ଅଧ୍ୟାୟ ୨ : ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ
[ଚିତ୍ର ବର୍ଣ୍ଣନା: ଆକାଶରୁ ଦିଲ୍ଲୀର କୁତବମିନାର ଏବଂ ଏହାର ଆଖପାଖ ପରିସରର ଏକ ବିହଙ୍ଗାବଲୋକନ ଦୃଶ୍ୟ।]
ଚିତ୍ର : ୨.୧ : ଆକାଶରୁ କୁତବମିନାର, ଦିଲ୍ଲୀ ପରିସରର ଦୃଶ୍ୟ
ଆସ ଚିନ୍ତା କରିବା ?
୧. ଏହି ସମୟରେ ବିଦେଶୀ ଆକ୍ରମଣ ଓ ନୂତନ ରାଜବଂଶର ଅଭ୍ୟୁଦୟ କିପରି ରାଜନୈତିକ ସୀମାରେଖାର ପୁନର୍ଗଠନ କରିଥିଲା ? ୨. ଭାରତୀୟ ସମାଜ ଏହି ଆକ୍ରମଣକୁ କିପରି ଗ୍ରହଣ କରିଥିଲା ? ଭାରତୀୟ ଅର୍ଥନୀତି ଏହି ରାଜନୈତିକ ଅସ୍ଥିରତା ସମୟରେ କିପରି ଉପଯୋଜିତ ହୋଇଥିଲା ? ୩. ଏହି ସମୟ ଲୋକଙ୍କ ଜୀବନ ଉପରେ କେଉଁ ସବୁ ପ୍ରଭାବ ପକାଇଥିଲା ?
[ଚିତ୍ର ବର୍ଣ୍ଣନା: ଏକ ଐତିହାସିକ ଟାଇମଲାଇନ (ସମୟରେଖା) ଯେଉଁଥିରେ ୧୨୦୦ରୁ ୧୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତ ଇତିହାସର ପ୍ରମୁଖ ଘଟଣାବଳୀ ପ୍ରଦର୍ଶିତ।]
ଚିତ୍ର : ୨.୨
-
୧୨୦୬ : ଦିଲ୍ଲୀରେ ସୁଲତାନ ବଂଶର ପ୍ରତିଷ୍ଠା
-
୧୩୨୬ : ମେବାର ରାଜ୍ୟର ପୁନଃ ପ୍ରତିଷ୍ଠା
-
୧୩୩୬ : ବିଜୟନଗର ସାମ୍ରାଜ୍ୟର ସ୍ଥାପନ
-
୧୩୪୭ : ବାହମନୀ ସୁଲତାନଙ୍କ ପ୍ରତିଷ୍ଠା
-
୧୩୯୮ : ତୈମୁରର ଦିଲ୍ଲୀ ଆକ୍ରମଣ
-
୧୪୯୮ : ପର୍ତ୍ତୁଗାଲମାନଙ୍କର ଭାରତରେ ପ୍ରବେଶ
ଏହି ଅଧ୍ୟାୟର କାଳଖଣ୍ଡ ଏବଂ ପର ସମୟକୁ ଭାରତୀୟ ଇତିହାସରେ ମଧ୍ୟଯୁଗର ପରବର୍ତ୍ତୀ ସମୟ ଭାବେ ବିବେଚନା କରାଯାଏ। ‘ମଧ୍ୟଯୁଗ’ ଶବ୍ଦଟି (ଦୁଇ ଯୁଗର ମଧ୍ୟାବସ୍ଥାକୁ ବୁଝାଏ) ଯାହା ୟୁରୋପର ଇତିହାସରେ ବ୍ୟବହୃତ ହୁଏ, ପ୍ରାୟତଃ ରୋମାନ୍ ସାମ୍ରାଜ୍ୟର ପତନଠାରୁ (୫ମ ଶତାବ୍ଦୀ) ରୁ ନବଜାଗରଣ ଯାଏଁ (ଚତୁର୍ଦ୍ଦଶ–ଷୋଡ଼ଶ ଶତାବ୍ଦୀ ମଧ୍ୟରେ । ୟୁରୋପର ସାଂସ୍କୃତିକ ଜାଗରଣ ଯାହା ଗ୍ରୀକ୍ ଏବଂ ରୋମାନ୍ କଳା ଓ ସାହିତ୍ୟ ପୁନଃ ଆବିଷ୍କାରକୁ ପରିପୁଷ୍ଟ କରିଥିଲା।) ଆଧୁନିକ ବିଜ୍ଞାନର ଉନ୍ନତି ପୂର୍ବରୁ ଏହାକୁ ଅନ୍ଧକାର ଯୁଗ ଭାବେ ବିବେଚନା କରାଯାଉଥିଲା। ଅବଶ୍ୟ ୟୁରୋପ ଓ ଭାରତର ଇତିହାସ ପୁରାପୁରି ଅଲଗା ଥିଲା, ଏଣୁ ଉଭୟ ଇତିହାସରେ ‘ମଧ୍ୟଯୁଗର’ ପ୍ରୟୋଗ ଉଚିତ ନୁହେଁ, ଏବଂ ଐତିହାସିକମାନେ ଏଥିରେ ସଦା ସହମତ ହୋଇପାରନ୍ତି ନାହିଁ : ଭାରତରେ ଏହା କେଉଁ ସମୟକୁ ଗ୍ରହଣ କରାଯାଏ ? ଆମେ ସମୟ ସମୟରେ ଏହି ‘ମଧ୍ୟଯୁଗୀୟ’ ଶବ୍ଦକୁ ବ୍ୟବହାର କରିବା ଯାହାର ସରଳ ଅର୍ଥ ୧୧ଶ ଶତାବ୍ଦୀରୁ ୧୭ଶ ଶତାବ୍ଦୀ ମଧ୍ୟରେ କାଳାଂଶକୁ ବୁଝାଏ ।
ଅତୀତ ଅଧ୍ୟାୟଗୁଡ଼ିକର ବୈଚିତ୍ରମୟ ଫର୍ଦ୍ଦଗୁଡ଼ିକରେ ଆମେ ଯଥାସମ୍ଭବ କିଛି ତଥ୍ୟ ଦେବା ପାଇଁ ଚେଷ୍ଟା କରିଅଛୁ। ସେଗୁଡ଼ିକ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ସୂଚୀତ କରେ। ତୁମେ ବିଭିନ୍ନ ଅଧ୍ୟାୟର ସମୟ ରେଖାକୁ ଜାଣିବା ପାଇଁ ଏଗୁଡ଼ିକ ତୁମ ଲାଗି ସହାୟକ ହେବ। ମାନଚିତ୍ର ଅଧ୍ୟୟନରେ ଏ ସବୁ ତୁମର କଳ୍ପନା କରିବା ଓ ବୁଝିବାରେ ସାହାଯ୍ୟ କରିବ। ଏହା ତୁମକୁ ସେନା, ସାଧାରଣ ଲୋକ, ବ୍ୟବସାୟୀ, ପଣ୍ଡିତ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପରିକ୍ରମା କରାଯାଇଥିବା ଭୂଗୋଳ ସହିତ ପରିଚିତ କରିବ।
[ଚିତ୍ର ବର୍ଣ୍ଣନା: ଏକ ଐତିହାସିକ ସମୟରେଖା ଯେଉଁଥିରେ ୧୫୦୦ରୁ ୧୮୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତର ପ୍ରମୁଖ ଯୁଦ୍ଧ ଓ ଘଟଣାବଳୀ ପ୍ରଦର୍ଶିତ।]
-
୧୫୨୬ : ପ୍ରଥମ ପାନିପଥ ଯୁଦ୍ଧ – ବାବରଙ୍କ ବିଜୟ, ମୋଗଲ ସାମ୍ରାଜ୍ୟର ସ୍ଥାପନ
-
୧୫୫୬ : ୨ୟ ପାନିପଥ ଯୁଦ୍ଧ – ଆକବରଙ୍କ ନିର୍ଣ୍ଣାୟକ ବିଜୟ
-
୧୫୬୫ : ତାଲିକୋଟ ଯୁଦ୍ଧ – ବିଜୟନଗର ସହରର ଧ୍ୱଂସ
-
୧୫୭୬ : ହଳଦୀଘାଟ ଯୁଦ୍ଧ – ମହାରାଣା ପ୍ରତାପଙ୍କ ପଛଘୁଞ୍ଚା
-
୧୬୭୧ : ସରାଇଘାଟ ଯୁଦ୍ଧ – ଆହମସଙ୍କଦ୍ୱାରା ମୋଗଲ ପରାଜୟ
-
୧୬୯୯ : ଗୁରୁଗୋବିନ୍ଦଙ୍କ ଦ୍ୱାରା ‘ଖାଲସା’ ସମ୍ପ୍ରଦାୟ ଗଠନ (ସ୍ଥାନ)
-
୧୭୫୪ : ମରହଟ୍ଟା ଉତ୍ଥାନ ଓ ଦିଲ୍ଲୀ ନିୟନ୍ତ୍ରଣ
-
୧୭୯୯ : ଶିଖ୍ ସାମ୍ରାଜ୍ୟର ସ୍ଥାପନା
ପାର୍ସିଲିପିକୁ ରୋମାନ୍ ଲିପିରେ ନକଲ କରିବା ଅସୁବିଧା କାରଣରୁ ତୁମେ କିଛି ବିକଳ୍ପ ବନାନ ବନ୍ଧନୀ ମଧ୍ୟରେ ଦେଖିପାରିବ। ଉଦାହରଣ ସ୍ୱରୂପ – ‘ଖୁଲିଜୀ’ ବା ‘ଖାଲଜି’ ସମାନ ଅଟେ । ସେହିପରି ଆମେ ଏଠାରେ ମାନକ ‘ମୋଗଲ’ ବନାନ ବ୍ୟବହାର କରିଛୁ କିନ୍ତୁ ବିକଳ୍ପ ଭାବେ ନୂଆମାନଙ୍କ ବନାନ ‘ମୋଘଲ୍’, ‘ମୁଘୋଲ’ ଏ ପର୍ଯ୍ୟନ୍ତ ଅନେକ ସମୟରେ ବ୍ୟବହୃତ ହେଉଛି।
ଏକାଦଶ ଶତାବ୍ଦୀର ପ୍ରାରମ୍ଭରେ ଭାରତରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ହିନ୍ଦୁକୁଶ ପର୍ବତମାଳା ପାରହୋଇ ଯେଉଁ ବୈଦେଶିକ ଆକ୍ରମଣ ହେଲା ତାହା ଭାରତର ରାଜନୈତିକ ମାନଚିତ୍ରକୁ ନୂତନ ରୂପଦେଲା। ନିଃସନ୍ଦେହରେ କୁହାଯାଇପାରେ ଯେ ଭାରତ ପ୍ରାରମ୍ଭିକ ଅବସ୍ଥାରେ ବହୁ ଯୁଦ୍ଧ ଘନଘଟା ଦେଖି ଆସିଛି; କିନ୍ତୁ ବହିଃ ଆକ୍ରମଣକାରୀମାନେ ଅଜଣା ଓ ଅତର୍କିତ ଭାବେ ଭାରତୀୟ ଉପମହାଦେଶକୁ ଆକ୍ରମଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆକ୍ରମଣକାରୀ ମଧ୍ୟ ଏସିଆର ତୁର୍କୀ, କିମ୍ବା ଆଫଗାନୀ ଥିଲେ । ସେମାନେ ଯେ କେବଳ ଭାରତର ପର୍ଯ୍ୟାପ୍ତ ଧନ ଦୌଲତ ଦ୍ୱାରା ଆକର୍ଷିତ ହୋଇଥିଲେ ତାହା ନୁହେଁ, ଆବଶ୍ୟକସ୍ଥଳେ ହିଂସାତ୍ମକ କାର୍ଯ୍ୟକଳାପଦ୍ୱାରା ନିଜ ଧର୍ମର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରିଥିଲେ।
ଏହି ଅଧ୍ୟାୟରେ ତ୍ରୟୋଦଶ ଶତାବ୍ଦୀ ଓ ପରବର୍ତ୍ତୀ ସମୟର ନିରନ୍ତର ପରିବର୍ତ୍ତନଶୀଳ ଭାରତର ଭୌଗୋଳିକ ରୂପ ଓ ସୀମାରେଖା ସମ୍ବନ୍ଧରେ ଆସ ଜାଣିବା।
ତୁର୍କିକ୍ (Turkic) : କେନ୍ଦ୍ର ଏସିଆର ତୁର୍କୀ ଏବଂ ସାଇବେରିଆର ବିସ୍ତୃତ ଅଞ୍ଚଳର ଲୋକ, ଭାଷା ଏବଂ ସଂସ୍କୃତି ସହ ଜଡ଼ିତ ଶବ୍ଦକୁ ସୂଚୀତ କରେ।
[ଚିତ୍ର ବର୍ଣ୍ଣନା: ତୋଗଲକ ଓ ଲୋଦୀ ଶାସନ କାଳର ଏକ ତୁଳନାତ୍ମକ ଭାରତ ମାନଚିତ୍ର (ତ୍ରୟୋଦଶରୁ ପଞ୍ଚଦଶ ଶତାବ୍ଦୀ) ଏବଂ ସେହି ସମୟର ଦକ୍ଷିଣ-ପୂର୍ବ ଆଞ୍ଚଳିକ ଶାସନର ପରିସୀମା ପ୍ରଦର୍ଶନ କରୁଛି।]
ଚିତ୍ର : ୨.୩ : ତୋଗଲକ ଓ ଲୋଦୀ ଶାସନ କାଳର ଏକ ତୁଳନାତ୍ମକ ମାନଚିତ୍ର (ତ୍ରୟୋଦଶ ରୁ ପଞ୍ଚଦଶ ଶତାବ୍ଦୀ) ଓ ଦକ୍ଷିଣ ପୂର୍ବର ଆଞ୍ଚଳିକ ଶାସନ
ବିଶେଷ ସୂଚନା :
-
ପୂର୍ବ ଗାଙ୍ଗେୟ ଅଞ୍ଚଳ (ନରସିଂହଦେବଙ୍କ ଅଧୀନରେ ୧୨୨୪)
-
ହୟଶାଳ ସାମ୍ରାଜ୍ୟ (୧୩୦୦ ଖ୍ରୀ:ଅ:)
-
ତୋଗଲକ୍ ସାମ୍ରାଜ୍ୟ (୧୩୩୫ ଖ୍ରୀ:ଅ:)
-
ଲୋଦୀ ସାମ୍ରାଜ୍ୟ (୧୪୭୯ ଖ୍ରୀ:ଅ:)
-
ମୁଖ୍ୟ ସହର ସମୂହ (ଦିଲ୍ଲୀ, ଗୋୱାଲିୟର, ଜୌନପୁର, ପେଶୱାର, ଜୁନାଗଡ଼, ଯାଜନଗର, କୋଣାର୍କ, ଦୌଲତାବାଦ, ହଳେବିଦୁ, ବେଲୁର, ମଦୁରାଇ)
[ଚିତ୍ର ବର୍ଣ୍ଣନା: ବାମପାଖରେ କୁତବମିନାରର ସ୍ଥାପତ୍ୟ ଏବଂ ଡାହାଣପାଖରେ କୃତ୍-ଉଲ୍-ଇସ୍ଲାମ ମସ୍ଜିଦ୍ ପରିସରର ସୁନ୍ଦର ଖୋଦିତ ପ୍ରସ୍ତର ସ୍ତମ୍ଭସମୂହ।]
ଚିତ୍ର : ୨.୪ : କୁତବମିନାର
ଚିତ୍ର : ୨.୫ : କୃତ୍-ଉଲ୍-ଇସ୍ଲାମ (ଇସ୍ଲାମଙ୍କର ସର୍ବ ଶକ୍ତିମାନ) କୁତବମିନାର ପରିସରରେ ଥିବା ଏକ ମସ୍ଜିଦ୍। ଏହାର ନିର୍ମାଣ କାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀ ଆରମ୍ଭରେ କୁତବୁଦ୍ଦିନ୍ ଆଇବାକ୍ ଆରମ୍ଭ କରିଥିଲେ ଯାହାକୁ ପରବର୍ତ୍ତୀ ସୁଲତାନମାନେ ଶେଷ କରିଥିଲେ। ଏଥିରେ ଥିବା ଏକ ଶିଳା ଲେଖ ସୂଚୀତ କରେ ଯେ ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିରର ଶିଳାଖଣ୍ଡରେ ଏହା ନିର୍ମିତ ହୋଇଥିଲା; ଯାହା ତୁମେ ଏଠାରେ ଦେଖିପାରିବ।
ଦିଲ୍ଲୀ ସୁଲତାନମାନଙ୍କର ଉତ୍ଥାନ ଓ ପତନ
ଭାରତର ଉତ୍ତର ପଶ୍ଚିମରେ ୧୧୯୨ ଖ୍ରୀଷ୍ଟାବ୍ଦରେ ଶାସନ କରୁଥିବା ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ, ଦିଲ୍ଲୀ ସୁଲତାନଙ୍କର ଶାସନ କିପରି ଆରମ୍ଭ ହେଲା ସେ ବିଷୟରେ ଆମେ ଜାଣିବା। ତୁର୍କୀ ଆଫଗାନ ବଂଶଜ ୫ଟି ବୈଦେଶିକ ରାଜବଂଶ ଯଥା: ମାମଲୁକ୍ (ଦାସ ବଂଶ), ଖୁଲିଜୀ (ଖାଲଜୀ), ତୁଘଲକ, ସୟଦ୍ ଏବଂ ଲୋଦୀ (ଲୋଧୀ) ବଂଶଗୁଡ଼ିକ ଦିଲ୍ଲୀକୁ କ୍ରମାଗତ ଭାବେ ଶାସନ କରିଥିଲେ। ଯେତେବେଳେ ଉତ୍ତର ଭାରତର କେତେକାଞ୍ଚଳ ଦିଲ୍ଲୀ ସୁଲତାନମାନଙ୍କ ନିୟନ୍ତ୍ରଣକୁ ଆସିଥିଲା, ଠିକ୍ ସେତିକିବେଳେ, ପୂର୍ବରେ ଗଙ୍ଗବଂଶ, ଦକ୍ଷିଣରେ ହୟଶାଳ ବଂଶ ପ୍ରଭୃତି ପଡ଼ୋଶୀ ରାଜ୍ୟଗୁଡ଼ିକ ସୁଲତାନଙ୍କୁ ପ୍ରତିରୋଧ କରିଥିଲେ ଏବଂ କଳା, ସଂସ୍କୃତି ଓ ଶାସନର ସମୃଦ୍ଧଶାଳୀ କେନ୍ଦ୍ରଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଦିଲ୍ଲୀ ନଗରୀ ଉତ୍ତର ଭାରତର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଉତ୍ତର ଭାରତରେ ଦିଲ୍ଲୀ ଏକ ପ୍ରମୁଖ ଶାସନ କେନ୍ଦ୍ରସ୍ଥଳ ଭାବେ ପ୍ରତିଷ୍ଠା ପାଇଥିଲା। ସୁଲତାନ ମାନଙ୍କର ଶାସନକାଳ, ସାମ୍ରାଜ୍ୟବିସ୍ତାର ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରିଥିଲା। ଫଳରେ ସେମାନଙ୍କ ସାମରିକ ଅଭିଯାନ ଯୋଗୁ ବହୁ ଗ୍ରାମ, ସହର, ଶିକ୍ଷାକେନ୍ଦ୍ର, ମନ୍ଦିର କ୍ଷତିଗ୍ରସ୍ତ ଓ ଲୁଣ୍ଠିତ ହେବା ସହ ଧ୍ୱଂସ ହୋଇଥିଲା।
ସୁଲତାନାଟ୍ (Sultanate) : ଏହା ହେଉଛି ଏକ ଅଞ୍ଚଳ ଯାହା ଜଣେ ‘ସୁଲତାନଙ୍କ ଦ୍ୱାରା ଶାସିତ ଏବଂ ଏକ ‘ପଦବୀ’ ଏହା ଅନେକ ମୁସଲମାନଙ୍କ ଦ୍ୱାରା ଗୃହୀତ ହୋଇଥିଲା ।
[ଚିତ୍ର ବର୍ଣ୍ଣନା: ଆଲ୍ଲାଉଦ୍ଦିନ ଖଲିଜୀଙ୍କ ସମୟର ଏକ ରୂପା ମୁଦ୍ରା (ଟଙ୍କା), ଯାହାର ଓଜନ ପ୍ରାୟ ୧୦.୭ ଗ୍ରାମ୍ ଏବଂ ତା’ ଉପରେ ପାର୍ସି ଭାଷାରେ ଲିପି ଖୋଦିତ ଅଛି।]
ଚିତ୍ର : ୨.୬ : ଆଲ୍ଲାଉଦ୍ଦିନ ଖଲିଜୀଙ୍କ ଦ୍ୱାରା ପ୍ରଚଳିତ ଏକ ମୁଦ୍ରା, ଯେଉଁଥରେ ସିକନ୍ଦର ସାନୀ ବା ଦ୍ଵିତୀୟ ଆଲେକଜାଣ୍ଡାର ବୋଲି ପାର୍ସିଭାଷାରେ ଖୋଦିତ ହୋଇଛି।
ସୁଲତାନଙ୍କ ପରେ ପରବର୍ତ୍ତୀ ସୁଲତାନଙ୍କ ଶାସନ ଗ୍ରହଣ ଅନେକ ସମୟରେ ଭୟ ଓ ହିଂସାର ବାତାବରଣ ସୃଷ୍ଟି କରିଥିଲା। ତିନିଜଣ ସୁଲତାନଙ୍କ ମଧ୍ୟରୁ ଦୁଇଜଣ ସେମାନଙ୍କ ପୂର୍ବ ଶାସକଙ୍କୁ ବିତାଡ଼ିତପୂର୍ବକ କ୍ଷମତା ଅପହରଣ କରିନେଉଥିଲେ। ଫଳରେ ସେମାନଙ୍କ ଶାସନ କାଳ ଅତି ବେଶୀରେ ୯ ବର୍ଷରୁ ଅଧିକ ସମୟ ହୋଇପାରି ନଥିଲା।
ଆସ ଅନୁସନ୍ଧାନ କରିବା
ଚିତ୍ର (୨.୬) କୁ ଲକ୍ଷ୍ୟକର। ଆଲ୍ଲାଉଦ୍ଦିନ୍ ଖୁଲିଜୀ ନିଜକୁ ଦ୍ଵିତୀୟ ଆଲେକଜାଣ୍ଡାର ବୋଲି ମନେ କରିବା କାରଣ କ’ଣ ବୋଲି ତୁମେ ଭାବୁଛ ?
ଚତୁର୍ଦ୍ଦଶ ଶତାବ୍ଦୀର ଶେଷବେଳକୁ ଆଲ୍ଲାଉଦ୍ଦିନ୍ ଖଲିଜୀ ଉତ୍ତର ଏବଂ କେନ୍ଦ୍ର ଭାରତର ଅନେକ ଅଞ୍ଚଳରେ ସାମରିକ ଅଭିଯାନ ଆରମ୍ଭ କଲେ। ଅନେକ ସହରକୁ ଲୁଣ୍ଠନ ଓ ଧ୍ୱଂସ କରିବା ସହ ଭାରତକୁ ଶାସନାଧୀନ କରିବାକୁ ଚାହୁଁଥିବା ଆକ୍ରମଣକାରୀ ମୋଗଲମାନଙ୍କ ସାମରିକ ଅଭିଯାନକୁ ପ୍ରତିହତ କରିବା ସହ ଭାରତରୁ ବିତାଡ଼ିତ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦାସ ଜେନେରାଲ୍ ମାଲିକାଫୁରଙ୍କୁ ଦାକ୍ଷିଣାତ୍ୟ ଯୁଦ୍ଧାଭିଯାନରେ ପଠାଇ ଅନ୍ୟ ରାଜ୍ୟ ଜୟ କରି ଅନେକ ଧନ ଦୌଲତ ଲୁଣ୍ଠନ କରିଥିଲେ ଯାହା ସୁଲତାନଙ୍କର ଆର୍ଥିକ ଶକ୍ତିକୁ ବୃଦ୍ଧି କରିବା ସହ ସାମରିକ ସରଞ୍ଜାମ ବୃଦ୍ଧିରେ ସହାୟକ ହୋଇଥିଲା। ସେ ବହୁ ହିନ୍ଦୁ ଧର୍ମ ସ୍ଥଳୀ ଯଥା— ଶ୍ରୀରଙ୍ଗମ୍, ମଦୁରାଇ, ଚିଦାମ୍ବରମ୍ ସମ୍ଭବତଃ ରାମେଶ୍ୱରମ୍କୁ ଆକ୍ରମଣ କରିଥିଲେ।
ଆସ ଅନୁସନ୍ଧାନ କରିବା
ସେହି ସମୟରେ ଏକ ସୈନ୍ୟବାହିନୀ ପରିଚାଳନା ଓ ଯୁଦ୍ଧ ଅଭିଯାନ ପାଇଁ କେଉଁ ପ୍ରକାର ସମ୍ବଳର ଆବଶ୍ୟକତା ଥାଏ ବୋଲି ତୁମେ ଭାବୁଛ ? ଅସ୍ତ୍ରଶସ୍ତ୍ରଠାରୁ ଆରମ୍ଭ କରି ସୈନ୍ୟ ତଥା ପଶୁଙ୍କ ଲାଗି ଖାଦ୍ୟ ପଦାର୍ଥ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଖର୍ଚ୍ଚ ସମ୍ପର୍କରେ ନିଜ ଦଳ ଭିତରେ ଆଲୋଚନା କର ।
କିଛି ଦଶନ୍ଧି ପରେ ମହମ୍ମଦ୍ ବିନ୍ ତୁଗଲକ୍ ଦିଲ୍ଲୀରେ ଶାସନ କରି ନିଜ ସାମ୍ରାଜ୍ୟକୁ ବୃଦ୍ଧି କରିବାକୁ ଲାଗିଲେ। ମୌର୍ଯ୍ୟ ସାମ୍ରାଜ୍ୟ ପରେ ପ୍ରଥମଥର ପାଇଁ ଭାରତୀୟ ଉପମହାଦେଶର ବହୁ ଅଞ୍ଚଳ ତାଙ୍କ ଶାସନାଧୀନ ହେଲା। ଯଦିଓ ଏହା ଥିଲା ତାତ୍ପର୍ଯ୍ୟପୂର୍ଣ୍ଣ ତଥାପି ଥିଲା କ୍ଷଣସ୍ଥାୟୀ।
[ଚିତ୍ର ବର୍ଣ୍ଣନା: ପାରମ୍ପରିକ ମୋଗଲ/ସୁଲତାନୀ ଶୈଳୀର ଦରବାର-ଇ-ଖାସ୍ର ଚିତ୍ର, ଯେଉଁଥିରେ ସୁଲତାନ ସିଂହାସନରେ ବିରାଜମାନ ଏବଂ ସମ୍ମୁଖରେ ଦରବାରୀମାନେ ଉପସ୍ଥିତ।]
ଚିତ୍ର : ୨.୭ : ଦରବାର-ଇ-ଖାସ୍ରେ ସୁଲତାନ ମହମ୍ମଦ ଆଦିଲ ତୋଘଲକଙ୍କ ଚିତ୍ର।
ମହମ୍ମଦ ବିନ୍-ତୁଗଲକ୍ଙ୍କର ବହୁ ଉଚ୍ଚ ପରିକଳ୍ପନା ଥିଲା। କିନ୍ତୁ ସେ ସବୁର କାର୍ଯ୍ୟକାରିତା ଠିକ୍ ଭାବେ ହୋଇପାରି ନଥିଲା। ଏହିପରି ଏକ ଯୋଜନା ଥିଲା ଦିଲ୍ଲୀରୁ ଦୌଲତାବାଦ “ରାଜଧାନୀ ସ୍ଥାନାନ୍ତର” (ସେତେବେଳେ ଏହାକୁ ଦେବଗିରି କୁହାଯାଉଥିଲା, ଯାହା ଆଜିର ଛତ୍ରପତି ସମ୍ଭାଜୀନଗର)। ନିଜ ଶାସନର ସୁପରିଚାଳନା ପାଇଁ ଏହି କେନ୍ଦ୍ରୀୟ ଅଞ୍ଚଳଟିକୁ ସେ ଉପଯୁକ୍ତ ମନେକରିଥିଲେ। ସେ ଲୋକମାନଙ୍କୁ ୧୦୦୦ କି.ମି. ପଦଯାତ୍ରା କରାଇ ଦୌଲତାବାଦରେ ପହଞ୍ଚିବା ପାଇଁ ବାଧ୍ୟ କରିଥିଲେ। କିଛି ବର୍ଷ ପରେ ଏହି ଯୋଜନା ତାଙ୍କର ବିଫଳ ହୋଇଥିଲା ଏବଂ ପୁନଶ୍ଚ ସେ ନିଜ ରାଜଧାନୀ ଦିଲ୍ଲୀକୁ ଫେରାଇ ନେଇଥିଲେ । ଏହି ଉଭୟ ସ୍ଥାନାନ୍ତର ଯୋଗୁ ବହୁଧନ ଜୀବନ ନଷ୍ଟ ହୋଇଥିଲା। କିଛି ସୂତ୍ରରୁ ଜଣାଯାଏ, ତାଙ୍କର ଆଉ ଏକ ଯୋଜନା ଥିଲା “ନୂତନ ମୁଦ୍ରାର ପ୍ରଚଳନ।” ସୁନା ଓ ରୂପା ମୁଦ୍ରା ପ୍ରତିବଦଳରେ ଶସ୍ତା ତମ୍ବା ମୁଦ୍ରାର ପ୍ରଚଳନ କରିଥିଲେ। ଫଳରେ ରାଜକୋଷକୁ ବହୁ ସ୍ୱର୍ଣ୍ଣ ଓ ରୌପ୍ୟ ମୁଦ୍ରା ଫେରିବ ବୋଲି ସେ ଚିନ୍ତା କରିଥିଲେ। ଯଦିଓ ଏହି ବିଚାର ପ୍ରଗତିଶୀଳ ଥିଲା କିନ୍ତୁ ଏହା ବାଣିଜ୍ୟିକ ବିଭ୍ରାନ୍ତି ସୃଷ୍ଟି କରିବା ସହ ତାମ୍ର ମୁଦ୍ରାକୁ ଜାଲ୍ କରିବା ଓ ନକଲି ତାମ୍ର ମୁଦ୍ରା ପ୍ରସ୍ତୁତ କରିବା ପାଇଁ ଲୋକମାନଙ୍କୁ ଏହା ଉତ୍ସାହିତ କରିଥିଲା।
ସୁଲତାନ ଏବଂ ତାଙ୍କ ସମ୍ଭ୍ରାନ୍ତ ପାରିଷଦବର୍ଗ ବିଳାସମୟ ରାଜ ପ୍ରାସାଦରେ ବାସ କରି ଉତ୍ତମ ଖାଦ୍ୟ, ବସ୍ତ୍ର ଓ ଅଳଙ୍କାର ପରିଧାନ ସହ ଆମୋଦଦାୟକ ଜୀବନ ଅତିବାହିତ କରୁଥିଲେ। ଏହି ଅର୍ଥର ବହୁଭାଗ ସାମରିକ ଅଭିଯାନ ଦ୍ୱାରା ଲୁଣ୍ଠିତ ଅର୍ଥ, ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା କର, ବିଜିତ ଅଞ୍ଚଳରୁ ସଂଗୃହୀତ ଅର୍ଥ ଓ ଦାସ ବ୍ୟବସାୟରୁ (ମୁକ୍ତଶ୍ରମ ପାଇଁ ଲୋକମାନଙ୍କୁ ବ୍ୟବହାର କରି ଅର୍ଥ ରୋଜଗାର କରିବା ଲାଗି ସେତେବେଳେ ଲୋକମାନଙ୍କୁ କେନ୍ଦ୍ର ଏସିଆ ଅଞ୍ଚଳକୁ ପଠାଯାଇଥିଲା।) ଅର୍ଥ ସଂଗୃହୀତ ହେଉଥିଲା କିନ୍ତୁ ଏହି ଲୁଣ୍ଠନ ବାଣିଜ୍ୟ କାରବାର ଓ କୃଷି ଉତ୍ପାଦନକୁ ପ୍ରଭାବିତ କରିଥିଲା। ଏହି ସମୟ ଭିତରେ ବହୁ ପବିତ୍ର ହିନ୍ଦୁ, ଜୈନ ଓ ବୌଦ୍ଧ ମୂର୍ତ୍ତି ଉପରେ ଆକ୍ରମଣ ହୋଇଥିଲା। କେବଳ ଧନ ଦୌଲତ ଲୁଣ୍ଠନ ପାଇଁ ନୁହେଁ ବରଂ ମୂର୍ତ୍ତିପୂଜାକୁ ବିରୋଧ କରିବା ସହ ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରାଯାଉଥିଲା।
ମୂର୍ତ୍ତି ବିଦ୍ୱେଷୀ ବିଧ୍ୱଂସକାରୀ (Iconoclasm) : ଧାର୍ମିକ ମୂର୍ତ୍ତି, ପ୍ରତିମା ଓ ମୂର୍ତ୍ତି ପୂଜକର ବିରୋଧ କିମ୍ବା ଧ୍ୱଂସକୁ ମୂର୍ତ୍ତି ବିଦ୍ୱେଷୀ ବିଧ୍ୱଂସକାରୀ କୁହାଯାଏ ।
ବିଧର୍ମୀ (Infidel) : ଯିଏ ନିର୍ଦ୍ଦିଷ୍ଟ ଧାର୍ମିକ ବିଶ୍ୱାସ ଗ୍ରହଣ ବା ପ୍ରକାଶ କରେ ନାହିଁ । ମଧ୍ୟଯୁଗର ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପାଇଁ ମୁସଲିମ୍ମାନେ ବିଧର୍ମୀ କିମ୍ବା ମୁସଲମାନଙ୍କ ପାଇଁ ଖ୍ରୀଷ୍ଟିଆନ୍ମାନେ ବିଧର୍ମୀ କିମ୍ବା ଭାରତ ପରିପ୍ରେକ୍ଷୀରେ ହିନ୍ଦୁ, ବୌଦ୍ଧ ଓ ଜୈନମାନଙ୍କୁ ମଧ୍ୟ ଗ୍ରହଣ କରାଯାଇପାରେ ।
ଏହା ବିଷୟରେ ଚିନ୍ତା କର
ଆମେ କାହିଁକି ସାଧାରଣ ଶବ୍ଦ ମୂର୍ତ୍ତି (idol) କିମ୍ବା ପବିତ୍ର ଚିତ୍ର (Icon) ବଦଳରେ ପ୍ରତିମା (image) ଶବ୍ଦକୁ ବ୍ୟବହାର କରୁ ? ‘ପବିତ୍ର ଚିତ୍ର’ ଓ ‘ମୂର୍ତ୍ତି’ ଏହି ଦୁଇଟି ଶବ୍ଦ ‘ଇହୁଦୀ’, ଖ୍ରୀଷ୍ଟିଆନ୍ ଓ ଇସଲାମ୍ ଧର୍ମ ପ୍ରସଙ୍ଗରେ ଅପମାନଜନକ। ଏହି ରକ୍ଷଣଶୀଳ ସଂପ୍ରଦାୟ ମୂର୍ତ୍ତିପୂଜା କିମ୍ବା ପ୍ରତିମା ଓ ସଙ୍କେତ ଉପାସନାକୁ ନିନ୍ଦା କରିଥାନ୍ତି ।
ଭାରତୀୟ ଶାସ୍ତ୍ରୀୟ ଭାଷାରେ ଏହି ଶବ୍ଦଗୁଡ଼ିକୁ ‘ମୂର୍ତ୍ତି’, ‘ବିଗ୍ରହ’, ‘ପ୍ରତିମା’, ‘ରୂପ’ ଇତ୍ୟାଦି ଭାବରେ ନାମିତ କରାଯାଏ ଯେଉଁ ମୂର୍ତ୍ତି ବା ପ୍ରତିମା ସବୁ ମନ୍ଦିର ଓ ଘରେ ପୂଜା ପାଆନ୍ତି । ଇଂରାଜୀରେ ‘ପ୍ରତିମା’ (Image) ଶବ୍ଦର ଅର୍ଥ ନିରପେକ୍ଷ ଅଟେ ।
ଅଣ-ମୁସଲମାନ୍ ଲୋକଙ୍କର ସୁରକ୍ଷା ତଥା ସାମରିକ ସେବାରେ ଯୋଗଦେବାକୁ ଅନିଚ୍ଛୁକ ଥିବା ଲୋକମାନଙ୍କ ଉପରେ କେତେକ ସୁଲତାନ ‘ଜିଜିୟା’ କର ବସାଇଥିଲେ। ଏହି ପକ୍ଷପାତିତା ଏକ ଆର୍ଥିକ ବୋଝ ଓ ଜନ ଅସନ୍ତୋଷ ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମୁସଲମାନରେ ପରିଣତ କରିବା ପାଇଁ ଆର୍ଥିକ ଓ ସାମାଜିକ ପ୍ରୋତ୍ସାହନ ଥିଲା। ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ବେଳକୁ ମଧ୍ୟ ଏସିଆର ତୈମୁର (ଟିମୁର) ଏକ ନୃଶଂସ ତୁର୍କୀ ମୋଗଲ ବିଜେତା ଭାରତର ଉତ୍ତର ପଶ୍ଚିମାଞ୍ଚଳରୁ ଆକ୍ରମଣ କରି ସମୃଦ୍ଧଶାଳୀ ଦିଲ୍ଲୀ ନଗରୀରେ ଧ୍ୱଂସର ବିତ୍ପାତ ସୃଷ୍ଟି କରିଥିଲା। ସେ ନିଜ ରେଖାଚିତ୍ରରେ ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଉଲ୍ଲେଖ କରିଛନ୍ତି। ପ୍ରଥମତଃ ବିଧର୍ମୀଙ୍କ ସହ ଯୁଦ୍ଧ ଚଳାଇବା ଏବଂ ଦ୍ଵିତୀୟତଃ ବିଧର୍ମୀମାନଙ୍କ ଧନ ଦୌଲତ ଲୁଣ୍ଠନ କରି ଅର୍ଥ ଯୋଗାଡ଼ କରିବା । ସେ ବହୁ ଲୋକଙ୍କୁ ହତ୍ୟା କରିବା ସହ ଅନେକଙ୍କୁ କ୍ରୀତ ଦାସ ଭାବରେ ସଙ୍ଗରେ ନେଇ ଦିଲ୍ଲୀକୁ ଧ୍ୱଂସ କରି ଦେଇଥିଲେ। ତୈମୁର ଅବିଳମ୍ବେ ପ୍ରଚୁର ଲୁଣ୍ଠିତ ଧନଦୌଲତ ଧରି ଭାରତକୁ ଧ୍ୱଂସ ସ୍ତୂପରେ ପରିଣତ କରି ଫେରି ଯାଇଥିଲେ। ଏହାର ଫଳସ୍ୱରୂପ ଲୋଦୀ ରାଜବଂଶର ଅଭ୍ୟୁଦୟ ହେଲା। ଦିଲ୍ଲୀ ସୁଲତାନୀର ଶେଷ ରାଜବଂଶ ଭାବେ ଏମାନେ ପରିଚିତ।
ପରେ ପରେ ଦେଶ ଭିତରେ ବିଭିନ୍ନ ରାଜ୍ୟ ଓ ରାଜବଂଶର ବିଦ୍ରୋହ ଓ ବିରୋଧ ଯୋଗୁ ବିରାଟ ସୁଲତାନୀ ସାମ୍ରାଜ୍ୟ ସଙ୍କୁଚିତ ହେବାକୁ ଲାଗିଲା। (୨.୩ ଚିତ୍ର ଦେଖ)
[ଚିତ୍ର ବର୍ଣ୍ଣନା: ପ୍ରଥମ ନରସିଂହଦେବ ସିଂହାସନରେ ବସିଥିବା ଏବଂ ତାଙ୍କ ଚାରିପାଖରେ ପରିଚାରିକା ତଥା ସଙ୍ଗୀତଜ୍ଞମାନେ ଉପସ୍ଥିତ ଥିବା ଏକ ପ୍ରାଚୀନ ଖୋଦିତ ପ୍ରସ୍ତର ମୂର୍ତ୍ତି।]
ଚିତ୍ର : ୨.୮ : ସିଂହାସନରେ ପରିଚାରିକା ଓ ସଙ୍ଗୀତଜ୍ଞଙ୍କ ମେଳରେ ବସିଥିବା ନରସିଂହ ଦେବଙ୍କର ଏକ ଖୋଦିତ ମୂର୍ତ୍ତି
ଦିଲ୍ଲୀ ସୁଲତାନୀକୁ ପ୍ରତିରୋଧ
ସମଗ୍ର ଶାସନ କାଳ ଭିତରେ ଦିଲ୍ଲୀ ସୁଲତାନୀ ବିଭିନ୍ନ ସ୍ତରରୁ ବହୁ ବିରୋଧର ସାମନା କରିଥିଲା। ବହୁ ରାଜ୍ୟ ଏହି ଜାଲରେ ଫସି ଯାଇଥିଲେ। ଏହା କିନ୍ତୁ ପୂର୍ବାଞ୍ଚଳର ଗଙ୍ଗରାଜ୍ୟ (କଳିଙ୍ଗ)କୁ ଜୟ କରିବାରେ ବିଫଳ ହୋଇଥିଲା । (ଚିତ୍ର : ୨.୩ : ଦେଖ) ଏହା ଆଜିର ଓଡ଼ିଶା, ବଙ୍ଗଳା ଓ ଆନ୍ଧ୍ର ପ୍ରଦେଶର କିଛି ଅଂଶକୁ ନେଇ ଗଠିତ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀର ମଧ୍ୟ ଭାଗରେ ନରସିଂହଦେବ–ପ୍ରଥମ ନିଜ ସାମରିକ ଶକ୍ତି ଓ ସାଂସ୍କୃତିକ ବିଚକ୍ଷଣତାରେ ନିଜ ସାମ୍ରାଜ୍ୟକୁ ସମୃଦ୍ଧ କରିପାରିଥିଲେ। ବିଭିନ୍ନ ପ୍ରକାର ଆକସ୍ମିକ ଆକ୍ରମଣକୁ ପ୍ରତିହତ କରିବା ସହ ସେ ବଙ୍ଗଳାରେ ଦିଲ୍ଲୀ ସୁଲତାନଙ୍କ ଗଭର୍ଣ୍ଣରଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ଉତ୍ସବ ପାଳନର ସ୍ମୃତିରେ ସେ କୋଣାର୍କଠାରେ ବିଖ୍ୟାତ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ ।
ଏହା ବିଷୟରେ ଚିନ୍ତା କର
ତୁଗଲକ୍ଙ୍କ ସମୟରେ ମୁସୁନୁରି ନାୟକ, ତେଲୁଗୁ ସଂପ୍ରଦାୟର ମୁଖ୍ୟ ଏମିତି ପ୍ରାୟ ୭୫ ଜଣ ଦଳପତି (ମୁଖ୍ୟ) ଏକାଠି ହୋଇ ସେ ଅଞ୍ଚଳରେ ଏକ ରାଷ୍ଟ୍ରସଂଘ ଗଢ଼ି ୧୩୩୦ରୁ ୧୩୩୬ ମଧ୍ୟରେ ଦିଲ୍ଲୀ ସୁଲତାନୀ ସେନାକୁ ପରାସ୍ତ କଲେ ଏବଂ ମହମ୍ମଦ ବିନ୍ ତୁଗଲକ୍ଙ୍କ ସୈନ୍ୟକୁ ୱାରାଙ୍ଗଲ (ଆଜିର ତେଲେଙ୍ଗାନା)ରୁ ବିତାଡ଼ିତ କଲେ । ତୁମେ କ’ଣ ଭାବୁଛ ସେ ସମୟରେ ୭୫ ଜଣ ଦଳପତି (ଜାତି ମୁଖୁଆ) ଙ୍କୁ ଏକାଠି କରି ଏକ ରାଷ୍ଟ୍ର ସଂଘ ଗଢ଼ିବା ସହଜ କଥା ଥିଲା ?
[ଚିତ୍ର ବର୍ଣ୍ଣନା: ହୟଶାଳ ରାଜବଂଶର ପ୍ରତୀକ ସ୍ୱରୂପ ଏକ ସୁନ୍ଦର ପ୍ରସ୍ତର ମୂର୍ତ୍ତି, ଯେଉଁଥିରେ ଜଣେ ଯୁବକ (ଶାଳ) ସିଂହ ସହିତ ଲଢ଼ୁଥିବାର ଦୃଶ୍ୟ ରହିଛି।]
ଚିତ୍ର : ୨.୯ : ହୟଶାଳ ମାନଙ୍କ ଦ୍ୱାରା ନିର୍ମିତ ସୁନ୍ଦର ଓ ଭବ୍ୟ ମନ୍ଦିର ବେଲୁର ଓ ହଲେବିଦୁ ଠାରେ ଦେଖିବାକୁ ମିଳେ।
ଆମେ ଆଗରୁ କହିଛୁ, ଆଲ୍ଲାଉଦ୍ଦିନ୍ଙ୍କ ଦକ୍ଷିଣକୁ ଯୁଦ୍ଧାଭିଯାନର ଏକମାତ୍ର ଲକ୍ଷ୍ୟ ଥିଲା ମୂଲ୍ୟବାନ ଧନ ଦୌଲତ ଲୁଣ୍ଠନ କରିବା। ସେହି ସମୟରେ ଦକ୍ଷିଣରେ ‘ହୟଶାଳ’ ରାଜବଂଶ ରାଜୁତି କରୁଥିଲେ । (ମୁଖ୍ୟତଃ ଆଜିର କର୍ଣ୍ଣାଟକ ଚିତ୍ର : ୨.୩ ଦ୍ରଷ୍ଟବ୍ୟ) ଦିଲ୍ଲୀ ସୁଲତାନୀର ବହୁ ଆକ୍ରମଣକୁ ପ୍ରତିହତ କରି ପାରିଥିବା ଏହା ଏକମାତ୍ର ସ୍ୱାଧୀନ ରାଜ୍ୟଭାବେ ଦାକ୍ଷିଣାତ୍ୟରେ ତିଷ୍ଠି ରହି ପାରିଥିଲା। ପରେ ପରେ ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ସୁଲତାନ ମାନଙ୍କର କ୍ରମାଗତ (ବହିଃ ଶତ୍ରୁ) ଆକ୍ରମଣ ଓ ଆଭ୍ୟନ୍ତରୀଣ କଳହ ହୟଶାଳ ରାଜ୍ୟକୁ ଦୁର୍ବଳ କରିଦେଲା ଏବଂ ଏହା ପରେ ଦକ୍ଷିଣରେ ବିଜୟନଗର ରାଜ୍ୟ ସହ ମିଶିଯାଇଥିଲା।
ରାଣା (Rana) : ଏକ ରାଜକୀୟ ଉପାଧି ଯାହା ମୁଖ୍ୟତଃ ରାଜପୁତ ଶାସକମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା।
ମନେ ରଖ
ପ୍ରସ୍ତର ମୂର୍ତ୍ତିକଳା ହୟଶାଳଙ୍କର ସ୍ମୃତି ଚିହ୍ନର କାହାଣୀ ପ୍ରକାଶ କରେ । କନ୍ନଡ଼ ଲୋକ କଥାର ବର୍ଣ୍ଣନାନୁସାରେ ‘ଶାଳ’ (ଜଣେ ଯୁବକ) ‘ହୟ’ (ମାରିବା)। ଯିଏ ନିଜ ଗୁରୁଙ୍କୁ ରକ୍ଷା କରିବା ପାଇଁ ସିଂହ ସହ ଲଢ଼ିଥିଲା ଏବଂ ଯାହା ଯୋଗୁ ପରବର୍ତ୍ତୀ ସମୟରେ ରାଜବଂଶର ନାମକରଣ ହୋଇଥିଲା।
ଦିଲ୍ଲୀ ସୁଲତାନୀ ମଧ୍ୟ ବହୁ ସ୍ୱାଧୀନ ଆଞ୍ଚଳିକ ସୁଲତାନମାନଙ୍କ ବିଦ୍ରୋହକୁ ସାମ୍ନା କରିଥିଲା। ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଦକ୍ଷିଣ ଭାରତରେ ‘ବାହାମନୀ ସୁଲତାନୀ’ କିଛି ସମୟ ବହୁ ଅଞ୍ଚଳ ନିଜ ନିୟନ୍ତ୍ରଣକୁ ଆଣିପାରିଥିଲା। ସେହି ସମୟରେ ଗୁଜୁରାଟ, ବଙ୍ଗଳା ଓ ଅନ୍ୟାନ୍ୟ ଅଞ୍ଚଳରେ ନିଜ ସ୍ୱାଧୀନ କ୍ଷମତାଶାଳୀ ସୁଲତାନମାନେ ମୁଣ୍ଡ ଟେକିଲେ, ଯେଉଁମାନେ ସ୍ୱାଧୀନ ଭାବରେ ପୁଣି କେତେବେଳେ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିଲେ।
ରାଜସ୍ଥାନର ଅନେକ ଅଂଶ ଦିଲ୍ଲୀ ସୁଲତାନୀ କବଳରୁ ମୁକ୍ତ ଥିଲା; ପଞ୍ଚଦଶ ଶତାବ୍ଦୀବେଳକୁ ଦିଲ୍ଲୀ ସୁଲତାନୀ (ମେୱାର ରାଜ୍ୟର ଶାସକ) ରାଣାକୁମ୍ଭଙ୍କ ଦ୍ୱାରା ଦୃଢ଼ ବିରୋଧର ସମ୍ମୁଖୀନ ହୋଇଥିଲା। ଯିଏ ପରବର୍ତ୍ତୀ ସୁଲତାନମାନଙ୍କୁ ସଫଳତାର ସହ ଏହି ଅଞ୍ଚଳରୁ ବିତାଡ଼ିତ କରିଥିଲେ।
[ଚିତ୍ର ବର୍ଣ୍ଣନା: ଆରାବଳି ପର୍ବତମାଳା ଉପରେ ଅବସ୍ଥିତ ବିଶାଳ ପ୍ରାଚୀରବିଶିଷ୍ଟ କୁମ୍ଭାଲଗଡ଼ ଦୁର୍ଗର ଏକ ଦୃଶ୍ୟ।]
ଚିତ୍ର : ୨.୧୦ : ଆରାବଳି ପର୍ବତ ଉପରେ ଥିବା କୁମ୍ଭାଲଗଡ଼ ଦୁର୍ଗର ଏକ ଦୃଶ୍ୟ
ମନେରଖ
ପଞ୍ଚଦଶ ଶତାବ୍ଦୀରେ ମେୱାରର ଶାସକ ରାଣାକୁମ୍ଭ ଆରାବଳି ପର୍ବତ ଉପରେ ‘କୁମ୍ଭାଲଗଡ଼ ଦୁର୍ଗ’ ନିର୍ମାଣ କରିଥିଲେ। ମେୱାର ସେତେବେଳେ ଏକ ପ୍ରମୁଖ ରାଜପୁତ ରାଜ୍ୟ ଥିଲା ଏବଂ ଏହି ଦୁର୍ଗ ଥିଲା ସବୁଠୁ ସୁରକ୍ଷିତ ସ୍ଥାନ (ଯାହା ଆଜିର ରାଜସ୍ଥାନର କେନ୍ଦ୍ର ଓ ଦକ୍ଷିଣାଂଶରେ ରହିଥିଲା)। ଏହି ଦୁର୍ଗ ଗଡ଼ାଣିଆ ପାହାଚ ଓ ଜଙ୍ଗଲ ପରିବେଷ୍ଟିତ ଥିଲା। ଏହା ୩୬ କି.ମି. ଦୀର୍ଘ ଓ ବିରାଟ ପ୍ରାଚୀର ପାଇଁ ପ୍ରସିଦ୍ଧ ଥିଲା। ଏହା ପୃଥିବୀର ସୁଦୀର୍ଘ ପ୍ରାଚୀର ମଧ୍ୟରେ ଅନ୍ୟତମ।
ଆସ ଅନୁସନ୍ଧାନ କରିବା
ମଧ୍ୟଯୁଗରେ ଦୁର୍ଗ ନିର୍ମାଣ ପାଇଁ ଏଭଳି ସ୍ଥାନ କାହିଁକି ନିରୂପଣ ହେଉଥିଲା ବୋଲି ତୁମେ ଭାବୁଛ ? ଏହାର ବିଭିନ୍ନ ଦିଗ ଆଲୋଚନା କର। (ସୂଚନା : ସମସ୍ୟା, ରଣକୌଶଳ, ନିରାପତ୍ତା, ଭେଦ୍ୟ ରହସ୍ୟ ଇତ୍ୟାଦି)
ବିଜୟନଗର ସାମ୍ରାଜ୍ୟ
ଯେତେବେଳେ ଦିଲ୍ଲୀ ସୁଲତାନୀ ରାଜନୈତିକ ଦୃଷ୍ଟିକୋଣରୁ ଅସ୍ଥିର ହୋଇଉଠିଲା, ସେତେବେଳେ ଦକ୍ଷିଣରେ ଏକ ନୂତନ କ୍ଷମତା କେନ୍ଦ୍ରର ଅଭ୍ୟୁଦୟ ହେଲା। ଚତୁର୍ଦ୍ଦଶ ଶତାବ୍ଦୀରେ ଦୁଇଭାଇ ହରିହର ଓ ବୁକ୍କା ଯେଉଁମାନେ ପ୍ରଥମେ ମହମ୍ମଦ ବିନ୍ ତୋଘଲକଙ୍କ ଅଧୀନରେ ପ୍ରାଦେଶିକ ଶାସକ ଥିଲେ, ସେମାନେ ପରିଶେଷରେ ଦିଲ୍ଲୀ ଶାସକଙ୍କ କ୍ଷମତାକୁ ଅସ୍ୱୀକାର କରି ଏକ ନୂତନ ରାଜ୍ୟର ସ୍ଥାପନା କଲେ ଯାହା ଦକ୍ଷିଣ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭାବେ ଉଭା ହେଲା। ଏହା ହିଁ ବିଜୟନଗର ସାମ୍ରାଜ୍ୟର ଉତ୍ଥାନ।
[ଚିତ୍ର ବର୍ଣ୍ଣନା: ବିଜୟନଗର ସାମ୍ରାଜ୍ୟର ଧ୍ୱଂସାବଶେଷ ମଧ୍ୟରେ ଠିଆ ହୋଇଥିବା ହାମ୍ପିର ପ୍ରସିଦ୍ଧ ବିରୂପାକ୍ଷ ମନ୍ଦିର ଏବଂ ଆଖପାଖର ପଥୁରିଆ ଭୂଦୃଶ୍ୟ।]
ଚିତ୍ର : ୨.୧୧ : ବିଜୟନଗର ସାମ୍ରାଜ୍ୟ ଧ୍ୱଂସାବଶେଷର କିଛି ଅଂଶ (ଆଜିର ହାମ୍ପି)ର ବୃହତ୍ତମ କୋଠାଟି ହେଉଛି ବିରୂପାକ୍ଷ ମନ୍ଦିର।
ମନେରଖ
ଜନପ୍ରିୟ ଲୋକକଥା ଅନୁସାରେ ହରିହର ଓ ବୁକ୍କା ଉଲ୍ଲେଖନୀୟ ହାମ୍ପି ସାମ୍ରାଜ୍ୟର (ଆଜିର କର୍ଣ୍ଣାଟକ) ସ୍ରଷ୍ଟା ଓ ସାକ୍ଷୀ। ଗୋଟିଏ ଠେକୁଆ ବୁଲିପଡ଼ି ଦଳେ ଶିକାରୀ କୁକୁର ପଛରେ ଗୋଡ଼ାଇବା ଦୃଶ୍ୟ ଅପ୍ରତ୍ୟାଶିତ ଶକ୍ତି ଓ ସାହସକୁ ସଂକେତ କରୁଛି। ସେମାନେ ଯେତେବେଳେ ଏହି ଘଟଣାକୁ ତାଙ୍କ ଗୁରୁ ବିଦ୍ୟାରଣ୍ୟଙ୍କୁ ବର୍ଣ୍ଣନା କରୁଥିଲେ, ସେ ଏହାକୁ ସାହସ, ନମ୍ରତା ଓ ପ୍ରତିରୋଧର ଚିହ୍ନ ବୋଲି ବ୍ୟାଖ୍ୟା କରିବା ସହ ହରିହର ଓ ବୁକ୍କାଙ୍କୁ ସେଠାରେ ରାଜଧାନୀ ସ୍ଥାପନ ପାଇଁ ଉପଦେଶ ଦେଲେ।
ବିଜୟନଗର ସାମ୍ରାଜ୍ୟର ଉତ୍ତରରେ (ଚିତ୍ର : ୨.୧୨) ସୁଲତାନ ଶାସିତ ବାହମନୀ ରାଜ୍ୟ ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲା। ପରିଶେଷରେ ଏହା ପାଞ୍ଚ ଭାଗରେ ବିଭକ୍ତ ହୋଇ ସ୍ୱାଧୀନ ରାଜ୍ୟରେ ପରିଣତ ହେଲା। ଯାହାକୁ ଦାକ୍ଷିଣାତ୍ୟର ସୁଲତାନୀ କୁହାଗଲା। ରାଜ୍ୟଗୁଡ଼ିକ ହେଲା ବିଜାପୁର, ଗୋଲକୋଣ୍ଡା, ବେରାର, ଅହମ୍ମଦନଗର ଓ ବିଦର । ପ୍ରତ୍ୟେକ ରାଜ୍ୟ ଜଣେ ପୂର୍ବବର୍ତ୍ତୀ ପ୍ରାଦେଶିକ ଶାସକଙ୍କ (ତରଫଦାର) ଦ୍ୱାରା ଶାସିତ ହେଉଥିଲା, ଯେଉଁମାନେ ନିଜକୁ ସ୍ୱାୟତ୍ତ (Autonomy) ଘୋଷଣା କରିଥିଲେ। ବିଜୟନଗର ଶାସକଗଣ ବିଜାପୁର ଓ ଗୋଲ୍କୋଣ୍ଡା ସହ ଯୁଦ୍ଧ କରିବା ସହିତ ପୂର୍ବ ଭାରତର ଓଡ଼ିଶାର ଗଜପତି ରାଜାମାନଙ୍କ ସହ ମଧ୍ୟ ଯୁଦ୍ଧ କରିଥିଲେ।
ଏହା ବିଷୟରେ ଚିନ୍ତା କର
‘ଗଜପତି’ରେ ତୁମେ ‘ପତି’ ଶବ୍ଦଟିକୁ ଲକ୍ଷ୍ୟ କରିଛ କି ? ପତି ଅର୍ଥ ‘ମୁନିବ’ କିମ୍ବା ‘ପ୍ରଭୁ’ ଯାହା ବହୁ ରାଜବଂଶ ଦ୍ୱାରା ସେ ସମୟରେ ବ୍ୟବହୃତ ହୋଇ ଆସିଥିଲା, ତାହା କ୍ଷମତା ଓ ପ୍ରତିଷ୍ଠାକୁ ସୂଚୀତ କରେ। ବିଜୟ ନଗରର ରାଜାମାନଙ୍କୁ ‘ନରପତି’ କୁହାଯାଉଥିଲା । ବାହାମନୀ ରାଜ୍ୟର ସୁଲତାନୀ ଶାସକଙ୍କୁ ‘ଅଶ୍ୱପତି’ ଏବଂ ମରାଠା ଶାସକମାନଙ୍କୁ ‘ଛତ୍ରପତି’ କୁହାଯାଇଥିଲା। ପ୍ରତ୍ୟେକ ଉପାଧି ରାଜତ୍ୱ ଓ କ୍ଷମତାର ବିଭିନ୍ନ ଦିଗକୁ ସୂଚୀତ କରୁଥିଲା। ଏହି ତିନୋଟି ଶବ୍ଦର ଅର୍ଥ କ’ଣ ବୁଝାଉଛି ତୁମେ ଅନୁମାନ କରିପାରିବ କି ?
[ଚିତ୍ର ବର୍ଣ୍ଣନା: ଦାକ୍ଷିଣାତ୍ୟର ରାଜ୍ୟସମୂହ ଏବଂ ବିଜୟନଗର ସାମ୍ରାଜ୍ୟ, ବାହମନୀ ସୁଲତାନେଟ୍ ତଥା ଗଜପତି ସାମ୍ରାଜ୍ୟର ପରିସୀମା ଦର୍ଶାଉଥିବା ଏକ ଭୌଗୋଳିକ ମାନଚିତ୍ର।]
ଚିତ୍ର : ୨.୧୨ : ଦାକ୍ଷିଣାତ୍ୟର ରାଜ୍ୟସମୂହ ଏବଂ ବିଜୟନଗର ସାମ୍ରାଜ୍ୟ
ସଂକେତ :
-
ଗଜପତି ସାମ୍ରାଜ୍ୟ (୧୪୫୮)
-
ବାହମନୀ ସୁଲତାନେଟ୍ (୧୪୭୭)
-
ବିଜୟନଗର ସାମ୍ରାଜ୍ୟ (୧୫୦୯)
-
କୃଷ୍ଣଦେବ ରାୟଙ୍କ ଅଧୀନରେ ବିଜୟନଗର ସାମ୍ରାଜ୍ୟ (୧୫୨୯)
-
ମୁଖ୍ୟ ନଗର ସମୂହ : ଅହମ୍ମଦନଗର, ବେରାର (ଅଚଳପୁର), ବିଜାପୁର (ବିଜୟପୁରା), ବିଦର, ଗୋଲକୋଣ୍ଡା, ବିଜୟନଗର (ହାମ୍ପି), ଯାଜନଗର, କାଲିକଟ୍ (କୋଝିକୋଡ୍)
[ଚିତ୍ର ବର୍ଣ୍ଣନା: ହାମ୍ପିସ୍ଥିତ ବିଠଲ ମନ୍ଦିରର ମହାମଣ୍ଡପର କାରୁକାର୍ଯ୍ୟପୂର୍ଣ୍ଣ ପ୍ରସ୍ତର ସ୍ତମ୍ଭସମୂହ।]
ଚିତ୍ର : ୨.୧୩ : ବିଠଲ ମନ୍ଦିରର ମହାମଣ୍ଡପ; ଯାହା ସ୍ଥାପତ୍ୟ କୋଟିକମ ସୌନ୍ଦର୍ଯ୍ୟର ପ୍ରତୀକ। ବିଶେଷ ଭାବେ ବହୁ ସ୍ତମ୍ଭ ବିଶିଷ୍ଟ ଏ ମନ୍ଦିର ସୁନ୍ଦର ଭାବେ ନିର୍ମିତ; ଏହାର ଛୋଟ ଗୋଲାକାର ସ୍ତମ୍ଭକୁ ଆଘାତ କଲେ ସଙ୍ଗୀତର ବିଭିନ୍ନ ସ୍ୱର ସୃଷ୍ଟି ହୋଇଥାଏ – ଏଣୁ ସ୍ତମ୍ଭଗୁଡ଼ିକୁ ‘ସଙ୍ଗୀତ ସ୍ତମ୍ଭ’ କୁହାଯାଏ।
କୃଷ୍ଣଦେବରାୟ
ଷୋଡ଼ଶ ଶତାବ୍ଦୀରେ, ବିଖ୍ୟାତ ଶାସକ କୃଷ୍ଣଦେବ ରାୟଙ୍କ ସମୟରେ ବିଜୟ ନଗର ରାଜ୍ୟ ବିକାଶର ଶୀର୍ଷରେ ପହଞ୍ଚିଥିଲା, ଯିଏ ଦାକ୍ଷିଣାତ୍ୟରେ ନିଜ ସୁରକ୍ଷିତ ସାମ୍ରାଜ୍ୟର ପ୍ରଭୁତ୍ୱ ବିସ୍ତାର କରିଥିଲେ । ତାଙ୍କ ଶାସନ କାଳରେ ସାମରିକ କ୍ଷମତା ଓ ସାଂସ୍କୃତିକ ନବଜାଗରଣର ବିଶେଷ ଉନ୍ନତି ଘଟିଥିଲା। ସେ ସଂସ୍କୃତ, ତେଲୁଗୁ ଓ କନ୍ନଡ଼ ଭାଷାର କବି ଓ ପଣ୍ଡିତମାନଙ୍କର ପୃଷ୍ଠପୋଷକତା କରିଥିଲେ ନିଜେ ସେ ତେଲୁଗୁ ଭାଷାରେ ଏକ ମହାକାବ୍ୟ ‘ଆମୁକ୍ତ ମାଲ୍ୟଦା’ ରଚନା କରିଥିଲେ । ଏହା ତାମିଲ ସନ୍ଥକବି ଆନ୍ଦାଲଙ୍କ ଜୀବନୀ ଉପରେ ଆଧାରିତ ଅଟେ। ଏହି ମହାକାବ୍ୟର ଗୋଟିଏ ଅଂଶ ହେଲା ‘ରାଜନୀତି’ ଯେଉଁଠି ସେ ଉତ୍ତମ ଶାସନ ନୀତିକୁ ପ୍ରତିପାଦନ କରିଛନ୍ତି । କୃଷ୍ଣଦେବ ରାୟ ବହୁ ମନ୍ଦିରକୁ ଦାନ ପ୍ରଦାନ କରିଥିଲେ, ତନ୍ମଧ୍ୟରୁ ଆନ୍ଧ୍ରପ୍ରଦେଶର ‘ତିରୁପତି ମନ୍ଦିର’ ଓ ନିଜର ରାଜଧାନୀ ବିଜୟନଗରର ‘ବିଠଲ ମନ୍ଦିର’, ଯାହା ବହୁ ଭବ୍ୟ ମନ୍ଦିର, ପ୍ରାସାଦ ଓ ଅନ୍ୟ ସ୍ଥାପତ୍ୟକୁ ପ୍ରଦର୍ଶନ କରିଥାଏ।
[ଚିତ୍ର ବର୍ଣ୍ଣନା: ବିଠଲ ମନ୍ଦିରର କାନ୍ଥ ପ୍ୟାନେଲ୍ ଉପରେ ଖୋଦିତ ହୋଇଥିବା ଘୋଡ଼ା, ହାତୀ, ଯୋଦ୍ଧା ଏବଂ ବ୍ୟବସାୟୀମାନଙ୍କର ପ୍ରସ୍ତର ଭାସ୍କର୍ଯ୍ୟ।]
ଚିତ୍ର : ୨.୧୪ : ବିଠଲ ମନ୍ଦିରର ଏକ ପ୍ୟାନେଲ୍ ଉପରେ ଖୋଦିତ ଚିତ୍ର
ମନେରଖ
ବିଦେଶୀ ବେପାରୀମାନେ ବିଜୟ ନଗର ପରିଦର୍ଶନରେ ଆସିଥିଲେ ରାଜା ପର୍ତ୍ତୁଗୀଜମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଅଶ୍ୱବେପାର କରୁଥିବା ବ୍ୟବସାୟୀମାନେ ବାହାରକୁ ଯାଇ ଶତ୍ରୁରାଜ୍ୟକୁ ମୂଲ୍ୟବାନ ଅଶ୍ୱ ବିକନ୍ତୁ ନାହିଁ, ଏହା ସେ ଚାହୁଁ ଥିଲେ।
ସେମାନଙ୍କ ଭିତରୁ ଜଣେ ‘ଡୋମିନଗୋ ପଏସ’, ବିଜୟ ନଗର ରାଜ୍ୟରେ ନିଜ ରହଣିକାଳର ଏକ ଦୀର୍ଘ ଲିଖିତ ବିବରଣୀ ଛାଡ଼ି ଯାଇଛନ୍ତି । ଏହାର ଏକ ଉଦ୍ଧୃତି ଅଂଶ “ଏହି ସହର ବୃହତ ରୋମ ନଗରୀ ଭଳି ଦେଖାଯାଉଥିଲା। ଦୃଶ୍ୟ ସବୁ ମନୋରମ ଲାଗୁଥିଲା ବୃକ୍ଷଲତା, ଉପବନ ଶୋଭିତ ନଗର ଓ ଗୃହଉଦ୍ୟାନ ବେଶ୍ ଚିତ୍ତାକର୍ଷକ ଥିଲା। ପାଇପଦ୍ୱାରା ସହର ମଧ୍ୟରେ ଜଳ ଯୋଗାଣ ସହ ସ୍ଥାନେ ସ୍ଥାନେ କୃତ୍ରିମ ହ୍ରଦ ରହିଥିଲା। ଏହି ନଗରରେ ଅସଂଖ୍ୟ ଲୋକ ବାସ କରୁଥିଲେ। ଏହା ଥିଲା ପୃଥିବୀର ସର୍ବୋତ୍ତମ ସୁବିଧା ଉପଲବ୍ଧ ସହର । ସଡ଼କ ଓ ବଜାରରେ ପରିବହନପାଇଁ ବଡ଼ ବଡ଼ ବୋଝ ବୋହିବା ବଳଦ ଦେଖାଯାଉଥିଲେ । ତୁମେ ଖୋଜୁଥିବା ପ୍ରତ୍ୟେକ ଦ୍ରବ୍ୟର ପ୍ରାଚୁର୍ଯ୍ୟ ସେଠାରେ ପୂରି ରହିଥିଲା।”
ଆସ ଅନୁସନ୍ଧାନ କରିବା
ଚିତ୍ର : ୨.୧୪ରେ ତୁମେ କେଉଁ ଉପାଦାନଗୁଡ଼ିକ ଦେଖୁଛ ? ସେଗୁଡ଼ିକ ତୁମକୁ ସେ ସମୟର ଜୀବନ ବିଷୟରେ କ’ଣ କହେ ? (ସଙ୍କେତ : ଅସ୍ତ୍ରଶସ୍ତ୍ର, ପ୍ରାଣୀ ଓ କ୍ରିୟା କଳାପକୁ ନିରୀକ୍ଷଣ କର)
ପଡ଼ୋଶୀ ରାଜ୍ୟ ବିରୋଧରେ ବହୁ ଯୁଦ୍ଧରେ ଜୟଲାଭ କରିବା ପରେ କୃଷ୍ଣଦେବ ରାୟ ଅସୁସ୍ଥ ହୋଇ ୧୫୨୯ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କଲେ। ୧୫୬୫ରେ ଦାକ୍ଷିଣାତ୍ୟର ସୁଲତାନମାନେ ଏକତ୍ରିତ ହୋଇ ବିଜୟନଗର ରାଜାଙ୍କ ଜାମାତା ରାମାରାୟଙ୍କୁ ତାଲିକୋଟା ଯୁଦ୍ଧରେ ପରାସ୍ତ କଲେ । ମାସ ମାସ ଧରି ସେମାନେ ସହର ଲୁଣ୍ଠନ କଲେ ଘର, ଦୋକାନ, ମହଲ, ପ୍ରାସାଦ ଏବଂ ବହୁ ମନ୍ଦିରକୁ ଧ୍ୱଂସ କରିଥିଲେ । ଅନେକ ସାଧାରଣ ଜନତା ଏହି ଗଣହତ୍ୟାର ଶିକାର ହେଲେ। ସହରକୁ ଧ୍ୱଂସାବସ୍ଥାରେ ଛାଡ଼ି ଦିଆଗଲା। ଏହାପରେ ବିରାଟ ସାମ୍ରାଜ୍ୟ ଛୋଟ ଛୋଟ ପ୍ରଦେଶରେ ପରିଣତ ହୋଇଗଲା । ରାଜ୍ୟଗୁଡ଼ିକ କ୍ରମେ ନାୟକମାନଙ୍କ ଦ୍ୱାରା ଶାସିତ ହେଲା, ଯେଉଁମାନେ ପୂର୍ବରୁ ସାମରିକ ଶାସନକର୍ତ୍ତା ଥିଲେ । ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଏହି ସାମ୍ରାଜ୍ୟର ବିଲୟ ଘଟିଲା।
[ଚିତ୍ର ବର୍ଣ୍ଣନା: ବାବରନାମାରୁ ଏକ ପେଣ୍ଟିଂ, ଯେଉଁଥିରେ ପାନିପଥ ଯୁଦ୍ଧ କ୍ଷେତ୍ରରେ ତୋପ, ଘୋଡ଼ାଚଢ଼ା ସୈନ୍ୟ ଏବଂ ଗୁଳିଗୋଳାର ବ୍ୟବହାର ଦୃଶ୍ୟାୟିତ।]
ଚିତ୍ର : ୨.୧୫ : ବାବରନାମାରେ ବର୍ଣ୍ଣିତ ପାନିପଥ ଯୁଦ୍ଧର ଦୃଶ୍ୟ ଯେଉଁଠି ତୋପ ବ୍ୟବହାରର ଚିତ୍ର ଦେଖିବାକୁ ମିଳେ ।
ମୋଗଲ (ମୋଘଲ)
ଦିଲ୍ଲୀ ସୁଲତାନୀ ଶାସନ ଦୁର୍ବଳ ହେବା ପରେ ବାବର ନାମକ ଜଣେ ତୁର୍କୀ ମୋଗଲ ସାମରିକ ଶାସକ ଓ ରଣକୌଶଳ ଧୂରୀଣ ବ୍ୟକ୍ତି ନିଜ ଭୂଖଣ୍ଡ ସମରକନ୍ଦ (ଆଧୁନିକ ଉଜବେକିସ୍ତାନ)ରୁ ବିତାଡ଼ିତ ହେବା ପରେ; ଭାରତ ଆଡ଼କୁ ନିଜର ଦୃଷ୍ଟି ପକାଇଲେ। ତିମୁର (ତୈମୁର)ର ଉତ୍ତରାଧିକାରୀ ବାବର ୧୫୨୬ରେ ପାନିପଥଠାରେ ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କଲେ। ଏହାକୁ ପ୍ରଥମ ପାନିପଥ ଯୁଦ୍ଧ କୁହାଯାଏ । ଏହି ଯୁଦ୍ଧରେ ବହୁମାତ୍ରାରେ ବନ୍ଧୁକ, ତୋପ, ଗୋଳା ବାରୁଦ ବ୍ୟବହାର କରାଯାଇଥିଲା ଯାହା ପରବର୍ତ୍ତୀ ସମୟରେ ଭାରତୀୟ ଯୁଦ୍ଧ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା। ଏହା ଦିଲ୍ଲୀ ସୁଲତାନୀ ଶାସନର ଅଧୋପତନ ଘଟାଇ ମୋଗଲ (ମୋଘଲ) ସାମ୍ରାଜ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କଲା ଏବଂ ବାବର ହେଲେ ଦିଲ୍ଲୀ ସିଂହାସନର ସର୍ବମୟ କର୍ତ୍ତା ।
ବାବର ଏବଂ ଭାରତ
ବାବର ନିଜର ଏକ ସ୍ପଷ୍ଟ ଆତ୍ମଜୀବନୀ ‘ବାବରନାମା’ (ବାବର ସ୍ମୃତିପାଞ୍ଜି) ଛାଡ଼ିଯାଇଛନ୍ତି ଯାହାର ଐତିହାସିକ ମୂଲ୍ୟ ବେଶ୍ ଅଧିକ। ଏହି ପୁସ୍ତକରେ ସେ ଜଣେ ସଂସ୍କୃତି ସଂପନ୍ନ, ବୁଦ୍ଧିମାନ କୌତୁହଳୀ ମଣିଷ ଭାବେ ନିଜକୁ ବର୍ଣ୍ଣନା କରିଛନ୍ତି; ଯାହାର ସ୍ଥପତି ବିଦ୍ୟା, କବିତା, ପଶୁପକ୍ଷୀ (ଦୀର୍ଘ ଓ ପ୍ରାଞ୍ଜଳ ତାଲିକା) ବନସ୍ପତି (ଫୁଲ ଓ ଫଳଗଛ) ପ୍ରତି ଶ୍ରଦ୍ଧା ଥିଲା। ଏ ସବୁର ସେ ଥିଲେ ମୁଗ୍ଧ ପ୍ରଶଂସକ। ଅନ୍ୟପଟେ ସେ ଥିଲେ ଅତି ନିଷ୍ଠୁର, ନିର୍ଦ୍ଦୟ ବିଜେତା। ପୁରା ନଗରର ଜନସାଧାରଣଙ୍କୁ ପଶୁପରି ହତ୍ୟା କରି ମହିଳା ଓ ଶିଶୁଙ୍କୁ ଦାସ କରି ରଖିବା ଏବଂ ଲୁଣ୍ଠିତ ସହରରେ କୁଢ଼ କୁଢ଼ ‘ମୁଣ୍ଡ ମିନାର’ (Tower of Skulls) ସୃଷ୍ଟି କରିବା ଭଳି କାହାଣୀ ମଧ୍ୟ ଏଥିରେ ରହିଛି।
ବାବର କେନ୍ଦ୍ର ଏସିଆର ସ୍ମୃତି ରୋମନ୍ଥନ କରି ଗର୍ବ ଅନୁଭବ କରିବା ସହ ଭାରତ ପ୍ରତି ମଧ୍ୟ ତାଙ୍କର ମୋହ ଥିଲା। ବିରାଟ ହିନ୍ଦୁସ୍ଥାନକୁ ସୁନା ଓ ରୂପାର ଏକ ଦେଶ ବୋଲି ସେ ଜାଣିଥିଲେ। ବର୍ଷା ଋତୁରେ ବାୟୁର ମାନ ଖୁବ୍ ଭଲ ଥିଲା। ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଭୂଖଣ୍ଡ ଥିଲା ହିନ୍ଦୁସ୍ଥାନ। ବିଭିନ୍ନ ପ୍ରକାର ଅସଂଖ୍ୟ କଳାକାର ଓ କାରୀଗର ଭାରତରେ ଥିଲେ। ବୋଧହୁଏ ଶେଷ କାରଣ ଭାରତର ‘ଧନଦୌଲତ’ ବାବରଙ୍କୁ କେନ୍ଦ୍ର ଏସିଆକୁ ଫେରିବା ଅପେକ୍ଷା ଭାରତରେ ସବୁଦିନ ଲାଗି ରହିଯିବାକୁ ବାଧ୍ୟ କରିଥିଲା।
ଏହା ବିଷୟରେ ଚିନ୍ତା କର
ଭାରତ ସମ୍ପର୍କରେ ବାବରଙ୍କ ଧାରଣା ତୁମ ମନକୁ କେମିତି ଛୁଇଁଛି ? ଦଳ ଭିତରେ ଆଲୋଚନା କର ।
୧୫୩୦ରେ ବାବରଙ୍କ ମୃତ୍ୟୁପରେ, ତାଙ୍କ ପୁଅ ହୁମାୟୁନ ନିଜ ସାମ୍ରାଜ୍ୟକୁ ଧରି ରଖିବା ପାଇଁ ସଂଘର୍ଷ କରିଥିଲେ। ଏହାର ସୁଯୋଗ ନେଇ ଶେରଶାହା ଶୁରୀ ନାମକ ଜଣେ ଶକ୍ତିଶାଳୀ ଆଫଗାନ୍ ନେତା ଉତ୍ତର ଭାରତର ବିରାଟ ଅଞ୍ଚଳରେ ଶେର୍ ସାମ୍ରାଜ୍ୟ ପ୍ରତିଷ୍ଠା କଲେ। ସେ ଅନେକ ଦୀର୍ଘସ୍ଥାୟୀ ସଂସ୍କାର ପ୍ରଚଳନ କରିଥିଲେ। ଏହି ସାମ୍ରାଜ୍ୟ ସ୍ୱଳ୍ପସ୍ଥାୟୀ ଥିଲା। ଯା’ହେଉ ହୁମାୟୁନ ଅବିଳମ୍ବେ ହରେଇ ଥିବା ରାଜ୍ୟକୁ ପୁନର୍ବାର ଜୟ କରିଥିଲେ।
ଏ ଘଟଣା ଘଟିବା ପୂର୍ବରୁ, ହିମୁ (ହେମୁ) ଜଣେ କୁଶଳୀ ସାମରିକ ସେନାପତି ଓ ମୁଖ୍ୟମନ୍ତ୍ରୀ (ୱାଜିର) ଏବଂ ଶେଷ ଶୁରୀ ଶାସକ ଭାବେ ଦିଲ୍ଲୀ ଅଧିକାର କରି ଶାସନ କଲେ। ସେ ‘ହେମଚନ୍ଦ୍ର ବିକ୍ରମାଦିତ୍ୟ’ ରାଜକୀୟ ନାମରେ ସ୍ୱଳ୍ପ ସମୟ ଶାସନ କଲେ। ଯଦିଓ କିଛି ଦିନ ସାମରିକ ସଫଳତାକୁ ଉପଭୋଗ କଲେ, କିନ୍ତୁ ସେ ଦ୍ୱିତୀୟ ପାନିପଥ ଯୁଦ୍ଧରେ କ୍ଷତାକ୍ତ ହେଲେ, ଏହି ଯୁଦ୍ଧ ବାବରଙ୍କ ନାତି ଆକବର ଓ ହିମୁ ମଧ୍ୟରେ ହୋଇଥିଲା। କ୍ଷତାକ୍ତ ଅବସ୍ଥାରେ ହିମୁଙ୍କୁ ଆକବରଙ୍କ ସମ୍ମୁଖକୁ ଅଣାଯାଇ, ତାଙ୍କ ମସ୍ତକ ଛେଦନ କରାଗଲା ଓ ଆକବର ପୁନର୍ବାର ଦିଲ୍ଲୀ ଉଦ୍ଧାର କରି ମୋଗଲ ଶାସନକୁ ସୁଦୃଢ଼ କଲେ ।
ଆକବର
ହୁମାୟୁନଙ୍କ ଅକସ୍ମାତ ମୃତ୍ୟୁ ପରେ ୧୩ ବର୍ଷ ବୟସରେ ଆକବରଙ୍କୁ ଦିଲ୍ଲୀ ସମ୍ରାଟ ଭାବେ ଘୋଷଣା କରାଗଲା । ଆକବର ଭାରତୀୟ ଉପମହାଦେଶକୁ ଏକ ମୋଗଲ ଶାସନାଧୀନ କରିବା ପାଇଁ ଯାତ୍ରା ଆରମ୍ଭ କଲେ । ତାଙ୍କ ଶାସନ କାଳ ଥିଲା ନିଷ୍ଠୁରତା ଓ ସହନଶୀଳତାର ଏକ ସମ୍ମିଶ୍ରଣ ରୂପ । ପୁନଶ୍ଚ ଉଚ୍ଚାଭିଳାଷ ଓ ରଣକୌଶଳରେ ତାଙ୍କ ସାମ୍ରାଜ୍ୟ ସଂଗଠିତ ଥିଲା।
ପୂର୍ବ ବିଜୟ ଗୁଡ଼ିକରେ ତାଙ୍କ ପୂର୍ବ ପୁରୁଷଙ୍କୁ ଅନୁସରଣ କରି ସେ ନିର୍ଦ୍ଦୟ ହୋଇ ଚିତୋର ଦୁର୍ଗ (ରାଜସ୍ଥାନର ଚିତ୍ତୋରଗଡ଼)କୁ ରାଜପୁତ ସୈନ୍ୟମାନଙ୍କର ପ୍ରବଳ ପ୍ରତିରୋଧ ସତ୍ତ୍ୱେ ପାଞ୍ଚ ମାସ ଧରି ଅବରୋଧ କରିଥିଲେ। ଏହି ସମୟରେ ରାଜପୁତ ସୈନ୍ୟମାନେ ମୋଗଲଙ୍କ ବହୁ କ୍ଷତି ଘଟାଇଲେ। ଶେଷରେ ଆକବର ଯୁଦ୍ଧର ନିୟମ ଭଙ୍ଗ କରିବାରୁ ବହୁ ସଂଖ୍ୟାରେ ରାଜପୁତ ସୈନିକ ମୃତ୍ୟୁବରଣ କଲେ। ଶତାଧିକ ରାଜପୁତ ରମଣୀ ‘ଜହର ବ୍ରତ’ ପାଳନ କଲେ। ତତ୍କ୍ଷଣାତ୍ ଆକବର ଗଣହତ୍ୟାର ଆଦେଶ ଦେଲେ । ଫଳରେ ୩୦,୦୦୦ ସାଧାରଣ ନିରୀହ ଜନତା ମୃତ୍ୟୁବରଣ କଲେ । ଏହି ଆକ୍ରମଣରୁ ରକ୍ଷା ପାଇଯାଇଥିବା ନାରୀ ଓ ଶିଶୁଙ୍କୁ ଦାସ କରି ରଖିଲେ । ସେତେବେଳକୁ ଆକବରଙ୍କୁ ମାତ୍ର ୨୫ ବର୍ଷ ବୟସ । ସେ ଏକ ବିଜୟ ଉଲ୍ଲାସର ବାର୍ତ୍ତା ପଠାଇଥିଲେ, ଯେଉଁଠି ସେ ଲେଖିଥିଲେ– “ଆମେ ବିଧର୍ମୀମାନଙ୍କର ବହୁ ଦୁର୍ଗ ଓ ସହରକୁ ଅଧିକାର କରି ସେଠାରେ ଇସଲାମ୍ ପ୍ରତିଷ୍ଠା କରିବାରେ ସଫଳ ହୋଇଛୁ। ଆମ ତୃଷାତୁର ତରବାରୀ ସାହାଯ୍ୟରେ ନାସ୍ତିକତାର ଚିହ୍ନକୁ ସେମାନଙ୍କ ମସ୍ତିଷ୍କରୁ ଆମେ ଲିଭାଇ ଦେଉଛୁ ସାରା ହିନ୍ଦୁସ୍ଥାନରେ ଆମେ ବହୁ ମନ୍ଦିର ଧ୍ୱଂସ କରିଛୁ।”
ଜହର : ଯେତେବେଳେ ତୁର୍କୀ କିମ୍ବା ମୋଗଲ ସେନା କୌଣସି ରାଜ୍ୟ ଜୟ କରୁଥିଲେ ଅନେକ ସମୟରେ ସେମାନେ ନାରୀମାନଙ୍କୁ ଦାସୀ କରିବା କିମ୍ବା ଦୁର୍ବ୍ୟବହାର କରୁଥିଲେ। ଅନେକ ଐତିହାସିକ ଦୃଷ୍ଟାନ୍ତ ଏ ଦିଗରେ ଅଛି। ବହୁ ରାଜପୁତ ରମଣୀ ସେମାନଙ୍କ ହାତରେ ଧରା ପଡ଼ିବା କିମ୍ବା ଦୁର୍ବ୍ୟବହାରର ଶିକାର ହେବା ପୂର୍ବରୁ ନିଆଁକୁ ଡେଇଁ ଆତ୍ମହତ୍ୟା କରୁଥିଲେ। ‘ଜହର’କୁ ଶେଷ ପ୍ରତିରୋଧ ଓ ଆତ୍ମସମ୍ମାନ ରକ୍ଷା କରିବାର ଏକ ବୀରତ୍ୱପୂର୍ଣ୍ଣ କର୍ମ ଭାବେ ବିବେଚନା କରାଯାଉଥିଲା । ଏଣୁ ଆକବର ଶେଷରେ ଯେତେବେଳେ ଚିତୋର ଦୁର୍ଗ ଭାଙ୍ଗି ଭିତରେ ପ୍ରବେଶ କଲେ ଶତାଧିକ ରାଜ ରମଣୀ, ସମ୍ଭ୍ରାନ୍ତ ମହିଳାମାନଙ୍କ ସହ ଅଗ୍ନିକୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଆକବର ନିଜ ପୂର୍ବଜମାନଙ୍କୁ ଏହି ବିଚାରରେ ଅନୁସରଣ କରିଥିଲେ – “ଜଣେ ମହାରାଜ ସର୍ବଦା ବିଜୟ ଅଭିଳାଷୀ ହେବା ଉଚିତ, ନଚେତ ତା’ର ଶତ୍ରୁଗଣ ତା’ ବିରୋଧରେ ଅସ୍ତ୍ର ଉତ୍ତୋଳନ କରିବେ।” ତାଙ୍କ ସାମ୍ରାଜ୍ୟ ଯେତିକି ବଢ଼ି ଚାଲିଲା (ଚିତ୍ର ୨.୧୬), ସେ ନିଜ ସାମ୍ରାଜ୍ୟର ସ୍ଥିରତା ପାଇଁ ଅଧିକରୁ ଅଧିକ ରାଜନୈତିକ ରଣକୌଶଳ ବ୍ୟବହାର କରିଥିଲେ । ସେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ବୈବାହିକ ବନ୍ଧୁତା ସ୍ଥାପନ କରିବା ସହିତ ରାଜପୁତ ଓ ପ୍ରାଦେଶିକ ଶାସକମାନଙ୍କୁ ନିଜ ପ୍ରାସାଦରେ ସ୍ୱାଗତ କରୁଥିଲେ। ସେ ଜିଜିଆ କର ଉଚ୍ଛେଦ କରିବା ସହ ସୁଲହ-ଇ-କୁଲ (Sulh-e-kul) ମତବାଦ ପ୍ରଚଳନ କରିଥିଲେ ଯାହାର ଆକ୍ଷରିକ ଅର୍ଥ ହେଲା ‘ସମସ୍ତଙ୍କ ସହ ଶାନ୍ତି’ କିମ୍ବା ସବୁ ଧର୍ମ ବିଶ୍ୱାସ ପ୍ରତି ସହନଶୀଳତା।
[ଚିତ୍ର ବର୍ଣ୍ଣନା: ଆକବର ଏବଂ ଆଉରଙ୍ଗଜେବଙ୍କ ସମୟର ମୋଗଲ ସାମ୍ରାଜ୍ୟ ବିସ୍ତାର ଏବଂ ସମସାମୟିକ ଆଞ୍ଚଳିକ ରାଜ୍ୟସମୂହ ଯଥା ରାଜପୁତ, ଅହୋମ ଓ ଶିଖ୍ ସାମ୍ରାଜ୍ୟ ଦର୍ଶାଉଥିବା ଭାରତ ମାନଚିତ୍ର।]
ଚିତ୍ର : ୨.୧୬ : ମୋଗଲ ଏବଂ ବିଭିନ୍ନ ସମୟରେ ଆଞ୍ଚଳିକ ଶକ୍ତିର ଅଭ୍ୟୁଦୟ
ସଂକେତ :
-
ଆକବରଙ୍କ ଅଧୀନରେ ମୋଗଲ ସାମ୍ରାଜ୍ୟ (୧୬୦୫)
-
ଆଉରଙ୍ଗଜେବଙ୍କ ଅଧୀନରେ ମୋଗଲ ସାମ୍ରାଜ୍ୟର ବିସ୍ତାର (୧୭୦୦)
-
ରାଜପୁତ ଅଞ୍ଚଳ (୧୭୫୧)
-
ଅହୋମ୍ ରାଜ୍ୟ (୧୮୨୬)
-
ଶିଖ୍ ସାମ୍ରାଜ୍ୟ (୧୮୩୯)
-
ମୁଖ୍ୟ ନଗର ସମୂହ : ଲାହୋର, ମୁଲତାନ, ଦିଲ୍ଲୀ, ଆଗ୍ରା, ଜୟପୁର, ମେୱାର, ସୁରାଟ, ପାଟନା, ଗୌହାଟି, ଢାକା, କଟକ, ଗୋଲକୋଣ୍ଡା, ପୁନେ, ବିଜାପୁର, ମଛିଲିପଟ୍ଟନମ୍, କାଞ୍ଚିପୁରମ୍
ବିଭିନ୍ନ ଧର୍ମ ବିଶ୍ୱାସ ମଧ୍ୟରେ ବିଚାର ବିନିମୟ, ଉଚ୍ଚ ରାଜକାର୍ଯ୍ୟରେ ହିନ୍ଦୁମାନଙ୍କୁ ନିଯୁକ୍ତି ଦେବା ଏବଂ ଅନ୍ୟାନ୍ୟ ସାହସିକ ସଂସ୍କାର ଦ୍ୱାରା ଆକବର ତାଙ୍କ ସାମ୍ରାଜ୍ୟରେ ସ୍ଥିରତା ଆଣିପାରିଥିଲେ। ଏପରିକି ସେ ବହୁ ରାଜପୁତ ରାଜାମାନଙ୍କର ସମର୍ଥନ ହାସଲ କରିଥିଲେ । ତାଙ୍କ ପାରିଷଦର ଐତିହାସିକ ଓ ଜୀବନୀଲେଖକ ଆବୁଲ୍ ଫାଜଲ୍ ଏ କଥାକୁ ଏମିତି ଲିପିବଦ୍ଧ କରିଛନ୍ତି, “ପୂର୍ବେ ମୁଁ ଲୋକମାନଙ୍କୁ ଗତାନୁଗତିକ ନିୟମ ଅନୁସାରେ ଇସ୍ଲାମ୍ ଧର୍ମର ଆଧାରରେ ନିର୍ଯ୍ୟାତନା ଦେଉଥିଲି।
[ଚିତ୍ର ବର୍ଣ୍ଣନା: ମୋଗଲ ଦରବାରର ଏକ କ୍ଷୁଦ୍ର ଚିତ୍ର (ମିନିଏଚର), ଯେଉଁଥିରେ ଆକବର ଇବାଦତ ଖାନାରେ ବିଭିନ୍ନ ଧର୍ମର ପଣ୍ଡିତ ତଥା ଖ୍ରୀଷ୍ଟିଆନ ଜେସୁଇଟ୍ ପାଦ୍ରୀମାନଙ୍କ ସହିତ ଧାର୍ମିକ ଆଲୋଚନା କରୁଛନ୍ତି।]
ଚିତ୍ର : ୨.୧୭ : ଏହି ଚିତ୍ରରେ ଦର୍ଶାଯାଇଛି, ଆକବର ତାଙ୍କ ଦରବାରକୁ ପଣ୍ଡିତମାନଙ୍କୁ ସ୍ୱାଗତ କରୁଛନ୍ତି, ତନ୍ମଧ୍ୟରୁ ଦୁଇଜଣ ଖ୍ରୀଷ୍ଟୀୟ ସନ୍ନ୍ୟାସୀ (କଳାପୋଷାକ ପରିହିତ)
ଯେବେ ମୋର ଜ୍ଞାନ ବଢ଼ିଲା, ମୁଁ ଲଜ୍ଜାରେ ସମାହତ ହେଲି। ନିଜକୁ ମୁସଲମାନ୍ ଭାବେ ନୁହେଁ, ବରଂ ମଣିଷ ଭାବେ, ଅନ୍ୟକୁ ଇସଲାମ୍ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟକରିବାକୁ ମୁଁ ଅନୁଚିତ ମଣିଲି । ବାଧ୍ୟବାଧକତାରେ ଧର୍ମାନ୍ତରିତ ବ୍ୟକ୍ତିଙ୍କଠାରୁ କି ନିଷ୍ଠା ଆଶା କରାଯାଇପାରିବ ? ଆକବରଙ୍କ ଶାସନ ପ୍ରାୟ ୫୦ ବର୍ଷ ତିଷ୍ଠି ରହିଥିଲା (୧୫୫୬ ରୁ ୧୬୦୫) ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ। ତାଙ୍କ ଶାସନର ମଧ୍ୟବର୍ତ୍ତୀ ସମୟ ଶାନ୍ତିପୂର୍ଣ୍ଣ ଥିଲା। ଶେଷ ୧୫ ବର୍ଷ କାଶ୍ମୀର, ସିନ୍ଧୁ, ଦାକ୍ଷିଣାତ୍ୟ ଓ ଆଫଗାନରେ ସାମରିକ ଶିବିର ଥିଲା ଅନ୍ୟତମ। ଯାହା ସେହି ଅଞ୍ଚଳ ଗୁଡ଼ିକରେ ଅଶାନ୍ତି ଓ ଅସନ୍ତୋଷର କାରଣ ଥିଲା।
ଏହା ବିଷୟରେ ଚିନ୍ତା କର
ପୂର୍ବ ଶାସକମାନେ ଯେତେବେଳେ ରାଜ୍ୟ ବିସ୍ତାର ଲାଗି ମୁଖ୍ୟତଃ ସାମରିକ ଶକ୍ତିକୁ ଗୁରୁତ୍ଵ ଦେଉଥିଲେ, ଆକବର ସାମ୍ରାଜ୍ୟ ବିସ୍ତାର ପାଇଁ କାହିଁକି ବିଭିନ୍ନ ପ୍ରକାର ରଣକୌଶଳ ବ୍ୟବହାର କରୁଥିଲେ ?
ଆସ ଅନୁସନ୍ଧାନ କରିବା
ଚିତ୍ର : ୨.୩, ୨.୧୨ ଓ ୨.୧୬ (ମାନଚିତ୍ର) କୁ ତୁଳନା କର । ତୁମେ କେଉଁ ପାର୍ଥକ୍ୟ ସବୁ ଲକ୍ଷ୍ୟ କରୁଛ ? ମାନଚିତ୍ରରେ ଘଟିଥିବା ପୁନଃରୂପ ଗୁଡ଼ିକ କ’ଣ ?
[ଚିତ୍ର ବର୍ଣ୍ଣନା: ଫତେପୁର ସିକ୍ରିରେ ଅବସ୍ଥିତ ଲାଲ ବାଲିପଥରରେ ନିର୍ମିତ ପାଞ୍ଚ ମହଲା ବିଶିଷ୍ଟ ‘ପଞ୍ଚ ମହଲ’ର ଭବ୍ୟ ସ୍ଥାପତ୍ୟ।]
ଚିତ୍ର : ୨.୧୮ : ପାଞ୍ଚ ମହଲା ବିଶିଷ୍ଟ ଏହି ‘ପଞ୍ଚ ମହଲ’ ଫତେପୁର ସିକ୍ରିଠାରେ ଆକବର ନିର୍ମାଣ କରିଥିଲେ ଯାହା ଆଜିର ଆଗ୍ରା ନିକଟରେ ଅବସ୍ଥିତ।
ଆକବର ନିରକ୍ଷର ସତ୍ତ୍ୱେ ପାରସିକ ଓ ଭାରତୀୟ ଗ୍ରନ୍ଥଗୁଡ଼ିକୁ ଜାଣିବା ପାଇଁ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରିଥିଲେ। ଅନେକ ସମୟରେ ତାଙ୍କ ଦରବାରକୁ ପଣ୍ଡିତମାନଙ୍କୁ ନିମନ୍ତ୍ରଣ କରୁଥିଲେ (ଚିତ୍ର : ୨.୧୭)। ସେ ଫତେପୁର ସିକ୍ରିଠାରେ ‘ଅନୁବାଦ ସଦନ’ (House of Translation) ପ୍ରତିଷ୍ଠା କରିଥିଲେ। ଯେଉଁଠି ସେ ବହୁ ଗୁରୁତ୍ଵପୂର୍ଣ୍ଣ ସଂସ୍କୃତ ଗ୍ରନ୍ଥକୁ ପାର୍ସି ଭାଷାରେ ଅନୁବାଦ କରିଥିଲେ, ତନ୍ମଧ୍ୟରୁ ମହାଭାରତ (ରାଜମ୍ନାମା ପାର୍ସୀରେ ବା ଯୁଦ୍ଧର ପୁସ୍ତକ), ରାମାୟଣ (୧୭୬ଟି ସୁନ୍ଦର ଓ କ୍ଷୁଦ୍ରାକୃତି ଚିତ୍ରର ସମାହାର), ଭଗବତ୍ ଗୀତା, ଏବଂ ପଞ୍ଚତନ୍ତ୍ର ଥିଲା ପ୍ରମୁଖ। ଆକବରଙ୍କ ପୁତ୍ର ଜାହାଙ୍ଗୀର ତାଙ୍କ ବାପାଙ୍କର କଳା ଓ ସ୍ଥାପତ୍ୟ ପ୍ରତି ଥିବା ଶ୍ରଦ୍ଧାକୁ ପାଥେୟ କରି ଦାକ୍ଷିଣାତ୍ୟରେ ସାମ୍ରାଜ୍ୟ ବିସ୍ତାର କଲେ। ତାଙ୍କ ପୁତ୍ର ଶାହାଜାହାନ୍ ବହୁ ବିଦ୍ରୋହ ବିରୋଧରେ ଯୁଦ୍ଧ କରିଥିଲେ। ତାଜମହଲର ନିର୍ମାତା ଭାବେ ସେ ଅଧିକନ୍ତୁ ସ୍ମରଣୀୟ। ଆଜି ବି ତାଜମହଲକୁ ସାରା ପୃଥିବୀରେ ମାର୍ବଲର ଏକ ମହାନ୍ ସ୍ଥାପତ୍ୟ ଭାବରେ ଗଣାଯାଏ ।
ଏହି ସମୟରେ କଳା ଓ ସ୍ଥାପତ୍ୟର ସଫଳତା ଶୀର୍ଷକୁ ଛୁଇଁଥିଲା। ଏଥି ମଧ୍ୟରେ ଦିଲ୍ଲୀର ‘ହୁମାୟୁନଙ୍କ ସମାଧି’, ଆଗ୍ରାର ‘ଲାଲକିଲ୍ଲା’ ଏବଂ କିଲ୍ଲା ସମୂହ ଅନ୍ତର୍ଭୁକ୍ତ। ଭାରତର ଅନ୍ୟାନ୍ୟ ଶାସ୍ତ୍ରୀୟ କଳା ଓ ସଙ୍ଗୀତ ଏହି ସମୟରେ ସମୃଦ୍ଧ ହୋଇଥିଲା। ଏ ସମୟର ସୁନ୍ଦର ଲିପି ଓ କ୍ଷୁଦ୍ରାକୃତି ଚିତ୍ରକଳା ମଧ୍ୟ ଉଲ୍ଲେଖନୀୟ।
[ଚିତ୍ର ବର୍ଣ୍ଣନା: ପାର୍ସି ଭାଷାରେ ଲିଖିତ ରାମାୟଣ ପାଣ୍ଡୁଲିପିରୁ ଏକ ରଙ୍ଗୀନ କ୍ଷୁଦ୍ର ଚିତ୍ର, ଯେଉଁଥିରେ ପ୍ରଭୁ ଶ୍ରୀରାମ ଧନୁଶର ଧରି ସୁନା ହରିଣ ପଛରେ ଗୋଡ଼ାଉଥିବାର ଦୃଶ୍ୟ ଚିତ୍ରିତ।]
ଚିତ୍ର : ୨.୧୯ : ଏକ କ୍ଷୁଦ୍ରାକାର ଚିତ୍ରରେ ପାର୍ସି ଭାଷାରେ ରାମାୟଣର ଏକ ଧାରାବାହିକ ଦୃଶ୍ୟ ଯେଉଁଠି ରାମଚନ୍ଦ୍ର ସୁନାହରିଣ ପଛରେ ଗୋଡ଼ାଇବାର ଚିତ୍ରଣ କରାଯାଇଛି।
ଆଉରଙ୍ଗଜେବ
ଆମେ ଆଗରୁ ବର୍ଣ୍ଣନା କରିଛୁ ଯେ ସୁଲତାନଙ୍କ ଶାସନ କାଳରେ ନିରନ୍ତର ହିଂସା ଓ ରକ୍ତପାତ ହୋଇଛି । ଏହାର ପୁନରାବୃତ୍ତି ଶାହାଜାହାନଙ୍କ ସମୟରେ ହୋଇଥିଲା। ସେ ୧୬୫୭ରେ ଅସୁସ୍ଥ ହୋଇପଡ଼ିଲେ। ସେ ଇଚ୍ଛା କରିଥିଲେ ତାଙ୍କ ଜ୍ୟେଷ୍ଠପୁତ୍ର ‘ଦାରା ଶିକୋହ’ ସିଂହାସନ ଗ୍ରହଣ କରୁ କିନ୍ତୁ ଦାରାଙ୍କର କନିଷ୍ଠ ଭାଇ ଆଉରଙ୍ଗଜେବ୍ ଏକ ଭୟଙ୍କର ଯୁଦ୍ଧରେ ଦାରାଙ୍କୁ ପରାସ୍ତ କଲେ ଏବଂ ଶେଷରେ ତାଙ୍କୁ ଫାଶୀ ଦେଇ, କଟା ମୁଣ୍ଡକୁ ତାଙ୍କ ବାପାଙ୍କୁ ପ୍ରଦାନ କରିଥିଲେ।
ଆଉରଙ୍ଗଜେବ୍ ତାଙ୍କର ଅନ୍ୟ ଦୁଇ ଭାଇଙ୍କୁ ବିତାଡ଼ିତ କଲେ। ଜଣକୁ ବନ୍ଦୀ ପୂର୍ବକ ଫାଶୀ ଦେଲେ ଏବଂ ଅନ୍ୟ ଜଣଙ୍କୁ ନିଜ ସାମ୍ରାଜ୍ୟରୁ ନିର୍ବାସିତ କଲେ। ତାଙ୍କ ପରବର୍ତ୍ତୀ ଶାସନର ଆହ୍ୱାନକୁ ମୁକାବିଲା କରିବା ପାଇଁ ଆଉରଙ୍ଗଜେବ୍ ନିଜ ପିତା ଶାହାଜାହାନଙ୍କୁ ଆଗ୍ରା ଦୁର୍ଗରେ ବନ୍ଦୀ କଲେ, ସେଠି ସେ ମୃତ୍ୟୁ ପର୍ଯ୍ୟନ୍ତ ରହିଲେ। ଆଉରଙ୍ଗଜେବ ୧୬୫୮ରେ ନିଜକୁ ସମ୍ରାଟ ଭାବେ ଘୋଷଣା କଲେ ଏବଂ ନିଜକୁ ‘ଆଲମ୍ଗିର୍’ ବା ‘ବିଶ୍ୱବିଜେତା’ ଭାବେ ଅଭିହିତ କଲେ । ସେ ପ୍ରାୟ ୪୯ ବର୍ଷ ଧରି ଶାସନ କରିଥିଲେ।
ଏହା ବିଷୟରେ ଚିନ୍ତା କର
ଆମେ ଦେଖିଲେ ଯେ, ଦିଲ୍ଲୀ ସୁଲତାନଙ୍କର ହାରାହାରି ରାଜତ୍ୱକାଳ ପ୍ରାୟ ୯ ବର୍ଷ। ଏହା ମୋଗଲ ସମ୍ରାଟମାନଙ୍କ କ୍ଷେତ୍ରରେ ୨୭ ବର୍ଷ, ଆଉରଙ୍ଗଜେବ ପର୍ଯ୍ୟନ୍ତ ଏବଂ ଆମେ ଯଦି ସବୁ ମୋଗଲ ଶାସକଙ୍କ ବିଷୟରେ ବିଚାର କରିବା ତେବେ ଏହା ୧୬ ବର୍ଷ । ଊନବିଂଶ ଶତାବ୍ଦୀର ଶେଷ ଯାଏଁ ତୁମେ ଏହି ରାଜତ୍ୱ କାଳର ବର୍ଷଗୁଡ଼ିକ ବିଷୟରେ କ’ଣ ଭାବୁଛ ?
ସାମରିକ ବିଦ୍ୟାରେ ଆଉରଙ୍ଗଜେବ୍ ଦକ୍ଷ ଥିଲେ। ମୁଖ୍ୟତଃ ଦାକ୍ଷିଣାତ୍ୟରେ ଅନେକ ସାମରିକ ଶିବିର ପରିଚାଳନା କରି ବହୁ ଅଞ୍ଚଳ ସେ ଜୟ କରିଥିଲେ। ତାଙ୍କ ରାଜତ୍ୱ କାଳରେ ମୋଗଲ ସାମ୍ରାଜ୍ୟ ସର୍ବାଧିକ ସଂପ୍ରସାରିତ ହୋଇଥିଲା। (ଚିତ୍ର ୨.୧୬. ଦ୍ରଷ୍ଟବ୍ୟ) ଯଦିଓ ସେ ସବୁବେଳେ ଗୁରୁତ୍ଵପୂର୍ଣ୍ଣ ବିଦ୍ରୋହର ସମ୍ମୁଖୀନ ହୋଇଥିଲେ, ତନ୍ମଧ୍ୟରୁ କିଛି ବିଷୟ ଆମେ ପରବର୍ତ୍ତୀ ଅଧ୍ୟାୟରେ ଜାଣିବା। ଆଉରଙ୍ଗଜେବ୍ ତାଙ୍କ ଜୀବନର ଶେଷ ୨୫ ବର୍ଷକାଳ ଦାକ୍ଷିଣାତ୍ୟ (ଡେକାନ୍)ରେ ଗୋଟିଏ ପରେ ଗୋଟିଏ ଯୁଦ୍ଧ କରି ଚାଲିଥିଲେ। ସେହି ଯୁଦ୍ଧାଭିଯାନ ଲାଗି ବଡ଼ ବଡ଼ ସୈନ୍ୟବାହିନୀ ରଖିବା ପାଇଁ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେବା ଯୋଗୁ ପ୍ରଶାସନ ଉପରେ ଏକ ଆର୍ଥିକ ଚାପ ପଡ଼ିଲା । ଫଳରେ ୧୭୦୭ରେ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୋଗଲ କ୍ଷମତାର ଦ୍ରୁତ ଅବକ୍ଷୟର କାରଣ ଭାବେ ଏହାକୁ ବିବେଚନା କରାଯାଏ।
ଆଉରଙ୍ଗଜେବ ଇସ୍ଲାମ୍ ସୁନ୍ନି ସଂପ୍ରଦାୟର ଥିଲେ। ସେ ଥିଲେ କଠୋର ଧାର୍ମିକ ବ୍ୟକ୍ତି, ଆକବରଙ୍କ ଭଳି ସମସ୍ତ ଧାର୍ମିକ ରୀତିନୀତି ଏବଂ ଅବସରକୁ ସେ ପାଳନ କରିବାକୁ ପସନ୍ଦ କରୁନଥିଲେ। ସଙ୍ଗୀତ, ନୃତ୍ୟ ଭଳି ଅଣ ଇସଲାମିକ୍ ଅଭ୍ୟାସ ଗୁଡ଼ିକୁ କ୍ରମେ ତାଙ୍କ ଦରବାରରେ ନିଷିଦ୍ଧ କରିଦେଲେ ଏବଂ ଅଣ ମୁସଲମାନଙ୍କ ଉପରେ ‘ଜିଜିଆ କର’ ଏବଂ ହିନ୍ଦୁମାନଙ୍କର ପବିତ୍ର ତୀର୍ଥ ସ୍ଥାନଗୁଡ଼ିକୁ ଯାତ୍ରା କରିବା ଉପରେ ପୁନଃ ‘ତୀର୍ଥ ଯାତ୍ରା କର’ ଲାଗୁ କରିଥିଲେ। (ଯାହା ଏକଦା ଆକବରଙ୍କ ଦ୍ୱାରା ଉଚ୍ଛେଦ ହୋଇଥିଲା) ।
[ଚିତ୍ର ବର୍ଣ୍ଣନା: ଆଉରଙ୍ଗଜେବ ତାଙ୍କ ଦରବାରରେ ସିଂହାସନରେ ବସି ହାତରେ ଏକ ଶିକାରୀ ବାଜପକ୍ଷୀ ଧରିଥିବା ଏବଂ ପୁତ୍ର ତଥା ଦରବାରୀମାନେ ଉପସ୍ଥିତ ଥିବାର ୧୭ଶ ଶତାବ୍ଦୀର ଏକ ରଙ୍ଗୀନ ଚିତ୍ର।]
ଚିତ୍ର : ୨.୨୦ : ନିଜ ଦରବାରରେ ଆଉରଙ୍ଗଜେବ୍ ନିଜ ପୁତ୍ର ସମ୍ମୁଖରେ ହାତରେ ଏକ ବାଜପକ୍ଷୀ ଧରି ଦଣ୍ଡାୟମାନ (୧୭ ଶ ଶତାବ୍ଦୀର ଏକ ଚିତ୍ର)
କିଛି ବିଦ୍ୱାନ ଯୁକ୍ତି କରନ୍ତି ଯେ ଆଉରଙ୍ଗଜେବଙ୍କ ଅଭିପ୍ରାୟ ମୁଖ୍ୟତଃ ରାଜନୈତିକ ଥିଲା। ଅର୍ଥାତ୍ ତାଙ୍କ ସାମ୍ରାଜ୍ୟର ଶକ୍ତି ଓ ପ୍ରଭାବ ପ୍ରତିଷ୍ଠା କରିବା; ଦେଉଥିବା କିଛି ମନ୍ଦିରକୁ ଅନୁଦାନ ଓ ସୁରକ୍ଷାର ପ୍ରତିଶ୍ରୁତି ଆଦି ଦୃଷ୍ଟାନ୍ତ ମଧ୍ୟ ସେମାନେ ଦେଇଥାନ୍ତି । ରାଜନୀତି ତାଙ୍କ ନିଷ୍ପତ୍ତି ଗ୍ରହଣରେ ପ୍ରଧାନ ଭୂମିକା ଗ୍ରହଣ କରୁଥିଲା। ଆଉରଙ୍ଗଜେବ୍ଙ୍କ ନିଜସ୍ୱ ଆଦେଶ ତାଙ୍କ ବ୍ୟକ୍ତିଗତ ଧାର୍ମିକ ଉଦ୍ଦେଶ୍ୟକୁ ସ୍ପଷ୍ଟ କରେ। ଉଦାହରଣ ସ୍ୱରୂପ ୧୬୬୯ ମସିହାରେ, ସେ ସମସ୍ତ ପ୍ରଦେଶର ଶାସକମାନଙ୍କୁ ‘କାଫିର୍’ଙ୍କ ବିଦ୍ୟାଳୟ ଓ ମନ୍ଦିର ଭାଙ୍ଗି ଦେବାକୁ ଏବଂ ସେମାନଙ୍କ ଶିକ୍ଷା ଓ ଧାର୍ମିକ ଅଭ୍ୟାସଗୁଡ଼ିକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବନାରସ (ବର୍ତ୍ତମାନର ବାରାଣସୀ), ମଥୁରା, ସୋମନାଥ ଓ ଅନ୍ୟାନ୍ୟ ଅନେକ ମନ୍ଦିର ଧ୍ୱଂସ କରାଗଲା। ଏହାସହ ଜୈନମନ୍ଦିର ଏବଂ ଶିଖ ଗୁରୁଦ୍ୱାର ଗୁଡ଼ିକୁ ମଧ୍ୟ ନଷ୍ଟ କରିଦିଆଗଲା। ଆଉରଙ୍ଗଜେବ୍ଙ୍କ ଏହି ଦିଗଟି ସୁଫି ସମେତ ଅନ୍ୟାନ୍ୟ ସଂପ୍ରଦାୟର ମୁସଲ୍ମାନ୍ ଏବଂ ଜୋରାଷ୍ଟ୍ରିୟନ୍ (ଭାରତରେ ମୂଳତଃ ପାରସ୍ୟରୁ ଆସିଥିବା ପାର୍ସିଧର୍ମୀ)ଙ୍କ ଉପରେ ତାଙ୍କ ଅତ୍ୟାଚାର ସ୍ପଷ୍ଟଭାବେ ଦେଖିବାକୁ ମିଳିଥିଲା।
ଆସ ଅନୁସନ୍ଧାନ କରିବା
ଆଉରଙ୍ଗଜେବ୍ ତାଙ୍କ ଶେଷ ଚିଠିରେ ତାଙ୍କ ଦୁଇପୁଅଙ୍କୁ ଲେଖିଥିଲେ, “ମୁଁ ଏକା ଆସିଥିଲି ଏବଂ ଏକା ଯାଉଛି। ମୁଁ ଜାଣିନାହିଁ ମୁଁ କିଏ ଏବଂ ମୁଁ କ’ଣ କରୁଛି ...। ମୁଁ ଦେଶ ଓ ଲୋକଙ୍କ ପାଇଁ ଭଲ କରିନାହିଁ ଏବଂ ଭବିଷ୍ୟତର କୌଣସି ଆଶା ନାହିଁ । ମୁଁ ଜୀବନରେ ଅସହାୟ ଥିଲି ଏବଂ ମୁଁ ଅସହାୟ ହୋଇଯାଉଛି।” ଏହି ଶବ୍ଦଗୁଡ଼ିକ ଆମକୁ ଆଉରଙ୍ଗଜେବଙ୍କ ବିଷୟରେ କ’ଣ କୁହନ୍ତି ? ସେମାନଙ୍କ ବିଷୟରେ ତୁମେ କ’ଣ ଅନୁଭବ କର ?
ଏହା ବିଷୟରେ ଚିନ୍ତାକର
ଉପରେ ଉଲ୍ଲେଖ କରାଯାଇଥିବା କିଛି ଆକ୍ରମଣକାରୀ ଏବଂ ଶାସକ ଭୟଙ୍କର ନୃଶଂସ କାର୍ଯ୍ୟ କରିଥିଲେ। ଆହୁରି ଅନେକ କଥା ବର୍ଣ୍ଣନା କରାଯାଇ ପାରିଥାନ୍ତା। ପୃଷ୍ଠା ୨୦ର ଟିପ୍ପଣୀ ଇତିହାସର ଅନ୍ଧକାର ଅଧ୍ୟାୟକୁ ସ୍ପଷ୍ଟ କରେ। ଆମକୁ ସ୍ମରଣ ରଖିବାକୁ ହେବ ଯେ ଏହା ଅତୀତ ଲୋକଙ୍କ ବିଷୟରେ, ଆଜିର ଲୋକଙ୍କ ବିଷୟରେ ନୁହେଁ । ଆମକୁ ଅତୀତର ସତ୍ୟ ଜାଣିବା ଆବଶ୍ୟକ ଏବଂ ଏହି ଅତ୍ୟାଚାରର ଶିକାର ହୋଇଥିବା ଲୋକମାନେ ଆମର ସ୍ମରଣୀୟ ଓ ସମ୍ମାନର ପାତ୍ର। ଏଠାରେ କିନ୍ତୁ ମନେ ରଖିବା ଗୁରୁତ୍ଵପୂର୍ଣ୍ଣ ଯେ ଶହ ଶହ ବର୍ଷ ପୂର୍ବେ ବ୍ୟକ୍ତିଗଣ କରିଥିବା କାର୍ଯ୍ୟ ପାଇଁ ଆଜି ଆମେ ଉତ୍ତରଦାୟୀ ନୁହଁ ।
ମୋଗଲମାନଙ୍କୁ ପ୍ରତିରୋଧ
ଆସନ୍ତୁ ଆମେ କିଛି ପ୍ରମୁଖ ବିଦ୍ରୋହର ସର୍ଭେକ୍ଷଣ କରିବା ଯାହା ମୋଗଲ ଶକ୍ତିକୁ ନଷ୍ଟ କରିଦେଇଥିଲା (ପରବର୍ତ୍ତୀ ଅଧ୍ୟାୟ ପାଇଁ ମରାଠା ମାନଙ୍କର ଅବଦାନକୁ ରଖାଯାଇଛି)।
ଶତାବ୍ଦୀ ଶତାବ୍ଦୀ ଧରି କୃଷକ ଗୋଷ୍ଠୀ, ନିର୍ମମ ଶୋଷଣ ବିରୋଧରେ ବିଦ୍ରୋହ କରିଥିଲେ। ୧୭ଶ ଶତାବ୍ଦୀରେ ଏପରି ଏକ ଘଟଣା ଜାଠ କୃଷକଙ୍କ ବିଦ୍ରୋହ ସହିତ ଜଡ଼ିତ (ବର୍ତ୍ତମାନର ପଶ୍ଚିମ ଉତ୍ତର ପ୍ରଦେଶ, ହରିଆଣା ଏବଂ ପୂର୍ବ ରାଜସ୍ଥାନ) ଯେଉଁମାନେ ମୋଗଲ ପ୍ରଶାସନର ଜଣେ ଦମନକାରୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଯୁଦ୍ଧରେ ୨୦,୦୦୦ ଲୋକ ମୋଗଲ ସେନାର ମୁକାବିଲା କରିଥିଲେ ଏବଂ ବୀରତ୍ଵର ସହିତ ଲଢ଼ିଥିଲେ, କିନ୍ତୁ ସେମାନଙ୍କର ଜାଠ ନେତାଙ୍କୁ ହତ୍ୟା କରାଯାଇ ବିଦ୍ରୋହକୁ ଦମନ କରାଯାଇଥିଲା।
ଅନେକ ଆଦିବାସୀ ଗୋଷ୍ଠୀ ଯଥା— ଭିଲ୍, ଗୋଣ୍ଡ, ସାନ୍ତାଳ ଓ କୋଚ ସେମାନଙ୍କ ଅଞ୍ଚଳକୁ ମିଶାଇବା କିମ୍ବା ସେମାନଙ୍କ ଉପରେ କର ଲାଗୁ କରିବା ବିରୋଧରେ ଲଢ଼ିଥିଲେ। ଏହି ଗୋଷ୍ଠୀଗୁଡ଼ିକ ମଧ୍ୟରୁ କିଛି ଗୋଷ୍ଠୀଙ୍କୁ ଦମନ କରାଯାଇଥିଲା କିମ୍ବା ଦିଲ୍ଲୀ ସୁଲତାନୀ ବା ମୋଗଲ ସାମ୍ରାଜ୍ୟରେ ମିଶାଇ ଦିଆଯାଇଥିଲା। ବିଶେଷତଃ ଯେଉଁମାନେ ଘଞ୍ଚ ଜଙ୍ଗଲ, ପର୍ବତ ଓ ଦୂରବର୍ତ୍ତୀ ସ୍ଥାନରେ ବାସ କରୁଥିଲେ, କୌଣସି ମତେ ସେମାନେ କିଛି ସ୍ୱାଧୀନତା ରକ୍ଷା କରିପାରିଥିଲେ।
[ଚିତ୍ର ବର୍ଣ୍ଣନା: ହାତରେ ଖଣ୍ଡା ଓ ଢାଲ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ଏକ ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତି।]
ଚିତ୍ର : ୨.୨୧ : ରାଣୀ ଦୁର୍ଗାବତୀ
ରାଣୀ ଦୁର୍ଗାବତୀଙ୍କୁ ଗଡ଼ ରାଜ୍ୟର ଜଣେ ବୀରା ରାଣୀ ଭାବେ ସ୍ମରଣ କରାଯାଏ (ମଧ୍ୟଭାରତର ଗୋଣ୍ଡ ରାଜ୍ୟ ମଧ୍ୟରେ)। ସେ ବୁଦ୍ଧିମତୀ ରାଣୀ ଭାବେ ଶାସନ କରି ତାଙ୍କ ରାଜ୍ୟକୁ ସମସ୍ତ ଦିଗରୁ ସମୃଦ୍ଧ କରିଥିଲେ। ସେ ୨୦,୦୦୦ ଅଶ୍ୱାରୋହୀ ଏବଂ ୧୦୦୦ ହସ୍ତୀ ବାହିନୀକୁ ନିଜ ପାଖରେ ରଖିଥିଲେ। ଯାହା ଫଳରେ ସେ ବାହ୍ୟ ଆକ୍ରମଣକୁ ପ୍ରତିହତ କରି ପାରିଥିଲେ । ୧୫୬୪ ମସିହାରେ ଆକବରଙ୍କ ଦ୍ୱାରା ପ୍ରେରିତ ଜଣେ ସେନାପତି ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲେ। ତାଙ୍କର ସୈନ୍ୟବଳ, ଅସ୍ତ୍ର, ଶସ୍ତ୍ର ଅଧିକ ଥିବା ସତ୍ତ୍ୱେ ସେ ନିଜେ ସୈନ୍ୟବାହିନୀର ନେତୃତ୍ୱ ନେଇ ସାହସର ସହିତ ଲଢ଼ିଥିଲେ। ବନ୍ଦୀହେବା ଆଗରୁ କ୍ଷତାକ୍ତହୋଇ ମାତ୍ର ୪୦ ବର୍ଷ ବୟସରେ ସେ ଯୁଦ୍ଧ ଭୂମିରେ ନିଜକୁ ନିଜେ ହତ୍ୟା କରିଥିଲେ। ତାଙ୍କ ତ୍ୟାଗ ଓ ବଳିଦାନ ଆଞ୍ଚଳିକ ଗର୍ବ ଓ ପ୍ରତିରୋଧର ପ୍ରତୀକ ହୋଇଗଲା ଏବଂ ଏଯାବତ୍ ସେ ଭାରତୀୟ ଇତିହାସରେ ଜଣେ ବୀରା ରମଣୀ ଭାବେ ପରିଚିତ।
ରାଜପୁତଙ୍କ ଉତ୍ଥାନ
ଉତ୍ତର ପଶ୍ଚିମ ଭାରତରେ ରାଜପୁତଙ୍କ ଅବସ୍ଥିତି ଏବଂ ସେମାନେ ପ୍ରତିହାର ବଂଶର ଉତ୍ତରଦାୟାଦ (ଯେଉଁ ପ୍ରତିହାରମାନେ କିଛି ଶତାବ୍ଦୀ ପୂର୍ବରୁ ସିନ୍ଧରେ ଆରବ ଆକ୍ରମଣକୁ ପ୍ରତିରୋଧ କରିଥିଲେ) ଭାବେ ପାଇଥିବା ବୀରତ୍ଵପୂର୍ଣ୍ଣ ପରମ୍ପରା ଯୋଗୁ ରାଜପୁତମାନେ ପ୍ରାୟତଃ ଉପମହାଦେଶର ସୁରକ୍ଷା ପାଇଁ ବାହ୍ୟ ଆକ୍ରମଣକାରୀମାନଙ୍କ ସହିତ ଲଢ଼ୁଥିଲେ। ଖୁଲିଜୀଙ୍କ ପରେ ସେମାନେ ସେମାନଙ୍କ ରାଜ୍ୟର ପୁନଃନିର୍ମାଣ କରିଥିଲେ। ଏହି ପ୍ରକ୍ରିୟାରେ ମେୱାର ଓ ମାରୱାର ଅଞ୍ଚଳରେ ଦୁଇଟି ପ୍ରମୁଖ ରାଜବଂଶ ଉଭା ହୋଇଥିଲେ। ସେମାନଙ୍କ ବୀରତ୍ଵପୂର୍ଣ୍ଣ କାର୍ଯ୍ୟର ପ୍ରେରଣାଦାୟୀ କାହାଣୀ ବିଶେଷକରି ଲୋକପ୍ରିୟ ଗାଥା ଆଜି ମଧ୍ୟ କୁହାଯାଏ। ସେହି ପୂର୍ବପୁରୁଷଙ୍କ ବଂଶଧର ଭାବେ ପୂର୍ବରୁ ଆମେ ରାଣା କୁମ୍ଭଙ୍କୁ ଭେଟିଥିଲୁ।
[ଚିତ୍ର ବର୍ଣ୍ଣନା: ଉପରେ ହଳଦୀଘାଟ ଯୁଦ୍ଧର ଏକ ବିରାଟ ଯୁଦ୍ଧକ୍ଷେତ୍ର ଚିତ୍ର ଏବଂ ତଳେ ବାମଭାଗରେ ଭିଲ୍ ଯୋଦ୍ଧା ଥିବା ମେୱାର ରାଜବଂଶର ରାଜକୀୟ ପ୍ରତୀକ (Coat of Arms)।]
ଚିତ୍ର : ୨.୨୩ : ଜଣେ ଚିତ୍ରକରର ତୂଳୀରେ ହଳଦୀଘାଟ ଯୁଦ୍ଧର ଚିତ୍ର (ଉଦୟପୁର ରାଜପ୍ରାସାଦରୁ ପ୍ରାପ୍ତ)
ଚିତ୍ର : ୨.୨୨ : ବାମ ଭାଗରେ ଭିଲ୍ ଯୋଦ୍ଧା ଥିବା ମେୱାରର ପ୍ରତୀକ
ରାଣା ସାଙ୍ଗା (୧୬ଶ ଶତାବ୍ଦୀ ପୂର୍ବରୁ) ଅନେକ ରାଜପୁତ ବଂଶକୁ ଏକତ୍ରିତ କରିଥିଲେ। ସୁଲତାନମାନଙ୍କ ବିରୋଧରେ ବହୁ ଯୁଦ୍ଧରେ ସେ ବିଜୟ ଲାଭ କରିଥିଲେ। ଶେଷରେ ଖାନୱା ଯୁଦ୍ଧରେ ବାବରଙ୍କ ବିରୋଧରେ ଯୁଦ୍ଧକରି ପରାଜୟ ବରଣ କରିଥିଲେ। ସେ ତାଙ୍କ ପୂର୍ବପୁରୁଷଙ୍କଠାରୁ ଏକ ଖଣ୍ଡବିଖଣ୍ଡିତ ରାଜ୍ୟ ଉତ୍ତରାଧିକାରୀ ଭାବରେ ପାଇଥିଲେ।
ମେୱାର ଶାସକ ମହାରାଣା ପ୍ରତାପ ମୋଗଲ ଆଧିପତ୍ୟ ଗ୍ରହଣ କରିବାକୁ ମନା କରିଥିଲେ ଏବଂ ରାଜପୁତ ପ୍ରତିରୋଧର ମୁଖପାତ୍ର ପାଲଟି ଥିଲେ। ୧୫୭୬ରେ ଆରାବଳୀର ଗିରିପଥରେ ମୋଗଲ ସେନାଙ୍କ ସହ ମହାରାଣା ପ୍ରତାପଙ୍କ ମୁକାବିଲା ହୋଇଥିଲା । (ଚିତ୍ର : ୨.୨୩) ଯଦିଓ ମୋଗଲ ସେନା ଶକ୍ତିଶାଳୀ ଥିଲେ; ମହାରାଣା ପ୍ରତାପ ଖସି ପଳାଇ ଯାଇଥିଲେ ଏବଂ ବର୍ଷ ବର୍ଷ ଧରି ଆରାବଳୀ ପାହାଡ଼ରୁ ମୋଗଲମାନଙ୍କ ବିରୋଧରେ ଗରିଲା ଯୁଦ୍ଧ କରିଥିଲେ । ସେ କଠୋର ପରିସ୍ଥିତିରେ ଜୀବନଯାପନ କରିଥିଲେ। କିନ୍ତୁ ସେ ଥିଲେ ଦୃଢ଼ ସ୍ୱାଧୀନଚେତା । ଏହା ଉଲ୍ଲେଖନୀୟ ଯେ ମହାରାଣା ପ୍ରତାପ ଭିଲମାନଙ୍କଠାରୁ ଦୃଢ଼ ସମର୍ଥନ ପାଇଥିଲେ; ଯେଉଁମାନେ କେବଳ ଧନୁର୍ଦ୍ଧାରୀ ଭାବେ ତାଙ୍କ ସୈନ୍ୟ ବାହିନୀରେ ଯୋଗ ଦେଇ ନଥିଲେ ବରଂ ସେହି ଅଞ୍ଚଳ ବିଷୟରେ ସେମାନଙ୍କର ପର୍ଯ୍ୟାପ୍ତ ଜ୍ଞାନ ଥିଲା। ସେମାନଙ୍କର ସେବା (ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ) ହିଁ ସେମାନଙ୍କୁ ମେୱାରର ସାମରିକ ପରମ୍ପରାରେ ଏକ ସମ୍ମାନଜନକ ସ୍ଥାନ ପ୍ରଦାନ କରିଥିଲା ଯାହା ମେୱାରର ପ୍ରତୀକରୁ ଜଣାପଡ଼େ। (ଚିତ୍ର : ୨.୨୨)
ଗରିଲା ଯୁଦ୍ଧ କୌଶଳ (Guerrilla warfare) : ଯୁଦ୍ଧର ଏକ କୌଶଳ ଯେଉଁଠି ଛୋଟ ଛୋଟ ଦଳ ଲୁଚି ଛପି ଅଚାନକ ଆକ୍ରମଣ କରି ବିରାଟ ସୈନ୍ୟବାହିନୀକୁ ପରାସ୍ତ କରିପାରୁଥିଲେ ।
ଯେତେବେଳେ କିଛି ରାଜପୁତ ରାଜ୍ୟ, ମୋଗଲମାନଙ୍କ ସହ ମେଣ୍ଟ କରିଥିଲେ ବିଶେଷତଃ କୂଟନୀତି ଓ ବିବାହ ବନ୍ଧନ ଦ୍ୱାରା, ମେୱାର କିନ୍ତୁ ମୋଗଲ ପ୍ରାଧାନ୍ୟକୁ ଗ୍ରହଣ କରିନଥିଲା। ଆଉରଙ୍ଗଜେବ୍ଙ୍କ ରାଜତ୍ୱ ସମୟରେ ଅନେକ ସମ୍ଭ୍ରାନ୍ତ ରାଜପୁତ ବିଦ୍ରୋହ କରିଥିଲେ, ସେମାନଙ୍କ ମଧ୍ୟରେ ମେୱାରର ଦୁର୍ଗାଦାସ ରାଠୋର ଥିଲେ ଅନ୍ୟତମ। ସେମାନେ ଯୋଧପୁରର ସ୍ୱାଧୀନତା ରକ୍ଷା ପାଇଁ ଲଢ଼ିଥିଲେ। ରାଜସ୍ଥାନରେ ତେଣୁ ମୋଗଲ କର୍ତ୍ତୃତ୍ୱ ସୀମିତ ରହିଥିଲା।
ଅହୋମ୍ ରାଜ୍ୟ
ତ୍ରୟୋଦଶ ଶତାବ୍ଦୀରେ ‘ଅହୋମ୍ ଜାତି’ର ଏକ ଗୋଷ୍ଠୀ ମିଆଁମାର (ବର୍ତ୍ତମାନର)ରୁ ବ୍ରହ୍ମପୁତ୍ର ଉପତ୍ୟକାକୁ ସ୍ଥାନାନ୍ତରିତ ହୋଇଥିଲେ ଏବଂ ସେଠାରେ ଅହୋମ ରାଜ୍ୟ ଗଠନ କରିଥିଲେ। ସୁଲତାନୀ ଓ ମୋଗଲଯୁଗ ଉଭୟ ସମୟରେ ଅହୋମ୍ ଶାସକମାନେ ଉତ୍ତର ପୂର୍ବରେ ସାମ୍ରାଜ୍ୟ ବିସ୍ତାର ପ୍ରୟାସକୁ ଦୃଢ଼ ପ୍ରତିରୋଧ କରିଥିଲେ। ସେମାନଙ୍କର ଅନନ୍ୟ ‘ପାଇକ ବ୍ୟବସ୍ଥା’ ଦ୍ୱାରା ପ୍ରତ୍ୟେକ ସମର୍ଥ ବ୍ୟକ୍ତିଙ୍କୁ ଭୂମି ଅଧିକାର ପ୍ରଦାନ କରା ଯାଇଥିଲା, ତା ବଦଳରେ ଶ୍ରମ କିମ୍ବା ସାମରିକ କର୍ତ୍ତବ୍ୟ ମାଧ୍ୟମରେ ସେମାନେ ରାଜ୍ୟକୁ ସେବା ଯୋଗାଇଦେବାକୁ ରାଜା ଆହ୍ୱାନ ଦେଇଥିଲେ। ଏହା ଶାସକମାନଙ୍କୁ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରିବାକୁ ଏବଂ ସ୍ଥାୟୀ ସେନା ବିନା ମଧ୍ୟ ଏକ ଦୃଢ଼ ସାମରିକ ଶକ୍ତି ସୃଷ୍ଟି କରିଥିଲା। ସମୟ ସହିତ ଅହୋମ୍ମାନେ ସ୍ଥାନୀୟ ସଂସ୍କୃତିକୁ ଆତ୍ମୀକରଣ କରିଥିଲେ ଏବଂ ଆସାମର ସମୃଦ୍ଧ ପରମ୍ପରାରେ ଯୋଗଦାନ କରିଥିଲେ।
ପୂର୍ବାଞ୍ଚଳର ଗଙ୍ଗସାମ୍ରାଜ୍ୟ (ଓଡ଼ିଶା)
ଅହୋମ୍ ସାମ୍ରାଜ୍ୟ ଭଳି ଦେଶର ପୂର୍ବାଞ୍ଚଳରେ ଗଙ୍ଗ ବଂଶର ରାଜାମାନେ ନିଜର ଶକ୍ତି ବଢ଼ାଇ ଚାଲିଥିଲେ। ଅହୋମ୍ ମାନଙ୍କ ଭଳି ସୈନ୍ୟମାନଙ୍କ ମଧ୍ୟରେ ପାଇକ ବୀରଙ୍କ ଗୁରୁତ୍ଵ ରହିଥିଲା। ତ୍ରୟୋଦଶ ଶତାବ୍ଦୀରେ ତୃତୀୟ ଅନଙ୍ଗଭୀମ ଦେବ ମୁସଲ୍ମାନ ଆକ୍ରମଣକାରୀଙ୍କ ସହ ଯୁଦ୍ଧକରି ସେମାନଙ୍କୁ ବିତାଡ଼ିତ କରିବା ସହ ସେହି ବିଜୟ ସ୍ମୃତିରେ ଭୁବନେଶ୍ୱରଠାରେ ‘ମେଘେଶ୍ୱର ମନ୍ଦିର’ ନିର୍ମାଣ କରିଥିଲେ। ପରବର୍ତ୍ତୀ ଶାସକ ପ୍ରଥମ ନରସିଂହ ଦେବ (ଲାଙ୍ଗୁଳା ନରସିଂହଦେବ) ଦକ୍ଷିଣ ବଙ୍ଗଳା (ଗୌଡ଼) ଅଧିକାର କରି ମୁସଲମାନମାନଙ୍କୁ ପରାସ୍ତ କରିଥିଲେ ଏବଂ ଏହି ବିଜୟ ସ୍ମୃତିରେ କୋଣାର୍କର ଚନ୍ଦ୍ରଭାଗା ନଦୀ ମୁହାଣରେ ବିଶ୍ୱବିଖ୍ୟାତ ‘ସୂର୍ଯ୍ୟ ମନ୍ଦିର’ ନିର୍ମାଣ କରିଥିଲେ। ଏହି ଗଙ୍ଗ ବଂଶର ରାଜୁତି କାଳରେ ହିନ୍ଦୁଧର୍ମ, କଳା ଓ ସଂସ୍କୃତିର ବିଶେଷ ଉନ୍ନତି ହୋଇଥିଲା। ଗଙ୍ଗ ବଂଶ ପରେ ପରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବ ପାଇକସେନାଙ୍କୁ ଶକ୍ତିଶାଳୀ କରି ଶ୍ରୀଜଗନ୍ନାଥଙ୍କ ସମ୍ମାନାର୍ଥେ ରାଜ୍ୟ ପରେ ରାଜ୍ୟ ଜୟ କରିଥିଲେ । ଉତ୍ତରରେ ଝାଡ଼ଖଣ୍ଡଠାରୁ ଦକ୍ଷିଣରେ ରାମେଶ୍ୱରମ୍ ପଶ୍ଚିମରେ ମହାରାଷ୍ଟ୍ରର କିଛି ଅଂଶ ଓ ସମଗ୍ର ତେଲେଙ୍ଗାନା ସହ ବାହାମନୀର ରାଜଧାନୀ ବିଦାର ଓ ବିଜୟନଗର ରାଜଧାନୀ ହାମ୍ପିକୁ ଜୟକରି ପ୍ରଚୁର ଧନଦୌଲତ ଆଣି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଦାନ କରିଥିଲେ ।
[ଚିତ୍ର ବର୍ଣ୍ଣନା: ବାମପାଖରେ କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଏବଂ ଡାହାଣପାଖରେ ଭୁବନେଶ୍ୱରର ପ୍ରାଚୀନ ମେଘେଶ୍ୱର ମନ୍ଦିରର ସ୍ଥାପତ୍ୟ ଦୃଶ୍ୟ।]
-
କୋଣାର୍କ ମନ୍ଦିର
-
ମେଘେଶ୍ୱର ମନ୍ଦିର
ତାଙ୍କ ସମୟରେ କଳା, ଶିକ୍ଷା, ସାହିତ୍ୟ ସଂସ୍କୃତି ଯଥେଷ୍ଟ ଉନ୍ନତି ହୋଇଥିଲା । ସାରଳାଦାସଙ୍କ ବିଶାଳ ମହାଭାରତ ତାଙ୍କ ସମୟରେ ରଚିତ ହୋଇଥିଲା । ସେ ପୁନଶ୍ଚ ବଙ୍ଗଳାର ଗୌଡ଼ ଅଧିକାର କରିଥିଲେ । ଫଳରେ ସେ ନିଜକୁ ସୂର୍ଯ୍ୟବଂଶୀ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଭାବେ ପ୍ରତିଷ୍ଠା ଅର୍ଜନ କଲେ । ଗଜପତି କପିଳେନ୍ଦ୍ରଦେବଙ୍କ ସମୟ ଥିଲା ସାମରିକ ବିଦ୍ୟା, ଆର୍ଥିକ ସ୍ୱଚ୍ଛଳତା ସାମାଜିକ ସଂସ୍କାରର ଏକ ନବଜାଗରଣ; ଏଣୁ ତାଙ୍କ ଶାସନ କାଳକୁ ଉତ୍କଳ ଇତିହାସର ‘ସୁବର୍ଣ୍ଣଯୁଗ’ କୁହାଯାଏ ।
ସେତେବେଳକୁ ଭାରତୀୟ ସଭ୍ୟତାର ଏକ ପ୍ରକାର ବିପନ୍ନ ଅବସ୍ଥା ଆସିଯାଇଥିଲା। ହିନ୍ଦୁ ଗଣହତ୍ୟା, ଲୁଣ୍ଠନ, ପବିତ୍ର ସ୍ଥାନ ଓ ମନ୍ଦିରର ଧ୍ୱଂସ ସାଙ୍ଗକୁ ବଳପୂର୍ବକ ଧର୍ମାନ୍ତରଣ ବେଳେ, ଏହି ଭୂଖଣ୍ଡ ମୁସ୍ଲିମାନଙ୍କର ଦୃଢ଼ ପ୍ରତିରୋଧ କରିପାରିଥିଲା। ପ୍ରଥମ ନରସିଂହଦେବ ହେଉଛନ୍ତି ପ୍ରଥମ ଶାସକ ଯିଏ ‘ଗଜପତି ଉପାଧି’ ପ୍ରଥମେ ଧାରଣ କରିଥିଲେ।
ଆସ ଅନୁସନ୍ଧାନ କରିବା
-
ଅହୋମ୍ ରାଜ୍ୟର ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ପାଇକ ବ୍ୟବସ୍ଥା ଆହ୍ୱାନ ଓ ସୁଫଳ ଦୃଷ୍ଟିରୁ କିପରି ପ୍ରଭାବିତ କରିଥିଲା ଏବଂ ରାଜାଙ୍କୁ ସେବା ଏବଂ ଅର୍ଥନୀତି ଉଭୟ ପରିଚାଳନା କରିବାରେ କିପରି ସାହାଯ୍ୟ କରିଥିଲା ତାହା ଶ୍ରେଣୀରେ ଆଲୋଚନା କର।
-
ଦେଶର ବହୁ ଅଞ୍ଚଳରେ ନରସଂହାର, ଲୁଣ୍ଠନ ଓ ଧର୍ମାନ୍ତରଣ, ମନ୍ଦିରଧ୍ୱଂସ ଚାଲିଥିବା ବେଳେ, ଓଡ଼ିଶା ଭୂଖଣ୍ଡରେ ଗଙ୍ଗବଂଶର ଶାସକମାନେ କଳା, ଧର୍ମ ଓ ସଂସ୍କୃତିର କିପରି ବିକାଶ କରିଥିଲେ, ସେ ସମ୍ପର୍କରେ ଶ୍ରେଣୀରେ ଆଲୋଚନା କର।
-
କପିଳେନ୍ଦ୍ର ଦେବଙ୍କ ଶାସନକାଳ ଉତ୍କଳ ଇତିହାସର ସୁବର୍ଣ୍ଣଯୁଗ କାହିଁକି, ସେ ବିଷୟରେ ଶ୍ରେଣୀରେ ଆଲୋଚନା କର ।
୧୭ଶ ଶତାବ୍ଦୀରେ ଯେତେବେଳେ ଆଉରଙ୍ଗଜେବ୍ ମୋଗଲ ସେନା ପଠାଇ ଅହୋମ୍ ରାଜଧାନୀ ଗଡ଼ଗାଓଁକୁ କିଛି ସମୟ ପାଇଁ ଦଖଲ କରିଥିଲେ, ସେତେବେଳେ ଅହୋମ୍ମାନେ ନିଜ ଅଞ୍ଚଳର ଘଞ୍ଚ ଅରଣ୍ୟ, ପର୍ବତମାଳା ଏବଂ ନଦନଦୀ ବିଷୟରେ ସମ୍ୟକ୍ ଜ୍ଞାନ ଥିବାରୁ ମୁସଲ୍ମାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଗରିଲା ରଣନୀତି ଅନୁସରଣ କରିଥିଲେ। ଯଦିଓ ଶତ୍ରୁ ପକ୍ଷରେ ଅଧିକ ସୈନ୍ୟ ଏବଂ ନଦୀଡଙ୍ଗାର ଏକ ବଡ଼ ନୌବାହିନୀ ଥିଲା ତଥାପି ଅହୋମ୍ମାନେ ଉଲ୍ଲେଖନୀୟ ଦୃଢ଼ ଆତ୍ମବିଶ୍ୱାସର ସହ ଲଢ଼ିଥିଲେ ।
[ଚିତ୍ର ବର୍ଣ୍ଣନା: ବାମପାଖରେ ଏକ ପ୍ରସ୍ତର ଫଳକରେ ସରାଇଘାଟ ନୌଯୁଦ୍ଧର ଖୋଦିତ ଚିତ୍ର ଏବଂ ଡାହାଣପାଖରେ ସରାଇଘାଟ ସ୍ମାରକୀ ପାର୍କରେ ଅହୋମ୍ ଯୋଦ୍ଧାମାନଙ୍କର ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତି।]
ଚିତ୍ର : ୨.୨୪ : ସରାଇଘାଟ ଯୁଦ୍ଧ ସମୟରେ ଅହୋମ୍ ଯୋଦ୍ଧାମାନଙ୍କ ଚିତ୍ର ପ୍ରଦର୍ଶନ କରୁଥିବା ପ୍ରତିମୂର୍ତ୍ତି
ଚିତ୍ର : ୨.୨୫ : ଏହି କାଠପଟାରେ ଖୋଦିତ ଚିତ୍ର ସରାଇଘାଟ ଯୁଦ୍ଧର ସ୍ମୃତି ବହନ କରେ । (ସରାଇଘାଟ ଯୁଦ୍ଧ ସ୍ମାରକୀ ପାର୍କ)
(୧୬୭୧) ସରାଇଘାଟ ଯୁଦ୍ଧରେ ବର୍ତ୍ତମାନର (ଗୌହାଟି ନିକଟବର୍ତ୍ତୀ ବ୍ରହ୍ମପୁତ୍ର ନଦୀରେ) ଉଭୟ ପକ୍ଷ ଲଢ଼ିଥିଲେ । ଅହୋମ୍ ସାମରିକ ସେନାପତି ଲଚିତ ବୋରଫୁକନ ଏବଂ ତାଙ୍କର ୧୦,୦୦୦ ସୈନ୍ୟ ମୋଗଲ ବାହିନୀକୁ ପରାସ୍ତ କରିଥିଲେ, ଯାହାଙ୍କ ସୈନ୍ୟ ସଂଖ୍ୟା ଥିଲେ ୩୦,୦୦୦ । ଶେଷରେ ଅହୋମ୍ମାନେ ବିଜୟୀ ହେଲେ ଓ ନିଜ ସ୍ୱାଧୀନତା ବଜାୟ ରଖିପାରିଥିଲେ।
ମନେରଖ
ମୋଗଲ ସେନାପତି ରାମସିଂହ ଏହି ଅହୋମ ଯୋଦ୍ଧାମାନଙ୍କୁ ପ୍ରଶଂସା କରି କହିଥିଲେ, “ପ୍ରତ୍ୟେକ ଆସାମୀ ସୈନିକ ଡଙ୍ଗା ଚଳାଇବାରେ, ତୀର ମାରିବାରେ, ଖାତ ଖୋଳିବାରେ, ବନ୍ଧୁକ ଓ ତୋପ ଚଳାଇବାରେ ପାରଙ୍ଗମ ଥିଲେ। ମୁଁ ଭାରତର ଅନ୍ୟ କୌଣସି ସ୍ଥାନରେ ଏଭଳି ବହୁମୁଖୀ ପ୍ରତିଭାର ନିଦର୍ଶନ ଦେଖିନାହିଁ ।”
ଆସ ଅନୁସନ୍ଧାନ କରିବା
ଅହୋମମାନେ କିପରି ଆସାମର ନଦୀ, ପାହାଡ଼ ଓ ଜଙ୍ଗଲକୁ ନିଜ ସୁବିଧା ପାଇଁ ବ୍ୟବହାର କରିଥିଲେ ? ତୁମେ କ’ଣ ଭାବୁଛ ସେହି ଭୌଗୋଳିକ ସ୍ଥିତି ସେମାନଙ୍କ ପ୍ରତିରକ୍ଷା ପ୍ରସ୍ତୁତି ଓ ଯୁଦ୍ଧ ଲଢ଼ିବାରେ ସାହାଯ୍ୟ କରିଥିଲା ?
ଶିଖମାନଙ୍କର ଉତ୍ଥାନ
ପଞ୍ଚଦଶ ଶତାବ୍ଦୀରେ ପଞ୍ଜାବରେ ଗୁରୁ ନାନକ ସମାନତା, କରୁଣା ଏବଂ ଏକ ଈଶ୍ୱରବାଦ (ଇକ୍ ଓଙ୍କାର) ର ବାର୍ତ୍ତା ପ୍ରଚାର କରିଥିଲେ। ତାଙ୍କ ଅନୁଗାମୀମାନେ ଶିଖ ଭାବରେ ପରିଚିତ ଥିଲେ। ଯଦିଓ ଶିଖଧର୍ମ ସମ୍ପୂର୍ଣ୍ଣଭାବେ ଏକ ଆଧ୍ୟାତ୍ମିକ ଆନ୍ଦୋଳନ ରୂପରେ ଆରମ୍ଭ ହୋଇଥିଲା, ପରବର୍ତ୍ତୀ ଶିଖ୍ଗୁରୁମାନଙ୍କୁ କିଛି ମୋଗଲ ଶାସକଙ୍କ ଅଧୀନରେ ବଢୁଥିବା ଅସହିଷ୍ଣୁତା ଓ ନିର୍ଯ୍ୟାତନା ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ପଡ଼ିଥିଲା। ଯେତେବେଳେ ସମ୍ରାଟ ଜାହାଙ୍ଗୀର ଜାଣିବାକୁ ପାଇଲେ ଯେ ଗୁରୁ ଅର୍ଜୁନ ତାଙ୍କ ବିଦ୍ରୋହୀ ପୁଅକୁ ସମର୍ଥନ କରିଛନ୍ତି ; ସେ ଗୁରୁ ଅର୍ଜୁନଙ୍କୁ ନିର୍ଯ୍ୟାତନା ସହିତ ମୃତ୍ୟୁଦଣ୍ଡ ଦେଇଥିଲେ। ଏହା ଗୁରୁ ଅର୍ଜୁନଙ୍କ ପୁତ୍ର ଏବଂ ଉତ୍ତରାଧିକାରୀ ଗୁରୁ ହରଗୋବିନ୍ଦଙ୍କୁ ଏକ ଶିଖ୍ ସେନା ଗଠନ କରି ସାମରିକ ତାଲିମ ପ୍ରଦାନ କରିବାକୁ ପ୍ରେରଣା ଦେଇଥିଲା। ଯାହା ପରେ ମୋଗଲ ବାହିନୀ ବିରୋଧରେ ଅନେକ ଯୁଦ୍ଧ କରିଥିଲା।
ମନେରଖ
ଏହି ଅଧ୍ୟାୟ ପରିପ୍ରେକ୍ଷୀରେ ‘ପଞ୍ଜାବ’ କହିଲେ ଭାରତ ଓ ପାକିସ୍ଥାନ ଅନ୍ତର୍ଗତ ଏକ ବିଭାଜିତ ବିଶାଳ ଅଞ୍ଚଳକୁ ବୁଝାଏ ।
ଶିଖ୍ମାନଙ୍କର ପବିତ୍ରଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହେବ’ ପ୍ରଥମେ ଗୁରୁ ଅର୍ଜୁନଙ୍କ ଦ୍ୱାରା ସଂକଳିତ କରାଯାଇଥିଲା; ଗୁରୁ ତେଗ୍ ବାହାଦୂରଙ୍କ ସ୍ତୁତିଗୁଡ଼ିକ ପରେ ଏହା ସହିତ ଯୋଡ଼ା ଯାଇଥିଲା। ଏହା ଗୁରୁତ୍ଵ ଦିଏ ଯେ ସମସ୍ତଙ୍କ ପାଇଁ ଜଣେ ଈଶ୍ୱର ଅଛନ୍ତି (ଯିଏ ଧର୍ମ ପାଇଁ ପୃଥିବୀକୁ ଏକ ଘର ଭାବରେ ପ୍ରତିଷ୍ଠା କରିଥିଲେ) ଏବଂ ଶିଖମାନଙ୍କୁ ସତ୍ୟବାଦୀ, କରୁଣା, ନମ୍ରତା ଏବଂ ବିଭିନ୍ନ ମୂଲ୍ୟବୋଧ ଭିତରେ ଆତ୍ମ ନିୟନ୍ତ୍ରଣର ଅଭ୍ୟାସ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଉଦାହରଣ : ‘ସତ୍ୟ ଉଚ୍ଚ କିନ୍ତୁ ସତ୍ୟବାଦୀ ଜୀବନ ଆହୁରି ଉଚ୍ଚ’ ଇତ୍ୟାଦି ।
୧୬୭୫ ମସିହାରେ କାଶ୍ମୀରୀ ପଣ୍ଡିତମାନଙ୍କର ଏକ ଦଳ ଧାର୍ମିକ ନିର୍ଯ୍ୟାତନାରୁ ସୁରକ୍ଷା ପାଇବା ପାଇଁ ଗୁରୁ ତେଗ୍ ବାହାଦୂରଙ୍କ ପାଖକୁ ଯାଇଥିଲେ। ଗୁରୁ ସେମାନଙ୍କ ସହିତ ଠିଆ ହେବାକୁ ଓ ସହିଦ ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ଗିରଫ ହୋଇଥିଲେ, ଆଉରଙ୍ଗଜେବ ତାଙ୍କୁ ଇସଲାମ୍ଧର୍ମ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଯ୍ୟାତନା ସତ୍ତ୍ୱେ ତାଙ୍କ ସମ୍ମୁଖରେ ତାଙ୍କର ଦୁଇ ଶିଷ୍ୟଙ୍କୁ ଅସହ୍ୟ ନିର୍ଯ୍ୟାତନା ସହିତ ମୃତ୍ୟୁଦଣ୍ଡ ଦେବା ଦୃଶ୍ୟ ଦେଖି ମଧ୍ୟ ଗୁରୁ ଇସଲାମ୍ଧର୍ମ ଗ୍ରହଣକୁ ବାରମ୍ବାର ଅସ୍ୱୀକାର କରିଥିଲେ। ଆଉରଙ୍ଗଜେବଙ୍କ ନିର୍ଦ୍ଦେଶରେ ଦିଲ୍ଲୀର ଚାନ୍ଦିନୀଚୌକରେ ସର୍ବସାଧାରଣଙ୍କ ଆଗରେ ତାଙ୍କ ମୁଣ୍ଡକାଟି ଦିଆଯାଇଥିଲା। ଏହାର ଜବାବରେ ତାଙ୍କର ପୁତ୍ର ଗୁରୁଗୋବିନ୍ଦ ସିଂହ, ଦଶମ ଏବଂ ଶେଷ ଗୁରୁ ‘ଖାଲ୍ସା’ ପ୍ରତିଷ୍ଠା କରିଥିଲେ। ଏହା ହେଲା ନ୍ୟାୟ, ସମାନତା ଏବଂ ଧର୍ମର ସୁରକ୍ଷା ପାଇଁ ଏକ ସାମରିକ ଭାରତର ପ୍ରତିବନ୍ଧକ । ଯାହା ପ୍ରାୟତଃ ଜୀବନର ବହୁ ମୂଲ୍ୟ ଦେଇ ମୋଗଲ ବାହିନୀ ସହିତ ସତତ ସଂଘର୍ଷ ଜାରି ରଖିଥିଲା।
[ଚିତ୍ର ବର୍ଣ୍ଣନା: ଦଶମ ଶିଖ୍ ଗୁରୁ ଗୋବିନ୍ଦ ସିଂହ ଘୋଡ଼ାରେ ବସି ହାତରେ ବାଜପକ୍ଷୀ ଧରିଥିବା ଏବଂ ତାଙ୍କ ଉପରେ ରାଜକୀୟ ଛତ୍ର ଧରାଯାଇଥିବାର ଏକ ସୁନ୍ଦର କ୍ଷୁଦ୍ର ଚିତ୍ର।]
ଚିତ୍ର : ୨.୨୬ : ଗୁରୁ ଗୋବିନ୍ଦ ସିଂହଙ୍କ ଏକ କ୍ଷୁଦ୍ର ଚିତ୍ର
ମନେରଖ
ଦିଲ୍ଲୀର ପ୍ରସିଦ୍ଧ ବଜାର ଚାନ୍ଦିନୀଚୌକରେ ଥିବା ଗୁରୁଦ୍ୱାର ସିସ୍ଗଞ୍ଜ ସାହିବ କ’ଣ ସୂଚୀତ କରୁଛି ତାହା ତୁମେ ଜାଣ କି ? ଶିଖ ଧର୍ମରେ ଗୋଟିଏ ଗୁରୁଦ୍ୱାର ହିଁ ଏକ ପୂଜାସ୍ଥଳ। ଏହା ସେହି ସ୍ଥାନକୁ ଚିହ୍ନଟ କରେ ଯେଉଁଠାରେ ୧୬୭୫ ମସିହାରେ ଆଉରଙ୍ଗଜେବ ନବମ ଶିଖ ଗୁରୁ ତେଗ୍ବାହାଦୁରଙ୍କ ମୁଣ୍ଡକାଟି ଦେଇଥିଲା। ଏହି ଐତିହାସିକ ଗୁରୁଦ୍ୱାରକୁ ‘ଶିଖ ରେଜିମେଣ୍ଟ୍’ ଦ୍ୱାରା ଅନନ୍ୟ ଭାବରେ ସମ୍ମାନିତ କରାଯାଇଛି। ଯେଉଁ ରେଜିମେଣ୍ଟ ୧୯୭୯ ମସିହାରୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସଲାମ୍ ଦେଇ ଆସୁଛନ୍ତି। ଏହା ଭାରତୀୟ ଇତିହାସରେ ବିଶ୍ୱାସ ଓ ବଳିଦାନର ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ଦଣ୍ଡାୟମାନ ।
ଏହା ବିଷୟରେ ଚିନ୍ତାକର
-
ତୁମେ କାହିଁକି ଭାବୁଛ ଯେ ତେଗ୍ବାହାଦୁର ଧର୍ମ ପରିବର୍ତ୍ତନ କରିବା ପରିବର୍ତ୍ତେ ନିର୍ଯ୍ୟାତନା ସହିଥିଲେ ? ସେ କାହିଁକି ଭାବୁଥିଲେ ଯେ ତାଙ୍କ ବଳିଦାନ ନିଶ୍ଚିତ କିଛି ପରିବର୍ତ୍ତନ ଆଣିବ ?
-
ଶିଖଗୁରୁ ଏବଂ ଖାଲସା କେଉଁ ମୂଲ୍ୟବୋଧକୁ ଗ୍ରହଣ କରିଥିଲେ ? ଆଜିର ଦିନରେ ସେମାନେ କେତେ ପ୍ରାସଙ୍ଗିକ ?
ମୋଗଲ ସାମ୍ରାଜ୍ୟର ଅବନ୍ନତି ସହ ମରାଠାମାନଙ୍କର ଭୟଙ୍କର ଆକ୍ରମଣ (ପରବର୍ତ୍ତୀ ଅଧ୍ୟାୟ ଦେଖ) ପରେ ପଞ୍ଜାବ ଅଞ୍ଚଳରେ ଅନେକ ଶିଖ ସଂଘର ଉଦୟ ହୋଇଥିଲା। ଊନବିଂଶ ଶତାବ୍ଦୀର ଆରମ୍ଭରେ ମହାରାଜା ରଣଜିତ ସିଂହଙ୍କ ପ୍ରୟାସରେ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଶିଖମାନେ ଏକଜୁଟ ହୋଇଥିଲେ। ରଣଜିତ ସିଂହଙ୍କ ସାମରିକ ତୀକ୍ଷ୍ଣ ବୁଦ୍ଧି, କୂଟନୈତିକ ଦକ୍ଷତା ଏବଂ ଧାର୍ମିକ ସହିଷ୍ଣୁତା ତାଙ୍କୁ ଏକ ଦୃଢ଼ କୈନ୍ଦ୍ରୀୟ ଶିଖ୍ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା; ଯାହା ଉତ୍ତର ପଶ୍ଚିମର ବହୁଦୂର ଏପରିକି କାଶ୍ମୀର କିଛି ଅଂଶ ପର୍ଯ୍ୟନ୍ତ ବ୍ୟାପିଥିଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଏହି ସାମ୍ରାଜ୍ୟ ଉଭୟ ମୋଗଲ ସାମ୍ରାଜ୍ୟର ଅବଶେଷ ଓ ପରବର୍ତ୍ତୀ ଇଂରେଜ ସାମ୍ରାଜ୍ୟ ବିସ୍ତାରକୁ ପ୍ରତିରୋଧ କରିପାରିଥିଲା।
[ଚିତ୍ର ବର୍ଣ୍ଣନା: ଏକ ତାରକାକୃତି ଚାର୍ଟ (Mind Map) ଯାହା ମଧ୍ୟଯୁଗୀୟ ଭାରତର ପ୍ରମୁଖ ରାଜବଂଶଗୁଡ଼ିକର ଭୌଗୋଳିକ ସ୍ଥିତି ଦର୍ଶାଉଛି।]
ପ୍ରମୁଖ ରାଜବଂଶ ସମୂହ :
-
ଦିଲ୍ଲୀ ସୁଲତାନୀ / ମୋଗଲ ସାମ୍ରାଜ୍ୟ
-
ଅହୋମ
-
ପୂର୍ବ ଗଙ୍ଗରାଜ୍ୟ
-
ଗଜପତି ରାଜ୍ୟ
-
ହୟଶାଳ / ବିଜୟନଗର ସାମ୍ରାଜ୍ୟ
-
ବାହମନୀ ସୁଲତାନୀ
-
ରାଜପୁତ
-
ଶିଖ
ଚିତ୍ର : ୨.୨୭ : ଏହି ଅଧ୍ୟାୟରେ ଥିବା ପ୍ରମୁଖ ରାଜବଂଶଗୁଡ଼ିକର ରୈଖିକ ସାରାଂଶ ଯାହା ସେଗୁଡ଼ିକର ଭୌଗୋଳିକ ଅବସ୍ଥିତିକୁ ମୋଟାମୋଟି ଭାବରେ ଦର୍ଶାଉଛି।
ଭାରତରେ ପ୍ରଶାସନ
ଦିଲ୍ଲୀରେ ସୁଲତାନୀ ଶାସନ
ଦିଲ୍ଲୀ ସୁଲତାନୀ ଏକ କୈନ୍ଦ୍ରିକ ରାଜନୈତିକ ବ୍ୟବସ୍ଥା ପ୍ରଚଳନ କରିଥିଲା ଯେଉଁଥରେ ସୁଲତାନ୍ ରାଜନୈତିକ ଏବଂ ସାମରିକ ମୁଖ୍ୟ ଭାବରେ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ଥିଲେ। ସମସାମୟିକ ବିବରଣୀ ଅନୁଯାୟୀ ତାଙ୍କର କର୍ତ୍ତବ୍ୟ “ସମ୍ଭାବ୍ୟ ଆକ୍ରମଣ ବିରୁଦ୍ଧରେ ଇସଲାମର ଅଞ୍ଚଳଗୁଡ଼ିକୁ ରକ୍ଷା କରିବା। ପାଉଣା ଓ କର ସଂଗ୍ରହ କରିବା ଏବଂ ବ୍ୟକ୍ତିଗତ ଯୋଗାଯୋଗ ଦ୍ୱାରା ସାର୍ବଜନୀନ ବ୍ୟାପାର ଏବଂ ଲୋକଙ୍କ ଅବସ୍ଥା ସହିତ ଯୋଗାଯୋଗ ରଖିବା।” ତଥାପି ସୁଲତାନଙ୍କୁ ଏକ ମନ୍ତ୍ରୀ ପରିଷଦ ସାହାଯ୍ୟ କରୁଥିଲା ଯେଉଁମାନେ ସୁଲତାନୀର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିଲେ।
ପ୍ରଶାସନର ଏକ ମାଧ୍ୟମ ଥିଲା ‘ଇକ୍ତା’ ବ୍ୟବସ୍ଥା, ଯଦ୍ୱାରା ସଂପୃକ୍ତ ଅଞ୍ଚଳଗୁଡ଼ିକରୁ କର ସଂଗ୍ରହ ପାଇଁ ସମ୍ଭ୍ରାନ୍ତ ବ୍ୟକ୍ତି (ଇକ୍ତାଦାର)ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା; ଖର୍ଚ୍ଚକୁ ବାଦଦେବା ପରେ ଅବଶିଷ୍ଟ କର ସୁଲତାନଙ୍କ କୋଷାଗାରକୁ ଯାଉଥିଲା, ଯାହା ସେନାର ପରିଚାଳନା ପାଇଁ ଆବଶ୍ୟକତା ଥିଲା। ଏହି ବ୍ୟବସ୍ଥା ସ୍ଥାନୀୟ ପ୍ରଶାସକମାନଙ୍କର ଏକ ଶୃଙ୍ଖଳ (Network) ସୃଷ୍ଟି କରିଥିଲା। ଯାହା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ପ୍ରତି ବିଶ୍ୱସନୀୟତାର ଅଂଶ ଥିଲା, କିନ୍ତୁ ସେମାନଙ୍କର ପଦବୀ ବଂଶାନୁକ୍ରମିକ ନଥିଲା । ପ୍ରତ୍ୟେକ ପର୍ଯ୍ୟାୟରେ ବାଣିଜ୍ୟ ଉପରେ କର ଲାଗୁ ହେଉଥିଲେ ମଧ୍ୟ ଚାଷୀମାନଙ୍କ ଉପରେ ବୋଝ ସବୁଠାରୁ ଅଧିକ ପଡ଼ିଥିଲା। କିଛି ବିବରଣୀରୁ ଜଣାଯାଏ ବହୁ ନିଷ୍ଠୁରତାର ସହ ସେମାନଙ୍କର ଭୂମିରୁ ରାଜସ୍ୱ ଆଦାୟ କରାଯାଉଥିଲା।
ମୋଗଲ ପ୍ରଶାସନିକ ଢାଞ୍ଚା
ଦକ୍ଷତା ଓ ଉତ୍ତମ ନିୟନ୍ତ୍ରଣକୁ ଲକ୍ଷ୍ୟକରି ଆକବର ତାଙ୍କ ପ୍ରଶାସନିକ କଳକୁ ପୁନଃ ସଂଗଠିତ କରିଥିଲେ। ‘ଦିୱାନ’ (ଦେୱାନ୍) ଆର୍ଥିକ ବ୍ୟବସ୍ଥାର ଦେଖାରଖା କରୁଥିଲେ। ‘ମୀରବକ୍ସି’ ସାମରିକ ମାମଲାର ଦେଖାଶୁଣା କରୁଥିଲେ । ‘ଖାନ୍-ଇ-ସାମାନ’ ରାଜକୀୟ ପରିବାର ଦାୟିତ୍ୱ ସହ ସାଧାରଣ କାର୍ଯ୍ୟ, ବାଣିଜ୍ୟ, ଶିଳ୍ପ ଏବଂ କୃଷିର ତଦାରଖ କରୁଥିଲେ। ‘ସଦର’ ନ୍ୟାୟ, ଧାର୍ମିକ ଏବଂ ଶିକ୍ଷାଗତ ମାମଲାର ଦାୟିତ୍ୱରେ ଥିଲେ। ଏହି ମନ୍ତ୍ରୀଗଣ ପ୍ରତ୍ୟେକ ବାରଟି ପ୍ରଦେଶ (ସୁବା) ପାଇଁ ନିଯୁକ୍ତ ହୋଇଥିଲେ । ଏହାକୁ ଆହୁରି ଅଧିକ ବିଭକ୍ତ କରାଯାଇ ସରକାରୀ ଅଧିକାରୀମାନଙ୍କ ଦ୍ୱାରା ପ୍ରଭାବଶାଳୀ ଯାଞ୍ଚ ଓ ସନ୍ତୁଳନ ରକ୍ଷା କରାଯାଉଥିଲା। ଗ୍ରାମାଞ୍ଚଳରେ ପାରମ୍ପରିକ ସ୍ୱାୟତ୍ତଶାସନ ଊଣା ଅଧିକେ ପ୍ରଚଳିତ ଥିଲା।
[ଚିତ୍ର ବର୍ଣ୍ଣନା: ଆବୁଲ ଫଜଲ ଏକ ସୁନ୍ଦର ଉଦ୍ୟାନ ପ୍ରାସାଦର ଅଗଣାରେ ବସି ପାଣ୍ଡୁଲିପି ଲିଖନ କରୁଥିବାର ଏକ ମୋଗଲ କ୍ଷୁଦ୍ର ଚିତ୍ର।]
ଚିତ୍ର : ୨.୨୮ : ଆବୁଲ ଫାଜଲଙ୍କ ଚିତ୍ରିତ ପାଣ୍ଡୁଲିପିରେ ସେ ଅଗଣାରେ ପୂର୍ଣ୍ଣ ବିବରଣୀ ସହ ସମ୍ମୁଖରେ ବସିଛନ୍ତି ।
ଆକବର ‘ମାନସବଦାରୀ’ ପ୍ରଥା ପ୍ରଚଳନ କରିଥିଲେ। ଆବୁଲ ଫଜଲ ତାଙ୍କ ଆଇନ-ଇ-ଆକବରୀରେ ଏହା ଲିପିବଦ୍ଧ କରିଛନ୍ତି, ଯେଉଁଥିରେ ଆକବରଙ୍କ ପ୍ରଶାସନର ବର୍ଣ୍ଣନା କରାଯାଇଛି। ମାନସବଦାର (ଅଫିସର) ସେମାନଙ୍କ ମାନସବ (ପଦବୀ) ଅନୁସାରେ ରାଜ୍ୟପାଇଁ ହାତୀ, ଘୋଡ଼ା, ଓଟ ଏବଂ ସୈନ୍ୟଙ୍କର ଏକ ସଠିକ ସଂଖ୍ୟା ବଢ଼ାଇ ରଖିବାକୁ ପଡ଼ୁଥିଲା । ଏହା ସ୍ଥାନୀୟ କେନ୍ଦ୍ରୀୟ ସେନା ପରିଚାଳନା ବିନା ଏକ ସଂକ୍ଷିପ୍ତ ସୂଚନାରେ ସେନା ସଂଗ୍ରହକୁ ସହଜ ଓ ସମ୍ଭବ କରି ଏହି ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥାକୁ ନିୟମିତ ଯାଞ୍ଚ କରାଯାଉଥିଲା। ମାନସବଦାରମାନଙ୍କୁ ସାଧାରଣତଃ ଜମି (ଜାଗିର) ପ୍ରଦାନ କରି ଦରମା ଦିଆଯାଉଥିଲା ଏବଂ ସେମାନଙ୍କୁ ଜାଗିରଦାର ଭାବେ ଗଣା ଯାଉଥିଲା।
ଆକବରଙ୍କ ବିଭିନ୍ନ ଧର୍ମ ପ୍ରତି ବଢୁଥିବା ସହିଷ୍ଣୁତା ସତ୍ତ୍ୱେ, ପ୍ରଶାସନର ଉଚ୍ଚ ପଦରେ ଅଣ ମୁସଲମାନଙ୍କୁ ସଂଖ୍ୟାଲଘୁ ଭାବରେ ରଖାଯାଉଥିଲା। ଉଦାହରଣ ସ୍ୱରୂପ ତାଙ୍କ ପ୍ରଶାସନରେ ଅଣମୁସଲମାନ୍ ଅଧିକାରୀ ସଂଖ୍ୟା ମୋଟ ମୁସଲମାନ୍ ଅଧିକାରୀଙ୍କ ସଂଖ୍ୟାର ଏକ ତୃତୀୟାଂଶରୁ କ୍ୱଚିତ ଅଧିକ ଥିଲା ବା ପ୍ରାୟତଃ ସେମାନଙ୍କ ସଂଖ୍ୟା କମ୍ ଥିଲା।
ଆକବରଙ୍କ ଅର୍ଥମନ୍ତ୍ରୀ ତୋଡ଼ରମଲ୍ଲ ଏକ ଦକ୍ଷ ରାଜସ୍ୱ ବ୍ୟବସ୍ଥା ପ୍ରଚଳନ କରିଥିଲେ। ସେ ଫସଲ ଉତ୍ପାଦନ ଏବଂ ମୂଲ୍ୟ ପାଇଁ ଏକ ବିସ୍ତୃତ ସର୍ଭେକ୍ଷଣ କରିଥିଲେ ଏବଂ ସେହି ସୂଚନା ଆଧାରରେ ପ୍ରତ୍ୟେକ ଫସଲ ପାଇଁ ନିର୍ଣ୍ଣୟ କରିଥିଲେ। ସାରା ମୋଗଲ ସାମ୍ରାଜ୍ୟରେ ଜମିର ଏକ ପଦ୍ଧତିଗତ ସର୍ଭେ ମଧ୍ୟ ଆରମ୍ଭ କରିଥିଲେ ଯାହା ରାଜସ୍ୱ ସଂଗ୍ରହ ବୃଦ୍ଧି କରିବା ସହ ରାଷ୍ଟ୍ର ଶାସନକୁ ମଜବୁତ କରିଥିଲା।
ଲୋକଙ୍କ ଜୀବନ
ତ୍ରୟୋଦଶ ଏବଂ ସପ୍ତଦଶ ଶତାବ୍ଦୀ ମଧ୍ୟରେ ରାଜନୈତିକ କ୍ଷମତା ପରିବର୍ତ୍ତନ ସତ୍ତ୍ୱେ, ଭାରତ ଏହାର କୃଷି ଭିତ୍ତିଭୂମି, ସମୃଦ୍ଧ କାରିଗର ଶିଳ୍ପ, ସଂପ୍ରଦାୟ-ଭିତ୍ତିକ ମନ୍ଦିର-ଭିତ୍ତିକ ଅର୍ଥନୀତି ଏବଂ ବ୍ୟାପକ ବାଣିଜ୍ୟ ନେଟ୍ୱାର୍କ ଯୋଗୁ ଏକ ଉଜ୍ଜ୍ୱଳ ଆର୍ଥିକ କାର୍ଯ୍ୟକଳାପକୁ ଦେଖିଥିଲା। ଶ୍ରେଣୀସଂଘ, ଜାତି ଭିତ୍ତିକ ବୃତ୍ତି, ଋଣ ପାଇଁ ବ୍ୟବସ୍ଥା ଭଳି ବିକେନ୍ଦ୍ରୀକରଣ ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥା ଉପରେ ନିର୍ମିତ ଏହାର ଅର୍ଥନୀତି ଏହି ଉପମହାଦେଶକୁ ବିଶ୍ୱରେ ସବୁଠାରୁ ଧନୀ ଅଞ୍ଚଳ ଭିତରୁ ଗୋଟିଏରେ ପରିଣତ କରିଥିଲା।
ସୁଲତାନ ଶାସନ କାଳରେ ନୂତନ ସହର ସୃଷ୍ଟି ବ୍ୟତୀତ, ବିଶେଷକରି ଉତ୍ତର ଭାରତରେ ରାସ୍ତା, ସେତୁ, କେତୋଟି କେନାଲ ଓ ଅନ୍ୟାନ୍ୟ ଜଳସେଚନ କାର୍ଯ୍ୟରେ ବିଶେଷ ଉନ୍ନତି ହୋଇଥିଲା। ଏହାସବୁ ମୋଗଲ ଶାସନ କାଳରେ ଯଥେଷ୍ଟ ବିସ୍ତାର ଲାଭ କରିଥିଲା। ବିଭିନ୍ନ ଧାତୁର ମୁଦ୍ରା ବିଭିନ୍ନ ମୂଲ୍ୟରେ ପ୍ରଚଳନ କରାଯାଇଥିଲା। ମୋଗଲମାନେ ଏକ ଭିନ୍ନ ବ୍ୟବସ୍ଥା ବ୍ୟବହାର କରିଥିଲେ ଯେଉଁଥିରେ ରୂପାର ଏକ ରୂପୟା ଓ ତମ୍ବାର ଏକ ଦାମ୍ ରହିଥିଲା।
କୃଷି ଭାରତୀୟ ଅର୍ଥନୀତିର ମୁଖ୍ୟ ଆଧାର ଥିଲା। ଆମେ ପୂର୍ବରୁ ଦେଖିଛୁ ଯେ କିପରି ଶାସକମାନେ ନିଜ ପ୍ରଶାସନ ଓ ସାମରିକ ବ୍ୟବସ୍ଥାକୁ ବଜାଇ ରଖିବା ପାଇଁ କୃଷି ରାଜସ୍ୱ ଉପରେ ନିର୍ଭର କରୁଥିଲେ। ସାଧାରଣତଃ ଉତ୍ପାଦିତ ଦ୍ରବ୍ୟର ଏକ ପଞ୍ଚମାଂଶ ରାଜସ୍ୱ ଭାବରେ ଆଦାୟ କରାଯାଉଥିଲା, ଯଦିଓ କିଛି ସୁଲତାନ ଏହାକୁ ଅଧା ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।
[ଚିତ୍ର ବର୍ଣ୍ଣନା: ପାରମ୍ପରିକ ଜଳସେଚନ କୌଶଳ ‘ପାରସିକ ଚକ’ (ରହଟ) ଯେଉଁଥିରେ ମାଟିର ପାତ୍ରଗୁଡ଼ିକ ଦଉଡ଼ି ଚକ ସାହାଯ୍ୟରେ କୂଅରୁ ପାଣି ଉଠାଉଛି।]
ଚିତ୍ର : ୨.୨୯ : ଏକ ପାରସିକ ଚକ ଦ୍ୱାରା କୂଅରୁ ପାଣି କାଢ଼ି ଜମିରେ ଜଳସେଚନ ପାଇଁ ବ୍ୟବହୃତ ହେଉଥିବାର ଦୃଶ୍ୟ।
[ଚିତ୍ର ବର୍ଣ୍ଣନା: ବିଜୟନଗର ସାମ୍ରାଜ୍ୟ କାଳର ତମ୍ବା ଫଳକ (ତାମ୍ର ଶାସନ) ଯେଉଁଥିରେ ଭୂମିଦାନ ସମ୍ପର୍କିତ ତଥ୍ୟ ଖୋଦିତ ହୋଇଛି ଏବଂ ଏକ ଧାତବ ରିଙ୍ଗରେ ଏକତ୍ର ବନ୍ଧା ହୋଇଛି।]
ଚିତ୍ର : ୨.୩୦ : ବିଜୟନଗରର ଭୂମି ଅନୁଦାନ, ଏକ ତମ୍ବା ଫଳକରେ ଲେଖାଯାଇଥିଲା ଯାହା ଆଧୁନିକ ଯୁଗରେ ସମ୍ପତ୍ତି କିଣାବିକାର ସମକକ୍ଷ ଥିଲା।
ଜଳସେଚନ ବ୍ୟବସ୍ଥାର ପ୍ରସାର କୃଷି ଉତ୍ପାଦନକୁ ବୃଦ୍ଧି କରିଥିଲା। ବହୁବିଧ ଶସ୍ୟର ଉତ୍ପାଦନ ଖାଦ୍ୟ (ଚାଉଳ, ଗହମ, ଯବ, ବାର୍ଲି, ଆଖୁ, ମସଲା ଇତ୍ୟାଦି) ସମେତ ଅଣଖାଦ୍ୟ ସାମଗ୍ରୀ (କପା ଯାହା ବସ୍ତ୍ର ଉତ୍ପାଦନକୁ ଖୋରାକ ଦେଇଥିଲା, ରେଶମ, ପଶମ, ରଙ୍ଗ କାଠ, ଝୋଟ ଇତ୍ୟାଦି) ଫସଲ ଉତ୍ପାଦନ ହୋଇଥିଲା। ଆସ ଆମେ ଦେଖିବା ଯେ ଅଞ୍ଚଳ ଅନୁସାରେ କୃଷି ଉତ୍ପାଦନ ସମୟ ସମୟରେ କିପରି ଭିନ୍ନ ଭିନ୍ନ ଥିଲା । ଏହି ସମୟରେ କୃଷକମାନେ ଅନେକ ଭୟଙ୍କର ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିଲେ, ଯେଉଁଥିରୁ ମୁକ୍ତି ପାଇବା, ନିର୍ଦ୍ଦିଷ୍ଟ ଶାସକଙ୍କ ଦାନଶୀଳତା ଉପରେ ନିର୍ଭର କରୁଥିଲା।
ବସ୍ତ୍ର ବ୍ୟତୀତ କାରିଗରମାନେ ଅସ୍ତ୍ରଶସ୍ତ୍ରଠାରୁ ବାସନକୁସନ ଏବଂ ଅଳଙ୍କାର ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଦ୍ରବ୍ୟ ତିଆରି କରୁଥିଲେ।
ନଦୀ ଓ ସମୁଦ୍ରରେ ବାଣିଜ୍ୟ କରିବା ପାଇଁ ଜାହାଜ ନିର୍ମାଣ ଏ ସମୟରେ ଯଥେଷ୍ଟ ବିକଶିତ ହୋଇଥିଲା। ଭାରତୀୟ ସାମଗ୍ରୀ କାଲିକଟ, ମାଙ୍ଗାଲୋର, ସୁରଟ, ମଚ୍ଛଲିପଟ୍ଟନମ୍ କିମ୍ବା ହୁଗୁଳି ଭଳି ଉପକୂଳ ଏବଂ ନଦୀକୂଳ ସହର ମାଧ୍ୟମରେ ରପ୍ତାନି କରାଯାଇଥିଲା। ଭାରତ ରପ୍ତାନି ତୁଳନାରେ ବହୁତ କମ୍ ଆମଦାନି କରୁଥିଲା। ଆମଦାନି ଉତ୍ପାଦଗୁଡ଼ିକରେ ରେଶମ, ଘୋଡ଼ା, ଧାତୁ ଏବଂ ସମସ୍ତ ପ୍ରକାରର ବିଳାସପୂର୍ଣ୍ଣ ସାମଗ୍ରୀ ଅନ୍ତର୍ଭୁକ୍ତ ଥିଲା।
ଆରବ, ପାରସ୍ୟ (ବା ବର୍ତ୍ତମାନ ଇରାନ୍) ଏବଂ ମଧ୍ୟ ଏସିଆର ବ୍ୟବସାୟୀମାନେ ଭାରତୀୟ ବନ୍ଦରଗୁଡ଼ିକ ନିକଟରେ ବସତି ସ୍ଥାପନ କରିଥିଲେ । ଏଗୁଡ଼ିକର ବ୍ୟସ୍ତବହୁଳ ବାଣିଜ୍ୟ କାରବାରରେ ବିଶେଷ ଅବଦାନ ଥିଲା ।
‘ହୁଣ୍ଡି’ ବ୍ୟବସ୍ଥା ବ୍ୟବସାୟୀମାନଙ୍କୁ ମୁଦ୍ରା ପରିବହନ ନକରି ରାଜନୈତିକ ସୀମା ପାରକରି ପାଣ୍ଠି ହସ୍ତାନ୍ତର କରିବାକୁ ସକ୍ଷମ କରିଥିଲା। ଫଳରେ ବାଣିଜ୍ୟ ପଥରେ ଲୁଣ୍ଠନ କରିବା ଏତେ ସହଜ ନଥିଲା। ମାରୱାଡ଼ି ଭଳି ବ୍ୟବସାୟୀ ସଂପ୍ରଦାୟ, ବିଭିନ୍ନ ରାଜନୈତିକ ଶାସନ ବ୍ୟବସ୍ଥାରେ କାର୍ଯ୍ୟ କରିବାରେ ଦକ୍ଷ ହୋଇଗଲେ। ସରକାରୀ ଢାଞ୍ଚାଠାରୁ ସ୍ୱାଧୀନ ଭାବରେ କାର୍ଯ୍ୟ କରୁଥିବା ଋଣ ଏବଂ ବିଶ୍ୱାସର ସମାନ୍ତରାଳ ବ୍ୟବସ୍ଥା ସେମାନେ ବିକଶିତ କଲେ।
ମନେରଖ
‘ହୁଣ୍ଡି’ ଜଣେ ବ୍ୟକ୍ତିକୁ ଦେୟଦେବା ପାଇଁ ଏକ ଲିଖିତ ନିର୍ଦ୍ଦେଶନାମା ଥିଲା । ଏହାକୁ ରାଜନୈତିକ ସୀମା ପାରିକରି ନିଆଯାଇପାରିବ ଏବଂ ଆଧୁନିକ ବ୍ୟାଙ୍କ ବ୍ୟବସ୍ଥାର ପୂର୍ବବର୍ତ୍ତୀ ଧାରା ଯାହା ମୁଦ୍ରା ବହନ ନ କରି ଆର୍ଥିକ କାରବାରକୁ ସକ୍ଷମ କରାଇ ପାରୁଥିଲା। ଏହି ବ୍ୟବସ୍ଥାଗୁଡ଼ିକରେ ଶାସକ ବର୍ଗଙ୍କ ଅଂଶ ଗ୍ରହଣ ବିନା ବାଣିଜ୍ୟ ନେଟ୍ୱାର୍କ କାମ କରୁଥିଲା।
ମନ୍ଦିରଗୁଡ଼ିକ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର
ଅନେକ ମନ୍ଦିର ଉପାସନା, ଅତିରିକ୍ତ ଶିକ୍ଷା, ସାମାଜିକ, ପାରସ୍ପରିକ କ୍ରିୟାକଳାପ, ପ୍ରଦର୍ଶନ କଳାର କେନ୍ଦ୍ର ଥିଲା। ସେମାନେ ବ୍ୟସ୍ତ ବହୁଳ ବଜାର ସହିତ ସାମାଜିକ ‘ପରିସଂସ୍ଥା’ ସୃଷ୍ଟି କରିଥିଲେ। ଶାସକବର୍ଗ ମନ୍ଦିର ଦେବାଦେବୀଙ୍କୁ ଜମି ଓ ଧନ ଦାନ କରୁଥିଲେ ଯାହା ମନ୍ଦିର ପରିଚାଳକମାନଙ୍କ ଦ୍ୱାରା ବିଶ୍ୱାସରେ ରଖାଯାଇଥିଲା। ସେମାନେ ଗୋଷ୍ଠୀ ଭିତ୍ତିଭୂମି (ଜଳସେଚନ ବ୍ୟବସ୍ଥା, ପୋଖରୀ ଇତ୍ୟାଦି) ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳ (ଧର୍ମଶାଳା ଏବଂ ଛତ୍ରମ୍) ସ୍ଥାପନ କରିଥିଲେ। ମନ୍ଦିରଗୁଡ଼ିକ ବ୍ୟବସାୟୀମାନଙ୍କୁ ଋଣ ପ୍ରଦାନ କରୁଥିଲେ ଏବଂ ଅଭ୍ୟନ୍ତରୀଣ ଓ ସାମଗ୍ରିକ ବାଣିଜ୍ୟ ପାଇଁ ପାଣ୍ଠି ଯୋଗାଉଥିଲେ।
ପ୍ରାରମ୍ଭିକ ସମୟ ସମୃଦ୍ଧ ହୋଇଥିବାବେଳେ ଷୋଡ଼ଶ ଦଶକର ଶେଷ ଭାଗରେ ଆର୍ଥିକ ଚାପ ଦେଖାଯାଇଥିଲା। ମଧ୍ୟସ୍ଥି ପକ୍ଷମାନଙ୍କୁ କର ଏବଂ ଦେୟ ଦେବାପରେ କୃଷକମାନେ ପ୍ରାୟତଃ ସେମାନଙ୍କ ଉତ୍ପାଦର ଏକ ଛୋଟ ଅଂଶ ପାଉଥିଲେ । ଏହାଦ୍ୱାରା ଅନେକ ଲୋକ ସେମାନଙ୍କର ଜମି ହରାଇ ବନ୍ଧକ ଶ୍ରମିକ ହୋଇଗଲେ।
ଐତିହାସିକମାନେ ମତ ଦିଅନ୍ତି ଯେ କାରିଗର ଏବଂ ଶ୍ରମିକମାନେ ମଧ୍ୟ ପ୍ରାୟତଃ କଠିନ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେଉଥିଲେ। ଏଯାବତ୍ ଭାରତ ପ୍ରାଚୁର୍ଯ୍ୟର ଦେଶ ଥିଲା ଯାହା ଅନେକ ଆରବୀୟ ଓ ୟୁରୋପୀୟ ପରିବ୍ରାଜକଙ୍କ ଦ୍ୱାରା ପ୍ରମାଣିତ, କିନ୍ତୁ ଧନ ସମ୍ପତ୍ତି ମୁଖ୍ୟତଃ ଶାସକ, ଦରବାରର ଉଚ୍ଚ ଅଧିକାରୀ ଏବଂ ବ୍ୟବସାୟୀ ଶ୍ରେଣୀଙ୍କ ହାତରେ କେନ୍ଦ୍ରିତ ଥିଲା। ଏହା ସହିତ ବାରମ୍ବାର ଯୁଦ୍ଧ ଜନସଂଖ୍ୟାକୁ ବାଧ୍ୟତାମୂଳକ ବିସ୍ଥାପନ କରାଇଥିଲା।
ସାଧାରଣ ଲୋକଙ୍କ ସ୍ତରରେ ସଂଘର୍ଷ ଉଦାହରଣ ଥିଲା, ବିଶେଷକରି ଶାସକଙ୍କ ସମ୍ମତିରେ ପବିତ୍ର ସ୍ଥଳଗୁଡ଼ିକ ଅନେକ ସମୟରେ ଆକ୍ରମଣ ଯୋଗୁ ଧ୍ୱଂସ ଓ ଅପବିତ୍ର ହୋଇପଡ଼ିଥିଲା। କିନ୍ତୁ ମୋଟାମୋଟି ଭାବରେ ବିଭିନ୍ନଧର୍ମ ଏବଂ ସମ୍ପ୍ରଦାୟର ଲୋକମାନେ ପରସ୍ପର ଉପରେ ଆର୍ଥିକ ଭାବରେ ନିର୍ଭରଶୀଳ ହୋଇ ଶାନ୍ତିପୂର୍ଣ୍ଣ ଭାବରେ ସହାବସ୍ଥାନ କରୁଥିଲେ।
[ଚିତ୍ର ବର୍ଣ୍ଣନା: ପ୍ରାଚୀନ ପୁଷ୍ପଗିରି ବୌଦ୍ଧ ବିଶ୍ୱବିଦ୍ୟାଳୟ (ଲାଙ୍ଗୁଡ଼ି ପାହାଡ଼, ଯାଜପୁର)ର ଖନନ ପରେ ଉଦ୍ଧାର ହୋଇଥିବା ସ୍ତୂପ ଓ ଆବାସିକ ପ୍ରସ୍ତର ଧ୍ୱଂସାବଶେଷ।]
ଭାରତର ଅଧିକାଂଶ ଶାସକ କଳାକୁ ପୃଷ୍ଠପୋଷକତା ଦେଇଥିଲେ ମଧ୍ୟ ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ପରମ୍ପରାକୁ ବଜାଇ ରଖିବା କିମ୍ବା ପୁନର୍ଜୀବିତ କରିବାକୁ ଚେଷ୍ଟା କରିଥିଲେ, ଯାହାଫଳରେ ଅନେକ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପଖୁଆଇ ପାରିଥିଲେ। ସେହି ସାଂସ୍କୃତିକ ପରମ୍ପରାଗୁଡ଼ିକ ମଧ୍ୟରେ ଏକ ସମାନ ପରିମାଣର ପାରସ୍ପରିକ କ୍ରିୟା ଏକ ସହଭାଗିତାର ଐତିହ୍ୟ ସୃଷ୍ଟି କରିଥିଲା।
ଏସବୁ ଭିତରେ ଭାରତ ସାମଗ୍ରିକ ଭାବରେ ଅର୍ଥନୈତିକ ସମୃଦ୍ଧି ସହ ରାଜନୈତିକ ଅସ୍ଥିରତାକୁ ସହ୍ୟ କରିଥିଲା। ରାଜନୈତିକ ମାନଚିତ୍ର ବାରମ୍ବାର ବଦଳିବା ସହିତ ବିଭିନ୍ନ ପ୍ରକାର ଆହ୍ୱାନକୁ ସାମ୍ନା କରି ତିଷ୍ଠି ରହିଥିଲା। ଏହା କେବଳ ଯାତନାର କାହାଣୀ ନୁହେଁ ବରଂ ସହିଷ୍ଣୁତା ଓ ନମ୍ରତାର କାହାଣୀ। ଯେତେବେଳେ ଖଣ୍ଡାର ଚାହିଦା ବେଶୀ ଥିଲା ସେତେବେଳେ ଭାରତ କଳା, ସାହିତ୍ୟ, ଆଧ୍ୟାତ୍ମିକତା ଓ କାଳଜୟୀ ମୂଲ୍ୟବୋଧର ସର୍ଜନା କରିଚାଲିଥିଲା।
ମନେରଖ : ଓଡ଼ିଶାର କେତୋଟି ଗୁରୁତ୍ୱପୂର୍ଣ୍ଣ ଐତିହାସିକ କୀର୍ତ୍ତି
୧. ପୁଷ୍ପଗିରି ବିଶ୍ୱବିଦ୍ୟାଳୟ : ପ୍ରାଚୀନ ଭାରତରେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବୌଦ୍ଧ ଧର୍ମ ଓ ସଂସ୍କୃତିର ମୁଖ୍ୟ ଶିକ୍ଷଣ କେନ୍ଦ୍ର ଥିଲା ଖ୍ରୀ.ପୂ. ୨ୟ ଶତାବ୍ଦୀରୁ ଖ୍ରୀ.ଅ. ୧୦ ମ ଶତାବ୍ଦୀ ଯାଏଁ ଏହା ଏକ ବିକଶିତ ଶିକ୍ଷାକେନ୍ଦ୍ର ଭାବରେ ବିଶ୍ୱରେ ଖ୍ୟାତିଲାଭ କରିଥିଲା। ଏହା ତତ୍କାଳୀନ କଳିଙ୍ଗର (ଆଧୁନିକ ଓଡ଼ିଶା) ଯାଜପୁର ନିକଟବର୍ତ୍ତୀ ‘ଲାଙ୍ଗୁଡ଼ି’ ପର୍ବତାଞ୍ଚଳରେ ଅବସ୍ଥିତ ଥିଲା। ଏଠାରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଲାଗି ଅନେକ ବିହାର ଥିଲା। ଖ୍ରୀ.ଅ. ୬୩୯ରେ ଚୀନ ପରିବ୍ରାଜକ ହୁଏନ୍ସାଂ ଏଠାକୁ ଆସି ଅତ୍ୟନ୍ତ ମୁଗ୍ଧ ହୋଇ ନିଜ ବିବରଣୀରେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ତାଙ୍କ ପ୍ରେରଣାରେ ବହୁ ବିଦେଶୀ ଛାତ୍ର ଏଠାରେ ଆସି ଅଧ୍ୟୟନ କରିଥିଲେ। ସଂପ୍ରତି ଏହି ଅଞ୍ଚଳକୁ ଓଡ଼ିଶାର ‘ହୀରକ ତ୍ରିଭୁଜ’ କୁହାଯାଏ। ପୃଷ୍ଠପୋଷକତା ଅଭାବରୁ ଏକାଦଶ ଶତାବ୍ଦୀ ବେଳକୁ ଏହି ବିଶ୍ୱବିଖ୍ୟାତ ବିଶ୍ୱବିଦ୍ୟାଳୟର ବିଲୟ ଘଟିଥିଲା।
୨. ଜଉଗଡ଼ : ଜଉଗଡ଼ ସମ୍ରାଟ ଅଶୋକଙ୍କ ଶିଳା ଅନୁଶାସନର ସ୍ମୃତିପୀଠ ଅଟେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଋଷିକୂଲ୍ୟା ନଦୀ ତଟରେ ଏହା ଅବସ୍ଥିତ। କଳିଙ୍ଗ ଯୁଦ୍ଧର ସ୍ମୃତି
[ଚିତ୍ର ବର୍ଣ୍ଣନା: ଉପରେ ଜଉଗଡ଼ର ସୁରକ୍ଷିତ ଅଶୋକ ଶିଳାଲେଖ ଗୃହ, ମଝିରେ ବାଲେଶ୍ୱର ରେମୁଣାର କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିସର, ଏବଂ ତଳେ ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ଥିବା ଐତିହାସିକ ପୋତାଗଡ଼ ଦୁର୍ଗର କୋଠାବାଡ଼ି।]
ଲିପି ଏବେ ବି ଏଠାରେ ପଥର ଦେହରେ ରହି ଏ ମାଟିର ବୀରତ୍ୱ ଓ ଐତିହ୍ୟକୁ ପ୍ରଦର୍ଶନ କରୁଛି। କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ଜଉଗଡ଼ ଏକଦା ଏକ ସୁରକ୍ଷିତ ଦୁର୍ଗ ଭାବେ ମୌର୍ଯ୍ୟ ଶାସକ ଅଶୋକଙ୍କ ସାମ୍ରାଜ୍ୟ ଅଧୀନରେ ଥିଲା। ଏଠାରେ ଅଶୋକଙ୍କ ପ୍ରଶାସନିକ ନୀତି ଓ ଆଦର୍ଶର ବହୁ କଥା ଏକ ବୃହତ୍ ଶିଳାଖଣ୍ଡରେ ଖୋଦିତ ହୋଇଥିବା ଦେଖିବାକୁ ମିଳେ। ସଂପ୍ରତି ସରକାରଙ୍କ ତରଫରୁ ଏହାର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
୩. କ୍ଷୀରଚୋରା ଗୋପୀନାଥ ମନ୍ଦିର : କ୍ଷୀରଚୋରା ଗୋପୀନାଥ ମନ୍ଦିର, ବାଲେଶ୍ୱର ଜିଲ୍ଲାର ରେମୁଣାଠାରେ ଅବସ୍ଥିତ। ମନ୍ଦିରରେ ପୂଜା ପାଉଥିବା ଗୋପୀନାଥ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବାରୁ ଅତ୍ୟନ୍ତ ରମଣୀୟ ଦେଖାଯାଆନ୍ତି । ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ, କାରୁକାର୍ଯ୍ୟ ଖଚିତ ଏହି ସୁନ୍ଦର ମନ୍ଦିରଟି ନିର୍ମାଣ କରିଥିଲେ। କ୍ଷୀରଚୋରା ଗୋପୀନାଥଙ୍କୁ ଉତ୍ତର ଭାରତର ଚିତ୍ରକୂଟରୁ ଆଣି ଏହି ଭବ୍ୟ ମନ୍ଦିରରେ ସ୍ଥାପନ କରିଥିଲେ।
୪. ମାଣିଆବନ୍ଧ : ସଂସ୍କୃତି ଓ ଐତିହ୍ୟର ଆଉ ଏକ ଗୌରବମୟ ସ୍ଥାନ ହେଲା କଟକ ଜିଲ୍ଲାର କ୍ଷୁଦ୍ରଗ୍ରାମ ‘ମାଣିଆବନ୍ଧ’ । କଟକରୁ ବାଙ୍କୀ ଦେଇ ଗଲେ ଏହି ଛୋଟ ଗାଁଟି ପଡ଼େ। ଏହା କେବଳ ମାଣିଆବନ୍ଧ ପାଟଶାଢ଼ୀ ପାଇଁ ପ୍ରସିଦ୍ଧ ନୁହେଁ ବରଂ ଅନେକ ଐତିହାସିକ ସ୍ମୃତି ଓ କୀର୍ତ୍ତି ଏଠାରେ ରହିଛି। ଏକଦା ବୌଦ୍ଧ ଧର୍ମ ଓ ଦର୍ଶନର ଚର୍ଚ୍ଚା ଏଠାରେ ହେଉଥିଲା। ଅନେକ ବୌଦ୍ଧ ବିହାରର ଧ୍ୱଂସାବଶେଷ ଏଠାରେ ଦେଖିବାକୁ ମିଳେ। ହୁଏନ୍ସାଂ ଏହି ସ୍ଥାନ ପରିଦର୍ଶନ କରି ଗ୍ରାମର ସୌନ୍ଦର୍ଯ୍ୟ ଓ ଗୁରୁତ୍ୱକୁ ନିଜ ବିବରଣୀରେ ବର୍ଣ୍ଣନା କରିଛନ୍ତି। ପ୍ରତିବର୍ଷ ଏହି ଗ୍ରାମରେ ବୁଦ୍ଧଜୟନ୍ତୀ ମହାସମାରୋହରେ ପାଳିତ ହୁଏ । ଚୀନ୍, ଜାପାନ୍, କୋରିଆ, ତିବ୍ଦତ ଓ ଇଣ୍ଡୋନେସିଆରୁ ବହୁ ପର୍ଯ୍ୟଟକ ଏହି ଗ୍ରାମକୁ ବୁଲିବାକୁ ଆସନ୍ତି ।
୫. ପୋତାଗଡ଼ : ଓଡ଼ିଶାର ଅନ୍ୟ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର ‘ପୋତାଗଡ଼’ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟ ତାରାତାରିଣୀ ପୀଠରୁ ୫ କି.ମି. ଦୂରରେ ଋଷିକୂଲ୍ୟା ମୁହାଣ ନିକଟରେ ଅବସ୍ଥିତ। ପଞ୍ଚତାରକା ଆକୃତିର ଏହି ଦୁର୍ଗ ୧୭୬୮ ମସିହାରେ ଏଡୱାର୍ଡ କୋଷ୍ଟାଫୋର୍ଡ଼ଙ୍କ ନେତୃତ୍ୱରେ ସଂପନ୍ନ ହୋଇଥିଲା। ଏହି ଦୁର୍ଗ ମୁସଲମାନ୍ ଓ ଫରାସୀ ଶାସକଙ୍କ ଅଧୀନରେ କିଛିଦିନ ରହିଥିଲା। ଏହି ଦୁର୍ଗର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀ ବେଶ୍ ଆକର୍ଷଣୀୟ। ୧୭୬୫ ବେଳକୁ ଇଂରେଜମାନେ ଏହାକୁ ଅଧିକାର କରି, ଗଞ୍ଜାମ ଜିଲ୍ଲାର ପ୍ରଥମ ଜିଲ୍ଲାପାଳଙ୍କ ପ୍ରଶାସନିକ କୋଠି ଭାବେ ଏହାକୁ ବ୍ୟବହାର କରିଥିଲେ। ଏଠାରୁ ଋଷିକୂଲ୍ୟା ନଦୀ ଦେଇ ବଙ୍ଗୋପସାଗରରେ ଜଳଯାତ୍ରା କରିବା ଲାଗି ଏହାକୁ ଇଂରେଜମାନେ ଉପଯୁକ୍ତ ମଣିଥିଲେ।
ଆମେ କ'ଣ ଶିଖିଲେ...
-
ଏହି ସମୟ ଦେଖିଥିଲା-ତୁର୍କୀ, ଆଫଗାନ ଏବଂ ମୋଗଲ ବୈଦେଶିକଙ୍କ କ୍ରମାଗତ ଆକ୍ରମଣ ଯାହା ବ୍ୟାପକ ବିନାଶ, ପୁରୁଣା ରାଜବଂଶର ପତନ ଏବଂ ବହୁ ରାଜ୍ୟ ଓ ସାମ୍ରାଜ୍ୟର ଉତ୍ଥାନ ପତନ। ନିରନ୍ତର ଯୁଦ୍ଧ, ସନ୍ଧି (ମେଣ୍ଟ) ଏବଂ ବିଜୟ ଭାରତର ରାଜନୈତିକ ସୀମାକୁ ପୁନଃ ନିର୍ଦ୍ଧାରଣ କରିଥିଲା।
-
ଏ ସମୟରେ ଧାର୍ମିକ ଅସହିଷ୍ଣୁତାର ଅନେକ ଦୃଷ୍ଟାନ୍ତ ଥିଲା। ବୌଦ୍ଧ, ଜୈନ, ହିନ୍ଦୁ, ଶିଖ, ଜୋରାଷ୍ଟ୍ରୀୟ ଏବଂ ଆଦିବାସୀମାନେ ଅନେକ ସମୟରେ କଠୋର ନିର୍ଯ୍ୟାତନା ଭୋଗ କରିଥିଲେ, ଯଦିଓ କିଛି ଶାସକ ଅନ୍ୟମାନଙ୍କ ତୁଳନାରେ ଅଧିକ ଉଦାର ମନୋଭାବର ଥିଲେ।
-
କୃଷି ଓ ବାଣିଜ୍ୟର ବିସ୍ତାର ହୋଇଥିଲା, ଯାହା ଭାରତର ବୈଭବ ଓ ବିଶ୍ୱ ସହିତ ଯୋଗାଯୋଗକୁ ବୃଦ୍ଧି କରିଥିଲା। ତଥାପି ସାଧାରଣ ପ୍ରଜାଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା।
-
ଭାରତୀୟ ସମାଜ, ସହର, ନଗର, ମନ୍ଦିର ଅର୍ଥନୀତିର ଅନ୍ୟାନ୍ୟ ଦିଗୁଡ଼ିକର ପୁନଃ ନିର୍ମାଣରେ ଅନୁକୂଳ ମନୋଭାବ ଓ ନମନୀୟତାକୁ ପ୍ରଦର୍ଶନ କରିଥିଲା। ସେହି ସମୟରେ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ କରିବା ଏବଂ ନୂତନ ସାଂସ୍କୃତିକ ଅଭିବ୍ୟକ୍ତି ସୃଷ୍ଟି କରିବା ପାଇଁ ସ୍ୱଦେଶୀ ଓ ବିଦେଶୀ ଉପାଦାନଗୁଡ଼ିକୁ ମିଶ୍ରଣ କରିବାର ଉପାୟ ପାଇଲା। କଳା ଏବଂ ସଂସ୍କୃତିର ଅନେକ ରୂପ, ସ୍ଥାପତ୍ୟ, ସଙ୍ଗୀତ ଓ ଚିତ୍ରକଳାରେ ଏ ସମୟ ସମୃଦ୍ଧ ହୋଇଥିଲା।
ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
୧. ଦିଲ୍ଲୀ ସୁଲତାନ ଏବଂ ମୋଗଲମାନଙ୍କର ରାଜନୈତିକ ରଣନୀତି ତୁଳନା କର । ସେମାନଙ୍କ ମଧ୍ୟରେ କ’ଣ ସମାନତା ଏବଂ ପାର୍ଥକ୍ୟ ଥିଲା ?
୨. ବିଜୟନଗର ସାମ୍ରାଜ୍ୟ, ଅହୋମ ରାଜ୍ୟ ଓ କଳିଙ୍ଗ ସାମ୍ରାଜ୍ୟ ଭଳି ରାଜ୍ୟ ଅନ୍ୟମାନଙ୍କ ତୁଳନାରେ କାହିଁକି ଦୀର୍ଘ ସମୟ ଧରି ବିଜୟକୁ ରକ୍ଷା କରିପାରିଥିଲେ ? ସେମାନଙ୍କ ସଫଳତାରେ କେଉଁ ଭୌଗୋଳିକ, ସାମରିକ ଓ ସାମାଜିକ କାରଣ ଯୋଗଦାନ ଦେଇଥିଲା ?
୩. କଳ୍ପନା କର ଯେ ତୁମେ ଆକବର କିମ୍ବା କୃଷ୍ଣଦେବ ରାୟଙ୍କ ଦରବାରରେ ଜଣେ ବିଦ୍ୱାନ। ତୁମେ ଦେଖୁଥିବା, ରାଜନୀତି, ବାଣିଜ୍ୟ, ସଂସ୍କୃତି ଏବଂ ସମାଜ ବିଷୟରେ ବର୍ଣ୍ଣନା କରି ଜଣେ ବନ୍ଧୁଙ୍କୁ ଏକ ଚିଠି ଲେଖ।
୪. ଯୁବାବସ୍ଥାରେ ଜଣେ ନିଷ୍ଠୁର ବିଜେତା ଆକବର କିଛି ବର୍ଷ ପରେ କିପରି ସହନଶୀଳ ଏବଂ ଦୟାଳୁ ହୋଇଗଲେ ? ଏହି ପରିବର୍ତ୍ତନର କାରଣ କ’ଣ ହୋଇପାରେ ?
୫. ଯଦି ବିଜୟନଗର ସାମ୍ରାଜ୍ୟ ତାଲିକୋଟ ଯୁଦ୍ଧରେ ବିଜୟୀ ହୋଇଥାନ୍ତା ତେବେ ଫଳାଫଳ କ'ଣ ହୋଇଥାନ୍ତା ? କଳ୍ପନା କର ଓ ବର୍ଣ୍ଣନା କର ଯେ ଏହା ଦକ୍ଷିଣ ଭାରତର ରାଜନୈତିକ ଏବଂ ସାଂସ୍କୃତିକ ଇତିହାସକୁ କିପରି ପରିବର୍ତ୍ତନ କରିଥାନ୍ତା ?
୬. ସମାନତା, ସେବା ଓ ନ୍ୟାୟ ସମେତ ପ୍ରାରମ୍ଭିକ ଶିଖ ଧର୍ମଦ୍ୱାରା ପ୍ରୋତ୍ସାହିତ ଅନେକ ମୂଲ୍ୟବୋଧର ଆଜି ବି ପ୍ରାସଙ୍ଗିକତା ରହିଛି। ଏହି ମୂଲ୍ୟବୋଧଗୁଡ଼ିକ ମଧ୍ୟରୁ ଗୋଟିଏ ବାଛ ଏବଂ ସମସାମୟିକ ସମାଜରେ ଏହା କିପରି ପ୍ରାସଙ୍ଗିକ ରହିଛି ତାହା ଆଲୋଚନା କର ।
୭. କଳ୍ପନା କର ଯେ ତୁମେ ଏକ ବନ୍ଦର ନଗରୀ (ସୁରତ, କାଲିକଟ୍ କିମ୍ବା ହୁଗୁଳି)ର ବ୍ୟବସାୟୀ । ତୁମ ସାମଗ୍ରୀ, ତୁମେ ଯେଉଁ ଲୋକଙ୍କ ସହ ବାଣିଜ୍ୟ କରୁଛ ଓ ଜାହାଜର ଗତିବିଧି ଇତ୍ୟାଦିର ଦୃଶ୍ୟଗୁଡ଼ିକ ବର୍ଣ୍ଣନା କର ।