ୍ଚାଅ ଏବଂ ଛାଡ଼ି ଦିଅ। ଏହାକୁ ଛାଡ଼ିବା ସମୟରେ ବବ୍ ଠେଲି ନ ହେବା ଏବଂ ସୂତା ଟାଣ ହେବା ପାଇଁ ଧ୍ୟାନ ଦିଅ। ତୁମର ପେଣ୍ଡୁଲମ୍ ଏବେ ଦୋଳନ କରୁଛି କି ?

୬. ଘଣ୍ଟା ବ୍ୟବହାର କରି, ପେଣ୍ଡୁଲମର ୧୦ଟି ଦୋଳନ ସମାପ୍ତ କରିବାକୁ ଲାଗୁଥିବା ସମୟ ମାପ କର। ସାରଣୀ ୮.୧ ରେ ସମୟ ଲେଖି ରଖ।

୭. ଏହି କାର୍ଯ୍ୟକୁ ୩-୪ ଥର ପୁନରାବୃତ୍ତି କର।

୮. ତୁମର ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ଗଣନା କରିବା ପାଇଁ ୧୦ଟି ଦୋଳନ ପାଇଁ ଲାଗୁଥିବା ସମୟକୁ ୧୦ ଦ୍ୱାରା ବିଭକ୍ତ କର। ସାରଣୀ ୮.୧ ରେ ଏହାକୁ ଲେଖ।

ସାରଣୀ ୮.୧ ଏକ ସରଳ ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ

ସୂତାର ଲମ୍ବ = ୧୦୦ ସେ.ମି.

କ୍ର.ସଂ.ଦଶଟି ଦୋଳନ ପାଇଁ ଆବଶ୍ୟକ ସମୟ (ସେକେଣ୍ଡ୍ ରେ)ଆବର୍ତ୍ତ ସମୟ (ସେକେଣ୍ଡ୍ ରେ)

ଜିଜ୍ଞାସା

ତୁମର ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ପ୍ରାୟ ପ୍ରତ୍ୟେକ ଥର ସମାନ ହେଉଛି କି ? ଏହି ପର୍ଯ୍ୟବେକ୍ଷଣରୁ ତୁମେ କ’ଣ ଜାଣିଲ ?

ଜଣେ ବୈଜ୍ଞାନିକଙ୍କ ପରି ଚିନ୍ତା କର ।

ତୁମେ ଏକ ଗୁରୁତ୍ଵପୂର୍ଣ୍ଣ ଐତିହାସିକ ପରୀକ୍ଷଣ କରିଛ, ଯାହା ପ୍ରଥମେ ଗାଲିଲିଓଙ୍କ ଦ୍ଵାରା କରାଯାଇଥିଲା, କେବଳ ତୁମର ନାଡ଼ିର ସ୍ପନ୍ଦନ ସ୍ଥାନରେ ସମୟ ମାପ କରିବା ପାଇଁ ସେ ଘଣ୍ଟା ବ୍ୟବହାର କରିଥିଲେ। ମନେକର ତୁମେ ଗାଲିଲିଓ ଏବଂ ତୁମେ ପେଣ୍ଡୁଲମ୍ ସହିତ ପରୀକ୍ଷଣ କରୁଥିଲ, ତେବେ ତୁମେ କ’ଣ ସବୁ ଅନୁସନ୍ଧାନ କରିବ ? ତୁମେ କେଉଁ ପ୍ରଶ୍ନ ପଚାରିପାରିବ ? ସମସ୍ତ ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ସମାନ ରହିବ କି ? ତୁମେ ଏହାକୁ କିପରି ପରୀକ୍ଷା କରିବ ?

ସମାନ ବବ୍ ବ୍ୟବହାର କରି କାର୍ଯ୍ୟ ୮.୨ ପୁନରାବୃତ୍ତି କର କିନ୍ତୁ ଦୁଇ କିମ୍ବା ତିନୋଟି ଭିନ୍ନ ଲମ୍ବ ବିଶିଷ୍ଟ ପେଣ୍ଡୁଲମ୍ ସହିତ। ଆବର୍ତ୍ତ ସମୟ ଅବଧି ପରିବର୍ତ୍ତନ ହୁଏ କି ? ଯଦି ହଁ, ତେବେ ଲମ୍ବ ଏହାକୁ କିପରି ପ୍ରଭାବିତ କରେ ? ଯଦି ଲମ୍ବ ପରିବର୍ତ୍ତନ କରିବା ଆବର୍ତ୍ତ ସମୟକୁ ପ୍ରଭାବିତ କରେ, ତେବେ ବବ୍‌ର ବସ୍ତୁତ୍ଵ ମଧ୍ୟ ଗୁରୁତ୍ଵପୂର୍ଣ୍ଣ କି ? ଏକ ସ୍ଥିର ପେଣ୍ଡୁଲମ୍ ଲମ୍ବ ସହିତ କିନ୍ତୁ ଭିନ୍ନ ବସ୍ତୁତ୍ଵର ବବ୍ ସହିତ କାର୍ଯ୍ୟ ୮.୨ ପୁନରାବୃତ୍ତି କରି ଏହାକୁ ପରୀକ୍ଷା କର। ତୁମେ କ’ଣ କୌଣସି ପରିବର୍ତ୍ତନ ଲକ୍ଷ୍ୟ କଲ କି ?

ଏକ ସରଳ ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ଏହାର ଲମ୍ବ ଉପରେ ନିର୍ଭର କରେ କିନ୍ତୁ ବବ୍‌ର ବସ୍ତୁତ୍ଵ ଉପରେ ନୁହେଁ। ସମାନ ଲମ୍ବ ବିଶିଷ୍ଟ ସମସ୍ତ ପେଣ୍ଡୁଲମ୍‌ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସମାନ ଆବର୍ତ୍ତକାଳ ଥାଏ।


ଏକ ନିର୍ଦ୍ଦିଷ୍ଟ ଲମ୍ବ ବିଶିଷ୍ଟ ଏକ ସରଳ ପେଣ୍ଡୁଲମ୍‌ର ଆବର୍ତ୍ତ ସମୟ ଏକ ସ୍ଥାନରେ ସ୍ଥିର। ଏହି ଗୁଣ ସମୟ ମାପ କରିବାରେ ବ୍ୟବହୃତ ହୁଏ।

ପୁରୁଣା କିମ୍ବା ଆଧୁନିକ ସମସ୍ତ ଘଣ୍ଟା ନିରନ୍ତର ପୁନରାବୃତ୍ତି ପ୍ରକ୍ରିୟା ଉପରେ ଆଧାରିତ, ଯାହା ଦ୍ବାରା ସମାନ ସମୟ ବ୍ୟବଧାନ ଚିହ୍ନିତ କରାଯାଇପାରିବ। “ନିୟମିତ ଭାବେ ପୁନରାବୃତ୍ତି ହେଉଥିବା ପ୍ରକ୍ରିୟା” – ଏହି ସିଦ୍ଧାନ୍ତଟି ଆଧୁନିକ ଘଣ୍ଟାଗୁଡ଼ିକରେ ସମୟ ମାପିବା ପାଇଁ ମୌଳିକନୀତି ଭାବରେ ପ୍ରୟୋଗ ହୋଇଥାଏ। କିନ୍ତୁ କ୍ୱାର୍ଟଜ୍ ଘଣ୍ଟା କ୍ୱାର୍ଟଜ୍ ସ୍ଫଟିକର କମ୍ପନ ତଥା ପରମାଣୁ ଘଣ୍ଟା କିଛି ନିର୍ଦ୍ଦିଷ୍ଟ ପରମାଣୁର ଛୋଟ ଏବଂ ତୀବ୍ର କମ୍ପନକୁ ଆଧାର କରି ତିଆରି ହୋଇଥାଏ। ଯଦିଓ ହାଇଜେନ୍ସଙ୍କ ପ୍ରାରମ୍ଭିକ ପେଣ୍ଡୁଲମ୍ ଘଣ୍ଟା ପ୍ରତିଦିନ ୧୦ ସେକେଣ୍ଡ ବୃଦ୍ଧି କିମ୍ବା ହ୍ରାସ କରିପାରୁଥିଲା, ଆଜିର ପରମାଣୁ ଘଣ୍ଟା ଏତେ ସଠିକ୍ ଯେ ଲକ୍ଷ ଲକ୍ଷ ବର୍ଷରେ କେବଳ ଗୋଟିଏ ସେକେଣ୍ଡ ହ୍ରାସ ପାଏ। ବୈଜ୍ଞାନିକମାନେ ଅଧିକ ସଠିକତା ସହିତ ସମୟ ମାପ କରିବା ପାଇଁ ଆହୁରି ଭଲ ଉନ୍ନତ ଉପାୟ ଖୋଜୁଛନ୍ତି।

[ଚିତ୍ର ବର୍ଣ୍ଣନା: ଚିତ୍ର ୮.୮ : କେତେକ ସାଧାରଣ ଘଡ଼ି (ପେଣ୍ଡୁଲମ୍ ଘଣ୍ଟା, କାନ୍ଥ ଘଣ୍ଟା, ଡିଜିଟାଲ୍ ହାତଘଣ୍ଟା, ଟେବୁଲ୍ ଘଣ୍ଟା ଏବଂ ଷ୍ଟପୱାଚ୍)]

୮.୧.୨ ସମୟର ଆନ୍ତର୍ଜାତୀୟ SI ଏକକ

ସମୟର SI ଏକକ ହେଉଛି ସେକେଣ୍ଡ୍। ଏହାର ପ୍ରତୀକ ହେଉଛି s। ଏହାକୁ ମିନିଟ୍ (min) ଏବଂ ଘଣ୍ଟା (h) ଏକକରେ ମଧ୍ୟ ପ୍ରକାଶ କରାଯାଏ।

୬୦ ସେକେଣ୍ଡ୍ = ୧ ମିନିଟ୍, ୬୦ ମିନିଟ୍ = ୧ ଘଣ୍ଟା

ଅଧିକ ଜାଣିବା

ସେକେଣ୍ଡ, ମିନିଟ୍ ଏବଂ ଘଣ୍ଟା ଭଳି ସମୟର ଏକକଗୁଡ଼ିକ ଲେଖିଲା ବେଳେ ଇଂରାଜୀ ଛୋଟ ଅକ୍ଷର ସହିତ ଆରମ୍ଭ ହୁଏ (ବାକ୍ୟ ଆରମ୍ଭରେ ଲେଖିବା ବ୍ୟତୀତ)। ସେମାନଙ୍କର ପ୍ରତୀକ ‘s’, ‘min’, ଏବଂ ‘h’ ମଧ୍ୟ ଛୋଟ ଅକ୍ଷର ଏବଂ ଏକବଚନରେ ଲେଖାଯାଏ। ମନେରଖ ଯେ ବାକ୍ୟ ଶେଷ ବ୍ୟତୀତ ପ୍ରତୀକ ପରେ ପୂର୍ଣ୍ଣବିରାମ ଲେଖାଯାଏ ନାହିଁ। ସମୟ ଲେଖିବା ସମୟରେ, ସର୍ବଦା ସଂଖ୍ୟା ଏବଂ ଏକକ ମଧ୍ୟରେ ଏକ ସ୍ଥାନ ଛାଡ଼ିବାକୁ ହୁଏ। ଏହା ମଧ୍ୟ ମନେରଖ ଯେ ସେକେଣ୍ଡ୍ ପାଇଁ ‘sec’ ଏବଂ ଘଣ୍ଟା ପାଇଁ ‘hrs’ ଲେଖିବା ଭୁଲ।

ଚିତ୍ତାକର୍ଷକ ତଥ୍ୟ

ପୁରା କାଳରେ ଘଟିକା ଯନ୍ତ୍ରର ପାତ୍ରରେ ଥିବା ଗାତ ଏପରି ଭାବରେ ତିଆରି କରାଯାଇଥିଲା ଯେ ଏହା ପୂରଣ ହୋଇ ବୁଡ଼ିବାକୁ ୨୪ ମିନିଟ୍ ଲାଗୁଥିଲା। ଏହି ଘଣ୍ଟା ଦ୍ଵାରା ମାପ କରାଯାଇଥିବା ସମୟ ଏକକକୁ ଘଟିକା, ଘଟୀ ବା ଦଣ୍ଡ କୁହାଯାଉଥିଲା। ଏହା ସମୟ ମାପର ମାନକ ଏକକ ହୋଇଗଲା ଏବଂ ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଜାରି ରହିଲା। ତେଣୁ, ଏକ ୨୪ ଘଣ୍ଟାର ଦିନକୁ ୬୦ ସମାନ ଦଣ୍ଡ ବା ଘଟିକାରେ ବିଭକ୍ତ କରାଯାଇଥିଲା। ଓଡ଼ିଶାରେ ପ୍ରଚଳିତ ପାଞ୍ଜିରେ ଏହି ‘ଦଣ୍ଡ’ ସମୟ ଏକକ ବ୍ୟବହୃତ ହୋଇଥାଏ।


ଜିଜ୍ଞାସା

କାର୍ଯ୍ୟ ୮.୩: ଆସ ଚିହ୍ନଟ କରିବା

ଚିତ୍ର ୮.୯ ରେ ଦେଖାଯାଇଥିବା କାନ୍ଥ ଘଣ୍ଟାକୁ ଭଲଭାବରେ ଦେଖ। ଏହା ସାହାଯ୍ୟରେ ତୁମେ ସମୟର ସବୁଠାରୁ କେଉଁ ଛୋଟ ବ୍ୟବଧାନ ମାପିପାରିବ ?

[ଚିତ୍ର ବର୍ଣ୍ଣନା: ଚିତ୍ର ୮.୯ : ଏକ କାନ୍ଥ ଘଣ୍ଟା]

ଏହି ଘଣ୍ଟା ବ୍ୟବହାର କରି ଆମେ ମାପିପାରୁଥିବା ସବୁଠାରୁ ଛୋଟ ସମୟ ବ୍ୟବଧାନ ହେଉଛି ଗୋଟିଏ ସେକେଣ୍ଡ।

ବିଜ୍ଞାନ ଓ ସମାଜ

ଆଜିର ଦୁନିଆରେ, ଏକ ସେକେଣ୍ଡର କ୍ଷୁଦ୍ର ଅଂଶ ମାପିବା ବହୁତ ଗୁରୁତ୍ଵପୂର୍ଣ୍ଣ। ଉଦାହରଣ ସ୍ଵରୂପ, କ୍ରୀଡ଼ା ପ୍ରତିଯୋଗିତାରେ, ସମୟ ମାପିବା ଉପକରଣ ଗୁଡ଼ିକ ଏକ ଦୌଡ଼ରେ କିଏ ଜିତିଲା ଜାଣିବା ପାଇଁ ଏକ ସେକେଣ୍ଡର ଏକଶତାଂଶ କିମ୍ବା ଏକ ହଜାର ଭାଗ (ମିଲି ସେକେଣ୍ଡ) ପର୍ଯ୍ୟନ୍ତ ଘଟଣାଗୁଡ଼ିକୁ ରେକର୍ଡ଼ କରିପାରିବ। ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ECG) ଉପକରଣ ପରି ଯନ୍ତ୍ରଗୁଡ଼ିକ ହୃତସ୍ପନ୍ଦନ ମିଲି ସେକେଣ୍ଡ୍ ରେ ମାପ କରନ୍ତି। ସଂଗୀତରେ, ଡ଼ିଜିଟାଲ୍ ରେକର୍ଡିଂ ଗୁଡ଼ିକର ସୁଗମ ପୁନର୍ବାଦନ ପାଇଁ ପ୍ରତି ସେକେଣ୍ଡରେ ହଜାର ହଜାର ଥର ଶବ୍ଦ ଧରି ରଖାଯାଏ। ଅନେକ ଉପକରଣ ଆହୁରି କମ୍ ସମୟ ବ୍ୟବଧାନରେ କାର୍ଯ୍ୟ କରିଥାଏ। ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରଗୁଡ଼ିକ ମାଇକ୍ରୋସେକେଣ୍ଡରେ (ସେକେଣ୍ଡର ଦଶ ଲକ୍ଷ ଭାଗରୁ ଏକ ଭାଗ) ସଙ୍କେତ ପ୍ରକ୍ରିୟାକରଣ କରନ୍ତି ଯାହା ସେମାନଙ୍କୁ ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ବୈଜ୍ଞାନିକମାନେ ମହାକାଶ ଅନୁସନ୍ଧାନ, ଏବଂ ଉନ୍ନତ ବିଜ୍ଞାନ ପରୀକ୍ଷଣ ପାଇଁ ଆହୁରି ସଠିକ୍ ସମୟ-ମାପ ଉପକରଣ ବିକଶିତ କରିଚାଲିଛନ୍ତି। ଆମର ଘଣ୍ଟାଗୁଡ଼ିକ ଯେତେ ଦ୍ରୁତ ଏବଂ ସଠିକ୍ ହେବ, ସେଗୁଡ଼ିକ ସମାଜକୁ ସେତେ ଅଧିକ ସାହାଯ୍ୟ କରିବ ଯାହା ଆମେ ସହଜରେ ଜାଣି ପାରୁନାହୁଁ।

[ଚିତ୍ର ବର୍ଣ୍ଣନା: ଜଣେ ଝିଅ ପ୍ରଶ୍ନ କରୁଛି]

ସମାନ ଦୂରତା ଅତିକ୍ରମ କରୁଥିବା ଦୌଡ଼ ପାଇଁ, ସମୟ ମାପ କରି ଆମେ କହିପାରିବା ଯେ କିଏ ଦ୍ରୁତ ଥିଲା। କିନ୍ତୁ ବିଭିନ୍ନ ଦୂରତା ପାଇଁ ଦୌଡ଼ ତୁଳନା କରିବା ସମୟରେ ଆମେ ଏହା କିପରି କହିପାରିବା ?

୮.୨ ଧୀର କିମ୍ବା ଦ୍ରୁତ

ଯେତେବେଳେ ଆମେ କହୁଛୁ ଯେ କୌଣସି ବସ୍ତୁ ଦ୍ରୁତ କିମ୍ବା ଧୀର ଗତି କରୁଛି, ଆମେ ଏହାର ଅର୍ଥ କ’ଣ ବୁଝୁ ? ଧରାଯାଉ ତୁମେ ଏକ ସିଧା ଟ୍ରାକରେ ୧୦୦ ମିଟର ଦୌଡ଼ ଦେଖୁଛ। ସମସ୍ତ ଖେଳାଳି ଏକତ୍ର ଆରମ୍ଭ ରେଖାରୁ ଆରମ୍ଭ କରନ୍ତି କିନ୍ତୁ କିଛି ସମୟ ପରେ ସେମାନେ ଏକାଠି ଦୌଡ଼ନ୍ତି ନାହିଁ (ଚିତ୍ର ୮.୧୦)। ସେମାନଙ୍କ ମଧ୍ୟରେ କିଏ ଦ୍ରୁତ ଦୌଡ଼ୁଛି ତାହା ତୁମେ କିପରି ନିର୍ଣ୍ଣୟ କରିବ ?


[ଚିତ୍ର ବର୍ଣ୍ଣନା: ଚିତ୍ର ୮.୧୦: ସିଧା ରାସ୍ତାରେ ଦୌଡ଼ୁଥିବା ପିଲାମାନେ]

ଯେଉଁ ବ୍ୟକ୍ତି କୌଣସି ମୁହୂର୍ତ୍ତରେ ଅନ୍ୟମାନଙ୍କଠାରୁ ଆଗରେ ଥାଆନ୍ତି, ସେ ସେମାନଙ୍କଠାରୁ ଦ୍ରୁତ ଗତିରେ ଦୌଡ଼ୁଛନ୍ତି। ତେଣୁ, ସେହି ସମୟ ମଧ୍ୟରେ ଅଧିକ ଦୂରତା ଅତିକ୍ରମ କରିଥିବା ବ୍ୟକ୍ତି ଦ୍ରୁତ ଗତିରେ ଦୌଡୁଛନ୍ତି।

ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବସ୍ତୁଗୁଡ଼ିକ ଯେଉଁ ଦୂରତା ଅତିକ୍ରମ କରିଥାନ୍ତି ତାହା ନିର୍ଣ୍ଣୟ କରେ କେଉଁଟି ଦ୍ରୁତ କିମ୍ବା ଧୀର। ଆମେ ପ୍ରାୟତଃ କହିଥାଉ ଯେ ଦ୍ରୁତ ଧାବକଙ୍କ ବେଗ ଅଧିକ। ତୁମେ ବୋଧହୁଏ ‘ବେଗ’ ଶବ୍ଦ ସହିତ ପରିଚିତ।

୮.୩ ବେଗ

ଏକକ ସମୟରେ ଦୁଇ କିମ୍ବା ତତୋଧିକ ବସ୍ତୁ ଦ୍ବାରା ଅତିକ୍ରମ କରାଯାଉଥିବା ଦୂରତା ତୁଳନା କରି, ସେମାନଙ୍କ ମଧ୍ୟରୁ କେଉଁଟି ଦ୍ରୁତ ଗତି କରୁଛି ତାହା ଜାଣିହେବ। ଏହି ଏକକ ସମୟ ଏକ ସେକେଣ୍ଡ କିମ୍ବା ଏକ ମିନିଟ୍ କିମ୍ବା ଏକ ଘଣ୍ଟା ହୋଇପାରେ। ଆମେ ଏକକ ସମୟରେ ଏକ ବସ୍ତୁ ଦ୍ଵାରା ଅତିକ୍ରମ ହୋଇଥିବା ଦୂରତାକୁ ବସ୍ତୁର ବେଗ ବୋଲି କହିଥାଉ।

ଆମେ ଏକ ବସ୍ତୁର ବେଗ କିପରି ନିର୍ଣ୍ଣୟ କରିପାରିବା ? ଯଦି ଆମେ ଏକ ବସ୍ତୁ ଦ୍ଵାରା ଅତିକ୍ରମିତ ମୋଟ ଦୂରତା ଏବଂ ଏହାକୁ ଅତିକ୍ରମ କରିବା ପାଇଁ ନିଆଯାଇଥିବା ସମୟ ଜାଣିଥାଉ, ତେବେ ଏହା ଗଣନା କରାଯାଇପାରିବ। ଏକ ବସ୍ତୁ ଦ୍ବାରା ଅତିକ୍ରମିତ ମୋଟ ଦୂରତାକୁ ଏହି ଅତିକ୍ରମଣ ପାଇଁ ନିଆଯାଇଥିବା ମୋଟ ସମୟ ଦ୍ବାରା ଭାଗ କରାଗଲେ ଏହାର ବେଗ ମିଳିଥାଏ।

ବେଗ=ଅତିକ୍ରମ କରାଯାଇଥିବା ମୋଟ ଦୂରତାଅତିକ୍ରମ ପାଇଁ ମୋଟ ସମୟ\text{ବେଗ} = \frac{\text{ଅତିକ୍ରମ କରାଯାଇଥିବା ମୋଟ ଦୂରତା}}{\text{ଅତିକ୍ରମ ପାଇଁ ମୋଟ ସମୟ}}

ବେଗର ଏକକ କ’ଣ ହେବ ? ଆମେ ଦୈର୍ଘ୍ୟ ଏବଂ ସମୟର SI ଏକକ ଜାଣୁ। ଯେହେତୁ ବେଗ ହେଉଛି ଦୂରତା/ ସମୟ, ତେଣୁ ବେଗର SI ଏକକ ହେଉଛି ମିଟର/ ସେକେଣ୍ଡ ଏବଂ ଏହାକୁ m/s ଭାବରେ ପ୍ରକାଶ କରାଯାଇଥାଏ। ବେଗକୁ ଅନ୍ୟ ଏକକରେ ମଧ୍ୟ ପ୍ରକାଶ କରାଯାଇପାରିବ। ଯଦି ଆମେ ଦୂରତାକୁ କିଲୋମିଟରରେ ଏବଂ ସମୟକୁ ଘଣ୍ଟାରେ ପ୍ରକାଶ କରିବା, ତେବେ ବେଗର ଏକକ ହେଉଛି କିଲୋମିଟର/ ଘଣ୍ଟା, ଯାହାକୁ କିମି/ଘଣ୍ଟା (km/h) ଭାବରେ ପ୍ରକାଶ କରାଯାଏ।


ଜିଜ୍ଞାସା

ଉଦାହରଣ ୮.୧: ସ୍ୱାତୀର ସ୍କୁଲ ତା’ ଘରଠାରୁ ୩.୬ କିଲୋମିଟର ଦୂରରେ ଅବସ୍ଥିତ। ସାଇକେଲରେ ଚଢ଼ି ତାର ସ୍କୁଲରେ ପହଞ୍ଚିବାକୁ ତାକୁ ୧୫ ମିନିଟ୍ ଲାଗିଥିଲା। ସାଇକେଲର ବେଗ ମିଟର/ ସେକେଣ୍ଡରେ ଗଣନା କର।

ସମାଧାନ: ସାଇକେଲ୍ ର ବେଗ = ଅତିକ୍ରମ କରାଯାଇଥିବା ଦୂରତାମୋଟ ସମୟ\frac{\text{ଅତିକ୍ରମ କରାଯାଇଥିବା ଦୂରତା}}{\text{ମୋଟ ସମୟ}}

=.୬ କି.ମି.୧୫ ମିନିଟ୍= \frac{୩.୬ \text{ କି.ମି.}}{୧୫ \text{ ମିନିଟ୍}}

=.×୧୦୦୦ ମି.୧୫×୬୦ ସେ.= \frac{୩.୬ \times ୧୦୦୦ \text{ ମି.}}{୧୫ \times ୬୦ \text{ ସେ.}}

=୩୬୦୦ ମି.୯୦୦ ସେ.= \frac{୩୬୦୦ \text{ ମି.}}{୯୦୦ \text{ ସେ.}}

=୪ ମି./ସେ.= ୪ \text{ ମି./ସେ.}

କାର୍ଯ୍ୟ ୮.୪ ଆସ ଗଣନା କରିବା

  • ଇଣ୍ଟରନେଟରେ ରେଳ ସମୟସାରଣୀ ଦେଖ।

  • ତୁମ ରହଣି ସ୍ଥାନର ନିକଟତମ ରେଳ ଷ୍ଟେସନରେ ଅଟକିଥିବା ଏକ ଟ୍ରେନ୍ ଚିହ୍ନଟ କର।

  • ଏହି ଟ୍ରେନ୍ ଯେଉଁଠାରେ ଅଟକିଛି ତା’ର ପରବର୍ତ୍ତୀ ଷ୍ଟେସନର ନାମ ଖୋଜ। ଏହା ସହିତ ସମୟସାରଣୀରେ ଦିଆଯାଇଥିବା ସେହି ଷ୍ଟେସନର ଦୂରତା ଖୋଜ।

  • ଟ୍ରେନଟି ତୁମ ଷ୍ଟେସନରୁ ଛାଡ଼ିବା ସମୟ ଓ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବା ସମୟକୁ ଲେଖିରଖ। ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବାକୁ ଟ୍ରେନ୍ ନେଇଥିବା ସମୟ ଗଣନା କରିବା ପାଇଁ ଏଇ ଦୁଇ ସମୟର ପାର୍ଥକ୍ୟ ନିର୍ଣ୍ଣୟ କର।

  • ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନର ବେଗ ଗଣନା କର ଏବଂ ଏହାକୁ ସାରଣୀ ୮.୨ ରେ ଲେଖି ରଖ।

  • ୪-୫ ଟି ବିଭିନ୍ନ ପ୍ରକାରର ଟ୍ରେନ (ଯାତ୍ରୀ/ ଏକ୍ସପ୍ରେସ/ ସୁପରଫାଷ୍ଟ) ପାଇଁ ଏହି କାର୍ଯ୍ୟଟି ପୁନରାବୃତ୍ତି କର।

କ୍ର.ସଂଟ୍ରେନର ନାମପରବର୍ତ୍ତୀ ଷ୍ଟେସନର ନାମପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ଦୂରତା (କି.ମି.)ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ ଲାଗିଥିବା ସମୟ (ଘଣ୍ଟା)ଏହି ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନର ବେଗ (କି.ମି/ଘଣ୍ଟା)
  • ଟ୍ରେନଗୁଡିକର ବେଗ ତୁଳନା କର। ସବୁଠାରୁ ଦ୍ରୁତତମ ଟ୍ରେନ କେଉଁଟି? ଯେଉଁ ଟ୍ରେନଟି ଏକକ ସମୟରେ ସର୍ବାଧିକ ଦୂରତା ଅତିକ୍ରମ କରିଛି ତାହା ସବୁଠାରୁ ଦ୍ରୁତତମ ଟ୍ରେନ, ଅର୍ଥାତ୍ ସର୍ବାଧିକ ବେଗ ବିଶିଷ୍ଟ ଟ୍ରେନ।

୮.୩.୧ ବେଗ, ଦୂରତା ଏବଂ ସମୟ ମଧ୍ୟରେ ସମ୍ପର୍କ

ଆମେ ପୂର୍ବରୁ ଜାଣିଛୁ ଯେ

ବେଗ=ଅତିକ୍ରମ କରିଥିବା ମୋଟ ଦୂରତାମୋଟ ସମୟ\text{ବେଗ} = \frac{\text{ଅତିକ୍ରମ କରିଥିବା ମୋଟ ଦୂରତା}}{\text{ମୋଟ ସମୟ}}

ଯଦି ଅତିକ୍ରାନ୍ତ ଦୂରତା ଏବଂ ଏଥିପାଇଁ ନିଆଯାଇଥିବା ସମୟ ଆମକୁ ଜଣାଅଛି ତେବେ ଆମେ ଉପରୋକ୍ତ ସୂତ୍ର ବ୍ୟବହାର କରି ବେଗ ନିର୍ଣ୍ଣୟ କରି ପାରିବା। ଯଦି ଆମେ ବେଗ ଏବଂ ସମୟ ଜାଣିଥାଉ, ତେବେ ଆମେ ଏହି ସମୀକରଣକୁ ଏକ ଭିନ୍ନ ରୂପରେ ଲେଖିପାରିବା।

ଅତିକ୍ରମ କରିଥିବା ମୋଟ ଦୂରତା = ବେଗ ×\times ମୋଟ ସମୟ

ସେହିପରି, ଯଦି ଦୂରତା ଏବଂ ବେଗ ଦିଆଯାଇଛି, ତେବେ ଆମେ ଏହି ଦୂରତା ଅତିକ୍ରମ କରିବାକୁ ବସ୍ତୁ କେତେ ସମୟ ନେବ ତାହା ମଧ୍ୟ ଗଣନା କରିପାରିବା।

ମୋଟ ସମୟ=ଅତିକ୍ରମ କରିଥିବା ମୋଟ ଦୂରତାବେଗ\text{ମୋଟ ସମୟ} = \frac{\text{ଅତିକ୍ରମ କରିଥିବା ମୋଟ ଦୂରତା}}{\text{ବେଗ}}

ଉଦାହରଣ ୮.୨: ରାଘବ ୫୦ କିମି/ ଘଣ୍ଟା ବେଗରେ ଯାଉଥିବା ଏକ ବସ୍ ରେ ପଡ଼ୋଶୀ ସହରକୁ ଯାଉଛି। ଯଦି ତାର ସେହି ସହରରେ ପହଞ୍ଚିବାକୁ ୨ ଘଣ୍ଟା ଲାଗେ, ତେବେ ସେହି ସହର କେତେ ଦୂର ?

ସମାଧାନ : ବସ୍ ଦ୍ଵାରା ଅତିକ୍ରମ କରାଯାଇଥିବା ଦୂରତା = ବେଗ ×\times ସମୟ = ୫୦ କି.ମି.ଘଣ୍ଟା×୨ ଘଣ୍ଟା=୧୦୦ କି.ମି.\frac{୫୦ \text{ କି.ମି.}}{\text{ଘଣ୍ଟା}} \times ୨ \text{ ଘଣ୍ଟା} = ୧୦୦ \text{ କି.ମି.}

ଉଦାହରଣ ୮.୩: ଏକ ଟ୍ରେନ୍ ୯୦ କିମି/ ଘଣ୍ଟା ବେଗରେ ଯାତ୍ରା କରୁଛି। ୩୬୦ କିମି ଦୂରତା ଅତିକ୍ରମ କରିବାକୁ କେତେ ସମୟ ଲାଗିବ ?

ସମାଧାନ : ଟ୍ରେନ୍ ଦ୍ୱାରା ନିଆଯାଇଥିବା ସମୟ = ମୋଟ ଦୂରତାବେଗ=୩୬୦ କି.ମି.୯୦ କି.ମି./ଘଣ୍ଟା=୪ ଘଣ୍ଟା\frac{\text{ମୋଟ ଦୂରତା}}{\text{ବେଗ}} = \frac{୩୬୦ \text{ କି.ମି.}}{୯୦ \text{ କି.ମି./ଘଣ୍ଟା}} = ୪ \text{ ଘଣ୍ଟା}

ଏପର୍ଯ୍ୟନ୍ତ ସମସ୍ତ ଉଦାହରଣରେ, ଆମେ ‘ଅତିକ୍ରାନ୍ତ ମୋଟ ଦୂରତାକୁ ନିଆଯାଇଥିବା ମୋଟ ସମୟ ଦ୍ବାରା ଭାଗ କରି ବ୍ୟବହାର କରି ଏକ ବସ୍ତୁର ବେଗ ପାଇଛୁ। ତଥାପି, ବସ୍ତୁଟି ସମଗ୍ର ସମୟ ମଧ୍ୟରେ ସମାନ ବେଗରେ ଯାତ୍ରା କରିନଥାଇପାରେ। ବସ୍ତୁଟି କେତେବେଳେ ଧୀର କିମ୍ବା କେତେବେଳେ ଦ୍ରୁତ ଗତି କରିଥାଇପାରେ। ତେଣୁ, ଆମେ ଯେଉଁ ବେଗ ଗଣନା କରିଛୁ ତାହା ବସ୍ତୁର ହାରାହାରି ବେଗ, କିନ୍ତୁ, ଏହି ପୁସ୍ତକରେ, ଆମେ ‘ହାରାହାରି ବେଗ’ ପାଇଁ ’ବେଗ’ ଶବ୍ଦ ବ୍ୟବହାର କରିଛୁ।


ବିଜ୍ଞାନ ଏବଂ ସମାଜ

ସ୍କୁଟର, ମୋଟରବାଇକ୍, କାର ଏବଂ ବସ୍ ଭଳି ଯାନବାହାନରେ ଏକ ଉପକରଣ ଅଛି ଯାହା ଗାଡ଼ିର ଗତିକୁ କିମି/ ଘଣ୍ଟାରେ ମାପ କରେ ଏବଂ ପ୍ରଦର୍ଶନ କରେ। ଏହାକୁ ସ୍ପିଡୋମିଟର କୁହାଯାଏ। ଓଡୋମିଟର୍ ନାମରେ ଜଣାଶୁଣା ଆଉ ଏକ ଉପକରଣ, ଯାନବାହାନରେ ମଧ୍ୟ ଲଗାଯାଇଥାଏ ଯାହା ଗାଡ଼ି ଦ୍ୱାରା ଯାତ୍ରା କରାଯାଇଥିବା ଦୂରତା କିଲୋମିଟରରେ ମାପ କରେ।

[ଚିତ୍ର ବର୍ଣ୍ଣନା: ଗାଡ଼ିର ଡ୍ୟାସବୋର୍ଡ ମିଟର ଯେଉଁଥିରେ ସ୍ପିଡୋମିଟର (ଗତି ଦର୍ଶାଉଥିବା କଣ୍ଟା) ଏବଂ ଓଡୋମିଟର (କିଲୋମିଟର ଦୂରତା ଦର୍ଶାଉଥିବା ଡିଜିଟାଲ୍/ମେକାନିକାଲ କାଉଣ୍ଟର) ଚିହ୍ନିତ କରାଯାଇଛି।]

[ଚିତ୍ର ବର୍ଣ୍ଣନା: ଜଣେ ପିଲା କହୁଛି]

ମୁଁ ଥରେ ଏକ ବିସ୍ତୃତ ସିଧା ରାସ୍ତାରେ ମାରାଥନ୍ ଦୌଡ଼ର ଏକ ଅଂଶ ଦେଖୁଥିଲି। ମୁଁ ଦେଖିଲି ଯେ କିଛି ଲୋକ ସେହି ଦୂରତା ମଧ୍ୟରେ ସମାନ ବେଗରେ ଦୌଡ଼ୁଥିବା ପରି ମନେ ହେଉଥିଲା ବେଳେ କିଛି ଲୋକ ଗତି ବଢ଼ାଇଥାନ୍ତି କିମ୍ବା ଧୀର କରିଦିଅନ୍ତି। ସେମାନଙ୍କର ଗତି କିପରି ଭିନ୍ନ ଥିଲା ?

୮.୪ ସମାନ ଏବଂ ଅସମାନ ରୈଖିକ ଗତି

ତୁମେ କ’ଣ ଷଷ୍ଠ ବିଜ୍ଞାନ ପାଠ୍ୟପୁସ୍ତକ ଜିଜ୍ଞାସାରେ ’ଦୈର୍ଘ୍ୟ ଏବଂ ଗତିର ମାପ’ ଅଧ୍ୟାୟରେ ରୈଖିକ ଗତି ବିଷୟରେ ଶିଖିଥିବା ମନେ ରଖିଛ ? ଯେତେବେଳେ ଏକ ବସ୍ତୁ ଏକ ସରଳ ରେଖାରେ ଗତି କରେ, ଏହାର ଗତିକୁ ରୈଖିକ ଗତି କୁହାଯାଏ। ବର୍ତ୍ତମାନ, ଏକ ରେଳପଥ ସହ ଏକ ଟ୍ରେନ କଳ୍ପନା କର ଯାହା ଦୁଇଟି ସଂଲଗ୍ନ ରେଳ ଷ୍ଟେସନ ମଧ୍ୟରେ ଏକ ସରଳ ରେଖାରେ ଅଛି। ତେଣୁ, ଏହି ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନର ଗତି ରୈଖିକ ଗତିର ଏକ ଉଦାହରଣ (ଚିତ୍ର ୮.୧୧)। ଟ୍ରେନଟି ପ୍ରଥମ ଷ୍ଟେସନ ‘କ’ ରୁ ଧୀର ବେଗରେ ଆରମ୍ଭ ହୁଏ, ତା’ପରେ ଅଧିକ ଦ୍ରୁତ ବେଗରେ ଗତି କରେ, ତାପରେ ଧୀର ହୋଇ ପରବର୍ତ୍ତୀ ଷ୍ଟେସନ ‘ଘ’ ରେ ଅଟକିଯାଏ। ଦୁଇଟି ଷ୍ଟେସନ ମଧ୍ୟରେ, କିଛି ଦୂରତା (ଖ ରୁ ଗ) ପାଇଁ, ଟ୍ରେନଟି ଏକ ସ୍ଥିର ବେଗରେ, ଅର୍ଥାତ୍ ଏକ ଅପରିବର୍ତ୍ତିତ ବେଗରେ ଗତି କରେ।

[ଚିତ୍ର ବର୍ଣ୍ଣନା: ଚିତ୍ର ୮.୧୧ ଏକ ସିଧା ରେଳପଥରେ ଗତି କରୁଥିବା ରେଳ (ଷ୍ଟେସନ ‘କ’ ରୁ ଆରମ୍ଭ ହୋଇ ‘ଖ’ ଓ ‘ଗ’ ଦେଇ ‘ଘ’ ଷ୍ଟେସନ ପର୍ଯ୍ୟନ୍ତ ଗତି)]

ଏକ ସରଳରେଖାରେ ସ୍ଥିର ବେଗରେ ଗତି କରୁଥିବା ଏକ ବସ୍ତୁକୁ “ସମାନ ରୈଖିକ ଗତି”ରେ ଅଛି ବୋଲି କୁହାଯାଏ। ତେଣୁ, ଟ୍ରେନଟି ‘ଖ’ ଏବଂ ‘ଗ’ ମଧ୍ୟରେ ସମାନ ଗତିରେ ଅଛି (ଚିତ୍ର ୮.୧୧)। ଅନ୍ୟପକ୍ଷରେ, ଯଦି ଏକ ସରଳରେଖାରେ ଗତି କରୁଥିବା ଏକ ବସ୍ତୁର ବେଗ ପରିବର୍ତ୍ତନ ହୁଏ, ତେବେ ଏହା ଅସମାନ ରୈଖିକ ଗତିରେ ଅଛି ବୋଲି କୁହାଯାଏ। ‘କ’ ଓ ‘ଖ’ ମଧ୍ୟରେ ଏବଂ ‘ଗ’ ଓ ‘ଘ’ ମଧ୍ୟରେ, ଟ୍ରେନର ଗତି ଅସମାନ (ଚିତ୍ର ୮.୧୧)।

ସମାନ ରୈଖିକ ଗତିରେ ଥିବା ଏକ ବସ୍ତୁ ସମାନ ସମୟ ବ୍ୟବଧାନରେ ସମାନ ଦୂରତା ଅତିକ୍ରମ କରେ, ଯେତେବେଳେ ଏହା ଅସମାନ ରୈଖିକ ଗତିରେ ଥାଏ ସେତେବେଳେ ସମାନ ସମୟ ବ୍ୟବଧାନରେ ଅସମାନ ଦୂରତା ଅତିକ୍ରମ କରେ। ସାରଣୀ ୮.୩ ରେ, ସକାଳ ୧୦.୦୦ ଏବଂ ୧୧.୦୦ ମଧ୍ୟରେ ଦୁଇଟି ଟ୍ରେନ, X ଏବଂ Y ଦ୍ଵାରା ଯାତ୍ରା କରାଯାଇଥିବା ଦୂରତା ପାଇଁ ତଥ୍ୟ ଦିଆଯାଇଛି।

ସାରଣୀ ୮.୩ : ୧୦ ମିନିଟ୍‌ର ସମାନ ସମୟ ବ୍ୟବଧାନରେ ଦୁଇଟି ଟ୍ରେନ୍ ଦ୍ୱାରା ଯାତ୍ରା କରାଯାଇଥିବା ଦୂରତା।

ସମୟ (AM)Train X: କେଉଁଠି ଅଛି (ସ୍ଥାନ) (km)Train X: ପୂର୍ବ ସ୍ଥାନରୁ ଦୂରତା (km)Train Y: କେଉଁଠି ଅଛି (ସ୍ଥାନ) (km)Train Y: ପୂର୍ବ ସ୍ଥାନରୁ ଦୂରତା (km)
୧୦.୦୦
୧୦.୧୦୨୦୨୦୨୦୨୦
୧୦.୨୦୪୦୨୦୩୫୧୫
୧୦.୩୦୬୦୨୦୫୦୧୫
୧୦.୪୦୮୦୨୦୭୫୨୫
୧୦.୫୦୧୦୦୨୦୯୫୨୦
୧୧.୦୦୧୨୦୨୦୧୨୦୨୫

ଦୁଇଟି ଟ୍ରେନ୍ ମଧ୍ୟରୁ କେଉଁଟିରେ ସକାଳ ୧୦:୦୦ ରୁ ୧୧:୦୦ ମଧ୍ୟରେ ସମାନ ରୈଖିକ ଗତି ଅଛି ? ଟ୍ରେନ୍ X ସମାନ ସମୟ ବ୍ୟବଧାନରେ ସମାନ ଦୂରତା ଅତିକ୍ରମ କରେ, ତେଣୁ ଏହା ସମାନ ରୈଖିକ ଗତିରେ ଅଛି, ଯେତେବେଳେ ଟ୍ରେନ୍ Y ଅସମାନ ରୈଖିକ ଗତିରେ ଅଛି।

ସମାନ ରୈଖିକ ଗତି ଏକ ନମୁନା ବା ଆଦର୍ଶ। ଦୈନନ୍ଦିନ ଜୀବନରେ, ଆମେ କ୍ଵଚିତ୍‌ ଦୀର୍ଘ ଦୂରତା ମଧ୍ୟରେ କିମ୍ବା ଦୀର୍ଘ ସମୟ ବ୍ୟବଧାନ ପାଇଁ ସ୍ଥିର ବେଗରେ ଗତି କରୁଥିବା ବସ୍ତୁଗୁଡ଼ିକୁ ପାଇଥାଉ। ସେଥିପାଇଁ ଆମକୁ ହାରାହାରି ବେଗ ବ୍ୟବହାର କରିବାକୁ ପଡ଼ିବ।


ସଂକ୍ଷେପରେ

୧. ପେଣ୍ଡୁଲମ୍ ଗୋଟିଏ ଦୋଳନ ସମାପ୍ତ କରିବାକୁ ଯେଉଁ ସମୟ ନିଏ ତାହାକୁ ଏହାର ‘ଆବର୍ତ୍ତ କାଳ’ କୁହାଯାଏ।

୨. ଗୋଟିଏ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ବିଶିଷ୍ଟ ଏକ ସରଳ ପେଣ୍ଡୁଲମ୍‌ର ଆବର୍ତ୍ତ କାଳ ସ୍ଥିର ରହିଥାଏ।

୩. ସମୟର SI ଏକକ ହେଉଛି ସେକେଣ୍ଡ। ଏହାର ପ୍ରତୀକ ହେଉଛି ‘s’ ବା ‘ସେ’।

୪. ଏକ ବସ୍ତୁର ହାରାହାରି ବେଗ ହେଉଛି ଦୁଇଟି ସ୍ଥାନ ମଧ୍ୟରେ ଏହାକୁ ଅତିକ୍ରମ କରିବାକୁ ଲାଗିଥିବା ମୋଟ ସମୟ ଦ୍ବାରା ଭାଗ କରାଯାଇଥିବା ମୋଟ ଦୂରତା।

୫. ଏକ ସରଳ ରେଖାରେ ସ୍ଥିର ବେଗ ସହିତ ଗତି କରୁଥିବା ଏକ ବସ୍ତୁ ସମାନ ରୈଖିକ ଗତିରେ ଅଛି ବୋଲି କୁହାଯାଏ।

୬. ଯଦି ଏକ ସରଳ ରେଖାରେ ଗତି କରୁଥିବା ଏକ ବସ୍ତୁର ବେଗ ପରିବର୍ତ୍ତନ ହୁଏ, ତେବେ ଏହା ଅସମାନ ରୈଖିକ ଗତିରେ ଅଛି ବୋଲି କୁହାଯାଏ।

ଆମ ଶିକ୍ଷଣର ଅଭିବୃଦ୍ଧି କରିବା

୧. ୧୦ ସେକେଣ୍ଡରେ ୧୫୦ ମିଟର ଯାତ୍ରା କରୁଥିବା ଏକ କାରର ବେଗ ଗଣନା କର। ତୁମର ଉତ୍ତର କିମି/ ଘଣ୍ଟାରେ ପ୍ରକାଶ କର।

୨. ଜଣେ ଧାବକ ୫୦ ସେକେଣ୍ଡରେ ୪୦୦ ମିଟର ସଂପୂର୍ଣ୍ଣ କରେ। ଅନ୍ୟ ଜଣେ ଧାବକ ୪୫ ସେକେଣ୍ଡରେ ସମାନ ଦୂରତା ସମାପ୍ତ କରେ। କାହାର ବେଗ ଅଧିକ ଏବଂ କେତେ ଅଧିକ ?

୩. ଏକ ଟ୍ରେନ୍ ୨୫ ମିଟର/ ସେକେଣ୍ଡ ବେଗରେ ଯାତ୍ରା କରେ ଏବଂ ୩୬୦ କିଲୋମିଟର ଦୂରତା ଅତିକ୍ରମ କରେ। ଏହାକୁ କେତେ ସମୟ ଲାଗେ ?

୪. ଏକ ଟ୍ରେନ୍ ୩ ଘଣ୍ଟାରେ ୧୮୦ କିଲୋମିଟର ଯାତ୍ରା କରେ। ଏହାର ବେଗ ଏହି ଅନୁସାରେ ନିର୍ଣ୍ଣୟ କର :

(i) କିମି/ଘଣ୍ଟା

(ii) ମି/ ସେକେଣ୍ଡ

(iii) ଯଦି ଏହା ସମୁଦାୟ ଯାତ୍ରା କାଳରେ ସମାନ ବେଗ ବଜାୟ ରଖେ ତେବେ ଏହା ୪ ଘଣ୍ଟାରେ କେତେ ଦୂରତା ଅତିକ୍ରମ କରିବ ?

୫. ସବୁଠାରୁ ଦ୍ରୁତ ଗତିରେ ଦୌଡ଼ୁଥିବା ଘୋଡ଼ା ପ୍ରାୟ ୧୮ ମିଟର/ ସେକେଣ୍ଡ ବେଗ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହା ୭୨ କିଲୋମିଟର/ ଘଣ୍ଟା ବେଗରେ ଗତି କରୁଥିବା ଟ୍ରେନ୍ ର ବେଗ ସହିତ କିପରି ତୁଳନୀୟ ଅଟେ ?

୬. ଟ୍ରାଫିକ୍ ବିନା ସିଧା ରାଜପଥରେ ଗତି କରୁଥିବା ଏକ କାର ଏବଂ ସହର ମଧ୍ୟରେ ଟ୍ରାଫିକ ଦେଇ ଗତି କରୁଥିବା ଏକ କାରର ଉଦାହରଣ ବ୍ୟବହାର କରି ସମାନ ଏବଂ ଅସମାନ ଗତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।

୭. ବିଭିନ୍ନ ସମୟ ବ୍ୟବଧାନରେ ଦୂରତା ଅତିକ୍ରମ କରୁଥିବା ଏକ ବସ୍ତୁର ତଥ୍ୟ ନିମ୍ନଲିଖିତ ସାରଣୀରେ ଦିଆଯାଇଛି। ଯଦି ବସ୍ତୁ ସମାନ ଗତିରେ ଅଛି, ତେବେ ସାରଣୀରେ ଥିବା ଖାଲି ସ୍ଥାନଗୁଡ଼ିକ ପୂରଣ କର।

ସମୟ (ସେ)୧୦୨୦୩୦୪୦୫୦
ଦୂରତା (ମି.)୧୬୨୪୩୨୪୦

୮. ଗୋଟିଏ କାର ପ୍ରଥମ ଘଣ୍ଟାରେ ୬୦ କିଲୋମିଟର, ଦ୍ଵିତୀୟ ଘଣ୍ଟାରେ ୭୦ କିଲୋମିଟର ଏବଂ ତୃତୀୟ ଘଣ୍ଟାରେ ୫୦ କିଲୋମିଟର ଅତିକ୍ରମ କରେ। ଏହାର ଗତି ସମାନ କି ? ତୁମ ଉତ୍ତରର ଯଥାର୍ଥତା ଦର୍ଶାଅ। କାରର ହାରାହାରି ବେଗ ନିର୍ଣ୍ଣୟ କର।

୯. ଦୈନନ୍ଦିନ ଜୀବନରେ କେଉଁ ପ୍ରକାରର ଗତି ଅଧିକ ସାଧାରଣ - ସମାନ ନା ଅସମାନ ? ତୁମର ଉତ୍ତରକୁ ସମର୍ଥନ କରିବା ପାଇଁ ତୁମର ଅଭିଜ୍ଞତାରୁ ତିନୋଟି ଉଦାହରଣ ଦିଅ।

୧୦. ଏକ ବସ୍ତୁର ଗତି ପାଇଁ ତଥ୍ୟ ନିମ୍ନଲିଖିତ ସାରଣୀରେ ଦିଆଯାଇଛି। ବସ୍ତୁର ଗତି ସମାନ ନା ଅସମାନ କୁହ। ତାହାର ହାରାହାରି ବେଗ ନିର୍ଣ୍ଣୟ କର।

ସମୟ (ସେ)୧୦୨୦୩୦୪୦୫୦୬୦୭୦୮୦୯୦୧୦୦
ଦୂରତା (ମି.)୧୦୧୫୨୨୩୨୪୦୪୭୫୫୬୫୭୦

୧୧. ଗୋଟିଏ ଯାନ ଏକ ସରଳରେଖାରେ ଗତି କରେ ଏବଂ ୨ କିଲୋମିଟର ଦୂରତା ଅତିକ୍ରମ କରେ। ପ୍ରଥମ ୫୦୦ ମିଟରରେ, ଏହା ୧୦ ମିଟର/ ସେକେଣ୍ଡ ବେଗରେ ଗତି କରେ ଏବଂ ପରବର୍ତ୍ତୀ ୫୦୦ ମିଟରରେ, ଏହା ୫ ମିଟର/ ସେକେଣ୍ଡ ବେଗରେ ଗତି କରେ। ଅବଶିଷ୍ଟ ଦୂରତାକୁ କେଉଁ ବେଗରେ ଗତି କରିବା ଉଚିତ ଯାହା ଦ୍ୱାରା ଯାତ୍ରା ୨୦୦ ସେକେଣ୍ଡରେ ସମାପ୍ତ ହେବ ? ସମଗ୍ର ଯାତ୍ରା ପାଇଁ ଯାନର ହାରାହାରି ଗତି କେତେ ?

ଅନୁସନ୍ଧାନମୂଳକ ପ୍ରକଳ୍ପ

୧. ଏକ ‘ଭାସମାନ ପାତ୍ର’ ପ୍ରକାରର ଜଳ ଘଣ୍ଟା ତିଆରି କର। ବିଭିନ୍ନ ଆକାରର ପାତ୍ର ବ୍ୟବହାର କରି ଏବଂ ସେଥିରେ ବିଭିନ୍ନ ଆକାରର ଗାତ କରି ପରୀକ୍ଷଣ କର ଯାହା ଦ୍ଵାରା ପାତ୍ରର ବୁଡ଼ିବା ସମୟ ୨୪ ମିନିଟ୍ ପାଖାପାଖି ହୋଇପାରିବ।

୨. ତୁମର ସାଙ୍ଗମାନଙ୍କର ନାଡ଼ି ହାର (ଜଣେ ବ୍ୟକ୍ତିଙ୍କ ନାଡ଼ି ୧ ମିନିଟ୍ ରେ କେତେ ଥର ସ୍ପନ୍ଦିତ ହୁଏ) ମାପିବା ପାଇଁ ଏକ କାର୍ଯ୍ୟ ପ୍ରସ୍ତୁତ କର। ଏପରି ଏକ କାର୍ଯ୍ୟ ବିଷୟରେ ଚିନ୍ତା କର ଯେଉଁଠାରେ ତୁମେ ସମୟ ମାପିବା ପାଇଁ ତୁମର ନାଡ଼ି ବ୍ୟବହାର କରିପାରିବ ଏବଂ ସେହି ଧାରଣା ଉପରେ ଏକ କାହାଣୀ ବିକଶିତ କରିପାରିବ।

୩. କାର୍ଯ୍ୟ ୮.୨ ରେ ନିଆଯାଇଥିବା ପର୍ଯ୍ୟବେକ୍ଷଣରେ ଦିଆଯାଇଥିବା ସମାନ ଦୈର୍ଘ୍ୟବିଶିଷ୍ଟ ପେଣ୍ଡୁଲମ୍‌ର ଆବର୍ତ୍ତ କାଳରେ ସାମାନ୍ୟ ପାର୍ଥକ୍ୟ ହେବାର କାରଣ କ'ଣ ହୋଇପାରେ। ସେଗୁଡ଼ିକୁ ନିୟନ୍ତ୍ରଣ କରିବାର ଉପାୟ ବିଷୟରେ ଚିନ୍ତା କର ଏବଂ ପର୍ଯ୍ୟବେକ୍ଷଣରେ ପାର୍ଥକ୍ୟ ହ୍ରାସ ପାଇଛି କି ନାହିଁ ପରୀକ୍ଷା କରିବା ପାଇଁ କାର୍ଯ୍ୟଟିକୁ ପୁନରାବୃତ୍ତି କର।

୪. କିଛି ଦୋଳି ଥିବା ଖେଳପଡ଼ିଆ ପରିଦର୍ଶନ କର। ୧୦ ଥର ଦୋଳନ ପାଇଁ ଏକ ଦୋଳି ଦ୍ଵାରା ନିଆଯାଇଥିବା ସମୟ ମାପ କର ଏବଂ ଏହାର ଆବର୍ତ୍ତ କାଳ ଗଣନା କର। ଏହାର ଆବର୍ତ୍ତ କାଳ ପ୍ରାୟ ସମାନ କି ନାହିଁ ଜାଣିବା ପାଇଁ ଏଥିରେ ବିଭିନ୍ନ ଓଜନର ପିଲାମାନଙ୍କୁ ନେଇ କିଛି ଥର ପୁନରାବୃତ୍ତି କର। ବିଭିନ୍ନ ଦୈର୍ଘ୍ୟର ଦୋଳି ସହିତ ଏହା ପୁନରାବୃତ୍ତି କର। ଦୋଳିର ବର୍ଦ୍ଧିତ ଦୈର୍ଘ୍ୟ ସହିତ ଆବର୍ତ୍ତ କାଳ କିପରି ପରିବର୍ତ୍ତନ ହୁଏ ତାହା ଜାଣ। ଦୋଳି ମଧ୍ୟ ପେଣ୍ଡୁଲମ୍ ର ଏକ ଉଦାହରଣ କି ?

୫. ଗତ ଦୁଇଟି ଅଲିମ୍ପିକ୍ ଖେଳରେ ପୁରୁଷ ଏବଂ ମହିଳାଙ୍କ ପାଇଁ ୧୦୦ ମିଟର, ୨୦୦ ମିଟର ଏବଂ ୪୦୦ ମିଟର ଦୌଡ଼ର ବିଜେତାମାନଙ୍କର ସମୟ ସଂଗ୍ରହ କର। ସେମାନଙ୍କର ବେଗ ଗଣନା କର ଏବଂ ତୁଳନା କର। କେଉଁ ଘଟଣାରେ ବେଗ ସବୁଠାରୁ ଅଧିକ ?


[ଚିତ୍ର ବର୍ଣ୍ଣନା: ଏକ ଦଉଡ଼ିର ଗଣ୍ଠି ଯାହା ବିଭିନ୍ନ ବିଷୟ ଯଥା ଇତିହାସ, କଳା, ଭୂଗୋଳ, ସମାଜ, ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି, ଭାଷା କୁ ପରସ୍ପର ସହିତ ସଂଯୋଗ କରୁଛି।]

ଇତିହାସ

କଳା

ଭୂଗୋଳ

ସମାଜ

ପ୍ରଯୁକ୍ତିବିଦ୍ୟା

ଅର୍ଥନୀତି

ଭାଷା

ଚିତ୍ତାକର୍ଷକ ତଥ୍ୟ

ଆମର ବିଶ୍ଵ ସୃଷ୍ଟି ହେବା ସମୟରେ ସମୟ ଆରମ୍ଭ ହୋଇଥିଲା ଏବଂ ଭବିଷ୍ୟତରେ ମଧ୍ୟ ଜାରି ରହିବ। ଆମେ ସମୟକୁ ଦେଖିପାରିବୁ ନାହିଁ କିମ୍ବା ଅନୁଭବ କରିପାରିବୁ ନାହିଁ କିନ୍ତୁ ଆମେ କେବଳ ଘଟଣାଗୁଡ଼ିକ ମଧ୍ୟରେ ସମୟ ବ୍ୟବଧାନ ଅନୁସାରେ ଏହାର ଗତି ମାପିପାରିବା। ଏହି ସମୟ ବ୍ୟବଧାନଗୁଡ଼ିକ ଏକ ସେକେଣ୍ଡର ଅଂଶ କିମ୍ବା ମାସ, କିମ୍ବା ବର୍ଷ କିମ୍ବା ଶତାବ୍ଦୀ ହୋଇପାରେ। ଆମେ କେବଳ କହିପାରିବା ଯେ ଏକ ଘଟଣା କେତେବେଳେ ଘଟିଲା କିମ୍ବା ଏହା କେତେ ସମୟ ଧରି ଚାଲିଲା। ଯଦିଓ ଆମେ ବର୍ଦ୍ଧିତ ସଠିକତା ସହିତ ସମୟ ମାପ କରିବା ଶିଖିଛୁ, ଏବଂ ଆମର ଜୀବନ କାନ୍ଥ ଘଣ୍ଟା ଏବଂ ହାତ ଘଣ୍ଟା ଇତ୍ୟାଦି ଦ୍ୱାରା ନିୟନ୍ତ୍ରିତ, ‘ସମୟ କ’ଣ ?’ ଏହା ଏକ ଜଟିଳ ପ୍ରଶ୍ନ ହୋଇ ରହିଛି ଯାହାର କୌଣସି ସହଜ ଉତ୍ତର ମିଳିନାହିଁ !