**ଅଧ୍ୟାୟ ୧ : **

ପ୍ରାକୃତିକ ସମ୍ବଳ ଓ ତା'ର ବ୍ୟବହାର

ପ୍ରକୃତି ସହିତ ସମନ୍ଵୟ ରକ୍ଷାକରି ଆମକୁ ଏକ ପୁନଃସୃଷ୍ଟିକାରୀ ଅର୍ଥନୀତି (Regenerative Economy) ଦିଗରେ ଅଗ୍ରସର ହେବାପାଇଁ ସମାଜବିଜ୍ଞାନୀମାନେ ସ୍ପଷ୍ଟ ମତ ଦେଇଛନ୍ତି । ଏ ପ୍ରକାର ଅର୍ଥନୀତି ବ୍ୟବହୃତ ସମ୍ବଳଗୁଡ଼ିକର ପୁନଃ ଉପଯୋଗ, ଅପଚୟ ହ୍ରାସ ଏବଂ କ୍ଷୟପ୍ରାପ୍ତ ସମ୍ବଳଗୁଡ଼ିକର ପୁନଃ ଭରଣା କରେ । ଆମକୁ ପ୍ରକୃତିର ଅନ୍ତର୍ନିହିତ ଜ୍ଞାନକୁ ଫେରିଯିବାକୁ ପଡ଼ିବ – ଯାହା ସମସ୍ତ ସମ୍ବଳର ଅନ୍ତିମ ପୁନଃ ସୃଷ୍ଟିକାରୀ ଓ ପୁନଃ ଚକ୍ରକାରୀ ଅଟେ।

— ଖ୍ରୀଷ୍ଟିଆନ ଫିଗୁଏରେସ ଓ ଟମ୍ ରିଭେଟ୍-କାର୍ନାକ, “ଆମ ପସନ୍ଦର ଭବିଷ୍ୟତ”

[ଚିତ୍ର ବର୍ଣ୍ଣନା: ପାହାଡ଼ିଆ ଅରଣ୍ୟ ମଧ୍ୟରେ ଏକ ରେଳ ସେତୁ ଏବଂ ତା' ପାର୍ଶ୍ଵରେ ପ୍ରବାହିତ ଜଳପ୍ରପାତର ମନୋରମ ଦୃଶ୍ୟ]

ଚିତ୍ର : ୧.୧ : ଭାରତର ଗୋଆସ୍ଥିତ ଦୁଧସାଗର ଜଳ ପ୍ରପାତ ଏବଂ ରେଳ ସେତୁ

ଆସ ଚିନ୍ତା କରିବା

  1. ପ୍ରାକୃତିକ ସମ୍ବଳକୁ ଆମେ କିପରି ଶ୍ରେଣୀଭୁକ୍ତ କରିବା ?

  2. ପ୍ରାକୃତିକ ସମ୍ବଳର ବଣ୍ଟନ ଓ ଜୀବନର ବିଭିନ୍ନ ଦିଗ ମଧ୍ୟରେ କି ସମ୍ପର୍କ ରହିଛି ?

  3. ପ୍ରାକୃତିକ ସମ୍ବଳର ଅପବ୍ୟବହାର ଓ ମାତ୍ରାଧିକ ବ୍ୟବହାରର ପ୍ରଭାବଗୁଡ଼ିକ କ’ଣ ?


[ଚିତ୍ର ବର୍ଣ୍ଣନା: ପାହାଡ଼ ତଳେ ନଦୀକୂଳରେ ଅବସ୍ଥିତ ଏକ ଛୋଟ ଜଳବିଦ୍ୟୁତ୍ କେନ୍ଦ୍ର ଏବଂ ନିର୍ଗତ ଜଳଧାରା]

ଚିତ୍ର-୧.୨: ହିମାଚଳ ପ୍ରଦେଶର ଏକ କ୍ଷୁଦ୍ର ଜଳବିଦ୍ୟୁତ୍ କେନ୍ଦ୍ର – ପ୍ରବାହିତ ଜଳର ଶକ୍ତି ବିଦ୍ୟୁତ୍‌ରେ ପରିଣତ ହୁଏ।

[ଚିତ୍ର ବର୍ଣ୍ଣନା: ସମୁଦ୍ର ମଧ୍ୟରେ ତୈଳ ଉତ୍ତୋଳନ ପାଇଁ ଖଞ୍ଜା ଯାଇଥିବା ଏକ ବିଶାଳ ଜାହାଜ ବା ଉତ୍ତୋଳନକାରୀ ଯନ୍ତ୍ର]

ଚିତ୍ର- ୧.୩: ତଟବର୍ତ୍ତୀ ସମୁଦ୍ର ତଳଭୂମି ଅଭ୍ୟନ୍ତରରୁ ତୈଳ ଉତ୍ତୋଳନକାରୀ ଯନ୍ତ୍ର ।

ପ୍ରକୃତି କେତେବେଳେ ସମ୍ବଳରେ ପରିଣତ ହୁଏ ?

ମନୁଷ୍ୟ ଦ୍ଵାରା ସୃଷ୍ଟି ହୋଇନଥିବା ପରିବେଶ ଅନ୍ତର୍ଗତ ସମସ୍ତ ସଜୀବ ଓ ନିର୍ଜୀବ ପ୍ରରୂପଗୁଡ଼ିକର ସମାହାର ହିଁ ପ୍ରକୃତିର ଅନ୍ୟତମ ଅର୍ଥ। ପ୍ରକୃତି ସେତେବେଳେ ‘ସମ୍ବଳ’ର ରୂପ ନିଏ, ଯେତେବେଳେ ମନୁଷ୍ୟ ବଞ୍ଚିବା ପାଇଁ ପ୍ରକୃତିରୁ ନୂତନ ଦ୍ରବ୍ୟ ସୃଷ୍ଟିକରେ ଓ ତାହା ଉପଭୋଗ କରେ। ଉଦାହରଣ ସ୍ଵରୂପ, ବୃକ୍ଷଲତାଗୁଡ଼ିକ ପରିବେଶର ଅଂଶଭାବେ ମନୁଷ୍ୟ ବିନା ସ୍ଵାଧୀନଭାବେ ତିଷ୍ଠି ରହିଥାନ୍ତି। ଆମେ ଗଛକୁ କାଟି ତା'ର କାଠକୁ ବିଭିନ୍ନ ଗୃହଉପକରଣରେ ପରିଣତ କଲେ ହିଁ ଏହା ସମ୍ବଳରେ ପରିଣତ ହୁଏ।

ଅଧିକାଂଶ ସମୟରେ ଏହି ଉପାଦାନ (Entities) ଗୁଡ଼ିକ ସହଜରେ ଉପଲବ୍ଧ ହୋଇନଥାଏ। ଉଦାହରଣ ସ୍ଵରୂପ, ସମୁଦ୍ର ଶଯ୍ୟାର ବହୁତଳେ ଗଚ୍ଛିତ ଥିବା ପେଟ୍ରୋଲିୟମ୍ ଉତ୍ତୋଳନ ପାଇଁ ଆବଶ୍ୟକ ପ୍ରଯୁକ୍ତି ବିଦ୍ୟାର ଅଭାବ, ଉତ୍ତୋଳନ ଖର୍ଚ୍ଚର ଆଧିକ୍ୟ କିମ୍ବା ଦେବସ୍ଥଳୀ ଉଦ୍ୟାନ ଗୁଡ଼ିକରୁ ଗଛ କାଟିବା ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣୀୟ ହୋଇନଥାଏ। ତେଣୁ ପ୍ରାଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ, ଆର୍ଥନୀତିକ ଦୃଷ୍ଟିକୋଣରୁ ଯଥାର୍ଥ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ ପଦାର୍ଥଗୁଡ଼ିକୁ ସମ୍ବଳ ଭାବେ ବିବେଚନା କରାଯାଇପାରେ।

ପୃଥିବୀ ସମ୍ବଳର ଏକ ଭଣ୍ଡାର, ମାତ୍ର ଅଧିକାଂଶ ସମ୍ବଳ ସୃଷ୍ଟି ପାଇଁ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗିଛି। ମନୁଷ୍ୟ ଏଗୁଡ଼ିକୁ ନେଇ ବ୍ୟବହାର କରିବା ଶିଖୁଛି। ଏଥିରେ ସହଜରେ ଉପଲବ୍ଧ ହେଉଥିବା ଜଳ, ବାୟୁ ଓ ମୃତ୍ତିକା ଏବଂ ସହଜରେ ଉପଲବ୍ଧ ହେଉନଥିବା କୋଇଲା, ପେଟ୍ରୋଲ, ମୂଲ୍ୟବାନ ପଥର, ଧାତବ ଖଣିଜ ଓ କାଠ ଇତ୍ୟାଦି ସମ୍ବଳ ଅନ୍ତର୍ଭୁକ୍ତ।


[ଚିତ୍ର ବର୍ଣ୍ଣନା: କୃଷିକ୍ଷେତ୍ରରେ ଦୁଇଟି ବଳଦ ଯୋଚି ଜଣେ କୃଷକ ପାରମ୍ପରିକ ଭାବେ ହଳ କରୁଛନ୍ତି]

ଚିତ୍ର : ୧.୪ : ମୃଦୁ କର୍ଷଣଦ୍ଵାରା ଭୂମି ନିମ୍ନସ୍ଥ ପରିସଂସ୍ଥାରେ କମ୍ ବାଧା ସୃଷ୍ଟି ହୁଏ ଏବଂ ମାଟିର ଆର୍ଦ୍ରତା ବଜାୟ ରହେ।

[ଚିତ୍ର ବର୍ଣ୍ଣନା: ଏକ ଗଛର ଡାଳରେ ମହୁମାଛିମାନଙ୍କ ଦ୍ୱାରା ନିର୍ମିତ ପ୍ରାକୃତିକ ମହୁଫେଣା]

ଚିତ୍ର : ୧.୫ : ମହୁମାଛି ପ୍ରସ୍ତୁତ ମହୁଫେଣା

[ଚିତ୍ର ବର୍ଣ୍ଣନା: ଫୁଲମାଳ ଓ ସାଜସଜ୍ଜା ସହିତ ପୂଜା ପାଇଁ ରଖାଯାଇଥିବା ଏକ ତୁଳସୀ ଗଛ]

ଚିତ୍ର : ୧.୬ : ସୁଖ ସମୃଦ୍ଧି ପାଇଁ ତୁଳସୀ ପୂଜା

ମନେରଖ

  • ପୃଥିବୀର ଅନେକ ଆଦିମ ଅଧିବାସୀ ପରମ୍ପରାରେ ପ୍ରକୃତିକୁ ପବିତ୍ର ବୋଲି ବିବେଚନା କରାଯାଇଥାଏ। ତୁମେ ଏ ବିଷୟରେ ଆଗରୁ ପଢ଼ିଛ। ଏସବୁ ପରମ୍ପରାରେ ପ୍ରକୃତି ହିଁ ପାଳକ ଓ ପୋଷକ ଅଟେ।

  • ଏହାକୁ ପ୍ରତିବିମ୍ବିତ କରୁଥିବା କିଛି ପ୍ରଥା ବିଷୟରେ ତୁମେ ଜାଣ କି ?

ଏହା ବିଷୟରେ ଚିନ୍ତା କର

ଅଳ୍ପ ବିରତି ନିଅ। ନିଜକୁ ଓ ନିଜ ଚତୁଃପାର୍ଶ୍ଵରେ ଥିବା ପଦାର୍ଥଗୁଡ଼ିକୁ ଦେଖ। ପ୍ରତ୍ୟେକ ପଦାର୍ଥର ଉତ୍ପତ୍ତି କିପରି ହୋଇଛି ? କୌଣସି ନା କୌଣସି ସମୟରେ ଏ ସମସ୍ତ ପଦାର୍ଥର ସୃଷ୍ଟି ପ୍ରକୃତିଗତ, ଏପରିକି ତୁମ ସାର୍ଟର ପ୍ଲାଷ୍ଟିକ ବୋତାମ ମଧ୍ୟ ପ୍ରକୃତିର ଦାନ।

ସଂକ୍ଷେପରେ କହିବାକୁ ଗଲେ, ପ୍ରକୃତିରୁ ମିଳୁଥିବା ଓ ମନୁଷ୍ୟ ପାଇଁ ଉପଯୋଗୀ ସମସ୍ତ ମୂଲ୍ୟବାନ ସାମଗ୍ରୀ ବା ପଦାର୍ଥକୁ ‘ପ୍ରାକୃତିକ ସମ୍ବଳ’ କୁହାଯାଏ।

ପ୍ରାକୃତିକ ସମ୍ବଳର ପ୍ରକାର

ବିଜ୍ଞାନରେ ଆମେ ବିଭିନ୍ନ ପଦାର୍ଥର ନାମକରଣ ଓ ବର୍ଗୀକରଣର ଉପାଦେୟତା ବିଷୟରେ ଜାଣିଛେ। ବିଭିନ୍ନ ପଦାର୍ଥର ବର୍ଗୀକରଣ କଲାବେଳେ ଆମେ କିଛି ସାଧାରଣ ଲକ୍ଷଣକୁ ବିଚାରକୁ ନେଇ ବିଭିନ୍ନ ବର୍ଗର ନାମକରଣ ପାଇଁ ଏକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରିଥାଉ। ଯେତେବେଳେ ଏହି ନାମ ବା ବାକ୍ୟାଂଶକୁ ଲୋକମାନଙ୍କ ଭିତରେ ବ୍ୟବହାର କରାଯାଏ, ସେତେବେଳେ ଏହାର ବ୍ୟାପକ ଅର୍ଥ ସହଜରେ ବୋଧଗମ୍ୟ ହୁଏ। ଏହାକୁ ବାରମ୍ବାର ବୁଝେଇବାର ଆବଶ୍ୟକତା ପଡ଼ି ନଥାଏ ଏବଂ ଆମେ ମଧ୍ୟ ଏହାକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନା କରିପାରିଥାଉ। ପୂର୍ବ ଶ୍ରେଣୀରେ ତୁମେ ସଜୀବ ଓ ନିର୍ଜୀବ ପଦାର୍ଥ ବିଷୟରେ ଜାଣିଛ। ଆମେ ଏସବୁ ଶବ୍ଦ ବ୍ୟବହାର କରିବା ମାତ୍ରେ, ଏହାର ଅର୍ଥ ଜଣାପଡ଼େ। ଏହାହିଁ ବର୍ଗୀକରଣର ଏକ ସରଳ ଉଦାହରଣ।

ପ୍ରାକୃତିକ ସମ୍ବଳଗୁଡ଼ିକ କ୍ଷେତ୍ରରେ ଆମେ ସମାନଭାବେ ବର୍ଗୀକରଣ କରିଥାଉ।

ଏହା ବିଷୟରେ ଚିନ୍ତା କର

ପ୍ରାକୃତିକ ସମ୍ବଳଗୁଡ଼ିକୁ ବର୍ଗୀଭୂତ କରିବା ପାଇଁ ଆମେ କେଉଁ ସବୁ ମାନଦଣ୍ଡ ବ୍ୟବହାର କରିପାରିବା ?

ପ୍ରାକୃତିକ ସମ୍ବଳକୁ ବିଭିନ୍ନ ଆଧାରରେ ଶ୍ରେଣୀଭୁକ୍ତ କରାଯାଇପାରେ ଯଥା— ବଞ୍ଚିବାପାଇଁ ଆବଶ୍ୟକତା, ପଦାର୍ଥର ଉତ୍ସ ଓ ଶକ୍ତିର ଉତ୍ସ ଆଦି ଆଧାରକୁ ବିଚାରକୁ ନିଆଯାଇପାରେ।

ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ସମ୍ବଳ

ନିଶ୍ବାସ ପ୍ରଶ୍ବାସ ପାଇଁ ଆବଶ୍ୟକ ବାୟୁ, ପିଇବା ପାଇଁ ପାଣି ଓ ଖାଇବା ପାଇଁ ଖାଦ୍ୟ ବିନା ଆମେ ପୃଥିବୀରେ ବଞ୍ଚିପାରିବା ନାହିଁ। ଆମେ ଏସବୁକୁ ବାୟୁମଣ୍ଡଳ, ନଦୀ ଓ ପୋଖରୀ ଏବଂ କୃଷିକାର୍ଯ୍ୟ ବା ଅନ୍ୟାନ୍ୟ ପ୍ରାଣୀମାନଙ୍କଠାରୁ ପାଇଥାଉ। ଆମେ ନିଶ୍ବାସ ନେଉଥିବା ବାୟୁ, ପିଉଥିବା ପାଣି ଓ ଆମକୁ ଖାଦ୍ୟ ଯୋଗାଉଥିବା ମୃତ୍ତିକାକୁ ତିଆରି କରିପାରିବା ନାହିଁ।

ବିଭିନ୍ନ ସାମଗ୍ରୀ ପାଇଁ ସମ୍ବଳ

ପ୍ରକୃତିର ଉପହାରରୁ ମନୁଷ୍ୟ ଭୌତିକ ବସ୍ତୁ ସୃଷ୍ଟି କରିଛି। ଆମେ ସେଗୁଡ଼ିକୁ ଆମର ଉପଯୋଗୀତା ପାଇଁ କିମ୍ବା ସୌନ୍ଦର୍ଯ୍ୟ ସାମଗ୍ରୀ ତିଆରି କରିବା ପାଇଁ ବ୍ୟବହାର କରିଥାଉ। ଏହା ଆମ ଜୀବନ ତଥା ଅନ୍ୟମାନଙ୍କ ଜୀବନକୁ ସମୃଦ୍ଧ କରିଥାଏ। ଉଦାହରଣ ସ୍ଵରୂପ, ଗୋଟିଏ କାଠଖଣ୍ଡକୁ ଚଉକିରେ ରୂପାନ୍ତରିତ କରାଯାଇପାରିବ ଓ ଏହାକୁ ମଧ୍ୟ ଖୋଦିତ କରାଯାଇ ସୌଖୀନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇପାରିବ। ଭାରତର ଭୌଗୋଳିକ ବିବିଧତା ଆମକୁ କାଠ ଠାରୁ ଆରମ୍ଭ କରି ମାର୍ବଲ ଓ କୋଇଲା ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରାକୃତିକ ସମ୍ବଳ ପ୍ରଦାନ କରିଥାଏ।

ଶକ୍ତି ପାଇଁ ସମ୍ବଳ :

ଶକ୍ତି ଆଧୁନିକ ଜୀବନ ଶୈଳୀର ଆଧାର ଶିଳା— ଆମ ଗୃହ, ପରିବହନ ଓ ବିଭିନ୍ନ ପ୍ରକାର ଉତ୍ପାଦନ ପ୍ରକ୍ରିୟା ପାଇଁ ବିଦ୍ୟୁତ୍ ଶକ୍ତି ଆବଶ୍ୟକ ପଡ଼ିଥାଏ। କୋଇଲା, ଜଳ, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ, ସୂର୍ଯ୍ୟକିରଣ, ପବନ ଆଦି ବିଭିନ୍ନ ପ୍ରାକୃତିକ ଉତ୍ସରୁ ଏହି ଶକ୍ତି ଆସିଥାଏ।


[ଚିତ୍ର ବର୍ଣ୍ଣନା: ପାହାଡ଼ ଏବଂ ସବୁଜ ଜଙ୍ଗଲ ମଧ୍ୟଦେଇ ପ୍ରବାହିତ ଏକ ନଦୀର ଦୃଶ୍ୟ]

ଚିତ୍ର : ୧.୭ : ହିମବାହ ଓ ଜଙ୍ଗଲ ଥିବା ପର୍ଯ୍ୟନ୍ତ ନଦୀଜଳ ଏକ ନବୀକରଣ ଯୋଗ୍ୟ ସମ୍ବଳ

[ଚିତ୍ର ବର୍ଣ୍ଣନା: ଜଙ୍ଗଲରୁ କାଟି ଏକତ୍ର ଗଦା କରାଯାଇଥିବା ଅନେକ କାଠ ଗଣ୍ଡି]

ଚିତ୍ର : ୧.୮ : ଜଙ୍ଗଲକୁ ପୁନଃସୃଷ୍ଟିକାରୀ କରାଇବା ଦ୍ଵାରା ଆମେ ଏଠାରୁ ସୀମିତ ପରିମାଣର କାଠ ଦୀର୍ଘ ସମୟ ପାଇଁ ସଂଗ୍ରହ କରିପାରିବା ।

ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ସମ୍ବଳ

ସମ୍ବଳଗୁଡ଼ିକ ପୁନଃସୃଷ୍ଟି ହୋଇପାରିବ କି ନାହିଁ, ତାହାକୁ ଆଧାର କରି ସେଗୁଡ଼ିକୁ ଅନ୍ୟ ପ୍ରକାରରେ ଶ୍ରେଣୀଭୁକ୍ତ କରାଯାଇପାରେ। ପୁନରୁଦ୍ଧାର କରିବା ଓ ପୁନଃସୃଷ୍ଟି କରିବା ପ୍ରକୃତିର ଏକ ସାଧାରଣ ନିୟମ । କୌଣସି ଦ୍ରବ୍ୟ ଯଦି ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥାଏ, ଏହାକୁ ପ୍ରାରମ୍ଭିକ ଅବସ୍ଥାକୁ ଫେରାଇ ଆଣିବାକୁ ପୁନରୁଦ୍ଧାର ପ୍ରକ୍ରିୟା କୁହାଯାଏ । ପ୍ରକୃତି ସମୟାନୁସାରେ ନିଜକୁ ସୁସ୍ଥ ଓ ନବୀକରଣ କରି ସ୍ଥିତାବସ୍ଥା ବଜାୟ ରଖେ। ତୁମ ଚର୍ମରେ କ୍ଷତି ହେଲେ ଏହା ସହଜରେ ଭଲ ହୋଇଯାଏ ଓ ସେହିପରି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଲେ ଏହା ପ୍ରାକୃତିକ ଉପାୟରେ ପୁନରୁଦ୍ଧାର ହୋଇଥାଏ। ପୁନରୁଦ୍ଧାରକୁ ଅତିକ୍ରମ କରି ପୁନଃସୃଷ୍ଟି ଆଗେଇ ଚାଲିଥାଏ।

ନୂତନ ଜୀବନ ସୃଷ୍ଟି କରିବା ଓ ତିଷ୍ଠିବା ପାଇଁ ଉପଯୁକ୍ତ ପରିସ୍ଥିତି ପ୍ରସ୍ତୁତ କରିବାର ସାମର୍ଥ୍ୟ ପ୍ରକୃତିର ଅଛି। ଗୃହ ନିର୍ମାଣ ପାଇଁ ମାନବୀୟ ହସ୍ତକ୍ଷେପ ଜନିତ ଜଙ୍ଗଲ କ୍ଷୟ ହୋଇଥିବା ସ୍ଥାନଗୁଡ଼ିକରେ ଆମେ ବୃକ୍ଷରୋପଣ କରିଥାଉ। ସେଠାରେ ମୂଳତଃ ଜନ୍ମିଥିବା ବୃକ୍ଷଗୁଡ଼ିକର ପ୍ରତିରୋପଣ କରିବା ଦ୍ବାରା ପରିସଂସ୍ଥାର ପୁନରୁଦ୍ଧାର ହୋଇଥାଏ। ବୃକ୍ଷଗୁଡ଼ିକ ବିଭିନ୍ନ ପକ୍ଷୀ, ଗୁଣ୍ଡୁଚି ମୂଷା ଓ ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଖାଦ୍ୟ ଓ ଆଶ୍ରୟ ପ୍ରଦାନ କରେ ଓ ଜୀବନ ପୁନଃ ସଞ୍ଚରିତ ହୁଏ।

ପ୍ରକୃତିର ଚକ୍ରାକାର ଗତି କୌଣସି ଅପଚୟ ଘଟିବାକୁ ଦେଇନଥାଏ। ମନେକରାଯାଉ, ଜଙ୍ଗଲରେ ଏକ ଗଛ ମରିପଡ଼ିଛି। ଏହା ବ୍ୟାକ୍ଟେରିଆ, କବକ ଓ କୀଟପତଙ୍ଗମାନଙ୍କ ଦ୍ବାରା ବିଘଟିତ ହୋଇ ମାଟିର ଏକ ଅଂଶ ହୋଇଯାଏ ଓ ମୃତ୍ତିକାକୁ ସମୃଦ୍ଧ କରେ। ପୁନଶ୍ଚ ମଞ୍ଜିରୁ ନୂତନ ଗଛ ସୃଷ୍ଟି ହୁଏ ଓ ବଡ଼ ହୁଏ... ଶେଷରେ କିଛି ଗଛ ପୁଣି ପଡ଼ିଯାଏ ଓ ଚକ୍ରଗତି ପୁନର୍ବାର ଆରମ୍ଭ ହୁଏ। ଏଗୁଡ଼ିକ ପୁନରୁଦ୍ଧାର ଏବଂ ପୁନଃସୃଷ୍ଟି ଜନିତ ପ୍ରଚଳିତ ନୀତିର ଉଦାହରଣ।

ନବୀକରଣ ଯୋଗ୍ୟ ସମ୍ବଳ

ସମୟାନୁକ୍ରମେ ନବୀକରଣ ଯୋଗ୍ୟ ସମ୍ବଳଗୁଡ଼ିକ ଉପରୋକ୍ତ ବୈଶିଷ୍ଟ୍ୟମାନ ସୂଚିତ କରେ। ଭାରତର ଅଧିକାଂଶ ସ୍ଥାନରେ ପ୍ରଚୁର ସୂର୍ଯ୍ୟକିରଣ ଉପଲବ୍ଧ ହୋଇଥାଏ। ନିୟମିତ ବର୍ଷା ଓ ହିମବାହ ତରଳିବା ଯୋଗୁଁ ନଦୀଗୁଡ଼ିକରେ ଜଳ ପ୍ରବାହ, ଜଙ୍ଗଲର ପୁନଃସୃଷ୍ଟି ଓ ମୃତ୍ତିକାର ପୁନରୁଦ୍ଧାର ଇତ୍ୟାଦି ପ୍ରାକୃତିକ ପ୍ରକ୍ରିୟାରେ ସଂଗଠିତ ହୋଇଥାଏ।

[ଚିତ୍ର ବର୍ଣ୍ଣନା: ଜଣେ ବ୍ୟକ୍ତି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ପାତ୍ରରୁ ଜଳ ଅର୍ପଣ (ଅର୍ଘ୍ୟ) କରୁଥିବାର ଦୃଶ୍ୟ]

ଚିତ୍ର : ୧.୯ : କୃତଜ୍ଞତା ସ୍ୱରୂପ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ

ଅର୍ଘ୍ୟ (Arghyam) : ସାଧାରଣତଃ ଜଳ ଅର୍ପଣ, ସୂର୍ଯ୍ୟଦେବତାଙ୍କୁ ସମ୍ମାନ ଓ କୃତଜ୍ଞତାର ପ୍ରତୀକ ଭାବେ କରାଯାଇଥାଏ ।

ସୌରଶକ୍ତି, ପବନ ଶକ୍ତି ଓ ପ୍ରବାହିତ ଜଳରୁ ଉତ୍ପନ୍ନ ଶକ୍ତି, ଜଙ୍ଗଲରୁ କାଠ ଆଦିର ଧାରଣୀୟ ପରିଚାଳନା ବିନା ସେଗୁଡ଼ିକ ନବୀକରଣ ଯୋଗ୍ୟ ସମ୍ବଳ ହୋଇପାରିବେ ନାହିଁ। ନବୀକରଣ ଯୋଗ୍ୟ ସମ୍ବଳ ନିମ୍ନୋକ୍ତ ସର୍ତ୍ତ ଉପରେ ପର୍ଯ୍ୟବସିତ, ଯଥା— ଏହା ପୁନରୁଦ୍ଧାର ଓ ପୁନଃସୃଷ୍ଟିର ପ୍ରାକୃତିକ ନିୟମକୁ ପ୍ରତିହତ କରୁନଥିବା ଆବଶ୍ୟକ। ଜଙ୍ଗଲରେ ଗଛ ସୃଷ୍ଟି ତୁଳନାରେ ଆମେ ଅଧିକରୁ ଅଧିକ କାଠ କାଟିଲେ, ଶେଷରେ ଜଙ୍ଗଲ ସମ୍ପୂର୍ଣ୍ଣ କ୍ଷୟ ହୋଇଯିବ। ମନୁଷ୍ୟର ଏହି ଦାୟିତ୍ଵହୀନ କାର୍ଯ୍ୟପାଇଁ ପ୍ରକୃତିରେ କିଭଳି ଅନେକ ଚକ୍ରାକାର ଗତି ବାଧାପ୍ରାପ୍ତ ହୋଇଛି ତାହା ବୈଜ୍ଞାନିକମାନେ ଲୋକଲୋଚନକୁ ଆଣିଛନ୍ତି।

ଅନେକଗୁଡ଼ିଏ କାରକ ସମ୍ମିଳିତ ଭାବେ କାର୍ଯ୍ୟ କରୁଛନ୍ତି – ଆମେ ଅନୁଭବ କରୁଥିବା ଅତ୍ୟଧିକ ତାପମାତ୍ରା ବୃଦ୍ଧିର ଦୁଇଟି କାରଣ ରହିଛି ଯଥା— ଜୀବାଶ୍ମ ଇନ୍ଧନ ଭିତ୍ତିକ ଶିଳ୍ପାୟନ ଏବଂ କୃଷି ଓ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲକ୍ଷୟ। ତାପବୃଦ୍ଧି କାରଣରୁ ହିଁ ହିମାଳୟର କେତେକ ସ୍ଥାନରେ ହିମବାହର ଗଳନ ହାର ବର୍ଷଣ ଦ୍ଵାରା ପୁନଃଭରଣାଠାରୁ ଅଧିକ ରହୁଛି। ଏହାର ପ୍ରଭାବ ହିମାଳୟ ଜଳଉତ୍ସ ଉପରେ ନିର୍ଭର କରୁଥିବା ସମତଳ ବାସିନ୍ଦାଙ୍କ ଉପରେ ପଡୁଛି।

ମନେରଖ

  • ସାଧାରଣତଃ ମାଛ ସଂଖ୍ୟାର ସୁରକ୍ଷା ପାଇଁ ପ୍ରଜନନ ଋତୁରେ ମାଛଧରିବାରୁ ନିବୃତ୍ତ ରହିବା ଭଳି ପ୍ରଥା ବିଭିନ୍ନ ଗୋଷ୍ଠୀମାନଙ୍କ ମଧ୍ୟରେ ପାରମ୍ପରିକ ଭାବେ ରହିଥିଲା। ମାତ୍ର ବାଣିଜ୍ୟିକ ଭିତ୍ତିରେ ମାଛଧରା ଯୋଗୁଁ ମତ୍ସ୍ୟ ସମ୍ପଦର ଅଧିକ ଶୋଷଣ ହେଲା। ଉଦାହରଣ ସ୍ଵରୂପ, ଟୁନା (Tuna) ପ୍ରଜାତି ମାଛ ସଂଖ୍ୟାର ଦ୍ରୁତ ହ୍ରାସ ଯୋଗୁଁ ଏହି ମାଛ ଧରିବା ଉପରେ ନିୟନ୍ତ୍ରଣ ଲାଗୁ ହେଲା। ତଥାପି ଛୋଟ ଛୋଟ ମାଛ ଓ ଚିଙ୍ଗୁଡ଼ିକୁ ଖାଦ୍ୟ ଭାବରେ ଗ୍ରହଣ କରି ସାମୁଦ୍ରିକ ପରିସଂସ୍ଥାକୁ ସନ୍ତୁଳିତ ରଖୁଥିବା ଏ ପ୍ରଜାତିର ମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

  • ପ୍ରାକୃତିକ ପରିସଂସ୍ଥାରେ ସନ୍ତୁଳନ ରକ୍ଷା ପାଇଁ କିଛି ପାରମ୍ପରିକ ପ୍ରଥା ବିଷୟରେ ତୁମେ ଜାଣ କି ?


ଆମେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ଶିଳ୍ପର ଆବଶ୍ୟକତା ରହିଛି। ଶିଳ୍ପାୟନରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ ମୁଖ୍ୟତଃ ନଦୀ ଓ ଅନ୍ୟାନ୍ୟ ଜଳାଶୟକୁ ନିଷ୍କାସିତ ହୋଇଥାଏ। ଅଧିକାଂଶ ସମୟରେ ଏହି ବର୍ଜ୍ୟବସ୍ତୁ ଅପଘଟିତ ହୋଇ ନପାରିବାରୁ କୌଣସି ଜୀବର ଖାଦ୍ୟଭାବେ ବ୍ୟବହୃତ ହୋଇନଥାଏ। ଫଳତଃ ପ୍ରକୃତିର ପୁନରୁଦ୍ଧାର ଏବଂ ପୁନଃସୃଷ୍ଟି ଚକ୍ରରେ ବ୍ୟାଘାତ ସୃଷ୍ଟି ହୁଏ । ନଦୀ ତଥା ଜଳାଶୟ ବିଷାକ୍ତ ହୋଇଯାଏ ଓ ଜୀବନ ପାଇଁ ଅନୁକୂଳ ହୋଇ ନ ଥାଏ।

[ଚିତ୍ର ବର୍ଣ୍ଣନା: କାରଖାନାରୁ ବିଷାକ୍ତ ଓ କଳୁଷିତ ବର୍ଜ୍ୟଜଳ ନଳୀ ମାଧ୍ୟମରେ ନଦୀ କିମ୍ବା ଜଳାଶୟକୁ ନିଷ୍କାସିତ ହେବାର ଦୃଶ୍ୟ]

ଚିତ୍ର : ୧.୧୦: ଅଧିକାଂଶ ସମୟରେ ଶିଳ୍ପ ବର୍ଜ୍ୟବସ୍ତୁଗୁଡ଼ିକୁ ଉପଯୁକ୍ତ ପ୍ରକ୍ରିୟାକରଣ ବିନା ଫିଙ୍ଗି ଦିଆଯାଏ।

ଆସ ଅନୁସନ୍ଧାନ କରିବା

  • ତୁମ ଚତୁଃପାର୍ଶ୍ଵସ୍ଥ ପରିବେଶରେ ପ୍ରକୃତି ନିଜସ୍ଵ ପୁନରୁଦ୍ଧାର ଓ ପୁନଃସୃଷ୍ଟି କ୍ଷମତା ହରାଇବାପାଇଁ ଦାୟୀ ମାନବୀୟ କାର୍ଯ୍ୟକଳାପଗୁଡ଼ିକୁ ଚିହ୍ନଟ କର।

  • ପ୍ରକୃତି ଚକ୍ରକୁ ପୁନରୁଦ୍ଧାର କରିବା ପାଇଁ କି’ କି’ ପଦକ୍ଷେପ ନିଆଯାଇପାରିବ ?

ମନେରଖ

  • ପରିସଂସ୍ଥାର କାର୍ଯ୍ୟ ଓ ପରିସଂସ୍ଥାର ସେବା : ପ୍ରକୃତି ନିଜସ୍ଵ ଅନ୍ତର୍ନିହିତ ଢଙ୍ଗରେ କାର୍ଯ୍ୟକରେ। ଉଦାହରଣ ସ୍ଵରୂପ, ବୃକ୍ଷମାନେ ପ୍ରାକୃତିକ ଭାବରେ ଅମ୍ଳଜାନ ଉତ୍ପାଦନ କରନ୍ତି। ଯେତେବେଳେ ଏହିଭଳି ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ମଣିଷର କଲ୍ୟାଣ କରେ, ସେତେବେଳେ ଆମେ ତାକୁ ‘ପରିସଂସ୍ଥା ସେବା’ କହିଥାଉ। ଆମେ ଏହାକୁ ଏପରି ଭାବରେ ମଧ୍ୟ ଭାବି ପାରିବା– ଜଙ୍ଗଲ ପ୍ରାକୃତିକ ଭାବରେ ଜଳକୁ ସ୍ୱଚ୍ଛ କରେ, ମୃତ୍ତିକା କ୍ଷୟକୁ ରୋକେ, ପ୍ରାଣୀମାନଙ୍କ ପାଇଁ ବାସସ୍ଥାନ ଯୋଗାଇଥାଏ, ଆମେ ଏହାକୁ ‘ପରିସଂସ୍ଥା କାର୍ଯ୍ୟ’ କହୁ। ଯେତେବେଳେ ଆମେ ସେହି ଜଙ୍ଗଲ ଯୋଗୁଁ ସ୍ୱଚ୍ଛ ଜଳ, ଉର୍ବର ଚାଷଜମି ଏବଂ ପରାଗୀକୃତ ଫସଲରୁ ଉପକୃତ ହେଉ, ସେତେବେଳେ ଆମେ ପ୍ରକୃତିରୁ ‘ପରିସଂସ୍ଥା ସେବା’ ପାଇଥାଉ।

  • ଗୋଟିଏ ପରିପକ୍ବ ବୃକ୍ଷ ଦୈନିକ ପ୍ରାୟ ୨୭୫ ଲିଟର ଅମ୍ଳଜାନ ଉତ୍ପାଦନ କରେ (ଏହି ଉତ୍ପାଦନ ବୃକ୍ଷର ପ୍ରକାର ଉପରେ ନିର୍ଭର କରି ଭିନ୍ନ ଭିନ୍ନ ହୋଇଥାଏ)। ଜଣେ ମନୁଷ୍ୟ ଦୈନିକ ପ୍ରାୟ ୩୫୦ ଲିଟର ଅମ୍ଳଜାନ ଆବଶ୍ୟକ କରିଥାଏ। (ଏହି ଆବଶ୍ୟକତା ମନୁଷ୍ୟର ପରିଶ୍ରମ, ଉଚ୍ଚତା ଓ ଓଜନ ଭିତ୍ତିରେ ଅଲଗା ହୋଇଥାଏ) ।

ପରିସଂସ୍ଥା (Ecosystem): କୌଣସି ପ୍ରାକୃତିକ ପରିବେଶ ଅନ୍ତର୍ଗତ ସଜୀବ ଓ ନିର୍ଜୀବ ଉପାଦାନ ଗୁଡ଼ିକର ପାରସ୍ପରିକ ସମ୍ପର୍କ ଓ ନିର୍ଭରଶୀଳତାକୁ ପରିସଂସ୍ଥା କୁହାଯାଏ ।


ଆସ ଅନୁସନ୍ଧାନ କରିବା

ତୁମ ଅଞ୍ଚଳର ବିଭିନ୍ନ ନବୀକରଣ ଯୋଗ୍ୟ ସମ୍ବଳର ମୂଲ୍ୟାୟନ କରିବା ପାଇଁ ଗୋଟିଏ ଗବେଷଣାତ୍ମକ ଅନୁଧ୍ୟାନ କର । ତୁମ ଅଧ୍ୟୟନର ଭୌଗୋଳିକ କ୍ଷେତ୍ର ଏବଂ ତୁମକୁ ଆବଶ୍ୟକ ସୂଚନାର ଉତ୍ସ ସମ୍ବନ୍ଧରେ ଶିକ୍ଷକଙ୍କ ସହ ଆଲୋଚନା କରିପାରିବ । ସମୟ ସହିତ ଏହି ସମ୍ବଳଗୁଡ଼ିକର ସ୍ଥିତିରେ କ’ଣ ପରିବର୍ତ୍ତନ ଆସିଛି ? ପରିବର୍ତ୍ତନର କାରଣ ସବୁକୁ ଚିହ୍ନଟ କର ଓ ଏକ ନିରାକରଣ ନିମନ୍ତେ କ’ଣ କରିହେବ, ଏହାର ସମ୍ବନ୍ଧରେ ଏକ ଛୋଟ ରିପୋର୍ଟ ପ୍ରସ୍ତୁତ କର।

ନବୀକରଣ ଅଯୋଗ୍ୟ ସମ୍ବଳ

ନବୀକରଣ ଅଯୋଗ୍ୟ ସମ୍ବଳ ସୃଷ୍ଟି ହେବା ପାଇଁ ବହୁବର୍ଷ ଲାଗିଥାଏ। ଆମେ ଯେଉଁ ହାରରେ ସେଗୁଡ଼ିକୁ ବ୍ୟବହାର କରୁଛେ, ସେଗୁଡ଼ିକର ସେହି ହାରରେ ପୁନଃଭରଣ ସମ୍ଭବ ନୁହେଁ। ଉଦାହରଣ ସ୍ୱରୂପ, ଜୀବାଶ୍ମ ଇନ୍ଧନ (କୋଇଲା ଓ ପେଟ୍ରୋଲିୟମ୍), ଲୁହା, ତମ୍ବା ଓ ସୁନା ଭଳି ଖଣିଜ ଏବଂ ଧାତୁଗୁଡ଼ିକ ଏହି ସମ୍ବଳର ଅନ୍ତର୍ଭୁକ୍ତ। ଭାରତରେ ଯଥେଷ୍ଟ ପରିମାଣର କୋଇଲା ଭଣ୍ଡାର ରହିଛି। ବର୍ଦ୍ଧିତ ଜନସଂଖ୍ୟାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଆମେ ଏହି କୋଇଲାର ଖନନ କରିଥାଉ। ତେବେ, ଭାରତରେ ଗଚ୍ଛିତ ଥିବା କୋଇଲା ଭଣ୍ଡାର ଆଉ ୫୦ ବର୍ଷ ପର୍ଯ୍ୟନ୍ତ ରହିପାରେ ବୋଲି ଆକଳନ କରାଯାଉଛି। କ୍ରମାଗତ ଜନସଂଖ୍ୟା ବୃଦ୍ଧି ଓ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବା ଯୋଗୁଁ ଦିନକୁ ଦିନ ବିଦ୍ୟୁତ୍ ଶକ୍ତିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଯେପର୍ଯ୍ୟନ୍ତ ଏହାର ସ୍ଥାୟୀ ବିକଳ୍ପ ବ୍ୟାପକ ଭାବରେ ଉପଲବ୍ଧ ହୋଇନାହିଁ, ସେ ପର୍ଯ୍ୟନ୍ତ ଆମେ ଗଚ୍ଛିତଥିବା କୋଇଲାର ଯଥୋଚିତ ବ୍ୟବହାର କରିବାକୁ ହେବ।

ଆସ ଅନୁସନ୍ଧାନ କରିବା

ତୁମେ ପ୍ରତିଦିନ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବ୍ୟବହାର କରୁଥିବା ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକ କ’ଣ ? ଏହି ସମ୍ବଳଗୁଡ଼ିକର ସମ୍ଭାବ୍ୟ ନବୀକରଣ ଯୋଗ୍ୟ ବିକଳ୍ପଗୁଡ଼ିକ କ’ଣ ? କେଉଁ ସବୁ ପଦକ୍ଷେପ ଦ୍ଵାରା ଏଗୁଡ଼ିକ ନବୀକରଣ ଯୋଗ୍ୟ ସମ୍ବଳରେ ରୂପାନ୍ତରିତ ହୋଇପାରିବ ?

ପ୍ରାକୃତିକ ସମ୍ବଳଗୁଡ଼ିକର ବଣ୍ଟନ ଏବଂ ଏହାର ପ୍ରଭାବ :

ପ୍ରାକୃତିକ ସମ୍ବଳଗୁଡ଼ିକ ପୃଥିବୀର ବିଭିନ୍ନ ପ୍ରାନ୍ତରରେ କିମ୍ବା କୌଣସି ଦେଶ ଭିତରେ ସମାନ ଭାବରେ ବଣ୍ଟନ ହୋଇନାହିଁ। ଏହି ଅସମାନ ବଣ୍ଟନ ମାନବବସତି, ବାଣିଜ୍ୟର ପ୍ରକାରଭେଦ, ଆନ୍ତର୍ଜାତୀୟ ସମ୍ପର୍କ ଓ ସଂଘର୍ଷକୁ ରୂପ ଦେଇଥାଏ। ଏହି ପ୍ରାକୃତିକ ସମ୍ବଳ ଉପରେ ଅଧିକାର ସାବ୍ୟସ୍ତ କରିବା ପାଇଁ ଅତୀତରେ ଅନେକ ଯୁଦ୍ଧ ହୋଇଛି ଏବଂ ଏବେ ମଧ୍ୟ ଅନେକ ଯୁଦ୍ଧ ଜାରି ରହିଛି।


[ଚିତ୍ର ବର୍ଣ୍ଣନା: ଭାରତର ମାନଚିତ୍ର ଯେଉଁଥିରେ କୋଇଲା (Coal), ଖଣିଜ ତୈଳ (Oil), ଲୁହାପଥର (Iron Ore) ଏବଂ ବକ୍ସାଇଟ୍ (Bauxite) କ୍ଷେତ୍ରଗୁଡ଼ିକର ଭୌଗୋଳିକ ବଣ୍ଟନ ଦର୍ଶାଯାଇଛି]

ଚିତ୍ର : ୧.୧୧ : ମୁଖ୍ୟ ଖଣିଜ ଦ୍ରବ୍ୟର ବଣ୍ଟନ

ଆସ ଅନୁସନ୍ଧାନ କରିବା

ଚିତ୍ର : ୧.୧୧ରେ ଥିବା ମାନଚିତ୍ରକୁ ଅନୁଧ୍ୟାନ କର। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅସମାନ ବଣ୍ଟନକୁ ଲକ୍ଷ୍ୟ କର। ତୁମ ଅଞ୍ଚଳରେ କେଉଁ ପ୍ରକାର ସମ୍ବଳ ଉପଲବ୍ଧ ? ସେଗୁଡ଼ିକ ବଣ୍ଟନ କିପରି ଭାବରେ ହୋଇଅଛି ?

ପ୍ରାକୃତିକ ସମ୍ବଳ ମିଳୁଥିବା ସ୍ଥାନରେ ସ୍ଥାପିତ ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ଥାନୀୟ ଲୋକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରେ। ଏଗୁଡ଼ିକର ଚତୁଃପାର୍ଶ୍ବରେ ସହର ଗଢ଼ିଉଠିଥାଏ, ଯାହାକି ଅନ୍ୟମାନଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରେ। ଆଧୁନିକ ସୁବିଧା ସୁଯୋଗ ଦ୍ଵାରା ଜୀବନଶୈଳୀ ଉନ୍ନତ ହୋଇଥାଏ। ସ୍ଵଳ୍ପକାଳୀନ ହେଉ ବା ଦୀର୍ଘକାଳୀନ ହେଉ, ଉନ୍ନତ ଜୀବନଶୈଳୀ ଖର୍ଚ୍ଚ ବହୁଳ ହୋଇଥାଏ। ଏହିପରି ବିକାଶ ନିମନ୍ତେ, ପୃଥିବୀର ସମ୍ବଳ ସମୃଦ୍ଧ ଅଞ୍ଚଳରୁ ମଧ୍ଯ ଲୋକମାନେ ବିସ୍ଥାପିତ ହେବାର ଅନେକ ଉଦାହରଣ ରହିଛି।


[ଚିତ୍ର ବର୍ଣ୍ଣନା: ଭାରତ ଓ ତିବ୍ଦତ ମଧ୍ୟରେ ୟାରଲୁଙ୍ଗ ସାଙ୍ଗପୋ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ପ୍ରବାହର ଏକ ଭୂଭାଗୀୟ ମାନଚିତ୍ର]

ଚିତ୍ର : ୧.୧୨ : ବ୍ରହ୍ମପୁତ୍ର ନଦୀ ଜଳର ସହଭାଗୀତା

କେତେକ କ୍ଷେତ୍ରରେ ବିସ୍ଥାପିତମାନଙ୍କ ପବିତ୍ର ବାସଭୂମି ସଙ୍କଟାପନ୍ନ ଅବସ୍ଥାରେ ରହିଛି ଓ ଏଥିପାଇଁ ଅନେକ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

କିନ୍ତୁ, ଶିଳ୍ପାୟନ ତଥା ମାନବ ଜ୍ଞାନଦକ୍ଷତାର ସମନ୍ଵୟ ଯୋଗୁ ଅତି ଉଚ୍ଚମାନର ଉତ୍ପାଦମାନ ସୃଷ୍ଟି ହେଉଛି । ଉଜ୍ ଷ୍ଟିଲ୍ (Wootz Steel) ଭଳି ଉଚ୍ଚମାନର ଇସ୍ପାତ୍ ଏହାର ଏକ ଉଦାହରଣ । ଏହା ବ୍ୟତୀତ ପ୍ରାକୃତିକ ସମ୍ବଳର ଭୌଗୋଳିକ ସ୍ଥିତି ଉପରେ ନିର୍ଭର କରି ଜାତୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟ ପ୍ରଭାବିତ ହେଇଥାଏ । ଆମେ ଜାଣୁ ଯେ ଭାରତରେ ବୃହତ୍ ସାମ୍ରାଜ୍ୟର ବିକାଶକୁ ଅତୀତର ବାଣିଜ୍ୟହିଁ ଇନ୍ଧନ ଯୋଗାଇଥିଲା।

ଆସ ଅନୁସନ୍ଧାନ କରିବା

  • ଯେକୌଣସି ଦୁଇଟି ପ୍ରାକୃତିକ ସମ୍ବଳ ଚୟନ କର। ଭାରତର ବିଭିନ୍ନ ସ୍ଥାନରେ ସେଗୁଡ଼ିକର ଉପଲବ୍ଧତା ବିଷୟରେ ସୂଚନା ସଂଗ୍ରହ କରି, ଗୋଟିଏ ମାନଚିତ୍ରରେ ଚିହ୍ନିତ କର। ସେଗୁଡ଼ିକର ବଣ୍ଟନ ବିଷୟରେ କ’ଣ ଲକ୍ଷ୍ୟକରୁଛ ? ଏଗୁଡ଼ିକ ସହିତ କେଉଁ ପ୍ରକାରର ଆର୍ଥିକ କାର୍ଯ୍ୟକଳାପ ଜଡ଼ିତ ?

  • ସେ ସବୁ ସ୍ଥାନରୁ ପ୍ରାକୃତିକ ସମ୍ବଳର ଉତ୍ତୋଳନ, ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ଉପରେ କିପରି ପ୍ରଭାବ ପକାଇବ ଆଲୋଚନା କର। ପ୍ରକୃତିର ଏହି ଉପହାରକୁ ଆମେ କିପରି ଦାୟିତ୍ଵପୂର୍ଣ୍ଣଭାବେ ବ୍ୟବହାର କରିପାରିବା, ସେ ବିଷୟରେ ନିଜର ପ୍ରସ୍ତାବ ଦିଅ।

ପ୍ରକୃତି ରାଜନୈତିକ ସୀମାକୁ ଧ୍ୟାନ ଦିଏ ନାହିଁ । ଏଥିପାଇଁ ବିଭିନ୍ନ ଦେଶ ଓ ରାଜ୍ୟ ମଧ୍ୟରେ ପ୍ରାକୃତିକ ସମ୍ବଳ ଅଂଶୀଦାରୀ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥାଏ। କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ପୁଡ଼ୁଚେରୀ ମଧ୍ୟରେ କାବେରୀ ନଦୀର ଜଳବଣ୍ଟନ ଏହାର ପ୍ରକୃଷ୍ଟ ଉଦାହରଣ। ଏହି ରାଜ୍ୟମାନଙ୍କ ମଧ୍ୟରେ ଆଲୋଚନା ଓ ଦକ୍ଷତାପୂର୍ଣ୍ଣ ପରିଚାଳନା ଦ୍ୱାରା ଶାନ୍ତି ବଜାୟ ରଖିବା ସହ ନ୍ୟାୟସଂଗତ ବଣ୍ଟନର ଆବଶ୍ୟକତା ରହିଛି। ଏହା ନିଶ୍ଚିତ ଯେ, ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ଏହିଭଳି ଚୁକ୍ତିନାମାରେ ପହଞ୍ଚିବା ଏତେ ସହଜ ସାଧ୍ୟ ବ୍ୟାପାର ନୁହେଁ।

ଆସ ଅନୁସନ୍ଧାନ କରିବା

ଆନ୍ତର୍ଜାତୀୟ ସ୍ତରରେ ସୃଷ୍ଟ ଏହିଭଳି ଏକ ବିବାଦକୁ ଖୋଜି ବାହାର କର। ଏହାର ନିଷ୍କର୍ଷ ତୁମ ଶ୍ରେଣୀରେ ଆଲୋଚନା କର।


[ଚିତ୍ର ବର୍ଣ୍ଣନା: କାବେରୀ ନଦୀ ଉପରେ ନିର୍ମିତ ବିଶାଳ ବନ୍ଧ, ଜଳଭଣ୍ଡାର, ବିଦ୍ୟୁତ୍ ଟ୍ରାନ୍ସମିସନ ଟାୱାର ଓ ଚତୁଃପାର୍ଶ୍ଵସ୍ଥ ସବୁଜିମା]

ଚିତ୍ର : ୧.୧୩ : କାବେରୀ ନଦୀ ଉପରେ ନିର୍ମିତ ତାମିଲନାଡୁର ମେଟୁର ବନ୍ଧ

ପ୍ରାକୃତିକ ସମ୍ବଳର ବିଲକ୍ଷଣ (The "Natural Resource Curse")

ପ୍ରାକୃତିକ ସମ୍ବଳର ପ୍ରାଚୁର୍ଯ୍ୟ ଅର୍ଥନୈତିକ ସମୃଦ୍ଧିକୁ ସୁନିଶ୍ଚିତ କରି ନଥାଏ। କେତେକ ଅଞ୍ଚଳ ପ୍ରାକୃତିକ ସମ୍ବଳରେ ସମୃଦ୍ଧ ଥିବା ସତ୍ତ୍ବେ ସେଠାରେ ଆର୍ଥିକ ଅଭିବୃଦ୍ଧି ଓ ବିକାଶର ଧାରା ମନ୍ଥର ହୋଇଥାଏ । ଫଳତଃ ଦେଶରେ ଅନେକ ସାମାଜିକ ଓ ଆର୍ଥିକ ସମସ୍ୟାମାନ ସୃଷ୍ଟି ହୁଏ। ଏହି ପରିସ୍ଥିତିକୁ ଅର୍ଥନୀତିଜ୍ଞମାନେ ‘ପ୍ରାକୃତିକ ସମ୍ବଳର ବିଲକ୍ଷଣ’ (Natural Resource Curse) କିମ୍ବା ‘ପ୍ରଚୁରତାର ବିରୋଧାଭାସ' (Paradox of Plenty) ବୋଲି କହିଛନ୍ତି। ସରଳ ଭାବେ କହିଲେ, ପ୍ରଚୁର ପ୍ରାକୃତିକ ସମ୍ବଳ ରହିଥିବା ଦେଶକୁ ଧନୀ କୁହାଯାଇପାରିବ ନାହିଁ। ବହୁ କ୍ଷେତ୍ରରେ ସମ୍ବଳକୁ ଉଚ୍ଚମୂଲ୍ୟର ଉତ୍ପାଦନରେ ପରିଣତ କରିବାକୁ ଆବଶ୍ୟକ ଶିଳ୍ପ ବିକାଶ ଦେଶର ଆର୍ଥିକ ପରିସ୍ଥିତି ଯୋଗୁଁ ସମ୍ଭବ ହେଉନାହିଁ। ଏହି ପୁସ୍ତକର ଶେଷରେ ଦିଆଯାଇଥିବା “ଉତ୍ପାଦନର କାରକ" ଅଧ୍ୟାୟରେ ଏ ବିଷୟରେ ଅଧିକ ବୁଝି ପାରିବ।

ଆସ ଅନୁସନ୍ଧାନ କରିବା

ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଉପଲବ୍ଧ ପ୍ରାକୃତିକ ସମ୍ବଳକୁ ବ୍ୟବହାରକ୍ଷମ କରିବା ପାଇଁ କେଉଁ ସବୁ ନିବେଶ (Input) ଆବଶ୍ୟକ ବୋଲି, ତୁମେ ଭାବୁଛ ?

ସମ୍ବଳର ସଂଗ୍ରହଣ ଓ ଏହାର ଧାରଣୀୟତା (Sustainability) ମଧ୍ୟରେ ସନ୍ତୁଳନ ରକ୍ଷା ତଥାପି ଏକ ଆହ୍ୱାନ ହୋଇ ରହିଛି। ପ୍ରାକୃତିକ ସମ୍ବଳ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ଓ ଏହାର ସୁପରିଚାଳନା ବିଷୟରେ ଆମେ ପ୍ରଥମେ ଜାଣିବା ଦରକାର। ତେବେ ମଣିଷର ବୋଧଶକ୍ତି, ସୁଶାସନ ଏବଂ ଉପଯୁକ୍ତ ଯୋଜନା ଉପରେ ହିଁ ଏହାର ସ୍ଥାୟୀ ଲାଭ ବା ତତ୍କାଳ ଲାଭ ନିର୍ଭର କରିଥାଏ।


ଜୈବ ବିବିଧତାର କ୍ଷତି (Biodiversity Loss) : ପୃଥିବୀରେ ଜୈବ ବିବିଧତାରେ ନିରନ୍ତର ହ୍ରାସ

ପ୍ରାକୃତିକ ସମ୍ବଳର ଦାୟିତ୍ଵସମ୍ପନ୍ନ ସୁବିନିଯୋଗ : ସୁରକ୍ଷିତ ପରିଚାଳନା

ପୃଥିବୀରେ ଜୀବନ ତିଷ୍ଠିବା ପାଇଁ ଆମେ ପ୍ରକୃତିକୁ ସମ୍ମାନ କରିବା ଆବଶ୍ୟକ । ପ୍ରାକୃତିକ ସମ୍ବଳର ସୁବ୍ୟବସ୍ଥିତ ଉପଯୋଗ ଦ୍ବାରା ନବୀକରଣ ଯୋଗ୍ୟ ସମ୍ବଳର ପୁନରୁଦ୍ଧାର ଓ ପୁନଃସୃଷ୍ଟି ଓ ନବୀକରଣ ଅଯୋଗ୍ୟ ସମ୍ବଳର ଯଥୋଚିତ ଓ ଦାୟିତ୍ଵସମ୍ପନ୍ନ ବ୍ୟବହାର ସମ୍ଭବ ହେବ।

ଏହି ବିଷୟରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ପ୍ରାକୃତିକ ସମ୍ବଳର ଦାୟିତ୍ଵହୀନ ବ୍ୟବହାର ଦ୍ଵାରା ପ୍ରଦୂଷଣ, ଜୈବ ବିବିଧତାର କ୍ଷତି ଏବଂ ଜଳବାୟୁ ପରିବର୍ତ୍ତନ ଘଟୁଛି। ଆଜିକାଲି ଏହି ଘଟଣାମାନ ଅଧିକରୁ ଅଧିକ ଭାବେ ସଂଗଠିତ ହେଉଛି।

ନବୀକରଣ ଯୋଗ୍ୟ ସମ୍ବଳର ପୁନରୁଦ୍ଧାର ଓ ପୁନଃସୃଷ୍ଟି

କ୍ରମାଗତ ବ୍ୟବହାର ବୃଦ୍ଧି ଯୋଗୁଁ ପ୍ରାକୃତିକ ସମ୍ବଳକୁ ଆମେ କିପରି ପୁନଃ ସୃଷ୍ଟି କରିବାର କ୍ଷମତା ବାହାରକୁ ନେଇଯାଇଛେ, ତାହାର ଦୁଇଟି ଉଦାହରଣ ଏଠାରେ ଦିଆଯାଇଛି।

ଆମ ଦେଶର ଅନେକ କୃଷକ ଜଳସେଚନ ଉଦ୍ଦେଶ୍ୟରେ ଭୂତଳ ଜଳ ଉତ୍ତୋଳନ କରନ୍ତି। ଅନେକ ରାଜ୍ୟରେ ଅଧିକ ପରିମାଣରେ ଉତ୍ତୋଳନ ହେବା କାରଣରୁ ଭୂତଳ ଜଳସ୍ତର ପୁନଃଭରଣ ତୁଳନାରେ ଅଧିକ ନିମ୍ନଗାମୀ ହେଉଛି। ସମୟାନୁକ୍ରମେ, ଭୂତଳ ଜଳର ଅଭାବ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହାର ଉପଲବ୍ଧତା ହ୍ରାସ ଯୋଗୁଁ ଜଳ ଉତ୍ତୋଳନ ବ୍ୟୟବହୁଳ ହେଉଛି। ପୂର୍ବାନୁମାନ କରାଯାଇଛି ଯେ, ଆମର ବର୍ଦ୍ଧିଷ୍ଣୁ ସହର ଗୁଡ଼ିକରେ ଭୂତଳ ଜଳ ଶୀଘ୍ର ଶେଷ ହୋଇଯିବ। ସୁତରାଂ ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ଅନେକ ପ୍ରତିକାରମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି। ଏଥିପାଇଁ ଜଳ ଅମଳର ବିଭିନ୍ନ ପାରମ୍ପରିକ ପଦ୍ଧତି, ପୋଖରୀ, ଓ ବିଭିନ୍ନ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର, ପାଣିର ଅପଚୟ ହ୍ରାସ, ପ୍ରକ୍ରିୟାକରଣ ଏବଂ ପୁନଃବ୍ୟବହାର ଭଳି କିଛି ରଣନୀତି ଗ୍ରହଣ କରାଯାଉଛି।

[ଚିତ୍ର ବର୍ଣ୍ଣନା: ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ଶୁଖି ନଷ୍ଟ ହୋଇଯାଇଥିବା ଫସଲର କ୍ଷେତ୍ର]

ଚିତ୍ର : ୧.୧୪ : ରାସାୟନିକ ସାରର ଅନୁଚିତ ବ୍ୟବହାର ଜନିତ ଫସଲ କ୍ଷତି

ସେହିପରି, ରାସାୟନିକ ସାର ଏବଂ କୀଟନାଶକର ଅନୁପଯୁକ୍ତ ବ୍ୟବହାର ଦ୍ଵାରା ମୃତ୍ତିକା ଅବକ୍ଷୟ ହେଉଛି । ପାରମ୍ପରିକ କୃଷି ପଦ୍ଧତି ମୃତ୍ତିକାକୁ ପୃଥିବୀ ମାଆର ଅଂଶ ବୋଲି ବିବେଚନା କରୁଥିଲା। ସେ ସମୟରେ ଗୋବର ଓ ଅନ୍ୟାନ୍ୟ ପ୍ରାକୃତିକ ସାରର ବ୍ୟବହାର, ମୃତ୍ତିକା ଆଚ୍ଛାଦନ (mulching), ବହୁ ଫସଲ (multi-cropping) ଭିତ୍ତିକ କୃଷି ପଦ୍ଧତି ଆଦି ଅଭ୍ୟାସଗୁଡ଼ିକ ମୃତ୍ତିକା ପରିଚାଳନାକୁ ବ୍ୟବସ୍ଥିତ କରିଥିଲା । ବର୍ତ୍ତମାନ ସମୟରେ ଆମକୁ ପୁନଶ୍ଚ ଏହି ପଦ୍ଧତିଗୁଡ଼ିକରୁ ଶିଖିବାକୁ ହେବ ଏବଂ ପ୍ରୟୋଗ କରିବାକୁ ପଡ଼ିବ। ଏହାଦ୍ୱାରା ମୃତ୍ତିକାକୁ ପୁନଃଭରଣ ଓ ପୁନର୍ଜୀବିତ କରି ଅବକ୍ଷୟରୁ ରୋକାଯାଇ ପାରିବ ।

ଭୂତଳ ଜଳର ଅତ୍ୟଧିକ ବ୍ୟବହାର (Over exploitation) : ପଞ୍ଜାବର ଏକ ଘଟଣା

ପଞ୍ଜାବର ଉର୍ବର ସମତଳ ଭୂମିରେ ଭୂତଳ ଜଳ ହ୍ରାସ ଯୋଗୁଁ ଉତ୍କଟ ଜଳ ସଙ୍କଟ ଦେଖା ଦେଇଛି। ଆମ ଜନସଂଖ୍ୟାର ଏକ ବୃହତ ଅଂଶକୁ ଖାଦ୍ୟ ଯୋଗାଉଥିବା ପଞ୍ଜାବ–ସବୁଜ ବିପ୍ଳବର ଅନ୍ତୁଡ଼ିଶାଳ। ଭାରତକୁ ଖାଦ୍ୟ ସ୍ଵାବଲମ୍ବୀ କରିବାରେ ଏହି ରାଜ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଆଜି ସେହି ରାଜ୍ୟ ନିରନ୍ତର (Sustainability) ସମସ୍ୟାର ସମ୍ମୁଖୀନ ହେଉଛି। ପୁନଃସୃଷ୍ଟି ଓ ପୁନଃଭରଣ ତୁଳନାରେ ସାମୟିକ ପ୍ରଗତି ପାଇଁ ପ୍ରକୃତିକୁ ମାତ୍ରାଧିକ ବ୍ୟବହାର ଓ ଶୋଷଣ କରାଯାଉଛି। ଏହି ସମସ୍ୟା କେବଳ ପଞ୍ଜାବ ନୁହେଁ, ଅନ୍ୟ ବହୁ ରାଜ୍ୟକୁ ମଧ୍ୟ ପ୍ରଭାବିତ କରୁଛି।

୧୯୬୦ ଦଶକରେ ପଞ୍ଜାବର ଚାଷୀମାନେ କୃଷିକ୍ଷେତ୍ରରେ ଗହମ ଓ ଧାନର ଉଚ୍ଚ ଅମଳକ୍ଷମ ବିହନ ବ୍ୟବହାର କରୁଥିଲେ। ଏହା ପାରମ୍ପରିକ ବିହନ ଅପେକ୍ଷା ଅଧିକ ଜଳ ଆବଶ୍ୟକ କରୁଥିଲା । ତେଣୁ ଚାଷୀମାନେ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଧିକରୁ ଅଧିକ ଭୂତଳ ଜଳ ଉପରେ ନିର୍ଭର କଲେ । ଏହା ସହିତ ମାଗଣା ବିଦ୍ୟୁତ୍ ଯୋଗାଣ (ମଟର ପମ୍ପ ବ୍ୟବହାର ପାଇଁ) ଭୂତଳ ଜଳର ଅତ୍ୟଧିକ ଉତ୍ତୋଳନକୁ ତ୍ୱରାନ୍ବିତ କଲା । (ଆଜି ମଧ୍ୟ ଭାରତର ଅଧିକାଂଶ ସ୍ଥାନରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି)। ଏହି ପ୍ରକାର ଆଧୁନିକ କୃଷି କୌଶଳ ପାଇଁ ଅଧିକରୁ ଅଧିକ କୀଟନାଶକ ଏବଂ ରାସାୟନିକ ସାରର ବ୍ୟବହାର ମଧ୍ୟ ହେଉଛି।

ଉପରୋକ୍ତ କାରଣଗୁଡ଼ିକର ମିଳିତ ପ୍ରଭାବରେ ପଞ୍ଜାବର ଏକ ବଡ଼ ଅଞ୍ଚଳରେ (ଚିତ୍ର : ୧.୧୭ ଦେଖ) ଭୂତଳ ଜଳ ସ୍ତର ପ୍ରାୟ ୩୦ ମିଟର ତଳକୁ ଚାଲି ଗଲାଣି। ଏହି ଭୂତଳ ଜଳରେ କୀଟନାଶକ ଓ ସାରରୁ ରାସାୟନିକ ପଦାର୍ଥ ମିଶି ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି।

[ଚିତ୍ର ବର୍ଣ୍ଣନା: ପାଇପ୍ ଦ୍ୱାରା ପ୍ରଚୁର ପରିମାଣରେ ଭୂତଳ ଜଳ ଉତ୍ତୋଳନ କରାଯାଇ ଜଳସେଚନ କରାଯାଉଥିବାର ଦୃଶ୍ୟ]

ଚିତ୍ର : ୧.୧୫ : ଭୂତଳ ଜଳ ଉତ୍ତୋଳନ

[ଚିତ୍ର ବର୍ଣ୍ଣନା: ଜଳମଗ୍ନ ଆର୍ଦ୍ର ଧାନ କ୍ଷେତର ଦୃଶ୍ୟ]

ଚିତ୍ର ୧.୧୬ : ଆର୍ଦ୍ର ଧାନ କ୍ଷେତ


ପଞ୍ଜାବର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳକୁ ‘ଅତ୍ୟଧିକ ଶୋଷିତ’ ଅଞ୍ଚଳ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ଭୂତଳ ଜଳର ପୁନରୁଦ୍ଧାର ଏବଂ ସମ୍ଭାବ୍ୟ ପୁନଃସୃଷ୍ଟି ଅପେକ୍ଷା ଅଧିକ ଜଳ ଉତ୍ତୋଳନ ଓ ବ୍ୟବହାର କରୁଛୁ।

ଏଠାରେ ଆମେ ଦେଖୁପାରୁଛେ ଯେ, ପଞ୍ଜାବରୁ ଆରମ୍ଭ ହୋଇଥିବା ଖାଦ୍ୟ ସୁରକ୍ଷା ସ୍ୱଳ୍ପ ସମୟ ପାଇଁ ଆମକୁ ନିଶ୍ଚିତ କରିପାରିଥିଲା। ତେବେ, ଦୀର୍ଘକାଳୀନ ପରିଣାମ ଓ ପ୍ରଭାବକୁ ସମାଧାନ କରିବା ପାଇଁ ଯଥେଷ୍ଟ ସମୟ ଓ ପ୍ରୟାସ ଲାଗିବ।

[ଚିତ୍ର ବର୍ଣ୍ଣନା: ଜୁନ୍ ୨୦୨୨ ଅନୁଯାୟୀ ପଞ୍ଜାବ ଏବଂ ଚଣ୍ଡିଗଡ଼ର ବିଭିନ୍ନ ଅଞ୍ଚଳରେ ଭୂତଳ ଜଳସ୍ତରର ଗଭୀରତା (ମିଟରରେ) ଦର୍ଶାଉଥିବା ଏକ ବିସ୍ତୃତ ରଙ୍ଗୀନ ମାନଚିତ୍ର]

ଚିତ୍ର ୧.୧୭ : ପଞ୍ଜାବ ଏବଂ ଚଣ୍ଡିଗଡ଼ର ଜଳସ୍ତର ଗଭୀରତାର ମାନଚିତ୍ର ଜୁନ୍ ୨୦୨୨ (ଭୂସ୍ତରରୁ ଜଳର ଗଭୀରତା ମିଟରରେ)


[ଚିତ୍ର ବର୍ଣ୍ଣନା: ପାହାଡ଼ ଉପରେ ମାଟି ଓ ବାଲିପଥର ଦ୍ୱାରା ନିର୍ମିତ ଐତିହାସିକ ଜୟସଲମେର ଦୁର୍ଗର ପାନୋରାମିକ ଦୃଶ୍ୟ]

ଚିତ୍ର : ୧.୧୮ : ରାଜସ୍ଥାନର ଜୟସଲମେର ଦୁର୍ଗ। ଏହା ଏକ ଦ୍ଵାଦଶ ଶତାବ୍ଦୀର ମାଟିର ନିର୍ମାଣ ଏବଂ ପରେ ବାଲିପଥର ଦ୍ଵାରା ପୁନଃ ନିର୍ମାଣ।

ସିମେଣ୍ଟ ପ୍ରସଙ୍ଗ

ସିମେଣ୍ଟ ବିନା ଜୀବନ ଅକଳ୍ପନୀୟ। ଆମ ଘର, ବିଦ୍ୟାଳୟ ଓ ଡାକ୍ତରଖାନା ଏବଂ ତତ୍‌ସହିତ ଅନ୍ୟାନ୍ୟ କୋଠା, ପୋଲ, ରାସ୍ତା ଏବଂ ବିମାନବନ୍ଦର ଆଦିର ନିର୍ମାଣ ପାଇଁ ସିମେଣ୍ଟ ଆବଶ୍ୟକ । ସିମେଣ୍ଟ ଶିଳ୍ପ ସବୁଠାରୁ ପ୍ରଦୂଷଣକାରୀ ଶିଳ୍ପ ମଧ୍ୟରୁ ଅନ୍ୟତମ ବୋଲି ତାଲିକାଭୁକ୍ତ କରାଯାଇଛି। ସିମେଣ୍ଟ ଉତ୍ପାଦନ ପ୍ରକ୍ରିୟାରେ କାରଖାନାରୁ ନିର୍ଗତ ସୂକ୍ଷ୍ମ ଧୂଳି ଆମର ତଥା ପଶୁମାନଙ୍କ ଫୁସ୍‌ଫୁସ୍‌ରେ ପ୍ରବେଶ କରି କ୍ଷତି ପହଞ୍ଚାଇଥାଏ। ଏହା ମଧ୍ୟ ଗଛର ପତ୍ର ଉପରେ ଜମା ହୋଇ ସେମାନଙ୍କର ଉତ୍ପାଦନ ହ୍ରାସ କରେ ଏବଂ ମୃତ୍ତିକା ଓ ଜଳ ପ୍ରଦୂଷଣ କରିଥାଏ। ପ୍ରଦୂଷଣକୁ ଅତି କମ୍ ବା ଦୂର କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସିମେଣ୍ଟ କାରଖାନା ନିମନ୍ତେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି।

ଏହାବ୍ୟତୀତ ବିକଳ୍ପ ସାମଗ୍ରୀ ବ୍ୟବହାର ମାଧ୍ୟମରେ ପ୍ରଦୂଷଣ ହ୍ରାସ କରିବାପାଇଁ ପଦକ୍ଷେପ ନିଆଯାଉଛି। ଏଥିରେ ପଥର ଓ ମାଟି ବା କର୍ଦ୍ଦମ ପରି ପାରମ୍ପରିକ ସାମଗ୍ରୀ, ଉଦ୍ଭିଦ ଆଧାରିତ ନୂତନ ସାମଗ୍ରୀ ଏବଂ ବର୍ଜ୍ୟ ପ୍ଲାଷ୍ଟିକରୁ ସୃଷ୍ଟ ନୂତନ ସାମଗ୍ରୀର ବ୍ୟବହାର ଅନ୍ତର୍ଭୁକ୍ତ।

[ଚିତ୍ର ବର୍ଣ୍ଣନା: ସବୁଜ ଅରଣ୍ୟ ଘେରା ପରିବେଶ ମଧ୍ୟରେ କାଦୁଅ-ମାଟିର ସ୍ୱତନ୍ତ୍ର ସ୍ଥାପତ୍ୟ କୌଶଳରେ ନିର୍ମିତ ଆରୋଭିଲ୍‌ର ଏକ ବହୁତଳ ଗୋଷ୍ଠୀ ଭବନ]

ଚିତ୍ର : ୧.୧୯ : ଆରୋଭିଲ୍ ଆର୍ଥ ଇନ୍‌ଷ୍ଟିଚ୍ୟୁଟ୍ (ମାଟିର ସ୍ଥାପତ୍ୟ ନିର୍ମାଣ ପାଇଁ ୟୁନେସ୍କୋ ଚେୟାର ଅଳଙ୍କୃତ କରିଥିବା) ଦ୍ଵାରା ନିର୍ମିତ ଅରୋଭିଲ୍‌ରେ ଏକ ଗୋଷ୍ଠୀ ଭବନ। ଏହି ଆଧୁନିକ କୋଠା ବିଶେଷ କୌଶଳ ବ୍ୟବହାର ଦ୍ବାରା କାଦୁଅରେ ନିର୍ମିତ।


ଏବେ ପାରମ୍ପରିକ ଦ୍ରବ୍ୟ ଓ ପଦ୍ଧତିଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ମିଶାଇ କମ୍ ପ୍ରଦୂଷଣକାରୀ ଓ ଧାରଣୀୟ (Sustainable) ସାମଗ୍ରୀ ସୃଷ୍ଟି କରାଯାଉଛି। ଏହାଦ୍ବାରା ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବା ସହ ସେହି ସ୍ଥାନର ଜଳବାୟୁ ପ୍ରତି ଧ୍ୟାନ ଦିଆଯାଇପାରୁଛି।

ବୃକ୍ଷାୟୁର୍ବେଦ (ବୃକ୍ଷ + ଆୟୁର୍ବେଦ) ଏକ ପ୍ରାଚୀନ ଭାରତୀୟ ଉଦ୍ଭିଦ ବିଜ୍ଞାନ। ଏଥିରେ ବୃକ୍ଷ ଓ ଉଦ୍ଭିଦ ସମ୍ବନ୍ଧରେ ଅଧ୍ୟୟନ ଏବଂ ଯତ୍ନ ଉପରେ ଗୁରୁତ୍ଵ ଦିଆଯାଇଥାଏ। ଏହି ଶବ୍ଦଟି ସଂସ୍କୃତରୁ ଆସିଛି। ବୃକ୍ଷର ଅର୍ଥ ହେଉଛି ଗଛ ଓ ଆୟୁର୍ବେଦ ଅର୍ଥ ହେଉଛି ଜୀବନ କିମ୍ବା ସ୍ୱାସ୍ଥ୍ୟର ବିଜ୍ଞାନ। ଏହି ପାରମ୍ପରିକ ଜ୍ଞାନ ପ୍ରଣାଳୀ ହଜାର ହଜାର ବର୍ଷ ପୁରୁଣା ଏବଂ ଏହା ପ୍ରାୟ ଦଶମ ଶତାବ୍ଦୀରେ ସୁରପାଳଙ୍କ ବୃକ୍ଷାୟୁର୍ବେଦ ଗ୍ରନ୍ଥରେ ଆନୁଷ୍ଠାନିକ ଭାବେ ପ୍ରକାଶିତ ହୋଇଥିଲା।

ଏହି ଗ୍ରନ୍ଥରେ ନିର୍ଦ୍ଦିଷ୍ଟ ମୃତ୍ତିକା ଭିତ୍ତିରେ ଅଲଗା ଅଲଗା ଗଛ ଲଗାଇବା ସମ୍ବନ୍ଧରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏହାବ୍ୟତୀତ ଏଥିରେ ବିହନ ସଂଗ୍ରହ ଓ ସଂରକ୍ଷଣ ଏବଂ ପ୍ରାକ୍ ଚାରାରୋପଣ ଯତ୍ନ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଋତୁଭିତ୍ତିରେ ଜଳସେଚନର କୌଶଳ, ଉଦ୍ଭିଦ ପ୍ରଜାତି ଓ ବୃଦ୍ଧିର ପର୍ଯ୍ୟାୟ ଆଦିର ବିସ୍ତୀର୍ଣ୍ଣ ବର୍ଣ୍ଣନା ପୁସ୍ତକରେ ରହିଛି। ଏକକାଳୀନ ପ୍ରାକୃତିକ ପ୍ରତିରୋଧକ ସହ ଚାରାରୋପଣ ଦ୍ଵାରା ଫସଲ ହାନିକାରକ କୀଟ ପରିଚାଳନା ରଣନୀତି ଏଥିରେ ରହିଛି।

ଏହି ପ୍ରକାର ଧାରଣୀୟ କୃଷି (Sustainable agriculture) ମୃତ୍ତିକାର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପର୍ଯ୍ୟାୟଭିତ୍ତିକ ଓ ମିଶ୍ରିତ କୃଷିକୁ ପ୍ରୋତ୍ସାହିତ କରିଥାଏ। ମାଟିକୁ ହଳ କରିବାର ସଠିକ୍ ପଦ୍ଧତି ଦ୍ଵାରା ମାଟିର ଆର୍ଦ୍ରତା ବଜାୟ ରଖିବା ଓ ଏଥିରେ କବକ, ବ୍ୟାକ୍ଟେରିଆ, ଜିଆ ବା କେଞ୍ଚୁଆ ଭଳି ଜୀବନ୍ତ ପ୍ରାଣୀଙ୍କ ବୃଦ୍ଧିକୁ କିପରି ସହଜ କରାଯାଇପାରିବ, ତାହା ବୃକ୍ଷାୟୁର୍ବେଦ ପରାମର୍ଶ ଦେଇଛି।

[ଚିତ୍ର ବର୍ଣ୍ଣନା: ପାହାଡ଼ିଆ କ୍ଷେତରେ ପିଠିରେ ଝୁଡ଼ି ବାନ୍ଧି ଧାଡ଼ି ହୋଇ ଚାଷକାର୍ଯ୍ୟ କରୁଥିବା କୃଷକମାନଙ୍କ ଦୃଶ୍ୟ]

ଚିତ୍ର ୧.୨୦– ସିକିମ୍‌ରେ ଜୈବିକ କୃଷି

ସିକିମ୍‌ର ଏକ ଘଟଣା

ସିକିମ୍‌ରେ ପେମାଙ୍କ ପାରିବାରିକ କୃଷିଫାର୍ମରେ ବ୍ୟୟବହୁଳ ରାସାୟନିକ ପଦାର୍ଥର ବ୍ୟବହାର ସତ୍ତ୍ୱେ ଅମଳ କ୍ରମଶଃ ହ୍ରାସ ପାଇଲା ଓ ଋଣଭାର ଯୋଗୁଁ ସେମାନେ ଚାପଗ୍ରସ୍ତ ହୋଇଥିଲେ। ରାଜ୍ୟ ସରକାର ସାରା ରାଜ୍ୟରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଘୋଷଣା କଲା ପରେ, ପେମାଙ୍କ ପରିବାର ଏହି ପଦ୍ଧତିକୁ ଆପଣେଇବାକୁ ନିଷ୍ପତ୍ତି ନେଲେ। ପ୍ରଥମେ ପ୍ରଥମେ ଏହି ନୀତିକୁ ଆପଣେଇବା ତାଙ୍କପାଇଁ ଏତେଟା ସହଜ ନଥିଲା। କାରଣ ବର୍ଷ ବର୍ଷ ଧରି ରାସାୟନିକ ପଦାର୍ଥର ବ୍ୟବହାର ଜନିତ ଅବକ୍ଷୟଗତ ମୃତ୍ତିକାର ପୁନରୁଦ୍ଧାର ଧୀରେ ଧୀରେ ହେଉଥିଲା। ଫଳତଃ ଅମଳ ଆଶାନୁରୂପକ ହେଉନଥିଲା ।

ପେମାଙ୍କ ପରିବାର ଗୋବର ଖତ ଓ ନିମ, ରସୁଣ ଆଦିରୁ ପ୍ରସ୍ତୁତ ପ୍ରାକୃତିକ କୀଟନାଶକ ବ୍ୟବହାର କରି ବର୍ଷସାରା ଅନେକ ପ୍ରକାରର ଫଳ ଚାଷ କଲେ । ପ୍ରାୟ ପାଞ୍ଚ ବର୍ଷ ପରେ ପେମାଙ୍କ ଫାର୍ମ ପୁନଶ୍ଚ ଉତ୍ପାଦନକ୍ଷମ ହେଲା । ସେ ତାଙ୍କର ଅଳେଇଚ, ଅଦା ଏବଂ ପାରମ୍ପରିକ ପନିପରିବା ସଠିକ୍ ମୂଲ୍ୟରେ ବିକ୍ରିକରି ଲାଭବାନ ହେଲେ। ୨୦୧୬ ମସିହାରେ, ସମସ୍ତ ଚାଷଜମି ସ୍ୱୀକୃତ ବା ପ୍ରାମାଣିକ ଭାବେ ଜୈବିକ କୃଷି ଅନ୍ତର୍ଗତ ହେବାରୁ ସିକିମ୍ ଶତ ପ୍ରତିଶତ ଜୈବିକ କୃଷି ରାଜ୍ୟରେ ପରିଣତ ହେଲା।

ଏହାର ପ୍ରଭାବରେ ସ୍ଥାନୀୟ ଜୈବ ବିବିଧତା ବୃଦ୍ଧି ପାଇଲା ଓ ଲାଭଦାୟକ କୀଟପତଙ୍ଗ ଏବଂ ପକ୍ଷୀ ପୁନଶ୍ଚ ଫେରି ଆସିଲେ। ଜୈବିକ କୃଷି ପଦ୍ଧତି ଦେଖିବା ପାଇଁ ପରିଦର୍ଶକମାନଙ୍କ ଆଗମନ ହେବା ସହିତ ପର୍ଯ୍ୟଟନ ବୃଦ୍ଧି ପାଇଲା ଏବଂ ଚାଷୀଙ୍କ ଆୟ ହାରାହାରି ୨୦ ପ୍ରତିଶତ ବୃଦ୍ଧି ଘଟିଥିଲା। ଆଜି, ସିକିମ୍ ବିଶ୍ଵରେ ଏକ ଆଦର୍ଶ କୃଷି ରାଜ୍ୟର ମାନ୍ୟତା ପାଇଛି। ଏଥିରୁ ସ୍ପଷ୍ଟ ଯେ, ଉଦ୍ୟମ ଦ୍ବାରା ବିଭିନ୍ନ ଅଞ୍ଚଳରେ ସ୍ଥାୟୀ କୃଷି ପଦ୍ଧତିକୁ ସଫଳତାର ସହ ଆପଣେଇ ହେବ ଏବଂ ଏଥିସହ ପାରିବେଶିକ ଓ ଆର୍ଥିକ ଉନ୍ନତି ହୋଇପାରିବ।

ସମ୍ବଳର ଦାୟିତ୍ଵପୂର୍ଣ୍ଣ ଓ ଯଥୋଚିତ ବ୍ୟବହାର

ନବୀକରଣ ଅଯୋଗ୍ୟ ସମ୍ବଳ କ୍ଷେତ୍ରରେ ଆମକୁ ଅଧିକ ସ୍ଥାୟୀ ବିକଳ୍ପ ସମ୍ବଳ ଖୋଜିବା ପର୍ଯ୍ୟନ୍ତ ଗଚ୍ଛିତ ସମ୍ବଳର ଦୀର୍ଘ ସ୍ଥାୟୀ ବ୍ୟବହାର ନିଶ୍ଚିତ କରିବାକୁ ପଡ଼ିବ। ଉଦାହରଣ ସ୍ୱରୂପ, ଆମକୁ ଯଥାସମ୍ଭବ ଅଧିକରୁ ଅଧିକ ଚାହିଦା ପୂରଣ କରିବା ନିମନ୍ତେ ନବୀକରଣୀୟ ଶକ୍ତିର ଉତ୍ସ ଉପରେ ନିର୍ଭର କରିବାକୁ ହେବ।

[ଚିତ୍ର ବର୍ଣ୍ଣନା: ରାଜସ୍ଥାନ ମରୁଭୂମି ଅଞ୍ଚଳରେ ପ୍ରତିଷ୍ଠିତ ବିଶାଳ ସୌର ପାର୍କର ଏକ ଉପଗ୍ରହ (ସାଟେଲାଇଟ୍) ଚିତ୍ର]

ଚିତ୍ର : ୧.୨୧ : ରାଜସ୍ଥାନରେ ଅବସ୍ଥିତ ବିଶ୍ଵର ସର୍ବବୃହତ୍ ସୌର ପାର୍କ ମଧ୍ୟରୁ ଗୋଟିଏର ସାଟେଲାଇଟ୍ ପ୍ରତିଛବି। ଏହା ରାଜସ୍ଥାନର ବର୍ତ୍ତମାନ ଆବଶ୍ୟକତାର ପ୍ରାୟ ୧୫% ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ ସକ୍ଷମ।


[ଚିତ୍ର ବର୍ଣ୍ଣନା: ଭୂମି ଉପରେ ସମାନ୍ତରାଳ ଧାଡ଼ିରେ ସ୍ଥାପିତ ହୋଇଥିବା ସୌର ପ୍ୟାନେଲ୍‌ଗୁଡ଼ିକର ଉପରୁ ଦୃଶ୍ୟ]

ଚିତ୍ର ୧.୨୨ : କର୍ଣ୍ଣାଟକର ରାଇଚୁର ନିକଟସ୍ଥ ସୌର ଫାର୍ମ

ଆନ୍ତର୍ଜାତୀୟ ସୌର ମେଣ୍ଟ– ନବୀକରଣ ଯୋଗ୍ୟ ଶକ୍ତିରେ ଭାରତର ନେତୃତ୍ୱ

୨୦୧୫ ମସିହାରେ ଭାରତ ଓ ଫ୍ରାନ୍ସ ମିଶି ସୌର ଶକ୍ତି ପାଇଁ ଏକ ଆନ୍ତର୍ଜାତୀୟ ମେଣ୍ଟ (IASE / ISA - International Solar Alliance) ଗଠନ କରିଥିଲେ । ସୌର ରଶ୍ମିରେ ସମୃଦ୍ଧ ଦେଶ ଗୁଡ଼ିକର ସୌରଶକ୍ତି ବ୍ୟବହାର ପାଇଁ ପ୍ରତିବଦ୍ଧତା ଏହି ମେଣ୍ଟର ଉଦ୍ଦେଶ୍ୟ ଥିଲା।

ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସୌର ପ୍ରକଳ୍ପର ଉନ୍ନତି ନିମନ୍ତେ ଭାରତ କୋଟି କୋଟି ଡଲାର ନିବେଶ ସହିତ ବୈଷୟିକ ସହାୟତା ପ୍ରଦାନ କରିଛି ଓ ଏହାଦ୍ଵାରା ସୁଲଭ ଆର୍ଥିକ ବିକଳ୍ପ ସୃଷ୍ଟି ହୋଇପାରିଛି। ଭାଡ଼ଲା ସୌର ପ୍ରକଳ୍ପ (Bhadla Solar Park) ଭାରତର ସୌର ମହତ୍ତ୍ଵାକାଂକ୍ଷାର ଏକ ଉଜ୍ଜ୍ଵଳ ପ୍ରତୀକ। ଆମ ଦେଶ କିପରି ପାରମ୍ପରିକ ଶକ୍ତି ଉତ୍ସରୁ ନବୀକରଣୀୟ ବିକଳ୍ପକୁ ପରିବର୍ତ୍ତିତ ହେଉଛି, ଏହା ଦର୍ଶାଉଛି। ଭାରତୀୟମାନଙ୍କ ପାଇଁ ଏହି ମେଣ୍ଟ ଉଭୟ ପରିବେଶଗତ ଦାୟିତ୍ଵ ଓ ଆର୍ଥିକ ସୁଯୋଗକୁ ପ୍ରତିନିଧିତ୍ଵ କରେ।

ଜଳ ଓ ବାୟୁ ଭଳି ମୌଳିକ ସମ୍ବଳଗୁଡ଼ିକର ବଣ୍ଟନ ଓ ସମସ୍ତଙ୍କ ପାଇଁ ସୁଲଭ୍ୟ କରିବା ସମୟରେ କେହି ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି, ତାହାପ୍ରତି ସଚେତନ ହେବାକୁ ପଡ଼ିବ। ଅଧିକାଂଶ ସହରାଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମିଳିନଥାଏ। ଶିଳ୍ପାୟନ ଓ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଯୋଗୁଁ ବାୟୁମଣ୍ଡଳ ଅଧିକରୁ ଅଧିକ ପ୍ରଦୂଷିତ ହେଉଛି। ଏହିସବୁ ବିପତ୍ତିରୁ ନିଜକୁ ରକ୍ଷା କରିବାରେ ଅସମର୍ଥ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।

ପ୍ରକୃତି ସହିତ ଆମର ନିବିଡ଼ ସମ୍ପର୍କ ଅତୀତରୁ ରହି ଆସିଛି । ତେଣୁ ପ୍ରାକୃତିକ ସମ୍ବଳର ସୁରକ୍ଷା, ସ୍ଥାୟୀତ୍ୱ, ପୁନଃସୃଷ୍ଟି, ପୁନରୁଦ୍ଧାର ଓ ପରିଚାଳନାରେ ଆମକୁ ଯତ୍ନବାନ ହେବାକୁ ପଡ଼ିବ।

ମାନବ କଲ୍ୟାଣ ପାଇଁ ପ୍ରତ୍ୟେକ ନିଜର ବ୍ୟକ୍ତିଗତ ଇଚ୍ଛାକୁ ଅତିକ୍ରମ କରି ସମସ୍ତଙ୍କର ମଙ୍ଗଳ କରିବାର ଆବଶ୍ୟକତା ସମ୍ବନ୍ଧରେ ଭଗବତ୍ ଗୀତାର ଲୋକ ସଂଗ୍ରହରେ ଉଲ୍ଲେଖ ଅଛି । ଏହାକୁ ଗମ୍ଭୀରତାର ସହିତ ବିଚାର କରିବାର ସମୟ ଉପନୀତ ହୋଇନାହିଁ କି ?


ଆମେ କ’ଣ ଶିଖିଲେ...

  • ପ୍ରକୃତିରେ ଦେଖାଯାଉଥିବା ସାମଗ୍ରୀ ଓ ପଦାର୍ଥ ଗୁଡ଼ିକ ପ୍ରାକୃତିକ ସମ୍ବଳ ଓ ଏଗୁଡ଼ିକ ମାନବ ଜାତି ପାଇଁ ମୂଲ୍ୟବାନ।

  • ସମ୍ବଳଗୁଡ଼ିକ ବିଭିନ୍ନ ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ; ତନ୍ମଧ୍ୟରୁ ବ୍ୟବହାର ଦୃଷ୍ଟିକୋଣରୁ ନବୀକରଣଯୋଗ୍ୟ ଏବଂ ନବୀକରଣ ଅଯୋଗ୍ୟ ଏକ ଶ୍ରେଣୀ ବିଭାଗ।

  • ପ୍ରଯୁକ୍ତି ବିଦ୍ୟା ଓ ଦକ୍ଷତା ବିକାଶ ମାଧ୍ୟମରେ ଆମେ “ସମ୍ବଳର ବିଲକ୍ଷଣ" ସମସ୍ୟାର ସମାଧାନ କରିପାରିବା।

  • ଆମେ ନବୀକରଣ ଯୋଗ୍ୟ ସମ୍ବଳର ବ୍ୟବହାର ମାତ୍ରା ଯେପରି ଅଧିକ ନହୁଏ, ସେ ବିଷୟରେ ସତର୍କ ରହିବା ଦରକାର। ତତ୍‌ସହିତ ନବୀକରଣ ଅଯୋଗ୍ୟ ସମ୍ବଳର ଯଥୋଚିତ ଓ ଦାୟିତ୍ଵପୂର୍ଣ୍ଣ ବ୍ୟବହାର କରିବାକୁ ହେବ, ଯାହାଦ୍ଵାରା ଏହା ବହୁବର୍ଷ ପର୍ଯ୍ୟନ୍ତ ମାନବ କଲ୍ୟାଣରେ ଲାଗି ପାରିବ।

ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

  1. ଆମେ ଆଜି ଯାହାକୁ ନବୀକରଣ ଯୋଗ୍ୟ ସମ୍ବଳ ବୋଲି ଭାବୁଛେ, ତାହା ଆସନ୍ତାକାଲିକୁ କିପରି ନବୀକରଣ ଅଯୋଗ୍ୟ ହୋଇଯିବ ? ଏହି ଘଟଣାକୁ ରୋକିବାପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରିବ ଲେଖ।

  2. ମନୁଷ୍ୟର ସେବାରେ ଆସୁଥିବା ପାଞ୍ଚଟି ପରିସଂସ୍ଥା କାର୍ଯ୍ୟାବଳୀର (ecosystem function) ନାମ କୁହ ।

  3. ନବୀକରଣ ଯୋଗ୍ୟ ସମ୍ବଳ ଗୁଡ଼ିକ କ’ଣ ? ସେଗୁଡ଼ିକ ନବୀକରଣ ଅଯୋଗ୍ୟ ସମ୍ବଳଠାରୁ କିପରି ଭିନ୍ନ ? ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ନିମନ୍ତେ ନବୀକରଣ ଯୋଗ୍ୟ ସମ୍ବଳର ଉପଲବ୍ଧ ନିଶ୍ଚିତ କରିବାପାଇଁ ଲୋକମାନେ କ’ଣ କରିପାରିବେ, ଏହାର ଦୁଇଟି ଉଦାହରଣ ଦିଅ ।

  4. ତୁମ ଘର ଏବଂ ଆଖପାଖରେ ପ୍ରାକୃତିକ ସମ୍ବଳ ବ୍ୟବହାର ସମ୍ପର୍କିତ ସଚେତନତାକୁ ସୂଚାଉଥିବା ସାଂସ୍କୃତିକ ଅଭ୍ୟାସଗୁଡ଼ିକୁ ଚିହ୍ନଟ କର।

  5. ଆମର ଆବଶ୍ୟକ ସାମଗ୍ରୀ ଉତ୍ପାଦନ ସମୟରେ କେଉଁ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ ?


ଇତିହାସର ଅନ୍ଧକାରମୟ ସମୟ ଉପରେ ଏକ ଟିପ୍ପଣୀ

ଅନେକ ସମୟରେ ଇତିହାସ, ଯୁଦ୍ଧ ଓ ବିନାଶର ଗାଥାରେ ପରିପୂର୍ଣ୍ଣ ଭଳି ମନେହୁଏ। ଏହା ସତ୍ୟ ଯେ, ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ସମୟର ଗାଥା ଉପରେ ଏହା କମ୍ ଧ୍ୟାନ ଦେଇଛି। ପ୍ରତ୍ୟେକ ଦେଶରେ ଏହିପରି ଶାନ୍ତିପୂର୍ଣ୍ଣ ଯୁଗ ଓ ଅନେକ ହିତୈଷୀ ଶାସକ ଥିଲେ ମଧ୍ୟ ଇତିହାସର ପୃଷ୍ଠା ଅଯୋଗ୍ୟ, ଦୁର୍ନୀତିଗ୍ରସ୍ତ ଓ ନିଷ୍ଠୁର ଶାସକମାନଙ୍କଦ୍ୱାରା ପରିପୂର୍ଣ୍ଣ। ଇତିହାସର ଏହି କ୍ରୂର ସମୟକୁ “ଅନ୍ଧକାରମୟ ସମୟ” କହିପାରିବା। କାରଣ ଏହି ସମୟରେ ଯୁଦ୍ଧ, ଲାଞ୍ଛନା, ଧର୍ମାନ୍ଧତା, ରକ୍ତପାତ ଇତ୍ୟାଦି ବିଭୀଷିକା ଭୂଭାଗକୁ କବଳିତ କରି ସମଗ୍ର ସମାଜ ବା ଦେଶ ଉପରେ ଦୁଃଖ-ଦୁର୍ଦ୍ଦଶାର ବାଦଲ ସୃଷ୍ଟି କରିଥିଲା।

ଆମେ ଏପରି ଅନ୍ଧକାରମୟ ସମୟ ପ୍ରତି କେତେ ଧ୍ୟାନ ଦେବା ଉଚିତ୍ ? ବିଶ୍ଵବ୍ୟାପୀ ଐତିହାସିକମାନେ ଏହି ଦ୍ଵନ୍ଦ୍ବର ସମ୍ମୁଖୀନ ହୋଇଛନ୍ତି । ଆମେ ଏହି ସମୟକୁ ଇତିହାସରୁ ସମ୍ପୂର୍ଣ୍ଣ ଭାବରେ ବାଦ୍ ଦେବା ଉଚିତ୍ ଅଥବା ସେଗୁଡ଼ିକରୁ କେତେକ ଘୃଣ୍ୟ ବିବରଣୀକୁ ବାଦ୍ ଦେଇ ଉଲ୍ଲେଖ କରିବା ଉଚିତ୍ ହେବ କି ? ନତୁବା ସେଗୁଡ଼ିକୁ ସାମ୍ନା କରିବା ସହ ଏପରି ଘଟଣାକୁ ବିକଶିତ କରିବାରେ ସାହାଯ୍ୟ କରିଥିବା କାରକ ଏବଂ ଏଗୁଡ଼ିକର ପୁନରାବୃତ୍ତିକୁ ଏଡ଼ାଇବା ପାଇଁ ବିଶ୍ଲେଷଣ ଦ୍ଵାରା ନିଶ୍ଚିତ କରିବା ଉଚିତ ହେବ ? ଆମ ମତରେ, ଶେଷ ବା ତୃତୀୟ ବିକଳ୍ପଟି ହେଉଛି ସର୍ବୋତ୍ତମ। ତେବେ ଏହାକୁ ଯଥେଷ୍ଟ ନିରପେକ୍ଷତା ଓ ସମ୍ବେଦନଶୀଳତା ସହ ବର୍ଣ୍ଣନା କରିବା ଉଚିତ ହେବ। ଆମେ ଅତୀତକୁ ଜାଣିବା ଗୁରୁତ୍ବପୂର୍ଣ୍ଣ, କାରଣ ଅତୀତ ଆମ ସହିତ ରହିଛି ଓ ବର୍ତ୍ତମାନକୁ ଜନ୍ମ ଦେଇଛି ।

“ନିରପେକ୍ଷତା ଏବଂ ସମ୍ବେଦନଶୀଳତା” କହିଲେ ଆମେ କ’ଣ ବୁଝୁଛେ ? ଏହାର ଅର୍ଥ ଏସବୁ ଦୁର୍ଘଟଣା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବଂଶଧରଙ୍କୁ ଦୋଷ ନଦେଇ ଏହି ଦୁଃଖଦ ଘଟଣାର ବୃଦ୍ଧି ପାଇଁ ଦାୟୀ କାରଣ ଗୁଡ଼ିକୁ ନିରପେକ୍ଷ ଭାବରେ ଅଧ୍ୟୟନ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ। ଉଦାହରଣ ସ୍ଵରୂପ, ଦ୍ଵିତୀୟ ବିଶ୍ଵଯୁଦ୍ଧ (୧୯୩୯–୧୯୪୫)ର ଭୟଙ୍କର ପରିଣାମ ସ୍ଵରୂପ ସାରା ବିଶ୍ଵରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ। ଏହା ତୁମେ ପରବର୍ତ୍ତୀ ଶ୍ରେଣୀରେ ପଢ଼ିବ। ସେତେବେଳେ ଜର୍ମାନୀ ଏକ ଘୃଣ୍ୟତମ ନିଷ୍ଠୁର ଚିନ୍ତାଧାରା ବା ଆଦର୍ଶ (‘ନାଜିବାଦ’ ନାମରେ ଜଣା) ଅନୁସରଣ କରି “ହୀନ ଜାତି” (Inferior races)ର ବିନାଶରେ ବିଶ୍ଵାସ କରିବାକୁ ଲାଗିଲା । ଏହାଦ୍ଵାରା ସେହି ଦେଶରେ କିଛି ଜାତି ବା ସମ୍ପ୍ରଦାୟର ଜନସାଧାରଣଙ୍କ ପ୍ରତି ଅମାନବୀୟ ବ୍ୟବହାର ସହ ଅଧିକୃତ ରାଷ୍ଟ୍ରଗୁଡ଼ିକୁ ନିଷ୍ଠୁର ଭାବେ ଶାସନ କରାଯାଇଥିଲା। ଏଣୁ ଆଠ ଦଶନ୍ଧି ପୂର୍ବେ ଯାହା ଘଟିଥିଲା, ସେଥିପାଇଁ ଆଜିର ଜର୍ମାନମାନଙ୍କୁ ଦୋଷ ଦେବା ସ୍ପଷ୍ଟଭାବେ ଗ୍ରହଣଯୋଗ୍ୟ ନୁହେଁ। ବରଂ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି, କେଉଁ କାରଣରୁ ନାଜି ଚିନ୍ତାଧାରାର ଉଦ୍ଭବ ହେଲା ଓ ଏ ପ୍ରକାର ଚିନ୍ତାଧାରାକୁ ଏବେ ବା ଭବିଷ୍ୟତରେ କିପରି ପ୍ରତିହତ କରିପାରିବା, ସେ ବିଷୟରେ ଅଧିକ ଜାଣିବାର ଆବଶ୍ୟକତା ରହିଛି।

ଏହି ପାଠ୍ୟପୁସ୍ତକରେ ‘ଅତୀତର ସ୍ମୃତିଫର୍ଦ୍ଦ’ ଅଧ୍ୟାୟରେ ଯୁଦ୍ଧର ବିଭୀଷିକା, ପଶୁତ୍ୱ ଓ ନିଷ୍ଠୁରତାର ଅନେକ ଉଦାହରଣ ରହିଛି। ସେଥିପାଇଁ ମଧ୍ୟ ଉପରୋକ୍ତ ନୀତି ପ୍ରଯୁଜ୍ୟ । ଯଦିବା ସେହି ଘଟଣାଗୁଡ଼ିକୁ ଅସ୍ୱୀକାର ବା ବାଦ୍ ଦିଆଯାଇ ପାରିବ ନାହିଁ, ସେଥିପାଇଁ ଆଜି କାହାକୁ ଦାୟୀ କରିବା ମଧ୍ୟ ଭୁଲ୍ ହେବ। ନିଷ୍ଠୁର ହିଂସା, ଦମନମୂଳକ କୁଶାସନ, ଦୁର୍ବାର କ୍ଷମତା ଲାଳସା ଆଦି ଅତୀତର ଯନ୍ତ୍ରଣା ଲାଘବ କରିବା ଓ ସମ୍ଭବତଃ, ଏସବୁ ଭବିଷ୍ୟତରେ ଯେପରି ସ୍ଥାନ ନ ପାଏ ସେଥିପାଇଁ ଉପରୋକ୍ତ ଐତିହାସିକ ଘଟଣାବଳୀର ଉତ୍ପତ୍ତିକୁ ଆମକୁ ବୁଝିବାକୁ ହେବ।