ନବମ ଅଧ୍ୟାୟ
ପ୍ରାଣୀମାନଙ୍କର ଜୀବନ ପ୍ରକ୍ରିୟା
[ଚିତ୍ର ବର୍ଣ୍ଣନା: ପୃଷ୍ଠାର ଉପର ଭାଗରେ ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ଉପକରଣ ଓ ପ୍ରତୀକ (ଯଥା: ଅଣୁବୀକ୍ଷଣ ଯନ୍ତ୍ର, ଫ୍ଲାସ୍କ, ଟର୍ଚ୍ଚ, ଟେଲିସ୍କୋପ, ପୃଥିବୀ, ଚୁମ୍ବକ ଇତ୍ୟାଦି) ର ଚିତ୍ର ରହିଛି। ପୃଷ୍ଠାର ନିମ୍ନ ଭାଗରେ ଏକ ପ୍ରାକୃତିକ ପରିବେଶରେ ଗଛ ତଳେ ଏକ ପରିବାର ବସି ଖାଦ୍ୟ ଖାଉଥିବାର, ଜଣେ ଝିଅ ଦୌଡ଼ୁଥିବାର, ଗାଈ କ୍ଷୀର ପିଆଉଥିବାର ଏବଂ ପୋଖରୀରେ ବେଙ୍ଗ ଓ ମାଛ ଥିବାର ରଙ୍ଗୀନ ଦୃଶ୍ୟ ରହିଛି।]
ଅନ୍ନ ବିହୁନେ ହଂସହାନି
ଯୋଗ ସାଧୁବି କାହା ଘେନି ।
(ଓଡ଼ିଆ ଭାଗବତ – ଜଗନ୍ନାଥ ଦାସ)
ଷଷ୍ଠ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ “ଜିଜ୍ଞାସା”ର “ଜୀବଜଗତର ବୈଶିଷ୍ଟ୍ୟ” ଅଧ୍ୟାୟରେ ଆମେ ପୋଷଣ, ଶ୍ଵସନ, ରେଚନ ଏବଂ ପ୍ରଜନନ ପରି ଜୀବଜନ୍ତୁଙ୍କ ବଞ୍ଚିବାପାଇଁ ଅତ୍ୟାବଶ୍ୟକ ପ୍ରକ୍ରିୟାଗୁଡ଼ିକ ବିଷୟରେ ଜାଣିଥିଲେ। ଏଗୁଡ଼ିକୁ ସାମୂହିକ ଭାବରେ ଜୀବନ ପ୍ରକ୍ରିୟା କୁହାଯାଏ। ଏହି ଅଧ୍ୟାୟରେ, ଆମେ ପୋଷଣ ଓ ଶ୍ୱସନ ଭଳି ଜୀବନ ପ୍ରକ୍ରିୟାଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଶିଖିବା। ଏହି ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଦେଖିବା ଖାଦ୍ୟ କ’ଣ ? ଯାହା ହଜମ ହୁଏ, ଶରୀରର ପୁଷ୍ଟିସାଧନ କରେ, ଶରୀର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ ଏବଂ ଶରୀରରେ ଅନିଷ୍ଟ ବା କିଛି ସମସ୍ୟା ସୃଷ୍ଟି କରେ ନାହିଁ ତାହା ହିଁ ଖାଦ୍ୟ। ସେଥିପାଇଁ ଆୟୁର୍ବେଦରେ କୁହାଯାଇଛି ଯେ ଖାଦ୍ୟ ହିଁ ଆମର ଔଷଧ, ମାତ୍ର ଔଷଧ ଖାଦ୍ୟ ନୁହେଁ।
ତୁମ ଚତୁଃପାର୍ଶ୍ଵକୁ ଭଲ ଭାବରେ ନିରୀକ୍ଷଣ କର ଏବଂ ପ୍ରାଣୀମାନେ କ’ଣ ଖାଆନ୍ତି ତାହା ଲକ୍ଷ୍ୟ କର। ପ୍ରାଣୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଆନ୍ତି। ମହୁମାଛି ଓ ଫୁଲଚୁଇଁ ପକ୍ଷୀ (Sunbird) ଫୁଲର ମକରନ୍ଦ ଶୋଷି ଖାଆନ୍ତି, ମଣିଷ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କ ଶିଶୁ ବା ଶାବକମାନେ ସେମାନଙ୍କ ମା’ର କ୍ଷୀର ଖାଇଥାନ୍ତି। ଅଜଗର ପରି ସାପମାନେ ଶିକାର କରୁଥିବା ପ୍ରାଣୀଙ୍କୁ ଗିଳିଦିଅନ୍ତି। କିଛି ଜଳଚର ପ୍ରାଣୀ ନିକଟବର୍ତ୍ତୀ ଭାସମାନ କ୍ଷୁଦ୍ର ଖାଦ୍ୟ କଣିକାଗୁଡ଼ିକୁ ଛାଣି ଖାଇଯାଆନ୍ତି।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧): ମନୁଷ୍ୟ ଶରୀରର ପରିପାକ ତନ୍ତ୍ରର ଚିତ୍ର, ଯେଉଁଥିରେ ପାଟି, ଗ୍ରାସନଳୀ, ଯକୃତ, ପାକସ୍ଥଳୀ, ଅଗ୍ନ୍ୟାଶୟ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର, ମଳାଶୟ ଏବଂ ମଳଦ୍ଵାର ଚିହ୍ନିତ ହୋଇଛି।]
୯.୧ ପ୍ରାଣୀମାନଙ୍କର ପୋଷଣ:
ମଣିଷ ଓ ଅନ୍ୟ ପ୍ରାଣୀମାନେ ଖାଦ୍ୟରୁ ଶକ୍ତି ପାଆନ୍ତି। ଏହି ଶକ୍ତି ସେମାନଙ୍କୁ ସାଧାରଣ କାମକରିବା, ଚିନ୍ତାକରିବା, ଚାଲିବା ଆଦି ଜୀବନ ପ୍ରକ୍ରିୟା ଚାଲୁରଖିବା ପାଇଁ ସାହାଯ୍ୟକରେ। ଖାଦ୍ୟରେ ଶ୍ଵେତସାର, ପୁଷ୍ଟିସାର ଏବଂ ସ୍ନେହସାର ଭଳି ଜଟିଳ ଉପାଦାନ ଥାଏ। ଶରୀର ଏହି ଉପାଦାନଗୁଡିକୁ ସିଧାସଳଖ ବ୍ୟବହାର କରିପାରେ ନାହିଁ, ଏଗୁଡ଼ିକୁ ପ୍ରଥମେ ସରଳ ରୂପରେ ଭାଙ୍ଗିବାକୁ ପଡ଼େ। ଏହି ଭାଙ୍ଗିବା ପ୍ରକ୍ରିୟାକୁ ପରିପାକ ପ୍ରକ୍ରିୟା କୁହାଯାଏ। କିନ୍ତୁ ଏହି ପରିପାକ ପ୍ରକ୍ରିୟା କିପରି ହୁଏ ?
ଜଟିଳ ଖାଦ୍ୟ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବା ପ୍ରକ୍ରିୟା ଏକ ଲମ୍ବା ନଳୀରେ ଘଟେ, ଯାହାକୁ ପାକନଳୀ ବା ଖାଦ୍ୟନଳୀ (Digestive tract) କୁହାଯାଏ। ଏହି ପ୍ରକ୍ରିୟା ପାଟିରୁ ଆରମ୍ଭ ହୋଇ ମଳଦ୍ଵାରରେ ଶେଷ ହୁଏ (ଚିତ୍ର ୯.୧)। ଏହି ନଳୀ ମଧ୍ୟ ଦେଇ ଖାଦ୍ୟ ଯାତ୍ରା କରୁଥିବା ବେଳେ, ଏହାର ବିଭିନ୍ନ ଅଂଶରୁ କ୍ଷରିତ ପାଚକ ରସ ଏହି ଖାଦ୍ୟର ଜଟିଳ ଉପାଦାନଗୁଡ଼ିକୁ ସରଳ ଉପାଦାନରେ ପରିଣତ କରେ। ଖାଦ୍ୟର ଏହି ସରଳୀକୃତ ଉପାଦାନଗୁଡିକ ପାକନଳୀର ବିଭିନ୍ନ ଅଂଶ ଦ୍ୱାରା ଶୋଷିତ ହୋଇ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୋଇଥା’ନ୍ତି ଓ ଶରୀରରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥା’ନ୍ତି।
ବିଭିନ୍ନ ପ୍ରାଣୀଙ୍କ ଶରୀରରେ ଜଟିଳ ଖାଦ୍ୟ ଉପାଦାନଗୁଡ଼ିକ କିପରି ସରଳ ରୂପରେ ଭାଙ୍ଗି ବ୍ୟବହୃତ ହୁଏ ? ଏହି ପ୍ରକ୍ରିୟା କ’ଣ ସମସ୍ତ ପ୍ରାଣୀଙ୍କ କ୍ଷେତ୍ରରେ ସମାନ ନା ଭିନ୍ନ ଭିନ୍ନ ? ଆସ, ପ୍ରଥମେ ମଣିଷଙ୍କ କ୍ଷେତ୍ରରେ ଏହି ପ୍ରକ୍ରିୟାକୁ ବୁଝିବାକୁ ଚେଷ୍ଟା କରିବା।
୯.୧.୧ ମନୁଷ୍ୟ ଶରୀରରେ ପରିପାକ
ଆସ ଆମ ଶରୀର ଭିତରେ ପରିପାକ ନଳୀର ବିଭିନ୍ନ ଅଂଶ ଦେଇ ଖାଦ୍ୟର ଗତିକୁ ଏବେ ଅନୁସରଣକରିବା।
ମୁଖ ଗହ୍ବରରୁ ଆରମ୍ଭ
ତୁମେ ଖାଉଥିବା ଖାଦ୍ୟର ଗତି ତୁମ ପାଟିରେ ପ୍ରବେଶକରିବା ସହିତ ଆରମ୍ଭ ହୁଏ। ତୁମ ଦାନ୍ତ ଖାଦ୍ୟକୁ ଚୋବାଇ ଏବଂ ପେଷି ଛୋଟ ଛୋଟ ଖଣ୍ଡରେ ପରିଣତ କରିଦିଏ। ଖାଦ୍ୟକୁ ସୂକ୍ଷ୍ମ ଖଣ୍ଡରେ ପରିଣତକରିବାର ଏହି ପ୍ରକ୍ରିୟାକୁ ଯାନ୍ତ୍ରିକ ପାଚନ କୁହାଯାଏ। ତୁମର ପ୍ରିୟ ଖାଦ୍ୟ ବିଷୟରେ ଚିନ୍ତାକର। ତୁମ ପାଟି ଓଦାଳିଆ ଲାଗୁଛି କି ?
ପାଟି ଭିତରେ ଲାଳ ନିର୍ଗତହେବା ଯୋଗୁଁ ଏପରି ହୋଇଥାଏ। ତୁମ ନିଜର ପ୍ରିୟ ଖାଦ୍ୟକଥା ମନେ ପଡିଗଲେ ଅଧିକ ଲାଳ ନିର୍ଗତ ହୁଏ। ପାଟିରେ ଲାଳର ଭୂମିକା କ’ଣ ବୋଲି ତୁମେ ଭାବୁଛ ? ତୁମେ ରୁଟି ଭଳି ଖାଦ୍ୟ ଖାଇବା ବେଳେ ସେତେବେଳେ କ'ଣ ଅନୁଭବ କର ? ଆସ ଜାଣିବା।
ରୁଟିର ଏକ ଛୋଟ ଖଣ୍ଡ କିମ୍ବା କିଛି ଭାତ ନିଅ। ଏହାକୁ ୩୦-୬୦ ସେକେଣ୍ଡ ପାଇଁ ଭଲ ଭାବରେ ଚୋବାଅ। ପ୍ରଥମେ, ରୁଟି କିମ୍ବା ଭାତର ସାଧାରଣ ସ୍ଵାଦ ଜଣାପଡେ, କିନ୍ତୁ କ୍ରମାଗତ ଚୋବାଇବା ପରେ ତୁମେ ସ୍ଵାଦରେ କିଛି ପରିବର୍ତ୍ତନ ଜାଣି ପାରୁଛ କି ? ଖାଦ୍ୟ ମିଠା ଲାଗିବାକୁ ଆରମ୍ଭ କରିଛି, ନୁହେଁ ? ତୁମେ କେବେ ଭାବିଛ କି ଏହା କାହିଁକି ହୁଏ ?
ରୁଟି ଓ ଭାତରେ ମଣ୍ଡଦ (Starch) ନାମକ ଶ୍ଵେତସାର (Carbohydrate) [???] । ଆମର ଲାଳରେ ଏକ ପାଚକ ରସ [???] ଯାହା ମଣ୍ଡଦକୁ ସରଳ ଶର୍କରାରେ ଭାଙ୍ଗିବାରେ ସାହାଯ୍ୟକରେ। ଉପରୋକ୍ତ କ୍ରିୟାରୁ ଜଣା ପଡୁଛି ଯେ ମଣ୍ଡଦଯୁକ୍ତ ଖାଦ୍ୟ ଦୀର୍ଘ ସମୟ ଧରି ଚୋବାଇଲେ ମିଠାଲାଗେ। ପ୍ରକୃତରେ [???] ଖାଦ୍ୟର ଉପାଦାନଗୁଡ଼ିକୁ ସରଳ ଅଂଶରେ ଭାଙ୍ଗିବାରେ ସାହାଯ୍ୟ କରେ।
ବିଜ୍ଞାନ ଓ ସମାଜ
ପାଟି ସୁସ୍ଥ ରହିବା ପାଇଁ ମୁଖଗହ୍ଵରର ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ। ଦାନ୍ତ କ୍ଷୟ ଏବଂ ପାଟିରେ ଦୁର୍ଗନ୍ଧ ରୋକିବା ପାଇଁ ଆମେ ଦିନକୁ ଦୁଇଥର ଦାନ୍ତ ଘଷିବା ଏବଂ ଜିଭ ସଫାକରିବା ଉଚିତ୍ ଏବଂ ପ୍ରତ୍ୟେକ ଥର ଖାଦ୍ୟ ଖାଇବା ପରେ ପାଣିରେ ମୁହଁ ଧୋଇବା ଉଚିତ୍। ଆମ ପୂର୍ବଜମାନେ କିପରି ମୁଖଗହ୍ବରର ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରୁଥିଲେ ତାହା ଜାଣିବାକୁ ଚେଷ୍ଟା କର।
କାର୍ଯ୍ୟକଳାପ ୯.୧ : ଆସ, ଅନୁସନ୍ଧାନ କରିବା
-
ଦୁଇଟି ଟେଷ୍ଟଟ୍ୟୁବ ନିଅ ଏବଂ ସେଗୁଡ଼ିକ 'କ' ଏବଂ 'ଖ' ଭାବରେ ନାମିତ କର।
-
ଟେଷ୍ଟଟ୍ୟୁବ୍ ‘କ’ ରେ ଗୋଟିଏ ଚାମଚ ଭାତ ନିଅ, ଟେଷ୍ଟଟ୍ୟୁବ୍ ‘ଖ’ ରେ ଚାମଚେ ଭାତକୁ ୩୦-୬୦ ସେକେଣ୍ଡ ଚୋବେଇବା ପରେ ନିଅ।
-
ଉଭୟ ଟେଷ୍ଟଟ୍ୟୁବ୍ରେ ୩-୪ ମିଲି ପାଣି ମିଶାଅ।
-
ଟେଷ୍ଟଟ୍ୟୁବ୍ରେ ଭାତ ଓ ପାଣି ମିଶ୍ରଣର ପ୍ରାରମ୍ଭିକ ରଙ୍ଗ ଲକ୍ଷ୍ୟକର। ତାକୁ ସାରଣୀ ୯.୧ ରେ ଲେଖ।
-
ଡ୍ରପର ସାହାଯ୍ୟରେ ପ୍ରତ୍ୟେକ ଟେଷ୍ଟଟ୍ୟୁବ୍ ରେ ୩-୪ ବୁନ୍ଦା ଆୟୋଡିନ୍ ଦ୍ରବଣ ପକାଅ। ପ୍ରତ୍ୟେକ ଟେଷ୍ଟଟ୍ୟୁବ୍ରେ ଥିବା ଦ୍ରବ୍ୟକୁ ଭଲ ଭାବରେ ମିଶ୍ରଣକର ଏବଂ ପୃଥକ୍ ଭାବରେ ପର୍ଯ୍ୟବେକ୍ଷଣକର।
-
ତୁମର ପର୍ଯ୍ୟବେକ୍ଷଣକୁ ସାରଣୀରେ ଲେଖ।
ସାରଣୀ ୯.୧ ମଣ୍ଡଦ ଉପରେ ଲାଳର ପ୍ରଭାବ
| ଟେଷ୍ଟଟ୍ୟୁବ୍ | ମିଶ୍ରଣର ରଙ୍ଗ (ଆୟୋଡିନ୍ ମିଶାଇବା ପୂର୍ବରୁ) | ମିଶ୍ରଣର ରଙ୍ଗ (ଆୟୋଡିନ୍ ମିଶାଇବା ପରେ) | ଯଦି ରଙ୍ଗ ପରିବର୍ତ୍ତନ ହୋଇଛି ତେବେ ତା’ର କାରଣ |
|---|---|---|---|
| କ | |||
| ଖ |
ତୁମେ କ’ଣ ଲକ୍ଷ୍ୟ କଲ ଯେ ଟେଷ୍ଟ ଟ୍ୟୁବ୍ ‘କ’ ରେ ଭାତର ରଙ୍ଗ ଗାଢ଼ ନୀଳ ହୋଇଗଲା, ଅଥଚ ଟେଷ୍ଟ ଟ୍ୟୁବ୍ ‘ଖ’ ରେ, ଚୋବାଇଥିବା ଭାତର ରଙ୍ଗ ବଦଳିଲା ନାହିଁ କିମ୍ବା କେବଳ ହାଲୁକା ନୀଳ ରଙ୍ଗ ହେଲା ? ଟେଷ୍ଟ ଟ୍ୟୁବ୍ ‘କ’ ରେ ରଙ୍ଗ ପରିବର୍ତ୍ତନର କାରଣ କ'ଣ ? ତୁମେ ଷଷ୍ଠ ଶ୍ରେଣୀରେ ଜାଣିଛ ଯେ ଆୟୋଡିନ୍ ମଣ୍ଡଦ ସହିତ ପ୍ରତିକ୍ରିୟା କଲେ ଗାଢ ନୀଳ ରଙ୍ଗ ହୁଏ। ଟେଷ୍ଟ ଟ୍ୟୁବ୍ ‘କ’ ରେ, ଗାଢ ନୀଳ ରଙ୍ଗରୁ ଜଣାପଡୁଛି ଯେ ସେଥିରେ ମଣ୍ଡଦ ଅଛି। ଟେଷ୍ଟ ଟ୍ୟୁବ୍ ‘ଖ’ ରେ ତୁମେ ଚୋବାଇଥିବା ଭାତ ଥିଲା। ସେଥିରେ ରଙ୍ଗ ପରିବର୍ତ୍ତନ ନ ହେବାରୁ ଜଣାପଡ଼ୁଛି ଯେ ସେଥିରେ ମଣ୍ଡଦ ଆଉ ନାହିଁ; ଯଦି ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ହେଲା, ତେବେ ଜଣାପଡୁଛି ଯେ ସେଥିରେ ମଣ୍ଡଦ ଅତି ଅଳ୍ପ ପରିମାଣରେ ଅଛି। ଲାଳର ଭାତ ସହିତ ରାସାୟନିକ କ୍ରିୟା ଦ୍ବାରା ମଣ୍ଡଦ ସରଳ ଶର୍କରାରେ ପରିଣତ ହୋଇ ଯାଇଛି। ଯଦି ଟେଷ୍ଟ ଟ୍ୟୁବ୍ ‘ଖ’ ରେ ରଙ୍ଗ ଏବେ ବି ଦେଖାଯାଏ, ତେବେ ଏହାକୁ ଆହୁରି ଅନୁସନ୍ଧାନ କରିବା ପାଇଁ ତୁମ କାର୍ଯ୍ୟକଳାପରେ କ’ଣ ପରିବର୍ତନ କରିବ ? ଯଦି ଚୋବାଇବା ସମୟ ବୃଦ୍ଧି ପାଏ ତେବେ ରଙ୍ଗ ପରିବର୍ତ୍ତନ ହେବ କି ? ଏହି କାର୍ଯ୍ୟକୁ ପୁନରାବୃତ୍ତି କରି ଜାଣିବାକୁ ଚେଷ୍ଟାକର।
ବର୍ତ୍ତମାନ, ଆମେ ଜାଣିଲେ ଯେ, ପାଟିରେ କ୍ଷରିତ ଲାଳ ମଣ୍ଡଦକୁ ଭାଙ୍ଗି ଶର୍କରାରେ ପରିଣତକରେ। ଶରୀରରେ ଜଟିଳ ଖାଦ୍ୟ ଉପାଦାନଗୁଡ଼ିକୁ ସରଳ ରୂପରେ ଭାଙ୍ଗିବାର ଏହି ପ୍ରକ୍ରିୟାକୁ ପରିପାକ କୁହାଯାଏ। ଖାଦ୍ୟ ପାଟିରେ ଆଂଶିକ ଭାବରେ ହଜମହୁଏ। ଏବେ ଆସ ଜାଣିବା ଆଂଶିକ ଭାବରେ ହଜମ ହୋଇଥିବା ଏହି ଖାଦ୍ୟ ଆମ ଖାଦ୍ୟନଳୀ ମଧ୍ୟରେ କିପରି ଆହୁରି ହଜମହୁଏ।
ଖାଦ୍ୟନଳୀ (ଗ୍ରାସନଳୀ) : ପାଟିରୁ ପାକସ୍ଥଳୀକୁ ଯିବାର ମାର୍ଗ
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୨): ଖାଦ୍ୟନଳୀରେ ଖାଦ୍ୟପିଣ୍ଡ ତଳକୁ ଖସିବାର ପେରିଷ୍ଟାଲସିସ୍ ପ୍ରକ୍ରିୟା (ସଂକୋଚନ ସ୍ଥାନ, ଶିଥିଳନ ସ୍ଥାନ ଏବଂ ପାକସ୍ଥଳୀକୁ ଗତି) ଦର୍ଶାଉଥିବା ଚିତ୍ର।]
ତୁମେ ଖାଦ୍ୟ ଚୋବାଇବା ବେଳେ ତୁମର ଲାଳ କେବଳ ମଣ୍ଡଦକୁ ହଜମ କରିବାରେ ସାହାଯ୍ୟକରେ ନାହିଁ ବରଂ ଏହାକୁ ଆର୍ଦ୍ର କରିଥାଏ, ଏହାକୁ ନରମ ଏବଂ ଗିଳିବା ପାଇଁ ସହଜକରିଥାଏ। ତୁମର ଜିଭ ଚୋବାହୋଇଥିବା ଖାଦ୍ୟକୁ ଲାଳ ସହିତ ମିଶ୍ରଣ କରିବାରେ ସାହାଯ୍ୟକରେ ଓ ଏହି ନରମ ଖାଦ୍ୟକୁ ଖାଦ୍ୟନଳୀ (ଗ୍ରାସନଳୀ) ନାମକ ଏକ ଲମ୍ବା, ନମନୀୟ ନଳୀରେ ଆଗକୁ ଠେଲିଥାଏ (ଚିତ୍ର ୯.୨)। କିନ୍ତୁ ଖାଦ୍ୟ କିପରି ନଳୀରେ ତଳକୁ ଯାଏ ?
ଖାଦ୍ୟନଳୀ କାନ୍ଥର ଧୀର ସଙ୍କୋଚନ ଓ ଶିଥିଳନ ଯୋଗୁଁ ତରଙ୍ଗ ପରି ଏକ ଗତି ସୃଷ୍ଟି ହୁଏ। ଏହି ଗତି ଯୋଗୁଁ ଖାଦ୍ୟ ଆପେ ଆପେ ପାକସ୍ଥଳୀ ଭିତରକୁ ଠେଲି ହୋଇଯାଏ। ଏହି ପ୍ରକାର ଗତି ସମଗ୍ର ଖାଦ୍ୟନଳୀରେ ଘଟେ ଏବଂ ଖାଦ୍ୟକୁ ଆଗକୁ ଆଗକୁ ଠେଲୁଥାଏ।
ପାକସ୍ଥଳୀ
ପାକସ୍ଥଳୀ କାନ୍ଥର ସଙ୍କୋଚନ ଓ ଶିଥିଳନ ଫଳରେ ଖାଦ୍ୟର ମନ୍ଥନ ଘଟିଥାଏ। ମନ୍ଥିତ ଖାଦ୍ୟ ସହିତ ପାକସ୍ଥଳୀର ଭିତର ଆସ୍ତରଣରୁ କ୍ଷରିତ ରସ ମିଶିଥାଏ। ପାକସ୍ଥଳୀର କ୍ଷରିତ ରସରେ ପାଚନ ରସ, ଅମ୍ଳ ଏବଂ ଶ୍ଳେଷ୍ମା (Mucus) ଥାଏ। ପାକସ୍ଥଳୀର ପାଚକ ରସ ଖାଦ୍ୟରେ ଥିବା ପୁଷ୍ଟିସାରକୁ ଭାଙ୍ଗି ସରଳ ଉପାଦାନରେ ପରିଣତକରେ। ପାଚକରସ କେବଳ ପୁଷ୍ଟିସାରକୁ ଭାଙ୍ଗି ନ ଥାଏ, ଏହି ଅମ୍ଳ ଅନେକ କ୍ଷତିକାରକ ବୀଜାଣୁକୁ ମଧ୍ୟ ମାରିଦିଏ। ଶ୍ଳେଷ୍ମା ପାକସ୍ଥଳୀର ଆସ୍ତରଣକୁ ଅମ୍ଳଜନିତ କ୍ଷୟରୁ ରକ୍ଷାକରେ। ପାକସ୍ଥଳୀରେ ଖାଦ୍ୟ ଆଂଶିକ ଭାବରେ ହଜମହୁଏ ଏବଂ ଏକ ଅର୍ଦ୍ଧ-ତରଳ ପିଣ୍ଡରେ ରୂପାନ୍ତରିତ ହୁଏ ଓ ଏହାକୁ ପରିପାକର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତକରେ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୩): ପାକସ୍ଥଳୀର ଅନ୍ତର୍ନିହିତ ଗଠନ ଏବଂ ଏହାର କାନ୍ଥରୁ ପାଚକ ରସ, ଅମ୍ଳ ଓ ଶ୍ଳେଷ୍ମା କ୍ଷରଣ ଦର୍ଶାଉଥିବା ଚିତ୍ର।]
ଚିତ୍ତାକର୍ଷକ ତଥ୍ୟ
ମାନବ ଶରୀରରେ ପରିପାକ ପ୍ରକ୍ରିୟା ବିଷୟରେ ବୈଜ୍ଞାନିକମାନେ କିପରି ଜାଣିଲେ ?
ଆଲେକ୍ସି ସେଣ୍ଟ ମାର୍ଟିନ୍ଙ୍କ ପେଟରେ କ୍ଷତ
ପାକସ୍ଥଳୀ କିପରି କାମ କରେ ତାହାର ଆବିଷ୍କାର ଅକସ୍ମାତ୍ ଘଟିଥିଲା। ୧୮୨୨ ମସିହାରେ, ଆଲେକ୍ସି ସେଣ୍ଟ ମାର୍ଟିନ୍ ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ଦୁର୍ଘଟଣାବଶତଃ ଗୁଳି ବାଜିଥିଲା। ଡାକ୍ତର ୱିଲିୟମ୍ ବିଉମଣ୍ଟଙ୍କ ଦ୍ବାରା ତାଙ୍କର ଚିକିତ୍ସା କରାଯାଇଥିଲା। ତଥାପି, ତାଙ୍କର କ୍ଷତ କେବେ ସମ୍ପୂର୍ଣ୍ଣ ଭଲ ହୋଇନଥିଲା, ଏକ ଛୋଟ ସ୍ଥାୟୀ ଛିଦ୍ର ରହିଯାଇଥିଲା। ଏହି ଛିଦ୍ର ଦେଇ ଡାକ୍ତର ବିଉମଣ୍ଟ ପାକସ୍ଥଳୀରେ ପରିପାକ କିପରି ଘଟୁଛି ତାହା ପର୍ଯ୍ୟବେକ୍ଷଣ କରି ପାରିଥିଲେ। ବିଭିନ୍ନ ଖାଦ୍ୟ କିପରି ସରଳୀକୃତ ହୁଏ ତାହା ସେ ପରୀକ୍ଷାକରିଥିଲେ ଏବଂ ଆମର ଭାବନା ବା ମାନସିକ ଆବେଗ କିପରି ପରିପାକପ୍ରକ୍ରିୟାକୁ ପ୍ରଭାବିତ କରେ ତାହା ଅଧ୍ୟୟନ କରିଥିଲେ।
କ୍ଷୁଦ୍ରାନ୍ତ୍ର
ପାକସ୍ଥଳୀ ପରେ ଆଂଶିକ ଭାବରେ ହଜମ ହୋଇଥିବା ଖାଦ୍ୟ କ୍ଷୁଦ୍ରାନ୍ତକୁ ଚାଲିଯାଏ। ଚିତ୍ର ୯.୪ ଦେଖ। ଅନୁମାନକର ଯେ ଏହା କେତେ ଲମ୍ବା। ତୁମେ ଆଶ୍ଚର୍ଯ୍ୟ ହେବ ଯେ ଯଦିଓ ଏହାକୁ କ୍ଷୁଦ୍ରାନ୍ତ୍ର କୁହାଯାଏ, ଏହା ପ୍ରାୟ ୬ ମିଟର ଲମ୍ବା – ତୁମ ଶ୍ରେଣୀଗୃହର ଉଚ୍ଚତାର ପ୍ରାୟ ଦୁଇଗୁଣ ! ତୁମେ ଜାଣି ଆଶ୍ଚର୍ଯ୍ୟ ହେବ ଯେ କ୍ଷୁଦ୍ରାନ୍ତ୍ର ହେଉଛି ପାକନଳୀର ସବୁଠାରୁ ଲମ୍ବା ଅଂଶ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୪): ପାକନଳୀର ବିସ୍ତାରିତ ରୂପ, ଯେଉଁଥିରେ ପାଟି, ପାକସ୍ଥଳୀ, ଯକୃତ, ଅଗ୍ନ୍ୟାଶୟ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଏବଂ ମଳଦ୍ଵାର ପ୍ରଦର୍ଶିତ।]
କ୍ଷୁଦ୍ରାନ୍ତ୍ର ତିନୋଟି ଉତ୍ସରୁ କ୍ଷରିତ ପାଚକ ରସ ଗ୍ରହଣ କରେ, ସେଗୁଡିକ ହେଲା- କ୍ଷୁଦ୍ରାନ୍ତର ଭିତର ଆସ୍ତରଣ, ଯକୃତ ଓ ଅଗ୍ନ୍ୟାଶୟ (ଚିତ୍ର ୯.୪)। ଯକୃତ ସାମାନ୍ୟ କ୍ଷାରକୀୟ ପ୍ରକୃତିର ପିତ୍ତ କ୍ଷରଣକରେ। ‘ଅମ୍ଳୀୟ, କ୍ଷାରକୀୟ ଓ ନିରପେକ୍ଷ ପଦାର୍ଥର ଅନୁସନ୍ଧାନ’ ଅଧ୍ୟାୟରେ ଥିବା ନିରପେକ୍ଷୀକରଣ ପ୍ରତିକ୍ରିୟାକୁ ମନେ ପକାଅ। ପିତ୍ତ ପାକସ୍ଥଳୀରୁ ତଳକୁ ଯାଉଥିବା ଖାଦ୍ୟରେ ମିଶି ଅମ୍ଳକୁ ନିରପେକ୍ଷ କରେ ଏବଂ ସ୍ନେହସାରକୁ କ୍ଷୁଦ୍ର କଣାରେ ଭାଙ୍ଗି ଦିଏ, ଯାହା ଏହାର ପରିପାକକୁ ସହଜ କରିଥାଏ (ଚିତ୍ର ୯.୪)।
ଅଗ୍ନ୍ୟାଶୟରୁ ଅଗ୍ନ୍ୟାଶୟ ରସ କ୍ଷରିତହୁଏ। ଅଗ୍ନ୍ୟାଶୟ ରସ କ୍ଷାରୀୟ ପ୍ରକୃତିର ଏବଂ ଖାଦ୍ୟରେ ଏହାର ଉପସ୍ଥିତି ଏସିଡକୁ ନିରପେକ୍ଷ କରିବାରେ ସାହାଯ୍ୟ କରେ। ଏହା ସହିତ, ଅଗ୍ନ୍ୟାଶୟ ରସ ମଧ୍ୟ ଶ୍ଵେତସାର, ପୁଷ୍ଟିସାର ଏବଂ ସ୍ନେହସାରକୁ ସରଳ କରିଥାଏ। କ୍ଷୁଦ୍ରାନ୍ତ୍ର କାନ୍ଥରୁ କ୍ଷରିତ ପାଚକ ରସ ସ୍ନେହସାର, ପ୍ରୋଟିନ୍ ଏବଂ ଆଂଶିକ ଭାବରେ ହଜମ ହୋଇଥିବା ଶ୍ଵେତସାରକୁ ଆହୁରି ସରଳ କରିଥାଏ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୫): କ୍ଷୁଦ୍ରାନ୍ତର ଭିତର ପଟ ଆସ୍ତରଣରେ ଥିବା ଆଙ୍ଗୁଠି ପରି ଉଠିଥିବା ଅଂଶ ବା ଭିଲାଇ (Villi) ର ସୂକ୍ଷ୍ମ ରୂପ (0.5 mm scale)। ପାଖରେ ମିଲେଟ୍ ଶସ୍ୟର ଚିତ୍ର ରହିଛି।]
ପରିପାକ ହୋଇଥିବା ପୋଷକ ତତ୍ତ୍ୱଗୁଡ଼ିକ କ୍ଷୁଦ୍ରାନ୍ତରୁ ଏହାର କାନ୍ଥରେ ଥିବା ରକ୍ତବାହୀ ନଳୀରେ ପ୍ରବାହିତ ରକ୍ତକୁ ପ୍ରବେଶକରନ୍ତି। ଏହି ପ୍ରକ୍ରିୟାକୁ ପୋଷକତତ୍ତ୍ଵର ଅବଶୋଷଣ କୁହାଯାଏ। ଏହି ପୋଷକତତ୍ତ୍ଵଗୁଡ଼ିକ କ୍ଷୁଦ୍ରାନ୍ତରୁ କିପରି ଅବଶୋଷିତ ହୁଏ ? କ୍ଷୁଦ୍ରାନ୍ତ୍ରର ଭିତର ପଟ ଆସ୍ତରଣ ପତଳା ଏବଂ ଏଥିରେ ହଜାର ହଜାର ଆଙ୍ଗୁଠି ପରି ଉପରକୁ ଉଠିଥିବା ଅଂଶ ଥାଏ (ଚିତ୍ର ୯.୫)। ଏହି ଅଂଶଗୁଡିକ ପୋଷକ ତତ୍ତ୍ବ ଅବଶୋଷଣ ପାଇଁ ପୃଷ୍ଠ ପାର୍ଶ୍ଵ (Surface area) ବୃଦ୍ଧି କରେ। ଏହି ଆଙ୍ଗୁଠି ପରି ପ୍ରକ୍ଷେପଣଗୁଡ଼ିକ ଦେଇ ହଜମ ହୋଇଥିବା ପୋଷକତତ୍ତ୍ବଗୁଡ଼ିକ ରକ୍ତରେ ପ୍ରବେଶକରେ। ରକ୍ତ ଏହାକୁ ଦେହର ବିଭିନ୍ନ ଅଂଶକୁ ନେଇଯାଏ।
ଏହି ପୋଷକ ତତ୍ତ୍ଵଗୁଡ଼ିକ ଶକ୍ତି ପ୍ରଦାନକରନ୍ତି, ବୃଦ୍ଧି ଓ କ୍ଷତିଗ୍ରସ୍ତ ଅଙ୍ଗ ମରାମତିରେ ସାହାଯ୍ୟକରନ୍ତି ଏବଂ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରନ୍ତି।
ବିଜ୍ଞାନ ଏବଂ ସମାଜ
ସିଲିଆକ୍ (Celiac) ରୋଗରେ ଶରୀର ଗ୍ଲୁଟେନ୍ ନାମକ ପୁଷ୍ଟିସାର ସହିତ ପ୍ରତିକ୍ରିୟା କରେ। ଗହମ, ବାର୍ଲି ଏବଂ ରାଇ (Rye)ରେ ଗ୍ଲୁଟେନ୍ ଥାଏ। ଏହି ପ୍ରତିକ୍ରିୟାରେ କ୍ଷୁଦ୍ରାନ୍ତର ଭିତର ଆସ୍ତରଣ (ଯେଉଁଠାରେ ପୁଷ୍ଟିସାର ଜାତୀୟ ପଦାର୍ଥ ଶୋଷିତ ହୁଏ), କ୍ଷତିଗ୍ରସ୍ତ ହୁଏ। ଫଳସ୍ୱରୂପ, ଅନ୍ତନଳୀ ଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ। ସିଲିଆକ୍ ରୋଗ ପରିଚାଳନା କରିବାର ଏକମାତ୍ର ଉପାୟ ହେଉଛି, ଗ୍ଲୁଟେନ୍ ଯୁକ୍ତ ଖାଦ୍ୟ ପରିତ୍ୟାଗ କରିବା। ଯଅ, ବାଜରା, ମାଣ୍ଡିଆ ପ୍ରଭୃତି ମିଲେଟ୍ ଜାତୀୟ ଶସ୍ୟ ସ୍ଵାଭାବିକ ଭାବରେ ଗ୍ଲୁଟେନ୍-ମୁକ୍ତ ହୋଇଥିବାରୁ ଉତ୍ତମ ବିକଳ୍ପ ଖାଦ୍ୟ ଅଟନ୍ତି।
ବୃହଦନ୍ତ୍ର
ଅଧିକାଂଶ ପୋଷକତତ୍ତ୍ଵ କ୍ଷୁଦ୍ରାନ୍ତରେ ପାଚନ ଏବଂ ଶୋଷଣ ହେବା ପରେ, ଅପାଚ୍ୟ ଖାଦ୍ୟସବୁ କ'ଣ ହୁଏ ? ଏହା ବୃହଦନ୍ତ୍ରରେ ପ୍ରବେଶ କରେ। ବୃହଦନ୍ତ୍ର ପ୍ରାୟ ୧.୫ ମିଟର ଲମ୍ବ। ଏହା କ୍ଷୁଦ୍ରାନ୍ତ ଅପେକ୍ଷା ଛୋଟ। ତେବେ ଏହାକୁ ବୃହଦନ୍ତ୍ର କାହିଁକି କୁହାଯାଏ ? କାରଣ ଏହା କ୍ଷୁଦ୍ରାନ୍ତ ଅପେକ୍ଷା ଚଉଡା। ବୃହଦନ୍ତ୍ର ଅପାଚ୍ୟ ଖାଦ୍ୟରୁ ପାଣି ଏବଂ କିଛି ଲବଣ ଶୋଷଣ କରି ବର୍ଜ୍ୟପଦାର୍ଥକୁ ଅର୍ଦ୍ଧ କଠିନ କରିଥାଏ। ଏହି ଅର୍ଦ୍ଧ-କଠିନ ବର୍ଜ୍ୟପଦାର୍ଥକୁ ମଳ କୁହାଯାଏ। ଯେପର୍ଯ୍ୟନ୍ତ ଶରୀର ମଳକୁ ବାହାର କରିବାକୁ ପ୍ରସ୍ତୁତ ନ ହୋଇଛି ସେ ପର୍ଯ୍ୟନ୍ତ ମଳ ବୃହଦନ୍ତ୍ରର ତଳ ଅଂଶରେ, (ଯାହାକୁ ମଳାଶୟ କୁହାଯାଏ,) ରହିଥାଏ। ଫଳ, ପନିପରିବା ଏବଂ ଅକାଣ୍ଡିଆ ଶସ୍ୟ ଭଳି ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବୃହଦନ୍ତ୍ର ଠିକ୍ ଭାବରେ କାର୍ଯ୍ୟ କରେ ଓ ମଳ ସହଜରେ ବାହାରିବାରେ ସାହାଯ୍ୟକରେ। ଶେଷରେ, ଏହା ବହିଃଷ୍କରଣ ପ୍ରକ୍ରିୟା ଦ୍ବାରା ମଳଦ୍ଵାର ଦେଇ ବାହାରକୁ ନିଷ୍କାସିତ ହୁଏ। ଏହିପରି ତୁମକୁ ସୁସ୍ଥ ରଖିବା ପାଇଁ ତୁମ ଶରୀର ଅନାବଶ୍ୟକ ବର୍ଜ୍ୟବସ୍ତୁକୁ ବାହାରକରିଦିଏ !
ଖାଦ୍ୟରୁ ପୋଷକତତ୍ତ୍ୱ ଶୋଷଣ କରିବା ଏବଂ ବର୍ଜ୍ୟବସ୍ତୁକୁ ବାହାର କରିବା ପାଇଁ ପରିପାକ ତନ୍ତ୍ରର କାର୍ଯ୍ୟ ଆକର୍ଷଣୀୟ ନୁହେଁ କି ?
ଚିତ୍ତାକର୍ଷକ ତଥ୍ୟ
ବୃହଦନ୍ତ୍ରରେ ବିଭିନ୍ନ ଅଣୁଜୀବ ଥାଆନ୍ତି, ଯେପରିକି ବୀଜାଣୁ, ଯାହା ହଜମରେ ସାହାଯ୍ୟ କରେ। ସେମାନେ ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତି। ସେମାନେ ହଜମ ହୋଇ ନଥିବା ଖାଦ୍ୟକୁ, ବିଶେଷକରି ତନ୍ତୁକୁ ଭାଙ୍ଗିଦିଅନ୍ତି ଏବଂ ଆବଶ୍ୟକ ପୋଷକ ଉତ୍ପନ୍ନ କରନ୍ତି। ତନ୍ତୁଯୁକ୍ତ ଖାଦ୍ୟ ଏବଂ ବିଶେଷକରି ‘କିଣ୍ଵିତ ଖାଦ୍ୟ’ (ଯେପରିକି ଦହି, ଘୋଳଦହି, ଶ୍ରୀଖଣ୍ଡ, କାଞ୍ଜି, ଆଚାର, ଏଣ୍ଡୁରିପିଠା ଏବଂ ପଖାଳ ଭାତ) ସୁସ୍ଥ ପାଚନ ପ୍ରଣାଳୀ ଏବଂ ସାମଗ୍ରିକ ସୁସ୍ଥତା ପାଇଁ ଉତ୍ତମ ଅଟେ।
ବିଜ୍ଞାନ ଓ ସମାଜ
ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବାରେ ପାଚନର ଗୁରୁତ୍ଵ ଶତାବ୍ଦୀ ଶତାବ୍ଦୀ ଧରି ସ୍ୱୀକୃତ। ଏକ ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ, “ଚରକ ସଂହିତା”ରେ ସହଜରେ ପାଚନଯୋଗ୍ୟ ଖାଦ୍ୟ ଓ ପାଚନ ଶକ୍ତି ବୃଦ୍ଧି ପାଇଁ ଅଦା, ଗୋଲମରିଚ ଏବଂ ଜିରା ଭଳି ମସଲାର ସୁବିଚାରିତ ବ୍ୟବହାର ଉପରେ ଆଲୋକପାତ କରାଯାଇଛି। ପୋଷଣ କ୍ଷେତ୍ରରେ ବିଜ୍ଞାନର ଅଗ୍ରଗତି ମଧ୍ଯ ପାଚନ ସ୍ୱାସ୍ଥ୍ୟ ବଜାୟ ରଖିବାରେ ଯେଉଁଗୁଡ଼ିକୁ ମୁଖ୍ୟ କାରଣ ଭାବରେ ଗୁରୁତ୍ଵ ଦେଉଛନ୍ତି ସେହି ବିଷୟଗୁଡ଼ିକ ହେଉଛି ଠିକ୍ ସମୟରେ ଖାଦ୍ୟ ଖାଇବା, ସଚେତନ ଖାଦ୍ୟାଭ୍ୟାସ ଏବଂ ଅତ୍ୟଧିକ ଖାଦ୍ୟ ଗ୍ରହଣ ଏଡାଇବା।
୯.୧.୨ ସମସ୍ତ ପ୍ରାଣୀଙ୍କର ଖାଦ୍ୟ ପାଚନ ପ୍ରକ୍ରିୟା ମଣିଷ ସହିତ ସମାନ କି ?
ମୁଁ ଦେଖୁଛି ଗାଈମାନେ ଚରୁ ନଥିବା ବେଳେ କିମ୍ବା କିଛି ଖାଉନଥିବା ବେଳେ ମଧ୍ୟ କିଛି ଚୋବାଇଚାଲିଥାନ୍ତି। କାହିଁକି ?
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୬): ପାକୁଳି କରୁଥିବା ପଶୁ (ଗାଈ)ର ପାଚନ ତନ୍ତ୍ର, ଯେଉଁଥିରେ ଗ୍ରାସନଳୀ, ରୁମେନ୍, ଅଗ୍ନ୍ୟାଶୟ ଏବଂ କ୍ଷୁଦ୍ରାନ୍ତ୍ର ଦର୍ଶାଯାଇଛି।]
ଗାଈ (ଚିତ୍ର ୯.୬) ଏବଂ ମଇଁଷି ଭଳି ତୃଣଭୋଜୀ ପ୍ରାଣୀମାନେ ଘାସ, କୁଟା ଇତ୍ୟାଦି ଖାଇବା ସମୟରେ ଶୀଘ୍ର ଶୀଘ୍ର ଖାଦ୍ୟକୁ ଗିଳି ଦିଅନ୍ତି। ଏହି ଖାଦ୍ୟ ପାକସ୍ଥଳୀର ପ୍ରଥମ ଭାଗ ରୁମେନ୍ (rumen) [???]। ଏଠାରେ ଖାଦ୍ୟର ଆଂଶିକ ପାଚନ ହୁଏ। ପରେ ଏହି ଆଂଶିକ ଭାବରେ ପାଚନ ହୋଇଥିବା ଖାଦ୍ୟ ଛୋଟ ଛୋଟ ଗୁଳାରେ ପରିଣତ ହୋଇ ପାଟିକୁ ଫେରି ଆସେ। ସେମାନେ ତାକୁ ପୁଣି ଥରେ ଚୋବେଇ ଚୋବେଇ ଖାଇଥା’ନ୍ତି। ଏହି ପ୍ରକ୍ରିୟାକୁ ରୋମନ୍ଥନ (ପାକୁଳି କରିବା) ଏବଂ ଏହି ପ୍ରାଣୀମାନଙ୍କୁ ରୋମନ୍ଥକ କୁହାଯାଏ। ଗୋଟିଏ ଗାଈ ଦିନକୁ ପ୍ରାୟ ୮ ଘଣ୍ଟା କେବଳ ଖାଦ୍ୟ ଚୋବାଇବାରେ ବିତାଏ ! ଭଲ ଭାବରେ ଚୋବାଇଥିବା ଖାଦ୍ୟ ପୁନର୍ବାର ଅଧିକ ହଜମ ପାଇଁ ଗ୍ରାସନଳୀ ବା ଖାଦ୍ୟନଳୀ (oesophagus) ପରି ପାକନଳୀ ଦେଇ [???]।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୭): ପକ୍ଷୀର ପାଚନ ତନ୍ତ୍ର, ଯେଉଁଥିରେ ଗ୍ରାସନଳୀ, ପାକସ୍ଥଳୀ, ଗିଜାର୍ଡ଼ ଏବଂ ଅନ୍ତ ଚିହ୍ନିତ ହୋଇଛି।]
ପକ୍ଷୀମାନଙ୍କର ଦାନ୍ତ ନାହିଁ, କିନ୍ତୁ ସେମାନଙ୍କର ପାକସ୍ଥଳୀ ତଳକୁ ଏକ କୋଠରୀ ଅଛି ଯାହାକୁ ଗିଜାର୍ଡ (gizzard) କୁହାଯାଏ (ଚିତ୍ର ୯.୭)। ଗିଜାର୍ଡର କାନ୍ଥର ସଙ୍କୋଚନ ଓ ଶିଥିଳନ ତଥା ପକ୍ଷୀମାନେ ପ୍ରାୟତଃ ଗିଳି ଦେଉଥିବା ଛୋଟ ଗୋଡି ସାହାଯ୍ୟରେ ଖାଦ୍ୟ ଛୋଟ ଖଣ୍ଡରେ ପରିଣତ ହୁଏ।
ଏହା ଦର୍ଶାଉଛି ଯେ ବିଭିନ୍ନ ପ୍ରକାର ଖାଦ୍ୟ ହଜମକରିବା ପାଇଁ ପ୍ରାଣୀମାନଙ୍କର ପାଚନ ନଳୀର ଗଠନ ଓ କାର୍ଯ୍ୟଧାରା ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ।
ଆମେ ଶିଖିଲେ ଯେ ପାଚନହୋଇଥିବା ଖାଦ୍ୟରୁ ମିଳୁଥିବା ପୋଷକ ଦ୍ରବ୍ୟ ଶରୀରର ବିଭିନ୍ନ ଅଂଶକୁ ଯାଏ। କିଛି ପୋଷକ ଦ୍ରବ୍ୟ ଶରୀର ଗଠନ ଓ ମରାମତିରେ ସାହାଯ୍ୟକରେ, କିନ୍ତୁ ଚିନି ପରି ଅନ୍ୟ କିଛି ଖାଦ୍ୟ ଶରୀର ଭିତରେ ଭାଙ୍ଗି ଯାଇ ସରଳୀକୃତ ହୁଏ ଓ ଶକ୍ତିମୋଚନ କରେ। ଯେଉଁ ପ୍ରକ୍ରିୟା ଦ୍ଵାରା ପୋଷକ ପଦାର୍ଥ ବ୍ୟବହାରଯୋଗ୍ୟ ଶକ୍ତିରେ ରୂପାନ୍ତରିତ ହୁଏ ତାହାକୁ ଶ୍ୱସନ (respiration) କୁହାଯାଏ। ଆସ ଏହି ପ୍ରକ୍ରିୟା ପ୍ରାଣୀମାନଙ୍କଠାରେ କିପରି ଘଟେ ତାହା ଅନ୍ଵେଷଣ କରିବା।
୯.୨ ପ୍ରାଣୀମାନଙ୍କର ଶ୍ୱସନ
ଆମେ ଷଷ୍ଠ ଶ୍ରେଣୀ ବିଜ୍ଞାନ ପୁସ୍ତକର ‘ଜୀବଜଗତର ବୈଶିଷ୍ଟ୍ୟ’ ଅଧ୍ୟାୟରେ ଜାଣିଥିଲେ ଯେ ସମସ୍ତ ଜୀବ ଶ୍ଵାସକ୍ରିୟା କରନ୍ତି। ସମସ୍ତ ପ୍ରାଣୀଙ୍କ ଶ୍ୱସନ ପ୍ରକ୍ରିୟା କ’ଣ ସମାନ ? ଆସ, ପ୍ରଥମେ ମଣିଷଙ୍କ ଶ୍ୱସନ ପ୍ରକ୍ରିୟାକୁ ବୁଝିବା।
୯.୨.୧ ମଣିଷ ଶରୀରରେ ଶ୍ୱସନ
ତୁମେ ଜାଣ ଯେ ଆମେ ଅମ୍ଳଜାନ ଗ୍ରହଣକରିବା ଏବଂ ଅଙ୍ଗାରକାମ୍ଳ ତ୍ୟାଗକରିବା ପାଇଁ ନିରନ୍ତର ପ୍ରଶ୍ଵାସନେଉ - ନିଃଶ୍ବାସ ଛାଡୁ। ଏହି ଅମ୍ଳଜାନ ଶରୀରରେ କିପରି ବ୍ୟବହୃତ ହୁଏ ? ଶ୍ଵାସକ୍ରିୟା ଓ ଶ୍ୱସନ ଭିନ୍ନ କି ? ଆସ, ଜାଣିବା।
ଆମେ କିପରି ଶ୍ଵାସକ୍ରିୟା କରୁ ?
ବାୟୁ ନେବା ଏବଂ ବାୟୁ ଛାଡିବା ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ। ଖାଦ୍ୟ ବିନା ଗୋଟିଏ ସପ୍ତାହ ବଞ୍ଚିବା କଷ୍ଟକର; ପାଣି ବିନା ଦିନେ କିମ୍ବା ଦୁଇ ଦିନ, କିନ୍ତୁ ଶ୍ଵାସକ୍ରିୟା ବିନା ଆମେ ସାଧାରଣତଃ କିଛି ମିନିଟ୍ ରୁ ଅଧିକ ବଞ୍ଚିପାରିବୁ ନାହିଁ। ଏପରି କାହିଁକି ହୁଏ ? କାରଣ ଶ୍ଵାସକ୍ରିୟା ଯୋଗୁଁ ଆମେ ଜୀବିତ ଅଛୁ। କେବଳ ମଣିଷ ନୁହେଁ, ଉଭିଦ ଏବଂ ଅନ୍ୟାନ୍ୟ ପ୍ରାଣୀ ମଧ୍ଯ ଶ୍ଵାସକ୍ରିୟାକରନ୍ତି। କିନ୍ତୁ ଆମେ କିପରି ଶ୍ଵାସକ୍ରିୟା କରୁ ?
ଯେପରି ଖାଦ୍ୟ ପାଚନତନ୍ତ୍ରରେ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରିଥାଏ, ସେହିପରି ଆମ ଶରୀରରେ ମଧ୍ଯ ଶ୍ଵାସକ୍ରିୟା ଓ ଶ୍ୱସନ ପାଇଁ ଏକ ନିର୍ଦ୍ଦିଷ୍ଟ ତନ୍ତ୍ର ରହିଛି। ଏହି ତନ୍ତ୍ରକୁ ଶ୍ୱସନ ତନ୍ତ୍ର (respiratory system) କୁହାଯାଏ। ଚିତ୍ର ୯.୮ ରେ ଦେଖାଯାଇଥିବା ପରି ଶ୍ଵସନତନ୍ତ୍ରରେ ବିଭିନ୍ନ ଅଂଶ ଥାଏ। ଶ୍ୱସନ ତନ୍ତ୍ରରେ ଗ୍ୟାସଗୁଡ଼ିକର ବିନିମୟ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣକରେ। ଯେଉଁ ପଥରେ ବାୟୁ ଗ୍ରହଣ ଓ ନିଷ୍କାସନ ହୋଇଥାଏ, ତାହାର ବିଭିନ୍ନ ଅଂଶ ଶ୍ୱସନ ତନ୍ତ୍ରର ଅନ୍ତର୍ଭୁକ୍ତ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୮): ମାନବ ଶ୍ଵସନତନ୍ତ୍ରର ଚିତ୍ର, ଯେଉଁଥିରେ ନାସାରନ୍ଧ୍ର, ବାୟୁନଳୀ, କୋଟରିକା, ବାମ ଫୁସ୍ଫୁସ୍, ଦକ୍ଷିଣ ଫୁସ୍ଫୁସ୍, ପଞ୍ଜରା ଏବଂ ମଧ୍ୟଚ୍ଛଦା ଦର୍ଶାଯାଇଛି।]
ଶ୍ୱସନତନ୍ତ୍ର ନାସାରନ୍ଧ୍ର (ନାକପୁଡା) ନାମକ ଏକ ଯୋଡା ରନ୍ଧ୍ର ସହିତ ଆରମ୍ଭହୁଏ ଯାହା ମାଧ୍ୟମରେ ଆମେ ପ୍ରଶ୍ଵାସ ନେଉ ଏବଂ ନିଃଶ୍ବାସ ବାୟୁ ତ୍ୟାଗ କରୁ (ଚିତ୍ର ୯.୮)। ଆମର ପ୍ରଶ୍ଵାସ ବାୟୁ ନାସାପଥ ନାମକ ଏକ ଯୋଡା ଛୋଟ ପଥ ମଧ୍ୟରେ ପ୍ରବେଶ କରେ। ତୁମେ ତୁମର ନାକ ଭିତରେ ଛୋଟ କେଶ ଦେଖିଛ କି ? ଏହି କେଶ ଶ୍ଳେଷ୍ମା ସହିତ ମିଶି ଆମେ ପ୍ରଶ୍ବାସରେ ନେଉଥିବା ବାୟୁରୁ ଧୂଳି ଏବଂ ମଇଳାକୁ ଧରି ରଖନ୍ତି। ଏହି କାରଣରୁ ଆମେ ପାଟିରେ ନ ନେଇ ନାକ ଦ୍ୱାରା ପ୍ରଶ୍ଵାସ ନେବା ଉଚିତ।
ନାସାପଥରୁ ବାୟୁନଳୀ ମାଧ୍ୟମରେ ବାୟୁ ଆମ ଫୁସଫୁସରେ ପହଞ୍ଚେ। ବାୟୁନଳୀ ଦୁଇଟି ଶାଖାରେ ବିଭକ୍ତ ହୋଇ ଦୁଇଟି ଫୁସଫୁସରେ ପ୍ରବେଶ କରେ। ଫୁସଫୁସରେ, ଏହି ଦୁଇ ଶାଖା ଆହୁରି ଛୋଟ ଏବଂ ସୂକ୍ଷ୍ମ ଶାଖାରେ ବିଭକ୍ତ ହୁଏ ଯାହା କୋଟରିକା (alveoli) ନାମକ ଛୋଟ ଛୋଟ ବେଲୁନ ପରି ଥଳିରେ ଶେଷହୁଏ (ଚିତ୍ର ୯.୮)। ଆମର ଫୁସଫୁସ ଛାତିର ପଞ୍ଜରା ଦ୍ବାରା ସୁରକ୍ଷିତ।
ବିଜ୍ଞାନ ଓ ସମାଜ
ଯଦିଓ ପ୍ରଶ୍ବାସ ବାୟୁରୁ ଅନେକ ପରିମାଣରେ ଧୂଳି ଛାଣି ହୋଇରହିଯାଏ, ତଥାପି ଅନେକ ସମୟରେ ଛୋଟ ଛୋଟ ସଂକ୍ରାମକ ରୋଗ କଣିକା ଫୁସ୍ଫୁସକୁ ପ୍ରବେଶ କରିପାରେ। ଉଦାହରଣ ସ୍ୱରୂପ, COVID-19 ମହାମାରୀ ସମୟରେ, SARS-CoV-2 ଭାଇରସ ଶ୍ଵାସତନ୍ତ୍ରକୁ ପ୍ରଭାବିତ କରିଥିଲା, ଯାହା ଫଳରେ ଶ୍ଵାସକ୍ରିୟାରେ ଅସୁବିଧା ହେଉଥିଲା ଏବଂ ପ୍ରାୟତଃ ଗୁରୁତର ଫୁସ୍ଫୁସ୍ ସମସ୍ୟା ସୃଷ୍ଟି ହୋଇଥିଲା।
ଆସ, ଏକ ସରଳ ପ୍ରତିରୂପ (Model) ତିଆରି କରି ଶ୍ଵାସକ୍ରିୟାର କୌଶଳ ବୁଝିବା।
କାର୍ଯ୍ୟକଳାପ ୯.୨ : ଗୋଟିଏ ମଡ଼େଲ୍ ତିଆରି କରିବା ।
-
ଢାଙ୍କୁଣି ଥିବା ଗୋଟିଏ ଚଉଡା ସ୍ୱଚ୍ଛ ପ୍ଲାଷ୍ଟିକ୍ ବୋତଲ ନିଅ। ଏହାର ତଳ ଅଂଶ କାଟି ବାହାର କରି ଦିଅ।
-
ବୋତଲର ଢାଙ୍କୁଣିରେ ଏକ ଛିଦ୍ରକର।
-
ଚିତ୍ର ୯.୯ ରେ ଦେଖାଯାଇଥିବା ପରି ଏକ Y-ଆକାରର ଫାଙ୍କା ନଳୀ ନିଅ।
-
ନଳୀର ଦୁଇ କେନା ଶେଷରେ ଦୁଇଟି ଫୁଙ୍କାଯାଇ ନ ଥିବା ବେଲୁନ୍ ପୂରାଅ। ଗୋଟିଏ ରବର ବ୍ୟାଣ୍ଡ୍ ସହିତ ସେଗୁଡ଼ିକୁ ଭଲ ଭାବରେ ବାନ୍ଧି [???], ଯେପରିକି ତାହା ଭିତରକୁ ବାୟୁ ଯାଇପାରିବ ନାହିଁ।
-
ନଳୀର ସିଧା ପାଖକୁ ଢାଙ୍କୁଣି ମଧ୍ୟରେ ଗୋଟିଏ କଣା କରି ବୋତଲ ଭିତରକୁ ପ୍ରବେଶ କରାଅ ଓ ଢାଙ୍କୁଣିକୁ ମାଟି ଲଗାଇ ଭଲ ଭାବରେ ସିଲ୍ କରିଦିଅ, ଯାହା ଫଳରେ ଏହା ବାୟୁରୋଧୀ ହୋଇପାରିବ।
-
ବୋତଲର ଖୋଲା ତଳ ଭାଗରେ ଏକ ପତଳା ରବର ଖଣ୍ଡ ବା ବେଲୁନ୍କୁ ବଡ ରବର ବ୍ୟାଣ୍ଡ୍ ଦ୍ବାରା ଭଲ ଭାବରେ ବାନ୍ଧିଦିଅ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୯): ଶ୍ଵାସକ୍ରିୟାର କୌଶଳ ପ୍ରଦର୍ଶନ ପାଇଁ ବୋତଲ-ବେଲୁନ ମଡେଲ। (କ) ରବର ସିଟ୍ ତଳକୁ ଟାଣିବା ବେଳେ ବେଲୁନ୍ ଫୁଲିବା (ପ୍ରଶ୍ଵାସ), (ଖ) ରବର ସିଟ୍ ଛାଡିଦେବା ବେଳେ ବେଲୁନ୍ ସଂକୁଚିତ ହେବା (ନିଃଶ୍ବାସ)।]
ତଳ ଭାଗରେ ଲାଗିଥିବା ରବର ବା ବେଲୁନ୍କୁ ମଝିରୁ ତଳ ଆଡକୁ ଟାଣ ଏବଂ ବେଲୁନ୍ଗୁଡ଼ିକୁ ଦେଖ (ଚିତ୍ର ୯.୯ କ)। ତୁମେ କ’ଣ ଦେଖୁଛ ? ଏବେ ରବରକୁ ଉପରକୁ ଛାଡି ଦିଅ ଏବଂ ବେଲୁନ୍ ଗୁଡ଼ିକୁ ଦେଖ (ଚିତ୍ର ୯.୯ ଖ)। ବେଲୁନ୍ଗୁଡ଼ିକରେ ତୁମେ କ’ଣ ପରିବର୍ତ୍ତନ ଦେଖୁଛ ? ଯେତେବେଳେ ତୁମେ ରବର ସିଟ୍କୁ ତଳକୁ ଟାଣ, ବେଲୁନ୍ଗୁଡ଼ିକ ଫୁଲିଯାଏ। ବିପରୀତ ଭାବରେ, ଯେତେବେଳେ ତୁମେ ରବର ସିଟ୍କୁ ଉପରକୁ ଛାଡିଦିଅ, ବେଲୁନ୍ଗୁଡ଼ିକ ସଂକୁଚିତ ହୋଇଯାଏ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୦): ଶ୍ଵାସକ୍ରିୟାର କୌଶଳ। (କ) ପ୍ରଶ୍ବାସ: ପବନ ଭିତରକୁ ପଶେ, ପଞ୍ଜରା ବାହାରକୁ ଆସେ, ମଧ୍ୟଚ୍ଛଦା ତଳକୁ ଗତି କରେ। (ଖ) ନିଃଶ୍ବାସ: ପବନ ବାହାରକୁ ଯାଏ, ପଞ୍ଜରା ଭିତରକୁ ଯାଏ, ମଧ୍ୟଚ୍ଛଦା ଉପରକୁ ଉଠେ।]
ତୁମେ ଯେତେବେଳେ ପ୍ରଶ୍ବାସ [???], ପଞ୍ଜରା ହାଡଗୁଡ଼ିକ ଉପରକୁ ଏବଂ ବାହାରକୁ ଠେଲି ହୋଇଯିବାରୁ ତୁମ ଛାତି ବିସ୍ତାରିତ ହୁଏ ଅର୍ଥାତ୍ ଆୟତନ ବୃଦ୍ଧିପାଏ। ପ୍ରଶ୍ବାସ ନେବା ସମୟରେ ଫୁସଫୁସ ତଳେ ଥିବା ଏକ ଗମ୍ବୁଜ ଆକୃତିର ମାଂସପେଶୀ, ଯାହାକୁ ମଧ୍ୟଚ୍ଛଦା (diaphragm) କୁହାଯାଏ, ତାହା ତଳକୁ ଗତିକରେ (ଚିତ୍ର ୯.୧୦ କ)। ଏହା ଫଳରେ ଛାତି ଭିତରେ ସ୍ଥାନ ବୃଦ୍ଧି ହୁଏ ଓ ବାୟୁ ଫୁସଫୁସରେ ପ୍ରବେଶ କରେ। ତୁମେ ନିଃଶ୍ବାସ ବାହାର କରିବା ବେଳେ ପଞ୍ଜରାଗୁଡ଼ିକ ତଳକୁ ଏବଂ ଭିତରକୁ ଗତି କରେ, ଏବଂ ମଧ୍ୟଚ୍ଛଦା ଉପରକୁ ଉଠିଯାଏ (ଚିତ୍ର ୯.୧୦ ଖ), ଛାତି ଭିତରେ ସ୍ଥାନ ହ୍ରାସହୁଏ ଏବଂ ଫୁସଫୁସରୁ ବାୟୁ ବାହାରକୁ ଠେଲିହୋଇଯାଏ।
ଚିତ୍ର ୯.୧୦ ରେ ଆମେ କରିଥିବା ମଡେଲରେ ଥିବା ବେଲୁନଗୁଡ଼ିକ କାହାକୁ ପ୍ରତିନିଧିତ୍ବ କରନ୍ତି ? ରବର ଖଣ୍ଡ କାହାକୁ ପ୍ରତିନିଧିତ୍ବ କରେ ? ଏହି ମଡେଲରେ ବେଲୁନଗୁଡ଼ିକ ଫୁସଫୁସକୁ ପ୍ରତିନିଧିତ୍ବ କରନ୍ତି ଏବଂ ରବର ଖଣ୍ଡ ମଧ୍ଯଚ୍ଛଦାକୁ ପ୍ରତିନିଧିତ୍ବ କରେ।
ବିଜ୍ଞାନ ଏବଂ ସମାଜ
ଜୀବନ ପାଇଁ ଶ୍ୱାସକ୍ରିୟା ଅଭ୍ୟାସ
ଭାରତ ତଥା ବିଶ୍ଵର ବିଭିନ୍ନ ସଂସ୍କୃତିରେ ଶହ ଶହ ବର୍ଷ ଧରି ଶ୍ଵାସକ୍ରିୟା ବ୍ୟାୟାମ (ପ୍ରାଣାୟାମ) ଅଭ୍ୟାସ କରାଯାଇ ଆସୁଅଛି। ଶ୍ଵସନ ସ୍ଵାସ୍ଥ୍ୟ, ମାନସିକ ଶାନ୍ତି ଏବଂ ଏକାଗ୍ରତାକୁ ଉନ୍ନତ କରିବା ପାଇଁ ପ୍ରାଣାୟାମ ଏକ ଜଣାଶୁଣା ପଦ୍ଧତି। ଲଦାଖରେ, ଲୋକମାନେ ଟୁମୋ ଶ୍ଵାସକ୍ରିୟା ଅଭ୍ୟାସ କରନ୍ତି, ଏହି କୌଶଳ ଫୁସଫୁସ କାର୍ଯ୍ୟକୁ ଉନ୍ନତକରେ ଏବଂ ଥଣ୍ଡା ପାଗରେ ମଧ୍ୟ ଶରୀରକୁ ଉଷ୍ମ ରଖିବାରେ ସାହାଯ୍ୟ କରେ। ସେହିପରି, ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଗଭୀର ଶ୍ଵାସକ୍ରିୟା କୌଶଳ ବ୍ୟବହାରକରାଯାଏ। ଅନେକ ପାରମ୍ପରିକ ପ୍ରଥାରେ ଲୟବଦ୍ଧ ଶ୍ଵାସ ନିୟନ୍ତ୍ରଣକରି ଗଭୀର ଶ୍ଵାସ ସହିତ ଜପକୁ ଯୋଡା ଯାଇଛି। ଏହାଦ୍ଵାରା ଶାନ୍ତି, ସ୍ଥିରତା ଓ ମାନସିକ ସ୍ପଷ୍ଟତା ବଢିଥାଏ।
ଆମେ ନିଃଶ୍ବାସରେ କ’ଣ ବାହାର କରୁ ?
କାର୍ଯ୍ୟକଳାପ ୯.୩ ଆସ, ଅନୁସନ୍ଧାନ କରିବା ।
(ଶିକ୍ଷକଙ୍କ ଦ୍ବାରା ପ୍ରଦର୍ଶନ କରାଯିବ)
-
ଚିତ୍ର ୯.୧୧ ରେ ଦିଆଯାଇଥିବା ପରି ଦୁଇଟି ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ରେ ସମାନ ପରିମାଣରେ ସଦ୍ୟ ପ୍ରସ୍ତୁତ ଚୂନ ପାଣି ନିଅ।
-
ପରୀକ୍ଷା ନଳୀ ‘କ’ ରେ ଏକ ସିରିଞ୍ଜ/ପିଚକାରୀ (ଚିତ୍ର ୯.୧୧ ‘କ’) ବ୍ୟବହାର କରି ବାୟୁ ପ୍ରବେଶ କରାଅ। ଏହା ସେହି ସମାନ ବାୟୁ ଯାହା ତୁମେ ପ୍ରଶ୍ବାସରେ ନିଅ।
-
ପରୀକ୍ଷା ନଳୀ ‘ଖ’ ରେ ବାରମ୍ବାର ତୁମ ମୁହଁ ଦେଇ ବାୟୁକୁ ଫୁଙ୍କି ଭର୍ତ୍ତିକର।
-
ତୁମେ କ’ଣ ଚୂନ ପାଣିର ରଙ୍ଗରେ କୌଣସି ପରିବର୍ତ୍ତନ ଦେଖୁଛ ?
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୧): (କ) ପିଚକାରୀ/ ସିରିଞ୍ଜ୍ ସାହାଯ୍ୟରେ ଚୂନ ପାଣିରେ ବାୟୁ ପ୍ରବେଶ, (ଖ) ମୁହଁରେ ନଳୀ ଦେଇ ଚୂନ ପାଣିରେ ନିଃଶ୍ବାସ ବାୟୁ ପ୍ରବେଶ।]
ପରୀକ୍ଷା ନଳୀ ‘ଖ’ ରେ ଚୂନ ପାଣି କ୍ଷୀର ଭଳି ଧଳା (କିମ୍ବା ମେଘୁଆ) ହୋଇଯାଏ, କିନ୍ତୁ ପରୀକ୍ଷା ନଳୀ ‘କ’ ରେ ଚୂନ ପାଣି ସେପରି ହୁଏ ନାହିଁ। ଏଥରୁ କଣ ଜଣା ପଡୁଛି ? ଚୂନ ପାଣି ଅଙ୍ଗାରକାମ୍ଳ ସହିତ ପ୍ରତିକ୍ରିୟା କଲେ କ୍ଷୀର ଭଳି ଧଳା ରଙ୍ଗ ହୋଇଯାଏ। ତେଣୁ, ଏହା ପ୍ରମାଣିତ କରେ ଯେ ନିଃଶ୍ବାସ ବାୟୁରେ ଆମେ ପ୍ରଶ୍ବାସରେ ନେଇଥିବା ବାୟୁ ଅପେକ୍ଷା ଅଧିକ ଅଙ୍ଗାରକାମ୍ଳ ଥାଏ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୨): କୋଟରିକା (Alveoli) ଏବଂ ସୂକ୍ଷ୍ମ ରକ୍ତନଳୀ ମଧ୍ୟରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ୍ ବିନିମୟର ଚିତ୍ର।]
ଗ୍ୟାସ୍ର ବିନିମୟ କିପରି ହୁଏ ?
ଶ୍ଵାସକ୍ରିୟା ମାଧ୍ୟମରେ, ବାହାରୁ ତାଜା ପବନ ଫୁସଫୁସରେ ପ୍ରବେଶକରେ ଏବଂ କୋଟରିକାକୁ ପୂର୍ଣ୍ଣକରେ। କୋଟରିକାର ପତଳା ପ୍ରାଚୀର ରକ୍ତପୂର୍ଣ୍ଣ ସୂକ୍ଷ୍ମ ନଳୀ ଦ୍ବାରା ଘେରିରହିଥାଏ (ଚିତ୍ର ୯.୧୨)। ରକ୍ତ ଶରୀରରୁ କୋଟରିକାକୁ ଅଙ୍ଗାରକାମ୍ଳ ଆଣିଥାଏ, ଯେଉଁଠାରେ ଏହା ବାୟୁ ମଧ୍ୟକୁ ମୁକ୍ତ ହୋଇଥାଏ। ସେହି ସମୟରେ କୋଟରିକାରୁ ଅମ୍ଳଜାନ ଆସି ରକ୍ତରେ ପ୍ରବେଶକରେ ଏବଂ ଶରୀରର ସମସ୍ତ ଅଂଶକୁ ପରିବାହିତ ହୁଏ।
ତୁମେ କେବେ ଭାବିଛ କି ତୁମେ ଖାଉଥିବା ଖାଦ୍ୟ ତୁମକୁ କିପରି ଶକ୍ତି ପ୍ରଦାନକରେ ? ମୁଖ୍ୟ କଥା ହେଉଛି କେବଳ ଖାଦ୍ୟ ନୁହେଁ ବରଂ ଆମେ ଶ୍ଵାସକ୍ରିୟାରେ ବ୍ୟବହାର କରୁଥିବା ଅମ୍ଳଜାନ ମଧ୍ୟ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ! ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ଶରୀର ଏହାକୁ ଶର୍କରା (ଗ୍ଲୁକୋଜ୍) ଭଳି ସରଳ ପଦାର୍ଥରେ ପରିଣତ କରେ। ଶକ୍ତି ମୁକ୍ତ କରିବା ପାଇଁ ଅମ୍ଳଜାନ ଗ୍ଲୁକୋଜ୍କୁ ଭାଙ୍ଗିବାରେ ସାହାଯ୍ୟ କରେ। ଏହି ପ୍ରକ୍ରିୟାକୁ ଶ୍ୱସନ କୁହାଯାଏ। ଶ୍ୱସନ ପ୍ରକ୍ରିୟାର ଶବ୍ଦ ସମୀକରଣ ନିମ୍ନଲିଖିତ ପ୍ରକାର ଅଟେ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୩): ଫୁସଫୁସ ମାଧ୍ୟମରେ ବାୟୁ ବିନିମୟ; ପ୍ରଶ୍ବାସ ବାୟୁ (ପ୍ରାୟ ୨୧% ଅମ୍ଳଜାନ, ପ୍ରାୟ ୦.୦୪% ଅଙ୍ଗାରକାମ୍ଳ) ଏବଂ ନିଃଶ୍ବାସ ବାୟୁ (ପ୍ରାୟ ୧୬–୧୭% ଅମ୍ଳଜାନ, ପ୍ରାୟ ୪-୫% ଅଙ୍ଗାରକାମ୍ଳ) ର ଶତକଡ଼ା ପରିମାଣ ଦର୍ଶାଉଥିବା ଚିତ୍ର।]
ଶ୍ଵାସକ୍ରିୟା ସମୟରେ, ଆମେ ଆମ ଚାରିପାଖରୁ ଅଧିକ ଅମ୍ଳଜାନ ଥିବା ବାୟୁ ଗ୍ରହଣକରୁ ଏବଂ ନିଶ୍ବାସରେ ଅଧିକ ଅଙ୍ଗାରକାମ୍ଳ ଥିବା ବାୟୁ ବାହାରକରୁ। ଧ୍ୟାନ ଦିଅ ଯେ, ସମସ୍ତ ଅମ୍ଳଜାନ ବ୍ୟବହୃତହୁଏ ନାହିଁ (ଚିତ୍ର ୯.୧୩)। ଅନ୍ୟ କିଛି ପ୍ରାଣୀ ଶ୍ଵସନ ସମୟରେ ଅମ୍ଳଜାନର ଏକ ବଡ଼ ଅଂଶ ବ୍ୟବହାର କରିପାରନ୍ତି। ଗ୍ୟାସର ଏହି ବିନିମୟ ଆମ ଶରୀରର ପ୍ରତ୍ୟେକ ଅଂଶ ଶକ୍ତି ଉତ୍ପାଦନକରିବା ଏବଂ ବର୍ଜ୍ୟ ପଦାର୍ଥଗୁଡ଼ିକୁ ବାହାର କରିବା ପାଇଁ ଅମ୍ଳଜାନ ପାଇବା ନିଶ୍ଚିତକରେ। ସରଳ କଥାରେ, ଶ୍ଵାସକ୍ରିୟା ଶରୀର ଭିତରକୁ ଅମ୍ଳଜାନ ଆଣେ ଏବଂ ଅଙ୍ଗାରକାମ୍ଳ ବାହାରକରେ; ମାତ୍ର ଶ୍ଵସନ ଖାଦ୍ୟକୁ ଭାଙ୍ଗିବା ଏବଂ ଶକ୍ତି ମୋଚନକରିବା ପାଇଁ ଅମ୍ଳଜାନ ବ୍ୟବହାରକରେ। ଏହି ଶକ୍ତି ଆମକୁ ଚାଲିବା, ଦୌଡ଼ିବା, ଖେଳିବା ଏବଂ ଏପରିକି ଚିନ୍ତା କରିବାରେ ସାହାଯ୍ୟ କରେ !
ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା, ଯେତେବେଳେ କି ଶ୍ୱସନ ଏକ ରାସାୟନିକ ପ୍ରକ୍ରିୟା ଯାହା ଶରୀର ଭିତରେ ଘଟେ। ଉଭୟ ପ୍ରକ୍ରିୟା ଆମ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ !
ଆମ ଶରୀରରେ ପୋଷକତତ୍ତ୍ଵ, ଅମ୍ଳଜାନ ଏବଂ ଅନ୍ୟାନ୍ୟ ପଦାର୍ଥ ପରିବହନ ପାଇଁ ଏକ ଅନନ୍ୟ ସଂସ୍ଥା ରହିଛି। ଏହି ସଂସ୍ଥାକୁ ରକ୍ତସଂଚାଳନ ସଂସ୍ଥା କୁହାଯାଏ। ଏଥିରେ ହୃତ୍ପିଣ୍ଡ, ରକ୍ତ ଏବଂ ରକ୍ତବାହୀ ନଳୀ ଅନ୍ତର୍ଭୁକ୍ତ। ହୃତ୍ପିଣ୍ଡ ରକ୍ତବାହୀ ନଳୀ ମାଧ୍ୟମରେ ରକ୍ତକୁ ପମ୍ପ କରେ, ଯାହା ଶରୀରର ସମସ୍ତ ଅଂଶକୁ ପୋଷକ, ଅମ୍ଳଜାନ ଏବଂ ଅନ୍ୟାନ୍ୟ ପଦାର୍ଥର ପରିବହନ ସୁନିଶ୍ଚିତ କରେ ଏବଂ ବର୍ଜ୍ୟ ପଦାର୍ଥଗୁଡ଼ିକ ବାହାରକୁ ବୋହି ନେଇଯାଏ।
ବିଜ୍ଞାନ ଏବଂ ସମାଜ
ଧୂମପାନ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଏ ଏବଂ ଫୁସ୍ଫୁସ୍ କର୍କଟ ଏବଂ ଅନ୍ୟାନ୍ୟ ଶ୍ବାସ ସମ୍ବନ୍ଧୀୟ ଅସୁସ୍ଥତା ସମେତ ଗୁରୁତର ରୋଗର ଆଶଙ୍କା ବୃଦ୍ଧିକରେ। ଏହା ଲଗାତାର କାଶ ଏବଂ ବାରମ୍ବାର ସଂକ୍ରମଣର କାରଣ ହୁଏ। ଏହା ଧୂମପାୟୀ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇବା ସହିତ ବାୟୁରେ ବିଷାକ୍ତ ରାସାୟନିକ ପଦାର୍ଥ ନିର୍ଗତକରେ, ଯାହା ଅନ୍ୟମାନଙ୍କୁ ବିପଦରେ ପକାଇଥାଏ। ଯେତେବେଳେ ଧୂମପାନ କରୁନଥିବା ବ୍ୟକ୍ତିମାନେ ଏହି ପ୍ରଦୂଷିତ ବାୟୁକୁ ପ୍ରଶ୍ବାସରେ ନିଅନ୍ତି, ସେମାନେ ପରୋକ୍ଷ ଧୂମପାନ ଅନୁଭବ କରନ୍ତି, ଯାହା ବିଶେଷକରି ପିଲା, ଗର୍ଭବତୀ ମହିଳା ଏବଂ ବୟସ୍କମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ତେଣୁ ଧୂମପାନ ଏଡ଼ାଇବା ଦ୍ବାରା ବ୍ୟକ୍ତିଗତ ସ୍ଵାସ୍ଥ୍ୟ ଏବଂ ଆମ ଚାରିପାଖର ଲୋକଙ୍କ ମଙ୍ଗଳହୁଏ।
୯.୨.୨ ଅନ୍ୟ ପ୍ରାଣୀମାନେ କ’ଣ ମଣିଷ ପରି ସମାନ ଭାବରେ ଶ୍ଵାସକ୍ରିୟା କରନ୍ତି ?
ତୁମେ ଜାଣିଛ ଯେ ବିଭିନ୍ନ ପ୍ରାଣୀ ଭିନ୍ନ ଭିନ୍ନ ବାସସ୍ଥାନରେ ବାସ କରନ୍ତି। ତୁମେ ପକ୍ଷୀମାନଙ୍କୁ ଉଡ଼ୁଥିବା ଏବଂ ମାଛମାନଙ୍କୁ ପହଁରୁଥିବା ଦେଖିଥିବ। ସେମାନେ କିପରି ଶ୍ଵାସକ୍ରିୟାକରନ୍ତି ? ପକ୍ଷୀ, ହାତୀ, ସିଂହ, ଗାଈ, ଛେଳି, ଝିଟିପିଟି ଏବଂ ସାପ ଭଳି ପ୍ରାଣୀମାନେ ସେମାନଙ୍କର ଫୁସଫୁସ ମାଧ୍ୟମରେ ଶ୍ଵାସକ୍ରିୟାକରନ୍ତି। ଯଦିଓ ଏହି ସମସ୍ତ ପ୍ରାଣୀଙ୍କ ଫୁସଫୁସ ଅଛି, ସେମାନଙ୍କ ଫୁସଫୁସର ଗଠନ ଭିନ୍ନ ଭିନ୍ନ। ମାଛ ପରି ଅଧିକାଂଶ ଜଳଚର ପ୍ରାଣୀଙ୍କର ବିଶେଷ ଗଠନ ଅଛି ଯାହାକୁ ଗାଲି (gills) କୁହାଯାଏ (ଚିତ୍ର ୯.୧୪)। ଏଗୁଡ଼ିକରେ ପ୍ରଚୁର ପରିମାଣରେ ରକ୍ତବାହୀ ନଳୀ ଥାଏ। ରକ୍ତ ଏବଂ ପାଣିରେ ଦ୍ରବୀଭୂତ ଗ୍ୟାସ ମଧ୍ୟରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ବିନିମୟ ଗାଲିରେ ସଂଘଟିତ ହୁଏ।
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୪): ମାଛର ଶ୍ଵାସକ୍ରିୟା ଅଙ୍ଗ 'ଗାଲି' (Gills) ର ସ୍ପଷ୍ଟ ଚିତ୍ର।]
ବେଙ୍ଗ ପରି ଉଭୟଚର ପ୍ରାଣୀମାନେ ଉଭୟ ସ୍ଥଳଭାଗ ଏବଂ ଜଳଭାଗରେ ବାସକରନ୍ତି। ସେମାନେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଶ୍ଵାସକ୍ରିୟା ପାଇଁ ଶରୀରର ବିଭିନ୍ନ ଅଂଶ ବ୍ୟବହାରକରନ୍ତି। ଉଦାହରଣ ସ୍ଵରୂପ, ବେଙ୍ଗଫୁଲା ଗାଲି ମାଧ୍ୟମରେ ଶ୍ଵାସକ୍ରିୟାକରେ, ବେଙ୍ଗମାନେ ସ୍ଥଳଭାଗରେ ଥିବାବେଳେ ଏଥିପାଇଁ ଫୁସଫୁସ ଏବଂ ପାଣିରେ ଥିବାବେଳେ ଚର୍ମ ବ୍ୟବହାରକରନ୍ତି। ଏହି ଉପଯୋଜନ (adaptation) ସେମାନଙ୍କୁ ଜଳ ଏବଂ ସ୍ଥଳଭାଗ ଉଭୟରେ ବଞ୍ଚିବାରେ ସାହାଯ୍ୟ କରେ। ଏହା ଦର୍ଶାଏ ଯେ, ପ୍ରାଣୀମାନେ ସମୟ ସହିତ ବିଭିନ୍ନ ପରିବେଶରେ ଉପଯୋଜିତ ହୋଇଛନ୍ତି। ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳ ବିନିମୟ ପାଇଁ ଜିଆ ନିଜର ଆର୍ଦ୍ର ଚର୍ମ ବ୍ୟବହାର କରେ।
ଏପରିଭାବେ ଭିନ୍ନ ଭିନ୍ନ ପ୍ରାଣୀଙ୍କଠାରେ ସେମାନଙ୍କର ଅନନ୍ୟ ବାସସ୍ଥଳୀ ଅନୁଯାୟୀ ଭିନ୍ନ ଭିନ୍ନ ଶ୍ବାସ-ପ୍ରଣାଳୀ ଦେଖିବାକୁ ମିଳେ। ପରିପାକ, ଶ୍ୱସନ ଓ ରକ୍ତସଂଚାଳନ ସଂସ୍ଥା ବ୍ୟତୀତ ଜୀବନକୁ ବଞ୍ଚାଇ ରଖିବା ପାଇଁ ଶରୀରରେ ପରସ୍ପର ସହିତ ସମନ୍ବୟ ରଖି କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ସଂସ୍ଥା ସବୁ ଅଛି। ତୁମେ ଉଚ୍ଚ ଶ୍ରେଣୀରେ ସେସବୁ ବିଷୟରେ ଅଧ୍ୟୟନକରିବ।
ସାରାଂଶ
-
ପୋଷଣ, ରକ୍ତ ସଂଚାଳନ, ଶ୍ଵସନ, ରେଚନ ଏବଂ ପ୍ରଜନନ ପ୍ରଭୃତି ଜୀବନ ପ୍ରକ୍ରିୟା ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଅତ୍ୟାବଶ୍ୟକ। ଏହି ପ୍ରକ୍ରିୟାଗୁଡ଼ିକୁ ସାମୂହିକ ଭାବରେ ଜୀବନ ପ୍ରକ୍ରିୟା କୁହାଯାଏ।
-
ମାନବର ପରିପାକ ସଂସ୍ଥା ଏକ ପାକନଳୀକୁ ନେଇ ଗଠିତ। ପାଟି, ଗ୍ରାସନଳୀ, ପାକସ୍ଥଳୀ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଓ ମଳଦ୍ଵାର ଏବଂ ଏହା ସହ ସମ୍ପୃକ୍ତ ଯକୃତ ଏବଂ ଅଗ୍ନ୍ୟାଶୟ - ଏ ସମସ୍ତ ପାକନଳୀର ଅନ୍ତର୍ଭୁକ୍ତ ଅଟେ।
-
ପାଚନ ହୋଇଥିବା ଖାଦ୍ୟ ମୁଖ୍ୟତଃ କ୍ଷୁଦ୍ରାନ୍ତର କାନ୍ଥ ମାଧ୍ୟମରେ ଶୋଷିତ ହୁଏ।
-
ଶୋଷିତ ପୋଷକ ପଦାର୍ଥ ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ଅଂଶକୁ ପରିବାହିତ ହୁଏ। ସେଠାରେ ସେଗୁଡ଼ିକ ବିଭିନ୍ନ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହୁଏ।
-
ବୃହଦନ୍ତ୍ର ଅବଶିଷ୍ଟ ଜଳ ଏବଂ ପରିପାକ ନ ହୋଇଥିବା ଖାଦ୍ୟରୁ କିଛି ଲବଣ ଶୋଷଣ କରେ।
-
ଗାଈ ଏବଂ ଛେଳି ଭଳି ତୃଣଭୋଜୀ ପ୍ରାଣୀଙ୍କୁ ରୋମନ୍ଥକ କୁହାଯାଏ। ସେମାନେ ଖାଦ୍ୟକୁ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି। ପରେ, ଆଂଶିକ ଭାବରେ ପାଚନ ହୋଇଥିବା ଖାଦ୍ୟ ପାଟିକୁ ଫେରିଯାଏ ଏବଂ ପ୍ରାଣୀ ଏହାକୁ ଭଲ ଭାବରେ ଚୋବାଇଥାଏ।
-
ଶ୍ଵାସକ୍ରିୟାରେ ଫୁସଫୁସ ଭିତରକୁ ବାୟୁର ଯିବା (ପ୍ରଶ୍ବାସ) ଓ ଫୁସଫୁସରୁ ବାହାରକୁ ଆସିବା (ନିଃଶ୍ବାସ) ଅନ୍ତର୍ଭୁକ୍ତ।
-
ଫୁସଫୁସର କୋଟରିକାରେ ଅମ୍ଳଜାନ ଏବଂ ଅଙ୍ଗାରକାମ୍ଳର ବିନିମୟ ଘଟିଥାଏ।
-
ଶ୍ୱସନ ପ୍ରକ୍ରିୟାରେ ଗ୍ଲୁକୋଜକୁ ଭାଙ୍ଗି ଅଙ୍ଗାରକାମ୍ଳ ଓ ଜଳରେ ପରିଣତକରିବା ପାଇଁ ପ୍ରଶ୍ବାସରେ ନିଆଯାଇଥିବା ଅମ୍ଳଜାନ ବ୍ୟବହାରହୁଏ। ଯେଉଁ ପ୍ରକ୍ରିୟାରେ ପୋଷକତତ୍ତ୍ୱ ବ୍ୟବହାରଯୋଗ୍ୟ ଶକ୍ତିରେ ପରିଣତ ହୁଏ ତାହାକୁ ଶ୍ଵସନ କୁହାଯାଏ।
-
ରକ୍ତସଂଚାଳନ ସଂସ୍ଥା ଶରୀରର ସମସ୍ତ ଅଂଶକୁ ପୋଷକତତ୍ତ୍ୱ ଏବଂ ଅମ୍ଳଜାନ ପରିବହନକରେ। ଏଥିରେ ହୃତ୍ପିଣ୍ଡ ଅନ୍ତର୍ଭୁକ୍ତ, ଯାହା ରକ୍ତବାହୀ ନଳୀ ମାଧ୍ୟମରେ ରକ୍ତ ପମ୍ପ କରେ, ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ଏବଂ ପୋଷକତତ୍ତ୍ଵ ପହଞ୍ଚାଏ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ମଧ୍ୟ ଅପସାରଣ କରେ।
-
ଶ୍ଵାସକ୍ରିୟା ଏକ ଭୌତିକ ପ୍ରକ୍ରିୟା ଏବଂ ଶ୍ୱସନ ଏକ ରାସାୟନିକ ପ୍ରକ୍ରିୟା।
-
ବିଭିନ୍ନ ପ୍ରାଣୀମାନଙ୍କର ଶ୍ଵାସକ୍ରିୟାର କୌଶଳ ଭିନ୍ନ ଭିନ୍ନ ଓ ସେମାନଙ୍କର ବାସସ୍ଥାନ ସହିତ ଖାପଖାଇବା ପାଇଁ ଉପଯୋଜିତ।
ଆସ, ଆମ ଶିକ୍ଷଣ ବୃଦ୍ଧି କରିବା
୧. ଉପଯୁକ୍ତ ଶବ୍ଦଗୁଡିକ ସହିତ ଖାଲି ବାକ୍ସଗୁଡିକୁ ପୂରଣ କରି ପାକନଳୀ ମଧ୍ୟରେ ଖାଦ୍ୟର ଯାତ୍ରା ସମ୍ପୂର୍ଣ୍ଣ କର।
[ ] → [ ] → [ପାକସ୍ଥଳୀ] → [ ] → [ ] → [ମଳଦ୍ବାର]
୨. ସମୀର ପରୀକ୍ଷାନଳୀ ‘କ’ ରେ କିଛି ରୁଟି ଖଣ୍ଡ ରଖିଥିଲା। ନମିତା ପରୀକ୍ଷାନଳୀ ‘ଖ’ ରେ ଚୋବାଇଥିବା ରୁଟି ରଖୁଥୁଲା, ଏବଂ ତୁଳସୀ ପରୀକ୍ଷାନଳୀ ‘ଗ’ ରେ ସିଝା ଆଳୁ ଚକଟା ନେଇଥିଲା। ସମସ୍ତେ ସେମାନଙ୍କ ପରୀକ୍ଷାନଳୀ – ‘କ’, ‘ଖ’, ଏବଂ ‘ଗ’ ରେ କିଛି ବୁନ୍ଦା ଆୟୋଡିନ୍ ଦ୍ରବଣ ମିଶାଇଥିଲେ। ସେମାନଙ୍କର ପର୍ଯ୍ୟବେକ୍ଷଣ କ’ଣ ହେବ ? କାରଣ ଲେଖ।
୩. ଶ୍ଵାସକ୍ରିୟାରେ ମଧ୍ୟଚ୍ଛଦାର ଭୂମିକା କ'ଣ ?
(i) ବାୟୁ ଛାଣିବା
(ii) ଧ୍ୱନି ସୃଷ୍ଟିକରିବା
(iii) ଶ୍ଵାସକ୍ରିୟାରେ ସାହାଯ୍ୟକରିବା
(iv) ଅମ୍ଳଜାନ ଶୋଷଣକରିବା
୪. ନିମ୍ନରେ ‘କ’ ସ୍ତମ୍ଭରେ ଦିଆଯାଇଥିବା ଶରୀରର ଅଂଶ ସହିତ ‘ଖ’ ସ୍ତମ୍ଭରେ ଦିଆଯାଇଥିବା କାର୍ଯ୍ୟ ସହିତ ମିଳାଅ।
| ‘କ’ ସ୍ତମ୍ଭ (ଶରୀର ଅଂଶ) | ‘ଖ’ ସ୍ତମ୍ଭ (କାର୍ଯ୍ୟ) |
|---|---|
| (i) ନାସାରନ୍ଧ୍ର | ବାହାରୁ ତାଜା ବାୟୁ ପ୍ରବେଶକରେ |
| (ii) ନାସାପଥ | ଗ୍ୟାସର ଆଦାନପ୍ରଦାନହୁଏ |
| (iii) ଶ୍ଵାସନଳୀ | ଫୁସଫୁସକୁ ସୁରକ୍ଷାଦିଏ |
| (iv) କୋଟରିକା | ଏହି ଅଂଶ ଦେଇ ବାୟୁ ଆମ ଫୁସଫୁସରେ ପହଞ୍ଚେ |
| (v) ପଞ୍ଜରା | ସୂକ୍ଷ୍ମ ଲୋମ ଏବଂ ଶ୍ଳେଷ୍ମା ଆମକୁ ପ୍ରଶ୍ଵାସ ନେବାରେ ସାହାଯ୍ୟ କରେ |
୫. ଅନିଲ ତାର ସାଙ୍ଗ ସବିତାକୁ କହିଲା ଯେ ଶ୍ୱସନ ଏବଂ ଶ୍ଵାସକ୍ରିୟା ସମାନ ପ୍ରକ୍ରିୟା। ଏହି ସିଦ୍ଧାନ୍ତ ଠିକ୍ ନୁହେଁ ବୋଲି ବୁଝାଇବା ପାଇଁ ସବିତା ତାକୁ କେଉଁ ପ୍ରଶ୍ନ ପଚାରିବ ?
୬. ନିମ୍ନଲିଖିତ କେଉଁ ବକ୍ତବ୍ୟ ଠିକ୍ ଏବଂ କାହିଁକି ?
ଅନୁ: ଆମେ ପ୍ରଶ୍ଵାସରେ ବାୟୁ ନେଉ।
ଶାନୁ: ଆମେ ପ୍ରଶ୍ବାସରେ ଅମ୍ଳଜାନ ନେଉ।
ତନୁ: ଆମେ ପ୍ରଶ୍ବାସରେ ଅମ୍ଳଜାନରେ ଭରପୂର ବାୟୁ ନେଉ।
୭. ଆମେ ବହୁତ ଧୂଳିପୂର୍ଣ୍ଣ ବାୟୁ ପ୍ରଶ୍ଵାସରେ ନେବାବେଳେ ପ୍ରାୟତଃ ଛିଙ୍କୁ। ଏହାର ସମ୍ଭାବ୍ୟ ବ୍ୟାଖ୍ୟା କ’ଣ ହୋଇପାରେ ?
୮. ସପ୍ତମ ଶ୍ରେଣୀର ପ୍ରତିଭା ଏବଂ ଅନାମିକା ସକାଳର ବ୍ୟାୟାମ ପାଇଁ ଦୌଡ଼ିବା ଆରମ୍ଭ କଲେ। ଦୌଡ଼ିବା ସମାପ୍ତ କରିବା ପରେ, ସେମାନେ ପ୍ରତି ମିନିଟ୍ ରେ ସେମାନଙ୍କର ନିଃଶ୍ବାସ ଗଣନାକଲେ। ଅନାମିକା ପ୍ରତିଭା ଅପେକ୍ଷା ଦ୍ରୁତ ପ୍ରଶ୍ବାସନେଉଥିଲା। ଅନାମିକା ପ୍ରତିଭା ଅପେକ୍ଷା କାହିଁକି ଦ୍ରୁତ ପ୍ରଶ୍ଵାସନେଉଥିଲା ତାହାର ଅତି କମରେ ଦୁଇଟି ସମ୍ଭାବ୍ୟ କାରଣ ଲେଖ।
୯. ଯଦୁ ତା'ର ଧାରଣାର ସତ୍ୟତା ଜାଣିବା ପାଇଁ ଗୋଟିଏ ପରୀକ୍ଷା କଲା। ସେ ଦୁଇଟି ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ନେଲା। ପ୍ରତ୍ୟେକରେ ଅଧା ପାଣି ଭର୍ତ୍ତି କରି ଏକ ଚିମୁଟା ଲେଖାଁଏ ଚାଉଳ ଚୂନା ମିଶାଇଲା ଏବଂ ସେଗୁଡ଼ିକୁ ଭଲ ଭାବରେ ଘାଣ୍ଟିଲା। ପରୀକ୍ଷା ନଳୀ ‘ଖ’ ରେ ସେ କିଛି ବୁନ୍ଦା ଲାଳ ମିଶାଇଲା। ସେ ଦୁଇଟି ପରୀକ୍ଷା ନଳୀକୁ ୩୫–୩୬ ମିନିଟ୍ ପାଇଁ ଛାଡି ଦେଲା। ଏହା ପରେ, ସେ ଉଭୟ ପରୀକ୍ଷା ନଳୀରେ ଆୟୋଡିନ୍ ଦ୍ରବଣ ମିଶାଇଲା। ପରୀକ୍ଷା ଫଳାଫଳ ଚିତ୍ର ୯.୧୫ ରେ ଦେଖାଯାଇଥିବା ପରି ଆସିଲା। ସେ କଣ ପରୀକ୍ଷାକରିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ?
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୫): ଟେଷ୍ଟ ଟ୍ୟୁବ୍ (କ) ଓ (ଖ) ରେ ଆୟୋଡିନ୍ ଦ୍ରବଣ ପକାଇବା ପରେ (କ) ଗାଢ ନୀଳ ଏବଂ (ଖ) ହଳଦିଆ/କମଳା ରଙ୍ଗ ଦେଖାଯାଉଛି।]
୧୦. ରଶ୍ମି ଦୁଇଟି ସଫା ପରୀକ୍ଷା ନଳୀ ‘କ’ ଏବଂ ‘ଖ’ ନେଇ ଏକ ପରୀକ୍ଷଣ ପରିକଳ୍ପନା କଲା ଏବଂ ଚିତ୍ରରେ ଦେଖାଯାଇଥିବା ପରି ସେଗୁଡ଼ିକୁ ଚୂନ ପାଣିରେ ଭର୍ତ୍ତିକଲା। ପରୀକ୍ଷା ନଳୀ ‘କ’ ରେ ଆମେ ପ୍ରଶ୍ଵାସରେ ନେଉଥିବା ଚାରିପାଖର ବାୟୁକୁ ପାଇପ୍ ମାଧ୍ୟମରେ ଶୋଷି ଭିତରକୁ ପଠାଇଲା, ଏବଂ ପରୀକ୍ଷା ନଳୀ ‘ଖ’ ରେ, ନିଶ୍ଵାସରେ ନିର୍ଗତ ବାୟୁ ପାଇପ୍ ମାଧ୍ୟମରେ ଫୁଙ୍କି ଭର୍ତ୍ତିକଲା (ଚିତ୍ର ୯.୧୬)। ସେ କଣ ଅନୁସନ୍ଧାନକରିବାକୁ ଚେଷ୍ଟା କରୁଛି ବୋଲି ତୁମେ ଭାବୁଛ ? ସେ ତା’ର ଫଳାଫଳକୁ କିପରି ନିଶ୍ଚିତ କରିପାରିବ ?
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୬): ପରୀକ୍ଷା ନଳୀ 'କ' ରେ ବାହାର ବାୟୁ ଏବଂ ପରୀକ୍ଷା ନଳୀ 'ଖ' ରେ ଫୁଙ୍କା ବାୟୁ ଚୂନ ପାଣି ଦେଇ ପ୍ରବେଶ କରାଇବାର ପ୍ରୟୋଗ।]
ଅନୁସନ୍ଧାନମୂଳକ ପ୍ରକଳ୍ପ
-
ମୁଖର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ କେଉଁ ଅଭ୍ୟାସ ଗୁଡ଼ିକ ଭଲ ? ପୁସ୍ତକ/ ସମ୍ବାଦପତ୍ର/ ବୟସ୍କମାନଙ୍କ ସହିତ କଥାବାର୍ତ୍ତାରୁ ଏହି ବିଷୟରେ ସୂଚନା ସଂଗ୍ରହ କରିବାକୁ ଚେଷ୍ଟାକର। ଏକ ରିପୋର୍ଟ ପ୍ରସ୍ତୁତକର।
-
ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖିବାର ବିଭିନ୍ନ ଉପାୟ ଖୋଜ। ପରିପାକ ସଂସ୍ଥାର ସୁସ୍ଥତା ବଜାୟ ରଖିବାରେ ସାହାଯ୍ୟ କରୁଥିବା କିଛି ଖାଦ୍ୟ ପଦାର୍ଥର ଉଦାହରଣ ଲେଖି ରିପୋର୍ଟ ପ୍ରସ୍ତୁତକର ଏବଂ ଶ୍ରେଣୀରେ ଉପସ୍ଥାପନକର।
-
ରଙ୍ଗୀନ ମାଟି ବ୍ୟବହାର କରି, ପରିପାକ ସଂସ୍ଥାର ଏକ 3-D ମଡେଲ୍ ପ୍ରସ୍ତୁତକର ଏବଂ କଳା କାଗଜ ପଟି ବ୍ୟବହାର କରି ପରିପାକ ସଂସ୍ଥାର ସମସ୍ତ ଅଂଶକୁ ନାମାଙ୍କିତକର।
-
ବାୟୁର ଗୁଣବତ୍ତା ଏବଂ AQI କ’ଣ ? ବିଭିନ୍ନ କ୍ଷେତ୍ରରେ କାମକରୁଥିବା ଲୋକ – ଚାଷୀ, କାରଖାନା କର୍ମଚାରୀ କିମ୍ବା ରାସ୍ତାକଡ଼ର ବିକ୍ରେତାଙ୍କ ଶ୍ଵାସକ୍ରିୟା ପ୍ରଣାଳୀ ଉପରେ ବାୟୁ ଗୁଣବତ୍ତାର ପ୍ରଭାବ ବିଷୟରେ ଅନୁସନ୍ଧାନକର।
-
ବାକ୍ସ-ଶ୍ଵାସକ୍ରିୟା (box-breathing) କୌଶଳ ବିଷୟରେ ପଢ (ଚିତ୍ର ୯.୧୭)। ଏହାର ଲାଭ କ'ଣ ?
[ଚିତ୍ର ବର୍ଣ୍ଣନା (ଚିତ୍ର ୯.୧୭): ବାକ୍ସ ଶ୍ଵାସକ୍ରିୟା କୌଶଳ (Breathing in → Hold → Breathing out → Hold)]
- ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶ୍ଵାସକ୍ରିୟା ପାଇଁ ଫୁସଫୁସ ଅଛି, କିନ୍ତୁ ପକ୍ଷୀମାନେ ଉଚ୍ଚରେ ଉଡ଼ିପାରନ୍ତି ଯେଉଁଠାରେ ଅମ୍ଳଜାନ ସ୍ତର କମଥାଏ। ଏପରି ପରିସ୍ଥିତିରେ ବଞ୍ଚିବା ପାଇଁ ସେମାନଙ୍କର ଶ୍ଵାସକ୍ରିୟା ପ୍ରଣାଳୀର କିପରି ଉପଯୋଜନ ହୋଇଥିବ ?