ଜୀବମାନେ ବଞ୍ଚି ରହିବା ପାଇଁ ପୋଷଣ, ଶ୍ୱସନ ଏବଂ ରକ୍ତ ସଂଚାଳନ ପରି ବିଭିନ୍ନ ଜୀବନ ପ୍ରକ୍ରିୟା ଅତ୍ୟାବଶ୍ୟକ। ଆମେ ଖାଉଥିବା ଜଟିଳ ଖାଦ୍ୟ ଉପାଦାନଗୁଡ଼ିକ ଶରୀରରେ ସରଳ ରୂପରେ ଭାଙ୍ଗି ବ୍ୟବହାରଯୋଗ୍ୟ ହେବା ପ୍ରକ୍ରିୟାକୁ ପରିପାକ କୁହାଯାଏ। ମଣିଷ ଶରୀରରେ ପାକନଳୀ ମୁଖଗହ୍ବରରୁ ଆରମ୍ଭ ହୋଇ ମଳଦ୍ୱାରରେ ଶେଷ ହୁଏ। ପାଟିରେ ଦାନ୍ତ ଦ୍ୱାରା ଖାଦ୍ୟ ଚୋବାଇ ହେବା ସହ ଲାଳ ମିଶି ମଣ୍ଡଦ ସରଳ ଶର୍କରାରେ ପରିଣତ ହୁଏ। ଏହା ପରେ ଖାଦ୍ୟ ଗ୍ରାସନଳୀ ଦେଇ ପାକସ୍ଥଳୀକୁ ଯାଏ। ପାକସ୍ଥଳୀରେ କ୍ଷରିତ ପାଚକ ରସ ପୁଷ୍ଟିସାରକୁ ଭାଙ୍ଗେ, ଅମ୍ଳ ଜୀବାଣୁ ନଷ୍ଟ କରେ ଏବଂ ଶ୍ଳେଷ୍ମା ପାକସ୍ଥଳୀକୁ ସୁରକ୍ଷା ଦିଏ। ପରେ କ୍ଷୁଦ୍ରାନ୍ତ୍ରରେ ଯକୃତରୁ ଆସୁଥିବା ପିତ୍ତ ଏବଂ ଅଗ୍ନ୍ୟାଶୟ ରସ ମିଶି ଖାଦ୍ୟର ସମ୍ପୂର୍ଣ୍ଣ ପାଚନ ଘଟାନ୍ତି। କ୍ଷୁଦ୍ରାନ୍ତ୍ରର କାନ୍ଥରେ ଥିବା ଆଙ୍ଗୁଠି ପରି ‘ଭିଲାଇ’ ସାହାଯ୍ୟରେ ପୋଷକତତ୍ତ୍ୱ ରକ୍ତକୁ ଅବଶୋଷିତ ହୁଏ। ଅପାଚ୍ୟ ଖାଦ୍ୟ ବୃହଦନ୍ତ୍ରକୁ ଯାଇ ସେଥିରୁ ଜଳ ଶୋଷିତ ହେବା ପରେ ମଳ ଆକାରରେ ବାହାରକୁ ନିଷ୍କାସିତ ହୁଏ।
ବିଭିନ୍ନ ପ୍ରାଣୀଙ୍କ ଖାଦ୍ୟାଭ୍ୟାସ ଅନୁଯାୟୀ ପାଚନ ତନ୍ତ୍ର ଭିନ୍ନ ହୋଇଥାଏ। ଗାଈ ଓ ମଇଁଷି ପରି ତୃଣଭୋଜୀ ପ୍ରାଣୀମାନେ ଶୀଘ୍ର ଖାଦ୍ୟ ଗିଳି ପାକସ୍ଥଳୀର ପ୍ରଥମ ଭାଗ ‘ରୁମେନ୍’ରେ ଜମା ରଖନ୍ତି ଏବଂ ପରେ ସେହି ଆଂଶିକ ପାଚିତ ଖାଦ୍ୟକୁ ପାଟିକୁ ଫେରାଇ ଆଣି ଚୋବାଇଥାନ୍ତି, ଯାହାକୁ ରୋମନ୍ଥନ ବା ପାକୁଳି କରିବା କୁହାଯାଏ। ପକ୍ଷୀମାନଙ୍କର ଦାନ୍ତ ନଥିବାରୁ ସେମାନଙ୍କ ଗିଜାର୍ଡ଼ ଓ ଗିଳିଥିବା ଛୋଟ ଗୋଡ଼ି ସାହାଯ୍ୟରେ ଖାଦ୍ୟ ଚୂର୍ଣ୍ଣ ହୋଇ ହଜମ ହୁଏ।
ଶରୀର ଭିତରକୁ ଅମ୍ଳଜାନ ନେବା (ପ୍ରଶ୍ୱାସ) ଓ ଅଙ୍ଗାରକାମ୍ଳ ବାହାର କରିବା (ନିଃଶ୍ୱାସ) କୁ ଶ୍ୱାସକ୍ରିୟା କୁହାଯାଏ। ଏହା ଏକ ଭୌତିକ ପ୍ରକ୍ରିୟା। ମଣିଷ ଶରୀରରେ ନାସାରନ୍ଧ୍ର, ବାୟୁନଳୀ ଏବଂ ଫୁସଫୁସ ଦ୍ୱାରା ଶ୍ୱାସକ୍ରିୟା ସମ୍ପାଦିତ ହୁଏ। ପ୍ରଶ୍ୱାସ ସମୟରେ ମଧ୍ୟଚ୍ଛଦା ତଳକୁ ଖସିବା ଏବଂ ପଞ୍ଜରା ବାହାରକୁ ଆସିବା ଫଳରେ ବାୟୁ ଫୁସଫୁସର କୋଟରିକାରେ ପ୍ରବେଶ କରେ ଓ ରକ୍ତ ସହ ଗ୍ୟାସ ବିନିମୟ ଘଟେ। କୋଷ ଭିତରେ ଅମ୍ଳଜାନ ସାହାଯ୍ୟରେ ଗ୍ଲୁକୋଜ୍ ଭାଙ୍ଗି ଶକ୍ତି, ଅଙ୍ଗାରକାମ୍ଳ ଓ ଜଳ ଉତ୍ପନ୍ନ ହେବା ପ୍ରକ୍ରିୟାକୁ ଶ୍ୱସନ କୁହାଯାଏ। ଭିନ୍ନ ଭିନ୍ନ ପରିବେଶରେ ବାସ କରୁଥିବା ପ୍ରାଣୀଙ୍କ ଶ୍ୱସନ ଅଙ୍ଗ ମଧ୍ୟ ଭିନ୍ନ ଅଟେ; ଯେପରିକି ମାଛ ଗାଲି ଦ୍ୱାରା, ବେଙ୍ଗ ଫୁସଫୁସ ଓ ଚର୍ମ ଦ୍ୱାରା ଏବଂ ଜିଆ ନିଜର ଆର୍ଦ୍ର ଚର୍ମ ଦ୍ୱାରା ଶ୍ୱାସକ୍ରିୟା କରିଥାଏ।